Unknown

 

 

 

 

 

 

 

 

 

ଦାର୍ଢ଼୍ୟତା ଭକ୍ତି

ଭକ୍ତକବି ରାମ ଦାସ

 

ବଳୀରାଜା ଚରିତ

 

ନମଇଁ ଗଉରୀ ନନ୍ଦନ

ସକଳ ବିଘ୍ନ ବିନାଶନ

।।

ଶ୍ରୀ ଚନ୍ଦ୍ରଶେଖର କୁମର

ଅଶେଷ ବିଦ୍ୟାର ଭଣ୍ଡାର

।।

ସଦା ଆନନ୍ଦ ସଦା ଭୋଗୀ

ଓଁ କାର ବ୍ରହ୍ମ ଅନୁରାଗୀ

।।

ଅଶେଷ ମହିମା ତୋହର

ବ୍ରହ୍ମାଦି ସୁରେ ଅଗୋଚର

।।

ଭକତ ଆରତ ନ ସହୁ

ଚିତ୍ତ ବାଞ୍ଛିତ ଫଳ ଦେଉ

।।

ଯେ ପ୍ରାଣୀ ଆଶ୍ରେ କରେ ତୋତେ

ମୁର୍ଖ ସେ ନୋହେ କଦାଚିତେ

।।

ମୁହିଁ ପାମର ରାମଦାସ

ତୋ ପାଦପଦ୍ମେ କଲି ଆଶ

।।

ଅଶେଷ ଜନ୍ମ ଦୁର୍ବାସନା

ଖଣ୍ଡି ମୁଁ ହୋଇବି ସୁମନା

।।

ମୁର୍ଖପଣରୁ ହେବି ପାର

ହେ ଗଜାନନ କୃପାକର

।।

ଶ୍ରୀ ଦେବୀ ଶାରଦା ଚରଣେ

ଶରଣ ମାଗେ ଅନୁକ୍ଷଣେ

।।

ବୁଡ଼ି ମରିଛି ମୂର୍ଖ ଜଳେ

ଉଦ୍ଧରି ଧର ଜ୍ଞାନ କୂଳେ

।।

ତୋ କୃପା ରବି ଉଦେ କର

ମୋ ଅଜ୍ଞ ଅନ୍ଧକାର ହର

।।

ଭୋ ମାତା ପଦ୍ମପାଦେ ତୋର

ଶରଣ ନିରନ୍ତରେ ମୋର

।।

ନମସ୍ତେ ରାମ କୃଷ୍ଣହରି

ଏ ମହାମନ୍ତ୍ରଟି ସବୁରି

।।

ସକଳ ପ୍ରାଣୀ ହୃଦେ ବାସ

ଏଣୁ ଶରଣ ରାମଦାସ

।।

ତୁମ୍ଭ କୃପାରେ ଆଦିମୂଳ

ମୂକ ଯେ ହୁଅଇ ବାଚାଳ

।।

କର ଚରଣ ପଙ୍ଗୁସାର

ସେ ଲଙ୍ଘିପାରେ ଗିରିବର

।।

ତେଣୁ ଶରଣ ରାମଦାସ

ପୁରାଅ ମୋର ମନ ଆଶ

।।

ମୋର ବିପତ୍ତି ତରୁବର

ବଢ଼ଇ ଅତି ବଳିଆର

।।

ତବ କୃପା କୁଠାର କରି

ଛେଦି ପକାଅ ନରହରି

।।

ତୁମ୍ଭେ ଯେ ପତିତ ପାବନ

ମୁହିଁ ଅଟଇ ପାପୀଜନ

।।

ଶରଣ ପଞ୍ଜର ତୋ ବାନା

ଭବ ଭୟକୁ ବଜ୍ରସେହ୍ନା

।।

କୃପା ସମୁଦ୍ର ମହାମେରୁ

ଉଦ୍ଧର ଦୁଃଖ ଜଳଧିରୁ

।।

ଉଦ୍ଧର ନ ଉଦ୍ଧର ମୋତେ

ମାତ୍ର କହୁଛି ତୋ ଅଗ୍ରତେ

।।

ତୁ ଯେବେ ପତିତ ଉଦ୍ଧାର

ମୋର କାହାକୁ ନାହିଁ ଡର

।।

ଦିନେକ ମନ ସୁଖାନନ୍ଦେ

ପୁଚ୍ଛଇ ଚଇତନ ପାଦେ

।।

ଶୁଣ ହେ ଚଇତନ ବୀର

ପୁଚ୍ଛଇ ତୁମ୍ଭର ଛାମୁର

।।

ତୁମ୍ଭେ ବିବେକ ଚୁଡ଼ାମଣି

ଭୂତ ଭବିଷ୍ୟ ପାର ଜାଣି

।।

ଏଣୁ ପଚାରୁଅଛି ମୁହିଁ

କହ ମୋ ସଂଶୟ ଫଟାଇ

।।

ଏହି ସଂସାର ମଧ୍ୟରାତେ

ଜନମ ଲଭୁଛନ୍ତି ଯେତେ

।।

ସ୍ଥାବର ଆଦି ଚାରି ଖାନି

ଭ୍ରମୁ ଅଛନ୍ତି ନାନା ଯୋନି

।।

ଏହାଙ୍କ ଦୁଃଖ ସୁଖ ଯେତେ

ସକଳ ଲାଗିଅଛି ମୋତେ

।।

ଏ ଚାରିଖାନି ମଧ୍ୟେ ସାର

ଦୁର୍ଲ୍ଲଭ ନର କଳେବର

।।

ଏହାଙ୍କ ଦେହମଧ୍ୟେ ଥାଇ

ମୁଁ ଯେତେ ରଞ୍ଜଣା ସହଇ

।।

କିସ କହିବି ତୁମ୍ଭଠାରେ

ତୁମ୍ଭେତ ଥାଅ ମୋ ସଙ୍ଗରେ

।।

କରନ୍ତି ଯେତେ କର୍ମ ପ୍ରାଣୀ

ସେ ଦୁଃଖ ସୁଖର କାରେଣୀ

।।

ଏଣୁ ସେ ପ୍ରାଣୀ ସୁଖ ଯେତେ

ସୁଚିତ୍ତେ କହ ମୋ ଅଗ୍ରତେ

।।

କେବଣ କର୍ମ କଲେ ପ୍ରାଣୀ

ଯାତନା ନ ବାଧିବ ପୁଣି

।।

ଗୋବିନ୍ଦେ ଭକତି ଲଭିବେ

ଜନ୍ମ ମରଣ ପାସୋରିବେ

।।

ଏମନ୍ତ ଉପାୟ ଯେ କହ

ମୋ ମନୁ ସଂଶୟ ଫିଟାଅ

।।

ତା ଶୁଣି ଚଇତନ ବୀର

କହଇ ସୁମନ ଆଗର

।।

ତୁ ଯାହା ପଚାରିଲୁ ମୋତେ

କହଇ ଶୁଣ ତୋ ଅଗ୍ରତେ

।।

ଏ ବଡ଼ ଦୁର୍ଲ୍ଲଭ ଚରିତ

ମୁଁ ତାହା କହି କି ସମର୍ଥ

।।

ବ୍ରହ୍ମା ଶିବଙ୍କୁ ଅଗୋଚର

ମୁଁ ଛାର କେତେକ ମାତର

।।

ମାତ୍ର ପୁରାଣମାନଙ୍କରେ

ଶୁଣିଛି ଯାହା କିଞ୍ଚିତରେ

।।

ତାହା ମୁଁ କରିଛି ବଖାଣ

ଶୁଣ ତୁ ହୋଇ ସାବଧାନ

।।

ବ୍ରତ ତୀର୍ଥାଦି କର୍ମ ଯେତେ

ଯଜ୍ଞାଦି ତପସ୍ୟା ସହିତେ

।।

ସକଳ କର୍ମ ମଧ୍ୟେ ସାର

କେବଳ ନାମ ଭଜିବାର

।।

ଆବର ଶୁଣ ପଦ ଗୋଟି

ମନ ସଂଶୟ ଯିବ ମେଣ୍ଟ

।।

ଏ ବେନି କଥା ମଧ୍ୟେ ସାର

ଦୃଢ଼ତା ମୂଳଟି ଜୀବର

।।

ଦୃଢ଼ ନ ଥାଇ କର୍ମ ଯେତେ

ଫଳ ନ ଫଳେ କଦାଚିତେ

।।

ଏ କଥା ସର୍ବଶାସ୍ତ୍ରେ ସାର

ପଣ୍ଡିତ ଜନଙ୍କୁ ପଚାର

।।

ଶୁଣି ହୋଇଲା ମନ ତୋଷ

ପୁଚ୍ଛଇ ଚଇତନ ପାଶ

।।

ଏ ମର୍ତ୍ତ୍ୟପୁରେ ଦେହ ଧରି

କେ ଅବା ଦୃଢ଼ପଣ କରି

।।

ତରିଣ ଯାଇଛନ୍ତି କହା

ଶୁଣି ତା ଫିଟୁ ମୋ ସନ୍ଦେହ

।।

ତା ଶୁଣି ଚଇତନ ଧୀରେ

କହଇ ସୁମନ ଆଗରେ

।।

ଶୁଣ ସୁମନ ନୃପବର

ସତ୍ୟ ତ୍ରେତୟା ଯେ ଦ୍ୱାପର

।।

ଆବର କଳିଯୁଗ ଗତେ

ତରି ଅଛନ୍ତି ଯେତେ ଯେତେ

।।

ସକଳ ଲୋକଙ୍କ ଚରିତ

କହି ମୁଁ ନୁହଇ ସମର୍ଥ

।।

ଧାତାଙ୍କୁ ନୁହଇ ଗୋଚର

ମୁଁ ପୁଣି କେତେକ ମାତର

।।

କେବଳ ଜଣେ ଜଣେ କରି

ଶୁଣ କହିବା କଥା ଚାରି

।।

ସତ୍ୟ ଯୁଗରେ ଦାତାବଂଶ

ଥିଲା ନୃପତି ଗୁରୁହଂସ

।।

ନାମ ତା ବଳୀ ନୃପବର

ସପତଦ୍ୱୀପେ ସେ ଈଶ୍ୱର

।।

କେ କହୁ ତାର ଦାତାପଣ

ଦାନେ କିଣିଲା ସୁରଗଣ

।।

କେବଳ ଦାତା ପଣେ ତାର

ବଶ ହୋଇଲେ ତିନିପୁର

।।

ଦେଖିଣ ଦାନୀପଣ ତାର

ସ୍ୱର୍ଗେ କମ୍ପିଲେ ବଜ୍ରଧର

।।

ତାହା ଜାଣିଣ ଚକ୍ରଧର

ହେଲେ ବାମନ ଅବତାର

।।

ସେ ବଳୀ ରାଜାଦ୍ୱାରେ ଗଲେ

ଅପୂର୍ବ ବେଦ ଧ୍ୱନି କଲେ

।।

ତା ଜାଣି ବଳୀ ନୃପବର

ମିଳିଲେ ବାମନ ଛାମୁର

।।

ଦେଖି ସନ୍ତୋଷ ନୃପରାୟେ

ପୁଚ୍ଛିଲେ ବାମନର ପାୟେ

।।

କେଉଁ ନିମନ୍ତେ ମୋର ପୁର

ବିଜୟ କଲ ଦ୍ୱିଜବର

।।

କେବଣ ଦେଶେ ତୁମ୍ଭ ଘର

କେ ତୁମ୍ଭ ଜନନୀ ପିଅର

।।

କହ ତୁମ୍ଭର ନାମ କିସ

ଶୁଣି ମୋ ମନ ହେଉ ତୋଷ

।।

ତୁମ୍ଭ ସୁନ୍ଦର ରୂପ ଦେଖି

ପିଛାଡ଼ି ନୋହେ ମୋର ଆଖି

।।

ଯେତେକ ବିପ୍ର ମୋର ପୁରେ

ଅଇଲେ ଦାନ ନିମନ୍ତରେ

।।

ଜଣେ ତୁମ୍ଭର ପ୍ରାୟେ ହୋଇ

ଦିନେ ମୋ ଦେଖିଲା ତ ନାହିଁ

।।

କେଉଁ ନିମନ୍ତେ ଆସିଅଛ

ସ୍ୱରୂପ କହ ବିପ୍ରବତ୍ସ

।।

ଏ ବାଣୀ ଶୁଣି ଦ୍ୱିଜବର

କହନ୍ତି ବଚନ ମଧୁର

।।

ଶୁଣ ରାଜନ ଦ୍ୱିଜବର

ଭକ୍ତ ନଗରେ ଆମ୍ଭଘର

।।

ହରି ଭକତ ଆମ୍ଭ ପିତା

ନାମ ମୋ ଦାମୋଦର ଓତା

।।

ମାତା ଆମ୍ଭର ସତ୍ୟବତୀ

ନାହିଁ ଆମ୍ଭର ବାଡ଼ିବୃତ୍ତି

।।

ଯେବା ମହତ୍ତ୍ୱ ସତ୍ୟବତୀ

ଜୀବ ଅହିଂସା ଆତ୍ମବୁଦ୍ଧି

।।

ଦୟାଳୁ ପରଲୋକ ପ୍ରାୟ

ତ୍ୟାଗ ନିର୍ମୋହ ସର୍ବଂସହ

।।

ନିର୍ଲ୍ଲୋଭ ନିର୍ମାୟା ଯା ଚିତ୍ତ

ଶୁଚି ପବିତ୍ର ଦୃଢ଼ବ୍ରତ

।।

କୃଷ୍ଣ ସେବାରେ ଆଗୁ ସାର

ନାମ ଭଜନେ ତତପର

।।

ଏମନ୍ତ ଲୋକଦ୍ୱାରେ ଯାଉଁ

ଭିକ୍ଷା କରିଣ ଆମ୍ଭେ ଖାଉଁ

।।

ଦୟା ଯା ଭୁବନେ ନ ଦେଖୁଁ

ଲକ୍ଷଯୋଜନ ସେ ଆମ୍ଭଙ୍କୁ

।।

ଏବେ ତୋହର କୀର୍ତ୍ତି ଶୁଣି

ଅଇଲୁ ଶୁଣ ନୃପମଣି

।।

ଚିତ୍ତ ସନ୍ତୋଷେ ଦାନ ଦେବୁ

ଜଗତେ ଯଶ ଅରଜିବୁ

।।

ପ୍ରଥମ ଭିକ୍ଷା ଏ ଆମ୍ଭର

ଏଥୁ ନ ଯିବୁ ଆନ ଦ୍ୱାର

।।

ତାହା ଶୁଣିଣ ବଳୀରାଜା

କଲା ବିପ୍ରଙ୍କ ପାଦପୂଜା

।।

ମାଗ ହୋ ବିପ୍ରଙ୍କ କୁମର

ଯେ ଇଛା ଅଛଇ ତୁମ୍ଭର

।।

ଧନ ରତନ ବାଡ଼ିବୃତ୍ତି

ଗଜ ତୁରଙ୍ଗ ଆଦି କ୍ଷିତି

।।

ବସ୍ତ୍ରାଦି ଅଳଙ୍କାର ମାନ

ଗୋରୁ ମହିଷ ମେଷ ଘେନ

।।

ରାଜପଦ ହିଁ ଆଦି ମୋର

ଯେ ଇଚ୍ଛା ମାଗ ଦ୍ୱିଜବର

।।

ଶୁଣି ବାମନ ଦିବ୍ୟମୂର୍ତ୍ତି

ନୃପତି ଆଗରେ କହନ୍ତି

।।

ଅଧିକ ଲୋଭ ନାହିଁ ମୋର

ମାଗୁଛି ଶୁଣ ନୃପବର

।।

ଆମ୍ଭରି ପାଦରେ ରାଜନ

ତ୍ରିପାଦ ଭୂମି ଦେବୁ ଦାନ

।।

ଏହା ଶୁଣିଣ ନୃପନାଥ

ସିଞ୍ଚାଡ଼ି ଦେଲେ ବେନି ହସ୍ତ

।।

ତୁମ୍ଭର ବୁଦ୍ଧି ଅଟେ ସାନ

ତେଣୁ ମାଗୁଛ ଅଳ୍ପଦାନ

।।

ତୁମ୍ଭ କର୍ମରେ ଅଛି ଯାହା

ଅନ୍ୟଥା କେ କରିବ ତାହା

।।

ଏମନ୍ତ ବୋଲି ନୃପମଣି

ଶଙ୍ଖେ ଧଇଲେ ତିଳପାଣି

।।

ଧର ହେ ବ୍ରହ୍ମାଣ୍ଡ ଗୋସାଇଁ

ତ୍ରିବାର ସତ୍ୟ କଲି ମୁହିଁ

।।

ଶୁଣି ଉଠିଲେ ଦ୍ୱିଜବର

ସଂକଳ୍ପ ପଡ଼ିଲେ ସତ୍ୱର

।।

ଶ୍ରୀହସ୍ତ ପ୍ରସାରନ୍ତେ ହରି

ଶୁକ୍ର ଉଠିଲେ ବେଗକରି

।।

ରାଜାଙ୍କୁ ଅନେକ ପ୍ରକାରେ

ଗୁପତ ବଚନେ ତିଆରେ

।।

ଦାନ ନ ଦିଅ ଏହୁ ହରି

ନିଶ୍ଚେଁ ହରିବେ ତୁମ୍ଭ ଶିରୀ

।।

ରାଜାର ଗୁରୁ ସେ ଯୁକତେ

ନାସ୍ତି ଯେ କଲେ ନାନା ମତେ

।।

ଶୁଣି ବୋଇଲେ ବାଳୀରାଜା

ତୁହି ମୋହର ପାଶୁ ଯାଯା

।।

ସତ୍ୟ ନ ଭାଙ୍ଗ ତୁହି ମୋର

ନିଅନ୍ତୁ ପଛେ ରାଜ୍ୟ ଭାର

।।

ପ୍ରାଣ ହିଁ ନେଉ ସେ ମୋହର

ସତ୍ୟ ମୋ ଅନ୍ୟଥା ନ କର

।।

ସତ୍ୟ ଲଙ୍ଘିବା ଫଳେ ମୁହିଁ

ନର୍କରେ ସଞ୍ଚରିବି ଯାଇଁ

।।

ଅବଶ୍ୟ ଥରେ ତ ମରିବି

ସତ୍ୟକୁ କିପାଇଁ ହୁଡିବି

।।

ସେ ଯେବେ ଅଟେ ଭଗବାନ

ସୁଫଳ ହେଲା ମୋର ଦାନ

।।

ଏମନ୍ତ ବୋଲି ନୃପମଣି

ବାମନ ହସ୍ତେ ଦେଲେ ପାଣି

।।

ଦେଲି ତ୍ରିପାଦ ଭୂମିଦାନ

ତୁମ୍ଭ ଇଚ୍ଛାରେ ତୁମ୍ଭେ ଘେନ

।।

ତା ଶୁଣି ଦେବ ଶିରୀପତି

ହୋଇଲେ ତ୍ରିବିକ୍ରମ ମୂର୍ତ୍ତି

।।

ପାଦକେ ପୃଥିବୀ ବ୍ୟାପିଲେ

ଆରେକ ପାଦେ ସ୍ୱର୍ଗେ ନେଲେ

।।

ପୁଣି ବୋଇଲେ ଭାବଗ୍ରାହୀ

ଆରପାଦକୁ ପୃଥ୍ୱୀ କାହିଁ

।।

ଶୁଣି ବୋଇଲେ ନୃପବର

ଆଉ ଚରଣ କାହିଁ ତୋର

।।

ଯେବେ ଚରଣ ଅଛି ତୋର

ପୃଥିବୀ ଅଛଇ ମୋହର

।।

ତା ଶୁଣି ତ୍ରୈଲୋକ୍ୟ ଈଶ୍ୱର

ନାଭୀରୁ କାଢିଲେ ପୟର

।।

ଦେଖି ପାତିଲା ବଳୀ ଶିର

ଚାପିଲେ ବ୍ରହ୍ମାଣ୍ଡ ଠାକୁର

।।

ସେ ରାଜା ନିସ୍ତରିଲି ବୋଲେ

ପାତାଳେ ତାକୁ ଠାବଦେଲେ

।।

ହରି ଚରଣାମୃତ ପାଇ

ରହିଲା ଅଜ୍ରାମର ହୋଇ

।।

ଶୁଣ ସୁମନ ଏ ଚରିତ

ଦାନର ମହିମା ଏମନ୍ତ

।।

ଶ୍ରୀହରି ହେଲେ ଅନ୍ତର୍ଦ୍ଧାନ

ସୁଜନେ ଭଜ ଭଗବାନ

।।

କହଇ ଦୀନ ରାମ ଦାସ

ମୂଳଟି ଅଟଇ ବିଶ୍ୱାସ

।।

ବାମନ ଅଭୟ ଚରଣେ

ମୋ ଚିତ୍ତ ରହୁ ଅନୁକ୍ଷଣେ

।।

 

ଇତି ଶ୍ରୀ ଦାର୍ଢ଼୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ୱାଦେ

ବଳୀରାଜା ମୋକ୍ଷଣେ ନାମ ପ୍ରଥମୋଽଧ୍ୟାୟଃ ।

•••

 

ହରିଶ୍ଚନ୍ଦ୍ର ରାଜା ଚରିତ

 

କହଇ ଚଇତନ ବୀର

ଶୁଣ ସୁମନ କଥାସାର

।।

ତୁ ଯେ ପଚାରୁଅଛୁ ଏତେ

ଦାନରେ ତରିଛନ୍ତି ଯେତେ

।।

କହିଲି ବଳୀ ତରିବାର

ଶୁଣ ତୁ ଏଥୁ ଅନନ୍ତର

।।

ନାମ ତାହାର ହରିଶ୍ଚନ୍ଦ୍ର

ତ୍ରେତୟା ଯୁଗରେ ନରେନ୍ଦ୍ର

।।

ସୂର୍ଯ଼୍ୟବଂଶର ନୃପମଣି

ଦାନୀପଣରେ ସେ ଅଗ୍ରଣୀ

।।

ସୁନ୍ଦରପଣେ କାମଦେବ

ଦାତା ଅଂଶରେ ସଦାଶିବ

।।

ସୁଧୀର ପଣେ ମେରୁ ସମ

ବୀରପଣରେ ଦ୍ୱିତୀ ଯମ

।।

ତେଜସ୍ୱୀପଣେ ବୈଶ୍ୱାନର

ବୁଦ୍ଧିରେ କିବା ଗଣେଶ୍ୱର

।।

ପଣ୍ଡିତପଣେ ବୃହସ୍ପତି

ସହିବା ପଣେ ବସୁମତୀ

।।

ଗମ୍ଭୀର ପଣେ ପାରାବାର

ଅପାର ମହିମା ତାହାର

।।

ସପ୍ତମଦ୍ୱୀପେ ଚକ୍ରବର୍ତ୍ତୀ

ଜଗତେ ବିଖ୍ୟାତ ତା କୀର୍ତ୍ତି

।।

ପାଳଇ ଏକପତ୍ନୀ ବ୍ରତ

ଦଇବେ ତାର ଏକ ସୁତ

।।

ସମ୍ପଦ କୁବେର ଭଣ୍ଡାର

ଦାନହିଁ ଦେବା ମୂଳ ତାର

।।

ସେ ମହାରାଜା ଦାନୀପଣେ

ଦରିଦ୍ର ନ ରହିଲେ ଜଣେ

।।

ଯେ ଯାହା ପ୍ରକାଶିଲେ ଯାଇଁ

ନାହିଁ ବୋଲିବା ପଦ ନାହିଁ

।।

ଦେଇ ତୋଷଇ ମନ ତାର

ଜୀବନ୍ତେ ଖଣ୍ଡେ ଦୁଃଖଭାର

।।

ଯେ ପଦ ନିକଟରେ ଥାଇ

ନୃପତି ପଣେ ବିହରଇ

।।

ଏମନ୍ତେ କେତେ କାଳଗଲା

ତା କୀର୍ତ୍ତି ଜଗତେ ପୁରିଲା

।।

ବିନା କଳଙ୍କ ଚନ୍ଦ୍ର ପ୍ରାୟ

ତା ଯଶ ଜଗତେ ଉଦୟ

।।

ଏକଥା ଜାଣି ସେ ରାଜାର

ସ୍ୱର୍ଗେ କମ୍ପିଲା ବଜ୍ରଧର

।।

ବିଧାତା ଛାମୁରେ କହିଲା

କି ବୁଦ୍ଧି କରିବି ବୋଇଲା

।।

ଏ ହରିଶ୍ଚନ୍ଦ୍ର ଦାନୀପଣେ

ସ୍ୱର୍ଗେ କମ୍ପିଲେ ସୁରଗଣେ

।।

ଆବର କମ୍ପେ ମୋର ପୁର

କି ବୁଦ୍ଧି କହ ବେଦବର

।।

ତାହା ଶୁଣିଣ ବେଦବର

ହୃଦରେ କଲେକ ବିଚାର

।।

ବିଶ୍ୱାମିତ୍ରଙ୍କୁ ଡ଼କାଇଲେ

ମଞ୍ଚକୁ ଯାଅ ହେ ବୋଇଲେ

।।

ହରିଶ୍ଚନ୍ଦ୍ରର ଦାନୀପଣ

ବୁଝିଣ ଆସ ହେ ବହନ

।।

କଟାଳ କର ନାନା ମତେ

ବୁଝିବା ଦାନୀପଣ କେତେ

।।

ଶୁଣି ଚଳିଲେ ମୁନିବର

ପ୍ରବେଶ ହେଲେ ମଞ୍ଚପୁର

।।

ମାୟାରେ ହେଲେ ଦିବ୍ୟରୂପ

କି ବ୍ରହ୍ମଦେବତା ସ୍ୱରୂପ

।।

ରାଜାର ସିଂହଦ୍ୱାରେ ଗଲେ

ଅନେକ ବେଦଧ୍ୱନି କଲେ

।।

ସହି ନପାରି ନୃପବର

ମିଳିଲେ ମୁନିଙ୍କ ଛାମୁର

।।

ଦେଖିଣ ପ୍ରଣମିତ ହେଲେ

ଅନେକ ପାଦପୂଜା କଲେ

।।

ଆଜ ପବିତ୍ର ମୋର ପୁର

ତୁମ୍ଭ ଦର୍ଶନେ ମୁନିବର

।।

କିମ୍ପା ମୋ ପୁରକୁ ଆଗତ

ମିଥ୍ୟା ନକରି କହ ସତ

।।

ଶୁଣି କହନ୍ତି ମହାଯତି

ସ୍ୱରୂପ ଶୁଣ ହେ ନୃପତି

।।

ଆମ୍ଭେ ଅଇଲୁ ଯହିଁ ପାଇଁ

କହୁଛି ସଂଶୟ ଫିଟାଇ

।।

ତୁମ୍ଭର ଯଶ କୀତ୍ତିମାନ

ପୂରିଲା ଚଉଦ ଭୁବନ

।।

ସେ ଅଷ୍ଟଦିଗ ବସୁମତୀ

ବ୍ରହ୍ମ କ୍ଷେତ୍ରୀୟ ଚାରିଜାତି

।।

ଯହିଁ ଶୁଣିଲେ ତୋର କୀର୍ତ୍ତି

ଶୁଭଇ ଶୁଣ ହୋ ନୃପତି

।।

ତେଣୁ ଅଇଲୁ ତୋର ତହିଁ

କିଛି ହିଁ ମାଗିବାର ପାଇଁ

।।

ଶୁଣି ବୋଇଲେ ସେ ରାଜନ

ଭୋ ମୁନି ଶୁଣ ମୋ ବଚନ

।।

ଯାହା ଅଛଇ ତୁମ୍ଭ ଚିତ୍ତେ

ରାଜ ଭଣ୍ଡାର ଆଦି ଯେତେ

।।

ମାଗ ହୋ ସଂଶୟ ନ କର

ଅବଶ୍ୟ ଦେବି ସତ୍ୟ ମୋର

।।

ଶୁଣି କହନ୍ତି ମୁନିଇନ୍ଦ୍ର

ସ୍ୱରୂପ ଶୁଣ ହୋ ନରେନ୍ଦ୍ର

।।

ଦେବାର ହୃଦ ଯେବେ ତୋର

ସ୍ୱହୃଦେ ତୋଳିଦିଅ ନୀର

।।

ପଛେ ନିସତ ହେଲେ ତୁହି

ଆଉ ମୁଁ ଛାଡ଼ିବଇଁ ନାହିଁ

।।

ପୁତ୍ର ଭାରିଯା ତୁଲେ ତୋର

ପାତ୍ର ମନ୍ତ୍ରୀଙ୍କି ଯେ ପଚାର

।।

ଶୁଣି ଭାବଇ ରାଜା ଚିତ୍ତେ

କିସ ମାଗିବ ଏହୁ ମୋତେ

।।

ସବୁହୁଁ ପ୍ରାଣ ସିନା ବଡ଼

ମାଗିଲେ ଦେବି ମୋର ଦୃଢ଼

।।

ଏମନ୍ତ ବୋଲି ନୃପମଣି

ଶଙ୍ଖେ ଥୋଇଲେ ତିଳ ପାଣି

।।

ମୁନିଙ୍କ ହସ୍ତେ ଦେଲେ ନେଇ

ଯେ ଇଚ୍ଛା ମାଗ ହୋ ଗୋସାଇଁ

।।

ତ୍ରିବାର ସତ୍ୟ କଲି ମୁହିଁ

ଦେବି ସଂଶୟ ଏଥି ନାହିଁ

।।

ତାହା ଶୁଣିଣ ମହାମୁନି

କଲେ ସେ ମହା ଘୋରଧ୍ୱନୀ

।।

ସାକ୍ଷୀ ଏଥକୁ ଦିଗପାଳ

ରବି ଶଶାଙ୍କ ଆଖଣ୍ଡଳ

।।

କୁବେର ବରୁଣ ସହିତେ

ସମସ୍ତେ ସାକ୍ଷୀ ଥାଅ ଏଥେଁ

।।

ମାଗୁଛି ଦୋଷ ନାହିଁ ମୋର

ବୋଲି ଧଇଲେ ତିଳନୀର

।।

ଜଳ ପକାଇ ମୁନିବର

ବୋଇଲେ ଶୁଣ ନୃପବର

।।

ତୋ ରାଜାପଣ ମୋତେ ଦେବୁ

ଲେଙ୍କଡ଼ା କନାଏ ପିନ୍ଧିବୁ

।।

ପୁତ୍ର ଭାରିଯା ଘେନି ତୋର

ରାଜ୍ୟରୁ ହୋଇବୁ ବାହାର

।।

ଭୁଞ୍ଜିବି ରାଜାଭୋଗ ମୁହିଁ

ଏଥେ ତୋ ଅଧିକାର ନାହିଁ

।।

ତା ଶୁଣି ନୃପତି ଆନନ୍ଦ

ମୁଖ ବିକାଶେ ପୂର୍ଣ୍ଣଚନ୍ଦ୍ର

।।

ମୁନିଙ୍କ ନୃପସିଂହାସନେ

ରାଜା କରାଇ ତୋଷମନେ

।।

ଆପଣେ ବାନ୍ଧିଦେଲେ ଶାଢ଼ୀ

ପୁଣି ମୁନିଙ୍କ ପାଦେ ପଡ଼ି

।।

ଉଠି କପାଳେ ଦେଲେ କର

ବୋଇଲେ ନମେ ମୁନିବର

।।

ପାତ୍ର ମନ୍ତ୍ରୀଙ୍କ ଡ଼କାଇଲେ

ମୁନିଙ୍କି ସମର୍ପିଣ ଦେଲେ

।।

ଆଝୁଁ ତୁମ୍ଭର ଏହୁ ରାଜା

କର ଏହାଙ୍କ ପାଦ ପୂଜା

।।

ଏମନ୍ତ ବୋଲି ନୃପବର

ବିଜୟ କଲେ ଅନ୍ତଃପୁର

।।

ବିଡ଼ିବେ ବୋଲି ରାଣୀମନ

ଦୁଃଖିତ ହୋଇଣ ରାଜନ

।।

ଭିତରପୁରେ ବିଜେକଲେ

ତାଦେଖି ଶୈବ୍ୟାରାଣୀ ବୋଲେ

।।

ମନତ କରିଅଛି ଦୁଃଖ

କିମ୍ପାଇ ଶୁଖିଅଛି ମୁଖ

।।

ବିପ୍ରଙ୍କୁ ଦେବାପାଇଁ ଦାନ

କି ଅବା ନ ମିଳିଲା ଧନ

।।

ଆଉକି ବିପତ୍ତି ପଡ଼ିଲା

ମୋତେ ତ ସନ୍ଦେହ ଲାଗିଲା

।।

ବିଳମ୍ବ ନ କରିଣ କହ

ଦେଖି ନ ସହେ ମୋର ଦେହ

।।

ତା ଦେଖି କହନ୍ତି ନୃପତି

ଶୁଣ ସୁମନେ ପ୍ରିୟବତୀ

।।

କାହୁଁ ଅଇଲେ ଏକମୁନି

ମୋ ଆଗେ କଲେ ବେଦଧ୍ୱନି

।।

ଦେଖି ମୋହର ତୋଷମନ

ମୁନିଙ୍କି ଯାଚିଲି ମୁଁ ଧନ

।।

ରାଜ୍ୟ ସମ୍ପଦ ଯେତେ ମୋର

ସବୁ ଘେନିଲେ ମୁନିବର

।।

ପୁତ୍ର ଭାରିଯାକୁ ଘେନିଣ

ଏକଇ ବସ୍ତ୍ର ମୁଁ ପିନ୍ଧିଣ

।।

ଛାଡ଼ିଣ ଯିବି ନିଜ ଦେଶ

ତେଣୁ ଅଇଲି ତୋର ପାଶ

।।

ଶୁଣି ଆନନ୍ଦ ରାଣୀମନ

ଏହି ସମୟେ ତୋ ନନ୍ଦନ

।।

ବାହାର ଅବକାଶେ ଥିଲା

ପିତାଙ୍କ ଛାମୁରେ ମିଳିଲା

।।

ଦେଖି ପିତାଙ୍କୁ ଆଗଭର

ପୁଚ୍ଛଇ ନୃପତି କୁମର

।।

ମାତା ପୁତ୍ରକୁ ବୁଝାଇଲେ

ଶୁଣି କୁମର ମଣି ବୋଲେ

।।

ଏଥକୁ ଚିନ୍ତା କିମ୍ପା କର

ତପସ୍ୟା ପୁରିଲା ଆମ୍ଭର

।।

ଏମନ୍ତ ବୋଲି ତିନିଜଣ

ତିନି ଖଣ୍ଡ ବସ୍ତ୍ର ପିନ୍ଧିଣ

।।

କାଢ଼ି ସକଳ ଅଳଙ୍କାର

ନଗରୁ ହୋଇଲେ ବାହାର

।।

ପ୍ରବେଶ ମୁନିଙ୍କର ପାଶ

ବୋଲନ୍ତି ଛାଡ଼ିଗଲୁ ଦେଶ

।।

ରଖ ତୁମ୍ଭର ପ୍ରଜାକୁଳ

ରାଜ୍ୟ ସମ୍ପଦାଦି ସମ୍ଭାଳ

।।

କହନ୍ତି ବିଶ୍ୱାମିତ୍ର ମୁନି

ଶୁଣ ରାଜନ ମହାମାନୀ

।।

ପିତାଙ୍କୁ ପୁତ୍ରଟି ଯେମନ୍ତ

ଦାନକୁ ଦକ୍ଷିଣା ତେମନ୍ତ

।।

ପୁତ୍ର ବିହୀନେ ନର୍କେ ଯାଇଁ

ଦକ୍ଷିଣା ବିନା ଫଳନାହିଁ

।।

ସୁବର୍ଣ୍ଣ ତିନିଲକ୍ଷ ମାଡ଼

ଆଣି ମୋ ଆଗେ କର କୁଢ଼

।।

ତେବେ ନିଶ୍ଚନ୍ତେ ଚଳିଯାଅ

ନୋହିଲେ ଦାନ ତୋରନିଅ

।।

ଏହା ଶୁଣିଣ ନରମଣି

ଚିତ୍ତେ ଚିନ୍ତିଲେ ଚକ୍ରପାଣି

।।

ଦେବି ମୁଁ ଦକ୍ଷିଣା ତୁମ୍ଭର

ଆତ୍ମା ବିକ୍ରୟ କରି ମୋର

।।

ଏମନ୍ତ ବୋଲି ତିନିଜଣ

ମଥାରେ ଲଦିଣ ତିରଣ

।।

କାଞ୍ଚିନଗର ବୋଲି ଗଲେ

ମୁନି ଡାକନ୍ତି ତାଙ୍କ ତୁଲେ

।।

ସେହି ନଗରେ ବୁଲି ବୁଲି

ଡ଼ାକନ୍ତି ଆତ୍ମା ବିକ୍ରୀ ବୋଲି

।।

ବ୍ରାହ୍ମଣ କ୍ଷତ୍ରୀ ବୈଶ୍ୟଜନ

ଅପରେ ଯେତେ ଜାତି ପୁଣ

।।

ଆବର ଚଣ୍ଡାଳ ସହିତେ

ଯେ ଅବା କିଣବଟି ମୋତେ

।।

ପୁତ୍ର ଭାରିଯାର ସହିତେ

ବିକିବି ଦକ୍ଷିଣା ନିମନ୍ତେ

।।

ଯେ ଧନ ଦେବ ତା ଶରଣ

ହେବୁ ପୁତ୍ରାଦି ତିନିଜଣ

।।

ଏ ରୂପେ ଯେତେହେଁ ଡାକିଲେ

କିଣିବା କ୍ଷମ କେ ନୋହିଲେ

।।

ଏଥିଉତ୍ତାରୁ ଶୁଣ ମନ

ବିଧାତା ଘଟ ସୂତ୍ରମାନ

।।

ମାୟାରେ ବିପ୍ର ରୂପହୋଇ

ଅଗ୍ନି ଦେବତା ଥିଲେ ରହି

।।

ଦ୍ୱି ଲକ୍ଷ ମାଢ଼ ସୁନା ଦେଲେ

ପୁତ୍ର ଭାରିଯାଙ୍କୁ କିଣିଲେ

।।

ରାଜାର ଏକଇ କୁମର

ଦଇବେ ଅତି ସୁକୁମାର

।।

ସେ ପତିବ୍ରତା ଶିରୋମଣି

ସୁନ୍ଦରୀ ତ୍ରିପୁରକୁ ଜିଣି

।।

ଦୁହିଁଙ୍କ ହସ୍ତ ରାଜାଧରି

ବିପ୍ରକୁ ସମର୍ପଣ କରି

।।

ଭୋ ବିପ୍ର ଯାହା ଇଛାକର

ଏ ଦୁହେଁ ହୋଇଲେ ତୁମ୍ଭର

।।

ଏମନ୍ତ କହି ନୃପଗଲେ

ଧନ ମୁନିଙ୍କି ସମର୍ପିଲେ

।।

ପୁଣି କେତେ ହେଁ ଦୂର ଯାନ୍ତେ

ଚାଣ୍ଡାଳ ରୂପେ ଜନ୍ତୁନାଥେ

।।

ମନ୍ଦିର କରି ତହିଁ ଥିଲେ

ରାଜାଙ୍କୁ କିଣି ଧନ ଦେଲେ

।।

ମୁନିଙ୍କୁ ବୋଇଲେ ରାଜନ

ନିଅ ହୋ ଦକ୍ଷିଣାର ଧନ

।।

ଯେତେ କଟାଳ ମୁନିକଲେ

ରାଜା ଧର୍ମକୁ ନ ଲଙ୍ଘିଲେ

।।

ସେ ମୁନି ଧନ ଘେନିଗଲେ

ନୃପତି ପଣେ ବିହରିଲେ

।।

ଏଥେ ରହିଲେ ନୃପନାଥ

ଚାଣ୍ଡାଳ ଘରେ ହୋଇ ଭୃତ୍ୟ

।।

ପ୍ରଭାତେ ଦାଣ୍ଡ ପହଁରନ୍ତି

ଦିବସେ ଘଷୁରି ଚରାନ୍ତି

।।

ରାତ୍ରେ ଜଗନ୍ତି ଶମଶାନ

କେ କହୁ ତାଙ୍କ ଦୁଃଖମାନ

।।

କାନନୁ ଫୁଲ ପୁତ୍ର ଆଣେ

ରାଣୀ ରହିଲେ ଦାସୀପଣେ

।।

ସେ ତିନିପ୍ରାଣୀଙ୍କ କଷଣ

କେ କହୁ ଶରୀର ଧରିଣ

।।

ଯେତେ ହେଁ କଷ୍ଟ ସେ ପାଇଲେ

କେହି ଧର୍ମକୁ ନ ନିନ୍ଦିଲେ

।।

ଏମନ୍ତେ କେତେଦିନ ଗଲା

ସ୍ୱର୍ଗରେ ବିଚାର ପଡ଼ିଲା

।।

ବ୍ରହ୍ମା ଇନ୍ଦ୍ରାଦି ସୁରଗଣ

ସମସ୍ତେ କଲେ ବିଚାରଣ

।।

ହରିଶ୍ଚନ୍ଦ୍ରର ତପଫଳେ

ସ୍ୱର୍ଗ ପଡ଼ିଲା ରସାତଳେ

।।

ଏଥକୁ ତାଙ୍କୁ ଘେନି ଆସ

ନୋହିଲେ ସର୍ବେ ଯିବା ନାଶ

।।

ଏମନ୍ତେ ସର୍ବେ ଭୟ କଲେ

ତକ୍ଷକ ରାଇ ଆଜ୍ଞା ଦେଲେ

।।

ହେ ସର୍ପ ତୁହି ବେଗେ ଯିବୁ

ରାଜାର ପୁତ୍ରକୁ ଦଂଶିବୁ

।।

ଆଜ୍ଞା ପ୍ରମାଣେ ସର୍ପ ଗଲା

ମଞ୍ଚରେ ପ୍ରବେଶ ହୋଇଲା

।।

ରୋହିତ କୁମରକୁ ଦଂଶି

ପୁଣି ମିଳିଲା ସ୍ୱର୍ଗେ ଆସି

।।

ଏଥୁ ଅନନ୍ତେ ଶୈବ୍ୟାରାଣୀ

ପୁତ୍ର ମରିବା କଥା ଶୁଣି

।।

ଅନେକ ସନ୍ତାପ ସେ କଲା

ତା ଦେଖି ବ୍ରାହ୍ମଣ କହିଲା

।।

ତୁ ଏବେ କରୁଛୁ ରୋଦନ

କାହୁଁ ତୁ ଲଗାଇବୁ ଧନ

।।

ଜାଣିଲେ ମଡ଼ାପଣ୍ଡିଆଏ

ମୋଠାରୁ ନେବେ ସୁନିଆଏ

।।

ବେଗେ ତୁ ଶବ ଘେନିଯାଅ

ନପୋଡ଼ି ପୋତିଣ ପକାଅ

।।

ମଡ଼ାତଣ୍ଡିଆ ଧନ ଆସି

ମାଗିଲେ ହୁଅ ତାର ଦାସୀ

।।

ବିପ୍ର ନିରାଶ ବାଣୀ ଶୁଣି

ପୁତ୍ରକୁ ଧରି ଏକା ରାଣୀ

।।

ଘୋର ଅନ୍ଧାର ନିଶାକାଳେ

ଘେନିଣ ଶମଶାନେ ମିଳେ

।।

ଶବ ପକାଇ ମହାସତୀ

ଆପଣେ ଖନ୍ଦାଏ ଖୋଳନ୍ତି

।।

ଜଗିବା ପାଇ ଶମଶାନ

ଏମନ୍ତେ ବାହାରେ ରାଜନ

।।

ଆପଣେ ହରିଶ୍ଚନ୍ଦ୍ର ରାୟେ

ଆସିଣ ମିଳିଲେ ସେଠାଏ

।।

ଦେଖିଲେ ଶମଶାନ ସ୍ଥାନ

ଏକଇ ଯୁବତୀ ରତନ

।।

କାନ୍ଦିଣ ଖୋଳୁଅଛି ଗାତ

ଦେଖିଣ ନୃପତି ଚକିତ

।।

ଧାଇଁ ଧଇଲେ କେଶ ତାର

ବୋଇଲେ ଅଟୁ ତୁ କାହିଁର

।।

ମରିବୁ ତୋ ଇଷ୍ଟ ସୁମର

ଶୁଣି ବୋଲଇ ନାରୀବର

।।

ମୋ ଇଷ୍ଟ ହରିଶ୍ଚନ୍ଦ୍ର ରାଜା

ମୁଁ ଅଟେ ତାହାଙ୍କ ଭାରିଯା

।।

ସ୍ୱାମୀ ମୋ ନୃପପଦ ଯେତେ

ଦାନ ବିହିଲେ ମୁନିହସ୍ତେ

।।

ଦକ୍ଷିଣା ନିମନ୍ତରେ ପୁଣ

ପୁତ୍ର ଭାରିଯାକୁ ବିକିଣ

।।

ସେ ଧନ ମୁନିହସ୍ତେ ଦେଲେ

ଆପଣେ କେଣେ ଅବା ଗଲେ

।।

ଏମନ୍ତେ କେତେ ଦିନଗଲା

ସର୍ପାଘାତରେ ପୁତ୍ର ମଲା

।।

ତେଣୁ ସେ ପୁତ୍ରକୁ ଆଣିଣ

ପୋତିବି ବୋଲି ଶମଶାନ

।।

ଏକାନ୍ତେ ଗାତ ଖୋଳୁଛଇଁ

ଯେଣୁ ମୋହର ଶାଖା ନାହିଁ

।।

ଏମନ୍ତ ଶୁଣି ନରଈଶ

ଛାଡ଼ିଲେ ନିଜ ପ୍ରିୟା କେଶ

।।

ଭୋ ସଖି! ମୁଁ ତୋ ପ୍ରାଣସଖା

କାହିଁ ମୋ ରୋହିତକୁ ଦେଖା

।।

ଶୁଣିଣ ସ୍ୱାମୀର ଉତ୍ତର

ତୁଟିଲା ଘୋର ଅନ୍ଧକାର

।।

ଦ୍ୱିଗୁଣେ ସନ୍ତାପ ବଢ଼ିଲା

ସ୍ୱାମୀର ଚରଣେ ପଡ଼ିଲା

।।

ଉଠି ସ୍ୱାମୀଙ୍କୁ ଘେନିଗଲା

ପୁତ୍ରକୁ ଦେଖାଇଣ ଦେଲା

।।

ବୋଇଲେ ସ୍ୱାମୀ ତୁମ୍ଭେ ଶୁଣ

ମୁହିଁ ଏ ପୁତ୍ରକୁ ଘେନିଣ

।।

ଅନଳେ ପଶି ଝାସଦେବି

ଏ ପ୍ରାଣ କେଭେ ନ ରଖିବି

।।

ଶୁଣି ବୋଇଲେ ନୃପବର

ପୁତ୍ର ଭାରିଯା ମଲେ ମୋର

।।

ମୁଁ ଥାଇ କରିବଇଁ କିସ

ଚାଲା ସମସ୍ତେ ଦେବା ଝାସ

।।

ଏମନ୍ତ ବୋଲି ଚଳିଗଲେ

ପ୍ରଚଣ୍ଡ ଅନଳ ଜାଳିଲେ

।।

ସ୍ନାନ ସେ କରାଇ ପୁତ୍ରକୁ

ଅନଳେ ପଶିବା ବେଳକୁ

।।

ଏମନ୍ତ ସମୟେ ମାତଳୀ

ସ୍ୱର୍ଗରୁ ରଥ ଘେନି ଚଳି

।।

ରାଜାଙ୍କ ନିକଟେ ହୋଇଲା

ଅନଳେ ନ ପଶ ବୋଇଲା

।।

ତା ଶୁଣି ନୃପତି ଚକିତ

ମାତଳୀ ଉଭାକଲା ରଥ

।।

ବୋଇଲା ଦେବଙ୍କ ଆଦେଶ

ସ୍ୱର୍ଗକୁ ଯିବ ରଥେ ବସ

।।

ଶୁଣି ବୋଇଲେ ନୃପବର

ମଲା ମୋ ଏକଇ କୁମର

।।

କେମନ୍ତେ ସ୍ୱର୍ଗକୁ ଯିବଇଁ

କହ ମୁଁ ଅପୁତ୍ରିକ ହୋଇ

।।

ଏଣୁ ମୋ ମରିବାର ସତ

ମାତାଳୀ ଘେନିଯାଅ ରଥ

।।

ମାତଳୀ ବୋଇଲା ବଚନ

ଅନଳେ ନ ପଶ ରାଜନ

।।

ମୋର ଅଇଲା ଯାଏ ଥିବୁ

ନୋହିଲେ ଦେବଦ୍ରୋହୀ ହେବୁ

।।

ଏମନ୍ତେ ବୋଲି ଚଳିଗଲା

ଦେବଙ୍କ ଆଗରେ ମିଳିଲା

।।

ରାଜା କହିବା ଜଣାଇଲା

ଅମୃତ ସଞ୍ଜୀବନୀ ନେଲା

।।

ପୁଣି ସ୍ୱର୍ଗରୁ ଲେଉଟିଲା

ରାଜା ନିକଟେ ପ୍ରବେଶିଲା

।।

ପୁତ୍ରର ମୁଖେ ସୁଧାଦେଇ

କର୍ଣ୍ଣରେ ସଞ୍ଜୀବନୀ କହି

।।

ତକ୍ଷଣେ ଜୀଇଲା କୁମର

ପାଶେ ଦେଖିଲା ରହୁବର

।।

ଆବର ଜନନୀ ପିଅର

ଦେଖିଣ ରୋହିତ କୁମର

।।

ସ୍ୱର୍ଗକୁ ଯିବା ଏବେ ଚାଲ

କୁମର ବୋଇଲା କି ବୋଲ

।।

ଆମ୍ଭର ରାଜ୍ୟ ପ୍ରଜାକୁଳ

ଛାଡ଼ି କେ ଯିବ ସ୍ୱର୍ଗଆଳ

।।

ସମସ୍ତେ ଗଲେ ଯିବି ମୁହିଁ

ନୋହିଲେ ଯାଅ ତୁମ୍ଭେ ଦୁଇ

।।

ଶୁଣି ବୋଇଲେ ନୃପନାଥ

ମାତଳୀ ଘେନିଯାଅ ରଥ

।।

ନ ଗଲେ ରାଜ୍ୟଜନ ଯେତେ

ଆମ୍ଭେ ନ ଯିବୁ କଦାଚିତେ

।।

ଶୁଣି ମାତଳୀ ଚଳିଗଲା

ବିଧାତା ଆଗରେ କହିଲା

।।

ସ୍ୱରୂପ ଶୁଣ ବେଦବର

ନଇଲେ ପ୍ରଜାକୁଳ ସାର

।।

କେବେ ନ ଆସେ ନୃପବର

ବିଚାରି ମୋତେ ଆଜ୍ଞା କର

।।

ତା ଶୁଣି ବ୍ରହ୍ମା ଇନ୍ଦ୍ର ସୁର

ସମସ୍ତେ କଲେକ ବିଚାର

।।

ଯାଇଁ ରାଜାକୁ ଘେନିଆସ

ନୋହିଲେ ସ୍ୱର୍ଗଯିବ ନାଶ

।।

ହରିଶ୍ଚନ୍ଦ୍ରର ତପଫଳେ

ଆସନ୍ତୁ ତାର ପ୍ରଜାକୁଳେ

।।

ତା ଶୁଣି ମାତଳୀ ହରଷ

ଲେଉଟି ଗଲେ ରାଜା ପାଶ

।।

ଦେବେ ଦୁନ୍ଦୁଭି ବଜାଇଲେ

ସକଳ ଲୋକ ଗୋଷ୍ଠୀ କଲେ

।।

ପଶୁ ମନୁଷ୍ୟ ଚାରି ଜାତି

ଅପରେ ଯେତେ ଲୋକେ ଛନ୍ତି

।।

ସମସ୍ତ ରଥେ ବସାଇଲେ

ଆପଣେ ରାଜା ବିଜେ କଲେ

।।

ପୁତ୍ର ଭାରିଯା ସଙ୍ଗେ ଘେନି

ଆନନ୍ଦେ କଲେ ଜୟ ଧ୍ୱନି

।।

ଚଳିଲା ରଥ ଶୂନ୍ୟମାର୍ଗେ

ଦେବେ ଅନାଇଛନ୍ତି ସ୍ୱର୍ଗେ

।।

ଯହୁଁ ନିକଟେ ସ୍ୱର୍ଗ ଆସି

ଦେବମାୟାକୁ ଦେଲେ ପେଶି

।।

ରାଜାର ହୃଦରେ ପଶିଲା

ବଡ଼ିମା ପଣ ପ୍ରକାଶିଲା

।।

ଗର୍ବ ବହିଲା ରାଜା ମନ

ନ ଚଳେ ପୁଷ୍ପକ ବିମାନ

।।

ଯହୁଁ ସେ ନିଶ୍ଚଳେ ରହିଲେ

ସକଳ ଦେବତା ଅଇଲେ

।।

ବିଶ୍ୱକର୍ମାକୁ ଆଜ୍ଞା ଦେଲେ

ତହିଁ ପୁରେକ ନିର୍ମାଣିଲେ

।।

ଶ୍ରୀହରିଶ୍ଚନ୍ଦ୍ର ସ୍ୱର୍ଗପୁର

ନାମ ବିହିଲେ ବେଦବର

।।

ସେ ପୁରେ ରହିଲେ ନୃପତି

ଅଛଇ ଯୁଗେ ଯୁଗେ କୀର୍ତ୍ତି

।।

ଦେବା ଜୟରେ ଫଳ ଏତେ

ପୁରାଣ ବିଖ୍ୟାତ ଜଗତେ

।।

ଭଣେ ଅଧର୍ମ ରାମଦାସ

ଶ୍ରୀହରି ପାଦପଦ୍ମେ ଆଶ

।।

ଶୁଣ ସୁଜନ କର୍ଣ୍ଣପୁଟେ

ନ ପଡ଼ ସଂସାର ସଙ୍କଟେ

।।

 

ଇତି ଶ୍ରୀ ଦାର୍ଢ଼୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ୱାଦେ

ହରିଶ୍ଚନ୍ଦ୍ର ରାଜା ମୋକ୍ଷଣେ ନାମ ଦ୍ୱିତୀୟୋଽଧ୍ୟାୟଃ ।

•••

 

Unknown

କର୍ଣ୍ଣରାଜା ସମ୍ବାଦ

ମନ ଉବାଚ

 

ପୁଣି ପୁଚ୍ଛଇ ମନ ରାୟେ

ଚୈତନ୍ୟ ଦେବଙ୍କର ପାୟେ

।।

ତୁମ୍ଭେ ଯା କଲଟି ପ୍ରକାଶ

ପଦ ପଦକେ ସୁଧାରସ

।।

ସତ୍ୟ ତ୍ରେତୟାର ଚରିତ

ଶୁଣି ମୁଁ ହୋଇଲି ପବିତ୍ର

।।

କହ ଦ୍ୱାପର ଯୁଗ କଥା

ଶୁଣି ମୋ ଛାଡ଼ୁ ମନୋବ୍ୟଥା

।।

ତା ଶୁଣି କହେ ଚଇତନ

ହେ ମନ ହୁଅ ସାବଧାନ

।।

ଦ୍ୱାପର ଯୁଗ ମହାବୀର

କର୍ଣ୍ଣ ନୃପତି ନାମ ତାର

।।

ସୋମବଂଶରେ ଅବତାର

ଅଟଇ ମହା ଧନୁର୍ଦ୍ଧର

।।

କ୍ଷତ୍ରିୟ ଗରବ ଗଞ୍ଜନ

ଦଇବେ ରବିର ନନ୍ଦନ

।।

ଶରଣ ସମ୍ଭାଳିବା ଅର୍ଥେ

ବାହେ ବାନ୍ଧିଣ ଥାଇ ନେତେ

।।

ସତ୍ୟ ଅଭଙ୍ଗ କୁଳବନ୍ତ

ଶାନ୍ତ ସୁଶୀଳ ସେ ମହତ

।।

କ୍ଷତ୍ରିୟ କୁଳେ ସେ ନିଃଶଙ୍କ

ସର୍ବଦା କାଳେ ରଣରଙ୍କ

।।

ଚାଲନ୍ତେ କମ୍ପେ ବସୁମତୀ

ସୁରେ ଅସୁରେ ଡରିଥାନ୍ତି

।।

ଏମନ୍ତେ କର୍ଣ୍ଣ ମହାରାଜା

ସୁଖେ ପାଳଇ ଜନ ପ୍ରଜା

।।

ତାହାର ଏକଇ କୁମର

ବିଶିକେଶନ ନାମ ତାର

।।

ଭାରିଯା ନାମ ଚନ୍ଦ୍ରାବଳୀ

ସତୀ ସାଧବୀ ସେହୁ ବାଳୀ

।।

ଏମନ୍ତେ କର୍ଣ୍ଣ ଯେ ରାଜନ

ଦାନେ ମୋହିଲେ ସର୍ବଜନ

।।

ନିତି ସୁବର୍ଣ୍ଣ ଶତେ ଭାର

ପ୍ରମାଣ ଦାନ ଦେବ ତାର

।।

ଏଥିଉତ୍ତାରୁ ଯେତେ ଜନ

ମାଗନ୍ତି ଅନ୍ନ ବସ୍ତ୍ର ଦାନ

।।

ମନ ସନ୍ତୋଷେ ତାଙ୍କୁ ଦେଇ

ବାକ୍ୟ କହନ୍ତି ଚାଟୁଆଇ

।।

ଦୁଃଖୀ ବ୍ରାହ୍ମଣ ଯେବେ ଦେଖି

ଜୀବନ୍ତେ ଦିଏ ଅନ୍ନ ଲେଖି

।।

ଏମନ୍ତେ କେତେ ଦିନ ଗଲା

ତା କୀର୍ତ୍ତି ଜଗତେ ପୂରିଲା

।।

ଜାଣିଲେ ପ୍ରଭୁ ଭଗବାନ

ବିଡ଼ିବା ପାଇଁ ତାର ମନ

।।

ଜଗମୋହନ ପୀତବାସ

ମାୟାରେ ହେଲେ ବିପ୍ରବେଶ

।।

କନ୍ଧରେ ଶୋଭଇ ପଇତା

ଧାରଣ ପାତ୍ରୀ ଗଡ଼ୁଛତା

।।

ଲଲାଟେ ଶ୍ରୀହରି ମନ୍ଦିର

ପୁସ୍ତକ ଯାଉଁଳି କନ୍ଧର

।।

ଅତି ସୁନ୍ଦର ଯୁବା ବେଶ

ବଚନେ ଜନ ମନ ତୋଷ

।।

ଏମନ୍ତ ବେଶେ ଦାମୋଦର

ବିଜୟ କର୍ଣ୍ଣ ସିଂହଦ୍ୱାର

।।

ଉଚ୍ଚାର କଲେ ସାମ ବେଦ

ଆକାଶେ ଘୋଟିଲା ଶବଦ

।।

କଣ୍ଠ କୋକିଳସ୍ୱର ଜିଣି

ପାଷାଣ ତରଳେ ତା ଶୁଣି

।।

ତା ଶୁଣି କର୍ଣ୍ଣ ମହାବୀର

ପ୍ରବେଶ ବିପ୍ରଙ୍କ ଛାମୁର

।।

ଦେଖିଣ ନମସ୍କାର କଲେ

ତତକ୍ଷଣେ ପାଦ ଧୋଇଦେଲେ

।।

ଆସନେ ତାଙ୍କୁ ବସାଇଲେ

ବିନୟ ବଚନେ ପୁଚ୍ଛିଲେ

।।

କେଉଁ କାରଣେ ମୋର ପୁର

ବିଜୟ କଲେ ଦ୍ୱିଜବର

।।

କହ ହେ ସ୍ୱରୂପ ଉତ୍ତର

ଦେବି ମୁଁ ସଂଶୟ ନ କର

।।

ଧନ ରତନ ଅଳଙ୍କାର

କି ଅବା ସୁବର୍ଣ୍ଣ ଭଣ୍ଡାର

।।

ଯେବା ବାଞ୍ଛିତ ତୁମ୍ଭେ ଚିତ୍ତେ

ସମ୍ଭାଳ କାଲି ପରିଯନ୍ତେ

।।

ଯେତେକ ଇଚ୍ଛା ତେତେ ଦେବି

ଦରିଦ୍ର ପଣ ଛଡ଼ାଇବି

।।

ଭୋଜନ କରି ମୋର ପୁରେ

ଆଜକ ରହ ଏହିଠାରେ

।।

ଶୁଣି କହନ୍ତି ଦ୍ୱିଜବର

ଶୁଣ ତୁ କର୍ଣ୍ଣ ମହାବୀର

।।

ତୋ ଦାନୀପଣ ଶୁଣି କର୍ଣ୍ଣେ

ଅତି ଆନନ୍ଦ ମୋର ମନେ

।।

ତେଣୁ ଅଇଲୁ ତୋର ପାଶ

କରିଣ ଅତି ପ୍ରତିଆଶ

।।

ବାଞ୍ଛିତଧନ ଦେଲେ ନେବୁଁ

ନୋହିଲେ ଲେଉଟିଣ ଯିବୁ

।।

ତ୍ୱରିତେ ଦେଲେ ମହା ପୁଣ୍ୟ

କହିଅଛନ୍ତି ଋଷିଗଣ

।।

ତୁ ବୋଲୁ କାଲି ପରିଯନ୍ତେ

ଆମ୍ଭେ ନ ରହୁଁ କଦାଚିତେ

।।

ନାହିଁ ବୋଇଲେ ଆମ୍ଭେ ଯିବୁ

ଏଠାରେ କିମ୍ପା ବସିଥିବୁ

।।

ଶୁଣି ବୋଇଲେ କର୍ଣ୍ଣବୀର

ପବିତ୍ର କର ମୋର ପୁର

।।

ଆଜ ମୋ ପୁରରେ ରନ୍ଧନ

କଲେ ମୋ ସୁଫଳ ଜୀବନ

।।

ତା ଶୁଣି କହନ୍ତି ଶ୍ରୀହରି

ଶୁଣ ତୁ କର୍ଣ୍ଣ ଦଣ୍ଡଧାରୀ

।।

ଭୋଜନ ଯାଚୁଅଛୁ ମୋତେ

ଦେଇ ନ ପାରୁ କଦାଚିତେ

।।

ତା ଶୁଣି ବୋଲେ ମହାରାଜ

କହିଲ ବିପରୀତ କଥା

।।

କି କି ଭୁଞ୍ଜିବ ବିପ୍ର ତୁମ୍ଭେ

ଦେଇ ଯେ ନ ପାରିବୁ ଆମ୍ଭେ

।।

ଯାହା ମାଗିବ ତାହା ଦେବି

ନ ଦେଲେ ଅପରାଧୀ ହେବି

।।

ପ୍ରଭୁ ବୋଇଲେ ସତ୍ୟକର

ମୋ ହସ୍ତେ ତୋଳିଦିଅ ନୀର

।।

ଶୁଣି ନୃପତି ସତ୍ୟ କଲା

ବ୍ରାହ୍ମଣ ହସ୍ତେ ନୀର ଦେଲା

।।

ବୋଇଲା ମାଗ ବିପ୍ରବର

ତ୍ରିବାର ସତ୍ୟ ସତ୍ୟ ମୋର

।।

କର୍ଣ୍ଣର ଦୃଢ଼ବାକ୍ୟ ଶୁଣି

କହନ୍ତି ପ୍ରଭୁ ଚକ୍ରପାଣି

।।

ମନୁଷ୍ୟମାଂସେ ମୋ ଭୋଜନ

ଶୁଣି ବୋଇଲେ ଦାନୀକର୍ଣ୍ଣ

।।

କେତେକ ଜନ ଦେବି ଆଣି

ସ୍ୱରୂପ କହ ବିପ୍ରମଣି

।।

ତା ଶୁଣି ବୋଲନ୍ତି ଗୋସାଇଁ

ଅନ୍ୟ ମନୁଷ୍ୟେ କାର୍ଯ଼୍ୟ ନାହିଁ

।।

ତୋ ପୁତ୍ର ବିଶିକେସନକୁ

ମାରିଣ ଦେବୁ ହୋ ଆମ୍ଭଙ୍କୁ

।।

ଆପଣେ ସ୍ୱହସ୍ତେ ମାରିବୁ

ଭାରିଯା ହାତେ ରନ୍ଧାଇବୁ

।।

ତେବେ ମୁଁ ଭୋଜନ କରିବ

ନାସ୍ତି ବୋଇଲେ ଚଳିଯିବି

।।

ଶୁଣି ବିଚାରେ ରାଜା ଚିତ୍ତେ

ପୁତ୍ରକୁ ମାରିବି କେମନ୍ତେ

।।

ନ ଦେଲେ ସତ୍ୟଭଗ୍ନ ହେବି

ମଲେ ନରକେ ସିନା ଯିବି

।।

ଏଣୁ ମୋ ପୁତ୍ର ପଛେ ଯାଉ

ନୋହିବି ସତ୍ୟଭଗ୍ନ ଆଉ

।।

ଏମନ୍ତେ ମନେ ବିଚାରିଲା

ଶୁଣ ହୋ ବ୍ରାହ୍ମଣ ବୋଇଲା

।।

ତୁମ୍ଭେ ତ ବିପ୍ରକୁଳେ ଜାତ

ଆମ୍ଭେ ଯେ କ୍ଷତ୍ରିୟ ସମ୍ଭୂତ

।।

କିପରି ମୋ ପାକେ ଭୁଞ୍ଜିବ

ତୁମ୍ଭର ଜାତି ନଷ୍ଟ ହେବ

।।

ତା ଶୁଣି ବ୍ରାହ୍ମଣ ଗୋସାଇଁ

ବୋଇଲେ ଶୁଣ ବୀର ତୁହି

।।

ଆମ୍ଭର ଶାସ୍ତ୍ରେ ଅଛି ଯାହା

ଶୁଣ ତୁମ୍ଭଙ୍କୁ କହୁ ତାହା

।।

ଯେ ଅବା ଶ୍ରୀହରି ଭଜଇ

ବ୍ରତରେ ନିଷ୍ଠା ଯାର ଥାଇ

।।

ଯେ କରେ ପର ଉପକାର

ସତ୍ୟ ନ ଲଙ୍ଘେ ଯେଉଁ ନର

।।

ଯେ ଅବା ସାଧୁସଙ୍ଗ କରେ

ବଞ୍ଚଇ ନାମ ଭଜନରେ

।।

ରଣ ରଙ୍ଗରେ ଆଗୁସାର

ଦେବା ଦୟାରେ ନିରନ୍ତର

।।

ନାରୀ ହୋଇଣ ପତିବ୍ରତା

ନ ଲଙ୍ଘେ ନିଜ ସ୍ୱାମୀ କଥା

।।

ଏମନ୍ତ ଲୋକଙ୍କର ଘର

ନ ପୁଚ୍ଛୁ ଜାତି ଗୋତ୍ର ତାର

।।

ଭୁଞ୍ଜିବା ସତଟି ଆମ୍ଭର

ଶୁଣି ଚକିତ ନୃପବର

।।

ନବରେ ହୋଇଲା ପ୍ରବେଶ

ନିଜ ପତ୍ନୀଙ୍କୁ ରାଇ ପାଶ

।।

କହିଲେ ଗଭୀର ବଚନ

ଶୁଣରେ ଯୁବତୀ ରତନ

।।

କେବଣ ଦେଶୁ ବିପ୍ରବର

ଆସି ମିଳିଲେ ସିଂହଦ୍ୱାର

।।

ଅନେକ ବେଦଧ୍ୱନି କଲେ

ଭୋଜନ ଦେବୁ କି ବୋଇଲେ

।।

ତାଙ୍କ ବଚନେ କଲି ସତ୍ୟ

ଏବେ ବୋଲନ୍ତି ମାର ପୁତ୍ର

।।

ନୋହିଲେ ସତ୍ୟଭଗ୍ନ ହୁଅ

ଆମ୍ଭଙ୍କୁ ଯାଅ ବୋଲି କହ

।।

ଏଥକୁ କହ ତୁ ବିଚାରି

ଦେବା କି ନାହିଁ ପୁତ୍ର ହାଣି

।।

ନଦେଲେ ସତ୍ୟଭଗ୍ନ ହୋଇ

ନରକେ ପଡ଼ିବ ହେ ଯାଇଁ

।।

ସ୍ୱାମୀକି କହନ୍ତେ ଏମନ୍ତ

ଆସି ମିଳିଲା ନିଜ ସୁତ

।।

ଦ୍ୱାଦଶ ବରଷର ବାଳ

ଦେହ ତା ଦୁଶଇ ଉଜ୍ଜଳ

।।

ସୁନ୍ଦରପଣେ ତାକୁ ସରି

କେହି ନ ଥିବେ ତିନିପୁରୀ

।।

ଚତୁର ବିବେକ ସିହାଣ

ପୁଚ୍ଛଇ ମାତାଙ୍କ ଚରଣ

।।

କି ବୋଲି ବିଚାର ହେଉଛ

ମୋତେ କିମ୍ପାଇ ଲୁଚାଉଛ

।।

କିମ୍ପା ଚିନ୍ତିତ ଦଣ୍ଡଧାରୀ

ଭୋ ମାତା କହ ସତ୍ୟକରି

।।

ଶୁଣି କହନ୍ତି ନିଜ ମାତ

ଶୁଣ କୁମର କହେ ସତ୍ୟ

।।

ପିତା ତୋ ବିପ୍ରେ କଲେ ସତ୍ୟ

ତୋତେ ମାରିଣ ଦେବେ ଭାତ

।।

ଶୁଣିଣ ରାଜାର କୁମର

କେ କହୁ ଆନନ୍ଦ ତାହାର

।।

ଭୋ ତାତ ମାତ ତୁମ୍ଭେ ଶୁଣ

ଜନ୍ମିଲେ ଅବଶ୍ୟ ମରଣ

।।

ଯେବେ ଏ ଦେହୁ ଜୀବ ଯିବ

ଅବଶ୍ୟ ମାଟିରେ ମିଶିବ

।।

ଶାଗୁଣା ଶୃଗାଳଙ୍କ ଗ୍ରାସ

ନୋହିଲେ ଦେହ ଧୂଳି ପାଶ

।।

ଏଥୁ ବା ଅନ୍ୟ କାର ଦେହ

ମଲେ ହୁଅଇ ଏକା କହ

।।

ବିପ୍ର ଭୁଞ୍ଜିବ ମୋର ମାଂସ

ଏଥିରୁ ବଡ଼ ଭାଗ୍ୟ କିସ

।।

ବହନ କରି ମୋତେ ମାର

ଭୋ ତାତ ବିଳମ୍ବ ନ କର

।।

ପୁତ୍ରର ମୁଖୁଁ ଏହା ଶୁଣି

ବହନ ଗଲେ ନୃପମଣି

।।

ପ୍ରଭୁଙ୍କୁ ଡ଼ାକି ଘେନିଗଲେ

ମନ୍ଦିରେ ପ୍ରବେଶ ହୋଇଲେ

।।

ପୁତ୍ରକୁ ଧରି ଧାତିକାରେ

ଉଭା କରାଇଲା ଛାମୁରେ

।।

କର୍ଣ୍ଣ ଶ୍ରୀହସ୍ତେ ପାଟଖଣ୍ଡା

ଧରିଣ ପତି ପରଚଣ୍ଡା

।।

ଗୋବିନ୍ଦ ଜାଣି ତାର ମନ

ଉହାଡ଼ କଲେ ସୁଦର୍ଶନ

।।

ଚକ୍ର ପୁତ୍ରକୁ ଘେନି ଗଲେ

ମାୟା କୁମର ଉଭାହେଲେ

।।

ଯେ ମାୟା ଦେବେ ଅଗୋଚର

ମନୁଷ୍ୟ କେତେକ ମାତର

।।

ରାଜା ଧରିଣ କରବାଳ

କାଟିଲେ ଶିର ଯେ ତତ୍କାଳ

।।

ରାଣୀ ହସ୍ତରେ ନେଇ ଦେଲେ

ରନ୍ଧନ କରସି ବୋଇଲେ

।।

ରାଜା ହସ୍ତରୁ ରାଣୀ ଧରି

କାଟିଲେ ତୁଳା ପ୍ରାୟ କରି

।।

ମୁଣ୍ଡ ମାତ୍ରକୁ ଲୁଚାଇଲେ

କାନ୍ଦିବେ ବୋଲି ବିପ୍ର ଗଲେ

।।

ଆବର ଯେତେକ ମାଏଁସ

ସଜାଡ଼େ ମନର ହରଷ

।।

ଘୃତ ମରିଚଗୁଣ୍ଡା ତୁଲେ

ହଳଦୀ ପକାଇ ଦଳିଲେ

।।

ଜିରା ମରିଚ ହିଙ୍ଗୁଧାର

ପକାଇ କଲେକ ମହୁର

।।

ଥୋକାଏ ସଙ୍ଗତେ ତିନ୍ତୁଳି

ପକାଇ କଲେକ ଆମ୍ୱିଳି

।।

ଭଜା କାକରାଦି ପାଚଲ

ରାନ୍ଧଣା ଏକୁ ଏକ ଭଲ

।।

ଦିବ୍ୟ ଅରୁଆ ଅନ୍ନମାନ

ବହନ କଲେକ ରନ୍ଧନ

।।

ବିପ୍ରଙ୍କୁ ଡ଼ାକି ନୃପ ଗଲେ

ଭୋଜନ କରିବ ବୋଇଲେ

।।

ଶୁଣି ବୋଇଲେ ବିପ୍ରମଣି

କପଟ କଲା ତୋର ରାଣୀ

।।

ଲୁଚାଇ ଥୋଇଅଛି ଶିର

ଆମ୍ଭ ଅଯୋଗ୍ୟ ସେ ଆହାର

।।

ଶୁଣି ନୃପତି ବେଗେ ଗଲେ

ଭୋ ସଖୀ କି କଲୁ ବୋଇଲେ

।।

ତୁ ପୁଣି ଲୁଚାଇଲୁ ମୁଣ୍ଡ

ବିପ୍ରତ ରାଗରେ ପ୍ରଚଣ୍ଡ

।।

ଶୁଣି ଜାଣିଲେ ମହାସତୀ

ନିଶ୍ଚେ ସେ ଅଟେ ମହାଯତି

।।

ଏମନ୍ତ ବୋଲି ମୁଣ୍ଡ ଧରି

ଛେଚିଲେ ଖଣ୍ଡ ଖଣ୍ଡ କରି

।।

ରାନ୍ଧାଣା ବିଧି ବେଗେ କଲେ

ବିପ୍ରଙ୍କୁ ଡାକିଣ ଆଣିଲେ

।।

ଆସନ ପାଦାସନ ଦେଇ

କଦଳୀ ପତ୍ରେକ ବିଛାଇ

।।

ଆପଣେ କର୍ଣ୍ଣ ମହାରାଣୀ

ସୁପକ୍ଵ ପରଷିଲେ ଆଣି

।।

ଦେଖି ବୋଲନ୍ତି ବ୍ରହ୍ମବତ୍ସ

ଏକ ପତ୍ରକେ ବାଢ଼ିଅଛ

।।

ଏଥେ କି ବିଷ ଅଛ ଭରି

ମୋତେ ମାରିବ ବୋଲିକରି

।।

ଏ ଘରେ ଅଛ ଯେତେ ଜନ

ସମସ୍ତେ କରିବ ଭୋଜନ

।।

ନୋହିଲେ ଲେଉଟିଣ ଯିବି

ମୁଁ କିମ୍ପା ଏକାକୀ ଭୁଞ୍ଜବି

।।

ଶୁଣି ଚକିତ ରାଜା ରାଣୀ

ଆବର ବେନି ପତ୍ର ଆଣି

।।

ଅନ୍ନ ବ୍ୟଞ୍ଜନ ଯେ ବାଢ଼ିଲେ

ଭୁଞ୍ଜିବା ବୋଲି ଆରମ୍ଭିଲେ

।।

ପ୍ରଭୁ ଜାଣିଲେ ତାଙ୍କ ମନ

ବୋଇଲେ ଶୁଣ ହୋ ରାଜନ

।।

ଆବର ପତ୍ରେକ ପକାଅ

ଭୁଞ୍ଜବ ପରା ତୋର ପୁଅ

।।

ଶୁଣି ବୋଇଲେ କର୍ଣ୍ଣବୀର

କାହୁଁ ପାଇବି ପୁତ୍ର ମୋର

।।

ତୁମ୍ଭର ଦେଖୁଁ ଦେଖୁଁ ଏଥେ

ହାଣିଲି ପରା ମୋର ହସ୍ତେ

।।

ତା ମାଂସ କଲଇଁ ରନ୍ଧନ

ଆଉ କି ଅଛି ମୋ ନନ୍ଦନ

।।

ଏଡ଼େ ବିଶ୍ୱାସ ଅଛି ତୋର

କାହୁଁ ମରିବ ତୋ କୁମର

।।

ଆମ୍ଭେ ଯେ ଦେଉଛ କଲ୍ୟାଣ

ଲଭ ତୁ ଆପଣା ନନ୍ଦନ

।।

ତୋ ପୁତ୍ର ଚିରଜୀବୀ ହେଉ

ଅନ୍ତେ ଗୋବିନ୍ଦ ପାଦ ପାଉ

।।

ତୋ ରାଣୀ ତୁହି ବେନି ଜନ

ଲଭ ହୋ ବୈକୁଣ୍ଠ ଭୁବନ

।।

ଆମ୍ଭ କଲ୍ୟାଣେ ଏହା ହେଉ

ତୋ କୀର୍ତ୍ତି ଯୁଗେ ଯୁଗେ ରହୁ

।।

ଏବେ ତୁ ଯାଅ ଦଣ୍ଡଧାରୀ

ଡ଼ାକ ହୋ ପୁତ୍ର ନାମ ଧରି

।।

ରାଣୀ ସଙ୍ଗତେ ତୁମ୍ଭେ ଯାଅ

ଦେଖି ଆସିବ ତୁମ୍ଭ ପୁଅ

।।

ଶୁଣିଣ ରାଜା ରାଣୀ ଗଲେ

ଶ୍ରୀକୃଷ୍ଣ ମାୟା ନ ଜାଣିଲେ

।।

ଡ଼ାକିଲେ ଆସରେ କୁମର

ଭୁଞ୍ଜବା ହେଉଛି ଉଛୁର

।।

ମାତା ପିତାଙ୍କ ଡ଼ାକ ଶୁଣି

ଧାଇଁ ଅଇଲା ପୁତ୍ରମଣି

।।

ପୁତ୍ର ଦେଖିଣ ବାପା ମାୟେ

ଅଇଲେ ଘେନିଣ ତନୟେ

।।

ଘରେ ପ୍ରବେଶ ହେଲେ ଯାଇଁ

ଦେଖିଲେ ବିପ୍ର ଆଉ ନାହିଁ

।।

ବିଚାର କଲେ ମନେ ମନ

ନିଶ୍ଚୟେ ପ୍ରଭୁ ଭଗବାନ

।।

ଛାର ପୁତ୍ରର ପାଇଁ ଗଲୁ

ଅମୂଲ୍ୟ ନିଧି ହରାଇଲୁ

।।

ଆନର ବଳେ କି ଏ କଥା

ମଲାର ଜୀଏ କି ସର୍ବଥା

।।

ଏମନ୍ତ ବୋଲି ତିନିଜଣ

ଚିତ୍ତେ ଚିନ୍ତିଲେ ନାରୟଣ

।।

ପ୍ରଭୁ ଶୂନ୍ୟରେ ଡ଼ାକ ଦେଲେ

ମୁହିଁଟି ଶ୍ରୀହରି ବୋଇଲେ

।।

ଆଉ କେ ମାଗିଲେ ଭୋଜନ

ପୁତ୍ରକୁ ନ ଦେବୁ ମାରିଣ

।।

ଶୂନ୍ୟ ଶବଦ ଏହା ଶୁଣି

ଆନନ୍ଦେ କର୍ଣ୍ଣ ବୀରମଣି

।।

ପୁତ୍ର ଭାରିଯା ତିନିଜଣ

କେବଳ ଗୋବିନ୍ଦ ଭଜନ

।।

କାଳେ ବୈକୁଣ୍ଠ ପରାପତ

ଶୁଣ ହେ ମନୁ ନୃପନାଥ

।।

ଦାନର ମହିମା ଏମନ୍ତ୍

କେବଳ ଥିବ ଦୃଢ଼ଚିତ୍ତ

।।

ଏ ମନ ଚୈତନ୍ୟ ସମ୍ୱାଦ

ଶୁଣନ୍ତେ ନ ଲାଗେ ପ୍ରମାଦ

।।

ଯେ ପ୍ରାଣୀ ଶ୍ରଦ୍ଧାରେ ଶୁଣିବ

ହେଲେ ତରିବ ଭବାର୍ଣ୍ଣବ

।।

ସୁଜନେ କୃଷ୍ଣ ଚିନ୍ତାକର

ଦେହ ସଂସାର ନୋହେ ଚିର

।।

ହରି ପଦାରବିନ୍ଦ ଗତି

ମୋ ଚିତ୍ତ ରହୁ ଭୃଙ୍ଗମତି

।।

ସୁଖ ଶ୍ରୀକୃଷ୍ଣ ପାଦ ଦୁଇ

ଅନ୍ୟ ଶରଣ ମୋର ନାହିଁ

।।

ସାଧୁ ପାଦହିଁ ନାମ ନାବ

ମୋତେ ଏ ଦୁଇ ଆଜ୍ଞାହେବ

।।

ଭୋ ପ୍ରଭୋ ଏତେ ମାତ୍ର କର

ଶରଣ ଜନ୍ମେ ଜନ୍ମେ ମୋର

।।

 

ଇତି ଶ୍ରୀ ଦାର୍ଢ଼୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ୱାଦେ

କର୍ଣ୍ଣ ରାଜା ପୁତ୍ର ମୋକ୍ଷଣେ ନାମ ତୃତୀୟୋଽଧ୍ୟାୟଃ ।

•••

 

ଦୀନବନ୍ଧୁ ଦାସ ସମ୍ବାଦ

ମନ ଉବାଚ

 

ମନ ବୋଲଇ ଚଇତନ

ଶୁଣିଲ କର୍ଣ୍ଣର ବିଧାନ

।।

ମୋର କଳୁଷ ଯେତେ ଥିଲା

ଶ୍ରବଣ ମାତ୍ରେ ଦୂରେ ଗଲା

।।

କଳିଯୁଗରେ ଏହି ମତେ

ତରି ତ ଯାଇଛନ୍ତି ଯେତେ

।।

ଜାଣିଣ ଥିଲେ କହ କିଛି

ଶୁଣିବା ଶ୍ରଦ୍ଧା ମୋର ଅଛି

।।

ତା ଶୁଣି ବୋଲେ ଚଇତନ

ଏବେ ତୁ ଶୁଣ ହୋ ରାଜନ

।।

କଳିଯୁଗର ଯେ ବ୍ୟବସ୍ଥା

ଅଶ୍ରୁତ ଅଗୋଚର କଥା

।।

ଯାହା ଶୁଣିଛି ସାଧୁ ମୁଖୁ

ତାହା ମୁଁ କହିବି ତୁମ୍ଭଙ୍କୁ

।।

ଅବନ୍ତୀ ନଗରେ ତା ଘର

ଜାତିରେ ଅଟେ ଦ୍ୱିଜବର

।।

ନାମ ତା ଦୀନବନ୍ଧୁ ଦାସ

କୃଷ୍ଣ କଥାରେ ବଡ଼ଆଶ

।।

ହରି ଚରଣ ବିନା ଅନ୍ୟେ

ଶ୍ରଦ୍ଧା ନ ବଳେ ତାର ମନେ

।।

ତାହାର ସୁତ ବେନିଗୋଟି

ପତ୍ନୀର ନାମ ତା ମାଳତୀ

।।

ଖଟିଛି ଏକ ବଧୂ ତାର

ସାଧବୀ ଚତୁରୀ ସୁନ୍ଦର

।।

କୁଟୁମ୍ୱ ପାଞ୍ଚଜଣ ତାର

ଏକକୁ ଆରକେ ଅନ୍ତର

।।

ପ୍ରଭୁଙ୍କ ଯଶ ଗୁଣ ଯେତେ

ନିତ୍ୟେ ଚିନ୍ତନ୍ତି ହୃଦଗତେ

।।

ସାଧୁଙ୍କ ମୁଖୁଁ ରସବାଣୀ

ନିରତେ କର୍ଣ୍ଣପୁଟେ ଶୁଣି

।।

ବଦନେ ପ୍ରଭୁ ନାମ ଭଜି

ଅସତ୍ୟ ସଙ୍ଗ ଦୂରେ ତେଜି

।।

ମିଥ୍ୟା ବଚନ ନ ଭାଷନ୍ତି

ନିରତେ ପରହିତେ ଥାନ୍ତି

।।

ସର୍ବଦା ସାଧୁଙ୍କ ଚରଣ

ସେବାରେ ଥାନ୍ତି ପାଞ୍ଚଜଣ

।।

ଦୁଃଖୀ ଦରିଦ୍ରଙ୍କୁ ଦେଖିଲେ

ଦିଅନ୍ତି ଅନ୍ନବସ୍ତ୍ର ଭଲେ

।।

ଯୋଗୀ ସନ୍ନ୍ୟାସୀ ବ୍ରହ୍ମଚାରୀ

ବ୍ରାହ୍ମଣ ବୈଷ୍ଣବ ଭିକାରୀ

।।

ଏମାନେ ପ୍ରବେଶିଲେ ଯେତେ

ନାହିଁ ନ ବୋଲେ କଦାଚିତ୍ତେ

ଶକ୍ୟ ଅନୁକ୍ରମେ ସେ ଦେଇ

ନ ଥିଲେ କହଇ ବନୟୀ

।।

ଦୂଆରୁ ନିରାଶ ହୋଇଣ

ଲେଉଟି ନାହିଁ ଏକ ଜଣ

।।

ଏମନ୍ତ କେତେଦିନ ଗଲା

ତା କୀର୍ତ୍ତି ଜଗତ ପୂରିଲା

।।

ଜାଣିଲେ ପ୍ରଭୁ ଭଗବାନ

ବିଡିବା ପାଇଁ ତାର ମନ

।।

ମାୟା ସନ୍ନ୍ୟାସୀ ରୂପ ଧରି

ବିଜୟ କଲେ ନରହରି

।।

ହସ୍ତରେ ଦଣ୍ଡେ କମଣ୍ଡଳ

ତୁଳସୀ ମାଳ ବକ୍ଷସ୍ଥଳ

।।

କଷାବସନ ପରିଧାନ

ସର୍ବାଙ୍ଗେ ବିଭୂତି ଭୂଷଣ

।।

ଏମନ୍ତେ ବେଶେ ଦାମୋଦର

ମିଳିଲେ ଅବନ୍ତୀ ନଗର

।।

ତକ୍ଷକେ ରାଇ ଆଜ୍ଞା ଦେଲେ

ହେ ସର୍ପ ଯିବୁ ତୁ ବୋଇଲେ

ଯେ ଦୀନବନ୍ଧୁ ଦାସ ପୁଅ

ତାକୁ ଦଂଶିବୁ ବେଗେ ଯାଅ

ଆଜ୍ଞା ପ୍ରମାଣେ ସର୍ପ ଗଲା

ଦାସଙ୍କ ପୁତ୍ରଙ୍କୁ ଦଂଶିଲା

।।

ତା ଜ୍ୟେଷ୍ଠପୁତ୍ର ପାଣ ହାରି

ତକ୍ଷଣେ ଗଲା ଯ଼ମପୁରୀ

।।

ଏଥି ଉତ୍ତାରୁ ମାତାପିତା

ଜାଣିଲେ ପୁତ୍ର ମଲା କଥା

।।

ଭାଇ ଭାରିଯା ଆଦି ତାର

ବେଢିଲେ ଚାଲି ପାରୁଶର

।।

ମୃତଦେହକୁ ପକାଇଣ

ଅନେକ କରିନ୍ତି ରୋଦନ

।।

ନିଜ ସ୍ୱାମୀର ଗୁଣ ଗୁଣି

ଅନେକ କାନ୍ଦେ ସେ ତରୁଣୀ

ମାତା ପୁତ୍ରର ଗୁଣମାନ

ତିନ୍ତିଣ କରନ୍ତି ରୋଦନ

।।

ପିତା ଯେ ଅନେକ ପ୍ରକାରେ

ପୁତ୍ରକୁ ଧରି ଶୋକ କରେ

।।

ଆବର ଭ୍ରାତା ଗୁଣ ଗୁଣି

କାନ୍ଦିଣ ଲୋଟଇ ଧରଣୀ

।।

ଏମନ୍ତେ ଚାରିଜଣ ଯ଼ାକ

ଅନେକ କରୁଛନ୍ତି ଶୋକ

।।

ଏହି ସମୟେ ଦାମୋଦର

ପଚାରି ପଚାରି ଦାଣ୍ଡର

।।

ଲୀଳା ଭାବରେ ବିଜେ କଲେ

ଭକ୍ତର ଦାରେ ସେ ମିଳିଲେ

।।

ଡ଼ାକିଲେ ଦୀନବନ୍ଧୁ ଦାସ

ବହନ ଆସ ମୋର ପାଶ

।।

ଶୁଣିଲେ ଅପୂର୍ବ ବଚନ

ସମସ୍ତେ ତେଜିଲେ ରୋଦନ

ଦାସେ ତ୍ୱରିତେ ମୁଖ ଧୋଇ

ପ୍ରଭୁଙ୍କ ଆଗେ ହେଲେ ଯାଇଁ

ଦେଖିଲେ ସନ୍ନ୍ୟାସୀ ଗୋସାଇଁ

ସାଷ୍ଟାଙ୍ଗ ପ୍ରଣିପାତ ହୋଇ

।।

ଉଠି କପାଳେ କର ଦେଲେ

କି ଆଜ୍ଞା ହେଉଛି ବୋଇଲେ

ପ୍ରଭୁ ବୋଇଲେ ଦାସେ ଶୁଣ

ଆମ୍ଭେ ତୋ କୀରତି ଶୁଣିଣ

।।

ତେଣୁ ଅଇଲୁ ତୋର ପାଶ

ସୁଚିତ୍ତେ ମୋତେ ଦିଅ ଗ୍ରାସ

ତା ଶୁଣି ଦୀନବନ୍ଧୁ ଦାସ

ବୋଇଲେ ପ୍ରଭୁ କ୍ଷଣେ ବସ

।।

ଆସନ ଦେଇ ଚଳିଗଲେ

ମନ୍ଦିରେ ପ୍ରବେଶ ହୋଇଲେ

ପୁତ୍ର ଭାରିଯା ବଧୂ ଆଗେ

କହିଲେ ଅତ୍ୟନ୍ତ ସରାଗେ

।।

ଅତିଥି ଭୋଜନ ମାଗୁଛି

ଏଣେ ତ ପୁତ୍ର ମରିଅଛି

।।

ଦେବା କି ନାହିଁ ଶୁଦ୍ଧଚିତ୍ତେ

ବହନ କହ ସର୍ବମୋତେ

।।

ଶୁଣି ପୁତ୍ରାଦି ତିନିଜଣ

କହନ୍ତି ପିଅର ଆଗେଣ

।।

ମଲେ ତ ନ ଆସଇ ଆଉ

ଅତିଥି ସେବା ଆଗେ ହେଉ

।।

ନିରାଶେ ନଯାଉ ସନ୍ନ୍ୟାସ

ତାଶୁଣି ଦୀନବନ୍ଧୁ ଦାସ

।।

ଅତ୍ୟନ୍ତ ଆନନ୍ଦ ହୋଇଲା

ମଶିଣା ଗୋଟିଏ ଆଣିଲା

।।

ମଲା ପୁତ୍ରକୁ ଶୁଆଇଲା

ବନ୍ଧନ କରି ଥୋଇଦେଲା

।।

ଗମ୍ଭିରୀ ମଧ୍ୟେ ଲୁଚାଇଲା

ମନ୍ଦିର ଲିପା ପୋଛା କଲା

।।

ସ୍ନାନାଦି ଶୁଚିମନ୍ତ ହୋଇ

ରନ୍ଧନ କଲେ ବେଗେ ଯାଇ

।।

ପ୍ରଭୁଙ୍କୁ ଡାକିଣ ଆଣିଲେ

ମନ୍ଦିରେ ବିଜେ କରାଇଲେ

।।

ଦିବ୍ୟ ଆସନେ ବସାଇଲେ

ଅନ୍ନ ବ୍ୟଞ୍ଜନ ପରଶିଲେ

।।

ଦେଖି ବୋଲନ୍ତି ଭଗବାନ

ଆମିଷ କରହେ ରନ୍ଧନ

।।

ନିଶ୍ଚୟ ଲେଉଟି ମୁଁ ଯିବି

ଆମିଷ ବିନା ନ ଭୁଞ୍ଜିବି

।।

ତା ଶୁଣି ରାନ୍ଧିଲେ ଆମିଷ

ବୋଇଲେ ସ୍ୱାମୀ ଭୁଞ୍ଜିବସ

।।

ଦେଖିଣ ବୋଇଲେ ଶ୍ରୀବତ୍ସ

ଏକ ପତ୍ରେତ ବାଢ଼ିଅଛି

।।

ଗୃହରେ ଅଛ ଯେତେ ଜନ

ସମସ୍ତେ ନ କଲେ ଭୋଜନ

।।

ଆମ୍ଭେ ନ ଭୁଞ୍ଜୁ ଏକାହୋଇ

ଯାଉଛୁ ଅନ୍ନ ରଖ ତୁହି

।।

ଶୁଣି ଚାରିହେଁ ଠରାଠରି

ସମସ୍ତେ ହୃଦରେ ବିଚାରି

।।

ଆମ୍ଭେ ଯଦ୍ୟପି ନ ଭୁଞ୍ଜିବା

ଅତିଥି ସେବା ନ ପାଇବା

।।

ଲେଉଟି ଯିବ ଏ ସନ୍ନ୍ୟାସ

ମନରେ ହୋଇଣ ନିରାଶ

।।

ଏମନ୍ତ ବିଚାରି ତ୍ୱରିତେ

ବାଢ଼ିଲେ ଚାରିଙ୍କ ନିମନ୍ତେ

।।

ଆମିଷ ମାତ୍ର ନ ବାଢ଼ିଲେ

ଦେଖିଣ ସନ୍ନ୍ୟାସୀ ବୋଇଲେ

ତୁମ୍ଭେ ନ ବାଢ଼ିଲ ଆମିଷ

ଏଥେ କି ଭରିଅଛି ବିଷ

।।

ଜାଣିଲି କପଟ ତୁମ୍ଭର

ବୋଲି ଉଠିଲେ ଚକ୍ରଧର

।।

ତା ଶୁଣି ଦୀନବନ୍ଧୁ ଦାସ

ପୁତ୍ର ଭାରିଯା ରାଇ ପାଶ

।।

ଆପଣେ କଲେକ ବିଚାର

କି ବୁଦ୍ଧି କରିବା ଏଥର

।।

ତନୟ ମରିବା ଜାଣିଲେ

ଅତିଥି ନ ଭୁଞ୍ଜିବେ ଭଲେ

।।

ଏମନ୍ତ ବିଚାର କରିଣ

ବସିଲେ ଆମିଷ ଘେନିଣ

।।

ତାହାଙ୍କ ମନ ପ୍ରଭୁ ଜାଣି

ହସି ବୋଲନ୍ତି ତାଙ୍କୁ ପୁଣି

।।

ଶୁଣହୋ ଅନ୍ନଦାତା ତୁହି

ଗ୍ରାମରେ ପଚାରିଛି ମୁହିଁ

।।

ତୋହର ବେନି ଗୋଟି ସୁତ

ଏକଇ ବଧୂ ତାତ ମାତ

।।

ଏମନ୍ତେ ଅଟ ପାଞ୍ଚଜଣ

କାହିଁ ତୋ ଆରପୁତ୍ର ଆଣ

।।

ତା ଶୁଣି ଦୀନବନ୍ଧୁ ଦାସ

ହୃଦରୁ ଉଡ଼ିଲା ସାହସ

।।

କମ୍ପେ ଶରୀର ଥରହର

ବଦନୁ ନଇଲା ଉତ୍ତର

।।

ତା ଦେଖି ତ୍ରୈଲୋକ୍ୟ ଗୋସାଇ

ବୋଲଇ ଭୟ କାହିଁପାଇଁ

।।

ମାୟା ନକରି ସତ କହ

କାହିଁ ଅଛଇ ତୋର ପୁଅ

।।

ଶୁଣି କୁଟୁମ୍ବ ଚାରିଜଣେ

ପଡ଼ିଲେ ଅତିଥି ଚରଣେ

।।

ଭୋ ସ୍ୱାମୀ ଶୁଣ ଏବେ ତୁମ୍ଭେ

ସ୍ୱରୂପ କହୁଅଛୁ ଆମ୍ଭେ

।।

ସର୍ପାଘାତରେ ପୁତ୍ର ମରି

ଲୁଚାଇ ଥୋଇଛୁ ଗମ୍ଭିରୀ

।।

ତାଶୁଣି ମାତା ପିତା ଗଲେ

ପୁତ୍ରକୁ ବହିଣ ଆଣିଲେ

।।

ମଶିଣା ଗୋଟି ଦେଲେ ଫେଇ

ମଲା ପୁତ୍ର ଯେ ଅଛି ତହିଁ

।।

ଦେଖି ବୋଇଲେ ପୀତବାସ

ଶୁଣ ହେ ଦୀନବନ୍ଧୁ ଦାସ

।।

କେ ତୋତେ ବୋଲେ ଜ୍ଞାନବନ୍ତ

ଜାଣିଲି ବଡ଼ ମନ୍ଦ ତୁତ

।।

ମଲା ପୁତ୍ରକୁ ଗୃହେ ଥୋଇ

ବସିଛୁ ମାଛ ଭାତ ଖାଇ

।।

ଦାସେ ବୋଇଲେ ହେ ଗୋସାଇଁ

ତୁମ୍ଭଙ୍କୁ କି କହିବି ମୁହିଁ

।।

କେ ଅଟେ କାହାର କୁମର

କେ ଅଟେ କାହାର ପିଅର

।।

ଯେସନେ ଚୁତବୃକ୍ଷ ଥାଇ

ତହିଁ ବଉଳ ବଉଳଇ

।।

କେତେହେଁ କଷିରୁ ଝଡ଼ଇ

କେତେ ବା ଝଡ଼ିଣ ପଡ଼ଇ

।।

କେତେ ପାଚିଲା ଯାଏ ଡ଼ାଳେ

ଥାଇଣ ପଡ଼େ ବୃକ୍ଷତଳେ

।।

ଏମନ୍ତେ କେତେ ଝଡ଼ି ଯାଇ

ତା ତୁଲେ ବୃକ୍ଷନିକି ଧାଇଁ

।।

ଏହି ପ୍ରକାରେ ଏ ସଂସାର

ବୃକ୍ଷରୁ ଫଳଇ ପ୍ରକାର

।।

ତାହାର ସୁଖେ ସେ ଝଡ଼ିଲା

ମୋର ଅତିଥି ସେବା ହେଲା

।।

ଏଥିରୁ ବଳି ଭାଗ୍ୟ କିସ

ଶୁଣି ହସିଲେ ପୀତବାସ

।।

ବୋଇଲେ ଦାସପତ୍ନୀ ଶୁଣ

ତୁହି ତ ବଡ଼ଇ ଦାରୁଣ

।।

ନିହତ ପୁତ୍ରକୁ ପକାଇ

ବସିଛୁ ମାଛ ଭାତ ଖାଇ

।।

ଶୁଣି ଯୁବତୀ କହେ ଧୀର

ଯାହା ବୋଇଲେ ମୁନିବର

।।

ସ୍ୱରୂପ ଶୁଣ ହେ ଗୋସାଇଁ

ମୁଁ କେ ମୋ ପୁତ୍ରକେ ଅଟଇ

।।

ଯେସନେ ଚକ୍ରୀ ଚକ୍ରଖଣ୍ଡ

ମୃତ୍ତିକା ଲଭି ଗଢ଼େ ଭାଣ୍ଡ

।।

କେ ଗଢ଼ୁ ଗଢ଼ୁ ଭାଙ୍ଗିଯାଇ

କେହୁ ପୋଡ଼ିବା ଯାଏ ଥାଇ

।।

ଯେବଣ ଭାଣ୍ଡ ଭାଙ୍ଗିଯାଇ

ତା ତୁଲେ ଚକ୍ରୀ ନିକି ଧାଇଁ

।।

ସେ ଭାଣ୍ଡ ଚକ୍ରୀ ମୁହିଁ ପୁଣ

ଏ ସର୍ବ ଗୋବିନ୍ଦ ଭିଆଣ

।।

ଶୁଣି ଆନନ୍ଦ ହୃଷୀକେଶ

ଆର ପୁତ୍ରକୁ ରାଇ ପାଶ

।।

ବୋଇଲେ ଶୁଣରେ କୁମର

ଏ ପରା ଭ୍ରାତ ଅଟେ ତୋର

।।

ମୃତ ଦେହକୁ ତୁ ପକାଇ

ବସିଛୁ ମାଛ ଭାତ ଖାଇ

।।

ତୋଠାରୁ ନାହିଁ ନା ଅଜ୍ଞାନ

ତା ଶୁଣି ବୋଲଇ ନନ୍ଦନ

।।

ଶୁଣ ହେ ସନ୍ନ୍ୟାସୀ ଗୋସାଇଁ

ସେ ମୋର କେତେ ଜନ୍ମଭାଇ

।।

ମୁଁ ତାର କେମନ୍ତେ ସୋଦର

ଏ ସର୍ବ ମାୟାର ସଂସାର

।।

ଯେସନେ ହାଟେ ବଣିଜାର

ପସରା ବସାଇ ଅପାର

।।

ଏକଇ ଭ୍ରାତା ପ୍ରାୟ ହୋଇ

ବସିଣ ବିକୁଥାନ୍ତି ତହିଁ

।।

ବ୍ୟାପାର ସରଇ ଯାହାର

ସେ ବାନ୍ଧି ଚଳେ ତାର ପୁର

।।

ଯାହାର ସରିଣ ନ ଥାଇ

ସେ ନିକି ତାର ସଙ୍ଗେ ଯାଇ

।।

ସେହି ପ୍ରକାରେ ଏ ସଂସାର

ତାହାର ମୋହର ବ୍ୟାପାର

।।

ବ୍ୟାପାର ସରିଲା ସେ ଗଲା

ମୋର ଅତିଥି ସେବା ହେଲା

।।

ଶୁଣି ସାନନ୍ଦ ଦୟାନିଧି

ବୋଇଲେ ଧନ୍ୟ ଏହା ବୁଦ୍ଧି

।।

ତାହାର ବୋହୂକୁ ଡ଼ାକିଲେ

ଶୁଣ ଗୋ କୁମାରୀ ବୋଇଲେ

।।

ଏ ପରା ସ୍ୱାମୀ ଅଟେ ତୋର

ତୁ ପରା ଭାରିଯା ତାହାର

।।

ନିଜ ପତି ଯେ ତୋର ମଲା

ବିଧବା ଯୋଗ ତୋର ହେଲା

।।

ମୃତ ପିଣ୍ଡକୁ ଘରେ ଥୋଇ

ଆମିଷ ଭୁଞ୍ଜି ଲୋଡୁ ତୁହି

।।

ଧିକ ତୋ ଜ୍ଞାନବତୀ ପଣ

କୁମାରୀ ବୋଲେ ପ୍ରଭୁ ଶୁଣ

।।

କେହୁ ଅଟଇ କାହା ଭର୍ତ୍ତା

କେ ପୁଣି କାହାର ବନିତା

।।

ଯେସନେ ଘୋର ବୃଷ୍ଟିକାଳେ

ନନ୍ଦୀପୂରିଣ ବହେ ଜଳେ

।।

ବନସ୍ତକାଠ ଖଣ୍ଡ ଦୁଇ

ମିଶିଣ ଭାସି ଯାଉଥାଇ

।।

କେତେହେଁ ଦୂରେ ଭାସି ଯାନ୍ତେ

ଲତାଏ ଉହାଡ଼ନ୍ତି ପଥେ

।।

ତହୁଁ ଗୋଟିଏ ଲାଗି ରହି

ଆରେକ ଖଣ୍ଡି ଭାସିଯାଇ

।।

ଯେବଣ କାଠ ଭାସିଯାଇ

ଆରେକ କାଠ କି ଗୋଡ଼ାଇ

।।

ସେହି ପ୍ରକାରେ ଏ ସଂସାର

ଗୋବିନ୍ଦ ଲୀଳା ଖେଳଘର

।।

ବିନା ଆଶ୍ରିତେ ସେହି ଗଲା

ମୋର ଅତିଥି ସେବା ହେଲା

।।

ଶୁଣି ବୋଲନ୍ତି ଭଗବାନ

ଧନ୍ୟ ଏ ଚାରିଙ୍କର ମନ

।।

ଏହାଙ୍କ ପରାୟେ ହୋଇଣ

ନ ଥିବେ ବ୍ରହ୍ମାଣ୍ଡ ମଧ୍ୟେଣ

।।

ଏମନ୍ତ ବୋଲି ନରହରି

ଜଳ ତୁଳସୀ କରେ ଧରି

।।

ପୁତ୍ରର ମୁଖରେ ସିଞ୍ଚିଲେ

ଉଠରେ କୁମର ବୋଇଲେ

।।

ତତ୍କକ୍ଷଣେ କୁମର ଉଠିଲା

ଗୋବିନ୍ଦ ଚରଣେ ଲୋଟିଲା

।।

ପ୍ରଭୁ ବୋଇଲେ ଆରେ ସୁତ

ମୁଁ ତ ଦେଖିଲି ବିପରୀତ

।।

ଦେଖି ତୋ ଜନନୀ ପିଅର

ଆବର ପତ୍ନୀ ସହୋଦର

।।

ତୋର ଅର୍ଜନେ କରି ଆଶ

ଖଟିଣ ଥାନ୍ତି ତୋର ପାଶ

।।

ଏବେ ତୋ ମୃତ୍ୟୁକାଳ ଦେଖି

ଗୁପତ କରି ତୋତେ ରଖି

।।

ବସିଲେ ମାଛ ଭାତ ଖାଇ

କେହ୍ନେ ଏହାଙ୍କ ଘରେ ତୁହି

।।

ହୋଇଣ ଅଛୁରେ ନନ୍ଦନ

ଧିକ ଏ ତୋହର ଜୀବନ

।।

ତା ଶୁଣି କୁମର ବୋଲଇ

ଶୁଣହେ ସନ୍ନ୍ୟାସୀ ଗୋସାଇଁ

।।

କେ କାର ଜନନୀ ପିଅର

କେ କାର ଭ୍ରାତା ସହୋଦର

।।

କେ କାର ଅଟଇ ଯୁବତୀ

କେ ପୁଣି ଅଟେ କାହା ପତି

।।

ମିଥ୍ୟା ଅଟଇ ଏ ସଂସାର

କେହିତ ନୁହଇ କାହାର

।।

ଯେସନେ ଘୋର ଗ୍ରୀଷ୍ମକାଳେ

ପଥରେ ପଥିକ ସକଳେ

।।

ପାଞ୍ଚ ପଚିଶ ଯାଉଛନ୍ତି

ବାଟରେ ବୃକ୍ଷେକ ଦେଖନ୍ତି

।।

ଏକ ଗୃହର ପ୍ରାୟେ ହୋଇ

ବସନ୍ତି ତାହା ତଳେ ଯାଇ

।।

ଶ୍ରମ ସାରିଲେ ଯେଝାମତେ

ଚଳନ୍ତି ବୃକ୍ଷ ଥାଇ ପଥେ

।।

ସେହି ପ୍ରକାରେ ଏ ସଂସାରେ

ରେଣାନୁବନ୍ଧନ ବେଭାରେ

।।

ଏଥକୁ ଶ୍ରୀକୃଷ୍ଣ ଭଜନ

ସାଧୁଙ୍କ ସେବା ପ୍ରତିଦିନ

।।

କରି ବଞ୍ଚଇ ଯେଉଁ ନର

ଧନ୍ୟ ଜୀବନ ବୋଲି ତାର

।।

ପୁଣି ବୋଇଲେ ନାରାୟଣ

ଧନ୍ୟ ଏ ଅଟେ ପାଞ୍ଚଜଣ

।।

ଜୀବନ୍ତେ ସୁଖୀ ହୋଇଥାଅ

ଅନ୍ତେ ଶ୍ରୀହରି ପାଦ ପାଅ

।।

ଏମନ୍ତ ଆଜ୍ଞା ଦେଲେ ପୁଣି

ଅତି ଆନନ୍ଦେ ପାଞ୍ଚପ୍ରାଣୀ

।।

ଅଭୟ ପଦ୍ମପାଦ ତଳେ

ସର୍ବେ ପଡ଼ିଲେ ଏକାବେଳେ

।।

ପ୍ରଭୁ ଅଭୟ ବରଦେଲେ

ଅଭୟ ହୁଅରେ ବୋଇଲେ

।।

ଆମ୍ଭେଟି ଜଗତ ଜୀବନ

ବୋଲି ହୋଇଲେ ଅନ୍ତର୍ଦ୍ଧାନ

।।

ତକ୍ଷଣେ ଉଠି ପାଞ୍ଚଜଣ

ଦେଖିଲେ ନାହାନ୍ତି ଆପଣ

।।

ବୋଇଲେ ଦୟାଳୁ ଠାକୁର

ଏଡ଼େ ନିଷ୍ଠୁର ହୃଦ ତୋର

।।

ଦେଖାଇ ନିଧି ହରିନେଲୁ

ନେତ୍ର ପିଛାଡ଼ି ନ ଦେଖିଲୁ

।।

ଯା ମାୟା ଦେବେ ଅଗୋଚର

ଆମେ ବା କେତେକ ମାତର

।।

ହେଲେ ତୋ କୃପାପାତ୍ର ଥାଉଁ

ଅଧିକ କି କହିବା ଆଉ

।।

ସାଧୁଙ୍କ ସଙ୍ଗେ ଦିନ ନେଲେ

ପରମ ପାଦ ସେ ଲଭିଲେ

।।

କହଇ ଚଇତନ୍ୟ ଧୀରେ

ମନ ନୃପତିର ଆଗରେ

।।

କଳିଯୁଗର ଭକ୍ତବାଣୀ

ଶୁଣି ପବିତ୍ର ହୁଅ ପ୍ରାଣୀ

।।

କହଇ ଦୀନବନ୍ଧୁ ଦାସ

ସାଧୁ ଚରଣେ ମୋର ଆଶ

।।

ଶ୍ରୀରାମ ଶ୍ରୀକୃଷ୍ଣ ଶ୍ରୀହରି

ମୁକୁନ୍ଦ ମାଧବ ମୁରାରି

।।

ଭଜ ଗୋବିନ୍ଦ ଆଦିକନ୍ଦ

ଦୀନବାନ୍ଧବ ସଦାନନ୍ଦ

।।

ଅନନ୍ତ ଅଚ୍ୟୁତ ଶ୍ରୀବତ୍ସ

ନାମ ଗୋଟିକ କୋଟି ମୋକ୍ଷ

।।

ଏ ନାମ ଭଜି ଜୀବ ଯାଉ

ଭୋ ପ୍ରଭୁ ! ଏହି ଆଜ୍ଞା ହେଉ

।।

 

ଇତି ଶ୍ରୀ ଦାର୍ଢ଼୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ୱାଦେ

ଦୀନବନ୍ଧୁ ଦାସ ଦୃଢଭକ୍ତିଭାବ ବର୍ଣ୍ଣନେ ନାମ ଚତୁର୍ଥୋଽଧ୍ୟାୟଃ ।

•••

 

ଦାମୋଦର ଦାସ ସମ୍ୱାଦ

 

ମନ ବୋଇଲେ ଚଇତନ

କହିଲ ପୂର୍ବର ବଚନ

।।

କଳିଯୁଗର ଭକ୍ତବାଣୀ

କୃତାର୍ଥ ହେଲି ତାହା ଶୁଣି

।।

ଯେସନେ କ୍ଷୁଧାତୁର ଜନ

ପାଇଲେ ଦୁର୍ଲଭ ଭୋଜନ

।।

ଅଳପେ ନ ତୋଷଇ ମନ

ତେସନ ହେଲା ମୋ ଜୀବନ

।।

ଆହୁରି କେତେ ଏହିପରି

କଳିଯୁଗରେ ଗଲେ ତରି

।।

ସମସ୍ତ କହ ମୋର ପାଶ

ମୋ ହୃଦୁଁ କଳୁଶ ବିନାଶ

।।

ଚୈତନ୍ୟ ବୋଲେ ତାହା ଶୁଣି

ଶୁଣ ହେ ମନ ନୃପମଣି

।।

କାଞ୍ଚି ନଗରେ ତାର ବାସ

ନାମ ତା ଦାମୋଦର ଦାସ

।।

ଜାତିରେ ଅଟଇ ବ୍ରାହ୍ମଣ

ପତ୍ନୀ ସହିତେ ବେନିଜଣ

।।

ପୁତ୍ର ଦୁହିତା ତାର ନାହିଁ

ଭିକ୍ଷା ମାଗିଣ ସେ ବଞ୍ଚଇ

।।

ଅତି ଦରିଦ୍ର ତା ଜୀବନ

ନାହିଁ ତା ବାଡ଼ି ବୃତ୍ତି ମାନ

।।

ସଂସାରେ ଯେତେ ଦେହଧାରୀ

ତା ଠାରୁ ନ ଥିବେ ଭିକାରୀ

।।

ପ୍ରଭାତୁ ସ୍ନାହାନ ସାରଇ

ଦ୍ୱାଦଶ ତିଳକ ଘେନଇ

।।

ମୁଣ୍ଡେ ତୁଳସୀ ଦଳ ଭରି

ତୁଣ୍ଡେ ବୋଲଇ ରାମହରି

।।

ଭିକ୍ଷାର ଅର୍ଥେ ସେ ନଗରେ

ବୁଲି ମାଗଇ ଦ୍ୱାରେ ଦ୍ୱାରେ

।।

ଏମନ୍ତ ବୁଲେ ଦଶଦିଶେ

ଦିବସ ଶେଷେ ଘରେ ଆସେ

।।

ଯା କିଛି ତାକୁ ମିଳିଥାଇ

ପ୍ରାଣ ପୋଷଇ ତାହା ଖାଇ

।।

କି ଅବା ଦଇବ ଯୋଗରେ

ଅତିଥେ ମାଗିଲେ ଦୁଆରେ

।।

ଅଧେକ ଖାଇ ଅଧେ ଦ୍ୟନ୍ତି

ଚିନ୍ତା ନ ଥାଏ ତାଙ୍କ ମତି

।।

କି ଅବା ଦୁର୍ଭିକ୍ଷ ଭିକାରୀ

ଆସି ମିଳିଲେ ପାଞ୍ଚଚାରି

।।

ସମସ୍ତ ଦେଇ ତାଙ୍କ ପାଶେ

ଆପେ ରହନ୍ତି ଉପବାସେ

।।

ଏମନ୍ତ ବଞ୍ଚୁ ଥାଇ ଦିନ

କରିଣ ଗୋବିନ୍ଦ ଭଜନ

।।

ସକଳ ଜୀବ ଦୟାହୃଦ

ନ ଶୁଣେ ପର ଅପବାଦ

।।

ନିରତେ ପ୍ରାଣୀଙ୍କ ମଙ୍ଗଳ

ବାଞ୍ଛା କରିଣ ବଞ୍ଚେ କାଳ

।।

ଏମନ୍ତେ କେତେ କାଳ ଗଲା

ତା କୀର୍ତ୍ତି ଜଗତେ ପଡ଼ିଲା

।।

ଜାଣିଲେ ପ୍ରଭୁ ଚକ୍ରଧର

ବିଡ଼ିବା ପାଇଁ ସତ୍ୟ ତାର

।।

ତକ୍ଷଣେ ପ୍ରଭୁ ପୀତବାସ

ମାୟାରେହେଲେ ଯୋଗୀବେଶ

।।

ସର୍ବାଙ୍ଗେ ବିଭୂତି ଭୂଷଣ

କଣ୍ଠେ ରୁଦ୍ରାକ୍ଷମାଳା ମାନ

।।

ମସ୍ତକେ ଶୋହେ ଜଟାଭାର

କର୍ଣ୍ଣରେ ତମ୍ୱାର କୁଣ୍ଡଳ

।।

ତମ୍ବା ଛଡ଼ିଏ ଧରି କରେ

ଚାଲନ୍ତି ଅତି ଧୀରେ ଧୀରେ

।।

ଅତି ଦୁର୍ବଳ ବୃଦ୍ଧଦେହୀ

ଚାଲିଯିବାକୁ ଶକ୍ତି ନାହିଁ

।।

ଏମନ୍ତ ବେଶେ ଦାମୋଦର

ମିଳିଲେ ଦାସଙ୍କ ମନ୍ଦିର

।।

ତେଣେ ଯେ ଦାସ ବୁଲି ଦେଶ

ଆସିଛି ହୋଇଣ ନିରାଶ

।।

କାହିଁ ନ ପାଇ ଭିକ୍ଷା କିଛି

ଉପବାସରେ ଶୋଇଛନ୍ତି

।।

ସ୍ୱାମୀ ଭାରିଯା ଦୁଇଜଣ

କ୍ଷୁଧାରେ ବିକଳ ହୋଇଣ

।।

ଚିନ୍ତି ଶ୍ରୀହରି ପାଦ ଦୁଇ

ନେତ୍ରୁ ଲୋତକଧାରା ବହି

।।

ଭୋ ପ୍ରଭୁ ଦୀନଜନ ବଂଧୁ

ନାମ କରୁଣାମୟ ସିନ୍ଧୁ

।।

ଅରକ୍ଷ ରକ୍ଷଣ ତୋ ବାନା

ଭୃତ୍ୟ ଦୁରିତ ବ୍ରଜସେହ୍ନା

।।

ଦୁର୍ଜ୍ଜନ ମଣ୍ଡୁକର ଫଣୀ

ଜଗତ ଜନ ଚିନ୍ତାମଣି

।।

ଗର୍ବିତ କରୀର କେଶରୀ

ସକଳ ଜୀବେ ଅଧିକାରୀ

।।

ତେଣୁ ଶରଣ ଗଲି ତୋତେ

ଆତଙ୍କୁ ରକ୍ଷାକର ମୋତେ

।।

ଏଡ଼େ ନିଷ୍ଠୁର ସମୟରେ

ଯେବେ ଅତିଥି ମୋର ଦ୍ୱାରେ

।।

ଆସିଣ ହୋଇବେ ପ୍ରବେଶ

ତାହାଙ୍କୁ ଦେବି ମୁହିଁ କିସ

।।

ଏମନ୍ତ ବୋଲି ଚିନ୍ତାକରି

ଦ୍ୱାରେ ଡ଼ାକିଲେ ନରହରି

।।

ବୋଲଇ କେହୁ ଅଛ ଘରେ

ଆମ୍ଭେ ଅତିଥି ତୋ ଦୁଆରେ

।।

ଶୁଣିଣ ଦାମୋଦର ଦାସ

ମିଳିଲା ମହାଯୋଗୀ ପାଶ

।।

ପ୍ରଭୁଙ୍କୁ କରି ନମସ୍କାର

ବୋଇଲେ ଦ୍ୱିଜ ଦାମୋଦର

।।

ଭୋ ସ୍ୱାମୀ କିମ୍ପାଇଁ ଆଗତ

ମିଥ୍ୟା ନ କହି କହ ସତ୍ୟ

।।

ଶୁଣି ବୋଲନ୍ତି ଚକ୍ରଧର

କୀରତି ଶୁଣିଲୁ ତୋହର

।।

ଆସିଲୁ ଭୋଜନ ନିମନ୍ତେ

ଦେବ କି ନାହିଁ କହ ମୋତେ

।।

ତା ଶୁଣି ଦାମୋଦର ଦାସ

ବୋଇଲେ ଦଣ୍ଡେ ମାତ୍ର ବସ

।।

ଅତିଥି ବସାଇ ଚଳିଲେ

ପତ୍ନୀର ପାରୁଶେ ମିଳିଲେ

।।

ବୋଇଲେ ଶୁଣସି ଗୋ ସହୀ

ଅତିଥି ଭୋଜନ ମାଗଇ

।।

ଏଥକୁ କହ କି ବିଚାର

ତା ଶୁଣି କହେ ପତ୍ନୀ ତାର

।।

ଭୋ ସ୍ୱାମୀ ମୋତେ କି ପଚାର

ତୋତେ କି ଅଛଇ ଉଦାର

।।

ଘର ବିକିଲେ ସବୁ ତୋର

ନୋହିବ ପଣେ କଉଡ଼ିର

।।

ବସ୍ତ୍ର ଗୋଟିଏ ଥିଲେ ଘରେ

ବିକ୍ରୟ କରନ୍ତି କାହାରେ

।।

ଆଉ କି ଅଛି ତୁମ୍ଭ ଘରେ

ଭୋ ସ୍ୱାମୀ କହ ମୋ ଆଗରେ

।।

ପତ୍ନୀର ମୁଖୁ ଏହା ଶୁଣି

ବେନି ନୟନୁ ବହେ ପାଣି

।।

ଦ୍ୱାରୁ ଅତିଥି ଲେଉଟିବ

ଏ ପାପୀ ଜୀବ କିମ୍ପା ଥିବ

।।

ସ୍ୱାମୀର ମୁଖ ଏ ବଚନ

ଶୁଣିଣ ଯୁବତୀ ରତନ

।।

ଅତି ଆରତେ ସେ ତରୁଣୀ

ଚିନ୍ତିଲା ପ୍ରଭୁ ଚକ୍ରପାଣି

।।

ଆତଙ୍କ ଫେଡ଼ ହେ ଆମ୍ଭର

ବୋଲି ଚିନ୍ତିଲା ଚକ୍ରଧର

।।

ଭୋ ସ୍ୱାମୀ ନୁହଁ ହେ ଆରତ

ଆମ୍ଭର ପ୍ରଭୁ ଜଗନ୍ନାଥ

।।

ଅବଶ୍ୟ ମିଳିବ ଭୋଜନ

ଏବେ ହୋ ମୋହଠାରୁ ଶୁଣ

।।

ନାପିତ ଗୃହେ ଯାଇଁ କରି

ବହନ ଆଣ ହେ କତୁରୀ

।।

ତା ଶୁଣି ଦାମୋଦର ଦାସ

ମନରେ ହୋଇଣ ହରଷ

।।

ନାପିତ ଦ୍ୱାରେ ବେଗେ ଗଲେ

କତୁରୀ ବହନ ଆଣିଲେ

।।

ଦେଲା ତା ପତ୍ନୀର ହସ୍ତର

ବୋଇଲା କି କରିବୁ କର

।।

ଶୁଣି ଯୁବତୀ ହସ ହସ

ବୋଇଲା ଦେଖ ମୋର କେଶ

।।

ଅର୍ଦ୍ଧେକ ପକାଅ କତୁରୀ

ବସିଣ ବଳିବା ଚଉଁରୀ

।।

ସତ୍ୱରେ ନେଇ ବିକିଆଣି

ସେବିବା ଅତିଥି ଚରଣ

।।

ଶୁଣି ଆନନ୍ଦ ହେଲେ ଦାସେ

ପତ୍ନୀକି ବସାଇଣ ପାଶେ

।।

ଚାରିଦିଗରୁ କେଶ ଥୋଇ

ମଧ୍ୟୁ ଧରିଲେ ମୁଠିଆଇ

।।

ସମୂଳେ କରିଣ କତୁରୀ

ବସିଣ କଳିରେ ଚଉରୀ

।।

ତକ୍ଷଣେ ଗ୍ରାମକୁ ଯାଇଣ

ବିକି ଆଣିଲେ ପାଞ୍ଚପଣ

।।

ସରୁ ଚାଉଳ ମୁଗଜାଇ

ଘୃତ ନବାତ ଦୁଧ ଦହି

।।

ନାନାଦି ଦ୍ରବ୍ୟ କିଣିଆଣି

ରନ୍ଧନ କଲାକ ତରୁଣୀ

।।

ଡ଼ାକିଆଣିଲେ ନାରାୟଣ

ଆନନ୍ଦେ ଧୋଇଲେ ଚରଣ

।।

ପ୍ରଭୁଙ୍କ ପାଦପଦ୍ମ ବାରି

ସୁଖେ ସେବିଲେ ନରନାରୀ

।।

ଥୋକାଏ ମସ୍ତକେ ସିଞ୍ଚିଲେ

ମହା ଆନନ୍ଦ ଦୁହେଁ ହେଲେ

।।

ଦେଖ ହୋ ଭାଗ୍ୟ ତାହାଙ୍କର

ଯାହା ନ ପାଏ ବେଦବର

।।

ଚୌରାଶି କାଠି ଗଙ୍ଗାଜଳ

ଥୋଇଣ ଥିଲା କମଣ୍ଡଳ

।।

ଯେବଣ ଚରଣେ ଢ଼ାଳିଲା

କିଞ୍ଚିତ ମାତ୍ର ନ ପାଇଲା

।।

ଭାବକୁ ନିକଟ ଗୋସାଇଁ

ଅଭାବ ଲୋକେ ଭେଟନାହିଁ

।।

ପିଢ଼ା ଖଣ୍ଡଏ ରଖିଦେଲେ

ତହିଁ ଅତିଥି ବସାଇଲେ

।।

ଆପଣେ ଦାସ ପତ୍ନୀଗଲେ

ଅନ୍ନ ବ୍ୟଞ୍ଜନ ପରଷିଲେ

।।

ଗୋବିନ୍ଦ ଭୁଞ୍ଜିଲେ ହରଷେ

ବୋଇଲେ ଶୁଣ ଆହେ ଦାସେ

।।

ଆଉ କି ଅନ୍ନ କିଛି ଅଛି

ତା ଶୁଣି ଗଲା ସେ ମୃଗାକ୍ଷୀ

।।

ବାକି ଯେତେକ ଅନ୍ନଥିଲା

ପ୍ରଭୁଙ୍କ ପତ୍ରେ ପରଶିଲା

।।

ଭୁଞ୍ଜି ଉଠିଲେ ଭାବଗ୍ରାହୀ

ବସିଲେ କଷାଫଳ ଖାଇ

।।

ଦୁହେଁ ଅଛନ୍ତି ଉପବାସ

କେ କହୁ ତାହାଙ୍କ ହରଷ

।।

ପ୍ରଭୁ ବିଚାରୁଛନ୍ତି ମନ

ଧନ୍ୟ ଏ ଦୁହିଁଙ୍କ ଜୀବନ

।।

ଭଙ୍ଗା କୁଡ଼ିଆ ଅଛି ରହି

ଲେଙ୍କଡ଼ା କନାଠାରୁ ନାହିଁ

।।

ବୋଇଲେ ଅନ୍ନ ନାହିଁ କିଛି

ଆପଣେ ଉପବାସ ଅଛି

।।

କେଶ କାଟିଣ ମୋତେ ଦେଲେ

ଆନ କେ ଲକ୍ଷ୍ୟ ଏହା ତୁଲେ

।।

ଏମନ୍ତ ବୋଲି ନାରାୟଣ

ଦାସକୁ ପାଶକୁ ରାଇଣ

।।

ଦେଖ ହେ ରଜନୀ ଆଗତ

ଚାଲି ନପାରେ ହେ ଭକତ

।।

ଏ ଓଳି ଅନ୍ନ ମୋତେ ଦେବୁ

ପ୍ରଭାତେ ଆମ୍ଭେ ଚଳିଯିବୁ

।।

ତା ଶୁଣି ଦାମୋଦର ଦାସ

କହିଲେ ନିଜ ନାରୀପାଶ

।।

ଆଜ ଗୋ ଅତିଥି ରହିଲେ

ଚାଲିବା ଶକ୍ତି ନାହିଁ ବୋଲେ

।।

ଶୁଣି ଯୁବତୀ କହେ ଧୀର

କିମ୍ପାଇ ଚିନ୍ତା ହୋ ଆମ୍ଭର

।।

ବାକି ଯେତେକ କେଶ ଅଛି

ସେ ସବୁ କାଟି ନିଅ ପୋଛି

।।

ସ୍ୱାମୀ ତା ଶୁଣିଣ ଆନନ୍ଦ

ମୁଖ ବିକାଶେ ପୂର୍ଣ୍ଣଚନ୍ଦ୍ର

।।

ଯେତେକ କେଶ ବାକୀ ଥିଲା

ସବୁ କତୁରୀ ପକାଇଲା

।।

ନାରୀ ତାହାର ଲଣ୍ଡାମୁଣ୍ଡେ

ବାନ୍ଧିଲା ଛିଣ୍ଡା କନା ଖଣ୍ଡେ

।।

ସ୍ୱାମୀ ଭାରିଯା କସିକରି

ଆନନ୍ଦେ ବଳିଲେ ଚଉଁରୀ

।।

ପୁଣି ବିକିଲେ ପାଞ୍ଚପଣ

ନାନାଦି ପଦାର୍ଥ କିଣିଣ

।।

ରାତ୍ରେ ରାନ୍ଧଣା ତାହା କଲେ

ସବୁ ଗୋବିନ୍ଦେ ସମର୍ପିଲେ

।।

କୃଷ୍ଣ ସମସ୍ତ ଦେଲେ ଖାଇ

କଷିବାଠାରେ ଦୟା ନାହିଁ

।।

ଭୋଜନ ସାରି ଭାଗଗ୍ରାହୀ

ତୃଣ ଗୁଡ଼ିଏ ପାରି ଶୋଇ

।।

ଯାର ଆସନ ନାଗରାଜ

ଆବର ବନିତା ଆତ୍ମଜ

।।

ମୁନିଙ୍କ ହୃଦୟ କମଳ

ରୁଦ୍ର ଦେବତା ବକ୍ଷସ୍ଥଳ

।।

ସେ ପୁଣି ଭକତ ଭାବରେ

ଶୋଇଲେ ତୃଣ ଶଯ୍ୟାପରେ

।।

ଏହି ସମୟେ ବାସେ ଗଲେ

ପ୍ରଭୁଙ୍କ ଚରଣ ଚାପିଲେ

।।

ଚିରାପଣନ୍ତ କରେ ଧରି

ହରିଙ୍କି ବିଞ୍ଚିଲେ ସୁନ୍ଦରୀ

।।

ବୈକୁଣ୍ଠ ସୁଖ ପ୍ରାୟେ ମଣି

ଭାବେ ଶୋଇଲେ ଚକ୍ରପାଣି

।।

ପ୍ରଭୁଙ୍କ ନିଦ୍ରା ଯିବା ଜାଣି

ସ୍ୱାମୀକି ବୋଲଇ ତରୁଣୀ

।।

ଅତ୍ୟନ୍ତ ବୃଦ୍ଧ ଏ ଅତିଥି

କେମନ୍ତେ ଚାଲିବେଟି ପଥ

।।

ତୁମ୍ଭେ ପ୍ରଭାତୁ ମାଗିଯିବ

ଯେ ଆମ୍ଭ ଭାଗ୍ୟରେ ମିଳିବ

।।

ତାହା ଏହାକୁ ସମର୍ପିବା

ଆମ୍ଭେ ପଛକେ ଭୋକେ ଥିବା

।।

ଦାସେ ବୋଇଲେ ହେଉ ହେଉ

ତାହା ଜାଣିଲେ ମହାବାହୁ

।।

ଦୁହିଁଙ୍କ ଭାବ ଦେଖି ଭୋଳା

ହେଲେ ସେ ଶ୍ୱେତ ପଦ୍ମଡ଼ୋଳା

।।

ଅଧିକ ନ ପାରିଲେ ସହି

ଦୁହିଁଙ୍କ ନିଦ୍ରାଗତେ ମୋହି

।।

ଏହି ସମୟେ ଭାବଗ୍ରାହୀ

ଉଠିଲେ ଅତି ବେଗ ହୋଇ

।।

ସେ ପତି ପତ୍ନୀ ଜାଣ ଦୁଇ

ଚରଣ ତଳେ ଥିଲେ ଶୋଇ

।।

ଟାଙ୍ଗର ମୁଣ୍ଡେ ହସ୍ତ ଦେଲେ

କେଶ ତୋ କଅଁଳୁ ବୋଇଲେ

।।

ନାନା ରତନ ଅଳଙ୍କାରେ

ପୁରୁ ତୋ ସର୍ବାଙ୍ଗ ଯାକରେ

।।

ଷୋଡ଼ଶୀତନୁ ତୋର ହେଉ

ଘରେ ତୋ ଧନ ପୂରିଥାଉ

।।

ଜୀବନ୍ତେ ସୁଖୀ ହୋଇଥାଅ

ଅନ୍ତେ ବୈକୁଣ୍ଠ ଗତି ପାଅ

।।

ଏମନ୍ତେ ଆଜ୍ଞା ତାକୁ ଦେଲେ

ଶ୍ରୀହରି ଅନ୍ତର୍ଦ୍ଧାନ ହେଲେ

।।

ଏଥି ଉତ୍ତାରୁ ନିଶୀ ଶେଷ

ଦିବସ ହେଲା ପରବେଶ

।।

ଅବଳା ନିଦ୍ରା ତେଜି ଉଠି

କେଶ ତା ପଦଯାଏ ଲୋଟି

।।

ସର୍ବାଙ୍ଗେ ଅଳଙ୍କାରମାନ

ମନ୍ଦିରେ ପୂରିଅଛି ଧନ

।।

ଦେଖି ତା ଆଚମ୍ବିତ ନାରୀ

ସ୍ୱାମୀର ଭୁଜ ତୋଳି ଧରି

।।

ବୋଇଲେ ବେଗେ ଶୁଣ ନାଥ

କେଣିକି ଗଲେ ସେ ଅତିଥି

।।

ମନ୍ଦିର ଦେଖ ହୋ ସତ୍ୱର

ସେ ନୋହେ ମନୁଷ୍ୟ ଶରୀର

।।

ତା ଶୁଣି ଦାସେ ବେଗେ ଉଠି

ନିଜ ଘରକୁ ଦେଲେ ଦୃଷ୍ଟି

।।

ନାନାଦି ଧନ ଅଛି ପୂରି

ପତ୍ନୀ ତା ସ୍ୱର୍ଗ ଅପସରୀ

।।

ଅଙ୍ଗେ ପୂରିଛି ଅଳଙ୍କାର

କେଶହିଁ ଲୋଟୁଛି ପୟର

।।

ତା ଦେଖି ବିଚାରଇ ମନ

ନିଶ୍ଚେ ସେ ପ୍ରଭୁ ଭଗବାନ

।।

ଆନର ବଳେ କି ଏମାନ

ଘରେ ପୂରିଛି ଏତେ ଧନ

।।

ରାତ୍ରକ ମଧ୍ୟେ କେଶଭାର

କଅଁଳି ଦିଶୁଛି ସୁନ୍ଦର

।।

ମନୁଷ୍ୟ ପ୍ରାୟେ ତାଙ୍କୁ ମଣି

ସେବା ଯେ କଲୁ ବେନିପ୍ରାଣୀ

।।

ବ୍ରହ୍ମା ଇନ୍ଦାଦି ସୁରାସୁର

ସ୍ତୁତି କରନ୍ତି ଯା ପୟର

।।

କମଳା ଯାର ପରିଚାର

ମୁଁ ଛାର କେତକ ମାତର

।।

ଭୋ ପ୍ରଭୁ କରୁଣା ସାଗର

ମୋ ଅପରାଧ କ୍ଷମାକର

।।

ଭୃତ୍ୟ ହୋଇଲେ ଅପରାଧୀ

ତୁ ନାଥ କରୁଣା ବାରିଧି

।।

ତୁମ୍ଭେ ଯେ ବ୍ରହ୍ମାଣ୍ଡ ଠାକୁର

ଜୀବଙ୍କ ହୃଦରେ ବିହର

।।

ଏଣୁ ଅପ୍ରାଧ ମୋର ଯେତେ

ପ୍ରଭୁ ନ ଘେନି କଦାଚିତେ

।।

ଏମନ୍ତ ବୋଲି ସ୍ତୁତି ଭଣି

ଆନନ୍ଦ ପୁରୁଷ ତରୁଣୀ

।।

ଆନନ୍ଦେ ଶ୍ରୀହରି ଭଜନ

ସାଧୁଙ୍କ ସଙ୍ଗ ପ୍ରତିଦିନ

।।

ସକଳ ଜୀବେ ଦୟାଚିତ୍ତ

ଦାସ ପ୍ରସଙ୍ଗେ ନିତ୍ୟେ ରତ

।।

ଯୋଗୀ ବୈଷ୍ଣବ ସାଧୁଜନ

ସେବାରେ କଟାଇଲେ ଦିନ

।।

ନୋହିଲା ଯମ ଅଧିକାର

କାଳେ ବସିଲେ ସ୍ୱର୍ଗପୁର

।।

ପ୍ରଭୁଙ୍କ ଦାସ ଦାସୀ ହେଲେ

ମନକୁ ଚୈତନ୍ୟ କହିଲେ

।।

ସେ ଦାର୍ଢ଼୍ୟଭକ୍ତି ରସବାଣୀ

ଯେ ପ୍ରାଣୀ କର୍ଣ୍ଣପଥେ ଶୁଣି

।।

ସକଳ ପାପୁ ହେବ ପାର

ନ ଯିବ ଯମରାଜପୁର

।।

ଅପୁତ୍ରି ଜନେ ପୁତ୍ରବାନ

ଅନ୍ଧ ଲଭିବେ ଚକ୍ଷୁପଣ

।।

ସଂସାରେ ଭୟମାନ ଯେତେ

ଯେ ଗ୍ରହପୀଡ଼ାଦି ସହିତେ

।।

ଲାଗିବ ନାହିଁ କଦାଚିତେ

ଶୁଣି ଶରଧା ଯେବେ ଚିତ୍ତେ

।।

କହଇ ଦ୍ୱିଜ ରାମ ଦାସ

କେବଳ ମୂଳଟି ବିଶ୍ୱାସ

।।

 

ଇତି ଶ୍ରୀ ଦାର୍ଢ଼୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ୱାଦେ

ଚୈତନ୍ୟ ଦାସ ପତି ପତ୍ନୀ ମୋକ୍ଷଣ ନାମେ ପଞ୍ଚମଽଧ୍ୟାୟଃ ।

•••

 

Unknown

ବିଶ୍ୱମ୍ଭର ଦାସ ସମ୍ବାଦ

ଚୈତନ୍ୟ ଉବାଚ

 

ପୁଣି କହନ୍ତି ଚଇତନ

ହେ ମନ ହୁଅ ସାବଧାନ

।।

ଏ ବଡ଼ ଅପୂର୍ବ ଚରିତ

ଶୁଣିଲେ ନ ଛାଡିବ ଚିତ୍ତ

।।

ଯେ ଭ୍ରତଖଣ୍ଡ ମତ୍ସଦେଶ

ଢେଙ୍କାନାଳରେ ତାର ବାସ

।।

ଜାତିରେ ବଣିଆ କରଣ

ତାର କୁଟୁମ୍ୱ ତିନିଜଣ

।।

ତାହାର ନାମ ବିଶ୍ୱମ୍ଭର

ଭକତିପଣେ ବଳିୟାର

।।

ଭାରିଯା ନାମ ତା ରେବତୀ

ପତିର ଆଜ୍ଞା ନ ଲଙ୍ଘନ୍ତି

।।

ପୁତ୍ର ନାମ ରଘୁନାଥ

ପିତାର ଚରଣେ ଭକତ

।।

ଆପଣା ନାମ ବିଶ୍ୱମ୍ଭର

ବିଶ୍ୱସଂସାରେ ଗତି ପାର

।।

ଏମନ୍ତେ ତିନିଜଣ ଥାନ୍ତି

ଶ୍ରୀକୃଷ୍ଣ ପାଦେ ଦେଇ ମତି

।।

ନାମ ଭଜନ ଅପ୍ରମିତ

ନିତ୍ୟେ ପଢ଼ନ୍ତି ଭାଗବତ

।।

ଯେ କହେ ପ୍ରଭୁ ନାମ ରସ

ତାକୁ ବୋଲନ୍ତି ଦଣ୍ଡେ ବସ

।।

ତାହାର ନାମ ମୁଖୁଁ ଶୁଣି

ଶ୍ରୀଗୁରୁ ପ୍ରାୟେ ତାକୁ ମଣି

।।

 

ଯୋଗୀ ସନ୍ନ୍ୟାସୀ ବ୍ରହ୍ମଚାରୀ

•••

 

ରାମ ଦାସ ସମ୍ବାଦ

ମନୁ ଉବାଚ

 

ଶୁଣି ଆନନ୍ଦ ମନୁରାଜା

ଚୈତନ୍ୟ ପାଦେ କଲେ ପୂଜା

।।

କହ ହେ ଅପୂର୍ବ ଚରିତ

ଶୁଣି ମୁଁ ହୋଇବି ପବିତ୍ର

।।

ଏହି ପ୍ରକାରେ ଭକ୍ତ ଯେତେ

ତରିଅଛନ୍ତି କହ ମୋତେ

।।

ଅତି ତୃଷିତ ମୋ ମନ

ବେଗେ କରାଅ ସୁଧାପାନ

।।

ଶୁଣି ଚୈତନ୍ୟ ଅନୁରାଗେ

କହଇ ମନୁରାଜା ଆଗେ

।।

ହେ ମନୁ ସାବଧାନେ ଶୁଣ

ଶୁଣିଲେ ପାଇବୁ କାରଣ

।।

ଏ ବଡ଼ ଅପୂର୍ବ ଚରିତ

ଶୁଣ ନିଶ୍ଚଳ କରି ଚିତ୍ତ

।।

ଦକ୍ଷିଣ ଦେଶେ ପୂଣ୍ୟ କ୍ଷେତ୍ର

ଦେଖିଲା ମାତ୍ରକେ ପବିତ୍ର

।।

ଶ୍ରୀ ଲଚ୍ଛମନଙ୍କ ସହର

ଭକତି ମୁକତି ଦୁଆର

।।

ସ୍ୱର୍ଗର ସମାନ ଅଟଇ

ଯମର ବାଧା ନ ଲାଗଇ

।।

ଏମନ୍ତେ ପୂଣ୍ୟ ଗ୍ରାମେ ବାସ

ନାମ ତାହାର ରାମ ଦାସ

।।

ଗୃହୀ ବୈଷ୍ଣବ ଅଟେ ପୁଣ

ତାର କୁଟୁମ୍ବ ତିନିଜଣ

।।

ଏକଇ ପୁତ୍ର ଏକ ନାରୀ

ସେ ଗ୍ରାମେ ଥାନ୍ତି ମଠ କରି

।।

ସର୍ବଦା କାଳେ ତା ଭଜନ

କେବଳପ୍ରଭୁ ଲଚ୍ଛମନ

।।

ଶ୍ରୀ ପାଦପଦ୍ମ ପଦ ଭାବି

ନ ଜାଣେ ଅନ୍ୟ ଦେବାଦେବୀ

।।

କରିଣ ଏହି ଭାବେ ଧ୍ୟାନ

ସୁଖରେ ବଞ୍ଚୁଥାଇ ଦିନ

।।

ଯାହା ମିଳଇ ଭୁଞ୍ଜେ ନିତ୍ୟେ

ଚିନ୍ତା ନ ଥାଇ ତାର ଚିତ୍ତେ

।।

ଧୀର ଚତୁର ମହା ଶାନ୍ତି

ପଣ୍ଡିତ ବିବେକ ତା ମତି

।।

ପ୍ରଭୁ ମହିଁମା ନିତ୍ୟେ ଶୁଣେ

ସଂସାର ଭଲ ମନ୍ଦ ଜାଣେ

।।

ଦେହ ବହିବା ଯେଉଁ ଲାଭ

କେବଳ କରେ ସେହି ଭାବ

।।

ସାଧୁଙ୍କ ସେବା କରେ ନିତ୍ୟ

ଦିଅଇ ସେହୁ ସଦାବର୍ତ୍ତ

।।

ବୈଷ୍ଣବ ନାନାଦି ପ୍ରକାରେ

ଆସି ମିଳନ୍ତି ପ୍ରତିଦିନେ

।।

ନାଗ ନିର୍ମୋହୀ ଖାଙ୍କୀ ଯେତେ

ବିରକ୍ତ ସଂଯମୀ ସହିତେ

।।

ଚାରିସମ୍ପ୍ରଦା ସାଧୁମାନେ

ଆସି ମିଳନ୍ତି ତାର ଦ୍ୱାରେ

।।

ଯୋଗୀ ସନ୍ନ୍ୟାସୀ ବ୍ରହ୍ମଚାରୀ

ବାନପ୍ରସ୍ଥ ଗୃହୀ ଭିକାରୀ

।।

ସଂଯୋଗୀ ବୀପ୍ରଙ୍କ ସହିତେ

ଦୁଃଖୀ ଦରିଦ୍ର ଆଦି ଯେତେ

।।

ଏମାନେ ଚାରିଦିଗୁଁ ଆସି

ତା ଦ୍ୱାରେ ଭୋଜନ ପ୍ରକାଶି

।।

ନାହିଁ ନ ବୋଲେ ସେ ବଚନେ

ସବୁଙ୍କୁ ତୋଷେ ଅନ୍ନ ଦାନେ

।।

ରୁଟୀ ଖେଚଡ଼ି ପୁରି କ୍ଷିରୀ

ଅନ୍ନ ବ୍ୟଞ୍ଜନ ଆଦି କରି

।।

ଯେ ଯେଉଁ ଦ୍ରବ୍ୟ ଇଚ୍ଛା କରେ

ତୋଷଇ ସେହି ପରକାରେ

।।

ଦଶ ବିଂଶ ବା ଷାଠୀ ସତେ

କିବା ସହସ୍ର ପରିଯନ୍ତେ

।।

ଯେତେ ଅଇଲେ ତେତେଦେଇ

କେବେହେଁ ନାହିଁ ନ ବୋଲଇ

।।

ତାର ସଂକଳ୍ପ ଏହିମତେ

ଦ୍ୱାରେ ଅତିଥି ଥାନ୍ତି ଯେତେ

।।

ତାଙ୍କ ଚରଚା ଯେବେ ହୋଇ

ତେବେ ସେ ଅନ୍ନ ଖାଏ ଯାଇଁ

।।

ନୋହିଲେ ନ କରେ ଭୋଜନ

ଏହି ପ୍ରକାରେ ବଞ୍ଚେ ଦିନ

।।

ଏମନ୍ତେ କେତେଦିନ ଗଲା

ତାରସମ୍ପଦଚ୍ୟୁତ ହେଲା

।।

ତା ଦେଖି ଦାରା ପୁତ୍ର ତାର

ବୋଲନ୍ତି ଶୁଣ ହେ ପିଅର

।।

ଦିନକୁ ଦିନ ଧନ ଶେଷ

ଅଭାଗ୍ୟ ହେଲାଟି ପ୍ରବେଶ

।।

ଆଗହୁଁ ବିଚାରିଣ ଥିବା

ଅତିଥି କାହୁଁ ଚରଚିବା

।।

ଶୁଣିଣ ଏସନ ସନ୍ଦେଶ

ବୋଇଲା ଭକ୍ତରାମ ଦାସ

।।

ଚିନ୍ତିତ କିମ୍ପା ତୁମ୍ଭ ମନ

ଯାହାର ପ୍ରଭୁ ଲଛମନ

।।

ଦେବା ଦିଆଇବା ଠାକୁର

କେବଳ ସେହି ସିନା ମୋର

।।

ତା ବିନା ଆଜ୍ଞାରେ ଏ ଜୀବ

କିସ କରିବା ଶକ୍ତି ହେବ

।।

ସାଧୁଙ୍କ ସେବାକୁ ମୋର ଛାର

କୋଟିଏ କୀଟରୁ ଅନ୍ତର

।।

କେବଳ ସାହା ଦେବରାୟ

ଏଣୁ ମୋହର ନାହିଁ ଭୟ

।।

ଏମନ୍ତେ ମନେ ବିଚାରିଲା

ଏକ ସାଧୁତା ଦ୍ୱାରେ ହେଲା

।।

ଆପଣା ନାମେ ଗୋଜା ଦେଇ

 

ବୋଇଲା ଶୁଣ ଧନୀ ତୁହି

।।

ସାଧୁମାନଙ୍କ ଚରଚାକୁ

ଦେବ ହେ ଖରଚ ଆମ୍ଭଙ୍କୁ

।।

ପ୍ରତିଦିନର ବ୍ୟୟ ଯେତେ

କେବଳ ଦେଉଥିବ ମୋତେ

।।

ଏମନ୍ତ ବୋଲି ଚଳିଗଲେ

ମନ୍ଦିର ପ୍ରବେଶ ହୋଇଲେ

।।

ପୁତ୍ର ଭାରିଯାକୁ କହିଣ

ଆନନ୍ଦ ହେଲେ ତିନିଜଣ

।।

ସେହି ସାଧୁର ଘରୁ ଧନ

ବ୍ୟୟ କରନ୍ତି ପ୍ରତିଦିନ

।।

ଯେତେବେଳରେ ଲୋଡ଼ା ଯାହା

ସାଧୁ ତ ଦେଉଥାଇ ତାହା

।।

ଏମନ୍ତେ ଗଲା କେତେଦିନ

ଗୋଜାରେ ପୂର୍ଣ୍ଣ ହେଲା ଧନ

।।

ଲେଖାରେ ସହସ୍ର ମୋହର

ହେଲା ଯେ ଦାସଙ୍କ ଉପର

।।

ଆଉ ନ ଦେଲାଧନ ଧାନ

କହିଲା ନିଷ୍ଠୁର ବଚନ

।।

ବୋଇଲା ଧନ ମୋର ଦିଅ

ଲୋଡ଼ା ହୋଇଲେ ଆଉ ନିଅ

।।

ତାଠାରୁ ନିରାଶ ଶୁଣିଲେ

ଆବର ଧନୀଘର ଗଲେ

।।

ଅନେକ ପ୍ରକାରଣେ କହି

ପୁଣ ଗୋଜାଏ ଲେଖାଦେଇ

।।

ତାଠାରୁ ବ୍ୟୟ କଲେ ଧନ

ଏମନ୍ତ ଗଲା କେତେଦିନ

।।

ତହୁଁ ସମ୍ପୂର୍ଣ୍ଣ ତାର ହେଲା

ଆଉ ଅଧିକ ସେ ନ ଦେଲା

।।

ଏମନ୍ତ ବିଚାରିଣ ମନ

ତାଠାରୁ ବନ୍ଦ କଲେ ଋଣ

।।

ନଗରେ ସମସ୍ତେ ଜାଣିଲେ

ଦାସେ ଅନେକ ଋଣ କଲେ

।।

ଏମନ୍ତେ ସମସ୍ତେ ସାଧୁତ

ପ୍ରତେ ନ ଗଲେ କଦାଚିତ୍ତ

।।

ମାଣେ ତଣ୍ଡୁଳ ପ୍ରକାଶିଲେ

ସକଳ ଲୋକେ ଝିଙ୍ଗାସିଲେ

।।

ସୁନିଆ ସସ୍ର ପାଞ୍ଚଯାଏ

ଋଣ ତୁ କଲୁ ସବୁଠାଏ

।।

ଏତେକ ଅଣ୍ଟ ନାହିଁ ତୋତେ

ଆହୁରି ମାଗୁଅଛୁ କେତେ

।।

ଏମନ୍ତ ସବୁରି ନିରାଶ

ଦେଖିଣ ଭକ୍ତ ରାମଦାସ

।।

ବିଚାର କଲାକ ମନର

କି ବୁଦ୍ଧି କରିବି ଏଥର

।।

ସାହୁଙ୍କ ନିରାଶ ବଚନ

ମଠରେ ନାହିଁ ଆଉ ଧନ

।।

ଏହି ସମୟେ ସାଧୁମାନେ

ଯେବେ ଆସିବେ ମୋ ଭବନେ

।।

ତାହାଙ୍କୁ ଦେବି ମୁହିଁ କିସ

ନ ଦେଲେ ହୋଇବେ ନିରାଶ

।।

ଅତିଥେ ଲେଉଟିବେ ଯେବେ

ମୋର ମରଣ ହେବ ତେବେ

।।

ଏମନ୍ତ ବିଚାରୁ ତା ଚିତ୍ତେ

ଆସି ମିଳିଲେ ଯମାଉତେ

।।

ଏକତ୍ରେ ପାଞ୍ଚସସ୍ର ମୂର୍ତ୍ତି

ମୁକୁଟବନ୍ଧା ଆସିଛନ୍ତି

।।

ମଠରେ ହୋଇଲେ ପ୍ରବେଶ

ତା ଦେଖି ଭକ୍ତ ରାମଦାଶ

।।

ହୃଦପଦ୍ମରେ କଲା ଭୀତି

ଚିନ୍ତିଲା ଅନନ୍ତ ମୂରତି

।।

ଭୋ ପ୍ରଭୁ ! ତୁମ୍ଭେ ଯାହା କର

ସକଳ ଆୟତ ତୋହର

।।

ଏମନ୍ତ ବିଚାରୁ ତା ମନେ

କଟାଳ କଲେ ସାଧୁମାନେ

।।

ବୋଇଲେ ଶୁଣ ଦାତା ତୁହି

ଉଛୁର କରୁ କାହିଁ ପାଇଁ

।।

ଆମ୍ଭ ଚରଚା ବେଗେ କର

ଯେବେ ଧର୍ମକୁ ଇଚ୍ଛୁ ତୋର

।।

ବିଳମ୍ବ ହୋଇଲେ ବହୁତ

ତୋହର ସରିବ ମହତ୍ତ୍ୱ

।।

ଅତିଥେ ସହି ନ ପାରିବେ

ନାନା ପ୍ରକାରେ ଗାଳି ଦେବେ

।।

ତାହା ଶୁଣିଣ ରାମ ଦାସ

ବୋଇଲେ ତୁମ୍ଭେମାନେ ବସ

।।

ତୁମ୍ଭ ଚରଚା ବିଧିମାନ

କରିବେ ପ୍ରଭୁ ଲଚ୍ଛମନ

।।

ମୋ ଛାରକେତେକ ମାତର

କହି ଚଳିଲେ ନିଜପୁର

।।

ପୁତ୍ର ଭାରିଯାକୁ ବସାଇ

ସକଳ କହିଲେ ବୁଝାଇ

।।

ସାଧୁମାନେ ଯେ ଛନ୍ତି ଯେତେ

ମାଣେ ତଣ୍ଡୁଳ ଆଉ ମତେ

।।

ପରତେ କରିଣ ନ ଦେଲେ

କି ବୁଦ୍ଧି କରିବା ଗୋ ଭଲେ

।।

ସାଧୁଙ୍କ କଟାଳ ବହୁତ

ଘରେ ତ ନାହିଁ ଆଉ ଚିତ୍ତ

।।

ଆନର ଚରଚା କେମନ୍ତେ

କରିବା କହ ବୁଦ୍ଧିମତେ

।।

ତା ଶୁଣି ପୁତ୍ର ଦାରା କହି

କିମ୍ପାଇଁ ଚିନ୍ତା କରୁ ତୁହି

।।

ମଠ ପିତ୍ତଳ ସଜମାନ

ଗରିଆ ଗଡ଼ୁ ବରତନ

।।

ଲୋଟିଆ ବଳା କୁମ୍ଭ ଯେତେ

ଯେ ସ୍ଥଳୀ ଫରୁଆ ସହିତେ

।।

ଏମାନ ଯେତେ ଅଛି ତୋର

ଆବର ଦେହ ଅଳଙ୍କାର

।।

ସମସ୍ତ ଘେନି ବେଗେ ଯାଅ

ସାଧୁଙ୍କ ଘରେ ବନ୍ଧାଦିଅ

।।

ଆଜ ଅତିଥିଙ୍କ ନିମନ୍ତେ

ଲୋଡ଼ା ହୋଇବ ଧନ ଯେତେ

।।

ବହନ ଯାଇ ଘେନିଆସ

ଶୁଣି ଆନନ୍ଦ ରାମ ଦାସ

।।

ସମସ୍ତ ଦ୍ରବ୍ୟ ଠୁଳ କଲା

ଘେନାଇ ଧନୀ ଘର ଗଲା

।।

ବୋଇଲା ଶୁଣ ହେ ସାଧୁତ

ବନ୍ଧା ତୁ ରଖ ଏହୁ ବିତ୍ତ

।।

ଆଜ ସାଧୁଙ୍କୁ ଲାଗେ ଯେତେ

କେବଳ ତାହା ଦିଅ ମତେ

।।

ଶୁଣି ସାଧୁତ କୋପଭର

ବୋଇଲେ ଶୁଣ ମୋ ଉତ୍ତର

।।

ଯେତେ ପଦାର୍ଥ ଅଛି ତୋର

ସକଳ ବନ୍ଧା ସିନା ମୋର

।।

ମୋର ପଦାର୍ଥ ମୋତେ ଦେଇ

 

ଆସିଛୁ ଜଟିବାର ପାଇଁ

।।

ଛାଡ଼ ଏ କଥା ମନୁ ତୋର

ମହତ୍ୱ ଯିବଟି ଏଥର

।।

ଯେତେ ତୁ ଧନ ଅଛୁ ନେଇ

ନ ଦେଇ ରଖିଛୁ କିମ୍ପାଇଁ

।।

କେବଣ ଭରସା ତୋହର

ନ ଦେଉ ପଦାର୍ଥ ମୋହର

।।

ଏଥର ମହତ୍ୱ ସରିବ

ପୁତ୍ର କୁଟୁମ୍ବ ବିକାଯିବ

।।

ଦେଖିବା କେ ରଖିବ ତୋର

ଋଣ ଶୁଝିଲେ ଯିବୁ ଘର

।।

ଏମନ୍ତ ବୋଲି ଗାଳିଦ୍ୟନ୍ତେ

ମିଳିଲେ ସକଳ ସାଧୁତେ

।।

ସକଳ ସାଧୁ ସେହି ଠାରେ

ଗଞ୍ଜିଲେ ନାନା ପରକାରେ

।।

କେ ବୋଲେ ଧନ ଦେଲେ ଯିବୁ

।।

ନୋହିଲେ ଅର୍ଗଳାରେ ଥିବୁ

।।

ଛାଡ଼ି ଏ ବାହାପିଆ ପଣ

ଯେ ଯାହା ଧନ ବେଗେ ଆଣ

।।

ଲଜ୍ଜା କି ନାହିଁ କହ ତୋତେ

ଦାତା ବୋଲାଉ ଏ ଜଗତେ

।।

ଶୁଣିଣ ସବୁରି ନିରାଶ

ବୋଇଲା ଭକ୍ତ ରାମଦାସ

।।

ତୁମ୍ଭେ ସମସ୍ତେ ସାଧୁ ଶୁଣ

ମୋତେ ଲାଗିଛି ତୁମ୍ଭ ଋଣ

।।

ଉପର ହସ୍ତେ ଅଛ ଦେଇ

ତଳ ହସ୍ତରେ ଅଛି ନେଇ

।।

ସେ ବ୍ରହ୍ମ ବିଷର ସମାନ

ଖାଇ କେ ପାରି କରେ ଋଣ

।।

ବିଷ ଖାଇଲେ ଜଣେ ମରେ

ବ୍ରହ୍ମସ୍ତ୍ର ବଂଶ ନାଶ କରେ

।।

ବ୍ରହ୍ମା ଇନ୍ଦ୍ରାଦି ସୁରାସୁରେ

ଯକ୍ଷ ଗନ୍ଧର୍ବ ଯେ କିନ୍ନରେ

।।

ଋଣ ଭୁଜଙ୍ଗ ଦଂଶେ ଯାରେ

ଗୁଣିଆ ନାହିଁ ଆଉ ତୋରେ

।।

ବିଷ ତ ଝଡ଼ିଲେ ଝଡ଼ଇ

ନୋହିଲେ ଦେହ ସଙ୍ଗେ ରହି

 

ସେ ଯାଇଁ ଜୀବର ସହିତେ

ବିଷର ବଡ଼ପଣ ଏତେ

।।

ବ୍ରହ୍ମସ୍ୱ କାଳେ ଦେହ ନାଶି

ଗମଇ ଜୀବ ସଙ୍ଗେ ମିଶି

।।

ବୃକ୍ଷର ଛାୟା ପ୍ରାୟ ହୋଇ

ଜୀବର ସଙ୍ଗେ ଲାଗିଥାଇ

।।

ଋଣ ସୁଝିଲେ ଛାଡ଼ ଦେଇ

ନୋହିଲେ ଜନ୍ମେ ଜନ୍ମେ ଥାଇ

 

ଏଣୁ ଏ ପୁତ୍ର ଦାରା ଧନ

ବୋଲନ୍ତି ଋଣାନୁବନ୍ଧନ

।।

କେବଳ କଥା ଏକ ଅଛି

ଶୁଣ ମୁଁ ତୁମ୍ଭଙ୍କୁକହୁଛି

।।

ବୋଇଲେ ରାଜା ଆଉ ନାହିଁ

ଅଧିକ କି କହିବି ମୁହିଁ

।।

ସାହୁ ଯେ ଚନ୍ଦ୍ର ଗଙ୍ଗା ଜଳ

କପାଳୁ କେଡ଼େ ବା ଶୀତଳ

।।

ଶୁଣ ହେ ସକଳ ସାଧୁତେ

ଆଜ ମାଗୁଣି ମୋର ଏତେ

।।

ଏ ସର୍ବ ରଖି ତୁମଠାର

ସାଧୁ ଚରଚା ଆଜ କର

।।

ବିଳମ୍ବ କଲେ ଅପରାଧ

କେ ସହୁ ସାଧୁଙ୍କର କ୍ରୋଧ

।।

ଏଣୁ ମାଗୁଣି ମୋର ଏତେ

କର ବା ନ କର ସମସ୍ତେ

।।

ତୁମ୍ଭ ବହ୍ମସ୍ୱମାନ ଯେତେ

ମନେ ଅଛଇ ମୋ ନିରତେ

।।

ଶ୍ରୀ ଲଚ୍ଛମନଙ୍କ ଆଜ୍ଞାରେ

ସୁଝିବି ବିଚାରି ମନରେ

।।

ଦାସଙ୍କ କହିବାରୁ ଏତେ

ଶୁଣିଣ ଆନନ୍ଦ ସମସ୍ତେ

।।

ସେ ଯାହା ବନ୍ଧା ଆଣିଥିଲେ

ସମସ୍ତ ଲେଉଟାଇ ଦେଲେ

।।

ସାଧୁଙ୍କ ଚରଚାକୁ ଯେତେ

ଲେଖିଣ ଦେଲେ ସେ ହରଷେ

।।

ତାହା ଧରିଣ ରାମ ଦାସେ

ଚଳିଲେ ମନର ହରଷେ

।।

ମନ୍ଦିରେ ପ୍ରବେଶ ହୋଇଲେ

ସାଧୁମାନଙ୍କୁ ଚରଚିଲେ

।।

ଅତିଥି ଭୋଜନ ସାରିଣ

ଗଲେ ସେ କଲ୍ୟାଣ ବାଞ୍ଛିଣ

।।

ଏମନ୍ତେ ତିନିଦିନ ଗଲା

ଚତୁର୍ଥ ଦିନ ଆସି ହେଲା

।।

ଏଥିଉତ୍ତାରୁ ଭକ୍ତି ଚିତ୍ତେ

ବିଚାର କଲା ନାନା ମତେ

।।

କି ବୁଦ୍ଧି କରିବି ବୋଇଲା

ସାଧୁମାନଙ୍କୁ କଣ୍ଟ ହେଲା

।।

ନ ଦେଲେ ତାହାଙ୍କର ବିତ୍ତ

ରଖିବେ ନାହିଁ ମୋ ସହିତ

।।

ଏଥିଉତ୍ତାରୁ ତାର୍ଥବାସୀ

ଯଦ୍ୟପି ଦ୍ୱାରେ ମୋର ଆସି

।।

ପ୍ରକାଶ କରିବେ ଭୋଜନ

ମୋତେ ତ ନ ମିଳିବ ଧନ

।।

ନିରାଶ ହୋଇଣ ସମସ୍ତେ

ଲେଉଟି ଯିବେ ଯେଝା ମତେ

।।

ତାହାଦେଖିଣ ମୋ ଜୀବନ

ଥିବାର କିସ ପ୍ରୟୋଜନ

।।

ନ ଦେଖୁ ଏ ହୀନ ଚରିତ

ଜୀବନ ଯିବାହିଁ ଉଚିତ୍‌

।।

ଏମନ୍ତ ବୋଲି ଚଳିଗଲେ

ନାଗ ଗରଳ ଅଣାଇଲେ

।।

ଯତନ କରି ତାହା ରଖି

ପତ୍ନୀକି ବୋଇଲେ ସେ ଡ଼ାକି

।।

ଅତିଥି କିଛି ନ ପାଇବେ

ନିରାଶ ହୋଇ ବାହୁଡ଼ିବେ

।।

ଏହା ଦେଖିବାଯାଏ ପ୍ରାଣ

ରହିବା କିସ ପ୍ରୟୋଜନ

।।

ଏଥକୁ ନୁହ ତୁ ବିକଳ

ମୁଁ ଏବେ ଭକ୍ଷିବି ଗରଳ

।।

ତା ଶୁଣି ଯୁବତୀ ରତନ

ପତିକି ବୋଇଲେ ବଚନ

।।

ତୁମ୍ଭେ ତ ମୋର ସଙ୍ଗଫଳ

ବୃକ୍ଷକୁ ଯେସନ ବକଳ

।।

ଫଳର ମଞ୍ଜି ପ୍ରାୟେ ହୋଇ

ଦଇବ ଲଗାଇ ଅଛଇ

।।

ପତିବିହୀନା ଯେଉଁ ନାରୀ

ସଂସାରେ ଥାନ୍ତି ଦେହ ଧରି

।।

କେ କହୁ ତାଙ୍କ ଦୁଃଖମାନ

ଜୀବନ୍ତେ ମରଣ ସମାନ

।।

ମୋତେ ଛାଡ଼ିବା ମନେ କର

ଏ କେଉଁ ଧରମ ତୁମ୍ଭର

।।

ତୁମ୍ଭେ ପରାଣ ଦେବ ଯେବେ

ମୁହିଁ ଭୁଞ୍ଜିବି ବିଷ ତେବେ

।।

ତା ଶୁଣି ସ୍ୱାମୀ ବୋଲେ ସତ

ପୁତ୍ର ଯେ ହୋଇବ ଅନାଥ

।।

ଅବଳା ବୋଲଇ ବଚନ

ଯାହାର ପ୍ରଭୁ ଲଛମନ

।।

ତାର କାହାକୁ ଅଛି ଡ଼ର

ଭୋ ସ୍ୱାମୀ ବିଚାର ନ କର

।।

ଏମନ୍ତ କୁହାକୁହି ହେଲେ

ଦୁହେଁ ଭୁଞ୍ଜିବା ମୂଳ କଲେ

।।

ଏଥି ଉତ୍ତାରୁ ଶୁଣ ରସ

ରଜନୀ ହୋଇଲା ପ୍ରବେଶ

।।

ପୁତ୍ର ଦାରାଦି ତିନିଜଣ

ଆନନ୍ଦେ ଭୋଜନ ସାରିଣ

।।

ଶୟନ ମନ୍ଦିରରେ ପଶି

ସମସ୍ତେ ପ୍ରଭୁ ନାମ ଘୋଷି

।।

ବିଷ ତାଟିଆ ଲୁଚାଇଣ

ରଖିଲେ ଶୟନ ଠାବେଣ

।।

ଭୁଞ୍ଜିବା ପୁତ୍ର ନିଦ୍ରାଗଲେ

ବୋଲି ଗୁପତେ ବିଚାରିଲେ

।।

ପ୍ରଭୁଙ୍କ ପାଦପଦ୍ମେ ମତି

ଦେଇ ଅନେକ କଲେ ସ୍ତୁତି

।।

ଜୟ ତୁ ଜୟ ଦୀନବନ୍ଧୁ

ନାମ କରୁଣାମୟ ସିନ୍ଧୁ

।।

ଅନାଦି ପ୍ରଭୁ ଆଦିକନ୍ଦ

ଲୋକ ପାଳନ ସଦାନନ୍ଦ

।।

ଏଣୁ ଶରଣ ତୋ ପୟର

ତୁ ନାଥ ଯାହା ଇଚ୍ଛା କର

।।

ଜୟ ତୁ ଅନନ୍ତ ମୂରତି

ଅଶେଷ ଜୀବ ପ୍ରାଣପତି

।।

ଜୟ କୋଦଣ୍ଡ କାଣ୍ଡ ପାଣି

ଚିନ୍ତାର୍ଥୀଜନ ଚିନ୍ତାମଣି

।।

ଭକତ ବତ୍ସଳ ତୋ ବାନା

ଭବ ଭୟକୁ ବଜ୍ରସେହ୍ନା

।।

ପ୍ରାର୍ଥନା ସରୁଛି ଆମ୍ଭର

ତୁ ନାଥ ଯାହା ଇଚ୍ଛାକର

।।

ଏହା ବୋଲନ୍ତି ବେନି ପ୍ରାଣୀ

ଜାଣିଲେ ସର୍ବ ଅନ୍ତର୍ଯ୍ୟାମୀ

।।

ମହା ନିଦ୍ରାକୁ ଆଜ୍ଞାଦେଲେ

ବହନ ଯିବୁ ତୁ ବୋଇଲେ

।।

ମୋ ଭକ୍ତମାନଙ୍କୁ ଯାଇଣ

ନିଦ୍ରାରେ ମୋହ ଏହିକ୍ଷଣ

।।

ଆଜ୍ଞା ପ୍ରମାଣେ ନିଦ୍ରାଗଲା

ତିନିଙ୍କ ହୃଦୟ ମୋହିଲା

।।

ବିଷ ଭକ୍ଷିବା ଭୁଲି ଯାଇ

ନିଦ୍ରାରେ ପଡ଼ିଲେ ଘୁମାଇ

।।

ଏମନ୍ତ ସମୟରେ ଆସି

ହୋଇଲା ଦଶଗଡ଼ି ନିଶି

।।

ଯେ ପ୍ରଭୁ ସର୍ବଦା ଅଚିନ୍ତା

ଲାଗିଲା ଭକ୍ତଜନ ଚିନ୍ତା

।।

ଅତ୍ୟନ୍ତ ତ୍ୱରା ହେଲା ମନ

ବିଜୟ ପ୍ରଭୁ ଲଛମନ

।।

ସେ ରାମ ଦାସଙ୍କ ସ୍ୱରୂପ

ମାୟାରେ ହେଲେ ଯେ କୁରୁପ

।।

ସଙ୍ଗତେ ଘେନି ଦାସଜନ

ବୁହାଇ ସାଧୁଙ୍କର ଧନ

।।

ଛାମୁରେ ଦିହୁଡ଼ି ଲଗାଇ

ବିଜୟ କଲେ ଭାବଗ୍ରାହୀ

।।

ସାହୁଙ୍କ ଦ୍ୱାରେ ବିଜେ କରି

ଡାକିଲେ ଧନୀ ନାମ ଧରି

।।

ବହନ ହୋଇ ଉଠି ଆସ

ଆମ୍ଭେ ଆସିଛୁ ରାମ ଦାସ

।।

ଦଇବେ କଣ୍ଟ ଆଜ ଦିନ

ନିଅ ତୋ ଋଣ ଦେବା ଧନ

।।

ଶୁଣି ସାଧୁତ ବେଗେ ଉଠି

ଦ୍ୱାରେ ପ୍ରଭୁଙ୍କୁ ଯାଇଁ ଭେଟି

।।

ସୁର ଯୋଗୀନ୍ଦ୍ର ମୁନିମାନେ

ଯାହା ଚିନ୍ତନ୍ତି ଦିବ୍ୟଜ୍ଞାନେ

।।

ଭକ୍ତକୁ ଋଣଦେବା ଫଳେ

ତାଙ୍କୁ ଦେଖିଲେ ଚର୍ମଡ଼ୋଳେ

।।

ଯା ମାୟା ଦେବେ ଅଗୋଚର

କାହୁଁ ଚିହ୍ନିବ ନର ଛାର

।।

ନିଜ ଖାତକ ପ୍ରାୟ ମଣି

ବୋଇଲେ ଶୁଣ ମୋର ବାଣୀ

।।

ଏଡ଼େ ନିଶାରେ କାହିଁ ପାଇଁ

ଅଇଲ କୁହ ହେ ଗୋସାଇଁ

।।

ତା ଶୁଣି ଜଗତ ଜୀବନ

ବୋଇଲେ ଶୁଣ ମୋ ବଚନ

।।

ପଦାର୍ଥ ନ ଥିବାରୁ ମୋତେ

କହୁ ଯେ ଥିଲ ନାନା ମତେ

।।

ଆଜ ପ୍ରବଳ ହେଲା ବିତ୍ତ

ରଖିବା ନୁହଇ ଉଚିତ୍‌

।।

ଲେଖିଦେବା ଯେ ଧନ ତୋର

ମିଶାଇ ମୂଳ କଳନ୍ତର

।।

ସୁନିୟା ଗଣି ଘେନି ଯାଅ

ଆମ୍ଭରି ଗୋଜା ଗୋଟି ଦିଅ

।।

ଏମନ୍ତ ବୋଲି ଧନ ଦେଲେ

ତାଠାରୁ ଗୋଜା ଘେନି ଗଲେ

।।

ବୋଇଲେ ଶୁଣ ହେ ସାଧୁତ

ତୋ ଆଗେ କହୁଅଛି ସତ

।।

ଏବେ ମୁଁ କହୁଅଛି ତୋତେ

ବ୍ୟୟ ତୁ ସାଧୁଙ୍କ ନିମନ୍ତେ

।।

ଯେତେ ଲାଗିବ ଦେଉଥିବୁ

ସେ ଧନ ଆମ୍ଭେ ସୁଝିଦେବୁ

।।

ଆମ୍ଭେ ଖାତକ ତୁମ୍ଭେ ସାହୁ

ଏଥିକି କିମ୍ପା ହରୁଥାଉ

।।

ଏମନ୍ତ ଆଜ୍ଞା ତାକୁ ଦେଲେ

ସେଠାରୁ ବିଜେ କରିଗଲେ

।।

ଏହି ପ୍ରକାରେ ଯେତେ ସାହୁ

ସଭିଙ୍କ ଦ୍ୱାରେ ମହାବାହୁ

।।

ସୁନିୟାମାନ ଗଣି ଦେଲେ

ସମସ୍ତ ଗୋଜା ଘେନିଗଲେ

।।

ଚଳିଣ ଗଲେ ସେ ସତ୍ୱରେ

ମନ ଅଛଇ ଭକ୍ତଠାରେ

।।

ପ୍ରବେଶ ଦାସଙ୍କ ଭୁବନେ

ବିଜୟ କଲେ ସୀମସ୍ଥାନେ

।।

ବିଷ ତାଟିଆ କରେ ଧରି

ଫିଙ୍ଗିଣ ଦେଲେ ଦୂର କରି

।।

ସେହି ତାଟିଆ ପରେ ଗୋଜା

ରଖି ଦେବାଧି ଦେବରାଜା

।।

ଅନ୍ତର ହେଲେ ଭାବଗ୍ରାହୀ

ଏମନ୍ତେ ଗଲା ରାତ୍ର ପାହି

।।

କାକ କୁକୁଟ ରଡ଼ି ଶୁଣି

ନିଦ୍ରା ତେଜିଲେ ବେନିପ୍ରାଣୀ

।।

ରଟି ପ୍ରଭୁଙ୍କ ନାମ ଗୁଣ

ପତି ବୋଇଲେ ପତ୍ନୀ ଶୁଣ

।।

ବଡ଼ ମନ୍ଦକର୍ମ କଲି

ବିଷ ନ ଭକ୍ଷି ନିଦ୍ରା ଗଲି

।।

ଦେଖ ପାହିଲା ଆସି ରାତ୍ର

ଏମନ୍ତ ବୋଲି ବିଷପାତ୍ର

।।

ଦେଖିଲେ ବିଷ ନାହିଁ କିଛି

ପତ୍ର ଯେ ଖଣ୍ଡ କେତେ ଅଛି

।।

ବୋଇଲେ କି ଅଦ୍ଭୁତ ହେଲା

ରଖିବା ବିଷ କେଣେ ଗଲା

।।

ଏମନ୍ତ ବୋଲି ପାତ୍ର ଧରି

ଦୀପ ଲଗାଇ ପାଠ କରି

।।

ଆପଣା ନାମ ଗୋଜାଜାଣି

ବୋଇଲେ ଶୁଣ ପ୍ରିୟାମଣି

।।

ଏହାତ ବଡ଼ ଆଚମ୍ୱିତ

କେବଳ ପ୍ରଭୁଙ୍କ ଆୟତ

।।

ଗରଳ ପାତ୍ର କେଣେ ଗଲା

ଆମ୍ଭର ଗୋଜା କେ ଆଣିଲା

।।

କେମନ୍ତେ ଜାଣିବା ଏ କଥା

ମୋର ମନକୁ ଲାଗେ ବ୍ୟଥା

।।

ଏମନ୍ତେ କୁହା କୁହି ହୋନ୍ତେ

ଆସିଣ ମିଳିଲେ ଅତିଥେ

।।

ବେଳ ପ୍ରହରେ ଅଛି ହୋଇ

ବସିଲେ ମଠଦ୍ୱାରେ ଯାଇ

।।

ସମସ୍ତେ ଏକ ସ୍ଥାନେ ବସି

ଦାସଙ୍କୁ ଅନେକ ପ୍ରଶଂସି

।।

ଡାକିଲେ ଆସ ରାମଦାସ

କାଲିରୁ ସର୍ବେ ଉପବାସ

।।

ଆମ୍ଭ ଚରଚା ବେଗେ କର

ତା ଶୁଣି ମଠରୁ ବାହାର

।।

ସାଧୁଙ୍କୁ କରିଣ ଦର୍ଶନ

ବିଚାର କଲା ପଞ୍ଚମନ

।।

ଏଥର କି ବୁଦ୍ଧି କରିବି

କାହାକୁ ଯାଇ କି ମାଗିବି

।।

ସାହୁମାନଙ୍କ ଦ୍ୱାରେ ଗଲେ

ମହତ୍ୱ ସାରିବେ ମୋ ଭଲେ

।।

ଏମନ୍ତେ ବିଚାରୁଛି ଚିତ୍ତେ

ସାହୁ ଯେ ଆସିଣ ତୁରିତେ

।।

ବୋଇଲେ ଶୁଣ ହେ ଗୋସାଇଁ

ମନରେ ଦୁଃଖ କାହିଁ ପାଇଁ

।।

ସକାଳ ଯାଏ ନ ରହିଲ

ରାତ୍ର ଅର୍ଦ୍ଧରେ କିମ୍ପା ଗଲ

।।

ସୁଝି ସକଳ ସାହୁ ଧନ

ଘେନି ଅଇଲେ ଗୋଜା ପୁଣ

।।

ରାତ୍ର ପାହିବା ଯାଏ ଥିଲେ

କେବା ତୁମ୍ଭଙ୍କୁ ଦଣ୍ଡୁଥିଲେ

।।

ତା ଶୁଣି ଭକ୍ତ ରାମ ଦାସ

ପୁଚ୍ଛଇ ସାଧୁଙ୍କର ପାଶ

।।

ତୁମ୍ଭଙ୍କୁ ଧନ ଦେବା ବେଳେ

ଦେଖିଲଟିକି ଚର୍ମ ଡୋଳେ

।।

ତା ଶୁଣି ବୋଲନ୍ତି ସାଧୁତେ

ଗୋଜା ଦେଇଛୁ ତୁମ୍ଭ ହସ୍ତେ

।।

ତୁମ୍ଭେ ଆମ୍ଭଙ୍କୁ ଦେଇ ଧନ

ଏବେତ କହୁଛ ଏମାନ

।।

ତା ଶୁଣି ଭକ୍ତ ଅତି ଭୋଳେ

ଧନୀ ମାନଙ୍କୁ ଧରି କୋଳେ

।।

ବୋଇଲେ ଧନ୍ୟ ତୁମ୍ଭମାନେ

ପ୍ରଭୁଙ୍କୁ ଦେଖିଲ ନୟନେ

।।

ମୁଁ କେତେ ପାପ କରିଥିଲି

ଦିନେ ସ୍ୱପନେ ନ ଦେଖିଲି

।।

ତାହା ଶୁଣିଣ ମହାଜନେ

ଅତି ପବିତ୍ର ହେଲେ ମନେ

।।

ବୋଇଲେ ନିଶ୍ଚେଁ ଭକ୍ତହିତେ

ବିଷ୍ଣୁ ଯେ ବିଜୟ ସାକ୍ଷାତେ

।।

ହେ ରାମଦାସ ତୋ କୃପାରୁ

ଆମ୍ଭେ ଦେଖିଲୁ ମହାମେରୁ

।।

ତୋ ସଙ୍ଗେ ନ ଥିଲେ ବ୍ୟାପାର

କାହୁଁ ଦେଖନ୍ତୁ ବିଶ୍ୱମ୍ଭର

।।

ଏବେ ଆମ୍ଭର କଥା ଶୁଣ

ଦାରା ତନୟ ଧନପ୍ରାଣ

।।

ଆଜୁଁ ତୁ ଯାହା କଲେ କର

ଚରଣେ ଶରଣ ତୋହର

।।

ଏମନ୍ତ କହି ଚଳିଗଲେ

ସାଧୁଙ୍କ ପାଇଁ ସଞ୍ଚା ଦେଲେ

।।

ତାହା ଦେଖିଣ ରାମଦାସ

ସମର୍ପି ଅତିଥିଙ୍କ ପାଶ

।।

ନିଜ ପୁରକୁ ଚଳିଗଲେ

ପୁତ୍ର ଭାରିଯା ବସାଇଲେ

।।

କହିଲେ ସକଳ ଚରିତ

ଶୁଣି ସେ ହେଲେ ଆଚମ୍ବିତ

।।

ବୋଇଲେ ପ୍ରଭୁ ବିନା ଆନ

ଏହା କେ କରିବ ଭାଜନ

।।

ପ୍ରାଣୀ ନ ଜାଣି ମୂଢପଣେ

ଭ୍ରମୁଅଛନ୍ତି ଅକାରଣେ

।।

ଯାର ମହିଁମା ଚରାଚର

ପୂରି ରହିଛି ପରାପର

।।

ଚିନ୍ତିଲେ ନାହିଁ ଭୟ ଭ୍ରାନ୍ତି

ନ ଚିହ୍ନି ଜନ୍ମ ମୃତ୍ୟୁ ପାନ୍ତି

।।

ଏମନ୍ତ ବୋଲି ତିନିଜଣ

ଚିନ୍ତିଲେ ଅନନ୍ତ ଚରଣ

।।

ଏକଇ ଚିତ୍ତ ଏକମନ

ହୋଇଣ ପ୍ରଭୁ ଲଛମନ

।।

ପାଦପଦ୍ମରେ ଚିତ୍ତଦେଲେ

ଦିବସ ରଜନୀ ବଞ୍ଚିଲେ

।।

ନିରତେ ପର ଉପକାର

କରିବା ମୂଳ ଅଟେ ତାର

।।

ଏମନ୍ତ ବଞ୍ଚାଇଲେ ଦିନ

ପ୍ରଭୁଚରଣେ ଦେଇ ମନ

।।

ଶୁଣ ହେ ମନ ନୃପନାଥ

ଦାନର ମହିମା ଏମନ୍ତ

।।

ପାଷାଣ୍ଡଲୋକ ଯେଉଁମାନେ

ପରତେ ନାହିଁ ତାଙ୍କ ମନେ

।।

ଯେ ଅବା ଜାଣଇ ଏ ଭାବ

ତାଙ୍କମାନଙ୍କୁ ଏ ଦୁର୍ଲ୍ଲଭ

।।

କହଇ ରାମ ଦାସ ମନ

ମୂଳ ମୋ ପ୍ରଭୁ ଲଛମନ

।।

ସେ ପାଦପଦ୍ମରେ ନିରତ

ଭ୍ରମର ହେଉ ମୋର ଚିତ୍ତ

।।

ସାଧୁମାନଙ୍କ ପଦଧୂଳି

ମଣ୍ଡିତ ହେଉ ମୋ ମଉଳି

।।

ଏମନ୍ତ ଚଇତନ୍ୟ କଥା

ଶୁଣି ଛାଡ଼ିବ ଭବବ୍ୟଥା

।।

ସୁଜନେ ଶୁଣି ହୁଅ ପାର

ଶମନ ଦଣ୍ଡରୁ ଉଦ୍ଧାର

।।

କିସ କହିବ ରାମ ଦାସ

ମୂଳଟି ଅଟଇ ବିଶ୍ୱାସ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ

ରାମଦାସ ନାମ ସପ୍ତମୋ ଧ୍ୟାୟଃ ।

•••

 

ଅଷ୍ଟମ ଅଧ୍ୟାୟ

ରଘୁ ଅରକ୍ଷିତ ସମ୍ବାଦ

ଚୈତନ୍ୟ ଉବାଚ

 

ହେ ମନ ଶୁଣ ଦିବ୍ୟରସ

ଅଶେଷ ଜନ୍ମ ପାପନାଶ

।।

ଏ ବଡ଼ ଆଚମ୍ବିତ କଥା

ଶୁଣି ଛାଡ଼ିବ ହୃଦବ୍ୟଥା

।।

ଅମୃତ ରସର ସମାନ

ଶୁଣନ୍ତୁ ସ୍ଥିର କରି ମନ

।।

ଯେବଣ ବଙ୍ଗଦେଶ ନାମ

ସକଳ ଦେଶରେ ଉତ୍ତମ

।।

ସେ ଦେଶେ ଏକଇ ସହର

ନାମ ତାହାର ହରିପୁର

।।

ସେ ଦେଶେ ଅଟେ ଅଧିପତି

ଅଚଳାଚଳ ତା ସମ୍ପତ୍ତି

।।

ନାମ ତା କୃଷ୍ଣ ମହାପାତ୍ର

ତାହାର ଏକଗୋଟି ପୁତ୍ର

।।

ପତ୍ନୀର ନାମ ତା କମଳା

ସଦା ଆନନ୍ଦ ଅତି ଭୋଳା

।।

ପୁତ୍ରର ନାମ ରଘୁନାଥ

ଭକ୍ତର ଅଂଶେ ସେହୁ ଜାତ

।।

ଏମନ୍ତ ତିନିଜଣ ଥାନ୍ତି

କରିଣ ନିର୍ମଳ ଭକତି

।।

ଦୁଃଖୀ ଦରିଦ୍ର ଜନଠାରେ

ନିରାଶ ନ ଥାଇ ମନରେ

।।

ଦିଅଇ ଶକ୍ତି ଘେନି ତାର

ନିରତେ ପର ଉପକାର

।।

ଅମୃତ ସମାନେ ବଚନ

କହି ତୋଷଇ ପ୍ରାଣୀମନ

।।

ଏମନ୍ତେ କେତେ ଦିନ ଗଲା

ପୁତ୍ରକୁ ଷୋଳବର୍ଷ ହେଲା

।।

ତା ଦେଖି ଜନନୀ ପିଅର

ଖୋଜି ଉତ୍ତମ ବନ୍ଧୁଘର

।।

ମଧ୍ୟବଙ୍ଗଳା ଯେ ସହର

ସେ କଳାବତୀପୁରେ ଘର

।।

କରଣ ନାମ ଗଙ୍ଗାଧର

କୁବେର ସମଧନ ତାର

।।

ସପତ ପୁତ୍ରରେ କୁମାରୀ

ଲକ୍ଷଣବନ୍ତ ସୁକୁମାରୀ

।।

ନାମ ତାହାର ଅନ୍ନପୂର୍ଣ୍ଣା

ପଦ୍ମିନୀ ଜାତି ଯେ ସୁଷମା

।।

ଅନେକ ଧନ ବ୍ୟୟ କଲେ

କୃଷ୍ଣ ପୁତ୍ରକୁ ବିଭା କଲେ

।।

ଏମନ୍ତେ କେତେଦିନ ଗଲା

ତାର ସମ୍ପଦ ଚ୍ୟୁତ ହେଲା

।।

ଦରିଦ୍ର ହୋଇ ଦୁଃଖ ପାଇ

କଷ୍ଟ ସେ ନ ପାରିଲା ସହି

।।

ଚିନ୍ତା କରିଣ ପିତା ମଲା

ମାତା ଅନେଳ ଝାସ ଦେଲା

।।

ରହିଲା ଏକଇ କୁମର

ଦଇବେ ଅତି ସୁକୁମାର

।।

ତା କଷ୍ଟକହୁଁ ନ ସରଇ

ଭିକ୍ଷା ମାଗିଣ ସେ ଜିଅଁଇ

।।

ଏମନ୍ତେ କେତେଦିନ ଗଲା

ତା’ ଚିତ୍ତେ ଦିବ୍ୟଜ୍ଞାନ ହେଲା

।।

ବିଚାର କଲା ଅନୁକ୍ଷଣେ

ଏଥେଁ ମୁଁ ଥିବି କି କାରଣେ

।।

ସକଳ ଜୀବର କରତା

ଭକତି ମୁକତିର ଦାତା

।।

କମଳାଦେବୀ ପ୍ରାଣପତି

ଦୀନବାନ୍ଧବ ଜଗଜ୍ଜ୍ୟୋତି

।।

ବିଜୟ ଶ୍ରୀ ନୀଳକନ୍ଦର

କମ୍ବୁ ରଥାଙ୍ଗ ଧରି କର

।।

ସେ ପ୍ରଭୁ ଛାମୁକୁ ମୁଁ ଯିବି

ସକଳ କଷ୍ଟ ଜଣାଇବି

।।

ଶ୍ରୀ ମହାପ୍ରସାଦ କୈବଲ୍ୟ

ଖାଇ ବଞ୍ଚିବି ମୋର କାଳ

।।

ଦଇବେ ମହାପୁଣ୍ୟ କ୍ଷେତ୍ର

ମଲେତ ହୋଇବି ପବିତ୍ର

।।

ଏମନ୍ତ ମନେ ବିଚାରିଲା

ଶ୍ରୀକ୍ଷେତ୍ର ବେଗେ ଚଳିଗଲା

।।

ଦର୍ଶନ କଲା ପଦ୍ମମୁଖ

ଛାମୁରେ ଜଣାଇଲା ଦୁଃଖ

।।

ପିତା ଜନନୀ ଦୁହେଁ ମଲେ

ମୋତେ ଅନାଥ କରି ଗଲେ

।।

ଏଣୁଟି ରଘୁ ଅରକ୍ଷିତ

ତୋ ପାଦେ ଶରଣ ବାଞ୍ଛିତ

।।

ଭୋ ପ୍ରଭୁ ଯାହା ଇଚ୍ଛା କର

କିଣିଲା ଦାସ ମୁହିଁ ତୋର

।।

ଏମନ୍ତ କହି ସ୍ତୁତି କଲେ

କ୍ଷେତ୍ରରେ ବୁଲି ଦିନ ନେଲେ

।।

ବୈଷ୍ଣବ ମଠଧାରୀ ଦ୍ୱାରେ

ମହାପ୍ରସାଦ ଭିକ୍ଷା କଲେ

।।

ଭାଗ୍ୟେ ମିଳଇ ଯେତେ ଅବା

ଆନନ୍ଦେ ତାହା କରେ ସେବା

।।

ପ୍ରଭୁଙ୍କୁ କରି ଦରଶନ

ଏହି ପ୍ରକାରେ ବଞ୍ଚେ ଦିନ

।।

ଏମନ୍ତେ କେତେଦିନ ଗଲା

ଶ୍ୱଶୁର ଘର ତା ଜାଣିଲା

।।

ରଘୁ ଅର୍କ୍ଷିତ ଦୁଃଖ କଥା

ସକଳେ ପାଇଲେ ବାରତା

।।

ସମସ୍ତ କୁଟୁମ୍ୱ ବସିଣ

ଭାବି ଦୁହିତା ପତି ଗୁଣ

।।

ବାଳୁତ କାଳୁ ମାତା ପିତା

ଖାଇଣ ହୋଇଲା ଅଚିନ୍ତା

।।

ସର୍ବ ସମ୍ପଦ ନାଶ କରି

ଭିକ୍ଷା ମାଗଇ ଦେଶ ଫେରି

।।

ଅର୍କ୍ଷିତ ଲୋକ ପ୍ରାୟ ହୋଇ

ମିଳିଲା ଶ୍ରୀକ୍ଷେତ୍ରରେ ଯାଇଁ

।।

ସମସ୍ତ ଦ୍ୱାରେ ଭିକ୍ଷାକରେ

ପ୍ରାଣ ପୋଷଇ ଅନାଚାରେ

।।

ତାକୁ କେମନ୍ତେ ଝିଅ ଦେବା

କରିବା ଅନ୍ୟଜନେ ବିଭା

।।

ଏମନ୍ତ ବୋଲିଣ ସମସ୍ତେ

ବିଚାର କଲେ ଦୃଢଚିତ୍ତେ

।।

ସେହି ରାଜ୍ୟର ରାଜା ପାତ୍ର

ନାମ ତା ବାସୁ ମହାପାତ୍ର

।।

ଦୁହିତା ପାଇଁ ତା ପୁତ୍ରକୁ

ଖୋଜିଲେ ବିଭା କରିବାକୁ

।।

ଆସନ୍ତା ଫଗୁଣ ମାସରେ

ଶୁକଳପକ୍ଷ ପଞ୍ଚମୀରେ

।।

ବିଭା କରିବା ହେବା ମୂଳ

ତା ଶୁଣି ଦୁହିତା ବିକଳ

।।

ମନେ ବିଚାରହେଲା ତାର

ଧିକ ଜୀବନ ଅଟେ ମୋର

।।

ମୋ ପ୍ରାଣନାଥ ଥାଉଁ ଥାଉଁ

ବିଭା କରିବେ ମୋତେ ଆଉ

।।

ମୁଁ ପୁଣି ଧରି ଏ ଶରୀର

ବଦନ ଚାହିଁବି କାହାର

।।

ଏମନ୍ତ ମନେ ବିଚାରିଣ

ଚିତ୍ତେ ଚିନ୍ତିଲା ନାରାୟଣ

।।

ହେ ପ୍ରଭୁ ଗଜ ନିସ୍ତାରଣ

ଦ୍ରୈାପଦୀ ଲଜ୍ଜା ନିବାରଣ

।।

ମୃଗୁଣୀ ଉଦ୍ଧାରଣ ପ୍ରାୟେ

ମୋତେ ଉଦ୍ଧର ଦେବରାୟେ

।।

ଭେଟ କରାଅ ମୋର କାନ୍ତ

ନୋହିଲେ ମରିବି ନିୟତ

।।

ଏମନ୍ତ ଚିନ୍ତି ଭଗବାନ

ବିଚାର କଲା ତାର ମନ

।।

କେ ଏବେ ଯିବ କ୍ଷେତ୍ରବରେ

କହିବ ମୋ ପତି ଛାମୁରେ

।।

ଏମନ୍ତେ ବିଚାରୁ ବିଚାରୁ

କେତେହେଁ ଜଣ ସେ ଗ୍ରାମରୁ

।।

ଶ୍ରୀ ଜଗବନ୍ଧୁଙ୍କ ଦର୍ଶନ

ନିରନ୍ତେ କରନ୍ତେ ଗମନ

।।

ତା ଦେଖି ଆନନ୍ଦ ସୁନ୍ଦରୀ

ପତ୍ର ଲେଖିଲା ଗୋପ୍ୟ କରି

।।

ବୋଇଲା ଆହେ ପ୍ରାଣେଶ୍ୱର

ମୁଁ ଯେବେ ଦାସୀଟି ତୁମ୍ଭର

।।

ଆସନ୍ତା ଫଗୁଣ ମାସରେ

ଶୁକଳ ପକ୍ଷ ପଞ୍ଚମୀରେ

।।

ଏ ରାଜ୍ୟ ପାତ୍ର କୁମରକୁ

ବିଭା କରିବେ ମୋତେ ତାକୁ

।।

ଏଥକୁ ଚାହିଁ ବେଗେ ଆସ

ମୋଠାରେ ଅଛି ଯେବେ ଆଶ

।।

ଆସ ନ ଆସ ତୁମ୍ଭ ମନ

ମୁଁ ଏବେ ଗଣୁ ଅଛି ଦିନ

।।

ଯେବେ ଏକ ପରିଯନ୍ତେ

ଦେଖା ନ ଦେବ ତୁମ୍ଭେ ମୋତେ

ପ୍ରାଣ ଛାଡ଼ିବି ଆତ୍ମଘାତେ

ଲାଗିବ ସ୍ତିରୀହତ୍ୟା ତୋତେ

।।

ଏମନ୍ତେ ଚିଟାଉ ମୁଦିଲା

ପଥୁକୀଜନ ହସ୍ତେ ଦେଲା

।।

ବିନୟେ କହିଲା ବହୁତ

କ୍ଷେତ୍ରେ ଅଛନ୍ତି ମୋର କାନ୍ତ

।।

ରଘୁ ଅର୍କ୍ଷିତ ନାମ ତାର

ଭିକ୍ଷା ମାଗନ୍ତି ଦ୍ୱାର ଦ୍ୱାର

।।

ଏ ଲେଖା ଦେବ ତାଙ୍କ ହସ୍ତେ

ଜୀବନଦାନ ଦେବ ମୋତେ

।।

ଜନ୍ମ ଜନ୍ମରେ ଉପକାର

ସୁଝି ନ ପାରିବି ତୁମ୍ଭର

।।

ଏମନ୍ତ କହିଲାକ ବାଳୀ

ପଥୁକୀଜନ ଗଲେ ଚଳି

।।

କେତେହେଁ ଦିନକ ଉତ୍ତାରେ

ମିଳିଲେ ଯାଇ କ୍ଷେତ୍ରବରେ

।।

ଏକଇ ସ୍ଥାନେ ବସା କରି

ପ୍ରଭୁଙ୍କ ଦରଶନ ସାରି

।।

ସୁନ୍ଦରୀ କଥାଅଛି ମନେ

ତା ପତି ଲୋଡ଼େ ପ୍ରତିଦିନେ

।।

ରଘୁ ଅର୍କ୍ଷିତ ନାମ ଧରି

ଯାହାକୁ ଦେଖିଲେ ପଚାରି

।।

ଏମନ୍ତେ କେତେଦିନ ପରେ

ଭେଟ ପଡ଼ିଲା ସିଂହଦ୍ୱାରେ

।।

ନାମ ଗୋତ୍ର ହିଁ ପଚାରିଲେ

ଚିଟାଉ ତାର ହସ୍ତେ ଦେଲେ

।।

ବୁଝ ହେ ପତ୍ର ପାଠ କରି

ଦେଇ ଅଛନ୍ତି ତୁମ୍ଭ ନାରୀ

।।

ତା ଶୁଣି ରଘୁ ଅରକ୍ଷିତ

ଚିଟାଉ ଧରିଣ ଏକାନ୍ତ

।।

ସକଳ ବୃତ୍ତାନ୍ତ ବୁଝିଲେ

କି ବୁଦ୍ଧି କରିବି ବୋଇଲେ

।।

ପଥ ଅଟଇ ମାସ କର

ନ ଗଲେ ମଲା ପ୍ରିୟା ମୋର

।।

କଣ୍ଟ ରହିଲା ଦଶଦିନ

ନ ଗଲେ ଯୁବତୀ ରତନ

।।

ନିଶ୍ଚେ ମରିବ ଆତ୍ମଘାତେ

ଏଥକୁ ସାହା ଜଗନ୍ନାଥେ

।।

ଏମନ୍ତ ବୋଲି ଚଳିଗଲେ

ପ୍ରଭୁଙ୍କ ଛାମୁରେ ମିଳିଲେ

।।

ସାଷ୍ଟାଙ୍ଗେ କରି ଦଣ୍ଡବତ

ଉଠି କପାଳେ ଦେଇ ହସ୍ତ

।।

ବୋଇଲେ ପ୍ରଭୋ ଚକ୍ରପାଣି

ଚିନ୍ତାର୍ଥୀଜନ ଚିନ୍ତାମଣି

।।

ନମସ୍ତେ ବାଞ୍ଛା କଳ୍ପତରୁ

କୃପାସମୁଦ୍ର ମହାମେରୁ

।।

ଭୃତ୍ୟ କାମନା କାମ ଧେନୁ

ଘୋର ବିପତ୍ତି ତମ ଭାନୁ

।।

ମୋର ଶଙ୍କଟ ନିବାରଣେ

ତୁମ୍ଭହୁଁ ନାହିଁ ଅନ୍ୟ ଜଣେ

।।

କିସ କରିବି ଦେବସ୍ୱାମୀ

ତୁମ୍ଭେ ତ ସର୍ବ ଅନ୍ତର୍ଯ୍ୟାମୀ

।।

ବାରେକ ଫେଡ଼ ଅଭିମାନ

ନୋହିଲେ ଗଲାଟି ଜୀବନ

।।

ପ୍ରଭୁ ନୋହିଲେ ସାହାପକ୍ଷ

ସଂସାରେ ନାହିଁ ମୋତେ ରକ୍ଷ

।।

ଭାଷିଲା ରଘୁ ଅରକ୍ଷିତ

ବୋଲିଣ ଚଲିଲା ତ୍ୱରିତ

।।

ମିଳିଲା ସିଂହଦ୍ୱାରେ ଯାଇ

ଛିଣ୍ଡା କତରା ପାରିହୋଇ

।।

ଚିନ୍ତିଣ ଶରଣ ପଞ୍ଜର

ହାରିଲା ଦେହୁ ବୁଦ୍ଧି ତାର

।।

ଘୋର ନିଦ୍ରାରେ ଆଶକତ

ତାହା ଜାଣିଲେ ଜଗନ୍ନାଥ

।।

ଭୃତ୍ୟ ତା ସହି ନ ପାରିଲେ

ବେତାଳ ରାଇ ଆଜ୍ଞା ଦେଲେ

।।

ବୋଇଲେ ଏହିକ୍ଷଣି ଯିବ

ମୋର ଭକ୍ତକୁ ବହି ନେବ

।।

ନିଦ୍ରା ନ ଭାଙ୍ଗୁ ତୋଳି ନେବ

ତୁମ୍ଭେ ନେବାର ନ ଜାଣିବ

।।

ଯେ କଳାବତୀ ପାଟଣାର

ରଘୁ ଅର୍କ୍ଷିତ ବନ୍ଧୁ ଘର

।।

ଛାଡ଼ି ଆସିବ ସେହିଠାରେ

ଯାଅରେ ବିଳମ୍ୱ ନ କର

।।

ବେତାଳ ପ୍ରଭୁ ଆଜ୍ଞା ପାଇ

ଚଳିଲେ ଅତି ବେଗ ହୋଇ

।।

ରଘୁ ଅର୍କ୍ଷିତ ପାଶେ ମିଳି

କତରା ସଙ୍ଗତରେ ତୋଳି

।।

ମାୟା ପଲଙ୍କେ ଶୁଆଇଲେ

ଶୂନ୍ୟମାର୍ଗରେ ବହିନେଲେ

।।

ପ୍ରବେଶ କଳାବତୀ ପୁରେ

ଦାସଙ୍କ ଶ୍ୱଶୁର ଦୁଆରେ

।।

ନିଶ୍ଚିନ୍ତେ ଶୁଆଇ ଅଇଲେ

ପ୍ରଭୁଙ୍କ ଛାମୁରେ କହିଲେ

।।

କହି ଚଳିଲେ ନିଜ ପୁର

ଏମନ୍ତ ଉଦେ ଦିବାକର

।।

ରଘୁ ଅର୍କ୍ଷିତ ଦେଲା ଚାହିଁ

ଦେଖିଲା କ୍ଷେତ୍ରବରେ ନାହିଁ

।।

ବିଚାରା କଲା ତାର ଚିତ୍ତ

ଏତ ଅଟଇ ବିପରୀତ

।।

ଥିଲି ମୁଁ ସିଂହଦ୍ୱାରେ ଶୋଇ

କେ ମୋତେ ଗଲା ଏଥେ ଥୋଇ

।।

ଏହା ମୁଁ ଜାଣିବି କେମନ୍ତେ

କାହାକୁ ପଚାରିବି ଏଥେ

।।

ଏ ପୁଣି ଅଟେ କେଉଁ ଗ୍ରାମ

କାହାର ଅଟେ ଏ ଆଶ୍ରମ

।।

ଏମନ୍ତ ବିଚାରି ତା ମନେ

ପୁଚ୍ଛିଲା ଗତାଗତ ଜନେ

।।

ଲୋକେ ବୋଇଲେ ତାହା ଶୁଣି

ଶୁଣ ଭିକ୍ଷୁକ ଆମ୍ଭ ବାଣୀ

।।

ଏ ଅଟେ କଳାବତୀପୁର

ଏ କୃଷ୍ଣ ମହାପାତ୍ର ଘର

।।

ଶୁଣି ଭକତ ମନେ ଗୁଣି

ମୋ ଚିନ୍ତା ଜାଣି ଚକ୍ରପାଣି

।।

ପେଷିଲେ ମାୟା କରି ଏଥେ

ଆନର ବଳେ ନୋହେ ଏତେ

।।

ବ୍ରହ୍ମାଣ୍ଡ ଯାର ଖେଳଘର

ଏକଥା କେତେକ ମାତର

।।

ଏମନ୍ତେ ବିଚାରୁ ତା ମନେ

ଘରୁ ବାହାରି ଶଳାମାନେ

।।

ଦ୍ୱାରେ ଦେଖିଲେ ଉପଗତ

ହୋଇଛି ରଘୁ ଅରକ୍ଷିତ

।।

ଛିଣ୍ଡା ଲେଙ୍କଡ଼ା ବେଶ ହୋଇ

ଚିହ୍ନି ଘରକୁ ଗଲେ ଧାଇଁ

।।

କହିଲେ ପିତାଙ୍କ ଛାମୁରେ

ତୁମ୍ଭ ଦୁହିତା ପତି ଦ୍ୱାରେ

।।

ବସିଛି କେମନ୍ତ ପ୍ରକାରେ

ଚାଲ ଦେଖିବ ଧାତିକାରେ

।।

ତା ଶୁଣି ଜନନୀ ପିଅର

ପୁତ୍ର ଦୁହିତା ଆଦି ତାର

।।

ମନ୍ଦିରୁ ବାହାର ହୋଇଲେ

ବସିଛି ଅନାଇଣ ଦେଲେ

।।

ଦୁହିତା ଦେଖି ମହାସୁଖୀ

ସବୁରି ମୁଖ ଗଲା ଶୁଖି

।।

ବୋଇଲେ ଦଇବ କି କଲା

ଆସିତ ମନ୍ଦକୃତ୍ୟ ହେଲା

।।

ନ କଲେ ଏହାକୁ ଅର୍ଚ୍ଚନା

ପାଇବା ଲୋକେ ନିନ୍ଦା ସିନା

।।

ଏମନ୍ତେ ବୋଲି ଡାକିନେଲେ

ସ୍ନାନ ମାର୍ଜ୍ଜନ କରାଇଲେ

।।

ଦିବ୍ୟ ବସନ ପିନ୍ଧାଇଲେ

ନାନାଦି ଅଳଙ୍କାର ଦେଲେ

।।

ଭୋଜନ ଆଦି କର୍ମ ଯେତେ

ସକଳ ସାରିଲେ ତୁରିତେ

।।

କପଟ ରଖିଣ ହୃଦରେ

ତୋଷିଲେ ଅନେକ ପ୍ରକାରେ

ଏଥିଉତ୍ତାରେ ତାତ ମାତ

ଦୁହିତା ଛାଡ଼ି ସାତ ସୁତ

।।

ଏକାନ୍ତେ ବସି ବିଚାରିଲେ

କି ବୁଦ୍ଧି କରିବା ବୋଇଲେ

।।

ଏଥକୁ ଉପାୟ କରିବା

ଭୋଜନ ବେଳେ ବିଷ ଦେବା

।।

ମଲେ ଏ ରଘୁ ଅରକ୍ଷିତ

ଦୁହିତା ନୋହିବ ଅନାଥ

।।

ଏମନ୍ତ କହିବାରୁ ତାତ

ସମସ୍ତେ କଲେ ସନମତ

।।

ସମ୍ମତ କରି ଚଳିଗଲେ

ଗୋପ୍ୟେ ଗରଳ ଅଣାଇଲେ

।।

ଅନ୍ନବ୍ୟଞ୍ଜନ ପିଠାକ୍ଷିରୀ

ରନ୍ଧନ କଲେ ବିଷ ଭରି

।।

ତାହାଜାଣିଲା ମହାସତୀ

ହୃଦ ପଦ୍ମରେ କଲା ଭୀତି

।।

ଏକେ ଚତୁରୀ ଶିରୋମଣି

ତରକ ଭାବେ ତାହା ଜାଣି

।।

ବିଚାର କଲା ତାର ମନ

ନିଶ୍ଚେ ମୋ ପତିର ଜୀବନ

।।

ଗରଳ ଦେଇଣ ହରିବେ

କି ବୁଦ୍ଧି କରିବି ମୁଁ ଏବେ

।।

ଏମନ୍ତ ଲେଖି ଗୋପ୍ୟ କରି

ପିଠା ଗୋଟିକ ମଧ୍ୟେ ଭରି

।।

ଥୋଇଲା ବିଷ ପିଠା ପରେ

ଶୁଣ ହେ ଏଥୁ ଅନନ୍ତରେ

।।

ରଘୁ ଅର୍କ୍ଷିତକୁ ତ୍ୱରିତେ

ଡାକିଲେ ଭୁଞ୍ଜିବା ନିମନ୍ତେ

।।

ଆଦର କରି ଘେନିଗଲେ

ଗମ୍ଭୀର ମଧ୍ୟେ ବସାଇଲେ

।।

ରଘୁ ଅର୍କ୍ଷିତେ ପାଦ ଧୋଇ

ବସିଲେ ଆସନରେ ଯାଇ

।।

ବିଷ ମିଶ୍ରିତ ଦ୍ରବ୍ୟ ଯେତେ

ବାଢିଲେ ରଘୁର ନିମନ୍ତେ

।।

ଆନନ୍ଦେ ରଘୁ ଅରକ୍ଷିତ

ଧ୍ୟାନେ ଚିନ୍ତିଲେ ଜଗନ୍ନାଥ

।।

ଜଳ ଗଣ୍ଡୁଷ କରେ ଧରି

ପ୍ରଭୁଙ୍କୁ ନଇବେଦ୍ୟ କରି

।।

 

 

 

 

ଭକ୍ଷିବି ବୋଲିଣ ଭକତ

ଧଇଲା ବିଷ ପିଠା ହସ୍ତ

।।

ପ୍ରଭୁ ଆଜ୍ଞାରେ ପିଠା ଗୋଟି

ଭାଙ୍ଗନ୍ତେ ତଳେ ପଡ଼େ ଚିଠି

।।

ଧରିଣ ପଢିଲା ତ୍ୱରିତେ

ବିଚାର କଲା ହୃଦଗତେ

।।

ନ ଜାଣି ଅପରାଧ କଲି

ପ୍ରଭୁଙ୍କୁ ବିଷ ଭୁଞ୍ଜାଇଲି

।।

ବୁଦ୍ଧି ଯେ ନ ଦିଶଇ ମୋତେ

ପ୍ରସାଦ ଛାଡ଼ିବି କେମନ୍ତେ

।।

ଜନମ ହୋଇଲେ ନିୟତ

ଅବଶ୍ୟ ମରିବାର ସତ

।।

ଯେବେ ମୁଁ ପ୍ରସାଦ ଛାଡ଼ିବି

କାଳେ କି ଅମର ହୋଇବି

।।

କେବଳ ପ୍ରଭୁ ଅପରାଧେ

ପଡ଼ିବି ମହାନର୍କ ମଧ୍ୟେ

।।

ଏଥେ ପାଇବି ଯେଉଁ ଲାଭ

ଭୁଞ୍ଜିବା କଥା ମୋ ଦୁର୍ଲ୍ଲଭ

।।

ଏମନ୍ତେ ବିଷ ଦ୍ରବ୍ୟ ଧରି

ଭୁଞ୍ଜିବା ଗୋବିନ୍ଦ ସୁମରି

।।

ତିଳ ପ୍ରମାଣେ ନ ଥୋଇଲା

ପ୍ରସାଦ ବୋଲି ତା ଭୁଞ୍ଜିଲା

।।

ଦେଖୁ ଦେଖୁ ସେ ମହାବିଷ

ଉଦରେ ହୋଇଲା ପ୍ରବେଶ

।।

ଘୋଟିଲା ବ୍ରହ୍ମଘରେ ଯାଇ

ଢଳିଣ ପଡ଼ିଲୋକ ମହୀ

।।

ହାରିଲା ଭକତ ଜୀବନ

ଦେଖି ଆନନ୍ଦ ଗୃହଜନ

।।

ଆଣ୍ଟେ କବାଟ କିଳିଦେଲେ

ପୁତ୍ରକୁ ଚାହିଁ ପିତା ବୋଲେ

।।

ରଜନୀ ପ୍ରଭାତରୁ ନିଅ

ନ ପୋଡ଼ି ପୋତିଣ ପକାଅ

।।

ଲୋକେ ପୁଚ୍ଛିଲେ କହ ଏତେ

ଜୁଆଇଁ ମଲା ସର୍ପ ଘାତେ

।।

ଶୁଣିଣ ସମସ୍ତେ ହରଷ

ଏଥୁ ଅନନ୍ତେ ଶୁଣ ରସ

।।

ସେ ରଘୁ ଅର୍କ୍ଷିତ ଘରଣୀ

ପତି ନିଧନ କଥା ଶୁଣି

।।

ବଚାର କଲା ତାର ଚିତ୍ତେ

ଅଗ୍ନିର ସଙ୍ଗ ହେଲା ମୋତେ

।।

ଯାହା ଲେଖିଛି ବେଦବର

ଅନ୍ୟଥା କରୁ କାହା ଛାର

।।

ଏମନ୍ତ ବୋଲି ସେ ତରୁଣୀ

ଚିନ୍ତିଲା ପ୍ରଭୁ ଚକ୍ରପାଣି

।।

କମ୍ପିଲା ରତ୍ନ ସିଂହାସନ

ଜାଣିଲେ ପ୍ରଭୁ ଭଗବାନ

।।

ଭୃତ୍ୟକୁ ପଡ଼ିଲା କଷଣ

ସେଠାରୁ ଅଇଲେ ବହନ

।।

ପ୍ରବେଶ କଳାବତୀ ପୁରେ

ଭୃତ୍ୟ ପଡ଼ିଛି ଯେଉଁଠାରେ

।।

ତହିଁ ବିଜୟ ଦେବହରି

ଦେଖିଲେ ଭୃତ୍ୟ ଅଛି ମରି

।।

ତୋଳି ଧଇଲେ ଦେବରାଏ

ପୁତ୍ରକୁ ଯେହ୍ନେ ବାପା ମାଏ

।।

ଜଗତନାଥ ପଦ୍ମ କରେ

ଆଶ୍ୱାସି ସର୍ବାଙ୍ଗ ଯାକରେ

।।

ବୋଇଲେ ଉଠରେ ନନ୍ଦନ

କିମ୍ପା ତୁ ନିଦେ ଅଚେତନ

।।

ଯାହା ସହାୟ ପୀତବାସ

ତାର ଗରଳ ଛାର କିସ

।।

ତକ୍ଷଣେ ପାଇଲା ଜୀବନ

ପ୍ରଭୁ ହୋଇଲେ ଅନ୍ତର୍ଦ୍ଧାନ

।।

ଏମନ୍ତ ବୋଲି ଉଠି ବସି

ଭାବେ ଶ୍ରୀହରି ନାମ ଘୋଷି

।।

ଏଥି ଉତ୍ତାରୁ ରାତ୍ର ଶେଷ

ଦିବସ ହୋଇଲା ପ୍ରବେଶ

।।

ପିତା ପୁତ୍ରକୁ ଘେନି ଗଲା

କବାଟ ଫେଡ଼ି ଅନାଇଲା

।।

ବସିଛି ରଘୁ ଅରକ୍ଷିତ

ଶ୍ରୀହରି ପାଦେ ଦେଇ ଚିତ୍ତ

।।

ଭଜୁଛି ରାମ କୃଷ୍ଣ ହରି

ତାଟକା ହେଲେ ଦେଖି କରି

।।

ବୋଇଲେ ଏ ତ ବିଷ ଖାଇ

କେମନ୍ତେ ଅଛି ପ୍ରାଣ ପାଇ

।।

ଏ ନିଶ୍ଚେ ନୁହଇଟି ସାନ

ଜାଣ ଏ ଦଇବ ସମାନ

।।

ଏମନ୍ତେ ବୋଲି ଯେଝା ମତେ

ମିଳିଲେ ରଘୁର ଅଗ୍ରତେ

।।

କହି ବିନୟ କଥାମାନ

ବୋଇଲେ ବାନ୍ଧବ ହେ ଶୁଣ

।।

ଆମ୍ଭେ ଅପ୍ରାଧ କଲୁ ଯେତେ

ଚିତ୍ତେ ନ ଧର କଦାଚିତ୍ତେ

।।

ତା ଶୁଣି ରଘୁ ଅରକ୍ଷିତ

ବୋଇଲା ଶୁଣ ହେ ଉଚିତ୍‌

।।

ତୁମ୍ଭର କିଛି ନାହିଁ ଦୋଷ

ପୂର୍ବେ କାହାକୁ ଦେଲି ବିଷ

।।

ତେଣୁ ଏ ଜନ୍ମେ କଲି ପାନ

ଅର୍ଜିଲା କଥା ନୋହେ ଆନ

।।

କେବଳ ମୋର ପ୍ରାଣପତି

ଅଟନ୍ତି ଦାରୁବ୍ରହ୍ମ ମୂର୍ତ୍ତି

।।

ତେଣୁ ପାଇଲି ମୁହିଁ ପ୍ରାଣ

କଥାଏ କହୁଅଚି ଶୁଣ

।।

ଦେଖି ମୋ ଦରିଦ୍ର ସ୍ୱଭାବ

ତୁମ୍ଭ ଦୁହିତା ଆନେ ଦେବ

।।

ସକଳେ କରିଛ ବିଚାର

ଆମ୍ଭେ ଯାଉଛୁ ଦୟା କର

।।

କିବା ଧର୍ମକୁ ଥିଲେ ଭୟ

ମୋହର ପତ୍ନୀ ମୋତେ ଦିଅ

।।

ସଙ୍ଗତେ ଘେନି ଯିବି ଚଳି

ସେ ମୋର ଦୁଃଖୀର ସଙ୍ଖାଳି

।।

ନୋହିଲେ ଯେ ଇଚ୍ଛା ତୁମ୍ଭର

ଗଲିଟି ଦୋଷ ନାହିଁ ମୋର

।।

ଏମନ୍ତ ବୋଲି ରାମ ହରି

ମୁକୁନ୍ଦ ମାଧବ ମୁରାରୀ

।।

ଭକ୍ତ ଗୋବିନ୍ଦ ଦାମୋଦର

ମନ୍ଦିରୁ ହୋଇଲେ ବାହାର

।।

ତା ଦେଖି ଗୃହଜନ ଯେତେ

ପଛରେ ଧାଇଁଲେ ସମସ୍ତେ

।।

ବୋଇଲେ ଆଜି ମାତ୍ର ରହ

ପତ୍ନୀକି ତୋର ଘେନି ଯାଅ

।।

ତା ଶୁଣି ରଘୁ ଅରକ୍ଷିତ

ରହିଲେ ନାହିଁ କଦାଚିତ୍ତ

।।

ଦେଖି ଶ୍ୱଶୁର ଶଳା ଗଲେ

ମନ୍ଦିରେ ପ୍ରବେଶ ହୋଇଲେ

।।

ପୁଚ୍ଛିଲେ ଦୁହିତା ଅଗ୍ରତେ

କହ କି ବିଚାରୁଛୁ ଚିତ୍ତେ

।।

କୁମାରୀ ବୋଲେ ଶୁଣ ତାତ

ଯିବି ମୁଁ ସ୍ୱାମୀର ସଙ୍ଗତ

।।

ସେ ଯୋଗୀ ମୁଁ ତାହାର ଥାଳ

ମୋତେ ରଖିଲେ ଅମଙ୍ଗଳ

।।

ଅଧିକ କି କହିବି ତୋତେ

ଦୋଚାରୀ କରିବୁ କି ମୋତେ

।।

ମୁଁ ନୋହେ ଏମନ୍ତ ତରୁଣୀ

ହତ୍ୟାରେ ହୋଇବୁ କାରେଣୀ

।।

ଶୁଣି ଦୁହିତା ସଜ କଲେ

ବସ୍ତ୍ର ଭୂଷଣ ଧନ ଦେଲେ

।।

ସଙ୍ଗତେ ଘେନି ଗଲେ ଚଳି

ରଘୁ ଅର୍କ୍ଷିତ ପାଶେ ମିଳି

।।

ବୋଇଲେ ତୁମ୍ଭ ପତ୍ନୀ ନିଅ

ଆମ୍ଭଙ୍କୁ ଦୟା କରିଥାଅ

।।

ତାତ ଜନନୀ ଥାଇ ଭଲେ

ସଂସାର ଲଜ୍ଜା ଛଡ଼ାଇଲେ

।।

ସମର୍ପିଦେଲେ କରେ କର

ବୋଇଲେ ପତ୍ନୀ ନିଅ ତୋର

।।

ଆଜୁ ଏ ଲାଗିଲାଟି ତୋତେ

କହି ଚଳିଲେ ଯେଝା ମତେ

।।

ଏଥି ଉତ୍ତାରୁ ସ୍ୱାମୀ ପାଦେ

ପତ୍ନୀ ପଡ଼ିଲା ଅପ୍ରମାଦେ

।।

ଉଠି କପାଳେ ଦେଲା ହାତ

ବୋଇଲା ଆହେ ପ୍ରାଣନାଥ

।।

କେଣିକି ଯିବା ବିଜେ କର

ଏଥିରେ ବିଳମ୍ୱ ନ କର

।।

ତା ଶୁଣି ରଘୁ ଅରକ୍ଷିତ

ଧଇଲା ନିଜ ପତ୍ନୀ ହାତ

।।

ଚଳିଣ ଗଲେ ଯେଝା ମତେ

ଶୁଣ ହେ ମନ ନୃପନାଥେ

।।

ଭକତ ନିମନ୍ତେ ଶ୍ରୀବତ୍ସ

ହୁଅନ୍ତି ସେ ଏଡ଼େ ସମକ୍ଷ

।।

କେବଳ ନିର୍ମଳ ହୃଦରେ

ଡାକିଲେ ଲକ୍ଷେ ଯୋଜନରେ

।।

ପାଶେ ଡ଼ାକିଲା ପ୍ରାଏ ମଣି

ତାକୁ ରଖନ୍ତି ଚକ୍ରପାଣି

।।

କୁଟିଳ ହୃଦ ଯେଉଁ ନର

ସେ ତାକୁ ରହିଣ ପାଶର

।।

ଡାକୁ ବଧିରଜନ ମତେ

ଶୁଣନ୍ତି ନାହିଁ କଦାଚିତେ

।।

ଏଣୁ ବିଶ୍ୱାସ ଏକା ମୂଳ

ଶୁଣ ହେ ମନ ମହୀପାଳ

।।

ଏ ଦାର୍ଢ୍ୟଭକ୍ତି ରସାମୃତ

ଅଶେଷ ରସର ଉଦିତ

।।

ସୁଧାପୂରିତ ପଦେ ପଦ

ବିଷୟା ବିଷକୁ ଏ ଗଦ

।।

କହଇ ବିପ୍ର ରାମ ଦାସ

ମୋ ପ୍ରଭୁ କମଳା ବିଳାସ

।।

ସୁଜନେ ଏହି ରସେ ରସ

ମୋହର କ୍ଷମା କର ଦୋଷ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନଚୈତନ୍ୟ ସମ୍ବାଦେ

ରଘୁ ଅରକ୍ଷିତ ବିଷ ଭକ୍ଷଣେ ନାମ ଅଷ୍ଟମୋ ଧ୍ୟାୟଃ ।

•••

 

Unknown

ନବମ ଅଧ୍ୟାୟ

ରଘୁ ଅରକ୍ଷିତ ସମ୍ବାଦ

ମନ ଉବାଚ

 

ଶୁଣ ସାନନ୍ଦ ମନରାୟେ

ଚୈତନ୍ୟ ପାଦେ କରିଧ୍ୟାୟେ

।।

ବୋଲଇ କୃତ୍ୟ କୃତ୍ୟ ହୋଇ

ପବିତ୍ର କଲୁ ମୋତେ ତୁହି

।।

ଶୁଣିଲି ପ୍ରଭୁଙ୍କ ମହିମା

ଆବର ଭକତ ଗାରିମା

।।

ପୁଣି ପଚାରୁଅଛି ତୋତେ

ମନେ ସଂଶୟ ମୋର ଏତେ

।।

ପତ୍ନୀକି ଘେନିଣ ସଙ୍ଗତ

ଗଲା ଯେ ରଘୁ ଅରକ୍ଷିତ

।।

କାହିଁ ରହିଲା ସେହୁ ଯାଇ

ଏ କଥାକହିବ ବୁଝାଇ

।।

ଆବର ମହାପାତ୍ର ଘର

କରି ଯେ ଥିଲା ନୂଆ ବର

।।

ସେ କଥା ପୁଣି ହେଲା କିସ

କହ ହେ ଏଥିର ସନ୍ଦେଶ

।।

ଶୁଣି ଚୈତନ୍ୟ ଅତି ତୋଷେ

କହଇ ମନ ରାଜା ପାଶେ

।।

ହେ ମନ ସାବଧାନେ ଶୁଣ

ସେ କୃଷ୍ଣ ମହାପାତ୍ର ପୁଣ

।।

ଏଣେ ଦୁହିତା ପଠାଇଲା

ତେଣେ ଦୁତଙ୍କୁ ପେଶି ଦେଲା

।।

ସେ ରାଜ୍ୟ ପାତ୍ରର ଅଗ୍ରତେ

ଯାଇଣ କହିଲେ ତ୍ୱରିତେ

।।

ତୁମ୍ଭ ପୁତ୍ରକୁ ଯେଉଁ କନ୍ୟା

ଦେବାକୁ ଥିଲା ମୋ ବାସନା

।।

ଆସି ତାହାର ନିଜ ପତି

ଘେନିଣ ଗଲା ମୋ ଦୁହିତୀ

।।

ଯେତେ ଉପାୟ ଆମ୍ଭେ କଲୁ

କେବେହେଁ ରଖି ନ ପାରିଲୁ

।।

ତୁମ୍ଭର ଗୋଚର ନିମନ୍ତେ

ପେଶିଣ ଦେଇଅଛୁ ଦୁତେ

।।

ତୁମ୍ଭ ଉପାୟ ଥିଲେ କର

ବାଟେ ଅଛନ୍ତି କନ୍ୟାବର

।।

ତା ଶୁଣି ପାତ୍ର କୋପ ଭରେ

ସୈନ୍ୟ ସାଜିଲା ସେ ସତ୍ୱରେ

।।

ଧାଇଁଣ ଗଲେ ରାଜବାଟେ

ମିଳିଲେ ରଘୁର ନିକଟେ

।।

ବୋଇଲେ ଆରେ କନ୍ୟା ଚୋର

ଜୀବନେ ଆଶା ଥିଲେ ତୋର

।।

ଛଶଡ଼ି ପଳାଅ ଏ ସୁନ୍ଦରୀ

ନୋହିଲେ ନେବୁ ବାନ୍ଧି କରି

।।

ଶୁଣି ପଛକୁ ଦେଲା ଚାହିଁ

ଅନେକ ସୈନ୍ୟ ଛନ୍ତି ଧାଇଁ

।।

ତା ଦେଖି ପତ୍ନୀ ଆଗେ ଗଲା

ଆପଣେ ପଛରେ ରହିଲା

।।

ପତ୍ନୀ ବୋଇଲା ସ୍ୱାମୀ ଶୁଣ

ଏଥର ହେଲା ମୋ ମରଣ

।।

ତୁମ୍ଭକୁ ମାରି ମୋତେ ନେବେ

ଅନେକ ଭର୍ତ୍ସନା କରିବେ

।।

ଏଥିକି କି ବୁଦ୍ଧି କରିବା

କେମନ୍ତେ ଏଥିରୁ ବଞ୍ଚିବା

।।

ତା ଶୁଣି ରଘୁ ଅରକ୍ଷିତ

ବୋଇଲା ଶୁଣରେସଙ୍ଗାତ

।।

ମୋ ପ୍ରଭୁ ଦାରୁବ୍ରହ୍ମ ମୂର୍ତ୍ତି

ଏ ଛାରକେତେକ ବିପତ୍ତି

।।

ଯେ ତୋତେ ମୋତେ ଭେଟ କରି

ଯେ ବିଷ ତାପୁଁ କଲେ ପାରି

।।

ଏବେ ରଖିବେ ସେହି ମତେ

ଭୋ ସଖି ଭୟ କିମ୍ପା ଚିତ୍ତେ

।।

ଶରଣ ପଞ୍ଜର ଯା ବାନା

ସର୍ବ ଭୟକୁ ବଜ୍ର ସେହ୍ନା

।।

ବ୍ରହ୍ମା ଇନ୍ଦ୍ରାଦି ଯାର ପାଦେ

ଧ୍ୟାନେ ଚିନ୍ତନ୍ତି ଅପ୍ରମାଦେ

।।

ସେ ପ୍ରଭୁ ଥାଉଁ ଥାଉଁ ମୋର

କିମ୍ପା ତୁ ଡରୁ ନାରୀବର

।।

ଏମନ୍ତ କହୁ ପ୍ରିୟା ପାଶେ

ଆଗେ ମିଳିଲେ ବେନି ଅଶ୍ୱେ

।।

ଶ୍ରୀ ବଳଦେବ ବ୍ରହ୍ମରାଶି

ବେନି ଅଶ୍ୱରେ ଛନ୍ତି ବସି

।।

କନ୍ଧେ ଉତ୍ତରୀ ଅଛି ପଡ଼ି

କଟୀରେ ଯମଦାଢ ଭିଡ଼ି

।।

ଢାଲ ପଡ଼ିଛି ପିଠି ପାଶେ

ଦ୍ୱିତୀୟେଶ୍ୱର ପ୍ରାୟେ ଦିଶେ

।।

ବିକ୍ରମସିଂହ ପ୍ରାୟ ହୋଇ

ମିଳିଲେ ଭୃତ୍ୟ ପାଶେ ଯାଇ

।।

ବୋଇଲେ ପ୍ରଭୁ ଦାମୋଦର

କେବଣ ଦେଶେ ତୁମ୍ଭଘର

।।

କାହୁଁ ଅଇଲ ଯିବ କାହିଁ

ଏକାକୀ ସଙ୍ଗେ କେହି ନାହିଁ

।।

ଆବର ତୁମ୍ଭ ପଛକତି

ଅନେକ ସୈନ୍ୟ ଧାଇଁଛନ୍ତି

।।

କହ ଏ କେବଣ ଚରିତ

ତା ଶୁଣି ରଘୁ ଅରକ୍ଷିତ

।।

କହେ ଅତ୍ୟନ୍ତ ଧୀର ବାଣୀ

ଶୁଣି କ୍ଷତ୍ରିୟ ଚୂଡ଼ାମଣି

।।

ଏ ବଡ଼ ଆଚମ୍ୱିତ କଥା

କହି ବସିଲେ ହେବ ପୋଥା

।।

ମୋର ପତ୍ନୀ ମୁଁ ନିଅନ୍ତେ

ମାରିବେ ଆସୁଛନ୍ତି ମୋତେ

।।

ଅନାଥ ପ୍ରାଣୀ ମୁଁ ଅଟଇ

ସଖା ସୋଦର ମୋର ନାହିଁ

।।

କେବଳ ପ୍ରଭୁ ଚକ୍ରପାଣି

ନୀଳାଦ୍ରି ଚକ୍ର ଚୂଡ଼ାମଣି

।।

ତାହାଙ୍କ ବିନା ଅନ୍ୟ ଜଣେ

ନାହିଁ ମୋ ଶରଣ ରକ୍ଷଣେ

।।

ଶୁଣି ସାନନ୍ଦ ବେନି ଭାଇ

ରହିଲେ ଆଗପଛ ହୋଇ

।।

ଦାସ ଦାସୀକି ଆଗ କଲେ

ନିର୍ଭୟେ ଚାଲ ହୋ ବୋଇଲେ

।।

ଆଜ୍ଞା ପ୍ରମାଣେ ବେନି ଜନ

ଅଭୟ ପଞ୍ଜରେ ପଶିଣ

।।

ଆନନ୍ଦେ କରନ୍ତି ଗମନ

ପଛେ ଯେ ଧାଇଁଚନ୍ତି ସୈନ୍ୟ

।।

ଭୃତ୍ୟକୁ ଅନାଇଣ ଦେଲେ

ଗୋବିନ୍ଦ ମାୟା ଭିଆଇଲେ

।।

କୋଟିଏ ସ୍ୱରୂପ ହୋଇଣ

ବେଢି ଅଛନ୍ତି ନାରାୟଣ

।।

ଦେଖି ପ୍ରାଣକୁ ଭୟ କରି

ସୈନ୍ୟ ଯେ ଗଲେ ଅପସରି

।।

ଭେକ ଫଣୀ କି ଦେଖି ଯେହ୍ନେ

ଭୟେ ପଳାନ୍ତି ଏଣେ ତେଣେ

।।

କେଶରୀ ଦେଖି ମୃଗ ଗଜ

ଯେହ୍ନେ ହୁଅନ୍ତି ହତ ବୀର୍ଯ୍ୟ

।।

ଗରୁଡ଼ ଦେଖି ଯେହ୍ନେ ବ୍ୟାଳ

ପଳାଇ ପଶିଲା କି ବୀଳ

।।

ତେମନ୍ତ ପ୍ରାଣର ଆରତେ

ପଳାଇଗଲେ ଯେଝା ମତେ

।।

ଯହୁଁ ସେ ଦଣ୍ଡ ଭଗ୍ନ ହେଲେ

ଭୃତ୍ୟକୁ ଘେନି ପ୍ରଭୁ ଗଲେ

।।

ସେ ରାଜ୍ୟ ସୀମା ପାରିକରି

ଯାଅ ବୋଇଲେ ଦେବ ହରି

।।

ତା ଦେଖି ରଘୁ ଅରକ୍ଷିତ

ପ୍ରଣାମ କଲା ଅପ୍ରମିତ

।।

ବୋଇଲା ତୁମ୍ଭର କୃପାରୁ

ପ୍ରାଣ ପାଇଲୁ ଶତ୍ରୁଠାରୁ

।।

ନୋହିଲେ ଆମ୍ଭ , ଶରୀର

ଦେଖନ୍ତା ଯାଇ ଯମପୁର

।।

ଏଣୁ ତୁମ୍ଭର ପଦ୍ମପାଦେ

ଶରଣ ଗଲୁ ଅପ୍ରମାଦେ

।।

ଯା ମାୟା ଦେବେ ଅଗୋଚର

କାହୁଁ ଚିହ୍ନିବ ନର ଛାର

।।

ଦେଖି ସେ ପ୍ରଭୁ ନାରାୟଣ

ଭୃତ୍ୟକୁ ସଙ୍କଟୁ ତାରିଣ

।।

ବିଜୟ କଲେ ଆଦିମୂଳ

ପ୍ରବେଶ ହେଲେ ନୀଳାଚଳ

।।

ଏଥିଉତ୍ତାରୁ ବେନି ପ୍ରାଣୀ

ଚିତ୍ତେ ଚିନ୍ତିଲେ ଚକ୍ରପାଣି

।।

ସବୁ ଆପଦୁ ପାର ହୋଇ

ଆନନ୍ଦେ ଗଲେ ପଥବାହି

।।

କେତେ ହେଁ ଦିନର ଭିତରେ

ପ୍ରବେଶ ହେଲେ କ୍ଷେତ୍ରବରେ

।।

ପ୍ରଭୁଙ୍କୁ ଦରଶନ କଲେ

ଦକ୍ଷିଣ ପାରୁଶେ ରହିଲେ

।।

ମନ୍ଦିର ଖଣ୍ଡି ଏକ କିଣି

ତହିଁ ରହିଲେ ବେନି ପ୍ରାଣୀ

।।

ସକଳ ଚିନ୍ତା ଦୂରେ ତେଜି

ହୃଦେ ପ୍ରଭୁଙ୍କୁ ଭାବେ ଭଜି

।।

ନ ଜାଣେ ଅନ୍ୟ କଥାମାନ

ନିରତେ ଗୋବିନ୍ଦ ଗାୟନ

।।

ଦାରୁବ୍ରହ୍ମଙ୍କ ଲୀଳା ଯେତେ

ଭଜୁ ଯେ ଥାଇ ଅନୁବ୍ରତେ

।।

ତ୍ରିଧୂପ ପଞ୍ଚ ଅବକାଶ

ଖଟିଣ ଥାଇ ପ୍ରଭୁ ପାଶ

।।

କଳା ଶ୍ରୀମୁଖକୁ ଚାହିଁଣ

ବାହୁନୁଥାଇ ତାଙ୍କ ଗୁଣ

।।

ଦେଖିଣ ଶ୍ୱେତ ପଦ୍ମତୋଳା

ଆନନ୍ଦେ ହେଉଥାଇ ଭୋଳା

।।

ଶ୍ରୀପାଦ ପଦ୍ମେ ନିତ୍ୟେ ଭାବି

ବୋଲେ ମୁଁ ପରିମୁଣ୍ଡା ଯିବି

 

ଏମନ୍ତ ବୋଲି ଭାବ ଭୋଜେ

ନେତ୍ରୁ ଲୋତକ ଧାରାଗଳେ

।।

କରେ ବଜାର କରତାଳ

ଭଜନ ଗୋବିନ୍ଦ ଗୋପାଳ

।।

ନାଚଇ କଳାରାଟ ଘରେ

ତା ଭଙ୍ଗୀ କହିଲେ ନ ସରେ

।।

ଜଗମୋହନେ ଗଡ଼ି ଯାଇ

ଗରୁଡ଼ ପଛେ ଉଭା ହୋଇ

।।

ଜଣାଇ ଦୁଃଖ ସୁଖ ଯେତେ

ଚଳଇ ଭିକ୍ଷାର ନିମନ୍ତେ

।।

କ୍ଷେତ୍ରରେ ବୁଲି ଭିକ୍ଷା କରେ

ଯେ ଅବା ମିଳେ ତା ଭାଗ୍ୟରେ

।।

ଘେନି ଚଳଇ ନିଜ ପୁରେ

ଦିଅଇ ନେଇ ପତ୍ନୀଠାରେ

।।

ପତ୍ନୀ ଯା କରଇ ରନ୍ଧନ

ସ୍ୱାମୀ ତା କରଇ ଭୋଜନ

।।

ତା ଅବଶେଷ ଖାଏ ନାରୀ

ତା ବିନୁ ନ ରକ୍ଷଇ ବାରି

।।

ଏମନ୍ତେ ବଞ୍ଚଇ ତରୁଣୀ

ପତିକି ଗୁରୁ ପ୍ରାୟେ ମଣି

।।

ପତି କି କରେ ଅତି ଦୟା

ଏକଇ ପ୍ରାଣ ବେନି କାୟା

।।

ଏମନ୍ତ ବଞ୍ଚୁଥାଇ ଦିନ

ଭଜିଣ ଶ୍ରୀ ମଧୁସୂଦନ

।।

ସାଧୁ ଜନଙ୍କୁ ଦେଖେ ଯହିଁ

ନିର୍ମଳ ଭକତି କରଇ

।।

ସକଳ ଜୀବେ ଦୟା ତାର

ନିରତେ ପର ଉପକାର

।।

ନ ହରେ ପର ନାରୀ ଚିତ୍ତ

ନୋହେ କପଟ କୁଟଚିତ୍ତ

।।

ଦ୍ୱାରେ ଦେଖିଲେ ଅଭ୍ୟାଗତେ

ବିପ୍ର ବୈଷ୍ଣବ ଆଦି ଯେତେ

।।

ବାନ୍ଧବ ପ୍ରାୟ ତାଙ୍କୁ ମଣି

ତୋଷଇ ଦେଇ ଅନ୍ନପାଣି

।।

ଚିନ୍ତା ନ ଥାଇ ତାର ମନ

ପ୍ରଭୁ ପ୍ରେମରେ ସେ ଗମନ

।।

ଏମନ୍ତେ ଗଲା ଦିନ କେତେ

ତା କୀର୍ତ୍ତି ଶୁଭିଲା ଜଗତେ

।।

ଲୋକେ ବୋଇଲେ ଧନ୍ୟ ଧନ୍ୟ

ରଘୁ ଅରକ୍ଷିତର ଜୀବନ

।।

ଦରିଦ୍ର ହେଲେ କିସ ହେବ।

ଦୁର୍ଲ୍ଲଭ ଅଟେ ତାର ଭାବ

।।

ଭିକ୍ଷା ସେ ମାଗିଣ ଜୀଇଛି

ଯେ ଯାହା ମାଗିଲେ ଦେଉଛି

।।

ଆବର ପ୍ରଭୁ ନାମ ଯେତେ

ଗାୟନ କରୁଥାନ୍ତି ନିତ୍ୟେ

।।

କହେ ବିନୟ ଧୀର ବାଣୀ

ଧନ୍ୟ ଅଟନ୍ତି ବେନି ପ୍ରାଣୀ

।।

ଏମନ୍ତେ ବୋଲନ୍ତି ସମସ୍ତେ

ପ୍ରଶଂସା କରି ଯେଝାମତେ

।।

ଏମନ୍ତ ସମୟରେ ପୁଣ

ବୈଷ୍ଣବ ସାତ ପାଞ୍ଚଜଣ

।।

ଅପୂର୍ବ ଅଟନ୍ତି ସେମାନେ

ଅଇଲେ କ୍ଷେତ୍ର ଦରଶନେ

।।

ପ୍ରବେଶ ହେଲେ ନୀଳଗିରି

ପ୍ରଭୁଙ୍କ ଦରଶନ ସାରି

।।

ବୁଲିଲେ ଭୋଜନ ନିମନ୍ତେ

ତହୁଁ ବୋଇଲେଜଣ କେତେ

।।

ରଘୁ ଅର୍କ୍ଷିତଙ୍କ ଭୁବନେ

ବିଜୟ କର ସାଧୁମାନେ

।।

ତାହାର ଅଛି ଭକ୍ତିଭାବ

ଗଲେ ଭୋଜନ ନିଶ୍ଚେ ଦେବ

।।

ଶୁଣି ଚଳିଲେ ସାଧୁ ବୃନ୍ଦ

ମନରେ ହୋଇଣ ଆନନ୍ଦ

।।

ଭକତ ଭାବେ ବିଜେ କଲେ

ତା ନାମ ଧରିଣ ଡାକିଲେ

।।

ଅତିଥି ଡାକ ଶୁଣି କର୍ଣ୍ଣେ

ଅତି ଆନନ୍ଦ ହୋଇ ମନେ

।।

ମନ୍ଦିରୁ ବାହାର ହୋଇଲା

ସାଧୁଙ୍କୁ ଦରଶନ କଲା

।।

ବୋଇଲା ଆଜ୍ଞା କର ମୋତେ

କି କାର୍ଯ୍ୟ କରିବି ତୁରିତେ

।।

ଶୁଣି କହିଲେ ସାଧୁମାନେ

ଆମ୍ଭଙ୍କୁ ତୋଷ ଅନ୍ନ ଦାନେ

।।

ଅଇଲୁ କୀର୍ତ୍ତି ଶୁଣି ତୋର

ଏଥିରେ ବିଳମ୍ବ ନ କର

।।

ସନ୍ତୋଷ କଲେ ସାଧୁଗଣ

ପାଇବୁ ପରମ କାରଣ

।।

ତା ଶୁଣି ରଘୁ ଅରକ୍ଷିତ

ବିଚାର କଲା ହୃଦଗତ

।।

କି ବୁଦ୍ଧି କରିବି ଏଥର

ଘରେ ତ କିଛି ନାହିଁ ମୋର

।।

ଏମନ୍ତ ବୋଲି ଅତିଥିଙ୍କୁ

ବସାଇ ଗଲେ ମନ୍ଦିରକୁ

।।

ପତ୍ନୀ କି ବୋଲେ ସଖି ଶୁଣ

ଅତିଥି ପାଞ୍ଚ ସାତଜଣ

।।

ଦ୍ୱାରେ ପ୍ରବେଶ ହେଲେ ଆସି

ଭୋଜନ ମାଗୁଛନ୍ତି ବସି

।।

ଏଥକୁ କି ବୁଦ୍ଧି କରିବା

କେମନ୍ତେ ତାଙ୍କୁ ଚରଚିବା

।।

ଘରେ ତ କିଛି ନାହିଁ ଧନ

କହ ଗୋ ଯୁବତୀ ରତନ

।।

ତା ଶୁଣି ବୋଲଇ ସୁନ୍ଦରୀ

ଶୁଣ ହେ ପ୍ରାଣ ଅଧିକାରୀ

।।

ଦେବା ଦିଆଇବାକୁ ହରି

କରତା ଅଟନ୍ତି ସବୁରି

।।

ଏଥକୁ ଶୋଚନା ନ କର

ମୋ ଅଙ୍ଗେ ଯେତେ ଅଳଙ୍କାର

।।

ଅଛଇ ବେଗେ ଘେନିଯାଅ

ସାଧୁଙ୍କ ଘରେ ବାନ୍ଧା ଦିଅ

।।

କିଛି ହିଁ ଧନ ଘେନି ଆସ

ସାଧୁମାନଙ୍କୁ କର ତୋଷ

।।

ତାହା ଶୁଣିଣ ନିଜ ପତି

କୋଳେ ବସାଇଣ ଯୁବତୀ

।।

ବୋଇଲା ଧନ୍ୟ ଚାନ୍ଦ ମୁହିଁ

ମୋର ସୁଗତି ଦାତ୍ରୀ ତୁହି

।।

ଏବେ ତୁ ଶୁଣ ମୋ ଉତ୍ତର

ହୃଦୟ ମଧ୍ୟରେ ବିଚାର

।।

ନେଲେ ମୁଁ ଏତେ ଅଳଙ୍କାର

ଲୋକେ ଦେଖିଲେ ଅସୁନ୍ଦର

।।

ବୋଲିବେ ରଘୁ ଅରକ୍ଷିତ

କାହୁଁ ଆଣିଲା ଏତେ ବିତ୍ତ

।।

ଭିକ୍ଷା ମାଗିବା ଭେକ ଏହି

କାହୁଁ ବା ଆରିଲା ଚୋରାଇ

।।

ଏମନ୍ତ ବୋଲେ ମନେ ମନ

କରିବେ ସିନା ଅନୁମାନ

।।

ଏବେ ତୁ ଅଳଙ୍କାର ଘେନି

ବହନ ଯାଅରେ ତରୁଣୀ

।।

ସାଧୁର ଘରେ ବନ୍ଧାହୋଇ

ପଞ୍ଚାଶ ମୁଦ୍ରା ଆଣ ତୁହି

।।

ଆଠଦିନକୁ କଣ୍ଟ କର

ମିଶାଇ ମୂଳ କଳନ୍ତର

।।

ଶୁଝିଣ ଦେବା ମୂଳ ତାର

ଆଣିବା ଆମ୍ଭ ଅଳଙ୍କାର

।।

ସ୍ୱାମୀ ବଦନୁ ଏହା ଶୁଣି

ସେ ପତିବ୍ରତା ଶିରୋମଣି

।।

ଚଳିଣ ଗଲା ଆନନ୍ଦରେ

ପ୍ରବେଶ ସାଧୁର ମନ୍ଦିରେ

।।

ଅଙ୍ଗ ଭୁଷଣ ମାନ ଫେଇ

ଥୋଇଲା ଧନୀ ଆଗେ ନେଇ

।।

ବୋଇଲା ଶୁଣ ମହାଜନ

ରଖ ଏ ଅଳଙ୍କାର ମାନ

।।

ଶତେ ସୁନିଆ ଦେଇଥିବ

ଲାଭ ମିଶାଇ ମୂଳ ନେବ

।।

ଅନେକ ହେବ ଉପକାର

ଧର୍ମେ ଲାଗିବ ଧନ ତୋର

।।

ସୁଧା ସମାନ ଧୀରବାଣୀ

ଧନୀ ସୁନ୍ଦରୀ ମୁଖୁଁ ଶୁଣି

।।

ବିଚାର କଲା ତାର ଚିତ୍ତେ

ଏ କେହ୍ନେ ଲାଭ ହେବ ମୋତେ

।।

ତାର ସୁନ୍ଦର ରୂପ ଚିନ୍ତି

ବୋଲଇ ଶୁଣରେ ଯୁବତୀ

।।

ବନ୍ଧାରେ ପ୍ରୟୋଜନ ନାହିଁ

ଯାହା କହୁଛି ଶୁଣ ତୁହି

।।

ଯେବେ ତୁ ଦେବୁ ରତିଦାନ

ଗଣି ଦେଉଛି ନିଅ ଧନ

।।

ତାହା ଶୁଣିଲା ନାରୀମଣି

ବଜ୍ର ପଡ଼ିଲା ପ୍ରାୟ ମଣି

।।

ଶୁଣି ସେ ଚିନ୍ତା କରି ମନ

ବୋଲଇ ଶୁଣ ମହାଜନ

।।

ଦଣ୍ଡେକ ମାତ୍ର ହୁଅ ସ୍ଥିର

କହି ଚାଲିଲା ନାରୀବର

।।

କାନ୍ତ ଆଗରେ ଏ ଚରିତ

ବୁଝାଇ କହିଲା ସମସ୍ତ

।।

ଏ ହାନି ଲାଭର କାରେଣୀ

ତୁମ୍ଭେ ମୋହର ପ୍ରାଣମଣି

।।

ଏଥକୁ କି ବିଚାର କହ

ଶୁଣି ସନ୍ତୋଷ ହେଉ ଦେହ

।।

ତା ଶୁଣି ରଘୁ ଅରକ୍ଷିତ

ବୋଇଲା ଶୁଣରେ ସଙ୍ଗାତ

।।

ସାଧୁମାନଙ୍କ ଉପକାରେ

ଲାଗିବ ଆମ୍ଭର ଭାଗ୍ୟରେ

।।

ଯାହା ବୋଇଲା ମହାଜନ

ସମ୍ମତ କରି ଆଣ ଧନ

।।

ତାହା ଶୁଣିଣ ମହାସତୀ

ବୋଲଇ ଶୁଣ ପ୍ରାଣପତି

।।

ତୁମ୍ଭର ଆଜ୍ଞା ପାଇ ମୁହିଁ

ଗଲିଟି ମୋର ଦୋଷ ନାହିଁ

।।

ଏମନ୍ତ କହି ଚଳିଗଲା

ସାଧୁର ମନ୍ଦିରେ ମିଳିଲା

।।

ବୋଇଲା ଶୁଣ ହେ ସାଧୁତ

ଆମ୍ଭେ ତା କଲୁ ସନମତ

।।

ବିଳମ୍ୱ ନ କରିଣ ଧନ

ଦିଅନ୍ତୁ ଯିବଇଁ ବହନ

।।

ରଜନୀ ପହରକ ଠାରେ

ତୁମ୍ଭେ ଆସିବ ଆମ୍ଭପୁରେ

।।

ବାଞ୍ଛା ସମ୍ପୂର୍ଣ୍ଣ ରତି ରଙ୍ଗ

ଭୋଗ କରିବ ମୋର ଅଙ୍ଗ

।।

ଶୁଣି ଆନନ୍ଦ ମହାଜନ

ନଗଦ ଗଣିଦେଲା ଧନ

।।

ଧରି ସୁନ୍ଦରୀ ଚଳିଗଲା

ସ୍ୱାମୀର ହସ୍ତେ ନେଇ ଦେଲା

।।

ସେ ଧନ ପାର ଆନନ୍ଦିତ

ହୋଇଣ ରଘୁ ଅରକ୍ଷିତ

।।

ଚଳିଣ ଗଲା ଅତିବେଗେ

ମିଳିଲା ସିଂହଦ୍ୱାର ଆଗେ

।।

ରୋଷ ସେବକ ଡାକି ଆଣି

ବରଗି ଦେଲା ତାକୁ ଆଣି

।।

ବୋଇଲା ଶୁଣ ହେ ସୁଆର

ପ୍ରଭୁ ମଣୋହି ବେଗେ କର

।।

କ୍ଷିରୀ ଖେଚଡ଼ି ଶାଳି ଅନ୍ନ

ନାନାଦି ପ୍ରକାର ବ୍ୟଞ୍ଜନ

।।

ନାଡ଼ି ଯେ ସରପୁଳି ଗଜା

ଅମାଲୁ ଆଦି ଦ୍ରବ୍ୟ ଖଜା

।।

କାନ୍ତି କାକରା ଆଜି ପିଠା

ସେ ସରପଣା ଦଧି ପିଠା

।।

ପ୍ରଥମ ଧୂପେ ଏତେ ହେବ

ସାଧୁଙ୍କୁ ନିମନ୍ତେ ଆସିବ

।।

ଏଥିରେ ବିଳମ୍ୱ ନ କର

କହି ଚଳିଲେ ନିଜ ପୁର

।।

ଏମନ୍ତେ କେତେଦିନ ଗଲା

ରୋଷାଇ ତିଆରି ହୋଇଲା

।।

ଭୋଗ ମଣ୍ଡପେ ଭୋଗ କରି

ପ୍ରଭୁଙ୍କ ନଇବେଦ୍ୟ ସାରି

।।

ମହାପ୍ରସାଦ ବହି ନେଲେ

ରଘୁ ଅରକ୍ଷିତ ପାଶେ ଗଲେ

।।

ଦେଖି ଭକତ ଅତିତୋଷେ

ମିଳିଲା ଅତିଥିଙ୍କ ପାଶେ

।।

ବୈଷ୍ଣବ ପଙ୍ଗତ ବସାଇ

ପ୍ରସାଦ ପରଷିଲେ ନେଇ

।।

ଯାହାର ଯେଉଁ ଦ୍ରବ୍ୟମାନ

ସନ୍ତୋଷେ କଲେ ତା ଭୋଜନ

।।

ଭୋଜନ ସାରି ସାଧୁଗଣ

ଦାସକୁ କରିଣ କଲ୍ୟାଣ

।।

ଚଳିଣ ଗଲେ ଯେଝାମତେ

ପ୍ରଶଂସା କରିଣ ସମସ୍ତେ

।।

ଏଥି ଉତ୍ତାରୁ ଦିନ ଶେଷ

ରଘୁ ଅର୍କ୍ଷିତ ପତ୍ନୀ ପାଶ

।।

କହଇ ଶୁଣ ପ୍ରାଣ ସହୀ

ତୋତେ ଯେ ଧନ ଅଛି ଦେଇ

।।

ସେ ବିଜେ କଲେ ଆମ୍ଭପୁର

କରିବୁ ଅତ୍ୟନ୍ତ ଆଦର

।।

ତାଙ୍କୁ ମୋଠାରୁ ଶତଗୁଣେ

ସେବା କରିବୁ ତା ଚରଣେ

।।

ଯେଉଁ ପ୍ରକାର ମନ ତାର

ସେହି ପ୍ରକାରେ ସେବା କର

।।

ଯେବେ ମୋଠାରେ ଅଛି ମନ

ବୁଝିବୁ ଯୁବତୀ ରତନ

।।

ଏମନ୍ତ କହି ଚଳିଗଲା

ଅନ୍ତର ହୋଇଣ ରହିଲା

।।

ପତ୍ନୀ ଅନେକ ତୋଷ ହୋଇ

କନକ ସମ ଯାର ଦେହି

।।

ଅଗ୍ରେ ଜାଳିଣ ଦୀପାବଳୀ

ପଲଙ୍ଗେ ବସି ଅଛି ବାଳୀ

।।

ଏମନ୍ତ ଦାସଙ୍କର ଦ୍ୱାରେ

ତୁଣ୍ଡ ଶୁଣାଇ କାଶି ଧୀରେ

।।

ତାହା ଶୁଣିଣ ଶୁଭ୍ରକେଶୀ

ଚିତ୍ତେ ଚିନ୍ତିଲା ବ୍ରହ୍ମରାଶି

।।

ବୋଇଲା ଶୁଣ ଧନୀ ଶିଷ୍ୟ

ନିର୍ଭୟ ହୋଇ ବେଗେ ଆସ

।।

ଶୂନ୍ୟ ମନ୍ଦିରେ ମୁହିଁ ଏକା

କିମ୍ପା ତୁମ୍ଭର ମନେ ଶଙ୍କା

।।

ଆମ୍ଭ ଭରସା ନରହରି

ଦ୍ରୌପଦୀ ଲଜ୍ଜା ନାଶକାରୀ

।।

ଏମନ୍ତ ପ୍ରଭୁ ଥାଉ ଥାଉ

ଚିତ୍ତେ କାହାକୁ ଭୟ ଆଉ

।।

ପଲଙ୍କ ଉପରକୁ ଧୀରେ

ଚାହାନ୍ତେ ପ୍ରେମ ନୟନରେ

।।

ଦେଖିଲା ବସିଛି ସୁନ୍ଦରୀ

ଅତି ଆନନ୍ଦ ମନ କରି

।।

କାହାର ପଛେ ଦେବହରି

ସତୀକି କୋଳାଗ୍ରତ କରି

।।

ଆବୋରି ବସିଣ ଅଛନ୍ତି

ଲକ୍ଷ୍ମୀଙ୍କି ଘେନି ଯଦୁପତି

।।

କିବା ପାର୍ବତୀ କୋଳେ ଧରି

ବିଜୟ ପଭୁ ଶୂଳଧାରୀ

।।

କି ଇନ୍ଦ୍ର କୋଳେ ଇନ୍ଦ୍ରାୟଣୀ

ଚନ୍ଦ୍ରର କୋଳେ କି ରୋହିଣୀ

।।

କିବା ସାରଦା ଘେନି ପତି

ବିଜୟ କରିଣ ଅଛନ୍ତି

।।

ତେସନ ପ୍ରଭୁ ଭାବଗ୍ରାହୀ

ସତୀକି କୋଳରେ ବସାଇ

।।

ବିଜୟ ପ୍ରଭୁ ଆଦିମୂଳ

ଧନୀ ଦେଖିଣ ହେଲା ଭୋଳ

।।

ଶ୍ରୀହରି ଅଭୟ ପଞ୍ଜରେ

ଭୃତ୍ୟ ନାରୀକି କୋଳ କଲେ

।।

ତା ଦେଖି ଧନୀ ପାଞ୍ଚେ ମନ

ଏତ ଜ୍ୱଳନ୍ତା ହୁତାଶନ

।।

ଡ଼େଇଁବା କରୁଥିଲି ମନ

କେମନ୍ତେ ଧରିବି ଜୀବନ

।।

ନିଜ ଜନନୀଠାରେ ଯେହ୍ନେ

ମୂଢ ଦୁର୍ଭୁଦ୍ଧି ଇଚ୍ଛେ ମନେ

।।

ମୁଁ ମୂଢ ତେହ୍ନେ ମନ୍ଦ କଲି

ଫଣୀ ଫଣାରେ ହସ୍ତ ଦେଲି

।।

ଏମନ୍ତ ବୋଲି ଅବହେଳେ

ପଡ଼ିଲା ସତୀ ପାଦତଳେ

।।

ତାହା ଦେଖିଣ ମହାସତୀ

ହୃଦପଦ୍ମରେ କଲା ଭୀତି

।।

ବୋଇଲା ଏ କି ବିପରୀତ

ସୁରତି ଛାଡ଼ି ଦଣ୍ଡବତ

।।

କରିବା ଉଚିତ କୁହଁଇ

ଉଠ ସାଧୁତ ବେଗ ହୋଇ

।।

ଅବଳା ମୁଖୁଁ ଏହା ଶୁଣି

ଉଠି କପାଳେ ଦେଲା ପାଣି

।।

ବୋଲେ ହେ ସତୀ ନାମେ ତୋତେ

ଶରଣ ଗଲି ରଖ ମୋତେ

।।

ଯେତେ ଅପ୍ରାଧ କଲି ତୋତେ

ଚିତ୍ତେ ନ ଧର କଦାଚିତ୍ତେ

।।

ପୁତ୍ର ଯେ ମାତା ଗର୍ଭେ ଥାଇ

ସେ ଯେବେ ପାଦ ପ୍ରହାରଇ

।।

ମାତା କି ଘେନେ ତାର ଦୋଷ

ସେ ରୂପେ ମୁହିଁ ତୋର ଶିଷ୍ୟ

।।

ତୁମ୍ଭେ ଯେ ପୁଣ୍ୟ ସ୍ତିରୀ ବୋଲି

ମୁଁ ମୂଢ ଜାଣି ତ ନ ଥିଲି

।।

ଏବେ ତୋ କୃପାଦୃଷ୍ଟି ଲାଗି

ମୁଁ ଯେ ହୋଇଲି ମୋକ୍ଷଭାଗୀ

।।

ଏମନ୍ତ ବୋଲିଣ ଲେଉଟି

ସତୀ ଚରଣ ତଳେ ଲୋଟି

।।

ଏଥି ଉତ୍ତାରୁ କଥା ଶୁଣ

ସେ ହରି ଭକତ ଲକ୍ଷଣ

।।

ଅନ୍ତର ହୋଇଯାଇଥିଲା

ତାହାର ମନେ ବିଚାରିଲା

।।

ଧନୀ ଯେ ଥିଲା ଧନ ଦେଇ

ସନ୍ତୋଷ ହେଲା କି ସେ ନାହିଁ

।।

ଏମନ୍ତ ବୋଲିଣ ସତ୍ୱର

ପ୍ରବେଶ ହେଲା ନିଜ ପୁର

।।

ଦେଖିଲା ନାରୀ ପାଦତଳେ

ଧନୀ ଶୋଇଛି ଭାବଭୋଳେ

।।

ରଘୁ ଅର୍କ୍ଷିତ ବୋଲେ ତହିଁ

ଉଠ ସାଧବ ବେଗ ହୋଇ

।।

ଯୁବତୀ ଗୋଟିକ ଚରଣେ

ପଡ଼ିଛ କେବଣ କାରଣେ

।।

ତା ଶୁଣି ଧନୀ ତେବେ ଉଠି

ରଘୁ ଅର୍କ୍ଷିତ ପାଦେ ଲୋଟି

।।

କହିଲା ସକଳ ବୁଝାଇ

ଦେଖ ହେ ପ୍ରଭୁ ଭାବଗ୍ରାହୀ

।।

ତୁମ୍ଭ ପତ୍ନୀକି କୋଳେ ଧରି

ପ୍ରଭୁ ଅଛନ୍ତି ବିଜେ କରି

।।

ତା ଶୁଣି ଆଚମ୍ୱିତ ହେଲେ

ସମସ୍ତ ଅନାଇଣ ଦେଲେ

।।

ଦିଶେ ନ ଦିଶେ ଭଗବାନ

ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ

।।

ସେ ତିନିଜଣ ଭାବଭୋଳେ

ଏକ ଆରକେ ଧରିକୋଳେ

।।

ପ୍ରଭୁ ମହିମା କହି ଭଲେ

ଆନନ୍ଦ ସାଗରେ ଭାସିଲେ

।।

ଏଥି ଉତ୍ତାରୁ ସେ ସାଧୁତ

ବିନୟି କହିଲା ବହୁତ

।।

ପୁଣି ଅନେକ ଧନ ଦେଲା

ମେଲାଣି ହୋଇଣ ସେ ଗଲା

।।

ସେ ପତି ପତ୍ନୀ ବେନିଜନେ

ଚିନ୍ତିଲେ ଶ୍ରୀହରି ଚରଣ

।।

ଆନନ୍ଦେ ବଞ୍ଚିଲେକ ଦିନ

କୋଳେ ଲଭିଲେ ମୁକ୍ତିସ୍ଥାନ

।।

କହଇ ବିପ୍ର ରାମଦାସ

ମୋ ପ୍ରଭୁ କମଳା ବିଳାସ

।।

ସେ ଦାରୁବ୍ରହ୍ମଙ୍କ ଚରଣେ

ମୋ ଚିତ୍ତ ରହୁ ଅନୁକ୍ଷଣେ

।।

ଏ ଦାର୍ଢ୍ୟଭକ୍ତି ରସାମୃତ

ସୁଜନେ ପିଅ ଶ୍ରୁତି ପଥ

।।

ମୁକତି ହେବ ଦିନୁ ଦିନ

ନ ହେବ ଯମ ଦରଶନ

।।

ସୁଖେ ଅମର ପଦ ପାଇ

ବସିବ ଦେବଲୋକେ ଯାଇ

।।

 

 

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ

ରଘୁ ଅରକ୍ଷିତ ମୋକ୍ଷଣେ ନାମ ନବମୋଧ୍ୟା ୟଃ

•••

 

ଦଶମ ଅଧ୍ୟାୟ

ନୀଳାମ୍ୱର ଦାସ ସମ୍ବାଦ

ଚୈତନ୍ୟ ଉବାଚ

 

ଶୁଣି ଚୈତନ୍ୟ ମନ ତୋଷେ

କହଇ ମନରାଜା ପାଶେ

।।

ହେ ମନ ସାବଧାନେ ଶୁଣ

କହଇ ଭକତ ଲକ୍ଷଣ

।।

ଉତ୍ତର ଖଣ୍ଡେ ତାର ଘର

ବ୍ରାହ୍ମଣ ନାମ ନୀଳାମ୍ୱର

।।

କୁଟୁମ୍ୱ ପୋଷଣ ନିମନ୍ତେ

ଜୀବିକା କରେ ନାନା ମତେ

।।

ଗୃହୀଗୃହରେ ରହିଥାଇ

ଦୁଃଖକୁ ଶୋଚନା ନ ଥାଇ

।।

ବିଷୟାଜାଲ ଏ ସଂସାର

ସକଳ ଜୀବେ ଦୟା ତାର

।।

ଶ୍ରୀହରି କଥାମୃତ ସାର

ଶ୍ରୁତି ପିବଇ ନିତ୍ୟେ ଯାର

।।

ସକଳ ଶାସ୍ତ୍ରେ ସୁପଣ୍ଡିତା

ଜାଣଇ ପାପ ପୁଣ୍ୟକଥା

।।

ଜିତଇନ୍ଦ୍ରିୟ ଧୀର ବୁଦ୍ଧି

ନିର୍ଦ୍ଧୋଷ ଶାନ୍ତି ଆତ୍ମା ଶୁଦ୍ଧି

।।

ନିର୍ଲ୍ଲୋଭ ନିର୍ମୋହ ନିର୍ଭୟ

ପବିତ୍ର ସଦାନନ୍ଦ ମୟ

।।

କେବଳ ଗୋବିନ୍ଦ ଭଜନ

ବରି ବଞ୍ଚଇ ରାତ୍ର ଦିନ

।।

ଏମନ୍ତେ କେତେ ଦିନ ଗଲା

ଦିନେ ତା ମନେ ବିଚାରିଲା

।।

ଯେତେ ଏ ପୁତ୍ର ଦାରାଧନ

ଏସବୁ ମାୟାର ବନ୍ଧନ

।।

ଏହାଙ୍କ ସଙ୍ଗେ ସଙ୍ଗ ହୋଇ

ବିଅର୍ଥ ଗଲା ମୋର ଦେହୀ

।।

ଯେ ପ୍ରଭୁ ଜଗତ ଈଶ୍ୱର

କମଳା ଦେବୀଙ୍କର ବର

।।

ଅଶେଷ ଜୀବର କରତା

ଭକତ ମୁକତିର ଦାତା

।।

ସେ ପ୍ରଭୁ ବିଜେ ନୀଳଗିରି

କମ୍ବୁ ରଥାଙ୍ଗ କରେ ଧରି

।।

ପ୍ରବେଶ କଲେ ତାଙ୍କ ପାଶେ

ଅଶେଷ ଜନ୍ମ ପାପ ନାଶେ

।।

ସେ ଦାରୁବ୍ରହ୍ମ ଦରଶନ

ନ କଲି ଧିକ ମୋ ଜୀବନ

।।

ମିଥ୍ୟା ସଂସାର ଦାରା ଧନ

ବୈରାଗ୍ୟ ଉପୁଜିଲା ମନ

।।

ସଜ ହୋଇଲା ସେ ତ୍ୱରିତେ

କ୍ଷେତ୍ରକୁ ଯିବାର ନିମନ୍ତେ

।।

ପଥକୁ ଧଇଲା ସଙ୍ଖାଳି

କନ୍ଧରେ ପକାଇ ଯାଉଁଳି

।।

ଚିତ୍ତେ ଚିନ୍ତିଲା ଭାବଗ୍ରାହୀ

ଆନନ୍ଦେ ଗଲା ପଥ ବାହି

।।

ମନ ନିବେଶି ନୀଳାଚଳେ

ଧୀରେ ଗମଇ ଭାବଭୋଳେ

।।

ମାତା ଅନ୍ତରେ ପୁତ୍ର ଯେହ୍ନେ

ମାତା ଲୋଡ଼ଇ ତାର ମନେ

।।

ସେହି ପ୍ରକାରେ ତାର ମନ

ଚିନ୍ତଇ ସଦା ଭଗବାନ

।।

ପ୍ରଭୁଙ୍କ ଗୁଣ ଗୁଣି ଚିତ୍ତେ

ଚଳିଣ ଯାଏ ରାଜପଥେ

।।

କେତେକ ଦିନର ଉତ୍ତାରେ

ମିଳିଲା ଯାଇ ଗଙ୍ଗାତୀରେ

।।

ଘୋର ବନସ୍ତ ପଞ୍ଚକୋଶ

ତା ମଧ୍ୟେ ହୋଇଲା ପ୍ରବେଶ

।।

ଏକା ଗମଇ ନାହିଁ ଭୀତି

ଚିନ୍ତିଣ ଦାରୁବ୍ରହ୍ମମୂର୍ତ୍ତି

।।

ସେ ବନ ଅଟେ ଗଙ୍ଗାତଟେ

ମିଳିଲା ଅତି ମନ ହୃଷ୍ଟେ

।।

ଦେଖିଲା ପୂରିଅଛି ଜଳ

ଦିଶଇ ନାହିଁ ଥଳକୂଳ

।।

ଏକେ ତ ବରଷା ସମୟ

ଦେଖି ହୃଦରେ କଲା ଭୟ

।।

କେମନ୍ତେ ଗଙ୍ଗା ପାରି ହେବି

ତରାଇ ବିନା କି ତରିବି

।।

ଜନ ଶବଦ ଏଥେ ନାହିଁ

କାହାକୁ ପଚାରିବି ମୁହିଁ

।।

ନାବ ଅଛଇ କେଉଁ ପାଶେ

ବୋଲି ଚାହିଁଲା ଦଶଦିଶେ

।।

ଏକ ତରାଇ ଖଣ୍ଡଦୂରେ

ନାବ ପକାଇ ମୀନ ମାରେ

।।

ଦେଖି ଉସତ ନୀଳାମ୍ୱର

ଡାକ ଛାଡ଼ିଲା ଉଚ୍ଚସ୍ୱର

।।

ତରାଇ ଭାଇ ନାବ ଆଣ

ଏ ଜଳୁ କର ପରିତ୍ରାଣ

।।

ବେଳ ଯେ ହେଉଛି ଉଛୁର

ଘୋର ଗହନ ନଦୀ ତୀର

।।

ଏଠାରେ ଘର ଗ୍ରାମ ନାହିଁ

ନଦୀ ତରିଲେ ଯିବି ମୁହିଁ

।।

ଦେଖ ହୋ ସାହା କେହି ନାହିଁ

ଅନାଥ ହୋଇଣ ଅଛଇ

।।

ମୋତେ ତୁ କଲେ ଏଥୁ ପାର

ଅନେକ ହେବ ଉପକାର

।।

ତା ଶୁଣି ତରାଇ ହରଷ

ନାବ ବାହିଲା ତାର ପାଶ

।।

ବିଚାର ଦିଗରେ ଦେଲା ଚାହିଁ

ଜନଗହଳି କିଛି ନାହିଁ

।।

ବିଚାର କଲା ତାର ଚିତ୍ତେ

ଦଇବ ଭେଟାଇଲା ମୋତେ

।।

ଏହି ପଥକର ଯାଉଁଳି

ମୋହର ହୋଇବ ସଂଙ୍ଖାଳି

।।

ଧନ ରତନ ଥିବ ଯେତେ

ଖାଇ ବଞ୍ଚିବି ଦିନା କେତେ

।।

ବିଳମ୍ୱ ନ କରିଣ ଏବେ

ଏହାକୁ ବସାଇବି ନାବେ

।।

ବିପଦ ନାବ ବାହିନେବି

ଅଥଳ ଜଳେ ପେଲି ଦେବି

।।

ଏମନ୍ତ ବିଚାରି ହୃଦରେ

ବୋଇଲା ଶୁଣ ବିପ୍ରବରେ

।।

ଏ ଜଳୁ ପାରି କଲେ ତୋତେ

କହ ତୁ କିସ ଦେବୁ ମୋତେ

।।

ତା ଶୁଣି ବୋଇଲା ଭକତ

ଯେ ଦୁଃଖ ମୂଲ୍ୟ ତୋ ଉଚିତ

।।

ଦେଇଣ ଯିବି ମୁହିଁ ତୋତେ

ବେଗେଣ ପାରି କର ମୋତେ

।।

ଶୁଣି ତରାଇ ଶ୍ରଦ୍ଧାଭାବେ

ବିପ୍ରକୁ ବସାଇଲା ନାବେ

।।

ତେଜିଣ ଆତ ଯାତ କୂଳ

ନାବ ବାହିଲା ଘୋର ଜଳ

।।

ଯେ ଦିଗେ ଥଳ କୂଳ ନାହିଁ

ସେହି ଦିଗକୁ ନେଲା ବାହି

।।

ଦେଖିଣ ଶ୍ରୀହରି ଭକତ

ବୋଇଲା ଏ କି ବିପରୀତ

।।

କୂଳକୁ ତେଜି ନାବ ଏଣେ

ବାହୁ ତୁ କେବଣ କାରଣେ

।।

ନିଶ୍ଚେ ତୁ ମୋର ନାଶ ଅର୍ଥେ

ବିଚାର କରୁଅଛୁ ଚିତ୍ତେ

।।

ଧର୍ମ ଲଙ୍ଘିବୁ କିରେ ତୁହି

ତା ଶୁଣି ଧୀବର ବୋଲଇ

।।

ହେ ବିପ୍ର କି ବିଚାରୁ ମୋତେ

ତୋର ମରଣ ମୋର ହସ୍ତେ

।।

ଦଇବ ନିର୍ଭା କରିଥିଲା

ତେଣୁ ଏକାନ୍ତେ ଭେଟାଇଲା

।।

ତାହା ଶୁଣିଣ ସେ ଭକତ

ହୋଇଲା ଅତି ଭୟ ଗ୍ରସ୍ତ

।।

ଆରତେ ଚିନ୍ତେ ଚିନ୍ତାମଣି

ରଖ ରଥାଙ୍ଗ କମ୍ବୁ ପାଣି

।।

ରଖହେ କମଳା ବଲ୍ଲଭ

ରଖ ହେ ନୀଳାଦ୍ରି ସୁଲଭ

।।

ବାରଣ ଦୁଃଖ ନିବାରଣ

ବାରକେ ରଖିବା ଶରଣ

।।

ପ୍ରଭୁ ନୋହିଲେ ସାହା ପକ୍ଷ

ଏ ଦାସ ମଲାଟି ପ୍ରତ୍ୟକ୍ଷ

।।

ବିଳମ୍ୱେ ନାହିଁ ଆଉ କାର୍ଯ୍ୟ

ସତ୍ୱରେ ଆସି ଦେବରାଜ

।।

ଦେଇ କରୁଣା ନାବ ତୋର

ବିପତ୍ତି ସମୁଦ୍ର ଉଦ୍ଧର

।।

ତୁମ୍ଭର ଶ୍ରୀମୁଖ ଦର୍ଶନ

ଉତ୍ତାରୁ ଯାଉ ମୋ ଜୀବନ

।।

ସକଳ ଜାଣ ମହାବାହୁ

ମୋ ଛାର କି କହିବ ଆଉ

।।

ତୁମ୍ଭେ ତ ସର୍ବ ଅନ୍ତର୍ଯ୍ୟାମୀ

ରଖ ନ ରଖ ଦେବସ୍ୱାମୀ

।।

ମୋର ଆରତ ନିବାରଣେ

ବ୍ରହ୍ମାଣ୍ଡେ ନାହିଁ ଅନ୍ୟ ଜଣେ

।।

ଏମନ୍ତ ବୋଲି ସ୍ତୁତି ଭଣି

ଧ୍ୟାନେ ଚିନ୍ତିଲା ଚକ୍ରପାଣି

।।

ତାହା ଜାଣିଲେ ଭଗବାନ

ତେଜିଲେ ରତ୍ନ ସିଂହାସନ

।।

ଭୃତ୍ୟ ରକ୍ଷଣ ଆଦିମୂଳ

ବିଜୟ କଲେ ଗଙ୍ଗାକୂଳ

।।

ମାୟାରେ କ୍ଷତ୍ରି ରୂପଧରି

ଚିତା ଚୈତନ୍ୟ ଶିରେ ଭରି

।।

ଚମ୍ପକ କେତକୀ ପାଖୁଡ଼ା

ମଉଳି ପଡ଼ିଅଛି ବେଢା

।।

କର୍ଣ୍ଣେ କୁଣ୍ଡଳ ଝଲକିତ

କି ଅବା ଅରୁଣ ଉଦିତ

।।

କସ୍ତୁରୀ ଚିତା ଭାଲ ପଟେ

ସୁରତ୍ନମାଳା କଣ୍ଠତଟେ

।।

ହୃଦରେ ପଦକ ବିରାଜେ

ପୀତବସନ କଟୀମାଝେ

।।

ବାହେ ବାହୁଟି ବୀରନେତ

କାଣ୍ଡ କୋଦଣ୍ଡ ଧରି ହସ୍ତ

।।

ନବପଲ୍ଲବ ଡାଳେ ଡାଳେ

ଖଞ୍ଜିଣଛନ୍ତି ଭୁଜମୂଳେ

।।

ଅତି ସୁନ୍ଦର ଚତ୍ନଜଡ଼ି

କଳା ଶ୍ରୀମୁଖ ଯାକ ପଡ଼ି

।।

ହେମକଙ୍କଣ ବେନିପାଣି

ଝଳି ବିରାଜେ ନାନାମଣି

।।

ନୂତନ ନିଶ ଦାଢି ସାଜେ

ଚନ୍ଦ୍ରହୁଁ ଶ୍ରୀମୁଖ ଯାକ ପଡ଼ି

।।

ଷୋଡ଼ଶାବେଶ ନବଯୁବା

କୋଟିଏ ଚନ୍ଦ୍ର ଜିଣି ପ୍ରଭା

।।

ଝଟକ ବିଦ୍ୟୁ ପ୍ରାୟେ ଦିଶି

ଗଗନୁ ପଡ଼ିଲେ କି ଖସି

।।

ଧାଇଁ ଅଛନ୍ତି ବେଗ କରି

ଯେସନେ ବିକ୍ରମ କେଶରୀ

।।

କାର୍ମୁକ ଅଚନ୍ତି ଓଟାରୀ

ଡାକିଲେ ରେରେକାର କରି

।।

ତରାଇ ନାବ ଘେନି ଆସ

ଜୀବନେ ଯେବେ ଅଛି ଆଶ

।।

ଶୁଣି ଶ୍ରୀହରି ସିଂହରଡ଼ି

ତରାଇ ମୁଣ୍ଡେ ବଜ୍ର ପଡ଼ି

।।

ପଞ୍ଚବଟି କି ଦେଲା ଚାହିଁ

ଧୀବର ମନେ ବିଚାରଇ

।।

ଏବିପ୍ର ବଡ଼ ଭାଗ୍ୟବନ୍ତ

ତେଣୁଟି ରଖିଲେ ଅନନ୍ତ

।।

କ୍ରୋଧରେ ଆସୁଛନ୍ତି ଧାଇଁ

ବିପ୍ରକୁ ନେବେ ମୁକୁଳାଇ

।।

ମୁଁ ଏବେ କି ବୁଦ୍ଧି କରିବି

ୟା ହସ୍ତୁ କିପରି ତରିବି

।।

ଏହା ବିଚାରି ନାବ ଫେରି

ବାହିଲା ଧୀର ଧୀର କରି

।।

ନାବ ବାହିବା ହେଳା ଦେଖି

ତକ୍ଷଣେ ପ୍ରଭୁ ପଦ୍ମଆଖି

।।

ଧିଇଲେ ମନଭେଦି ଶର

ବିନ୍ଧିଲେ ବ୍ରହ୍ମାଣ୍ଡ ଠାକୁର

।।

ଶବଦ କରିଣ ପ୍ରଚଣ୍ଡ

ନାବେ ବାଜିଲା ଯାର କାଣ୍ଡ

।।

ଲାଗି ରହିଲା ମୁନ ଗଳି

ଯେସନେ ଝଟକେ ବିଜୁଳି

।।

ଦେଖି ତରାଇ ଛନ ଛନ

ନାମ ବାହିଲା ଘନ ଘନ

।।

ପ୍ରବେଶ ପ୍ରଭୁ ପାଶେ ଯାଇ

ନାବରୁ ପଡ଼ିଲା ଓହ୍ଲାଇ

।।

ବିପ୍ର ତରାଇ ବେନି ଜନ

ଭେଟିଲେ ଗୋବିନ୍ଦ ଚରଣ

।।

ଦେଖି ଶ୍ରୀହରି କୋପଭର

ଗର୍ଜିଲେ ତରାଇ ଉପର

।।

ରେ ରେ ଧୀବର ତହି ମୂଢ

ଆଜୁଁ ଏ ଗର୍ବପଣ ଛାଡ଼

।।

ଆମ୍ଭେ ଏ ବନେ ଜଗିଥାଉଁ

ନ କହି କିମ୍ପା ନାବ ବାହୁ

।।

ଏକାକୀ ଲୋକେ ପାରି କରୁ

ରାଜାର ଗଣ୍ଡା ନାଶ କରୁ

।।

ଏବେ ଏପରି ବୁଦ୍ଧି କଲେ

ନାଶ ଯିବୁଟି ଜାଣ ଭଲେ

।।

ଏମନ୍ତ କହି କୋପମୂର୍ତ୍ତି

କିଞ୍ଚିତେ କଲେ କୋପଶାନ୍ତି

।।

ଅଳପ ହସି ନାରାୟଣ

ବୋଇଲେ ଆହେ ବିପ୍ର ଶୁଣ

।।

ଏ ବନ ଜଗିବା ନିମନ୍ତେ

ଶାଢୀ ଦେଇଛି ରାଜା ମୋତେ

।।

ଯେ ଅବା ଖଣ୍ଟପଣ କରେ

ପଥୁକୀ ଜନ ଧନ ହରେ

।।

କି ଅବା ଧନ ବସ୍ତ୍ରମାନ

ଛଡ଼ାଇ କରଇ ନିଧନ

।।

ତାହାକୁ ଦେଖିବା ନିମନ୍ତେ

ଠଣା ମୁଁ ଜଗିଥାଇ ଏଥେ

।।

ଏକାନ୍ତେ ତାଙ୍କ ପ୍ରାଣ ହରି

ପେଶଇ ଯମରାଜ ପୁରୀ

।।

ତୁମ୍ଭେ ଅଇଲ ସେହି ପଥେ

ଥରେ ତ ନ କହିଲ ମୋତେ

।।

ତା ଶୁଣି ବୋଲଇ ବ୍ରାହ୍ମଣ

ମୋହର ନ ଜାଣିବା ପଣ

।।

ଏଥେ ତୋ ଠଣା ଅଛି ବୋଲି

ଏହା ମୁଁ ଜାଣି ତ ନଥିଲି

।।

ତୁମ୍ଭଙ୍କୁ ନ ଦେଖିଲି ଯେଣୁ

ନ କହି ଅଇଲି ମୁଁ ତେଣୁ

।।

ଏମନ୍ତ ବୋଲି ବିପ୍ର ତହିଁ

ଚିହ୍ନିଲା ନାହିଁ ଭାବଗ୍ରାହୀ

।।

ଯା ମାୟା ଦେବେ ଅଗୋଚର

କାହୁଁ ଜାଣିବ ନର ଛାର

।।

ଯୋଗୀର ଧ୍ୟାନକୁ ଯେ ଦୂର

ମୁନିମାନଙ୍କୁ ଅଗୋଚର

।।

ଏତ ମନୁଷ୍ୟ ହୀନବୁଦ୍ଧି

କାହୁଁ ଚିହ୍ନିବ ଦୟାନିଧି

।।

ମନୁଷ୍ୟ ପ୍ରାୟ ତାଙ୍କୁ ମଣି

ବୋଇଲା ଶୁଣ ବୀରମଣି

।।

ମୋତେ କରୁଣା ବେଗେ କର

ମୁଁ ଏବେ ଯିବି କ୍ଷେତ୍ରବର

।।

ମୋ ପ୍ରାଣନାଥ ଚକ୍ରଧର

ତାଙ୍କ ଦର୍ଶନେ ଇଚ୍ଛାମୋର

।।

ଏବେ ମୁଁ ଏହି ଗଙ୍ଗାନଦୀ

ତରିବି ଯେହ୍ନେ କହ ବୁଦ୍ଧି

।।

ତା ଶୁଣି ପ୍ରଭୁ ନାରାୟଣ

ବୋଲନ୍ତି ତରାଇରେ ଶୁଣ

।।

ବିପ୍ରଙ୍କୁ ନାବରେ ବସାଇ

ଏହି ସଳଖେ ନିଅ ବାହି

।।

ମୋ ଦେଖୁ ଦେଖୁ ପାରିକର

ଜୀବନେ ଆଶା ଥିଲେ ତୋର

।।

ଶୁଣି ତରାଇ କମ୍ପମାନ

ମୁଖରୁ ନ ସ୍ପୁରେ ବଚନ

।।

ଅନେକ ଦଣ୍ଡବତ କଲା

ବିପ୍ରଙ୍କୁ ନାବେ ବସାଇଲା

।।

ଶୁଣ ସୁଜନେ ହେତୁ ଦେଇ

ସାଧୁଙ୍କୁ କଟାଳି ତରାଇ

।।

ଦେଖିଲେ ପ୍ରଭୁ ଆଦିମୂଳ

ସେବାରେ କେତେ ହୁଏ ଫଳ

।।

ବିପ୍ର ହିଁ ନାବରେ ବସିଲା

ଧୀବରେ କୁଟ ନ କହିଲା

।।

ଯେଣୁ ସେ ଅଟେ ସାଧୁଚେତା

ନ ଚିନ୍ତେ ପର ନାଶ କଥା

।।

ଆନନ୍ଦେ ହରି ନାମ ଗାଇ

ତରାଇ ନାବ ନେଲା ବାହି

।।

ଦାରୁବ୍ରହ୍ମଙ୍କୁ ଚିନ୍ତା କରି

ସୁଖେ ତରିଲେ ଗଙ୍ଗାବାରି

।।

ନାବରୁ ଉଠି ବିପ୍ର ଗଲେ

ଶ୍ରୀହରି ଅନ୍ତର୍ଦ୍ଧାନ ହେଲେ

।।

ତରାଇ ଗଲା ନିଜ ପୁର

ଏଥିଉତ୍ତାରୁ ବିପ୍ରବର

।।

କେତେ ହେଁ ଦିନେ ପଥ ବାହି

ମିଳିଲେ କ୍ଷେତ୍ରବରେ ଯାଇ

।।

ଏମନ୍ତ ସମୟରେ ପୁଣ

ଯେ ପଞ୍ଚକୋଶର ମଧ୍ୟେଣ

।।

ଯାତ୍ରା ହୋଇଛି ନୀଳାଚଳେ

ଶ୍ରୀ ନନ୍ଦୀଘୋଷ ରଥ ଚଳେ

।।

ତହିଁ ବିଜୟ ଦେବହରି

ଶ୍ରୀଭୁଜେ ଶଙ୍ଖ ଚକ୍ର ଧରି

।।

ତାଳଧ୍ୱଜରେ ଦେବରାଜ

ରୋହିଣୀ ଦେବୀଙ୍କ ଆତ୍ମଜ

।।

ବିଜେ ଲଙ୍ଗଳ ହଳଧାରୀ

ପ୍ରଳମ୍ୱା ଗଜର କେଶରୀ

।।

ବିଜୟାରଥେ ଦେବୀ ବିଜେ

କି ହେମ ପ୍ରତିମା ବିରାଜେ

।।

ଦୟିତାପତିମାନେ ରଥେ

ଧରିଣ ଯୋଡ଼ି ବେତ ହସ୍ତେ

।।

ଡାକନ୍ତି ମଣିମା ମଣିମା

ଭୃତ୍ୟଙ୍କ ଗୁହାରି ଶୁଣିମା

।।

ସେବକ ଘଣ୍ଟନାଦ କରି

ଶବଦେ କମ୍ପେ ବସୁନ୍ଧରୀ

।।

ବଜାଇ ଶ୍ରୀବୀର କାହାଳୀ

କମ୍ଭୁ ଶବଦ ହୁଳ ହୁଳି

।।

ତୁରୀ ବଇଁଶୀ ବାଦ୍ୟ ଯେତେ

ଟମକ ନିଶାଣ ସହିତେ

।।

ସେବକ ବୃନ୍ଦ ହୋଇ ମେଳି

ନାଚନ୍ତି ଦେଇ କରତାଳି

।।

ମୃଦଙ୍ଗ ମର୍ଦ୍ଦଳ କେ ଧରି

ବଜାଇ ନୃତ୍ୟଗୀତ କରି

।।

କେ ପ୍ରଭୁମାନଙ୍କୂ ଅନାଇ

ଭାବରେ ଗଡ଼ି ଯାଉଥାଇ

।।

କେବା କପାଳେ ଦେଇକର

ଡାକଇ ଜୟ ଜୟକାର

।।

ସବୁରି ମୁଖେ ନାମ ଧ୍ୱନି

କରନ୍ତେ କମ୍ପଇ ମେଦିନୀ

।।

କାଳପିଠିଆ ଅପ୍ରମିତ

ରଥ ଦଉଡ଼ି ଧରିହସ୍ତ

।।

ଅତି ଆନନ୍ଦେ ଓଟାରନ୍ତି

ରଥ କରଇ ଦିବ୍ୟଗତି

।।

ସକଳ ଶବଦରୁ ବଳି

ଶ୍ରୀନନ୍ଦୀଘୋଷ ରଥ ଚଳି

।।

କୋଟି ବ୍ରହ୍ମାଣ୍ଡ ଶୁଭେ ପୂରି

ପ୍ରଭୁ ସମ୍ଭ୍ରମେ ବିଜେ କରି

।।

କରିଣ ସୁର ନର ଗୋଷ୍ଠୀ

ସକଳ ଲୋକେ ସମଦୃଷ୍ଟି

।।

ତା ଦେଖି ବିପ୍ର ବେଗେ ଧାଇଁ

ଭକ୍ତି ଭାବରେ ଭୋଳ ହୋଇ

।।

ଭେଟିଲେ ପ୍ରଭୁ ପାଶେ ଯାଇ

ସାଷ୍ଟାଙ୍ଗ ପାଦେ ପଡ଼ି ଶୋଇ

।।

ଉଠି ମସ୍ତକେ ଦେଲା ହସ୍ତ

ବୋଇଲା ନମୋଃ ଜଗନ୍ନାଥ

।।

ତୁମ୍ଭ ଶ୍ରୀମୁଖ ଦରଶନ

ପାଇଁ ଆତୁର ମୋ ଜୀବନ

।।

ବାଟେ ସଙ୍କଟୁ ରକ୍ଷାକରି

ମୋତେ ଯେ ଆଣିଲ ଉଦ୍ଧରି

।।

ତହିଁର ଲାଭ ଏତେ ହେଉ

ତୋ ପାଦ ଚିନ୍ତି ଦିନଯାଉ

।।

ଏମନ୍ତ ବୋଲି ନାମ ଧରି

କୃଷ୍ଣ କେଶବ ଦଇତ୍ୟାରୀ

।।

ମୁକୁନ୍ଦ ମାଧବ ଅଚ୍ୟୁତ

ପରମାନନ୍ଦ ଗୋପୀନାଥ

।।

ଶ୍ରୀ ନାରାୟଣ ଚକ୍ରପାଣି

ଦୀନବାନ୍ଧବ ରଘୁମଣି

।।

ଶ୍ରୀବତ୍ସ ଲାଞ୍ଛନ ବରଜ

ଜୟ ଦେବାଧି ଦେବରାଜ

।।

ଏସନ ନାମ ଗାୟନରେ

ନେତ୍ରୁ ଲୋତକଧାରା ଝରେ

।।

କଳା ଶ୍ରୀମୁଖ ଧ୍ୟାନ କରି

ପ୍ରଭୁ ସ୍ୱରୁପ ମନେ ଧରି

।।

ଚିତ୍ତ ନିବେଶି ଶ୍ରୀପୟର

ପ୍ରାଣ ଛାଡ଼ିଲା ଦ୍ୱିଜବର

।।

ସମସ୍ତେ ଦେଖୁ ଦେଖୁ ତହିଁ

ଢଳିଣ ଛାଡ଼ିଲୋକ ମହୀ

।।

ଶୁଣ ସୁଜନେ ହେତୁ ଦେଇ

ସେ ଯେଉଁ ଗତି ଥିବ ପାଇ

।।

ତାହା କହିବାକୁ ସକ୍ଷମ

ନୁହଁଇ ମୁହିଁ ନରାଧମ

।।

କେବଳ ସାଧୁଜନମାନେ

କହିଲେ କହିବେ ବଚନେ

।।

ଶୁଣ ସୁଜନେ ଏ ଚରିତ

ଭକତ ଲକ୍ଷଣ ଏମନ୍ତ

।।

ଅଶେଷ ଲୋକଙ୍କ ମହିମା

ବେଦ ନ ଜାଣେ ଗୁଣ ସୀମା

।।

ଏ ଦାର୍ଢ୍ୟଭକ୍ତି ରସାମୃତ

ଶ୍ରବଣେ ପଠନେ ମୁକତ

।।

ପଦ ପଦକେ ସୁଖ ଉଦେ

ଅଶେଷ ଜନ୍ମ ପାପା ଛେଦେ

।।

କହଇ ରାମଦାସ ମୂଢ

ମୋ ପ୍ରଭୁ ନନ୍ଦୀଘୋଷାରୁଢ

।।

ସେ ଦାରୁବ୍ରହ୍ମଙ୍କ ଚରଣେ

ମନ ମୋ ରହୁ ଅନୁକ୍ଷଣେ

।।

ଚିତ୍ତ ମୋ ମତ୍ତ ମଧୁକର

ନିଶ୍ଚଳେ ରହୁ ସେ ପୟର

।।

ନମସ୍ତେ ସାଧୁଙ୍କ ଚରଣ

ଏ ବର ଦିଅ ଅନୁକ୍ଷଣ

।।

ସୁଜନେ ଏହି ରସେ ରସ

ଏ ଭବ ଜଳରେ ନ ଭାସ

।।

ସାଧୁ ଶ୍ରୀକୃଷ୍ଣ ନାମ ବିନେ

ଜୀବ ଉଦ୍ଧାର ନାହିଁ ଅନ୍ୟେ

।।

 

ଇତି ଶ୍ରୀ ଦାର୍ଢ୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ

ବିପ୍ର ନୀଳାମ୍ବର ଦାସ ଦାର୍ଢ୍ୟଭାବ ବର୍ଣ୍ଣନେ ନାମ ଦଶମୋ ଧ୍ୟୟଃ

•••

 

Unknown

ଏକାଦଶ ଅଧ୍ୟାୟ

ରଘୁ ବେହେରା ସମ୍ବାଦ

ମନ ଉବାଚ

 

ମନ ବୋଇଲେ ଚଇତନ

ଶୁଣିଲି ଅପୂର୍ବ ବଚନ

।।

ସେ ନୀଳାମ୍ୱର ଦାସ କଥା

ଶୁଣି ଛାଡ଼ିଲା ମନ ବ୍ୟଥା

।।

ଏହି ପ୍ରକାରେ କଥା ଯେତେ

ଅଛଇ କହୁଥାଅ ମୋତେ

।।

ମୋର ପୁଚ୍ଛିବା ଯାଏ ଆଉ

ତୁମ୍ଭ କହିବାର ନ ଥାଉ

।।

କେବଳ ସାଧୁ କଥା ଯେତେ

କହି ପବିତ୍ର କର ମୋତେ

।।

ଶୁଣି ଚୈତନ୍ୟ ଅତି ତୋଷେ

କହଇ ମନ ରାଜା ପାଶେ

।।

ହେ ରାଜା ସାବଧାନେ ଶୁଣ

ଏ ଦାର୍ଢ୍ୟଭକ୍ତିର ଲକ୍ଷଣ

।।

ପୁରୁଷୋତ୍ତମ ମହାକ୍ଷେତ୍ର

ଯେ କ୍ଷେତ୍ରମାନଙ୍କେ ପବିତ୍ର

।।

ତହିଁକି ଦଶକୋଶଠାରେ

ଶ୍ରୀ ନୀଳାଚଳ ପାରୁଶରେ

।।

ପିପ୍‌ପଳୀ ଗ୍ରାମ ନାମ ତାର

ସେହି ଗ୍ରାମରେ ତାର ଘର

।।

ଜାତିରେ ଅଟଇ ଧୀବର

ରଘୁ ବେହେରା ନାମ ତାର

।।

ତାହାର ଘରେ ତିନି ପ୍ରାଣୀ

ମାତା ସହିତେ ତା ଘରଣୀ

।।

ଏମନ୍ତେ ତିନିଜଣ ଥାନ୍ତି

କରି ତାହାଙ୍କ ନିଜ ବୃତ୍ତି

।।

ଜାଲ ପକାଇ ମୀନ ମାରି

ପ୍ରାଣ ପୋଷଇ ବିକ୍ରୀକରି

।।

ଏମନ୍ତେ କେତେଦିନ ଅନ୍ତେ

ସୁଜ୍ଞାନ ହେଲା ତାର ଚିତ୍ତେ

।।

ଶ୍ରୀଗୁରୁ ମନ୍ତ୍ର ଜପ କରି

ତିଳକମାଳା ହୃଦେ ଧରି

।।

ବସଇ ସାଧୁଜନ କତି

ଶ୍ରୀ ଭାଗବତ ପଢେ ନିତି

।।

ଜୀବ ମାରିବା ଦୋଷ ଯେତେ

ବିଚାର କରୁଥାଇ ଚିତ୍ତେ

।।

ଦଣ୍ଡ ଦଣ୍ଡକେ ଶୋକଭରେ

କର କଚାଡ଼ି ହୃଦୟରେ

।।

ବୋଲେ ବିଧାତା ଏହା କଲୁ

ଧୀବରକୁଳେ ଜନ୍ମ ଦେଲୁ

।।

ଜୀବ ମାରଣେ ପୋଷି ମୁହିଁ

ନରକେ ପଡ଼ିବଇଁ ଯାଇଁ

।।

ଏମନ୍ତ ମନରେ ବିଚାରି

ନ ଗଲା ଆଉ ମୀନ ମାରି

।।

ଦଇବେ ଦୁଃଖୀଘର ସିନା

ହୋଇଲା ଅତ୍ୟନ୍ତ ଯାତନା

।।

ତାହାର ମାତା ପତ୍ନୀ ନିତି

ନାନା ପ୍ରକାରେ ଗାଳିଦ୍ୟନ୍ତି

।।

ତୁ ଏବେ ହୋଇବୁ ସନ୍ନ୍ୟାସ

ଆମ୍ଭଙ୍କୁ ରଖି ଉପବାସ

।।

ନୋହିଲେ ମୀନ ମାରି ଯାଅ

ନିଜ କୁଟୁମ୍ୱ ପୋଷୁଥାଅ

।।

ଶୁଣି ଧୀବର କୋପଭରେ

ପେଲଣା ଜାଲ ଧରି କରେ

।।

ଗଲା ସେ ମୀନ ମାରିବାରେ

ପ୍ରବେଶ ହେଲା ସରୋବରେ

।।

କୃଷ୍ଣ ସୁମରି ପଶିଜଳେ

ଜାଲ ବାହିଲା ଚାରିକୁଳେ

।।

ଏମନ୍ତ କେତେ ସମୟରେ

ଶ୍ରୀ ଜଗନ୍ନାଥଙ୍କ କୃପାରେ

।।

ପଡ଼ିଲା ରୋହିମାଛ ଗୋଟି

ତା ଜାଲ ମଧ୍ୟରେ ଚହଟି

।।

ତାହା ଦେଖିଣ କଇବର୍ତ୍ତ

ମାଇଲା କପାଳରେ ହାତ

।।

ବିଚାର କରଇ ସେ ଚିତ୍ତେ

ଏହାକୁ ମାରିବି କେମନ୍ତେ

।।

ସାକ୍ଷାତେ ମୀନ ଅବତାର

ଯେହୁ ନାଶିଲେ ଶଙ୍ଖାସୁର

।।

ସେ ଦିବ୍ୟ ରୂପ ନାଶ କରି

ମୁଁ କେହ୍ନେ ଥିବି ଦେହ ଧରି

।।

ଯେବେ ନ ମାରିବି ଏ ମୀନ

ମୋତେ ନ ମିଳିବ ଭୋଜନ

।।

ପତ୍ନୀ ଯେ ଦୁଆରୁ ତଡ଼ିବ

ଅନ୍ନ ନ ଦେଇ ଘଉଡ଼ିବ

।।

ଏମନ୍ତ ବୋଲି ଭାବ ଭୋଳେ

ବେନି ନୟନୁ ଧାରାଗଳେ

।।

ସେ ମୀନ ଧରି ବେଗେ ଗଲା

ଶୁଷ୍କ ଭୂମିରେ ପକାଇଲା

।।

ବୋଇଲା ମୀନରୂପୀ ଶୁଣ

ତୁ ଯାହା କରିଛୁ ଭିଆଣ

।।

ମୋର ତ ଧୀବର ସ୍ୱଭାବ

କେ ତାହା ଅନ୍ୟଥା କରିବ

।।

ତୋତେ ନ କଲେ ଆଜ ନାଶ

ମୋତେ ତ ନ ମିଳିବ ଗ୍ରାସ

।।

ଏଣୁ ମାରିବା କଥା ସତ

ବୋଲି ତଣ୍ଟରେ ଦେଲା ହସ୍ତ

।।

ଅଳପ ଯାକି ଦେଲା ଧରି

ସେ ମୀନ ବଦନ ବିସ୍ତାରି

।।

ଡାକିଲା ରଖ ନାରାୟଣ

ଧୀବର ଶୁଣିଲା ଶ୍ରବଣ

।।

ନିଧି ପ୍ରାପତ ହେଲା ଯେହ୍ନେ

ତେସନେ ଆନନ୍ଦ ତା ମନେ

।।

ସେ ମୀନ ଘେନି ଚଳିଗଲା

ଅଗମ୍ୟ ବନସ୍ତେ ମିଳିଲା

।।

ନିର୍ଝରଠାରେ ଝର ନୀର

ଦେଖି ହରଷ ମନ ତାର

।।

ସେ ଝରତଟେ କୁଣ୍ଡ କରି

ଅଳପ ନୀର ତହିଁ ଭରି

।।

ସେ ଜଳେ ସେ ମୀନ ନିବେଶି

ଦୃଢ ଆସନ କରି ବସି

।।

ବୋଲେ ଏ ମୀନ ଗର୍ଭଗତେ

ଯେ ନାମ ଶୁଣାଇଲା ମୋତେ

।।

ସେ ଏବେ ରୂପବନ୍ତ ହେଉ

ମୋତେ ସେ ଦେଖାଦେଇ ଯାଉ

।।

ନୋହିଲେ ଜୀବନ ହାରିବି

ହତ୍ୟା ତାହାର ପରେ ଦେବି

।।

ଏମନ୍ତେ ନିଷ୍ଠାବ୍ରତ କଲା

ସେ ମୀନରୂପେ ହେତୁ ହେଲା

।।

ଇନ୍ଦ୍ରିୟମାନ ବଶ କରି

ଚଞ୍ଚଳ ଚିତ୍ତ ସ୍ଥିର କରି

।।

ସୁମାର୍ଗେ ରଖି ନେତ୍ର ଦୁଇ

ମନକୁ ଜ୍ଞାନମାର୍ଗେ ଥୋଇ

।।

ଭଜନ କଲା ନାରାୟଣ

ସେ ନାମ ପରମ କାରଣ

।।

ସେ ନାରାୟଣ ନାମ ଗୋଟି

ହୃଦପଦ୍ମରେ କଲା ଗଣ୍ଠି

।।

ନିରତେ ବଦନରେ ଶୁଣି

ନ ଜାଣେ ଦିବସ ରଜନୀ

।।

ଏମନ୍ତେ ତିନିଦିନ ହେଲା

କେଣିକି ପାଦ ନ ଟଳିଲା

।।

ମରିବା କଥା କଲା ମୂଳ

ତାହା ଜାଣିଲେ ଆଦିମୂଳ

।।

ବିପ୍ର ସ୍ୱରୁପ ଗୋଟି ଧରି

ଧୀବର ଆଗେ ବିଜେ କରି

।।

ବୋଇଲେ ଶୁଣ ହେ ତପସ୍ୱୀ

କି ତପ କରୁ ଏଥେ ବସି

।।

କି ଜାତି ଗୋତ୍ର ଅଟେ ତୋର

କି ତୋର ନାହିଁ ଘରଦ୍ୱାର

।।

କିସ ବିଚାରୁଅଛୁ ମନେ

ଏକାନ୍ତେ ବସିଅଛୁ ବନେ

।।

କହ ହେ କେବଣ ଚରିତ

ଶୁଣି ବୋଲଇ କଇବର୍ତ୍ତ

।।

ହେ ବିପ୍ର କି ମୋତେ ପଚାର

ଜାତିରେ ଅଟେ ମୁଁ ଧୀବର

।।

କୁଟୁମ୍ୱ ଜଞ୍ଜାଳ ନିମନ୍ତେ

ପେଲଣା ଜାଲ ଧରି ହସ୍ତେ

।।

ଅଇଲି ମୀନ ମାରିବାରେ

ପ୍ରବେଶ ହେଲି ସରୋବରେ

।।

ଜାଲ ପକାନ୍ତେ ଜଳେ ପଶି

ପଡ଼ିଲା ରୋହିମାଛ ଆସି

।।

ସେ ମୀନ ପକାଇଣ କୂଳେ

ଧରି ମୁଁ ମାରିବାର ବେଳେ

।।

ସେ ମାଛ ପାଟି ବିସ୍ତାରିଣ

ଡାକିଲା ରଖ ନାରାୟଣ

।।

ଶୁଣି ମୁଁ ଆଚମ୍ୱିତ ହୋଇ

ମୀନକୁ ଧରି ଅଇଲଇଁ

।।

ଏ ଘୋର ବନସ୍ତରେ ପଶି

ମୀନକୁ ଜଗିଅଛି ବସି

।।

ଯେ ନାମ ଶୁଣାଇଲା ମୋତେ

ତାହାକୁ ଦେଖିବା ନିମନ୍ତେ

।।

ତେବେ ମୁଁ ନିଜ ପୁରେ ଯିବି

ନୋହିଲେ ଜୀବନ ହାରିବି

।।

ଏ କଥା ମୋର ସତ୍ୟବ୍ରତ

ତେଣୁ ମୁଁ ଆସିଅଛି ଏଥ

।।

କହିଲି ମନର ବେଦନା

ହେ ବିପ୍ର ବିବେକର କିଣା

।।

ତୁମ୍ଭେ ଥିବାରୁ ମୋ ଆଗର

ଭଜନ ହେଉଛି ଉଛୁର

।।

ଏମନ୍ତ ବୋଲି ନାରାୟଣ

ଜାଣିଲେ ରଘୁଦାସ ମନ

।।

ବୋଇଲେ ଶୁଣ ହେ ଧୀବର

ଏ କଥା ବିପରୀତ ତୋର

।।

ମୀନ ରଟିବ ନାମ କାହିଁ

ଏ କଥା ପରତେ ନ ଯାଇ

।।

ଯେବେ ରଟିବ ପରମାଣ

ଦଇବ ବୋଲି ତାକୁ ଜାଣ

।।

ସେ କାହିଁ ଦେଖା ଦେବେ ତୋତେ

କି ଅର୍ଥେ ବସିଅଛୁ ଏଥେ

।।

ଏବେ ତୁ ନିଜ ପୁରେ ଯାଅ

ଅଧିକ କଷ୍ଟ ହିଁ ନ ପାଅ

।।

ତା ଶୁଣି ବୋଲେ କଇବର୍ତ୍ତ

ଭଲା କହିଲୁ ବିପ୍ର ତୁ’ତ

।।

ସେ ସିନା ଦେଖାଦେବା ଦୂର

ମୋର ମରିବାଟି ନିକର

।।

ଏଥକୁ ଭୟ ନାହିଁ କିଛି

ପ୍ରାଣ ମୁଁ ମୁରୁଛି ରହିଛି

।।

କେବଳ ଦୀନବନ୍ଧୁ ନାମ

ବହି ଅଛନ୍ତି ଦାରୁବ୍ରହ୍ମ

।।

ପତିତ ରକ୍ଷଣ ନିମନ୍ତେ

ଦେଉଳେ ବାନ୍ଧିଛନ୍ତି ନେତେ

।।

ଭୃତ୍ୟ ଆରତ ନିବାରଣେ

ଶ୍ରୀଭୁଜେ ଚକ୍ର ଅନୁକ୍ଷଣେ

।।

ଧରି ବିଜୟ ଦାରୁହରି

ଏଣୁ ଭରସା ଅଛି କରି

।।

ଅବଶ୍ୟ ଦେଖା ଦେବେ ଥରେ

ବିଚାରି ଅଛି ମୋ ମନରେ

।।

ନୋହିଲେ ପ୍ରାଣ ମୋର ଯାଉ

ତାର କୀରତି ରହିଥାଉ

।।

ଏବେ ହୋ ଶୁଣ ବିପ୍ରବର

ତୁମ୍ଭଙ୍କୁ କୋଟି ନମସ୍କାର

।।

କଲ୍ୟାଣ କରି ମୋତେ ଚଳ

ଭଜନ ହେଉଅଛି ହେଳ

।।

ତା ଶୁଣି ଶ୍ୱେତ ପଦ୍ମଡୋଳା

ଭକତ ଭାବେ ହେଲେ ଭୋଳା

।।

ବିଚାର କଲେ ହୃଦଗତେ

ମୁହିଁ ନିର୍ଦ୍ଦୟ ହେଲେ ଏଥେ

।।

ନିଶ୍ଚେ ମରିବ ଏ ଧୀବର

ଜୀବନ ଆଶା ନାହିଁ ୟାର

।।

ଏମନ୍ତେ କହି ପୀତବାସ

ବୋଇଲେ ଶୁଣ ରଘୁଦାସ

।।

ଆମ୍ଭେଟି ମୀନ ଗର୍ଭଗତେ

ସେ ନାମ ଶୁଣାଇଲୁ ତୋତେ

।।

ତୋ ମନେ ସଂଶୟ ନ କର

ଆମ୍ଭେଟି ଜଗତ ଈଶ୍ୱର

।।

ଆସିଣ କୃପା କଲୁ ତୋତେ

ବର ତୁ ମାଗି ଘେନି ମୋତେ

।।

ତା ଶୁଣି ବୋଲଇ ଧୀବର

ଦେଖାଅ ନିଜ ରୂପ ତୋର

।।

ବାରେ ଦେଖିବି ଚର୍ମଡୋଳେ

ଖଣ୍ଡିବି ଜନ୍ମ ମୃତ୍ୟୁ ହେଳେ

।।

ତା ଶୁଣି ପ୍ରଭୁ ଦେବରାଜ

ତକ୍ଷଣେ ହେଲେ ଚତୁର୍ଭଜ

।।

କମ୍ବୁ ରଥାଙ୍ଗ ଗଦାଧର

ଶୋଭା ପାଉଛି ଚାରିକର

।।

ପ୍ରତ୍ୟକ୍ଷେ ଉଭା ପୀତବାସ

ଦେଖି ଉଠିଲେ ରଘୁଦାସ

।।

ସାଷ୍ଟାଙ୍ଗେ କରି ଦଣ୍ଡବତ

ଉଠି କପାଳେ ଯୋଡ଼ି ହାତ

।।

ବୋଲନ୍ତି ନମୋଃ ଚକ୍ରପାଣି

ଭକତ ଜନ ଚିନ୍ତାମଣି

।।

ବ୍ରହ୍ମା ଇନ୍ଦ୍ରାଦି ଯୋଗେଶ୍ୱର

ଧ୍ୟାନେ ଚିନ୍ତନ୍ତି ଯା ପୟର

।।

ସେ ପ୍ରଭୁ ମୋହ ଡର ପାଇଁ

ବିଜୟ କଲେ ଦୟା ବହି

।।

ଆଉ ମୁଁ କି ବର ମାଗିବି

ତୁମ୍ଭ ଚରଣେ ଲୁଚିଯିବି

।।

ପ୍ରଭୁ ବୋଇଲେ ଯାହା ମନ

ମାଗ ହୋ ଭକତ ରତନ

।।

ଦାସ ବୋଇଲେ ଯେବେ ବର

ଦେବାକୁ କୃପା ହେବ ତୋର

।।

ଏ ମୋର ଧୀବର ସ୍ୱଭାବ

ଏହା କେମନ୍ତ ଛାଡ଼ିଯିବ

।।

ଆବର ଅନ୍ନ ମିଳୁଥିବ

ତୋ ନାମ ଧରି ଜୀବ ଯିବ

।।

ଯେବେ ହୃଦରେ ଭାବୁଥିବି

ତୁମ୍ଭ ଦର୍ଶନ ପାଉଥିବି

।।

ଅସ୍ତୁ ବୋଲିଣ ଭଗବାନ

ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ

।।

ଗଲେ ବୈକୁଣ୍ଠ ପୁରେ ଚଳି

ଭକତ ହରି ହରି ବୋଲି

।।

ବନରୁ ହୋଇଲା ବାହାର

ଭାବେ ଗମଇ ଧୀର ଧୀର

।।

କରେ ବଜାଇ କରତାଳି

ବେନି ନୟନୁ ଧାରା ଗଳି

।।

ଶ୍ରୀହରି ନାମ ଗାନ କରି

ପ୍ରବେଶ ହେଲା ନିଜପୁରୀ

।।

ଏଣେ ଯେ ନିଜ ପୁରଜନେ

ରଘୁକୁ ନ ଦେଖି ନୟନେ

।।

କାନ୍ଦି ବୋବାଇ ପଡ଼ିଗଡ଼ି

ମଲା ବୋଲିଣ ଆଶା ଛାଡ଼ି

।।

ଅତ୍ୟନ୍ତ ଚିନ୍ତାଭରେ ଥିଲେ

ଏହି ସମୟେ ଦାସେ ଗଲେ

।।

ତା ସଙ୍ଗେ ପୁରଜନେ ଯେତେ

ଗୋଡ଼ାଇ ଅଛନ୍ତି ସମସ୍ତେ

।।

ବୋଇଲେ ଦେଖ ଏଇ ବାଇ

ଛଦ୍ରମେ ପ୍ରଭୁ ନାମ ଗାଇ

।।

କଷ୍ଟକୁ ଭୟ କରି ଚିତ୍ତେ

ଲୁଚି ଯେ ଥିଲା ଦିନାକେତେ

।।

ଶୁଣି ଅଇଲା ଧାଇଁ ଧାଇଁ

ପତ୍ନିକୀ ଡରାଇବା ପାଇଁ

।।

ଠକ ଠାପୁଆ ଜନମରୁ

ଠାପୁଆମାନଙ୍କର ଗୁରୁ

।।

ଏମନ୍ତ ଉପହାସ କଲେ

ଯେଝାପୁରକୁ ଚଳିଗଲେ

।।

ଏଥିଉତ୍ତାରୁ ଗୃହଜନେ

ଦାସଙ୍କୁ ନେଇଣ ସଦନେ

।।

ଅନ୍ନବ୍ୟଞ୍ଜନ ପରଶିଲେ

ରଘୁର ମନକୁ ତୋଷିଲେ

।।

ଭୋଜନ ସାରି ଦାସେ ଉଠି

ଭଜି ଶ୍ରୀହରି ନାମ ଗୋଟି

।।

କଥା ପଦକେ ନାରାୟଣ

ନାମ ରଟଇ ପୁଣ ପୁଣ

।।

ମାତା ତିଳକ ଭେଦ କରି

ବୈଷ୍ଣବ ପଥକୁ ଆବୋରି

।।

ଦାଣ୍ଡେ ବୁଲଇ ଭିକ୍ଷା ଅର୍ଥେ

ମାଗଇ ନାହିଁ କଦାଚିତ୍ତେ

।।

ଶ୍ରୀ ନାରାୟଣ ନାମ ଧରି

ଦାଣ୍ଡେ ବୁଲଇ ଭିକ୍ଷା କରି

।।

ପ୍ରଭୁଙ୍କ ଆଜ୍ଞା ପ୍ରମାଣରେ

ଯେତେ ଲାଗଇ ତାର ଘରେ

।।

ଲୋକେ ଦିଅନ୍ତି ଯାଚିକରି

ଦାସେ ଆରନ୍ତେ ତାହା ଧରି

।।

ଦିଅନ୍ତି ମାତା ସନ୍ନିଧାନେ

ଦେଖି ଆନନ୍ଦ ମାତାମନେ

।।

କରିଣ ରନ୍ଧନ ଭୋଜନ

ସୁଖେଣ ବଞ୍ଚୁଥାନ୍ତି ଦିନ

।।

ଏମନ୍ତେ କେତେଦିନ ପରେ

ଦିନେକ ଗ୍ରାମ ମଣ୍ଡପରେ

।।

ବସିଅଛନ୍ତି ରଘୁଦାସେ

ବାଳକେ ବେଢି ଚଉପାଶେ

।।

ବୋଲନ୍ତି ଛଦ୍ରମ ତପସ୍ୱୀ

ଦେଖ ସାଧୁତ ପ୍ରାୟେଦିଶି

।।

କୁଟୁମ୍ୱ ପୋଷିଣ ନ ପାରି

ଜୀଅଇ ଭିକ୍ଷା ମାଗି କରି

।।

ଧୂଳି ଉଡ଼ାଇ ଟାହି କଲେ

ବିଶେଷ ରୂପେ ଗାଳିଦେଲେ

।।

ନାନା ପ୍ରକାରେ ଗାଳି ଦେଇ

କେ ମାଳ ଉଛୁଡ଼ି ନିଅଇ

।।

ତା ଦେଖି ଶ୍ରୀହରିର ଦାସ

ଉଠି ଗମନ୍ତି ନିଜ ବାସ

।।

ଏକ ବାଳକ ତହିଁ ଥିଲା

ପଛରେ ଗୋଡ଼ାଇଣ ଗଲା

।।

ଲୈହକଣ୍ଟକ ଲଗା ବାଡ଼ି

ଧରି ନିତମ୍ୱେ ହେଲା ମାଡ଼ି

।।

ରୁଧିର ହୋଇଲା ବାହାର

ତା ଦେଖି ବୋଇଲା ଧୀବର

।।

କି ଅପରାଧ କଲି ତୋତେ

ଏଡ଼େକ ଦଣ୍ଡ ଦେଲୁ ମୋତେ

।।

ତୋତେ ଦଣ୍ଡନ୍ତୁ ଦୀନବନ୍ଧୁ

ତୋ ମାତ ପୁତ୍ର ବୋଲି କାନ୍ଦୁ

।।

ଏମନ୍ତ ବୋଲି ଶାପ ଦେଇ

ଦାସ ପହଣ୍ଡି କେତେ ଯାଇ

।।

ତକ୍ଷଣେ ସେ ବାଳକ ଗୋଟି

ଜୀବନ ହାରି ଭୂମି ଲୋଟି

।।

ତା ଦେଖି ସକଳ ବାଳକେ

ଯାଇଁ ମିଳିଲେ ତାର ପାଖେ

।।

ଦେଖିଲେ ପିଣ୍ଡେ ପ୍ରାଣ ନାହିଁ

ସମସ୍ତେ ଗଲେ ତହୁଁ ଧାଇଁ

।।

ତା ମାତା ପିତାଙ୍କ ଆଗରେ

ସକଳ ବୁଝାଇ କହିଲେ

।।

ତୁମ୍ଭର ପୁତ୍ର ପ୍ରାଣ ଛାଡ଼ି

ମଝି ଦାଣ୍ଡରେ ଅଛି ପଡ଼ି

।।

ତା ଶୁଣି ଜନନୀ ପିଅର

ରୋଦନ କରି ଉଚ୍ଚସ୍ୱର

।।

ମିଳିଲେ ପୁତ୍ରପାଶେ ଯାଇ

ଧରିଣ ସଳଖି ବସାଇ

।।

ନାସିକା ଚିପି କର୍ଣ୍ଣ ଫୁଙ୍କି

କର ଚରଣ ନାଡ଼ୀ ଦେଖି

।।

ଜାଣିଲେ ପିଣ୍ଡେ ପ୍ରାଣ ନାହିଁ

ପୁତ୍ରକୁ ଘେନି ଗଲେ ବହି

।।

ଦାସଙ୍କ ପାଦେ ପକାଇଲେ

ଅନେକ ବିନୟ ହୋଇଲେ

।।

ବୋଇଲେ ଶୁଣ ଆହେ ସାଧୁ

ତୁମ୍ଭେ ତ ସର୍ବଲୋକ ବନ୍ଧୁ

।।

ଶତ୍ରୁ ମିତ୍ରାଦି ତୋର ନାହିଁ

ଏଦଣ୍ଡ ବିହିଲ କିମ୍ପାଇଁ

।।

ଏବେ ମୋ ପୁତ୍ର ଦୋଷ ଯେତେ

ସକଳ ଦିଅ ମୋର ମାଥେ

।।

ସଂସାର ମଧ୍ୟେ ମୋତେ ରଖ

ଦିଅ ମୋ ଏକଇ ବାଳକ

।।

ନୋହିଲେ ହତ୍ୟା ହେବ ତୋତେ

ବୋଲି ପଡ଼ିଲେ ପାଦଗତେ

।।

ତା ଦେଖି ଶ୍ରୀହରିର ଦାସ

ଚିନ୍ତିଣ କମଳା ବିଳାସ

।।

ବୋଇଲେ ଶୁଣ ସାଧୁଜନ

ଶୁଣ ହେ ସକଳ ନନ୍ଦନ

।।

ମୋହର ଦୋଷ ଥିଲେ ଏଥେ

ସମସ୍ତେ ଦଣ୍ଡ କିନା ମୋତେ

।।

କାହାର ଅପରାଧ ଚାହିଁ

ଦଣ୍ଡ ବିହିଲେ ଭାବଗ୍ରାହୀ

।।

ଏବେ ମୋ ପ୍ରଭୁଙ୍କ ଆଜ୍ଞାରେ

ମୁକତି ଥାଉ ଏ ସଂସାରେ

।।

ଜୀବନ ପାଉ ଏ ବାଳକ

ସମସ୍ତେ ଉଠ ବୋଲି ଡାକ

।।

ତା ଶୁଣି ତାତ ମାତ ତାର

ଆବର ଯେତେ ଥିଲେ ନର

।।

ସମସ୍ତେ ବୋଲି ହରି ହରି

ତୋଳିଲେ ପୁତ୍ର ଭୁଜଧରି

।।

ବୋଇଲେ ଉଠରେ ବାଳୁତ

ଦେଖ ତୋହର ତାତ ମାତ

।।

ତା ଶୁଣି ଉଠିଲା କୁମର

ପାଇଣ ନିଜ ପ୍ରାଣ ତାର

।।

ନିଦୁଁ ଉଠିଲା ପ୍ରାୟ ହୋଇ

ଚକ୍ଷୁ ମଳିଣ ଦେଲା ଚାହିଁ

।।

ଦେଖିଲା ଗ୍ରାମ ଜନ ଯେତେ

ଦାସଙ୍କୁ ବେଢିଣ ସମସ୍ତେ

।।

ତାତ ଜନନୀ ଭକ୍ତ ପାଦେ

ସେବା କରନ୍ତି ଅପ୍ରମାଦେ

।।

ତା ଦେଖି ସେ ବାଳକ ଗୋଟି

ଦାସଙ୍କ ପାଦତଳେ ଲୋଟି

।।

ଉଠି କପାଳେ ଦେଲା କର

ବୋଲେ ମୋ ଦୋଷ କ୍ଷମା କର

।।

ତାହା ଦେଖିଣ ସର୍ବଜନେ

ଅତି ଚକିତ ହେଲେ ମନେ

।।

ଦାସଙ୍କ ପାଦପୂଜା କଲେ

ଯେ ଯାହା ମତେ ଚଳିଗଲେ

।।

ଦାସ ଚଳିଲେ ନିଜପୁର

ଭଜିଣ ଗୋବିନ୍ଦ ଗୋପାଳ

।।

ଏମନ୍ତ କେତେଦିନ ଗଲା

ତା ଯଶ ଜଗତେ ପୂରିଲା

।।

ବେଳକୁ ବେଳ କୀର୍ତ୍ତି ତାର

ବଢିଲା ଅପାରୁ ଅପାର

।।

ସେ ରାଜ୍ୟେ ପ୍ରଜାଜନେ ଯେତେ

ଆନନ୍ଦେ ଆସନ୍ତି ସମସ୍ତେ

।।

ଦେଖିଣ ଧନ ବସ୍ତ୍ର ଦ୍ୟନ୍ତି

ଦର୍ଶନ କରି ଲେଉଟନ୍ତି

।।

ଯାହାକୁ ଯାହା ସେ କହଇ

ସେ କଥା ଅନ୍ୟଥା ନୁହଁଇ

।।

ଏମନ୍ତ ଗଲା କେତେ ଦିନ

ଏଥି ଉତ୍ତାରୁ କଥା ଶୁଣ

।।

ଦିନେ ହୋ ମନର ହରଷେ

ଏକାନ୍ତେ ବସି ରଘୁଦାସେ

।।

କିଛି ଭୋଜନ ଦ୍ରବ୍ୟ ଥୋଇ

ଧ୍ୟାନେ ଚିନ୍ତିଲେ ଭାବଗ୍ରାହୀ

।।

ତକ୍ଷଣେ ନୀଳାଚଳ ବାସୀ

ଭକତ ପାଶେ ହେଲେ ଆସି

।।

ଦାସେ ଦେଖିଣ ଶ୍ରଦ୍ଧା ମନେ

ପ୍ରଭୁ ବସାଇ ଦିବ୍ୟାସନେ

।।

ଭୋଜନ ଦ୍ରବ୍ୟ ଧରି କରେ

ଭୁଞ୍ଜାନ୍ତି ପ୍ରଭୁଙ୍କ ମୁଖରେ

।।

ଏମନ୍ତ ସମୟରେ ତହିଁ

ସେ ମହାରାଜା ନୃପସାଇଁ

।।

ପ୍ରଭୁଙ୍କ ମଣୋହି ନିମନ୍ତେ

ନାନା ପ୍ରକାରେ ଭୋଗ ଯେତେ

।।

ସେବକ ହସ୍ତେ ଭାର କରି

ଭୋଗ ମଣ୍ଡପେ ନେଇ ଭରି

।।

ପଣ୍ଡାଏ ପୂଜାରେ ବସିଲେ

ପ୍ରଭୁ ଚଳୁରେ ନ ଦିଶିଲେ

।।

କେତେହେଁ ବେଳେ ଧ୍ୟାନଗତେ

ଦିଶିଲେ ନାହିଁ କଦାଚିତ୍ତେ

।।

ନୃପତି ପାଶେ ଜଣାଇଲେ

ପ୍ରଭୁ ଯେ ମଣୋହି ନ କଲେ

।।

କି ଅବା ହୋଇଲା ଅଭାବ

ସକଳ ଭୋଗ ପୋତାହେବ

।।

ଶୁଣି ନୃପତି ତାପ ମନେ

ଗରୁଡ଼ ପଛେ କୁଶାସନେ

।।

ଶୋଇଲେ ପ୍ରଭୁ ଚିନ୍ତା କରି

ତାହା ଜାଣିଲେ ନରହରି

।।

ସ୍ୱପନେ ମାର୍ଗେ ଭାବଗ୍ରାହୀ

ନୃପତି ଆଗେ ଉଭା ହୋଇ

।।

ବୋଇଲେ ଶୁଣ ହେ ରାଜନ

କିମ୍ପା ତୁ କରୁ ଦୁଃଖ ମନ

।।

ଆମ୍ଭେ ଯେ ପିପିଲି ଗ୍ରାମରେ

ଧୀବର ରଘୁଦାସ ଘରେ

।।

ଭୋଜନ କରୁ ଅଛୁ ବସି

ତେଣୁଟି ଚଳୁରେ ନ ଦିଶି

।।

ଭକତ ଛାଡ଼ି ଦେବ ଯେବେ

ଏହି ମଣୋହି ହେବ ତେବେ

।।

ମୂଳ ମୋ ଭକତର ଭାବ

ଏ ଦ୍ରବ୍ୟ ମୋର କିସ ହେବ

।।

ଭକତ ରେଣୁ ମାତ୍ର ଦେଲେ

ତାହା ମୁଁ ମଣେ ମେରୁ ତୁଲେ

।।

ଭାବରୁ ଥାଇ ଯେ ଭୋଜନ

ସେ ମେରୁ ତୁଲେ ଦେବା ଦାନ

।।

ସେ ମୋତେ ଅଟଇ କିଞ୍ଚିତ

ଶ୍ରଦ୍ଧା ନ ଥାଇ ଯାର ଚିତ୍ତ

।।

ତେଣୁଟି କହୁଅଛି ତୋତେ

ଯାଇ ପିପିଲି ପରିଯନ୍ତେ

।।

ମୋର ଦାସକୁ ଘେନି ଆସ

ଦିଅ ତୁ କ୍ଷେତ୍ରବରେ ବାସ

।।

ତେବେ ମୁଁ କରିବି ଭୋଜନ

ଏମନ୍ତ କହି ଅନ୍ତର୍ଦ୍ଧାନ

।।

ପ୍ରଭୁ ଶ୍ରୀମୁଖୁ ଏହାଶୁଣି

ନିଦ୍ରାରୁ ଉଠି ନୃପମଣି

।।

ଅଶ୍ୱ ଆରୋହୀ ଚଳିଗଲେ

ସକଳ ସମ୍ଭ୍ରମର ତୁଲେ

।।

ମିଳିଲେ ପିପିଲି ଗ୍ରାମରେ

ଧୀବର ରଘୁ ବାସ ଦ୍ୱାରେ

।।

ଆପେ ନୃପତି ଗରୁ ହଂସ

ଡାକିଲେ ଦାସେ ବେଗେ ଆସ

।।

ତାହା ନ ଜାଣେ ରଘୁ ଦାସ

ପ୍ରଭୁ ସେବାରେ ଅଭିଳାଷ

।।

କୋଟିଏ ନିଧି ପାଇ ଅଛି

ତେଣୁ ସେ ନ ଜାଣଇ କିଛି

।।

ନୃପତି କେତେହେଁ ଡାକିଲେ

ଦାସେ ଶ୍ରବଣେ ନ ଶୁଣିଲେ

।।

ତାହା ଜାଣିଲେ ନରନାଥ

ଅଶ୍ୱରୁ ଉତ୍ତୁରି ତ୍ୱରିତ

।।

ମନ୍ଦିରେ ପ୍ରବେଶ ହୋଇଲେ

ଦାସଙ୍କ ପାରୁଶେ ମିଳିଲେ

।।

ତାହା ଜାଣିଲେ ଭଗବାନ

ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ

।।

ପ୍ରଭୁ ନ ଦେଖି ଦାସେ ଭୋଳେ

ନେତ୍ରୁ ଲୋତକ ଧାରଗଳେ

।।

ଆହା ମୋ ପ୍ରଭୁ ଗଲେ କାହିଁ

ବୋଲି ଭୂମିରେ ପଡ଼ିଯାଇ

।।

ତାହା ଦେଖିଣ ନୃପବର

ତୋଳିଣ ଧଇଲେ ଶ୍ରୀକର

।।

ହୃଦରେ କଲେ ଆଲିଙ୍ଗନ

ବୋଇଲେ ଧନ୍ୟ ତୋ ଜୀବନ

।।

ହରିଙ୍କି କଲୁ ବଶବର୍ତ୍ତୀ

ତୋର ଦର୍ଶନେ ମୁଁ ମୁକତି

।।

ଏମନ୍ତ ବୋଲି ଦଣ୍ଡଧାରୀ

ନେଲେ ଦାସଙ୍କ ହସ୍ତ ଧରି

।।

କରିଣ ନାନାମତେ ସଜ

ମଣ୍ଡାଇ ନାନା ବେଶ ଗଜ

।।

ଦାସଙ୍କୁ ତହିଁ ବସାଇଲେ

କୁଟୁମ୍ବ ସଙ୍ଗେ ଚଳାଇଲେ

।।

ନାନା ଉତ୍ସବେ ଚଳିଗଲେ

ଶ୍ରୀ ପୁରୁଷୋତ୍ତମ ମିଳିଲେ

।।

ପ୍ରଭୁଙ୍କୁ କଲେ ଦରଶନ

ବଢିଲା ସେବା ପୂଜାମାନେ

।।

ଦକ୍ଷିଣ ପାରୁଶରେ ଭଲେ

ଚଉଁରୀ ଘର ନିର୍ମାଣିଲେ

।।

ତହିଁ ଦାସଙ୍କୁ ଦେଲେ ସ୍ଥାନ

ଖଞ୍ଜିଲେ ଖଞ୍ଜା ବରତନ

।।

ଅନେକ ଗଉରବ କରି

ଚଳିଣ ଗଲେ ଦଣ୍ଡଧାରୀ

।।

ଦାସେ ରହିଲେ ପ୍ରଭୁ ପାଶେ

ଅତ୍ୟନ୍ତ ମନର ହରଷେ

।।

ନିରତେ କରି ହରି ସେବା

ନ ଜାଣେ ଅନ୍ୟ ଦେବୀ ଦେବା

।।

ନିରତେ ଦାନ ପୁଣ୍ୟରତ

ନାମ ଭଜନ ଅବିରତ

।।

ଏମନ୍ତେ ବଞ୍ଚୁଥାଇ ଦିନ

ଆନନ୍ଦେ ଶୁଣ ହୋ ସୁମନ

।।

ତାହାର ନାମ ରଘୁଦାସ

ଜଗତେ ହୋଇଛି ପ୍ରକାଶ

।।

ଆଉ ତା ଯେତେ ଯେତେ କଥା

କହି ବସିଲେ ହେବ ପୋଥା

।।

ଶୁଣ ସୁମନ ହୋଇ ତୋଷ

ଦାର୍ଢ୍ୟତାଭକ୍ତି ସୁଧାରସ

।।

ଏ ମନ ଚୈତନ୍ୟ ସମ୍ବାଦ

ଶୁଣନ୍ତେ ନ ଲାଗେ ପ୍ରମାଦ

।।

ଅଶେଷ ଜନ୍ମ ପାପ ଥିଲେ

ଖଣ୍ଡିବ ବଦନେ ଶୁଣିଲେ

।।

କେବଳ ଥିଲେଟି ଶରଧା

ଲାଗିବ ନାହିଁ ପାପ ବାଧା

।।

କହଇ ବିପ୍ର ଜଗନ୍ନାଥ

ସାଧୁଙ୍କ ମହିମା ବିଚିତ୍ର

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତ ରସାମୃତେ ମନ ଚୈତନ୍ୟ ସମ୍ବାଦେ

ରଘୁ ବେହେରା ଦାର୍ଢ୍ୟତାଭକ୍ତି ବର୍ଣ୍ଣନେ ନାମ ଏକଦଶୋ ଧ୍ୟାୟଃ ।

•••

 

ଦ୍ୱାଦଶ ଅଧ୍ୟାୟ

ଗଙ୍ଗାଧର ଦାସ ସମ୍ବାଦ

ଚୈତନ୍ୟ ଉବାଚ

 

କହେ ଚୈତନ୍ୟ ଶୁଦ୍ଧଚେତା

ଶୁଣ ସୁମନ ସାଧୁକଥା

।।

ପୁରୁଷୋତ୍ତମ କ୍ଷେତ୍ରବରେ

ପ୍ରତାପରୁଦ୍ର ସମୟରେ

।।

ଗୋବିନ୍ଦପୁର ବୋଲି ନାମ

ଗ୍ରାମମାନଙ୍କ ମୋକ୍ଷ ସ୍ଥାନ

।।

ବଣିଆ ନାମ ଗଙ୍ଗାଧର

ସେଇ ଗ୍ରାମରେ ତାର ଘର

।।

ଭାରିଯା ନାମ ତାର ଶ୍ରୀୟା

ସତୀ ସାଧବୀ ସ୍ୱାମୀ ପ୍ରିୟା

।।

ପୁତ୍ର ଦୁହିତା ତାର ନାହିଁ

ତହିଁକି ଶୋଚନା ନ ଥାଇ

।।

ସେ ପତି ପତ୍ନୀ ଥାନ୍ତି ଏକା

କରିଣ ଆପଣା ଜୀବିକା

।।

ଶର୍କରା କରି ବିକି କିଣି

ସୁଖେ ଜୀଅନ୍ତି ବେନି ପ୍ରାଣୀ

।।

ନାନାଦି କଟୁ ଦ୍ରବ୍ୟ ଯେତେ

ସେ ଶୁଣ୍ଠି ପିପ୍‌ଳି ସହିତେ

।।

କରିଣ ଶ୍ରୀହରି ଭକତି

ସେବା ଦୟାରେ ଶୁଦ୍ଧମତି

।।

ପର ଦୁଃଖରେ ହୋଇ ଦୁଃଖୀ

ସେବନ୍ତି ସାଧୁଜନ ଦେଖି

।।

ଏମନ୍ତେ କେତେ ଦିନ ଗଲା

ବୃଦ୍ଧ ବୟସ ଆସି ହେଲା

।।

ଦିନେକ ଶୟନ ସମୟେ

ପତ୍ନୀ ତ ପତି ଆଗେ କହେ

।।

ଭୋ ସ୍ୱାମୀ ଶୁଣ ମୋ ବଚନ

ଲୋକେ ମୁଁ ହେଲି ହୀନିମାନ

।।

ଘର ବାହାର ବନ୍ଧୁ ଘାଟେ

ଥୋକେ ବୋଲନ୍ତି ହାଟବାଟେ

।।

ପୋଡ଼ୁ ଏ ଆଣ୍ଠୁକୁଡ଼ୀ ମୁଖ

ମୁଖଟି ପ୍ରଭାତେ ନ ଦେଖ

।।

ଏମନ୍ତ ବୋଲି ଥୋକେ ଲୋକ

ଠିଆ ନ ହ୍ୱନ୍ତି ମୋର ପାଖ

।।

ଥୋକାଏ କଥା ନ କହନ୍ତି

ଦେଖିଲେ ମଥା ପୋତିଯାନ୍ତି

।।

ଏଣୁ ମୋ ହୃଦୟ ଆକୁଳ

ଖଣ୍ଡିଲେ ନାହିଁ ଆଦିମୂଳ

।।

ଆମ୍ଭ ଭାଗ୍ୟରେ ପୁତ୍ର ନାହିଁ

ଲୋଡ଼ିଲେ ପାଇବା ତା କାହିଁ

।।

ଏଥକୁ ବ୍ରାହ୍ମଣ କୁମର

ଗୋଟିଏ ବିଭା ବ୍ରତ କର

।।

ନୋହିଲେ ଆପଣା କୁଳରୁ

ଅତ୍ୟନ୍ତ ଦରିଦ୍ରର ଘରୁ

।।

କିଛି ଦେଇଣ ତାକୁ ଚିତ୍ତ

କିଣି ଯେ ଆଣ ଏକ ସୁତ

।।

ପାଳିବା ପୁତ୍ର ସମ କରି

ଏ ଭବ ଜଳୁ ହେବା ପାରି

।।

ଗତରିବା ପର ଅପବାଦୁ

ସର୍ବେ ବୋଲିବେ ସାଧୁ ସାଧୁ

।।

ମୋ ମନେ ଯୋଗାଇ ଏ କଥା

ତା ଶୁଣି ବୋଲେ ନିଜ ଭର୍ତ୍ତା

।।

ନିଶ୍ଚେ ଆଣିବା ଏକ ବାଳ

ପୁତ୍ର ସମାନେ ପ୍ରତିପାଳ

।।

ଏମନ୍ତ ବୋଲି ଚଳିଗଲା

ଶ୍ରୀପୁରୁଷୋତ୍ତମେ ମିଳିଲା

।।

ପ୍ରବେଶ ରୂପକାର ଘରେ

କିଛି ହିଁ ଧନ ଦେଇ ତାରେ

।।

ସର୍ବ ଲକ୍ଷଣ ପୂର୍ଣ୍ଣ ଜାଣି

କୃଷ୍ଣ ପ୍ରତିମା ଗୋଟି ଆଣି

।।

ଆଣି ତା ପତ୍ନୀ ଆଗେ ଦେଲା

ଭୋ ସଖି ସମ୍ଭାଳ ବୋଇଲା

।।

ଏହିଟି ଗତି ମୁକ୍ତି ଦାତା

ଏହିଟି ଜୀବର କରତା

।।

ଏହାକୁ ପୁତ୍ର ବୁଦ୍ଧି କରି

ଯଶୋଦା ଦେବୀ ଗଲେ ତରି

।।

ବ୍ରହ୍ମାଦି ସର୍ବ ଦେବଗଣେ

ଏହାକୁ ଭାବୁଥାନ୍ତି ମନେ

।।

ଏ ପ୍ରଭୁ ବିନା ଅନ୍ୟ ଜଣେ

ନାହିଁ ଜୀବନ ଉଦ୍ଧାରଣେ

।।

ଏଣୁ କେବଳ ହୃଦଗତେ

ବିଶ୍ୱାସେ ସେବ ଏକ ଚିତ୍ତେ

।।

ଯାହା ବାଞ୍ଛିବୁ ତୋର ମନ

ତାହା କରିବେ ଏହୁ ପୂର୍ଣ୍ଣ

।।

ତା ଶୁଣି ଆନନ୍ଦେ ସୁନ୍ଦରୀ

କୃଷ୍ଣ ପ୍ରତିମା ଗୋଟି ଧରି

।।

ସ୍ନାନ ମାର୍ଜ୍ଜନା କରାଇଲେ

ଦିବ୍ୟ ଆସନେ ବସାଇଲେ

।।

ଉତ୍ତମ ସର କ୍ଷୀର ପାନ

କୃଷ୍ଣକୁ କଲେ ନିବେଦନ

।।

ବିଚାର କଲା ତାର ମନେ

ପୁତ୍ର ପାଇଲି ଏତେଦିନେ

।।

ଏହାଙ୍କୁ ପୁତ୍ର ଭାବେ ମଣି

ସୁଖେ ତରିବୁ ଘେନି ପ୍ରାଣୀ

।।

ଏମନ୍ତ ବୋଲି ଆଦିକନ୍ଦ

ସେବିଣ ହୋଇଲେ ଆନନ୍ଦ

।।

ପୁତ୍ର ପରାଏ ନିରନ୍ତରେ

ତଇଳ କୁଙ୍କୁମ ଅଙ୍ଗରେ

।।

ମର୍ଦ୍ଦନ କରି ନିତି ନିତି

ସ୍ନାହାନ ମାର୍ଜ୍ଜନା କରନ୍ତି

।।

କର୍ପୂର ଚନ୍ଦନ ସହିତେ

ସର୍ବାଙ୍ଗେ ଲେପୁଥାନ୍ତି ନିତ୍ୟେ

।।

ନାନା କୁସୁମେ ବେଶ କରି

ନାନାଦି ଅଳଙ୍କାର ଭରି

।।

ବାଳକଠାରେ ସ୍ନେହ ଯେତେ

ସେହି ପ୍ରକାରେ ସ୍ନେହ ଚିତ୍ତେ

।।

ଯେତେ ଅପୂର୍ବ ଦ୍ରବ୍ୟମାନ

କୃଷ୍ଣଙ୍କୁ କରି ନିବେଦନ

।।

ପଛେ ଭୁଞ୍ଜନ୍ତି ବେନି ପ୍ରାଣୀ

ନୋହିଲେ ନ ଛୁଅନ୍ତି ପାଣି

।।

କେନ୍ଦୁ କଇଁଥ ବରକୋଳି

ପଣସ ଶ୍ରୀଫଳ କଦଳୀ

।।

ଗ୍ରାମକୁ ଯେତେ ବିକା ଆସେ

କିଣି ଦିଅନ୍ତି ପୁତ୍ର ପାଶେ

।।

ଆବର ଯେତେ ବଣିଜାର

ପିଅର ଗଲେ ଦେଶ ପୁର

।।

ସେବା ଅପୂର୍ବ ଦ୍ରବ୍ୟମାନ

ବହି ଯେ ଆଣେ ଶ୍ରଦ୍ଧାମନ

।।

ଆଣଇ ଅତି ଶ୍ରଦ୍ଧାଚିତ୍ତେ

ପୁତ୍ରକୁ ଦେବାର ନିମନ୍ତେ

।।

ପ୍ରବେଶ ହେଲାକ୍ଷଣି ଘରେ

ଦିଅଇ ନେଇ ପୁତ୍ର କରେ

।।

ମାତା ହିଁ ଅତି ସ୍ନେହ ଭରେ

ପୁତ୍ରକୁ ଧରି କୋଳକରେ

।।

ଦଣ୍ଡେ ନ ଛାଡ଼େ ପୁତ୍ର ପାଶ

ଗୃହ କୀରତି ତାକୁ ବିଷ

।।

ଦଇବ ଯୋଗେ ସେ ଯୁବତୀ

ଯେବେ କରଇ ଗୃହକୀର୍ତ୍ତି

।।

ନିରତେ ହୋଇ ଛନ ଛନ

ପୁତ୍ର ନିବେଶି ଥାଇ ମନ

।।

ଦଣ୍ଡକେ ଆସୁଥାଇ ଦେଖି

ଦେଖିଲେ ଦେଉଥାଇ ସୁଖୀ

।।

କେତେବେଳେ କୋଳେ ଭିଡ଼ି

ବୋଲଇ ଯାଇଥିଲି ଛାଡ଼ି

।।

ମୁଁ ହୀନ ଅଲକ୍ଷଣୀ ମଲି

ତୋତେ ଏକାକୀ ଛାଡ଼ିଗଲି

।।

ଏମନ୍ତ ବୋଲି ଚନ୍ଦ୍ରମୁଖେ

ଚୁମ୍ବନ ଦେଇ ଅତି ସୁଖେ

।।

ଏହି ପ୍ରକାରେ ସେ ଯୁବତୀ

ଭାବନା କରୁଥାଇ ନିତି

।।

କୃଷ୍ଣଙ୍କୁ ପୁତ୍ର ପ୍ରାୟେ ମଣି

ଅନ୍ୟ ନ ଜାଣେ ସେ ତରୁଣୀ

।।

ତା ତହୁଁ ତାହା ଶତ ଗୁଣେ

କୃଷ୍ଣଙ୍କୁ ପୁତ୍ର ପ୍ରାୟେ ମଣେ

।।

ଏମନ୍ତେ ଗଲା କେତେିଦନ

ଏଥି ଉତ୍ତାରୁ ଶୁଣ ମନ

।।

ଦିନେକ ଗଙ୍ଗାଧର ଦାସ

କହିଲା ନିଜ ପତ୍ନୀ ପାଶ

।।

ଯାଉଛି ବଣିଜ ନିମନ୍ତେ

ପୁତ୍ର ଲାଗିଲା ଏକା ତୋତେ

।।

କ୍ଷଣେ ତୁ କେଣିକି ନ ଯିବୁ

ନିରତେ ପୁତ୍ର ପାଶେ ଥିବୁ

।।

ଏମନ୍ତ ବୋଲି ବେଗ କରି

ନାନାଦି ପଣ୍ୟଦ୍ରବ୍ୟ ଭରି

।।

ଜଣାଇ ପୁତ୍ରର ଅଗ୍ରତେ

ଚଳିଲେ ବଣିଜ ନିମନ୍ତେ

।।

ଚିତ୍ତ ନିବେଶି ପୁତ୍ର ପାଶେ

ବୁଲି ବିକଇ ଦେଶେ ଦେଶେ

।।

ଏମନ୍ତେ ତିନିଦିନ ଗଲା

ତାହାକୁ ତିନି ଯୁଗ ହେଲା

।।

ସୁତ ନ ଦେଖି ଛନ ଛନ

ବସି ସେ ଠୁଳ କଲା ମନ

।।

ପୁତ୍ର ନିମନ୍ତେ ଯେ ଅପୂର୍ବ

କିଣି ଆଣିଲା ଭକ୍ଷ ଦ୍ରବ୍ୟ

।।

ଘେନି ଆନନ୍ଦେ ଚଳିଗଲା

ଗ୍ରାମ ନିକଟେ ଯାଇ ହେଲା

।।

ଦଇବେ ବୃଦ୍ଧ ଗଙ୍ଗାଧର

ଚାଲନ୍ତେ ଅତି ଖରତର

।।

ପାଦ ଖସନ୍ତେ ସେ ପଡ଼ିଲା

ପଡ଼ିବାଠାରେ ପ୍ରାଣ ଗଲା

।।

ଜୀବ ଯିବାର ବେଳେ ତାର

ଡାକିଲା ଆଣେ କୃଷ୍ଣ ମୋର

।।

ଦେଖିଲି ନାହିଁ ତୋ ଶ୍ରୀମୁଖ

ମୁଁ ପାପୀ ବଡ଼ଇ ମୂରୁଖ

।।

ଏମନ୍ତ ବୋଲି ପୁଣ ପୁଣ

କୃଷ୍ଣ ସୁମରି ଗଲା ପ୍ରାଣ

।।

ତାହା ଦେଖିଣ ଗ୍ରାମ ଲୋକେ

କହିଲେ ତା ପତ୍ନୀ ସମୀପେ

।।

ବୋଇଲେ ଶୁଣ ଆଗୋ ସଖି

ଅଇଲୁ ତୋ ପତିକି ଦେଖି

।।

ଗ୍ରାମ ବାହାରେ ଅଛି ଶୋଇ

ଦେଖିଲୁ ପିଣ୍ଡେ ପ୍ରାଣ ନାହିଁ

।।

ତାହା ଶୁଣିଣ ମହାସତୀ

ହୃଦପଦ୍ମରେ କଲା ଭୀତି

।।

ଅତ୍ୟନ୍ତ ଶୋକ ଭର ହୋଇ

ମିଳିଲା ପୁତ୍ର ପାଶେ ଯାଇ

।।

ଡାକିଲା ଆରେ କୃଷ୍ଣ ମୋର

ଅରକ୍ଷ ଲୋକଙ୍କ ସୋଦର

।।

ଦୀନ ବାନ୍ଧବ ଚିନ୍ତାମଣି

ଜଗନ୍ମୋହନ ବଂଶୀପାଣି

।।

କି ବୁଦ୍ଧି କରିବି ମୁଁ ଏବେ

ବାଟେ ତୋ ପିତା ମଲା ଯେବେ

।।

ଏଥକୁ କହ ବୁଦ୍ଧି ମୋତେ

ହେ ପୁତ୍ର ପଚାରୁଛି ତୋତେ

।।

ତା ଶୁଣି ପ୍ରଭୁ ଚକ୍ରଧର

ଜଗତ୍‌ନାଥ ବିଶ୍ୱମ୍ବର

।।

ବୈକୁଣ୍ଠ ବାସୀ ଅନ୍ତର୍ଯ୍ୟମୀ

ଭକତ ଭାବେ ଦେବ ସ୍ୱାମୀ

।।

ତକ୍ଷଣେ ହୋଇଲେ ବିସ୍ମୟେ

ବୋଇଲେ ଶୁଣସିଗୋ ମାୟେ

।।

ତୁମ୍ଭେ କିମ୍ପାଇଁ ଚିନ୍ତା କର

ପଥଶ୍ରମରେ ପିତା ମୋର

।।

ନିଦ୍ରା ଯେ ଯାଇଛନ୍ତି ସିନା

ତୁ ଯାଇ ତୋଳିଆଣ କିନା

।।

ବୋଲିବୁ ଏକା ପୁତ୍ର ଛାଡ଼ି

କିମ୍ପା ଏଠାରେ ଅଛ ପଡ଼ି

।।

ବହନ ଉଠ ଘର ଯିବ

ପୁତ୍ର ଯେ ତେଣେ କାନ୍ଦୁଥିବ

।।

ଉଠାଇ ଘେନି ଆସ ତାତ

ବହନ ଚଳିଯାଅ ମାତ

।।

ପୁତ୍ର ଶ୍ରୀମୁଖୁ ଏହା ଶୁଣି

ଅତି ଆନନ୍ଦେ ସେ ତରୁଣୀ

।।

ଚଳିଣ ଗଲା ଅତି ବେଗେ

ମିଳିଲା ନିଜ ସ୍ୱାମୀ ଆଗେ

।।

ଦେଖିଲା ପିଣ୍ଡେ ପ୍ରାଣ ନାହିଁ

ଅଜ୍ଞାନେ ପଡ଼ିଣ ଅଛଇ

।।

ହସ୍ତ ଦେଇଣ ତାର ମାଥ

ବୋଇଲା ଉଠ ପ୍ରାଣନାଥ

।।

ଏକା ପୁତ୍ରକୁ ଛାଡ଼ି ମୁହିଁ

ଆସିଛି କେହି ସଙ୍ଗେ ନାହିଁ

।।

ଏବେ ବହନ ଯିବା ଚାଲ

ସେ ପୁତ୍ର ସେବା ଆମ୍ଭ ମୂଳ

।।

ଏମନ୍ତ ବୋଲୁଁ ସେ ଯୁବତୀ

ପ୍ରାଣ ପାଇଲା ନିଜ ପତି

।।

ନିଦୁ ଉଠିଲା ପ୍ରାୟ ହୋଇ

ଚକ୍ଷୁ ମଳିଣ ଦେଲା ଚାହିଁ

।।

ପାରୁଶେ ନିଜ ନାରୀ ଦେଖି

ବୋଇଲା ଶୁଣ ଆଗୋ ସଖି

।।

ତୁ କିମ୍ପା ଏଥକୁ ଅଇଲୁ

କହ ମୋ ପୁତ୍ରକୁ କି କଲୁ

।।

ଏହା କହନ୍ତେ ନିଜ ଭର୍ତ୍ତା

ନାରୀ କହିଲା ସବୁ କଥା

।।

ତହୁଁ ତ୍ୱରିତେ ବେନି ପ୍ରାଣୀ

ଚଳିଲେ କୃଷ୍ଣ ଗୁଣ ଗୁଣି

।।

ପ୍ରବେଶ ହେଲେ ନିଜ ପୁର

ଯାଇଣ ଶ୍ରୀକୃଷ୍ଣ ଛାମୁର

।।

ଯେବା ଅପୂର୍ବ ଦ୍ରବ୍ୟମାନ

ପୁତ୍ରରେ କରି ନିବେଦନ

।।

ଅତି ଆନନ୍ଦ ଭାବଭୋଳେ

ଚୁମ୍ୱନ ଦେଲେ ଧରି କୋଳେ

।।

ଏକକୁ ଆରେକ ଛଡ଼ାଇ

ହୃଦରେ ଭିଡ଼ି ଚୁମ୍ୱ ଦେଇ

।।

ଅତି ଆନନ୍ଦେ ପୁତ୍ର ନେଇ

ସେ ନିଜ ଆସନେ ବସାଇ

।।

ପତି ପତ୍ନୀ ଯେ କୋଟି ଗୁଣେ

ସେବିଲେ ଶ୍ରୀକୃଷ୍ଣ ଚରଣେ

।।

ଏମନ୍ତେ ଦିବସ ଶେଷରେ

ରାତ୍ରେ ଶୟନ ସମୟରେ

।।

ବୋଇଲା ଗଙ୍ଗାଧର ଦାସ

ହେ କୃଷ୍ଣ କମଳା ବିଳାସ

।।

ଅଶେଷ ଜୀବର କରତା

ଚତୁର ବର୍ଗ ଫଳ ଦାତା

।।

ତୁମ୍ଭଙ୍କୁ ପୁତ୍ର କରି ପାଇ

ମୋ କଷ୍ଟ ନ ଗଲା କିମ୍ପାଇଁ

।।

ଏ ବୃଦ୍ଧକାଳେ ଗ୍ରାମଦେଶ

ବୁଲି ମୁଁ ନ ଗଲେ ଅବଶ୍ୟ

।।

ଭୋଜନ ନ ମିଳେ ଆମ୍ଭଙ୍କୁ

କେ ଅଛି ଆହା ବୋଲିବାକୁ

।।

ଏମନ୍ତ ବୋଲନ୍ତେ ପିଅର

ତାହା ଜାଣିଲେ ଚକ୍ରଧର

।।

ଶ୍ରୀକୃଷ୍ଣ ହୃଦଗତେ ବିଜେ

ବସି ବୋଲନ୍ତି ଦେବରାଜେ

।।

ହେ ତାତ ମାତ ଏବେ ଶୁଣ

ଚିନ୍ତା କରିବା ଅକାରଣ

।।

ମୋ ପରି ପୁତ୍ର ଥାଉ ଥାଉ

ଚିତ୍ତେ କାହାକୁ ଭୟ ଆଉ

।।

ଯାହା ବାଞ୍ଛିତ ତୁମ୍ଭେମାନେ

ତାହା ମିଳିବ ସନ୍ନିଧ୍ୟାନେ

।।

ଏ କଥା ଅଟଇ ପ୍ରମାଣ

ସଂଶୟ ନାହିଁ ଏଥେ ଜାଣ

।।

ଏବେ ତୋ ବାଞ୍ଛା ସିଦ୍ଧ ହେଉ

ତୋ ଘରେ ଧନ ପୂରିଥାଉ

।।

ଏମନ୍ତ ଆଜ୍ଞା ତାକୁ ଦେଇ

ମନୁଷ୍ୟ ମତେ ଭାବଗ୍ରାହୀ

।।

ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ

ପିଅର ଶୁଣି ଏ ବଚନ

।।

ଉଠି ଧାଇଁଲେ ବେଗ ହୋଇ

ଦେଖିଲା ପୁତ୍ର ଘରେ ନାହିଁ

।।

ତକ୍ଷଣେ ଦେଖିଲା ଭବନ

ପୂରି ଅଛଇ ବହୁ ଧନ

।।

ପୁତ୍ରକୁ ନ ଦେଖି ନୟନେ

ବିଚାର କଲା ତାର ମନେ

।।

ଯେ ହରି ବାଞ୍ଛା କଳ୍ପତରୁ

ଯାହା ମହିମା ମହାମେରୁ

।।

ଭକତଜନେ ଦୟା ତାର

କିସ ହୋଇବ ଧନ ଛାର

।।

ବାଞ୍ଛିଲେ ବାଞ୍ଛାଫଳ ପାଇ

ଅଧିକେ ପ୍ରୟୋଜନ ନାହିଁ

।।

ମୁଁ ମୂଢ ମନ୍ଦକୃତ୍ୟ କଲି

ଧନର ଲୋଭେ ନାଶ ଗଲି

।।

କୃଷ୍ଣକୁ ହରାଇଲି ମୋର

କିସ କରିବ ଧନ ଛାର

।।

ଏମନ୍ତେ ପ୍ରଭୁ ଗୁଣ ଗୁଣି

ରୋଦନ କଲେ ବେନି ପ୍ରାଣୀ

।।

ଆହା ଶ୍ରୀକୃଷ୍ଣ କାହିଁ ଗଲ

ଆମ୍ଭଙ୍କୁ ସଙ୍ଗତେ ନ ନେଲ

।।

ଆମ୍ଭଙ୍କୁ ପଟଳେ ପକାଇ

ଚାଲି ଯିବାର ନ ଯୋଗାଇ

।।

ତୁମ୍ଭର ବିନା ଜୀବ ଯିବ

ଥାଇଣ କି ଭୋଗ କରିବ

।।

ଥାଇ ନ ଥାଇ ଏ ଜୀବନ

ଯେବେ ଛାଡ଼ିଲା ମୋ ନନ୍ଦନ

।।

ଏମନ୍ତ ବୋଲି ଗଙ୍ଗାଧର

କୃଷ୍ଣ ସୁମରି ଶତେବାର

।।

ପ୍ରାଣ ଛାଡ଼ିଲା ଭାବ ଭୋଳେ

ତା ଦେଖି ପତ୍ନୀ ଧରି କୋଳେ

।।

ବୋଇଲା ଧିକ ଏ ଜୀବନ

ଯେବେ ଛାଡ଼ିଲା ମୋ ନନ୍ଦନ

।।

ଆବର ଗଲେ ପତି ମୋର

କୃଷ୍ଣ ସୁମରି ଶତବାର

।।

ପତି ପୁତ୍ର ହେଲେ ଅନ୍ତର

ଆଉ କି ପ୍ରୟୋଜନ ମୋର

।।

ଏ ଜୀବ ଥିବା କି କାରଣ

ଯିବଇଁ ସ୍ୱାମୀର ସଙ୍ଗେଣ

।।

ଯୁବତୀମାନଙ୍କର ଧର୍ମ

କରିବ ଉଚିତ ଯେ କର୍ମ

।।

ଅନଳ ଜାଳି ପତି ସଙ୍ଗେ

ପଶିବି ତହିଁ ମଧ୍ୟେ ବେଗେ

।।

ଏମନ୍ତ ବିଚାରୁ ସୁନ୍ଦରୀ

ତକ୍ଷଣେ ପାହିଲା ସର୍ବରୀ

।।

ଦିବସ ଦେଖି ସେ ଯୁବତୀ

ଯେତେକ ଧନ ତା ସମ୍ପତ୍ତି

।।

ହରି କୃପାରୁ ହୋଇଥିଲା

ଅନେକ ବିପ୍ର ହସ୍ତେ ଦେଲା

।।

ଦୁଃଖୀ ଦରିଦ୍ର ସାଧୁଜନେ

ଧନ ଯେ ଦେଲା ଶୁଦ୍ଧମନେ

।।

ଯେତେକ ବିତ୍ତ ତାର ଥିଲା

ରେଣୁ ପ୍ରମାଣେ ନ ରଖିଲା

।।

ସକଳ ଧନ ଦେଲା ସାରି

ସ୍ୱାମୀ କି ସଙ୍ଗତରେ ଧରି

।।

ନା ଉତ୍ସବ କରାଇଲା

ଗ୍ରାମ ବାହାରେ ଚଳିଗଲା

।।

ନନ୍ଦନ କାଷ୍ଠେ ଅଗ୍ନି ଜାଳି

ଅନେକ ଘୃତ ତହିଁ ଢାଳି

।।

ଘୃତ ତୃଣାଦି ଛଣପତ୍ର

ପାଇ ଜଳିଲା ଅଗ୍ନ ହୋତ୍ର

।।

ଅତି ପ୍ରଖର ଚିତାନଳ

ଘୋଟିଲା ଗଗନ ମଣ୍ଡଳ

।।

ସେ ମହା ଅଗ୍ନି ତେଜ ପାଇ

ପାରୁଶେ ରହି ନ ହୁଅଇ

।।

ଏମନ୍ତ ସମୟରେ ନାରୀ

ଯେ ବିଧିମତେ ସ୍ନାନ କରି

।।

ଅନେକ ମତେ ସଜ ହୋଇ

ମୁଖେ ଶ୍ରୀହରି ନାମ ଗାଇ

।।

ପତିକି ଘେନି ଅତି ତୋଷେ

ମିଳିଲା ଅଗ୍ନିକୁଣ୍ଡ ପାଶେ

।।

ବୋଇଲା ନମୋ ବୈଶ୍ୱାନର

ନମସ୍ତେ ଚନ୍ଦ୍ର ଦିବାକର

।।

ନମସ୍ତେ ଦଶଦିଗପାଳ

ନମୋ ବସୁଧା ଆଖଣ୍ଡଳ

।।

ନମୋ ବିଧାତା ହରିହର

ଅଶେଷ ବ୍ରହ୍ମାଣ୍ଡ ଠାକୁର

।।

ଶରଣ ଗଲି ରଖ ମୋତେ

ମୁଁ ଯିବି ସ୍ୱାମୀର ସଙ୍ଗତେ

।।

ଅନଳ ମଧ୍ୟେ ଦେବି ଝାସ

ନ ଲାଗୁ ଆତ୍ମହତ୍ୟା ଦୋଷ

।।

ଏମନ୍ତ ବୋଲି ଧାତିକାରେ

ପତିକି ଘେନି ସଙ୍ଗତରେ

।।

ବୈକୁଣ୍ଠପୁର ଅନୁସରି

ତୁଣ୍ଡେ ଶ୍ରୀକୃଷ୍ଣ ନାମ ଧରି

।।

ସମସ୍ତେ ଦେଖୁଁ ଦେଖୁଁ ତହିଁ

ଅନଳେ ପଡ଼ିଲୋକ ଡ଼େଇଁ

।।

ଏମନ୍ତ ସମୟରେ ଶୁଣ

ଲକ୍ଷ୍ମୀ ସହିତେ ନାରାୟଣ

।।

ତାରେ କରୁଣା କଲେ ଆସି

ଅନଳେ କୁଣ୍ଡ ମଧ୍ୟେ ପଶି

।।

ସେ ପିତ ପତ୍ନୀ ପ୍ରାଣହାରି

ରଥେ ବସାଇ ବେଗ କରି

।।

ଅନଳୁଁ ହୋଇଲେ ବାହାର

ଶୁଭିଲା ଜୟ ଜୟ କାର

।।

ଝଟକ ବିଦ୍ୟୁ ପ୍ରାୟେ ଦିଶି

ଗଗନ ମଧ୍ୟେ ଯାଇ ମିଶି

।।

ତାହା ଦେଖିଣ ସର୍ବନର

ଡାକିଲେ ଧନ୍ୟ ଗଙ୍ଗାଧର

।।

ଧନ୍ୟ ତୋ ପତ୍ନୀ ତୋର ଭାବ

ବ୍ରହ୍ମାଣ୍ଡ ମଧ୍ୟରେ ନ ଥିବ

।।

ଏମନ୍ତ ବୋଲି ଯେଝାମତେ

ପ୍ରଂଶସା କରି ଅପ୍ରମିତେ

।।

ଚଳିଣ ଗଲେ ଯେଝାପୁର

ଚିତ୍ତେ ଚିନ୍ତିଣ ଭାବ ତାର

।।

ଶୁଣ ସୁଜନ ହେତୁ ଦେଇ

ଏ ଦାର୍ଢ୍ୟ ଭକତି ଅଟଇ

।।

ସୁଦୃଢ ଚିତ୍ତେ ଯେଉଁ ଜନ

କରନ୍ତି ଶ୍ରବଣ ପଠନ

।।

ଜନ୍ମ ମରଣ ବାଧା ନାହିଁ

ବସିବେ ବିଷ୍ଣୁ ଲୋକେ ଯାଇଁ

।।

ଏ ମନ ଚୈତନ୍ୟ ସମ୍ବାଦ

ଶୁଣନ୍ତେ ନ ଲାଗେ ପ୍ରମାଦ

।।

ବୋଲଇ ବିପ୍ର ରାମଦାସ

ମୂଳଟି ଅଟଇ ବିଶ୍ୱାସ

।।

ବିଶ୍ୱାସ ବିନା କର୍ମ ଯେତେ

ଫଳ ନ ଫଳେ କଦାଚିତ୍ତେ

।।

ଏଣୁ ଶ୍ରୀହରି ପଦ୍ମପାଦେ

ମୋ ଚିତ୍ତ ରହୁ ଅପ୍ରମାଦେ

।।

ସାଧୁଜନଙ୍କ ପାଦଧୂଳି

ନିରତେ ପଡ଼ୁ ମୋ ମଉଳି

।।

ଏ ଜୀବ ଯିବାକାଳେ ଏକା

ସାଧୁ ଶ୍ରୀକୃଷ୍ଣ ଦୁହେଁ ସଖା

।।

ସୁଜନେ ଏହି ରସେ ରସ

ଏ ଭବ ଜଳରେ ନ ଭାସ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ

ଗଙ୍ଗାଧରଦାସ ପତ୍ନୀ ମୋକ୍ଷଣେ ନାମ ଦ୍ୱାଦଶୋ ଧ୍ୟାୟଃ

•••

 

ତ୍ରୟୋଦଶ ଅଧ୍ୟାୟ

ବନ୍ଧୁମହାନ୍ତି ସମ୍ୱାଦ

ଚୈତନ୍ୟ ଉବାଚ

 

ହେ ମନ ଶୁଣ ଦିବ୍ୟରସ

ପ୍ରଭୁଙ୍କ ମହିମା ଅଶେଷ

।।

ସେ ସାଧୁଜନଙ୍କ ମହିମା

କେ କହିପାରେ ତାର ସୀମା

।।

ଯାଜପୁରରେ ତାର ଘର

ବନ୍ଧୁ ମହାନ୍ତି ନାମ ତାର

।।

ଜାତିରେ ଅଟଇ କରଣ

ତାର କୁଟୁମ୍ୱ ତିନିଜଣ

।।

ବେନି ଦୁହିତା ଏକ ସୁତ

ପତ୍ନୀ ତା ସ୍ୱାମୀର ଭକତ

।।

ଏମନ୍ତେ ପାଞ୍ଚଜଣ ଥାନ୍ତି

କରି ଯାଚକ ପଣ ନିତି

।।

ଦେଶ ବିଦେଶ ବୁଲିଯାନ୍ତି

ପ୍ରକାଶି କୁଟୁମ୍ୱ ପୋଷନ୍ତି

।।

ଏକ ଦିନରୁ ଆରଦିନ

ଘରେ ତା ନଥାଇ ଭୋଜନ

।।

ସର୍ବଦା ସଦାନନ୍ଦମୟେ

ଦୁଃଖକୁ ଶୋଚନା ନ ଥାଏ

।।

ଏଣୁ ଶ୍ରୀହରି ପାଦେ ମତି

ନିରତେ ସାଧୁଜନେ ପ୍ରୀତି

।।

ପ୍ରଭୁ ମହିମା ଗୁଣମାନ

ନିରତେ ରଟଇ ବଦନ

।।

କର୍ଣ୍ଣରେ ଶୁଣି ହୃଦେ ଚିନ୍ତି

ଏଣୁ ଆନନ୍ଦ ତାର ମତି

।।

ସକଳ ଜୀବେ ତାର ଦୟା

ବାନ୍ଧବ ଜନେ ସେ ନିର୍ମାୟା

।।

ହରି ଭକତା ମହା ଭୟ

ସତ୍ୟ ଧାର୍ମିକ ବିପ୍ରପ୍ରିୟ

।।

ସଂସାର କର୍ମେ ସେ ଉଦାର

ଜାଣଇ ନାମ ଏକ ସାର

।।

ସତ୍ୟରେ ଭଜୁଥାଇ ନିତ୍ୟେ

ଦିନ ବଞ୍ଚଇ ଦୁଃଖ ସୁଖେ

।।

ଏମନ୍ତେ କେତେଦିନ ଗଲା

ଦଇବେ କାନ୍ତାରେ ପଡ଼ିଲା

।।

ପ୍ରାଣିଙ୍କି ନ ମିଳେ ଭୋଜନ

ଦୁର୍ଭିକ୍ଷେ ମଲେ ବହୁଜନ

।।

ଯହିଁ ଦେଖିଲେ କୁଢ କୁଢ

ହୋଇଣ ପଡ଼ିଲେକ ମଢ

।।

ସକଳ ଦେଖେ ଡକା ବୋବା

ଆଉ କେ ଅନ୍ନ ଦେବ ଅବା

।।

ବନ୍ଧୁମହାନ୍ତି ନାନାମତେ

ବୁଲିଣ ଗ୍ରାମ ପାଞ୍ଚସାତେ

।।

କାହିଁ ସେ କିଛି ନ ପାଇଲା

ନିରାଶେ ଲେଉଟି ଅଇଲା

।।

ବସିଲା ନିଜପୁରେ ଯାଇ

ଚିନ୍ତିଣ ପ୍ରଭୁ ଭାବଗ୍ରାହୀ

।।

ଏହି ସମୟେ ପତ୍ନୀ ତାର

କହିଲା ପତିର ଛାମୁର

।।

ବୋଇଲା ଶୁଣ ପ୍ରାଣନାଥ

ବାଳକେ ହୋଇଲେ ଅନାଥ

।।

ପୁତ୍ର ଦୁହିତା ଅସମ୍ଭାଳ

ଭୋଜନ ନ ପାଇ ଆକୁଳ

।।

ଯେତେ ଜଞ୍ଜାଳ ମୋତେ କରି

କେ ସହୁ ମାତା ଦେହ ଧରି

।।

ଏଥକୁ କହ କି ବିଚାର

କି ବୁଦ୍ଧି କରିବା ଏଥର

।।

ମୋହର ସଖା ସାହା ନାହିଁ

ଦାଦି ମଉଳା ବାପ ଭାଇ

।।

ତୁମ୍ଭର ବନ୍ଧୁ ଇଷ୍ଟଘର

ପ୍ରୀତି ମଇତ୍ର ସହୋଦର

।।

ଥିଲେ ନିକଟେ ଦୂରଦେଶେ

ଚାଲହେ ଯିବା ତାଙ୍କ ପାଶେ

।।

କରିଣ ନାନାମତେ ସେବା

ଏକାଳ କାନ୍ତାରୁ ବଞ୍ଚିବା

।।

ତା ଶୁଣି ବୋଲେ ନିଜ ପତି

ମୋ ବାଣୀ ଶୁଣରେ ଯୁବତୀ

।।

ତୁ ଯାହା ପଚାରିଲୁ ମୋତେ

ମୁଁ ଏବେ କହୁଅଛି ତୋତେ

।।

ବନ୍ଧୁ ସୋଦର ମୋର ନାହିଁ

ମୁଁ ବଡ଼ ଅନାଥ ଅଟଇ

।।

ଏକା ମୋ ବନ୍ଧୁ ଜଣେ ଛନ୍ତି

ବହୁତ ଦୂରରେ ଅଛନ୍ତି

।।

ଏଠାକୁ ଦଶଯୁଣ ଠାରେ

ଘର କରିଛି କ୍ଷେତ୍ରବରେ

।।

ପୁରୁଷମାନଙ୍କ ଉତ୍ତମ

କେହି ନୁହନ୍ତି ତାଙ୍କୁ ସମ

।।

ଆବର ଭାଗ୍ୟବନ୍ତ ପଣେ

ବ୍ରହ୍ମାଣ୍ଡେ ନାହିଁ ଅନ୍ୟ ଜଣେ

।।

ଯାଇ ପାରିଲେ ତାଙ୍କ ଯାଏ

ଦୁଃଖ ବା ଛାଡ଼ିବ ଥୋକାଏ

।।

ତା ଶୁଣି ଆନନ୍ଦ ସୁନ୍ଦରୀ

କହଇ ସ୍ୱାମୀ କର ଧରି

।।

ଭୋ ନାଥ ମୋର ବୋଲ କର

ପୁତ୍ର ଗୋଟିକି ତୁମ୍ଭେ ଧର

।।

ଏକ ଦୁହିତା ମୋର ଭାଗେ

ଆରକେ ଚଳାଇବା ଆଗେ

।।

ଘରେ ପଦାର୍ଥ ଅଛି ଯେତେ

ପଣତେ ବାନ୍ଧିଦିଅ ମୋତେ

।।

ବହନ ହୋଇ ଚାଲ ଯିବା

ନୋହିଲେ ସମସ୍ତେ ମରିବା

।।

ପତ୍ନୀ ମୁଖରୁ ଏହା ଶୁଣି

ବନ୍ଧୁ ମହାନ୍ତି ମନେ ଗୁଣି

।।

ନେତ୍ର ପବିତ୍ର ହେବ ମୋର

ଦେଖିବି ବ୍ରହ୍ମାଣ୍ଡ ଠାକୁର

।।

ଶ୍ରୀ ବଳଭଦ୍ରଦେବ ଦେଖି

ସୁଫଳ କରିବି ମୁଁ ଆଖି

।।

ଏମନ୍ତ ବିଚାରିଣ ଚିତ୍ତେ

ପୁତ୍ରକୁ ଧଇଲା ତ୍ୱରିତେ

।।

ପତ୍ନୀ କହିଲା ଯେଉଁ ରୂପେ

ତାହାକୁ ଦେଲା ସେହି ରୂପେ

।।

ପୁତ୍ରକୁ ବସାଇଣ କନ୍ଧେ

ଚଳିଲେ ପରମ ଆନନ୍ଦେ

।।

ପଥରେ ଚାରିଦିନ ରହି

ମିଳିଲେ କ୍ଷେତ୍ରବରେ ଯାଇଁ

।।

ପ୍ରବେଶ ସିଂହଦ୍ୱାରଠାର

ଦେଖିଲେ ବେତୁଆ ଅପାର

।।

ବହୁତ ହୋଇଛି ଆକଟ

ମାଛି ଗଳିବା ନାହିଁ ବାଟ

।।

ସେ ଦ୍ୱାରେ ପଶି ନ ପାରିଲେ

ଦୂରହୁଁ ରହି ଅନାଇଲେ

।।

ପତିତପାବନଙ୍କୁ ଦେଖି

ସୁଫଳ କଲେ ଚର୍ମ ଆଖି

।।

ତହୁଁ ଚଳିଲେ ଅତି ସୁଖେ

ମିଳିଲେ ଦକ୍ଷିଣର ପାଖେ

।।

ବସିଲେ ପେଜନଳାଠାରେ

ସେ ଗୋରୁ ଗାଈଙ୍କ ସଙ୍ଗରେ

।।

ଦେଖି ତା ପତ୍ନୀ ବୋଲେ ତହିଁ

ଏଠାରେ ବସିଲ କିମ୍ପାଇଁ

।।

ଦେଖ ହେଉଛି ସନ୍ଧ୍ୟାକାଳ

ଅତି ଅନ୍ଧାର ବେଳୁ ବେଳ

।।

ବେଗେ ତୋ ବନ୍ଧୁଘର ଯିବା

ଭୁଞ୍ଜିଣ ଶରୀର ତୋଷିବା

।।

ଅନ୍ନ ନ ଦେଲେ ସୁନ୍ଦରୀ

ବାଳକ ମାତା ହାତ ଧରି

।।

ଭୋ ମାତ ଲାଗୁଅଛି ଭୋକ

ଗଲାଟି ପ୍ରାଣ ବେଗେ ରଖ

।।

ତା ଶୁଣି ବନ୍ଧୁ କହେ ଧୀରେ

ପୁତ୍ର ଦୁହିତାଙ୍କ ଆଗରେ

।।

ଆଜ ଶୁଣିଲି ବନ୍ଧୁଘର

ଉଛୁର ହେଉଛି ଅପାର

।।

ବହୁତ ଦେଶୁ ବନ୍ଧୁମାନେ

ଆସିଅଛନ୍ତି ତା ଭୁବନେ

।।

ଦ୍ୱାରେ ବେତୁଆ ଜଗିଛନ୍ତି

ବୁଝି ସଙ୍ଖୋଳି ଛାଡ଼ିଦ୍ୟନ୍ତି

।।

ଯେ ପେଲାପଣ କରି ଯାଇ

ମାଡ଼େ ତା ଜୀବନ ଛାଡ଼ଇ

।।

ଏଥକୁ ବିଚାର ତୋ ମନେ

ରାତ୍ର ବଞ୍ଚିବା ପାଞ୍ଚ ପ୍ରାଣୀ

।।

ରଜନୀ ପ୍ରଭାତରୁ ଯିବା

ଏକାନ୍ତେ ବନ୍ଧୁଙ୍କୁ ଭେଟିବା

।।

ଛାମୁରେ ଜଣାଇବା ଦୁଃଖ

ବୋଲିବା ଆମ୍ଭ ପ୍ରାଣ ରଖ

।।

କେବଳ ଅନ୍ନ ବସ୍ତ୍ର ଦେଇ

ଏକଥା ମନକୁ ଯୋଗାଇ

।।

ଶୁଣି ଯୁବତୀ ବୋଲେ ହେଉ

ଆଣ ହୋ ପେଜ ପ୍ରାଣ ରହୁ

।।

ବନ୍ଧୁ ଚଳିଲା ଏହା ଶୁଣି

ଛଡ଼ା କୁଡ଼ୁଆ ଗୋଟି ଆଣି

।।

ସେ ପେଜ କୁଣ୍ଡରେ ବୁଡ଼ାଇ

ପତ୍ନୀକି ଦିଅଇ ବଢାଇ

।।

ପୁତ୍ର ଦୁହିତା ପତ୍ନୀ ଆଗେ

ପେଜ ପିଇଲେ କ୍ଷୁଧା ଭାବେ

।।

ଉଦର ଭରି ସୁସ୍ଥ ହୋଇ

ପଡ଼ିଲେ ସେହିଠାରେ ଶୋଇ

।।

ବନ୍ଧୁ ମହାନ୍ତି ଅତି ତୋଷ

ଲୟ ଲଗାଇ ପ୍ରଭୁପାଶେ

।।

ବୋଇଲା ନମୋ ଦାରୁ ହରି

ଚର ଅଚରେ ଅଛ ପୂରି

।।

ସକଳ ଜୀବେ ପଡ଼ିଦାତା

ତୁମ୍ଭହୁଁ ନାହିଁ ନା କରତା

।।

ମୁଁ ଏଥୁ ନୁହଇ କାହାର

ତୁ ନାଥ ଯାହା ଇଚ୍ଛା କର

।।

ପ୍ରଭୁ ଏଠାରେ କଲେ ହେଳା

ବୁଡ଼ିଲା ଚିନ୍ତାଜଳେ ଭେଳା

।।

କ୍ଷୁଧା ଅନଳେ ପାଞ୍ଚଜଣ

ପୋଡ଼ି ମରୁଛୁ ଅକାରଣ

।।

ତୋର କରୁଣା ବାରି ଦେଇ

ଶୀତଳ କର ଭାବଗ୍ରାହୀ

।।

ଏମନ୍ତ ବୋଲି ସ୍ତୁତି କଲା

ପଥ ଶ୍ରମରେ ନିଦ୍ରାଗଲା

।।

ଏଥି ଉତ୍ତାରୁ ଶୁଣ ମନ

ବଢିଲା ସେବା ପୂଜାମାନ

।।

କ୍ରଧୂଳ ପଞ୍ଚ ଅବକାଶ

ତଡ଼ାଉ ଲାଗି ଆଦି ବେଶ

।।

ବଡ଼ ସିଂହାର ପୁଷ୍ପାଞ୍ଜଳି

ସେ ଯାଇ ଖଟ ଶେଯ ତୁଳି

।।

ସକଳ ସେବା ବଢାଇଲେ

ଭଣ୍ଡାର ଘର ମୁଦ ଦେଲେ

।।

ଦୀପ ଦିହୁଡ଼ି ଧରି ଥୋକେ

ଦେଉଳ ଶୋଧିଲେ ସେବକେ

।।

ସକଳ କବାଟ ପକାଇ

ବିଷମ ଶାଙ୍ଖୋଳି ଲଗାଇ

।।

ଆଉ ସେବକ ଯେତେ ଥିଲେ

ଯେ ଯାହା ପୁରେ ଚଳିଗଲେ

।।

ଏଥି ଉତ୍ତାରୁ ଶୁଣ ଭାବ

ଯେ ପ୍ରଭୁ କମଳା ବଲ୍ଲଭ

।।

ସକଳ ଜୀବ ଚିନ୍ତାମଣି

ଦୀନବାନ୍ଧବ ଚକ୍ରପାଣି

।।

ଅଶେଷ ବ୍ରହ୍ମାଣ୍ଡ କରତା

ଲାଗିଲା ମନେ ଭୃତ୍ୟ ଚିନ୍ତା

।।

ହୋଇଲା ମନ ଛନ୍ନ ଛନ୍ନ

ଦେଉଳେ ବିଜେ ଭଗବାନ

।।

ଭଣ୍ଡାର ଘର ରତ୍ନଥାଳୀ

ବେଗେ ଧଇଲେ ବନମାଳୀ

।।

ତହିଁ ପୂରାଇ ଥାଳୀ ଅନ୍ନ

ନାନାଦି ପ୍ରକାର ବ୍ୟଞ୍ଜନ

।।

ଆବର ଅପମାଲୁ ଗଜା

ନାଡ଼ି ପାପୁଡ଼ି ଭୋଗ ଖଜା

।।

ଯେ କାନ୍ତି କାକରା ଆରିସା

ଘୃତରେ ହୋଇଅଛି ମିଶା

।।

କ୍ଷୀର ଖେଚୁଡ଼ି ସର ପଣା

ଧରି ଚଳିଲେ ଜଗଜ୍ଜିଣା

।।

ରାତ୍ର ହୋଇଛି ଘଡ଼ିସାତ

ଦକ୍ଷିଣ ଦ୍ୱାରେ ଉପଗତ

।।

ଡାକିଲେ ବନ୍ଧୁ ନାମ ଧରି

ତା ଶୁଣି ବନ୍ଧୁ ହେତୁ କରି

।।

ବୋଇଲେ ଶୁଣ ଆଗୋ ସହୀ

ଏ କ୍ଷେତ୍ରେ କେତେ ବନ୍ଧୁ ନାହିଁ

।।

କେ ଅବା କାହାକୁ ଡାକୁଛି

ମୁଁ କିମ୍ପା ଯିବି ଗୋ ମୃଗାକ୍ଷି

।।

ଏମନ୍ତେ ବୋଲି ତୁନି ହୋନ୍ତେ

ପୁଣି ଡାକିଲେ ଜଗନ୍ନାଥେ

।।

ଆଣ୍ଟେ ଡାକିଲେ ନାରାୟଣ

ଯାଜପୁରିଆ ବନ୍ଧୁ ଶୁଣ

।।

କୁଟୁମ୍ୱ ଘେନି ସଙ୍ଗତର

ରହିଛୁ ପେଜ ନଳାଠାର

।।

ବହନ ହୋଇ ଆସ ପାଶ

ଡାକୁଅଛି ମୁଁ ଧରି ଗ୍ରାସ

।।

ତା ଶୁଣି ବନ୍ଧୁ ଅତି ତୋଷେ

ଯାଇ ମିଳିଲା ପ୍ରଭୁ ପାଶେ

।।

ବିପ୍ର ସ୍ୱରୁପ ଗୋଟି ଧରି

ବଢାଇ ଦେଲେ ଅନ୍ନ ଥାଳି

।।

ବୋଇଲେ ଭୁଞ୍ଜ ସୁସ୍ଥ ହୋଇ

କାଲି ସକାଳୁ ତୋତେ ମୁହିଁ

।।

ଖଞ୍ଜିବି ଅନ୍ନ ବସ୍ତ୍ର ଯେତେ

ଚିନ୍ତା ନ କର ତୁମ୍ଭେ ଚିତ୍ତେ

।।

ଏମନ୍ତ କହି ଭଗବାନ

ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ

।।

ବନ୍ଧୁ ସେ ଅନ୍ନ ଘେନିଗଲେ

କୁଟୁମ୍ୱ ଯାକ ଉଠାଇଲେ

।।

ଅନ୍ନ ସେ ଥୋଇ ମଧ୍ୟଗତେ

ବେଢିଣ ବସିଲେ ସମସ୍ତେ

।।

ପତ୍ନୀ ଦୁହିତା ସେ ନନ୍ଦନ

ସମସ୍ତେ କଲେକ ଭୋଜନ

।।

ଉଦର ଭରି ସୁସ୍ଥ ହୋଇ

ଥାଳି ଧଇଲେ ବେଗ ହୋଇ

।।

କବାଟ ଧରି ଧୀରେ ପେଲି

ଡାକିଲେ ଥାଳି ନିଅ ବୋଲି

।।

କେତେ ହେଁ ବେଳ ଡାକ ଦେଲେ

କେ କେଣେ କେହି ନ ଶୁଣିଲେ

।।

ନିରାଶ ହୋଇ ଧରି ଥାଳି

ବନ୍ଧୁ ଲେଉଟି ଗଲେ ଚଳି

।।

ଛିଣ୍ଡାକନାରେ ଗଡ଼ିଆଇ

ଥୋଇଲେ ସୀମସ୍ଥାନେ ନେଇ

।।

ଏଥି ଉତ୍ତାରୁ ନିଶି ଶେଷ

ଦିବସ ହୋଇଲା ପ୍ରବେଶ

।।

କାକ କୁକ୍‌କୁଟ ଦେଲେ ରାବ

ସଂସାର ଦିଶିଲା ସୁଲଭ

।।

ସେବକ ଶୁଚିମନ୍ତ ହୋଇ

ଗଲେ ଶ୍ରୀହରି ସେବାପାଇଁ

।।

କବାଟ ଫିଟାଇ ପଶିଲେ

ଯେ ଯାହା ସେବାରେ ଲାଗିଲେ

।।

ଭଣ୍ଡାର ଫିଟାଇଲେ ଯାଇଁ

ଦେଖିଲେ ରତ୍ନ ଥାଳୀ ନାହିଁ

।।

ସମସ୍ତେ ହୋଇଲେ ତାଟକା

ଦେଉଳେ ପଡ଼ିଲାକ ଡ଼କା

।।

ଭଣ୍ଡାର ସୂପକାର ଧରି

ବାନ୍ଧିଲେ ଯୋଡ଼ି ଯୋଡ଼ି କରି

।।

ବାଜିଲା ବେତ ଯେ ଅନେକ

ଧାଇଁଲେ ଚାରି ଦିଗେ ଲୋକ

।।

ପ୍ରଭୁଙ୍କ ଘଟସୁତ୍ର ମାନ

କେ ତାହା କରିପାରେ ଆନ

।।

ଦଇବ ଯୋଗେ ବନ୍ଧୁ ତାର

କୁଟୁମ୍ୱ ଘେନି ସଙ୍ଗତର

।।

ଶୋଇଛି ସୀମସ୍ଥାନେ ଦେଇ

ଲୋକେ ଦେଖିଲେ ତାହା ଯାଇ

।।

ଛିଣ୍ଡା କନାରେ ରତ୍ନଥାଳୀ

ଫୁଟିଣ ଦିଶୁଅଛି ଝଳି

।।

ଯୋଗେ ଅରୁଣ ତେଜ ପାଇ

ଅଧିକେ ତେଜ ବିରାଜଇ

।।

ବନ୍ଧୁ ମହାନ୍ତି ସୀମସ୍ଥାନେ

ଥାଳୀ ଦେଖିଲେ ଲୋକମାନେ

।।

ବୋଇଲେ କାହିଁର ଏ ଚୋର

ପଳାଇ ଯିବ ବେଗେ ଧର

।।

ଏମନ୍ତ ବୋଲି ଜଣ ସାତେ

ବନ୍ଧୁକୁ ଧଇଲେ ତୁରିତେ

।।

କର୍କଶ ବାନ୍ଧେଣୀ ବାନ୍ଧିଲେ

ଥାଳୀ ଛଡ଼ାଇ ଘେନିଗଲେ

।।

ଅନେକ ମାଡ଼ ହିଁ ମାଇଲେ

ପାଦେ ସାଙ୍କୋଳି ଲଗାଇଲେ

।।

ତା ଶୁଣି ବନ୍ଧୁ ଯେ ବୋଲଇ

ମୋହର କିଛି ଦୋଷ ନାହିଁ

।।

ରାତ୍ର ଯେ ଦଶଘଡ଼ିଠାରେ

ଦେଉଳେ ଏକ ବିପ୍ରବରେ

।।

ରତ୍ନଥାଳୀରେ ଅନ୍ନଭରି

ମୋତେ ଯେ ଦେଲେ ଡାକି କରି

।।

ତା ତହୁଁ ଆଣିଲଇଁ ମୁହିଁ

କୁଟୁମ୍ୱ ଯାକ ସୁସ୍ଥେ ଖାଇ

।।

ଥାଳୀ ଯେ ଲେଉଟାଇ ନେଲି

କେତେ ହେଁ ରୂପେ ମୁଁ ଡାକିଲି

।।

ତେଣେ ଯେ ନ ଶୁଣିଲେ କେହି

ଘେନି ଅଇଲି ଲେଉଟାଇ

।।

ଏଥିରେ କେଉଁ ଦୋଷ ମୋର

କହ କେମନ୍ତେ ହେଲି ଚୋର

।।

ବିନା ଦୋଷରେ ଦଣ୍ଡ ଦେଲେ

ବୁଝିବେ ମୋର ପ୍ରଭୁ ଥିଲେ

।।

ପତ୍ନୀ କହିଲେ ଏହି ମତେ

କେହି ତା ନ ଗଲେ ପରତେ

।।

ବନ୍ଧୁକୁ ବାନ୍ଧି ଘେନିଗଲେ

ବନ୍ଦୀ ମନ୍ଦିରେ ବନ୍ଦୀ କଲେ

।।

ନାନା ମତରେ ଦେଲେ ଗାଳି

ଯେ ଯାହା ମତେ ଗଲେ ଚଳି

।।

ବନ୍ଧୁ ରହିଲେ ମାମୁ ଘରେ

ଚିତ୍ତ ନିବେଶି ପ୍ରଭୁଠାରେ

।।

ବୋଲେ ମୁଁ ପାପୀ ଅପରାଧୀ

ତୁମ୍ଭେ ଯେ କରୁଣା ବାରିଧି

।।

ବ୍ରହ୍ମାଣ୍ଡ ମଧ୍ୟେ ପାପୀଜନେ

ମୋ ପରି ନାହିଁ ଅନ୍ୟ ଜଣେ

।।

ତୋ ପରି ପତିତ ତାରଣ

ଅଛି କେ ବ୍ରହ୍ମାଣ୍ଡ ମଧ୍ୟେଣ

।।

ଏଣୁ ତୁ ଯାହା କଲେ କର

ଅନ୍ୟେ ଶରଣ ନାହିଁ ମୋର

।।

ଏମନ୍ତ ବୋଲି ଭାବି ହୃଦେ

ଚିନ୍ତିଲା ପ୍ରଭୁ ପଦ୍ମପାଦେ

।।

ଏଥି ଉତ୍ତାରୁ ଦିନ ଶେଷ

ରଜନୀ ହୋଇଲା ପ୍ରବେଶ

।।

ପ୍ରଭୁଙ୍କ ନିତ୍ୟକର୍ମ ଯେତେ

ସେବକ ସାରିଲେ ତୁରିତେ

।।

ପଲଙ୍କ ସୁପାତି ପକାଇ

ପ୍ରଭୁମାନଙ୍କୁ ପହୁଡ଼ାଇ

।।

ଦେଉଳ ବେଢା ନିଶୋଧିଲେ

କବାଟ କିଳି ଚଳିଗଲେ

।।

ପ୍ରବେଶ ଯେ ଯାହା ଭୁବନ

ଏଥିଉତ୍ତାରୁ ଶୁଣ ମନ

।।

ଯେ ପ୍ରଭୁଭୃତ୍ୟ ଚିନ୍ତାମଣି

ସର୍ବତ୍ର ବ୍ୟାପିଛନ୍ତି ପୁଣି

।।

ପ୍ରଭୁପଣକୁ ଲୁଚିଯାଇ

ସେବକ ବେଦନା ନ ସହି

।।

ଦେଉଳୁ ବିଜେ ଜଗଜ୍ଜିତା

ଲାଗିଅଛଇ ଭକ୍ତ ଚିନ୍ତା

ତକ୍ଷଣେ ଗରୁଡ଼ ଆରୋହୀ

ଗଗନ ମାର୍ଗେ ଉଡ଼ିଯାଇ

।।

ବିଜେ ଖୋରଧା ରଖିପୁରେ

ପ୍ରତାପ ରୁଦ୍ରର ମନ୍ଦିରେ

।।

ସେ ମହାରାଜା ନୃପସାଇଁ

ପଲଙ୍କେ ନିଦ୍ରା ଅଛି ଯାଇ

।।

ତାହାଙ୍କ ପାଶେ ଭାବଗ୍ରାହୀ

ବିଜୟ କଲେ ଭାବ ବହି

।।

ସ୍ୱପନ ମାର୍ଗେ ଆଜ୍ଞା ଦେଲେ

ଶୁଣରେ ରାଉତ ବୋଇଲେ

।।

ମୋ ଘରେ ବନ୍ଧୁ ଆସିଥାଇ

ସେ ନିତି ଉପବାସେ ଯାଇ

।।

ଇତର ଲୋକଙ୍କର ଘରେ

କୁଣିଆ ନ ଯାଇ ଭୋକରେ

।।

ତାହାର ଯାଜପୁରେ ଘର

କୁଟୁମ୍ୱ ଘେନି ସଙ୍ଗତର

।।

ବନ୍ଧୁ ମୋ ଅତି ଶ୍ରଦ୍ଧାମନେ

ଆସି ଯେ ଥିଲା ମୋ ଭୁବନେ

।।

ତାଙ୍କୁ ଭୋଜନ ମୁହିଁ ଦେଲି

ତୋ ବାପ ଗଣ୍ଠିକି ନାଶିଲି

।।

ସେ ରତ୍ନଥାଳୀ ଗୋଟି ମୋର

ଥିଲ ସେ ବନ୍ଧୁର ପାଶର

।।

ତାହାକୁ ଚୋର ଦୋଷ ଦେଇ

ଧଇଲେ ତୋର ଲୋକ ଯାଇଁ

।।

ନିବିଡ଼େ ବାନ୍ଧି ପକାଇଲେ

ଅନେକ ମାଡ଼ ହିଁ ମାଇଲେ

।।

ଚରଣେ ସାଙ୍କୋଳି ଲଗାଇ

ରଖିଲେ ବନ୍ଦୀ ଘରେ ନେଇ

।।

ତା ଦେଖି କୁଟୁମ୍ୱ ସକଳ

କେ କହୁ ତାହାଙ୍କ ବିକଳ

।।

ଏଣୁ ମୁଁ କହୁଅଛି ତୋତେ

କ୍ଷେତ୍ରକୁ ଯିବୁ ତୁ ତ୍ୱରିତେ

।।

ବନ୍ଧୁକୁ ବନ୍ଦୀରୁ ଫିଟାଇ

ଚରଣ ସାଙ୍କୋଳି କଟାଇ

।।

ବିନୟ ହୋଇ ପାଦତଳେ

ସ୍ନାନ କରାଇ ତୀର୍ଥଜଳେ

।।

ପିନ୍ଧାଇ ସୁଝୀନ ଅମ୍ୱର

ଖଞ୍ଜିବୁ ନାନା ଅଳଙ୍କାର

।।

ଦେଉଳେ ଖରଶୋଧ ପଣେ

ଶାଢୀ ଯେ ଦେବୁ ତୁ ଆପଣେ

।।

ବନ୍ଧୁର ପାଞ୍ଜି ମୋ ପ୍ରମାଣ

ଏ କଥା ସତ୍ୟ ବୋଲି ଜାଣ

।।

କ୍ଷୀରି ଖେଚଡ଼ି ପୁରି ଅନ୍ନ

ଜୀବନ୍ତେ ଦେବୁ ତୁ ଭୋଜନ

।।

ତେବେ ସେ ରାଜ୍ୟେ ସୁଖେ ଥିବୁ

ନୋହିଲେ ନାଶ ନିଶ୍ଚେ ଯିବୁ

।।

ଆମ୍ଭେଟି ପ୍ରଭୁ ନାରାୟଣ

କହିଲୁ ସାବଧାନେ ଶୁଣ

।।

ଏମନ୍ତ ବୋଲି ଛାଟେ ମାରି

ତକ୍ଷଣେ ଗଲେ ନରହରି

।।

ପ୍ରବେଶ କଲେ ନୀଳାଚଳେ

ଏଣେ ଉଠିଲେ ମହୀପାଳେ

।।

ପ୍ରଭୁ ମହିମା ମନେ ଗୁଣି

ବାହାରେ ବିଜେ ନୃପମଣି

।।

ପାତ୍ର ମନ୍ତ୍ରୀଙ୍କୁ ଡ଼କାଇଲେ

ସକଳ ବୁଝାଇ କହିଲେ

।।

ତକ୍ଷଣେ ବାସ ଲାଗି ହୋଇ

ବିଜୟ କଲେ ନୃପସାଇଁ

।।

ଏଣେ ଯେ ଦଶଦଣ୍ଡ ଠାରେ

ବିଜୟ କଲେ ନୃପବରେ

।।

ବନ୍ଧୁ ପାଶକୁ ବେଗେ ଗଲେ

ବନ୍ଧନ ଫିଟାଇ ବୋଇଲେ

।।

ବନ୍ଧୁକୁ ନେଇକଲେ କୋଳ

ହୃଦେ ଲଗାଇ ମହୀପାଳ

।।

ବୋଇଲେ ଧନ୍ୟ ମୋ ଜୀବନ

ଦେଖିଲି ତୋହର ବଦନ

।।

ଏମାନେ ଦୋଷ କଲେ ଯେତେ

ସକଳ କ୍ଷମାଦିଅ ମୋତେ

।।

ଏମନ୍ତ ବୋଲି ଭୁଜ ଧରି

ଶିରେ ଢାଳିଲେ ତୀର୍ଥବାରି

।।

ପିନ୍ଧାଇ ସୁଝୀନ ବସନ

ଖଞ୍ଜିଲେ ଖଞ୍ଜା ବରତନ

।।

ଦେଉଳେ ଖରଶୋଧ ପଣେ

ପାଟ ବାନ୍ଧିଲେ ତତକ୍ଷଣେ

।।

କୁଟୁମ୍ୱ ଯାକ ବନ୍ଧୁ ତୁଲେ

ଅନେକ ପଉରୁଷ କଲେ

।।

ଦକ୍ଷିଣ ପାରୁଶରେ ଘର

ତୋଳାଇ ଦେଲେ ନୃପବର

।।

ଭୋଗ ଖଞ୍ଜିଲେ ମହାରାୟେ

ଖୁଆଅ ପୁତ୍ର ନାତି ଯାଏ

।।

ବନ୍ଧୁକୁ ସୁଚିତ୍ତ କରାଇ

ପ୍ରଭୁ ଛାମୁକୁ ଘେନିଯାଇ

।।

ସକଳ ସମର୍ପିଣ ଦେଲେ

ନୃପତିବର ଚଳିଗଲେ

।।

ବନ୍ଧୁ ରହିଲେ ପ୍ରଭୁପାଶେ

ଅତ୍ୟନ୍ତ ମନର ହରଷେ

।।

କୁଟୁମ୍ୱ ଘେନି ସଙ୍ଗତରେ

ଶ୍ରୀ ଜଗବନ୍ଧୁଙ୍କ ସେବାରେ

।।

ପରମ ଆନନ୍ଦେ ରହିଲେ

ମନକୁ ଚୈତନ୍ୟ କହିଲେ

।।

ଶୁଣ ସୁଜନେ ପ୍ରଭୁପଣ

ଭକ୍ତ ବତ୍ସଳ ଭଗବାନ

।।

କରନ୍ତି ଏତେ ଦୂରଯାଏ

ଯେବା ବିଶ୍ୱାସ କରିଥାଏ

।।

ଭାବକୁ ନିକଟ ଗୋସାଇଁ

ଅଭାବ ଜନେ ଭେଟ ନାହିଁ

।।

ଏଣୁ ପାମର ରାମଦାସ

ଶରଣ କମଳା ବିଳାସ

।।

ବନ୍ଧୁ ମହାନ୍ତି ଗୀତେରସ

ସୁଜନେ ଶୁଣିହୁଅ ତୋଷ

।।

ଏ ଦାର୍ଢ୍ୟଭକ୍ତି ରସାମୃତ

କେବଳ ପ୍ରାଣୀ କଷ୍ଟହତ

।।

ଯେଅବା ଶ୍ରଦ୍ଧାମନେ ଶୁଣେ

କି ଅବା ବଚନରେ ଗୁଣେ

।।

ତାର କଳୁଷ ଥିବ ଯେତେ

ରହିବ ନାହିଁ କଦାଚିତ୍ତେ

।।

ସକଳ କର୍ମେ ଯଶହେବ

ଶମନ ଦର୍ଶନେ ନ ଯିବ

।।

ଏ କଥା ଅଟଇ ପ୍ରମାଣ

ସକଳ ଶାସ୍ତ୍ରେ ଏହା ଶୁଣ

।।

ସାଧୁ ଶ୍ରୀକୃଷ୍ଣ କଥା ବିନେ

ଜୀବ ଉଦ୍ଧାର ନାହିଁ ଅନ୍ୟେ

।।

କରି ଚିନ୍ତଇ ନିଜ ମନେ

ଯାହା କରିବେ ସାଧୁମନେ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ୱାଦେ

ବନ୍ଧୁ ମହାନ୍ତି ଦାର୍ଢ୍ୟଭାବ ବର୍ଣ୍ଣନେ ନାମ ତ୍ରୟୋଦଶୋ ଧ୍ୟାୟଃ

•••

 

Unknown

ଚତୁର୍ଦ୍ଦଶ ଅଧ୍ୟାୟ

ବଳରାମ ଦାସ ସମ୍ବାଦ

ଚୈତନ୍ୟ ଉବାଚ

 

ଶୁଣ ସୁଜନେ ଶୁଦ୍ଧଚିତ୍ତେ

ଯାହା ମୁଁ କହୁଅଛି ତୋତେ

।।

ଭକତ ଜନ ମଧ୍ୟେ ସାର

ମହିମା ଅପାରୁ ଅପାର

।।

ନାମ ତା ବଳରାମ ଦାସ

ମହନ୍ତ ସୋମନାଥ ଶିଷ୍ୟ

।।

ପୁରୁଷୋତ୍ତମେ ତାର ଘର

କୁଟୁମ୍ୱ ଘେନି ସଙ୍ଗତର

।।

ଉତ୍ତମ ଜନେ ଆଶ୍ରା କରି

ନିତି ବୁଲଇ ଭିକ୍ଷା କରି

।।

ଏମନ୍ତ ବଞ୍ଚୁଥାନ୍ତି ଦିନ

ଶୋଚନା ନ ଥାଇ ତା ମନ

।।

ନିରତେ ହରିପାଦ ଧ୍ୟାୟି

ଆନନ୍ଦେ ମତ୍ତ ହେଉଥାଇ

।।

ଗୋଟିଏ ନାମ ଯହୁଁ ଶୁଣେ

କୋଟିଏ ନିଧି ପ୍ରାୟେ ମଣେ

।।

ସର୍ବଦା ହରିରସ ରସେ

ଶ୍ରବଣେ ଶୁଣି ମୁଖେ ଘୋଷେ

।।

ବସଇ ସାଧୁଙ୍କ ସଙ୍ଗର

ସକଳ ଜୀବେ ଦୟା ତାର

।।

ଶ୍ରୀ ଦାରୁବ୍ରହ୍ମ ସେବା ବିନେ

ଅନ୍ୟ ନ ଜାଣେ ତାର ମନେ

।।

କେବଳ ପ୍ରକୃତି ବଶରେ

ନିରତେ ଗମେ ବେଶ୍ୟାଘରେ

।।

ଚନ୍ଦ୍ରରେ କଳଙ୍କ ଯେସନ

ଅର୍ଜିଲା କଥା ନୋହେ ଆନ

।।

ପୂର୍ବ ଅଜିଲା କର୍ମ ଫଳ

ନିରତେ ବେଶ୍ୟାଘର ଚଳେ

।।

ଏମନ୍ତ କେତେଦିନ ଅନ୍ତ

ଶୁଣ ସୁଜନେ ଶୁଦ୍ଧଚିତ୍ତେ

।।

ଆଷାଢେ ଶ୍ରୀ ଗୁଣ୍ଡିଚା ଯାତ

ନିର୍ମାଣ ହେଲା ତିନିରଥ

।।

ସୁଭଦ୍ରା ବଳଦେବ ତୁଲେ

ପ୍ରଭୁ ସମ୍ଭ୍ରମେ ବିଜେ କଲେ

।।

ଅଶେଷ ଜନଙ୍କର ହିତେ

ବିଜୟ ନନ୍ଦିଘୋଷ ରଥେ

।।

ଶ୍ରୀ ନନ୍ଦିଘୋଷ ଚଳିବାରେ

ଆନନ୍ଦ କେ କହି ସଂସାରେ

।।

ଅଶେଷ ଜନଙ୍କର ହିତେ

ବିଜୟ ନନ୍ଦିଘୋଷ ରଥେ

।।

ଶ୍ରୀ ନନ୍ଦିଘୋଷ ଚଳିବାରେ

ଆନନ୍ଦ କେ କହି ସଂସାରେ

।।

ଅଶେଷ ବାଦ୍ୟନାଦ ଶୁଣି

ଆନନ୍ଦ ହୋଇଲା ଧରଣୀ

।।

ଏମନ୍ତ ସମୟରେ ଶୁଣ

ଗଣିକା ମନ୍ଦିରେ ଯାଇଣ

।।

ଥିଲେ ଯେ ବଳରାମ ଦାସେ

ମତ୍ତ ହୋଇଣ ବେଶ୍ୟା ରସେ

।।

ଶ୍ରବଣେ ଶୁଣିଲେ ସେ ଧ୍ୱନି

ଶିରେ କଚାଡ଼ି କର ବେନି

।।

ବୋଇଲେ ଧିକ ମୋ ଜୀବନ

ଅଜ୍ଞାନେ ବଞ୍ଚିଲି ମୁଁ ଦିନ

।।

ପ୍ରଭୁ ମୋ ରଥେ ବିଜେ କଲେ

ଶୋଇ ମୁଁ ଅଛି ବେଶ୍ୟା ତୁଲେ

।।

ଏମନ୍ତ ବୋଲି ଗଲା ଧାଇଁ

ମିଳିଲା ପ୍ରଭୁ ପାଶେ ଯାଇଁ

।।

ଉଠିଲା ନନ୍ଦିଘୋଷ ରଥେ

କର ନିବେଶି ଅଛି ମାଥେ

।।

କଳା ଶ୍ରୀମୁଖକୁ ଅନାଇ

ଅନେକ ମତେ ବାହୁନେଇ

।।

ସେବକ ଅନାଇଣ ଦେଲେ

କ୍ରୋଧରେ ଦାସଙ୍କୁ ବୋଇଲେ

।।

ଗଣ୍ଡେ ତୋ ତାମ୍ୱୁକର ଗାର

କୁଙ୍କୁମେ ଦେହ ଜର ଜର

।।

ଅତି କଦର୍ଯ୍ୟ ତୋର କାୟେ

ଦିଶୁଛୁ ଖଣ୍ଡଚିତ୍ର ପ୍ରାୟେ

।।

ସ୍ନାନ ଶଉଚ ତୋର ନାହିଁ

ଥିଲୁ ତୁ ବେଶ୍ୟା ଘରେ ଶୋଇ

।।

କିମ୍ପା ତୁ ଚଢିଲୁ ରଥର

ଭକତ ପଣ ପୋଡ଼ୁ ତୋର

।।

କେ ବୋଲେ ତୋତେ ଜ୍ଞାନବନ୍ତ

ଦେଖ ହୋ ପ୍ରଭୁ ଜଗନ୍ନାଥ

।।

ବ୍ରହ୍ମା ଇନ୍ଦ୍ରାଦି ଯାର ପାଦେ

ସେବା କରନ୍ତି ଅପ୍ରମାଦେ

।।

ତାହାକୁ ତୋର ଭୟ ନାହିଁ

ଆସିଛୁ ଶୁଚିବନ୍ତ ନୋହି

।।

ଏମନ୍ତ ବୋଲି କୋପଭରେ

ସେବକମାନେ ଯେ ଯାହାରେ

।।

ଗଳେ ଅନେକ ଧକ୍‌କା ଦେଲେ

ରଥରୁ ପେଲି ପକାଇଲେ

।।

ନାନା କୁବାକ୍ୟେ ଗାଳିଦେଇ

କହ ତୋ ବାପ ଆଗେ ଯାଇ

।।

ସବୁରି ମୁଖରୁ ନିରାଶ

ପାଇଲା ବଳରାମ ଦାସ

।।

ମନରେ ପାଇ ଗୁରୁତାପ

ବଢିଲା ବିଶେଷ ସନ୍ତାପ

।।

ପ୍ରଭୁ ଛାମୁରେ ଉଭା ହୋଇ

କଳା ଶ୍ରୀମୁଖକୁ ଅନାଇ

।।

ବେନି ନୟନୁ ଧାରାଗଳେ

ପ୍ରଣାମ କଲା ମହୀତଳେ

।।

ଉଠି କପାଳେ ଦେଲା ପାଣି

ବୋଇଲା ନମୋ ଚକ୍ରପାଣି

।।

ନମୋ ଜଳଦ ପଦ୍ମମୁଖ

ଭକତ ଜନଙ୍କର ଭେକ

।।

ଭକ୍ତବତ୍ସଳ ମହାବାହୁ

ନନ୍ଦିଘୋଷରେ ଥାଉଁ ଥାଉଁ

।।

ଶଙ୍ଖ ଯେ ଚକ୍ର ବେନିକରେ

ବିରାଜୁଅଛି ତିନିପୁରେ

।।

ତେଜେ ଗଞ୍ଜଇ ମାରତଣ୍ଡ

ତହିଁ ନ ଛେଦି ମୋର ମୁଣ୍ଡ

।।

ଦଣ୍ଡ ଯେ ଦେଲ ପରହସ୍ତେ

ଏଥିରେ ଯଶ ହେଲା କେତେ

।।

ମୋତେ କରୁଣା ଯେବେତୋର

ସକଳ ଜାଣିଲି ଏଥର

।।

ନନ୍ଦ ଗଉଡ଼ ପୁଅ ହୋଇ

ନନ୍ଦିଘୋଷରେ ଏବେ ତୁହି

।।

ବିଜୟ ଚକା ବଇଠରେ

କିପାଇଁ ଚାହିଁବୁ ଦୃଷ୍ଟିରେ

।।

ଥିଲୁ ମୋ ପ୍ରାଣବନ୍ଧୁ ବୋଲି

ତୋର ଛାମୁକୁ ଆସିଥିଲି

।।

ଏଥକୁ ଦଣ୍ଡ ଦେଲୁ ଏତେ

ଆଜି ଜାଣିଲି ମୁହିଁ ତୋତେ

।।

ମୁଁ ଯେ ଜାଣଇ ତା ସକଳ

ତେଣୁ ବା ହୋଇବ ଅକଳ

।।

ଏବେ ମୁଁ ଗଲିଟି ବାହୁଡ଼ି

କେ ଝିଙ୍କୁ ତୋ ରଥ ଦଉଡ଼ି

।।

ଯାତ୍ରା କେମନ୍ତେ କର ତୁହି

ତାହା ଦେଖଇ କିନା ମୁହିଁ

।।

ଭଲା କେ ଚାଳୁ ଏବେ ରଥ

ତୋ ବାପ ନନ୍ଦର ଶପଥ

।।

ଆବର କହୁଅଛି ପୁଣ

ଶ୍ରୀବତ୍ସଭୂଷଣ ଶରଣ

।।

ମୁଁ ଯେବେ ତୋହର ସେବକ

ତୁ ଯେବେ ମୋ ପ୍ରାଣ ନାୟକ

।।

ଅନ୍ୟ ଶରଣ ମୋର ଥିଲେ

ତାହା ବୁଝିବୁ ତୁହି ଭଲେ

।।

ଆବର କହୁଅଛି ଯାହା

ଶୁଣ ପୁତନା ପ୍ରାଣଖିଆ

।।

କୋଟିଏ ବ୍ରହ୍ମାଣ୍ଡ ହୋଇବ

ଗୋଟିଏ ପ୍ରଭୁ ହୋଇଥିବ

।।

ତାର ସେବକ ହାନିଲାଭ

ସେ ପ୍ରଭୁ ଯେବେ ନ ବୁଝିବ

।।

ସେ ଲଜ୍ଜା ହେବଟି କାହାର

ତୋ ହୃଦପଦ୍ମରେ ବିଚାର

।।

ଅଧିକ କି କହିବି ମୁହିଁ

ତୁମ୍ଭେ ମୋ ଜୀବର ଗୋସାଇଁ

।।

ଯେ ଦଣ୍ଡ ଉଚିତ୍‌ ମୋହର

ବୋଲି ଚଳିଲେ କ୍ରୋଧଭର

।।

ପଛକୁ ଅନାଇଁ ଅନାଇଁ

ମିଳିଲା ସିନ୍ଧୁ କୂଳେ ଯାଇ

।।

ବାଙ୍କି ମୁହାଣ ବାଲିକୁଦେ

ବସିଲା ମନର ବିଷାଦେ

।।

ବାଲିରେ ତିନିଗୋଟି ରଥ

ନିର୍ମାଣ କରିଣ ତ୍ୱରିତ

।।

ନୟନ ବୁଜି ଧ୍ୟାନେ ଚିନ୍ତି

ଯେ ଜଗବନ୍ଧୁ ତିନିମୂର୍ତ୍ତି

।।

ବୋଇଲା ଏଥେଁ ବିଜେ କର

ମୁଁ ଯେବେ ସେବକ ତୋହର

।।

ଏମନ୍ତ ବୋଲି ଭାବଭୋଳେ

ନୟନୁ ଅଶ୍ରୁଧାର ଗଳେ

।।

ଅମୃତ ନଦୀପ୍ରାୟ ହୋଇ

ସର୍ବାଙ୍ଗେ ଯାଉଅଛି ବହି

।।

ତାହା ଜାଣିଲେ ଆଦିମୂଳ

ଯେ ପ୍ରଭୁ ଭକତ ବତ୍ସଳ

।।

ଶରଣ ରକ୍ଷଣ ଯେ ବାନା

ନ ସହେ ସେବକ ବେଦନା

।।

ଅଶେଷ ସୁଖ ଦୂର କରି

ବାଙ୍କି ମୁହାଣେ ବିଜେ କରି

।।

ଦାରୁ ରଖିଣ ନନ୍ଦିଘୋଷ

ପ୍ରଭୁ ବିଜୟ ଭକ୍ତ ପାଶେ

।।

ସଙ୍ଗତେ ଘେନି ଭଗ୍ନି ଭ୍ରାତ

ବିଜୟ କଲେ ବାଲିରଥ

।।

ତା ଦେଖି ବଳରାମ ଦାସ

କେ କହୁ ମନରେ ହରଷ

।।

ଅଳପେ ଅନାଇଣ ଦେଲା

କଳପ ସୁକୃତ ଲଭିଲା

।।

କେବଳ ଅଭିମାନ ଧରି

ଚାହିଁ ଯେ ଅଛି ବକ୍ର କରି

।।

ହୃଦେ ଆନନ୍ଦ ସୁଖେ ଦୁଃଖ

ତାହା ଜାଣିଲେ ପଦ୍ମମୁଖ

।।

ହସି କହନ୍ତି ପୀତବାସ

ଦାସେ ନ କର ତୁମ୍ଭେ ରୋଷ

।।

ଘୋର ସନ୍ତାପ ତୋର ଦେଖି

ଯାତ୍ରା ମୁଁ ଅଇଲି ଉପେକ୍ଷି

।।

ଏବେ ଯେ ଆୟତ୍ତ ତୋହର

ତୋ ମନେ ଯାହା ତାହା କର

।।

ପ୍ରଭୁ ଶ୍ରୀମୁଖୁଁ ଶୁଣି ଏତେ

ଦାସ ବଳିଆ ଛାର କେତେ

।।

ତକ୍ଷଣେ ଶିରେ କର ଦେଇ

ଛାମୁର ପାୟେ ପଡ଼ି ଶୋଇ

।।

ଉଠି କପାଳେ ଦେଇକର

ବୋଇଲା ନମେ ଚକ୍ରଧର

।।

କମଳା ଯାର ପରିଚାରୀ

ଧାତା ଯାହାର ଆଜ୍ଞାକାରୀ

।।

ଦେବ ଇନ୍ଦ୍ରାଦି ସୁରାସୁର

ଯ଼କ୍ଷ ଗନ୍ଧର୍ବ ଯ଼େ କିନ୍ନର

।।

ଦେବ ଇନ୍ଦ୍ରାଦି ବୈଶ୍ୱାନର

ନାଗ ନୃପତି ଚରାଚର

।।

କ୍ଷିତି ଆକାଶ ଦିଗପାଳ

ଯାହାର ଆଜ୍ଞାରେ ସକଳ

।।

ହେଉ ଅଛନ୍ତି ଆତଯାତ

ତୁମ୍ଭେ ଅଶେଷ ଲୋକନାଥ

।।

ଶାରଦା ଯାର ଆଜ୍ଞାକାରୀ

ଯେ ନଷ୍ଟନିଧି ପରିବାରୀ

।।

ସିଦ୍ଧ ଯୋଗୀନ୍ଦ୍ର ମୁନିଗଣେ

ଧ୍ୟାନେ ଚିନ୍ତନ୍ତି ଯା ଚରଣେ

।।

ମୋ ଛାର କେତେକ ମାତର

କୋଟିଏ କୀଟର ଅନ୍ତର

।।

ବିଜୟ କଲେ ମୋର ପାଇଁ

ପ୍ରଭୁ ପଣକୁ ଲୁଚିଯାଇଁ

।।

ଏହା ନ ଜାଣି ମୁଢ ନରେ

ସେବନ୍ତି ଅନ୍ୟ ଦେବତାରେ

।।

ଗଙ୍ଗା ତେଜିଣ ଗଙ୍ଗାକୂଳେ

କୂପ ଖୋଜନ୍ତି ତୃଷାତୁରେ

।।

ସୁଧାତେଜିଣ ବିଷ ଖାଇ

ମରିବା ସମ ସେ ଅଟଇ

।।

ଯେ ତୁମ୍ଭ ମହିମା କିଞ୍ଚିତ

ଜାଣି ଭଜଇ ଅବିରତ

।।

ଶରଣ ପଶେ ତୋ ଚରଣେ

ଇନ୍ଦ୍ର ପଦ ହିଁ ଯେ ନ ଗଣେ

।।

ତେଣୁ ବଳିଆ ଏ ସଂସାରେ

ଚିତ୍ତରେ କାହାକୁ ନ ଡରେ

।।

କମ୍ଭୁ ରଥାଙ୍ଗ ଗଦା ପାଣି

ଭରସା ଅଛି ବୋଲି ଜାଣି

।।

ମହାପାତକୀ ହୋଇଥାଇଁ

ସେ ଦୋଷ କ୍ଷମାକର ତୁହି

।।

ମୁଁ ଯେ ସର୍ବଦା ଅପରାଧି

ତୁମ୍ଭେ ଯେ କରୁଣାବାରିଧି

।।

ହୁଡ଼ି ବୋଇଲି ଯେତେ ଆଜ

ସେ ତୁଣ୍ଡେ ପଡ଼ୁ ମୋର ବଜ୍ର

।।

ଭୃତ୍ୟକୁ ଏଡ଼େ ସାହାପକ୍ଷ

ଆଜ ତ ଦେଖିଲି ପ୍ରତ୍ୟକ୍ଷ

।।

ଏବେ ଯେ ନନ୍ଦିଘୋଷ ରଥ

ନିଳାଦ୍ରୀ ନବରରେ ଜାତ

।।

ଅଶେଷ ସୁଖଭୋଗ ମାନ

ଛାଡ଼ି ଅଇଲ ଭଗବାନ

।।

ଭ୍ରାତା ଭଗିନୀ ସାହା ହୋଇ

ଏଥେ କି ଭୁଞ୍ଜିବ ଗୋସାଇଁ

।।

ମୁଁ ମୁଢ ମନ୍ଦକୃତ୍ୟ କଲି

ପ୍ରଭୁଙ୍କୁ ଏ କଷ୍ଟ ବିହିଲି

।।

ତା ଶୁଣି ପ୍ରଭୁ ଭାବଗ୍ରାହୀ

ଦାସଙ୍କୁ ପାଶରେ ବସାଇ

।।

ହସି ଶ୍ରୀମୁଖେ ଆଜ୍ଞା ଦେଲେ

ହେ ଦାଶେ ଶୁଣ ତୁ ବୋଇଲେ

।।

ଉତ୍ସବ ମୋର କିସ ହେବ

ମୂଳ ମୋ ଭକତର ଭାବ

।।

ଅଶେଷ ସୁଖଭାବ ମୋର

ଭକତ କଥାମୃତ ସାର

।।

ମୋର ମହିମା ପଦେ ପଦେ

ଯେ ଶୁଣୁଥିବ ସଦା ହୃଦେ

।।

ସେ ଅଟେ ସୁଖ ଦାତା ମୋର

ତୋ ମନେ ସଂଶୟ ନ କର

।।

ତା ଶୁଣି ବଳରାମ ଦାସ

ମନରେ ଲଭି ଅତି ତୋଷ

।।

ହୃଦୟ ମଧ୍ୟେ ଚକାସନେ

ପ୍ରଭୁଙ୍କୁ ବସାଇ ଆସନେ

।।

ଆପଣା ଧଇର୍ଯ୍ୟ ସ୍ତମ୍ଭରେ

ବାନ୍ଧିଲା ମନ ପୁଟଡୋରେ

।।

ଆନନ୍ଦ ଦାଣ୍ଡେ ରଥ ଚଢି

ଲଗାଇ କଳ୍ପନା ଦଉଡ଼ି

।।

ପ୍ରକୃତି ପଠିଆଇ ଗଲେ

ରଥ ଦଉଡ଼ି ଓଟାରିଲେ

।।

ସୁଗୁଣ ସାରଥିଏ ରଥେ

ଗୀତ ଗାଇଣ ରଙ୍ଗେ ନାଚେ

।।

ରାଜସବୁଦ୍ଧି ବେତ୍ରକରେ

ହିଂସା ଦୁର୍ବୁଦ୍ଧି ଦୂର କରେ

।।

ମହତ ଘଣ୍ଟା ବଜାଇଲେ

ଶବଦ ଶଙ୍ଖଧ୍ୱନି କଲେ

।।

ଜାଗ୍ରତ ପୁରୁଷ ପରିଛା

ସେ ରଥ କରିବାକୁ ରକ୍ଷା

।।

ପଞ୍ଚପରାଣ ବିପ୍ରଗଣ

ସୁବୁଦ୍ଧି ପଣ୍ଡାକୁ ଘେନିଣ

।।

ପ୍ରଭୁଙ୍କ ପୂଜାରେ ବସିଲେ

ଅଶେଷ ଭୋଗ ମନାସିଲେ

।।

ଚଉଦ ବ୍ରହ୍ମାଣ୍ଡର ଗତେ

ଅପୂର୍ବ ଦ୍ରବ୍ୟମାନ ଯେତେ

।।

ଛାମୁରେ ସବୁ ଠୁଳ କଲେ

କଳ୍ପନା ମାଗି ପୂଜା କଲେ

।।

ତୁ ହୋ ସୁମନ ନୃପବର

ଚୈତନ୍ୟ ମନ୍ତ୍ରୀକି ଘେନିଣ

।।

ରହିବ ଶିଶୁମୁନା ଦ୍ୱାରେ

ବିରାଟ ପୁରୁଷ ଛାମୁରେ

।।

ନିର୍ଭୟ ହୋଇ ଆଜ୍ଞା ଦେଲେ

ଭୟକୁ ମାରରେ ବୋଇଲ

।।

କ୍ରୋଧ ତାମସ ଆଦି ଯେତେ

କୁଟିଳ କପଟ ସହିତେ

।।

ହୀନ କୁମତି ମିଥ୍ୟା ଲୋଭ

ମଦ ମତ୍ସର ଯେ ସ୍ୱଭାବ

।।

ଦୁର୍ଗୁଣ ଦାମ୍ଭିକ ନାସ୍ତିକ

କଳ୍ପନା ଆଦି ଯେତେ ଲୋକ

।।

ମାରି ଏହାଙ୍କୁ କର ଦୂର

ନ ଥାଉ ଏ ଦିବ୍ୟ ରଥର

।।

ଏମନ୍ତ ଆଜ୍ଞା ତାକୁ ଦେଇ

ରହିଲା ଶ୍ରୀମୁଖକୁ ଧ୍ୟାୟୀ

।।

ଆନନ୍ଦେ ବଳରାମ ଦାସ

ଛାଡ଼ି ସଂସାରେ ଦେହ ଆଶ

।।

ରାତ୍ର ଦିବସ ନ ଜାଣିଲା

କ୍ଷୁଧାତୃଷାହିଁ ନ ମଣିଲା

।।

କେବଳ ଏକଭାଗ ହୋଇ

ଶ୍ରୀ ଦାରୁବ୍ରହ୍ମକୁ ଭଜଇ

।।

ଏମନ୍ତ ଭାବ ଦେଖି କରି

ସେ ଭାବେ ବନ୍ଧନ ଶ୍ରୀହରି

।।

ଏଣେ ଯେ ନନ୍ଦିଘୋଷ ରଥ

କଳା ପିଠିଆ ଅପ୍ରମିତ

।।

ଦଉଡ଼ି ଧରିଣ ଓଟାରି

ବଳ ପ୍ରାକର୍ମେ ଗଲେ ହାରି

।।

ରଥ ଚକ ହିଁ ନ ଚଳିଲେ

ସମସ୍ତେ ଦେଖିଣ ଭାଳିଲେ

।।

କି ବୁଦ୍ଧି କରିବା ଏଥର

କିମ୍ପା ନ ଚଳେ ରହୁବର

।।

ଏମନ୍ତ ଦେଖିଣ ସମସ୍ତେ

କହିଲେ ନୃପତି ଅଗ୍ରତେ

।।

ତ୍ୱରିତେ ଡଗର ଯେ ଯାଇ

ରାଜ୍ୟୁ ସକଳ ଜନ ରାଇ

।।

ଯୁବା ବାଳକ ବୃଦ୍ଧ ନାରୀ

ବ୍ରହ୍ମ କ୍ଷତ୍ରୀୟ ଆଦି କରି

।।

ଯେ ପାତ୍ର ମନ୍ତ୍ରୀ ଅମନାତ୍ୟେ

ସାଧୁତ ସାମନ୍ତ ସହିତେ

।।

ସକଳ ଲୋକଙ୍କର ହାତେ

ରଥେ ଝିଙ୍କାଇ ନାନାମନେ

।।

କିଞ୍ଚିତେ ଟାଣି ନ ପାରିଲେ

ଆପଣେ ନୃପତି ଭାଳିଲେ

।।

କିବା ଅଭାଗ୍ୟ ହେଲା ମୋର

ତେଣୁ ନ ଚଳେ ରହୁବର

।।

ଆଣରେ ମତ୍ତଗଜ ଯେତେ

ନୃପତି ଆଜ୍ଞାରେ ସମସ୍ତେ

।।

ଆଣିଲେ ଶତେ ମତ୍ତଗଜ

କରିଣ ନାନା ମତେ ସଜ

।।

ବେଗେଣ ରଥରେ ଯୋଚିଲେ

ମାହୁନ୍ତେ ଅଙ୍କୁଶ ଟିପିଲେ

।।

ଏଣେ ପ୍ରତାପରୁଦ୍ର ରାଜା

କରାଇନାନାମତେ ପୂଜା

।।

କଟୀ ବସନ ଆଣ୍ଟେ ଭିଡ଼ି

ଆପଣେ ଧଇଲେ ଦଉଡ଼ି

।।

ତାହା ଦେଖିଣ ଯେତେ ଲୋକ

ସମସ୍ତେ ହୋଇଣ ଉତ୍ସୁକ

।।

ଧଇଲେ ନନ୍ଦିଘୋଷ ବେଢି

ଗୁଡ଼କୁ ଯେସନେ ପିମ୍ପୁଡ଼ି

।।

ଆନନ୍ଦେ ଦେଲେ ହୁଳହୁଳି

ବଜାଇ କରେ କରତାଳି

।।

ଅନେକ ହରିବୋଲ ପଡ଼ି

ହସ୍ତରେ ଧଇଲେ ଦଉଡ଼ି

।।

ଝିଙ୍କିଲେ ଯେ ଯାହାର ମତେ

ରଥ ନ ଚଳେ କଦାଚିତେ

।।

ଗଜ ମନୁଷ୍ୟ ଶ୍ରମପାଇ

ବସିଲେ ଯେ ଯାହାରେ ଯାଇ

।।

ତାହା ଦେଖିଣ ନୃପବର

ବିଚାର କଲା ତା ମନର

।।

ପ୍ରଭୁ ପଦାରବିନ୍ଦଗତ

ଅପ୍ରାଧ ଅର୍ଜିଲି ବହୁତ

।।

ତେଣୁ ନ ଚଳେ ନନ୍ଦିଘୋଷ

ବୁଝିବା ଏଥିର ସନ୍ଦେଶ

।।

ଏମନ୍ତ ବୋଲି କୁଶାସନେ

ଶୋଇଲେ ରାଜା ଦୁଃଖ ମନେ

।।

ତାହା ଜାଣିଲେ ତତକ୍ଷଣ

ସେ ଅନ୍ତର୍ଯ୍ୟାମୀ ନାରାୟଣ

।।

ରାଜାକୁ କହିଲେ ସ୍ୱପନେ

ତୁ କିମ୍ପା ଚିନ୍ତା କରୁ ମନେ

।।

ଏବେ ମୁଁ କହୁଅଛି ତୋତେ

ହେ ରାଜା ଶୁଣ ଶୁଦ୍ଧଚିତ୍ତେ

।।

ମୋର ଭକତ ଯେଉଁ ଜନ

ମୋହର ନାମ କରେ ଗାନ

।।

ସେ କେବେ ଅଶୁଚି ନୁହଇ

ସର୍ବଦା ଶୁଚିମନ୍ତ ଦେହୀ

।।

ଏଣୁ ମୋ ବଳାରାମ ଦାସ

ମନରେ ହୋଇଣ ହରଷ

।।

ଛାମୁକୁ ଅଇଲା ମୋହର

ମାରି ତାହାକୁ କଲେ ଦୂର

।।

ତେଣୁ ଭକତ ଅଭିମାନେ

ଗଲା ଅତ୍ୟନ୍ତ ଦୁଃଖ ମନେ

।।

ବସିଲା ଚକ୍ରତୀର୍ଥେ ଯାଇଁ

ତହିଁମୋ ପାଦପଦ୍ମ ଧ୍ୟାୟି

।।

ତାହା ଜାଣିଣ ଆମ୍ଭେ ଗଲୁ

ଭକତ ପାରୁଶେ ମିଳିଲୁ

।।

ସେ ଯେତେ ସୁଖ ମୋତେ ଦେଲା

ଯେଉଁ ପ୍ରକାରେ ଯାତ୍ରା କଲା

।।

ଇନ୍ଦ୍ରାଦି ଦେବଙ୍କୁ ଦୁର୍ଲ୍ଲଭ

ତୁ କାହୁଁ ଜାଣିବୁ ତା ଭାବ

।।

ତେଣୁଟି ଅଛୁ ସେହିସ୍ଥାନେ

ଏ ରଥ ଚଳିବ କେସନେ

।।

ଭକତ ଭାବେ ବାନ୍ଧିଅଛି

ଆମ୍ଭେ ତା ନ ପାରୁ ମୂରୁଛି

।।

ଭକତ ମୋହର ଶରୀର

ମୁହିଁ ତାହାର ପ୍ରାଣେଶ୍ୱର

।।

ଭକତ ମୋର ଭିନ୍ନା ଭିନ୍ନ

କେବେ ହେଁ ନୁହେଁ ହେ ରାଜନ

।।

ଭକତ ରକ୍ଷଣ ନିମନ୍ତେ

ଚକ୍ର ମୁଁ ଧରିଅଛି ହସ୍ତେ

।।

ଭକତ ଦୁଃଖ ସୁଖ ଯେତେ

ମୁଁ ସିନା ଭୁଞ୍ଜୁଥାଇ ନିତ୍ୟେ

।।

ଏ ଆଜ୍ଞା ସତ୍ୟ ଅଟେ ମୋର

ହେ ରାଜା ସଂଶୟ ନ କର

।।

ଯେବେ ତୁ ଏମନ୍ତ କରିବୁ

ସେବକ ଯାକ ଡକାଇବୁ

।।

ମୋର ଭକ୍ତକୁ ଅକାରଣେ

ଦଣ୍ଡ ବିହିଲେ ଯେଉଁମାନେ

।।

ତାହାଙ୍କୁ ଯୋଡ଼ି ଯୋଡ଼ି କରି

ବନ୍ଧାଇଥିବୁ ଦଣ୍ଡଧାରୀ

।।

ଗଳାରେ ଜାଲଫାଶ ଭରି

ଦନ୍ତେ ତରିଣ ଥିବେ ଧରି

।।

ପଛରେ ଗଳାଧକ୍‌କା ଦେଇ

ଘେନାଇ ଯିବୁ ନରସାଇଁ

।।

ମୋ ଭୃତ୍ୟ ଛାମୁରେ ଭେଟିବେ

ସମସ୍ତେ ଚରଣେ ଲୋଟିବେ

।।

ତୁ ଯେ ଆପଣେ ନୃପରାଣ

ଦାସଙ୍କୁ କୋଳେ ବସାଇଣ

।।

ଅନେକ ଗଉରବ କରି

ଘେନି ଆସିବୁ ଦଣ୍ଡଧାରୀ

।।

ବସାଇ ନନ୍ଦିଘୋଷ ରଥେ

ବାନ୍ଧିବୁ ପାଟଶାଢୀ ମାଥେ

।।

ବୋଲିବୁ ଯାତ୍ରା ବେଗେ କର

ତେବେ ଚଳିବ ରହୁବର

।।

ମୁହିଁ ଛାଡ଼ିଲି ନୀଳାଚଳ

ଭକତ ଭାବ ମୋର ମୂଳ

।।

ଭକତ ଯିବ ମୋର ଯେଣେ

ମୁହିଁ ନିଶ୍ଚୟ ଯିବି ତେଣେ

।।

ଏ କଥା ସତ୍ୟ ମହୀପାଳ

କହି ଚଳିଲେ ଆଦିମୂଳ

।।

ରାଜା ଏମନ୍ତ ଆଜ୍ଞା ପାଇ

ଉଠିଲା ଅତି ବେଗ ହୋଇ

।।

ସେବକମାନଙ୍କୁ ରାଇଣ

ଦାସେ ଦୋରେହା ଯେତେ ଜନ

।।

ବନ୍ଧାଇ ଯୋଡ଼ି ଯୋଡ଼ି କରି

ଗଳାରେ ଜାଲଫାଶ ଭରି

।।

ଦନ୍ତେ ତରିଣ ଧରାଇଲେ

ପଛେ ହାବୁକା ତାଙ୍କୁ ଦେଲେ

।।

ଘେନାଇ ଗଲେ ଖରେ ଜନେ

ମିଳିଲେ ଭକ୍ତ ସନ୍ନିଧାନେ

।।

ସମସ୍ତେ ଛାମୁରେ ଭେଟିଲେ

ତକ୍ଷଣେ ଚରଣେ ଲୋଟିଲେ

।।

ଉଠଇ କପାଳେ ଦେଲେ କର

ବୋଇଲେ ଦେବ ବିଜେ କର

।।

ଯେତେ ଅପ୍ରାଧ ଆମ୍ଭେ କଲୁ

ତହିଁର ଶାସ୍ତି ତ ପାଇଲୁ

।।

ଏବେ ତୁ ଦୋଷ କର କ୍ଷମା

ଧନ୍ୟ ତୋ ଭକତି ମହିମା

।।

ଏମନ୍ତ ବୋଲିଣ ରାଜନ

କହିଲେ ମଧୁର ବଚନ

।।

ଦାସକୁ କୋଳେ ବସାଇଲେ

ଅନେକ ଗଉରବ କଲେ

।।

ଧନ ବସନ ତାଙ୍କୁ ଦେଇ

ଦାସଙ୍କୁ ଅଶ୍ୱରେ ବସାଇ

।।

ଘେନାଇ ଗଲେ ନୃପରାଣ

ଅନେକ ଉତ୍ସବ କରିଣ

।।

ପ୍ରବେଶ ହେଲେ କ୍ଷେତ୍ରବରେ

ଶ୍ରୀ ନନ୍ଦିଘୋଷ ପାରୁଶରେ

।।

ଦାସଙ୍କୁ ଘେନି ନରନାଥେ

ବିଜୟ ନନ୍ଦିଘୋଷ ରଥେ

।।

ପ୍ରଭୁଙ୍କ ଛାମୁରେ ବସାଇ

ପାଟ ବାନ୍ଧିଲେ ନରସାଇଁ

।।

ବୋଇଲେ କର ଏବେ ଯାତ

ଏ ସର୍ବ ତୁମ୍ଭର ଆୟତ୍ତ

।।

ତା ଶୁଣି ବଳରାମ ଦାସ

ମନରେ ହୋଇଣ ହରଷ

।।

ବୋଇଲେ ନମୋ ମହାବାହୁ

ଭକତ ବତ୍ସଳ ବୋଲାଉ

।।

ନାମ କରୁଣା ମହାମେରୁ

କିଞ୍ଚିତେ ଦୁବ କରୁ ଦାରୁ

।।

ଏବେ ମୁଁ କହୁଅଛି ତୋତେ

ଭୋ ପ୍ରଭୁ ବିଜେ କର ରଥେ

।।

ତ୍ୱରିତେ ରଥ ଚଳିଯାଉ

ପ୍ରଭୁ ମହିମା ରହିଯାଉ

।।

ଏମନ୍ତ ବୋଲି କର ଯୋଡ଼ି

ବୋଇଲା ଝିଙ୍କ ହୋ ଦଉଡ଼ି

।।

ତା ଶୁଣି ପିଠିଆଏ ଗଲେ

ରଥ ଦଉଡ଼ି ଓଟାରିଲେ

।।

ସମସ୍ତେ ଜୟ ଜୟ କଲେ

ଅଶେଷ ବାଦ୍ୟ ବଜାଇଲେ

।।

ସେବକ ଘଣ୍ଟା ବଜାଇଲେ

କାମିନୀ ହୁଳହୁଳି ଦେଲେ

।।

ତାହା ଦେଖିଣ ପ୍ରଭୁ ମନେ

ପ୍ରସନ୍ନ ହେଲେ ନରରାଣେ

।।

ରଖିଣ ଭକତ ମହତ

ଚଳିଲା ନନ୍ଦିଘୋଷ ରଥ

।।

ପଛକୁ ରହିଲା ଦଉଡ଼ି

ପକ୍ଷୀ ଯେସନେ ଶୂନ୍ୟେ ଉଡ଼ି

।।

ତେସନେ ପ୍ରଭୁ ଦେବରାଜ

ସଙ୍ଗେ ଚଳିଲେ ତାଳଧ୍ୱଜ

।।

ପଲକ ମାତ୍ରେ ରହୁବର

ପ୍ରବେଶ ଗୁଣିଚା ନଗର

।।

ତାହା ଦେଖିଣ ସର୍ବଜନ

ଆବର ହେ ମହାରାଜନ

।।

ଚାରିଦିଗରେ ବେଢି ବସି

ଦାସଙ୍କୁ ଅନେକ ପ୍ରଶଂସି

।।

ବୋଇଲେ ଧନ୍ୟ ତୋ ଜୀବନ

ବଶ ତୁ କଲୁ ନାରାୟଣ

।।

ଧନ୍ୟ ଏ ପ୍ରଭୁଙ୍କ ମହିମା

ରଖିଲେ ଭକତ ଗାରିମା

।।

ଏଣୁ ଏ ବ୍ରହ୍ମାଣ୍ଡ ମଧ୍ୟେଣ

ହରି ଭକତ ବଡ଼ ଜାଣ

।।

ଯେ ସାଧୁଜନଙ୍କୁ ଭଜଇ

ସେ ନିଶ୍ଚେ ହରିଙ୍କୁ ଲଭଇ

।।

ଯେବା ସାଧୁରେ ଦ୍ରୋହ କରି

ସେ ନିଶ୍ଚେ ଶ୍ରୀହରି ବଇରୀ

।।

ଏମନ୍ତ ବୋଲି ଯେଝାମତେ

ଗଲେ ସେ ଭାବିଚିନ୍ତି ଚିତ୍ତେ

।।

ପ୍ରଭୁଙ୍କୁ ବିଜେ କରାଇଲେ

ସେବାରେ ସେବକ ଲାଗିଲେ

।।

ଶୁଣ ସୁମନ ଏହୁ ରସ

ସାଧୁଙ୍କ ମହିମା ଅଶେଷ

।।

ଭକତେ ପ୍ରଭୁ ଦୟା ଯେଡ଼େ

ବ୍ରହ୍ମା ଇନ୍ଦ୍ରରେ ନାହିଁ ତେଡ଼େ

।।

କହଇ ବିପ୍ର ରାମ ଦାସ

ମୋ ପ୍ରଭୁ କମଳା ବିଳାସ

।।

ସାଧୁଜନଙ୍କ ପାଦଗତେ

ମୋ ଚିତ୍ତ ରହୁ ଅନୁବ୍ରତେ

।।

ଏ ଦାର୍ଢ୍ୟଭକ୍ତି ରସବାଣୀ

ଶୁଣି ସଂସାରୁ ତର ପ୍ରାଣୀ

।।

ଏ ମନ ଚୈତନ୍ୟ ସମ୍ବାଦ

ଶୁଣନ୍ତେ ନ ଲାଗେ ପ୍ରମାଦ

।।

ଏଣୁ ଅଧମ ରାମ ଦାସ

ତୋ ପାଦେ ରହୁ ମୋର ଆଶ

।।

ନିରତେ ଏହି ଆଜ୍ଞା ହେଉ

ଏ ଭାବ ମନରୁ ନ ଯାଉ

।।

 

 

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ

ବଳରାମ ଦାସ ଦାର୍ଢ୍ୟଭାବ ମୋକ୍ଷଣେ ନାମ ଚତୁର୍ଦ୍ଦଶୋ ଧ୍ୟାୟ ।

•••

 

ପଞ୍ଚଦଶ ଅଧ୍ୟାୟ

ଜଗନ୍ନାଥ ଦାସ ସମ୍ବାଦ

ଚୈତନ୍ୟ ଉବାଚ

 

ଶୁଣି ଚୈତନ୍ୟ ଅତିତୋଷେ

କହଇ ମନ ରାଜା ପାଶେ

।।

ଶୁଣ ସୁଜନେ ଶୁଦ୍ଧଚିତ୍ତେ

ତୁ ଯାହା ପଚାରିଲୁ ମୋତେ

।।

ଏ ବଡ଼ ଆଚମ୍ୱିତ କଥା

ଶୁଣି ଛାଡ଼ିବ ଭବବ୍ୟଥା

।।

ଯେ କ୍ଷେତ୍ରମାନଙ୍କ ଉତ୍ତମ

ନାମ ତା ଶ୍ରୀ ପୁରୁଷୋତ୍ତମ

।।

ସେ ପୁଣ୍ୟ କ୍ଷେତ୍ରରେ ନିବାସ

ନାମ ତା ଜଗନ୍ନାଥ ଦାସ

।।

ଜାତିରେ ଅଟଇ ବ୍ରାହ୍ମଣ

ସୁଜ୍ଞାନୀ ପଣ୍ଡିତ ସୁଜାଣ

।।

ଚତୁର ବିବେକ ତା ମତି

ଶାନ୍ତ ସ୍ୱଭାବ ଧୀରମତି

।।

ଧାର୍ମିକ ବୁଦ୍ଧି ଦୟାମୟ

ସ୍ୱଭାବେ ସଦାନନ୍ଦମୟ

।।

ସକଳ ଶାସ୍ତ୍ରରେ ସୁଜ୍ଞାତା

ଜାଣଇ ପାପପୁଣ୍ୟ କଥା

।।

ଏ ଘୋର ସଂସାରକୁ ଡରି

ନିରବେ ମନରେ ବିଚାରି

।।

କେମନ୍ତେ ହେବି ଏଥୁଁ ପାର

ଏ ତ ଅପାର ପାରାବାର

।।

ଏଥୁ ଉଦ୍ଧାର ହେବା ପାଇଁ

ଭକତି ବିନୁ ଅନ୍ୟ ନାହିଁ

।।

ଏମନ୍ତ ବୋଲି ପ୍ରତିଦିନ

ହରି ଚରଣେ କରେ ଧ୍ୟାନ

।।

ଏମନ୍ତେ କେତେଦିନ ଗଲା

ଦିନେକ ଏମନ୍ତ ହୋଇଲା

।।

ଶୟନ ସମୟରେ ଦାସେ

ମନ ନିବେଶି ପ୍ରଭୁ ପାଶେ

।।

ବୋଇଲେ କୃପା ମୋତେ କର

ଦେଖାଅ ମହିମା ତୁମ୍ଭର

।।

ମୋ ଜୀବ ଉଦ୍ଧାର ନିମନ୍ତେ

କି ଆଜ୍ଞା ହେଉ ପ୍ରଭୁ ମୋତେ

।।

ତୁମ୍ଭେ ବୋଲାଅ ଦୀନବନ୍ଧୁ

ନାମ କରୁଣାମୟ ସିନ୍ଧୁ

।।

ସୁଦୟା ନୋହିଲେ ତୁମ୍ଭର

କେମନ୍ତେ ଭବୁ ହେବି ପାର

।।

ଏଣୁ ତୁ ଯାହା କଲେ କର

ଆୟତ ନାହିଁଟି ମୋହର

।।

ଏମନ୍ତ ବୋଲି ନିଦ୍ରାଗତେ

ହରିଙ୍କି ଚିନ୍ତା କରି ଚିତ୍ତେ

।।

ତାହା ଜାଣିଲେ ନାରାୟଣ

ଯେ ପ୍ରଭୁ ଜଗତକାରଣ

।।

ଶରଣଜନ ଚିନ୍ତାମଣି

କମ୍ଭୁ ରଥାଙ୍ଗ ଗଦାପାଣି

।।

ଚାରୁ ଅଧର ମନ୍ଦହାସେ

ବିଜୟ କଲେ ଭୃତ୍ୟପାଶେ

।।

ଶ୍ରୀମୁଖେ ଆଜ୍ଞା ଦେଲେ ହରି

ଶୁଣ ହେ ଦାସେ ହେତୁ କରି

।।

ତୁ ଯାହା ଚିନ୍ତୁଥାଉ ମନ

ତାହା ତ କହୁଅଛି ଶୁଣ

।।

ତୋ ଜୀବ ଉଦ୍ଧାର ନିମନ୍ତେ

ଦୀକ୍ଷା ମୁଁ ଦେଉ ଅଛି ତୋତେ

।।

ସକଳ ଶାସ୍ତ୍ର ମଧ୍ୟେ ସାର

ଓଁ କାର ବ୍ରହ୍ମ ଏକାକ୍ଷର

।।

ଆମ୍ଭେ ଶ୍ରୀମୁଖେ ଆଜ୍ଞା ଦେଲୁ

ଶ୍ରୀ ଭାଗବତ ନାମ ଦେଲୁ

।।

ସେ ମହାବୀଜ ତ୍ରିଅକ୍ଷର

କହିଲେ ଅନନ୍ତ ଅପାର

।।

ସେ ମହାଭାଗ ଚତୁର୍ଦ୍ଦଶେ

କହିଲେ ବ୍ରହ୍ମାଙ୍କର ପାଶେ

।।

ବିଧାତା ହୃଦେ ଜପକଲେ

ପୁଣି ତା ଚତୁର ଶ୍ଲୋକରେ

।।

ବିସ୍ତାର କଲେ କବି ପଣେ

କହିଲେ ନରନାରାୟଣେ

।।

ସେ ନର ନାରାୟଣ ଋଷି

ହୃଦ ପଦ୍ମରେ ତାହା ଘୋଷି

।।

ଦଶମ ଶ୍ଲୋକରେ ଭଣିଲେ

ନାରଦ ମୁନିଙ୍କୁ କହିଲେ

।।

ନାରଦ ଶତେ ଶ୍ଲୋକ କଲେ

ବ୍ୟାସଙ୍କ ଆଗରେ କହିଲେ

।।

ସେ ବ୍ୟାସ ମହାଯତି ଭଲେ

ଅଠରସସ୍ର ଶ୍ଲୋକ କଲେ

।।

କହିଲେ ଶୁକଦେବ ପାଶେ

ସେ ମୁନି ଶୁଣି ଅତି ତୋଷେ

।।

ଅଶେଷ ମୁନିଙ୍କର ତୁଲେ

ପରୀକ୍ଷ ରାଜାଙ୍କୁ କହିଲେ

।।

ଶୁଣି ପରୀକ୍ଷ ମହାରାଣ

ପାଇଲେ ପରମ କାରଣ

।।

ସେ ମହାପୁରାଣ ଚରିତ

ପ୍ରାକୃତବନ୍ଧେ କରେ ଗୀତ

।।

ତୁ ନିଶ୍ଚେ ପବିତ୍ର ହୋଇବୁ

ଅଶେଷ ପ୍ରାଣୀଙ୍କି ତାରିବୁ

।।

ଶ୍ରୀ ଭାଗବତ ଶୁଣି କର୍ଣ୍ଣେ

ପବିତ୍ର ହେବେ ପ୍ରାଣୀମାନେ

।।

କର ତୁ ଏହି ଅନୁକୂଳ

ଲଭ ତୁ ପରମ ମଙ୍ଗଳ

।।

ଏମନ୍ତେ ଦାସେ ଆଜ୍ଞା ପାଇ

ସ୍ୱପନେ ପ୍ରଭୁଙ୍କୁ ଜଣାଇ

।।

ଏ ଗ୍ରନ୍ଥ ନିଗମୁଁ ବାହାର

ମୁନିମାନଙ୍କ ଅଗୋଚର

।।

ଫେଡ଼ ଏ କଥା ଆଜ୍ଞା ହେଉ

ପୁଣି ବୋଲନ୍ତି ମହାବାହୁ

।।

ଭୟ ନ କର ତୁମ୍ଭେ କିଛି

ଗୀତ କର ମୁହିଁ ଅଛି

।।

ତୋ ହୃଦପଦ୍ମେ ବସିଥାଇ

ମୁଁ ଯାହା ଦେଉଥିବ କହି

।।

ତାହା ତୁ ପତ୍ର ଘେନି ଲେଖ

କହି ଚଳିଲେ ପଦ୍ମ ମୁଖ

।।

ଏମନ୍ତ ସମୟରେ ଶୁଣ

ନିଦ୍ରା ଭାଜିଲା ତତକ୍ଷଣ

।।

ଦାସେ ଉଠିଲେ ଚେତାପାଇ

ପାଶେ ଦେଖିଲେ କେହି ନାହିଁ

।।

ହୋଇଲେ ପ୍ରଭୁ ଅଙ୍ଗୀକାର

କେବେ ମୋ ଜୀବନ ଉଦ୍ଧାର

।।

ଏମନ୍ତ ବୋଲି ଶୁଦ୍ଧ ଚିତ୍ତେ

ଲେଖନ ପତ୍ର ଧରି ହସ୍ତେ

।।

ଚିତ୍ତ ନିବେଶି ପ୍ରଭୁ ପାଶେ

ଲେଖିଲେ ମନର ହରଷେ

।।

ଏମନ୍ତେ ଅସ୍କନ୍ଧ ପୁରାଣ

ଯେ ଅଟେ କଠିନୁ କଠିନ

।।

ପ୍ରାକୃତ ବନ୍ଧେ କଲେ ଗୀତ

ସେ ପୁଣ୍ୟମୟ ଭାଗବତ

।।

ପ୍ରାଣୀଙ୍କ ଚିତ୍ତ କରି ଚୋରା

କାଢିଲେ ମୁକତି ପସରା

।।

ସୁନ୍ଦର ମଧୁର କୋମଳ

ସାଧୁଙ୍କ ଶ୍ରବଣ ମଙ୍ଗଳ

।।

ପ୍ରାଣୀ କଳ୍ମଷ ନାଶିବାରେ

ଗାୟନ କଲେ ସର୍ବଠାରେ

।।

ତାହା ଶୁଣିଣ ପ୍ରାଣୀମାନେ

ଅତି ଆନନ୍ଦ ହୋଇ ମନେ

।।

ସ୍ତିରୀ ପୁରୁଷ ବାଳ ବୃଦ୍ଧା

ସମସ୍ତେ ଶୁଣିବାରେ ଶ୍ରଦ୍ଧା

।।

ସେହି ପୁରରେ ଯେତେ ନାରୀ

ଦାସଙ୍କୁ ଆଣିଲେ ହକାରି

।।

ବସନ୍ତି ମଣ୍ଡଳ ଆକାରେ

ଦାସଙ୍କୁ ବସାଇ ମଧ୍ୟରେ

।।

ବୋଲନ୍ତି ସମସ୍ତେ ଅବଳା

କହ ଶ୍ରୀକୃଷ୍ଣ ବାଳଲୀଳା

।।

ଶୁଣି ପବିତ୍ର ହେଉ ଆମ୍ଭେ

ବହନ କହ କିନା ତୁମ୍ଭେ

।।

ତା ଶୁଣି ଜଗନ୍ନାଥ ଦାସ

ଗାୟନ କରନ୍ତି ଅଭ୍ୟାସ

।।

ଶ୍ରୀକୃଷ୍ଣ ଗୋପୀଙ୍କର ଭାବ

ଯେ ବ୍ରହ୍ମା ଶିବଙ୍କୁ ଦୁର୍ଲ୍ଲଭ

।।

କେ କହିପାରେ ତହିଁ ସ୍ୱାଦ

ବିଷୟାବିଷକୁ ଯେ ଗଦ

।।

ପଦ ପଦକେ ସୁଧା ଝରେ

ଅଶେଷ ଜନ୍ମ ପାପ ହରେ

।।

ତାହା ଶୁଣିଣ ନାରୀବୃନ୍ଦ

ଲଭନ୍ତି ପରମ ଆନନ୍ଦ

।।

ଅନେକ ଧନ ବସ୍ତ୍ର ଦେଇ

ସମସ୍ତେ କହନ୍ତି ବିନୟୀ

।।

ପ୍ରତିଦିନରେ ଆମ୍ଭ ପୁରେ

ବିଜୟ କରୁଥିବ ଥରେ

।।

ପବିତ୍ର କରି ଗାଉଥିବ

କହି ଶ୍ରୀକୃଷ୍ଣ ଲୀଳା ଭାବ

।।

ତା ଶୁଣି ଦାସେ ଶ୍ରଦ୍ଧାମନେ

ଚଳନ୍ତି ଆପଣା ଭୁବନେ

।।

ପ୍ରତିଦିନରେ ଏହିମତେ

ଗାୟନ କରୁଥାନ୍ତି ନିତ୍ୟେ

।।

ତାହା ଦେଖିଣ ଖଳଜନେ

ସହି ନ ପାରି ଥାନ୍ତି ମନେ

।।

ଏଣୁ ତାହାଙ୍କୁ ଦୁଷ୍ଟମତି

ସାଧୁଙ୍କ ସଙ୍ଗେ ବୁଲୁଥାନ୍ତି

।।

କାକଚାଣ୍ଡାଳ ଯେହ୍ନେ ଦାଣ୍ଡେ

ଧାଇଁଣ ଯାଉଥାନ୍ତି ଚାଣ୍ଡେ

।।

ଦେଖିଲେ ତୁଳସୀ ବୃକ୍ଷରେ

ଚରଣ ଟେକି ମୂତ୍ର କରେ

।।

ମୁଷିକ ଯେହ୍ନେ ଦବ୍ୟ ରସ

ଦାନ୍ତେ କାଟିଣ କରେ ନାଶ

।।

କିଞ୍ଚିତେ ନକରେ ଆହାର

ନାଶିବ କଥା ମୂଳ ତାର

।।

ସେହି ପ୍ରକାରେ ମୂଢ ନରେ

ଦୋଷ ଦିଅନ୍ତି ସାଧୁଠାରେ

।।

ଏଣୁଟି ନ ପାରିଲେ ସହି

ସେ ରାଜ୍ୟ ରାଜା ଆଗେ କହି

।।

ବୋଲନ୍ତି ଶୁଣ ନୃପରାଣ

ତୋ ପୁଣ୍ୟ କ୍ଷେତ୍ରର ବିଧାନ

।।

ବ୍ରାହ୍ମଣ ଜଗନ୍ନାଥ ଦାସ

ଅନେକ ସ୍ତିରୀ କଲା ନାଶ

।।

ଛାପା ତିଳକ ମାଳ ଭରି

କପଟେ ହୋଇ ବ୍ରହ୍ମଚାରୀ

।।

କାଖରେ ପୁସ୍ତକ ଗୋଟାଏ

ଧରି ବୁଲଇ ସର୍ବଦାଏ

।।

ଯେଣେ ଦେଖଇ ନାରୀବୃନ୍ଦ

କେ କହୁ ତାହାର ଆନନ୍ଦ

।।

ତହିଁ ବସିଣ କରେ ଗୀତ

ହଲାଇ ମୁଣ୍ଡ ତାର ହସ୍ତ

।।

ଅର୍ଥ କହଇ ନାନା ମତେ

ସ୍ତିରୀଙ୍କି ମୋହିବା ନିମନ୍ତେ

।।

ତାହା ଶୁଣନ୍ତି ଯେତେ ନାରୀ

କେ ପାରୁ ତା ଠାରୁ ଉବୁରି

।।

ତାକୁ କରନ୍ତି ଯେତେ ସେବା

ପତିଙ୍କି ନ କରିବେ ଅବା

।।

ଏକଥା ବୁଝ ନୃପଶଶୀ

ସତ କି ମିଛ ଦୂତ ପେଶି

।।

ଶୁଣି ନୃପତି କୋପଭରେ

ବୋଇଲେ ଯାଅ ଧାତିକାରେ

।।

ଦାସକୁ ବେଗେ ଘେନି ଆସ

ବୁଝିବୁ ଏଥିର ସନ୍ଦେଶ

।।

ଆଜ୍ଞା ପ୍ରମାଣେ ଦୂତେ ଗଲେ

ଦାସଙ୍କୁ ଘେନିଣ ଅଇଲେ

।।

ଛାମୁରେ ଉଭା କଲେ ନେଇ

ଦେଖି ପୁଚ୍ଛିଲେ ନୃପପାଇଁ

।।

କୋପେ ବୋଇଲେ ଦାସେ ଶୁଣ

ଏ କି ତୁମ୍ଭର ବିଡ଼ମ୍ୱଣ

।।

ଛାଡ଼ିଣ ପୁରୁଷ ସଙ୍ଗତ

ସ୍ତିରୀ ମଧ୍ୟରେ ଗାଅ ଗୀତ

।।

ନିଶି ଦିବସେ ସବୁବେଳେ

କେବଳ ଥାଅ ନାରୀମେଳେ

।।

ଏକି ତୁମ୍ଭର ବିପରୀତ

କହ ହେ ଏଥିର ଚରିତ

।।

ତା ଶୁଣି ଜଗନ୍ନାଥ ଦାସ

ଚିତ୍ତେ ଚିନ୍ତିଲେ ପୀତବାସ

।।

ବୋଇଲେ ଶୁଣ ଦଣ୍ଡଧାରୀ

ଖଳ ବଚନ ଶୁଣି କରି

।।

ସାଧୁଙ୍କୁ କଷଣ ଦେବାର

ଏ ଧର୍ମ ନୁହଇ ତୁମ୍ଭର

।।

ତୁମ୍ଭର ଭାବ ଅଛି ଯାହା

ଶୁଣ କହୁଛି ନରନାହା

।।

ବ୍ରହ୍ମକ୍ଷତ୍ରିୟ ଚାରିଜାତି

ଅପରେ ଯେତେ ଜନ୍ମୁଛନ୍ତି

।।

ସ୍ତିରୀ ପୁରୁଷ ବାଳ ବୃଦ୍ଧା

ଯେ ଅବା ଶୁଣି କରେ ଶ୍ରଦ୍ଧା

।।

ବସିବୁ ତାର ପାଶେ ଯାଇଁ

ଏଥି ସଂଶୟ କିଛି ନାହିଁ

।।

ସ୍ୱରୂପ ଶୁଣ ଦଣ୍ଡଧାରୀ

ଆମ୍ଭେ ତ ଅଟୁ ବ୍ରହ୍ମଚାରୀ

।।

ପୁରୁଷେ ପୁରୁଷ ବୋଲାଉ

ସ୍ତିରୀଙ୍କ ସଙ୍ଗେ ସ୍ତିରୀ ହେଉ

।।

ଏଣୁଟି ଶ୍ରୀହରି କୃପାଏ

ଚିତ୍ତେ କାହାକୁ ନାହିଁ ଭୟେ

।।

ତାହା ଶୁଣିଣ ନୃପବର

କ୍ରୋଧରେ କମ୍ପଇ ଶରୀର

।।

ଦନ୍ତେ ଅଧର ଚିପି ରୋଷେ

ବୋଇଲେ ଶୁଣ ଆହେ ଦାସେ

।।

ଏହା ତ କହିଲ ବଚନେ

କେମନ୍ତେ ଯିବା ପ୍ରତେ ମନେ

।।

ସ୍ୱରୂପ ଯେବେ ଏ ଉତ୍ତର

ଦେଖାଅ ନାରୀରୂପ ତୋର

।।

ନୋହିଲେ ଦଣ୍ଡକୁ କାରଣ

ଅବଶ୍ୟ ହେବୁ ବିପ୍ରଶୁଣ

।।

ଏମନ୍ତ ବୋଲି ନୃପବର

ରଖାଇଦେଲେ ବନ୍ଦିଘର

।।

ସେ ବନ୍ଦିଘରେ ଦାସ ଥାଇ

ଚିତ୍ତେ ଚିନ୍ତିଲେ ଭାବଗ୍ରାହୀ

।।

ଆତଙ୍କେ ଦାସେ ଜଗନ୍ନାଥ

ବୋଲନ୍ତି ରଖ ଗୋପୀନାଥ

।।

ରଖ ହେ ଆରତ ଭଞ୍ଜନ

କଷ୍ଟ ପାବକ ପ୍ରଭଞ୍ଜନ

।।

ଦୌପଦୀ ଲଜ୍ଜା ନିବାରଣ

ବାରଣ ଆରତ ତାରଣ

।।

କୃପା ସମୁଦ୍ର ଚକ୍ରପାଣି

ଶରଣ ଜନ ଚିନ୍ତାମଣି

।।

ପ୍ରତାପରୁଦ୍ରର ଦଣ୍ଡରୁ

ଉଦ୍ଧରି ଧରି ମହାମେରୁ

।।

ଭଜ୍ଜା ସମୁଦ୍ର ପାରିକର

ମୁଁ ଯେବେ ଶରଣ ତୁମ୍ଭର

।।

କରୁଣାକର ପ୍ରଭୁ ମୋତେ

କୀରତି ରହୁ ଏ ଜଗତେ

।।

ଏ ଯେ ପରୁଷ ରୂପ ଯାଉ

ସ୍ତ୍ରୀ ସ୍ୱରୂପ ମୋର ହେଉ

।।

ଦେଖି ନୃପତି ମରୁ ଭାଳି

କଳଙ୍କ ମୁଖେ ଲାଗୁ କାଳି

।।

କପଟୀ ଜନ ଛନ୍ତି ଯେତେ

ଚିନ୍ତାରେ ମରନ୍ତୁ ସମସ୍ତେ

।।

ମୂର୍ଖଜନଙ୍କ ଗର୍ବ ନାଶୁ

ସାଧୁଙ୍କ ମହିମା ପ୍ରକାଶୁ

।।

ଏମନ୍ତ ଆଜ୍ଞା ହେଉ ମୋତେ

ନୋହିଲେ ହତ୍ୟା ହେବ ତୋତେ

।।

ତୋ ପରା ପ୍ରଭୁ ଥାଉଁ ଥାଉଁ

ଏ ରାଜଦଣ୍ଡ କେବା ସହୁ

।।

ତୁ ଯେ ମୋହର ପ୍ରାଣନାଥ

ଏଠାରେ ନ ସରୁ ମହତ

।।

ଏମନ୍ତ ବୋଲି ସ୍ତୁତି କଲେ

ଦାସେ ନିଶ୍ଚିନ୍ତେ ନିଦ୍ରାଗଲେ

।।

ତାହା ଜାଣିଲେ ଭଗବାନ

ଯେ ପ୍ରଭୁ ଭକତ ଜୀବନ

।।

ବିଜୟ କଲେ ଭାବଗ୍ରାହୀ

ଦାସଙ୍କ ପାରୁଶରେ ଯାଇଁ

।।

ଭୟ ପାଦ ଆନନ୍ଦରେ

ଲଭିଲେ ସେବକ ଉପରେ

।।

ବୋଇଲେ ବାଞ୍ଛା ସିଦ୍ଧ ହେଉ

ପୁରୁଷ ତନୁ ତୋର ଯାଉ

।।

ହେଉ କାମିନୀ ତନୁ ପ୍ରାୟେ

ରାଜା ଛାରକୁ କିମ୍ପା ଭୟେ

।।

ହରି ଭରସା ଥାଉଁ ଥାଉଁ

ଚିତ୍ତେ କାହାକୁ ଭୟ ଆଉ

।।

ଏବେ ତୁ ମନେ ହେତୁ କର

ମୋ ସୁଦର୍ଶନ ବଳିଆର

।।

ଏସନ ଆଜ୍ଞା ତାକୁ ଦେଲେ

ତକ୍ଷଣେ ଅନ୍ତର୍ଦ୍ଧାନ ହେଲେ

।।

ଦାସେ ଯେ ନିଦ୍ରା ଯାଇଥିଲେ

ଏମନ୍ତ ସ୍ୱପନ ଦେଖିଲେ

।।

ଉଠି ବସିଲେ ତତକ୍ଷଣ

ଚିନ୍ତିଣ କମଳା ରମଣ

।।

ଦେଖିଲେ ପାଶେ କେହି ନାହିଁ

ବୋଇଲେ ବ୍ରହ୍ମାଣ୍ଡ ଗୋସାଇଁ

।।

ନିଶ୍ଚେ କରୁଣା କରିଗଲେ

ମୋର ବିପଦ ଦେଖି ଭଲେ

।।

ଏମନ୍ତ ବୋଲି ବେଗ ହୋଇ

ନିଜ ଦେହକୁ ଦେଲା ଚାହିଁ

।।

ଦେଖିଲା ସ୍ତିରୀ ଦେହ ଗୋଟି

ହୋଇଣ ମୋହୁ ଅଛି ସୃଷ୍ଟି

।।

ବିଚାର କଲା ମନେ ତାର

ଧନ୍ୟ ଜୀବନ ହେଲା ମୋର

।।

ଯେବଣ ପାଦପଦ୍ମଲାଗି

ଅହଲ୍ୟା ହେଲା ମୋକ୍ଷ ଭାଗୀ

।।

ଯେଉଁ ଚରଣ ଲାଗି କରି

କୁବୁଜା ହୋଇଲା ସୁନ୍ଦରୀ

।।

ଯେବଣ ପାଦପଦ୍ମ ଭଲେ

ଫଣି ମଣିକି ଚିତ୍ର କଲେ

।।

ଯେବଣ ପାଦପଦ୍ମ ବାରି

ଶଙ୍କର ମଉଳିରେ ଧରି

।।

ସଂସାରେ ଗଙ୍ଗାରୂପେ ବହି

ଅଶେଷ ପ୍ରାଣୀଙ୍କି ତାରଇ

।।

ସେ ପାଦପଦ୍ମ ରଜପାଇ

ପବିତ୍ର ହେଲି ଆଜ ମୁହିଁ

।।

ଆଉ କାହାକୁ ମୋର ଡର

ମୋ ପ୍ରଭୁ ବଳେ ବଳିୟାର

।।

ଏମନ୍ତ ବୋଲି ଅତି ତୋଷେ

ମନ୍ଦିରୁ ବାହାରିଲେ ଦାସେ

।।

ଭଜିଲେ ରାମକୃଷ୍ଣ ହରି

ବୋଇଲେ ନାହିଁ ଦଣ୍ଡଧାରୀ

।।

ମନେ ଯେ କରୁଥିଲା କୋପ

ଦେଖୁଁ ଆମ୍ଭର ସ୍ତିରୀରୂପ

।।

ଏମନ୍ତ ବୋଲି ମାୟାନାରୀ

ରାଜା ଦୂତଙ୍କୁ ସଙ୍ଗେ ଧରି

।।

ଚଳିଲେ ଅତ୍ୟନ୍ତ ହରଷେ

ଭେଟିଲେ ଯାଇଁ ରାଜା ପାଶେ

।।

ଦେଖି ନୃପତି ଆଚମ୍ୱିତ

ବୋଇଲେ ଏ କି ବିପରୀତ

।।

ସ୍ତନ ବଦନ ଅଙ୍ଗେ ଶୋଭା

କି ଅବା ପଟାନ୍ତର ଦେବା

।।

ସୁନ୍ଦର ପଣେ ଏହୁ ନାରୀ

ମୋହି ପାରଇ ବ୍ରହ୍ମଚାରୀ

।।

କେମନ୍ତ ଏ ରୂପ ହୋଇଲା

ପୁରୁଷ ତନୁ କେଣେ ଗଲା

।।

ନିଶ୍ଚୟେ ଗୋବିନ୍ଦର ମାୟା

ଆନର ବଳେ କାହିଁ ଏହା

।।

ଏମନ୍ତ ବିଚାରି ନୃପତି

ହୃଦପଦ୍ମରେ କଲା ଭୀତି

।।

ବୋଇଲେ ଶୁଣ ଆହେ ଦାସେ

ମାୟା ଯେ କଲ ଆମ୍ଭ ପାଶେ

।।

ଏହା କେମନ୍ତେ ଜଣାଯିବ

ଦେଖାଅ ନାରୀଙ୍କ ସ୍ୱଭାବ

।।

ତା ଶୁଣି ସେ ମାୟା ସୁନ୍ଦରୀ

ମନେ ଚିନ୍ତିଲେ ନରହରି

।।

ଅଳପ ମନ୍ଦେ ମନ୍ଦେ ହସି

ନୟନ ଅପାଙ୍ଗରେ ଖୋସି

।।

ତଳକୁ କଲେ ଚନ୍ଦ୍ରାନନ

ବୋଇଲେ ଶୁଣ ହେ ରାଜନ

।।

କେତେ କଟାଳ କରୁ ମୋତେ

ଯେମନ୍ତେ ହେବ ତୋର ପ୍ରତେ

।।

ଏମନ୍ତ ବୋଲି ବାସଧରି

ଦେଖାଇ ଦେଲେକ ସୁନ୍ଦରୀ

।।

ସ୍ତିରୀ ସ୍ୱଭାବେ ରଜପତି

ପ୍ରତ୍ୟେକ୍ଷେ ଦେଖିଲେ ନୃପତି

।।

ସଭାରେ ଥିଲେ ଯେତେ ଜନ

ସମସ୍ତେ ଦେଖିଲେ ନୟନ

।।

ବୋଇଲେ ସ୍ୱରୁପ ଏ କଥା

କେ ଏହା କରିପାରେ ମିଥ୍ୟା

।।

ନିଶ୍ଚେ ଏ ଶ୍ରୀହରିର ଦାସ

ରାଜନ କର ହେ ବିଶ୍ୱାସ

।।

ସାଧୁରେ ଅପରାଧ କଲେ

ସମସ୍ତେ ନାଶ ଯିବା ଭଲେ

।।

ଏହା ଶୁଣିଣ ମହାରାଜା

କଲେ ଦାସଙ୍କ ପାଦପୂଜା

।।

ଅନେକ ଧନବସ୍ତ୍ର ଦେଲେ

ଚରଣେ ବିନୟ ହୋଇଲେ

।।

ବୋଇଲେ ଶୁଣ ଗୋ ବଚନ

ଦୁଃଖ ନ କର ତୁମ୍ଭ ମନ

।।

କହ ଶ୍ରୀ ଭାଗବତ ରସ

ଏ ମୋର ଅପରାଧ ନାଶ

।।

ଶ୍ରବଣେ କର୍ଣ୍ଣ ସୁଖୀ ହେଉ

ଅଶେଷ ଜନ୍ମ ପାପ ଯାଉ

।।

ଏଥିରେ ନ କର ନିରାଶ

ତା ଶୁଣି ଜଗନ୍ନାଥ ଦାସ

।।

ହୋଇଣ ପରମ ଆନନ୍ଦ

ଚିତ୍ତେ ଚିନ୍ତିଲେ ଆଦିକନ୍ଦ

।।

ପଶିଲେ ଜଳ ମଧ୍ୟେ ଯାଇଁ

ସ୍ନାନ ଯେ କରିବାର ପାଇଁ

।।

କାମିନୀରୂପ ତ୍ୟାଗ କଲେ

ପୁରୁଷ ସ୍ୱରୂପ ହୋଇଲେ

।।

ସମସ୍ତେ ଦେଖୁଁ ଦେଖୁଁ ତହିଁ

ସ୍ନାନ ଶଉଚବନ୍ତ ହୋଇ

।।

ବସିଲେ ନୃପତି ସଭାରେ

ଅତ୍ୟନ୍ତ ହରଷ ମନରେ

।।

ଗାୟନ କଲେ ଭାଗବତ

ଯେ ଶୁକଦେବଙ୍କ ଉକତ

।।

ପ୍ରାକୃତବନ୍ଧ ଥିଲେ କରି

ସେ ମହାପୁରାଣ ବିସ୍ତାରି

।।

କହିଲେ ନୃପତି ଅଗ୍ରତେ

ଆଦ୍ୟରୁ ପ୍ରାନ୍ତ ପରିଯନ୍ତେ

।।

ଶୁଣି ନୃପତି ସଭାଜନେ

ଅତି ହରଷ ହୋଇ ମନେ

।।

ଦାସଙ୍କୁ ଅନେକ ପ୍ରଂଶସି

ବୋଇଲେ ତୁମ୍ଭେ ବ୍ରହ୍ମଋଷି

।।

ତୁମ୍ଭ ମହିମା ବୁଝିବାରେ

କେ ଅବା ଅଛି ଏ ସଭାରେ

।।

ଏଥକୁ ଶୋଚନା ନ କର

ବୋଲି ଉଠିଲେ ଦଣ୍ଡଧର

।।

ଆପଣା ଅଙ୍ଗ ଅଳଙ୍କାର

କାଢିଣ ଦାସଙ୍କ ଛାମୁର

।।

ରଖିଣ ଦଣ୍ଡବତ କଲେ

ଆଜ ମୁଁ ଶରଣ ବୋଇଲେ

।।

ଏମନ୍ତ ବୋଲି ସେ ରାଜନ

ଚନ୍ଦ୍ରାର୍କେ ଦେଲେ ଭୂମିଦାନ

।।

ଗୃହ ସହିତେ ଦାନ ଦେଇ

ଦାସଙ୍କୁ ମେଲାଣି କରାଇ

।।

ଏଥିଉତ୍ତାରୁ ଦଣ୍ଡଧାରୀ

ଖରୁଆମାନଙ୍କୁ ହକାରି

।।

ବଚେଙ୍ଗ ଚାବୁକ ଛାଟ ପିଟି

ସବୁଙ୍କୁ କଲେ ସାତବେଣ୍ଟି

।।

ଅନେକ ଶାସ୍ତି ତାଙ୍କୁ ଦେଲେ

ରାଜ୍ୟ ବାହାର କରାଇଲେ

।।

ବୋଇଲେ ଆଜୁଁ ଏ ରାଜ୍ୟରେ

ଯେ ଅବା ସାଧୁଜନଠାରେ

।।

ଦୂଷଣ ବଚନ କହିବ

ତାହାର ବଂଶ ନାଶଯିବ

।।

ଏମନ୍ତ ବୋଲି ଦଣ୍ଡଧର

ବିଜୟ କଲେ ନିଜପୁର

।।

ତେଣେ ଯେ ଦାସେ ଗଲେ ଚଳି

ନିଜ ଭୁବନେ ଯାଇଁ ମିଳି

।।

ଆନନ୍ଦେ ବଞ୍ଚାଇଲେ ଦିନ

ଭଜିଣ ଶ୍ରୀ ମଧୁସୂଦନ

।।

କାଳେ ଲଭିଲେ ହରି ଭକ୍ତି

ସଂସାର ମଧ୍ୟେ ଅଛି କୀର୍ତ୍ତି

।।

ଶୁଣସୁଜନ ଶୁଦ୍ଧଚିତ୍ତେ

ଏ ଦାର୍ଢ୍ୟଭକ୍ତି ରସାମୃତେ

।।

ପଢି ଶୁଣିବେ ଯେଉଁ ଜନେ

ନ ଯିବେ ଶମନ ସଦନେ

।।

ଅଶେଷ ଜନ୍ମ ପାପ ନାଶି

ଦେବଙ୍କ ସଙ୍ଗେ ଥିବ ବସି

।।

କହଇ ବିପ୍ର ରାମ ଦାସ

ମୂଳଟି ଅଟଇ ବିଶ୍ୱାସ

।।

ବିଶ୍ୱାସ ବିନା କର୍ମ ଯେତେ

କେବଳ ଆଶ୍ରୟ ଜଗତେ

।।

ଏଣୁ ପାପର ରାମ ଦାସ

ସାଧୁଚରଣେ କରେ ଆଶ

।।

ସୁଜନେ ଏହି ରସେ ରସ

ଏ ଭବଜଳରେ ନ ଭାସ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ

ସମ୍ୱାଦେ ଜଗନ୍ନାଥ ଦାସ ଦାର୍ଢ୍ୟଭାବ ମୋକ୍ଷଣେ

ନାମ ପଞ୍ଚଦଶୋ ଧ୍ୟାୟଃ

•••

 

Unknown

ଷୋଡ଼ଶ ଅଧ୍ୟାୟ

ମାଧବାଚାର୍ଯ୍ୟ ସମ୍ବାଦ

 

ଏବେ ହୋ ମନରାୟ ଶୁଣ

ଏ ଦାର୍ଢ୍ୟଭକ୍ତିର ଲକ୍ଷଣ

।।

ସେ ପୁଣ୍ୟ ଗଙ୍ଗା ନଦୀ ତୀର

ନଦିଆ ନବରରେ ଘର

।।

ଜାତିରେ ଅଟେ ବିପ୍ରବର

ମାଧବାଚାର୍ଯ୍ୟ ନାମ ତାର

।।

ଧାର୍ମିକ ବିବେକ ସୁଜାଣ

ସକଳ ଗୁଣରେ ନିପୁଣ

।।

ସକଳ ଜନେ ତାର ଦୟା

ଶାନ୍ତ ସୁଶୀଳ ସେ ନିର୍ମାୟ

।।

ଦାନ ସୁକୃତେ ତାର ମତି

ସାଧୁଙ୍କୁ ସେବା କରେ ନିତି

।।

ପ୍ରଭୁ ସେବାରେ ଦୃଢବ୍ରତ

ମାନ ଭଜନେ ଅପ୍ରମିତ

।।

ଶୁଭ କର୍ମରେ ବଞ୍ଚେ ଦିନ

ନ ଜାଣେ ଅନ୍ୟ କଥାମାନ

।।

ତାର ଭାରିଯା ମହାସତୀ

ନାମ ତାହାର ସତ୍ୟବତୀ

।।

ସୁନ୍ଦର ପଣେ ସେ ତରୁଣୀ

ତ୍ରିପୁର ଯାକ ପାରେ ଜିଣି

।।

ଶରଦ ସୁଧାଂଶୁ ବଦନୀ

କରକ ହୀରକବସନୀ

।।

ସେ ଯେ ଚତୁରୀ ଶିରୋମଣି

ଶ୍ରୀକୃଷ୍ଣର ଚିତ୍ତ ରଙ୍କୁଣୀ

।।

ସ୍ୱାମୀର ଆଜ୍ଞା ନ ମେଣ୍ଟେଇ

ନିରତେ ଚରଣେ ଖଟଇ

।।

ସ୍ୱାମୀର ସେବା ତାର ମୂଳ

ନ ଜାଣେ ସେ ଅନ୍ୟ କୁଶଳ

।।

ଏମନ୍ତ ପତିବ୍ରତା ନାରୀ

କେବଳ ଭଜୁଥାଇ ହରି

।।

ପତି ଶ୍ରୀପତି ସାଧୁଜନ

ଏ ତିନି ମଣଇ ସମାନ

।।

ଏମନ୍ତ ପତି ପତ୍ନୀ ଦୁଇ

ଏକଇ ପ୍ରାଣ ଭିନ୍ନ ନୋହି

।।

ଆନନ୍ଦେ ବଞ୍ଚୁଥାଇ ଦିନ

ଏଥିଉତ୍ତାରୁ ଶୁଣ ମନ

।।

ତାହାର ଏକଇ କୁମର

ଛ’ମାସ ହେଲା ଜନ୍ମିବାର

।।

ଚନ୍ଦ୍ରମା ପ୍ରାୟ ଦେହ ତାର

ଉଜ୍ଜ୍ୱଳ କରଇ ଅନ୍ଧାର

।।

ତାତ ଜନନୀ ତାହା ଦେଖି

ନିରତେ ହେଉଥାନ୍ତି ସୁଖୀ

।।

ପୁତ୍ରକୁ ଧରି କାଖେ କୋଳେ

ଦିନ ବଞ୍ଚନ୍ତି ସୁଖ ଭୋଳେ

।।

ଏମନ୍ତ ସମୟରେ ତହିଁ

ଯେ ପ୍ରଭୁ ଚୈତନ୍ୟ ଗୋସାଇଁ

।।

ଅଶେଷ ପ୍ରାଣୀଙ୍କ କଳୁଷ

କରିବା ଅର୍ଥେ ପ୍ରଭୁ ନାଶ

।।

ହୋଇଅଛନ୍ତି ଅବତାର

ସେ ପ୍ରଭୁ ଏକ ଦିନକର

।।

ନିଶି ପ୍ରହରେ ଅଛି ହୋଇ

ଅତି ଆନନ୍ଦେ ଘେନି ଭାଇ

।।

ନଦୀୟାଦାଣ୍ଡେ ବିଜେ କରି

ସକଳ ସାଧୁଙ୍କୁ ହକାରି

।।

ତାଳ ମୃଦଙ୍ଗ ଅଣାଇଲେ

ଦିହୁଡ଼ିମାନ ଲଗାଇଲେ

।।

ଶ୍ରୀରାମକୃଷ୍ଣ ଗୁଣ ଯେତେ

ଗାନ କରନ୍ତି ଅବିରତେ

।।

ନାଚନ୍ତି ଅତି ଭୋଳ ହୋଇ

ବିଷୟା ବିଷୟ ପଳାଇ

।।

ତା ଶୁଣି ଅତି ବେଗ ହୋଇ

ମାଧବାଚାର୍ଯ୍ୟ ଗଲେ ଧାଇଁ

।।

ଶୁଣିଲେ ନାମ ସଂକୀର୍ତ୍ତନ

ଏଥିଉତ୍ତାରୁ ଶୁଣ ମନ

।।

ପତି ଆସନ୍ତେ ସତ୍ୟବଦୀ

ରନ୍ଧନ କର୍ମେ ଦେଲେ ମତି

।।

କୋଳେ ଧରିଣ ନିଜ ବାଳ

ଅତି କୋମଳ ତୁମ୍ଭଫଳ

।।

ବ୍ୟଞ୍ଜନ କରିବାର ଅର୍ଥେ

ପନୀକି ପକାଇ ତ୍ୱରିତେ

।।

ସେ ଫଳ କାଟନ୍ତେ କାମନୀ

କର୍ଣ୍ଣେ ଶୁଭିଲା ନାମ ଧ୍ୱନି

।।

ଶ୍ରୀ ସଂକୀର୍ତ୍ତନରେ ମଧ୍ୟରେ

ଗାନ କରନ୍ତି ଉଚ୍ଚସ୍ୱରେ

।।

ରାଧା ଶ୍ରୀକୃଷ୍ଣ ପ୍ରେମଲୀଳା

କର୍ଣ୍ଣରେ ଶୁଣି ହେଲା ଭୋଳା

।।

ପୁଲକ ହେଲା ରୋମାବଳୀ

ନେତ୍ରୁ ଲୋତକ ଧାରା ଗଳି

।।

ବଦନୁ ନସ୍ଫୁରେ ବଚନ

ଦେହୁ ହଜିଲା ବୁଦ୍ଧିଜ୍ଞାନ

।।

ଲୟ ଲାଗିଲା ସଂକୀର୍ତ୍ତନେ

ସୁସାଧୁମାନଙ୍କର ଗାନେ

।।

ଏଣୁ ସେ ଅତି ଭାବ ଭୋଳେ

ସେ ଫଳ ପକାଇଲା ତଳେ

।।

ଧଇଲା ନିଜପୁତ୍ର ଗୋଟି

ତକ୍ଷଣେ ପକାଇଲା କାଟି

।।

ଅତ୍ୟନ୍ତ ଟିକି ଟିକି କରି

ଚତୁରୀ ଆଟିକାରେ ଭରି

।।

ବ୍ୟଞ୍ଜନ ଅର୍ଥେ ଚୁଳିପରେ

ବସାଇ ଦେଲା ଧାତିକାରେ

।।

ଆଣ୍ଟେ ଅନଳ ଦେଲା ଜାଳି

ତହୁଁ ଅନ୍ତର ହେଲା ବାଳୀ

।।

ମନ ନିବେଶି ସଂକୀର୍ତ୍ତନେ

ବସିଲା ନିଶ୍ଚୟ ଆସନେ

।।

ଶ୍ରୀକୃଷ୍ଣ ପ୍ରେମଲୀଳାମୃତ

ଶୁଣି ହୋଇଲା ମୁରୁଛିତ

।।

କ୍ଷଣ କ୍ଷଣକେ ଭାବି ହୃଦେ

ଗାନ କରଇ ପଦେ ପଦେ

।।

କ୍ଷଣକେ ହସି କ୍ଷଣେ ତୁନି

କ୍ଷଣକେ ପଡ଼ଇ ମେଦିନୀ

।।

ଏମନ୍ତ ଭାବେ ହୋଇ ଭୋଳ

ତାହା ଜାଣିଲେ ଆଦିମୂଳ

।।

ମାଧବାଚାର୍ଯ୍ୟ କଣ୍ଠେ ବସି

ମନମୋହିଲେ ବ୍ରହ୍ମରାଶି

।।

ଯେବିପ୍ର ଚିତ୍ତ ଛନ୍ନ ଛନ୍ନ

ତୁଟିଲା ସଂକୀର୍ତ୍ତନ ମନ

।।

ଅତି ଚଞ୍ଚଳ ଗଲା ଚଳି

ନିଜ ଭୁବନେ ଯାଇ ମିଳି

।।

ଦେଖିଲା ନିଜ ପ୍ରିୟା ତାର

ରୁଧିରେ ତନୁ ଜରଜର

।।

ଭାବେ ହୋଇଲା ମୂରୁଛିତ

ବିପ୍ରକପାଳେ ମାରେ ହସ୍ତ

।।

ପତ୍ନିକୀ ଧରିଣ ତ୍ୱରିତ

ବୋଇଲା ଏକି ବିପରୀତ

।।

ଫେଡ଼ି ତୁ କହ ତତପର

କାହିଁ ତୋ ବାଳୁତ କୁମର

।।

ଶୁଣି ସୁନ୍ଦରୀ ଚେତା ପାଇ

ପାଶେ ଦେଖିଲା ପୁତ୍ର ନାହିଁ

।।

ତନୁ ବସନ ନାରଖାର

ରକତେ ଦିଶେ ଜରଜର

।।

ତଳେ ପଡ଼ିଛି ଫଳ ଗୋଟି

ଦେଖିଣ ଚକିତ ବିମ୍ୱୋଷ୍ଠୀ

।।

ବେଗେ ରନ୍ଧନ ପୁରେ ଗଲା

ଚୁଲୀରୁ ତ୍ୱରିତ ଆଣିଲା

।।

ଦେଖିଣ ପୁତ୍ର ମାଂସ ସିଝି

ରହିଛି ପକ୍ୱ ପ୍ରାୟେ ଭାଜି

।।

ପତି ଛାମୁରେ ଦେଲା ଥୋଇ

ବୋଇଲା ମୋର ଦୋଷ ନାହିଁ

।।

କେବଳ ଚୈତନ୍ୟ ସନ୍ନ୍ୟାସ

ଶ୍ରୀକୃଷ୍ଣ ରାଧା ପ୍ରେମରସ

।।

ଗାୟନ କଲେ ଉଚ୍ଚସ୍ୱରେ

ସେ ଧ୍ୱନି ଶୁଣି ଶ୍ରବଣରେ

।।

ଦେହରୁ ହଜିଲା ମୋ ଜ୍ଞାନ

ରହିଲା ସଂକୀର୍ତ୍ତନେ ମନ

।।

ତେଣୁଟି କଲି ପୁତ୍ରନାଶ

ବିଚାର ଏଥେଁ କାହା ଦୋଷ

।।

ତା ଶୁଣି ବୋଲେ ତାର ପତି

ଧନ୍ୟ ଜୀବନ ତୋର ସତୀ

।।

ଧନ୍ୟ ତୋହର ତାତ ମାତା

ଧନ୍ୟ ମୁଁ ଅଟେ ତୋର ଭର୍ତ୍ତା

।।

ଧନ୍ୟ ଅଟଇ ତୋ ଜୀବନ

କୃଷ୍ଣ ବିଷୟେ ତୋର ମନ

।।

ପୁତ୍ର ମୋ ଗଲେ ପଛେ ଯାଉ

ଏ ହୃଦ ଦେଖିବି ମୁଁ କାହୁଁ

।।

ଏମନ୍ତ ବୋଲି ନିଜପତି

କୋଳେ ବସାଇ ଯେ ଯୁବତୀ

।।

ମୁଖେ ଚୁମ୍ୱନ ତାର ଦେଇ

କହେ ଅଚିନ୍ତେ ରହ ସହି

।।

ତା ଶୁଣି ବୋଲେ ସେ ଯୁବତୀ

ଶୁଣ ମୋହର ପ୍ରାଣ ପତି

।।

ସେ ରାଧା କୃଷ୍ଣର ମହିମା

ଜାଣି ନ ପାରେ ଦେବବ୍ରହ୍ମା

।।

ସେ କୃଷ୍ଣ ପ୍ରେମରସେ ରସି

ଅଛନ୍ତି ଚୈତନ୍ୟ ସନ୍ନ୍ୟାସୀ

।।

ଭକତ ବନ୍ଧୁ ସଙ୍ଗତରେ

ଆନନ୍ଦେ ସଂକୀର୍ତ୍ତନ କରେ

।।

କୃଷ୍ଣ ମହିମା ଯେବେ ସତ

ନିଶ୍ଚେ ଜୀଇଁବ ମୋ ବାଳୁତ

।।

ତହୁଁ ବୁଡ଼ିଛି ମୋର ମନ

କିମ୍ବା ମରିବ ମୋ ନନ୍ଦନ

।।

ଏମନ୍ତ ବୋଲି ସେ ସୁନ୍ଦରୀ

ପତିକି ସଙ୍ଗତରେ ଧରି

।।

ମାଂସ ଆଟିକା ମାଥେ ବହି

ଚଳିଲେ ଅତି ବେଗ ହୋଇ

।।

ମିଳିଲେ ସଂକୀର୍ତ୍ତନ ମଧ୍ୟେ

ଅତ୍ୟନ୍ତ ମନର ଆନନ୍ଦେ

।।

ଆଟିକା ଚତ୍ୱରେ ଥୋଇଲେ

ସକଳ ବୁଝାଇ କହିଲେ

।।

ତାହା ଶୁଣିଣ ସାଧୁମାନେ

ଚୈତନ୍ୟ ଦେବଙ୍କର ମନେ

।।

ବୋଇଲା ଧନ୍ୟ ଏକ ସୁନ୍ଦରୀ

ଧନ୍ୟ ଏହାର ଗର୍ଭଧାରୀ

।।

ଧନ୍ୟ ଅଟଇ ଏହା ପତି

ଧନ୍ୟ ଅଟଇ ମହାମତି

।।

ଅନ୍ୟ ସୁଫଳ ଆମ୍ଭ ଆଖି

ଏମନ୍ତ ସ୍ତିରୀମୁଖ ଦେଖି

।।

ଏମନ୍ତ ବୋଲି ସର୍ବଜନେ

ଅତି ଆନନ୍ଦ ହୋଇ ମନେ

।।

ବୋଇଲେ ନମୋ ମହାବାହୁ

ଭକତବାନ୍ଧବ ବୋଲାଉ

।।

ଅଶେଷଜନ ଚିନ୍ତାମଣି

ବ୍ରଜମୋହନ ବଂଶୀପାଣି

।।

ନମସ୍ତେବ୍ରଜେନ୍ଦ୍ର କୁମାର

ନମୋ ରାଧିକା ପ୍ରାଣେଶ୍ୱର

।।

ଏ ତୁମ୍ଭ ବୃନ୍ଦାବନ ଭାବ

ବ୍ରହ୍ମାଦି ଦେବଙ୍କୁ ଦୁର୍ଲ୍ଲଭ

।।

ଏ ଭାବେ ଚିତ୍ତ ଦେରକରି

ପୁତ୍ର ମାଗିଲା ସେ ସୁନ୍ଦରୀ

।।

ଏ କଥା ଅଟେ ବିପରୀତ

ମହିମା ଅଟେ ତୋର ସତ

।।

ଏ ପୁଣ୍ୟ ସ୍ତିରୀ ପୁତ୍ର ଜୀଉ

ମହିମା ଯୁଗେ ଯୁଗେ ଥାଉ

।।

ନାମ ମହିମା ଏଣେ ଦିଶୁ

ସାଧୁଙ୍କ ମହିମା ପ୍ରକାଶୁ

।।

ଏମନ୍ତ ବୋଲି ସର୍ବଜନେ

ମାତିଲେ ନାମ ସଂକୀର୍ତ୍ତନେ

।।

ନିତ୍ୟ ଚୈତନ୍ୟ ଦୁଇ ଭାଇ

ଆନନ୍ଦେ ଗଦ ଗଦ ହୋଇ

।।

ଶ୍ରୀରାଧା କୃଷ୍ଣ ଚିନ୍ତା କରି

କରେ ତୁଳସୀଜଳ ଧରି

।।

ବ୍ୟଞ୍ଜନ ଭାଣ୍ଡେ ପକାଇଲେ

ମଣ୍ଡଳ ମଧ୍ୟେ ବସାଇଲେ

।।

ତହୁଁ ହାକିଲେ ପୁତ୍ରଗୋଟି

ଭାବେ ଶ୍ରୀହରି ନାମ ଗୋଟି

।।

ବୋଇଲେ ଏହି ଆଜ୍ଞା ହେଉ

ବିପ୍ର ନନ୍ଦନ ପ୍ରାଣ ପାଉ

।।

ଏମନ୍ତ ବୋଲି ଆଜ୍ଞା କରି

ଶ୍ରୀକରେ କରତାଳ ଧରି

।।

ଗାୟନ କଲେ ଉଚ୍ଚସ୍ୱରେ

ଶ୍ରୀକୃଷ୍ଣ ଯୁଗଳ ଭାବରେ

।।

ଦଣ୍ଡ ଦଣ୍ଡକେ ହରିଧ୍ୱନି

କରନ୍ତେ କମ୍ପଇ ମେଦିନୀ

।।

କେ ରଙ୍ଗେ କରେ ନାନାନୃତ୍ୟ

କେ ରଙ୍ଗ କରି ଗାଏ ଗୀତ

।।

କେ ଅଙ୍ଗ ଢାଳି ଭାଙ୍ଗି ହୋଇ

ରଙ୍ଗରେ ମୃଦଙ୍ଗ ବଜାଇ

।।

କେ କରେ ଦେଇ କରତାଳି

କେ ମୁଖେ ଦେଇ ହୁଳହୁଳି

।।

ନଦିଆ ନବରରେ ଯେତେ

ଯେ ସ୍ତିରୀ ପୁରୁଷ ସହିତେ

।।

ବୃଦ୍ଧାବାଳକ ଯୁବାଯାଏ

ସମସ୍ତେ କଲେ ଜୟେ ଜୟେ

।।

ସକଳ ମୁଖୁଁ ଏହା ଶୁଣି

ଆନନ୍ଦ ହୋଇଲା ଧରଣୀ

।।

ଏମନ୍ତ ଦଶ ଦଣ୍ଡପରେ

ବ୍ରହ୍ମଣ୍ଡ ନାୟକ କୃପାରେ

।।

ଯେ ନାମ ବ୍ରହ୍ମ ମହିମାରେ

ଚୈତନ୍ୟ ଦେବଙ୍କ କୃପାରେ

।।

ଆବର ସାଧୁଙ୍କ କୃପାରେ

ଶେଷେ ଯୁବତୀ ସନ୍ତୋଷରେ

।।

ବାଳୁତ ଗୋଟି ପ୍ରାଣ ଦେଇ

ରୋଦନ କଲା ଭାଣ୍ଡେ ଥାଇ

।।

ତାହା ଦେଖିଣ ସର୍ବଜନ

ରଖିଲେ ନାମ ସଂକୀର୍ତ୍ତନ

।।

ଅତି ଆନନ୍ଦ ମନ ହୋଇ

ଗାୟନ କଲେକ ଗୋସାଇଁ

।।

ଭାଣ୍ଡ ଢାଙ୍କୁଣୀ ଫେଡ଼ି ଦେଲେ

ପୁତ୍ରକୁ ଘେନିଣ ଅଇଲେ

।।

ସଭାରେ ଆସନ ନିବେଶି

ବସିଲେ ଚୈତନ୍ୟ ସନ୍ନ୍ୟାସୀ

।।

ପୁତ୍ରକୁ କୋଳରେ ବସାଇ

କର୍ଣ୍ଣରେ ସଞ୍ଜିବନୀ କହି

।।

କୃପାରୁ ଯେଣୁ ପ୍ରାଣପାଇ

କୃପା ଆଚାର୍ଯ୍ୟ ନାମ ବହି

।।

ଜନନୀ କୋଳେନେଇ ଦେଲେ

ନିଅ ତୋ ପୁଅକୁ ବୋଇଲେ

।।

ଅଶେଷ ଜନ ତାହା ଦେଖି

ସୁଫଳ କଲେ ଚର୍ମ ଆଖି

।।

ଜନନୀ ନିଜସୁତ ପାଇ

ଆନନ୍ଦ କେ ପାରିବ କହି

।।

ଦୀନଜନରେ କୋଟି ବିତ୍ତ

ମିଳିଲେ ହୁଅଇ ଯେମନ୍ତ

।।

ଆଜନ୍ନ ପଙ୍ଗୁ ମୁକ୍ତି ହେଲେ

ମୁକ ଯେ ବଚନ କହିଲେ

।।

ଆଜନ୍ମ ଅନ୍ଧ ଚକ୍ଷୁ ପାଇ

ଯେମନ୍ତେ କୃତାର୍ଥ ହୁଅଇ

।।

ପାପୀଷ୍ଠ ବୈକୁଣ୍ଠ ଗମନେ

ଯେମନ୍ତେ ହୁଏ ତାର ମନେ

।।

ଏମନ୍ତ ହେଲା ସେ ସୁନ୍ଦରୀ

ନିଜ ବାଳକ ପାଇକରି

।।

କେ କହୁ ପିଅର ଆନନ୍ଦ

ମୁଖ ବିକାଶେ ପୂର୍ଣ୍ଣଚନ୍ଦ୍ର

।।

ଅଶ୍ରୁତ ଅଗୋଚର ଯାହା

ନୟନେ ଦେଖିକରି ତାହା

।।

ସାଧୁଙ୍କୁ ଅନେକ ପ୍ରଶଂସି

ଅନେକ ଧନ ଦେଲା ତୋଷି

।।

ତାହା ଦେଖିଲେ ଯେତେ ଜନ

ସବୁରି ମୁଖେ ଧନ୍ୟ ଧନ୍ୟ

।।

କୃଷ୍ଣ ମହିମା ଭାବ ଯେତେ

ବୋଲିଣ ଗଲେ ଯେଝାମତେ

।।

ସେ ପତି ପତ୍ନୀ ପୁତ୍ର ଧରି

ଚଳିଣ ଗଲେ ନିଜପୁରୀ

।।

ଚୈତନ୍ୟଦେବଙ୍କ ହରଷ

ଶ୍ରୀ ରାଧାକୃଷ୍ଣ ପ୍ରେମରସ

।।

ସାଧୁମାନଙ୍କ ଗୁଣ ଯେତେ

ନାମର ମହିମା ସଙ୍ଗତେ

।।

ନିରତେ ଚିତ୍ତେ ଗୁଣ ଗୁଣି

ବଞ୍ଚିଲେ ଦିବସ ରଜନୀ

।।

ଏମନ୍ତ କେତେଦିନ ଅନ୍ତେ

ହରିଙ୍କି ଭଜିଲେ ସାକ୍ଷାତେ

।।

ଶୁଣ ସୁଜନେ ଏ ଚରିତ

ଦାର୍ଢ୍ୟତାଭକ୍ତି ରସାମୃତ

।।

ଶ୍ରବଣେ ଶ୍ରଦ୍ଧା ଯେଉଁ ନର

ଜନ୍ମ ମରଣୁ ହେବ ପାର

।।

ହରି ଭକତଜନ କଥା

ତାହାଙ୍କୁ ସତ୍ୟ ଏହୁ କଥା

।।

ଦାମ୍ଭିକ ମୂର୍ଖ ଯେଉଁ ନର

ସେ କହିଁ କରିବ ଗୋଚର

।।

ସେ କିମ୍ପା ପରତେ କରିବ

ହାସ୍ୟରେ ଉଡ଼ାଇଣ ଦେବ

।।

କହଇ ବିପ୍ର ରାମଦାସ

ମୋ ପ୍ରଭୁ ଚୈତନ୍ୟ ସନ୍ନ୍ୟାସ

।।

ଆବର ସାଧୁଜନ ପାଦେ

ମୋ ଚିତ୍ତ ରହୁ ଅପ୍ରମାଦେ

।।

 

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ ମାଧବାଚାର୍ଯ୍ୟ

ପତି ପତ୍ନୀ ଦାର୍ଢ୍ୟତାଭାବ ମୋକ୍ଷଣେ ନାମଷୋଡ଼ଶୋ ଧ୍ୟାୟଃ

•••

 

ସପ୍ତଦଶ ଅଧ୍ୟାୟ

ଝୋଲିଆ କବୀର ସମ୍ବାଦ

 

ଚୈତନ୍ୟ ଦେବ ଅତି ଭାବେ

କହଇ ମନରାଜା ଆଗେ

।।

ଅତି ଆନନ୍ଦ ଦିବ୍ୟ ରସ

କେବଳ ଶ୍ରବଣେ ପୀୟୁଷ

।।

ହେ ମନ ହୁଅ ସାବଧାନ

ଚଞ୍ଚଳ ନ କର ତୋ ମନ

।।

ଏ ବଡ଼ ଆଚମ୍ୱିତ କଥା

ଶୁଣି ଖଣ୍ଡିବୁ ଭବବ୍ୟଥା

।।

ଆନନ୍ଦେ ଶୁଣ କର୍ଣ୍ଣପୁଟେ

ଯେ ପୁଣ୍ୟ ଗଙ୍ଗାନଦୀ ତଟେ

।।

ହିଂଗୁଳ ମନ୍ଦିରେ ତା ଘର

ନାମ ତା ଝୋଲିଆ କବିର

।।

ଦାରା ତନୟ ତାର ନାହିଁ

ସେ ନିଜେ ମାତା ପୁତ୍ର ଦୁଇ

।।

ଏମନ୍ତେ ଥାନ୍ତି ବେନିଜନ

ଜାତିରେ ଅଟନ୍ତି ପଠାଣ

।।

ଅତ୍ୟନ୍ତ ଦରିଦ୍ର ଜୀବନ

କଷ୍ଟରେ ବଞ୍ଚୁଥାଇ ଦିନ

।।

ବସ୍ତ୍ର ଖଣ୍ଡିଏ ନିତି ନିତି

ଋଣ କରିଣ ବୁଣୁଥାନ୍ତି

।।

ସେ ବସ୍ତ୍ର ଖଣ୍ଡି ବିକି ନିତ୍ୟେ

ରଖନ୍ତି ସାହୁ ମୂଳ ଯେତେ

।।

ତହୁଁ ଯେତେକ ମିଳିଥାଇ

ପ୍ରାଣ ପୋଷନ୍ତି ତାହାଖାଇ

।।

ଦଇବ ଯୋଗରେ ଭିକାରୀ

ଯୋଗୀ ଆବର ବ୍ରହ୍ମଚାରୀ

।।

ବିପ୍ର ବୈଷ୍ଣବ ଯେ ସନ୍ନ୍ୟାସୀ

ତାହାର ଦ୍ୱାରେ ଯେବେ ଆସି

।।

ପ୍ରକାଶ କରନ୍ତି ସେମାନେ

ତାହାଙ୍କୁ ଅତି ଶ୍ରଦ୍ଧାମନେ

।।

ଯେ ଅବା ତାର ଘରେ ଥାଇ

ଦିଅଇ ତାର ପାଶେ ନେଇ

।।

ମାତା ନନ୍ଦନ ବେନି ପ୍ରାଣୀ

କହିଣ ସୁଧାସମ ବାଣୀ

।।

କଞ୍ଚା ସିଝାରୁ ଯେତେ ଥାଇ

ଯେ ଯାହା ମାଗେ ତାହା ଦେଇ

।।

ନାହିଁ ବୋଲିବା ପଦ ତାର

ତୁଣ୍ଡରୁ ନୁହଇ ବାହାର

।।

ଏମନ୍ତେ ବଞ୍ଚୁଥାଇ ଦିନ

କରିଣ ଶ୍ରୀହରି ଭଜନ

।।

ଦେଖିଲେ ସାଧୁଜନ ଗୋଷ୍ଠୀ

ସେଠାରୁ ନ ଆସଇ ଉଠି

।।

ଯଦି ସେ ଗୃହକର୍ମେ ଥାଇ

ଯେ ଯାହା ମାଗିଲେ ତା ଦେଇ

।।

ପ୍ରଭୁ ପଦାରବିନ୍ଦ ଗତେ

ନିବେଶି ମନ ଅନୁବ୍ରତେ

।।

ସକଳ ଜନେ ଦୟା କରେ

ବିକଳ ଦୁଃଖୀ ଜନଠାରେ

।।

ଏହି ପ୍ରକାରେ ବଞ୍ଚେ ଦିନ

ନ ଜାଣେ ଅନ୍ୟ କଥାମାନ

।।

ଏମନ୍ତ କେତେ ଦିନ ଅନ୍ତେ

ତା କୀର୍ତ୍ତି ପୂରିଲା ଜଗତେ

।।

ଯହିଁ ଶୁଣିଲେ ତା ଚରିତ

ପ୍ରଶଂସା କଲେ ଅପ୍ରମିତ

।।

ଲୋକେ ବୋଇଲେ ଧନ୍ୟ ଧନ୍ୟ

ଝୋଲିଆ କବୀର ଜୀବନ

।।

ଏଡ଼େ ଦରିଦ୍ର ଜନ ହୋଇ

ଯେ ଯାହା ମାଗିଲେ ଦିଅଇ

।।

ଏଡ଼େ କୁଶଳ ତାର ମତି

ବୋଲିଣ ପ୍ରଶଂସା କରନ୍ତି

।।

ବଞ୍ଚଇ ପର ଉପକାରେ

ନାମ ଭଜନ ନିତ୍ୟେ କରେ

।।

ଏମନ୍ତ ହୋଇ ଦଶଦିଶେ

ତା ଯଶ ଜଗତେ ପ୍ରକାଶେ

।।

ତାହା ଜାଣିଲେ ଭଗବାନ

ବିଡ଼ିବା ପାଇଁ ତାର ମନ

।।

ତକ୍ଷଣେ ବିଶ୍ୱରୂପ ହୋଇ

ବିଜୟ କଲେ ଭାବଗାହୀ

।।

ଅତି ଦୁର୍ବଳ ବିପ୍ର ଗୋଟି

ଚାଲନ୍ତେ ପଡ଼ୁଅଛି ଝୁଣ୍ଟି

।।

ଛିଣ୍ଡା ଲେଙ୍କଡ଼ା କନାଧଡ଼ି

ଅଶେଷ ଗଣ୍ଠି ଅଛି ପଡ଼ି

।।

ତହୁଁ ଖଣ୍ଡକ ପିନ୍ଧି ହରି

ଖଣ୍ଡେ ଦୋଷଡ଼ା ଛନ୍ତି ଧରି

।।

ଅତ୍ୟନ୍ତ ଦରିଦ୍ର ରୂପରେ

ବିଜୟ କଲେ ତାର ପୁରେ

।।

ଧୀରେ ଚାଲନ୍ତେ ବ୍ରହ୍ମରାଶି

ଖଣ୍ଡ ଦୂରରେ ବସି ବସି

।।

ଯାହାକୁ ଦେଖିଲେ ପଚାରି

କାହିଁ ହେ କବୀରର ପୁରୀ

।।

ଆଉ ଅଛଇ କେତେ ଦୂରେ

ଦେଖାଇ ଦିଅ କିନା ମୋରେ

।।

ଆମ୍ଭେ ହୋ ଯିବୁ ତାର ପାଶେ

କିଛି ହିଁ ମାଗିବାର ଆଶେ

।।

ଏମନ୍ତ କହି ଜନାର୍ଦ୍ଦନ

ସେଠାରୁ କଲେକ ଗମନ

।।

ତେଣୁ କବୀର ଆସୁଅଛି

ଘରେ ତା ଅନ୍ନ ନାହିଁ କିଛି

।।

ବସ୍ତ୍ର ଖଣ୍ଡିଏ ଅଛି ଧରି

ବିକ୍ରୀ କରିବ ବୋଲି କରି

।।

ଘରେ ତା କିଛି ନାହିଁ ଯେଣୁ

ଚଞ୍ଚଳ ଯାଉଛି ସେ ତେଣୁ

।।

ତେଣୁ ଆସନ୍ତି ଦାମୋଦର

ଭେଟ ପଡ଼ିଲେ ଯେ ଦାଣ୍ଡର

।।

ଲୋକେ ବୋଇଲେ ତହିଁ ଥାଇ

ଏହିଟି କବୀର ଅଟଇ

।।

ତାହା ଶୁଣିଣ ଚକ୍ରପାଣି

କବୀର ମୁଖ ଚାହିଁ ଭଣି

।।

ଶୁଣ ହେ ଝୋଲିଆ କବୀର

ଆମ୍ଭେ ଆସିଛୁ ତୋହଠାରେ

।।

ଚାରି ଦିଗରେ ତୋ କୀରତି

ଶୁଣି ଯେ ଥାଉ ନିତି ନିତି

।।

କବୀର ପ୍ରାୟେ ଏକ ଜଣେ

ନାହିଁ ନଥିବ ଏ ଭୁବନେ

।।

ଦରିଦ୍ର ହେଲେ କିସ ହୋଇ

ଯେ ଯାହା ମାଗିଲେ ଦିଅଇ

।।

ଏମନ୍ତ ଶୁଣି ଆମ୍ଭେ କର୍ଣ୍ଣେ

ଅତି ଭରସା କରି ମନେ

।।

ଆସିଣ ଅଛୁ ତୋର ପାଶେ

କିଛି ହିଁ ମାଗିବାର ଆଶେ

।।

ଦିଅ ନ ଦିଅ ତୋର ମନ

କହିଲୁ ସ୍ୱରୂପ ବଚନ

।।

ତା ଶୁଣି ଝୋଲିଆ କବୀର

ବିପ୍ରଙ୍କୁ କଲା ନମସ୍କାର

।।

ବୋଇଲା ଶୁଣ ହୋ ଗୋସାଇଁ

ଏହା ଯେ କହିଲ କିମ୍ପାଇଁ

।।

ଦେବା ଦିଆଇବାକୁ ହରି

କରତା ଅଟନ୍ତି ସବୁରି

।।

ମୋ ଛାର କେତେକ ଶକତି

ଦେବାକୁ ହେବ ମୋର କତି

।।

ହେଲେ କି ମାଗୁଛ ଗୋସାଇଁ

କହ ଶୁଣଇ କିନା ମୁହିଁ

।।

ତା ଶୁଣିଣ ପ୍ରଭୁ ଦାମୋଦର

ଅଶେଷ ବ୍ରହ୍ମାଣ୍ଡ ଠାକୁର

।।

ମେଘଗମ୍ଭୀର ଧୀରବାଣୀ

କହନ୍ତି ପ୍ରଭୁ ଚକ୍ରପାଣି

।।

ଦେଖ ମୁଁ ଦରିଦ୍ର ବ୍ରାହ୍ମଣ

କବୀର ଭଲେ ଏହା ଶୁଣ

।।

ବସ୍ତ୍ର ଖଣ୍ଡିଏ ମୋତେ ଦିଅ

ଅଶେଷ ଲୋକେ ଯଶ ଯାଅ

।।

ଅଧିକ କି କହିବି ତୋତେ

ଏତେକ ମାଗିଲୁ ଯୁକତେ

।।

ତା ଶୁଣି ଝୋଲିଆ କବୀର

ବୋଇଲା ଶୁଣ ବିପ୍ରବର

।।

ଏ ମୋର ସକ୍ଷକୁ ବିଚାରି

ଯାହା ଦିଆଇ ଥିବେ ହରି

।।

ତେତେକ ସନ୍ତୋଷ ହୋଇବ

ମୋହର ଭାଗ୍ୟରେ ଲାଗିବ

।।

ଏମନ୍ତ ବୋଲି ବସ୍ତ୍ର ଧରି

ଭାଙ୍ଗି ଥୋଇଲା ଯତ୍ନ କରି

।।

ଆରେକ ଖଣ୍ଡ ହସ୍ତେ ଥୋଇ

ବାକ୍ୟ କହିଲା ଚାଟୁଆଇ

।।

ଖଣ୍ଡେକ ବିପ୍ର ହସ୍ତେଧରି

ଭାଙ୍ଗି ଥୋଇଲା ଯତ୍ନକରି

।।

ବୋଇଲା ଘେନ ହେ ବ୍ରହ୍ମଣ

ତା ଶୁଣି କମଳା ରମଣ

।।

ଅତି ଆନନ୍ଦ ହୋଇ ମନେ

ପିନ୍ଧିଲେ କବୀର ବଚନେ

।।

ଛିଣ୍ଡା ଲେଙ୍କଡ଼ା କନା ଯେତେ

ପିନ୍ଧିକା ଦୋଷଡ଼ା ସହିତେ

।।

ଅନ୍ତର କରି ତା ପକାଇ

ରହିଲେ ଆନନ୍ଦିତ ହୋଇ

।।

ତା ଦେଖି ବୋଲଇ କବୀର

ହେ ବିପ୍ରବର ବିଜେ କର

।।

ମୁଁ ଏବେ ଯାଉଛି ତ୍ୱରିତ

ଏ ଖଣ୍ଡ ବିକିବା ନିମନ୍ତେ

।।

ଦେଖ ମୋ ଦୁଃଖ ବିପ୍ରବର

ବିକି ଆଣିଲେ ଘରେ ମୋର

।।

କୁଟୁମ୍ୱଯାକ ସୁସ୍ଥ ହୋଇ

ଭୋଜନ କରିବେ ଗୋସାଇଁ

।।

ନୋହିଲେ ଉପବାସେ ଥିବେ

ତେଣୁ ମୁଁ ଯାଉଅଛି ଏବେ

।।

ତାଶୁଣି ପ୍ରଭୁ ବ୍ରହ୍ମରାଶି

ଅଳପ ମନ୍ଦେ ମନ୍ଦେ ହସି

।।

ବୋଇଲେ ଶୁଣ ହୋ କବୀର

ଜାଣିଲି ଦାତାପଣ ତୋର

।।

କ୍ଷୁଧାର୍ତ୍ତ ଜନଙ୍କୁ ବସାଇ

ଯେ ଅର୍ଦ୍ଧ ଭୋଜନ ଦିଅଇ

।।

ତହିଁ ଯେ ଫଳ ନାହିଁ କିଛି

ଅଧିକ ପାତକ ଲେଖିଛି

।।

ଆବର ବିପ୍ରଙ୍କର କରେ

ଦିନ ଦିଅନ୍ତି ଯେଉଁ ନରେ

।।

ଯେବେ ତା ଦକ୍ଷିଣା ନ ଦେଇ

ତହିଁରେ ଫଳ ଆଉ ନାହିଁ

।।

ନୋହିଲେ ଦେଉଲ ଅଟ୍ଟାଲି

ବାମ୍ଫୀ ପୋଖରୀ ଥିବ ଖୋଳି

।।

କୂପାଦି ତଡ଼ାଗ ସହିତେ

ଆବର ଧର୍ମ ହୋଇ ଯେତେ

।।

ଏମାନ ପ୍ରତିଷ୍ଠା ନ କଲେ

ଫଳ ମିଳିବ କାହୁଁ ଭଲେ

।।

ପତି ନ ଥିଲା ପତ୍ନୀ ପ୍ରାୟେ

ଏସବୁ ବିଅର୍ଥକୁ ଯାଏ

।।

ଏଣୁ ମୁଁ କହୁଅଛି ତୋତେ

ଆବର ଖଣ୍ଡି ଦିଅ ମୋତେ

।।

ଦୋଷଡ଼ା କରି ଆମ୍ଭେ ଯାଉ

ତୋର କୀରତି ରହିଥାଉ

।।

ନୋହିଲେ ନ ଦିଶଇ ଶୋଭା

ଅଧିକ କି କହିବା ଅବା

।।

ଦେଖ ମଁ ଦୁଃଖୀ ବିପ୍ରବର

ଏଥିରେ ସଂଶୟ ନକର

।।

ତା ଶୁଣି କବୀର ତ୍ୱରିତେ

ଆବର ଖଣ୍ଡ ଧରି ହସ୍ତେ

।।

ବ୍ରାହ୍ମଣ ହସ୍ତେ ଦେଲେ ନେଇ

ବୋଇଲେ ଶୁଣ ହୋ ଗୋସାଇଁ

।।

ଏବେ ବହନ ବିଜେ କର

ମୋରେ କରୁଣା ରଖି ତୋର

।।

ତା ଶୁଣି ପ୍ରଭୁ ନାରାୟଣ

କରିଣ ଅନେକ କଲ୍ୟାଣ

।।

ସେଠାରୁ ବିଜେ କରିଗଲେ

ପିନ୍ଧା ଦୋଷଡ଼ା ପାଇ ଭଲେ

।।

ଏଣେ କବୀର ଗଲା ଚଳି

ଏକାନ୍ତ ସ୍ଥାନେ ଯାଇ ମିଳି

।।

ବସିଲା ନିଶ୍ଚଳ ଆସନେ

ହରିଙ୍କି ଚିନ୍ତା କରି ମନେ

।।

ବୋଇଲା ଆହେ ମହାମେରୁ

ଅଶେଷ ପ୍ରାଣୀଙ୍କର ଗୁରୁ

।।

ତୁମ୍ଭର ସଞ୍ଚିବାର ଅନ୍ନେ

ପ୍ରାଣ ପୋଷନ୍ତି ପ୍ରାଣୀମାନେ

।।

ଏଣୁ ମୋ କୁଟୁମ୍ୱର ଚିନ୍ତା

ବୁଝ ହେ ପ୍ରଭୁ ଜଗଜ୍ଜିତା

।।

ଏମନ୍ତ ବୋରି ସୁଖେ ବସି

ମୁଖେ ଶ୍ରୀହରି ନାମ ଘୋଷି

।।

ଏଣୁ ଯେ ଗଲେ ଜନାର୍ଦ୍ଦନ

ଯେ ପ୍ରଭୁ କାଳୀୟ ମର୍ଦ୍ଦନ

।।

ଗ୍ରାମରୁ ବାହାର ହୋଇଲେ

ବିପ୍ର ସ୍ୱରୂପ ଗୋପ୍ୟ କଲେ

।।

ଭକତ ଭାବେ ଭାବଗ୍ରାହୀ

ଭାବେ ଗୋପାଳ ରୂପ ହୋଇ

।।

ତକ୍ଷଣେ ଭାର ଗୋଟି କରି

ଅଶେଷ ଦ୍ରବ୍ୟଚନ୍ତି ଭରି

।।

ସରୁ ଚାଉଳ ମୁଗଜାଇ

ଘୃତ ନବାତ ଦୁଗ୍ଧ ଦହି

।।

ହେଙ୍ଗୁ ମରିଚ ଫୁଲବଡ଼ି

ଲବଣ ସୋରିଷ କଉଡ଼ି

।।

ଏ ଆଦି ନାନା ଦ୍ରବ୍ୟମାନ

ସମୂର୍ଣ୍ଣ କରି ଭଗବାନ

।।

ଭାର ବହିଣ ବନମାଳୀ

ଭକତ ହିତେ ଗଲେ ଚଳି

।।

ଅତ୍ୟନ୍ତ ସନ୍ଧ୍ୟା ସମୟରେ

ମିଳିଲେ କବୀରର ଦ୍ୱାରେ

।।

ଦ୍ୱାରେ ରହିଣ ନରହରି

ଡାକିଲେ ଡାକ ଗୋଟାଚାରି

।।

ତେଣେ ଯେ କବୀରରମାତା

ବସିଣ କରୁଛନ୍ତି ଚିନ୍ତା

।।

ପୁତ୍ର ମୋ ଗଲା ବସ୍ତ୍ରବିକି

ଘରକୁ ନଇଲା କାହିଁକି

।।

କିବା କାରଣ ତାର ହୋଇ

ବସ୍ତ୍ରା କି ବିକା ହୋଇ ନାହିଁ

।।

ତେଣୁ ସେ ଚିନ୍ତା କରି ଚିତ୍ତେ

ବସିଣ ଅଛଇ ଏକାନ୍ତେ

।।

ଏମନ୍ତ ବୋଲି ବସି ଭାଳେ

ଡାକ ଶୁଣିଲା କର୍ଣ୍ଣବିଳେ

।।

ଉଠିଣ ଧାଇଁଲା ତୁରିତେ

ଦ୍ୱାରେ ଦେଖିଲା ଅଦଭୂତେ

।।

ଅତି ବିଶାଳ ବାହୁ ଦୁଇ

କରେ କଙ୍କଣ ବିରାଜଇ

।।

ମହା ବିଶାଳ ବକ୍ଷସ୍ଥଳ

ସୁନ୍ଦର ସୁକଣ୍ଠ କପୋଳ

।।

ରଙ୍ଗ ଅଧର ମନ୍ଦ ହାସେ

ସମ୍ପୂର୍ଣ୍ଣ ଚନ୍ଦ୍ରମୁଖ କି ସେ

।।

ଏମନ୍ତ ରୂପ ତାଙ୍କ ହେରି

ବଚନ କହି ତା ନ ପାରି

।।

ବିଚାର କରଇ ମନର

କିସ ଏ ଆଣିଅଛ ଭାର

।।

କାହୁଁ ଏ ଅଇଲା ଯୁକତେ

ଏହା ମୁଁ ଜାଣିବି କେମନ୍ତେ

।।

ଏମନ୍ତ ବୋଲି ପଚାରଇ

କାହୁଁ ଅଇଲ ବାପାଭାଇ

।।

କାନ୍ଧେ ବହିଛି କେଡ଼େ ଭାର

ରଖିଣ କହ ମୋ ଆଗର

।।

ତା ଶୁଣି ପ୍ରଭୁ ଦେବରାୟେ

ବୋଲନ୍ତି ଶୁଣସି ଗୋ ମାଏ

।।

ତୁମ୍ଭର ପୁତ୍ରଦାଣ୍ଡେ ବସି

ଆମ୍ଭଙ୍କୁ ଦେଇଛନ୍ତି ପେଶି

।।

କିସ ଅଛଇ ଏଥେଁ ଦେଖ

ନେଇଣ ଭଲକରି ରଖ

।।

ଊଣା ଅଧିକ ଥିଲେ କେତେ

ଏବେ ହେଁ କହ କି ନା ମୋତେ

।।

ଆମ୍ଭେ ଯେ ମହତ୍ତ୍ୱ ବୋଲାଉଁ

ପଛକୁ ବୋଲଣା ନ ପାଉଁ

।।

ଏମନ୍ତ ବୋଲି ଭାର ଥୋଇ

ବଢାଇ ଦ୍ୟନ୍ତି ଭାବଗ୍ରାହୀ

।।

କବୀର ମାତା ଘେନିଯାଇ

ମନ୍ଦିରେ ରଖି ଆସୁଥାଇ

।।

ଏହି ପ୍ରକାରେ କେତେ ଥର

ନେଇଣ ପୂର୍ଣ୍ଣ କଲା ଘର

।।

ଆଉ ଥୋଇବା ଠାବ ନାହିଁ

ବୋଇଲା ଗୁଉଡ଼କୁ ଚାହିଁ

।।

ଆଉ କି ଭାର ଅଛି ତୋର

ଘରେ ତ ନାହିଁ ସ୍ଥାନମୋର

।।

ତା ଶୁଣି ପ୍ରଭୁ ଜଗନ୍ନାଥ

ବୋଇଲେ ଶୁଣିସିଗୋ ମାତ

।।

ତୋ ଘରେ ଯେବେ ନାହିଁ ସ୍ଥାନ

ମୋ ଭାର ହୋଇଲାଣି ଶୂନ୍ୟ

।।

ଆସିଣ ଦେଖି ଯାଅ ତୁହି

ପଛେ ଗୋ ଯାଉଅଛି ମୁହିଁ

।।

ତା ଶୁଣି କବୀରର ମାତା

ହସି ବୋଲଇ ଏ କି କଥା

।।

ଆଉ ଦଣ୍ଡକ ମାତ୍ର ରହ

ରନ୍ଧନ କରି ଭୁଞ୍ଜି ଯାଅ

।।

ନୋହିଲେ ଶୀତଳ ମଣୋହୀ

କରି ଯାଅରେ ବାପ ଭାଇ

।।

ଚରଚା ନ କରିଣ ଯେବେ

ତୁମ୍ଭଙ୍କୁ ଛାଡ଼ିଦେବି ତେବେ

।।

ପୁତ୍ର ଯେ କି ବୋଲିବ ମୋତେ

ଏ କଥା ନୋହେ କଦାଚିତେ

।।

ତା ଶୁଣି ବୋଲନ୍ତି ଶ୍ରୀବତ୍ସି

ଅଶେଷ ବିଷୟା ଯେ ଅଛି

।।

କ୍ଷଣେ ରହିବା ତର ନାହିଁ

ଏବେ ପାଇଲୁ ସବୁ ମୁହିଁ

।।

ଏ ଭାର ବୁହା ମୂଲ୍ୟ ଯାହା

ଆଗହୁଁ ପାଇଅଛି ତାହା

।।

ଏମନ୍ତ କହୁ ମଧୁହାରୀ

ସେଠାରୁ ଗଲେ ବିଜେ କରି

।।

ଭକତ ବନ୍ଧୁ ଭଗବାନ

ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ

।।

ଏଥିଉତ୍ତାରୁ ଶୁଣ ମନ

କବୀର ଜନନୀ ବହନ

।।

ଅନ୍ନଯେ ରନ୍ଧାବଢା କଲା

ଯାଇଣ ପୁତ୍ରକୁ ଡାକିଲା

।।

ତା ଶୁଣି କବୀର ହରଷେ

ଯାଇ ମିଳିଲା ମାତାପାଶେ

।।

ବୋଇଲା ମାତା ମୁଖ ଚାହିଁ

ମୋତେ ଡାକିଲୁ କାହିଁ ପାଇଁ

।।

କାହୁଁ ଯେ ମିଳିଲା ଭୋଜନ

କହ ଗୋ ସ୍ୱରୁପ ବଚନ

।।

କିଅବା ମଗା ଯଚା କଲୁ

ଉଦ୍ଧାର କରି କି ଆଣିଲୁ

।।

କେଉଁ ପ୍ରକାରେ ଦେଲେ ହରି

କହ ଗୋ ସଂଶୟ ନକରି

।।

ପୁତ୍ରର ଏସନ ବଚନ

ଶୁଣି ବୋଇଲେ ମାତା ପୁଣ

।।

ବାତୁଳ ହେଲୁ କିରେ ସୁତ

ମୋତେ ଲାଗିଲା ଆଚମ୍ୱିତ

।।

ଖାଦ୍ୟ ସାମଗ୍ରୀ କରି ଭାର

ପେଶି ଯେ ଥିଲୁ ଆମ୍ଭ ଘର

।।

ଭାରୁଆ ତାହା ଆଣି ଦ୍ୟନ୍ତେ

ରନ୍ଧନ କଲି ମୁଁ ତ୍ୱରିତେ

।।

ତା ଶୁଣି ଝୋଲିଆ କବୀର

ମନରେ କରିଣ ବିଚାର

।।

ମୁଁ କ କାହାକୁ ନାହିଁ ପେଶି

କେ ଭାର ଦେଇଗଲା ଆସି

।।

ଆନରେ ନୋହେ ଏ ଚରିତ

ନିଶ୍ଚେ ସେ ପ୍ରଭୁ ଜଗନ୍ନାଥ

।।

ହେ ମାତା ଭାର ବୁହାବେଳେ

ଦେଖିଲୁଟି କି ଚର୍ମ ଡୋଳେ

।।

ମାତା ବୋଲଇ ଆରେ ସୁତ

ତୁ ତ କହିଲୁ ବିପରୀତ

।।

ଆମ୍ଭର ଦ୍ୱାରେ ଉଭା ହୋଇ

ଡାକନ୍ତେ ଅଇଲି ମୁଁ ଧାଇଁ

।।

ଦେଖିଲି ଅପୂର୍ବ ସ୍ୱରୂପ

ଯେସନେ ନବ ଘନ ରୂପ

।।

ଭାରରୁ ଆଣି ମୋର ହସ୍ତେ

ବଢାଇ ଦେଉଥିଲେ ମୋତେ

।।

ମୁଁ ନେଇ ରଖୁଥିଲି ଘର

ପୂରିଲା ମନ୍ଦିର ମୋହର

।।

ତାହାର ଭାର ତୁଚ୍ଛାହେଲା

ଯିବାକୁ ମେଲାଣି ମାଗିଲା

।।

ମୁହିଁ ଡାକିଲି ନାନାମତେ

ରହିଲେ ନାହିଁ କଦାଚିତେ

।।

ମୂଲ ମୁଁ ଯାଚିଲି ନ ନେଲେ

ଆଗହୁଁ ପାଇଛୁ ବୋଇଲେ

।।

ଶୁଣି କବୀର ଭାବଭୋଳେ

ନମିଲା ମାତା ପାଦତଳେ

।।

ଉଠି କପାଳେ ଯୋଡ଼ିକର

ବୋଇଲେ ଧନ୍ୟ ଜୀବ ତୋର

।।

ଏବେ ମୁଁ ତୋର ରୂପ ଦେଖି

ସଫଳ କଲି ଚର୍ମ ଆଖି

।।

ମାତା ବୋଇଲେରେ ନନ୍ଦନ

ମୋ ଛାର କେତେକ ଜୀବନ

।।

ତୋତେ ମୁଁ ପୁତ୍ର କର ପାଇ

ତେଣୁ ଦେଖିଲି ଭାବଗ୍ରାହୀ

।।

ଏମନ୍ତ ବୋଲି ପୁତ୍ର କର

ଧରି ଚଳିଲେ ନିଜପୁର

।।

ବୋଇଲେ ଶୁଣସିରେ ବାବୁ

ଘରେ ତ ପୂରିଅଛି ସବୁ

।।

ଶୁଣି କବୀର ଦେଲା ଚାହିଁ

ମନ୍ଦିରେ କାହିଁ ଠାବ ନାହିଁ

।।

ନାନାଦି ଦ୍ରବ୍ୟମାନଙ୍କରେ

ପୂରି ରହିଛି ସବୁଠାରେ

।।

ତା ଦେଖି ବିଚାରଇ ମନ

ଧନ୍ୟ ମହିମା ଭଗବାନ

।।

ଅତ୍ୟନ୍ତ ଜୀନଜନଠାରେ

କି ଅବାଅରକ୍ଷିତ ନରେ

।।

ହୁଅନ୍ତି ଏଡ଼େ ସାହାପକ୍ଷ

କୋଟି ବ୍ରହ୍ମାଣ୍ଡେ ନାହିଁ ଲକ୍ଷ୍ୟ

।।

ଏମନ୍ତେ ପ୍ରଭୁଙ୍କର ସେବା

ଛାଡ଼ି ଯେ ଭଜେ ଅନ୍ୟଦେବା

।।

ଧିକ ତା ଧିକ ତା ଜୀବନ

ବିଅର୍ଥେ ବଞ୍ଚାଇବା ଦିନ

।।

କେବଳ ନର ଦେହ ବହି

ପଶୁଙ୍କ ପ୍ରାୟେ ସେ ବଞ୍ଚଇ

।।

ଏବେ ତୁ ଶୁଣ ମୋ ଉତ୍ତର

ସାଧୁ ଶ୍ରୀକୃଷ୍ଣ ନାମ ସାର

।।

ସଂସାରେ ସତ୍ୟ ହୁଏ କଥା

ଆଉ ସକଳ କଥା ମିଥ୍ୟା

।।

ଏଣୁଟି ପ୍ରଭୁ ଆଦିମୂଳ

ଭଜନ କଥା ଆମ୍ଭ ମୂଳ

।।

ଏମନ୍ତ ବୋଲି ମାୟେ ପୋୟେ

ଶ୍ରୀହରି ପାଦେ କରି ଲୟେ

।।

ଶ୍ରୀହରି ପାଦେ ଦେଇ ମନ

ଆନନ୍ଦେ ବଞ୍ଚାଇଲେ ଦିନ

।।

ଏମନ୍ତ କବୀରର ଯଶ

ଜଗତେ ହୋଇଛି ପ୍ରକାଶ

।।

ଶୁଣ ସୁମନ ହେତୁ ଦେଇ

ଏ ଦାର୍ଢ୍ୟ ଭକତି ଅଟଇ

।।

ଏହା ଯେ ଶୁଣି କରେ ଶ୍ରଦ୍ଧା

ଲାଗଇ ନାହିଁ ପାପ ବାଧା

।।

କହଇ ବିପ୍ର ରାମଦାସ

ମୋ ପ୍ରଭୁ କମଳା ବିଳାସ

।।

 

ଇତିଶ୍ରୀ ଦାର୍ଢ୍ୟତାଭକ୍ତି ରାସାମୃତେ ମନ ଚୈତନ୍ୟ ସମ୍ବାଦେ କବୀର

ବସ୍ତ୍ରଦାନ ଦାର୍ଢ୍ୟଭାବେ ମୋକ୍ଷଣେ ନାମ ସପ୍ତଦଶୋ ଧ୍ୟାୟଃ ।

•••

 

Unknown

ଅଷ୍ଟାଦଶ ଅଧ୍ୟାୟ

ମଣିଦାସ ସମ୍ୱାଦ

ଚୈତନ୍ୟ ଉବାଚ

 

କହେ ଚୈତନ୍ୟ ମହାଜ୍ଞାତା

ଭକତି ଭାବେ ଯେଉଁ କଥା

।।

ଶୁଣ ହେ ମନ ନୃପାରାଣ

ଦାର୍ଢ୍ୟଭକ୍ତିର ଯେ ଲକ୍ଷଣ

।।

ପୁରୁଷୋତ୍ତମ ତାର ଘର

ଜାତିରେ ଅଟେ ମାଳାକାର

।।

ନାମ ତାହାର ମଣି ଦାସ

କୁଟୁମ୍ୱ ଘେନି କରେ ବାସ

।।

କରି ଆପଣା ନିଜବୃତ୍ତି

ଦୁଃଖ ସୁଖରେ ବଞ୍ଚୁଥାନ୍ତି

।।

ଏମନ୍ତ କେତେଦିନ ଗଲା

ଦଇବ ତାହା ଭିଆଇଲା

।।

କୁଟୁମ୍ୱଯାକ ଗଲେ ନାଶ

ଏକା ରହିଲା ମଣିଦାସ

।।

ଚିତ୍ତେ ବୈରାଗ୍ୟ ହେଲା ତାର

ବୋଇଲା ଧିକ ଏ ସଂସାର

।।

କି ହେଲା ଦାରା ପୁତ୍ର ମୋର

କେହି ତ ନୁହଇ କାହାର

।।

କେବଳ ଜୀବର ଉଦ୍ଧାର

ହେବାକୁ ହରି ନାମ ସାର

।।

ସଂସାରେ ଅନ୍ୟ କର୍ମ ଯେତେ

କେବଳ ମିଥ୍ୟା ଏ ସମସ୍ତେ

।।

ଏମନ୍ତ ବୋଲି ମଣିଦାସ

ବୈଷ୍ଣବ ପଣେ କଲା ଆଶ

।।

ଡୋର କୌପୀନ ଆଶ୍ରେ କରି

ଭାବେଣ ଭଜଇ ଶ୍ରୀହରି

।।

ପ୍ରଭାତୁ ସ୍ନାନ ସେ କରଇ

ଦ୍ୱାଦଶ ତିଳକ ଘେନଇ

।।

ଉତ୍ତମ ତୁଳସୀର ହାର

ଗଳାରେ ଭରିଥାଇ ତାର

।।

ନଡ଼ିଆ ସଢାଇ ଦିଫାଳ

କରିଣ ଥାଇ କରତାଳ

।।

କାଖେ ଯାକିଣ କନା ଖଣ୍ଡେ

ମେଲାଇ ଆସୁଥାଏ ଦାଣ୍ଡେ

।।

ମିଳଇ ସିଂହଦ୍ୱାରଠାରେ

ପତିତପାବନ ଛାମୁରେ

।।

ନୃତ୍ୟ କରଇ ଦାଣ୍ଡେ ରହି

ଅନେକ ଦଣ୍ଡବତ ହୋଇ

।।

ତହୁଁ ମିଳଇ ଶ୍ରଦ୍ଧାମନେ

ମିଳଇ ଶ୍ରୀ ଜଗମୋହନେ

।।

ଗରୁଡ଼ ପଛେ ଉଭାହୋଇ

ପ୍ରଭୁଙ୍କ ଶୋଭାକୁ ଅନାଇ

।।

ସାଷ୍ଟାଙ୍ଗେ କରି ଦଣ୍ଡବତ

ଉଠି କପାଳେ ଯୋଡ଼ିହସ୍ତ

।।

ବୋଲଇ ଶୁଚି ହୋଇଯିବି

କଳା ଶ୍ରୀମୁଖ ଚାହିଁଥିବି

।।

ତୁମ୍ଭେ ମୋ ଜୀବର କାରଣ

ଦରିଦ୍ର ଲୋକଙ୍କର ଧନ

।।

ଏମନ୍ତ ବୋଲି କରେ ନୃତ୍ୟ

ମୁଣ୍ଡ ହଲାଇ ଗାଏ ଗୀତ

।।

ସଢାଇ ତାଳ କରେ ଧରି

ବଜାଇ ଅତି ଆଣ୍ଟ କରି

।।

ବନିତା ସୁତ ପାଶେ ଯାଇଁ

ଧାଇଁଣ ପୁଣି ଆସୁଥାଇ

।।

କଣ୍ଟ ତା ଅର୍ଗଳିବାଟକୁ

ଚାହିଁଣ କଳା ଶ୍ରୀମୁଖକୁ

।।

ପଛକୁ ଘୁଞ୍ଚି ଆସୁଥାଇ

ଜୟ ଶବଦ ତୁଣ୍ଡେ ଗାଇ

।।

ଆନନ୍ଦେ ବେନିଭୁଜ ତୋଳି

ନାଚିଣ ପଡ଼ୁଥାଇ ଢଳି

।।

ମୁଣ୍ଡେ ଯେ ବେନି କରେ ଧରି

ତୁଣ୍ଡେ ଅନେକ ସ୍ତୁତି କରି

।।

ଜୟ ତୁ ତ୍ରିପଣ୍ଡ କାଳିଆ

ଜୟ ତୁ କାଇଁଚ ମାଳିଆ

।।

ନାନା କୁସୁମେ ମାଳା ଯେତେ

ଭଲା ସେ ଶୋଭା ଦିଶେ ତୋତେ

।।

ହୃଦପଦ୍ମରେ ପଦମାଳା

ଯହିଁ କମଳା କରେ ଲୀଳା

।।

ଅନେକ ରତ୍ନ ଅଳଙ୍କାର

ପୁରେ ତୋ ସର୍ବାଙ୍ଗ ଯାକର

।।

ଶ୍ରବଣେ ମକର କୁଣ୍ଡଳ

କି ରବିମଣ୍ଡଳ ଯୁଗଳ

।।

ଶିରେ କିରୀଟ ଝଟକନ୍ତି

କି ଅବା ନବଗ୍ରହପନ୍ତି

।।

ତୋ କଳାନିଧି ମୁଖ ଦେଖି

ଭକତଜନ ହୁଏ ସୁଖୀ

।।

ସୁନ୍ଦର ଶ୍ୱେତ ପଦ୍ମଡୋଳା

ଭୃତ୍ୟ ଆରତ ସିନ୍ଧୁ ଭେଳା

।।

ଯେ ତୋର ଶ୍ରୀଭୁଜ ଯୁଗଳ

ଅଶେଷ ପ୍ରାଣୀଙ୍କ ମଙ୍ଗଳ

।।

ସେ ଭୁଜେ ଶଙ୍ଖ ଚକ୍ର ଦେଖି

ପିଛାଡ଼ି ନ ପାରଇ ରଖି

।।

ତହିଁ ନିଶ୍ଚଳେ ମତି ଯାର

କି ପରିପାରେ ଭୀତି ତାର

।।

ତୋହର ଅଭୟ ଚରଣ

ଭକତ ଭୟ ନିବାରଣ

।।

ସେ ପାଦପଦ୍ମେ ବିନା ଆନେ

ଭରସା ନାହିଁ ମୋର ମନେ

।।

ଏମନ୍ତ ବୋଲି ଗୀତ ଗାଇ

ନାଚଇ ଉନମତ୍ତ ହୋଇ

।।

ସଢାଇ ନାଦ ମୁଖଧ୍ୱନି

ଚରଣ ପଢନ୍ତେ ମେଦିନୀ

।।

କମ୍ପଇ ଦୁଲୁ ଦୁଲୁ ହୋଇ

ତା ଭଙ୍ଗୀ କହି ନ ସରଇ

।।

ଏହି ପ୍ରକାରେ ପ୍ରତିଦିନ

ନାଚଇ ଶ୍ରୀ ଜଗମୋହନ

।।

ଏମନ୍ତେ କେତେଦିନ ଅନ୍ତେ

ଶୁଣ ସୁମନ ଶୁଦ୍ଧଚିତ୍ତେ

।।

ଶ୍ରୀ ଜଗମୋହନ ନିବାସେ

ପୁରାଣପଣ୍ଡା ଅତି ତୋଷେ

।।

ବସିଣ ପୁରାଣ କହନ୍ତି

ଅନେକ ଲୋକ ଶୁଣୁଛନ୍ତି

।।

କରିବା ଚାତୁରୀରେ କରି

ସବୁରି ମନେ ଅଛି ହରି

।।

ଏମନ୍ତ ବେଳେ ମଣିଦାସ

ଆସିଣ ହୋଇଲେ ପ୍ରବେଶ

।।

ସଢାଇ ଗରଜନ କରି

ମୁଖେ ବୋଲଇ ରାମହରି

।।

ଚରଣ ତୋଳି ନୃତ୍ୟକରେ

ଶ୍ରୀ ଦାରୁବ୍ରହ୍ମଙ୍କ ଛାମୁରେ

।।

ମନ ନିବେଶି ପଦ୍ମପାୟେ

ଚିତ୍ତେ କାହାକୁ ନାହିଁ ଭୟେ

।।

ପୁରାଣ ନିକଟେ ଗଡ଼ଇ

କୁହାଟ କୁରୁଳି ଛାଡ଼ଇ

।।

ତା ଦେଖି ପଣ୍ଡା କ୍ରୋଧଚିତ୍ତେ

ପୁସ୍ତକ ରଖିଲେ ତ୍ୱରିତେ

।।

ବୋଇଲେ ଶୁଣ ଆରେ ମୂର୍ଖ

ଏ ବିଷ୍ଣ ପୁରାଣର ପାଖ

।।

ଚରଣ ଟେକି ନାଚୁଅଛୁ

କହୁଣି ମାଡ଼ ମୁଲାଉଛୁ

।।

ଉତ୍ତମ ଲୋକେ ବସିଛନ୍ତି

ଦେବଙ୍କ ସମାନ ଦିଶନ୍ତି

।।

ଏଥେଁ ଗରବ ତୋର ଏଡ଼େ

ନାଚୁ ଝୁମୁକି ବାନ୍ଧି ଗୋଡ଼େ

।।

ବୋବାଇ ମାରୁଥାଉଁ ଏଣେ

ପୁରାଣ ନ ଶୁଣୁ ତୋ କର୍ଣ୍ଣେ

।।

ଏମନ୍ତ ବୋଲି ପଣ୍ଡା କୋପେ

ଗାଳିଦିଅନ୍ତି କେତେ ରୂପେ

।।

ମଣିଆ ଦାସ ନ ଶୁଣଇ

ପ୍ରଭୁହୁଁ ଆନ ନ ଜାଣଇ

।।

ତାହା ଶୁଣିଣ ଅନ୍ୟଜନ

ବୋଲନ୍ତି ଶୁଣରେ ଅଜ୍ଞାନ

।।

ପଣ୍ଡାଙ୍କ ବଚନ ନ ଶୁଣୁ

ଇତର ଜନ ପ୍ରାୟେ ମଣୁ

।।

ପ୍ରଭାବ ପାଇବୁ ଅପାର

ରଖିବ କେଉଁ ବାପ ତୋର

।।

ତୁ ଏବେ ଲୋଡ଼ୁଛୁ କହୁଣି

ଜାଣିଥା ହେବ ଏହିକ୍ଷଣି

।।

ନ ଖାଇ ବେଗ ହୋଇ ଚଳ

ଯେବେ ତୋ ଅଦୃଷ୍ଟ କୁଶଳ

।।

ନୋହିଲେ ମରିବୁ ଅବଶ୍ୟ

ତାହା ଶୁଣିଣ ମଣି ଦାସ

।।

ଶୋକରେ ଗଦ ଗଦ ହୋଇ

ବଦନୁ ବାକ୍ୟ ନ ସ୍ପୁରଇ

।।

କଳା ଶ୍ରୀମୁଖକୁ ଅନାଇ

ନେତ୍ରୁ ଲୋତକ ଧାରା ବହି

।।

ବୋଇଲା ଆହେ ମହାବାହୁ

ଶରଣ ପଞ୍ଜର ବୋଲାଉ

।।

ତୋଳି ବସିଛୁ ବାହୁ ଦୁଇ

ଶରଣ ସମ୍ଭାଳିବା ପାଇଁ

।।

ମୁଁ ଯେ ଅଟଇ ତୋ ଶରଣ

ମୋତେ ବିହିଲୁ ଏ କଷଣ

।।

ଇତରଲୋକେ ହୋଇଥିଲେ

ଶରଣ ସମ୍ଭାଳନ୍ତା ଭଲେ

।।

ଜାଣିଲି ତୋର ପ୍ରଭୁପଣ

ଭୃତ୍ୟରେ ବଡ଼ଇ ଦାରୁଣ

।।

ଏମନ୍ତ ବୋଲି କ୍ରୋଧଭରେ

ସଢାଇ ତାଳଧରି କରେ

।।

ପ୍ରଭୁ ଛାମୁକୁ ଫିଙ୍ଗି ଦେଲେ

ମଣିଆ ଦାସ ରୁଷି ଗଲେ

।।

ମନରେ ହୋଇଣ ନିରାଶ

ମଠରେ ହୋଇଲେ ପ୍ରବେଶ

।।

ଚିତ୍ତ ନିବେଶି ପ୍ରଭୁ ପାଶେ

ଶୋଇଲା ମନର ଚିରସେ

।।

ଏମନ୍ତେ ହେଲା ଦିନ ଶେଷ

ରଜନୀ ହୋଇଲା ପ୍ରବେଶ

।।

ସନ୍ଧ୍ୟାଧୂପକୁ ମଣି ଦାସେ

ନଗଲେ ମନର ବିରସେ

।।

ଅନ୍ନ ଭୋଜନ ତାର ନାହିଁ

ଉପବାସରେ ଅଛି ଶୋଇ

।।

ଏଣେ ଯେ ପ୍ରଭୁ ଶୋଭା ଯେତେ

ଶ୍ରୀହରି ପହୁଡ଼ ସହିତେ

।।

ଭଣ୍ଡାରଘର ମୁଦ ଦେଇ

ଦେଉଳ ନିଶୋଧ କରାଇ

।।

କବାଟ ପକାଇ ତରିତେ

ସେବକ ଗଲେ ଯେଝା ମତେ

।।

ଏଥିଉତ୍ତାରୁ ଆଦିମୂଳ

ଯେ ପ୍ରଭୁ ଭକତ ବତ୍ସଳ

।।

ନ ସହେ ସେବକ ବେଦନା

ଏଥିନିମନ୍ତେ ଚକ୍ରେ ବାନା

।।

ଉଡ଼ୁ ଯେ ଅଛି ନିରନ୍ତରେ

ଭୃତ୍ୟ ଆରତ ଖଣ୍ଡିବାରେ

।।

ତେଣୁ ଭକତ ହିତେ ହରି

ତକ୍ଷଣେ ଗଲେ ବିଜେ କରି

।।

ଯେ ମହାରାଜାଙ୍କର ପାଶ

ବିଜୟ କମଳା ବିଳାସ

।।

ରାଜା ଯେ ନିଦ୍ରା ଅଛି ଯାଇ

ତା ସୀମସ୍ଥାନେ ଉଭାହୋଇ

।।

ମଣିଆ ଦାସ ଅଭିମାନେ

ରାଜାଙ୍କୁ କହିଲେ ସ୍ୱପନେ

।।

ବୋଇଲେ ଶୁଣରେ ରାଉତ

ତୁତ ଅଜ୍ଞାନେ ହେଲୁ ମତ୍ତ

।।

ତୋ ରାଜ୍ୟ ହାନିଲାଭ ଯେତେ

ତାହା ନ ବୁଝି କି ନିମନ୍ତେ

।।

ଏବେ ହୋ ଶୁଣ ଶୁଦ୍ଧଚିତ୍ତେ

ମୁଁ ଯାହା କହୁଅଛି ତୋତେ

।।

ମୋର ମଣିଆ ଦାସ ଆସି

ଜଗମୋହନ ଘରେ ପଶି

।।

ସଢାଇ ତାଳ କରେ ଧରି

ଅନେକ ନାମ ଧ୍ୱନି କରି

।।

ନୃତ୍ୟ କରଇ ଆମ୍ଭ ପାଖେ

ଆମ୍ଭ ତା ଶୁଣୁଥାଉଁ ସୁଖେ

।।

ମୋର ତହିଁରେ ଯେତେ ଲାଭ

ଶୁଣ କହିବା ତହିଁ ଭାବ

।।

ତୋହର ଯେସନେ ନନ୍ଦନ

ପାଞ୍ଚ ସାତରେ ଯେହୁ ସାନ

।।

ବରଷେ ପୂରିଣ ନ ଥାଇ

ଆସଇ ଗେହ୍ଲାଇ ଗେହ୍ଲାଇ

।।

କହଇ ଦରୋଟି ବଚନ

କେବଳ ଅମୃତ ସମାନ

।।

ତାହା ଯେମନ୍ତେ ଶୁଣି ତୁହି

ତହୁଁ ଅଧିକ ମୋତେ ସେହି

।।

ତାକୁ ପୁରାଣ ପଣ୍ଡା ତୋର

ମାରି ମୋ ପାଶୁ କଲା ଦୂର

।।

ତେଣୁ ଭକତ ରୁଷିଗଲା

ଛାମୁକୁ ମୋହର ନଇଲା

।।

ତେଣୁ ମୁଁ ଉପବାସେ ଅଛି

ତାକୁ ମୁଁ ନ ପାରଇ ମୂଚ୍ଛି

।।

ଭୃତ୍ୟ ଅଇଲାଯାଏ ମୋର

ମଣୋହି ନାହିଁଟି ମୋହର

।।

ଏବେ ତୁ ବେଗ ହୋଇଯିବୁ

ମୋର ଭକ୍ତକୁ ଡକାଇବୁ

।।

ଅନେକ ଗଉରବ କରି

ଘେନାଇଯିବୁ ଦଣ୍ଡଧାରୀ

।।

ଛାଡ଼ିବୁ ଶ୍ରୀ ଜଗମୋହନେ

ନୃତ୍ୟ କରିବ ପ୍ରତିଦିନେ

।।

ତେବେ ମୁଁ କରିବି ଭୋଜନ

ଏ କଥା ସତ୍ୟ ବୋଲି ଜାଣ

।।

ଆବର କହୁଅଛି ତୋତେ

ମୋର ଭକତ ଜନ ହିତେ

।।

ଅତ୍ୟନ୍ତ ହରଷ ମନରେ

ନିର୍ମାଣ ବିଶ୍ୱକର୍ମା କରେ

।।

କରିଛି ଶ୍ରୀଜଗମୋହନ

ବିସ୍ତାର କରିଛି ଯତନ

।।

ଭକତଜନ ତହିଁ ମିଳି

ରଙ୍ଗେ ବଜାଇ କରତାଳି

।।

ମୋ ରଙ୍ଗା ଅଧରକୁ ଚାହିଁ

ମୋ ପାଦପଦ୍ମକୁ ଯେ ଧ୍ୟାୟି

।।

ମୋ ନାମ କରିଣ କୀର୍ତ୍ତିନ

ଆନନ୍ଦ କରୁଥିବ ମନ

।।

ଭାବରେ ଯାଇଥିବ ଗଡ଼ି

ଉଠି କପାଳେ କରଯୋଡ଼ି

।।

ଅନେକ ସ୍ତୁତି କରି ମୋତେ

ଜଣାଉଥିବେ ଦୁଃଖଚିତ୍ତେ

।।

ତାହା ମୁଁ ଶୁଣୁଥିବି ବସି

ଭକତ ଜନ ମନ ତୋଷି

।।

ଜଗମୋହନ ଏଥିପାଇଁ

ଆନେ ମୋ ପ୍ରୟୋଜନ ନାହିଁ

।।

ପୁରାଣ ପଣ୍ଡା ଆଜିଠାରୁ

ମୋ ଆଗେ ପୁରାଣ ନ କରୁ

।।

ପାରିଲେ ଲକ୍ଷ୍ମୀଙ୍କ ମୋହନେ

ପୁରାଣ କରୁ ପ୍ରତିଦିନେ

।।

ଭୃତ୍ୟକୁ କଲେ ମୋର ଦୂର

ସହିବି ନାହିଁ ନିରାଧାର

।।

ଏମନ୍ତ ଆଜ୍ଞା ତାକୁ ଦେଇ

ବିଜୟ କଲେ ଭାବଗ୍ରାହୀ

।।

ମଣିଆ ଦାସ ପାଶେ ବିଜେ

କଲେ ଦେବାଧିଦେବରାଜେ

।।

ବୋଇଲେ ଶୁଣ ଆହେ ଦାସ

ତୁ କିମ୍ପା ଅଛୁ ଉପବାସ

।।

ଏବେ ଭୋଜନ କରୁ କିନା

କାଲି ମହିଁମା ବୁଝ ସିନା

।।

ଏମନ୍ତ କହି ପୀତବାସ

ଶ୍ରୀ ନୀଳାଚଳରେ ପ୍ରବେଶ

।।

ଦାସେ ଉଠିଲେ ତାହା ଶୁଣି

ଆନନ୍ଦେ ପ୍ରଭୁ ଗୁଣଗୁଣି

।।

ହରଷ କରି ପଞ୍ଚମନ

ସନ୍ତୋଷେ କଲେକ ଭୋଜନ

।।

ତେଣେ ନୃପତି ଚେତା ପାଇ

ପାଶେ ଦେଖିଲା କେହି ନାହିଁ

।।

ଜାଣିଲା ନିଶ୍ଚେ ଜଗନ୍ନାଥେ

କରୁଣା କରିଗଲେ ମୋତେ

।।

ମୋ ଜୀବ ଉଦ୍ଧାର ନିମନ୍ତେ

ପବିତ୍ର ହେଲା ତା ଉଚିତେ

।।

ଏମନ୍ତେ ମନେ ମନେ ଗୁଣି

ଉଠିଲା ନୃପ ଚୂଡ଼ାମଣି

।।

ଅଶ୍ୱ ଉପରେ ଲାଗି ହୋଇ

ମିଳିଲା କ୍ଷେତ୍ରବରେ ଯାଇଁ

।।

ବେଳ ପ୍ରହରେ ଅଛି ହୋଇ

ନୃପତି ଅଶ୍ୱରୁ ଓହ୍ଲାଇ

।।

ମଣିଆ ଦାସକୁ ହକାରି

କୋଳେ ବସାଇ ଦଣ୍ଡଧାରୀ

।।

ଅନେକ ଗଉରବ କଲେ

ହସ୍ତ ଧରିଣ ଘେନିଗଲେ

।।

ସଙ୍ଗତେ ଘେନି ଶ୍ରଦ୍ଧାମନେ

ପ୍ରବେଶ ଶ୍ରୀ ଜଗମୋହନେ

।।

ନୃପତି ବାନ୍ଧିଦେଲେ ପାଟ

ବୋଇଲେ ଦାସେ କର ନାଟ

।।

ସଢାଇ ତାଳ ଧରି ହସ୍ତ

ଆନନ୍ଦେ ଗାଉ ଥାଅ ଗୀତ

।।

ପ୍ରଭୁଙ୍କ ମନ କର ତୋଷ

ଶୁଣି ଆନନ୍ଦ ମଣିଦାସ

।।

ସେହି ପ୍ରକାରେ କରି ଗୀତ

ଗାଇ ଢମାଳି କରେ ନୃତ୍ୟ

।।

ତହୁଁ ପୁରାଣ ମନା କଲେ

ଲକ୍ଷ୍ମୀଙ୍କ ମୋହନେ ଗାଇଲେ

।।

ଶୁଣ ସୁମନ ଶୁଦ୍ଧଚିତ୍ତେ

ପ୍ରଭୁଙ୍କ ମହିମା ଏମନ୍ତେ

।।

ବିଷ୍ଣୁ ପୁରାଣ କଲେ ମନା

ଭକତ ଭାବ ମୂଳସିନା

।।

ସଢାଇ ନାଟ କଲେ ମୂଳ

ଭକତ ବନ୍ଧୁ ଆଦିମୂଳ

।।

ଏହି ସେ ପ୍ରଭୁର ଭଜନ

ମୂଳ ତୁ କର ହେ ସୁମନ

।।

ଏ ଭବଜଳୁଁ ହେବୁ ପାର

ଗୋଷ୍ପଦ ଜଳର ପ୍ରକାର

।।

ସେ ହରି ଛାଡ଼ି ଯେ ଭଜନ

କରଇ ଅନ୍ୟ ଦେବମାନ

।।

ସେ କାହିଁ ତରଇ ସଂସାର

ବ୍ୟର୍ଥ କର୍ମରେ ଶ୍ରମ ତାର

।।

ଅନ୍ଧ ଯେସନ ଅନ୍ଧକାରେ

କେବେହେଁ ଗମିଣ ନ ପାରେ

।।

ମୃଗତୃଷ୍ଣକୁ ଆଶ୍ରା କରି

ଧାଇଁଲେ ତୃଷା ନିକି ହରି

।।

ସେହି ପ୍ରକାରେ ଭ୍ରମିପାରେ

ବୁଲିଣ ମୋହ ନାଶ କରେ

।।

ଏ ଦାର୍ଢ୍ୟଭକ୍ତି ରସାମୃତ

କେବଳ ଶ୍ରଦ୍ଧାରେ ମୁକତ

।।

ଯେ ପ୍ରାଣୀ ଶୁଣି ଶ୍ରଦ୍ଧା କରେ

ଅଶେଷ ଜନ୍ମ ପାପହରେ

।।

ବାଞ୍ଛା ସମ୍ପୂର୍ଣ୍ଣ ହେବ ତାର

ନ ଯିବ ଯମର ମନ୍ଦିର

।।

କହଇ ରାମଦାସ ଦ୍ୱିଜ

ମୋ ପ୍ରଭୁ ଶଙ୍ଖ ଚତୁର୍ଭୁଜ

।।

ଏ ଭବ ସଂସାରକୁ ଡରି

ଶରଣ ମାଗୁଅଛି ହରି

।।

ତୁମ୍ଭେ ଯେ ପତିତପାବନ

ମୁହିଁ ଅଟଇ ପାପୀଜନ

।।

ନିରାଶ ନକର ଗୋସାଇଁ

ଅନ୍ୟ ଶରଣ ମୋର ନାହଁ

।।

ତୁମ୍ଭର ପାଦପଦ୍ମ ଧୂଳି

ମଣ୍ଡନ ହେଉ ମୋ ମଉଳି

।।

ଉଦ୍ଧର ଅବା ନ ଉଦ୍ଧର

ଅନ୍ୟ ଭରସା ନାହିଁ ମୋର

।।

ସୁଜନ ଏହି ରସେ ରସ

ହରି ମହିମା ନାବେ ବସ

।।

ସକଳ ଅମଙ୍ଗଳ ନାଶ

ଏ ଭବ ଜଳରେ ନ ଭାସ

।।

 

ଇତିଶ୍ରୀ ଦାର୍ଢ୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ୱାଦେ

ମଣିଦାସ ଦାର୍ଢ୍ୟଭାବ ବର୍ଣ୍ଣନେ ନାମ ଅଷ୍ଟାଦଶୋ ଧ୍ୟାୟଃ ।

•••

 

ଊନବିଂଶ ଅଧ୍ୟାୟ

କୃଷ୍ଣ ଦାସ ସମ୍ୱାଦ

ଚୈତନ୍ୟ ଉବାଚ

 

ଶୁଣ ସୁମନେ ଶୁଦ୍ଧଚିତ୍ତେ

ମୁଁ ଯାହା କହୁଅଛି ତୋତେ

।।

ଏକଳି ଯୁଗଧର୍ମ କଥା

ଶୁଣି ଖଣ୍ଡିବ ଭବବ୍ୟଥା

।।

କେବଳ ସ୍ଥିର କରି ଚିତ୍ତ

କହୁଛି ଦୁର୍ଲ୍ଲଭ ଚରିତ

।।

ପୁରୁଷୋତ୍ତମେ ତାର ବାସ

ନାମ ତାହାର କୃଷ୍ଣ ଦାସ

।।

ଜାତିରେ ଅଟଇ କରଣ

ପଣ୍ଡିତ ବିବେକ ସୁଜାଣ

।।

ଧୀରେ ଚତୁର ସର୍ବଂସହ

ନିସତେ ପରଲୋକ ପ୍ରିୟ

।।

ସକଳ ଲୋକେ ଦୟା କରେ

ଦାର୍ଢ୍ୟଭକତି ଭାବନାରେ

।।

ସକଳ ଗୁଣେ ସେ ନିପୁଣ

କବିତ୍ୱପଣେ ସେ ନିପୁଣ

।।

ବୋଇଲେ ନିର୍ଦ୍ଦୋଷ କବିତ୍ୱ

ପ୍ରବନ୍ଧ କଲା ଅପ୍ରମିତ

।।

ଶ୍ରୀହରି ବିନା ଅନ୍ୟ କଥା

ଗୀତ ସେ ନ ବୋଲେ ସର୍ବଥା

।।

ଶ୍ରୀକୃଷ୍ଣ ଜନ୍ମ କର୍ମ ଗୁଣ

ସେ ସବୁ କରଇ ବଖାଣ

।।

ଭକତଜନେ ଅଧିକାର

ଯହିଁ ଯେମନ୍ତେ କରିବାର

।।

ଦୁଷ୍ଟ ନିବାରି ସନ୍ଥପାଳି

ଗୋପୀ ଗୋପାଳ ରାସକେଳି

।।

କେବଳ ଏହି କଥାମାନ

ଶ୍ରବଣେ କରିଣ ଗାୟନ

।।

ମାଗେ ଉତ୍ତମ ଜନଠାରେ

ନିଜ କୁଟୁମ୍ୱ ପୋଷିବାରେ

।।

ଯା ଅବା ମିଳେ ଭାଗ୍ୟେ ତାର

ଘେନି ଚଳଇ ନିଜପୁର

।।

ପ୍ରାଣ ପୋଷନ୍ତି ତାହା ଖାଇ

ଯାଚକ ଜନେ କିଛି ଦେଇ

।।

ଏମନ୍ତେ ବଞ୍ଚୁଥାଇ ଦିନ

ନ ଜାଣେ ଅନ୍ୟ କଥାମାନ

।।

କେତେକ ଦିନର ଉତ୍ତାରେ

ତା କୀର୍ତ୍ତି ଜଗତେ ପ୍ରସରେ

।।

ଲୋକେ ବୋଇଲେ ଧନ୍ୟ ଧନ୍ୟ

ଏ କୃଷ୍ଣ ଦାସର ଜୀବନ

।।

ଶ୍ରୀକୃଷ୍ଣ କଥାମୃତ ପାନ

କେବଳ ଅମୃତ ସମାନ

।।

ଚିତ୍ତକୁ ପାରେ ବନ୍ଦି କରି

ଶ୍ରବଣେ ପାପୀ ପାପ ହରି

।।

ଏମାନ ପ୍ରବନ୍ଧ ସେ ଯେତେ

କଲା ଅଶେଷ ପ୍ରାଣୀହିତେ

।।

ଧନ୍ୟ ହୋ କୃଷ୍ଣଦାସ ମତି

ବୋଲିଣ ପ୍ରଶଂସା କରନ୍ତି

।।

ଏମନ୍ତେ କେତେଦିନ ଅନ୍ତେ

ସେ ରାଜ୍ୟେ ନୃପତି ଅଗ୍ରତେ

।।

ଉତ୍ତମ ଲୋକମାନେ ଆସି

କହନ୍ତି ଉତ୍ତମ ପ୍ରଶଂସି

।।

ଶୁଣ ନୃପତି ଚୂଡ଼ାମଣି

ଏ ବଡ଼ ଅପୂର୍ବ କାହାଣୀ

।।

କରଣ ନାମେ କୃଷ୍ଣ ଦାସ

ଅଟଇ ଶ୍ରୀହରିର ଦାସ

।।

ତାହା ସମାନ କବିପଣେ

ରାଜ୍ୟେ ନ ଥିବ ଅନ୍ୟ ଜଣେ

।।

ବୋଲଇ ଉତ୍ତମ କବିତ୍ୱ

ଶ୍ରବଣେ ହରିଅଛି ଚିତ୍ତ

।।

କୃଷ୍ଣ କଥାରୁ ନାହିଁ ଅନ୍ୟ

ଡକାଇ ବୁଝିଲେ ରାଜନ

।।

ତାହା ଶୁଣିଣ ନୃପରାଣ

ତକ୍ଷଣେ ଡଗର ପେଶିଣ

।।

କୃଷ୍ଣ ଦାସଙ୍କୁ ଶୁଦ୍ଧଚିତ୍ତେ

ଡକାଇ ଆଣିଲେ ତ୍ୱରିତେ

।।

ପ୍ରବେଶ ହେଲେ ଯେତେବେଳେ

ଆଜ୍ଞା ଯେ ଦେଲେ ମହୀପାଳେ

।।

ସଭାର ମଧ୍ୟେ କଥାରସେ

ବୋଇଲେ ଶୁଣ କୃଷ୍ଣ ଦାସେ

।।

ବୋଲୁଛ କି କି ଗୀତମାନ

ଶୁଣିମା କର ହେ ଗାୟନ

।।

ତାହା ଶୁଣିଣ କୃଷ୍ଣ ଦାସ

ଚିତ୍ତେ ଚିନ୍ତିଲେ ପୀତବାସ

।।

ଧୀର ଗମ୍ଭୀର ମୃଦୁସ୍ୱରେ

କହିଲେ ନୃପତି ଛାମୁରେ

।।

ମୋ ଛାର ନୁହଇ ଭାଜନ

ବୋଇଲେ ଶୁଣ ହେ ରାଜନ

।।

ଗୀତ ବୋଲିବା ତୁମ୍ଭ ପାଶେ

ଏକଥା ମନକୁ ନ ଆସେ

।।

ଯହିଁ ବିଜୟ ଦେବରାଜ

ସରି ନୁହଇ ରବି ତେଜ

।।

ଏ ରାଜସଭାରେ କବିତ୍ୱ

ମୁଁ ନିକି କଥନେ ସମର୍ଥ

।।

ଶୁଣି ବୋଲନ୍ତି ନୃପବର

କିଛି ହିଁ ସଂଶୟ ନ କର

।।

ବସ ହୃଦୟ କରି ଦୃଢ

ଯାହା କରିଛ ତାହା ପଢ

।।

ତା ଶୁଣି କୃଷ୍ଣଦାସ ତୋଷେ

ବସିଲେ ନୃପତିଙ୍କ ପାଶେ

।।

ପ୍ରବନ୍ଧ ଫିଟାଇ ପଢିଲେ

ଅର୍ଥ ହିଁ ବୁଝାଇ କହିଲେ

।।

ଯେତେ କବିତ୍ୱ ଥିଲେ କରି

ସବୁ ଶୁଣିଲେ ଦଣ୍ଡଧାରୀ

।।

ହୋଇଲେ ପରମ ସନ୍ତୋଷ

ଦାସଙ୍କୁ କଲେ ପଉରୁଷ

।।

ନବୀନ ଅଳଙ୍କାର ତୁଲେ

ଅନେକ ଅନ୍ନ ବସ୍ତ୍ର ଦେଲେ

।।

ସଭାରେ ଥିଲେ ଯେତେ ଜନ

ହରଷ ସବୁଙ୍କର ମନ

।।

ଏଥିଉତ୍ତାରେ ଶୁଣ ମନ

ବୋଇଲେ ସେ ମହାରାଜନ

।।

ଶୁଣ ହେ କବି କୃଷ୍ଣଦାସ

ହୋଇଣ ଥିବ ଦିବ୍ୟ ବେଶ

।।

ସୁନ୍ଦର ମଧୁର ଗଢଣ

ଗୀତ କରିଣ ନାମ ଭଣ

।।

ତୁମ୍ଭଙ୍କୁ କରିବା ପୌରୁଷ

ତାହା ଶୁଣିଣ କୃଷ୍ଣ ଦାସ

।।

ପିଣ୍ଡରୁ ଉଡ଼ିଲା ସାହସ

ମୁଣ୍ଡେ କି ପଡ଼ିଲା କୁଳିଶ

।।

ହୃଦପଦ୍ମରେ କଲା ଭୀତି

ବୋଇଲେ ଶୁଣ ହେ ଶ୍ରୀପତି

।।

ଏ ଘୋର ଶଙ୍କଟୁ ଉଦ୍ଧାର

ନୋହିଲେ ଗତି ନାହିଁ ମୋର

।।

ତୁମ୍ଭେ ଯେ କାମୀ କାମଧେନୁ

ବୋଲି ଛାଡ଼ିଲା ଭୟ ମନୁ

।।

ବୋଇଲା ଶୁଣ ନୃପନାଥ

କେବଳ ଦେବ ଜଗନ୍ନାଥ

।।

ଏ ପିଣ୍ଡ ବିକିଅଛି ତାରେ

ଗୀତ ମୁଁ ନ ବୋଲେ ଅନ୍ୟରେ

।।

ଏ କଥା ଅନ୍ୟ ହେବ କାହୁଁ

ଦୁଃଖ ନ କରି ଆଜ୍ଞା ହେଉ

।।

ତାହା ଶୁଣିଣ ଦଣ୍ଡଧର

ପୁଣି ବୋଇଲେ ଗୀତ କର

।।

ମୋ ନାମ ଭଣିଲେ ଅବଶ୍ୟ

ଅନେକ ଦେବି ଗ୍ରାମଦେଶ

।।

ମୋ ରାଜ୍ୟେ ଦେବି ଅଧିକାର

ଦେଖ ମୁଁ ଜଗତ ଈଶ୍ୱର

।।

ନୋହିଲେ ମରିବୁ ଅବଶ୍ୟ

ଛାଡ଼ ତୋ ଜୀବନର ଆଶ

।।

କେ ଆସି ରଖିବଟି ତୋତେ

ଏହା ତୁ କହୁଅଛୁ ମୋତେ

।।

ଦାସେ ବୋଇଲେ ତାହା ଶୁଣି

ଶୁଣ ହେ ନୃପ ଚୂଡ଼ାମଣି

।।

ତୁମ୍ଭଙ୍କୁ ନାହିଁ ମୋର ଡର

ମୋ ପ୍ରଭୁ ବଳେ ବଳିୟାର

।।

ଜଗତ ସୃଷ୍ଟି ଆନ ଦେଲେ

ଗୀତ ମୁଁ ଆନକୁ ନ ବୋଲେ

।।

ଏ କଥା ଅଟଇ ପ୍ରମାଣ

ଶୁଣି ଚଳିଲେ ନୃପରାଣ

।।

ବୋଇଲେ ଧର ହେ ଏହାକୁ

କେବଣ ବାପ ଆସି ରଖୁ

।।

ସଭାରେ ଲୋକ ଆଚମ୍ୱିତ

ଅନାଇଁଛନ୍ତି ସ୍ତମ୍ଭୀଭୂତ

।।

ନିବନ୍ଧ କରି ବନ୍ଧାଇଲେ

ପାଦେ ଶାଙ୍କୋଳି ପିନ୍ଧାଇଲେ

।।

ଶ୍ରୀ ପୁରୁଷୋତ୍ତମ ମଧ୍ୟରେ

ରଖାଇଗଲେ ବନ୍ଦୀଘରେ

।।

ବନ୍ଦୀ ମନ୍ଦିରେ ଯତ୍ନ କରି

ଖଣା ଖୋଳାଇ ହାତଚାରି

।।

ତହିଁରେ ଦାସକୁ ରଖାଇ

ଉପରେ କାଠ ପଟା ଦେଇ

।।

ସେ କାଠପଟା ପରେ ଭଲେ

ପଥରମାନ ମଡ଼ାଇଲେ

।।

ନିବନ୍ଧେ କବାଟ କିଳଇ

ଯେମନ୍ତେ ନ ଯିବ ପଳାଇ

।।

ଅନେକ ଲୋକଙ୍କୁ ହକାରି

ଜଗାଇଦେଲେ ଦଣ୍ଡଧାରୀ

।।

ଜାଗ୍ରତ ରଖି ଜଗୁଆଳ

କହି ଚଳିଲେ ମହୀପାଳ

।।

ଛାମୁରେ ଥିଲେ ଯେତେ ନର

କହିବା ଶକ୍ତି ଅଛି କାର

।।

ମହାପ୍ରତାପୀ ନୃପବର

ଚଳିଣ ଗଲେ ନିଜପୁର

।।

ଲୋକେ ଯେ ଗଲେ ଯେଝା ଘର

ଦାସେ ରହିଲେ ବନ୍ଦୀଘର

।।

ଖଣା ମଧ୍ୟରେ ଦାସ ପଡ଼ି

ଆତଙ୍କେ ଶିରେ କରଯୋଡ଼ି

।।

ଚିତ୍ତେ ଚିନ୍ତିଲେ ବଳଦେବ

ମୋତେ କିଞ୍ଚିତେ ଆଜ୍ଞା ହେବ

।।

ଘେନି ତୋ କରୁଣା ଲଙ୍ଗଳ

ମୋ ଆର୍ତ୍ତ ହସ୍ତିନାକୁ ଟାଳ

।।

ଜୟ ନୀଳାଦ୍ରି ସିଂହବର

ମୋର ଆରତ ବଳିଆର

।।

ରଖ ହେ କୃଷ୍ଣ ଦାସ ପ୍ରାଣ

ବାରଣ ଆର୍ତ୍ତ ନିବାରଣ

।।

ରଖ ସେବକ ଯଶକାରୀ

ଭାନୁତନୟା ମନୋହାରୀ

।।

ଏ ମହାସଙ୍କଟ ବନ୍ଧନ

ଫେଡ଼ ହେ ଶ୍ରୀ ନନ୍ଦନନ୍ଦନ

।।

ରଖ ବରଜ ଦୁଃଖ ହର

ଏ ଦୃଢ ବନ୍ଧନୁ ଉଦ୍ଧାର

।।

ହେ ସୁଦର୍ଶନ ଚକ୍ରଧର

ମୋ ଆର୍ତ୍ତ ନକ୍ରକୁ ନିବାର

।।

ତୁମ୍ଭେ ନ ରଖିଲେ ଗୋସାଇଁ

ଏଠାରେ ମୋର ସାହା ନାହିଁ

।।

ତୋ ଯଶ ଚକ୍ର ଉଦେ କର

ମୋ ଆର୍ତ୍ତ ଅନ୍ଧାର ହର

।।

ତୁମ୍ଭେ ନ ରଖିଲେ ନିୟତ

ମୋର ମରଣ ହେଲା ସତ

।।

ଦାସ ନିବାଶ ହେଲେ ସତେ

କି ବୋଲି ବୋଲିବେ ଜଗତେ

।।

ଏଥକୁ ହୃଦରେ ବିଚାର

ମୋର ମରଣେ ନାହିଁ ଡର

।।

ସଂସାର ମଧ୍ୟେ ମହାବାହୁ

ମହିମା ରବି ଅସ୍ତ ନୋହୁ

।।

ଲୋକେ ବୋଲିବେ କୃଷ୍ଣ ଦାସ

କୃଷ୍ଣ ଚରଣେ କଲା ଆଶ

।।

ତାର ବିନାଶ କାଳେ ହରି

ପାରିଲେ ନାହିଁ ରକ୍ଷା କରି

।।

ଆଉ କିମ୍ପାଇଁ ଏ ସଂସାରେ

ଭଜିବେ ଶ୍ରୀହରି ପୟରେ

।।

ଜଗତେ ଏହା ପ୍ରକାଶିବ

ମହିମା ନିଉନ ଦିଶିବ

।।

ଏଥକୁ ଚାହିଁ ମୋର ଦୁଃଖ

ଖଣ୍ଡ ହେ ପୁଣ୍ଡରୀକ ମୂଖ

।।

ଏ ଦଣ୍ଡଧର ଦଣ୍ଡୁ ମୋତେ

ଉଦ୍ଧରି ଧରି ତୋର ହସ୍ତେ

।।

ଏମନ୍ତ ବୋଲି ସ୍ତୁତି କରି

ବେନି ନୟନୁ ବହେ ବାରି

।।

କୃଷ୍ଣଚରଣେ ଚିତ୍ତ ଦେଇ

ଏକାନ୍ତେ ସ୍ତୁତି ସେ କରଇ

।।

ତାହା ଜାଣିଲେ ଭଗବାନ

ଯେ ପ୍ରଭୁ ଜଗତଜୀବନ

।।

ଭକତ ଅଭିମାନ କଥା

ସେ ହରି ନ ସହେ ସର୍ବଥା

।।

ସମ୍ପୂର୍ଣ୍ଣ ଅର୍ଦ୍ଧେକ ସର୍ବରୀ

ଭୃତ୍ୟର ପାଶେ ବିଜେ କରି

।।

କର ପଲ୍ଲବ ଶିରେ ଧରି

ସର୍ବାଙ୍ଗେ ବୁଲାଇଲେ ହରି

।।

ଶ୍ରୀଭୁଜ ଅଙ୍ଗେ ତାର ଲାଗି

ପାଦ ଶଙ୍କୋଳି ଗଲା ଭାଙ୍ଗି

।।

ଫିଟିଲା ଅଶେଷ ବନ୍ଧନ

ବୋଇଲା ପ୍ରଭୁ ଭଗବାନ

।।

ଭକ୍ତବତ୍ସଳ ବାନା ମୋର

ତୋ ମନେ ସଂଶୟ ନ କର

।।

ଏମନ୍ତ ବୋଲି ଭାବଗ୍ରାହୀ

ଦିବ୍ୟ ଭୋଜନ ପାଶେ ଥୋଇ

।।

ଭୁଞ୍ଜ ବୋଲିଣ ଆଜ୍ଞା ଦେଲେ

ତକ୍ଷଣେ ଅନ୍ତର୍ଦ୍ଧାନ ହେଲେ

।।

ଏମନ୍ତବେଳେ କୃଷ୍ଣଦାସ

ନିଦ୍ରା ତେଜିର ଚଉପାଶ

।।

ଅନାଇ ଦେଲେ କେହି ନାହିଁ

ଅଦ୍ଭୁତେ ମନେ ବିଚାରଇ

।।

ପାଦେ ଶାଙ୍କୋଳି ମୋର ନାହିଁ

ବନ୍ଧନ କେ ଦେଲା ଫିଟାଇ

।।

କର ପଲ୍ଲବ ଶିରେ ଅଛି

ପ୍ରସାଦ ଥୋଇ କେ ଯାଇଛି

।।

ଏମନ୍ତ ବୋଲି କରେ ଧରି

ନେତ୍ରେ ଛୁଆଇଁ ତୁଣ୍ଡେ ଭରି

।।

କୈବଲ୍ୟ ପାଇ ଅତି ତୋଷେ

ବୋଲଇ ମନର ହରଷେ

।।

ନିଶ୍ଚେ ଏ ଗୋବିନ୍ଦର ମାୟା

ବୋଲି ପୁଲକ କଲା କାୟା

।।

ଆନନ୍ଦେ ବୋଲି ହରି ହରି

ମୁକୁନ୍ଦ ମାଧବ ମୁରାରୀ

।।

ଶ୍ରୀରାମକୃଷ୍ଣ ବସୁଦେବ

ପରମାନନ୍ଦ ପଦ୍ମନାଭ

।।

ଆନନ୍ଦ ଅଚ୍ୟୁତ ଗୋବିନ୍ଦ

ବ୍ରଜ କେଶବ ସଦାନନ୍ଦ

।।

ଶ୍ରୀ ନାରାୟଣ ଚକ୍ରପାଣି

ବ୍ରଜବଲ୍ଲଭୀ ପ୍ରାଣମଣି

।।

ଶ୍ରୀ ବନମାଳୀ ଶିରୀପତି

ଦୀନବାନ୍ଧବ ଦାଶରଥି

।।

ଲକ୍ଷ୍ମୀବଲ୍ଲଭ ସୀତାପତି

ଏମନ୍ତ ପ୍ରଭୁ ନାମ ଚିନ୍ତି

।।

ଭଜନ କରି ନିଜ ମୁଖେ

ରଜନୀ ବଞ୍ଚିଥାଇ ସୁଖେ

।।

ଭକ୍ତବତ୍ସଳ ହଳପାଣି

ଭକତ ଚିନ୍ତା ମନେ ଜାଣି

।।

ସେ ରାଜ୍ୟେ ରାଜାପାଶେ ଗଲେ

ହଳ ଲଙ୍ଗଳ ଦେଖାଇଲେ

।।

ବୋଇଲେ ପ୍ରାଣେ ଯେବେ ଆଶ

ଛାଡ଼ି ତୁ ଦିଅ କୃଷ୍ଣ ଦାସ

।।

ନୋହିଲେ ତୁ ନିଶ୍ଚେ ମରିବୁ

ଭୃତ୍ୟକୁ କି କରି ପାରିବୁ

।।

ଏମନ୍ତ ଆଜ୍ଞା ତାକୁ ଦେଲେ

ଫଣି ମଉଳି ବିଜେ କଲେ

।।

ସେ ଦିବ୍ୟସିଂହ ମହାରଥା

ସ୍ୱପନେ ଦେଖି ଏହୁ କଥା

।।

ହୃଦ ପଦ୍ମରେ କଲା ଭୀତି

ଚିନ୍ତିଲା ବଳଦେବ ମୂର୍ତ୍ତି

।।

ଏମନ୍ତ ରଜନୀ ପାହିଲା

ନୃପତି ବିଜେ କରିଗଲା

।।

ବନ୍ଦ ମନ୍ଦିରେ ବିଜେ କଲେ

କବାଟ ଫିଟାଇଣ ଦେଲେ

।।

ପଥର କାଢି କାଠ ଫେଇ

ଦାସଙ୍କୁ ଦେଲେକ ଅନାଇ

।।

ପ୍ରଭୁଙ୍କ ଅଙ୍ଗ ଉପହାର

ତା ଅଙ୍ଗେ ଦିଶଇ ସୁନ୍ଦର

।।

ବସିଣ ଭଜୁଅଛି ହରି

ଦେଖି ତୋଳିଲେ ଦଣ୍ଡଧାରୀ

।।

ଏମନ୍ତ ସମୟେ ସେବକେ

ଆସି ମିଳିଲେ ରାଜା ପାଖେ

।।

ବୋଇଲେ ଶୁଣ ନରନାଥ

ଆମ୍ଭେଗ ଦେଖିଲୁ ବିପରୀତ

।।

କବାଟ ଫିଟା ଅବକାଶେ

ଯାଇ ମିଳିଲୁ ପ୍ରଭୁ ପାଶେ

।।

କର ପଲ୍ଲବ କରେ ନାହିଁ

ଶ୍ରୀଅଙ୍ଗ ଅଛି ତୁଛ ହୋଇ

।।

ଦେଖି ଅଇଲୁ ଏଇକ୍ଷଣି

ବୁଝିବା ହେଉ ନୃପମଣି

।।

ତାହା ଶୁଣିଣ ନୃପରାୟେ

ତହୁଁ ଦେଖିଲେ ଭୃତ୍ୟଠାଏ

।।

ସ୍ୱପନ କଥା ମନେ ଚିନ୍ତି

ଅତି ଆନନ୍ଦେ ସେ ନୃପତି

।।

କୃଷ୍ଣ ଦାସଙ୍କୁ ଧରି କୋଳେ

ମୁଖେ ଚୁମ୍ୱନ ଦେଲେ ଭୋଳେ

।।

ବୋଇଲେ ଧନ୍ୟ ତୋ ଜୀବନ

ତୋତେ ଦେଖିଲି ମୁହିଁ ଧନ୍ୟ

।।

ଧନ୍ୟ ତୋ କର୍ଣ୍ଣ ମୁଖ ନାସା

ଧନ୍ୟ କହିବା ତୋର ଭାଷା

।।

ଧନ୍ୟ ତୋ ମନ ବୁଦ୍ଧି ଯେତେ

ପ୍ରଭୁଙ୍କ ଏତେ ଦୟା ତୋତେ

।।

ସଂସାରେ ହରିଭକ୍ତି ସାର

ଧିକ ମୋ ନୃପତି ହେବାର

।।

ଧିକ ଏ ଅନ୍ୟ କର୍ମ ଯେତେ

ଧନ୍ୟ ସଂସାରେ ହରିଭକ୍ତେ

।।

ଦେଖ ମୋହର ମୂଢପଣ

ସାଧୁଙ୍କୁ ଦେଲି ମୁଁ କଷଣ

।।

ଏଥେଁ ଅପ୍ରାଧ ମୋର ଯେତେ

କେବେ ହେଁ ନ ଘେନିବ ଚିତ୍ତେ

।।

ତୁମ୍ଭର ନାହିଁ ପରାପର

ମୋହର ଦୋଷ କ୍ଷମା କର

।।

ଏମନ୍ତ ବୋଲି ନୃପମଣି

ଅନେକ ଧନ ବସ୍ତ୍ର ଆଣି

।।

କୃଷ୍ଣ ଦାସଙ୍କୁ ତାହା ଦେଲେ

ନୃପତି ତହୁଁ ଚଳିଗଲେ

।।

ସମସ୍ତେ ଜୟ ଜୟ କଲେ

ଶ୍ରୀକୃଷ୍ଣ ଦାସ ବିଜେ କଲେ

।।

ପ୍ରଭୁଙ୍କୁ ଦରଶନ କରି

ଚଳିଣ ଗଲେ ନିଜ ପୁରୀ

।।

ଶୁଣ ସୁମନ ଏକ ଚିତ୍ତେ

ପ୍ରଭୁଙ୍କ ମହିମା ଏମନ୍ତେ

।।

ଭକତ ଜନେ ଏଡ଼େ ଦୟା

ନ ଥିବ ଦିଜ ପୁରେ ତାହା

।।

ହରି ଭକତମାନଙ୍କର

ମହିମା ଅପାରୁ ଅପାର

।।

କେ ମୁଖେ କହିବାକୁ କ୍ଷମ

ଏ କଥା ନୁହଇ ଭାଜନ

।।

ସଂସାରେ ପ୍ରାଣୀ ଛନ୍ତି ଯେତେ

ଯେ ଅବା ଶୁଣେ ଶ୍ରଦ୍ଧାଚିତ୍ତେ

।।

ଯେବା ପଢିବ ଶୁଦ୍ଧମନେ

ନ ଯିବ ସମନ ଦର୍ଶନେ

।।

ଅଶେଷ ଭବବନ୍ଧ ଫାଶ

ଲାଗିବ ନାହିଁଟି ଅବଶ୍ୟ

।।

ନରପତିଙ୍କ ଦଣ୍ଡ ଯେତେ

ଲାଗିବ ନାଇଁ କଦା ଚିତ୍ତେ

।।

କହଇ ବିପ୍ର ରାମଦାସ

ମୂଳଟି ଅଟଇ ବିଶ୍ୱାସ

।।

ଏଣୁଟି ରାମ କୃଷ୍ଣ ପାଦେ

ମୋ ଚିତ୍ତ ରହୁ ଅପ୍ରମାଦେ

।।

ସାଧୁଜନଙ୍କ ପାଦଧୂଳି

ଦଣ୍ଡେ ନ ଛାଡ଼ୁ ମୋ ମଉଳି

।।

ସୁଜନେ ଏହି ରସେ ରସ

ଏଥୁ ଅନ୍ୟରେ ନାହିଁ ଆଶ

।।

ସାଧୁ ଶ୍ରୀକୃଷ୍ଣ ନାମ ବିନେ

ଜୀବ ଉଦ୍ଧାରେ ନାହିଁ ଅନ୍ୟେ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ

କୃଷ୍ଣ ଦାସ ଦାର୍ଢ୍ୟଭାବ ମୋକ୍ଷଣେ ନାମ ଊନବିଂଶୋ ଧ୍ୟାୟଃ ।

•••

 

ବିଂଶ ଅଧ୍ୟାୟ

ତିଳଚ୍ଛ ମହାପାତ୍ର ସମ୍ୱାଦ

ଚୈତନ୍ୟ ଉବାଚ

 

ଏବେ ହୋ ଶୁଣ ମନରାୟେ

କହିବା ଦୁର୍ଲ୍ଲଭ କଥାଏ

।।

ଦାର୍ଢ୍ୟତାଭକ୍ତି ରସଜ୍ଞାନ

ଭକତ ମଧ୍ୟେମୋକ୍ଷମାନ

।।

ପୁରୁଷୋତ୍ତମେ ତାର ଘର

ଜାତିରେ ଅଟେ ବିପ୍ରବର

।।

ସେବକ ମଧ୍ୟେ ଅଧିକାର

ଶୁଣ ମହିମା ଏତେ ତାର

।।

ତିଳଚ୍ଛ ମହାପାତ୍ର ଘର

ଗୋପବନ୍ଧୁ ଯେ ନାମ ତାର

।।

ଏହାଙ୍କ ଉପର ବଂଶରେ

ପ୍ରତାପରୁଦ୍ର ଅମଳରେ

।।

ଯେ ଜଗବନ୍ଧୁ ମହାପାତ୍ର

ଶୁଣ କହିବା ତା ଚରିତ

।।

ସକଳ ପାଠ ଶାସ୍ତ୍ରେ ଜିତା

ଜାଣଇ ସର୍ବ ଧର୍ମ କଥା

।।

ସର୍ବଦା କାଳେ ଶୁଚିମନ୍ତ

ଭଜନ ମାର୍ଗେ କାଷ୍ଠଚିତ୍ତ

।।

ଶାନ୍ତ ସୁଶୀଳ ସର୍ବଂସହ

ସୁଜନ ସଙ୍ଗଙ୍କର ପ୍ରିୟ

।।

ଦୁଃଖୀ ଭୋଜନ ଦିଏ ନିତ୍ୟେ

ସ୍ନେହ ତା ଥାଏ କଥାମୃତେ

।।

ଶ୍ରୀ ନୀଳାଚଳ ପୁରବାସୀ

ପ୍ରଭୁ ପରମ ବ୍ରହ୍ମରାଶି

।।

ଅଶେଷ ପ୍ରାଣୀଙ୍କର ଗତି

କମଳା ଦେବୀ ପ୍ରାଣପତି

।।

ଯେ ସଙ୍କର୍ଷଣ ହଳପାଣି

ରେବତୀ ଦେବୀ ପ୍ରାଣପଣି

।।

ରୋହିଣୀ ଦେବୀଙ୍କ ନନ୍ଦନ

ଅଶେଷ ମୁନିଙ୍କ ବନ୍ଦନ

।।

ସୁଭଦ୍ରା ଦେବୀ ଜଗନ୍ମାତା

ଅଶେଷ ପ୍ରାଣୀ ପଡ଼ିଦାତା

।।

ଏ ତିନି ଦେବ ସେବା ବିନେ

ଅନ୍ୟ ନ ଜାଣେ ତାର ମନେ

।।

ପାହାନ୍ତି ଅବକାଶଠାରୁ

ପ୍ରଭୁଙ୍କ ପହଡ଼ ସେବାରୁ

।।

ଏଥି ମଧ୍ୟରେ ସେବା ଯେତେ

କରୁ ଯେ ଥାଇ ନିତ୍ୟେ ନିତ୍ୟେ

।।

କିରୀଟି କର୍ଣ୍ଣାଞ୍ଚଳ ଚୂଳ

ହାର କେୟୁର ଧଣ୍ଡାମାଳ

।।

ନାନାକୁସୁମେ ହାର ଯେତେ

ତୁଳସୀ ଧଣ୍ଡାର ସହିତେ

।।

ଯେ ଅଷ୍ଟରତ୍ନ ଅଳଙ୍କାର

ଭୁଷଣ ପ୍ରଭୁମାନଙ୍କର

।।

ଯେତେବେଳର ସେବା ଯେତେ

ସବୁ ଯେ କରୁଥାଇ ହସ୍ତେ

।।

ଶ୍ରୀମୁଖ ସିଂହାର କରିବା

ଯେ ବସ୍ତ୍ରମାନ ପିନ୍ଧାଇବା

।।

ଗନ୍ଧ ଚନ୍ଦନ ଯେ କସ୍ତୁରୀ

ତିଳକ ସେବା ଆଦି କରି

।।

ଧୂପ ଆଳତୀ କରିବାର

କର୍ପୂର ଦୀପ ଜଳିବାର

।।

ତାହାର ବିନା ଅନ୍ୟ ନରେ

କ୍ଷମ ନୁହନ୍ତି କରିବାରେ

।।

ସେ ପୁଣି ନିଶି ଦିବସରେ

ମନ ବଚନ କର୍ତ୍ତବ୍ୟରେ

।।

କେବଳ ସେବିଥାଇ ତାଙ୍କୁ

ନ ଜାଣେ ଅନ୍ୟ ଦେବତାଙ୍କୁ

।।

ଦେବ ଦଇବ ଗୁରୁଜନ

ଇଷ୍ଟଦେବତା ବନ୍ଧୁଜନ

।।

କେବଳ ପ୍ରଭୁ ଦାରୁବ୍ରହ୍ମ

ଏଥୁ ନ ଜାଣେ ଅନ୍ୟ କର୍ମ

।।

ସୁତ ସମ୍ପତ୍ତି ଦାରା ପ୍ରାଣ

ସମର୍ପି ଶ୍ରହରି ଚରଣ

।।

ଆନନ୍ଦେ ବଞ୍ଚୁଥାଇ ଦିନ

କରିଣ ସେ ପ୍ରଭୁ ଭବନ

।।

ଏମନ୍ତ କେତେ ଦିନ ଅନ୍ତେ

ଶୁଣ ସୁମନ ଏକ ଚିତ୍ତେ

।।

ଦିନେକ ସେ ମହାରାଜନ

ପ୍ରଭୁ ଦର୍ଶନେ ଆଗମନ

।।

ଅନେକ ସୈନ୍ୟ ସଙ୍ଗେ ଧରି

ପ୍ରତାପରୁଦ୍ର ବିଜେ କରି

।।

ବଜାଇ ବୀର ତୂରୀମାନ

ଆଗେ ଶୁଭଇ କମ୍ଭୁସ୍ୱନ

।।

ଅନେକ ବାଦ୍ୟ ଘୋର ନାଦ

ଘେନାଇ ଅନେକ ସମ୍ପଦ

।।

ବିଜୟ ଅନେକ ସମ୍ଭାରେ

ପ୍ରବେଶ ହେଲେ କ୍ଷେତ୍ରବରେ

।।

କହୁଁ କହୁଁ ସେ ନରପତି

ପ୍ରବେଶ ସିଂହଦ୍ୱାର କତି

।।

ରାଜାଙ୍କୁ ଦେଖିଣ ସେବକେ

ଦେଉଳେ ଧାଇଁଗଲେ ଥୋକେ

।।

କହିଲେ ମହାପାତ୍ର ପାଶେ

ନୃପତି ବିଜେ କରି ଆସେ

।।

ଦେଉଳେ ପଶିଲେଣି ଆସି

କହୁ କହୁ ଯେ ରାଜା ଦିଶି

।।

ସେ ମହାପାତ୍ର ଦେଖି ତାଙ୍କୁ

ଧାଇଁଲେ ପ୍ରଭୁଙ୍କ ଛାମୁକୁ

।।

ଅତ୍ୟନ୍ତ ଛନ୍ନ ହୋଇ ମନେ

ଉଠିଲେ ରତ୍ନ ସିଂହାସନେ

।।

ଦେଖିଲେ ପ୍ରଭୁଙ୍କ ମଉଳି

କୁସୁମ ନାହିଁ ମନେ ଭାଳି

।।

କି ବୁଦ୍ଧି କରିବି ମୁଁ ଏବେ

ନୃପତି ଆସିଲେଣି ଯେବେ

।।

ପ୍ରଭୁଙ୍କ ମସ୍ତକରେ ଫୁଲ

ଯେ ରାଜ ପ୍ରସାଦ ଅମୂଲ୍ୟ

।।

ମୂଳ ଏ ରାଜାଙ୍କୁ ଦେବାର

ନ ଦେଲେ ମହତ୍ୱ ମୋହର

।।

ଏଠାରେ ଆଉ ନ ରହିବ

ମୁଣ୍ଡରେ ହାତ ଦେଲେ ଯିବ

।।

ନିଜ ମସ୍ତକୁ ଫୁଲ ନେଲେ

ପ୍ରଭୁଙ୍କ ମସ୍ତକେ ଥୋଇଲେ

।।

ଏମନ୍ତ ଯାଇ ନୃପବର

ମିଳିଲେ ପ୍ରଭୁଙ୍କ ଛାମୁର

।।

ଯେ ବିଧିମତରେ ଦର୍ଶନ

ସମସ୍ତ ସାରିଲେ ରାଜନ

।।

ପ୍ରଭୁ ଛାମୁରେ ମହାବଳୀ

ପ୍ରସାଦ ଅର୍ଥେ କର ତୋଳି

।।

ତାହା ଦେଖିଣ ମହାପାତ୍ର

ଜଳେ ଧୋଇଲେ କର ପତ୍ର

।।

ପ୍ରଭୁ ମସ୍ତକୁ ପୁଷ୍ପ ନେଇ

ନୃପତି ହସ୍ତେ ତାହା ଦେଇ

।।

ରାଜା ପ୍ରସାଦ ଆଣିଦେଲେ

ଘେନି ନୃପତି ଚଳିଗଲେ

।।

ନବରେ ହୋଇଲେ ପ୍ରବେଶ

ଏମନ୍ତେ ଦିନ ହେଲା ଶେଷ

।।

ଦିବ୍ୟ ଆସନେ ରାଜା ବସି

ପ୍ରସାଦ ଫୁଲ ଧରି ତୋଷି

।।

ଏକେତ ଯାଈ ଫୁଲ ଗଭା

ଶୁକ୍ଲେ ଦିଶଇ ଅତି ଶୋଭା

।।

ତହିଁ ଦେଖିଲେ ବିପରୀତେ

ଦିଶିଲା ବାଳ ଗୋଟି କେତେ

।।

ଦେଖି ବିଚାରେ ନୃପରାଣ

ଏତ ଅଟଇ ବିଡ଼ମ୍ବନ

।।

ପ୍ରଭୁଙ୍କ ମଥାର ଫୁଲରୁ

ବାଳ ଅଇଲା କେଉଁଠାରୁ

।।

ନିଶ୍ଚେ ଏ କଥା ହେଲା ନାଶ

ବ୍ରାହ୍ମଣ ମୁଣ୍ଡ ଛଡ଼ା ପୁଷ୍ପ

।।

ପ୍ରଭୁଙ୍କ ଶିରରେ ଥୋଇଲା

ପ୍ରସାଦ ବୋଲି ମୋତେ ଦେଲା

।।

ଏମନ୍ତ ବୋଲି ଦଣ୍ଡଧାରୀ

ପେଶିଲେ ଲୋକ ଜଣ ଚାରି

।।

ତୁମ୍ଭେରେ ଯାଅ ବେଗ ହୋଇ

ତିଳଚ୍ଛ ମହାପାତ୍ର ଠାଇଁ

।।

ବହନ ହୋଇ ଘେନି ଆସ

ବିଳମ୍ୱ କଲେ ଯିବ ନାଶ

।।

ଆଜ୍ଞା ପ୍ରମାଣେ ବେଗେ ଗଲେ

ଦେଉଳେ ପ୍ରବେଶ ହୋଇଲେ

।।

ମହାପାତ୍ରଙ୍କୁ ଘେନିଗଲେ

ନୃପତି ଆଗେ ଉଭା କଲେ

।।

ଦେଖି କୋପିଲେ ନୃପସାଇଁ

କାଳଭୁଜଙ୍ଗ ପ୍ରାୟ ହୋଇ

।।

ବୋଇଲେ ଶୁଣ ମହାପାତ୍ର

ଆମ୍ଭେ ଦେଖିଲୁ ବିପରୀତ

।।

ପ୍ରଭୁଙ୍କ ମଉଳିରେ ବାଳ

ଉଠିବା ହେଲା କେତେକାଳ

।।

ବେଗେ ତୁ କହ ମୋର ପାଶ

ଯେବେ ଜୀବନେ ତୋର ଆଶ

।।

ନୋହିଲେ ମରିବୁ ଅବଶ୍ୟ

ଦେଖ ପ୍ରସାଦ ଫୁଲେ କେଶ

।।

ତା ଶୁଣି ଶ୍ରୀହରି ସେବକ

ମନେ ଚିନ୍ତିଲେ ପ୍ରଭୁ ରଖ

।।

ନିଶ୍ଚେ ମରଣ ହେଲା ମୋର

ଏ ଯେ ପ୍ରତାପୀ ଦଣ୍ଡଧର

।।

କି ଦଣ୍ଡ ବିହିବ ଏ ମୋତେ

ଏଠାରୁ ବିଞ୍ଚିବି କେମନ୍ତେ

।।

ମିଥ୍ୟା ମୁଁ କହିବି କଥାଏ

ଏଠାରୁ ବଞ୍ଚିଯିବା ଯାଏ

।।

ପଛନ୍ତ ଯାହା ହେବ ହେଉ

ଏ ରାଜ ଦଣ୍ଡ ଆଗେ ନୋହୁଁ

।।

ଏମନ୍ତ ବୋଲି ମହାପାତ୍ର

କାଖେ ଭରିଣ କରପତ୍ର

।।

ବୋଇଲେ ଶୁଭ ହେ ନରେଶ

ହେଲାଣି ପ୍ରଭୁ ମୁଣ୍ଡେ କେଶ

।।

ଆଜିଯାଏ କି ଦଣ୍ଡଧର

ତୁମ୍ଭକୁ ନୋହିଛି ଗୋଚର

।।

ଶୁଣି ବୋଇଲେ ନରନାଥେ

ଦେଖାଇ ଦେବୁକି ତୁ ମୋତେ

।।

ତା ଶୁଣି ମହାପାତ୍ର କହି

ନିଶ୍ଚେ ଦେଖାଇ ଦେବି ମୁହିଁ

।।

ଯେବେ ଦେଖାଇ ନ ପାରିବି

ଦଣ୍ଡକୁ କାରଣ ହୋଇବି

।।

ଶୁଣି ବୋଇଲେ ମହାରଥା

କାଲି ବୁଝିବା ତୁମ୍ଭ କଥା

।।

ଯେବେ ପ୍ରଭୁଙ୍କ ଶିରେ କେଶ

ଦେଖାଇ ଦେବୁଟି ଅବଶ୍ୟ

।।

ତେବେଟି ତୁମ୍ଭର କୁଶଳ

ନୋହିଲେ ରାଜ୍ୟ ଛାଡ଼ି ଚଳ

।।

ଅଧିକ କି କହିବି ତୋତେ

ତୁମ୍ଭେ ତ ଜାଣିଅଛ ଯେତେ

।।

ଏମନ୍ତ ବୋଲି ଦଣ୍ଡପାଣି

ତାହାଙ୍କୁ ଦେଲେ ସେ ମେଲାଣି

।।

ତହୁଁ ଚଳିଲେ ଦ୍ୱିଜବର

ମିଳିଲେ ପ୍ରଭୁଙ୍କ ଛାମୁର

।।

ସେ ରାଜ ଧୂପ ଅବକାଶ

ଶ୍ରୀହରି ଫୁଲଲାଗି ବେଶ

।।

ଆଳତି ବନ୍ଦାପନା ଯେବା

ତଡ଼ାବଲାଗି ବେଶ ଅବା

।।

ପ୍ରଭୁ ମଣୋହି ଆଦି କରି

ବଡ଼ସିଂହାର ବେଶ ସାରି

।।

ଯେ ନିତ୍ୟକର୍ମ ବିଧି ଯେତେ

ପ୍ରଭୁଙ୍କ ପହୁଡ଼ ସହିତେ

।।

ସକଳ ସେବା ବଢାଇଲେ

ଛାମୁରେ ଉଭା ହୋଇ ଭଲେ

।।

ସର୍ବାଙ୍ଗେ ଦଣ୍ଡବତ କରି

ଉଠି କପାଳେ କର ଭରି

।।

ବୋଇଲେ ଆହେ ମହାବାହୁ

ଛାମୁରେ କି କହିବି ଆଉ

।।

ଇତର ଲୋକେ ବଡ଼ ପଣ

ଦେଲଟି ପ୍ରଭୁ ନାରାୟଣ

।।

କାଳେ ଏ ହୁଅଇ ଏମନ୍ତ

ସରଇ ପ୍ରଭୁର ମହତ୍ୱ

।।

ଶ୍ୱାନକୁ ଆଶ୍ୱସନା କଲେ

ମୁଖେ ଚୁମ୍ୱନ ଦେଇ ଭଲେ

।।

ସର୍ପକୁ ଦେଲେଟି ପୀୟୁଷ

କାଳେସେ ଉଦ୍‌ଗାରଇ ବିଷ

।।

ଏଣୁ ମୋ ଛାର ପାପୀଜନ

ଛାମୁକୁ ନୁହଇ ଭାଜନ

।।

ଯେବଣ ପାଦପଦ୍ମ ତଳେ

ବ୍ରହ୍ମା ଇନ୍ଦ୍ରାଦି ଶିର ଲୁଳେ

।।

ସେ ପାଦ ପଙ୍କଜର ମୂଳେ

କମଳା ସେବି ନିରନ୍ତରେ

।।

ଯେବଣ ପାଦପଦ୍ମ ବାରି

ଶଙ୍କର ମଉଳିରେ ଧରି

।।

ଯେ ପଦ ଅରବିନ୍ଦ ବାରି

ପବିତ୍ର କଲା ତିନିପୁରୀ

।।

ଶୁକ ସନକ ସନାତନ

ଯେ ପାଦେ ନୁହଇ ଭାଜନ

।।

ଶାରଦା ଆଦି ସୁର ଦେବେ

ଯେ ପାଦେ ନିରନ୍ତରେ ସେବେ

।।

ଯେବଣ ପାଦପଦ୍ମ ଧ୍ୟାୟି

ଯୋଗୀଏ ଯୋଗ ମାର୍ଗେ ଥାଇ

।।

ସେ ପାଦପଦ୍ମ ସେବା କରି

ମୋ ଛାର ନରଦେହ ଧରି

।।

କୋଟିଏ କୀଟରୁ ନିଉନ

ମୁଁ ନୁହେଁ ତହିଁକି ଭାଜନ

।।

ତେଣୁ ତୁ ହେଲୁ ଭାବଗ୍ରାହୀ

ତେଣୁ ମୁଁ ମତ୍ତଗର୍ବ ବହି

।।

ପ୍ରଭୁଙ୍କୁ ନ ଚିହ୍ନି ପାରିଲି

ମୁଁ ମୂଢ ମନ୍ଦକର୍ମ କଲି

।।

ମୋ ମୁଣ୍ଡ ଛଡ଼ା ଫୁଲ ନେଇ

ତୋ ମୁଣ୍ଡେ ଥୋଇଲି ଗୋସାଇଁ

।।

ଏହା କହୁଛି ମୋର ତୁଣ୍ଡ

ଚକ୍ରେ ବିନାଶ ମୋର ମୁଣ୍ଡ

।।

ରାଜାର ଦଣ୍ଡଯାଏ ନୋହୁ

ଏ ପାପୀ ଶରୀର ନ ଥାଉ

।।

ଅଧିକ କି କହିବି ତୋତେ

ତୁ ଯେ ଭକତ ଜନ ହିତେ

।।

ଅନେକ ପାଇଛୁ କଷଣ

ଏହା ମୁଁ ଶୁଣିଛି ଶ୍ରବଣ

।।

ଅଦ୍ୟପି ଶ୍ରୀବତ୍ସ ପୟର

ବହିଛୁ ହୃଦପଦ୍ମେ ତୋର

।।

ତାହା ମୁଁ ନୟନେ ଦେଖୁଛି

ତେଣୁ ମୋ ଭୟ ନାହିଁ କିଛି

।।

ତୁ ନାଥ ପରମ ଦୟାଳୁ

ଭୃତ୍ୟ ଦଣ୍ଡକୁ ନାହିଁ ଛଳୁ

।।

ଏଣୁ ମୁଁ କହୁଅଛି ତୋତେ

କହୁଛି ନୃପତି ଅଗ୍ରତେ

।।

କହି ଅଇଲି ଭାବଗ୍ରାହୀ

ତାହାତ ଜାଣିଥିବୁ ତୁହି

।।

ତୁ ଅନ୍ତର୍ଯ୍ୟାମୀ ଏ ଜଗତେ

କିସ ଉବାର ଅଛି ତୋତେ

।।

ରାତ୍ର ପାହିଲେ ନରନାଥେ

ଧରାଇ ଘେନି ଯିବେ ମୋତେ

।।

ଅନେକ ଦଣ୍ଡସେ ବିହିବ

ସେ ଦଣ୍ଡ କେ ସହିପାରିବ

।।

ଏଣୁ ତା ଦଣ୍ଡକୁ ନଥିବି

ଗରଳ ଖାଇଣ ମରିବି

।।

ଏକଥା ଅଟଇ ପ୍ରମାଣ

ଛାମୁରେକଲି ନିବେଦନ

।।

ଏମନ୍ତ କହି ବେଗ ହୋଇ

ଲେଉଟି ପାୟେ ପଡ଼ି ଶୋଇ

।।

ଉଠି ବହନ ଚଳିଗଲେ

ଦେଉଳ କବାଟ କିଳିଲେ

।।

ବେଢା ନିଶୋଧ କରି ଭଲେ

ସେବକେ ଯେ ଯାହାର ଗଲେ

।।

ସେ ମହାପାତ୍ର ଗଲେ ଘରେ

ଅତ୍ୟନ୍ତ ସନ୍ତାପ ମନରେ

।।

ଗରଳ ଆଣି ରଖାଇଲେ

ଭୁଞ୍ଜିବି ରଜନୀ ପାହିଲେ

।।

ରାତ୍ରେ ଶ୍ରୀହରି କୃପା କିଛି

କରିବେ ବୋଲି ମନେ ଅଛି

।।

ତେଣୁ ଶୋଇଲା ଉପବାସ

ଚିତ୍ତ ବୁଡ଼ାଇ ପ୍ରଭୁ ପାଶ

।।

ବେନି ନୟନୁ ଅଶ୍ରୁଧାରା

ଗଡ଼ି ପଡ଼ଇ ବସୁନ୍ଧରା

।।

ଏମନ୍ତେ ନିଦ୍ରାରେ ମୋହିତ

ତାହା ଜାଣିଲେ ଜଗନ୍ନାଥ

।।

ସେବକ ମନ ପ୍ରଭୁ ଜାଣି

ବିଜୟ କଲେ ଚକ୍ରପାଣି

।।

ତିଳଚ୍ଛ ମହାପାତ୍ର ଘରେ

ଭକତ ଶୟନ ସ୍ଥାନରେ

।।

ଉଭା ହୋଇଣ ଭାବଗ୍ରାହୀ

ସ୍ୱପନେ ଆଜ୍ଞା ତାକୁ ଦେଇ

।।

ବୋଇଲେ ଶୁଣରେ ଭକତ

ତୁ କିମ୍ପା ଚିନ୍ତା କରୁ ଚିତ୍ତ

।।

ମୋ ପରା ପ୍ରଭୁ ସେବା କରି

ଆନ ଛାରକୁ କିମ୍ପା ଡରି

।।

ମୁଁ ଥିଲେ ନୀଳାଚଳେ ବସି

କି କରିପାରେ ରାଜା ଆସି

।।

କୋଟିଏ ନୃପତି ଅଇଲେ

କି କରିପାରେ ତୋତେ ଭଲେ

।।

ଆବର କହୁଅଛି ତୋତେ

ତୁ ଡରୁ ଯହିଁର ନିମନ୍ତେ

।।

ମୁଁ ତ ତେମନ୍ତ ଲଣ୍ଡା ନୋହେ

ତୋ ମନେ କିମ୍ପା କରୁ ଭୟେ

।।

କେଶ କି ନାହିଁ ମୋର ମାଥେ

ଦିଶଇ ନାହିଁ କିନା ତୋତେ

।।

ଏବେ ନ ଡର ମନେ କିଛି

ନିଶ୍ଚେ ମୋ ମୁଣ୍ଡେ କେଶ ଅଛି

।।

କାଲି ତୁ ପ୍ରତ୍ୟକ୍ଷ ଦେଖିବୁ

ରାଜାକୁ ଦେଖାଇଣ ଦେବୁ

।।

ରାତ୍ର ଥାଉ ମୋ ପାଶେ ଆସ

କହି ଚଳିଲେ ପୀତବାସ

।।

ବିଜୟ ସୁବର୍ଣ୍ଣ ପଲଙ୍କେ

କମଳା ଦେବୀଙ୍କର ଅଙ୍କେ

।।

ଏଣେ ଯେ ବିପ୍ର ନିଦ୍ରା ତେଜି

ଉଠିଲେ ପ୍ରଭୁ ନାମ ଭଜି

।।

ଦେଖିଲା ପାଶେ କେହି ନାହିଁ

ଜାଣିଲା ନିଶ୍ଚେ ଭାବଗ୍ରାହୀ

।।

କରୁଣା କରିଗଲେ ମୋତେ

ଏହା ମୁଁ ଜାଣିବି କେମନ୍ତେ

।।

ଏମନ୍ତ ବୋଲି ବେଗ କରି

ସ୍ନାନାଦି କର୍ମମାନ ସାରି

।।

ରାତ୍ର ପ୍ରହରେ ଥାଉ ଗଲେ

ଦେଉଳେ ପ୍ରବେଶ ହୋଇଲେ

।।

କବାଟମାନଙ୍କୁ ଫିଟାଇ

ସେ ବେଗେ ପଶିଲେ ଝସାଇ

।।

ଜାଳି ଅନେକ ଦୀପାବଳୀ

ପ୍ରଭୁ ଛାମୁରେ ଯାଇଁ ମିଳି

।।

ତିଳଚ୍ଛ ମହାପାତ୍ର ପାଇ

ଉଠିଲେ ସିଂହାସନ ଠାଇଁ

।।

ମନରେ ଭୟ ଅଛି ଭଲେ

ପ୍ରଭୁ ଛାମୁକୁ ଚାହିଁଦେଲେ

।।

ଦେଖିଲେ ମସ୍ତକରେ କେଶ

ଦିଶଇ ଭ୍ରମର ସଦୃଶ

।।

ନାନା କୁସୁମରେ ସୁବେଶ

ପଡ଼ି ଅଛଇ ପୃଷ୍ଠଦେଶ

।।

ଜଟା ପଡ଼ିଛି କଟୀ ଭାଗେ

ସେ ରତ୍ନ ସିଂହାସନ ଲାଗେ

।।

ଦେଖିଣ ଏମନ୍ତ ବିଚିତ୍ର

ଅତି ଆନନ୍ଦ ମହାପାତ୍ର

।।

ଅଶେଷ ଭରସା ପାଇଲେ

ପ୍ରଭୁଙ୍କ ସେବାରେ ରହିଲେ

।।

ଏଥିଉତ୍ତାରୁ ଶୁଣ ମନ

ସେ ମହାପ୍ରତାପୀ ରାଜନ

।।

ସେ କଥା ଅଛି ମନେ ଧରି

ବେଗେ ଅଇଲେ ବିଜେ କରି

।।

ଦେଉଳେ ପ୍ରବେଶ ହୋଇଲେ

ପ୍ରଭୁଙ୍କୁ ଦରଶନ କଲେ

।।

ବିପ୍ରଙ୍କୁ ବୋଇଲେ ନରେଶ

ଦେଖାଅ ପ୍ରଭୁ ମୁଣ୍ଡେ କେଶ

।।

ତା ଶୁଣି ବୋଲେ ବିପ୍ରବର

ହେ ରାଜା ମୋତେ କି ପଚାର

।।

ମୁଁ କିସ ଦେଖାଇବି ରାୟେ

ଦେଖ ହୋ ଆପଣା ଇଚ୍ଛା ଏ

।।

ଶୁଣି ନୃପତି ଚଳିଗଲେ

ପ୍ରଭୁ ପଛକୁ ଚାହିଁଦେଲେ

।।

ଦେଖିଲେ ପ୍ରଭୁ ମସ୍ତକର

ସୁନ୍ଦର ଦିଶେ କେଶଭାର

।।

ଅତ୍ୟନ୍ତ କଳା ଅତି ଲମ୍ୱ

ଜଟା ଯେ ପଡ଼ିଛି ନିତମ୍ୱ

।।

ତା ଦେଖି ବୋଲେ ଦଣ୍ଡଧାରୀ

ସ୍ୱରୂପ କହ ନିଶ୍ଚେ କରି

।।

ଜଉ ମହଣ ବିକରାଳ

କାହୁଁ ଖଞ୍ଜାଇ ଏତେ ବାଳ

।।

ଏ କଥା ବଡ଼ଇ ବିଚିତ୍ର

ଶୁଣି ବୋଇଲେ ମହାପାତ୍ର

।।

ହେ ରାଜା ଅପ୍ରତେ ହୋଇଲେ

ଆପଣେ ବୁଝ କିନା ଭଲେ

।।

ତାହା ଶୁଣିଣ ନରନାଥ

ବଢାଇ ଦେଲେ ନିଜ ହସ୍ତ

।।

ପ୍ରଭୁ ମସ୍ତକେ କେଶ ଧରି

ଝିଙ୍କିଣଦେଲେ ଗୋଟା ଚାରି

।।

ତକ୍ଷଣେ ରୁଧିର ବାହାର

ହୋଇଲା ପ୍ରମୁ ମସ୍ତକର

।।

ତାହା ଦେଖିଣ ନୃପମଣି

ଢଳିଣ ପଡ଼ିଲା ଧରଣୀ

।।

ଉଠଇ ବ୍ରାହ୍ମଣ ପାଦେ ପଡ଼ି

କହଇ ଶିରେ କର ଯୋଡ଼ି

।।

ହେ ଦ୍ୱିଜବର ମୋତେ ରଖ

ମୁଁ ମୂଢ ବଡ଼ଇ ମୂରୁଖ

।।

ପ୍ରଭୁରେ ଅପରାଧୀ ହେଲି

ଏବେ ସାକ୍ଷାତେ ନାଶ କଲି

।।

ପ୍ରଭୁଙ୍କ ଦୟା ଏତେ ତୋତେ

ବୋଲି ମୁଁ ଜାଣିବି କେମନ୍ତେ

।।

ଏବେ ଜାଣିଲି ଭଗବାନ

ଭକତ ନୋହେ ଭିନ୍ନା ଭିନ୍ନ

।।

ଭକତ ଅଭିମାନ ଯେତେ

ପ୍ରଭୁଙ୍କୁ ଲାଗଇ ସାକ୍ଷାତେ

।।

ମୁଁ ମୂଢ ମନ୍ଦକୃତ୍ୟ କଲି

ଭକତେ ଅପରାଧି ହେଲି

।।

ଡ଼େଇଁଳି ଜଳନ୍ତା ହୁତାଶ

ଖାଇଲି କାଳକୂଟ ବିଷ

।।

କେମନ୍ତେ ହେବି ଏଥୁ ପାର

ହେ ବିପ୍ରବର ରକ୍ଷା କର

।।

ଏମନ୍ତ ବୋଲି ବିପ୍ରପାଦେ

ରାଜା ପଡ଼ିଲେ ଅପ୍ରମାଦେ

।।

ତୋଳି ଧଇଲେ ବିପ୍ରବର

କଲ୍ୟାଣ ହେଉ ଦଣ୍ଡଧର

।।

ତୁମ୍ଭର ନାହିଁ କିଛି ଦୋଷ

ସେ ହରି ମହିମା ବିଶେଷ

।।

ମୋ ଅପରାଧ କ୍ଷମା କରି

ଦୟା ଯେ କଲେ ଦାରୁହରି

।।

ଏମନ୍ତ ବୋଲି ଦୁହେଁ ଗଲେ

ପ୍ରଭୁଙ୍କ ପଛକୁ ଚାହିଁଲେ

।।

ଦେଖିଲେ ମୁଣ୍ଡେ କେଶ ନାହିଁ

ନୃପତି ବୋଇଲେ ଗୋସାଇଁ

।।

ତୁହି ସେ ସବୁ କରିପାରୁ

ଏଣୁ ବୋଲାଉ ମହାମେରୁ

।।

ମହିମା ଦେବଙ୍କୁ ଦୁର୍ଲ୍ଲଭ

ମୁଁ କି ଜାଣିବି ତୁମ୍ଭ ଭାବ

।।

ଏବେ ଅପ୍ରାଧ ମୋର ଯେତେ

ପ୍ରଭୁ ନ ଧର କଦାଚିତ୍ତେ

।।

ପର ଅପର ତୋର ନାହିଁ

ସକଳ ଜୀବର ଗୋସାଇଁ

।।

ଏମନ୍ତ ବୋଲି ରାଜା ଧନ

ଅନେକ କଲା ଦାନ ପୂଣ୍ୟ

।।

ବିପ୍ରକୁ କୋଟି ଧନ ଦେଇ

ପ୍ରଭୁଙ୍କୁ ମଣୋହି କରାଇ

।।

ଆନନ୍ଦେ ଗଲେ ନୃପବର

ଶୁଣ ସୁମନ କଥା ସାର

।।

ଦେଖି ଏମନ୍ତ ଆଚମ୍ୱିତ

ଲୋକେ ହୋଇଲେ ଆଲୋକିତ

।।

ତିଳଚ୍ଛ ମହାପାତ୍ର ଭଲେ

ପ୍ରଭୁଙ୍କ ସେବାରେ ଲାଗିଲେ

।।

ସେ ହରି ମହିମା ଏସନ

ଭକତ ଭାବେ ଜୀବନ

।।

ଭକତ ବନ୍ଧୁ ଆଦି ମୂଳ

ଭକତ ଭାବେ ହେଲେ ଭୋଳ

।।

ଅଶେଷ ପ୍ରାଣୀଙ୍କର ହିତେ

କହଇ ରାମ ଦାସ ଗୀତେ

।।

ଏ ମନ ଚୈତନ୍ୟ ସମ୍ବାଦ

ଶୁଣନ୍ତେ ନ ଲାଗେ ପ୍ରମାଦ

।।

ଯେ ଅବା ଶ୍ରଦ୍ଧା ମନେ ଶୁଣେ

କି ଅବା ବଦନରେ ଗୁଣେ

।।

କାଟିଣ ଭବବନ୍ଧ ପାଶ

କାଳେ ଲଭିବ ସ୍ୱର୍ଗବାସ

।।

କହଇ ଲଛମନ ସୁତ

ମୋ ପ୍ରଭୁ ନୀଳଗିରିନାଥ

।।

ସେ ଦାରୁବ୍ରହ୍ମଙ୍କ ଚରଣେ

ମୋ ଚିତ୍ତ ରହୁ ଅନୁକ୍ଷଣେ

।।

ସୁଜନେ ଏହି ଭାବେ ରସ

ମୁଁ ତୁମ୍ଭ ଚରଣର ଦାସ

।।

 

ଇତି ଶ୍ରୀ ଦାର୍ଢ୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ

ତିଳଚ୍ଛ ମହାପାତ୍ର ଦାର୍ଢ୍ୟଭାବ ମୋକ୍ଷଣେ ନାମ ବିଂଶୋ ଧ୍ୟାୟଃ ।

•••

 

Unknown

ଏକବିଂଶ ଅଧ୍ୟାୟ

ଅଙ୍କନା ଓ ମାଧନା ସମ୍ୱାଦ

ଚୈତନ୍ୟ ଉବାଚ

 

କହେ ଚୈତନ୍ୟ ମହାଜ୍ଞାତା

ଦାର୍ଢ୍ୟତା ଭକ୍ତି ରସ କଥା

।।

ଶୁଣ ସୁମନ ହେତୁ ଦେଇ

ମୁଁ ଯାହା କହୁଛି ବୁଝାଇ

।।

ଏ ବଡ଼ ଦୁର୍ଲ୍ଲଭ ଚରିତ

ଶୁଣିଲେ ହୋଇବ ପବିତ୍ର

।।

କଳିଙ୍ଗ ବୋଲି ଏକ ଦେଶ

ସକଳ ଦେଶର ନରେଶ

।।

ନଦୀର ନାମ ଗୋଦାବରୀ

ସ୍ନାନମାତ୍ରକେ ପାପହରି

।।

ସେ ମହା ପୁଣ୍ୟ ନଦୀଜଳେ

ଯୋଗେ ଅଯୋଗେ ଏକାବେଳେ

।।

ସ୍ନାନ କରନ୍ତି ଯେଉଁ ନର

ବସନ୍ତି ଯାଇ ସ୍ୱର୍ଗପୁର

।।

ସେ ମହା ପୁଣ୍ୟ ନଦୀତୀର

ସେ ରାଜା ମନ୍ଦିର ସହର

।।

ସେହୁ ନଗରେ ତାର ଘର

ଜାତିରେ ଅଟେ ଦ୍ୱିଜବର

।।

ଯୋଗେ ସେ କର୍ମ ବିପ୍ର ସିନା

ନାମ ଯେ ଅଙ୍କନା ମାଧନା

।।

ସେ ବେନି ଭାଇ କଥା ଯେତେ

କହିବା ଶୁଣ ଏକ ଚିତ୍ତେ

।।

ସୁନ୍ଦର ପଣେ କିବା ସାର

ଭକତ ଦୟା ହୃଦେ ତାର

।।

ସହିଷ୍ଣୁପଣେ ବସୁମତୀ

ପଣ୍ଡିତ ପଣେ ବୃହସ୍ପତି

।।

ଧୀରପଣରେ ମେରୁସମ

ବୀରପଣରେ ଦ୍ୱିତୀଯମ

।।

ବୁଦ୍ଧିରେ କିବା ଗଣେଶ୍ୱର

ଦାତାପଣେ ଶିବ ଅଂଶର

।।

କୁବେର ସମ ଧନବନ୍ତ

ସକଳ ଜୀବେ ଦୟାଚିତ୍ତ

।।

ନ ଜାଣେ ପର ନାଶ କଥା

ନିତ୍ୟେ ଶୁଣଇ ବିଷ୍ଣୁ ଗାଥା

।।

ଧନ ସଞ୍ଚୟ ନାହିଁ ମନ

ନିରତେ କରେ ଦାନ ପୁଣ୍ୟ

।।

ଶ୍ରୀପୁରୀ କାଞ୍ଚି କାଶୀ ତିନି

ଅଯୋଧ୍ୟା ମଥୁରା ଏ ବେନି

।।

ବଦ୍ରି ଦ୍ୱାରକା ରାମେଶ୍ୱର

ଯେ ଭଦ୍ରନାଥ ପୁଣ୍ୟପୁର

।।

ଏ ଆଦି ପୁଣ୍ୟପର ଯେତେ

ଅଛି ସଂସାର ମଧ୍ୟମତେ

।।

ବସାଇ ସଦା ବର୍ତ୍ତମାନ

ଦେଉଥାଇ ଯେ ଅନ୍ନଦାନ

।।

ଯେତେ ସେ ଧନ ତହିଁ ସାର

ସେ ପୂରୁଥାଇ ନିରନ୍ତର

।।

ନିଜ ଦ୍ୱାରରେ ଦୁଃଖୀଜନ

କି ଅବା ଭିକ୍ଷୁକ ଦେଖିଣ

।।

ମନ ସନ୍ତୋଷ ଧନ ଦେଇ

ବାକ୍ୟ କହଇ ଚାଟୁଆଇ

।।

ଯୋଗୀ ସନ୍ନ୍ୟାସୀ ବ୍ରହ୍ମଚାରୀ

ସାଧୁ ବୈଷ୍ଣବ ଆଦି କରି

।।

ପ୍ରବେଶ ହେଲେ ତା ଭୁବନେ

ତାହାଙ୍କୁ ତୋଷେ ଅନ୍ନଦାନେ

।।

ବନ୍ଧୁ ସୋଦର ମିତ୍ରଜନ

ନିତ୍ୟ ସେ କରାଏ ଭୋଜନ

।।

ଏଥିଉତ୍ତାରୁ ବେନିଭ୍ରାତ

କରି ଅଛନ୍ତି ସତ୍ୟବ୍ରତ

।।

ବ୍ରାହ୍ମଣ ନିତ୍ୟେ ଅଷ୍ଟଜନ

କରିଣ ଥାଆନ୍ତି ବରଣ

।।

ନିତ୍ୟେ ଏ ଭୋଜନର ବେଳେ

ବସନ୍ତି ଯାଇ ଏକମେଳେ

।।

ପଙ୍ଗତ ହୋଇଣ ବସନ୍ତି

ତେବେ ସେ ଭୋଜନ କରନ୍ତି

।।

ତିନିଶ ଷାଠିଏ ଦିନରେ

ଭୁଞ୍ଜନ୍ତି ଏହି ପରକାରେ

।।

ଗୋଟିଏ ବିପ୍ର ଊଣାହେଲେ

ତାହା ଯେ ପୂରଣ ନୋହିଲେ

।।

ଭୁଞ୍ଜନ୍ତି ନାହିଁ ବେନି ଭାଇ

ରହନ୍ତି ଉପବାସ ହୋଇ

।।

ଏଥି ଉତ୍ତାରୁ ଚତୁର୍ଦ୍ଦଶୀ

କିବା ସଂକ୍ରାନ୍ତି ପୂର୍ଣ୍ଣମାସୀ

।।

ଶୁଭ ନକ୍ଷତ୍ର ଆଦି ଯେତେ

ବୈଷ୍ଣବ ଲୋଡ଼ି ଅପ୍ରମିତେ

।।

ଦିଅନ୍ତି ଅନ୍ନ ବସ୍ତ୍ରମାନ

ସନ୍ତୋଷ କରାଇ ଭୋଜନ

।।

ଅନେକ ବିନୟୀ କହନ୍ତି

କରିଣ ବିପ୍ର ପାଦେ ଭକ୍ତି

।।

ତାହା ଦେଖିଣ ବିପ୍ର ଯେତେ

ବୈଷ୍ଣବ ଆଦି ଅପ୍ରମିତେ

।।

ଦିଅନ୍ତି ଅନ୍ନ ବସ୍ତ୍ରମାନ

ସନ୍ତୋଷ କରାଇ ଭୋଜନ

।।

ଅନେକ ବିନୟୀ କହନ୍ତି

କରିଣ ବିପ୍ର ପାଦେ ଭକ୍ତି

।।

ତାହା ଦେଖିଣ ବିପ୍ର ଯେତେ

ବୈଷ୍ଣବ ଆଦି ଅପ୍ରମିତେ

।।

ଅନେକ ପ୍ରଶଂସା କରନ୍ତି

ଯେ ଯାହା ପୁରେ ଚଳିଯାନ୍ତି

।।

ଏହି ପ୍ରକାରେ ବଞ୍ଚେ ଦିନ

ନ ଜାଣେ ଅନ୍ୟ କଥାମାନ

।।

ଏମନ୍ତେ କେତେଦିନ ଅନ୍ତେ

ତା କୀର୍ତ୍ତି ପୂରିଲା ଜଗତେ

।।

ଚାରି ଦିଗରେ ତାର ଯଶ

କ୍ରମଶ ହୋଇଲା ପ୍ରକାଶ

।।

ଲୋକେ ବୋଇଲେ ଧନ୍ୟ ଧନ୍ୟ

ଅଙ୍କନା ମାଧନା ଜୀବନ

।।

ତାଙ୍କ ସମାନ ଦାନୀପଣେ

କାହିଁ ନ ଥିବେ ଏ ଭୁବନେ

।।

ଏମନ୍ତ ବୋଲିଣ ସମସ୍ତେ

ପ୍ରଶଂସା କରନ୍ତି ଜଗତେ

।।

ତାହା ଜାଣିଲେ ଦେବ ସ୍ୱାମୀ

ଯେ ପ୍ରଭୁ ସର୍ବ ଅନ୍ତର୍ଯ୍ୟମୀ

।।

ବିଡ଼ିବା ପାଇଁ ତାର ମନ

ବିଜୟ କଲେ ସେହି ସ୍ଥାନ

।।

ଛଦ୍ମ ଯେ କଲେ ନରହରି

ବ୍ରହ୍ମଚାରୀର ରୂପ ଧରି

।।

ବୃଦ୍ଧ ଶରୀର ରୂପ ବହି

ଚାଲନ୍ତି ଧୀର ଧୀର ହୋଇ

।।

ଶିରେ ଶୋଭିତ ପକ୍ୱ କେଶ

ଶୁଭ୍ର ଚାମର ପ୍ରାୟ ଦୃଶ୍ୟ

।।

ଅତି ପାଚିଲା ଓଷ୍ଠ ଦାଢୀ

ହୃଦ ପଦ୍ମରେ ଅଛି ପଡ଼ି

।।

ଭାଲେ ତିଳକ ଶୋଭା ଦିଶି

ଅଳପ ମନ୍ଦ ମନ୍ଦ ହସି

।।

କର୍ଣ୍ଣେ କୁଣ୍ଡଳ ବିରାଜଇ

ତେଜେ ମାରତଣ୍ଡ ଗଞ୍ଜଇ

।।

ଯଜ୍ଞୋପବୀତ କନ୍ଧେ ଶୋହେ

ସ୍ୱରୂପେ ଜଗଜ୍ଜନ ମୋହେ

।।

ଡୋର କୌପୀନ କଟୀ ମାଝେ

ପୃଷ୍ଠରେ ବ୍ୟାଘ୍ରଚର୍ମସାଜେ

।।

ତ୍ରିଦଣ୍ଡ କମଣ୍ଡଳୁ ପାଣି

ଏମନ୍ତ ବେଶେ ଚକ୍ରପାଣି

।।

ଅଙ୍କନା ମାଧନା ସଦନେ

ପ୍ରବେଶ ହେଲେ ଶ୍ରଦ୍ଧାମନେ

।।

ଦଇବ ଯୋଗେ ସେ ଦିନର

ଉତ୍ସବ ହୋଇଛି ତା ପୁର

।।

ବନ୍ଧୁ ଯୋଗେ ସେ ଦିନର

ଉତ୍ସବ ହୋଇଛି ତା ପୁର

।।

ବନ୍ଧୁ ସୋଦର ମିତ୍ରଜନେ

ସେ ପରିଚାର ଲୋକମାନେ

।।

ଆସି ଅଛନ୍ତି ଅପ୍ରମିତେ

ଗଣନା ନୁହନ୍ତି ତା କେତେ

।।

ସକଳ ଜନମାନେ ଆସି

ଧର୍ମଶାଳାରେ ଛନ୍ତି ବସି

।।

ତହିଁ ମଧ୍ୟରେ ବେନି ଭ୍ରାତ

ଧରିଣ ଜଳପାତ୍ର ହସ୍ତ

।।

ଯେତେକ ବିପ୍ର ଆସୁଚନ୍ତି

ସବୁରି ପାଦ ଧୋଇଦ୍ୟନ୍ତି

।।

ପାଣିରେ ପାଣି ଅବଶେଷ

ଧରି କରନ୍ତି କିଛି ଗ୍ରାସ

।।

ବିପ୍ରେ ଆସନ ଦେଇ ପୁଣି

କହନ୍ତି ସୁମଧୁର ବାଣୀ

।।

ଏମନ୍ତ ବେଳେ ଭାବଗ୍ରାହୀ

ମିଳିଲେ ସେହି ସ୍ଥାନେ ଯାଇ

।।

ସଭାଜନଙ୍କୁ ଚାହିଁ ହରି

ଧୀରେ ପୁଚ୍ଛନ୍ତି ବ୍ରହ୍ମଚାରୀ

।।

ଅଙ୍କନା ମାଧନା ଏ ଦୁଇ

ଭାଇ ଅଛନ୍ତି କେଉଁଠାଇ

।।

ଶୁଣି ସମସ୍ତ ଲୋକ ଭଲେ

ତାହାଙ୍କୁ ଦେଖାଇଣ ଦେଲେ

।।

ଦେଖି ଦୁହିଁଙ୍କୁ ବ୍ରହ୍ମଚାରୀ

ଅନେକ ଆଶୀର୍ବାଦ କରି

।।

ବୋଲନ୍ତି ଧନ୍ୟରେ ତୋହର

ଅଟନ୍ତି ଜନନୀ ପିଅର

।।

ଧନ୍ୟ ହୋ ତୁମ୍ଭେ ବେନି ଭାଇ

ସଂସାରେ ଅଛ ଜାତ ହୋଇ

।।

ହୋଇଲା ଅପାରୁ ଅପାର

ଜଗତେ କୀରତି ତୁମ୍ଭର

।।

ଏମନ୍ତ ବୋଲିଣ ପ୍ରଶଂସି

ଶୁଣିଣ ବେନି ଭାଇ ହସି

।।

ସେ ବ୍ରହ୍ମଚାରୀ ପାଦ ଧୋଇ

ଉଦକ ପାଇ ବେନି ଭାଇ

।।

ତ୍ୱରିତେ ବସାଇ ଆସନେ

ପୁଚ୍ଛନ୍ତି କୋମଳ ବଚନେ

।।

ହେ ବ୍ରହ୍ମଚାରୀ କହ ସତ

କିମ୍ପା ଏ ପୁରେ ଉପଗତ

।।

କହ ହେ ସ୍ୱରୂପ ବଚନ

ଶୁଣି ସନ୍ତୋଷ ହେଉ ମନ

।।

ତା ଶୁଣି ପ୍ରଭୁ ବ୍ରହ୍ମରାଶି

ତାଙ୍କ ମୁଖକୁ ଚାହିଁ ହସି

।।

ଆମ୍ଭେ ତ ଆଜନ୍ମ ସନ୍ନ୍ୟାସୀ

ନିତ୍ୟେହେ ଅଟୁ ପରବାସୀ

।।

ନିଶ୍ଚଳ ନୋହୁ କେଉଁଠାରେ

ନିରତେ ଭ୍ରମୁ ଏ ସଂସାରେ

।।

ଯେ ଗତାଗତ ପଥ ମୋର

ମୋତେ ତ ନହୋଇ ଗୋଚର

।।

କେବଳ ଅଛଇ କଥାଏ

ଭକତି ଦେଖୁ ଯେଉଁଠାଏ

।।

ନିର୍ଲୋଭୀ ସତ୍ୟବଦୀ ଜନ

ଅକ୍ରୋଧୀ ମଧୁର ବଚନ

।।

ନର୍ଭୟ ଶୋକ ମୋହ ନାହିଁ

ବିଷ୍ଣୁ ଭକତି ଦେଖୁ ଯହିଁ

।।

ଦୟାଳୁ ପରଲୋକ ପ୍ରିୟ

ସତ୍ୟ ଧାର୍ମିକ ସର୍ବଂସହ

।।

ନାମ ଭଜନ ଯେହୁ କରେ

ସେବଇ ଗୁରୁ ବିପ୍ରଠାରେ

।।

ସକଳ ମିଥ୍ୟା ବୋଲି ଜାଣେ

ସେବଇ ସାଧୁଙ୍କ ଚରଣେ

।।

ପର ଆପଣା ଏକ ମଣି

ସଂସାର ବିଷ୍ଣୁ ମାୟ ଜାଣି

।।

ଏମନ୍ତ ଲୋକ ଦେଖୁ ଯହିଁ

ଭୋଜନ କରୁ ଆମ୍ଭେ ତହିଁ

।।

ନ ପୁଚ୍ଛୁ ଜାତି ଗୋତ୍ର ତାର

ହେଉ ଅକୁଳ ଅବେଭାର

।।

ତା ହାତେ ଭୁଞ୍ଜିବା ପ୍ରମାଣ

ସେ ମୋର ବନ୍ଧୁ ବୋଲି ଜାଣ

।।

ନ ଦେଲେ ମାଗିଣ ଭୁଞ୍ଜଇ

ତହିଁ ମୋ ଅଭାବ ନ ଥାଇ

।।

ଏହା ନ ଦେଖୁ ଯାହା ଘରେ

ସେ ଯେତେ ଦ୍ରବ୍ୟ ଦେଲେ ମୋରେ

।।

ତହିଁ ନ କରେ ମୁଁ ଭୋଜନ

ସେ ମୋତେ କୋଟିଏ ଯୋଜନ

।।

ଏବେ ହୋ କହୁଅଛୁ ତୋତେ

ତୁ ଏବେ ଶୁଣ ଶୁଦ୍ଧଚିତ୍ତେ

।।

ଆମ୍ଭେ ଯେ ଅଟୁ ବ୍ରହ୍ମଚାରୀ

ତୋହର ଅଟୁ ଉପକାରୀ

।।

ଅଇଲୁ ତୋହର ନିକଟେ

ତୋର ମହିମା ପୂର୍ଣ୍ଣଘଟେ

।।

ଏଥକୁ ଯେ ଅଇଲୁ ଥରେ

ତୁମ୍ଭ ଦୁହିଁଙ୍କୁ ଦେଖିବାରେ

।।

ଏବେ ହୋ ଯାଉଅଛୁ ଆମ୍ଭେ

ଏହି ଭାବରେ ଥାଅ ତୁମ୍ଭେ

।।

ଏମନ୍ତ ବାକ୍ୟ ଦୁହେଁ ଶୁଣି

କପୋଳେ ନିବେଶିଲେ ପାଣି

।।

ବୋଇଲେ ଶୁଣ ହୋ ଗୋସାଇଁ

ଆଜକ ମାତ୍ର ଏଥେ ରହି

।।

ଆମ୍ଭର ହେଉଛି ଉତ୍ସବ

ଭୋଜନ କରି ତୁମ୍ଭେ ଯିବ

।।

ଏତେ ସୁକୃତ ଅଛି ହୋଇ

ନାନାଦି ସନ୍ନ୍ୟାସୀ ଗୋସାଇଁ

।।

ତା ଶୁଣି ବ୍ରହ୍ମଚାରୀ କହି

ଶୁଣ ହେ ତୁମ୍ଭେ ଦୁଇଭାଇ

।।

ମୁଁ ଏଥେ ରହିଲେ ଅବଶ୍ୟ

ଦେଇ ନ ପାର ମୋତେ ଗ୍ରାସ

।।

ଦଇବ ଦେବ ଅବା ଯେବେ

ଅନେକ ଲୋକ ଭୋକେ ଯିବେ

।।

ଶୁଣି ବୋଇଲେ ସର୍ବେ ହେଉ

ଆମ୍ଭେ ପଛକେ ଭୋକେ ଯାଉ

।।

ତୁମ୍ଭେ ଭୋଜନ ବେଗେ କର

ଦେଖିବା ତୁମ୍ଭ ଭୁଞ୍ଜିବାର

।।

ସେ ବେନି ଭାଇ ନାନା ମତେ

ପଡ଼ି ସନ୍ନ୍ୟାସୀ ପାଦଗତେ

।।

ରଖିଲେ ଅତି ବଳ କରି

ନିମନ୍ତ୍ର କରି ବ୍ରହ୍ମଚାରୀ

।।

ଏଥିଉତ୍ତାରୁ ବେନି ଭାଇ

ରନ୍ଧନ କରାଇଲେ ଯାଇଁ

।।

କ୍ଷୀରୀ ଖେଚୁଡ଼ି ଶାଳି ଅନ୍ନ

ନାନାଦି ପ୍ରକାରେ ବ୍ୟଞ୍ଜନ

।।

ଅଶେଷ ବର୍ଣ୍ଣେ ପୀଠାମାନ

ଘୃତରେ କଲେକ ରନ୍ଧନ

।।

ଦଧି ଯେ ଅନେକ ପ୍ରକାର

ଘୃତ ନବାତ ଦୁଧସର

।।

ପଇଡ଼ ପାଣି ରସପଣା

ସ୍ୱାଦୁରେ ଏକୁ ଏକ ଜିଣା

।।

ଷଡ଼ରସରେ ଦ୍ରବ୍ୟ ଯେତେ

ରନ୍ଧନ କଲେ ବିଧିମତେ

।।

ଶତକ ଜଣେ ରାନ୍ଧୁଣିଆ

ରନ୍ଧନ କଲେ ଅମଣିଆ

।।

ବେଳ ପ୍ରହରେ ଅଛି ହୋଇ

ସମସ୍ତ ନିର୍ଭା କରି ଥୋଇ

।।

ଦଶସହସ୍ର ମନୁଷ୍ୟଙ୍କୁ

ଭୋଜନ ବାଣ୍ଟରେ ସବୁଙ୍କୁ

।।

ଏତେ ଯେ ଦ୍ରବ୍ୟ ନିର୍ଭା କରି

ଡାକି ଆଣିଲେ ବ୍ରହ୍ମଚାରୀ

।।

ଅତ୍ୟନ୍ତ ବିସ୍ତାର ମନ୍ଦିର

ଯେସନେ ଚନ୍ଦ୍ରଶାଳାପୁର

।।

ତହିଁ ବସାଇ ଦିବ୍ୟାସନେ

କହନ୍ତି ବିନୟ ବଚନେ

।।

ଅନେକ ଲୋକ ଥାନ୍ତି ବେଢି

ସେ ବେନିଭାଇ କରଯୋଡ଼ି

।।

ବୋଲନ୍ତି ଶୁଣ ହେ ଅତିଥି

କର ଭୋଜନ ବିଧିମତ

।।

ତୁମ୍ଭ ବଚନ ଯେବେ ଶୁଣି

ତା ପୁଣି ପରଷିବୁ ଆଣି

।।

କହ ହେ ବିଳମ୍ୱ ନକରି

ଶୁଣି ବୋଲନ୍ତି ବ୍ରହ୍ମଚାରୀ

।।

ଶୁଣ ହେ ଦାତା ବେନିଭ୍ରାତେ

ସ୍ୱରୁପେ କହୁଅଛୁ ତୋତେ

।।

ମୋତେ ଯେ ଅନ୍ନ ଭରିଦିଅ

ପଛେ ନିସତ ଅବା ନୁହ

।।

ଅତିଥି ବୁଝାଇ ବସାଇ

ଅଧା କରି ଯେ ନ ଉଠାଇ

।।

ଏଥକୁ ବିଚାରିଣ କହ

ଦେବା ବୋଇଲେ ଆଣିଦିଅ

।।

ନୋହିଲେ ଲେଉଟି ଯାଉଛି

ଏଥେ ଶୋଚନା ନାହିଁ କିଛି

।।

ସମସ୍ତ ଲୋକେ ତାହା ଶୁଣି

ମନୁଷ୍ୟ ପ୍ରାୟେ ତାଙ୍କୁ ମଣି

।।

ବୋଇଲେ ଭୁଞ୍ଜ ହେ ଅତିଥ

କିମ୍ପାଇ ହୋଇବୁ ନିସତ

।।

ଯେତେ ପାରିଲେ ଭୁଞ୍ଜକିନା

ବଳିଲେ ଆମ୍ଭେ ଭୁଞ୍ଜୁସିନା

।।

ତା ଶୁଣି ବୋଇଲେ ସନ୍ନ୍ୟାସ

ଯେତେ ରାନ୍ଧିଛ ଘେନିଆସ

।।

ରଖିଣ ମୋହର ଅଗ୍ରତେ

ପକାଅ ପତ୍ର ଗୋଟି କେତେ

।।

ସକଳ ଦ୍ରବ୍ୟ ତହିଁ ଭରି

ଗୋପାଳମୁଦ୍ରା ବେଗେ କରି

।।

ନୃସିଂହ ଦେବ ଚିନ୍ତି ଚିତ୍ତେ

ବଢାଇ ଦେଉଥାଅ ମୋତେ

।।

ଯହୁଁ ଶୁଣିଲେ ଏ ବଚନ

ଆନନ୍ଦ ସମସ୍ତଙ୍କ ମନ

।।

ସେ ବେନି ଭ୍ରାତ ଚଳିଗଲେ

ଯେ ବା ରନ୍ଧନ କରିଥିଲେ

।।

ତହୁଁ ଅନେକ ଦ୍ରବ୍ୟ ଧରି

ବୁହାଇ ବୋଝ ଭାର କରି

।।

ଅତିଥି ଛାମୁରେ ଥୋଇଲେ

ଅନେକ ପତ୍ର ପକାଇଲେ

।।

ସକଳ ଦ୍ରବ୍ୟ ତହିଁ ଭରି

ଅନ୍ନ ବ୍ୟଞ୍ଜନ ଆଦି କରି

।।

ନାନାଦି ପିଠାମାନ ଯେତେ

ଯେ କ୍ଷିରୀ ଖେଚୁଡ଼ି ସହିତେ

।।

ସକଳ ସାମଗ୍ରୀ ପରଶି

ଅନେକ ଲୋକ ବେଢି ବସି

।।

ତୁଣ୍ଡେ ନୃସିଂହ ନାମ ଧରି

ବଳିଲେ ମୁଦାମୁଦା କରି

।।

ତାହାହିଁ ଦେଖିଣ ସନ୍ନାସୀ

ସନ୍ତୋଷେ ପୁଣ୍ୟାସନେ ବସି

।।

ନୃସିଂହ ନାମ ଗୋଟି ଧରି

ବସିଲେ ଊର୍ଦ୍ଧ୍ୱ ମୁଖ କରି

।।

ଶ୍ରୀକରେ ମୁଦ୍ରାମାନ ଧରି

ମୁଖ ବିସ୍ତାରି ଦ୍ୟନ୍ତି ଭରି

।।

ମୁଦ୍ରାକୁ ମୁଦ୍ରା ଧରି କରେ

ଡିଆଇଁ ଦିଅନ୍ତି ତୁଣ୍ଡରେ

।।

ଯେତେକ ସମ୍ପାଦିଣ ଥିଲେ

ଦଣ୍ଡକ ମାତେ ଭୁଞ୍ଜିଦେଲେ

।।

ବୋଇଲେ ଆଉ ଘେନିଆସ

କ୍ଷଣେ ହେଁ ନ କରି ଅଳସ

।।

ଶୁଣି ଅନେକ ଲୋକ ଯାଇଁ

ଆଣନ୍ତି ରୋଷଘରୁ ବହି

।।

ପତ୍ରରେ ଦିଅନ୍ତି କୁଢାଇ

ମୁଦ୍ରା ବଳନ୍ତି ଲୋକେ ଯାଇଁ

।।

ସେ ମାୟା ଯତି ସବୁ ଧରି

ମୁଖରେ ଦେଉଥାନ୍ତି ଭରି

।।

ଯେସନ ଗୋବର୍ଦ୍ଧନ ଗିରି

ପୂଜାରେ ଭୁଞ୍ଜିଲେ ଶ୍ରୀହରି

।।

ଅନେକ ଘୃତ ଯେବେ ପଶି

ସେ ଯେହ୍ନେ ହୋଏ ବ୍ରହ୍ମରାଶି

।।

ଅଶେଷ ନଦୀ ଜଳମାନ

ଯେହ୍ନେ ସାଗରେ ହୋଏ ଲୀନ

।।

ସେହି ପ୍ରକାରେ ବ୍ରହ୍ମଚାରୀ

ଦିଅନ୍ତି ବିଶ୍ୱ ଗର୍ଭେ ଭରି

।।

ବୋଲନ୍ତି ଘେନି ଆସ ଆଉ

ଦେବା କଥାରେ ହେଳା ନୋହୁ

।।

କ୍ଷୁଧାରେ ଜଳୁଛି ଉଦର

ବହୁତ ଲୋକେ ମୁଦାକର

।।

ତାହା ଶୁଣିଣ ବେନି ଭାଇ

ଅନେକ ଡଗର ପେଶାଇ

।।

ରାନ୍ଧିବା ଲୋକେ ରାନ୍ଧୁଛନ୍ତି

ବହିବା ଲୋକେ ବୋହୁଛନ୍ତି

।।

କୁଢାନ୍ତି ଏକଠାବେ ନେଇ

ସହସ୍ରେ ଲୋକ ବସିଥାଇ

।।

ଦିଅନ୍ତି ମୁଖେ ମୁଦାବଳି

ବସି ଭୁଞ୍ଜନ୍ତି ମହାବଳୀ

।।

ଏମନ୍ତ ଦଶଘଡ଼ିଯାଏ

ସବୁ ଭୁଞ୍ଜିଲେ ଦେବରାୟେ

।।

ଯେତେ ପଦାର୍ଥ ଥିଲେ କରି

ସବୁ ଭୁଞ୍ଜିଲେ ବେଗ କରି

।।

ଦଶ ସହସ୍ର ଲୋକ ଗ୍ରାସ

ସବୁ ସାରିଲେ ସେ ସନ୍ନ୍ୟାସ

।।

ବୋଇଲେ ଆଉ ଆଣ କିନା

ଆଣ ହୋ ଅଙ୍କନା ମାଧନା

।।

ତାହା ଶୁଣିଣ ବେନି ଭାଇ

ସନ୍ନ୍ୟାସୀ ପାଦତଳେ ଶୋଇ

।।

ବୋଇଲେ ଆଉ ଆଣ କିନା

ଆଣ ହୋ ଅଙ୍କନା ମାଧନା

।।

ବୋଇଲେ ଦଣ୍ଡେ ମଠ ହେଉ

ରନ୍ଧନ ହେଉଅଛି ଆଉ

।।

ମୋର ଛାର କେତେକ ମାତର

ତୁମ୍ଭଙ୍କୁ ଦେବାକୁ ଆହାର

।।

ମତ୍ତଗର୍ବରେ ଦେବି ବୋଲି

ଏବେ ମୁଁ ଅପରାଧ କଲି

।।

ଏଥିର ଦୋଷ କ୍ଷମା କରି

ଦଣ୍ଡେକ ବସ ବ୍ରହ୍ମଚାରୀ

।।

ଆଉ ଯା ଦେଇଛନ୍ତି ହରି

ଛାମୁରେ ଦେବି ଆଣି କରି

।।

ପୂରୁ ନ ପୂରୁ ତୋ ଉଦର

ମୋ ଅପ୍ରାଧ କ୍ଷମା କର

।।

ଏମନ୍ତ ବାକ୍ୟ ତାର ଶୁଣି

ହସି ବୋଲନ୍ତି ଚକ୍ରପାଣି

।।

ଏବେ ମୁଁ ହୋଇଲି ସନ୍ତୋଷ

ଦିଅ ତୁ ବିପ୍ରଜନେ ଗ୍ରାସ

।।

ଏମନ୍ତ ବୋଲି ଉଠିଗଲେ

ସେ ବେନି ଭ୍ରାତ ଗୋଡ଼ାଇଲେ

।।

ଅନେକ ବିପ୍ର ତାଙ୍କ ପାଖେ

ଗୋଡ଼ାଇ ଅଛନ୍ତି ପ୍ରତ୍ୟକ୍ଷେ

।।

ଅଦ୍ଭୁତେ କାହୁଁ ଏ ଅଇଲେ

ଅଶ୍ରୁତ ଅଗୋଚର କଲେ

।।

ଏମନ୍ତ ବୋଲି ଯେଝାମତେ

ଗୋଡ଼ାଇ ଅଛନ୍ତି ସମସ୍ତେ

।।

ପ୍ରବେଶ ଗୋଦାବରୀ କୂଳେ

ପ୍ରଭୁ ପଶିଲେ ଯାଇଁ ଜଳେ

।।

ଉଚ୍ଛିଷ୍ଟ ମୁଖ ଜଳେ ଧୋଇ

ଜଳ ପିଇଲେ ମୁଖ ଦେଇ

।।

ଅନେକ ଶୁଖିଗଲା ବାରି

ଘୁଞ୍ଚିଣ ଗଲା ଗୋଦାବରୀ

।।

ତାହା ଦେଖିଣ ବେନି ଭାଇ

ରହିଲେ ସ୍ତମ୍ଭୀଭୂତ ହୋଇ

।।

ବଦନୁ ନସ୍ଫୁରେ ବଚନ

ଦେଖି ବୋଇଲେ ଭଗବାନ

।।

ତୁମ୍ଭେ ଯେ ଯାଅ ବେନି ଭାଇ

ଆମ୍ଭ ବଚନ ଶିରେ ଦେଇ

।।

ଆଉ ଅଳପ ଦିନେ ପୁଣ

ଲଭିବ ପରମ କାରଣ

।।

ଏ ପିଣ୍ଡ ଛାଡ଼ି ବେନି ଭାଇ

ବସିବ ସ୍ୱର୍ଗ ଲୋକେ ଯାଇ

।।

ଏଥେ ସଂଶୟ ନାହିଁ କିଛି

ଆଜ ମୁଁ ଅନ୍ତର ହେଉଛି

।।

ମୁହିଁଟି ପ୍ରଭୁ ନାରାୟଣ

ଦେଖ ମୋ ଶଙ୍ଖ ଚକ୍ର ଚିହ୍ନ

।।

ଏମନ୍ତ ବୋଲି ବ୍ରହ୍ମରାଶି

ଅନ୍ତର ହେଲେ ଜଳେ ପଶି

।।

ଶ୍ରୀଭୁଜ ଦୁଇ ତୋଳିଦେଲେ

ସେ ଶଙ୍ଖ ଚକ୍ର ଦେଖାଇଲେ

।।

ତାହା ଦେଖିଲେ ବେନି ଭାଇ

ଆନ କାହାକୁ ଦୃଶ୍ୟ ନୋହି

।।

ସେ ବେନି ଭାଇଙ୍କର ଭାବ

ଶତ ଜନମେ କେ ପାଇବ

।।

ସଙ୍ଗତେ ଘେନି ବିପ୍ର ଯେତେ

ଲେଉଟି ଗଲେ ସେ ସମସ୍ତେ

।।

ମନ୍ଦିରେ ହୋଇଲେ ପ୍ରବେଶ

ସବୁଙ୍କୁ ଦେଲେ ଅନ୍ନଗ୍ରାସ

।।

ଅନେକ ଧନ ବସ୍ତ୍ର ଦେଲେ

ମେଲାଣି କଲେ ତାଙ୍କୁ ଭଲେ

।।

ଆନନ୍ଦେ ଶୁଣ ହେ ସୁମନ

ପ୍ରଭୁଙ୍କ ମହିମା ଏସନ

।।

ଏ କଳିଯୁଗେ ଭକ୍ତଙ୍କର

ମହିମା ଅପାରୁ ଅପାର

।।

ସାଧୁଜନଙ୍କୁ ଦୃଶ୍ୟ ହୋଇ

ମୂର୍ଖଜନଙ୍କୁ ପ୍ରତେ ନାହିଁ

।।

ଏମନ୍ତ ଚୈତନ୍ୟ ସମ୍ବାଦ

ଶୁଣନ୍ତେ ନ ଲାଗେ ପ୍ରମାଦ

।।

କହଇ ବିପ୍ର ରାମ ଦାସ

ସେ ନାରାୟଣ ପାଦେ ଆଶ

।।

ଜନେ ଏହି ରସେ ରସ

ମୋହର ନ ଘେନିବ ଦୋଷ

।।

 

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ

ଅଙ୍କନା ଓ ମାଧନା ଅନ୍ନାଦାନ କଥା ବର୍ଣ୍ଣନେ ନାମ ଏକବିଂଶୋ ଧ୍ୟାୟଃ ।

•••

 

ଦ୍ୱାଂବିଶ ଅଧ୍ୟାୟ

କୀର୍ତ୍ତିଚନ୍ଦ୍ର ସମ୍ୱାଦ

ଚୈତନ୍ୟ ଉବାଚ

 

ଏଥିଉତ୍ତାରୁ ଶୁଣ ମନ

କହିବା ଅପୂର୍ବ ବିଧାନ

।।

ଏ କଳିଯୁଗର ଚରିତ

ଶ୍ରବଣେ ହୋଇବ ମୁକତ

।।

ଯେ ଜମ୍ୱୁଦ୍ୱୀପ ମହାଦେଶେ

ପୁଣ୍ୟ ସଲୀଳ ଗଙ୍ଗା ପାଶେ

।।

ରାଜ୍ୟ ପଞ୍ଚାଶ ଯୋଜନରେ

ସେ ରାଜ୍ୟେ ରାଜପଣ କରେ

।।

ନାମ ତାହାର କୀର୍ତ୍ତିଚନ୍ଦ୍ର

ଶ୍ରୀକୃଷ୍ଣେ ଭକତ ନରେନ୍ଦ୍ର

।।

ଅତି ନିର୍ମଳ ତାର ମତି

ଅଚଳାଚଳ ତା ସମ୍ପତ୍ତି

।।

ପ୍ରଜାଙ୍କୁ ପରି ପୁତ୍ର ପ୍ରାୟେ

ସେ ରାଜା ପ୍ରତିପାଳି ଥାଏ

।।

ତାହାର ଭାର୍ଯ୍ୟା ପ୍ରିୟବତୀ

ଅତି ସୁନ୍ଦରୀ ମହାସତୀ

।।

ପଦ୍ମିନୀ ନାମ ତା ବିଦିତ

ସ୍ୱାମୀର ଆଜ୍ଞା ଅଲଙ୍ଘିତ

।।

ନିରତେ ପତି ସେବା କରେ

ରାଜା ହିଁ ଅତି ସ୍ନେହ କରେ

।।

ଏମନ୍ତ ରାଜାରାଣୀ ଥାନ୍ତି

ଶ୍ରୀକୃଷ୍ଣ ପାଦେ ଦେଇ ମତି

।।

ନିରତେ କୃଷ୍ଣ ଚିନ୍ତା ହୃଦେ

ସେବା କରନ୍ତି ଅପ୍ରମାଦେ

।।

ଜୀବହତ୍ୟାକୁ ମହାଭୟ

ଦୁଃଖୀଜନର ସେ ସହାୟ

।।

ନିରତେ ପର ନିନ୍ଦାକଥା

ଖଚ ନ ଶୁଣଇ ସର୍ବଥା

।।

ରାଜ୍ୟେ ତା କୀରତି ଅପାର

ଜଳ ଦେଉଳ ଯେ ସ୍ଥାବର

।।

ପଞ୍ଚକ୍ରୋଶରେ ସଦା ବର୍ତ୍ତ

ରଖାଇ ଅଛି ଅପ୍ରମିତ

।।

ରାଜ୍ୟେ ଘୋଷଣା ଦେଇ ତାର

କହୁ ଯେ ଥାଇ ନିରନ୍ତର

।।

ଯେବଣ ଗ୍ରାମରେ ଅତିଥ

ଆସି ହୋଇବେ ଉପଗତ

।।

ତାହାଙ୍କ ଚରଚା କରିବ

ମନ ସନ୍ତୋଷେ ଅନ୍ନ ଦେବ

।।

ଯେତେ ପଦାର୍ଥ ବ୍ୟୟ ହେବ

ଲେଖି ମୋ ଭଣ୍ଡାରରୁ ନେବ

।।

ମୋ ରାଜ୍ୟେ ଯେଉଁ ଗ୍ରାମ ଦେଶ

ଅତିଥେ ଗଲେ ଉପବାସ

।।

ତାଙ୍କ ସକଳ ଧନ ହରି

ରାଜ୍ୟରୁ ଦେବି ଦୂର କରି

।।

ଏମନ୍ତ ବୋଲିଣ ଟମକ

ବଜାଇଥାନ୍ତି ରାଜ୍ୟଯାକ

।।

ସେ ରାଜ୍ୟ ପରଜାଙ୍କୁ ରାଇ

ତିଆରୁ ଥାଇ ନୃପସାଇଁ

।।

ସାଧୁମାନଙ୍କୁ ସେବାକର

ଶ୍ରୀହରି ଭଜ ନିରନ୍ତର

।।

ବିପ୍ର ବୈଷ୍ଣବ କରି ପ୍ରୀତି

ଦୃଢ ଭକତି କର ନିତି

।।

ଏମନ୍ତ ବୋଲିଣ ତିଆରି

ସେ ରାଜ ନଗ୍ରଦଣ୍ଡଧାରୀ

।।

ପୁର ତା କରିଛି ପବିତ୍ର

ସବୁଠି ରାଧାକୃଷ୍ଣ ଚିତ୍ର

।।

ଯେଣେ ଚାହିଁଲେ ସେହି ରୂପ

ଦର୍ଶନ କରୁଥାଇ ନୃପ            

 

ଦ୍ୱାରେ ତା ଧର୍ମଧ୍ୱଜା ପୋତି

ନେତ ଚିରାଳ ବାନ୍ଧିଛନ୍ତି

।।

ଅନେକ ଧର୍ମଶାଳାମାନ

ତୋଳାଇ ଅଛନ୍ତି ରାଜନ

।।

ପାଟଣାଯାକ ପ୍ରତି ଦ୍ୱାରେ

ତୁଳସୀ ଆରୋପଣ କରେ

।।

ଠାବ ଠାବକେ ସଂକୀର୍ତ୍ତନ

କରାଇ ଶ୍ରୀହରି ଭଜନ

।।

ଅନେକ ଶୁଆ ଶାରୀ ବଣୀ

ପୋଷି ଅଛନ୍ତି ଗୃହେ ଆଣି

।।

ତାହାଙ୍କ ମୁଖୁ ନାମ ଶୁଣି

ଅତି ଆନନ୍ଦ ନୃପମଣି

।।

ଅନେକ ଧନ ବସ୍ତ୍ର ରାୟେ

ପ୍ରଜାମାନଙ୍କୁ ଦେଉଥାଏ

।।

ଶ୍ରୀରାଧା କୃଷ୍ଣ ଗୁଣ କୀର୍ତ୍ତି

ସେ ରାଜା ଶୁଣୁଥାଇ ନିତି

।।

ଧର୍ମ ହିଁ ଅଟେ ମୂଳ ତାର

ସତ୍ୟ ବଚନ ନିରାଧାର

।।

ଗ୍ରାମବାହାରେ ଦୂତ ପେଷି

ଅତିଥି ବରି ଘେନିଆସି

।।

ଇଚ୍ଛା ଭୋଜନ ଦେଉଥାନ୍ତି

ଯେବା ଯହିଁରେ କରେ ମତି

।।

ଦରିଦ୍ର ଦେଖି ନ ସହଇ

ଯେ ଯାହା ମାଗିଲେ ଦିଅଇ

।।

ଏମନ୍ତ କେତେଦିନ ଗଲା

ତା ଯଶ ଜଗତେ ପୂରିଲା

।।

ତାହା ଜାଣିଲେ ଦୟାନିଧି

ବିଡ଼ିବା ପାଇଁ ରାଜା ବୁଦ୍ଧି

।।

ସେ ଅନ୍ତର୍ଯ୍ୟମୀ ବ୍ରହ୍ମରାଶି

ସକଳ ଘଟେ ଛନ୍ତି ବସି

।।

ତାହାକୁ କିସ ଅଗୋଚର

ନାହିଁ ନିକଟେ ତାଙ୍କୁ ଦୂର

।।

ମାୟାରେ ହୋଇଣ ତପସ୍ୱୀ

ମିଳିଲେ ରାଜାପାଶେ ଆସି

।।

ଅଖଣ୍ଡ ନଖ ଦାଢୀ କେଶ

କି ବ୍ରହ୍ମ ବେତାଳ ସଦୃଶ

।।

ତୁଳସୀ ମାଳ ଶୋଭେ ଗଳେ

କର୍ଣ୍ଣେ କୁଣ୍ଡଳ ବେନି ଲୁଳେ

।।

ଜଟା ମୁକୁଟ ମାଳ ଶୋଭା

ଭକ୍ତ ଜନଙ୍କ ମନ ଲୋଭା

।।

ଡୋର କୌପୀନ କଟୀମାଝେ

ସର୍ବାଙ୍ଗେ ବିଭୂତି ବିରାଜେ

।।

ଯଜ୍ଞୋପବୀତ କନ୍ଧେ ଶୋହେ

ରୂପେ କି ଜଗଜ୍ଜନ ମୋହେ

।।

ଏମନ୍ତ ବେଶେ ଚକ୍ରପାଣି

ନୃପତି ଆଗେ ବେଦ ଭଣି

।।

କହି ଅନେକ କୃଷ୍ଣ ରସ

ରାଜାର ମନ କଲେ ତୋଷ

।।

ତାହାଙ୍କୁ ଦେଖି ମହାରାଜା

କଲା ଆନନ୍ଦେ ପାଦପୂଜା

।।

ବେଗେ ଚରଣ ଦୁଇ ଧୋଇ

ଚରଣାମୃତ ଆପେ ଖାଇ

।।

ଧୀରେ କହନ୍ତି ଦଣ୍ଡଧର

ଆଜି ପବିତ୍ର ମୋର ପୁର

।।

ତୁମ୍ଭର ପାଦରଜ ପଡ଼ି

ଅଶେଷ ପାପ ଗଲା ଛାଡ଼ି

।।

ଭୋ ସ୍ୱାମୀ କିମ୍ପାଇ ଆଗତ

ମିଥ୍ୟା ନ କରି କହ ସତ

।।

ତା ଶୁଣି ପ୍ରଭୁ ଚକ୍ରପାଣି

ବୋଇଲେ ଶୁଣ ନୃପମଣି

।।

ଆମ୍ଭେ ଯେ ଆଜନ୍ମ ସନ୍ନ୍ୟାସୀ

ବନରେ ତପ କରୁ ବସି

।।

ବନର ଫଳ ମୂଳ ଖାଇ

ଦିନ ବଞ୍ଚିଲୁ ଦୁଃଖ ସହି

।।

ଯାହା ବିଚାରିଥିଲୁ ମନେ

ପୂର୍ଣ୍ଣ ହୋଇଲା ଏତେ ଦିନେ

।।

ତେଣୁଟି ବନରୁ ବାହାରି

ତୋ କୀର୍ତ୍ତି ଶୁଣି ଦଣ୍ଡଧାରୀ

।।

ଯହୁଁ ତୋ କୀରତି ଶୁଣିଲୁ

ତେଣୁ ତୋ ଛାମୁକୁ ଅଇଲୁଁ

।।

କିଛି ହିଁ ମାଗିବାର ପାଇଁ

ଦେବୁ କି ନାହିଁ ନୃପସାଇଁ

।।

ତା ଶୁଣି ବୋଲନ୍ତି ରାଜନ

ଯା ଇଚ୍ଛା ମାଗ ହୋ ବହନ

।।

ଯାହା ମାଗିବ ତାହା ଦେବି

ନ ଦେଲେ ଅପରାଧୀ ହେବି

।।

ଗଜ ତୁରଙ୍ଗ ଭୂମିଦାନ

ଧନ କାଞ୍ଚନ ବସ୍ତ୍ରମାନ

।।

ସ୍ୱରାଜ ପଦ ହିଁ ସହିତେ

ମାଗ ହୋ ଯାହା ତୁମ୍ଭ ଚିତ୍ତେ

।।

ଶୁଣି ବୋଇଲେ ବ୍ରହ୍ମଚାରୀ

ଏକାନ୍ତେ ଶୁଣ ଦଣ୍ଡଧାରୀ

।।

ଅନେକ ଦିନ ତପ କରି

ଥିଲୁ ଯେ କାମ ପରିହରି

।।

ଏବେ ସେ କାମଦେବ ମୋତେ

ପୀଡ଼ା ଯେ ଦେଲା ନାନାମତେ

।।

ତାହା ମୁଁ ସହି ନପାରିଲି

ନିରତେ କାମ ଇଚ୍ଛା କଲି

।।

ତେଣୁ ଅଇଲି ତୋର ପାଶେ

କେବଳ ଏହି ପ୍ରୀତି ଆଶେ

।।

ଶୁଣିଲି ତୋର ପ୍ରିୟବତୀ

ସ୍ୱାମୀ ଭକତ ମହାସତୀ

।।

ତାହାକୁ ଆଣି ମୋତେ ଦେବୁ

ରାତ୍ରକ ସୁଖେ ବିଳସିବୁ

।।

ଏତେକ ମାତ୍ର ମୋର ବାଞ୍ଛା

ଦିଅ ନ ଦିଅ ତୋର ଇଚ୍ଛା

।।

ଶୁଣି ନୃପତି ଅତି ତୋଷ

ବୋଇଲେ ଏହି ଛାର କିସ

।।

ପ୍ରାଣ ମାଗିଲେ ଦେଇପାରେ

ସଂଶୟ ନାହିଁଟି ଏଥିରେ

।।

ଏମନ୍ତ ବୋଲି ସେ ରାଜନ

ଆଣିଲେ ଉତ୍ତମ ଭୋଜନ

।।

ଭୁଞ୍ଜିଣ ସନ୍ତୋଷ ତପସ୍ୱୀ

ଏମନ୍ତ ରାତ୍ର ହେଲା ଆସି

।।

ସେ ମହାରାଜ ଚଳିଗଲେ

ପତ୍ନୀର ପାରୁଶେ ମିଳିଲେ

।।

ଅନେକ କହିଲେ ତିଆରି

ବୋଇଲେ ଶୁଣ ପ୍ରାଣେଶ୍ୱରୀ

।।

ଏକଇ ତପସ୍ୱୀ ଏ ଆସି

ବଚନେ ମନ ମୋର ତୋଷି

।।

ଦିଶଇ ବ୍ରହ୍ମବେତ୍ତା ପ୍ରାୟେ

ସେ ମୋତେ ମାଗିଲେ କଥାଏ

।।

ତା ଶୁଣି ଦେବା ସତ୍ୟ କଲି

ମାଗ ହୋ ବୋଲି ମୁଁ ବୋଇଲି

।।

ସେ ଯେ ମାଗିଲେ ମୋତେ ଯାହା

ଶୁଣ କହିବି ତୋତେ ତାହା

।।

ତୋହର ସଙ୍ଗେ ପ୍ରୀତିଭାବ

ଆଜକ ସନ୍ନ୍ୟାସୀ କରିବ

।।

ସତ୍ୟ ମୁଁ କରିଛି ଯୁକତେ

ଅବଶ୍ୟ ଦେବି ତାକୁ ତୋତେ

।।

ଏଥକୁ କହ କି ବିଚାରି

ତା ଶୁଣି ବୋଇଲେ ସୁନ୍ଦରୀ

।।

ଯେଉଁ ଦିନରୁ ପିତା ମୋତେ

ସମର୍ପିଦେଲେ ତୁମ୍ଭ ହସ୍ତେ

।।

ସେ ଦିନୁ ହୋଇଛି ତୁମ୍ଭର

ତୁ ନାଥ ଯାହା ଇଚ୍ଛା କର

।।

ଏଥକୁ ଯେ ତୋହର ଇଚ୍ଛା

ଏଥିରେ ନାହିଁ ମୋ ଅନ୍ୟଥା

।।

ରାଣୀ ବଦନୁ ଏହାଶୁଣି

ଅତି ଆନନ୍ଦେ ନୃପମଣି

।।

ବୋଇଲେ ଶୁଣରେ ସୁନ୍ଦରୀ

ମୋଠାରୁ ଶତେଗୁଣ କରି

।।

ସେବା କରିବୁ ତପୀ ପାଦେ

କପଟ ନ ରଖି ତୋ ହୃଦେ

।।

ଏମନ୍ତ କହି ସେ ରାଜନ

ସନ୍ନ୍ୟାସୀ ନିକଟେ ଗମନ

।।

ସନ୍ନ୍ୟାସୀ ଘେନିଣ ସଙ୍ଗରେ

ପ୍ରବେଶ ହେଲେ ନିଜପୁରେ

।।

ରାଣୀ ସଙ୍ଗତେ କଲେ ଭେଟ

ନିବନ୍ଧେ କିଳିଲେ କବାଟ

।।

ଅନେକ ଦାସ ପରିବାରୀ

ଯୋଗାଇ ଦେଲେ ଦଣ୍ଡଧାରୀ

।।

ଅନ୍ତର ହୋଇଣ ରହିଲେ

ତପୀ ରହିଲେ ରାଣୀ ତୁଲେ

।।

ସେ ମହାସତୀ ବେଗେ ଉଠି

ସନ୍ନ୍ୟାସୀ ପାଦତଳେ ଲୋଟି

।।

ଉଠିଣ ହୋଇଲେ ବିନୟୀ

ଆସନେ ବସାଇଲେ ନେଇ

।।

ଭୋ ପ୍ରଭୁ ଶରଣ ତୁମ୍ଭର

ପବିତ୍ର ହେଲା ମୋର ପୁର

।।

ଏମନ୍ତେ ବୋଲନ୍ତେ ସେ ରାଣୀ

ବିଚାର କଲେ ଚକ୍ରପାଣି

।।

ଧନ୍ୟ ହେ ଦୁହିଁଙ୍କର ଭାବ

ସଂସାର ମଧ୍ୟରେ ଦୁର୍ଲ୍ଲଭ

।।

ଯେତେକ ଛନ୍ଦ ମୁହିଁ କଲି

କେବେହେଁ ଯଶ ନ ପାଇଲି

।।

ଏବେ ମୁଁ ଏମନ୍ତ କରିବି

ଏ ରାଣୀ ଜୀବନ ହରିବି

।।

ତାହା ଜାଣିଲେ ଦଣ୍ଡଧାରୀ

ଧର୍ମକୁ ଅବା ନିନ୍ଦା କରି

।।

ଦେଖଇଁ କିନା ରାଜା ଭାବ

ଏମନ୍ତ ବୋଲି ପଦ୍ମନାଭ

।।

ରାଣୀକି ନିଦ୍ରାଗତେ ମୋହି

ସକଳ ଅଳଙ୍କାର ନେଇ

।।

ଆଜ୍ଞା ଯେ ଦେଲେ ମହାବାହୁ

ଏ ନାରୀ ପ୍ରାଣ ହାରିଥାଉ

।।

ଏମନ୍ତ ବୋଲି ଭଗବାନ

ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ

।।

ଏମନ୍ତେ ରଜନୀ ପାହିଲା

ବେଳ ପ୍ରହର ଆସି ହେଲା

।।

ତା ଦାଖି ଦାସୀ ପରିବାରୀ

ବେଗେଣ ଗଲେ ଅନ୍ତଃପୁରୀ

।।

ଦେଖିଲେ କବାଟ ଫିଟିଛି

ରାଣୀ ପଲଙ୍କେ ଶୋଇଅଛି

।।

ପାରୁଶେ ମିଳିଲେକ ଯାଇ

ଦେଖିଲେ ପିଣ୍ଡେ ପ୍ରାଣ ନାହିଁ

।।

ତପସ୍ୱୀ ରାଣୀଙ୍କି ମାଇଲା

ସକଳ ଅଳଙ୍କାର ନେଲା

।।

କେବଣ ଦିଗେ ପଳାଇଲା

ଦେଖ ଯା ପତ୍ନୀ ତୋର ମଲା

।।

ତାହା ଶୁଣିଣ ନୃପମଣି

ବୋଇଲେ ଶୁଣରେ ତରୁଣୀ

।।

ରାଣୀ ଅପ୍ରାଧ କରି ମଲା

କହ ସନ୍ନ୍ୟାସୀ କେଣେ ଗଲା

।।

ଏମନ୍ତ ବୋଲି ନରନାଥ

ପେଶାଇ ଚାରିଦିଗେ ଦୂତ

।।

ବୋଇଲେ ଶୁଭେ ଘେନି ଆସ

ଦେଖିଲେ ସେ ମହାସନ୍ନ୍ୟାସ

।।

ଯେବେ ମୁଁ ଦେଖିବି ନୟନେ

ତେବେଟି ରହିବି ଜୀବନେ

।।

ନୋହିଲେ ମରିବି ଅବଶ୍ୟ

ଜୀବନେ ନାହିଁ ମୋର ଆଶ

।।

ତା ଶୁଣି ଚଳିଗଲେ ଦୂତେ

ତପୀ ଖୋଜନ୍ତି ଯେଝା ମତେ

।।

ସେ ଅନ୍ତର୍ଯ୍ୟାମୀ ଭଗବାନ

ଜାଣିଲେ ନୃପତିର ମନ

।।

ଅଦ୍ଭୁତେ ପଥେ ଛନ୍ତି ବସି

ଦୂତେ ଭେଟିଲେ ତାଙ୍କୁ ଆସି

।।

ଅନେକ ବିନୟୀ କହିଲେ

ସଙ୍ଗତେ ଘେନି ଚଳିଗଲେ

।।

ରାଜା ଛାମୁକୁ ଗଲେ ନେଇ

ଦେଖି ଉଠିଲେ ନୃପସାଇଁ

।।

ସେ ମହାଯତି ପାଦତଳେ

ନୃପତି ପୁଣ ପୁଣ ଲୁଳେ

।।

ଉଠି କପାଳେ ଦେଲା ପାଣି

କହିଲା ମଧୁରସେ ବାଣୀ

।।

ହେ ମହାଯୋଗୀ ଯୋଗେଶ୍ୱର

ଅପ୍ରାଧ କଲା ସ୍ତିରୀ ମୋର

।।

ତହିଁକି ଦୁଃଖ ଘେନି ହୃଦେ

ମୋତେ ତ ନ କହିଲୁ ପଦେ

।।

ତା ଶୁଣି ବୋଲନ୍ତି ସନ୍ନ୍ୟାସ

ଶୁଣ ନୃପତି ହୋଇ ତୋଷ

।।

ଏ ଆମ୍ଭ ପୂର୍ବର ସ୍ୱଭାବ

କେ ତାହା ଅନ୍ୟଥା କରିବ

।।

ଯେ ଆମ୍ଭ ପାଦେ ସେବା କରେ

ଅତ୍ୟନ୍ତ ହରଷ ମନରେ

।।

ତାହାକୁ ଦେବୁ ଆମ୍ଭେ ଦୁଃଖ

ସେ ଯେବେ ହୋଇବ ବିମୁଖ

।।

ତାହାକୁ ଛାଡ଼ି ଆମ୍ଭେ ଯାଉ

ଲୋଡ଼ିଲେ ନ ପାଏ ସେ ଆଉ

।।

ଯେ ଦୁଃଖ ସୁଖ ପାଇ ହୃଦେ

ସେବୁ ଯେ ଥାଇ ଆମ୍ଭପାଦେ

।।

ତାହାକୁ ଛାଡ଼ି ତ ନ ପାରୁ

ସେ କାହୁଁ ଯିବ ମୋ ଆଗରୁ

।।

ସେ ମୋତେ ଛାଡ଼ିବ ବୋଇଲେ

ମୁଁ ତାକୁ ନ ଛାଡ଼ଇ ଭଲେ

।।

ସେ ମୋତେ ଛାଡ଼ିଲେ ଅବଶ୍ୟ

ମୁଁ ଯେ ନ ଛାଡ଼େ ତା’ର ପାଶ

।।

ଯେତେହେଁ ଦୂରେ ଥିଲେ ରହି

ଚିନ୍ତିଲେ ପାରୁଶେ ମିଳଇ

।।

ସେ ମୋର ଜନ୍ମର ପ୍ରକୃତି

ଯାହା ଲେଖଛି ପ୍ରଜାପତି

।।

କେ ତାହା କରିବଟି ଆନ

ଏ କଥା ବୁଝ ହେ ରାଜନ

।।

ଏବେ ଅଇଲୁ ତୋ ଛାମୁର

ତୁ ରାଜା ଯାହା କଲେ କର

।।

ତାହା ଶୁଣିଣ ମହାରାଜା

ତପୀ ଚରଣେ କଲା ପୂଜା

।।

ସଙ୍ଗତେ ଘେନି ବେଗେ ଚଳି

ପତ୍ନୀ ପାରୁଶେ ଯାଇ ମିଳି

।।

କନକଝରି ନୀର ଭରି

ବେଗେ ଆସିଣ ଦଣ୍ଡଧାରୀ

।।

ତପୀର ପାଦପଦ୍ମ ଧୋଇ

ରାଣୀ ବଦନେ ଦେଲା ନେଇ

।।

ବୋଇଲେ ଶୁଣରେ ଯୁବତୀ

କରୁଣା କଲେ ବ୍ରହ୍ମଯତି

।।

ସାଧୁଙ୍କ ପାଦରଜ ଲାଗି

ତୁ ଯେ ହୋଇଲୁ ମୋକ୍ଷଭାଗୀ

।।

ଅଶେଷ ଜନ୍ମର କଳ୍ମଷ

ଆଜୁ ହୋଇଲା ତୋର ନାଶ

।।

ସେ ସାଧୁ ପାଦରଜ ବାରି

ପିଇ ମସ୍ତକେ କିଛି ଧରି

।।

ଏପରି ଲେଖିଅଛି ଧର୍ମ

କେବଳ ଗଙ୍ଗାସ୍ନାନ ସମ

।।

ଏ କଥା ସତ୍ୟ ଅଟେ ଯେବେ

ପ୍ରାଣ ତୁ ଯାଇ ଉଠ ବେଗେ

।।

ରାଜା ବଦନୁ ଏହା ଶୁଣି

ତକ୍ଷଣେ ପ୍ରାଣ ପାଇ ରାଣୀ

।।

ନିଦୁଁ ଉଠିଲା ପ୍ରାୟ ହୋଇ

ବସିଲା ରାଜା ମୁଖ ଚାହିଁ

।।

ତାହା ଦେଖିଣ ସେ ରାଜନ

ଅନେକ ଆଣିଦେଲା ଧନ

।।

ତପି ଚରଣ ତଳେ ଥୋଇ

ବୋଇଲେ ନିଅହେ ଗୋସାଇଁ

।।

ସେ ଅଳଙ୍କାର ଛାର କେତେ

କେତେଦିନକୁ ହେବ ମୋତେ

।।

ଏସବୁ ଧନ ଘେନିଯାଅ

ମୋଠାରେ ଦୟା କରିଥାଅ

।।

ଶୁଣି ବୋଇଲେ ଭଗବାନ

ଧନ୍ୟ ହୋ ରାଜା ତୋ ଜୀବନ

।।

ଧନ୍ୟ ଅଟଇ ତୋର ରାଣୀ

ସ୍ତିରୀଙ୍କ ମଧ୍ୟ ତାକୁ ଗଣି

।।

ସଂସାରେ ଯାହା କଲୁ ତୁହି

ଆନ କେ କରି ନ ପାରଇ

।।

ଏତେ କଲ୍ୟାଣ ହୋଇଥାଉ

ସକଳ କର୍ମେ ଯଶ ହେଉ

।।

ଜୀଅନ୍ତେ ସୁଖେ ଦିନ ନିଅ

ମଲେ ବୈକୁଣ୍ଠ ଗତି ପାଅ

।।

ଏଥେ ସଂଶୟ କିଛି ନାହିଁ

ଏବେ ହୋ ଯାଉଅଛି ମୁହିଁ

।।

ଆମ୍ଭେଟି କମଳା ବିଳାସ

ଦେଖ ଆମ୍ଭର ନିଜ ବେଶ

।।

ଏମନ୍ତ ବୋଲି ଦେବରାଜ

ଦେଖାଇ ଶଙ୍ଖ ଚକ୍ରଭୁଜ

।।

ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ

ଗଗନେ ବିଜୁଳି ଯେସନ

।।

ସେ ରାଜା ରାଣୀ ତାହା ଦେଖି

ସୁଫଳ କଲେ ଚର୍ମ ଆଖି

।।

ଅନେକ କଲେ ଦାନ ପୁଣ୍ୟ

ଆନନ୍ଦେ ବଞ୍ଚାଇଲେ ଦିନ

।।

କାଳ ବୈକୁଣ୍ଠେ ପରାପତ

ଶୁଣ ହେ ତୁମ୍ଭେ ନୃପନାଥ

।।

ହରି ଭକତ ଜନଙ୍କର

ମହିମା ଅପାରୁ ଅପାର

।।

ଆବର ଶ୍ରୀହରି ମହିମା

ଜାଣି ନ ପାରେ ବେଦବ୍ରହ୍ମା

।।

ମୋର ଶକତି ଅବା କେତେ

କହିବି ତୋହର ଅଗ୍ରତେ

।।

ଏ ଦାର୍ଢ୍ୟଭକ୍ତି ରସାମୃତ

କେବଳ ଶ୍ରବଣେ ପବିତ୍ର

।।

କହଇ ରାମଦାସ ଗୀତେ

ଅଶେଷ ପ୍ରାଣୀଙ୍କର ହିତେ

।।

ଶୁଣିଣ କ୍ଷମା କର ଦୋଷ

ମୁଁ ତୁମ୍ଭ ଦାସଙ୍କର ଦାସ

।।

ବୁଡ଼ି ମରୁଛି ଭବଜଳେ

ଉଦ୍ଧରି ଥୁଅ ନେଇ କୂଳେ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ

କୀର୍ତ୍ତିଚନ୍ଦ୍ର ରାଜା ରାଣୀ ସନ୍ନ୍ୟାସୀ ସେବା କଥନେ ନାମ ଦ୍ୱାବିଂଶୋ ଧ୍ୟାୟଃ ।

•••

 

ତ୍ରୟୋବିଂଶ ଅଧ୍ୟାୟ

ଗଣପତି ଭଟ୍ଟ ସମ୍ବାଦ

ଚୈତନ୍ୟ ଉବାଚ

 

ଚୈତନ୍ୟ ସାଧୁ ଶ୍ରଦ୍ଧାଭାବେ

କହଇ ମନ ରାଜା ଆଗେ

।।

ହୋ ରାଜା ସାବଧାନେ ଶୁଣ

ଏ ଦାର୍ଢ୍ୟତା ଭକ୍ତିର ଲକ୍ଷଣ

।।

କେବଳ ସୁଧା ସମବାଣୀ

ପବିତ୍ର ହେବୁ ଯାହା ଶୁଣି

।।

ଉତ୍ତର ଖଣ୍ଡ କଥା ରସ

କର୍ଣ୍ଣାଟ ନାମେ ଏକ ଦେଶ

।।

ଦଇବେ ନିଯୋଜନା କରି

ସେ ଗ୍ରାମେ ଅଟେ କାଣି ଆରି

।।

ସେ ଗ୍ରାମେ ଅଟେ ତାର ଘର

ଜାତିରେ ଅଟେ ଦ୍ୱିଜବର

।।

ନାମ ତା ଗଣପତି ଭଟ୍ଟ

ଭକତ ପଣେ ସେ ଗରିଷ୍ଠ

।।

ନିର୍ଲୋଭୀ ନିର୍ମୋହୀ କୃପାଳୁ

ନିରତେ ପରମ ଦୟାଳୁ

।।

ସକଳ ଶାସ୍ତ୍ର ଅଛି ପଢି

ବିଷୟାରସ ଦୂରେ ଏଡ଼ି

।।

ଇନ୍ଦ୍ରିୟଗଣ କରି ହତ

ମନକୁ କରିଣ ଆୟତ୍ତ

।।

କେବଳ ବିଷ୍ଣୁ ପଦେ ଭକ୍ତି

ବିନା ନ ଜାଣେ ଅନ୍ୟ ଗତି

।।

କେବଳ ଜଗନ୍ନାଥ ବ୍ରହ୍ମ

ସଂସାରେ ଶୁଭାଶୁଭ କର୍ମ

।।

ସୁର ଅସୁର ଦିଗପାଳ

କରି ସମାଦି ଆଖଣ୍ଡଳ

।।

ମେରୁ ବସୁଧା ପାରାବାର

ସ୍ଥାବର ଆଦି ଚରାଚର

।।

ସବୁ କରନ୍ତି ଆତଯାତ

କେବଳ ଦେବ ଜଗନ୍ନାଥ

।।

ତାହାଙ୍କ ପାଦେ ଆଶ୍ରେକରି

ପ୍ରାଣୀ ସଂସାରୁ ଯାନ୍ତି ତରି

।।

ଏ ପରଂବ୍ରହ୍ମ କୃପା ବିନେ

ଜୀବ ଉଦ୍ଧାର ନାହିଁ ଅନ୍ୟେ

।।

ଏମନ୍ତ ଭାବି ସେ ମନରେ

ବୁଲୁଣ ଥାଇ ନିରନ୍ତରେ

।।

କାଳେ ଦେଖିବି ବ୍ରହ୍ମ ମୁହିଁ

ସ୍ଥୂଳ ସ୍ୱରୂପ ଥିବ ରହି

।।

ଦର୍ଶନେ ମୁକତି ଲଭିବି

ଯାତନା ପଥ ନ ଦେଖିବି

।।

ଏମନ୍ତ ବିଚାରିଣ ମନେ

ଶାସ୍ତ୍ର ଖୋଜଇ ପ୍ରତିଦିନେ

।।

କେତେହେଁ ଦିନର ଅନ୍ତରେ

ଖୋଜିଲେ ବ୍ରହ୍ମ ପୁରାଣରେ

।।

ସ୍ଥୂଳସ୍ୱରୂପ ଗୋଟି ଧରି

ବ୍ରହ୍ମ ଅଛନ୍ତି ନୀଳଗିରି

।।

ତାଙ୍କୁ ଦେଖନ୍ତି ଯେଉଁମାନେ

ମୁକତି ହୁଅନ୍ତି ଦର୍ଶନେ

।।

ନ ଗମେ ଯମ ଦରଶନ

ସକଳ ଶାସ୍ତ୍ରେ ଏ ପ୍ରମାଣ

।।

ଏମନ୍ତେ ପୁରାଣରେ ଶୁଣି

ବ୍ରାହ୍ମଣେ ହୃଦପଦ୍ମେ ଗଣି

।।

ବୋଇଲା ଧିକ ଏ ସଂସାର

ଧିକ ଏ ମାୟାଜାଲ ମୋର

।।

ଧିକ ଏ ଦାରାସୁତ ଧନ

ଧିକ ଅଟଇ ଏ ଜୀବନ

।।

ଏ ମର୍ତ୍ତ୍ୟପୁରେ ଦେହଧରି

ବ୍ରହ୍ମ ଅଇଛ ନୀଳଗିରି

।।

ଆଜହୁଁ ଯାଏ ମୁଁ ଜାଣେ

ଭ୍ରମୁଅଛଇ ଅକାରଣେ

।।

ଯାହାକୁ ନୟନେ ଦେଖିଲେ

ଜୀବ ନିସ୍ତାର ହୋଏ ଭଲେ

।।

ଯେ ଗତାଗତ ପଥ ଜାଣି

ରହେ ଭ୍ରମରେ ଦେହେ ମଣି

।।

ସେ ବ୍ରହ୍ମ ଛାଡ଼ି ମୂଢ ପଣେ

ମୁଁ ଏଥି ଥିବି ଅକାରଣେ

।।

ଦାରା ତନୟ ଧନ ଯେତେ

କେ ଯିବ ମୋହର ସଙ୍ଗତେ

।।

ଦେହେ ସମର୍ଥ ଥିବ ଯାଏ

ସବୁରି ବନ୍ଧୁ ହୋଇଥାଏ

।।

ବୟସ ହେବ ଯେବେ ଶେଷ

ଦାରା ପୁତ୍ରକୁ ହେବି ବିଷ

।।

ଆଉ କେ ଅଟଇ କାହାର

ଦେହ ତ ନୋହେ ଆପଣାର

।।

ଏତେ ବିଚାରି ତାର ଚିତ୍ତ

ବୋଇଲା ଯିବି ମୁଁ ତ୍ୱରିତ

।।

ସେ ବ୍ରହ୍ମ ଦର୍ଶନ କରିବି

ହେଲେ ମୁଁ ମୁକତି ଲଭିବି

।।

ଏ କଥା ଅଟେ ମୋର ମୂଳ

ବୋଲିଣ କଲା ଅନୁକୂଳ

।।

ହୋଇଣ ପରମ ସନ୍ତୋଷ

ଛାଡ଼ି ସଂସାରେ ଦେହ ଆଶ

।।

ସେ ବ୍ରହ୍ମ ପୁରାଣ ଧଇଲା

ବ୍ରହ୍ମ ସୁମରି ବାହାରିଲା

।।

କେତେ ହେଁ ମାସ କେତେ ଦିନ

ପଥରେ କଲାକ ଗମନ

।।

ଭିକ୍ଷା ସେ ମାଗିଣ ଜୀଅଇ

ନ ମିଳେ ଉପବାସେ ଥାଇ

।।

କୋମଳ ପତ୍ର ଫଳମୂଳ

ନଦୀ ପୋଖରୀ କୂପଜଳ

।।

ପାନ କରିଣ ଚଳିଯାଏ

ମନରେ ଚିନ୍ତା ଯେ ନ ଥାଏ

।।

ବ୍ରହ୍ମରେ ଲାଗିଅଛି ଲୟ

ଏଣୁ ତା କିଛି ନାହିଁ ଭୟ

।।

ଏମନ୍ତେ କେତେଦିନ ପରେ

ପ୍ରବେଶ ଅଠର ନଳାରେ

।।

ଯହିଁ ପ୍ରବେଶ ହେଲେ ପ୍ରାଣୀ

ଯମ ଦଣ୍ଡକୁ ଯାନ୍ତି ଜିଣି

।।

ସେ ଦିବ୍ୟସ୍ଥାନ ଗୋଟି ଦେଖି

ନିର୍ମଳ କଲା ଚର୍ମ ଆଖି

।।

ବସିଲା ନିଶ୍ଚଳ ଆସନେ

ବ୍ରହ୍ମଙ୍କୁ ଚିନ୍ତା କରି ମନେ

।।

ଏଥିଉତ୍ତାରୂ କଥାଶୁଣ

ପ୍ରଭୁଙ୍କ ଦର୍ଶନ ସାରିଣ

।।

କ୍ଷେତ୍ରୁ ଆସନ୍ତି ଜଣ କେତେ

ଅବଢାମାନ ଧରି ହସ୍ତେ

।।

ଗୀତ ଗାଇଣ ରଙ୍ଗେ ହସି

ମିଳିଲେ ବିପ୍ର ପାଶେ ଆସି

।।

ଦେଖିଣ ତାହାଙ୍କର ହୃଷ୍ଟ

ପୁଚ୍ଛଇ ଗଣପତି ଭଟ୍ଟ

।।

ଶୁଣ ପଥୁକୀଜନ କହି

ଶୁଣ ହେ ବିପ୍ରବର ତୁହି

।।

ଆମ୍ଭେ ଯେ ଶ୍ରୀନୀଳକନ୍ଦରେ

ଯାଇଣ ଥିଲୁ ଦର୍ଶନରେ

।।

ତହିଁ ରହିଣ ପାଞ୍ଚଦିନ

ବ୍ରହ୍ମକୁ କରିଣ ଦର୍ଶନ

।।

ମେଲାଣି ହୋଇ ଯେଝାମତେ

ତେଣୁଟି ଆସୁ ଶ୍ରଦ୍ଧାଚିତ୍ତେ

।।

ଦେଖ ଏ ପରମ ଦୁର୍ଲ୍ଲଭ

ଏଥିଉତ୍ତାରୁ କିସ ଲାଭ

।।

ତା ଶୁଣି ବିପ୍ର ଆଚମ୍ୱିତେ

ଦଣ୍ଡକେ ରହି ସ୍ତମ୍ଭୀଭୂତେ

।।

ପୁଚ୍ଛଇ ପୁଣ ପୁଣ ତାଙ୍କୁ

ଦେଖିଲଟିକି ସେ ବ୍ରହ୍ମକୁ

।।

ହେଉ ବୋଲିଣ ଗଲେ ଚଳି

ବସିଣ ବିପ୍ର ତହିଁ ଭାଳି

।।

ବ୍ରହ୍ମ ଥିବାରୁ ଏଥେ ମିଛ

ଦେଖିତ ଅଇଲେ ପ୍ରତ୍ୟକ୍ଷ

।।

ଯାହାର ଦର୍ଶନେ ମୁକତି

ଏ କିମ୍ପା ଲେଉଟି ଆସନ୍ତି

।।

ବ୍ରହ୍ମ ଶରୀରେ ନ ମିଶିଲେ

କେମନ୍ତେ ଲେଉଟି ଆସିଲେ

।।

ଏମନ୍ତ ବିଚାରିଣ ମନେ

ଲୋକେ ଆସନ୍ତି ହୋଇ ଚ୍ଛନ୍ନେ

।।

ନୀରତେ ଯିବା ଆସିବାରେ

ଦଣ୍ଡେ ନ ଦେଖି ଅବସରେ

।।

ପୁଚ୍ଛିଲେ ସେହି କଥା କହି

ଶୁଣି ସଂଶୟ ମନେ ପାଇ

।।

ପୁରାଣ ଫିଟାଇତତ୍‌କ୍ଷଣେ

ଲେଉଟି ପଢିଲେ ଆପଣେ

।।

ବ୍ରହ୍ମ ଅଛନ୍ତି ନୀଳଗିରି

ପଢଇ ପୁଣ ପୁଣ କରି

।।

ବିଚାର କଲା ତା ହୃଦର

କି ବୁଦ୍ଧି କରିବି ଏଥର

।।

ଏହି ପୁରାଣେ ଲେଖିଛନ୍ତି

ଲୋକେ ତ ଏମନ୍ତ ବୋଲନ୍ତି

।।

ଏ ତ ସାକ୍ଷାତ କଥାଗୋଟି

ଏ ତ ପୁରାଣ ପଥସୃଷ୍ଟି

।।

ଏଥକୁ କି ବୁଦ୍ଧି କରିବି

କେଣିକି ଯାଇ ନ ପାରିବି

।।

ଖାଇଚି କାଳକୂଟ ବିଷ

ଲାଗିବ ଆତ୍ମହତ୍ୟା ଦୋଷ

।।

ଏମନ୍ତ ବିଚାରୁ ତା ମନ

ଜାଣିଲେ ପ୍ରଭୁ ଭଗବାନ

।।

ସେ ସର୍ବ ଅନ୍ତର୍ଯ୍ୟାମୀ ହରି

ସକଳ ଘଟେ ଛନ୍ତି ପୂରି

।।

ଭକତ ମନେ ଯାର ଘର

ତାହାକୁ କିସ ଅଗୋଚର

।।

ତକ୍ଷଣେ ଭକ୍ତ ମନ ଜାଣି

ବିଜୟ କଲେ ଚକ୍ରପାଣି

।।

ବିପ୍ର ସ୍ୱରୂପ ଗୋଟି ହୋଇ

ମିଳିଲେ ବିପ୍ର ପାଶେ ଯାଇ

।।

ଭୃତ୍ୟ ଯେ ବସିଅଛି ଦୁଃଖେ

ପ୍ରଭୁ ମିଳିଲେ ତାର ପାଖେ

।।

ପୁଚ୍ଛନ୍ତି ବିପ୍ର ମୁଖ ଚାହିଁ

ହରଷେ ବ୍ରହ୍ମାଣ୍ଡ ଗୋସାଇଁ

।।

କାହୁଁ ଅଇଲ ବିପ୍ରବର

କିମ୍ପା ବସିଛ ଏ ଠାବର

।।

କହ କେଣିକି ଏବେ ଯିବ

କିମ୍ପାଇ ମନେ ଦୁଃଖ ଭାବ

।।

ସଂଶୟ ନ କରିଣ ଚିତ୍ତେ

ହେ ବିପ୍ର କହ କିନା ମୋତେ

।।

ବିପ୍ର ଶ୍ରୀମୁଖୁ ଏହା ଶୁଣି

ସେ ଗଣପତି ଭଟ୍ଟମଣି

।।

ହେ ବିପ୍ର ପଚାରିଲ ଯେବେ

ଶୁଣ କହିବା ଯଥାଭାବେ

।।

ଆମ୍ଭେ ଯେ ବ୍ରହ୍ମ ପୁରାଣରେ

ଶୁଣିଲୁ ଏମନ୍ତ ପ୍ରକାରେ

।।

ବ୍ରହ୍ମ ବିଜୟ ନୀଳଗିରି

ଦର୍ଶନ ମାତ୍ରେ ଦୁଃଖ ହରି

।।

ଏକଥାଜାଣି ମୋର ମନେ

ଅଇଲି ବ୍ରହ୍ମ ଦରଶନେ

।।

ଏବେ ଶୁଣିଲି ବ୍ରହ୍ମ ନାହିଁ

ତେଣୁ ମୁଁ ଅଛି ଏଥେ ରହି

।।

ତା ଶୁଣି ପ୍ରଭୁ ଭାବଗ୍ରାହୀ

କହନ୍ତି ଭକ୍ତ ମୁଖ ଚାହିଁ

।।

ବ୍ରହ୍ମ ନାହାନ୍ତି ବୋଲି ଏଥେଁ

ତା ତୁମ୍ଭେ ଜାଣିଲ କେମନ୍ତେ

।।

ବିପ୍ର ବୋଇଲେ ତାହା ଶୁଣି

ଶୁଣ ହେ ବିପ୍ର ଚୂଡ଼ାମଣି

।।

ସେ ବ୍ରହ୍ମ ସ୍ୱରୂପେ ମିଶାଇ

ଜୀବ୍‌ ଲେଉଟି ନ ଆସଇ

।।

ତାହାଙ୍କୁ କରି ଦରଶନ

ଲେଉଟି ଆସୁଛନ୍ତି ଜନ

।।

ଏହା ମୁଁ ଦେଖିଲି ପ୍ରତ୍ୟକ୍ଷ

ତେଣୁଟି ବ୍ରହ୍ମ ଥିବା ମିଛ

।।

ତାହା ଶୁରିଣ ବ୍ରହ୍ମରାଶି

ଅଳପ ମନ୍ଦ ମନ୍ଦ ହସି

।।

ବୋଇଲେ ଶୁଣ ବିପ୍ରବର

ତୋ ମନେ ସଂଶୟ ନ କର

।।

ବ୍ରହ୍ମ ନ ଥିବା ଏ ପ୍ରମାଣ

ତାହା କହିବା ଏବେ ଶୁଣ

।।

ଯେ ଆତ୍ମା କଳ୍ପତରୁ ହରି

ଯେ ଯାହା ମନବାଞ୍ଛା କରି

।।

ତାହାଙ୍କୁ ସେହି ଫଳ ଦେଇ

ତେଣୁଟି ବାଞ୍ଛାନିଧି ସେହି

।।

ଯେବଣ ପ୍ରାଣୀ ଏଥେ ଆସି

ଦର୍ଶନ କରେ ବ୍ରହ୍ମରାଶି

।।

କଳ୍ପନା କରି ତାଙ୍କ ମନେ

ଲେଉଟି ଯିବାକୁ ସଦନେ

।।

ତାହାଙ୍କୁ ଯଦ୍ୟପି ରଖିଲେ

କି ବାଞ୍ଛାନିଧି ବୋଲାଇଲେ

।।

ଏଣୁ ଯେ ଯାହା ଚିନ୍ତୁ ଥାଇ

ତାହାକୁ ସେହି ଫଳ ଦେଇ

।।

ତୋଷନ୍ତି ପ୍ରଭୁ ମହାମେରୁ

ତେଣୁଟି ବାଞ୍ଛା କଳ୍ପତରୁ

।।

ଯେବଣ ଲୋକ ମୁକ୍ତି ଅର୍ଥେ

ନିଶ୍ଚୟ ଆସିଥିବେ ଏଥେ

।।

ତାହାଙ୍କୁ ମୁକ୍ତିପଥ ଦେବେ

ତୁ ବିପ୍ର ବେଗେ ଯାଅ ଏବେ

।।

ମନେ ତୁ ସଂଶୟ ନ କର

ବ୍ରହ୍ମକୁ ଦରଶନ କର

।।

ଏମନ୍ତେ କହିଗଲେ ହରି

ବିପ୍ର ଚଳିଲା ନୀଳଗିରି

।।

ପ୍ରବେଶ ହେଲା ସିଂହଦ୍ୱାରେ

ପତିତ ପାବନ ଛାମୁରେ

।।

ଦଇବ ଯୋଗେ ସେହିଦିନ

ହୋଇ ଅଛଇ ଦେବସ୍ନାନ

।।

ଦେଉଳେ ତେଜି ଦେବରାୟେ

ସ୍ନାହାନ ମଣ୍ଡପେ ବିଜୟେ

।।

ସ୍ନାହାନ କରିବା ନିମନ୍ତେ

ଚକାରେ ବିଜେ ଜଗନ୍ନାଥେ

।।

ଅଶେଷ ତୀର୍ଥ ଜଳ ଭରି

ସେବକେ ଜୟ ଜୟ କରି

।।

ବେଢି ଅଛନ୍ତି ଚଉପାଶେ

ପ୍ରଭୁଙ୍କୁ ଦେବାର୍ଚ୍ଚନା ଆଶେ

।।

ସ୍ୱର୍ଗ ଦେବତାମାନେ ଆସି

ମାୟାରେ ନରଲୋକେ ମିଶି

।।

ଦର୍ଶନ କରୁଛନ୍ତି ରହି

ଅନେକ ଉତ୍ସବ କରାଇ

।।

ଏମନ୍ତ ବେଳେ ଗଣଭଟ୍ଟ

ମିଳିଲେ ପ୍ରଭୁଙ୍କ ନିକଟ

।।

ଦେଖିଲେ ଦାରୁବ୍ରହ୍ମ ମୂର୍ତ୍ତି

ମଣ୍ଡପେ ବିଜେ କରିଛନ୍ତି

।।

ନିରୋପି ଅନାଇଣ ଦେଲେ

ଗଜବଦନ ନ ଦେଖିଲେ

।।

ଥୋର ବିହୀନେ ମୁଖ ଶୂନ୍ୟ

ଦେଖି ବିଚାର କଲେ ମନ

।।

ଗଜବଦନ ନାହିଁ ଏଥେ

ବ୍ରହ୍ମ ନୁହଇ କଦାଚିତେ

।।

ଏମନ୍ତ ବୋଲି ଲେଉଟିଲା

ସେ ପ୍ରଭୁ ପାଦେ ନ ନମିଲା

।।

ଅତ୍ୟନ୍ତ ମନ ଦୁଃଖ ହୋଇ

ବାହୁଡ଼ି ଗଲାକ ପଳାଇ

।।

ଦେଖି ତାହାର ଦାର୍ଢ୍ୟମନ

କେବଳ ବ୍ରହ୍ମ ଗଜାନନ

।।

ବୋଲି ଜାଣଇ ତାର ମନେ

ଅନ୍ୟ ଦେବଙ୍କୁ ସେ ନଗଣେ

।।

ତେଣୁ ସେ ଲେଉଟିଣ ଗଲା

ମସ୍ତକେ ହସ୍ତ ହିଁ ନ ଦେଲା

।।

ଏଥିଉତ୍ତାରୁ ଶୁଣ ଜନ

ସେ ଅନ୍ତର୍ଯ୍ୟାମୀ ନାରାୟଣ

।।

ଭକତ ଜନ କାଷ୍ଠା ଜାଣି

ତକ୍ଷଣେ ଶଙ୍ଖଚକ୍ରପାଣି

।।

ମୁଦିରଥ କେ ରାତ୍ରଯାକେ

ଅନିଦ୍ରେ ଥିଲେ ପ୍ରଭୁ ପାଖେ

।।

ତେଣୁଟି ନିଦ୍ରାଚଳ ହୋଇ

ଜଗମୋହନେ ଥିଲା ଶୋଇ

।।

ତାର ପାରୁଶେ ବିଜେ କଲେ

ସ୍ୱପନ ମାର୍ଗେ ଆଜ୍ଞା ଦେଲେ

।।

ବୋଇଲେ ଶୁଣ ମୁଦିରଥ

ଉତ୍ତର ଦେଶୁ ମୋ ଭକତ

।।

ଆସିଣ ଅଛି ଅତି ତୋଷେ

ମୋହର ଦରଶନ ଆଶେ

।।

ତେଶୁ ମୋ ଛାମୁକୁ ଅଇଲା

ମୋର ମୁଖକୁ ଚାହିଁ ଦେଲା

।।

ଗଜବଦନ ମୋ ନ ଦେଖି

ମନରେ ହୋଇ ମହାଦୁଃଖୀ

।।

ବାହୁଡ଼ି ଯାଉଅଛି ସେହି

ବେଗେ ତୁ ଘେନି ଆସ ଯାଇ

।।

ବୋଲିବୁ କିମ୍ପା ଯାଉ ରୁଷି

ଦର୍ଶନ କର ବ୍ରହ୍ମରାଶି

।।

ନିଶ୍ଚଳକରି ତୋ ନୟନ

ଚାହିଁ ଦେଖିବୁ ଗଜାନନ

।।

ଏମନ୍ତ ବୋଲି ଘେନିଆସ

କହି ଚଳିଲେ ପୀତବାସ

।।

ସେ ମୁଦିରଥ ବେଗେ ଉଠି

ଭଜିଣ ହରିନାମ ଗୋଟି

।।

ଧାଇଁଣ ଗଲା ଅତି ବେଗେ

ମିଳିଲା ଗଣଭଟ୍ଟ ଆଗେ

।।

ବୋଇଲା ଶୁଣ ବିପ୍ରଗୋଟି

କିମ୍ପା ତୁ ଯାଇଛୁ ଲେଉଟି

।।

ବ୍ରହ୍ମଙ୍କୁ ଦରଶନ କର

ବାଞ୍ଛା ସମ୍ପୂର୍ଣ୍ଣ ହେଉ ତୋର

।।

ଯେ ଚତୁବର୍ଗ ଫଳଦାତା

ଅଶେଷ ଜୀବର କରତା

।।

ଭକତଜନ ପ୍ରାଣବନ୍ଧୁ

ନାମ କରୁଣାମୟ ସିନ୍ଧୁ

।।

ଯେ ଯାହା ବାଞ୍ଛା କରେ ଚିତ୍ତେ

ତାହାକୁ ତାହା ଦେବା ଅର୍ଥେ

।।

ବିଜୟ ସେହୁ ନୀଳଗିରି

ଶ୍ରୀ ଦାରୁବ୍ରହ୍ମ ରୂପ ଧରି

।।

ତାହାଙ୍କୁ ହୁଡ଼ ମୂଢ ପଣେ

ଲେଉଟି ଯାଉ କି କାରଣେ

।।

ସେ ଗଣପତି ଭଟ୍ଟ ଶୁଣି

କ୍ରୋଧେ ବୋଇଲେ କଟୁବାଣୀ

।।

ବ୍ରହ୍ମ ଅଛଇ କେଉଁଠାରେ

କିମ୍ପାଇ ଭଣ୍ଡୁ ତୁ ମୋହରେ

।।

ଯାହାରେ ଗଜାନନ ନାହିଁ

ସେ ବ୍ରହ୍ମ ବୋଲାଇବ କାହିଁ

।।

ଶୁଣ୍ଢ ନ ଦେଖୁ ଯାହାଠାରେ

ବ୍ରହ୍ମ ନ ବୋଲୁ ଆମ୍ଭେ ତାରେ

।।

ଏଣୁ ତୁ ଯାଅ ହୋ ବାହୁଡ଼ି

ମୁହିଁ ତ ନାହିଁ ତୋତେ ଲୋଡ଼ି

।।

ତୁ କିମ୍ପା ଲେଉଟାଉ ମୋତେ

ଶୁଣି ବୋଇଲେ ମୁଦିରଥେ

।।

ଏବେ ତୁ ଛାଡ଼ି ମତିଭ୍ରମ

ସାକ୍ଷାତେ ବିଜେ ଦାରୁବ୍ରହ୍ମ

।।

ନିଶ୍ଚଳ କରି ତୋ ନୟନ

ଚାହାଁ ଦିଶିବେ ଗଜାନନ

।।

ଏଥେ ସଂଶୟ କିଛି ନାହିଁ

ବୋଲିଣ ନେଲା ଲେଉଟାଇ

।।

ବିପ୍ର ବଦନୁ ଏହା ଶୁଣି

ଆନନ୍ଦେ ଭକ୍ତ ଚୂଡ଼ାମଣି

।।

ଲେଉଟି ଗଲା ଅତି ତୋଷେ

ମିଳିଲା ଦାରୁବ୍ରହ୍ମ ପାଶେ

।।

ସକଳ ଦୁଃଖ ପରିହରି

ଚଞ୍ଚଳ ମନ ସ୍ଥିର କରି

।।

ସାତ୍ତ୍ୱିକମୟ ଦିବ୍ୟଜ୍ଞାନେ

ଚାହିଁଲା ନିଶ୍ଚଳ ନୟନେ

।।

ଦେଖିଲା ପ୍ରଭୁ ଭଗବାନ

ହୋଇଅଛନ୍ତି ଗଜାନନ

।।

ଲମ୍ୱି ଅଛଇ ଥୋର ହସ୍ତ

ଶୋଭା ଦିଶଇ ଏକଦନ୍ତ

।।

ଅଦ୍ଭୁତ ବିଶ୍ୱରୂପ ଧରି

ଭୃତ୍ୟକୁ ଡାକୁଛନ୍ତି ହରି

।।

ତାହା ଶୁଣିଣ ମହାଯତି

ବୋଲେ ନମସ୍ତେ ଗଣପତି

।।

ନମୋ ନମସ୍ତେ ଗଜାନନ

ନମସ୍ତେ ବପିଳ ବଦନ

।।

ନମସ୍ତେ ଦାରୁ ବ୍ରହ୍ମରାଶି

ନମୋ ନମସ୍ତେ ବିଶ୍ୱବାସୀ

।।

ତବ ଦର୍ଶନେ ଦାରୁବ୍ରହ୍ମ

ତୁଟିଲା ମୋର ମତିଭ୍ରମ

।।

ଲଭିଲୁ ପରମ କାରଣ

ଏବେ ଯା ମାଗୁଅଛି ଶୁଣ

।।

ଆଜ ଏ ଦେବସ୍ନାନ ଯାତ

ଯେବେ ହୋଇବ ଜଗନ୍ନାଥ

।।

କେବଳ ହସ୍ତୀ ବଶେ ହୋଇ

ବିଜେ କରିବ ଭାବଗ୍ରାହୀ

।।

ଏତେକ ମାତ୍ର ଆଜ୍ଞା ହେଉ

ଏକଥା ଯୁଗେ ଯୁଗେ ଥାଉ

।।

ଏତେକ କହି ପାଦେ ପଡ଼ି

ଉଠିଲେ ଶିରେ କର ଯୋଡ଼ି

।।

ବ୍ରହ୍ମ ସ୍ୱରୂପ କରି ଧ୍ୟାନ

ତକ୍ଷଣେ ଛାଡ଼ିଲା ଜୀବନ

।।

ଝଟକ ବିଦ୍ୟୁପ୍ରାୟେ ଦିଶି

ବ୍ରହ୍ମଲୋକରେ ଗଲା ମିଶି

।।

ମସ୍ତେ ଜୟ ଜୟ କଲେ

ପ୍ରଭୁଙ୍କ ସେବାରେ ଲାଗିଲେ

।।

ଖ ହେ ପ୍ରଭୁଙ୍କ ମହିମା

ଯାହାକୁ ଭଜେ ବେଦବ୍ରହ୍ମା

।।

ଣୁ ଏ ଭକତ ଛଳରେ

ଏବେ ହୋ ହସ୍ତୀ ବେଶଧରେ

।।

ଣୁଟି ପ୍ରଭୁ ଭାବଗ୍ରାହୀ

ଭକତ ଜୀବନ ବୋଲାଇ

।।

ଖି ସେ ଭକତଙ୍କ ହୃଦ

ଭାବେ ଲଭିଲେ ଏଡ଼େ ପଦ

।।

ନ କେ ଭାଜନ ହୋଇବ

ବ୍ରହ୍ମଦି ଦେବଙ୍କୁ ଦୁର୍ଲ୍ଲଭ

।।

ଣୁ ଏ ସଂସାର ମଧ୍ୟେଣ

ପ୍ରଭୁ ଭକତ ବଡ଼ପଣ

।।

କ୍ତଙ୍କୁ ନ କରିବ ସାନ

ଭକ୍ତ ଦ୍ୱିତୀୟ ଭଗବାନ

।।

ଣ ସୁମନ ହେତୁ ଦେଇ

ଏ ଦାର୍ଢ୍ୟଭକତି ଅଟଇ

।।

ଥେ ନିର୍ମଳ ଯାର ହୃଦ

ନିଶ୍ଚେ ଲଭିବ ମୁକ୍ତପଦ

।।

ନେ ଶ୍ରବଣେ ଯା ଆଶ

ସେ ପ୍ରାଣୀ ଯିବେ ସ୍ୱର୍ଗବାସ

।।

ହଇ ବିପ୍ର ରାମଦାସ

ସେ ଦାରୁବ୍ରହ୍ମ ପଦେ ଆଶ

।।

ଧୁଜନଙ୍କ ପାଦ୍ମପାଦ

ମୋ ମନ ଭୃଙ୍ଗ କରେ ସାଧ

।।

ଜନେ ଏହି ଭାବେ ଭାବ

ହେଳେ ସଂସାରୁ ତରିଯିବ

।।

 

 

ଇତି ଶ୍ରୀ ଦର୍ଢ୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ

ଗଣପତି ଭଟ୍ଟ ଦାର୍ଢ୍ୟଭାବ ମୋକ୍ଷଣେ ନାମ ତ୍ରୟୋବିଂଶୋ ଧ୍ୟାୟଃ ।

•••

 

ଚତୁର୍ବିଂଶ ଅଧ୍ୟାୟ

ଅନନ୍ତା ଶବର ସମ୍ବାଦ

ମନ ଉବାଚ

 

ଅତି ଆନନ୍ଦ ମନୁରାଜା

ଚୈତନ୍ୟ ପାଦେ କଲେ ପୂଜା

।।

ବୋଇଲେ ଶୁଣ ବୀରମଣି

ତୁମ୍ଭ ବଚନ ସୁଧାବାଣୀ

।।

ଶୁଣିଲି ଭକତଙ୍କ କଥା

ଛାଡ଼ିଲା ଭବଭୟ ବ୍ୟଥା

।।

ଏ ଭାବେ କରି ଦାର୍ଢ୍ୟପୁଣ୍ୟ

ନାମ ହିଁ କରିଣ ଭଜନ

।।

ତରିଣ ଗଲେ ପ୍ରାଣୀମାନେ

ଶୁଣିଲି ତୁମ୍ଭର ବଚନେ

।।

ଏ ଭାବେ ନାମ ଭଜି କରି

କେ ଏଥେ ଯାଇଛନ୍ତି ତରି

।।

ଜାଣିଣ ଥିଲେ ମୋତେ କହ

ଶୁଣି ପବିତ୍ର ହେଉ ଦେହ

।।

କହେ ଚୈତନ୍ୟ ତାହା ଶୁଣି

ଶୁଣ ହେ ମନୁ ନୃପମଣି

।।

ତୁ ଯାହା କଲୁ ହେ ପ୍ରସନ୍ନ

କେ ତାହା କରିବ ଭାଜନ

।।

ନାମର ଅଶେଷ ମହିମା

ଜାଣି ନ ପାରେ ବେଦବ୍ରହ୍ମା

।।

ଶେଷ ଅଶେଷ ମୁଖେ ଭଣି

ସେ ପୁଣି ନ ପାରିଲେ ଜାଣି

।।

ପଞ୍ଚ ଆନନେ ସେ ଧୂର୍ଜଟି

ନାମ ମହିମା ମୁଖେ ରଟି

।।

ସେ ଅବା ଜାଣିଛନ୍ତି କେତେ

ଅନ୍ୟ ନ ଜାଣେ କଦାଚିତ୍ତେ

।।

ତୁମର ଆଦି ଅନ୍ତ ନାହିଁ

ଅଳପ ବହୁତ ନୁହଇ

।।

ରୂପ ଅରୂପର ବାହାର

ଏତେ ଅଲେଖ ଅଗୋଚର

।।

ସବୁରେ ଅଛି କାହିଁ ନାହିଁ

ମନ ଗୋଚର ଭେଦ କାହିଁ

।।

ସ୍ଥୂଳ ସୂକ୍ଷ୍ମରୁ ସେ ବାହାର

ଅଶେଷ ଲୋକେ ଅଗୋଚର

।।

ସେ ଯେ ଅନ୍ତର ରୂପରାଶି

କାହାରି ନୟନେ ନ ଦିଶି

।।

ତାହା କହିବା ସାଧ୍ୟକାର

ଶୁଣ ହୋ ମନୁ ନୃପବର

।।

ଯେବଣ ରାମନାମ ଗୋଟି

ଭୂଷଣ୍ଡ ହୃଦେ କରେ ଗଣ୍ଠି

।।

କୋଟିଏ କୋଟିଏ ଯୁଗ ଗଲେ

ଗୋଟିଏ ରୋମ ତାର ତୁଲେ

।।

ରହିଲା ଅଜ୍ରାମର ହୋଇ

ଏକା ଅକ୍ଷର ବ୍ରହ୍ମ ଧ୍ୟାୟି

।।

ଆବର କହୁଅଛି ଶୁଣ

ରାବଣ ଭାଇ ବିଭୀଷଣ

।।

ଭଜିଣ ରାମ ନାମ ଗୋଟି

ହେଳେ ମରଣ ଗଲା କାଟି

।।

ପବନ ସୁତ ହନୁମାନ

ସେ ରାମ ନାମକୁ ଭଜନ

।।

ହେଳେ ତରିଲା ସିନ୍ଧୁବାରି

ଗୋଷ୍ପଦ ଜଳ ପ୍ରାୟ କରି

।।

ହୋଇଲା ଅଜ୍ରାମର କାୟେ

ଯାବତ ଚନ୍ଦ୍ର ସୂର୍ଯ୍ୟ ଯାଏ

।।

ଅନନ୍ତ ରାମ ନାମ ଧ୍ୟାୟି

ଧରା ମଉଳି ଅଛି ବହି

।।

ବିଶେଷ ମୁନିବୃନ୍ଦ ଯେତେ

ସେ ନାମ ଭଜି ହୃଦଗତେ

।।

ସଂସାରୁ ମାୟାରଜ୍ଜୁ କାଟି

ଜନ୍ମ ମରଣ ଗଲେ ମେଣ୍ଟି

।।

ଆବର କହୁଅଛି ତୋତେ

ବ୍ରହ୍ମା ଇନ୍ଦ୍ରାଦି ସୁର ଯେତେ

।।

ଯକ୍ଷ ଗନ୍ଧର୍ବ ସେ କିନ୍ନର

ଚନ୍ଦ୍ର ବରୁଣ ଦିବାକର

।।

ପୃଥିବୀ ପବନ ଅନଳ

ଯେ ଅପସରା ଦିଗପାଳ

।।

ନର ଅସୁର ଆଦି ଯେତେ

ସ୍ୱରୂପ କହୁଅଛି ତୋତେ

।।

ସେ ନାମ ଭଜନ ନ କରି

ସଂସାରେ ନୋହେ ଅଧିକାରୀ

।।

ଶ୍ରୀରାମ ନାମ ଆଶ୍ରା ବିନେ

ଜୀବ ଉଦ୍ଧାର ନାହିଁ ଅନ୍ୟେ

।।

ଏ ନାମ ଅକ୍ଷର ଯୁଗଳ

ଅଶେଷ ପ୍ରାଣୀଙ୍କ ମଙ୍ଗଳ

।।

କଳି କଳ୍ମଷ ଅନ୍ଧକାର

ନାଶଇ ଚନ୍ଦ୍ର ଦିବାକର

।।

ଏ ନାମ ଭଜନର ବିନା

ଅନ୍ୟତ୍ର ଧର୍ମ ଭ୍ରମ ସିନା

।।

ତୁ ଯେ ବୋଇଲୁ ଏ ସଂସାରେ

ଏ ଦେହ ବର ଛାଡ଼େ ଭଲେ

।।

ଅଭାବେ ନାମ ଭଜି କରି

କେ ଅବା ଯାଉଛନ୍ତି ତରି

।।

ତାହା କହିବା ଏବେ ତୋତେ

କେବଳ ଶୁଣ ଶୁଦ୍ଧଚିତ୍ତେ

।।

ପୂର୍ବେ ହୋ ବିଷ୍ଣୁ ପୁରାଣରେ

ନାରଦ ମୁନିଙ୍କୁ ବାକ୍ୟରେ

।।

ଯାହା ମୁଁ ଶୁଣୁଛି ଶ୍ରବଣ

ତାହା କହିବା ଏବେ ଶୁଣ

।।

ଅନନ୍ତା ନାମେଣ ଶବର

ଶବର ପଲ୍ଲୀରେ ତା ଘର

।।

ଅଠାକାଣ୍ଡିଆ ବେଣ୍ଟକରି

ପକ୍ଷୀ ଆଣଇ ନିତ୍ୟେ ମାରି

।।

କପୋତ ପାରୁଆ ଗୁଣ୍ଡରି

କୀର ଗୋବରା ଆଦି କରି

।।

ବକ ସାରସ ଯେ ଡାହୁକ

କାକ କୋକିଳ ଶାରୀ ଶୁକ

।।

ଏ ଆଦି ଯେତେ ପକ୍ଷୀମାନ

ମାରଇ ନିତ୍ୟ ପଶି ବନ

।।

ଯେ ପକ୍ଷୀ ମାରି ଘେନିଆସେ

ବିକଇ ପୁର ଗ୍ରାମ ଦେଶେ

।।

ଯେ ଅବା ମୂଳ ତହିଁ ପାଇ

ପ୍ରାଣ ତୋଷଇ ତାହା ଖାଇ

।।

ଥୋକାଏ ପକ୍ଷୀମାଂସ କରି

ଭକ୍ଷଇ ସୁରା ସଙ୍ଗେ ଭରି

।।

ଏମନ୍ତେ ବଞ୍ଚିଥାଇ ଦିନ

ନ ଜାଣେ ଅନ୍ୟ କଥାମାନ

।।

ନାନା ଧର୍ମାଦି ବୋଲି ଯାହା

ଶ୍ରବଣେ ଶୁଣି ନାହିଁ ତାହା

।।

ଆବର ତପ ତୀର୍ଥ ଯେତେ

ତାହା ସେ ଜାଣିବ କେମନ୍ତେ

।।

ନାମ ଭଜନ କରିବାର

ସ୍ୱପନେ ନ ଜାଣେ ଶବର

।।

ଦେବ ବ୍ରାହ୍ମଣ ସେ ନ ଜାଣେ

ବଞ୍ଚଇ ମୂର୍ଖ ମୂଢପଣେ

।।

ଏମନ୍ତେ କେତେଦିନ ଅନ୍ତେ

ଦିନେକ ବୁଲନ୍ତେ ବନସ୍ତେ

।।

କାହାର ପୋଷା ଶୁଆଗୋଟି

ଲୁହା ଶାଙ୍କୋଳି ଥଣ୍ଟେ କାଟି

।।

ମନ୍ଦିରୁ ପଳାଇଣ ଆସି

ବୃକ୍ଷ ଉପରେ ଥିଲାବସି

।।

ସେ ପକ୍ଷୀ ଦେଖିଣ ଶବର

ସଧୀରେ ବଢାଇ ପୟର

।।

ଧରିଲା ଅଠା ଲଗା ହାତେ

ପକ୍ଷୀକି ଲଗାଇ ତ୍ୱରିତେ

।।

ସେ ପକ୍ଷୀ ପ୍ରାଣର ବିକଳେ

ପଡ଼ିଲା ଶବର ହସ୍ତରେ

।।

ବଦନେ ନାମ ଦାସ ଭଣି

ଶବର କର୍ଣ୍ଣେ ତାହା ଶୁଣି

।।

ଶୁଣ ସୁମନେ ତୋଷ ମନେ

ପକ୍ଷୀକି ଆଣିଲା ବନ୍ଧନେ

।।

ଆଉ ବା କେତେ ପକ୍ଷୀ ମାରି

ଚଳିଣ ଗଲା ନିଜପୁରୀ

।।

ସେ ଶୁଆଗୋଟି ଘେନିଗଲା

ଗ୍ରାମ ଦେଶରେ ବୁଲାଇଲା

।।

ଉତ୍ତମ ଲୋକ ମୁଖ ଚାହିଁ

ଅନନ୍ତା ଶବର ବୋଲଇ

।।

ଶୁଣ ହେ ଆଚମ୍ୱିତ ବାଣୀ

ଏ ଶୁଆ ରାମ ନାମ ଭଣି

।।

ଏ ବଡ଼ ଆଚମ୍ୱିତ କଥା

ଶୁଣି ଲାଗିଲା ମୋତେ ବ୍ୟଥା

।।

କେତେହେଁ ପକ୍ଷୀ ମୁଁ ମାଇଲି

ଏହା ତ ଦିନେ ନ ଶୁଣିଲି

।।

ଏହି ସଂଶୟ ଫେଡ଼ ମୋର

ସେ ଭଲ ଲୋକ କହେ ଗୀର

।।

ଏ କାହା ପୋଷା ଶୁଆଗୋଟି

ତେଣୁଟି ରାମନାମ ରଟି

।।

ଏମନ୍ତ ବୋଲି ଧନ ଦେଲା

ସେ ଶୁଆଗୋଟି କିଣିନେଲା

।।

ଶବର ଧନ ଘେନି ଚଳି

ନିଜ ଭୁବନେ ଯାଇ ମିଳି

।।

ଏମନ୍ତେ କେତେଦିନ ଗଲା

ଶବର ଜୀବନ ହାରିଲା

।।

ତକ୍ଷଣେ ମୃତ୍ୟୁକାଳ ଜାଣି

ଦୂତ ପେଶିଲା ଦଣ୍ଡପାଣି

।।

ସେ ଯମଦୂତମାନେ ଆସି

ଗଲେ ଲଗାଇ କାଳପାଶୀ

।।

ନିବନ୍ଧ କରିଣ ଧଇଲେ

ଅନେକ ମାଡ଼ ହିଁ ମାଇଲେ

।।

ଧରିଣ ଘେନିଯାନ୍ତେ ଏଥେ

ଆସି ମିଳିଲେ ବିଷ୍ଣୁ ଦୂତେ

।।

ଯମଦୂତଙ୍କୁ କ୍ରୋଧଭରେ

ବୋଇଲେ ଶୁଣରେ ପାମରେ

।।

ଏ ପୁଣ୍ୟ ଶବରକୁ କେଣେ

ବାନ୍ଧିଣ ଅଛ କି କାରଣେ

।।

ତୁମ୍ଭେ ଯେ କେଉଁ ପାପବଳେ

ପାଶ ଲଗାଇ ଏହା ଗଳେ

।।

ଝିଙ୍କି ନେଉଛ ଅନ୍ତରୀକ୍ଷେ

ଆମ୍ଭେ ତ ଦେଖିଛୁ ପ୍ରତ୍ୟକ୍ଷେ

।।

ସାମାନ୍ୟ ଭରସା ତୁମ୍ଭର

ବିଷ୍ଣୁଭକ୍ତକୁ ନାହିଁ ଡ଼ର

।।

ଏବେରେ ପ୍ରାଣେ ଥିଲେ ଆସ

ବେଗେ ଫିଟାଅ କାଳପାଶ

।।

ଛାଡ଼ିଣ ପଳାଅ ତ୍ୱରିତେ

ଶୁଣି ବୋଇଲେ ଯମଦୂତେ

।।

ଶୁଣ ହେ ବିଷ୍ଣୁ ଦୂତମାନେ

ଏହା ଯେ କହିଲ ବଚନେ

।।

ଏହା ମହାପାପିଷ୍ଠ ଚାଣ୍ଡାଳ

ପାପ ଆଚାରେ ଗଲା କାଳ

।।

ଅନେକ ଜୀବହତ୍ୟା କରି

ଅଛି ଏ ପାପକୁ ନ ଡ଼ରି

।।

ପୂର୍ଣ୍ଣ ଏହାର ଲେଶ ନାହିଁ

ଏହାକୁ ଛାଡ଼ିବୁ କିମ୍ପାଇଁ

।।

ଶୁଣି ବୋଲନ୍ତି ବିଷ୍ଣୁଚର

ଶୁଣ ହେ ଯମର ଡଗର

।।

ନାମ ମହିମା ପ୍ରଭୁଙ୍କର

ଶୁଣିଲା ନାହିଁ କି ତୁମ୍ଭର

।।

ଭାବେ ଅଭାବେ ଯେଉଁ ପ୍ରାଣୀ

ବଦନେ ରାମନାମ ଭଣି

।।

ଯେ ଅବା ଶୁଣୁଥାଇ କର୍ଣ୍ଣେ

ନୋହିଲେ ଚିନ୍ତୁଥାଇ ମନେ

।।

ଅଶେଷ କୋଟି ଜନ୍ମ ଯାଏ

ସେ ଯେବେ ପାପ କରିଥାଏ

।।

ଦଣ୍ଡକେ ହୋଇ ଭସ୍ମ ରାଶି

ସେହି ସେ ବିଷ୍ଣୁ ଲୋକେ ବସି

।।

ତେଣୁଟି ଏ ପୁଣ୍ୟ ଶବର

ପାତକ ନାହିଁଟି ଏହାର

।।

ତେଣୁଟି ହେଲା ବିଷ୍ଣୁ ଦାସ

ବେଗେ ଫିଟାଅ କାଳପାଶ

।।

ନୋହିଲେ ମରିବ ସମସ୍ତେ

ରଖି ନ ପାରେ ଜନ୍ତୁନାଥେ

।।

ତା ଶୁଣି ଯମଗଣେ ଆସି

ଫିଟାଇ ଦେଲେ କାଳପାଶୀ

।।

ନମିଲେ ତାହାଙ୍କ ଚରଣେ

ପଳାଇଗଲେ ତତକ୍ଷଣେ

।।

ଭେଟିଲେ ଯମର ଅଗ୍ରତେ

ସବୁ କହିଲେ ବିଧିମତେ

।।

ଶୁଣ ହେ ଜନ୍ତୁଙ୍କର ନାଥ

ଆମ୍ଭେ ଦେଖିଲୁ ବିପରୀତ

।।

ମର୍ତ୍ତ୍ୟ ମଣ୍ଡଳେ ଦେହ ବହି

ଜାତିରେ ଶବର ଅଟଇ

।।

ଅନେକ ଜୀବହତ୍ୟା ତାର

ପାତକ କରିଛି ଅପାର

।।

କିଞ୍ଚିତ ପୁଣ୍ୟ ତାର ନାହିଁ

କେବଳ ଶୁଣ ଜନ୍ତୁସାଇଁ

।।

ଶୁଆ ମୁଖରୁ ରାମ ବାଣୀ

ଥରେ ତା କର୍ଣ୍ଣେ ଥିଲା ଶୁଣି

।।

ଏମନ୍ତେ ପାତକୀକୁ ଧରି

ଆଣୁ ଯେ ଥିଲୁ ବନ୍ଦି କରି

।।

ତହିଁକି ବିଷ୍ଣୁ ଦୂତ ଆସି

ଆମ୍ଭଙ୍କୁ ଅନେକ ଝିଙ୍ଗାସି

।।

ଫିଟାଇ ଦେଲେ କାଳପାଶୀ

ତାହାକୁ ନେଲେ ସ୍ୱର୍ଗବାସୀ

।।

ତେଣୁଟି ଅଇଲୁ ପଳାଇ

ଏକଥା ବୁଝ ହେ ଗୋସାଇଁ

।।

ଯମ ନୃପତି ତାହା ଶୁଣି

ଦୂତଙ୍କମୂଖ ଚାହିଁ ଭଣି

।।

ବୋଇଲେ ଶୁଣ ଆରେ ମୂର୍ଖ

ଆଜ ଏ କଥା ମନେ ରଖ

।।

ଭାବେ ଅଭାବେ ଯେଉଁ ପ୍ରାଣୀ

କର୍ଣ୍ଣରେ ରାମନାମ ଶୁଣି

।।

କି ଅବା ମୁଖେ ଘୋଷୁଥିବ

ତାହାର ପାଖକୁ ନ ଯିବ

।।

ଯଦ୍ୟପି ଯିବ ତାର ପାଶ

ନିଶ୍ଚେ ମୋ ଯମପଣ ନାଶ

।।

ଆବର କହୁଅଛି ତୋତେ

ଶୁଣିଣ ଥାଅରେ ସମସ୍ତେ

।।

ଯା ମୁଣ୍ଡେ ତୁଳସୀ ମଞ୍ଜରୀ

ତୁଣ୍ଡେ ନିର୍ମାଲ୍ୟ ଥିବ ଭରି

।।

ଗଳେ ତୁଳସୀ ମାଳ ଥିବ

ହୃଦେ ଶ୍ରୀରାମ ଜପୁଥିବ

।।

ଯେ ଅବା ସାଧୁଙ୍କ ସଙ୍ଗରେ

ସେ ସ୍ନାନ କରେ ଗଙ୍ଗାନୀରେ

।।

ଯେ ଅବା କରେ କ୍ଷେତ୍ରେ ବାସ

ଯେ କରିଥିବେ ହରିବଶ

।।

ଯେ ଅବା ଗୁରୁ ପାଦଗତେ

ସେବା କରନ୍ତି ଅବିରତେ

।।

ଯେ ଅବା ଦେବା ଦୟା କରେ

କି ଅବା ପର ଉପକାରେ

।।

ଏମନ୍ତ ଲୋକଙ୍କର କତି

ଗଲେ ମୋ ସରିବ ସମ୍ପତ୍ତି

।।

ଏତେ ତିଆରି ଯମରାଜେ

ନିଜ ଭୁବନେ କଲେ ବିଜେ

।।

ଏବେ ହୋ ଶୁଣ ଶୁଦ୍ଧମନେ

ସେ ଯେତେ ବିଷ୍ଣୁଗଣମାନେ

।।

ଅନନ୍ତା ଶବରକୁ ଧରି

ଅନେକ ଅଳଙ୍କାର ଭରି

।।

ଦିବ୍ୟ ବସନ ପିନ୍ଧାଇଲେ

କୁସୁମ ଗନ୍ଧବାସ ତୁଲେ

।।

ରଥରେ ବସାଇଲେ ନେଇ

ଜୟ ଶବଦ ତୁଣ୍ଡେ ଗାଇ

।।

ବଜାଇ ଜୟ କମ୍ୱୁସ୍ୱନ

ରଥ ବୋହିଲେ ଘନ ଘନ

।।

ପୁଷ୍ପଦିମାନେ ବସାଇଲେ

ବିଷ୍ଣୁ ଲୋକକୁ ଘେନିଗଲେ

।।

ଶୁଣ ସୁମନ ଏ ଚରିତ

ନାମର ମହିମା ଏମନ୍ତ

।।

କୋଟିଏ ଦାନ ପୁଣ୍ୟ କରି

ନାମ ଗୋଟିକୁ ନୋହେ ସରି

।।

ଏଣୁ ତୁ ନାମ ଆଶ୍ରା କରି

ଏ ଭବ ଜଳୁ ହୁଅ ପାରି

।।

ଏ ଦାର୍ଢ୍ୟଭକ୍ତି ରସାମୃତ

କେବଳ ଶ୍ରବଣ ଅମୃତ

।।

କହଇ ବିପ୍ର ରାମଦାସ

ଶ୍ରୀରାମ ପାଦେ ମୋର ଆଶ

।।

ଜାନକୀ ବଳ୍ଲଭ ଚରଣେ

ମୋ ଚିତ୍ତ ରହୁ ଅନୁକ୍ଷଣେ

।।

ସେ ରାମ ନାମ ଗୋଟି ଚିତ୍ତେ

ନିରତେ ରହୁ ହୃଦଗତେ

।।

ଦଣ୍ଡେ ନଛାଡ଼ୁ ମୋରମନ

ଏ ଆଜ୍ଞାକର ସାଧୁଜନ

।।

ସୁଜନେ ନାମ ଆଶ୍ରେ କର

ଜନ୍ମ ମରଣକୁ ନ ଡର

।।

ଏମନ୍ତ ଚୈତନ୍ୟ ସମ୍ବାଦ

ଶୁଣନ୍ତେ ନ ଲାଗେ ପ୍ରମାଦ

।।

ଯେବଣ ପ୍ରାଣୀ ଏହା ହେଳେ

ଶ୍ରବଣ କରୁଥାନ୍ତି ବେଳେ

।।

ନୋହିଲେ ନିର୍ମଳ ଭାବରେ

ଗାୟନ କରେ ଏକଥରେ

।।

ସକଳ କର୍ମେ ଯଶ ହେବ

ଗ୍ରହପୀଡ଼ାଦି ନ ଲାଗିବ

।।

ସକଳ ଚିନ୍ତା ହେବ କ୍ଷୟ

ଯେଣିକି ଗଲେ ହେବ ଜୟ

।।

ନିଶ୍ଚେ ସେ ଯିବ ସ୍ୱର୍ଗବାସ

ଯମ ଦଣ୍ଡକୁ ନାହିଁ ତ୍ରାସ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ ଅନନ୍ତ

ଶୁକ ମୁଖୁ ରାମନାମ ଶ୍ରବଣେ ନାମ ଚତୁର୍ବିଂଶୋ ଧ୍ୟାୟଃ ।

•••

 

Unknown

ପଞ୍ଚବିଂଶ ଅଧ୍ୟାୟ

ମ୍ଳେଚ୍ଛ ସମ୍ୱାଦ

ଚୈତନ୍ୟ ଉବାଚ

 

ଚୈତନ୍ୟ ଦେବ ଅତ ତୋଷେ

କହଇ ମନ ରାଜା ପାଶେ

।।

ଶୁଣ ସୁମନ ଶୁଦ୍ଧଭାବେ

ମୁଁ ଯାହା କହୁଅଛି ଏବେ

।।

ନାମର ମହିମା ଅପାର

ନାମଟି ସର୍ବଶାସ୍ତ୍ରେ ସାର

।।

ନାମଟି ଗତି ମୁକ୍ତିଦାତା

ନାମଟି ଜୀବର କରତା

।।

ନାମଟି ଠୁଳ ଶୂନ୍ୟମୟୀ

ତାହାକୁ ବ୍ରହ୍ମବୋଲି କହି

।।

ବ୍ରହ୍ମ ଓଁକାର ଜାତ ହୋଇ

ତହୁଁ ଜନ୍ମିଲେ ମହାମାୟୀ

।।

ତାହାଙ୍କ ତହୁଁ ଅବତାର

ହୋଇଲେ ବ୍ରହ୍ମା ବିଷ୍ଣୁ ହର

।।

ତାହାର ତହୁଁ ଏ ସଂସାର

ଜନ୍ମିଲେ ଅପାରୁ ଅପାର

।।

ଥଣ୍ଡ ଯହିଁରୁ ବୀଜ ଦୁଇ

ସେ ରଜ ଆଚାର୍ଯ୍ୟ ବୋଲାଇ

।।

ଏ ଚାରିଖାନି ଚରାଚର

ଦେଖ ଏ ଜନ୍ମର ବେଭାର

।।

ଏଥିରେ ନାମ ମୂଳ ବୀଜ

ହେ ମନ ହେତୁକରି ବୁଝ

।।

ତେଣୁ ତୁ ନାମ ଆଶ୍ରାକର

ହେଳେ ତରିବୁ ଏ ସଂସାର

।।

ଆବର କହୁଅଛି ତୋତେ

ହେ ମନ ଶୁଣ ଶୁଦ୍ଧଚିତ୍ତେ

।।

ଅପୂର୍ବ କଥା ରସାମୃତ

ଭୂଷଣ୍ଡ ପୂରାଣେ ଉକତ

।।

ବଶିଷ୍ଠ ମୁନିଙ୍କ ଆଗରେ

ଯେ ଯାହା ଭୂଷଣ୍ଡ ବାକ୍ୟରେ

।।

ଯାହା କହିଣ ଛନ୍ତି ତୋଷେ

ନାମର ମହିମା ବିଶେଷେ

।।

ଏହା ପୁରାଣେ ଅଛି ଶୁଣି

ଏ ମୋର ହୃଦପଦ୍ମେ ଗୁଣି

।।

ତାହା କହିବା ତୋତେ ଏବେ

ହେ ମନ ଶୁଣ ଶ୍ରଦ୍ଧାଭାବେ

।।

ପୂର୍ବେ ଯେ ମେଳଚ୍ଛ ଗୋଟାଏ

ଅତି ହିଁ ଦୁରାଚାର କାୟେ

।।

ଜାତିରେ ଅଟଇ ପଠାଣ

ଅତି ପାପିଷ୍ଠ ମୂଢଜନ

।।

ଅନେକ ପାପ ଅଛି କରି

କୋଟି ସଂଖ୍ୟାରେ ଜନ୍ତୁ ମାରି

।।

ବ୍ରହ୍ମହତ୍ୟା ହିଁ ଅଛି କରି

ଅନେକ ପରସ୍ତିରୀ ହରି

।।

ମେଷ ମହୀଷି ଆଦି ଯେତେ

ଦେଖିଲେ ମାରଇ ତ୍ୱରିତେ

।।

ସୁରା ତାହାକୁ ନ ମିଳିଲେ

ଭୋଜନ ନ କରଇ ଭଲେ

।।

ଆବର ଶ୍ରୀଫଳ ପନୀର

ନୟନେ ଦେଖିଲେ ସ୍ଥାବର

।।

ବୃକ୍ଷ ମୂଳରୁ ଯାଏ କାଟି

କୂପ ଭିତରେ ଭରେ ମାଟି

।।

ଦେଖିଲେ ମଣ୍ଡପ ଅଟ୍ଟାଳି

ଅନଳ ସଙ୍ଗେ ଦିଏ ଜାଳି

।।

ଶିବ ଲିଙ୍ଗକୁ ଦେଖି ଭାଙ୍ଗେ

ବିଷ୍ରୁ ପ୍ରତିମା ଦେଖି ଗଞ୍ଜେ

।।

ଦେଖିଲେ ସାଧୁ ବ୍ରହ୍ମଚାରୀ

ପଛେ ଗୋଡ଼ାଇ ତାକୁ ମାରି

।।

ଉଛୁଡ଼ି ନିଏ ପରଧନ

ଦୟା ନ ଥାଇ ତାର ମନ

।।

ଆଉ ଇତର ପାପ ଯେତେ

କିମ୍ପା ଡରିବ ତାର ଚିତ୍ତେ

।।

ଏମନ୍ତେ ପାପୀ ଦିନକର

ଯାଇଣ ଅଛି ଦେଶାନ୍ତର

।।

ଦଇବ ଯୋଗେ ଆସି ଜ୍ୱର

ଘୋଟିଲା ତାର କଳେବର

।।

ଅନେକ ପୀଡ଼ା ସେ ପାଇଲା

ଭୋଜନ ଭଲେ ନ ରୁଚିଲା

।।

ଅତି ଦୁର୍ବଳ ହେଲା ଦେହୀ

ପାଶେ ତ ସାହା ସଖା ନାହିଁ

।।

ଗ୍ରାମ ବାହାରେ ଅଛି ପଡ଼ି

ଊର୍ଦ୍ଧ୍ୱ ନିଃଶ୍ୱାସ ଖରେ ଛାଡ଼ି

।।

ମଳ ବାହାରିଣ ଗୃହ୍ୟରେ

ମାଛିଏ ବସିଲେ ତହିଁରେ

।।

ମରଣ କାଳ ଆସି ହେଲା

ନୟନ ବେନି ବୁଲାଇଲା

।।

ଏମନ୍ତ ସମୟରେ ତହିଁ

ଗ୍ରାମ ଶୂକର ଗୋଟି ଯାଇ

।।

ଚରୁ ଯେ ଥିଲା ଖଣ୍ଡ ଦୂରେ

ଦୂର୍ଗନ୍ଧ ପାଇ ନାସାଦ୍ୱାରେ

।।

ଧାଇଁଣ ଗଲା ଅତି ବେଗେ

ମିଳିଲା ପଠାଣର ଆଗେ

।।

ବେଢି ରହିଲା ତାର ପାଶେ

ଗର୍ଜ୍ଜନ ଦୁର୍ଗନ୍ଧର ଆଶେ

।।

ତାହାକୁ ଦେଖି ସେ ମେଳଚ୍ଛ

ସେ ତାର ଭକ୍ଷଇ ଅଭକ୍ଷ

।।

ମହା ଅସୁଖ ଭାବ ହୋଇ

ହାରାମ ବୋଲି ଗାଳି ଦେଇ

।।

ପ୍ରାଣ ଛାଡ଼ିଲା ସେହୁ ଯେହ୍ନେ

ଦୂତେ ବେଢିଲେ ତତ୍‌କ୍ଷଣେ

।।

ଗଳାରେ କାଳଫାଶ ଦେଲେ

ସେ ଯମଦୂତେ ଘେନିଗଲେ

।।

ଏମନ୍ତ କିଛି ଦୂର ନ୍ୟନ୍ତେ

ଆସି ମିଳିଲେ ବିଷ୍ଣୁଦୂତେ

।।

ବିବିଧ ମାଡ଼ ତାଙ୍କୁ ମାରି

ସେ କାଳପାଶ ଦୂର କରି

।।

ମ୍ଲେଚ୍ଛକୁ ଧରି ଘେନିଗଲେ

ଦେବ ବିମାନେ ବସାଇଲେ

।।

ଅନେକ ଜୟ ଜୟ କରି

ପୁଷ୍ପ ଅଞ୍ଜଳିମାନ ଧରି

।।

ବୃଷ୍ଟି ଯେ କଲେ ତା ମଉଳି

ଦେଇ ଅନେକ ହୁଳହୁଳି

।।

ଆନନ୍ଦ ହେଉଛି ମେଦିନୀ

ବାଜଇ ଜୟ ଶଙ୍ଖଧ୍ୱନି

।।

ରଥ ବାହିଣ ଗଲେ ଚଳି

ବିଷ୍ଣୁ ଲୋକରେ ଯାଇ ମିଳି

।।

ବିଷ୍ଣୁଙ୍କୁ ଦରଶନ କଲା

ଦେବ ଲୋକରେ ଗଣା ହେଲା

।।

ଏଣେ ଯେ ଯମଦୂତମାନେ

ପଳାଇ ଗଲେ ଅଭିମାନେ

।।

କହିଲେ ଯମର ଆଗରେ

ହେ ରାଜା ବୁଝ ଧାତିକାରେ

।।

ଆମ୍ଭେ ଦେଖିଲୁ ଯାହା ଆଜ

କହି ନୁହଇ ଜନ୍ତୁରାଜ

।।

କିମ୍ପାଇଁ ଦଣ୍ଡ ଛାଡ଼ ହେଲା

ତୋର କି ଯମପଣ ଗଲା

।।

ଅତ୍ୟନ୍ତ ମହାପାପୀ ଜାଣ

ଜାତିରେ ଅଟଇ ପଠାଣ

।।

ତାହାକୁ ଆଣୁଥିଲୁ ଧରି

ଆମ୍ଭଙ୍କୁ ବିଷ୍ଣୁଗଣେ ମାରି

।।

ପାପୀ କି ଛଡ଼ାଇଣ ନେଲେ

ପୁଷ୍ପକ ରଥେ ବସାଇଲେ

।।

ଅନେକ ଜୟ ଜୟ ଡାକ

ଘେନିଣ ଗଲେ ବିଷ୍ଣୁଲୋକ

।।

ଏତ ବଡ଼ଇ ଆଚମ୍ୱିତ

ବହନ ବୁଝ ଜନ୍ତୁନାଥ

।।

ଦୂତଙ୍କ ମୁଖୁଁ ଏହା ଶୁଣି

ସେ ମହାକାଳ ଦଣ୍ଡପାଣି

।।

ତ୍ୱରିତ ପେଶିଣ ଦୂତଙ୍କୁ

ପୁଚ୍ଛିଲେ ଚିତ୍ରଗୁପତଙ୍କୁ

।।

ବୁଝିଲେ ପାପପୁଣ୍ୟ କଥା

ସେ ମହାପାପୀର ବ୍ୟବସ୍ଥା

।।

ତାହା ଶୁଣିଣ ମନ୍ତ୍ରୀ ବେନି

ଯେ ପାପ ପୁଣ୍ୟ ପାଞ୍ଜି ଘେନି

।।

କହିଲେ ରାଜାର ଅଗ୍ରତେ

ମ୍ଲେଚ୍ଛ ପାତକ ଅଛି ଯେତେ

।।

ହେ ରାଜା ଶୁଣ ମନ ଦେଇ

ସେ ମହାପାତକୀ ଅଟଇ

।।

ଏ ଜନ୍ମ ଛାଡ଼ି ଅନ୍ୟ ଦେଶେ

ପୁଣ୍ୟ ସେ କରିନାହିଁ ଲେଶେ

।।

ଏତେ ନିଷ୍ଠୁର ପାପୀଜାଣ

ଜାତିରେ ଅଟଇ ପଠାଣ

।।

ଲେଖିବା ପତ୍ରେ ଠାବ ନାହିଁ

ଅଧିକ କି କହିବି ମୁହିଁ

।।

ପାଚକ ପଠାଣଙ୍କ ଜାତି

ଶୁକରେ ହାରାମ ବୋଲନ୍ତି

।।

ତେଣୁ ଏ ମରିବାର ବେଳେ

ଘୁଷୁରି ଦେଖିବେନି ଡୋଳେ

।।

ହା ରାମ ବୋଲି ଡ଼କା ପାଡ଼ି

ପିଣ୍ଡୁ ପରାଣ ଗଲା ଛାଡ଼ି

।।

କେତେକ ବୋଲିଛି କେବଳ

ଆଉ ତା କିଛି ନାହିଁ ଫଳ

।।

ଏଥକୁ ବୁଝ ହେ ରାଜନ

କେତେ ବା ହେଲା ତାର ପୁଣ୍ୟ

।।

ତା ଶୁଣି ଧର୍ମରାଜ ବତ୍ସା

ଧର୍ମସଭାକୁ କଲା ପୁଚ୍ଛା

।।

ବୁଝ ହେ ପାପ ପୁଣ୍ୟ ତାର

କେ ଊଣା ଅଧିକେ ତାହାର

।।

ତା ଶୁଣି ଧର୍ମ ସଭାଜନେ

କହନ୍ତି ରାଜା ସନ୍ନିଧାନେ

।।

ଶୁଣ ହେ ଜନ୍ତୁରାଣ ନାଥ

ଆମ୍ଭେ ଯା କହୁଅଛୁ ସତ

।।

ତାହାର ଯେତେ ପାପ ରାଶି

ସମସ୍ତେ ହେବେ ଭସ୍ମରାଶି

।।

ସୁକୃତ ରହିଲା ତାହାର

ତୋହର ନାହିଁ ଅଧିକାର

।।

ତାଠାରେ ପ୍ରଭୁ ପଣ କଲେ

ସମସ୍ତେ ନାଶଯିବା ଭଲେ

।।

ସାକ୍ଷାତେ ରାମ ନାମ ତାର

ମୁଖରୁ ହୋଇଲା ବାହାର

।।

ହା ରାମ ଶବଦ ବୋଇଲା

ପିଣ୍ଡୁ ପରାଣ ଛାଡ଼ିଗଲା

।।

ପାତକ ହୋଇ ତାର ଯେତେ

ଅପରେ ପୁଣ୍ୟ ଆଉ କେତେ

।।

ପାଞ୍ଚକୋଟି ବସୁନ୍ଧରୀ

ମେରୁସାଗର ଆଦି କରି

।।

ସଂସାରେ ଗୁରୁଦ୍ରବ୍ୟ ଯେତେ

ଅପରେ ପୁଣ୍ୟ ଆଉ କେତେ

।।

ନିକିତି ଘେନି ଯେବେ ତୁଳି

ପଡ଼ିବ ରାମ ନାମ ବଳି

।।

ତୁ କି ନଜାଣୁ ଧର୍ମରାଜ

ଆମ୍ଭ ଖୋଜିବା କିବା କାର୍ଯ୍ୟ

।।

ଶୁଣି ଆନନ୍ଦ ହେଲା ଯମ

ଭଜନ କଲା ରାମନାମ

।।

ଶୁଣି ସୁମନ ଶୁଦ୍ଧଚିତ୍ତେ

ନାମର ମହିମାଟି ଏତେ

।।

ଏବେ ହୋ ଶୁଣ ମନରାୟେ

ତୋତେ ଯେ କହିବା କଥାଏ

।।

ସଂସାରେ ପ୍ରାଣୀମାନଙ୍କର

ଯମକୁ ସିନା ଏତେ ଡର

।।

କରିବା ତହିଁକି ଉପାୟ

ଯେମନ୍ତେ ନୋହିବଟି ଭୟ

।।

ହୋଇଣ କ୍ଷତ୍ରୀ ଅବତାର

ଯମ ସଙ୍ଗତେ ଯୁଦ୍ଧକର

।।

ତହିଁ କି ଶାସ୍ତ୍ରମାନ ଅଛି

ଆଗହୁଁ ରଖିଥାଅ ବାଛି

।।

କେଶ ବସନ ଆଦି ଯେତେ

ରଖିଣ ଥାଅ ତୋ ଅଗ୍ରତେ

।।

ଯେ ନାମ ଭଜେ ଟଙ୍କଧର

ସେ ଅଟେ ବିଷମ ଟୋପର

।।

ତାହାକୁ ଶିରେ ଥିଲେ ଭରି

ଶତ୍ରୁ ଦେଖିଣ ଭୟ କରି

।।

ଶ୍ୟାମ ସୁନ୍ଦର ମାଳ ଗଳେ

ପକାଇ ଦିଅ ଭାବ ଭୋବେ

।।

ଶ୍ରୀ ବାସୁଦେବ ବାଜୁବନ୍ଧ

ଭୁଜରେ ଆଣ୍ଟ କରି ବାନ୍ଧ

।।

ରଙ୍ଗ ଅଧରେ ରଙ୍ଗ ଗୁଣ୍ଡି

ସର୍ବାଙ୍ଗଯାକ ଥିବ ଘୋଟି

।।

ବାମହସ୍ତରେ ତାହା ଧରି

କେବଳ ଆଣ୍ଟ କରି ମାରି

।।

କୃଷ୍ଣ କୃପାରୁ ଅତି ଗାଢ

ତହିଁରୁ ଖଣ୍ଡା ନାହିଁ ଦାଢ

।।

ହାଣିଲେ ମେରୁ ଛିଡ଼ିଯିବ

ଶତ୍ରୁ ଦେଖିଲେ ପଳାଇବ

।।

ତାହା ଦକ୍ଷିଣ କରେ ଧରି

ଯମ ସଙ୍ଗରେ ଯୁଦ୍ଧ କରି

।।

ସେ ଖଣ୍ଡା ଥିଲେ ଚୋର କର

କି କରି ପାରେ ଯମ ଛାର

।।

ଆବର କହୁଅଛି ତୋତେ

ଧନର ବିଦ୍ୟାଅଛି ଯେତେ

।।

ଖୋଜିଣ ଚକ୍ର ଚଉତନା

ଶିରେ ତୁ ବହିଅଛୁ କିନା

।।

କାଳେନ୍ଦୀ କୂଳିଆ କାଛେଣି

କଟୀରେ ଭିଡ଼ିଥାଅ ପୁଣି

।।

ଶ୍ରୀ ଜନାର୍ଦ୍ଦନ ଧନ ଯେଟି

ଅଚଳାଚଳ ବଳ ସେଟି

।।

ଲଗାଅ ଗୁରମଣି ପୁଣ

ଯେବଣ ନାମ ନାରାୟଣ

।।

ସେ ଧନୁ ଗୋଟିକରେ ଧରି

କୃଷ୍ଣ କକ୍ଷେଣୀ ଥିବୁ ଧରି

।।

ଅନନ୍ତ ଅକ୍ଷୟ ତୁଣୀର

ବାମ ଡାହାଣେ ତାହା କର

।।

ମୁକୁନ୍ଦ ମନ ଭେଦି ଶର

ବସାଇ ଧନୁଗୁଣ ଭର

।।

ଆଣ୍ଟ କରିଣ ତାହା ସନ୍ଧି

ଯେତେ ପାରିଲେ ତେତେ ବିନ୍ଧି

।।

ନୃସିଂହ ନାମେ ସେ ନାରାଚ

କୋଟିଏ ଅଗ୍ନି ପ୍ରାୟ ତେଜ

।।

ଶ୍ରୀହରି ନାମେ ଯେଉଁ ଶର

ବିଷମ ମୁନ ଅଟେ ତାର

।।

ଗୋବିନ୍ଦ ନାମେ ଯେଉଁ କାଣ୍ଡ

ତେଜେ ଗଞ୍ଜଇ ମାରତଣ୍ଡ

।।

ସେ ଶରମାନ ଥିଲେ କର

କି କରିପାରେ ନାଶ କର

।।

ମଥାରେ ବାନ୍ଧ ଯଥା ଲାଭେ

ପୁରୁଷୋତ୍ତମ ପାଦଭାବେ

।।

ଯେ ପୀତାମ୍ୱର ପୀତ ନୀଳ

ଅଙ୍ଗେ ଉହାଡ଼ି ଥାଅ ତୋର

।।

ଡଙ୍କନାଶନ ଢାଲ ଗୋଟି

ଯତ୍ନେ ବେଢାଇ ଥାଅ ପିଠି

।।

କୃପା ସମୁଦ୍ର କଟାରୀ କି

କଟୀ ସ୍ଥଳରେ ଥାଅ ରଖି

।।

ତ୍ରୈଲୋକ୍ୟନାଥ ତରୁଆରୀ

ଜାଗ୍ରତେ କରେ ଥାଅ ଧରି

।।

ଶ୍ରୀ ବାସୁଦେବ ଯେ ବରିଛି

ଦକ୍ଷିଣ କରେ ଥାଅ ରଖି

।।

ସେ ମହାକ୍ଷମଶୀଳ ଛେଲ

କୋଟିଏ ସମ ଦାଢ ତୁଲ

।।

ରଖିଣଥିବୁ ଯେବେ କତି

କି କରିପାରେ ଯମଭୀତି

।।

ଏମନ୍ତ ହୋଇ ଯୁଦ୍ଧ କଲେ

ଯମ ପଳାଇଯିବ ଭଲେ

।।

ନୋହିଲେ ଏମନ୍ତ ତୁ କର

ଭାବେ ବଳିଆ ରୂପଧର

।।

ଶ୍ରୀ ବନମାଳୀ ନାମେ ନଳୀ

ଭୁଜେ ପାରିବୁ ଯେବେ ତୋଳି

।।

ଯେ ଦାରୁବ୍ରହ୍ମ ବାରଦଇଁ

ଗୋବିନ୍ଦ ଗୁଳାକୁ ପକାଇ

।।

ଗଜ ଉଦ୍ଧାର ଗଜକାଠି

ନଳିରେ ଧରିଥାଅ ଯୋଖି

।।

ଶତ୍ରୁ ଆଡ଼କୁ ସଳଖିବୁ

ଛାତିରେ ପକାଇ ରଖିବୁ

।।

ଶ୍ରୀ ମଧୁସୂଦନ ମାଛିକି

ମନ ନୟନ ଥିବୁ ରଖି

।।

ଯେ ରଘୁନାଥ ରଞ୍ଜକରେ

ଭରିବୁ ସେ ନଳୀ ରନ୍ଧ୍ରରେ

।।

ଅନନ୍ତ ଅନଳ ଲଗାଇ

ଆଜହୁଁ ରଖିଥିବୁ ତୁହି

।।

ଶ୍ରୀରାମ ମୁରାରୀ ଲଛିବୁ

ନିର୍ଭୟ ହୋଇ ଏକା ଥିବୁ

।।

ଶ୍ରୀ ଜଗନ୍ନାଥ ନାମ ଗୋଟି

ଛୁଟିଲେ ମେରୁଯିବ ଫୁଟି

।।

ଶବଦ ଶୁଣି ଜନ୍ତୁସାଇଁ

ପଡ଼ିବ ମୂର୍ଚ୍ଛାଗତ ହୋଇ

।।

ଚେତନା ପାଇଣ ଉଠିଲେ

ପଛକୁ ନ ଚାହିଁବ ଭଲେ

।।

ପୁରକୁ ତାର ପଳାଇବ

ଥିଲେ କି ଜୀବନ ପାଇବ

।।

କହିଲେ କ୍ଷତ୍ରୀ ବିଦ୍ୟାସାର

ତୋ ମନ ଯାହା ଇଚ୍ଛା କର

।।

ଆବର କହୁଅଛି ତୋତେ

ସଂସାରେ ବ୍ୟାଧି ଅଛି ଯେତେ

।।

ତହିଁ କି ଉପାୟ ଯେ ଅଛି

ତାହା ତୋ ଆଗରେ କହୁଛି

।।

ସକଳ ମଉଷଧି ମୂଳ

ଯେ ପ୍ରଭୁ ନାମ ଆଦିମୂଳ

।।

ପତିତ ପାବନ ପିପ୍‌ପଳି

ଯେତେ ବା ଖାଇବାକୁ ହୁଳି

।।

ତେତେ ମାତ୍ରକ ବାଛି ଧର

ଶ୍ରୀକୃଷ୍ଣ ନାମେ ଶୁଣ୍ଠିକର

।।

ଗୋବିନ୍ଦ ନାମରେ ମରିଚ

ବଜ୍ର ବିଡ଼ିଙ୍ଗ ଖଣ୍ଡପଞ୍ଚ

।।

ଯେ ଦୟାନିନ୍ଦ ଦେବଦାରୁ

ଖଣ୍ଡିଏ କରିବ ତହିଁରୁ

।।

ଶ୍ରୀହରି ଅଳାଇଚ କିଛି

ଘେନିବ ଗୋଟି କେତେ ବାଛି

।।

ନୃସିଂହ ନାମେ ନାଗେଶ୍ୱର

ତୋଳା ପ୍ରମାଣେ ତାହା କର

।।

ଶ୍ରୀ ରଘୁନାଥ ନାମ ସାର

ରସରେ ସେ ରସ ସିନ୍ଦୂର

।।

ଯେ ପୀତାମ୍ୱର ପିତା କିଛି

ଘେନିଏ ନବ ଦ୍ରବ୍ୟ ବାଛି

।।

ଶ୍ରୀ ବାସୁଦେବ କ୍ଷମଶୀଳ

ରଖ ସମସ୍ତ ଏକ ଠୁଳ

।।

ଶ୍ରୀପତି ଶିଳପୁଆ ଧରି

ଗୋବିନ୍ଦ ନାମେ ଗୁଣ୍ଡା କରି

।।

ଅନନ୍ତ ଅଦାରସ ସଙ୍ଗେ

ଗୋବିନ୍ଦ ଚେତିଣ ଶ୍ରୀଅଙ୍ଗେ

।।

ମଧୁସୂଦନ ମହୁକିଛି

ପରୀକ୍ଷା କରିବ ତହିଁ କି

।।

ଶ୍ରୀରାମ ସୁମରି ପିଇବ

ଅଜର ଅମର ହୋଇବ

।।

କହିଲି ଯେବଣ ଔଷଧି

ଏଣେ ଖଣ୍ଡଇ ଭବବ୍ୟାଧି

।।

ଏଥେ ମିଶଇ ଚିତ୍ତ ଯାର

କି କରିପାରେ ବ୍ୟାଧି ଛାର

।।

ଶୁଣସୁମନ ହେତୁ ଦେଇ

ଏଥେ ନିର୍ମଳ ଚିତ୍ତ ହୋଇ

।।

ଯେବଣ ପ୍ରାଣୀ ଥିବ ଶିଖି

ହୃଦପଦ୍ମରେ ଥିବ ରଖି

।।

ଯେ ଯେଣେ ଇଚ୍ଛା ତେଣେ ଯାଉ

କିଛି ହିଁ ଭୟ ନାହିଁ ଆଉ

।।

ଘୋର ସଂଗ୍ରାମେ ରାଜଦ୍ୱାରେ

ବନ ବହନ ବିପିନରେ

।।

ଜଳ ପବନ ହୁତାଶୁନ

କି ଅବା ବିଦେଶ ଗମନ

।।

ପଶୁଙ୍କ ଖଳଦନ୍ତ ଘାତ

ଭୁଜଙ୍ଗ ବିଷର ସହିତ

।।

ଖଣ୍ଟ ଯେ ଚଉର୍ଯ୍ୟ ସହିତେ

ଗ୍ରୀହପୀଡ଼ା ହିଁ ପ୍ରେତ ଯେତେ

।।

ଲାଗିବ ନାହିଁ ଏହୁ ଭୟ

ନିଶ୍ଚେ ଏଥିରେ ଥିଲେ ଲୟ

।।

ପ୍ରଭୁଙ୍କ ନାମ ଯେବେ ସତ

ନିଶ୍ଚେ ଯେବେ ସାଧୁ ପଥ

।।

ମହିଁମା ଯେବେ ସତ୍ୟ ପଣ

ଏବେ ଏ କଥା ପରମାଣ

।।

ଏ ଦାର୍ଢ୍ୟଭକ୍ତି ରସାମୃତ

ପ୍ରାକୃତ ବନ୍ଧେ କଲୁ ଗୀତ

।।

ସଦା ସମ୍ପୂର୍ଣ୍ଣ ଜୟ କରି

ରାମ ଚରିତ ଧନୁର୍ଦ୍ଧାରୀ

।।

ଜାନକୀ ବଲ୍ଲଭ ଚରଣେ

ମୋ ଚିତ୍ତ ରହୁ ଅନୁକ୍ଷଣେ

।।

ସୁଜନେ କ୍ଷମା କର ଦୋଷ

ମନରେ ନ ଘେନିବ ରୋଷ

।।

କେବଳ ନ କର ନିରାଶ

ମୁଁ ତୁମ୍ଭ ଦାସଙ୍କର ଦାସ

।।

ଏ ମୋର ମନ ମୂଢମତି

ନ ଜାଣେ ପାଠ ଶାସ୍ତ୍ର ଗତି

।।

ନ ବସେ ସାଧୁଙ୍କ ସଙ୍ଗତେ

ପାପକୁ ଭୟ କାହିଁ ଚିତ୍ତେ

।।

ଦାମ୍ଭିକ ନାସ୍ତିକ କପଟୀ

ବିରତେ ବିଷୟ ଲମ୍ପଟୀ

।।

ଆସନ ଶୟନ ସ୍ୱପନେ

କେବଳ ଧ୍ୟାନ ଚିନ୍ତା ମନେ

।।

ନାରୀ ସଙ୍ଗମ ମହାସୁଖ

ଦେବୀ ଦୟାରେ ମୁଁ ବିମୁଖ

।।

ପରହିଂସ୍ରକ ବାଦୀ କ୍ରୋଧି

ସାଧୁ ସେବାରେ ନାହିଁ ବୁଦ୍ଧି

।।

ମୋ ମନ ମୋହର ଆୟତ୍ତେ

ରହିଲା ନାହିଁ କଦାଚିତ୍ତେ

।।

ଏଣୁ ମୁଁ ସାଧୁଙ୍କ ଚରଣ

ଶରଣ ମାଗେ ଅନୁକ୍ଷଣ

।।

ସୁଜନେ ଏହି ଭାବେ ଭାବ

ଏ ଭବ ସଂସାରୁ ତରିବ

।।

ଏ ବଡ଼ ଅପୂର୍ବ ଚରିତ

ଶୁଣି ଶରଧା ଯାର ଚିତ୍ତ

।।

ତାର କଳ୍ମଷ ଥିବ ଯେତେ

ରହିବ ନାହିଁ କଦାଚିତ୍ତେ

।।

ଜୀବନ୍ତେ ଇହଲୋକେ ବାସ

ମଲେ ବୈକୁଣ୍ଠ ପୁରେ ବାସ

।।

ଅପୁତ୍ରୀ ପୁତ୍ରକୁ ଲଭିବ

ଅନ୍ଧହିଁ ଲୋଚନ ପାଇବ

।।

ଏ କଥା ଅଟଇ ପ୍ରମାଣ

ସୁଜନେ ମନଦେଇ ଶୁଣ

।।

କହଇ ରାମଦାସ ଦ୍ୱିଜ

ବିଶ୍ୱାସ ଅଟେ ମୂଳବୀଜ

।।

ବିଶ୍ୱାସ ବିନା ଯେତେ କର୍ମ

ପର ଅପର ଗୃହାଶ୍ରମ

।।

ଏ ଦାର୍ଢ୍ୟଭକ୍ତି କଥାମାନ

ପଚିଶ ଅଧ୍ୟାରେ ସମ୍ପୂର୍ଣ୍ଣ

।।

ଶ୍ରୀ ବୀରକେଶରୀ ଦେବଙ୍କ

ସମ୍ପୂର୍ଣ୍ଣ ବୟାଳିଶ ଅଙ୍କ

।।

ଯେ ତୁଳ ପଞ୍ଚମୀ ଦିବସେ

ଶୁଦ୍ଧ ଶୁକଳ ପକ୍ଷରେ ସେ

।।

ଚିତ୍ରା ନକ୍ଷତ୍ର ରବିବାରେ

ଅତ୍ତୁଲ୍ୟ ନାମ କରଣରେ

।।

ଶୁଭ ନାମରେ ଯେଉଁ ଯୋଗ

ପଞ୍ଚାଶ ଦଣ୍ଡ ଥିଲା ଭୋଗ

।।

ଏମନ୍ତ ଶୁଭ ଅନୁକୂଳେ

ପ୍ରାଣୀଙ୍କ ଶ୍ରବଣେ ମଙ୍ଗଳେ

।।

ସମ୍ପୂର୍ଣ୍ଣ ହେଲା ଏ ଚରିତ

କହଇ ଲଛମନ ସୁତ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ

ମେଳଚ୍ଛ ହାରାମ ଶବ୍ଦ ମୋକ୍ଷଣେ ନାମ ପଞ୍ଚବିଂଶୋ ଧ୍ୟାୟଃ ।

•••

 

ଷଡ଼ବିଂଶ ଅଧ୍ୟାୟ

କୁଳଶିଖର ରାଜା ସମ୍ୱାଦ

ଚୈତନ୍ୟ ଉବାଚ

 

ନମୋ ଶାରଦା ଗଣନାଥ

ତୁମ୍ଭ ଚରଣେ ମୋର ନାଥ

।।

କହେ ଚୈତନ୍ୟ ଅତି ତୋଷେ

ସୁମନ ନୃପତିର ପାଶେ

।।

ହେ ରାଜା ହୁଅ ସାବଧାନ

କହିବି ଅପୂର୍ବ ବିଧାନ

।।

ପବିତ୍ର ଓଡ଼ିଶା ଖଣ୍ଡରେ

ଏକ ନୃପତି ରାଜ୍ୟ କରେ

।।

ସମସ୍ତ ରାଜାଙ୍କ ଅଗ୍ରଣୀ

ନୃପତିପଣେ ତାଙ୍କୁ ଗଣି

।।

ନାମ ତା ଶ୍ରୀକୁଳ ଶିଖର

ବଡ଼ ପ୍ରତାପୀ ଦଣ୍ଡଧର

।।

ତେଜସ୍ୱୀ ପଣେ ମହାମେରୁ

ଦାତା ପଣରେ କଳ୍ପତରୁ

।।

ପଣ୍ଡିତ ପଣେ ବୃହସ୍ପତି

ସହିଷ୍ଣୁ ପଣେ ବସୁମତୀ

।।

ସୁନ୍ଦରପଣେ କାମଦେବ

କ୍ଷତ୍ରିୟ ପଣେ ସଦାଶିବ

।।

ଶୁଦ୍ଧ ବିବେକ ଶୁଚିମନ୍ତ

ପାପକୁ ମହାଭୟ ଚିତ୍ତ

।।

ରାଜ ସମ୍ପଦ ଅପ୍ରମିତ

କୁବେର ସମ ଧନବନ୍ତ

।।

ଦୁଃଖୀ ଦରିଦ୍ର ଦୁଃଖ ହରି

ପ୍ରଜା ପାଳଇ ପୁତ୍ରପରି

।।

ଦେବ ବ୍ରାହ୍ମଣେ ଅତି ପ୍ରିୟ

ଶ୍ରୀଗୁରୁ ପାଦେ ଭକ୍ତିମୟ

।।

ସେ ରାଜା ଧର୍ମ ପରାୟଣ

ସେବଇ ଶ୍ରୀଗୁରୁ ଚରଣ

।।

ସାଧୁଙ୍କ ସେବା କରୁଥାଇ

ହରି ଚରଣେ ମନଦେଇ

।।

ଶ୍ରୀକୃଷ୍ଣ କଥା ବିନୁ ଆନ

ନ ଜାଣେ କେଭେ ତାର ମନ

।।

ଶ୍ରୀହରି ଜନ୍ମରସ ପୁଣ

ନିରତେ ପଠନ ଶ୍ରବଣ

।।

ସର୍ବଦା କାଳେ ଶୁଚିମନ୍ତ

ସତ୍ୟ ବଚନ ଦୃଢମତ

।।

ଏମନ୍ତରାଜା ଏକଦିନ

ବିଜୟ ରତ୍ନ ସିଂହାସନ

।।

ସୈନ୍ୟ ଅଛନ୍ତି ପଟୁଆରୀ

ଗଜ ତୁରଙ୍ଗ ଆଦି କରି

।।

ସଭା ମଣ୍ଡାଇ ନୃପରାଣ

କରି ଅଛନ୍ତି ବେହରଣ

।।

ସାଧୁ ବୈଷ୍ଣବ ଆଦି କରି

ବିପ୍ର ସନ୍ନ୍ୟାସୀ ବ୍ରହ୍ମଚାରୀ

।।

ଦେଶୀ ବିଦେଶୀ ଏ ସଂସାରେ

ସମସ୍ତେ ଗୋଷ୍ଠୀ ଏହିଠାରେ

।।

ଶ୍ରୀହରି ରସ କଥା ମାନ

କହୁ ଅଛନ୍ତି ସାଧୁଜନ

।।

ରାଜା ଶ୍ରବଣ ତାହା କରି

ଅଛନ୍ତି ଦେହ ବୁଦ୍ଧିହାରି

।।

ଏମନ୍ତ ସମୟର କଥା

ଶୁଣ ସୁମନ ମହାରଥା

।।

ଶ୍ରୀ ଗୁରୁଦେବ ତାହାଙ୍କର

ବିଜୟ କଲେ ସେହିଠାର

।।

ଦେଖି ସେ ରାଜା ଅତିତୋଷେ

ମିଳିଲେ ଯାଇ ଗୁରୁପାଶେ

।।

ସାଷ୍ଟାଙ୍ଗେ କରି ଦଣ୍ଡବତ

ଉଠି କପାଳେ ଯୋଡ଼ି ହସ୍ତ

।।

ଅତି ବିନୟ ଭାବ ହୋଇ

ଗୁରୁଙ୍କୁ ଦିବ୍ୟାସନ ଦେଇ

।।

ଦେଖି ସେ ନୃପତିର ଭାବ

ଆସନେ ବସି ଗୁରୁଦେବ

।।

ରାଜାଙ୍କୁ ବସ ହୋ ବୋଇଲେ

ଶୁଣି ନୃପତି ବିଜେ କଲେ

।।

ଶ୍ରୀଗୁରୁ ଆଜ୍ଞା ପାଇ ବସି

ପୁଣି ଶ୍ରୀହରି ଭାବେ ରସି

।।

ଏମନ୍ତ ବେଳେ ମାଛି ଗୋଟି

ଉଡ଼ି ସେ ଅଇଲା ଚହଟି

।।

ବସିଲା ରାଜାର କପାଳେ

ରୁଧିର ପିଏ କୁତୁହଳେ

।।

ରାଜା ଅସୁଖ ଭାବ ହୋଇ

ଶ୍ରୀହସ୍ତେ ଦେଲେକ ଉଡ଼ାଇ

।।

ଲଲାଟେ ଶ୍ରୀହସ୍ତ ବାଜିଲା

ମାଛି ତକ୍ଷଣେ ଉଡ଼ିଗଲା

।।

କପାଳୁ ଦଣ୍ଡବତ ଧୂଳି

ଝଡ଼ି ପଡ଼ିଲା ମହୀସ୍ଥଳୀ

।।

ତା ଦେଖି ଗୁରୁଦେବ ହସି

ମଥା ପୋତିଣ ମୌନେ ବସି

।।

ତାହା ଜାଣିଲେ ନୃପମଣି

ସେତ ବିବେକ ଚୂଡ଼ାମଣି

।।

ତକ୍ଷଣେ ଉଠି ଉଭାହୋଇ

ଜଣାନ୍ତି ଗଦ ଗଦ ହୋଇ

।।

ମୂଖ ମଳିନ କି ନିମନ୍ତେ

ଏ କଥା ଆଜ୍ଞା ହେଉ ମୋତେ

।।

ତା ଶୁଣି ଗୁରୁଦେବ ଭଣି

ଶୁଣ ହେ ନୃପତି ଅଗ୍ରଣୀ

।।

ଯେ ଜନ ଶ୍ରୀଗୁରୁ ଛାମୁରେ

ସାଷ୍ଟାଙ୍ଗେ ଦଣ୍ଡବତ କରେ

।।

ତା ଅଙ୍ଗେ ଲାଗେ ଯେତେ ଧୂଳି

ତେତେ ଜନ୍ମର ପାପ ଦଳି

।।

ସେ ଧୂଳି ଦେଖି ଦେଖି ଯେଉଁ ନର

ହସ୍ତରେ ଝାଡ଼ି କରେ ଦୂର

।।

ତାର ପାତକ ହୁଏ କେତେ

ବିଚାର କର ହୃଦଗତେ

।।

ତୋର ସ୍ୱହସ୍ତ ବାଜିବାରୁ

ଧୂଳି ଝଡ଼ିଲା କପାଳରୁ

।।

ତେଣୁ ପୋତିଲୁ ଆମ୍ଭେ ମଥା

ତୁ କି ଜାଣୁ ମହାରଥା

।।

ଶୁଣି ନୃପତି କମ୍ପମାନ

ବଦନୁ ନ ସ୍ପୁରେ ବଚନ

।।

ଶୋକେ ପୂରିତ କଳେବର

କମ୍ପଇ ରାଜାର ଅଧର

।।

ସକଳ କରି ନେତ୍ର ଦୁଇ

ରହିଲେ ସ୍ତମ୍ଭୀଭୂତ ହୋଇ

।।

କେତେହେଁ ବେଳେ ଚାହିଁଦେଲେ

ଗୁରୁଙ୍କ ପାଶେ ନ ଦେଖିଲେ

।।

ଉଭାରି ରାଜା ସଭା ଶୁଣ

ମୋ ପାପ ହୁଏ ଯା ପ୍ରମାଣ

।।

ଶ୍ରୀଗୁରୁ ଦ୍ରୋହ ଦୋଷ ମୋର

କେମନ୍ତେ ହେବ ଏବେ ଦୂର

।।

ଏଥକୁ ଦେଖି ଶାସ୍ତ୍ରପଥ

କିବା ଲେଖିଛି ପ୍ରାୟଶ୍ଚିତ

।।

ନୋହିଲେ ମରିବି ଅବଶ୍ୟ

ଏ ରାଜପଦେ ନାହିଁ ଆଶ

।।

ତାହା ଶୁଣିଣ ବିପ୍ରଜନ

ଖୋଜି ସକଳ ଶାସ୍ତ୍ରମାନ

।।

ଶ୍ରୀ ଗୁରୁଦେବ ପଦ୍ଧତିରେ

ଦେଖିଲେ ଲେଖିଛି ତହିଁରେ

।।

ଅତିଶୟରେ କାଷ୍ଠା କଥା

କରି ଯେ ନୁହଇ ସର୍ବଥା

।।

ଏମନ୍ତ ଦେଖି ବୃଦ୍ଧଜନେ

ନ ହକି ରହିଲେ ମଉନେ

।।

ତା ଶୁଣି ବୋଲେ ନୃପବର

ନ କହି କିମ୍ପା ଗୋପ୍ୟ କର

।।

ଏ ମୋର ପାପକ୍ଷୟ ଅର୍ଥେ

ସେବା ଲେଖିଛି ଶାସ୍ତ୍ରପଥେ

।।

ତାହା କରିବି ସତ୍ୟ ମୋର

ଏଥକୁ ସାକ୍ଷ୍ୟଦିବାକର

।।

ଏମନ୍ତ ଶୁଣି ବିପ୍ର ଭଲେ

ପ୍ରବନ୍ଧ ଫିଟାଇ ପଢିଲେ

।।

ହେ ରାଜା ଶୁଣ ସାବଧାନେ

ଗୁରୁ ଚରଣେ ଯେଉଁମାନେ

।।

ସାଷ୍ଟାଙ୍ଗେ ଦଣ୍ଡବତ କରି

ଛାମୁରେ ରହନ୍ତି ଉଭାରି

।।

ତା ଅଙ୍ଗେ ଥାଇ ରେଣୁ ଯେତେ

ତେତେ ଜନମ ପରିଯନ୍ତେ

।।

ସଞ୍ଚରି ଥାଇ ଯେ କଳୁଷ

ତକ୍ଷଣେ ହୋଏ ସର୍ବାନଶ

।।

ବଡ଼ିମାପଣେ ଯେଉଁମାନେ

ସେ ରେଣୁ ଝାଡ଼ନ୍ତି ଅଜ୍ଞାନେ

।।

ତାଙ୍କସୃତ ଆଉ ନାହିଁ

କେବଳ କଥାଏ ଅଛଇ

।।

ଏମନ୍ତ କରି ଯେବେ ପାରି

ସେ ଗୁରୁଦ୍ରୋହ କଷ୍ଟୁ ତରି

।।

ତମ୍ୱାପଟାଏ ଗଢାଇବ

ଦ୍ୱାଦଶ ହାତ ଦୀର୍ଘ ହେବ

।।

ପ୍ରତି ଯେ ତିନିହାତ ଜାଣ

ଚଉକେ ବହଳ ପ୍ରମାଣ

।।

ପୋତାଇ ତମ୍ୱା ଚାରିଖମ୍ବ

ସେ ପଟା କରିଥିବ ଦମ୍ଭ

।।

ଅଙ୍ଗାର ଅଗ୍ନିତଥି ତଳେ

ଦେଇଣ ମହାମନ୍ତ୍ର ଜାଳେ

।।

ସେ ପଟା ତାତି ଅଗ୍ନି ପ୍ରାୟ

ଦିଶିବ ଅତି ତୋରାମୟ

।।

ତହିଁରେ ଶତ ଅଷ୍ଟବାର

ପ୍ରଣାମ କରିବ ସେ ନର

।।

ତେବେତ ଗୁରୁଦ୍ରୋହ ଦୋଷ

ତା ଦେହୁ ହୋଇବ ବିନାଶ

।।

ନୋହିଲେ ଆନ ନାହିଁ ପାର

ଏହା ଲେଖିଛି ବେଦବର

।।

ଏମନ୍ତ ଶୁଣି ସେ ନରେନ୍ଦ୍ର

ମୁଖ ବିକାଶେ ପୂର୍ଣ୍ଣଚନ୍ଦ୍ର

।।

ଲୋମ ଉଦ୍‌ଗମ ଭାବ ରହି

ଆନନ୍ଦ କେ ପାରିବ କହି

।।

ହସି କହଇ ନୃପରାଣ

ଏବେ ମୋ ହୋଇଲା କାରଣ

।।

ଏମନ୍ତ କହି ତାମ୍ୱରାକୁ

ହକାରି ତୁରିତେ ପାଶକୁ

।।

ତମ୍ୱା ଲେଖାଇ ଦେଲେ ଯେତେ

ପଟା ନିର୍ମାଅ ବିଧି ମତେ

।।

ତାମ୍ୱରାମାନେ ଆଜ୍ଞା ପାଇ

ପଟା ନିର୍ମାଣ କଲେ ଯାଇଁ

।।

ରାଜା ଛାମୁରେ ଦେଲେ ନେଇ

ଦେଖି ଆନନ ନରସାଇଁ

।।

ସୁଆଯୀ ବଳତୁ ହକାରି

ଖମ୍ୱ ପୋତାଇ ନିର୍ଭା କରି

।।

ସେ ପଟା ଥାପି ସେହି ଖମ୍ୱେ

ନିଶ୍ଚଳ କରି ମହାଦମ୍ଭେ

ତଳେ ଅଙ୍ଗାର ଅଗ୍ନି ନେଇ

ଜାଳିଲେ ମହାଯନ୍ତ୍ର ତାଇ

।।

ପ୍ରବଳ ହୋଇ ଅଗ୍ନି ଗୋଟା

ଲାଗି ପାଚିଲା ତମ୍ୱାପଟା

।।

ସେ ମହାଅଗ୍ନି ତେଜ ପାଇ

ପାଶେ ନ ପାରେ କେହି ରହି

।।

ଏମନ୍ତ ବେଳେ ସେ ରାଜାନ

ତୀର୍ଥ ଜଳରେ କରି ସ୍ନାନ

।।

କଣ୍ଠ ହୃଦରେ ବେନି ଭୁଜେ

ଲଲାଟେ ତିଳକ ବିରାଜେ

।।

ମସ୍ତକେ ତୁଳସୀ ମଞ୍ଜରୀ

ଗଳାରେ ସେହି ମାଳା ଭରି

।।

ପିନ୍ଧିଣ ଅମଳାନ ବାସ

କାଛେଣି ଯେହ୍ନେ ବୀରବେଶ

।।

ବିଭୂତି ବିଲେପନ କାୟେ

ଦିଶନ୍ତି ବ୍ରହ୍ମବେତ୍ତା ପ୍ରାୟେ

।।

ଶ୍ରୀମୁଖ ନିର୍ମାଲ୍ୟ କୈବଲ୍ୟ

କରି ବିଜୟ ମହୀପାଳ

।।

ଚାରିଦିଗରେ ନର ନାରୀ

ବେଢିଣ ଶତେପୁର କରି

।।

ଅଛନ୍ତି ପାତ୍ର ଅମନାତ୍ୟ

ବନ୍ଧୁ ବାନ୍ଧବ ଇଷ୍ଟମିତ୍ର

।।

ଯୋଗୀ ସନ୍ନ୍ୟାସୀ ବ୍ରହ୍ମାଚାରୀ

ବୈଷ୍ଣବ ଦୁର୍ଭିକ୍ଷ ଭିକାରୀ

।।

ବ୍ରହ୍ମ କ୍ଷତ୍ରିୟ ଚାରିଜାତି

ଅପରେ କେତେ ଲୋକଛନ୍ତି

।।

ସ୍ତିରୀ ପୁରୁଷ ଆଦି କରି

ଜନଗହଳେ ସୃଷ୍ଟି ପୂରି

।।

ସଂସାରେ ପଡ଼ୁଅଛି ହୁରି

ଯେ ବାଳବୃଦ୍ଧ ଆଦି କରି

।।

ଖାଦ୍ୟ ନିଶାଣ ମୂଖଗୋଳ

ମେଦିନୀ ହୁଏ ଟଳମଳ

।।

ଏମନ୍ତ ଦେଖି ସର୍ବଜନ

ବୋଲନ୍ତି ହେ ମହାରାଜନ

।।

ଏକଥା କେବେ ହେଁ ନକର

ବୃଥା ନ ନାଶ କଳେବର

।।

ଆମ୍ଭଙ୍କୁ ନ କର ଅନାଥ

ବୋଲି ମସ୍ତକେ ଦେଲେ ହସ୍ତ

।।

ତା ଶୁଣି ନୃପ ଚୂଡ଼ାମଣି

ବୋଲନ୍ତି ଶୁଣ ନରଶ୍ରେଣୀ

।।

କିମ୍ପାଇଁ ହୋଇବ ଅନାଥ

ସବୁରି ପ୍ରଭୁ ଜଗନ୍ନାଥ

।।

ମୋ ଜୀବ ଯିବାକୁ ସଂଶୟ

ନ କର କାହାରି ହୃଦୟ

।।

ଜନ୍ମ ଲଭିଲେ ନିଶ୍ଚେ ମରି

ମରଣ ଛାରେ କିମ୍ପା ଡରି

।।

କିମ୍ପା ମୁଁ ଗୁରୁଦ୍ରୋହ ଦୋଷେ

ଗଞ୍ଜି ହୋଇବି ଯମପାଶେ

।।

ସ୍ଥାବର ଆଦି ଦେହ ବହି

ନିଶ୍ଚଳ ହୋଇ କେହି ନାହିଁ

।।

ଏ କଥା ନୁହଇ ଉଚିତ

ନୋହିବ ମୋର ଆନମତ

।।

ଯାଉ ବା ଥାଉ ଏ ଶରୀର

ଏହା ଜାଣନ୍ତି ଚକ୍ରଧର

।।

ତୁମ୍ଭେ ସମସ୍ତେ ବୋଲ ହରି

ବାଳକ ବୃଦ୍ଧ ଆଦି କରି

।।

ଏମନ୍ତେ କହି ଦଣ୍ଡଧାରୀ

ଚିନ୍ତିଲେ ନୀଳାଦ୍ରି ବିହାରୀ

।।

ଜୟ ହେ ଶଙ୍ଖ ଚକ୍ରପାଣି

କମଳା ଦେବୀ ପ୍ରାଣମଣି

।।

ବ୍ରହ୍ମା ଇନ୍ଦ୍ରାଦି ଏ ଜଗତ

ଯାର ଆଜ୍ଞାରେ ଯାତାୟାତ

।।

ଶଶାଙ୍କ ରବି ଆଖଣ୍ଡଳ

ଯେ ଆଦି ସର୍ବ ଦିଗପାଳ

।।

ମେରୁ ବସୁଧା ସିନ୍ଧୁ ବାରି

ଏ ନିତ୍ୟେ ଯାର ଆଜ୍ଞାକାରୀ

।।

ସୁର ମହେଶ ପୁରନ୍ଦର

ଯକ୍ଷ ରାକ୍ଷସ ଯେ କିନ୍ନର

।।

ସିଦ୍ଧ ଯୋଗୀନ୍ଦ୍ର ମୁନିଗଣ

ଚିନ୍ତନ୍ତି ଯେ ହରି ଚରଣ

।।

ମୁଁ ଅବା ସାମାନ୍ୟ ମାନବ

କାହୁଁ ଜାଣିବି ତାଙ୍କ ଭାବ

।।

ହେ ପ୍ରଭୁ ତୁମ୍ଭେ ଆଦିମୂଳ

ସମସ୍ତେ ତୋର ପତ୍ର ଡାଳ

।।

ଏଣୁ ତୋ ଅଭୟ ଚରଣ

ଆଜ ମୁଁ ପଶିଲି ଶରଣ

।।

ତୁ ନାଥ ବାଞ୍ଛା କଳ୍ପତରୁ

ମହାମହିମା ମହାମେରୁ

।।

ଜନ ଆରତ ଖଣ୍ଡିବାରେ

ତୋ ସମ ନାହିଁ ବ୍ରହ୍ମାଣ୍ଡରେ

।।

ଚିନ୍ତାର୍ଥି ଚିନ୍ତା ତୃଣବନ

ତୁ ଯେ ପ୍ରବଳ ହୁତାଶନ

।।

ବିପତ୍ତି ସାଗର ବିନାଶି

ତୁ ଯେ ଅଗସ୍ତି ମହାଋଷି

।।

ବିଷୟା ବିଷକୁ ଯେ ଗଦ

ତୋର ଅଭୟ ପଦ୍ମପାଦ

।।

ଭୃତ୍ୟ କୁମୁଦ ବନପାଳ

ତୁମ୍ଭେ ଯେ ଚନ୍ଦ୍ରମା ମଣ୍ଡଳ

।।

ଚିନ୍ତାର୍ଥିଜନ ଚିନ୍ତାମଣି

ଅଶେଷ ବ୍ରାହ୍ମାଣ୍ଡ କାରେଣୀ

।।

ଏ ମୋ ଆରତ ନିବାରଣେ

ତୁମ୍ଭହୁଁ ନାହିଁ ଅନ୍ୟ ଜଣେ

।।

ଏ ମୋହ ଅନଳ ଜ୍ୱାଳାରୁ

ଉଦ୍ଧରି ଧର ମହାମେରୁ

।।

ରଖ ନ ରଖ ତୁମ୍ଭ ଇଚ୍ଛା

ମୁଁ ଏବେ ଘେନିଲି ଏ ଦୀକ୍ଷା

।।

ଯାଉ ବା ଥାଉ ଏ ଶରୀର

ନ ଲାଗୁ ଗୁରୁଦ୍ରୋହ ମୋର

।।

ଏମନ୍ତ ବୋଲି ମହାବଳୀ

ମୁଖେ ରଟିଲେ ନାମାବଳୀ

।।

ଶ୍ରୀରାମ ଶ୍ରୀକୃଷ୍ଣ ଶ୍ରୀହରି

ମୁକୁନ୍ଦ ମାଧବ ମୁରାରୀ

।।

ଅଚ୍ୟୁତ ଅନନ୍ତ ଗୋବିନ୍ଦ

ଶ୍ୟାମସୁନ୍ଦର ସଦାନନ୍ଦ

।।

ବ୍ରଜସୁନ୍ଦର ବଂଶୀ ପାଣି

ରାଧା ବଲ୍ଲବ ପ୍ରାଣମଣି

।।

ଦୟାସାଗର ଦାସରଥି

ଶ୍ରୀଧର ଶ୍ରୀକର ଶ୍ରୀପତି

।।

ଲକ୍ଷ୍ମୀନାରାୟଣ ଚକ୍ରପାଣି

ସୀତାବଲ୍ଲଭ ରଘୁମଣି

।।

ହେ ବନମାଳୀ ହେ କଂସାରି

ଶ୍ୟାମାସୁନ୍ଦର ଦଇତ୍ୟାରି

।।

ଶ୍ରୀବତ୍ସ ଲାଞ୍ଛନ କେଶବ

ଦୀନବାନ୍ଧବ ବାସୁଦେବ

।।

ଭବ ମୋଚନ ଭଗବାନ

ଜଗଜ୍ଜୀବନ ଜନାର୍ଦ୍ଦନ

।।

ଏମନ୍ତେ ନାମାବଳି ଗଣ

ମୁଖେ ଉଚ୍ଚାରେ ନରରାଣ

।।

ହରି କଥନେ କର୍ଣ୍ଣ ଡେରି

ନୟନେ ହରିରୂପ ଧରି

।।

ହରି ସ୍ମରଣ କରି ହୃଦେ

ମନ ନିବେଶି ହରିପାଦେ

।।

ଅନେକ କରି ପ୍ରଣମିତ

ରାଜା ହରଷ କରି ଚିତ୍ତେ

।।

ନମିଣ ଚନ୍ଦ୍ର ଦିବାକର

ଉଠିଲେ ପଟାର ଉପର

।।

ଅନଳ ତେଜ ମହାବଳୀ

କଞ୍ଚାଦାରୁ ହିଁ ଯିବ ଜଳି

।।

ତହିଁ ନୃପତି ଦଣ୍ଡବତ

କରି ଉଠିଲେ ସେ ତୁରିତ

।।

ପ୍ରବଳ ଅଗ୍ନି ଶିଖା ତହିଁ

ଜଳି ଉଠିଲା ରାଜାଦେହୀ

।।

କର ଚରଣ ରାଜା ମୁଣ୍ଡ

ଛିଡ଼ି ହୋଇଲା ଖଣ୍ଡ ଖଣ୍ଡ

।।

ତହିଁ ରାଜାର ନାହିଁ ଭୟ

ଚିତ୍ତେ ଚିନ୍ତଇ ଦେବରାୟ

।।

ପୁଣି କପୋଳେ କର ଦେଇ

ସାଷ୍ଟାଙ୍ଗେ ପାଦେ ପଡ଼ି ଶୋଇ

।।

ତାହା ଜାଣିଲେ ଆଦିମୂଳ

ଯେ ପ୍ରଭୁ ଭକତ ବତ୍ସଳ

।।

କରୁଣା କଲେ ଭାବଗ୍ରାହୀ

ଅନଳ ଜଳପ୍ରାୟ ହୋଇ

।।

ରାଜା ଶ୍ରୀଅଙ୍ଗ କଅଁଳିଲା

ପୋଡ଼ିଲା ଶୀତଳ ହୋଇଲା

।।

ଏମନ୍ତ ଦେଖି ସର୍ବଜନ

ଆକୁଳେ କରନ୍ତି ରୋଦନ

।।

ମସ୍ତକେ କଚାଡ଼ନ୍ତି କର

ବୋଇଲେ ଆହେ ନୃପବର

।।

ଆଉ କେ ଏ ରାଜ୍ୟ ପାଳିବ

ଆମ୍ଭକୁ ଛାଡ଼ିଲା ଦଇବ

।।

ଏମନ୍ତେ ବିଚାରନ୍ତି ଜନେ

ସେକ୍ଷଣି ଉଠିଲେ ରାଜନେ

।।

ତେଜ ବିରାଜମାନ କାୟେ

ଦିଶନ୍ତି ଦ୍ୱିତୀ ସୂର୍ଯ୍ୟ ପ୍ରାୟେ

।।

ପୁଣି ମସ୍ତକେ ଦେଇ ହସ୍ତ

ଲେଉଟି କଲେ ଦଣ୍ଡବତ

।।

ପ୍ରବଳ ନଦୀଜଳେ ମିଳି

ହଂସ ଯେସନେ କରେ କେଳି

।।

ସେହି ପ୍ରକାରେ ପୁଣି ପୁଣି

କେଶରୀ ବଂଶ ନୃପମଣି

।।

ପୁଣି କରନ୍ତି ଦଣ୍ଡବତ

ତା ଦେଖି ଲୋକେ ଆଚମ୍ୱିତ

।।

ଚିତ୍ର ପ୍ରତିମା ପ୍ରାୟ ହୋଇ

ସମସ୍ତେ ଅଛନ୍ତି ଅନାଇ

।।

ଛତିଶ ବାର ଏହିପରି

ସେ ରାଜା ଦଣ୍ଡବତ କରି

।।

ମେଦିନୀ ହେଲା ଟଳମଳ

କମ୍ପିଲେ ଦଶଦିଗପାଳ

।।

ତାହା ଜାଣିଲେ ନରହରି

ବେଗେ ତେଜିଲେ ନିଜ ପୁରୀ

।।

ଅତି ଅପୂର୍ବ ଶୋଭା କର

ବିଧାତା ନିର୍ମାଣୁ ବାହାର

।।

ଜଗନ୍ମୋହନ ରୂପ ଧରି

ପଟା ପାରୁଶେ ବିଜେ କରି

।।

ଶ୍ରୀକର ବଢାଇଣ ଦେଲେ

ରାଜାଙ୍କୁ ଝିଙ୍କି ପକାଇଲେ

।।

ବୋଇଲେ ରହିଲା ତୋ କୀର୍ତ୍ତି

ସଂସାର ମଧ୍ୟେ ହେ ନୃପତି

।।

ତୋହରି ପରି ପୁଣ୍ୟବନ୍ତ

ନାହିଁ ନୋହିବ ଏ ଜଗତ

।।

ସକଳ ପାପୁ ହେଲୁ ପାର

ଲଭ ପରମଗତି ସାର

।।

ତା ଶୁଣି ରାଜା କର ଯୋଡ଼ି

ବିପ୍ର ଚରଣ ତଳେ ପଡ଼ି

।।

ବୋଇଲେ ମୋତେ କହ ସତ୍ୟ

କେ ତୁମ୍ଭେ ଅଟ ହେ ପବିତ୍ର

।।

ଏ ମୋର ଚର୍ମଚକ୍ଷୁ ଘେନି

ତୁମ୍ଭଙ୍କୁ ନ ପାରିଲି ଚିହ୍ନି

।।

ଶୁଣି ବୋଲନ୍ତି ଭଗବାନ

ଉଠି ତୁ ଦେଖ ହେ ନୟନ

।।

ଯାହାକୁ ଚିନ୍ତୁଥିଲୁ ତୁହି

ନିଶ୍ଚୟ ଜାଣ ଆମ୍ଭେ ସେହି

।।

ଦେଖିଲେ ଶଙ୍ଖଚକ୍ରଧାରୀ

ଗଦା ପଙ୍କଜ ଭୁଜ ଚାରି

।।

ଜଗନ୍ମୋହନ କୃପାସିନ୍ଧୁ

ଶରଣ ଜନଙ୍କର ବନ୍ଧୁ

।।

ଅଭୟ ବର ତାଙ୍କୁ ଦେଇ

ଅନ୍ତର ହେଲେ ଭାବଗ୍ରାହୀ

।।

ପ୍ରଭୁ ମାୟାରେ ନରଶ୍ରେଣୀ

ଏ ସର୍ବ ନ ପାରିଲେ ଜାଣି

।।

ଶୁଣ ହେ ନୃପରାଣ

ସେ ରାଜା ଭାଗ୍ୟବନ୍ତୁ ପୁର

।।

ସାକ୍ଷାତ ପ୍ରଭୁଙ୍କୁ ଦେଖିଲା

ସଂସାରେ କୀରତି ରଖିଲା

।।

ଅତି ଆନନ୍ଦେ ନରେଶ୍ୱର

ବିଜୟ କଲେ ଧୀର ଧୀର

।।

ସମସ୍ତେ ଧନ୍ୟ ଧନ୍ୟ କରି

ଚଳିଣ ଗଲେ ଯେଝା ପୁରୀ

।।

ସେ ରାଜା ଅନ୍ତକାଳେ ଯାଇ

କେବଳ ଗତି ଥିବ ପାଇ

।।

ମୋତେ ତା ନୁହଇ ଗୋଚର

ହେ ମନ ତୋ ମନେ ବିଚାର

।।

ଏ କଳିଯୁଗର ଚରିତ

ଶୁଣି ଲାଗିବ ଆଚମ୍ବିତ

।।

ହରି ଭକତ ଜନମାନେ

ଶୁଣି ପ୍ରତ୍ୟୟ ଯିବେ ମନେ

।।

ଅଜ୍ଞାନୀ ଜନେ ଏହି କଥା

ଅବଶ୍ୟ ମଣିବେଟି ମିଥ୍ୟା

।।

ଶୁଣି ସାନନ୍ଦ ମନୁରାୟ

ସିନ୍ଧୁ ଉଦୟ ଇନ୍ଦୁପ୍ରାୟ

।।

ଏ ଦାର୍ଢ୍ୟଭକ୍ତି ରସବାଣୀ

ସଂସାର ସିନ୍ଧୁକୁ ତରଣୀ

।।

ସୁଜନ ଏଣେ କର ଲୟ

ଦୂର ହୋଇବ ଯମ ଭୟ

।।

କହଇ ବିପ୍ର ରାମଦାସ

ମୂଳଟି ଅଟଇ ବିଶ୍ୱାସ

।।

ଦାର୍ଢତ୍ୟ ବିନା ଯେତେ କର୍ମ

କଲେ ନୋହିବ ପୂର୍ଣ୍ଣକାମ

।।

ସାଧୁଜନଙ୍କ ପାଦଗତେ

ରାମ ବୋଲଇ ରଖ ମୋତେ

।।

ତୁମ ସଙ୍ଗତି ମୋର କର

ମୁଁ ତୁମ୍ଭ ଚରଣେ କିଙ୍କର

।।

ହେ ଦେବ ଗଦା ପଦ୍ମଧର

ହେ ପଦ୍ମଯୋନିଙ୍କ ପିଅର

।।

ମୋ ମନ ହୋଇ ଷଟପଦ

ତୁମ୍ଭ ପଙ୍କଜ ପାଦେ ପଦ

।।

କରିଣ ପିଉ ସୁଧା ଧାର

ହେ ପ୍ରଭୁ ଏତେ ମାତ୍ର କର

।।

କର ନ କର ତୁମ୍ଭ ଚିତ୍ତ

ଆଶା ମୁଁ କରିଛି ବହୁତ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନଚେତନ୍ୟ ସମ୍ବାଦେ

ଶ୍ରୀ କୁଲଶିଖର ରାଜା ଦାର୍ଢ୍ୟଭାବ ବର୍ଣ୍ଣନେ ନାମ ଷଡ଼ବିଂଶୋ ଅଧ୍ୟାୟଃ

•••

 

ସପ୍ତବିଂଶ ଅଧ୍ୟାୟ

ଲାଲବେଗ ଓ ସାଲବେଗ

 

ପୁଣି ପୁଚ୍ଛଇ ମନ ରାଣ

ଚୈତନ୍ୟ ଦେବଙ୍କ ପାଦେଣ

।।

ହେ ଶୁଦ୍ଧ ଚେତା ତୋର ବାଣୀ

କେବଳ ସୁଧାସମ ଜାଣି

।।

ପିଇ ମୋର ଶ୍ରବଣ ଯୁଗଳ

ସନ୍ତୋଷ ନୋହିଲା କେବଳ

।।

ଏହି ପ୍ରକାରେ କଥା ଆଉ

ଥିଲେ କହିବା ମୋତେ ହେଉ

।।

ଶୁଣି ସୁଚେତା କହେ ହସି

ଶୁଣ ସର୍ବଘଟବାସୀ

।।

କଟକ ନାମେ ଯେ ସହର

ଲାଲବେଗରେ ତାର ଘର

।।

ଜାତିରେ ଅଟଇ ପଠାଣ

ତାହାର କଥା ଏବେ ଶୁଣ

।।

ମୁଗଲ ଜନ୍ମ କର୍ମ ଯେତେ

ଶୁଣ କହିବା ଶୁଦ୍ଧଚିତ୍ତେ

।।

ସେ ଲାଲବେଗ ଅତି ଦୁଷ୍ଟ

ଖଳ ପ୍ରପଞ୍ଚ ବୁଦ୍ଧି ନଷ୍ଟ

।।

ଶ୍ରୀ ଗଜପତି ଦଣ୍ଡଧାରୀ

ସଙ୍ଗତେ ଶତ୍ରୁପଣ କରି

।।

ଅନେକ ସୈନ୍ୟ ଠୁଲ କଲା

ଓଡ଼ିଶା ଯୁଝିବାକୁ ଗଲା

।।

ଉଚ୍ଛୁକେ ବାଦ୍ୟନାଦ ଘୋଷ

ଓଡ଼ିଶା ରାଜ୍ୟରେ ପ୍ରବେଶ

।।

ସେ ମହାରାଜ୍ୟ କଲେ ଜୁର

ଧନ ବସନ ଅଳଙ୍କାର

।।

ଛାଡ଼ିଶ ବ୍ରାହ୍ମଣ ଶାସନ

ପଳାଇଗଲେ ସର୍ବଜନ

।।

ତହିଁ ଏକ ବିଧବା ନାରୀ

ଯାଉ ଯେ ଥିଲା ସ୍ନାନ କରି

।।

ଏକାକୀ ଜନ ଜଳଘାଟେ

ସୈନ୍ୟ ତା ଦେଖିଲା ନିକଟେ

।।

ଡରେ ସେ ନପାରିଲା ଯାଇ

ରହିଲା ସ୍ତମ୍ଭୀଭୂତ ହୋଇ

।।

ଏକେ ବ୍ରାହ୍ମଣୀ ଦୁଜେ ଯୁବା

କେ କହିପାରେ ତାର ଶୋଭା

।।

ଚମ୍ପକ ପୁଷ୍ପ ପରା କାନ୍ତି

ମୁକୁତା ଶ୍ରେଣୀ ଦନ୍ତପନ୍ତି

।।

ସୁନାସା ସୁନ୍ଦର କପୋଳ

ବଦନ ଚନ୍ଦ୍ରମା ମଣ୍ଡଳ

।।

ନେତ୍ର କୁରଙ୍ଗ ଶୋଭା ଜିଣି

ଅପୂର୍ବ ଭଙ୍ଗି ମା ଚାହାଁଣୀ

।।

ଅଞ୍ଜନୁ ବଳି କେଶ ଆଭା

ବାହୁଯୁଗଳ ଦିବ୍ୟ ଶୋଭା

।।

ହୃଦୟଭାଗ ଅତି ଉଚ୍ଚ

ଶ୍ରୀଫଳ ଜିଣି ବେନି କୁଚ

।।

କଟି କ୍ଷୀଣତା କହି ନୋହେ

ଶୋଭାରେ ଜନମତ ମୋହେ

।।

ଏମନ୍ତ ନାରୀ ନଦୀ କୂଳେ

ଉଭା ତା ଜୀବନ ବିକଳେ

।।

ଏମନ୍ତ ବେଳେ ଲାଲବେଗ

ଆସିମିଳିଲା ତାର ଆଗ

।।

ଏକେ ଯେ ଦୁଷ୍ଟ ବଳବନ୍ତ

ତା ଅଙ୍ଗେ ବଳ ହିଁ ବହୁତ

।।

ଦେଖିଣ ଅତ୍ୟନ୍ତ ସୁନ୍ଦରୀ

ମଦନ ଶରେ ହେଲା ଘାରି

।।

ବଳେ ଧଇଲା ତାର ଭୁଜ

ମୃଗୀକୁ ଯେହ୍ନେ ମୃଗରାଜ

।।

ବସାଇ ଅଶ୍ୱର ଉପରେ

ସେ ନାରୀ ଦଇବ ସୁମରେ

।।

ଘେନିଣ ଚଳିଗଲା ବେଗେ

ସମସ୍ତ ସୈନ୍ୟଙ୍କର ଆଗେ

।।

କେ ତାକୁ ଚିହ୍ନି ନ ପାରିଲେ

ସମସ୍ତ ସୈନ୍ୟ ଲେଉଟିଲେ

।।

ତା ପୁର ଦେଖି ସେ ଯୁବତୀ

ଅତି ସନ୍ତାପେ ମଥା ପୋତି

।।

ନୟନୁ ଅଶ୍ରୁଧାର ଗଳେ

କାନ୍ଦି ଗଡ଼ଇ ମହୀତଳେ

।।

ତା ନିଜ କୁଟୁମ୍ୱ ସୁମରି

ବୋଲଇ ଦେବି ପ୍ରାଣ ହାରି

।।

ତାହା ଦେଖିଣ ସେ ପଠାଣ

ସେ ନାରୀ ଚରଣ ଧରିଣ

।।

ଅନେକ ବିନୟେ କହିଲା

କୋଳେ ବସାଇ ଚୁମ୍ୱ ଦେଲା

।।

ଅନେକ ଅଳଙ୍କାରମାନ

ତା ଅଙ୍ଗେ କଲାକ ମଣ୍ଡନ

।।

ଝୀନ ବସନ ପିନ୍ଧାଇଲା

ନାନା କୁସୁମେ ବେଶ କଲା

।।

ସର୍ବାଙ୍ଗ ଗନ୍ଧସାର ବୋଳି

ତା ସଙ୍ଗେ କଲା କାମକେଳି

।।

ନାନା ବିନୋଦେ ମନ ମୋହି

କୁଟୁମ୍ୱ ଦେଲା ପାଶୋରାଇ

।।

ଦଇବେ ଅବଳା ଶରୀର

ସଙ୍ଗହିଁ ସିନା ମୂଳ ତାର

।।

ତା’ଠାରୁ ରତିସୁଖ ପାଇ

ରହିଲା ପତ୍ନୀ ପ୍ରାୟ ହୋଇ

।।

ଏମନ୍ତେ କେତେଦିନ ଗଲା

ସେ ନାରୀ ପୁତ୍ର ପ୍ରସବିଲା

।।

ପୁତ୍ରକୁ ଦେଖି ଲାଲବେଗ

ତା ନାମ ଦେଲେ ସାଲବେଗ

।।

ମାତା ପିତାର ସ୍ନେହ ପାଇ

କ୍ଷୀର ପାନରେ ସୁସ୍ଥ ହୋଇ

।।

ଦିନକୁ ଦିନ ବର୍ଦ୍ଧମାନ

ହୋଇଲା ସେ ନବ ନନ୍ଦନ

।।

ପାଳିଲେ ବିଧିମତ କରି

ଅନେକ ଅଳଙ୍କାର ଭରି

।।

ଏମନ୍ତେ କେତେକାଳ ଗଲା

ଯୁବା ଅବସ୍ଥା ଆସି ହେଲା

।।

ଶିଖିଲା କ୍ଷତ୍ରି ବୃତ୍ତି ଯେତେ

ଅଶ୍ୱାଦି ଚଢିବା ସହିତେ

।।

କାଣ୍ଡ ଖଣ୍ଡାରେ ବିଚକ୍ଷଣ

ଆଡ଼ ଉହାଡ଼ରେ ମାରଣ

।।

ଏମନ୍ତ ନାନା ବିଦ୍ୟାମାନ

ଶିଖି ସେ କରଇ ଗୁମାନ

।।

ପଠାଣବୀର୍ଯ୍ୟେ ଜାତ ହୋଇ

ସେହି ସ୍ୱଭାବେ ଦିନ ନେଇ

।।

ଏମନ୍ତେ କେତେଦିନ ଗଲା

ତା ପିତା ଯୁଦ୍ଧେ ବାହାରିଲା

।।

ପିତାକୁ ଘେନି ସାଲବେଗ

ସୈନ୍ୟ ସଙ୍ଗତେ ଗମେବେଗ

।।

ପ୍ରବେଶ ହେଲା ସେ ସ୍ଥାନରେ

ଆଗ ହୋଇ ସେ ଯୁଦ୍ଧ କରେ

।।

ଯୁଦ୍ଧରେ ଶସ୍ତ୍ରାଘାତ ପାଇ

ଟଳି ପଡ଼ିଲା ରଣଭୂଇଁ

।।

ସତତ ଖଣ୍ଡା ଘାତ ହେଲା

ରୁଧିର ଧାର ବହିଗଲା

।।

ପଡ଼ିଲା ମୂର୍ଚ୍ଛାଗତ ହୋଇ

ଦେଖି ସଙ୍ଗରେ ଲୋକେ ଧାଇଁ

।।

ସାଲବେଗକୁ ବହି ନେଲେ

ତା ନିଜ ପୁରେ ପ୍ରବେଶିଲେ

।।

ଦେଖି ତାହାର ଗର୍ଭଧାରୀ

ଗୁଣ ବାହୁନି ଶୋକ କରି

।।

ପିତା ତା ହୋଇ ଅତି କ୍ରୋଧୀ

ଅନେକ ଗଲା ମଉଷଧି

।।

କେବେ ହେଁ କୁଶଳ ନୋହିଲା

ଏମନ୍ତେ କେତେଦିନ ଗଲା

।।

ଅତି ଆରତେ ସାଲବେଗ

କହିଲା ଜନନୀର ଆଗ

।।

ଭୋ ମାତା ଶୁଣ ମୋ ବଚନ

ଏଥର ଗଲା ମୋ ଜୀବନ

।।

ମରିବି ଆତ୍ମାଘାତି ହୋଇ

ଏ କଷ୍ଟ ନ ପାରିବି ସହି

।।

ଛାଡ଼ ମୋହର ପ୍ରତି ଆଶା

ଆଜୁଁ ସରିଲା ମୋ ଭରସା

।।

ତୋର କି ବୁଦ୍ଧି ଥିଲେ କହ

ନୋହିଲେ ପାଶୋରିଣ ରହ

।।

ଶୁଣି ଜନନୀ ଶୋକଭରେ

କହିଲା ପୁତ୍ରର ଆଗରେ

।।

ମୋହର କଥା ଶୁଣ ବାବୁ

ତୋହର ଥିଲେ ମୋର ସବୁ

।।

ତୋ ବିନା ହୋଇବି ଅନାଥ

ସ୍ୱରୂପ କହିଲିରେ ସୁତ

।।

ମୋତେ ତୁ ପଚାରିଲୁ ଯାହା

ଶୁଣ କହିବି ତୋତେ ତାହା

।।

ପଠାଣ ଅଟେ ତୋର ତାତ

ମୁହିଁ ବ୍ରାହ୍ମଣୀ ତୋର ମାତ

।।

ତୁ କାହୁଁ ମୋ ବୋଲ କରିବୁ

ସ୍ୱରୁପ ଶୁଣ ଆରେ ବାବୁ

।।

ଏମନ୍ତ ଶୁଣି ସାଲବେଗ

କହିଲା ଜନନୀର ଆଗ

।।

ଭୋ ମାତ କହିଲୁ ଯା ମୋତେ

ଶୁଣି ସଂଶୟ ମୋର ଚିତ୍ତେ

।।

ସେ ଯେ ପଠାଣ ତୁ ବ୍ରାହ୍ମଣୀ

କି ରୂପେ ତୁ ତାର ଘରଣୀ

।।

ଏମନ୍ତ ଶୁଣି ତାତ ମାତ

ବୋଇଲେ ଶୁଣସିରେ ସୁତ

।।

ଗ୍ରାମମାନଙ୍କେ ଯେ ଉତ୍ତମ

ଦାଣ୍ଡମୁକୁନ୍ଦପୁର ନାମ

।।

ସେହି ଗ୍ରାମରେ ମୋର ଘର

ନ ଥିଲେ ମୋ ଶାଶୁ ଶ୍ୱଶୁର

।।

ତୋ ବାପ ଯୁଦ୍ଧେ ଯାଇଥିଲେ

ସଙ୍ଗେ ବହୁତ ସୈନ୍ୟ ଥିଲେ

।।

ବାହୁଡ଼ି ଆସିବାର ବେଳେ

ସେଦିନ ଦଇବର ବଳେ

।।

ମୁଁ ଯାଇଥିଲି ସ୍ନାନ କରି

ତହୁଁ ଆଣିଲା ମୋତେ ଧରି

।।

ଏ କଥା ଶୁଣି ସାଲବେଗ

କହିଲା ଜନନୀର ଆଗ

।।

ଭୋ ମାତ ଶୁଣ ମୋର ବାଣୀ

ତୁ ମୋର ପିଣ୍ଡର କାରେଣୀ

।।

ତୋ ଇଚ୍ଛା ଯାହା ତାହାକର

ତୋ କଥା ସିନା ଇଷ୍ଟ ମୋର

।।

ଏଥିକି ବୁଦ୍ଧି କିସ କହ

କେମନ୍ତେ ରହିବ ମୋ ଦେହ

।।

ଏମନ୍ତ ଶୁଣି ତା ବଚନ

ବୋଇଲେ ଶୁଣରେ ନନ୍ଦନ

।।

ମୋ କଥା ଶୁଣସିରେ ବାପ

ଏ ଯେ ତୋହର ନିଜ ବାପ

।।

ତୋତେ ପାଶୋରି ସବୁକାଳେ

ତା ନିଜ ସୁତ ଦାରା ମେଳେ

।।

ରହିଲା ଅଚିନ୍ତା ହୋଇଣ

ମୁଁ ସିନା ହେଲି ଅକାରଣ

।।

ମୋ ଯୁବା ବୟସ ସରିଲା

ତେଣୁ ସେ ମୋତେ ପାସୋରିଲା

।।

ତୁ ଦାହେ ଦାସୀପୁତ୍ର ସିନା

ତାକୁ କି ଲାଗେ ତୋ ବେଦନା

।।

ତୁ ଅଟୁ ମୋ ଜୀବନ ଧନ

ତୋ ବିନା ମୋର ସର୍ବଶୂନ୍ୟ

।।

ତୁହି ମୋ ଅନ୍ଧର ଲଉଡ଼ି

ତୁ ସିନା ମୋ ଧନ କଉଡ଼ି

।।

ତୁହି ମୋ କଣ୍ଠ ରତ୍ନମାଳା

ତୁହି ମୋ ନୟନ ପିତୁଳା

।।

ସ୍ୱରପ କହସିରେ ବାବୁ

ସତେ କି ମୋ ବୋଲ କରିବୁ

।।

ସତ୍ୟ ତୁ କର ମୋର ଆଗ

ତା ଶୁଣି ବୋଲେ ସାଲବେଗ

।।

ହେ ମାତ ଲକ୍ଷେବାର ସତ୍ୟ

ମୋ ଶିର ଫୁଲଗଭା ତାହା

।।

ଏଥକୁ ସନ୍ଦେହ ନ କର

ବେଗେ ତୁ କର ସୁବିଚାର

।।

ମାତା ବୋଲଇ ପୁତ୍ର ଶୁଣ

ତୋ ମନେ ବିଶ୍ୱାସ କରିଣ

।।

ଶ୍ରୀ ବୃନ୍ଦାବନ ଚନ୍ଦ୍ର ଭଜ

ସେ ଯେ ଅଶେଷ ଦେବରାଜ

।।

ଅଶେଷ ଔଷଧିର ଘର

ଭଜିଲେ ନିଶ୍ଚେ ହେବୁ ପାର

।।

ଏମନ୍ତ ଶୁଣିଣ ନନ୍ଦନ

ବୋଇଲେ ଆଗୋ ମାତା ଶୁଣ

।।

ତୁ ଯାହା କହିଲୁଟି ମୋତେ

ତାହା ମୁଁ ଜାଣିବି କେମନ୍ତେ

।।

କେବଣ ସ୍ଥାନେ ତାଙ୍କ ଘର

କେ ତାଙ୍କ ଜନନୀ ପିଅର

।।

କେବଣ ଦେଶର ସେ ନୃପ

କେମନ୍ତେ ଅଟଇ ସ୍ୱରୂପ

।।

ମୁଁ ତାଙ୍କୁ ଭଜିବି କେମନ୍ତେ

ବୁଝାଇ କହ ମାତା ମୋତେ

।।

ଶୁଣଇ ଜନନୀ ମନ୍ଦେ ହସି

ବୋଇଲା ଶୁଣ ବାଳଶିଷି

।।

ନନ୍ଦରାଜ ଯେ ତାଙ୍କ ତାତ

ଯଶୋଦା ଦେବୀ ତାଙ୍କ ମାତ

।।

ଗୋପ ନଗରେ ତାଙ୍କ ଘର

ଅଶେଷ ପରଜା ତାଙ୍କର

।।

ରାଧିକା ନାମେ ତାଙ୍କ ନାରୀ

ସେ ଦୁହେଁ କିଶୋର କିଶୋରୀ

।।

ସେ ଗୋପେ ବୃନ୍ଦାବନ ଭୂପ

କହିବି ଶୁଣ ତାଙ୍କ ରୂପ

।।

ନବୀନ ଶ୍ୟାମଘନ ମୂର୍ତ୍ତି

ବଳିତାଞ୍ଜଳି ଜିଣି କାନ୍ତି

।।

ସୂଚାରୁ ଇନ୍ଦ୍ର ନୀଳମଣି

ତାଙ୍କ ରୂପକୁ ନୋହେ ଜିଣି

।।

ମର୍କତ କେଶ ଛବି ତାର

ନାନା କୁସୁମେ ଶୋଭାକର

।।

ଶିରେ ଶିଖଣ୍ଡ ଚୂଳ ଶୋହେ

ଭକତଜନ ମନ ମୋହେ

।।

ମସ୍ତକେ ଅମୂଲ୍ୟ ମୁକୁଟ

ଅଷ୍ଟରତନ ଝଟ ଝଟ

ଲଲାଟେ ଗୋରଚନା ଚିତା

ଯାହା ଭାବନ୍ତି ଉର୍ଦ୍ଧ୍ୱରେତା

।।

ଶ୍ରବଣେ ମକର କୁଣ୍ଡଳ

ନିନ୍ଦଇ ତପନ ମଣ୍ଡଳ

।।

ସୂତ୍ରେଣ ଶ୍ୱେତପଦ୍ମ ଜିତା

ଦେଖି ଧଇର୍ଯ୍ୟ ହରେ ମାତା

।।

ଭ୍ରୁଲତା କାମ ଶରାସନ

ଦେଖିଲେ ହରେ ପ୍ରାଣୀମନ

।।

ସୁନାସାପୁଟ କି ସୁନ୍ଦର

କୋଟିଏ କନ୍ଦର୍ପ କି ଛାର

।।

ଦ୍ୱିରଦ ମୋତି ନାସାପୁଟେ

ଗୁଞ୍ଜରାପାଟି ଭାଲପଟେ

।।

କୁନ୍ଦ କୋରକ ଶୋଭା ଜିଣି

ହୀରକ ପ୍ରାୟ ଦନ୍ତଶ୍ରେଣୀ

।।

ଗଙ୍ଗ ଅଧରେ ମନ୍ଦ ହାସ

ଅଶେଷ ପୀୟୁଷର ବାସ

।।

ମୁଖାରବିନ୍ଦ ଶୋଭା ଯେତେ

କେ କହି ପାରିବ ଜଗତେ

।।

ଦେଖି ଶ୍ରୀମୁଖ ଶୋଭା ତାର

ଛପି ରହିବ ନିଶାକର

।।

ପଙ୍କଜ ବଦନ ମୁକୁର

ଜିଣି ଦିଶଇ ଶୋଭା କର

।।

ଚାରୁ ଚିବୁକ କମ୍ବୁଗ୍ରୀବ

ଦେଖି ମୋହିତ ସଦାଶିବ

।।

ତହିଁ ଲମ୍ୱିତ ବନମାଳ

ସୁରତ୍ନ ହାର ବକ୍ଷସ୍ଥଳ

।।

ବଳିତ ସୁବାହୁ ଯୁଗଳ

ସୁନ୍ଦର ମଦନ ଗୋପାଳ

।।

ହୃଦରେ ଶ୍ରୀବତ୍ସର ଚିହ୍ନ

ସେ ଟି ପତିତ ଉଦ୍ଧାରଣ

।।

ଭୁଜେ ବିରାଜେ ବୀରବାନା

ସେହି ଏକାହିଁ ବଜ୍ରସ୍ନେହ୍ନା

।।

ଶ୍ରୀକର ଯୁଗଳେ କଙ୍କଣ

ନାନା ରତନେ ସୁଘଟନ

।।

ରତ୍ନ ମୁଦ୍ରିକା କରାଙ୍ଗୁଳି

ସେ ଅଘାତିମିର ବିଜୁଳି

।।

କରଜ କାନ୍ତି ପୂର୍ଣ୍ଣଶଶୀ

ସାଧୁ କୁମୁଦବନ ତୋଷି

।।

ଚିନ୍ତି ନ ପାରେ ଦେବ ବ୍ରହ୍ମା

କେହୁ ମୁଖେ ତା ମହିମା

।।

କମଳ ବ୍ରଭାଙ୍କୁଶ ମାନ

ବିରାଜେ ଅଷ୍ଟାଦଶ ଚିହ୍ନ

।।

କମଳ ଦେବୀଙ୍କ ବିଳାସ

ଯହିଁ ଶରଣ ଚତୁର୍ଦ୍ଦଶ

।।

ଅଶେଷ ବ୍ରହ୍ମାଣ୍ଡ ମଉଳି

ଯେବଣ ପାଦପଦ୍ମେ ଲୁଳି

।।

ସିଦ୍ଧ ଯୋଗୀନ୍ଦ୍ରମୁନିଗଣେ

ନିତ୍ୟେ ଚିନ୍ତନ୍ତି ଯା ଚରଣେ

।।

ସେ ପାଦେ ଆଶ୍ରେଥିବ ଯାର

ସଂସାରେ ଭୟ ନାହିଁ ତାର

।।

ତ୍ରିଭଙ୍ଗ ରୂପ ବଂଶୀଧର

ଭଙ୍ଗିମା ଚାହାଣୀ ସୁନ୍ଦର

।।

ଏମନ୍ତ ସ୍ୱରୂପ ଅଟଇ

ଯହିଁ ଚିନ୍ତିବ ତାହିଁ ଥାଇ

।।

ତୁ ବାବୁ ଏହି ରୂପ ଚିନ୍ତି

ମନରୁ ଛାଡ଼ ଭୟ ଭ୍ରାନ୍ତି

।।

ଅନେକ ଦେବେ ଶେଷେ ଶିବେ

ଯା ରୂପ ଚିନ୍ତି ନ ପାରିବେ

।।

ମୋ ଛାର କେତେକ ମାତର

କହିବି ରୂପ ଗୁଣ ତାର

।।

ମୋହର ପିତା ମୁଖୁ ଯାହା

ଶୁଣିଛି କହିଲି ମୁଁ ତାହା

।।

ଏମନ୍ତ ଶୁଣି ତାର ସୁତ

ବୋଇଲା ଶୁଣିଛି ଗୋ ମାତ

।।

ଏମନ୍ତ ସ୍ୱରୂପକୁ ଭାବି

କହ ମୁଁ କେମନ୍ତେ ବଞ୍ଚିବି

।।

ମାତା ବୋଲଇରେ ତନୁଜ

ବିଶ୍ୱାସ ସିନା ମୂଳ ବୀଜ

।।

ଦୃଢ ତୁ ଯେବେ ତା ଭଜିବୁ

ଦ୍ୱାଦଶ ଦିନେ ଭଲ ହେବୁ

।।

ପୁତ୍ର ବୋଇଲଶ ହେଉ ହେଉ।

ଏ କଥା ତୋର ମନେ ଥାଉ

।।

ଏବେ ମୁଁ ଭଜୁଅଛି ହରି

କଣ୍ଟା ଗଳିରେ ଦୁହେଁ ମରି

।।

ଏମନ୍ତ କହି ସେ ନନ୍ଦନ

କୃଷ୍ଣ ଭଜନେ ଦେଲା ମନ

।।

କୃଷ୍ଣ ସ୍ୱରୁପ ଚିନ୍ତି ହୃଦେ

ମନ ନିବେଶି ପଦ୍ମପାଦେ

।।

କର ଯୁଗଳ ଶିରେ ଦେଇ

ନୟନେ କୃଷ୍ଣରୂପ ଥୋଇ

।।

କୃଷ୍ଣ କଥାରେ କର୍ଣ୍ଣ ଡେରି

ବଦନେ କୃଷ୍ଣନାମ ଧରି

।।

ସକଳ ଇନ୍ଦ୍ରିୟ ନିବାରି

କୃଷ୍ଣ ଭଜନ ହୃଦେ କରି

।।

ଛାଡ଼ିଲା ଦେହ ବୁଦ୍ଧି ତାର

ମଦ ମତ୍ସର ଯେ ବିକାର

।।

ଆନନ୍ଦ ସାଗରେ ବୁଡ଼ିଲା

କୃଷ୍ଣ ସ୍ୱରୂପକୁ ଚିନ୍ତିଲା

।।

ଯହିଁ ଯେମନ୍ତ ଅଳଙ୍କାର

ଖଞ୍ଜିଲା ମନେ ମନେ ତାର

।।

ଶ୍ରୀକୃଷ୍ଣ ସେବାମାନ ଯେତେ

କରି ଲାଗିଲା ତାର ହସ୍ତେ

।।

ଶ୍ରୀକୃଷ୍ଣ ବୃନ୍ଦାବନ ଲୀଳା

ଭାବି ଭାବରେ ହେଲା ଭୋଳା

।।

ଶ୍ରୀକୃଷ୍ଣ ବ୍ରଜଦେବଙ୍କର

ଯେ ସ୍ଥାନେ ଯେମନ୍ତେ ବିହାର

।।

ଏ ସର୍ବେ ମନେ କରି ଲୟେ

ବେନି ନୟନୁ ଅଶ୍ରୁ ବହେ

।।

ରୋମ ପୁଲକ ହେଲା କାୟ

କଦମ୍ୱ କୁସୁମ ପରାୟ

।।

ଶ୍ରୀକୃଷ୍ଣ ପାଦେ ଦେହମତି

ମନେ ଅନେକ କଲା ସ୍ତୁତି

।।

ଜୟ ତୁ ବୃନ୍ଦାବନ ଚନ୍ଦ୍ର

ଜୟ ମୁକୁନ୍ଦ ଆଦିକନ୍ଦ

।।

ଜୟ ଯାମଳାର୍ଜ୍ଜୁନ ଭଞ୍ଜା

ତୃଣ ଶକଟା ଗର୍ବଗଞ୍ଜା

।।

ଜୟ ତୁ ବକା ଥଣ୍ଟ ଚିରା

ଅଘା ପ୍ରଳମ୍ୱା ପ୍ରାଣହରା

।।

ବତ୍ସା ପାଳନ ଦୈତ୍ୟକୁଳ

ଦହନେ ତୁ ପ୍ରଭୁ ଅନଳ

।।

ଦୁଷ୍ଟ ନିବାରି ସନ୍ଥ ପାଳୁ

ତୁ ନାଥ ପରମ ଦୟାଳୁ

।।

କାଳିନ୍ଦୀ କଲ୍ଲୋକ ବିହାରୀ

କାଳି ମଉଳି ଚିତ୍ରକାରୀ

।।

କଦମ୍ୱ ତରୁମୂଳବାସୀ

ରଙ୍ଗେ ମୁରଲୀ ତାନ ଘୋଷି

।।

ଗିରେ ମଣ୍ଡିତ ଗୁଞ୍ଜମାଳି

ମଉଳି ଖଞ୍ଜା ଜାମୁଡାଳୀ

।।

ଶ୍ରବଣେ ରଙ୍ଗଫୁଲ କାପ

ଶୋଭଇ ଯେହ୍ନେ ଇନ୍ଦ୍ର ଚାପ

।।

ଅଙ୍ଗେ ଶୋଭିତ ଗୋରୁଧୂଳି

ନାଟୁଆ କୁଳର ମଉଳି

।।

ଆବର ନାରୀ ଚିତ୍ତଚୋର

ବ୍ରଜ କାମିନୀ ବସ୍ତ୍ରହର

।।

କୁଟିଳ ଜନଙ୍କୁ କପଟୀ

ଭାବୁକ ଭାବରେ ଲମ୍ପଟୀ

।।

ଏ ରୂପେ ନାନା ସ୍ତୁତି ଭଣି

ମାତାକୁ ବୋଲେ ପୁତ୍ରମଣି

।।

ତୁ ଯାହା ବୋଇଲୁ ଗୋ ମାତ

ଭଲ ତ ନୋହିଲା ମୋ ଗାତ୍ର

।।

କଣ୍ଟ ତ ଆସି ପୂର୍ଣ୍ଣ ହେଲା

ଅଧିକେ ବେଦନା ବଢିଲା

।।

ନିଶ୍ଚୟ ହେବ ମୋ ମରଣ

ରହଇ ନାହିଁ ମୋର ପ୍ରାଣ

।।

ଅନେକ କଷ ତୁଳ କରି

ଦୟା କରନ୍ତି ନରହରି

।।

ଏମନ୍ତ ବୋଲି ଚିନ୍ତାଭରେ

ଦୁହେଁ ଶୋଇଲେ ଏକ ଘରେ

।।

ଚିତ୍ତ ନିବେଶି ପଦ୍ମପାଦେ

ବୋଲଇ ମନର ବିଷାଦେ

।।

ହେ ଆର୍ତ୍ତତ୍ରାଣ ଦୀନବନ୍ଧୁ

ଭକ୍ତବତ୍ସଳ କୃପାସିନ୍ଧୁ

।।

ମୋ ଆର୍ତ୍ତ ଖଣ୍ଡ ଦେବରାଜ

ବିଳମ୍ବେ ନାହିଁ ଆଉ କାର୍ଯ୍ୟ

।।

ନିଶ୍ଚେ ମରିବୁ ମାଏ ପୋଏ

ହତ୍ୟା ହୋଇବୁ ତୁମ୍ଭ ପାଏ

।।

ଏମନ୍ତ ଦ୍ୱାଦଶ ଦିବସ

ଆସି ହୋଇଲା ଯହୁଁ ଶେଷ

।।

ମରିବା କଥା କଲେ ମୂଳ

ତାହା ଜାଣିଲେ ଆଦିମୂଳ

।।

ତେଜିଲେ ବେଗେ ବୃନ୍ଦାବନ

ନିଦ୍ରାରେ ମୋହି ତାଙ୍କ ମନ

।।

ବାଳମୁକୁନ୍ଦ ରୂପ ହୋଇ

ବିଜୟ କଲେ ଭାବଗ୍ରାହୀ

।।

ହୋଇଣ ଅତ୍ୟନ୍ତ ଉଦ୍‌ବେଗ

ଯହିଁ ଶୋଇଛି ସାଲବେଗ

।।

ତାହାର ସୀମସ୍ଥାନେ ବସି

କହିଲେ ମନ୍ଦେ ମନ୍ଦେ ହସି

।।

ବେଗେ ତୁ ଉଠରେ କୁମର

ଛାଡ଼ି ସକଳ ଚିନ୍ତା ତୋର

।।

ଧର ଏ ବିଭୁତି ମୁଠାଏ

ଲଗାଇ ଦିଅ ତୋର ଘାଏ

।।

ସମସ୍ତ ହୋଇବ କୁଶଳ

ଆଜୁ ମୋ ନାମ କର ମୂଳ

।।

ତା ଶୁଣି ଅତି ତୋଷ ହୋଇ

ବିଭୂତି ତାଙ୍କ ହସ୍ତୁ ନେଇ

।।

ସର୍ବାଙ୍ଗ ଯାକ ଦେଲା ବୋଳି

ଅର୍ଦ୍ଧେକ ଘେନିଲା ମଉଳି

।।

ପ୍ରଭୁଙ୍କୁ କଲା ଦରଶନ

ହରି ହୋଇଲେ ଅନ୍ତର୍ଦ୍ଧାନ

।।

ଦେହରେ ଦେହ ବୁଦ୍ଧି ନାହିଁ

ପୁଣି ସେ ପଡ଼ିଲାକ ଶୋଇ

।।

ରଜନୀ ପ୍ରଭାତରୁ ଉଠି

ନିଜ ଦେହକୁ ଦେଲା ଦୃଷ୍ଟି

।।

ଦେହେ ତା ଘା ନାହିଁ କିଛି

କେବଳ ଚିହ୍ନମାନ ଅଛି

।।

ଦେଖି ସେ ପରମ ଆନନ୍ଦ

ଚିତ୍ତେ ଚିନ୍ତଇ ବ୍ରଜାନନ୍ଦ

।।

ମାତାଙ୍କୁ ବୋଇଲା ଲୋ ଶୁଣ

ତୋ କଥା ହୋଇଲା ପ୍ରମାଣ

।।

ଶୁଣି ଜନନୀ ବେଗେ ଉଠି

ପୁତ୍ର ଦେହକୁ ଦେଲା ଦୃଷ୍ଟି

।।

ଦେଖିଲା ଶୁଭ କଥାସବୁ

ବୋଲଇ ଦେଖିଲୁରେ ବାବୁ

।।

ସେ ହରି ମହିଁମା ସାଗର

ଅତ୍ରାହି ଭଞ୍ଜନ ଠାକୁର

।।

ପୁତ୍ର ବୋଇଲା ସତ୍ୟ ଏହି

ପବିତ୍ର କଲୁ ମୋର ଦେହୀ

।।

ମୁହିଁ ସନ୍ନ୍ୟାସୀ ହୋଇବଇଁ

ସଂସାର ସୁଖ ତେଜିବଇଁ

।।

ଏମନ୍ତ କହି ବସ୍ତ୍ର ଚିରି

ଡୋର କୌପୁନୀ ଆଶ୍ର କରି

।।

ମାତାଙ୍କୁ ଦଣ୍ଡବତ କଲା

ଶୁଣ ଗୋ ଜନନୀ ବୋଇଲା

।।

ଏମନ୍ତ ପ୍ରଭୁ ଥାଉଁ ଥାଉଁ

ସେ ଅନ୍ୟ ଆଶ୍ରେ କରେ ଆଉ

।।

ଧିକ ବୋଲିବା ତା ଜୀବନ

ଏ ଦେହେ କିସ ପ୍ରୟୋଜନ

।।

କେବଳ ଭଜୁଥାଅ ହରି

ତୋ ମନେ ସନ୍ଦେହ ନ କରି

।।

ଏମନ୍ତ କହି ଅନୁକୂଳ

କରି ଚଳିଲା ନୀଳାଚଳ

।।

ପ୍ରବେଶ ହେଲା କ୍ଷେତ୍ରବରେ

ସାଧୁ ବୈଷ୍ଣବଙ୍କ ସଙ୍ଗରେ

।।

କେତେ ହେଁ ଦିନ ତହିଁ ରହି

ପ୍ରତିମାମାନଙ୍କୁ ଦେଖଇ

।।

ଶ୍ରୀ ଜଗନ୍ନାଥଙ୍କ ଦର୍ଶନ

କରିର ଚଳିଲା ଦକ୍ଷିଣ

।।

କାହିଁ କେମନ୍ତେ କଲା ଅବା

ତାହା ଜାଣନ୍ତି ସୁରଦେବା

।।

ଶୁଣ ହେ ମନ ନୃପନାଥ

ଏ ସାଲବେଗର ଚରିତ

।।

ଜୀବନ୍ତେ ଶ୍ରୀ ନନ୍ଦକହ୍ନାଇଁ

ଦେଖିଲା ଚର୍ମନେତ୍ରେ ଚାହିଁ

।।

ତା ଗତି ମୁକ୍ତି ଯେବା ହେଉଁ

ତାହା ଜାଣିବେ ମହାବାହୁ

।।

ଏ ଦାର୍ଢ୍ୟଭକ୍ତି ରସାମୃତ

ସୁଜନେ ଏଥେଁ ଦିଅ ଚିତ୍ତ

।।

ପଢି ଶୁଣନ୍ତେ ମୋକ୍ଷ ଗତି

ଯମ ଦଣ୍ଡକୁ ନାହିଁ ଭୀତି

।।

ସକଳ କର୍ମ ସିଦ୍ଧ ହେବ

କେବଳ ବିଶ୍ୱାସ ଯା ଥିବ

।।

କହଇ ବିପ୍ର ରାମଚନ୍ଦ୍ର

ମୋ ପ୍ରଭୁ ବୃନ୍ଦାବନ ଚନ୍ଦ୍ର

।।

ସାଧୁମାନଙ୍କ ପାଦଧୂଳି

ମଣ୍ଡନ ହେଉ ମୋ ମଉଳି

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନଚୈତନ୍ୟ ସମ୍ବାଦେ

ସାଲବେଗ ଦାର୍ଢ୍ୟଭାବ ବର୍ଣ୍ଣନେ ନାମ ସପ୍ତବିଂଶୋ ଧ୍ୟାୟଃ

•••

 

Unknown

ଊନବିଂଶ ଅଧ୍ୟାୟ

ତୁଳସୀଦାସ ସମ୍ବାଦ

 

କହଇ ସୁମନ ହରଷେ

ଶୁଣ ଚୈତନ୍ୟ ଅତି ତୋଷେ

।।

ଶୁଣି ଶ୍ରୀହରି ଭକ୍ତ କଥା

ଶ୍ରବଣେ ଖଣ୍ଡେ ଭବବ୍ୟଥା

।।

ଆହୁରି ଶୁଣିବାକୁ ମନ

ପୁଣି ବୋଲଇ ଚଇତନ

।।

ଶୁଣ ହୋ ମନ ପୁଣ୍ୟ ମୟେ

କହିବି ବିଚିତ୍ର କଥାଏ

।।

ଦକ୍ଷିଣଦେଶ ସିନ୍ଧୁ ତୀରେ

ବିଜୟା ନାମ ପାଟଣାରେ

।।

ଅଟଇ ତାର ନିଜ ବାସ

ଜାତିରେ ଅଟେ ରଜପୁତ

।।

ତୁଳସୀ ଦାସ ନାମ ତାର

ଅତି ସୁନ୍ଦର ସୁକୁମାର

।।

ତା ଭାର୍ଯ୍ୟା ନାମ ସତ୍ୟବତୀ

ସୁଗୁଣ ସୁଶୀଳା ଯୁବତୀ

।।

ସ୍ୱାମୀର ଆଜ୍ଞା ଅଲଙ୍ଘିତ

ଏକ ଦୁହିତା ବେନି ସୁତ

।।

ଅଶ୍ୱ ଚଢାରେ ସେହୁ ଦକ୍ଷ

କ୍ଷତ୍ରିୟ ପଣେ ଅଟେ ମୁଖ୍ୟ

।।

ଅତି ରାଜସ ରଜୋଗୁଣୀ

ଧାର୍ମିକ ପଣେ ତାକୁ ଗଣି

।।

ଦାନୀ ପଣରେ ଜାଣ ସେହି

ମାଗିଲେ ପ୍ରାଣ ପାରେଦେଇ

।।

ଶାନ୍ତ ସୁଶୀଳ ସତ୍ୟବାଦୀ

ଦୟାଳୁ ସୁଗୁଣ ସୁବୁଦ୍ଧି

।।

ବିପ୍ର ବୈଷ୍ଣବ ଅତି ଦୟା

ଶ୍ରୀକୃଷ୍ଣ ସେବାରେ ନିର୍ମାୟା

।।

ଶ୍ରୀରାମ କଥା ବିନା ଆନ

ରସଇ ନାହିଁ ତାର ମନ

।।

ଜାଣଇ ଏକା ରାମବ୍ରହ୍ମ

ରାମ ସକଳ ଧର୍ମ କର୍ମ

।।

ରାମ ଯେ ଗତି ମୁକ୍ତି ଦାତା

ତା ବିନୁ ନାହିଁ ନା କରତା

।।

ଏମନ୍ତ ବୋଲି ଦିବାନିଶି

ଶୁଣଇ ରାମକଥା ବସି

।।

ଏମନ୍ତ ଗଲେ କେତେଦିନ

ଶୁଣ ହେ ସୁମନ ରାଜନ

।।

ପ୍ରତ୍ୟହ ସେ ଗ୍ରାମେ ସମସ୍ତ

ପଢନ୍ତି ରାମାୟଣ ଗ୍ରନ୍ଥ

।।

ସେ ଭାବ ମଧ୍ୟେ ନିତି ବସି

ଶୁଣୁ ଯେ ଥାଇ ସେ ତୁଳସୀ

।।

ଆଦ୍ୟରୁ ପ୍ରାନ୍ତ ପରିଯନ୍ତେ

ଗାୟନ କରିବାର ନିତ୍ୟେ

।।

ଶ୍ରୀରାମ ଜନ୍ମ କର୍ମବାଣୀ

ଆନନ୍ଦ ହେଉଥାଏ ଶୁଣି

।।

କାର୍ମୁକ ଭଗ୍ନ ଆଉ କରି

ପରଶୁରାମ ଗର୍ବ ହରି

।।

ତାଡ଼କା ବଧ ଶିଳା ନାରୀ

ଏ କଥାମାନ ଶୁଣି କରି

।।

ଅଙ୍ଗ ପୁଲକ ଉଠୁଥାଇ

ଭାବେ ନ ପାରେ କଥା କହି

।।

ରାଜ୍ୟରେ ଅଭିଷେକ ହେବା

ସମୟେ ବନବାସ ଯିବା

।।

ଦୁଃଖ ବା ସୁଖ ପାଇବାର

ଶୁଣି କମ୍ପଇ ତା ଶରୀର

।।

ପୁଣି ସେ ପଞ୍ଚବଟୀ କଥା

ଶୁଣି ତା ମନେ ବଡ଼ ବ୍ୟଥା

।।

ଶ୍ରୀରାମ ମାୟାମୃଗ ମାରି

ବିଜୟ କଲେ ଧନୁ ଧରି

।।

ଲକ୍ଷ୍ମଣ କଟୁଭାଗେ ଗଲେ

ଏକା ହୋଇଣ ସୀତା ଥିଲେ

।।

ଏମନ୍ତ ସମୟେ ରାବଣ

ଆସି ମିଳିଲା ତତକ୍ଷଣ

।।

କପଟେ ହୋଇଣ ସନ୍ନ୍ୟାସୀ

ପର୍ଣ୍ଣ କୁଟୀରେ ଯାଇଁ ପଶି

।।

ଜାନକୀ ଦେବୀ ଭୁଜ ଧରି

ବଳେ ସେ ପଶିଲା ଅଟାରି

।।

ରଥରେ ବସାଇଲା ନେଇ

ଶୂନ୍ୟେ ଗମିଲା ବେଗହୋଇ

।।

ମିଳିଲା ଲଙ୍କାପୁରେ ଯାଇ

ସୀତା ଦେବୀଙ୍କି ତହିଁ ଥୋଇ

।।

ଏହା ଶ୍ରବଣେ ସେହି ଶୁଣି

କୁଳିଶ ଘାତପ୍ରାୟ ମଣି

।।

କମ୍ପିଲା ଦର୍ଶନ ଅଧର

ସ୍ୱେଦ ପୁରିତ କଳେବର

।।

ହଜିଲା ଦେହୁଁ ବୁଦ୍ଧିଜ୍ଞାନ

ତା ମନହେଲା ଅତି ଛନ୍ନ

।।

ଦ୍ୱିଯୁଗାନ୍ତର କଥା ଶୁଣି

ବର୍ତ୍ତମାନର ପ୍ରାୟ ମଣି

।।

କ୍ରୋଧେ ବଚନ ଗଦ ଗଦ

ଉଠିଲା କରି ଘୋର ନାଦ

।।

ନୟନ ତମ୍ୱା ଚକ୍ର ପ୍ରାୟେ

ବୋଇଲ ଯିବ କେଉଁଠାଏ

।।

ଆଜ ମାରିବି ନାରୀ ଚୋର

ସବଂଶ ସହିତେ ତାହାର

।।

ନିଜ ଜନନୀ ମୋର ଆଣି

ଭେଟାଇ ଦେବି ଚକ୍ରପାଣି

।।

ଏମନ୍ତ ବୋଲି ଧନୁଧରି

କ୍ରୋଧେ ଅନେକ ଶର ଭରି

।।

ଢାଲ କଟାରୀ ଯମ ଦାଢ

କରେ ବରଛା ଅତି ଗାଢ

।।

ଧରି ବସିଲା ଅଶ୍ୱପରେ

ଧାଇଁଣ ଦକ୍ଷିଣ ଦିଗରେ

।।

ତାହା ଜାଣିଲେ ଭାବଗ୍ରାହୀ

ଧାଇଁଲେ ଅସମ୍ଭାଳ ହୋଇ

।।

ପବନୁ ବେଗ ହୋଇ ଚଳି

ସାଗର କୂଳେ ଯାଇଁ ମିଳି

।।

ଶ୍ରୀରାମ ସୁମରି ମନରେ

ପଶିଲା ସମୁଦ୍ର ଭିତରେ

।।

ଆଜ୍ଞା ସେ ଦେଲେ ରଘୁମଣି

ଥୋକେ ତୁ ଘୁଞ୍ଚି ସିନ୍ଧୁପାଣି

।।

ଆଜ୍ଞା ପ୍ରମାଣେ ମହାବାରି

ଘୁଞ୍ଜି ସେ ଥିଲା ଯୂଣ ଚାରି

।।

ତା ପଛେ ବିଜେ ରଘୁବୀର

ହୋଇ ଅପୂର୍ବ ଦ୍ୱିଜବର

।।

ଡାକିଲେ ଦାସେ ଏହି ବେଳେ

କିମ୍ପା ପଶୁଛ ସିନ୍ଧୁ ଜଳେ

।।

ସେକଥା ଫେଡ଼ି କହ ମୋତେ

ଏ ଦେହ ନ ନାଶ ବିଅର୍ଥେ

।।

ତା ଶୁଣି ଦାସ କ୍ରୋଧଭର

ବୋଇଲେ ଶୁଣ ଦ୍ୱିଜବର

।।

ଯେ ସୀତା ଜଗତ ଜନନୀ

ତାଙ୍କୁ ରାବଣ ଗଲା ଘେନି

।।

ତା ବଂଶ ନିବଂଶ କରିବି

ଜାନକୀ ମାନ ଉଦ୍ଧରିବି

।।

ରାବଣ ମାରେ ବା ମରିବି

ଦୁଇରୁ ଏକା ମୁଁ କରିବି

।।

ତା ଶୁଣି ପ୍ରଭୁ ଦାଶରଥି

ବୋଇଲେ ଛାଡ଼ ତୁ ଏ ମତି

।।

ଏ ସିନ୍ଧୁ କେମନ୍ତ ତରିବୁ

ବି ଅର୍ଥେ ଜୀବନ ହାରିବୁ

।।

ନ କର ଏମନ୍ତ ସାହସ

ବେଗେ ତୁ ବାହୁଡ଼ିଣ ଆସ

।।

ତା ଶୁଣି ବୋଲେ ବୀରମଣି

ଏ କେତେ ମାତ୍ର ସିନ୍ଧୁ ପାଣି

।।

ଲଙ୍ଘିବି କୂପ ଜଳ ପ୍ରାୟ

ମାରିବୁ ଦୁଷ୍ଟ ଲଙ୍କରାୟେ

।।

ଆଉ ନ କହ ତୁମ୍ଭେ କିଛି

ଏ ଦେହ ପାଶୋରି ଦେଇଛି

।।

ଏହା ଯଦ୍ୟପି ନ କରିବି

ଅବଶ୍ୟ ଜୀବନ ହାରିବି

।।

ହେ ବିପ୍ର ନ କଟାଳ ମୋତେ

ବୋଲିଣ ଧାଇଁଲା ତୁରିତେ

।।

ତାହାର ମନ ପ୍ରଭୁ ଜାଣି

ବୋଇଲେ ଧନ୍ୟ ବୀରମଣି

।।

ତୁ ଏବେ ଆଉ ଲେଉଟିଣ

ଶ୍ରୀରାମ ମାଇଲେ ରାବଣ

।।

ସୀତାଙ୍କୁ ଘେନି ବିଜେ କଲେ

ତୁ ଏବେ ଯୁଝିବୁ କା ତୁଲେ

।।

ତାହା ଶୁଣିଣ ବୀରମଣି

ବୋଲେ ବ୍ରାହ୍ମଣ ଚୂଡ଼ାମଣି

।।

ତୁମ୍ଭେ କହିବ ଯାହା ମୋତେ

କେଭେ ମୁଁ ନଯାଏ ପରତେ

।।

ଅଚଳ ଯେବେ ହେବ ଚଳ

ଶୀତଳ ହୋଇବ ଅନଳ

।।

ନିଶାରେ ରବି ଉଦେ ହେବ

ସ୍ଥାବର ବଚନ କହିବ

।।

ପାଷାଣେ ପଦ୍ମ ଯେ ବିକଶି

ଅନଳ ବରଷିବ ଶଶୀ

।।

ଏମନ୍ତ ହେଲେ ଅବା ହେବ

ତୁଳସୀ ଅଶ୍ୱ ନ ଫେରିବ

।।

କେବଳ କଥା ଏକ ଅଛି

ଯେବେ ମୁଁ ନୟନେ ଦେଖିବି

।।

ଶ୍ରୀକରେ ଥିବ ଧନୁର୍ବାଣ

ସଙ୍ଗତେ ସାନୁଜ ଲକ୍ଷ୍ମଣ

।।

ଏହା ମୁଁ ନୟନେ ଦେଖିଲେ

ତେବେ ମୁଁ ଲେଉଟିବି ଭଲେ

।।

ଏମନ୍ତ ଶୁଣି ଆଦିମୂଳ

ଭଗତଭାବେ ହେଲେ ଭୋଳ

।।

ତକ୍ଷଣେ ଜନକ କୁମାରୀ

ସଙ୍ଗତେ ଘେନି ବିଜେ କରି

।।

ପାରୁଶେ ସାନୁଜ ଲକ୍ଷ୍ମଣ

ଶ୍ରୀକରେ ଶୋହେ ଧନୁର୍ବାଣ

।।

କୋଟିଏ କନ୍ଦର୍ପର ପ୍ରଭା

ଜିଣି ଶୀରାମଚନ୍ଦ୍ର ଉଭା

।।

ନବୀନ ଘନଶ୍ରାମ ଜିଣି

ସୁକାନ୍ତି ଇନ୍ଦ୍ର ନୀଳମଣି

।।

ଲଲାଟେ କିରୀଟ ମୁକୁଟ

ରତ୍ନମାନଙ୍କ ଝଟ ଝଟ

।।

ଶ୍ରବଣେ ମକର କୁଣ୍ଡଳ

ଜ୍ୟୋତି ବିରାଜେ ଗଣ୍ଡସ୍ଥଳ

।।

ଶ୍ରୀଭୁଜେ ରାଜେ ବୀରନେତ

ଶରଣ ରକ୍ଷଣ ନିମିତ୍ତ

।।

କରେ କଙ୍କଣ ଶୋଭାବନ

ଅତୁଲ ଅମୂଲ୍ୟ ରତନ

।।

କି ତୋର ଦିଶେ କରାଙ୍ଗୁଳି

ରତ୍ନ ମୁଦ୍ରିକା ମାନ ଝଳି

।।

ଧନ୍ୟ ସେ ଶ୍ରୀମୁଖର ଶୋଭା

କୋଟିଏ ଚନ୍ଦ୍ର ଜିଣି ପ୍ରଭା

।।

କି ଶୋଭା ନେତ୍ର ଭାରବିନ୍ଦ

ଜଗତ କରଇ ଆନନ୍ଦ

।।

ସୁନାସ ସୁରଙ୍ଗ ଅଧର

ସୁକମ୍ୱୁ କଣ୍ଠେ ରତ୍ନହାର

।।

ଅତି ବିସ୍ତାର ବକ୍ଷ ସ୍ଥଳ

ତହିଁ ଲମ୍ୱିତ ବନମାଳ

।।

ଶ୍ରୀବତ୍ସ ଦ୍ୱିଜ ପଦ ଚିହ୍ନ

ଇନ୍ଦିରା ଦେବୀଙ୍କ ସଦନ

।।

ସିଂହକଟୀରେ ପୀତବାସ

ନୀଳଘନେ କି ବିଦ୍ୟୁତ୍ରାସ

।।

ହେମମେଘଳୀ ଜିଣିପାରେ

ସିଦ୍ଧ ଯୋଗୀନ୍ଦ୍ର ମନ ହରେ

।।

ଶୀରଙ୍ଗ ପାଦର ମାଧୁରୀ

କେ କହିପାରେ ଅନ୍ତ କରି

।।

ଈଶ୍ୱର ପଞ୍ଚମ ଆନନେ

କହି ନ ପାରିବେ ବଚନେ

।।

ବ୍ରହ୍ମାଦି ସୁରେନ୍ଦ୍ର କିରୀଟି

ଯେବଣ ପାଦେ ପଦ୍ମ ଲୋଟି

।।

ଏମନ୍ତ ରୂପେ ପ୍ରଭୁ ବିଜେ

ଶର କାର୍ମୁକ ବେନି ଭୁଜେ

।।

ବିକ୍ରମ ସିଂହ ରୂପ ଠାଣି

ଦେଖିଣ ଆନନ୍ଦ ଧରଣୀ

।।

ଏ ଅନୁରୂପେ ବେନିପାଶେ

ଭ୍ରତ ଶତ୍ରୁଘ୍ନ ଶୋଭା ଦିଶେ

।।

ସେ ପ୍ରଭୁ ଚରଣାରବିନ୍ଦେ

ପାମର ରାମଦାସ ବନ୍ଦେ

।।

ଏମନ୍ତ ବେଶେ ନାରାୟଣ

ଡାକିଲେ ଦ୍ୱିହସ୍ତ ଠାରିଣ

।।

ତୁଳସୀ ଦାସ ବେଗେ ଆସ

ଦେଖ ତୋ ମନବାଞ୍ଛା ବେଶ

।।

ତୁଳସୀ ଦାସ ଦେଖି କରି

ଅଶ୍ୱ ଫେରାଇ ଚକ୍ରକରି

।।

ପ୍ରଭୁଙ୍କୁ ଅନାଇଣ ଦେଲା

ଅଶ୍ୱ ଉପରୁ ଉତୁରିଲା

।।

ଅଶେଷ ବ୍ରହ୍ମାଣ୍ଡର ଶୋଭା

ଆନ କି ପଟାନ୍ତର ଦେବା

।।

ଦେଖି ତା ନେତ୍ରାନନ୍ଦ ଭୋଳେ

ଶୋଇଲା ଯାଇ ପାଦତଳେ

।।

ଉଠି କପାଳେ କରଦେଇ

ବୋଲେ ମୁଁ ପରିମୁପ୍ତା ଯାଇ

।।

ଆଜି କି ଭାଗ୍ୟବଳ ମୋର

ଦେଖିଲି ବ୍ରହ୍ମାଣ୍ଡ ଠାକୁର

।।

କି କୃପା କଲ ପ୍ରଭୁ ମୋତେ

ପୂର୍ବେ ମୋ ତପ ଥିଲା କେତେ

।।

କି ପୁଣ୍ୟତୀର୍ଥ କରି ସ୍ନାନ

ଦେଇ ମୁଁ ଥିଲି କେତେ ଦାନ

।।

ଦ୍ୱିଜବରେ କି ଦାନ ଦେଲି

କି ଗଙ୍ଗା ସାଗରେ ଝାସିଲି

।।

କି ପୁଣ୍ୟକ୍ଷେତ୍ରେ ବାସ କରି

ହୋଇଣ ଥିଲି ବ୍ରତାଚାରୀ

।।

କରି ମୁଁ ଥିଲି ଯଜ୍ଞ କେତେ

କି ଶିବ ପୂଜି ବିଧିମତେ

।।

ବ୍ରହ୍ମା ଇନ୍ଦ୍ରାଦି ସଦାଶିବ

ଏହାଙ୍କ ଧ୍ୟାନକୁ ଦୁର୍ଲ୍ଲଭ

।।

କହ ମୁଁ କେତେ ପୁଣ୍ୟବଳେ

ପ୍ରଭୁ ଦେଖିଲି ଚର୍ମଡୋଳେ

।।

ଶୁଣି ବୋଲନ୍ତି ରଘୁପତି

ଶୁଣ ତୁଳସୀ ସିଦ୍ଧମତି

।।

ତୁ ଯେତେ କହିଗଲୁ ଧର୍ମ

ଏଣେ କାମନା ମନ ଭ୍ରମ

।।

ପ୍ରାଣିଏ କର୍ମ କଲେ ଯେତେ

ସେ ମୋତେ ପାଇବେ କେମନ୍ତେ

।।

ଯେ ଭଜେ ନିଷ୍କାମରେ ମୋତେ

ମୁଁ ଥାଇ ତାହାର ସଙ୍ଗତେ

।।

ତୁ ଦେହ ବୁଦ୍ଧି ଛାଡ଼ି ଏବେ

ପଶିଲୁ ମହାର୍ଣ୍ଣବ ଗର୍ଭେ

।।

ଯେସନେ ବୀର ହନୁମାନ

ତା ମନ ତୋ ମନ ସମାନ

।।

ଯେଣୁ ମୁଁ ହୋଇଲି ପ୍ରସନ୍ନ

ହେ ଭକ୍ତ ବର ମାଗି ଘେନ

।।

ଶୁଣି ତୁଳସୀ ଗଦ ଗଦେ

ନମିଲା ଶ୍ରୀରାମର ପାଦେ

।।

କାକୁସ୍ଥେ କହେ ଧୀର ବାଣୀ

ହେ ସୂର୍ଯ୍ୟବଂଶ ଚୂଡ଼ାମଣି

।।

ଯେବେ ତୁ ବର ଦେବୁ ମୋତେ

ବାଞ୍ଛିଲେ ଦେଖୁଥିବି ତୋତେ

।।

ଅହି ସ୍ୱରୂପ ତିନିମୂର୍ତ୍ତୀ

ଦର୍ଶନ କରୁଥିବି ନିତି

।।

ଯହିଁ ବାଞ୍ଛିବି ତହିଁ ହେବ

ଏ ବର ଦେବ ହେ ରାଘବ

।।

ଅସ୍ତୁ ବୋଇଲେ ଭାବଗ୍ରାହୀ

ଆନନ୍ଦେ ଭକ୍ତେ ବର ଦେଇ

।।

ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ

ଶୁଣ ହେ ସୁମନ ରାଜନ

।।

ଏଡ଼ଷ କୃପାଳୁ ରଘୁବାଳ

ଭକତଭାବ ତାଙ୍କ ମୂଳ

।।

ଏମନ୍ତ ପ୍ରଭୁ ସେବା ତେଜି

ଯେ ନର ଅନ୍ୟ ଦେବେ ଭଜି

।।

ପୀୟୁଷ ତେଜି ସୁରାପାନ

ସେ ନର କରଇ ସମାନ

।।

ଏଥି ଉତ୍ତାରୁ ଶୁଣ ମନ

ତୁଳସୀ ଦାସର ବିଧାନ

।।

ସଂସାର ଲୋଭ ଦୂର କରି

ପିନ୍ଧିଲା ବସ୍ତ୍ର ବେଗେ ଚିରି

।।

ଡୋର କୌପିନ ଆଶ୍ରେ କଲା

ତୀର୍ଥ ସାଗରେ ଚଳିଗଲା

।।

ଅନ୍ନ ଭୋଜନ ନାହିଁ ସ୍ନେହ

ଆନନ୍ଦେ ଫୁଲୁ ଥାଏ ଦେହ

।।

କାହିଁ ବା ଫଳ ମୂଳ ନୀର

କାହିଁ ବା ସ୍ୱପକ୍ୱ ଆହାର

।।

ସନ୍ତୋଷେ ନାହିଁ ସ୍ନେହ

ଆନନ୍ଦେ ଫୁଲୁ ଥାଏ ଦେହ

।।

କାହିଁ ବା ଫଳମୂଳ ନୀର

କାହଁ ବା ସୁପକ୍ୱ ଆହାର

।।

ଏମନ୍ତ କେତେଦିନ ଗଲା

ଶ୍ରୀବୃନ୍ଦାବନରେ ମିଳିଲା

।।

ବୁଲି ଦେଖିଲା ସର୍ବସ୍ଥାନ

କାଳିନ୍ଦୀ ଗିରି ଗୋବର୍ଦ୍ଧନ

।।

ଦ୍ୱାଦଶ ବନ ଆଦି ଯେତେ

ସର୍ବ ଦେଖିଲା ବିଧିମତେ

।।

ପ୍ରବେଶ ହେଲା ଏକମଠ

ଯେ ମଠେ ପ୍ରଭୁପଣ କରି

।।

ତହିଁ ଦିଅନ୍ତି ସଦାବର୍ତ୍ତ

ଦିବ୍ୟ ଭୋଜନ ରୁଖାଭାତ

।।

ଯେ କୃଷ୍ଣ ବୋଲେ ତାକୁ ନେଇ

ଉତ୍ତମ ଭୋଜନ ଦିଅଇ

।।

ଯେ ରାମ ବୋଲେ ରୁଖାଭାତ

ଦିଅ ବୋଲନ୍ତେ ସେ ମହନ୍ତ

।।

ଏମନ୍ତ ବେଳେ ସେ ତୁଳସୀ

ଭାବେ ମିଳିଲେ ତହିଁ ଆସି

।।

ଅଙ୍ଗେ ବିରାଜେ ଜ୍ୟୋତିର୍ମୟେ

ନିରତେ ରାମନାମ ଧ୍ୟାୟେ

।।

ତୁଳସୀ ଦାସ ବାହୁ ଭୁଜେ

ସପତ ମଞ୍ଜରୀ ବିରାଜେ

।।

କଣ୍ଠେତୁଳସୀ କାଷ୍ଠମାଳ

ସର୍ବାଙ୍ଗେ ବିଭୂତି ଉଜ୍ଜ୍ୱଳ

।।

ଜୟ ଶ୍ରୀରାମ ଧନୁର୍ଦ୍ଧାରୀ

ଆଣ୍ଟେ ଡାକିଲେ ଡାକ ଚାରି

।।

ତାହା ଶୁଣିଣ ସେ ମହନ୍ତ

ବୋଇଲେ ଦିଅ ରୁଖାପାତ

।।

ଶୁଣି ତୁଳସୀ ଦାସ କହି

କିମ୍ପା ଶୁଣିଲା ଖାଇବଇଁ

।।

କେବା ଖାଇବେ ଘୃତଅନ୍ନ

ଏକଥା କହସି ବହନ

।।

ଶଉରି କହିଲେ ଅଧିକାରୀ

ଯେ ରାଧାକୃଷ୍ଣ ନାମ ଧରି

।।

ମଠରେ ପାଏ ଦିବ୍ୟସ୍ଥାନ

ସେ ଭୁଜେ ଦିବ୍ୟ ଶାଳିଅନ୍ନ

।।

ଯେ ସୀତାରାମ ନାମ ଧରେ

ସେ ପଡ଼େ ବଗଡ଼ା ଅନ୍ନରେ

।।

ଶୁଣି ତୁଳସୀ ଦାସ ହସି

ବୋଲେ ମୁଁ ରାମନାମ ଘୋଷି

।।

ଖାଇବି ଅମୃତ ଭୋଜନ

ରାମ ମହିମା ଏବେ ଘେନ

।।

ଶୁଣି ବୋଇଲେ ଅଧିକାରୀ

ଯାଅ ତୁ ଅଯୋଧ୍ୟା ନଗରୀ

।।

ସେଠାରେ ଯାଇ କର ଢମ

ନୋହିଲେ ଦେଖାଅ ଶ୍ରୀରାମ

।।

ପୁଣି ତୁଳସୀ ଦାସ ଧୀରେ

ପଶିଲେ ମଠର ଭିତରେ

।।

ତହିଁ ବିଜୟ ନନ୍ଦବତ୍ସି

ପହଡ଼ ସମୟ ହୋଇଛି

।।

ଆଣ୍ଟେ କବାଟ ଛନ୍ତି କିଳି

ତହିଁ ତୁଳସୀ ଦାସ ମିଳି

।।

ବୋଇଲେ ନମୋ ରଘୁମଣି

ଅଶେଷ ବ୍ରହ୍ମାଣ୍ଡ କାରେଣି

।।

ତୁ ନାଥ ଜଗତ ଈଶ୍ୱର

ସଂସାର ତୋର ଖେଳଘର

।।

ତୁ ଯେ ଜଗତଜନ ଗୁରୁ

ଭକତ ବାଞ୍ଛା କଳ୍ପତରୁ

।।

କାମିଜନଙ୍କୁ କାମଧେନୁ

ମହା ମହିମା ରତ୍ନସାନୁ

।।

ଅଶେଷ ଜନ ଚିନ୍ତାମଣି

କେତେ ମହିମା ପରମାଣି

।।

ତୋର ଆଜ୍ଞାରେ ଆଖଣ୍ଡଳ

ରବି ଶଶାଙ୍କ ଦିଗପାଳ

।।

ଶେଷ ବିରଞ୍ଚି ସଦାଶିବ

ତେତିଶକୋଟି ଦେବ ସର୍ବ

।।

ସଂସାର ପାଳୁଛନ୍ତି ନିତ୍ୟେ

ତୋର ଆଜ୍ଞାରେ ଯେଝା ମତେ

।।

ଯେଣୁ ତୁ ଜଗତ ଈଶ୍ୱର

ସମସ୍ତେ ତୋର ପରିଚାର

।।

ତେଣୁ ଶରଣ ଗଳି ତୋତେ

ତୁ ନାଥ କୃପାକର ମୋତେ

।।

ତୁ ନାଥ ଦଶରଥ ସୁତ

କୌଶଲ୍ୟା ଗର୍ଭରୁ ସମ୍ଭୁତ

।।

ତୁ ସେ ଦେବକୀ ଦେବୀ ସୁତ

ନନ୍ଦରାଜନ ତୋର ତାତ

।।

ତୁ ଧନୁର୍ଦ୍ଧର ବଳବନ୍ତ

ତୁ ବଂଶୀଧର ଜଗଜ୍ଜିତ

।।

ତୁ ଯେ ଜାନକୀ ଦେବୀ କାନ୍ତ

ତୋହର ନାହିଁ ଆଦିଅନ୍ତ

।।

ତୁହି ଶ୍ରୀରାଧା ପ୍ରାଣଧନ

ଭକତ ବନ୍ଧୁ ଭଗବାନ

।।

ତୁହି ଜଗତଜନ ହିତେ

ଅନେକ ରୂପ ଏ ଜଗତେ

।।

ଧରି ଭକତ ପ୍ରତିପାଳୁ

ଏଣୁ ତୁ ପରମ ଦୟାଳୁ

।।

ଏକଥା ଯେବେ ସତ୍ୟ ତୋର

ଦେଖାଅ ରାମ ଅବତାର

।।

ଘନଶ୍ୟାମଳ ରାମମୂର୍ତ୍ତି

ଶ୍ରୀକରେ କୋଦଣ୍ଡ ଭାରତୀ

।।

ବାମେ ଜନକୀଦେବୀ ଶୋଭା

ଦକ୍ଷିଣେ ଶ୍ରୀ ଲକ୍ଷ୍ମଣ ଶୋଭା

।।

ଏମନ୍ତ ରୂପ ଆଦିମୂଳ

ଧରି ରଖ ହୋ ଭୃତ୍ୟ ଛଳ

।।

ନୋହିଲେ ସରିଲା ତୁଳସୀ

ତାହା ଜାଣିଲେ ବ୍ରହ୍ମରାଶି

।।

ସେ କ୍ଷଣି କୃଷ୍ଣରୂପ ଯାଇ

ଶ୍ରରାମ ରୂପେ ଭାବଗ୍ରାହୀ

।।

ଜାଣିଲେ ସେ ତୁଳସୀ ଦାସ

ହୋଇଲେ ଅତ୍ୟନ୍ତ ହରଷ

।।

ବୋଇଲେ ଆସ ସର୍ବଜନ

ଦର୍ଶନ କର ରଘୁନାଥ

।।

ଏମନ୍ତ ଶୁଣି ଅଧିକାରୀ

ଡକାଇ ଆଣିଲେ ପୂଜାରୀ

।।

କବାଟ ଫଟାଇ ଦେଖିଲେ

ସମସ୍ତେ ଆଚମ୍ୱିତ ହେଲେ

।।

ଅମୂଲ୍ୟ ରତ୍ନ ସିଂହାସନ

ବିଜୟେ ଶ୍ରୀ ମଧୁସୂଦନ

।।

ଶ୍ରୀକରେ ଧନୁର୍ବାଣ ଧରି

ଭକତ ଛଳେ ବିଜେ କରି

।।

ମୁକୁଟ ନାନା ରତ୍ନେ ଶୋଭା

ମଉଳି ପଡ଼ିଅଛି ଗଭା

।।

କୁର୍ଣ୍ଣରେ କୁଣ୍ଡଳ ବିରାଜେ

ସେ ରବି ଛବି ଗର୍ବ ଗଞ୍ଜେ

।।

କଣ୍ଠେ ମୁକୁତା ହାର ଶୋହେ

ମୋ ରୂପ ଜଗଜ୍ଜନ ମୋହେ

।।

ହୃଦରେ ପଦକ ବିରାଜେ

ବୀର ବାହୁଟି ବେନିଭୁଜେ

।।

କରେ କଙ୍କଣ ଶୋଭାବନ

ହରଇ ପ୍ରାଣୀଙ୍କର ମନ

।।

ଆଙ୍ଗୁଳି ମୁଦ୍ରିକା ବିରାଜେ

ହେମ କିଙ୍କିଣୀ କଟୀ ମାଝେ

।।

ରତ୍ନ ପାଦୁକା ବେନି ପାଏ

ତହିଁ ଯୋଗୀନ୍ଦ୍ର କରେ ଲୟେ

।।

ନବୀନ ନୀଳମେଘ ପ୍ରାୟେ

ଛବି ବିରାଜେ ଜ୍ୟୋତିର୍ମୟେ

।।

ଏମନ୍ତ ବେଶ ଦଇତ୍ୟାରୀ

ପାରୁଶେ ଧରିଣ କୁମାରୀ

।।

ସୁଚାରୁ ଚମ୍ପକରୁ ଗୋରୀ

କରେ ତାମ୍ୱୁଳ ଛନ୍ତି ଧରି

।।

ଦକ୍ଷିଣେ ଲକ୍ଷ୍ମଣ ବିରାଜେ

ତା ଦକ୍ଷ ହସ୍ତେ ଛତ୍ରୀ ସାଜେ

।।

କୋଟି ବ୍ରହ୍ମାଣ୍ଡରେ ଉପମା

ତାହାଙ୍କ ପରି ସେ ସୁଷମା

।।

ଏମନ୍ତ ପ୍ରଭୁ ରୂପ ଦେଖି

ପିଛଡ଼ା ନ ପଡ଼ିଲା ଆଖି

।।

ସେ ପ୍ରଭୁ ପଦ୍ମ ପାଦତଳେ

ସର୍ବେ ନମିଲେ ଏକାବେଳେ

।।

ଭାବରେ ହୋଇ ଗଦ ଗଦ

ପୂଜି ତୁଳସୀ ଦାସ ପାଦ

।।

ଦିବ୍ୟ ଭୋଜନ ତାଙ୍କୁ ଦେଲେ

ବ୍ୟଙ୍ଗ ନ ଷଡ଼ରସ ତୁଲେ

।।

ଗନ୍ଧ ଚନ୍ଦନ ମାଳା ଯେତେ

ଦେଇ ପୂଜିଲେ ବିଧିମତେ

।।

ବୋଇଲେ ଧନ୍ୟ ତୋ ଜୀବନ

ବଶ ତୁ କଲୁ ଭଗବାନ

।।

ଆମ୍ଭେ ଯେ କେତେ ପୁଣ୍ୟ କଲୁ

ତୁମ୍ଭର ଦର୍ଶନ ଲଭିଲୁ

।।

ଆଜି ସୁଫଳ ଆମ୍ଭ ଦିନ

ପାଇଲୁ ଶ୍ରୀରାମ ଦର୍ଶନ

।।

ତୁମ୍ଭରେ ଏତେ କର୍ମ ହେଲା

ଦେଖିବା ଶୁଣିବା ନ ଥିଲା

।।

ଏବେ ଏମନ୍ତ ତୁମ୍ଭେ କର

ଭକତି ଘେନିଣ ଆମ୍ଭର

।।

ଶ୍ରୀରାମ ହୋନ୍ତୁ ଅନ୍ତର୍ଦ୍ଧାନ

ବିଜେ କରନ୍ତୁ ନନ୍ଦନାନ

।।

ମୁରଲୀଧର ରାଧାକାନ୍ତ

ଆମ୍ଭେ ତ ଦେଖିବୁ ସମସ୍ତ

।।

ଏମନ୍ତ ବୋଲି ଗଲେ ଚଳି

ପୁଣି କବାଟ ଦେଲେ କିଳି

।।

ତୁଳସୀ ଦାସ ଭକ୍ତିଭରେ

ମସ୍ତକେ କର ନିବେଶିଲେ

।।

ଅନେକ ରୂପେ କଲେ ସ୍ତୁତି

ତାହା ଜାଣିଲେ ଶିରୀପତି

।।

ତକ୍ଷଣେ ଅଙ୍ଗ ପାଲଟାଇ

ଶ୍ରୀରାମ କୃଷ୍ଣରୂପ ହୋଇ

।।

ରାଧା ସ୍ୱରୂପ ବଇଦେହୀ

ଲକ୍ଷ୍ମଣ ସଖାରୂପ ହୋଇ

।।

ସେ ଯାହା ଅନୁରୂପେ ଉଭା

ତହୁଁ କୋଟିଏ ଗୁଣେ ଶୋଭା

।।

ତ୍ରିଭଙ୍ଗୀ ରୂପେ ବେଣୁପାଣି

ତାହା ତୁଳସୀଦାସ ଜାଣି

।।

କବାଟ ଫିଟାଇଣ ଦେଲେ

ସମସ୍ତେ ଦେଖ ହୋ ବୋଇଲେ

।।

ତାଙ୍କ ବଚନେ ସର୍ବେ ଗଲେ

ଶ୍ରୀରାମ ରୂପ ନ ଦେଖିଲେ

।।

ବିଜୟ ରାଜେନ୍ଦ୍ର କୁମର

ଦେଖି ସମସ୍ତେ ଚମତ୍କାର

।।

ବୋଇଲେ ନମୋ ଭଗବାନ

ନୋ ତହୁଁ ଭକ୍ତ ନୁହେଁ ଆନ

।।

ଯେ ହରି ଭକ୍ତେ ଭିନ୍ନକରେ

ସେ ମହାପାପୀ ଏ ସଂସାରେ

।।

ଆମ୍ଭେ ଯା ଦେଖିଲୁ ସମସ୍ତ

ତୁ ଭକ୍ତିଛଳେ ଦେହବନ୍ତ

।।

ଏମନ୍ତ ବୋଲି ଯେଝାମତେ

ଭଜିଲେ ଭକ୍ତ ପାଦଗତେ

।।

ଲଭିଲେ ଅବା କେଉଁ ଗତି

ତାହା ଜାଣନ୍ତି ବେଦପତି

।।

ତୁଳସୀ ଦାସଙ୍କ ମହିମା

ଶୁଣ ହେ ମନ ମହାତମା

।।

ଏ କଳିଯୁଗର ଚରିତ

କହି ଶୁଣିବା ଆଚମ୍ୱିତ

।।

ଏ ଦାର୍ଢ୍ୟଭକ୍ତି ରସସାର

ଶୁଣି ଶରଧା ହୁଏ ଯାର

।।

ତାହାର ପାପ ଥାଇ ଯେତେ

ରହଇ ନାହିଁ କଦାଚିତ୍ତେ

।।

କହଇ ବଳରାମ ଦ୍ୱିଜ

ବିଶ୍ୱାସ ଅଟେ ମୂଳ ବୀଜ

।।

ବୀଜ ନ ଥିଲେ ବୃକ୍ଷ କାହିଁ

ଫଳ ଲୋଡ଼ିଲେ ହେବ କାହିଁ

।।

ସୁଜନଜନ ଏଣେ ରସ

ମୁଁ ତୁମ୍ଭ ଦାସଙ୍କର ଦାସ

।।

ଶ୍ରୀରାମ କୃଷ୍ଣ ପଦ୍ମ ପାଦ

ହରଇ ବିଷୟା ବିଷାଦ

।।

ତୁହି ଶରଣ ରାମ ଦାସ

ନ ନାଶ ମୋର ମନ ଆଶ

।।

 

ଇତିଶ୍ରୀ ଦାର୍ଢ୍ୟତାଭକ୍ତ ରସାମୃତେ ମନଚୈତନ୍ୟ ସମ୍ୱାଦେ

ତୁଳସୀ ଦାସ ଦାର୍ଢ୍ୟଭାବ ବର୍ଣ୍ଣନେ ନାମ ଊନତ୍ରିଂଶୋ ଧ୍ୟାୟଃ

•••

 

ତ୍ରିଂଶ ଅଧ୍ୟାୟ

ସିପୁଟି ସମ୍ୱାଦ

ଚୈତନ୍ୟ ଉବାଚ

 

ପୁଣି ଚୈତନ୍ୟ ଅନୁରାଗେ

କହଇ ମନୁ ରାଜା ଆଗେ

।।

ହେ ମନୁ ସାବଧାନେ ଶୁଣ

ନିଶ୍ଚଳ କରି ତୋର ମନ

।।

ଏ ବଡ଼ ଅପୂର୍ବ କଥାଏ

ଶୁଣି ଖଣ୍ଡିବ ଭବଭୟେ

।।

ଏ ଜମ୍ୱୁଦ୍ୱୀପେ ତାର ଘର

ଯେ ଦିଲ୍ଲୀ ସହର ନଗର

।।

ଜାତିରେ ଅଟଇ ସିପୁଟି

ନାମ ତାହାର ପରମେଷ୍ଟି

।।

କୁଜ କଳଙ୍କ ପୃଷ୍ଠଦେଶେ

ଅଶୋଭା ମାତ୍ର ଏତେ ଦିଶେ

।।

ଅନ୍ୟ କଳଙ୍କ ନାହିଁ କିଛି

ସମସ୍ତ ଗୁଣ ପୂରି ଅଛି

।।

ଭକ୍ତ ଅଂଶରେ ଜାତ ହୋଇ

ତା ଗୁଣ କହି ନ ସରଇ

।।

ପତ୍ନୀର ସେବା ତାର ବ୍ରତ

ବେନି ଦୁହିତା ତିନି ପୁତ୍ର

।।

ଧନ ହିଁ ପୂରିଅଛି ଘରେ

ସିପୁଟି ଗୃହ ଏକା କରେ

।।

କେବଳ ଆତ୍ମଜ୍ଞାନମୟେ

ଜୀବକୁ ମଣେ ବିଷ୍ଣୁ ପ୍ରାୟେ

।।

ଜିତଇନ୍ଦ୍ରିୟ ସତ୍ୟବାଦୀ

ନିର୍ଲୋଭ ଅହିଂସା ଅକ୍ରୋଧି

।।

ଦମ୍ଭ କୁଟୀଳ ମିଥ୍ୟାବଦୀ

ବିଷୟେ ନାହିଁ ତାର ବୁଦ୍ଧି

।।

ଗୃହେ ଗୃହସ୍ଥପଣେ ଅଛି

ମନକୁ ଆୟତ୍ତ ରଖିଛି

।।

ସଦା ଆନନ୍ଦ ମତି ତାର

ମିଥ୍ୟା ମଣଇ ଏ ସଂସାର

।।

ଗୃହ କର୍ମରୁ ସେ ଉଦାର

ଜାଣଇ ମୁଠଏ ଦେବାର

।।

ନାମ ଭଜନେ ଦୃଢ ମତି

ସାଧୁଜନମାନଙ୍କରେ ପ୍ରୀତି

।।

କୃଷ୍ଣ ମହିମା ଗାୟନରେ

ବସଇ ଯାଇଁ ଯେବେ ଥରେ

।।

ତା ଭକ୍ତି କହିଲେ ନ ସରି

ନେତ୍ରେ ଲୋତକ ଯାଏ ପୂରି

।।

କଣ୍ଠ ହିଁ ହୋଏ ଗଦ ଗଦ

ଅଙ୍ଗ ପୁଲକୁ ବହେ ସ୍ୱେଦ

।।

ଟାଙ୍କୋରି ଦିଶେ ରୋମାବଳୀ

ବଚନ କରଇ ବିହ୍ୱଳି

।।

ଏମନ୍ତ ଭାବେ ହୃଦେ ଥାଇ

ଜାଣଇ ପାପ ପୁଣ୍ୟ ଦୁଇ

।।

ସଚରାଚର ଯେତେ ଜୀବ

ସବୁରି ପ୍ରଭୁ ବାସୁଦେବ

।।

ପ୍ରାଣୀଏ କର୍ମରଜ୍ଜୁ ଧରି

ସାରଥି ସୂତ୍ରପ୍ରାୟ କରି

।।

ଏମନ୍ତ ବୋଲି ପ୍ରତିଦିନେ

ପ୍ରଭୁଙ୍କୁ ଚିନ୍ତୁଥାଇ ମନେ

।।

ଛାଡ଼ିବା ଓଟାରିବା ଯେହି

କେ ପାରେ ଅନ୍ୟମାର୍ଗେ ଯାଇ

।।

ଏଣୁଟି ନିଜ କର୍ମପଥ

ମେଣ୍ଟେଣେ କେ ଅଛି ସମର୍ଥ

।।

ସେ କର୍ମରଜ୍ଜୁ ଆନ କରି

କେବଳ ପାରନ୍ତି ଶ୍ରୀହରି

।।

ତା ନିଜ କର୍ମ କରିଥାଇ

ଆତ୍ମାକୁ ଆତ୍ମାରେ ଚିହ୍ନଇ

।।

ତା ସମେ ଉପକାରୀ ପଣେ

ଦିଲ୍ଲୀ ସହରେ ନାହିଁ ଜଣେ

।।

ତା ବସ୍ତ୍ର ସିଆଁ ଜନେ ଦେଖି

ସେ ଦିଲ୍ଲୀଶ୍ୱର ମହାସୁଖୀ

।।

ତାକୁ ଅନେକ ଦୟା କଲେ

ବସ୍ତ୍ର ପଠାଇ ତାହାଠାରେ

।।

ମାଣ୍ଡି ମୁଚୁଳି ଅପସର

ଯେ ଅବା ପଠାନ୍ତି ତାହାର

।।

ଟୋପି ତକିଆ ଶୀତତ୍ରାଣ

କାଞ୍ଚଲା ଅଙ୍ଗରଖା ମାନ

।।

କରି ଯୋଗାଉଥାଏ ନେଇ

ମନ ସନ୍ତୋଷେ ଧନ ନେଇ

।।

ଏମନ୍ତେ କେତେଦିନ ଅନ୍ତେ

ସେ ଦିଲ୍ଲୀଶ୍ୱର ଲାଗି ଅର୍ଥେ

।।

ଅମୂଲ୍ୟ ବସ୍ତ୍ର ଖଣ୍ତି ଆଣି

ବୋଇଲେ ନିଅ ହେ ବିନ୍ଧାଣି

।।

ଏ ଦିବ୍ୟ ହେମ ଜରିଥାନ

ଅମୂଲ୍ୟ ସେ ବସ୍ତ୍ର ଶୋଭନ

।।

ରତ୍ନ ଖଞ୍ଜିତ ପୁଞ୍ଜି ପୁଞ୍ଜି

ଦିବ୍ୟ ହୀରକ ଅଛି ରାଜି

।।

ଏ ବସ୍ତ୍ର ଘେନି ଯାଅ ଚଳି

ସିଅଁ ହେ ଦୁଇଟି ମୁଚୁଳି

।।

ପକାଇଥିବ ଫୁଲମାନ

ସିଆଁର ନ ଦିଶିବୁ ଚିହ୍ନ

।।

ଏମନ୍ତ କରି ଘେନିଆସ

ତୋ ମନ କରିବା ସନ୍ତୋଷ

।।

ଏମନ୍ତ କରି ସେ ସିପୁଟି

ସେ ବସ୍ତ୍ର ଘେନିଗେଲେ ଉଠି

।।

ପ୍ରବେଶ ହେଲା ଯାଇ ପୁର

ସ୍ନାନ ଭୋଜନ ସାରି ତାର

।।

ସିଇଁଣ ବସିଲା ମୁଚୁଳି

କଥା ଗୋଟିଏ ମନେ ଭାଳି

।।

ଏ ଯେ ଅପୂର୍ବ ବସ୍ତ୍ରଗୋଟି

ସୁବାସ ପଡୁଛି ଚହଟି

।।

ଦେଖିଲେ ମନ ନେତ୍ରହରେ

ଖୋଜିଲେ ନ ଥିବ ସଂସାରେ

।।

ଶ୍ରୀ ଜଗନ୍ନାଥଙ୍କୁ ଏ ଯୋଗ୍ୟ

ମନୁଷ୍ୟ ହୋଇବ କି ଭୋଗ୍ୟ

।।

ଏମନ୍ତେ ବିଚାରନ୍ତେ ମନୁ

ଦଇବ ଯୋଗେ ସେହିଦିନ

।।

ହୋଇଛି ଶ୍ରୀଗୁଣ୍ଡିଚା ଯାତ

ପହଣ୍ଡି ବିଜେ ଜଗନ୍ନାଥ

।।

ଏହି ସମୟେ ସେ ମୁଚୁଳି

ସିଇଁଲା ବସାଇ ପିତୁଳି

।।

ଅପୂର୍ବ କରି ନିର୍ଭାକଲା

ଦେଖି ତା ଧଇର୍ଯ୍ୟ ହରିଲା

।।

ଆକନ୍ଦ ଭାବେ ହେଲା ଭୋଳ

ବୁଜିଲା ନୟନ ଯୁଗଳ

।।

ତା ଦେହୁଁ ବୁଦ୍ଧି କେଣେଗଲା

କର୍ଣ୍ଣରୁ ଶବଦ ହଜିଲା

।।

ପୁଣି ଇନ୍ଦ୍ରିୟ ଚେଷ୍ଟାମାନ

ପ୍ରକୃତି ସଙ୍ଗେ ହୋଲା ଲୀନ

।।

ଜ୍ଞାନ ଅନ୍ଧକାର ଗଲା

ସୁଜ୍ଞାନ ଚନ୍ଦ୍ର ଉଦେ ହେଲା

।।

ପହଣ୍ଡି ବିଜୟ ଉତ୍ସବ

ମନରେ ହୋଇଲା ଉଦ୍ଭବ

।।

ନିଷ୍କାମଭାବେ ଭକତିରେ

ଜ୍ଞାନ ନେତ୍ରରେ ଦେଖେ ଖରେ

।।

ନୀଳାଦ୍ରିନାଥ ଦେବ ହରି

ଛନ୍ତି ପହଣ୍ଡି ବିଜେକରି

।।

ସେ ଗତି ମୂକତି ପସରା

ମନ ନୟନ କରେ ତ୍ୱରା

।।

କୈବଲ୍ୟ ଜ୍ୱର ହେଉଅଛି

ସକଳ ଲୋକେ ଏକ ଗୋଷ୍ଠୀ

।।

ଚଉଦପୁର ଲୋକେ ଆସି

ଶରଣ ମାଗୁଛନ୍ତି ବସି

।।

କରି ବିଜୟେ ଆଦିମୂଳ

ଧନ୍ୟ ସେ ଶ୍ୱେତପଦ୍ମଡୋଳ

।।

ପାଟ ମୁଚୁଳିର ଉପର

ବିଜୟେ ଶଙ୍ଖ ଚକ୍ର ଧର

।।

ବେଢିଣ ପାରିଷଦ ବୃନ୍ଦ

କେ କହୁ ତାହାଙ୍କ ଆନନ୍ଦ

।।

ଶ୍ରୀଭୁଜ ଧରି ଦୋହଲାଇ

ଚାଲନ୍ତି ଢୁଳାଇ ଢୁଳାଇ

।।

ଏକ ମୁଚୁଳି କରି ଦୂରେ

ଆରେକ ମୁଚୁଳି ଉପରେ

।।

ବିଜେ କରନ୍ତେ ଭାବଗ୍ରାହୀ

ଅତି କଠୋର ଘାତ ପାଇ

।।

ପାଟ ମୁଚୁଳି ଗଲା ଫାଟି

ତାହା ଦେଖିଲି ସେ ସିପୁଟି

।।

ପାରୁଶେ ଥିଲା ପ୍ରାୟ ହୋଇ

ମୁଚୁଳି ଦେଲା ସେ ବଢାଇ

।।

ତହିଁ ବିଜୟେ ଜଗନ୍ନାଥ

ସିପୁଟି ଯୋଡ଼ିଅଛି ହସ୍ତ

।।

ଦେଖ ହୋ ସୁଭାଗ୍ୟ ତାହାର

ଶୁଣି ଆନନ୍ଦ ମନ ବୀର

।।

ବୋଲଇ ଶୁଣ ଚଇତନ୍ୟ

ଧନ୍ୟ ସେ ଭକତ ଜୀବନ

।।

ଏଥି ଉତ୍ତାରେ ଯେଉଁ କଥା

ଶୁଣ ହୋ ମନ ମହାରଥା

।।

ମୁଚୁଳି ବଢାଇଣ ଦେଲା

ସିପୁଟି ପ୍ରଭୁ ପାଶେ ଥିଲା

।।

ସାଷ୍ଟାଙ୍ଗ ଦଣ୍ଡବତ କଲା

ଉଠି କପାଳେ କର ଦେଲା

।।

ପଛକୁ କରନ୍ତେ ଗମନ

ତକ୍ଷଣେ ଗଲା ସେହୁ ପୁଣି

।।

ତା ନିଜ ମନ ବୁଦ୍ଧି ହୋଇ

ମନ୍ଦିରେ ବସିଣ ଅଛଇ

।।

ଏକ ମୁଚୁଳି ଅଛି ଧରି

ଆରଟି ନେବେ ଦେବ ହରି

।।

ତା ମନେ କରଇ ବିଚାର

ଏ ତ ଅପୂର୍ବ ଚମତ୍କାର

।।

କି କୃପା କଲେ ଦେବରାଜ

କି ଭାଗ୍ୟ ହେଲା ମୋର ଆଜ

।।

ଏମନ୍ତେ ଭାବୁଅଛି ବସି

ଭୟ ଆନନ୍ଦ ମିଶାମିଶି

।।

ଦଣ୍ଡିବ ପରା ଦିଲ୍ଲୀଶ୍ୱର

ମୋ ପ୍ରଭୁ ବଳେ ବଳିୟାର

।।

ଏମନ୍ତ ବିଚାରୁ ତା ମନେ

ବାଦ୍‌ସାର ଛଡ଼ିଦାରମାନେ

।।

ଦ୍ୱାରେ ଡାକିଲେରେ ସିପୁଟି

ବହନ ହୋଇ ଆସ ଉଠି

।।

ଦିଲ୍ଲୀଶ୍ୱରଙ୍କ ଆଜ୍ଞା ଶୁଣ

ମୁଚୁଳି ଦୁଇଗୋଟି ଆଣ

।।

ତା ଶୁଣି ଅତି ବେଗେ ଉଠି

ଧରିଣ ସେ ମୁଚୁଳି ଗୋଟି

।।

ବାଦ୍‌ସାର ଆଗେ ନେଇଦେଲା

ଅନେକ ସଲାମ ସେ କଲା

।।

ବାଦ୍‌ସା ବୋଇଲେ ଅନାଇ

ଆଉ ମୁଚୁଳି ଗୋଟି କାହିଁ

।।

ସିଇଁ କି ନାହୁଁ ସତ କହ

ତୋତେ ଦେଖି ମୋ କମ୍ପେ ଦେହ

।।

ସିପୁଟି ଶୁଣି ପାଦେ ପଡ଼ି

ଉଠି ମସ୍ତକେ କରଯୋଡ଼ି

।।

ବୋଇଲେ କହୁଛି ମୁଁ ସତ

ଗୋଟିଏ ନେଲେ ଜଗନ୍ନାଥ

।।

ଗୋଟିଏ ଦେଲି ତା ଛାମୁର

ତୋ ଇଚ୍ଛା ଯାହା ତାହା କର

।।

ଶୁଣି ବଦ୍‌ସା ଅଳ୍ପ ହସି

କ୍ରୋଧ ହରଷ ମିଶା ମିଶି

।।

ବୋଇଲେ କି କହୁରେ ବାଇ

କହ ତୋ ଜଗନ୍ନାଥ କାହିଁ

।।

କେବଣ ଦେଶେ ତାର ଘର

କହ ସେ କେତେ ବଳୀୟାର

।।

କି କରି ପାରେ ତାର ହସ୍ତେ

ମୁଚୁଳି ନେଲା ସେ କେମନ୍ତେ

।।

କ୍ଷେତ୍ରକୁ ଏ ଦିଲ୍ଲୀ ସହର

ଦୁଇଶ ଯୋଜନ ଅନ୍ତର

।।

ଏହା କହୁଛି ମୋର ପାଶ

କି ତୋ ଜୀବନେ ନାହିଁ ଆଶ

।।

ଆଜର ମଧ୍ୟେ ଯେ କେମନ୍ତେ

ନେଲେ ସେ ଦେଲୁ କେଉଁ ମତେ

।।

ଏମନ୍ତ ଶୁଣି ସେ ସିପୁଟି

ଭଜେ ଗୋବିନ୍ଦ ନାମ ଗୋଟି

।।

ମୋର ମରଣେ ଡର ନାହିଁ

ବୋଇଲା ଶୁଣ ଚିତ୍ତ ଦେଇ

।।

ତୁମ୍ଭେ ଯା ପଚାରିଲ ମୋତେ

କହଇ ଶୁଣ ଶୁଦ୍ଧ ଚିତ୍ତେ

।।

ସେ ଯେଉଁ ଦାରୁବ୍ରହ୍ମ ହରି

ଜଗତଯାକ ଛନ୍ତି ପୁରି

।।

ଦଇବେ ଜଗତ ଈଶ୍ୱର

ନୀଳାନ୍ଦ୍ରୀ ନବରେ ତା ଘର

।।

ଜଗତ ପାଳିବା ନିମନ୍ତେ

କମ୍ୱୁ ରଥାଙ୍ଗ ଧରି ହସ୍ତେ

।।

ଯେ ଯାହା ବିଚାରିଲେ ଜାଣେ

ଯହିଁ ଡାକିବ ତହିଁ ଶୁଣେ

।।

ଅନେକ ଯୋଜନର ପ୍ରାଣୀ

ଯେତେକ ଦ୍ରବ୍ୟ ଦେଲେ ଆଣି

।।

ଭୋଗ କରନ୍ତି ଚକ୍ରପାଣି

କେବଳ ଭକ୍ତ ମନ ଜାଣି

।।

ଅଭକ୍ତ ଲୋକଙ୍କୁ ସେ ଦୂର

ଏ କଥା ମିଥ୍ୟା ନ ବିଚାର

।।

ଶୁଣି ବାଦ୍‌ସା କ୍ରୋଧଭର

ବୋଲଇ ଶୁଣରେ ପାମର

।।

ଆମ୍ଭର ସିନା ଭାବ ନାହିଁ

ଭାବରେ ପୂରିଅଛୁ ତୁହି

।।

ଏବେ ତୁ ମରଣ ମୁଖରୁ

ସୁମର ତୋତେ ରକ୍ଷା କରୁ

।।

ଏମନ୍ତେ ବାଦ୍‌ସା କ୍ରୋଧ ଚିତ୍ତେ

ବୋଲଇ ଶୁଣ ଆରେ ଦୂତେ

।।

ଏ ଦୁଷ୍ଟ କୁବୁଜକୁ ନିଅ

ବନ୍ଦୀ ମନ୍ଦିରେ ନେଇ ଥୁଅ

।।

ଆଣ୍ଟେ ରଜ୍ଜୁଏ କରେ ଧରି

ବାନ୍ଧିବ ପଛବାହା କରି

।।

ଚରଣେ ଲଗାଅ ସାଙ୍କୋଳି

ଆଣ୍ଟେ କବାଟ ଦିଅ କିଳି

।।

ଅନ୍ନ ନ ପାଇ ଯାଉ ମରି

ପାରିଲେ ରଖୁ ଆସି ହରି

।।

ତା ଶୁଣି ଦୂତେ ଘେନିଗଲେ

ବନ୍ଦୀ ମନ୍ଦିରେ ବନ୍ଦୀ କଲେ

।।

ସେ ଭକ୍ତ ସୁମରଇ ହରି

ବାନ୍ଧିଲେ ବନ୍ଦୀ କଲେ

।।

ବନ୍ଦୀ ମନ୍ଦିରେ ବନ୍ଦୀ କଲେ

କବାଟ ଆଣ୍ଟେ କିଳିଦେଲେ

।।

ଶୁଣ ସୁମନ ଶୁଦ୍ଧ ଚିତ୍ତେ

ଏଥିଉତ୍ତାରୁ କଥା ଯେତେ

।।

ସେ ଭକ୍ତ ବନ୍ଦୀ ଘରେ ଥାଇ

ଡାକଇ ରଖ ଭାବଗ୍ରାହୀ

।।

ରଖ ହେ କମଳା ରମଣ

ରଖ ହେ ଜଗତ ତାରଣ

।।

ଦ୍ରୌପଦୀ ଗଜ ଗର୍ଭାଏଣୀ

ରକ୍ଷା କରତା ଚକ୍ରପାଣି

।।

ହେ ଚକ୍ଷୁ ଶ୍ରବଣ ନାୟକ

ନବୀନ ଜଳଦ ଦାୟଦ

।।

ହେ ରାଜ ଧନୁର୍ବାଣ ଧାରୀ

ହେ ସପ୍ତସିନ୍ଧୁ ବନ୍ଧକାରୀ

।।

ହେ କୃପାସିନ୍ଧୁ ମହାମେରୁ

ହେ ଭକ୍ତ ବାଞ୍ଛା କଳ୍ପତରୁ

।।

ହେ ନାଥ ଦୀନଜନ ବନ୍ଧୁ

ହେ ଆର୍ତ୍ତତ୍ରାଣ କୃପାସିନ୍ଧୁ

।।

ହେ ଶିଳା ଅବଳା କାରକ

ହେ ନୀଳାଚଳ ଶ୍ରୀନାୟକ

।।

ହେ ଜନରଞ୍ଜନ ନୟନ

ହେ ଘୋର ବିପଦ ନାଶନ

।।

ହେ ପ୍ରହଲାଦ ଉଦ୍ଧାରଣ

ହରିଣ୍ୟ ହୃଦ ବିଦାରଣ

।।

ହେ ଗିରିଗୋବର୍ଦ୍ଧନଧାରୀ

ହେ ଇନ୍ଦ୍ର ଗର୍ବ ଖବକାରୀ

।।

ଶିବ ବିରଞ୍ଚି ଯାର ପାଦେ

ଧ୍ୟାନେ ଭାବନ୍ତି ଅପ୍ରମାଦେ

।।

ତୋର ମହିମା ଅକୁପାର

ମୋ ଛାର କେତେକ ମାତର

।।

କାହୁଁ ଜାଣିବି ତୋର ଭାବ

ଯୋଗୀନ୍ଦ୍ର ଜନେ ଯେ ଦୁର୍ଲ୍ଲଭ

।।

ଜଗତ ତୋର ଖେଳଘର

ମୁଁ ନିକି ତହିଁରୁ ବାହାର

।।

ଏଣୁ ଭରସା କରେ ତୋତେ

ପଠାଣ ଦଣ୍ଡୁ ରଖ ମୋତେ

।।

ତୋହର ଇଚ୍ଛା ଯାହା କର

ଆୟତ ନାହିଁଟି ମୋହର

।।

ଏମନ୍ତ ବୋଲି ଚକ୍ଷୁ ବୁଜି

ଧ୍ୟାନେ ଶ୍ରୀହରି ନାମ ଭଜି

।।

ଚିନ୍ତତେ ଶଙ୍ଖଚକ୍ର ବାହୁ

ନିଦ୍ରା ଘୋଟିଲା ଚାହୁଁ ଚାହୁଁ

।।

ତାହା ଜାଣିଲେ ଦେବ ସ୍ୱାମୀ

ଯେ ପ୍ରଭୁ ସର୍ବ ଅନ୍ତର୍ଯ୍ୟାମୀ

।।

ଅଧମ ଉଦ୍ଧାରଣ ବାନା

ନ ସେହେ ଭକତ ବେଦନା

।।

ତକ୍ଷଣେ ବିଜେକରି ଗଲେ

ଦିଲ୍ଲୀ ସହରେ ଯାଇ ହେଲେ

।।

ବେଗରେ ପ୍ରଭୁ ବ୍ରହ୍ମରାଶି

ଭୃତ୍ୟର ବନ୍ଦୀ ଘରେ ପଶି

।।

ଅଶେଷ ବ୍ରହ୍ମାଣ୍ଡର ଶୋଭା

ଭୃତ୍ୟ ପାରୁଶେ ହେଲେ ଉଭା

।।

ଯହିଁ ପଡ଼ିଲା କୃପା ଦୃଷ୍ଟି

ପାଦୁଁ ଶଙ୍କୋଳି ଗଲା ଫିଟି

।।

ବନ୍ଧନ ଗଣ୍ଠି ଫିଟିଗଲା

ତକ୍ଷଣେ ଉଶ୍ୱାସ ହୋଇଲା

।।

ଅନାଇ ଦେଲା ନେତ୍ରପଥେ

ବିଜୟ ପ୍ରଭୁ ଜଗନ୍ନାଥେ

।।

ଅଭୟ ବରଦାତା ଗୁରୁ

ଭୃତ୍ୟ କଳ୍ପନା କଳ୍ପତରୁ

।।

ହସି କହନ୍ତି ଆଦିମୂଳ

କହ ତୁ କିମ୍ପାଇ ବିକଳ

।।

ମୋ ପରା ସାହା ଥାଉଁ ଥାଉଁ

ତୋର କାହାକୁ ଭୟ ଆଉ

।।

ଏ ଚକ୍ର ଥିଲେ ମୋର କର

ମୋର ସେବକ ବଳିୟାର

।।

ଏମନ୍ତ ବୋଲି ଆଜ୍ଞା ଦେଲେ

ଅଭୟ ପାଦ ଶିର ଦେଲେ

।।

ତକ୍ଷଣେ କୁଜ କେଣେ ଗଲା

କନ୍ଦର୍ପ ସଦୃଶ ଦେଖିଲା

।।

ଦେଖ ହୋ ସ୍ୱଭାଗ୍ୟ ତାହାର

ଯାହା ନପାଏ ବେଦବର

।।

ସେ ପାଦପଦ୍ମ ଶିରେ ବହି

ପବିତ୍ର ହେଲା ତାର ଦେହୀ

।।

ଭାବରେ ଗଦ ଗଦ ହୋଇ

କିଛି ସେ ପାରଇ କହି

।।

ପ୍ରଭୁ ବିଜୟ କରିଗଲେ

ବାଦସା ମନ୍ଦିରେ ମିଳିଲେ

।।

ଯେ ଦିଲ୍ଲୀଶ୍ୱର ନିଦ୍ରାଗତେ

ପଲଙ୍କେ ଶୋଇଛି ଅଚେତେ

।।

ତହିଁ ବିଜୟ ଭଗବାନ

ବୋଲଇ ଶୁଣରେ ଅଜ୍ଞାନ

।।

ଏ ଅଧିକାର ଏ ଜଗତେ

ମୁଁ ସିନା ଦେଇଅଛି ତୋତେ

।।

ଏହା ନ ଜାଣି ତୋର ମନେ

ମୋ ଭକ୍ତ ଦେଲା ଭକ୍ତି ଚିତ୍ତେ

।।

ମୋର ପଦାର୍ଥ ମୋତେ ଦେଲା

ତୋ ବାପ ଗଣ୍ଠିକି ସରିଲା

।।

ଏବେ ତୁ ପ୍ରଭାତରୁ ଉଠି

ବନ୍ଦୀରୁ ଅଣାଅ ସିପୁଟି

।।

ଅନେକ ଦେବୁ ଉପହାର

ଚରଣେ ପୂଜିବୁ ତାହାର

।।

ଏମନ୍ତ ନ କଲେ ଅବଶ୍ୟ

ଛାଡ଼ ତୋ ଜୀବନର ଆଶ

।।

ତୋ ବଂଶ ଆଦି ତୋତେ ଧରି

କାଟିବି ଟିକି ଟିକି କରି

।।

ପିଟିଲେ ଦିଲ୍ଲୀଶ୍ୱରେ ରାଗେ

ଲୋକା ବସିଲା ତାର ଅଙ୍ଗେ

।।

ଏମନ୍ତ କହି ଦଇତ୍ୟାରି

କରେ ଗଉରୀ ବେତ ଧରି

।।

ହଟନାଗର ନଟବର

ସେଠାରୁ ହୋଇଲେ ଅନ୍ତର

।।

ସେ ଯେ ବିଷମ ଘାତ ପାଇ

ଚେତିଣ ଉଠିଲା ବୋବାଇ

।।

ନୟନ ଫେଡ଼ି ଦେଲା ଚାହିଁ

ପାଶେ ଦେଖିଲା କେହି ନାହିଁ

।।

ବିଚାରେ ଏ କି ବିପରୀତ

ସ୍ୱପନ କଥା ହେଲା ସତ୍ୟ

।।

କେ ମୋତେ ଏଥେ ଗଲା ପିଟି

ଲୋଳା ତ ଦିଶୁଅଛି ଫୁଟି

।।

ଏକଥା କାହାବଳେ ହେବ

ନିଶ୍ଚେ ସେ ଅଟଇ ଦଇବ

।।

ମୋତେ ଚେତାଇ ଦେଇଗଲା

ଭକ୍ତ ନିମନ୍ତେ ଏହା କଲା

।।

ଏଥିରେ କଲେ ଆଉ ହେଳା

ନିଶ୍ଚେ ବୁଡ଼ିବ ମୋର ଭେଳା

।।

ଏମନ୍ତେ ଭାବି ପ୍ରଭାତରେ

ଆପଣେ ଚଳିଲା ସତ୍ୱରେ

।।

ବନ୍ଦୀ ମନ୍ଦିରେ ହେଲା ଯାଇ

ଦେଖି କବାଟ ଫିଟାଇ

।।

ପାଦେ ଶାଙ୍କୋଳି ନାହିଁ ତାର

ବନ୍ଧନ ହୋଇଛି ବାହାର

।।

କୁଜ କଳଙ୍କ ତାର ନାହିଁ

ତା ଶୋଭା କେ ପାରିବ କହି

।।

ଭଜି ଶ୍ରୀରାମ ନାମ ଗୋଟି

ଆନନ୍ଦେ ବସିଛି ସିପୁଟି

।।

ତା ଦେଖି ଦିଲ୍ଲୀଶ୍ୱରଭୟେ

ଭକ୍ତକୁ କୋଳରେ ବସାଏ

।।

ଗନ୍ଧ ଚନ୍ଦନ ମାଳା ଧରି

ଅନେକ ଅଳଙ୍କାର ଭରି

।।

ପତନୀ ଶାଢୀ ଶିରେ ଦେଲେ

ଅନେକ ବିନୟେ କହିଲେ

।।

ସମସ୍ତେ ଦେଖିଲେକ ତହିଁ

ଚରଣେ ବେନି କର ଦେଇ

।।

ବୋଇଲେ ଧନ୍ୟ ତୋ ଜୀବନ

ପବିତ୍ର କଲୁ ଏ ଭୁବନ

।।

ସତ୍ୟ କହିଲୁ ଆଜିଠାରୁ

ତୁ ଆମ୍ଭ କୂଳ ଇଷ୍ଟ ଗୁରୁ

।।

ଏମନ୍ତ କହି ପାଟହାତୀ

ମଣ୍ଡିଲେ ନାନା ରତ୍ନପନ୍ତି

।।

ଘଣ୍ଟ ଘାଗୁଡ଼ି ନାଦ କରି

ପିଠିରେ ଅମୂଲ୍ୟ ଅମାରି

।।

ତହିଁ ଭକ୍ତକୁ ବସାଇଲେ

ଦିଲ୍ଲୀ ସହରେ ବୁଲାଇଲେ

।।

ଜୟ ଘୋଷଣା ନାଦ କରି

ପିଠିରେ ଅମୂଲ୍ୟ ଅମାରି

।।

ତହିଁ ଭକ୍ତକୁ ବସାଇଲେ

ଦିଲ୍ଲୀ ସହରେ ବୁଲାଇଲେ

।।

ଜୟ ଘୋଷଣା ନାଦ ଦେଇ

ଛାଡ଼ିଲେ ତାର ପୁରେ ନେଇ

।।

ବଦସା ଗଲେ ତାଙ୍କପୁରେ

ସର୍ବେ ଚଳିଲେ ଯେଝା ଘରେ

।।

ଶୁଣ ହେ ମନ ମହାରଥା

ସେ ଭକ୍ତ ବନ୍ଧୁଙ୍କର କଥା

।।

ରେଣୁକୁ କରେ ମେରୁସମ

ଦେଖ ସେ ପୁରୁଷ ଉତ୍ତମ

।।

ସଂସାରେ ଦେବଦେବୀ ଯେତେ

କେ ଏହା କରିବ ଜଗତେ

।।

ଏମନ୍ତ ପ୍ରଭୁ ସେବା ଛାଡ଼ି

ଯେ ଅନ୍ୟମାର୍ଗେ ଯାନ୍ତି ବଢି

।।

ବ୍ୟର୍ଥ ତା ଦେହ ବହିବାର

ଶୁଣି କହିବା ଦୃଷ୍ଟାନ୍ତର

।।

ଯେହ୍ନେ ସୁଗନ୍ଧ ଦ୍ରବ୍ୟ ଲେଛି

ଦୁର୍ଗନ୍ଧେ ଯାଇ ବସେ ମାଛି

।।

ସେ ନର ଏମନ୍ତ ଅଟଇ

ଉଭୟ ଲୋକେ ସୁଖ ନାହିଁ

।।

ଏଥିଉତ୍ତାରୁ ସେ ଭକତ

ନିରଢେ ଭଜେ ଜଗନ୍ନାଥ

।।

ତା ଜୀବଦଶା କଟାଇଲା

ପରମ ପଦ ହିଁ ପାଇଲା

।।

ଶୁଣ ହୋ ମନ ନୃପବର

ଭାବରେ ହୁଏ ଏତେ ଦୂର

।।

ଏ ଯେ ଦାର୍ଢ୍ୟତାଭକ୍ତି ରସ

ବିଷୟା ବିଷକୁ ପୀୟୁଷ

।।

ଶ୍ରବଣ ପଠନ ଏ ଦୁଇ

ଯେ କରେ ଶ୍ରଦ୍ଧାଭାବ ବହି

।।

କଳୁଷ ପଙ୍କରୁ ନିସ୍ତରେ

ସେ ନର ଭବସିନ୍ଧୁ ତରେ

।।

ଶୁଣି ଆନନ୍ଦ ମନ ଯେତେ

କେ କହିପାରେ ଏ ଜଗତେ

।।

ଚୈତନ୍ୟ ପାଦେ ପୂଜା କରି

ବୋଲଇ ଗଲି ମୁଁ ନିସ୍ତରି

।।

କହଇ ରାମଦାସ ଦ୍ୱିଜ

ମୋ ପ୍ରଭୁ ଶଙ୍ଖ ଚକ୍ର ଭୁଜ

।।

ସେ ଶ୍ୱେଦପଦ୍ମ ନେତ୍ର ପାଦେ

ମୋ ମନ ରହୁ ଅପ୍ରମାଦେ

।।

ସୁଜନେ ଏଣେ କର ଲୟ

ଆଉ ନ ଥିବ ଯମ ଭୟ

।।

ମୁଁ ତୁମ୍ଭ ଚରଣେ କିଙ୍କର

ମୋ ଅପରାଧ କ୍ଷମା କର

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତ ମନଚୈତନ୍ୟ ସମ୍ୱାଦେ

ପରମଭକ୍ତି ସିପୁଟ ଦୃଢ ଭକ୍ତିଭାବ ବର୍ଣ୍ଣନେ ନାମ ତ୍ରିଂଶୋ ଧ୍ୟାୟଃ ।

•••

 

Unknown

ଏକତ୍ରିଂଶ ଅଧ୍ୟାୟ

ନାରାୟଣ ଦାସ ସମ୍ବାଦ

 

ନମସ୍ତେ ଦେବ ଗଣପତି

ଅନନ୍ତ ଜ୍ଞାନ ସିଦ୍ଧପତି

।।

ପାର୍ବତୀ ଦେବୀ ପୁତ୍ରମଣି

ସକଳ ଦେବଙ୍କ ଅଗ୍ରଣୀ

।।

ନମୋ ଶାରଦା ଯାଜ୍ଞସେନୀ

ଜଗତ ଜନଙ୍କ ଜନନୀ

।।

ଯେ ଚିନ୍ତେ ତୋର ପାଦହୃଦେ

ଶରଣ ରଖୁ ଅପ୍ରମାଦେ

।।

ତୋ ଆଜ୍ଞା ବିନା କେବା ନର

କହବା ମହିମା ତୋହର

।।

ନମସ୍ତେ ଦେବ ଜଗନ୍ନାଥ

ନମସ୍ତେ ଶଙ୍ଖ ଚକ୍ର ହସ୍ତ

।।

କମଳା ଦେବୀ ପ୍ରାଣପତି

ଦାସ ବତ୍ସଳ ଦାଶରଥି

।।

ଶରଣ ପଞ୍ଜର ମୁରାରୀ

ଘୋର ଦୂରିତ ନାଶକାରୀ

।।

ଏଣୁ ଶରଣ ରାମଦାସ

ପୂରାଅ ମୋର ମନ ନାଶ

।।

ମନ ବୋଲଇ ଚଇତନ

ଶୁଣିଲି ଅପୂର୍ବ ବଚନ

।।

ତିରିଶ ଅଧା ପରିଯନ୍ତେ

ଦାର୍ଢ୍ୟତାଭକ୍ତି କଥା ଯେତେ

।।

ଏତିକି ମାତ୍ର ସୁଧାରସ

ଶ୍ରବଣେ ମନ ନୋହେତୋଷ

।।

ଆହୁରି ଶୁଣିବାକୁ ଇଚ୍ଛା

କରଇତେଣୁ ମୁହିଁ ପୁଚ୍ଛା

।।

ଅନ୍ୟ ଭକତ ମାନଙ୍କର

କଥା କି ଅଛଇ ଆବର

।।

କିମ୍ବା ଏତେକେ ହେଲା ଶେଷ

କହିବା ଏଥିର ସନ୍ଦେଶ

।।

ଶୁଣ ଚୈତନ୍ୟ କହେ ହସି

ଶୁଣ ହେ ମନ ଘଟବାସୀ

।।

ଏ ଯେ ସଂସାର ମଧ୍ୟଗତେ

ହରି ଭକତ ଛନ୍ତି ଯେତେ

।।

ମହିଁମା ଅପାରୁଁ ଅପାର

କେ ତାହା ହୋଇବ ଗୋଚର

।।

କେବଳ ଠିକ୍ ଠିକ୍ କରି

କହିଲି ସିନା କଥା ଚାରି

।।

ତା ଶୁଣି ମନ ନୃପବର

ବୋଲେ ଶୁଣ ଚୈତନ୍ୟ ବୀର

।।

ମୋର କରୁଣା ହୁଦ ହୁଅ

ଆଉ ଭକ୍ତଙ୍କ କଥା କହ

।।

ଯେସନେ ତୃଷିତ ଚକୋର

ନିରତେ ଲୋଡ଼େ ସୁଧାକର

।।

ଚାତକ ଯେହ୍ନେ ଘନରସ

ଲୋଡ଼ଇ ରଜନୀ ଦିବସ

।।

ମୋହର ମନ ସେହି ମତେ

ଆଶା ତୋ ବଚନ ଅମୃତେ

।।

ଆଉ ସାଧୁଙ୍କ କଥା ଯେତେ

ପବିତ୍ର କର କହି ମୋତେ

।।

ତାହା ଶୁଣିଲେ ଚଇତନ

ବୋଲଇ ଶୁଣ ହେ ସୁମନ

।।

କହିବି ଅପୂର୍ବ ଚରିତ

କେବଳ ସ୍ଥିର କର ଚିତ୍ତ

।।

ଗଙ୍ଗାଙ୍କ ଯହିଁରେ ନିବାସ

ଯେ ପୁଣ୍ୟଭୂମି ବଙ୍ଗଦେଶ

।।

ଯେ କୀର୍ତ୍ତିଚନ୍ଦ୍ର ନୃପବର

ସେହି ରାଜ୍ୟରେ ତାର ଘର

।।

ଜାତିରେ ଅଟଇ କରଣ

ନାମ ତାହାର ନାରାୟଣ

।।

ପତ୍ନୀର ନାମ ତା ମାଳତୀ

ଅଚଳାଚଳ ତା ସମ୍ପତ୍ତି

।।

ଅତି ବିବେକୀ ଶୁଚିବନ୍ତ

ଅତି ଧାର୍ମିକ ଶୁଦ୍ଧଚିତ୍ତ

।।

ସାଧୁ ବୈଷ୍ଣବଙ୍କ ଚରେଣ

ସେବା କରଇ ଅନୁକ୍ଷଣେ

।।

କେବଳ ରଜନୀ ବାସର

ହରି ଭଜନ ମୂଳ ତାର

।।

ଦୁଃଖୀ ବା ଦରିଦ୍ର ଅତିଥ

ଦ୍ୱାରେ ତା ହେଲେ ଉପସ୍ଥିତ

।।

ତାହାଙ୍କୁ ଅନ୍ନବସ୍ତ୍ର ଦାନେ

ତୋଷଇ ଅତି ତୋଷ ମନେ

।।

ନାହିଁ ତା ନିଷ୍ଠୁର ବଚନ

ନ ହେଲେ ପରନାରୀ ଧନ

।।

ନିରତେ ଚିନ୍ତେ ହରିଭାବ

ଶ୍ରୀଗୁରୁ ପାଦେ ପୂର୍ଣ୍ଣ ଲୋଭ

।।

ତହୁଁ ଅଧିକ ତା ଯୁବତୀ

କେବଳ ସ୍ୱାମୀପାଦେ ମତି

।।

ନ ଜାଣେ ତୀର୍ଥ ବ୍ରତ କିବା

କେବଳ ସ୍ୱାମୀ ପାଦସେବା

।।

ସ୍ୱାମୀର ଆଜ୍ଞା ନ ଲଙ୍ଘଇ

ଶୁଣ ହେ ମନ ନୃପସାଇଁ

।।

ଏମନ୍ତେ ଥାନ୍ତି ବେନି ପ୍ରାଣୀ

ମିଥ୍ୟା ବଚନ ସେ ନ ଜାଣି

।।

ଅଦୃଷ୍ଟ ବଳରୁ ତାହାର

ନାହିଁ ତା ଦୁହିତା କୁମର

।।

ତେଣୁ ସେ ଚିନ୍ତା କରି ମନ

ବିଚାରୁ ଥାଇ ପ୍ରତିଦିନ

।।

ଧନ ସମ୍ପଦ ଗୃହ ବାସ

ଏଥି ମୋ ପ୍ରୟୋଜନ କିସ

।।

କେବଳ ଅମୋକ୍ଷକୁ ଯିବି

ଶ୍ରୀରାମ ଚରଣ ସେବିବି

।।

ସେହି ରୂପକୁ କରି ଧ୍ୟାନ

ତହିଁ ମୁଁ ବଞ୍ଚାଇବି ଦିନ

।।

ସେ ପୁଣ୍ୟକ୍ଷେତ୍ରେ ବାସ କରି

ସୁଖେ ରହିବି ଦେହ ଧରି

।।

ଯାଉ ବା ଥାଉ ଏ ଶରୀର

ଅନ୍ୟ ଶରଣ ନାହିଁ ମୋର

।।

ଏମନ୍ତ ଭାବି ଗୃହେ ତାର

ଯେ ଥିଲା ଦେହ ଅଳଙ୍କାର

।।

ସମସ୍ତ ଠୁଳ କଲା ବେଗେ

କହିଲା ନିଜ ପତ୍ନୀ ଆଗେ

।।

ଚାଲ ଅଯୋଧ୍ୟାପୁର ଯିବା

ଶ୍ରୀରାମ ଚରଣ ସେବିବା

।।

ଶୁଣ ଆନନ୍ଦ ନାରୀବର

ବୋଇଲା ଯେ ଇଚ୍ଛା ତୁମ୍ଭର

।।

ତୁମ୍ଭେ ଯେଣିକି ଯିବ ଯିବି

ତୁମ୍ଭ ଚରଣ ସେବୁଥିବି

।।

ମୁଁ ଯେ ତୁମ୍ଭର ବଶବର୍ତ୍ତୀ

ଶୁଣି ଆନନ୍ଦହେଲା ମତି

।।

ଆଣ ବଳଦ ଗୋଟା ଚାରି

ପଲାଣ ଘେନି ସଜ କରି

।।

ସକଳ ଦ୍ରବ୍ୟ ସେ ଅଖାରେ

ଭରି ଲଦିଲେ ବଳଦରେ

।।

ଶ୍ରୀରାମ ରୂପ ଧ୍ୟାନ କରି

ଚଳିଣ ଗଲେ ନରନାରୀ

।।

କେତେ ହେଁ ଦିନେ ଗଲେ ବାଟେ

ମିଳିଲେ ଯାଇ ଚିତ୍ରକୂଟେ

।।

ତହିଁ ରହିଲେ କେତେ ଦିନ

ବୁଲି ଦେଖିଲେ ସର୍ବସ୍ଥାନ

।।

ସନ୍ଥ ମହନ୍ତ ସାଧୁଜନ

ଦେଖି ଆନନ୍ଦ କଲେ ମନ

।।

ସେବି ତାହାଙ୍କ ପାଦଗତେ

ଧନହିଁ ଦାନ କଲେ କେତେ

।।

ତହୁଁ ଚଳିଲେ ଶ୍ରଦ୍ଧାଚିତ୍ତେ

ଅଯୋଧ୍ୟା ଯିବାର ନିମନ୍ତେ

।।

କେତେହେଁ ଦିନ ଯାଉଁ ଯାଉଁ

ସଙ୍ଗେତ ସଙ୍ଗୀ ନାହିଁ କେହୁ

।।

ପଶନ୍ତେ ଅଗମ୍ୟ ବନସ୍ତେ

ଦେଖିଣ ଭୟ କଲେ ଚିତ୍ତେ

।।

ବାଟେ ରହିଲେ ବସାକରି

ଶୁଣ ହେ ମନ ଦଣ୍ଡଧାରୀ

।।

ପ୍ରଭାତୁଁ ଉଠି ଚଳିଗଲେ

ଶବର ପଲ୍ଲୀଏ ଦେଖିଲେ

।।

ତହିଁରେ ଆତଯାତ ଜନେ

ଦେଖି ଆନନ୍ଦ ହେଲେ ମନେ

।।

ତାହାଙ୍କୁ ପଥ ପଚାରିଲେ

ବେଗରେ ତହୁଁ ଚଳିଗଲେ

।।

ଏଥି ଉତ୍ତାରେ ସେ ଗ୍ରାମରେ

ଦେଖି ଦୁର୍ଜ୍ଜନ ଖଣ୍ଟନରେ

।।

ବିଚାର କଲେ ଜଣ ଦଶ

ବାଟ ଜଗିବା ସର୍ବେ ଆସ

।।

ଅନେକ ଧନ ଦ୍ରବ୍ୟମାନ

ବଳଦେ କରିଣ ଲଦନ

।।

ଯାଉ ଅଛନ୍ତି ଜଣ ଦୁଇ

ସଙ୍ଗେ ତାଙ୍କର କେହି ନାହିଁ

।।

ତାଙ୍କ ସଙ୍ଗରେ ସଙ୍ଗୀ ହେବା

ଅଗମ୍ୟ ବାଟେ ଘେନି ଯିବା

।।

ଏକାନ୍ତ ସ୍ଥାନେ ତାଙ୍କୁ ମାରି

ଧନ ଆଣିବା ତହୁଁ ହରି

।।

ଏମନ୍ତ ବିଚାର ଯେ କଲେ

ସେ ଜଣ ଦଶ ଚଳିଗଲେ

।।

ଅତ୍ୟନ୍ତ ଆନନ୍ଦିତ ହୋଇ

ମିଳିଲେ ତାଙ୍କ ପାଶେ ଯାଇ

।।

ବୋଇଲେ ଶୁଣ ହେ ବିଦେଶୀ

କେଣେ ଯିବାକୁ ଅଛ ଆସି

।।

ତା ଶୁଣି ନାରାୟଣ ଦାସ

ବୋଇଲେ ଶୁଣ ହେ ବିଶ୍ୱାସ

।।

ଶ୍ରୀରାମଚନ୍ଦ୍ର ରଘୁବଂଶୀ

ଯେହୁ ଅଯୋଧ୍ୟା ପୁରବାସୀ

।।

ସକଳ ସଂସାର କାରେଣୀ

ସକଳ ଜୀବ ଚିନ୍ତାମଣି

।।

ମହାମହିମା ମହାମେରୁ

ଭକତ ବାଞ୍ଛା କଳ୍ପତରୁ

।।

ତାଙ୍କ ଦର୍ଶନ ଇଚ୍ଛାକରି

ଯାଉଛି ଅଯୋଧ୍ୟାନଗରୀ

।।

ତାହା ଶୁଣିଲେ ଖଣ୍ଟମାନେ

ବୋଇଲେ ଶୁଣ ସାବଧାନେ

।।

ଏ ଘୋର ଅଗମ୍ୟ ବନସ୍ତେ

ଏକାକୀ ଯିବ ହେ କେମନ୍ତେ

।।

ଆମ୍ଭେ ଯାଉଛୁ ସେହି ସ୍ଥାନ

ପ୍ରଭୁଙ୍କୁ କରିବୁ ଦର୍ଶନ

।।

ଉତ୍ତମ ସଙ୍ଗ ହେଲା ଭେଟ

ଫିଟିଲା ମନର ସଙ୍କଟ

।।

ଚାଲ ସମସ୍ତେ ମିଶି ଯିବା

ପ୍ରଭୁଙ୍କୁ ଦର୍ଶନ କରିବା

।।

ଆମ୍ଭେ ତୁମ୍ଭଙ୍କୁ ରଖୁଆଳ

ଭୟ ନ କରି ତୁମ୍ଭେ ଚଳ

।।

ତାହା ଶୁରିଣ ବେନିଜନ

ବିଚାର କଲେ ମନେ ମନ

।।

ଆମ୍ଭେ ଏହାଙ୍କୁ ଚିହ୍ନୁ ନାହିଁ

ସଙ୍ଗ ହେବାର ନ ଯୋଗାଇ

।।

ବୋଇଲେ ପ୍ରଭୁ ରଘୁନାଥ

ଅନାଥ ଲୋକଙ୍କର ନାଥ

।।

ଯେ କାଣ୍ଡ କୋଦଣ୍ଡ ଧାରଣ

ସେ ଆମ୍ଭ ସଙ୍ଗ ବୋଲି ଜାଣ

।।

ସେ ଯେଣେ ନେବ ତେଣେ ଯିବୁ

ଆମ୍ଭ ଆୟତ୍ତ ନାହିଁ ବାବୁ

।।

ଏମନ୍ତ ଶୁଣିଣ ଦୁର୍ଜ୍ଜନେ

ବୋଇଲେ ଶୁଣ ମହାଜନେ

।।

କପଟ କଲ ତୁମ୍ଭ ଚିତ୍ତେ

ସବୁରି ପ୍ରଭୁ ଜଗନ୍ନାଥେ

।।

ସକଳ ଜୀବ ପ୍ରାଣମଣି

ସେ ହାନି ଲାଭର କାରେଣୀ

।।

ତୁମ୍ଭ ଆମ୍ଭଙ୍କୁ ସେହୁ ସାକ୍ଷୀ

ଚାଲ ହୋ ସଂଶୟ ଉପେକ୍ଷି

।।

ଆମ୍ଭ କହୁଛୁଁ ତୁମ୍ଭ ଭଲ

ସମସ୍ତେ ମିଶି ଯିବା ଚାଲ

।।

ଶୁଣି ସେ ପତି ପତ୍ନୀ ଦୁଇ

ହୋଇଣ ବହୁତ ବିନୟୀ

।।

ବୋଇଲେ ପ୍ରଭୁ ଧନୁର୍ଦ୍ଧାରୀ

ସକଳ ଘଟେ ଛନ୍ତି ପୂରି

।।

ତାହାଙ୍କୁ ଯେବେ ସାକ୍ଷୀ କଲ

ହୋଇଲା ସବୁ କଥା ଭଲ

।।

ଏବେ ମିଶିଣ ଯିବା ସତ୍ୟ

ଆମ୍ଭର ତୁମ୍ଭେ ତାତ ମାତ

।।

ସଂସାର ମଧ୍ୟେ ଏତେ ଲେଖି

ସବୁକଥାକୁ ଧର୍ମ ସାକ୍ଷୀ

।।

ଏମନ୍ତ ବୋଲି ସେ କହିଲେ

ମିଶି ମସସ୍ତେ ଚଳିଗଲେ

।।

କେବଳ ମୁକୁନ୍ଦ ମୁରାରୀ

ହୃଦୟ ମଧ୍ୟେଚିନ୍ତା କରି

।।

ମାତ୍ର ବାନ୍ଧିବା ପ୍ରାୟ ହୋଇ

ପଶିଲେ ଘୋର ବନେ ଯାଇଁ

।।

କେତେ ହେଁ ଦିନେ ଚଳିଯାନ୍ତେ

ଦୁଷ୍ଟେ ବିଚାରୁଛନ୍ତି ଚିତ୍ତେ

।।

ଆଉ କି ବିଚାର ଏଥର

ପଡ଼ିଲେ ଆମ୍ଭ ଆୟତ୍ତର

।।

ଏ ମହାଜନ ପ୍ରାଣନାଶି

ଘେନିଣ ଯିବ ଶୁଭ୍ରକେଶୀ

।।

ଧନ ଦ୍ରବ୍ୟାଦି ଥିବ ଯେତେ

ଖାଇ ବଞ୍ଚିବା ଦିନାକେତେ

।।

ବେଗେ ଖଡ଼ଗ ଧରି କର

ଛେଦନ କର ଏହା ଶିର

।।

ଏକ ବୋଲେ ଜିହ୍ୱା ଉପାଡ଼ିବା

କେ ବୋଲେ ନୟନ ତାଡ଼ିବା

।।

କେ ବୋଲେ ନୁହଇ ଏମନ୍ତ

ବନ୍ଧନ କର ପାଦ ହସ୍ତ

।।

ଏକାନ୍ତ ସ୍ଥାନେ ପକାଇବା

ଉପରେ ପଥର ଲଦିବା

।।

ପଡ଼ିର ଥିବ ଦିନ ଚାରି

ଆପଣା ସୁଖେ ଯିବ କରି

।।

ଧନ ବସନ ଅଛି ଯେତେ

ଏ ନାରୀ ଘେନିବା ସଙ୍ଗତେ

।।

ବହନ ହୋଇ ଯିବା ଚାଲ

ସର୍ବେ ବୋଇଲେ ଏହୁ ଭଲ

।।

ଏମନ୍ତ ବୋଲି ବେଗ ହୋଇ

ଧଇଲେ ସାଧବକୁ ଯାଇଁ

।।

ନିବିଡ଼େ ବାନ୍ଧି ପକାଇଲେ

ଅଗମ୍ୟ ବନେ ଘନିଗଲେ

।।

ପକାଇ ତାକୁ ଦୀର୍ଘ କରି

ମାଡ଼ି ବସିଲେ ଜଣ ଚାରି

।।

ଆବର ଲୋକ ଆଣି ଶିଳ

ଲଦିଲେ ତା ହୃଦ କମଳ

।।

ବୋଇଲେ ଏଥି ସୁଖେ ଥାଅ

ନୋହିଲେ ତୀର୍ଥ କରି ଯାଅ

।।

ଏମନ୍ତ ବୋଲି ଚଳିଯାନ୍ତେ

ସେ ନାରାୟଣ ହୃଦଗତେ

।।

ବୋଲେ ଜଗତ ଚିନ୍ତାମଣି

ନମୋ କୋଦଣ୍ଡ କାଣ୍ଡପାଣି

।।

ନମସ୍ତେ ତ୍ରୈଲୋକ୍ୟ ଈଶ୍ୱର

ସଂସାରେ ତୋର ଖେଳଘର

।।

ଚର ଅଚର ଆଦି କରି

ସକଳ ଘଟେ ଅଛୁ ପୂରି

।।

ତୋର ଉଦରେ ଏ ସଂସାର

ତୁ ଅଛୁ ଅନ୍ତର ବାହାର

।।

ତୋର ବାହାରେ ଅନ୍ୟ ଜଣେ

ଅଛି କି ମୋ ଜୀବ ରକ୍ଷଣେ

।।

ତୁ ନାଥ ଯାହା ତାହା କର

ଅନ୍ୟ ଶରଣ ନାହିଁ ମୋର

।।

ଏମନ୍ତ ଚିନ୍ତେ ମନ

ବଦନୁ ନ ସ୍ପୁରେ ବଚନ

।।

ତାହା ଜାଣି ସେ ଦୁଷ୍ଟ ଚିତ୍ତେ

ଏ ମଲା ବିଚାରି ତ୍ୱରିତେ

।।

ଲେଉଟି ଗଲେ ପ୍ରିୟା ପାଶ

ବୋଇଲେ ଏବେ ଯିବା ଆସ

।।

ବୁଲି ମରନ୍ତୁ କେଣେ ଯାଇଁ

ଅରକ୍ଷଜନ ପ୍ରାୟ ହୋଇ

।।

ଏବେ ପାଇଲୁ ଦଶପତି

ତାହା ଶଉରିଣ ସେ ଯୁବତୀ

।।

ରହିଲା ସ୍ତମ୍ଭୀଭୂତ ହୋଇ

ଯେସନେ କାଷ୍ଠର କୁଣ୍ଢାଇ

।।

ଭୟେ ତା ଜୀବନ ଉଡ଼ିଲା

ଶ୍ରୀରାମ ନାମ ସୁମରିଲା

।।

ବୋଇଲା ଆହେ ମହାବାହୁ

ଶରଣ ପଞ୍ଜର ବୋଲାଉ

।।

ପୁରାଣ ପଥେ ଅଛି ଶୁଣି

ଆତଙ୍କ କାଳେ ରଘୁମଣି

।।

ରଖିବେ ବୋଲି ଧନୁଶର

ଧରିଣ ଅଛ ବେନିକର

।।

ଏମନ୍ତ ବୋଲି ବନଭାଗେ

ଚାହୁଁ ସେ ଅଛି ଚାରିଦିଗେ

।।

ତା ମନ ଜାଣି ଦଇତ୍ୟାରି

ତେଜିଲେ ଅଯୋଧ୍ୟା ନଗରୀ

।।

ଚଢିଣ ଶ୍ୱେତ ଅଶ୍ୱପରେ

ମିଳିଲେ ସେହି ବନସ୍ତରେ

।।

ଝଟତି ବିଜୁଳିର ପ୍ରାୟ

ଆଗେ ଦିଶିଲେ ଦେବରାୟ

।।

ସୁବର୍ଣ୍ଣ ମୁକୁଟ ମଉଳି

ଦ୍ୱିତୀ ସୂର୍ଯ୍ୟର ପ୍ରାୟ ଝଳି

।।

ଶ୍ରବଣେ ମକର କୁଣ୍ଡଳ

ଲୁଚଇ ବେନି ଗଣ୍ଡସ୍ଥଳ

।।

କଣ୍ଠେ କୌସ୍ତୁଭ ମଣିହାର

ସ୍ୱରୁପେ ଜନ ମନୋହର

।।

ହୃଦରେ ପଦକ ବିରାଜେ

ରତ୍ନକଙ୍କଣ ବେନି ଭୁଜେ

।।

ଚମ୍ପକ କଢିର ଅଙ୍ଗୁଳି

କି ଶୋଭା ମୁଦ୍ରିକା ଆବଳୀ

।।

ଝୀନବସନ କଟୀମାଝେ

ସୁରତ୍ନ ମେଖଳା ବିରାଜେ

।।

ନୀଳ ଜୀମୁତ କଳେବର

ରାଜୀବ ଲୋଚନ ସୁନ୍ଦର

।।

ରଙ୍ଗ ଅଧରେ ମନ୍ଦହାସ

ଗଳି କି ପଡ଼ୁଛି ପୀୟୁଷ

।।

ନାଟୁଆ ଶିରୋମଣି ପ୍ରାୟେ

ପିନ୍ଧା କାଛେଣୀ କହି ନୋହେ

।।

କଟୀରେ ଯମଦାଢ ବାନ୍ଧି

ଶର ତୁଣୀକୁ କନ୍ଧେ ଛଳି

।।

ଢାଲ ହିଁ ପଡ଼ିଛି ପିଠିରେ

ଚଢିଣ ଶ୍ୱେତ ଅଶ୍ୱପରେ

।।

ଏମନ୍ତ କ୍ଷତ୍ରୀ ରୂପ ହୋଇ

ଧାଇଁ ଅଛନ୍ତି ଭାବଗ୍ରାହୀ

।।

ତାହାଙ୍କୁ ଦେଖି ସେ ଦୁର୍ଜ୍ଜନେ

ପଳାଇଗଲେ ଘୋର ବନେ

।।

କେ ଅବା ଭୟେ ଗଡ଼ିପଡ଼ି

କା ଆଣ୍ଠୁ ଗଣ୍ଠି ଗଲା ଛିଡ଼ି

।।

କାହା କପାଳ ଗଲା ଫାଟି

ଭାଜିଲା କାହା ଦନ୍ତ ପାଟି

।।

ବାଜିଣ କଣ୍ଟା ଡାଳ ଝାଟି

କାହାର ନେଲା ଗଲା ଫୁଟି

।।

ଛିଣ୍ଡିଲା କା ନାସା ଶ୍ରବଣ

ପଳାଇଗଲେ ଘେନି ପ୍ରାଣ

।।

ଏମନ୍ତ ବେଳେ ରଘୁବୀର

ବିଜୟ ସେ ନାରୀ ପାଶର

।।

ହସି ବୋଲନ୍ତି ରଘୁବୀର

କେବଣ ଦେଶେ ତୁମ୍ଭ ଘର

।।

କାହୁଁ ଅଇଲ ଯିବକାହିଁ

ଏକାକୀ ସଙ୍ଗେ କେହି ନାହିଁ

।।

ଏ ଯେଉଁମାନେ ପଳାଇଲେ

ସେ କିସ ତୁମ୍ଭଙ୍କୁ କହିଲେ

।।

ତା ଶଉରି ବୋଇଲେ ତରୁଣୀ

ଶୁଣ କ୍ଷତ୍ରୀୟ ଚୂଡ଼ାମଣି

।।

ସେ କୀତ୍ତିଚନ୍ଦ୍ର ନୃପବର

ତାଙ୍କ ରାଜ୍ୟରେ ଆମ୍ଭଘର

।।

ଜାତିରେ ବଣିଆ କରଣ

ଆମ୍ଭ ଅଦୁଷ୍ଟ କଥା ଶୁଣ

।।

ପୁତ୍ର ଦୁହିତା ନାହିଁ ମୋର

ତେଣୁ ମୁଁ ସଂସାରୁ ବାହାର

।।

ତା ଜାଣି ମୋର ନିଜ ପତି

ବୋଇଲେ ଶୁଣରେ ଯୁବତୀ

।।

ପୁତ୍ର ଦୁହିତା ନାହିଁ ଯାର

ସଂସାରେ କି ସୁଖ ତାହାର

।।

ଇହ ଲଷାକରେ ନାହିଁ ଯଶ

ମଲେ ନରକେ ପରବେଶ

।।

ଏଥକୁ ବୁଦ୍ଧିଏ କରିବା

ଚାଲ ଅଯୋଧ୍ୟା ପୁରେ ଯିବା

।।

ସେ କ୍ଷେତ୍ରବରେ କରିବାସ

ତହିଁ ରହିବା କେତେ ମାସ

।।

ଶ୍ରୀରାମ ପାଦେ କରି ସେବା

ଏ ଭବ ସଂସାରୁ ତରିବା

।।

ଏମନ୍ତ ବୋଇଲେ ସେ ଯେଣୁ

ଅଇଲୁ ତୀର୍ଥକରି ତେଣୁ

।।

ଏ ବନେ ହୋଇଲି ପ୍ରବେଶ

ଆସି ମିଳିଲେ ଜଣ ଦଶ

।।

ତାହାଙ୍କୁ ଦେଖି ଭୟ କଲୁ

ଏ ବନେ ନ ଯିବୁ ବୋଇଲୁ

।।

ଆମ୍ଭଙ୍କୁ ନାନାରୂପ କହି

ସତ୍ୟ ବଚନେ ମନ ମୋହି

।।

ବୋଇଲେ ଆମ୍ଭେ ତୁମ୍ଭେ ଦୁଇ

ସବୁରି ସାକ୍ଷୀ ଭାବଗ୍ରାହୀ

।।

କେବଳ ଶ୍ରୀ ରଘୁନନ୍ଦନ

ଅଶେଷ ଜୀବର ଜୀବନ

।।

କପଟ ଆମ୍ଭ ହୃଦେ ଥିଲେ

ଜାଣି ଦଣ୍ଡିବେ ସେହୁ ଭଲେ

।।

ଏମନ୍ତ ସତ୍ୟବାଣୀ ଶୁଣି

ଆନନ୍ଦ ହେଲୁ ବେନି ପ୍ରାଣୀ

।।

ଯହିଁ କି ସାକ୍ଷୀ ଦେବରାୟେ

ତହିଁ କାହାକୁ ଆଉ ଭୟ

।।

ଏମନ୍ତ ବୋଲି ସଙ୍ଗ ହେଲୁ

ଆସି ଏ ବନରେ ପଶିଲୁ

।।

ଅତି ଅଗମ୍ୟ ବନ ଦେଖି

ଏଥି ଉଗାଳି ମୋତେ ରଖି

।।

ମୋର ସ୍ୱାମୀକି ବାନ୍ଧିନେଲେ

କେ ଜାଣେ କାହିଁ କିସ କଲେ

।।

ତେଣୁ ଆସିଣ ମୋତେ ଧରି

ନାଟନାରୀଙ୍କ ପ୍ରାୟ କରି

।।

ବୋଇଲେ ଆସ ଆମ୍ଭ ପୁରୀ

ଭାରିଯା ହୋଇବ ସବୁରି

।।

ଏବେ ସେ ତୁମ୍ଭଙ୍କୁ ଦେଖନ୍ତେ

ପଳାଇଗଲେ ଯେଝାମତେ

।।

ଆମ୍ଭର ଆପତ୍ତି ଦେଖିଣ

କୃପା କଲେ କି ନାରାୟଣ

।।

ତୁମ୍ଭେ ବିଜୟ କଲ ଏଥି

ଭାଗ୍ୟ ଦିଶିଲା ମୋର ଅତି

।।

କେ ତୁମ୍ଭେ ମୁଁ ତାହା ନ ଜାଣି

ଫେଡ଼ିଣ କୁହ ବୀରମଣି

।।

ହୋଇଲେ ଧର୍ମପିତା ମୋର

ବିପଦ ସମୁଦ୍ର ଉଦ୍ଧାର

।।

ବହନ ଅଗ୍ନି ଜାଳି ଦିଅ

ତହିଁ ମୋ ଶରୀର ପକାଅ

।।

ସ୍ୱାମୀ ବିହୀନେ ମୋ ଜୀବନ

ଥିବାର କିସ ପ୍ରୟୋଜନ

।।

ଏହା ଶୁରିଣ ଧନୁର୍ଦ୍ଧରୀ

ବୋଇଲେ ଶୁଣରେ ସୁନ୍ଦରୀ

।।

ଚିନ୍ତା ନ କର କିଛି ତୁହି

ତୋର ସ୍ୱାମୀକି ଦେବି ମୁହିଁ

।।

ଏମନ୍ତ କହି ତାକୁ ଧରି

ବିଜୟ କଲେ ଧନୁର୍ଦ୍ଧାରୀ

।।

ମିଳିଲେ ସ୍ୱାମୀ ପାଶେ ତାର

କାଢିଲେ ଲଦିଲା ପଥର

।।

ବନ୍ଧା ଫିଟାଇ କୋଳେ ଧରି

ଆଉଁସି ଦେଲେ କରେ ହରି

।।

ତକ୍ଷଣେ ପାଇ ନିଜ ପ୍ରାଣ

ଉଠି ଦେଖିଲା ଧନୁର୍ବାଣ

।।

ମସ୍ତକେ ବେନି କରଯୋଡ଼ି

ପ୍ରଭୁ ଚରଣ ତଳେ ପଡ଼ି

।।

ବୋଲଇ ଶୁଣ ବୀରମଣି

କେ ତୁମ୍ଭେ ନ ପାରିଲି ଚିହ୍ନି

।।

ମୁଁ ଛାର ପତିତ ପାମର

ମୂଢ ମୁରୁଖ ଦୁରାଚାର

।।

ମୁଁ କାହିଁ ଚିହ୍ନିବି ତୁମ୍ଭଙ୍କୁ

ବିପତ୍ତି କାଳରେ ଆମ୍ଭଙ୍କୁ

।।

ଆସି ମୋ ଜୀବଦାନ ଦେଲ

ତୁମ୍ଭେ ମୋ ପ୍ରଭୁ ରଘୁମଲ୍ଲ

।।

ତୁମ୍ଭେ ମୋହର ପ୍ରାଣେଶ୍ୱର

ତୁମ୍ଭେ ମୋ ଜୀବନ ଠାକୁର

।।

ତୁମ୍ଭେ ମୋ ମୁକୁନ୍ଦ ମୁରାରୀ

ତୁମ୍ଭେ ମୋ ଆଦିକନ୍ଦ ହରି

।।

ଏମନ୍ତ ମଣେ ମୋର ଚିତ୍ତେ

ମାୟା ନ କରି କହ ମୋତେ

।।

ଏହା ଶୁଣିଣ ବ୍ରହ୍ମରାଶି

ରଙ୍ଗ ଅଧରେ ମନ୍ଦ ହସି

।।

ବୋଇଲେ ଶୁଣରେ ଭକତ

ଆମ୍ଭେ ତ ଦଶରଥ ସୁତ

।।

ତୋର ବିପଦ ଜାଣି ମନେ

ମିଳିଲୁ ତୋର ସନ୍ନିଧ୍ୟାନେ

।।

ଏହା କହନ୍ତେ ଭଗବାନ

ବୋଲେ ହେ ପ୍ରଭୁ ନାରାୟଣ

।।

ତୋ ନିଜ ସ୍ୱରୂପ ଦେଖାଇ

ମୋତେ ଉଦ୍ଧାର ଭାବଗ୍ରାହୀ

।।

ଏମନ୍ତ ଶୁଣି ଦେବହରି

ତକ୍ଷଣେ ନିଜ ରୂପ ଧରି

।।

କୋଟି କନ୍ଦର୍ପର ତେଜ

କାଣ୍ଡ କୋଦଣ୍ଡ ବେନିଭୁଜ

।।

କଣ୍ଠେ କୌସ୍ତୁଭମଣି ଶୋହେ

ଯେ ରୂପେ ଗଜଜ୍ଜନ ମୋହେ

।।

ଏମନ୍ତ ରୂପ କରକାଶି

ଉଭା ହୋଇଲେ ବ୍ରହ୍ମରାଶି

।।

ଦେଖିଲେ ସେହି ବେନିପ୍ରାଣୀ

ତକ୍ଷଣେ ଲୋଟିଲେ ଧରଣୀ

।।

ସାଷ୍ଟାଙ୍ଗେ ଦଣ୍ଡବତ କରି

ଉଠି କପାଳେ କର ମାରି

।।

ବୋଇଲେ ନମୋ ମହାବାହୁ

ଭକତ ବାନ୍ଧବ ବୋଲାଉ

।।

ମୋ ଛାର ପାଇଁ ବିଜେ ହୋଇ

ପ୍ରଭୁ ପଣକୁ ଲୁଚିଯାଇ

।।

ଏହା ନ ଜାଣି ମୂଢ ନରେ

ଭଜନ୍ତି ଅନ୍ୟ ଦେବତାରେ

।।

ତାହା ଶୁଣିଣ ସେ ଈଶ୍ୱର

ବୋଇଲେ ମାଗି ଘେନ ବର

।।

ଯେ ବାଞ୍ଛା ମନେ ଅଛି ତୋର

ମାଗ ହୋ ଭକତ ଶିଖର

।।

ଏମନ୍ତ ଶୁଣି ବେନିପ୍ରାଣୀ

ବୋଲାନ୍ତି ଶୁଣ ରଘୁମଣି

।।

ସମସ୍ତ ଦେଇଛ ଗୋସାଇଁ

ବର ମୋ ପ୍ରୟୋଜନ ନାହିଁ

।।

ସର୍ବାଙ୍ଗ ହୃଦରେ ବିହର

ଏହା ମାଗୁଛି ରଘୁବର

।।

ପୁଣି ବେଲନ୍ତି ରଘୁପତି

ଲଭ ମୋ ପାଦପଦ୍ମ ଭକ୍ତି

।।

ଏବେ ଅଯୋଧ୍ୟାପୁରେ ଯାଅ

ମୋର ସେବାରେ ଦିନ ନିଅ

।।

ଅନ୍ତେ ପାଇବ ମୋତେ ଆସି

ଏମନ୍ତ କହି ବ୍ରହ୍ମରାଶି

।।

ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ

ଶୁଣ ହେ ସୁମନ ରାଜନ

।।

ଭୃତ୍ୟର ଏଡ଼େ ସାହାପକ୍ଷ

ଦୃଷ୍ଟିରେ ଦେଖିଲା ପ୍ରତ୍ୟକ୍ଷ

।।

ଏଣେ ସେ ପତି ପତ୍ନୀ ଦୁଇ

ସଙ୍ଗରେ ବଳଦ ଚରାଇ

।।

ମନ ଆନନ୍ଦେ ଚଳିଗଲେ

କେତେ ହେଁ ଦିନ ପରେ ଭଲେ

।।

ମିଳିଲେ ଅଯୋଧ୍ୟା ନଗର

ତିହିଁ ନିର୍ମାଣି ଏକ ପୁର

।।

ରହିଲେ କେତେକାଳ ଅବା

ସାଧୁ ବୈଷ୍ଣବ କରି ସେବା

।।

ପ୍ରାଣ ହାରିଲେ ନାମ ଧରି

ଅନ୍ତେ ପାଇଲେ ବିଷ୍ଣୁପରୀ

।।

ଶଉର ହେ ନୃପରାଣ

ଏ ଦାର୍ଢ୍ୟ ଭକତି ଲକ୍ଷଣ

।।

କହଇ ବିପ୍ର ରାମଦାସ

ମୋ ପ୍ରଭୁ ଜାନକୀ ବିଳାସ

।।

ସୁଜନେ ଏହି ରସେ ରସ

ଏ ଭବଜଳରେ ନ ଭାସ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନଚୈତନ୍ୟ ସମ୍ୱାଦେ କରଣ

ନାରାୟଣ ପତିପତ୍ନୀ ଦୃଢଭକ୍ତି ବର୍ଣ୍ଣନେ ନାମ ଏକତ୍ରିଂଶୋ ଧ୍ୟୟଃ ।

•••

 

ଦ୍ୱାତ୍ରିଂଶ ଅଧ୍ୟାୟ

ଗୌରଚନ୍ଦ୍ର ସମ୍ୱାଦ

ମନ ଉବାଚ

 

ଏମନ୍ତ ଶୁଣି ମନ ରାଜା

ଚେତନ୍ୟ ପାଦେ କଲା ପୂଜା

।।

ବୋଲଇ ଶୁଣ ହୋ ସୁଚେତା

ଧନ୍ୟ ସେ ଭକତିର କଥା

।।

ଧନ୍ୟ ସେ ପତି ପତ୍ନୀ ଦୁଇ

ତାଙ୍କ ଚରିତ ଶୁଣି ମୁହିଁ

।।

ନିଶ୍ଚେ ପବିତ୍ର ହେଲି ଜାଣ

ଏବେ ପୁଚ୍ଛଇ ତୋ ଚରଣ

।।

ଏ କଳିଯୁଗର ଚରିତ

ଯେ ଆଉ ଅଛନ୍ତି ଭକତ

।।

ତାହାଙ୍କ କଥା କହ ମୋତେ

ଶୁଣି ଶରଣ ମୋର ଚିତ୍ତେ

।।

ତା ଶୁଣି ଚଇତନ ଭାଷି

ଶୁଣ ଏ ମନ ଘଟବାସୀ

।।

ଯେ ଜମ୍ୱୁଦୀପେ ମଧ୍ୟେ ସାର

ସେ ସେତୁବନ୍ଧ ରାମେଶ୍ୱର

।।

ବୈକୁଣ୍ଠ ଦ୍ୱାରରେ କବାଟ

ସ୍ୱର୍ଗକୁ ଫିଟିଅଛି ବାଟ

।।

ଅତି ପତିତ ଯେଉଁ ନର

ଦୁଷ୍ଟ ଦୁର୍ଜ୍ଜୟ ଦୁରାଚାର

।।

ତହିଁ ପ୍ରବେଶ ହେଲେ ଯାଇଁ

ଯମର ଭୟ ନ ଲାଗଇ

।।

ଏମନ୍ତ ରାଜ୍ୟେ ଏକ ରାଜା

ନାମ ଅଟଇ ଧର୍ମରାଜା

।।

ଶତେକ ଯୋଜନ ସୀମାରେ

ପ୍ରଭୁର ପଣ କେହି କରେ

।।

ଧନ ସମ୍ପଦ ଅପ୍ରମିତ

କୁବେର ସମାନ ସାଧୁତ

।।

ଗଜ କୁରଙ୍ଗ ଅଗଣିତା

ବୀର ପଣକୁ ଅଗ୍ରଜେତା

।।

ତାର ଭାରିଯା ରୂପବତୀ

ନାମ ତାହାର ହେମବତୀ

।।

ଏକା ଗୋଟିଏ ପୁତ୍ର ତାର

ନାମ ଦେଇଛି ରାମେଶ୍ୱର

।।

ସେ ରାଜା ଧର୍ମବନ୍ତ ପଣେ

ନ ଥିବେ ଜମ୍ୱୁଦ୍ୱିପେ ଜଣେ

।।

ତିନିକୋଶରେ ସଦାବର୍ତ୍ତ

ଧର୍ମଶାଳା ହିଁ ଅପ୍ରମିତ

।।

ଠାବ ଠାବକେ ମିଷ୍ଟଅନ୍ନ

ବୈଷ୍ଣବ କରନ୍ତି ଭୋଜନ

।।

ଯୋଗୀ ଜଙ୍ଗମ ବ୍ରହ୍ମଚାରୀ

ଦୁଃଖୀ ଦରିଦ୍ର ଯେ ଭିକାରୀ

।।

ସେ ମହାରାଜା ପାଶେ ଭେଟି

ନିରାଶେ ନ ଯାନ୍ତି ଲେଉଟି

।।

ଏମନ୍ତ ଭାଗ୍ୟବନ୍ତ ସେହି

ତା କଥା କହି ନ ସରଇ

।।

କେବଳ ରାମେଶ୍ୱର ପାଦେ

ସେବିଣ ଥାଇ ଅପ୍ରମାଦେ

।।

ରାଜ୍ୟରେ ଯେତେ ହାନିଲାଭ

ଯେ ଦୁଃଖ ସୁଖ ଶୁଭା ଶୁଭ

।।

ହାରି ଗୁହାରି ଆଦି ଯେତେ

ଜଣାଇଁ ପ୍ରଭୁଙ୍କ ଅଗ୍ରତେ

।।

ତାଙ୍କର ଆଜ୍ଞା ଶିରେ ଧରି

ରାଜ୍ୟ ପାଳଇ ଦଣ୍ଡଧାରୀ

।।

ଏମନ୍ତ ଗଲା କେତେଦିନ

ଶୁଣ ହୋ ସୁମନ ରାଜନ

।।

ବୈଷ୍ଣବ ଆଦି ସସ୍ର ଦୁଇ

ଅଇଲେ ଯମାଉତ ହୋଇ

।।

ଅନେକ ତୀର୍ଥମାନ ଦେଖି

ସଫଳ କରି ଚର୍ମଆଖି

।।

ଆସି ପ୍ରବେଶ ରାମେଶ୍ୱର

ସେ ମହା ନୃପତି ପାଶର

।।

ଦେଖି ନୃପତି ଅତି ତୋଷେ

ମିଳିଲେ ସାଧୁବୃନ୍ଦ ପାଶେ

।।

ସାଷ୍ଟାଙ୍ଗେ ଦଣ୍ଡବତ କରି

ଉଠି କପାଳେ କର ମାରି

।।

ଅନେକ ସମାଦର କଲେ

ଭୂରି ଭୋଜନ ତାଙ୍କୁ ଦେଲେ

।।

ଅନେକ ରାଜାର ଭାବ ହୃଦ

ଆନନ୍ଦ ହେଲେ ସାଧୁବୃନ୍ଦ

।।

ଅନେକ କଲ୍ୟାଣ ବାଞ୍ଛିଲେ

ରାଜା ମେଲାଣି ହୋଇଗଲେ

।।

ତହିଁ ଚଳିଲେ ସାଧୁମାନେ

ଶ୍ରୀ ରାମେଶ୍ୱରଙ୍କ ଦର୍ଶନେ

।।

କରି ଅନେକ ନାମ ଧ୍ୱନି

ଶବଦେ କମ୍ପାଇ ମେଦିନୀ

।।

ଦେଉଳେ ପ୍ରବେଶ ହୋଇଲେ

ଦେଖି ସେବକେ ଗୋଳ କଲେ

।।

ଦୁଇଦଳରେ ହେଳା ଗୋଳ

ଦେଖି ସେବକେ ହେଲେ ଠୁଳ

।।

ଅନେକ ବେତମାନ ଧରି

ପିଟିଲେ ଉପ୍ରୋଧ ନ କରି

।।

ତହିଁ ଦୁର୍ବଳ ଏକ ଜଣ

ସାଧୁଙ୍କ ମଧ୍ୟେ ମୋକ୍ଷବାନ

।।

ନିର୍ଘାତେ ବାଜି ବେତ ବାଡ଼ି

ପଡ଼ି ଜୀବନ ଗଲା ଛାଡ଼ି

।।

ତା ଦେଖି ସର୍ବେ ତେଳିଧରି

ଦେଉଳେ ପଡ଼ିଗଲା ହୁରି

।।

ତହୁଁ ବାହାର କରି ନେଲେ

ଛାମୁ ଦୁଆରେ ଶୁଆଇଲେ

।।

ବୈଷ୍ଣବମାନେ ବେଢି ବସି

ସମସ୍ତେ ରାମ ନାମ ଘୋଷି

।।

ବୋଲନ୍ତି ଆହେ ମହାମେରୁ

ଭକତ ବାଞ୍ଛା କଳ୍ପତରୁ

।।

ଶରଣ ରକ୍ଷଣେ ତୋ ବାନା

ଅନାଥ ଜନ ବଜ୍ରସ୍ନେହା

।।

ତେଣୁ ତୋ ଦର୍ଶନେ ଅଇଲୁ

ଜଣକ ପ୍ରାଣ ହରାଇଲୁ

।।

ତୁଯେବେ ଏହା ନବୁଝିବୁ

ଏଥେ ସମସ୍ତେ ପ୍ରାଣ ଦେବୁ

।।

ଏମନ୍ତେ କହି ସ୍ତୁତି କଲେ

ସମସ୍ତ ନିମଗ୍ନେ ବସିଲେ

।।

ଜାଣିଲେ ତାହା ଦେବ ହରି

ସମସ୍ତ ଘଟେଇଛନ୍ତି ପୁରି

।।

ନ ସହେ ସେବକ ବେଦନା

ତେଣୁ ଯେ ଜଗଜ୍ଜିତା ବାନା

।।

ତକ୍ଷଣେ ପଡ଼ିଲା କବାଟ

ମାଛି ଯିବାକୁ ନାହିଁ ବାଟ

।।

ନୋହିଲା ସେବା ପୂଜାମାନ

ସେବକେ ହାରି ନିଜ ଜ୍ଞାନ

।।

ସଭୟ ମନେ ପଳାଇଲେ

ସେ ଧର୍ମ ରାଜାକୁ କହିଲେ

।।

ବୋଇଲେ ଶୁଣ ନୃପବର

ବୁଡ଼ିଲା କ୍ଷେତ୍ର ଧର୍ମ ତୋର

।।

ବୈଷ୍ଣବ ଅଇଲେ ବହୁତ

ଗୋଳ ଯେ କଲେ ଅପ୍ରମିତ

।।

ତାଙ୍କ ଆମ୍ଭର ଯେତେ ଗୋଳ

କିସ କହିବୁ ମହୀପାଳ

।।

ଅଦ୍ଭୁତେ ଦେଉଳେ କବାଟ

ପଡ଼ିଲା ହୋଇଣ ନିରାଟ

।।

ଏହା ବୁଝିବା ହେଉ ଆସି

ଶୁଣି ନୃପତି ମନେ ହସି

।।

ବହନ ହୋଇ ଚଳିଗଲେ

ଦେଉଳେ ପ୍ରବେଶ ହୋଇଲେ

।।

ଦେଖିଲେ ସକଳ ବିଧାନ

ବିଚାର କଲେ ପଞ୍ଚମନ

।।

ସେ ଧର୍ମରାଜ ନୃପବର

ବୋଲେ ଅଭାଗ୍ୟ ହେଲା ମୋର

।।

କୁଶ ଆସନ ତହିଁ କରି

ଶୟନ କଲେ ଦଣ୍ଡଧାରୀ

।।

ବୋଇଲେ ଆହେ ବିଶ୍ୱେଶ୍ୱର

କି ଅପରାଧ ହେଲା ମୋର

।।

ଏ କଥା ଆଜ୍ଞା ହେଉ ମୋତେ

ନୋହିଲେ ମରିବି ନିୟତେ

।।

ଏମନ୍ତ ବୋଲି ନିଦ୍ରା ଯାଇ

ତାହା ଜାଣିଲେ ଭାବଗ୍ରାହୀ

।।

ସ୍ୱପନ ମାର୍ଗେ ଆଜ୍ଞା ଦେଲେ

ଶୁଣ ହେ ନୃପତି ବୋଇଲେ

।।

ତୋ ରାଜ୍ୟ ହାନିଲାଭ ଯାହା

ତୁହି ତ ନ ବୁଝିଲୁ ତାହା

।।

ଏ ଯେ ବୈଷ୍ଣବ ଜନମାନେ

ଅଇଲେ ମୋହ ଦରଶନେ

।।

ମୋର ଛାମୁରେ ତୋର ଦୂତେ

ମାଡ଼ ମାଇଲେ ଅପ୍ରମିତେ

।।

ମୋ ଭକ୍ତ ମଲା ପ୍ରାଣହାରି

ଏଥକୁ ଶୁଣ ଦଣ୍ଡଧାରୀ

।।

ମୋର ଛାମୁରେ ତୀକ୍ଷଣ୍‌ ଶାଳ

ବେଗେ ପୋତାଅ ମହୀପାଳ

।।

ତୋର ପୁତ୍ରକୁ ବେଗେ ଧରି

ଅନେକ ଅଳଙ୍କାର ଭରି

।।

ବେଶ ଭୂଷଣ କରାଇବୁ

ଆଣି ଏ ଶୂଳେ ବସାଇବୁ

।।

ତେବେ ସେ ତୋହର କୁଶଳ

ନୋହିଲେ ରାଜ୍ୟ ଛାଡ଼ି ଚଳ

।।

ଏହା ନ କଲେ ଯିବୁ ନାଶ

ଛାଡ଼ ତୋ ଜୀବନର ଆଶ

।।

ମନ୍ତ ଆଜ୍ଞା ତାକୁ ଦେଲେ

ତକ୍ଷଣେ ଅନ୍ତର୍ଦ୍ଧାନ ହେଲେ

।।

ଏମନ୍ତ ଆଜ୍ଞା ରାଜା ଶୁଣି

ବଜ୍ର ପଡ଼ିଲା ପ୍ରାୟ ମଣି

।।

ତହୁଁ ତୁରିତେ ଚଳିଗଲେ

ପତ୍ନୀର ଆଗରେ କହିଲେ

।।

ତା ଶୁଣି ପ୍ରିୟବତୀ ତାର

ମସ୍ତକେ କଚାଡ଼ିଲା କର

।।

ଉଚ୍ଚେ ବୋବାଳି ଛାଡ଼େ ରାଣୀ

ମୂର୍ଚ୍ଛିତେ ପଡ଼ିଲା ଧରଣୀ

।।

ବୋଇଲା ଏକପୁତ୍ର ଦେଇ

ମୋ ପ୍ରାଣ ଥିବ କାହି ପାଇଁ

।।

ଏ ରାଜ୍ୟ ଭୋଗେ କାର୍ଯ୍ୟ ନାହିଁ

ପୁତ୍ରକୁ କେବେ ନ ଦେବଇଁ

।।

ରାଜ୍ୟ ହିଁ ପୁତ୍ର ଲୋଭ କରି

ରହିଲା ଚିତ୍ରପଟ ପରି

।।

ଏମନ୍ତ ସମୟରେ ପୁଣି

ଅଇଲା ରାଜାର ଭଉଣୀ

।।

ରାଜା ରାଣୀଙ୍କ ଚିନ୍ତା ଦେଖି

ଧଇର୍ଯ୍ୟ ନ ପାରିଲା ରଖି

।।

ବୋଇଲା ଏ କି ବିପରୀତ

କିମ୍ପାଇ ହୋଇଛ ଚିନ୍ତିତ

।।

କିସ ଅପୂର୍ବ ଏଥି ତୋତେ

ତାହା ତୁ କହ କିନା ମୋତେ

।।

ଭଗ୍ନୀର ମୁଖୁ ଶୁଣି ଏହା

ସବୁ କହିଲେ ନୃପନାହା

।।

ବୋଇଲା ଶୁଣ ନାନୀ ଏବେ

ଯାହା ତୁ ପଚାରିଲୁ ଭାବେ

।।

ମୋର ଅଦୃଷ୍ଟ ବାମ ହେଲା

ମୋତେ ଗୋ ଦଇବ ଛାଡ଼ିଲା

।।

ଅନେକ ସାଧୁଜନ ମାନେ

ଅଇଲେ ପ୍ରଭୁ ଦରଶନେ

।।

ଦେଉଳେ ଧସାଇ ପଶିଲେ

ଦେଖି ସେବକେ ଗୋଳ କଲେ

।।

ପିଟିଲେ ବେତବାଡ଼ି ଧରି

ତହିଁ ସାଧୁଏ ଗଲେ ମରି

।।

ମଡ଼ା ପକାଇ ଦ୍ୱାରା ପାଶେ

ବେଢି ବସିଲେ ଚଉପାଶେ

।।

ଦେଉଳେ କବାଟ ପଡ଼ିଲା

ପ୍ରଭୁଙ୍କ ପୂଜାହିଁ ନୋହିଲା

।।

ତାହା ମୁଁ ଦେଖି ଭୟ ମନେ

ଶୟନ କଲି କୁଶାସନେ

।।

କାଷ୍ଠାରେ ଜଣାଇଲି କେତେ

ସେ ପ୍ରଭୁ ଦୟାକଲେ ମୋତେ

।।

ବୋଇଲେ ତୋ ପୁତ୍ରକୁ ଆଣି

ଶୂଳେ ବସାଅ ନୃପମଣି

।।

ନୋହିଲେ ମରିବୁ ଅବଶ୍ୟ

ଛାଡ଼ ତୋ ଜୀବନର ଆଶ

।।

ଏଥକୁ କି ବୁଦ୍ଧି କରିବି

ପୁତ୍ରକୁ କି ରୂପେ ମାରିବି

।।

ଏକ ପୁତ୍ରକୁ ମୋର ମାରି

କି ରୂପେ ଥିବି ଦେହ ଧରି

।।

ତା ଶୁଣି ବୋଲେ ସେ ସୁନ୍ଦରୀ

ଶୁଣ ହୋ ଧର୍ମ ଦଣ୍ଡଧାରୀ

।।

ଯେବଣ ପ୍ରଭୁଙ୍କ ଆଜ୍ଞାରୁ

ଏଡ଼େ ସମ୍ପଦ ଭୋଗ କରୁ

।।

ସେ ଆଜ୍ଞା କେମନ୍ତେ ଲଙ୍ଘିବୁ

ଲଙ୍ଘିବି ଜୀବନ ପାଇବୁ

।।

ତୋହର ଥିଲେ ନୃପମଣି

ସମସ୍ତ ମିଳଇ ଯେ ପୁଣି

।।

ଏଥିକି ବିଚାର ନ କର

ନିଅ ମୋ ଏକଇ କୁମର

।।

ଏହି ସମୟେ ପୁତ୍ର ଆସି

ମାତା ଆଗରେ କହେ ହସି

।।

ତା ଶୁଣି ନିଜ ମାତା ତାର

ପୁତ୍ରକୁ ବୋଇଲା ଉତ୍ତର

।।

ସକଳ ବୁଝାଇ କହିଲା

ଶୁଣି କୁମର ତୋଷ ହେଲା

।।

ବୋଇଲା ଏଡ଼େ ଭାଗ୍ୟ ମୋର

ସତେ କରିବେ ରଘୁବୀର

।।

ଏ ମର୍ତ୍ତପୁରେ ଦେହ ଧରି

ଜନ୍ମିଣ କେ ଅଛି ନ ମରି

।।

କେ ଆଗେ ଅବା ପଛେ ହୋଇ

ନିଶ୍ଚଳ ହୋଇ କେହି ନାହିଁ

।।

ମଲେ ହେଁ ଯମଦୂତେ ଆସି

ଗଳେ ଲଗାଇ କାଳ ଫାଶି

।।

ଯମ ପାଶକୁ ଘେନି ଯିବେ

ବିବିଧ ମାଡ଼ ହିଁ ମାରିବେ

।।

ନରକେ ପକାଇବେ ନେଇ

ତହୁଁ ଉଦ୍ଧାର ହେବି ମୁହିଁ

।।

ହେ ମାତା ମୋତେ ବେଗେ ନିଅ

ପ୍ରଭୁ ଛାମୁରେ ଶୂଳି ଦିଅ

।।

ଶୁଣି ଆନନ୍ଦ ହେଲେ ମାତ

ତାହା ଜାଣିଲେ ନରନାଥ

।।

ବୋଇଲା ଧନ୍ୟ ତୋର ମନ

ତୋ ଗର୍ଭଧାରୀ ଧନ୍ୟ ଧନ୍ୟ

।।

ଉଦ୍ଧରି ଅଇଲୁ ତୁ ମୋତେ

ମୋ ବଂଶ ରଖିବା ନିମନ୍ତେ

।।

ପର ନିମନ୍ତେ ନିଜ ପ୍ରାଣ

ଦେଇ ତୋଷିବୁ ନାରାୟଣ

।।

ତାହା ଦେଖିବେ ଦୀନବନ୍ଧୁ

ତୁ ପୁତ୍ର ମୋର କୁଳଇନ୍ଦୁ

।।

ଏମନ୍ତ କହି ଦଣ୍ଡଧାରୀ

ଉଠିଲା ଅତି ବେଗ କରି

।।

ଭଣଜା ଅଙ୍ଗରେ ମଣ୍ଡନ

କଲା ଅନେକ ରତ୍ନମାନ

।।

କର୍ଣ୍ଣ ଯୁଗଳେ କର୍ଣ୍ଣାଞ୍ଚଳ

କଣ୍ଠେ ଲମ୍ବାଇ ରତ୍ନମାଳ

।।

ହେ ବାହୁଟି ସୁକଙ୍କଣ

ତହିଁ ଝଟକେ ମଣିଗଣ

।।

ହୃଦେ ପଦକ କଟୀ ମାଝେ

ସୁରତ୍ନ ମେଖଳା ବିରାଜେ

।।

ହେମ ତୋଡର ବେନିପାଦେ

ଚମକ ପଡୁଅଛି ନାଦେ

।।

ନାନା କୁସୁମେ ବାନ୍ଧିଗଭା

କେଶ ଦିଶଇ ଅତି ଶୋଭା

।।

ଭାଲେ ସିନ୍ଦୂର ଚିତା ଶୋହେ

କିଅବା ଅରୁଣ ଉଦୟେ

।।

ତାମ୍ବୁଳ ବୋଳ ତା ଅଧରେ

ବିମ୍ବ ବିଦ୍ରୁମ ନିନ୍ଦା କରେ

।।

ଏକେ ଗଉର ଦିଶେ କାୟ

କି ଅବା ଦ୍ୱିତୀ ସୂର୍ଯ୍ୟପ୍ରାୟ

।।

ରଙ୍ଗ ଅଧରେ ମନ୍ଦହାସ

ବିଜୟେ କଲା ବାଳଶିଷ୍ୟ

।।

ଚାଲଇ ମତ୍ତଗଜ ଠାଣି

ସୁନ୍ଦର ଦିଶଇ ଧରଣୀ

।।

ମସ୍ତକେ ଯୋଡ଼ି ବେନିକର

ବୋଇଲା ନମୋ ମହେଶ୍ୱର

।।

ନମସ୍ତେ ରାମକୃଷ୍ଣ ହରି

ମୁକୁନ୍ଦ ମାଧବ ମୁରାରୀ

।।

ଅନନ୍ତ ଅଚ୍ୟୁତ ଗୋବିନ୍ଦ

ଜଗତବ୍ୟାପୀ ସଦାନନ୍ଦ

।।

ତୋ ମନ ଅବା ଯାହାକର

ଅନ୍ୟ ଶରଣ ନାହିଁ ମୋର

।।

ଏମନ୍ତ କହି ଗଲା ଚଳି

ଯେସନେ ଝଟକେ ବିଜୁଳି

।।

ମିଳିଲା ପ୍ରଭୁଙ୍କ ଛାମୁରେ

ପଛେ ଗୋଡ଼ାଇଛନ୍ତି ନରେ ।।

 

ସ୍ତିରୀ ପୁରୁଷ ଆାଦି କରି

ସଙ୍ଗେ ଅଛନ୍ତି ଦଣ୍ଡଧାରୀ

।।

ଘେନାଇ ଶୂଳକାଠି ଗୋଟି

ସମସ୍ତେ ରାମନାମ ରଟି

।।

ମିଳିଲେ ଦେଉଳ ପାଶରେ

ଶୂଳ ଦେଉଳ ଶ୍ରୀ ଛାମୁରେ

।।

ରାଜା ଅନେକ କଲା ସ୍ତୁତି

ବୋଇଲା ଶୁଣ ଦାଶରଥି

।।

ନମୋ ଜାନକୀ ଦେବୀ ପତି

ନମୋ ଅଗତି ଲୋକ ଗତି

।।

ତୋହର ଆଜ୍ଞା ପ୍ରମାଣରେ

ନ ଆଣି ଏକଇ କୁମରେ

।।

ପୁତ୍ର ପାଲଟେ ମୋ ଭଉଜୀ

ଶୂଳେ ବସାଇ ଦେବୀ ପୂଜା

।।

ଏମନ୍ତ ବୋଲି ଦଣ୍ଡଧାରୀ

ଆନନ୍ଦେ ଉତ୍ସବ ସେ କରି

।।

ଅନେକ ବାଦ୍ୟ ନାଦ ତୁଲେ

ଶଙ୍ଖ ମହୁରୀ ବଜାଇଲେ

।।

ତାଳ କଂସାଳ ଆଦି ଯେତେ

ମୃଦଙ୍ଗ ମର୍ଦ୍ଦଳ ସହିତେ

।।

ଆବର କରି ହରି ଧ୍ୱନି

ଶବଦେ କମ୍ପିଇ ମେଦିନୀ

।।

ସମସ୍ତେ ଜୟ ଜୟ କରି

ରାଜା ଭଣଜା ହସ୍ତ ଧରି

।।

ଶୁଳ ପାଶରେ ଯାଇ ମିଳି

ନାରୀଏ ଛାଡ଼ନ୍ତି ବୋବାଳି

।।

ତା ଦେଖି ବୋଲଇ କୁମର

ତୁମ୍ଭେ ରୋଦନ କିମ୍ପା କର

।।

ସମସ୍ତେ ଚିନ୍ତି ନାରାୟଣ

ଏ ସର୍ବ ତାହାଙ୍କ ଭିଆଣ

।।

ମୋ ଜୀବ ଉଦ୍ଧାର ନିମନ୍ତେ

କରୁଣା କଲେ ପ୍ରଭୁ ମୋତେ

।।

ଏମନ୍ତ କହି ସେ ସାନନ୍ଦ

ମୁଖ ବିକାଶେ ପୂର୍ଣ୍ଣଚନ୍ଦ୍ର

।।

ତୁମ୍ଭେ ଶ୍ରୀରାମ ନାମ ଧରି

ଶୂଳେ ଉଠିଲା ବେଗ କରି

।।

ସତୀ କନ୍ୟାର ପ୍ରାୟ ହୋଇ

ବସିଲା ଶୂଳ ଅଗ୍ରେ ଯାଇ

।।

ଗୁହ୍ୟ ଦେଶରେ ଗଲା ଚଳି

କଣ୍ଠ ତଟରେ ଯାଇଁ ମିଳି

।।

ତା ଦେଖି ନୃପତି ବିକଳ

ନୟନୁ ବହେ ଅଶ୍ରୁଜଳ

।।

ସମସ୍ତେ ହାହା ନାଦ କରି

ଚଳିଲେ ଗଲେ ନିଜପୁରୀ

।।

ଶୁଣ ସୁମନ ଏକଚିତ୍ତେ

ଶୟନ କଲେ ଯେଝାମତେ

।।

ଏମନ୍ତେ ବେଳେ ଦେବ ସ୍ୱାମୀ

ଯେ ପ୍ରଭୁ ସର୍ବ ଅନ୍ତର୍ଯ୍ୟାମୀ

।।

ପ୍ରାଣୀଙ୍କ ହୃଦେ ବାସ ଯାର

ସକଳ ବିଷୟ ଗୋଚର

।।

କୁଟ କପଟ ହୃଦ ସେବା

ସୁହୃଦ ଭାବରେ ଭଜିବା

।।

ସକଳ ଯାହାର ଗୋଚର

ଦାନ ନିକଟ ନାହିଁ ଦୂର

।।

ଶରଣ ପଞ୍ଜର ଯା ବାନା

ଭବ ଭୟଙ୍କୁ ବଜ୍ର ସେହ୍ନା

।।

ଭକତ ମନ ପ୍ରଭୁ ଜାଣି

ବିଜୟ କଲେ ଚକ୍ରପାଣି

।।

ଅତ୍ୟନ୍ତ ତୋଷ ବହିମନେ

ମିଳିଲେ ଭୃତ୍ୟ ସନ୍ନିଧାନେ

।।

ଶ୍ରୀହସ୍ତ ବଢାଇଣ ଦେଲେ

ଭକ୍ତକୁ ଶୂଳିରୁ କାଢିଲେ

।।

ତଳେ ବସାଇ ଦାମୋଦର

ମସ୍ତକେ ଦେଲେ ପଦ୍ମକର

।।

ବୋଇଲେ ଉଠରେ ନନ୍ଦନ

ତୁ ଯେ ଭକତ ମୋକ୍ଷପାନ

।।

କିଛି ହିଁ ଭୟ ନାହିଁ ତୋର

ଏ ରାଜ୍ୟେ ହୁଅ ନୃପବର

।।

ଏମନ୍ତ ଆଜ୍ଞା ଯହୁଁ ହେଲା

କୁମର ଉଠିଣ ବସିଲା

।।

ଦେଖିଲେ ପ୍ରଭୁ ଧନୁର୍ଦ୍ଧାରୀ

ନମୋ ଶବଦେ ସ୍ତୁତି କରି

।।

ବୋଇଲା ନମୋ ନାରାୟଣ

ଅଶେଷ ପ୍ରାଣୀଙ୍କ ଶରଣ

।।

ସିଦ୍ଧ ଯୋଗୀନ୍ଦ୍ର ମୁନିଗଣେ

ଚିନ୍ତନ୍ତି ଯେ ହରି ଚରଣେ

।।

ବ୍ରହ୍ମାଣ୍ଡ ଦେବଙ୍କୁ ଦୁର୍ଲ୍ଲଭ

ମୁଁ ଛାର କେତେକ ମାନବ

।।

ବିଜୟ କଲ ମୋର ପାଇଁ

ପ୍ରଭୁ ପଣକୁ ଲୁଚିଯାଇ

।।

ଏହା ଶୁଣିଲେ ବିଶ୍ୱେଶ୍ୱର

ପାଟ ବାନ୍ଧିଲେ ମୁଣ୍ଡେ ତାର

।।

ବୋଇଲେ ଆଝୁଁ ଏ ରାଜ୍ୟରେ

ନୃପତି ପଣ ଦେଲୁ ତୋରେ

।।

ଯାଅ ତୁ ଭୟ କିଛି ନାହିଁ

ସୁଖେ ବିହର ରାଜ୍ୟେ ତୁହି

।।

ତା ଶୁଣି ଆନନ୍ଦ ନନ୍ଦନ

ପ୍ରଭୁ ହୋଇଲେ ଅନ୍ତର୍ଦ୍ଧାନ

।।

ଗତୁ ଦିଶିଲା ଅତି ଶୋଭା

କୋଟିଏ କନ୍ଦର୍ପର ପ୍ରଭା

।।

ପ୍ରଭୁ ଯେ ଜୀବଦାନ ଦେଲେ

ସାଧୁମାନଙ୍କ ପାଶେ ଗଲେ

।।

ସେ କ୍ଷଣି ପ୍ରଭୁ ଭଗବାନ

ବିଜୟ କଲେ ନିଜ ସ୍ଥାନ

।।

ଦେଉଳୁ ଫିଟିଲା କବାଟ

ଦେଖ ସେ ପ୍ରଭୁଙ୍କର ହଟ

।।

ମୃଗ ଦେହକୁ ଦେଲେ ଦୃଷ୍ଟି

ବୈଷ୍ଣବ ଚେତାପାଇ ଉଠି

।।

ଜୀବନ ପାଇ ସେ ଅତିଥ

ଭଜନ କଲେ ରାମନାଥ

।।

ତାହା ଦେଖିଣ ସାଧୁବୃନ୍ଦ

କେ କହୁଁ ମନର ଆନନ୍ଦ

।।

ସମସ୍ତେ ଜୟ ଜୟ କରି

ନାମ ଧ୍ୱନିରେ ପୃଥ୍ୱୀ ପୁରି

।।

ବୋଲନ୍ତି ଆହେ ମହାବାହୁ

ଭକତ ବାନ୍ଧବ ବୋଲାଉ

।।

ମହିମା ରଖିଲେ ଜଗତେ

ବୋଲି ଚଳିଲେ ଯେଝାମତେ

।।

ଶୁଣ ଦୁର୍ଜୟ ମନନାଥ

ପ୍ରଭୁଙ୍କ ମହିମା ଏମନ୍ତ

।।

ଏଣେ ଯେ ଗଲେ ନୃପବର

ପ୍ରବେଶ ଆପଣ ମନ୍ଦିର

।।

ତାର କୁଟୁମ୍ୱ ଥିଲେ ଯେତେ

ରୋଦନ କଲେ ଯେଝାମେତ

।।

ବୋଇଲେ ଶୁଣ ଧର୍ମରାଜା

ସଙ୍ଗତେ ନେଲ ଯେ ଭଣଜା

।।

ଏକା ତ ହୋଇଣ ଅଇଲ

ଗଉରଚନ୍ଦ୍ରକୁ କି କଲ

।।

ଶୁଣି ନୃପତି ଶୋକଭରେ

ବଦନୁ ବଚନ ନ ସ୍ଫୁରେ

।।

ସମସ୍ତେ ସନ୍ତାପତି ହେଲେ

ଅନ୍ନ ଭୋଜନ ସେ ନ କଲେ

।।

ଶୟନ କଲେ ଉପବାସେ

ପ୍ରଭୁ ବିଜୟ ରାଜା ପାଶେ

।।

ସ୍ୱପନ ମାର୍ଗେ ଆଜ୍ଞା ଦେଲେ

ଶୁଣ ହେ ରାଉତ ବୋଇଲେ

।।

ଗଉର ଚନ୍ଦ୍ରକୁ ତୁ ଆଣି

ରାଜ୍ୟରେ କର ନୃପମଣି

।।

ତୋହର ବଂଶେ ରାଜା ହେଲେ

ଜୀବନେ ନ ରହିବେ ଭଲେ

।।

ଆମ୍ଭେ କଲୁଣି ତାକୁ ରାଜା

ହେବ ନୃପତି ତୋ ଭଣଜା

।।

ଏମନ୍ତ କହି ଭଗବାନ

ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ

।।

ଉଠି ନୃପତି ଦେଲେ ଚାହିଁ

ଦେଖିଲେ ପାଶେ କେହି ନାହିଁ

।।

ବୋଇଲେ ଏ କି ବିପରୀତ

ବୁଝିବା ଏଥିରେ ଚରିତ

।।

ଶୂଳେ ବସାଇଦେଲେ ନେଇ

ଆଉ ଗଉରଚନ୍ଦ୍ର କାହିଁ

।।

ମଲା କି ହୋଇବ ରାଜନ

ପ୍ରଭୁ କି ଦେଲେ ଜୀବଦାନ

।।

ଯେବେ ମୁଁ ନୟନେ ଦେଖିବି

ମୁଁ ତାର ଭୃତ୍ୟ ହୋଇଥିବି

।।

ଏମନ୍ତେ କହି ରାଜା ଗଲେ

ଶୂଳ ପାଶରେ ଯାଇ ହାଲେ

।।

ଦେଖିଲେ ଭଣଜାର ତେଜ

ଦିଶେ ଦ୍ୱିତୀୟା ଗ୍ରହରାଜ

।।

ମସ୍ତକେ ବାନ୍ଧି ପାଟଶାଢୀ

ବସିଛି ପଦ୍ମାସନ ମାଡ଼ି

।।

ତୁଣ୍ଡେ ବୋଲୁଛି ନାମାବଳୀ

ଶ୍ରୀରାମ କୃଷ୍ଣ ବନମାଳୀ

।।

ମୁକୁନ୍ଦ ମାଧବ ମୂରାରୀ

ଶ୍ରୀରାମ କୃଷ୍ଣ ଦଇତ୍ୟାରି

।।

କେଶବ କଂସାରୀ ଅଚ୍ୟୁତ

ଦୀନବାନ୍ଧବ ଗୋପୀନାଥ

।।

ଶ୍ରୀ ମଧୁସୂଦନ ଶ୍ରୀପତି

ଭକ୍ତ ବତ୍ସଳ ଦାଶରଥି

।।

ଏମନ୍ତେ ନାମାବଳୀ ଯେତେ

ଗାନ କରଇ ଦୃଢଚିତ୍ତେ

।।

ତାହା ଦେଖିଣ ନୃପବର

ବୁଡ଼ିଲା ଆନନ୍ଦ ସାଗର

।।

ବୋଇଲେ ଧନ୍ୟ ତୋ ଜୀବନ

ତୋତେ ଯା ଦେଖିଲି ମୁଁ ଧନ୍ୟ

।।

ଧନ୍ୟ ତୋ ଜନ୍ମର ସାଫଲ୍ୟ

ଦେଖିଲୁ ପ୍ରଭୁ ଆଦିମୂଳ

।।

ଧନ୍ୟ ସେ ପ୍ରଭୁଙ୍କ ମହିମା

ରଖିଲେ ଭକତ ଗାରିମା

।।

ଆନର ବଳେ ଏ ଜଗତେ

ନାହିଁ ନୋହିବା କଦାଚିତ୍ତେ

।।

ଏ ମୃତ ଦେହରେ ଜୀବନ

ଦେବାକୁ କେ ହେବ ଭାଜନ

।।

ଏମନ୍ତ ବୋଲି ଦଣ୍ଡଧାରୀ

ଗଉରଚନ୍ଦ୍ର କର ଧରି

।।

ତୁରିତ ହୋଇ ତାକୁ ନେଲା

ନୃପ ଆସନେ ବସାଇଲା

।।

କନକ ଦଣ୍ଡଛତ୍ର କରେ

ଟେକାଇ ଅତି ଆନନ୍ଦରେ

।।

ଆସିଣ ପାତ୍ର ଆମାନାତ୍ୟେ

ନୃପତି କଲେ ବିଧିମତେ

।।

ଡକାଇ ସର୍ବ ପ୍ରଜାକୁଳ

ସମର୍ପି ଦେଲେ ମହୀପାଳ

।।

ବୋଇଲେ ଶୁଣ ସର୍ବଜନ

ଆଜୁ ଏ ତୁମ୍ଭର ରାଜନ

।।

ମୁଁ ହେଲି ଏହା ଆଜ୍ଞାବର୍ତ୍ତୀ

ଜାଣ ସଂଶୟ ନାହିଁ ଏଥି

।।

ଏମନ୍ତ ବୋଲି ମହାରାଜା

ବୋଇଲେ ବଜାଅରେ ବାଜା

।।

ତାଳ ମର୍ଦ୍ଦଳ ସ୍ୱର ତୁଲେ

ଗଣିକା ଗଣ ନୃତ୍ୟ କଲେ

।।

ବଜାଇ ଶଙ୍ଖ ଭେରୀ ତୁରୀ

ସମସ୍ତେ ଜୟ ଜୟ କରି

।।

ପ୍ରବେଶ ହେଲେ ନିଜ ପୁର

ଶୁଣ ହେ ମନ ନୃପବର

।।

ଯେ ଯେଉଁ ଗତି ଥିବ ପାଇ

ତାହା ଜାଣନ୍ତି ଭାବଗ୍ରାହୀ

।।

କହିବା ଶକ୍ୟ ନାହିଁ ମୋର

ପାଇଲେ ସାଧୁଙ୍କୁ ପଚାର

।।

ଏ କଳିଯୁଗ କଥା ଏତେ

ଶୁଣି କେ କରିବ ପରତେ

।।

କେବଳ ସାଧୁଜନ ଯେହି

ବୋଲିବେ ସତ୍ୟ କଥା ଏହି

।।

ଭକତ ଭାଗବତ କହି

ଏକତ୍ୱ ଆତ୍ମା ଭିନ୍ନ ନୋହି

।।

ଏ ଯେ ଅପୂର୍ବ କଥାରସ

କହଇ ବିପ୍ର ରାମଦାସ

।।

ସେ ରାମେଶ୍ୱରଙ୍କ ଚରଣେ

ମୋ ମନ ରହୁ ଅନୁକ୍ଷଣେ

।।

ଭଜଇ ବିପ୍ର ରାମ ଗୀତେ

ଅଶେଷ ପ୍ରାଣୀଙ୍କର ହିତେ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ

ଗୌରଚନ୍ଦ୍ର ଦାର୍ଢ୍ୟଭାବ ବର୍ଣ୍ଣନେ ନାମ ଦ୍ୱାତ୍ରିଂଶୋ ଧ୍ୟାୟ ।

•••

 

Unknown

ତ୍ରୟୋଦିଂଶ ଅଧ୍ୟାୟ

ଗୋବିନ୍ଦ ଦାସ ସମ୍ୱାଦ

 

ନମସ୍ତେ ଜଗତ କରତା

ସକଳ ଜୀବ ଗତିଦାତା

।।

ଶୁଣି ଚୈତନ୍ୟ ଶ୍ରଦ୍ଧାଭାବେ

କହଇ ମନ ରାଜା ଆଗେ

।।

ହେ ମନ ସ୍ଥିର କର ଚିତ୍ତ

ଏ ବଡ଼ ଅପୂର୍ବ ଚରିତ

।।

ଉତ୍ତର ଖଣ୍ଡେ ତାର ଘର

ନାମ ଗୋବିନ୍ଦ ଦାସ ତାର

।।

ଜାତିରେ ଅଟଇ ବ୍ରାହ୍ମଣ

ତାର କୁଟୁମ୍ୱ ପାଞ୍ଚଜଣ

।।

ଏକ ଦୁହିତା ବେନି ସୁତ

ପତ୍ନୀକି ଘେନି ସେ ନିଶ୍ଚିତ

।।

ଥିଲା ଯେ ଗୃହବାସ କରି

ଆପଣା ସ୍ୱକର୍ମ ଆଚରି

।।

ଏମନ୍ତେ କେତେଦିନ ଗଲା

ତା ଦେହେ ଦିବ୍ୟଜ୍ଞାନ ହେଲା

।।

ବୋଇଲା ଧିକ ଏ ଜୀବନ

ବି ଅର୍ଥେ ବଞ୍ଚିଲି ମୁଁ ଦିନ

।।

ବିନା ରଜ୍ଜରେ ବନ୍ଧାହୋଇ

ଅଛି ମୁଁ ମୁହାଁସ ଲଗାଇ

।।

ସବୁ ଏ ଅଟେ ଖେଳଘର

କେହି ତ ନୁହଇ କାହାର

।।

ଦେହେଁ ସମର୍ଥ ଗୁଣମାନ

ଥାଏ କେବଳ ଯେତେ ଦିନ

।।

ଧନ ସମ୍ପଦ ଥିବାଯାଏ

ଗୃହେ ପ୍ରଭୁତ୍ୱ ପଣେ ଥାଏ

।।

ବୃଦ୍ଧ ଅବସ୍ଥା ପରବେଶ

ହେଲେ ସରଇ ସବୁ ଆଶ

।।

ଆଦର କରଇ ସବୁରି

ଘେନନ୍ତି ଶତ୍ରୁ ସମ କରି

।।

କିଛି ସେ କରିଲେ ଅବଶ୍ୟ

ସବୁରି ମନେ ହୋଏ ରୋଷ

।।

ସମସ୍ତେ ହୁଅନ୍ତି ଖତାଇ

ହସନ୍ତି ନାକେ କର ଦେଇ

।।

ଆପଣା ହସ୍ତେ ଧନ ଯେତେ

ଅର୍ଜି ସେ ଥାଇ ନାନା ମତେ

।।

ତହୁଁ ସରଇ ଅଧିକାର

ଛୁଇଁବା ଶକ୍ତି ନାହିଁ କାର

।।

କିଛି ସେ ବ୍ୟୟ କଲେ ବିତ୍ତ

ଦେଖି ତା ସାରନ୍ତି ମହତ

।।

ପତି ପତ୍ନିକି ବାଡ଼ି ଧରି

କ୍ରୋଧରେ ଦଉଡ଼ନ୍ତି ମାରି

।।

କିଛି ସେ କରି ନ ପାରଇ

ଶୁଖିଲା କାଠ ପରି ରହି

।।

ଏମନ୍ତ ଅଟେ ଗୃହ ବାସ

ଏଥେ ମୁଁ ପଡ଼ିଗଲି ନାଶ

।।

ଯେ ହରି ଜଗତ କରତା

ସକଳ ଜୀବ ପଡ଼ି ଦାତା

।।

ଯେ ଯାହା ଇଚ୍ଛେ ତାହା ଦେଇ

ସେ କାମଧେନୁ ଭାବଗ୍ରାହୀ

।।

ଜନ୍ମ ମରଣ ସ୍ଥିତି ତିନି

କରଇ କର୍ମରଜ୍ଜୁ ଘେନି

।।

ଏ ପାପୀ ଜୀବନ ଧାରଣେ

ତା ବିନା ନାହିଁ ଅନ୍ୟ ଜଣେ

।।

ଏବେ ମୁଁ ଏମନ୍ତ କରିବି

ସେ ପ୍ରଭୁ ଚରଣେ ସେବି ବି

।।

ବୋଲି ଛାଡ଼ିଲା ଗୃହବାସ

ଧନାଦି କୁଟୁମ୍ୱର ଆଶ

।।

ଛାଡ଼ଇ ବିଫଳ ବିଚାରି

ଉଚ୍ଛିଷ୍ଟ ପତ୍ର ପ୍ରାୟ କରି

।।

ମନ୍ଦିର ହୋଇଲା ବାହାର

କରିଣ ଗଲା ଦେଶାନ୍ତର

।।

ଅନେକ ତୀର୍ଥମାନ ଫେରି

କେବଳ ନାମେ ଆଶ୍ରାକରି

।।

ବୁଲଇ ଯହିଁ ଇଚ୍ଛା ତାର

ତେଜିଣ ନାମ ଅହଙ୍କାର

।।

ସକଳ ଜୀବେ ସମସରି

ଦେଖଇ ସୁଜ୍ଞାନ ବିଚାରି

।।

ନାହିଁ ତାହାର ବଡ଼ ସାନ

ସକଳ ଦେଖଇ ସମାନ

।।

ସଦା ଆନନ୍ଦ ମତି ତାର

ବୁଲଇ ଅଖିଳ ସଂସାର

।।

ଯହିଁ ବା ଯାହା ମିଳେ ଖାଇ

ମନେ ତା ଶୋଚନା ନ ଥାଇ

।।

କାହିଁ ବା ଦଧି ଦୁଗ୍ଧ ସର

କାହିଁ ବା ସୁପକ୍ୱ ଆହାର

।।

କାହିଁ ବା ଫଳମୂଳ ଗ୍ରାସ

କାହିଁ ବା କରେ ଉପବାସ

।।

ନଦୀ ପୋଖରୀ ଜଳ କାହିଁ

ପିଇଣ ସନ୍ତୋଷ ଲଭଇ

।।

ଏମନ୍ତେ ଗଲା କେତେ ଦିନ

ଶୁଣ ହେ ସୁମନ ରାଜନ

।।

ଖରା ବରଷା ଶୀତକାଳ

ରହଇ ବୃକ୍ଷଙ୍କର ମୂଳ

।।

ଦୁଃଖକୁ ଶୋଚନା ନ କରି

ସର୍ବଦା ବୋଲୁଥାଇ ହରି

।।

ତାହାର ମନ କର୍ତ୍ତବ୍ୟରେ

କିଛି ହିଁ କାମନା ନ କରେ

।।

ଜୀବନ ଯାଉ ଅବା ଥାଉ

ଏଥି ଶୋଚନା ନାହିଁ ଆଉ

।।

ତେଣୁ ସେ କ୍ଷୀଣ ହେଲା କାୟେ

ଅତି ଦରିଦ୍ରଜନ ପ୍ରାୟେ

।।

ଯହିଁ ସେ ଗଲେ ଲୋକମାନେ

ଶରଧା ନ ପାବନ୍ତି ମାନେ

।।

ବୋଲନ୍ତି ଅଇଲା ଏ ବାଇ

କିସ ଏ ନେବଟି ଚୋରାଇ

।।

ଏମନ୍ତ ବୋଲି ଘଉଡ଼ାନ୍ତି

ପାଶେ ବସାଇ ନ ଦିଅନ୍ତି

।।

ସର୍ବେ ବୋଲନ୍ତି ମାର ମାର

କ୍ଷୋଭ ନ ଥାଇ ମନେ ତାର

।।

ବୋଲେ ମୋ ପୂର୍ବକର୍ମ ଯେତେ

ସେ ସିନା କରିଅଛି ଏତେ

।।

ଭଲ ବା ମନ୍ଦ ହାନି ଲାଭ

ଯେ ପୂର୍ବ ଅରଜନ ଥିବ

।।

କେ ତାହା ଅନ୍ୟଥା କରିବ

ସେ ତାହା ଅବଶ୍ୟ ଭୁଞ୍ଜିବ

।।

ଏମନ୍ତ ଭାବି ତାର ମନେ

ବିଚାରୁଥାଇ ପ୍ରତିଦିନେ

।।

ଏବେ ମୁଁ ପ୍ରଭୁଙ୍କ କୃପାରେ

ବୁଲି ଦେଖିବି ତୀର୍ଥବରେ

।।

ଦେଖିବି ଶ୍ରୀପୁରୁଷୋତ୍ତମ

ଯେ କ୍ଷେତ୍ରମାନଙ୍କ ଉତ୍ତମ

।।

ଗଙ୍ଗା ଗୟାଦି ପୁଣ୍ୟ କାଶୀ

ଯେ ମହାକ୍ଷେତ୍ର ବାରାଣାସୀ

।।

ଅଯୋଧ୍ୟାପୂର ବୃନ୍ଦାବନ

କାଳିନ୍ଦୀ ଗିରିଗୋବର୍ଦ୍ଧନ

।।

ଗୋପ ମଥୁରା ନରନାରୀ

ବଦ୍ରିକା ବଦ୍ରିନାଥ ଗିରି

।।

ଯେ ହରିଦ୍ୱାର ପୁଣ୍ୟସ୍ଥଳ

ଯହିଁରେ ହରିହର ମେଳ

।।

ହେଙ୍ଗୁଳା ଆଦି ତୀର୍ଥ ଯେତେ

ଦ୍ୱାରିକା ଶ୍ରୀଅଙ୍ଗ ସହିତେ

।।

ଶ୍ରୀରାମେଶ୍ୱର ସେତୁବନ୍ଧ

ତହିଁ ବିଜୟେ ଆଦିକନ୍ଦ

।।

ଏବେ ବି ଚାରୁ ଅଛି ମନ

ଦେଖିବି ପ୍ରଭୁ ଲଛମନ

।।

ଏଥିଉତ୍ତାରେ ଯାହା ହେଉ

ଏ ସବୁ ଯାଉ ଅବା ଥାଉ

।।

ତହିଁକି କିଛି ନାହିଁ ଦୁଃଖ

କେବେ ମୁଁ ଦେଖିବି ଶ୍ରୀମୁଖ

।।

ସେ ମହାପ୍ରଭୁଙ୍କ ପ୍ରତାପ

ଯାହା ମୁଁ ଶୁଣିବି ସ୍ୱରୂପ

।।

ଯାଇ ଦେଖିବି ଚର୍ମଡୋଳେ

ଖଣ୍ଡିବି ଜନ୍ମ ବଧ ହେଳେ

।।

ଏମନ୍ତ ଭାବି ଚଳିଯାନ୍ତେ

କେତେ ହେଁ ଦିନ ରହି ପଥେ

।।

ଏକାକୀ ସଙ୍ଗେ କେହି ନାହିଁ

ମିଳିଲା ସେ ଦେଶରେ ଯାଇଁ

।।

ଆଗରେ ଦେଖିଲା ବନସ୍ତ

ଅତି ଦୁର୍ଗମ ସେହି ପଥ

।।

ଏକେ ବରଷା ଚତୁର୍ମାସ

ସେ ବନେ ହୋଇଲା ପ୍ରବେଶ

।।

ଅତି ଦୁର୍ବଳ ବୃଦ୍ଧଦେହୀ

ଚାଲିବା ଶକ୍ୟ ତାର ନାହିଁ

।।

ଧୀରେ ଗମଇ ପଡ଼ି ଉଠି

ଦଇବେ କଲା ଘୋର ବୃଷ୍ଟି

।।

ସେଯେ ବରଷା ଘାତ ପାଇ

ଶୀତେ କମ୍ପଇ ତାର ଦେହୀ

।।

କମ୍ପିଲ ଦଶନ ଅଧର

ତୁଣ୍ଡରୁ ନଇଲା ଉତ୍ତର

।।

ତହିଁକି ଶୋଚନା ନ କରି

ଗମନ ଧୀରେ ଧୀରେ କରି

।।

ଏମନ୍ତେ କେତେ ଦୂର ଗଲା

ଆଉ ସେ ଚାଲି ନ ପାରିଲା

।।

ପଡ଼ିଲା ବୃକ୍ଷମୂଳେ ଶୋଇ

ଶ୍ରୀ ପଦ୍ମପାଦେ ଚିତ୍ତ ଦେଇ

।।

ବୋଇଲା ଆହେ ମହାମେରୁ

ଅଶେଷ ଜୀବ ଜ୍ଞାନଗୁରୁ

।।

ଶେଷ ଜୀବ ତାତ ମାତ

ଅଶେଷ ପ୍ରାଣୀ ପ୍ରାଣହିତ

।।

ଅଶେଷ ବ୍ରହ୍ମାଣ୍ଡ ଠାକୁର

ତୋ ଇଚ୍ଛା ଯାହା ତାହା କର

।।

ହେ ପ୍ରଭୁ ଶ୍ରୀରାମ ଅନୁଜ

କୋଟିଏ ସୂର୍ଯ୍ୟ ଜିଣି ତେଜ

।।

କୋଟି କନ୍ଦର୍ପ ରୂପ ଯାର

ସଂସାରେ ନାହିଁ ପଟ୍ଟାନ୍ତର

।।

ଶର କାର୍ମୁକ ବେନିଭୁଜେ

ସବିତା କର ଗର୍ବ ଗଞ୍ଜେ

।।

ଆତଙ୍ଗୀ ଆତଙ୍ଗ ଖଣ୍ଡନ

ଯେ ଆର୍ତ୍ତ ଆର୍ତ୍ତ ବିନାଶନ

।।

ସଂସାରେ ତୁମ୍ଭ ଅବତାର

ଅନନ୍ତ ମହିମା ଯାହାର

।।

ଯେଣୁ ତୁ ଅନନ୍ତ ମୂରତି

ଅନନ୍ତ ରୂପେ ତୋର ସ୍ଥିତି

।।

ସକଳ ହୃଦକଥା ଜାଣୁ

ତୁହି ସେ ଅନ୍ତର୍ଯ୍ୟାମୀ ତେଣୁ

।।

ଯେ ତୁମ୍ଭ ଅଭୟ ଚରଣ

ଆଜି ମୁଁ ପଶିଲି ଶରଣ

।।

ତୁମ୍ଭର ଶ୍ରୀମୁଖ ଦର୍ଶନ

କରିବାଯାଏ ଏ ଜୀବନ

।।

ରଖି ଦର୍ଶନ ଦିଅ ବାରେ

ଯେ ଇଚ୍ଛା ହେଉ ନିରନ୍ତରେ

।।

କେବଳ ଅନଳ ତପତ

ପାଇଲେ ହେବ ମନ ଶାନ୍ତ

।।

ଏମନ୍ତେ ବିଚାରନ୍ତେ ମନ

ଜାଣିଲେ ପ୍ରଭୁ ଲଛମନ

।।

ହୃଦେ ଲାଗିଲା ଭୃତ୍ୟ ଚିନ୍ତା

ବେଗେ ଧାଇଁଲେ ଜଗଜ୍ଜିତା

।।

ଭାବେ ଶବର ରୂପ ଧରି

ଅଗ୍ନି ଉହ୍ମାଇ ସଜ କରି

।।

ଧରି ଚଳିଲେ ଅତି ବେଗେ

ମିଳିଲେ ଭକତର ଆଗେ

।।

ପାଶେ ଅନଳ ଥୋଇ ଧୀରେ

କହନ୍ତି ବଚନ ଗଭୀରେ

।।

ଭୟ ନ କରି କିଛି ଆଉ

ଅନଳ ତାପେ ଶୀତ ଯାଉ

।।

ଶୁଣି ଗୋବିନ୍ଦ ଦାସ ଧୀରେ

ବଚନ କହିତ ନ ପାରେ

।।

ଅତି ବିନୟ ଭାବ ହୋଇ

ବୋଲେ ଉଠିବା ଶକ୍ୟ ନାହିଁ

।।

କେହୁ ଆସିଛ ବାବୁ ଏଥେ

ଉଠାଇଦିଅ କିନା ମୋତେ

।।

ତୁମ୍ଭେ ମୋ ଧର୍ମର ପିଅର

ଗଲା ଜୀବନ ରକ୍ଷା କର

।।

କେବଳ ପ୍ରଭୁ ଲଛମନ

ଅଶେଷ ଜୀବର ଜୀବନ

।।

ତାହାଙ୍କ ଦରଶନ ଯାଏ

ଏ ପାପୀ ଜୀବ ଆଉ ଦେହେ

।।

ଅଧିକେ ପ୍ରୟୋଜନ ନାହିଁ

ଶୁଣି ଆନନ୍ଦ ଭାବଗ୍ରାହୀ

।।

ତକ୍ଷଣେ ଭୃତ୍ୟ ଭୁଜ ଧରି

ବସାଇ ଦେଲେ ଯତ୍ନ କରି

।।

ପାଶରେ ଅନଳ ଥୋଇଲେ

ଆପଣେ ଅଲଗେ ରହିଲେ

।।

ଅଙ୍ଗରେ ଲାଗନ୍ତେ ଶ୍ରୀଭୁଜ

ବଢିଲା ତାର ଓଳ ତେଜ

।।

ଅନଳ ପାଶରେ ବସିଲା

ଶରୀର ତାପ ବିନାଶିଲା

।।

ବିଚାର କଲା ମନେ ତାର

ନିଶ୍ଚୟ ପ୍ରଭୁ ଅଙ୍ଗୀକାର

।।

ନୋହିଲେ ଏ ଶବର ଏଥେ

ଆସିକି ଜୀବ ଦ୍ୟନ୍ତ ମୋତେ

।।

ଏ କଥା ଅଟଇ କେମନ୍ତ

ଧନ୍ୟ ତୋ ମହିମା ଏମନ୍ତ

।।

ଏହା ମୁଁ ନ ପାରିଲି ଜାଣି

ଧନ୍ୟ ଧାନୁକୀ ଚୂଡ଼ାମଣି

।।

ବୋଲି ଆନନ୍ଦେ ଦେଲା ହସି

ଶବର ମୁଖ ଚାହିଁ ଭାଷି

।।

ଶୁଣ ହେ ଧର୍ମ ତାତ ମୋର

କେତେ ଦୂରରେ ତୁମ୍ଭ ଘର

।।

ତୁମ୍ଭର ନାମ ଗୋଟି କିସ

କହ ହୋ ଏଥିର ସନ୍ଦେଶ

।।

ଏଥକୁ କେହୁ ଦେଲା ପେଷି

କାହାର ବୋଲେ ତୁମ୍ଭେ ଆସି

।।

ମୋହର ପ୍ରାଣ ଯିବା କାଳେ

ଏ ଘୋର ବରଷାର କାଳେ

।।

ଅନଳ ଘେନିଣ ଅଇଲ

ମୋତେ ତ ଜୀବଦାନ ଦେଲ

।।

କୋଟିଏ ଜନ୍ମରେ ତୁମ୍ଭର

ଶୁଝା ନ ଯିବ ଉପକାର

।।

ଏବେ ମୋ ଠାରେ କୃପା କର

ଚଳିଣ ଯାଅ ନିଜ ପୁର

।।

ତା ଶୁଣି ସେ ମାୟା ଶବର

ତକ୍ଷଣେ ହୋଇଲେ ଅନ୍ତର

।।

ସେ ଯେ ଗୋବିନ୍ଦ ଦାସ ଥାଇ

ମନରେ ଭାବନା କରଇ

।।

ଏତେ ବେଳରେ ଅନ୍ନ କିଛି

ଯେବେ ଦିଅନ୍ତି ରଘୁବତ୍ସି

।।

ଭୁଞ୍ଜିଲେ ଜୀବନ ରହନ୍ତା

ଆଉ ନ ଥିଲା କିଛି ଚିନ୍ତା

।।

ପୁଣି ବିଚାରେ ଘୋର ବନେ

ନାହିଁଟି ଘର ଗ୍ରାମ ମାନ

।।

ବିପ୍ର ମନ୍ଦିର ଏଥି ନାହିଁ

ଅନ୍ନ ମିଳିବ ଅବା କାହିଁ

।।

ବୋଲଇ ମନକୁ ତିଆରି

ଭଜଇ ରାମକୃଷ୍ଣ ହରି

।।

ତାହା ଜାଣିଲେ ଦୀନବନ୍ଧୁ

ଯେ ପ୍ରଭୁ ନିଜେ କୃପାସିନ୍ଧୁ

।।

ଗଗନୁ ଚାତକକୂ ନିତି

ବରଷା ଜଳ ଯେହୁ ଦ୍ୟନ୍ତି

।।

ଗର୍ଭର ବାଳକକୁ ଅନ୍ନ

ଯେ ଦେଇ ରଖନ୍ତି ଜୀବନ

।।

କାଷ୍ଠ କୀଟର ପଡ଼ିଦାତା

ତାଙ୍କୁ ଅପୂର୍ବ କେଉଁ କଥା

।।

ତକ୍ଷଣେ ବିପ୍ର ରୂପ ଧରି

ଦିବ୍ୟ ଖେଚଡ଼ି ହସ୍ତେ ଧରି

।।

ନବ ଭାଣ୍ଡରେ କରି ପୂର୍ଣ୍ଣ

ନାନାଦି ପ୍ରକାର ବ୍ୟଞ୍ଜନ

।।

ଦିବ୍ୟ ଆଚାର ଦଧି ଛେନା

ଚହଟି ପଡୁଛି ବାସନା

।।

ଅଛି ଗରମ ଅଛି ହୋଇ

ଧରି ଧାଇଁଲେ ଭାବଗ୍ରାହୀ

।।

ମିଳିଲେ ଭକତର ପାଶେ

ବୋଇଲେ କି କରୁଛ ଦାସେ

।।

ଚିନ୍ତା କିମ୍ପାଇ କର ମନ

ଉଠି ଭୋଜନ କର ଅନ୍ନ

।।

ତା ଶୁଣି ହରିହର ଦାସ

ଉଠିଲେ ହୋଇ ହସ ହସ

।।

ଦେଖିଲେ ବ୍ରାହ୍ମଣ ଗୋସାଇଁ

ଅନ୍ନ ପାଶରେ ଦେଲେ ଥୋଇ

।।

ତକ୍ଷଣେ ଅନ୍ନ ଗ୍ରାସ କରି

ସାରିଣ ବିପ୍ରକୁ ପଚାରି

।।

କେ ତୁମ୍ଭେ କାହିଁ ବିଜେ କଲ

ମୋ ମନ କେମନ୍ତେ ଜାଣିଲ

।।

ବିପ୍ରର ପ୍ରାୟେ ମୋର ଚିତ୍ତ

ପ୍ରତୀତ ନୋହେ କଦାଚିତ

।।

ନିଶ୍ଚୟ ପ୍ରଭୁ ଲଛମନ

ଏମନ୍ତ ବିଚାରେ ମୋ ମନ

।।

ଯା ମାୟା ଦେବେ ଅଗୋଚର

ମୋ ଛାର କେତେକ ମାତର

।।

ବ୍ରହ୍ମାଦି ଦେବଙ୍କୁ ଦୁର୍ଲ୍ଳଭ

ମୁଁ କି ଜାଣିବି ତାଙ୍କ ଭାବ

।।

ମାୟା ନ କରି କହ ସତ

ନୋହିଲେ ହେବି ପ୍ରାଣେ ହତ

।।

ତାହା ଶୁଣିଣ ଦୟାନିଧି

ବୋଇଲେ ତୋର ସାଧୁବୁଦ୍ଧି

।।

ଧନ୍ୟ ତୋହର ଅନୁଭବ

ଦୁର୍ଲ୍ଳଭ ଅଟେ ତୋର ଭାବ

।।

ଭକତ ମଧ୍ୟେ ଅଟୁ ସାର

ତରିବୁ ଏ ଭବ ସଂସାର

।।

ଏବେ ତୁ ସଂଶୟ ନ ଘେନ

ଆମ୍ଭେଟି ପ୍ରଭୁ ଲଛମନ

।।

ଶୁଣି ଗୋବିନ୍ଦ ଦାସ ଭୋଳେ

ନମିଲା ପ୍ରଭୁ ପାଦତଳେ

।।

ଉଠି କପାଳେ କର ଦେଇ

ବୋଲଇ ନମୋ ଭାବଗ୍ରାହୀ

।।

ନମଇଁ ପ୍ରଭୁ ଭଗବାନ

ଅନାଦି ପରମ କାରଣ

।।

ଦେଖାଅ ନିଜ ରୂପ ତୋର

ମନୁ ସଂଶୟ ଯାଉ ମୋର

।।

ଏମନ୍ତ ଶୁଣି ଦଇତ୍ୟାରୀ

ତକ୍ଷଣେ ନିଜ ରୂପ ଧରି

।।

ତନୁ କନକ ପ୍ରାୟେ ବର୍ଣ୍ଣ

ଗଉର ରଙ୍ଗ ଶୋଭାବନ

।।

ମୁଖ ସମ୍ପୂର୍ଣ୍ଣ ଚନ୍ଦ୍ର ଜିଣି

କି ମହାମନ୍ତ୍ର ଯେ ଚାହାଣୀ

।।

ଚକ୍ଷୁ ଶ୍ରବଣ ନାସା ଶୋଭା

କିସ ଉପମା ତହିଁ ଦେବା

।।

ରଙ୍ଗ ଅଧରେ ମନ୍ଦହାସ

ସୁନ୍ଦର ଶୋହେ ପୀତବାସ

।।

କମ୍ଭୁ ଆକୃତି ଗ୍ରୀବାମୂଳ

ଅତି ବିସ୍ତାର ହୃଦସ୍ଥଳ

।।

କଟୀ କ୍ଷୀଣତା କହି ନୋହେ

କି ଶୋଭା ପଦ୍ମ ପାଦ ଦୁହେଁ

।।

ବିଶାଳ ଶ୍ରୀଭୁଜେ କୋଦଣ୍ଡ

ତେଜେ ଗଞ୍ଜଇଁ ମାରତଣ୍ଡ

।।

ଶିରେ ସପତ ବଂଶୀ ସାଜେ

ଦ୍ୱିତୀ ଈଶ୍ୱର ପ୍ରାୟେ ବିଜେ

।।

ତା ଦେଖି ଭକତ ଶେଖର

ବେନି ନୟନୁ ବହେ ନୀର

।।

କଣ୍ଠ ଗଦ୍ ଗଦ ସ୍ୱରଭଙ୍ଗ

ରୋମ ପୁଲକ ସ୍ୱେଦ ଅଙ୍ଗ

।।

ବଚନ କହି ନ ପାରଇ

ବୋଇଲା ନମୋ ଭାବଗ୍ରାହୀ

।।

ତୋ ପରା ପ୍ରଭୁ ଥାଉ ଆନେ

ଭଜନ୍ତି ଅନ୍ୟ ଜନମାନେ

।।

ଧିକ ତ ତାହାଙ୍କ ଜୀବନ

ତାଙ୍କ ଦାହେ କି ପ୍ରୟୋଜନ

।।

ମୋତେ ଏମନ୍ତ ସାହା ବୋଲି

ମୁଁ ମୁଢ ଜାଣି ତ ନ ଥିଲି

।।

ଏମନ୍ତ ବୋଲି ଭାବେ ଭୋଳ

ଯେସନେ ଚନ୍ଦ୍ରମଣି ଶିଳ

।।

ଚନ୍ଦ୍ରକୁ ଦେଖି ଦବିଯାଇ

ତେସନେ ହେଲା ତାର ଦେହୀ

।।

ସେହି ରୂପକୁ ଧ୍ୟାନ କରି

ଅନ୍ତେ ଚଳିଲା ବିଷ୍ଣୁପୁରୀ

।।

ଏ ଦାର୍ଢ୍ୟଭକ୍ତ ରସାମୃତ

କେବଳ ଶ୍ରବଣେ ଅମୃତ

।।

ପଦ ପଦକେ ସୁଖ ଉଦେ

ଭବ ବିଷୟା ବିଷ ଛେଦେ

।।

କହଇ ବିପ୍ର ରାମଦାସ

ସେ ହରି ମହିମା ଅଶେଷ

।।

ସାଧୁଙ୍କ ମହିମାଟି ଯେତେ

ତାହା କେ କହିବ ସାକ୍ଷାତେ

।।

ଶୁଣ ସୁମନ ଏ ଚରିତ

ଅଭିନ୍ନ ଭକ୍ତ ଭାଗ୍ୟବନ୍ତ

।।

ଯେ ସାଧୁଜନଙ୍କ ବଇରୀ

ନିଶ୍ଚେ ଛାଡ଼ନ୍ତି ତାକୁ ହରି

।।

କିସ କହିବି ମୁହିଁ ଛାର

ସାଧୁଙ୍କୁ ସମସ୍ତ ଗୋଚର

।।

ଯେହୁ ଜାଣଇ ହରିଭାବ

ତାକୁ ଏ ବଚନ ଦୁର୍ଲ୍ଳଭ

।।

ଛନ୍ଦ କପଟୀ ଜନ ଯେହି

ତାଙ୍କ ଶ୍ରବଣେ ଶୂଳ ଏହି

।।

ଶୁଣ ସୁମନ ହରି ରସ

ଏ ଭବ ସମୁଦ୍ରେ ନ ଭାସ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନଚୈତନ୍ୟ ସମ୍ୱାଦେ

ଭକ୍ତ ଗୋବିନ୍ଦ ଦାସ ଦୃଢ ଭକ୍ତି ବର୍ଣ୍ଣନେ ନାମ ତ୍ରୟୋତ୍ରିଂଶୋ ଧ୍ୟାୟ

•••

 

ଚତୁଃବିଂଶ ଅଧ୍ୟାୟ

ଯଶଚନ୍ଦ୍ର ରାଜା ଓ ଦୀନବନ୍ଧୁ ଓତା ସମ୍ୱାଦ

 

ନମସ୍ତେ ନୀଳାଦ୍ରି କୋଶରୀ

କମଳା ଯାର ପରିଚାରୀ

।।

ଶରଣ ପାଦପଦ୍ମେ ତୋର

ବାଞ୍ଛା ସମ୍ପୂର୍ଣ୍ଣ କର ମୋର

।।

ପୁଣି ଚୈତନ୍ୟ ଦେବ କହେ

ଶୁଣ ହୋ ମନ ପୁଣ୍ୟମୟେ

।।

କେବଳ ଶୁଣ ଶ୍ରଦ୍ଧାଭାବେ

ମୁଁ ଯାହା କହୁଅଛି ଏବେ

।।

ପଶ୍ଚିମ ଗୋଦାବରୀ ତଟେ

କଣୟ ଗିରିର ନିକଟେ

।।

ସକଳ ଦେଶରୁ ଯେ ଶେଷ

ଜାଙ୍ଗଳ ନାମେ ଏକ ଦେଶ

।।

ଶତେକ ଯୋଜନ ବିସ୍ତାର

ଅମୂଲ୍ୟ ଭୂମି ମଧ୍ୟେ ସାର

।।

ତହିଁ ନୃପତି ଯଶଚନ୍ଦ୍ର

ଅତି ଧାର୍ମିକ ସେ ନରେନ୍ଦ୍ର

।।

ଦାନି ପଣରେ ସେ ଅଗ୍ରଣୀ

ସୁର ପଣରେ ତାକୁ ଗଣି

।।

ରାଜା ପଣରେ ସେହୁ ମୋକ୍ଷ

ପ୍ରଜା ପାଳନେ ସେ ସୁଦକ୍ଷ

।।

ଇନ୍ଦ୍ରର ସମାନ ସମ୍ପତ୍ତି

ଅନେକ ତାର ପ୍ରିୟବତୀ

।।

ପଦ୍ମବନର ପ୍ରାୟେ ବଂଶ

ପୁତ୍ର ଦୁହିତା ହିଁ ବିଶେଷ

।।

ଗଜ ତୁ ରଙ୍ଗ ଗଣା ନାହିଁ

ପଦାତି କେ ପାରିବ କହି

।।

ଦେବ ପୂଜନେ ଶୁଦ୍ଧ ବୁଦ୍ଧି

ନାମ ଭଜନେ ସେ ପ୍ରସିଦ୍ଧି

।।

ପୁରାଣ ଶୁଣୁଥାଇ ନିତି

ବିପ୍ର ପୋଷଣେ ଶୁଦ୍ଧମତି

।।

ଏମନ୍ତ କେତେଦିନ ଗଲା

ରାଜା ତା ଚିତ୍ତେ ବିଚାରିଲା

।।

ବିପ୍ର ଶାସନ ବସାଇବା

ତାହାଙ୍କ ଚରଣ ସେବିବା

।।

ଏମନ୍ତ ବୋଲି ଦଣ୍ଡଧାରୀ

ପାଟ ଜ୍ୟୋତିଷକୁ ବିଚାରି

।।

ଖୋଜାଇ ଅନୁକୂଳ ଦିନ

ବିଜୟ କଲେକ ରାଜନ

।।

ଦେଖି ଉତ୍ତମ ଶୁଦ୍ଧ ସ୍ଥାନ

ତହିଁରେ ବସାଇ ଶାସନ

।।

ଗଣିଲେ ଅଷ୍ଟୋତ୍ତର ଶତେ

ପୁର ନିର୍ମାଇ ବିଧିମତେ

।।

ପୂର୍ବ ପଶ୍ଚିମ ମୁଖ କରି

ପ୍ରତି ମନ୍ଦିର ସମସରି

।।

ଗଣାରେ ତିନିଶତ ପୁର

କହି ନୁହଇ ଶୋଭା ତାର

।।

ଗ୍ରାମ ବାହାର ବେନି ପାଖେ

ରଖଇ ସମସ୍ତ ପାଟକେ

।।

ଲୌହକାରକ ଯେ ସୁନାରୀ

ବଢାଇ ଗୁଡ଼ିଆ ଶଙ୍ଖାରୀ

।।

ରଜକ ରାଉତ ଭଣ୍ଡାରୀ

ଗ୍ରାମଜଗାଳ ଆଦି କରି

।।

ଅନେକ ଧନ ବିଧ୍ୱଂସିଲେ

ଅନୁରୂପରେ ବସ୍ତି କଲେ

।।

ଗ୍ରାମ ବାହାରେ ଶିବ ଆଳ

ଆବର ଚଣ୍ଡିକା ଦେଉଳ

।।

ଗ୍ରାମ ମଧ୍ୟେର ବିଷ୍ଣୁସ୍ଥାନ

କେ କହୁ ମଣ୍ଡପ ଶୋଭନ

।।

କରାଇ ସେ ମହାରାଜନ

ବରଣ କଲେକ ବ୍ରାହ୍ମଣ

।।

ଦୂତ ପେଶିଲା ଦଣ୍ଡଧାରୀ

ଚାରି ଦିଗରୁ ବିପ୍ର ବରି

।।

ଅଇଲେ ଶତେ ଆଠଘର

ଏକୁ ଆରେକ ଶୋଭା କର

।।

ସର୍ବେ ଅଟନ୍ତି ବେଦ ଗର୍ଭ

କେହୁ ବା ପଣ୍ଡିତ ସମ୍ଭବ

।।

ଏକୁ ଆରେକ ତେଜୋମୟେ

ଦିଶନ୍ତି ବ୍ରହ୍ମବେତ୍ତା ପ୍ରାୟେ

।।

ବୋଇଲେ ଶୁଣ ମହାଜନେ

ମୁଁ ଯାହା କହୁଛି ବଚନେ

।।

ସର୍ବେ ଏ ସ୍ଥାନେ ବାସ କର

ଆରାଧି ବିଷ୍ଣୁଙ୍କ ପୟର

।।

ଶଉଚବନ୍ତ ଶୁଦ୍ଧମନେ

ହୋମ କରିବ ପ୍ରତିଦିନେ

।।

କେବଳ ବିଷ୍ଣୁ ପ୍ରୀତି ଅର୍ଥେ

ଅନ୍ୟ କଳ୍ପନା ନାହିଁ ଚିତ୍ତେ

।।

ଏତେକ ମାଗୁଣି ମୋହର

ଏହା କରିବ ବିପ୍ରବର

।।

ଯେ ତୁମ୍ଭ ଅନ୍ନବସ୍ତ୍ର ମାନ

ତାହା ଖଞ୍ଜିବେ ଭଗବାନ

।।

ତାହା ଶୁଣିଣ ବିପ୍ର କେତେ

ସମ୍ମତି ଦେଲେ ଯେଝାମତେ

।।

ରହିଲେ ସେହି ପୁରେ ଯାଇ

ଅତି ଆନନ୍ଦ ମନହୋଇ

।।

ତା ଦେଖି ସେ ମହାରାଜନ

ଖଞ୍ଜିଲେ ସମ୍ପୂର୍ଣ୍ଣ ଭୋଜନ

।।

ଯେଝା କୁଟୁମ୍ୱ ଅନୁରୂପେ

ଧନ ତଣ୍ଡୁଳ ଦେଲେ ଆପେ

।।

ଶିବ ଚଣ୍ଡିକା ପୂଜାମାନ

ବିଷ୍ଣୁଙ୍କ ଚରଚା ବିଧାନ

।।

ଖଞ୍ଜିଲେ ବିଧିମତ କରି

ତୁଳସୀ ଆରୋପଣ କରି

।।

ଡକାଇ ପାଟକମାନଙ୍କୁ

ଅନେକ ଧନ ଦେଲେ ତାଙ୍କୁ

।।

ବୋଇଲେ ବିପ୍ରଙ୍କ ଚରଣେ

ସେବା କରିବ ଅନୁକ୍ଷଣେ

।।

ଜଳର ନିମନ୍ତେ ପୋଖରୀ

ଖୋଳାଇ ଦେଲେ ଯତ୍ନ କରି

।।

ସର୍ବ ପ୍ରତିଷ୍ଠା ବିଧି କଲେ

ବିପ୍ରଙ୍କ ହସ୍ତେ ଦାନ କଲେ

।।

ଘୃତ ଚନ୍ଦନ ଆଦି ଯେତେ

ଖଞ୍ଜିଲେ ହୋମର ନିମନ୍ତେ

।।

ଯୋଗାଇ ବିପ୍ରଙ୍କ ଛାମୁରେ

ଚଳିଣ ଗଲେ ନୃପବରେ

।।

ଶୁଣ ସୁମନ ଶୁଦ୍ଧଚିତ୍ତେ

ଏଥି ଉତ୍ତାରୁ କଥା ଯେତେ

।।

ବ୍ରାହ୍ମଣେ ବିଷ୍ଣୁ ପ୍ରୀତି ଅର୍ଥେ

ହୋମ ଯେ କଲେ ନିତ୍ୟେ ନିତ୍ୟେ

।।

ପ୍ରଭାତୁ ଉଠି ସ୍ନାନ କରି

ଦ୍ୱାଦଶ ତିଳକ ହିଁ କରି

।।

ପଦ୍ମ ପୁଷ୍ପର ଯେ ମୁଦ୍ରାକ୍ଷ

ସ୍ପଟିକ ମାଳା କାହା ବକ୍ଷ

।।

ତୁଳସୀ ମାଳା କାହା ଗଳେ

ବିଭୂତିଚନ୍ଦନ କପାଳେ

।।

ହସ୍ତରେ କୁଶ ଗଡ଼ପାତ୍ରୀ

ପିନ୍ଧି ସୁଝୀନ ବସ୍ତ୍ର ଧୋତି

।।

ଶିବଙ୍କୁ ବସନ୍ତି ଯେଝା ଘରେ ଯାଇ

ହୋମ କରନ୍ତି ବେଦଧ୍ୟାୟୀ

।।

ଆସନ ପାଦାସନ ବିଧି

ଅଙ୍ଗ ଆସନ ଭୂତ ଶୁଦ୍ଧି

।।

ଯେ ଷଡ଼ଚକ୍ର ସ୍ଥାନମାନ

ଛୁଇଁଣ ନାସିକା ଶ୍ରବଣ

।।

ଶୁଦ୍ଧ କରନ୍ତି ନିଜ ଗାତ୍ର

ବେଗେ ଲଗାନ୍ତି ଅଗ୍ନି ହୋତ୍ର

।।

ସକଳେ ବିଷ୍ଣୁ କ୍ରୀତିଅର୍ଥେ

ହୋମ କରନ୍ତି ବିଧିମତେ

।।

ଏହି ପ୍ରକାରେ ପ୍ରତିଦିନ

କରନ୍ତି ସର୍ବ ବିପ୍ରଗଣ

।।

ଅଷ୍ଟଦିନରେ ରାଜା ଥରେ

ବିଜୟ କରନ୍ତି ସେ ପୁରେ

।।

ବିଷ୍ଣୁଙ୍କୁ ଦଣ୍ଡବତ ତୁଳସୀ

ଧରି ଆନନ୍ଦେ ମୁଣ୍ଡେ ଖୋଷି

।।

ବିଷ୍ଣୁ ଶଙ୍କର ଦରଶନ

ଘେନି ପ୍ରମାଦ ପାତ୍ରମାନ

।।

ସମସ୍ତ ଜାଗ୍ରତ କରାଇ

ଚଳିଣ ଯାନ୍ତି ନରସାଇଁ

।।

ପୁଣି ହୁଅନ୍ତେ ଆଠଦିନ

ଆସି କରନ୍ତି ଦରଶନ

।।

ଏମନ୍ତେ କେତେଦିନ ଗଲା

ତା ଯଶ ଜଗତେ ପୁରିଲା

।।

ପୁଣ୍ୟହିଁ ବଢିଲା ବହୁତ

ବିପ୍ରେ ହୋଇଲେ ତଜୋବନ୍ତ

।।

ଏମନ୍ତ କେତେ ସମ୍ୱତ୍ସର

ଉତ୍ତାରୁ ଶୁଣ ନୃପବର

।।

ଯେ ଯଶଚନ୍ଦ୍ର ମହାରାଜା

କରାଇ ବହୁତ ତରିଜା

।।

ସଙ୍ଗେ ଅନେକ ସଙ୍ଗୀ ଧରି

ଗଳ ତୁରଙ୍ଗ ଆଦି କରି

।।

ପ୍ରବେଶ ବିଷ୍ଣୁଙ୍କ ଭୁବନେ

।।

ଗ୍ରାମେ ପୂରିଲେ ଲୋକମାନେ

।।

ଯେ ଦାଣ୍ଡ ବାଡ଼ି ଆଦି କରି

।।

ରହି ଅଛନ୍ତି ଜନ ପୂରି

।।

ଏମନ୍ତ ବେଳେ ବିପ୍ରଗଣ

ଅକ୍ଷତ ତଣ୍ଡୁଳ ଧରିଣ

।।

ଯାଇଁ ଭେଟିଲେ ଦଣ୍ଡଧାରୀ

ଅନେକ ଆଶୀର୍ବାଦ କରି

।।

ଭେଟୁ ଯେ ଅଛନ୍ତି ବ୍ରାହ୍ମଣ

ଏମନ୍ତ ବେଳେ କଥା ଶୁଣ

।।

ଦିନେ ଯେ ଦ୍ୱିଜବର ଘର

ଏକଇ କୂଳବଧୁ ତାର

।।

ଦଇବେ ଅତ୍ୟନ୍ତ ସୁନ୍ଦରୀ

ଯୁବା ବୟସ ମନୋହାରୀ

।।

ମୂତ୍ର ପୀଡ଼ିଲା ଆଣ୍ଟେ ତାକୁ

ବିଚାର କଲା ତା ମନକୁ

।।

ଦାଣ୍ଡ ବାଡ଼ିରେ ଲୋକମାନେ

ପୂରିଣ ଛନ୍ତି ସର୍ବ ସ୍ଥାନେ

।।

ଯେଣିକି ଗଲେ ଲୋକ ଚାହିଁ

କି ବୁଦ୍ଧିକରିବି ଯେ ମୁହିଁ

।।

ଏମନ୍ତେ ବିଚାରି ମନରେ

ମୁତିଲା ସେ ହୋମ କୁଣ୍ଡରେ

।।

ପାଉଁଶ ଘୋଡ଼ାଇଣ ଦେଲା

ନିଶ୍ଚିନ୍ତ ହୋଇଣ ରହିଲା

।।

ଏମନ୍ତ ବେଳେ ନୃପବର

ସୈନ୍ୟ ସଙ୍ଗତେ ଘେନି ତାର

।।

ମେଲାଣି ହୋଇ ଚଳିଗଲେ

ବ୍ରାହ୍ମଣେ ଯେଝାଘରେ ଗଲେ

।।

ଆସିଣ ଶ୍ୱଶୁର ତାହାର

ହୋମାଗ୍ନିରେ ଢାଳେ କ୍ଷୀର

।।

ତହିଁ ଦେଖିଲା ଜ୍ୟୋତିର୍ମୟେ

ବିଚିତ୍ର ସୁବର୍ଣ୍ଣ ଚକିଏ

।।

ଏ କି ବିଚିତ୍ର ବୋଲି ମନେ

ପୁଚ୍ଛିଲା ଗୃହେ ସର୍ବଜନେ

।।

ସମସ୍ତେ ନ ଜାଣୁ ବୋଇଲେ

ବୋହୂ ଯେ ଗମ୍ଭିରୀରେ ଥିଲେ

।।

ହସି ବୋଇଲେ ଶୁଣ ତାତ

କଣ୍ଟେ ମାଡ଼ିଲା ମୋତେ ମୁତ

।।

କେଣେ ତ ବାଟ ନ ପାଇଲି

ହୋମାଗ୍ନି କୁଣ୍ଡରେ ମୁତିଲି

।।

ତେଣୁ ହୋଇଲା ଗରା ସୁନା

ମନେ ବିଚାର କର କିନା

।।

ତାହା ଶୁଣିଣ ଦ୍ୱିଜବର

ଆନନ୍ଦ ହୋଇଲା ଅପାର

।।

ବୋଇଲା ଏ ଯେବେ ସ୍ୱରୂପ

କିସ କରିବ ଏବେ ନୃପ

।।

ଦାରିଦ୍ର୍ୟ ଛାଡ଼ିଲା ଏଥର

ବୁଝିବା କାଲି ପ୍ରଭାତର

।।

ଏମନ୍ତ ମନେ ମୋଦ ଭରି

ଅନ୍ନ ଭୋଜନ ସର୍ବେ ସାରି

।।

ନିଶ୍ଚନ୍ତି ହୋଇଣ ରହିଲେ

ରଜନୀ ଯାଇଁ ଦିନ ହେଲେ

।।

ପୁଣି ସେ କଲେ ଅଗ୍ନି ହୋତ୍ର

ବୋହୂକୁ ବୋଲେ କର ମୂତ୍ର

।।

ଶ୍ୱଶୁର ଅଲଗେ ରହିଲା

ବୋହୂ ତା ହସି ହସି ଗଲା

।।

ବସିଲା ଅଗ୍ନି ପାରୁଶରେ

ମୂତ୍ର ସେ କଲା ହୋମପରେ

।।

ସେ ଅଗ୍ନି ଲିଭାଇ ଲେଉଟି

ଦେଖିଲା ସୁନା ଚକି ଗୋଟି

।।

କେ କହୁ ବିପ୍ରର ଆନନ୍ଦ

ମୁଖ ବିକାଶେ ପୂର୍ଣ୍ଣଚନ୍ଦ୍ର

।।

ପ୍ରତିଦିନରେ ଏହିମତି

କରିଣ ସୁବର୍ଣ୍ଣ ରଖନ୍ତି

।।

ଦେଖ ସୁମନ ସେ ବ୍ରାହ୍ମଣ

ଏଡ଼େ ଦୁର୍ବୁଦ୍ଧି ମୂଢ ଜାଣ

।।

ବିଚାର ନ କଲା ତ ମନ

କେବଳ ମୂଳ କଲା ଧନ

।।

ଯେ ବିଷ୍ଣୁ ପ୍ରୀତି ଅର୍ଥେ ଧନ

ଦଇବେ କ୍ଷଗ୍ନି ବିଷ୍ରୁସମ

।।

ମହାବାକ୍ୟରେ ଏ ପ୍ରମାଣ

ସକଳ ଜୀବେ ପରିତ୍ରାଣ

।।

ଏହା ମୁଁ କେମନ୍ତେ କରିବି

ନରମେ ସିନା ସଞ୍ଚରିବି

।।

ଏମନ୍ତ ମନେକ ବିଚାରି

କେବଳ ଧନ ମୂଳ କରି

।।

ପ୍ରତିଦିନରେ ଏହିମତି

କଲା ହେ ଚଣ୍ଡାଳ ଦୁର୍ମତି

।।

ତାହା ଜାଣିଲେ ସେ ଗ୍ରାମରେ

ସୁବର୍ଣ୍ଣ କଲେ ପ୍ରତି ଘରେ

।।

ସେ ପୁଣ୍ୟ ହୋମ ନାଶ କଲେ

ସମସ୍ତେ ବିଷ୍ଣୁ ଦ୍ରୋହି ହେଲେ

।।

କେହି ନ ବୋଲନ୍ତି ଏମନ୍ତ

କରିବା ନୁହଇ ଉଚିତ

।।

ସର୍ବ ଅଜ୍ଞାନ ବୁଦ୍ଧି କଲେ

ଅମୃତ ଭାଣ୍ଡେ ସୁରା ଦେଲେ

।।

ଶୁଣ ହେ ମନ ପୂଣ୍ୟମୟେ

ଏଥି ଉତ୍ତାରୁ ଯେ କଥାଏ

।।

ସେ ଗ୍ରାମେ ଏକଇ ବ୍ରାହ୍ମଣ

ଅତି ଦରିଦ୍ର ସେହୁ ପୁଣ

।।

ତାର କୁଟୁମ୍ୱ ଜଣ ସାତ

ବେନି ଦୁହିତା ତିନି ସୁତ

।।

ପତ୍ନୀ ତା ଅଟଇ ମୁଖରୀ

ସ୍ୱାମୀର ବଚନ ନକରି

।।

ନାମ ତା ଦୀନବନ୍ଧୁ ଓତା

ଜାଣଇ ପାପ ପୁଣ୍ୟ କଥା

।।

ହରି ଭଜନ ମୂଳ ତାର

ନ ଛାଡ଼େ ଆଚାର ବେଭାର

।।

ସକଳ ଜୀବ ଦୟାବନ୍ତ

ବଚନ କହଇ ଅମୃତ

।।

ନିଷ୍କାମୀ ନିର୍ଲ୍ଲୋଭୀ ନିର୍ଭୟେ

କେବଳ ସଦାନନ୍ଦ ମୟେ

।।

ନିତି ତା ଯୋଗ ସେବାମାନ

ଯେ ଯାହା ଖଞ୍ଜନ୍ତି ରାଜନ

।।

ତହିଁ ଚୁଠେ ଦିଏ ଦାନ

ବାକି ଯା କରଇ ଭୋଜନ

।।

ଦୁଃଖୀ ଦରିଦ୍ର ଯେବା ଆସି

ତାହାଙ୍କୁ ଭୋଜନ ପ୍ରକାଶି

।।

ସେ ଅନ୍ନ ଦେଇ ତାଙ୍କ ପାଶେ

ଆପଣେ ରହେ ଉପବାସେ

।।

ତହିଁ ଶୋଚନା ନାହିଁ ତାର

ପ୍ରଭୁଙ୍କୁ କରି ନିରିଭର

।।

ଏମନ୍ତେ କେତେଦିନଠାରେ

ବସିଛି ହୋମ କରିବାରେ

।।

ଆସନ ନିଷ୍ଠାସେହି କରି

ଶ୍ରୁବେ ଯେ ଘାତ ଅଛି ଭରି

।।

କୁଣ୍ଡରେ ବେଦମନ୍ତ୍ର ଧ୍ୟାୟୁ

ଅଗ୍ନି କୁଣ୍ଡରେ ସେ ଢାଳଇ

।।

ଏମନ୍ତ ବେଳେ ପତ୍ନୀ ଆସି

କହଇ ମୃଦୁ ମୃଦୁ ହସି

।।

ବୋଇଲା ଶୁଣ ପ୍ରାଣେଶ୍ୱର

ଦାରିଦ୍ର୍ୟ ଛାଡ଼ିବ ଆମ୍ଭର

।।

ଆଜ ମୁଁ ପ୍ରଭାତ ସମୟେ

ଗଲି ପଣ୍ଡାଙ୍କ ଘରଯାଏ

।।

ଯେଣେ ଚାହିଁଲେ ଘରବାଡ଼

ସୁବର୍ଣ୍ଣ ଦିଶେ କୁଢ କୁଢ

।।

ତା ଦେଖି ହେଲି ଆଚମ୍ୱିତ

ପୁଚ୍ଛିଲେ ପଣ୍ଡାଙ୍କ ଅଗ୍ରତ

।।

ସେ ମୋତେ ନ କହିଲେ କିଛି

ପଣ୍ଡାଙ୍କ ପତ୍ନୀଙ୍କି ମୁଁ ପୁଚ୍ଛି

।।

ସେ ମୋତେ କହିଲେଟି ଯାହା

ଶୁଣ ମୁଁ କହୁଅଛି ତାହା

।।

ହୋମ ଯେ ସରିଲା ଉତ୍ତାରେ

ମାଇପେ ମୁତନ୍ତି ତହିଁରେ

।।

ତହୁଁ ସୁବର୍ଣ୍ଣେ ହୋଏ ଜାତ

ମିଥ୍ୟା ନୁହଇ ଏହୁ ସତ୍ୟ

।।

ପ୍ରତି ଘରରେ ଏହା କରି

ସୁବର୍ଣ୍ଣମାନ ଅଛି ପୂରି

।।

ଆମ୍ଭେ ଯେ ତେମନ୍ତ କରିବା

ଦାରିଦ୍ର୍ୟ ଦୁଃଖୁଁ ତରିଯିବା

।।

ଏମନ୍ତ ଶୁଣି ସେ ବ୍ରାହ୍ମଣ

ଛୁଇଁଲା ପୃଥିବୀ ଶ୍ରବଣ

।।

ରୋମ ଉଦ୍‌ଗମ ଅଙ୍ଗେ ତାର

କମ୍ପିଲା ଚିବୁକ ଅଧର

।।

ଖର ନିଃଶ୍ୱାସ ଊର୍ଦ୍ଧ୍ୱେ ଛାଡ଼ି

ମସ୍ତକେ ବେନିକର ଯୋଡ଼ି

।।

ବୋଇଲା କି କହିଲୁ ମୋତେ

ଏ ପାପୁ ତରିବ କେମନ୍ତେ

।।

ଯେବଣ ହୋମ ଆରୋପଣ

ହୋଇଲା ସେଟି ନାରାୟଣ

।।

ସାକ୍ଷାତେ ପ୍ରଭୁ ବିଜେ ଏଥେ

ଏହା ତୁ ବୋଇଲୁ କେମନ୍ତେ

।।

ଯେବଣ ହୋମ ଆରୋପଣ

ହୋଇଲା ସେଟି ନାରାୟଣ

।।

ସାକ୍ଷାତେ ପ୍ରଭୁ ବିଜେ ଏଥେ

ଏହା ତୁ ବୋଇଲୁ କେମନ୍ତେ

।।

ଶୁଣି ତା ପତ୍ନୀ କ୍ରୋଧ ଭରେ

କହିଲା ସ୍ୱାମୀର ଆଗରେ

।।

ଜାଣିଲି ତୋର ବିପ୍ରଗଣ

ତାଙ୍କଠାରୁ କି ବଡ଼ ଜଣ

।।

ଏ ଗ୍ରାମେ ଭଟ୍ଟ ମିଶ୍ର ଘର

ତିହାଡ଼ୀ ଷଡ଼ଙ୍ଗୀ ଆବର

।।

ଯେ ପଣ୍ଡା ପାଣିଗ୍ରାହୀ ଦାଶ

ଏକକୁ ଆରେକ ବିଶେଷ

।।

ଏମାନେ କଲେ ଯେଝାମତେ

ତୁ ନାହିଁ କରୁ କିମ୍ପା ମୋତେ

।।

କରିବା ପଛେ ପାଞ୍ଚଦିନ

ଭାଗ୍ୟେ ଯା ମିଳିବ ସୁବର୍ଣ୍ଣ

।।

ଖାଇ ବଞ୍ଚିବା ସମ୍ୱତ୍ସରେ

ପୁଣି ବ୍ରାହ୍ମଣ କ୍ରୋଧ ଭରେ

।।

ବୋଲେ ନ ବୋଲ ଆଉ ମୋତେ

ଜୀବନ ହାରିବି ସାକ୍ଷାତେ

।।

ତା ଶୁଣି ବ୍ରାହ୍ମଣୀ ବୋଇଲା

କାହିଁକି ଏଡ଼ କାଷ୍ଠା ହେଲା

।।

ଏକଥା କହି କିନା ମୋତେ

ତେବେ ମୁଁ ଯିବଇଁ ପରତେ

।।

ତା ଶୁଣି ବୋଲଇ ବ୍ରହ୍ମଣ

ଅଜ୍ଞାନୀ ପାମରୀ ଲୋ ଶୁଣ

।।

ସେ ସର୍ବେ ବଡ଼ ଜଣ ଜାଣ

ମୁଁ ନୁହେଁ ତେମନ୍ତ ବ୍ରାହ୍ମଣ

।।

ମୋହର ଥିଲେ ଗ୍ରାମ ଥିବ

ମୁଁ ଗଲେ ପାତାଳେ ପଡ଼ିବ

।।

ଆଉ ନ ବୋଲ ମୋତେ କିଛି

ତା ଶୁଣି ବୋଲଇ ମୃଗାକ୍ଷୀ

।।

ଏକଥା ଯେବେ ସତ୍ୟ ତୋର

ଦେଖାଅ ମୋହର ଆଗର

।।

ନୋହିଲେ କର ତୁ ସୁବର୍ଣ୍ଣ

ଖାଇ ବଞ୍ଚିବା କିଛି ଦିନ

।।

ଶୁଣି ବ୍ରାହ୍ମଣ କ୍ରୋଧ ହୋଇ

ବହନ ଅନଳ ଲିଭାଇ

।।

ଅନ୍ନ ଭୋଜନ ସେ ନକରି

ଶୋଇଲା କୁଶାସନ ପାରି

।।

ବ୍ରାହ୍ମଣୀପୁତ୍ର ପୌତ୍ର ଧରି

ଶୋଇଲା ରୁଷିଣ ଗମ୍ଭିରୀ

।।

ନ ଭକ୍ଷି ଅନ୍ନ ପାଣି କେହି

ଯେଝାରେ କ୍ରୋଧ ମନ ହୋଇ

।।

ଏମନ୍ତ ଗଲା କେତେଦିନ

ତାହା ଜାଣିଲେ ଭଗବାନ

।।

ସେ ବିପ୍ର ପାରୁଶରେ ଆସି

ରଙ୍ଗ ଅଧରେ ମନ୍ଦ ହସି

।।

ବୋଇଲେ ଶୁଣ ବିପ୍ରବର

ତୋ ମନେ ସଂଶୟ ନ କର

।।

ତୁ ଯାହା ବୋଇଲୁ ବଚନ

ସେକଥା କେଭେ ନୋହେ ଆନ

।।

ତୋହର ହସ୍ତପତ୍ର ପୁଷ୍ପ

ତାହିଁ ଆମ୍ଭର ବଡ଼ ଆଶ

।।

ଏବେ ଯେ ନିତିଦିନ ହେଲା

ଅନ୍ନ ଭୋଜନ ମୋ ନୋହିଲା

।।

ଆମ୍ଭେ ରହିଲୁ ଉପବାସେ

ତୋର ଆହୁତି ଦେବା ଆଶେ

।।

ତୁ ଯେତେବେଳେ ଶୁଦ୍ଧଚିତ୍ତେ

ମନ୍ତ୍ର ଉଚ୍ଚାରି ଜିହ୍ୱାଗ୍ରତେ

।।

ଅନଳ କୁଣ୍ଡେ ଘଅତ ଦେଉ

ଆମ୍ଭେ ତା ଅତି ସୁଖେ ପାଉ

।।

ଏକଥା ସତ୍ୟକରି ଘେନ

ଉଠି ତୁ କର ହେ ଭୋଜନ

।।

ଏମନ୍ତ କହି ଭାଗଗ୍ରାହୀ

ତକ୍ଷଣେ ଅନ୍ତର୍ଦ୍ଧାନ ହୋଇ

।।

ଚେତନା ପାଇ ବେଗେ ଉଠି

ଚାରିଦିଗକୁ ଦେଲା ଦୃଷ୍ଟି

।।

ପାଶେ ଦେଖିଲା ନାହିଁ କେହି

ମନେ ବିଚାର କଲା ସେହି

।।

ବୋଇଲା ନିଶ୍ଚେ ସେ ଶ୍ରୀହରି

ମୋତେ କରୁଣା ଗଲେ କରି

।।

ବୋଲି ଉଠିଲା ଦ୍ୱିଜବର

ମୋ ଜୀବ ହୋଇଲା ଉଦ୍ଧାର

।।

ଡାକିଲା ପତ୍ନୀ ନାମ ଧରି

ବୋଇଲା ଉଠ ବେଗ କରି

।।

ବାଳକେ ହୋଇଲେ ଅନାଥ

ହତ୍ୟା କି ପାଇବୁ ଗୋ ତୁ ତ

।।

ତା ଶୁଣି ବୋଲଇ ସୁନ୍ଦରୀ

ଏବେ କି ପାରୁ ସୁନା କରି

।।

ନୋହିଲେ ଏ ଗାମ କେବଳ

ପଡ଼ିବ କେବେ ରସାତଳ

।।

ଦେଖିବ ନୟନ ମୋହର

କେବେଟି ପତ୍ନୀ ମୁଁ ତୁମ୍ଭର

।।

ନୋହିଲେ ଛାଡ଼ ମୋର ଆଶ

ତୁ ସୁଖେ କର ଗୃହବାସ

।।

ତା ଶୁଣି ବୋଲଇ ବ୍ରାହ୍ମଣ

ଏ ମୋର ପିଣ୍ଡ ପଞ୍ଚପ୍ରାଣ

।।

କଲେ ସୁବର୍ଣ୍ଣ କରିବାର

ନୁହଇ ସତ୍ୟ ସତ୍ୟ ମୋର

।।

ଶୁଣି ବ୍ରାହ୍ମଣୀ ବୋଲେ ପୋଡ଼ୁ

ଦେଖ ଧରଣୀ ଛିଡ଼ିପଡ଼ୁ

।।

ବ୍ରାହ୍ମଣ ବୋଇଲା ଲୋକ ହେଉ

କେତେ କଟାଳ କରୁଥାଉ

।।

ଶୁଣି ଉଠିଲାସେ ବ୍ରାହ୍ମଣୀ

ରନ୍ଧନ କଲା ତତକ୍ଷଣି

।।

ବାଳକ ବାଳିକାଙ୍କୁ ଦେଲା

ନିଜ ପତିକି ପରଷିଲା

।।

ବ୍ରାହ୍ମଣ ଶୁଚିମନ୍ତ ହୋଇ

ଆସନେ ବସିଲାକ ଯାଇଁ

।।

ପ୍ରଭୁଙ୍କୁ କଲା ନିବେଦନ

ଆନନ୍ଦେ କଲାକ ଭୋଜନ

।।

ତ୍ୱରିତେ ହସ୍ତ ମୁଖ ଧୋଇ

ଉଠିଲା ବେଗ ବେଗ ହୋଇ

।।

ହସ୍ତରେ ଶୁବ୍ର ଗୋଟି ଧରି

ବୋଇଲା ଶୁଣ ହଟନାରୀ

।।

ଏଥେଁ ପାଇବୁ କେଉଁ ଯଶ

ଏତେକ ବୋଲି ଯିବେ ନାଶ

।।

ନ କର ନ କର ଏମନ୍ତ

ଶୁଣି ବୋଲଇ ନାରୀ ସତ

।।

ତୁ ଯାହା ଭଣ୍ଡୁଅଛୁ ମୋତେ

ଏକଥା ହୋଇକି ଯୁକତେ

।।

ଶୁଣି ବ୍ରାହ୍ମଣ ଖର ଶ୍ୱାସ

ତେଜି ପତ୍ନୀକି ବୋଲେ ଆସ

।।

ପୁତ୍ର ଦୁହିତା ସଙ୍ଗ କରି

ଚାଲ ଗୋ ତୁ ପ୍ରାଣ ଈଶ୍ୱରୀ

।।

ଗୃହ ଜଞ୍ଜାଳ ଯେତେ ମୋର

ଛାଡ଼ି ଯିବି ଗୋ ଦେଶାନ୍ତର

।।

ଏମନ୍ତ ଶୁଣି ସେ କାମିନୀ

ପୁତ୍ର ଦୁହିତା ସଙ୍ଗେ ଘେନି

।।

ଚଳିଣ ଗଲେ ସେ ତୁରିତେ

ମିଳିଲେ ଗ୍ରାମ ସନ୍ଧିଗତେ

।।

ସେ ହରିଭକ୍ତ ହରି ଧ୍ୟାଇ

ଗ୍ରାମ ବାହାରେ ପାଦ ଦେଇ

।।

ଆରେକ ଚରଣ କାଢିଲା

ମୋ ଦୋଷ ନାହିଁଟି ବୋଇଲା

।।

ତା ଶୁଣି ବୋଇଲା ଜଞ୍ଜାଳୀ

ମୋ ମୁଖେ ପରା ଦେଲୁ କାଳି

।।

ମୁଁ ଏହା ନ କରିଲେ ବାରେ

ଲେଉଟି ଯିବି କି ତୋ ଘରେ

।।

ଶୁଣି ତା ନିରାଶ ବଚନ

ବିପ୍ର ଚିନ୍ତିଲା ଭଗବାନ

।।

ଆର ଚରଣ ଟେକି ଦ୍ୟନ୍ତେ

ଶବଦ ଶୁଭିଲା ନିର୍ଘାତେ

।।

ସେ ଗ୍ରାମ ଖଣ୍ଡ ସନ୍ଧି ଘେନି

ଖସିଣ ପରିଲା ମେଦିନୀ

।।

ତା ଦେଖି ବିପ୍ର ଆହାରଟି

ପକାଇ ଦେଲେ ଶ୍ରୁବ ଗୋଟି

।।

ସେ ଶ୍ରୁବ ପଡ଼ନ୍ତେ ମେଦିନୀ

ରହିଲା ସେହିଠାରେ ପୁଣି

।।

ଅର୍ଦ୍ଧ ପାତାଳ ସ୍ଥାନ ରହି

ରୋଦନ କଲେ ସର୍ବେ ତହିଁ

।।

ସ୍ତ୍ରିରୀ ପୁରୁଷଙ୍କ ବୋବାଳି

ଶୁଣି ଜଗତେ ହେଲେ ହୁରି

।।

ପଡ଼ିଣ ମନେ ରାଜ୍ୟଲୋକେ

ତା ଦେଖି ଧାଇଁଲେ ଅନେକେ

।।

ତା ଶୁଣି ଯଶଚନ୍ଦ୍ର ରାୟ

ତକ୍ଷଣେ କଲେକ ବିଜୟ

।।

ପୁଚ୍ଛିଲେ ତାଙ୍କୁ ଉପଦେଶ

ମିଳିଲେ ତାହାଙ୍କର ପାଶ

।।

ବିପ୍ର କହଲେ ବିଧିମତ

ଶୁଣି ନୃପତି ଆଚମ୍ୱିତ

।।

ରହିଲେ ସ୍ତମ୍ଭୀଭୂତ ହୋଇ

ବଦନୁ ବାକ୍ୟ ନ ସ୍ଫୁରଇ

।।

ପୁଣି ବୋଇଲେ ବିପ୍ର ଶୁଣ

ତୋତେ ଯା ଦେଖିଲି ନୟନ

।।

ପୂର୍ବେ ମୋ କେତେ ପୁଣ୍ୟ ଥିଲା

ତେଣୁ ଏ ସୁଯୋଗ ଘଟିଲା

।।

ଅନେକ ଅଳଙ୍କାର ଭରି

ପାଟ ବାନ୍ଧିଲେ ଦଣ୍ଡଧାରୀ

।।

ଜୀବନ୍ତେ ଅନ୍ନ ବସ୍ତ୍ର ଦେଇ

ଚରଣେ ହୋଇଲେ ବିନୟୀ

।।

ବୋଇଲେ ସତ୍ୟ ଆଜିଠାରୁ

ତୁମ୍ଭେ ମୋ ପିତା ମହାଗୁରୁ

।।

ମୁଁ ତୁମ୍ଭ ଚରଣରେ ଦାସ

ବୋଲି ଖଞ୍ଜିଲେ ଅନ୍ନ ବାସ

।।

ତହିଁ ଚଳିଲେ ନରରାୟେ

ଭୂମି ପାତାଳେ ଥିବାଯାଏ

।।

ଅନେକ ଯତ୍ନମାନ କରି

ବିପ୍ରଙ୍କ କୁଟୁମ୍ବ ଉଦ୍ଧାରି

।।

ସବୁଙ୍କୁ ଜୀବ ଦାନ ଦେଇ

ବିଜୟ କଲେ ନରସାଇଁ

।।

ଆଜହୁଁ ସେ ଭୂମି ପାତାଳେ

ରହି ଅଛଇ ମହୀତଳେ

।।

ଶୁଣ ସୁମନ ନୃପନାଥ

ଦୃଢତା ମହିମା ଏମନ୍ତ

।।

ସେ ବିପ୍ର ଅନ୍ତିମ କାଳରେ

ଲୀନ ହୋଇଲା ହରିଠାରେ

।।

କହଇ ବିପ୍ର ରାମଦାସ

ମୂଳଟି ଅଟଇ ବିଶ୍ୱାସ

।।

ସେ ହରି ପଦ୍ମପାଦ ତଳେ

ମୋ ଚିତ୍ତ ରହୁ ପ୍ରେମଭୋଳେ

।।

ସୁଜନେ ଏ ଆଶିଷ କର

ମୁଁ ତୁମ୍ଭ ଚରଣେ କିଙ୍କର

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନଚୈତନ୍ୟ ସମ୍ୱାଦେ

ଦୀନବନ୍ଧୁ ଓତା ଦାର୍ଢ୍ୟଭାବ ବର୍ଣ୍ଣନେ ନାମ ଚତୁତ୍ରିଂଶୋ ଧ୍ୟାୟଃ

•••

 

ପଞ୍ଚତ୍ରିଂଶ ଅଧ୍ୟାୟ

ଗୀତାପଣ୍ଡା ସମ୍ୱାଦ

 

ପୁଣି କହଇ ଚଇତନ

ଶୁଣ ହେ ସୁମନ ରାଜନ

।।

ଏ ବଡ଼ ଅପୂର୍ବ କଥାଏ

ପଦ ପଦକେ ସୁଧାମୟେ

।।

ଯେ କ୍ଷେତ୍ରମାନଙ୍କ ଉତ୍ତମ

ନାମ ଯା ଶ୍ରୀ ପୁରୁଷୋତ୍ତମ

।।

ଅଶେଷ ବ୍ରହ୍ମାଣ୍ଡର ସାର

ତହିଁ ପ୍ରବେଶ ହେଲେ ନର

।।

ସେ ନର ଲଭେ ଶୁଭାଶୁଭ

ଆଉ ନ ଦେଖେ ପୁଣି ଭବ

।।

ଏମନ୍ତ କ୍ଷେତ୍ରେ ତାର ଘର

ଜାତିରେ ଅଟେ ଦ୍ୱିଜବର

।।

ତାର କୁଟୁମ୍ୱ ପାଞ୍ଚଜଣ

ଅତି ଦରିଦ୍ର ସେ ବ୍ରାହ୍ମଣ

।।

ବେନି ଦୁହିତା ଏକ ସୁତ

ଆବର ସେ ଦୁହେଁ ଯୁବତ

।।

ଏମନ୍ତ ପାଞ୍ଚଜଣ ଥାନ୍ତି

ଯାଚଜ୍ଞା କରି ସେ ବଞ୍ଚନ୍ତି

।।

କେବଳ ପ୍ରମାଣ ତାହାର

ନିତ୍ୟେ ସେ ଗୀତା ପଢିବାର

।।

ଅଠର ଅଧ୍ୟ ନିତ୍ୟେ ନିତ୍ୟେ

ଆଦ୍ୟରୁ ପ୍ରାନ୍ତ ପରିଯନ୍ତେ

।।

ପଢିବା ପ୍ରମାଣ ତାହାର

ନ ଜାଣେ ସେ ଆନ ବେଭାର

।।

ତହିଁ ଉତ୍ତାରେ ଭିକ୍ଷା ଆଶେ

ଚଳଇ ସେ ଦେଶ ବିଦେଶ

।।

ଭାଗ୍ୟେ ମିଳଇ ତାର ଯେତେ

ଆଣିଣ ଦିଏ ପତ୍ନୀ ହସ୍ତେ

।।

ନାରୀ ତା କରଇ ରନ୍ଧନ

ଗୋବିନ୍ଦେ କରି ନିବେଦନ

।।

ଭୋଜନ କରନ୍ତି ସମସ୍ତେ

ଏହି ଆନନ୍ଦେ ଥାନ୍ତି ନିତ୍ୟେ

।।

ଯେଣୁ ସେ ଗୀତା ପଢା ପଣ୍ଡା

ତେଣୁ ଡାକନ୍ତି ଗୀତାପଣ୍ଡା

।।

ଏହି ନାମହିଁ ମୂଳ ତାର

ସଂସାରେ ହୋଇଲା ପ୍ରଚାର

।।

ଶ୍ରୀ ଭାଗବତ ଗୀତା ବିନେ

ଅନ୍ୟ ନ ଜାଣେ ତାର ମନେ

।।

ଯେଣୁ ସେ ଜାଣେ ଗୀତା ଅର୍ଥ

ମିଥ୍ୟା ଜାଣଇ ସେ ଜଗତ

।।

ଏ ଯେଉଁ ପୁତ୍ର ଦାରା ଧନ

ସେ ସର୍ବ ମାୟାର ବିଧାନ

।।

କେହି ଯେ ନୁହଇ କାହାର

କେବଳ ଭ୍ରମ ମାତ୍ର ସାର

।।

ଏମନ୍ତ ଭାବି ସେ କେବଳ

ହରି ଭଜନ କଲା ମୂଳ

।।

ଏମନ୍ତ କେତେଦିନ ଗଲା

ଦୁର୍ଭିକ୍ଷ କାଳ ଆସି ହେଲା

।।

ଦ୍ୱିଚାରି ଗ୍ରାମ ବୁଲିଗଲେ

ଭିକ୍ଷା ଯେ ନ ମିଳିଲା ଭଲେ

।।

ତହିଁକି ଚିନ୍ତା ନାହିଁ କିଛି

ବୋଲେ ମୋ ଭାଗ୍ୟେ ଯାହା ଅଛି

।।

ଅଦୃଷ୍ଟ କଥା ମୂଳ କରି

କେବଳ ଭଜୁଥାଇ ହରି

ଏମନ୍ତ ଏକ ଦିନକର

ସ୍ନାନ କରଇ ଦ୍ୱିଜବର

।।

ମାଳା ତିଳକ ଭେଦ କରି

ବସି ପଢଇ ଗୀତା ଧରି

।।

କେବଳ ଦୃଢ କରି ମନ

ଗୀତା ସେ କରୁଅଛି ଗାନ

।।

 

 

 

 

ଗୋଟିଏ ଶ୍ଳୋକ ପଢିସାରି

ତା ଅର୍ଥ ଭାବ ମନେ ଧରି

।।

ଅଙ୍ଗ ପୁଲକି ଉଠୁଥାଇ

ନେତ୍ରୁ ଲୋତକ ଯାଏ ବହି

।।

କଣ୍ଠ ଗଦ୍ ଗଦ ସ୍ୱରଭଙ୍ଗେ

ବୁଲାଇ ନୟନ ତରଙ୍ଗେ

।।

କମ୍ପଇ ଅଧର ଦଶନ

ବୋଲଇ ଆହେ ଭଗବାନ

।।

ମୁଁ ମହା ପତିତ କେବଳ

ଶରଣ ତୋ ପାଦ କମଳ

।।

ତୋ କୃପା ନୋହିଲେ ଅବଶ୍ୟ

ଏ ପାପୀ ଜୀବ ଗଲା ନାଶ

।।

ଏମନ୍ତ ମନେ ଧ୍ୟାନ କରି

ଚିନ୍ତଇ ନିଳାଦ୍ରି କେଶରୀ

।।

ଏମନ୍ତେବେଳେ କଥା ଶୁଣି

ତା ପୁତ୍ର ପୁତ୍ରୀ ବେନି ଜଣ

।।

ଅନ୍ନ ନ ପାଇଣ ଆକୁଳେ

କାନ୍ଦନ୍ତି କ୍ଷୁଧାର ବିକଳେ

।।

ଧରିଣ ଜନନୀ ଚରଣ

ବୋଲନ୍ତି ଭୋକେ ଯାଏ ପ୍ରାଣ

।।

ଯଦ୍ୟପି ନ ଦେବୁ ଆହାର

ଜୀବନ ଗଲାଟି ଆମ୍ଭର

।।

ତା ଶୁଣି ଜନନୀ ବିକଳ

ବେନି ନୟନୁ ବହେ ଜଳ

।।

ପଣ୍ଡାଙ୍କ ଛାମୁରେ ଯାଇଣ

ବୋଲଇ ତୁମ୍ଭେ ଏବେ ଶୁଣ

।।

ତୁମ୍ଭେ ତ ଗୀତା କଲ ମୂଳ

କେ କହୁଁ ପିଲାଙ୍କ ବିକଳ

।।

ଏବେ ବହନ ଚଳିଯାଅ

କାହିଁ ବା କିଛି ହିଁ ଭିଆଅ

।।

ବାଳକେ ପାଇଲେ ଭୋଜନ

ତେବେ ଟି ରହିବ ଜୀବନ

।।

ନୋହିଲେ ମରିବେ ସମସ୍ତେ

ମୁହିଁ ମରିବି ତା ସଙ୍ଗତେ

।।

ଏକଥା ଅଟଇ ପ୍ରମାଣ

ପଣ୍ଡାଏ ବୋଇଲେ ଲୋ ଶୁଣ

।।

ସବୁରି କର୍ତ୍ତା ଭଗବାନ

ଅବଶ୍ୟ ଦେବଟି ଭୋଜନ

।।

ଆରତ ହୋଇଣ ନ ମର

ଶୁଣି କୋପିଲା ନାରୀବର

।।

ବୋଇଲା ଶୁଣସି ହେ ପଣ୍ଡା

ନ ପକା ନିଆଁରେ ଯେ ଲୁଣ୍ଡା

।।

ତୁ ହଲି ମରୁଥିବୁ ବସି

ତୋ ଘରେ ଧନ ଯିବ ପଶି

।।

ତା ଶୁଣି ପଣ୍ଡାଏ ବୋଲନ୍ତି

ଆତୁର ନୁହ ଗୋ ଯୁବତୀ

।।

ମୁଁ ଯାହା କହୁଅଛି ତୋତେ

ହେତୁ କିରଣ ଘେନ ଚିତ୍ତେ

।।

ସବୁରି ଜୀବର ଜୀବନ

ଅଟନ୍ତି ପ୍ରଭୁ ଭଗବାନ

।।

ଦେଖ ଏ ଗୀତା ମଧ୍ୟେ ସାର

ଶ୍ରୀମୁଖ ଆଜ୍ଞା ପ୍ରଭୁଙ୍କର

।।

ସମସ୍ତ କର୍ମ ପରି ହରି

ଯେମୋର ପାଦେ ଆଶ୍ରେ କରି

।।

ତାହାର ନିର୍ବାହର ଭାର

କାନ୍ଧରେ ରହିଛି ମୋହର

।।

ନିତ୍ୟେ ଲଗାଇ ତାକୁ ଯେତେ

ସେ ଚିନ୍ତା କାହିଁ ଅଛି ତୋତେ

।।

ଏକଥା ଅଟଇ ପ୍ରମାଣ

ବୋଲି ଅଛନ୍ତି ନାରାୟଣ

।।

ମିଛ ଯଦ୍ୟପି ଏହା କହ

ତେବେ ମୋଠାରେ କ୍ରୋଧ ବହ

।।

ତା ଶୁଣି ବୋଲଇ ସୁମନା

ଏ କେଉଁ ଯୁଗ କଥା ସିନା

।।

ଏ କଳି ଯୁଗରେ କେମନ୍ତେ

ଭାବ ବହିଣ ଜଗନ୍ନାଥେ

।।

ତୋଘରେ ଆସି ଦେବେ ତୋତେ

ବସି ଭୁଞ୍ଜିବୁ ଦୁଇ ହାତେ

।।

ଛାଡ଼ ଏ ସାହସ ଲକ୍ଷଣ

ମରିବୁ ହୋଇ ଅକାରଣ

।।

ପୁଣି ପଣ୍ଡାଏ କ୍ରୋଧ ଭରେ

କହିଲେ ପତ୍ନୀର ଆଗରେ

।।

ନିଶ୍ଚେ ଜାଣିଲି ତୁହି ଦୁଷ୍ଟ

ପ୍ରଭୁଙ୍କ ଆଜ୍ଞା ମଣୁ ଭ୍ରଷ୍ଟ

।।

ଏ ଶ୍ଲୋକ ମିଛ ବୋଲି କରି

ଦେଇ ପାରିବୁ କି ଚିରି

।।

ତା ଶୁଣି ବୋଇଲା ଯୁବତୀ

ତାଳ ପତର ସିନା ପୋଥି

।।

ଏ କାହୁଁ ସ୍ୱରୂପ ହୋଇବ

ମନେ କରିଛୁ ଦୃଢ ଭାବ

।।

ଆଜ୍ଞା କାହିଁକି ଆଣ ତୋର

ଚିରିଣ ଦେବି ଶଏ ଥର

।।

ଶୁରି ପଣ୍ଡାଏ କୋପମନ

ଦୋଇ ଦେଲେ ଶ୍ଲୋକସ୍ଥାନ

।।

ତାହା ଦେଖିଣ ସେହି ନାରୀ

ଲେଖନ ଧରି ଦେଲା ଚିରି

।।

କ୍ରୋଧରେ ଦେଲା ତିନିଗାର

ଦେଖି କମ୍ପିଲେ ଦ୍ୱିଜବର

।।

ବେଇଲେ କି କଲୁ କି କଲୁ

ପ୍ରଭୁରେ ଅପରାଧି ହେଲୁ

।।

ଏହା ଦେଖିଲା ମୋ ନୟନ

ନ ଯାଇ ରହିଛି ଜୀବନ

।।

ଏମନ୍ତ ବୋଲି ହରିଭକ୍ତ

ଆରତେ କାନ୍ଦିଲା ବହୁତ

।।

ତହୁଁ ବହନ ଉଠିଗଲା

କବାଟ କିଳିଣ ଶୋଇଲା

।।

ପ୍ରଭୁଙ୍କ ପାଦେ ଦେଇ ମନ

ଦେହୁଁ ହଜିଲା ନିଜ ଜ୍ଞାନ

।।

ତା ଦେଖି ନିଜ ପତ୍ନୀ ତାର

ବାଳକମାନଙ୍କୁ ସଙ୍ଗର

।।

ଘେନିଣ ଶୋଇଲା ଗମ୍ଭୀରି

ସେହି ରହିଲା ଋଷି କରି

।।

କାମିନୀ ମନେ ଗୁରୁ ଚିନ୍ତା

ବାଳକମାନଙ୍କ ବ୍ୟବସ୍ଥା

।।

ପଣ୍ଡାଙ୍କ ମନ ଭକ୍ତି ଭାବ

ସବୁ ଜାଣିଲେ ପଦ୍ମନାଭ

।।

ଯେ ପ୍ରଭୁ ସର୍ବ ଅନ୍ତର୍ଯ୍ୟାମୀ

ଦିନ ବାନ୍ଧବ ଦେବ ସ୍ୱାମୀ

।।

ନ ସହେ ସେବକ ବେଦନା

ଏଥିନିମନ୍ତେ ଚକ୍ରେ ବାନା

।।

ଉଡ଼ୁଛି ଫର ଫର ହୋଇ

ଭକ୍ତକୁ ରଖିବାର ପାଇଁ

।।

ତେଣୁଟି ପ୍ରଭୁ ଆଦିମୂଳ

ନ ସହି ସେବକ ବିକଳ

।।

ସଜ ହୋଇଲେ ବେଗ କରି

ଭାବେ ଗୋପାଳ ରୂପ ଧରି

।।

ନବୀନ ନୀଳଘନ ମୂର୍ତ୍ତି

ଶୁଇନ୍ଦ୍ର ନୀଳମଣି କାନ୍ତି

।।

ବଦନପୂର୍ଣ୍ଣ ଶଶଧର

ପଙ୍କଜ ନୟନ ରୂଚିର

।।

ଅତି ସୁରଙ୍ଗ ବିମ୍ୱାଧର

ସୁବର୍ଣ୍ଣ ନାସା ମନୋହାର

।।

ମୁଖେ ପ୍ରକାଶ ମନ୍ଦ ହାସ

ତଥୀ ପୁରିତ ସୁଧା ରସ

।।

କସ୍ତୁରୀ ତିଳକ ଲଲାଟେ

ସୁଗୁଞ୍ଜମାଳ କଣ୍ଠପଟେ

।।

ହେମ କଙ୍କଣ ବେନିଭୁଜେ

ରବି କିରଣ ଦର୍ପ ଗଞ୍ଜେ

।।

ମୁଦ୍ରିକା ଶୋହଇ ଅଙ୍ଗୁଳି

ଝଟକେ ନାନା ରତ୍ନେ ଝଳି

।।

ପୀତବସନ କଟୀମାଝେ

ଘନେ କି ସୌଦାମିନୀ ରାଜେ

।।

ତିଥିରେ ସୁବର୍ଣ୍ଣ ମେଖଳି

ହେମ ଘର୍ଘର ନାଦ ବଳୀ

।।

ଚରଣେ ନୂପୁର ବିରାଜେ

ଚାଲନ୍ତେ ରୁଣଝୁଣ ବାଜେ

।।

ଶ୍ରୀହସ୍ତେ ଲଉଡ଼ି ଶୋଭନ

ଯେସନେ ପାଳକ ଗୋଧନ

।।

ମସ୍ତକ ପରେ ଶିଖୀଚୂଳ

ତଥିବେଷ୍ଟିତ ଜାମୁଡାଳ

।।

ଶ୍ରବଣ ଯୁଗଳେ କୁଣ୍ଡଳ

ନୃତ୍ୟ କରଇ ଗଣ୍ଡସ୍ଥଳ

।।

ନାସା ପୁଟରେ ମୋତି ଶୋଭା

ଅଧରାମୃତ ପାନେ ଲୋଭା

।।

ହୋଇ ଅଛନ୍ତି ତେଜ ବନ୍ତ

କହି ନୁହଇ ଆଲୋକିତ

।।

ଏମନ୍ତ ବେଶେ ଦାମୋଦର

କାନ୍ଧରେ ବହିଛନ୍ତି ଭାର

।।

ନାନାଦି ଦ୍ରବ୍ୟ ତହିଁ ଭରି

କେ ପାରେ ତାହା ଅନ୍ତ କରି

।।

ସରୁ ଚାଉଳ ମୁଗ ଯାଇ

ଘୃତ ନବାତ ଦୁଧ ଦହି

ହଳ ସୋରିଷ ଯେ ଅଦା

କୁଟ ତିନ୍ତୁଳି ନୋଦା ନୋଦା

।।

ହେଙ୍ଗୁ ମରିଚ ଫୁଲବଡ଼ି

ସଙ୍ଗତେ ଅଛଇ କଉଡ଼ି

।।

ଇତ୍ୟାଦି ଦ୍ରବ୍ୟ ଭାରେ ଭରି

କେ ତାହା ପାରେ ଅନ୍ତ କରି

କେ କହିପାରିବ ସେ କଥା

ନାମ ଯାହାର ଜଗଜ୍ଜିତା

।।

ଯାର କଳ୍ପନା ମାତ୍ରେ ଜାଣ

ଅଶେଷ ବ୍ରହ୍ମାଣ୍ଡ ଭିଆଣ

।।

ତାର ଅପୂର୍ବ ଅବା କିସ

ଶୁଣ ସୁଜନେ ଏହୁ ରସ

।।

ଭକତ ହିତେ ଭାବଗ୍ରାହୀ

ଧାଇଁ ଅଛନ୍ତି ଭାର ବହି

।।

କେବଳ ଅତି ତୋରା ମନେ

ମିଳିଲେ ପଣ୍ଡାଙ୍କ ଭବନେ

।।

ତା ପୁରଦ୍ୱାରେ ଯାଇ ବିଜେ

ଡାକନ୍ତି ପ୍ରଭୁ ଦେବରାଜେ

।।

ମେଘ ଗମ୍ଭୀର ଧୀରବାଣୀ

ବ୍ରାହ୍ମଣ ଆକୁଳକୁ ଜାଣି

।।

ଡାକନ୍ତି ଅତ୍ୟନ୍ତ ସୁସ୍ୱରେ

କେ ଅଛି ପଣ୍ଡାଙ୍କର ଘରେ

।।

ବହନ ଆସ ମୋର ପାଶ

ନିଅ ତୁ କୁଟୁମ୍ୱର ଗ୍ରାସ

।।

ତା ଶୁଣି ପଣ୍ଡା ଭାର୍ଯ୍ୟା ଭୋକେ

ନିଦ୍ରା ନ ମାଡ଼େ ଅତି ଶୋକେ

।।

ବସି ବ୍ୟାକୁଳ ହେଉଥିଲା

ଏ ଡାକ ଶୁଣିଣ ଧାଇଁଲା

।।

କବାଟ ଫିଟାଇଣ ଦେଖି

ଚାହିଁ ରହିଲା ଚର୍ମ ଆଖି

।।

ବୋଲେ ଅଇଲା କାହୁଁ ବାବୁ

କନ୍ଧେ ବହିଛ କିସ ସବୁ

।।

କି କି ପଦାର୍ଥ ଏଥେ ଭରି

ଭାର ଯୋଗାଡ଼ ଯତ୍ନ କରି

।।

ରଖିଛ କହ କିନା ମୋତେ

ଶୁଣି ବୋଲନ୍ତି ଜଗନ୍ନାଥେ

।।

ପଣ୍ଡାଙ୍କ ମିତ୍ର ମୋତେ ରାଇ

ବୋଇଲେ ନେଇଯାଅ ତୁହି

।।

ଆଉ କା ହସ୍ତେ ଯେବେ ଦେବା

ଊଣା ଅଧିକ ହେବ ଅବା

।।

ତେଣୁଟି ତୁମ୍ଭ ନେଇ ଦେବ

ନିର୍ମଳ ସିନା ମୂଳ ଭାବ

।।

ଆମ୍ଭେ ଯେ ତାହାଙ୍କ ବିଶ୍ୱାସ

ଦଣ୍ଡେ ନ ଛାଡୁ ତାଙ୍କ ପାଶ

।।

ତାହାଙ୍କ ଆଜ୍ଞା ମାନିଥାଉ

ଯେଣେ ପେଶିଲେ ତେଣେ ଯାଉ

।।

ତେଣୁଟି ଅଇଲୁ ଗୋସାଇଁ

ଏ ଦ୍ରବ୍ୟ ଦେଇଯିବ ପାଇଁ

।।

ଯତ୍ନ କିରଣ ରଖ ଏହା

ଆମ୍ଭଙ୍କୁ କରିଥିବ ଦୟା

।।

କହିବ ପଣ୍ଡାଙ୍କ ଅଗ୍ରତେ

ମନେ ପକାଉଥିବେ ମୋତେ

।।

ଏମନ୍ତ ଶୁଣି ନାରୀବର

ତୁଣ୍ଡରୁ ନଇଲା ଉତ୍ତର

।।

ମନୁଷ୍ୟ ପ୍ରାୟ କରି ବୁଦ୍ଧି

ଚିହ୍ନିଲା ନାହିଁ ଦୟାନିଧି

।।

ଯା ମାୟା ଦେବେ ଅଗାଚାର

କାହୁଁ ଜାଣିବ ସ୍ତିରୀ ଛାର

।।

ବୋଇଲା ଆହେ ବାପ ଭାଇ

ବହନ ଭାର ଦିଅ ଥୋଇ

।।

ଦିଶୁଚ ଅତି ସୁକମାର

କନ୍ଧ ବଥାଉ ଥିବ ତୋର

।।

ତା ଶୁଣି ପ୍ରଭୁ ଦାମୋଦର

କନ୍ଧରୁ ରଖିଲେକ ଭାର

।।

ସମସ୍ତ ଦ୍ରବ୍ୟ ଭାରୁ କାଢି

ତଳେ ଥୋଇଲେ ଧାଡ଼ି ଧାଡ଼ି

।।

ହସି ବୋଲନ୍ତି ଚକ୍ରପାଣି

ଘେନି ଯା ପଣ୍ଡାର ଘରଣୀ

।।

ତାହା ଶୁରିଣ ବିପ୍ରନାରୀ

ବହିଲା ବେଗ ବେଗ କରି

।।

ଘରେ ଥୁଅନ୍ତେ ସେହୁ ଧନ

ସମ୍ପୂର୍ଣ୍ଣେ ପୂରିଲା ବହନ

।।

ବିଚାର କଲା ମନେ ତାର

ଏତ ବଡ଼ଇ ଚମତ୍କାର

।।

ଏହି ଭାରକ ସାମଗିରି

ରହିଲା ଘରଯାକ ପୂରି

।।

ଆଉ ରଖିବା ନାହିଁ ସ୍ଥାନ

ଧନ୍ୟ ସେ ଭାରୁଆ ଜୀବନ

।।

ଏମନ୍ତ ବୋଲି ବେଗେ ଯାଇ

ଭାରୁଆ ଆଗେ ଉଭା ହୋଇ

।।

ବୋଇଲା ଶୁଣ ବାବୁ ମୋର

କି ଜାତି ଗୋତ୍ର ଅଟେ ତୋର

।।

ଏକା ଭାରକେ ଦ୍ରବ୍ୟ ଏତେ

ବହିଣ ଆଣିଲୁ କେମନ୍ତେ

।।

ତା ଶଉରି ବୋଲନ୍ତି ଶ୍ରୀହରି

ଶଉର ଗୋ ବିପ୍ର ନରନାରୀ

।।

ଆମ୍ଭେ ଗୋପାଳ ପୁଅ ସିନା

ବ୍ରଜ ରାଜାଙ୍କ ସାନ ଯେନା

।।

ଘରେ ମୁଁ ନ ରହଇ କ୍ଷଣେ

ନିତ୍ୟେ ବୁଲଇ ଏଣେ ତେଣେ

।।

ବିଶ୍ୱାସ ଭାବ ଦେଖେ ଯାର

ଭାର ମୁଁ ବହଇ ତାହାର

।।

ତାକୁ ନ ଛାଡ଼େ ମୋର ମନ

ନିରତେ ଥାଏ ସନ୍ନିଧାନେ

।।

ସେ ମୋର ପତ୍ରପୁଷ୍ପ ଦେଲେ

ତାହା ମୁଁ ମଣେ ମେରୁ ତୁଲେ

।।

ଅଧିକ କି କହିବି ତୋତେ

ନିର୍ମଳ ଭାବ ଲୋଡ଼ା ମୋତେ

।।

ଏବେ ଏ ଭାର ଧନ ଯାହା

ଜାଗ୍ରତ କରି ରଖ ତାହା

।।

ଆମ୍ଭଙ୍କୁ ଦିଅସି ମେଲାଣି

ତା ଶୁଣି ବୋଲଇ ତରୁଣୀ

।।

ଏଡ଼େ ଗରୁଆ ଭାର ଧରି

ଯେବେ ଅଇଲା ମୋର ପୁରୀ

।।

କେମନ୍ତେ ଯିବ ଉପବାସେ

ଏକଥା ମନକୁ ନ ଆସେ

।।

ଦଣ୍ଡେ ବିଳମ୍ୱ ମାତ୍ର କର

ରନ୍ଧନ ହେଉଛି ଆମ୍ଭର

।।

ଅନ୍ନ ଭୋଜନ କରି ଯିବ

ତେବେ ସେ ମହତ୍ତ୍ୱ ରହିବ

।।

ନୋହିଲେ ପଣ୍ଡାଏ ଉଠନ୍ତେ

ଭଲ ସେ ନ ବୋଲିବ ମୋତେ

।।

ତା ଶୁଣି ପ୍ରଭୁ ଚକ୍ରପାଣି

ବୋଲନ୍ତି ଶୁଣ ପଣ୍ଡିଆଣୀ

।।

ବହୁ ଜଞ୍ଜାଳ ମୋର ଅଛି

ରହି ଆୟତ୍ତ ନୋହେ କିଛି

।।

ମୋହର ଯେତେକ ବିଷୟେ

କହିଲେ ଜାଣିବ ପଣ୍ଡାଏ

।।

ତାହାଙ୍କ ଅନ୍ନକୁ ମୋ ମନ

ଅବଶ୍ୟ କରନ୍ତି ଭୋଜନ

।।

ଜିହ୍ୱାରେ ଘାତ ହେଲା ମୋର

ରଧିର ବହେ ତିନିଧାର

।।

ଜଳୁ ତ ଅଛି ବଡ଼ ହୋଇ

ଏଣୁ ମୁଁ ଭୁଞ୍ଜି ନ ପାରଇ

।।

କହିବ ପଣ୍ଡାଙ୍କର ଆଗେ

ବୋଲି ଚଳିଲେ ଅତି ବେଗେ

।।

ଏଣେ ଯେ ପଣ୍ଡାଙ୍କର ନାରୀ

ବହନ ରନ୍ଧାବଢା ସାରି

।।

ଅତି ଆନନ୍ଦ ମନ ହୋଇ

ସ୍ୱାମୀଙ୍କି ଉଠାଇଲା ଯାଇ

।।

ବୋଇଲା ତୁମ୍ଭ କଥା ସତ୍ୟ

ବହନ ଉଠ ପ୍ରାଣନାଥ

।।

ତା ଶୁଣି ପଣ୍ଡାଏ ଉଠିଲେ

ନିଜ ଘରକୁ ଦୃଷ୍ଟି ଦେଲେ

।।

ଦେଖିଲେ ପୂରି ଅଛି ଧନ

ବୋଲେ ଏ କେମନ୍ତ ବିଧାନ

।।

ଶୁଣି ତା ପତ୍ନୀ ବିଧିମତେ

କହିଲା ସ୍ୱାମୀର ଅଗ୍ରତେ

।।

କେ ତୁମ୍ଭ ମିତ୍ର ଦେଲେ ପେଷି

ବୋଲେ ଗଉଡ଼ ଜଣେ ଆସି

।।

ଏ ସର୍ବ ଦେଇଗଲେ ମୋତେ

ମୁଁ ଯେ କହିଲି ନାନାମତେ

।।

ଅନ୍ନ ଭୋଜନ କରି ଯିବ

ତା ଶୁଣି ବୋଇଲେ ମୋ ଜିଭ

।।

ଘାତ ହୋଇଛି ତିନିଖଣ୍ଡ

କହିବା ଶକ୍ତି ନାହିଁ ତୁଣ୍ଡ

।।

ପୁଣି ଯେ ବହୁଛି ରୁଡ଼ିର

ଭୁଞ୍ଜିବା ଶକ୍ତି ନାହିଁ ମୋର

।।

କହିବ ପଣ୍ଡାଙ୍କ ଅଗ୍ରତେ

ଦୟା ଯେ କରିଥିବେ ମୋତେ

।।

ବୋଲି ବହନ ଗଲା ଚଳି

ଯେସନେ ଝଟକ ବିଜୁଳୀ

।।

ଦେଖି ମୁଁ ହେଲି ଆଚମ୍ୱିତ

ବୁଝ ଏ କେବଣ ଚରିତ

।।

ଏମନ୍ତ ଶୁଣି ପଣ୍ଡା ହୃଦେ

ବୁଡ଼ିଲେ ଆନନ୍ଦ ସମୁଦ୍ରେ

।।

ଜାଣିଲେ ନିଶ୍ଚେ ଚଉବାହା

ଆନନ୍ଦ ବେଳ ନୋହେ ଏହା

।।

ବୋଇଲେ ଧନ୍ୟ ତୋ ଜୀବନ

ଦେଖିଲୁ ପ୍ରଭୁ ଭଗବାନ

।।

ଶୁକ ସନକ ମୁନିବର

ଏହାଙ୍କ ଧ୍ୟାନକୁ ଯେ ଦୂର

।।

ତୁ ତାହା ଦେଖିଲୁ ସାକ୍ଷାତେ

ସୌଭାଗ୍ୟ ବୋଲିବି ମୁଁ ତୋତେ

।।

ଯାହା ଦେଖିଲି ତୋତେ ବାରେ

ମୋ ଭାଗ୍ୟ କହିଲେ ନ ସରେ

।।

ଏବେ ତୁ ହେତୁ କରି ଶୁଣ

ସେଟି ଅନାଦି ନାରାୟଣ

।।

ଯାହା ସେ କହିଗଲେ ତୋତେ

କହିବ ପଣ୍ଡାଙ୍କ ଅଗ୍ରତେ

।।

ଘାତ ହୋଇଛି ଜିହ୍ୱା ମୋର

ସେଟି ଅର୍ଜିଲା କର୍ମ ତୋର

।।

ଏ ଭଗବତ ଗୀତା ସିନା

ସାକ୍ଷାତେ ଗୋବିନ୍ଦ ରଚନା

।।

ତହିଁ କାଟିଲୁ ତିନିଗାର

ଦୁଃଖ ପାଇଲେ ପ୍ରଭୁ ମୋର

।।

ଏବେ ସତ୍ୱରେ ଚାଲ ଯିବା

ଶ୍ରୀମୁଖ ଦର୍ଶନ କରିବା

।।

ଛାମୁରେ ଜଣାଇବା ପାଇଁ

ଏଥର କ୍ଷମା ଭାବଗ୍ରାହୀ

।।

ନୋହିଲେ ନାହିଁ ପରିତ୍ରାଣ

ବୋଲି ଧାଇଁଲେ ବେନି ଜନ

।।

ଛାମୁରେ ପ୍ରବେଶ ହୋଇଲେ

ବେନି ନୟନେ ଅନାଇଲେ

।।

ଶ୍ରୀରଙ୍ଗା ଅଧରୁ ରୁଧିର

ବହୁ ଅଛଇ ତିନିଧାର

।।

ତା ଦେଖି ପଣ୍ଡା ଧରହରେ

ନମିଲେ ପ୍ରଭୁଙ୍କ ପୟରେ

।।

ସାଷ୍ଟାଙ୍ଗେ ଦଣ୍ଡବତ ହୋଇ

ଉଠି କପାଳେ କର ଦେଇ

।।

ବୋଇଲେ ନର ମାତ୍ର ଛାର

ମହିମା କି ବର୍ଣ୍ଣିବି ତୋର

।।

ଏ ଚତୁର୍ଦ୍ଦଶେ ପ୍ରଭୁପଣେ

ତୋ ସମ ନାହିଁ ଅନ୍ୟ ଜଣେ

।।

ଏମନ୍ତ ପ୍ରଭୁ ସେବା ଛାଡ଼ି

ଯେ ଅନ୍ୟ ମାର୍ଗ ଯାଏ ହୁଡ଼ି

।।

ଧିକହୁଁ ଧିକ ସେହୁ ନର

ସେ କାହିଁ ଭବୁ ହେବେ ପାର

।।

ଏମନ୍ତ ବୋଲି ସ୍ତୁତି କରି

ନମୋ ବ୍ରହ୍ମାଣ୍ଡ ଅଧିକାରୀ

।।

ଏ ମହାପାପୀ ସ୍ତିରୀ ଛାର

ଦ୍ରୋହ ଯେ କଲା ଶ୍ରୀ ପୟର

।।

କ୍ଷମା ନ କଲେ ଭଗବାନ

ନାହିଁ ଏ ତ୍ରିଭୁବନେ ସ୍ଥାନ

।।

ଭୃତ୍ୟ ଯେ ସଦା ଅପରାଧୀ

ତୁମେ ଯେ କରୁଣା ବାରିଧି

।।

କେବଳ ଏହି ଆଜ୍ଞା ହେଉ

ତୋ ନାମ ଧରି ଦିନ ଯାଉ

।।

ଏମନ୍ତ କହିଣ ମେଲାଣି

ହେଲେ ଛାମୁରୁ ବେନି ପ୍ରାଣୀ

।।

ବହନ ହୋଇ ଚାଲିଗଲେ

ମନ୍ଦିରେ ପ୍ରବେଶ ହୋଇଲେ

।।

ପୁତ୍ର ପୁତ୍ରୀକି ସଙ୍ଗେ ଧରି

ଅନ୍ନ ଭୋଜନ ସର୍ବେ କରି

।।

ନିଶ୍ଚିନ୍ତ ହୋଇ ଦିନ ନେଲେ

ଅନେକ ବିଧି ଭୋଗ କଲେ

।।

ଦେବା ଦୟାରେ ଦୃଢ ଚିତ୍ତ

ଭଜନ କରି ଜଗନ୍ନାଥ

।।

ବଞ୍ଚିଲେ କାଳ ବେନି ଜନ

ଶୁଣ ହେ ସୁମନ ରାଜନ

।।

ଦେହ ଅନ୍ତରେ କଲେ କିସ

ତାହା ଜାଣନ୍ତି ଜଗଦୀଶ

।।

କହଇ ବିପ୍ର ରାମଦାସ

ମୋ ପ୍ରଭୁ ଜାନକୀ ବିଳାସ

।।

ଏ ଦାର୍ଢ୍ୟଭକ୍ତ ରସାମୃତ

ପ୍ରାଣୀଙ୍କ ଶ୍ରବଣେ ଅମୃତ

।।

ସୁଜନେ ଏହି ପଥେ ଗମ

ଫିଟିବ ଜନ୍ମ ମୃତ୍ୟୁଭ୍ରମ

।।

କହଇ ବିପ୍ର ରାମଦାସ

ମୂଳଟି ଅଟଇ ବିଶ୍ୱାସ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନଚୈତନ୍ୟ ସମ୍ୱାଦେ

ଗୀତାପଣ୍ଡା ଚରିତ ବର୍ଣ୍ଣନେ ନାମ ପଞ୍ଚତ୍ରିଂଶୋ ଧ୍ୟାୟଃ ।

•••

 

Unknown

ଷଷ୍ଠତ୍ରିଂଶ ଅଧ୍ୟାୟ

ହରିଚନ୍ଦନ ରାଜା ସମ୍ୱାଦ

ମନଉବାଚ

 

କହଇ ମନ ଚଇତନ୍ୟ

ଏ ତୋର ଦୁର୍ଲ୍ଲଭ ବଚନ

।।

ଶୁଣିଲି ଗୀତାପଣ୍ଡା ଭାବ

ଦୁର୍ଲ୍ଲଭ ପରେ ଏ ଦୁର୍ଲ୍ଲଭ

।।

ଏହି ପ୍ରକାରେ କଥା ଯେତେ

କହି ପବିତ୍ର କର ମୋତେ

।।

ଶୁଣ ଚୈତନ୍ୟ ଅତି ତୋଷେ

କହଇ ମହାରାଜା ପାଶେ

।।

କେବଳ ଶୁଣ ଶ୍ରଦ୍ଧାଭାବେ

ମୁଁ ଯାହା କହୁଅଛି ଏବେ

।।

କ୍ଷେତ୍ରକୁ ଛଡ଼ା ଦଶକ୍ରୋଶ

ଯେ ବାଣପୁର ନାମେ ଦେଶ

।।

ତହିଁ ନୃପତି ମୋକ୍ଷବାନ

ନାମ ତା ଶ୍ରୀ ହରିଚନ୍ଦନ

।।

ସେ ରାଜ୍ୟେ ରାଜପଣ କରି

ପ୍ରଜା ପାଳଇ ପୁତ୍ର ପରି

।।

ଶୁଚି ପବିତ୍ର ଦୟାବନ୍ତ

ନ ହରେ ପରନାରୀ ଚିତ୍ତ

।।

ଦାନୀ ପଣରେ ସେହୁ ଜଣେ

ବଞ୍ଚଇ ଭଜନ ସ୍ମରଣେ

।।

ପାପ ବୋଲିବା କଥା ଯାହା

ଶ୍ରବଣେ ନ ଶୁଣିଇ ତାହା

।।

ଦେଖିଲେ ବୈଷ୍ଣବ ଗୋସାଇଁ

ଆନନ୍ଦ କହି ନ ସରଇ

।।

ଚରଣ ଥାଇ ମୋଦ ଭରି

ପୂଜଇ ବିଷ୍ଣୁ ସମକରି

।।

ଦୁଃଖୀ ଦରିଦ୍ର ପୋଷିବାରେ

କେବଣ ତାହାଠାରୁ ସରେ

।।

ଭଜନ ରାମକୃଷ୍ଣ ବିନେ

ଅନ୍ୟେ ନ ଜାଣେ ତାର ମନେ

।।

ଅଛବ ଜାତି ହୋଇଥିଲେ

ସେ ଯେବେ ରାମକୃଷ୍ଣ ବୋଲେ

।।

ତାହାକୁ ନ କରେ ନିରାଶ

ବୋଲଇ ପାଶେ ମୋର ବସ

।।

ଗୋଟିଏ ନାମ ଯେବେ ଶୁଣେ

କୋଟିଏ ତୀର୍ଥପରି ମଣେ

।।

ତା ବେହରଣ ମଣ୍ଡପରେ

ଚାରି ପାଶର ଘର ବାଡ଼େ

।।

କରଇ ଅତ୍ୟନ୍ତ ବିଚିତ୍ର

କେବଳ ରାମକୃଷ୍ଣ ଚିତ୍ର

।।

ଯେ ବୃନ୍ଦାବନ ଲୀଳାମାନ

ଗୋପୀ ଗୋବିନ୍ଦ କ୍ରୀଡ଼ାସ୍ଥାନ

।।

ତୃଣା ପୁତନା ଶଣ୍ଢା କେଶୀ

ଶକଟା ଯାମଳା ବିନାଶି

।।

ବକା ଅର୍ଘାଦି ନାଶ ଯେତେ

ଚିତ୍ର କରାଇ ବିଧିମତେ

।।

ନିତ୍ୟେ କରଇ ଦରଶନ

ଆନନ୍ଦ ହେଉଥାଇ ମନ

।।

ଯେ ଶୁଆ ଶାରୀ ରାଜବଣୀ

ପୋଷିଣ ଥାଇ ନୃପମଣି

।।

ତାହାଙ୍କ ମୁଖୁଁ ନାମାବଳୀ

ଶୁଣି ପୁଲକେ ରୋମାବଳୀ

।।

କେବଳ ସାଧୁଜନ ପାଶେ

ବଞ୍ଚଇ ରଜନୀ ଦିବସେ

।।

ହରି ଚରିତ ସାଧୁବାଣୀ

ଆନନ୍ଦ ହେଉଥାଇ ଶୁଣି

।।

ପ୍ରତି ଦିନରେ ପେଷି ଦୂତ

ବୁଝଇ ରାଜ୍ୟ ହକିକତ

।।

ନାଗରା ଓଟ ପୃଷ୍ଠେ ଦେଇ

ରାଜାର ଘୋଷଣା ଦିଅଇ

।।

ବୋଲନ୍ତିଶୁଣ ପ୍ରଜାକୁଳ

ରାଜାର ଆଜ୍ଞା ଏ କେବଳ

।।

ଅତିଥି ଯେଉଁ ଗ୍ରାମେ ଆସି

ଅନ୍ନ ନ ପାଇ ଯିବେ ରୁଷି

।।

ସେ ଗ୍ରାମମାନଙ୍କ ମହତ

ସାରିବି କହୁଅଛି ସତ୍ୟ

।।

ତାର ସର୍ବସ୍ୱ କୋଠ ହେବ

ରାଜ୍ୟୁ ବାହାର ହୋଇଯିବ

।।

ଯେ ଯେବେ ଇଚ୍ଛା ଧର୍ମ କରୁ

ଲେଖି ସେ ନେବ ସରକାରୁ

।।

ଏଥି ସଂଶୟ ନାହିଁ କିଛି

ରାଜାର ଆଜ୍ଞା ହୋଇଅଛି

।।

ଏମନ୍ତ ତାଗିଦ କରାଇ

କହନ୍ତି ରାଜା ଆଗେ ଯାଇ

।।

ଶୁଣି ସୁମନ ସାବଧାନେ

ଏମନ୍ତେ ବରଷକେ ଦିନେ

।।

ତା ନିଜ ରାଜ୍ୟ ବୁଲିଯାଇ

ଦେଖଇ ଗ୍ରାମ ଗ୍ରାମ ହୋଇ

।।

ଦୁଃଖୀ ଦରିଦ୍ର ଦ୍ୱାରେ ଭଲେ

ତୁଳସୀ ବୃକ୍ଷ ନ ଦିଶିଲେ

।।

ସେହି ଠାବରେ ରାଜା ରହି

ତୁଳସୀ ଚଉରା ତୋଳାଇ

।।

ଶ୍ରୀ ବୃନ୍ଦାବତୀ ଆରୋପଣ

କରି ବୋଲନ୍ତି ତାକୁ ଶୁଣ

।।

ନିତି ପ୍ରତି ତୁ ଦୀପାବଳୀ

ଦେବୁ ଏ ବୃକ୍ଷ ଆଗେ ଜାଳି

।।

କିଛି ତୁ ଭୋଗ ଦେଇଥିବୁ

ଲେଖିଣ ସରକାର ନେବୁ

।।

ଏମନ୍ତ କହିଯାନ୍ତି ଚଳି

କାହିଁ ବା ପାଞ୍ଚ ସାତ ମିଳି

।।

କରରେ କଙ୍କତିକା ଧରି

କେଶ ଶ୍ୟାମଳୀ କୀଟ ମାରି

।।

ତାହା ଦେଖିଲେ ଦଣ୍ଡଧାରୀ

ମାଗନ୍ତି ପଣନ୍ତ ପ୍ରସାରି

।।

ବୋଲନ୍ତି ଏ କୀଟ ନ ମାର

ଆନ ଉପାୟ ଥିଲେ କର

।।

ଝଡ଼ି ପଡ଼ନ୍ତୁ ତାଙ୍କ ସୁଖେ

ନୋହିଲେ ପଡ଼ିବ ନ ରକେ

।।

ସେ ଗ୍ରାମଜନଙ୍କୁ ଡକାଇ

କହନ୍ତି ଶାସ୍ତ୍ରକୁ ଦେଖାଇ

।।

ପନ୍ଦର ଦିନେ ହରି ବାସ

କରୁ ଯେ ଥିବଟି ଅବଶ୍ୟ

।।

ନିତ୍ୟେ ନିର୍ମାଲ୍ୟ ସେବା କର

କରୁ ଯେ ଥିବଟି ଆଚର

।।

ତିଳକ କରି ଭାଲପଟେ

ତୁଳସୀମାଳ କଣ୍ଠ ତଟେ

।।

ତୁଣ୍ଡରେ ଶ୍ରୀହରି ଭଜନ

ଶକ୍ତ୍ୟାନୁକ୍ରମେ ଦେବ ଦାନ

।।

ସକଳ ଜୀବେ ଦୟାଭାବ

ଅତିଥି ଚରଣେ ପୁଜିବ

।।

କହିଣ ଗଲି ତୁମ୍ଭ ଭଲ

କର ବା ନକର ମୋ ବୋଲ

।।

ପ୍ରତି ଗ୍ରାମରେ ଏହି ମତି

ତିଆରି ଚଳନ୍ତି ନୃପତି

।।

ଏମନ୍ତେ କେତେଦିନ ଠାରେ

ସେ ରାଜ୍ୟେ ଏକ ପ୍ରଜାଘରେ

।।

ସୁନା କାକରା ଗୋଟି ଧରି

ଧାନ ଗଉଣୀ ପରେ ଭରି

।।

ପୂଜା କରନ୍ତି ଗୁରୁବାର

ତାହା ଦେଖିଣ ଏକ ନର

।।

ପରି ହିଂସ୍ରକ ଜନ ସେହି

ତା ଦେଖି ନ ପାରିଲା ସହି

।।

ବହନ ହୋଇ ଚଳିଗଲା

ନୃପତି ଛାମୁରେ କହିଲା

।।

ବୋଇଲା ସୁବର୍ଣ୍ଣ କାକେରୀ

ତାହାର ଘରେ ଅଛି ପୂରି

।।

ମିଥ୍ୟା ଏ ନୁହଇ ଅବଶ୍ୟ

ରାଜଭଣ୍ଡାରେ ଘେନି ଆସ

।।

ତାହା ଶୁଣିଣ ରାଜା ଆସି

ତାକୁ ରଖାଇ ଦୂତ ପେଷି

।।

ବୋଇଲେ ଯାଅ ବେଗ କରି

ହେମ କାକେରିୟାକୁ ଧରି

।।

ଆମ୍ଭ ଛାମୁକୁ ଘେନି ଆସ

ବୁଝିବାଏଥିର ସନ୍ଦେଶ

।।

ଆଜ୍ଞା ପ୍ରମାଣେ ଦୂତେ ଗଲେ

ସେ ପ୍ରଜା ଆଗରେ କହିଲେ

।।

ଶୁଣି ସେ ମହାଭୟ ପାଇ

ବଚନ ନ ପାରଇ କହି

।।

ନୃପତି ବୋଇଲେ ରେ ଶୁଣ

ଆଉ କେତେ ହେଁ ଅଛି ଋଣ

।।

ତା ଶୁଣି ସେ ପ୍ରଜା ଆକୁଳେ

ପଡ଼ି ନୃପତି ପାଦତଳେ

।।

ବିନୟ ହୋଇ ସେ କହିଲା

ସର୍ବେ ମୋ ଏତିକି ହୋଇଲା

।।

ବହୁତ କାଳୁ ଅଛି ଏହି

ଧାନ ଗଉଣୀ ପରେ ଥୋଇ

।।

ପୂଜା କରଇ ଗୁରୁବାରେ

ଦେଖି କେ କହିଲା ଛାମୁରେ

।।

ଏଥୁ ଅଧିକେ ଥିଲେ ଜାଣ

ଯେ ଇଚ୍ଛା କରିଣ ପ୍ରମାଣ

।।

ଶୁଣି ନୃପତି ହସ ହସ

ତାକୁ ବୋଇଲେ ଦଣ୍ଡେ ବସ

।।

ଏମନ୍ତ କହି ଦୂତ ପେଶି

ଡକାଇ ଆଣି ଏକ ଦାସୀ

।।

ସବୁ କହିଲେ ବିଧିମତେ

ସୁନା କାକେରୀ ତାର ହସ୍ତେ

।।

ଦେଇ ପେଷିଲେ ନୃପବର

ଏହା ହି ନେଇଣ ସତ୍ୱର

।।

ମହାଦେଈଙ୍କ ହସ୍ତେ ଦେବୁ

ସମସ୍ତ ବୁଝାଇ କହିବୁ

।।

ତା ଶଉରି ଦାସୀ ବେଗେ ଚଳି

ଅନ୍ତଃପୁରରେ ଯାଇ ମିଳି

।।

କମଳା ମହାଦେଈଙ୍କ ହସ୍ତେ ଦେବୁ

ସମସ୍ତ ବୁଝାଇ କହିବୁ

।।

ତା ଶଉରି ଦାସୀ ବେଗେ ଚଳି

ଅନ୍ତଃପୁରରେ ଯାଇ ମିଳି

।।

କମଳା ମହାଦେଈ ପାଶ

ଯାଇ ସେ ହୋଇଲା ପ୍ରବେଶ

।।

ବୋଇଲା ଶୁଣ ଗୋ ମାଏ

ଏ ବଡ଼ ଅପୂର୍ବ କଥାଏ

।।

ଦେଇ ଅଛନ୍ତି ନୃପମଣି

ଶୁଣି ଅଇଲା ମହାରାଣୀ

।।

ସ୍ୱହସ୍ତେ ଧରି ପଚାରିଲେ

ଏ ଦ୍ରବ୍ୟ କାହୁଁ ଭିଆଇଲେ

।।

ଦାସୀ କହିଲା ଶ୍ରୀ ଛାମୁରେ

ଏ ରାଜ୍ୟେ ଏକ ପ୍ରଜାଘରେ

।।

ଧାନ ଗଉଣୀ ପରେ ଥୋଇ

ସେ ପୁଣି ପୂଜା କରୁଥାଇ

।।

ତା ଦେଖି କେଉଁ ଦୁଷ୍ଟ ନର

କହିଲା ନୃପତି ଛାମୁର

।।

ତାହା ଶୁଣି ଦୂତ ପେଷି

ତା ଘରୁ ତଣ୍ଡି ଘେନି ଆସି

।।

ପେଷିଣ ଦେଲେ ଖଣ୍ଡଦୂରେ

ଶୁଣି କୋପିଲେ ମହାଦେଈ

।।

ଫିଙ୍ଗିଣ ଦେଲେ ଖଣ୍ଡଦୂରେ

ବୋଇଲେ କି କଲୁ ତୁ ମୋରେ

।।

ଏ ପାପ ଛାଡ଼ିବ କେମନ୍ତେ

ବିପ୍ରକୁ ଡାକ ଲୋ ତ୍ୱରିତେ

।।

ଦାସୀ ବିପ୍ରଙ୍କୁ ଡକାଇଲେ

ଅନେକ ପାଦ ପୂଜା କଲେ

।।

ଆପଣା ଅଙ୍ଗ ଅଳଙ୍କାର

କାଢିଣ ରଖିଲେ ଆଗର

।।

ସେ ସୁନା କାକରା ସମାନ

ତୁଳି ବିପ୍ରଙ୍କୁ ଦେଲେ ଦାନ

।।

ବୋଇଲେ ଦାସୀ କି ସମାନ

ତୁଳି ବିପ୍ରଙ୍କୁ ଦେଲେ ଦାନ

।।

ବୋଲିବୁ ନିଅ ତୁମ୍ଭ ସୁନା

ଏଥକୁ ଯୋଗ୍ୟ ତୁମ୍ଭେ ସିନା

।।

ସେ ତ ଅବଳା ଏକେ ଭୀରୁ

କାହୁଁ ସହିବେ ଏଡ଼େ ଗରୁ

।।

ଏମନ୍ତ ଶୁଣି ଦାସୀ ନେଲା

ଛାମୁରେ ସୁବର୍ଣ୍ଣ ଥୋଇଲା

।।

ବୋଇଲା ନମୋ ଦଣ୍ଡଧାର

ନିଅ ଏ କାକରା ତୁମ୍ଭର

।।

ଏଥିନିମନ୍ତେ ଦଣ୍ଡ ଯେତେ

ପାଇଲୁ ରାଣୀଙ୍କର ହସ୍ତେ

।।

ଅଧିକେ ଶ୍ରୀଅଙ୍ଗେ ଭୂଷଣ

ପ୍ରାଶ୍ଚିତ୍ତେ ନେଲେ ବୀପ୍ରଗଣ

।।

ଏମନ୍ତେ କହିଗଲା ଦାସୀ

ଶୁଣି ନୃପତି ମନ୍ଦେ ହସି

।।

ସେ ପ୍ରଜା ହସ୍ତେ ଆଣି ଦେଲେ

ତୋ ଧନ ନିଅ ତୁ ବୋଇଲେ

।।

ଲୁଚାଇ ପୁଜୁଥିଲୁ ଘରେ

ଏବେ ତୁ ପୂଜ ହେ ଦାଣ୍ଡରେ

।।

ଏମନ୍ତ ଆଜ୍ଞା ତାକୁ ଦେଇ

ସେ ଯେଉଁ ଖଚୁଆକୁ ରାଇ

।।

ତା ସର୍ବେ କୁଟୁମ୍ବର ତୁଲେ

ରାଜ୍ୟୁ ବାହାର କରିଦେଲେ

।।

ଶୁଣ ହୋ ମନ ମହାରଥି

ଏମନ୍ତ ଦୟାଳୁ ନୃପତି

।।

କେବଳ ପୂର୍ବକର୍ମ ତାର

ନାହିଁ ତା ଦୁହିତା କୁମାର

।।

ତହିଁକି ନାହିଁ କ୍ଷୋଭଗତି

ତେଣୁ ସେ ଜାଣେ ବିଷ୍ଣୁଭକ୍ତି

।।

ସେ ପତି ପତ୍ନୀ ବେନି ଜଣ

ଗୋବିନ୍ଦ ଭାବରେ ନିପୁଣ

।।

ସକଳ ଜୀବେ ଦୟା ବହି

ମାଛିକି ମାର ନ ବୋଲାଇ

।।

ସୁଖେ ଏମନ୍ତ ରାଜ୍ୟ କରେ

ତା ଯଶ ପୂରିଲା ସଂସାରେ

।।

ଲୋକେ ବୋଲନ୍ତି ଧନ୍ୟ ଧନ୍ୟ

ଧନ୍ୟ ସେ ଶ୍ରୀହରି ଚନ୍ଦନ

।।

ମୁନିମାନଙ୍କ ଆୟ ପାଉ

ଏ ରାଜ୍ୟ ଚିରଜୀବୀ ହେଉ

।।

ଏମନ୍ତ ପ୍ରଶଂସା କରନ୍ତି

କାଳ ବଞ୍ଚିଲା ସେ ନୃପତି

।।

ପୁଣି କେତେକ କାଳ ଗଲା

ସେ ରାଜା ପତ୍ନୀଭ୍ରଷ୍ଟ ହେଲା

।।

ଦଶାଦି ଶୁଦ୍ଧକର୍ମ ସାରି

ବିଚାର କଲେ ଦଣ୍ଡଧାରୀ

।।

ରାଜ୍ୟରେ ପ୍ରୟୋଜନ କିସ

ଦୁର୍ଲ୍ଲଭ ହେବାର ସନ୍ନ୍ୟାସ

।।

ଏମନ୍ତ ବୋଲି ଦୂତ ପେଷି

ଡକାଇ ଆଣି ପାଟଯୋଷି

।।

ଯେ ପାତ୍ର ମନ୍ତ୍ରୀ ଅମନାତ୍ୟେ

ରାଜ୍ୟର ବଡ଼ଲୋକ ଯେତେ

।।

ପ୍ରଜା ପାଟକ ଆଦି କରି

ଡକାଇ ଆଣି ଦଣ୍ଡଧାରୀ

।।

ଆପଣା ପୁତୁରାକୁ ଆଣି

ରାଜ୍ୟ ସମର୍ପି ଦେଲେ ପୁଣି

।।

ଖୋଜାଇ ଶୁଭ ଅନୁକୂଳ

ପାଟ ବନ୍ଧାଇ ମହୀପାଳ

।।

ବୋଇଲେ ଶୁଣ ସର୍ବଜନ

ଆଝୁଁ ଏ ରାଜ୍ୟେ ରାଜା ଜାଣ

।।

ପ୍ରଜା କୁଳକୁ ପୁତ୍ର କରି

ପାଳିବୁ ଅତି ଯତ୍ନ କରି

।।

ହେବା ଦୟାରେ ଥିବୁ ରତ

ନିରତେ ହେବୁ ବିଷ୍ଣୁ ଭକ୍ତ

।।

ସେବିବୁ ଗୁରୁଙ୍କ ଚରଣେ

ଅପ୍ରାଧି ନୋହି ବିପ୍ରଗଣେ

।।

ଦୁଃଖୀ ଦରିଦ୍ରେ ଦେବୁ ଦାନ

ନ ହକି ନିରାଶ ବଚନ

।।

ଶିବ ଭବାନୀ ଖଞ୍ଜା ଯେତେ

ଖଣ୍ଡିବୁ ନାହିଁ କଦାଚିତ୍ତେ

।।

ପୁର୍ବେ ଯେ ଭୋଗ କଲା ଯେତେ

ପାଳିବୁ ସେହି ବିଧିମତେ

।।

ଏ ରୂପେ ଶୁଭେ ପାଳ ଦେଶ

ଆମ୍ଭେ କରିବୁ ବନବାସ

।।

ଏମନ୍ତ କହି ଦଣ୍ଡଧାରୀ

ଡୋରେ କୌପୁନୀ ଆଶ୍ରେକରି

।।

ରାଜ୍ୟ ସମ୍ପଦ ତେଜି ଖରେ

ରହିଲେ ପର୍ବତ ଉପରେ

।।

ସକଳ ଚିନ୍ତା ଛାଡ଼ି ମନେ

କେବଳ ଶ୍ରୀକୃଷ୍ଣ ଭଜନେ

।।

ଏଣେ ପୁତୁରା ରାଜା ହୋଇ

କେତେ ବା ଦିନ ଗଲା ବହି

।।

ଦିନକୁ ଦିନ ସେ ଅଜ୍ଞାନ

ମନ୍ଦ କର୍ମରେ ଦେଲା ମନ

।।

ଦ୍ୟୁତ ଶକଟା ପଶା ରଙ୍ଗେ

ମାତିଲା ବେଶ୍ୟାଗଣ ସଙ୍ଗେ

।।

ମେଷ ମୁକୁଟ ଯୁଦ୍ଧମାନ

ମାଦକ ଦ୍ରବ୍ୟ କଲା ପାନ

।।

ଅନ୍ୟାୟ କଲା ସେ ବହୁତ

ହରିଲା ପରନାରୀ ଚିତ୍ତ

।।

ପ୍ରଜା କୁଳକୁ ଦେଲା ଦୁଃଖ

ଭିକାରୀ ନ ପାଇଲେ ଭିକ

।।

ସାଧୁଙ୍କ ସଙ୍ଗ କଲା ଦୂର

ବିପ୍ରଙ୍କୁ ଦେଖଇ ବୋଲେ ମାର

।।

ହରି ଭକତି ମାର୍ଗ କଥା

ନ ଶୁଣେ ଶ୍ରବଣେ ସର୍ବଥା

।।

ଅନ୍ୟାୟ ଉପଦ୍ରବ ଯେତେ

ଯହୁଁ ସେ କଲା ଅପ୍ରମିତେ

।।

ସହି ନ ପାରି ପ୍ରଜାକୁଳ

ସମସ୍ତେ ହେଲେ ଏକ ଠୁଳ

।।

ବୋଇଲେ ରାଜା ଆଗେ ଯାଇ

ସମସ୍ତେ ପାଦେ ପଡ଼ି ଶୋଇ

।।

ଏମନ୍ତ କହି ଚଳିଗଲେ

ସୋଲର ପର୍ବତେ ମିଳିଲେ

।।

ଭେଟିଲେ ରାଜା ଆଗେ ଯାଇ

ସମସ୍ତେ ପାଦେ ପଡ଼ି ଶୋଇ

।।

ଉଠି କପାଳେ ଦେଲେ କର

ବୋଲନ୍ତି ନମୋ ଦଣ୍ଡଧର

।।

ତୋ ଯଶଚନ୍ଦ୍ର ଆହାଲ୍ଲାଦେ

ସର୍ବେ ବଞ୍ଚିଲୁ ଅପ୍ରମାଦେ

।।

ଏ ତୁମ୍ଭ ପୁତୁରା ପ୍ରତାପ

ଦ୍ୱିତୀୟ ଅନଳ ସ୍ୱରୂପ

।।

ଅନ୍ୟାୟ ଉପଦ୍ରବ୍ୟ ଯେତେ

ତାହା କରିବୁ ଅବା କେତେ

।।

ନ ସହି ପାରି ସର୍ବଜନ

ଅଇଲୁ ତୁମ୍ଭ ସନ୍ନିଧାନ

।।

ଏ ତୁମ୍ଭ ଚରଚା ନ କରି

ବୋଲଇ ବୃଦ୍ଧ ଦଣ୍ଡଧାରୀ

।।

ବନସ୍ତେ ରହିଅଛି ଯାଇ

ତପସ୍ୱୀଜନ ପ୍ରାୟ ହୋଇ

।।

ତାହାକୁ ନ ଦିଅରେ କିଛି

ଖାଉ ସେ ଫଳମୂଳ ଭକ୍ଷି

।।

ଜୀଇଲେ ଜୀଉ ମଲେ ମରୁ

ଆମ୍ଭ ଅରିଷ୍ଟମାନ ସରୁ

।।

ଏମନ୍ତ ବୋଲଇ ତୁମ୍ଭଙ୍କୁ

ଶୁଣି ବିଦାରି ହୁଏ ବୁକୁ

।।

ଆଉ ଯେ ପ୍ରଜାକୁଳ ଯେତେ

ରଖିବ ନାହିଁ କଦାଚିତ୍ତେ

।।

ଏଥୁଁଟି ଆମ୍ଭର ମରଣ

ହେ ରାଜା ହେଲା ବୋଲି ଜାଣ

।।

ତା ଶୁଣି ଶ୍ରୀହରିଚନ୍ଦନ

ଅଙ୍ଗ ହୋଇଲା କମ୍ପମାନ

।।

ପୁଲକ ହେଲା ରୋମାବଳୀ

ନେତ୍ରୁ ଲୋତକ ଧାରା ଗଳି

।।

ହୃଦରୁ ଉଡ଼ିଲା ସାହସ

ବହିଲା ପ୍ରଖର ନିଃଶ୍ୱାସ

।।

ବଦନୁ ବଚନ ନ ସ ସ୍ପୁରି

ବୋଇଲା କି କଲେ ଶ୍ରୀହରି

।।

ଏମନ୍ତ ବୋଲି ପେଷେ ଦୂତ

କହିବ ପୁତୁରା ଅଗ୍ରତେ

।।

ବୋଲିବ ପିତାଙ୍କ ସନ୍ଦେଶ

ବହନ ହୋଇ ଥରେ ଆସ

।।

ତା ଶୁଣି ଦୂତେ ଚଳିଗଲେ

ମନ ନୃପତି ପାଶେ ହେଲେ

।।

ବୋଇଲେ ପିତା ଆଜ୍ଞା ଆସ

ବହନ ଯିବା ରାଜା ପାଶ

।।

ଶୁଣି କୁମର କ୍ରୋଧଭରେ

ବୋଇଲେ ଦୂତଙ୍କ ଆଗରେ

।।

ଆହୁରି ଆଜ୍ଞା ବୋଲିବାର

ପୁଚ୍ଛିବା ଅଛିକି ତୁମ୍ଭର

।।

ରହିଲା ସନ୍ନ୍ୟାସୀ ହୋଇଣ

ପ୍ରଜା ଗୁହାରୀ କେତେ ଶୁଣ

।।

ଦଇବେ ବୃଦ୍ଧକାଳ ହେଲା

ବୋଲେ ତୁମ୍ଭର କିସ ଗଲା

।।

କାହିଁରେ କିଛି ହିଁ କି କହ

ଅଦୃଷ୍ଟ ମାନି ସୁଖେ ରହ

।।

ତା ଶୁଣି ଦୂତେ ଗଲେ ଚଳି

ବୃଦ୍ଧ ରାଜାର ପାଶେ ମିଳି

।।

ବୁଝାଇ କହିଲେ ସମସ୍ତେ

ଶୁଣି ରାଜନ ସ୍ତମ୍ଭୀଭୂତ

।।

ବୋଇଲେ ଆହେ ଧର୍ମ ଦେବ

ତୋତେ ଗୋଚର ସିନା ସର୍ବ

।।

ଏଥକୁ ସାକ୍ଷୀ ତୁ କେବଳ

ସାକ୍ଷୀ ଯେ ଦଶଦିଗପାଳ

।।

ବାସୁକି ଆଦି ନାଗ ଯେତେ

ଏଥକୁ ସାକ୍ଷୀ ଏ ସମସ୍ତେ

।।

ଆଜୁହୁଁ ମୋର ବଂଶ ଯାଉ

ଏ ରାଜ୍ୟେ ରାଜା କେହି ନୋହୁ

।।

ଯେ ଅବା ଦୃପତି ହୋଇବ

ତାର ମୁର୍ଦ୍ଧନା ଫାଟିଯିବ

।।

ଏମନ୍ତ କହି କ୍ରୋଧଭରେ

ଶ୍ରୀହସ୍ତ ପିଟିଲେ ପଥରେ

।।

ବୋଇଲେ ଯେବେ ଧର୍ମ ସତ୍ୟ

ଫାଟିଣ ଯାଉ ଏ ପର୍ବତ

।।

ରାଜାର ମୁଖୁଁ ଏହା ଶୁଣି

ଫାଟିଲା ପର୍ବତ ଧରଣୀ

।।

ତାହା ଦେଖିଣ ମହୀପାଳ

ଧ୍ୟାନେ ଚିନ୍ତିଲେ ଆଦିମୂଳ

।।

ବୋଇଲେ ନମୋ ଚକ୍ରପାଣୀ

ଶରଣ ଜନ ଚିନ୍ତାମଣି

।।

ଭୃତ୍ୟ ବିତତ୍ସ, ଦୀନବନ୍ଧୁ

ମହା ମହିମା କୃପାସିନ୍ଧୁ

।।

ବ୍ରଜବଲ୍ଲଭ ବଂଶୀହସ୍ତ

ସକଳ ଜୀବ ପ୍ରାଣନାଥ

।।

ଦେଖାଅ ତୋ ଚନ୍ଦ୍ର ବଦନ

ମୁଁ ନିଶ୍ଚେ ହାରିବି ଜୀବନ

।।

ଏମନ୍ତ କହି ନରସାଇଁ

ଦଶଦିଗକୁ ଦେଲା ଚାହିଁ

।।

ଯେଣେ ଚାହଁଇ ତେଣେ ହରି

ଦିଶନ୍ତି ଶଙ୍ଖଚକ୍ରଧାରୀ

।।

ଅତି ଆନନ୍ଦ ମନ ହୋଇ

ବେଲଇ ନିସ୍ତରିଲି ମୁହିଁ

।।

ଏମନ୍ତ କହି ବେଗେ ଉଠି

ପ୍ରଣାମ କଲା କୋଟି କୋଟି

।।

ସମସ୍ତେ ଦେଖୁ ଦେଖୁ ତହିଁ

ପଡ଼ିଲେ ସେ ବିବରେ ଡ଼େଇଁ

।।

ପିଣ୍ଡ ସହିତେ ପ୍ରାଣ ଗଲା

ଗୋବିନ୍ଦ ପାଦେ ଲୀନ ହେଲା

।।

ଶୁଣ ସୁମନ ଚୂଡ଼ାମଣି

ଏ ଦାର୍ଢ୍ୟଭକ୍ତି ରସବାଣୀ

।।

କହଇ ବିପ୍ର ରାମଦାସ

ସନ୍ଥ ଚରଣେ ମୋର ଆଶ

।।

ମୁଁ ବଡ଼ ନଷ୍ଟ ହୀନବୁଦ୍ଧି

ନିରତେ ପ୍ରଭୁ ଅପରାଧି

।।

ଶ୍ରୀରାମ ପାଦପଦ୍ମ ତଳେ

ଭେଟାଇ ଦିଅ ମୋତେ ବଳେ

।।

ଏତକ ମାଗୁଣି ମୋହର

ପତିତ ଜନଙ୍କୁ ଉଦ୍ଧର

।।

ମୁଁ ଯେ କହୁଛି ବାର ବାର

ହେ ସାଧୁ କର ବା ନକର

।।

ଅତି ବିନୟ ଭାବ କରି

ମାଗୁଛି ତୁମ୍ଭ ପାଦ ଧରି

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନଚୈତନ୍ୟ ସମ୍ୱାଦେ

ହରିଚନ୍ଦନ ବର୍ଣ୍ଣନେ ନାମ ଷଷତ୍ରିଂଶୋ ଧ୍ୟାୟ ।

•••

 

ସପ୍ତତ୍ରିଂଶ ଅଧ୍ୟାୟ

ମଙ୍ଗଳ ଗୁଉଡ଼ ସମ୍ୱାଦ

 

ନମସ୍ତେ ପ୍ରଭୁ ରଘୁବୀର

ବାଞ୍ଛା ସମ୍ପୂର୍ଣ୍ଣ କର ମୋର

।।

ଚୈତନ୍ୟ ରାଜା ଅତି ତୋଷେ

କହେ ସୁମନ ରାଜା ପାଶେ

।।

ଶୁଣ ସୁମନ ଶୁଦ୍ଧ ଚିତ୍ତେ

ଏବେ ଯା କହୁଅଛି ତୋତେ

।।

ଅତି ଅପୂର୍ବ ଏହି ରସ

ଶୁଣି କଳୁଷ ହୋଏ ଧ୍ୱଂସ

।।

ଉତ୍ତର ଖଣ୍ଡେ ଏକ ଗ୍ରାମ

କମଳାବତୀପୁର ନାମ

।।

ପାଞ୍ଚକୋଶରେ ସେ ନଗର

ସେହି ଗ୍ରାମରେ ତାର ଘର

।।

ଜାତିରେ ଅଟଇ ଗଉଡ଼

ଅତି ଦାମ୍ଭିକ ମୂର୍ଖ ମୂଢ

।।

ନ ଜାଣେ ପାଠ ଶାସ୍ତ୍ର ରୀତି

ନାହିଁ ତା ବିପ୍ର ଦେବ ଭକ୍ତି

।।

ନୋହେ ଆଚାରୀ ଶୁଚିମନ୍ତ

ନ ଜାଣେ ବେଭାର କେମନ୍ତ

।।

ଦୟା ବିନୟ ଭାବ ଯେହୁ

ସର୍ବଥା ନଜାଣଇ ସେହୁ

।।

ହରି ଭଜନ ବୋଲିବାର

ଦିନେ ନ ଆସେ ତୁଣ୍ଡେ ତାର

।।

ଧର୍ମ ପୁରାଣ ବୋଲି ଯାହା

ଶ୍ରବଣେ ନ ଶୁଣଇ ତାହା

।।

ନାମ ମଙ୍ଗଳ ମହାଖୁଡ଼

ଏ କଥା କେବଳ ତା ଦୃଢ

।।

ଯାହା ବିଚାରେ ତାର ଚିତ୍ତ

ସେ କଥା କରିବା ପର୍ଯ୍ୟନ୍ତ

।।

ମନରୁ ନ ଛାଡ଼େ କେବଳ

ସେ କଥା କରିଥାଇ ମୂଳ

ଏମନ୍ତ ସେ ଗୋପାଳ ଥାଇଁ

କେବଳ ଗୋଧନ ଚରାଇ

।।

ନ ଜାଣେ ଅନ୍ୟ କଥାମାନ

ଗୋରୁ ଚରାଇ ନିଏ ଦିନ

।।

ପଶୁଙ୍କ ସଙ୍ଗେ ଦିନ ବଞ୍ଚି

ନ ଜାଣେ ଗୃହ କର୍ମ କିଛି

।।

ପୁତ୍ର ଦୁହିତା ପତ୍ନୀ ତାର

ନେଇଣ ଦିଅନ୍ତି ଆହାର

।।

ଗୋଷ୍ଠରେ ଭୁଞ୍ଜି ବଞ୍ଚେ ଦିନ

କେବେ ହେଁ ନ ଆସେ ଭବନ

।।

ଏମନ୍ତ କେତେଦିନ ଗଲା

ଅର୍ଦ୍ଧ ବୟସ ଆସି ହେଲା

।।

ନ ଘେନୁ ଗୁରୁ ଉପଦେଶ

ଲୋକେ କରନ୍ତି ଉପହାସ

।।

ବୋଲନ୍ତି ଶୁଣ ଆରେ ଭାଇ

ଜ୍ଞାନ ଗୋଚର ତୋର ନାହିଁ

।।

କାଳ ହୋଇଲା ଆସି ଶେଷ

ନ ଘେନୁ କର୍ଣ୍ଣେ ଉପଦେଶ

।।

ଶ୍ରୀଗୁରୁ ମନ୍ତ୍ର ବିନା ଜାଣ

ତୋ ପିଣ୍ଡ ହେଲା ଅକାରଣ

।।

ନରକେ ପଡ଼ିବୁ ତୁ ଯାଇ

ତରିବା ପଥ ଆଉ ନାହିଁ

।।

ଏବେ ତୁ ଆମ୍ଭ ବୋଲ ମାନ

ଶ୍ରୀଗୁରୁ ମନ୍ତ୍ର କର୍ଣ୍ଣେ ଘେନ

।।

ନୋହିଲେ ମରିବୁ ଅବଶ୍ୟ

ମଲେ ନରକେ ହେବ ବାସ

।।

ଶୁଣି ଗଉଡ଼ ହସ ହସ

କହଇ ଯେ ଲୋକଙ୍କ ପାଶ

।।

ଭଲ କହିଲ ତୁମ୍ଭେମାନେ

ମନ୍ତ୍ର ଘେନିଲେ ମୁହିଁ କର୍ଣ୍ଣେ

।।

ତୁମ୍ଭର ପରାୟେ ନିରତେ

ପଡ଼ିବି ପାଦତଳେ କେତେ

।।

ନ କଲେ ଦଣ୍ଡବତମାନ

ଗୁରୁ କରିବେ ଦୁଃଖ ମନ

।।

ତୁମ୍ଭେ ଯେ ଗାଳିଦିଅ ମୋତେ

ଏହା ମୁଁ କରିବି କେମନ୍ତେ

।।

ମନ କର୍ଣ୍ଣରେ ଯେବେ ନେବି

କେବଳ କଥାଏ କରିବି

।।

ପଥେ ଯେ ଆତଯାତ ଜନ

କରିଥିବି ମୁଁ ଅନୁମାନ

।।

ଯେ ଅବା ଅପୂର୍ବ ବୈଷ୍ଣବ

ଯେବେ ପଥରେ ଦେଖାଯିବ

।।

ମନ୍ତ୍ର ଘେନିବ ତାଙ୍କଠାର

ଏକଥା ଉଚିତ ମୋହର

।।

ଦଧି ବା ଦୁଗ୍ଧ ପିଇ ଖାଇ

ମୋ କର୍ଣ୍ଣେ ମନ୍ତ୍ର ଯିବେ କହି

।।

ଆଉ ଦେଖିବି ନାହିଁ ଥରେ

ପଡ଼ିବି ନାହିଁ ଏ ଦଣ୍ଡରେ

।।

ଏକଥା ନ ଯୋଗାଏ ମୋତେ

ବୋଲିଣ ଚଳିଲେ ତୁରିତେ

।।

ଯାଇ ରହିଲା ଗୋ ଗୋଷ୍ଠରେ

ସେ ଗୋରୁ ପହ୍ଲଙ୍କ ସଙ୍ଗରେ

।।

ବିଚାରୁ ଥାଇ ତାର ଚିତ୍ତେ

ଉତ୍ତମ ଲୋକମାନେ ଯେତେ

।।

କହନ୍ତେ ନାନାଦି ପ୍ରକାରେ

ଶ୍ରୀଗୁରୁ ମନ୍ତ୍ର ଘେନିବାରେ

।।

ଯେବେ ମୁଁ ଘେନିବି ଅତିଥ

ମନ୍ତ୍ର ଦେଖିବା କଥା ସତ୍ୟ

।।

ଏମନ୍ତ ବୋଲି ପ୍ରତିଦିନ

କରୁଥାଏ ସେ ଅନୁମାନ

।।

ରାଜପଥକୁ ନିତି ଆସି

ସମୟ ଜାଣି ଥାଏ ବସି

।।

ଯିବା ଆସିବା ଜନ ଯେତେ

ତାଙ୍କୁ ପଚାରୁଥାଏ ନିତ୍ୟେ

।।

ବୈଷ୍ଣବମାନେ ଆସିବାରେ

ଦେଖିଲେ କହିବ ପଥରେ

।।

ଉଚ୍ଚ ପାବଚ୍ଛ ବୃକ୍ଷେ ଉଠି

ଚାରିଦିଗକୁ ଦିଏ ଦୃଷ୍ଟି

।।

କରିଥାଏ ସେ ଅନୁମାନ

ଏମନ୍ତେ ଗଲା କେତେଦିନ

।।

ଦଇବ ଯୋଗେ ଏକଦିନ

କରୁ ସେ ଅଛି ଗୋଦୋହନ

।।

ଏମନ୍ତ ବେଳରେ ଅତିଥ

ଆସି ହୋଇଲେ ଉପଗତ

।।

ତହିଁ ବିରାଜମାନ ହୋଇ

ଏକାକୀ ସଙ୍ଗେ କେହି ନାହିଁ

।।

ଡୋର କୌପୁନୀ କଟୀମାଝେ

ଶ୍ରୀଅଙ୍ଗେ ବିଭୂତି ବିରାଜେ

।।

ମସ୍ତକେ ଶୋହେ ଜଟାଭାର

ତୁମ୍ବା ଲାଉଏ ଅଛି କର

।।

ଶ୍ରୀହରି ମନ୍ଦିର ତିଳକ

ଭାଲ ପଟରେ ଜକ ଜକ

।।

ତହିଁ ବିଚିତ୍ର ଶୋଭାବନ

ତାହାଙ୍କୁ ଦେଖିଣ ନୟନ

।।

ଗୋଧନ ଦୁହାଁ ଦୂର କରି

ଉଠିଲା କ୍ଷୀରଭାଣ୍ଡ ଧରି

।।

ଧାଇଁଲା ବେଗ ବେଗ ହୋଇ

ଡାକିଲା ରହ ହେ ଗୋସାଇଁ

।।

ଶୁଣି ରହିଲେ ସେ ଅତିତ

ଗଉଡ଼ ହେଲା ଉପଗତ

।।

କ୍ଷୀର କଳସୀ ତଳେ ଥୋଇ

ସାଷ୍ଟାଙ୍ଗେ ପାଦେ ପଡ଼ିଶୋଇ

।।

ଉଠି ମସ୍ତକେ କର ଦେଲା

ଶୁଣ ହେ ଗୋସାଇଁ ବୋଇଲା

।।

ଏ କ୍ଷୀର ଭୋଜନ କରିବ

ମୋ କର୍ଣ୍ଣେ ମନ୍ତ୍ର ଦେଇଯିବ

।।

ମୁଁ ଯେ ହୋଇବି ତୁମ୍ଭ ଶିଷ୍ୟ

ଏକଥା କର ତୁ ଅବଶ୍ୟ

।।

ତା ଶୁଣି ବୋଲଇ ଅତିଥେ

ଶୁଣ ଗୋପାଳ ଶୁଦ୍ଧଚିତ୍ତେ

।।

ଚାଲ ତୋ ଭବନକୁ ଯିବା

ଉତ୍ତମ ସ୍ଥାନକେ ଦେଖିବା

।।

ମନ୍ଦିର ଲିପା ପୋଛା କରି

ବସିବା ଗୋବିନ୍ଦ ସୁମରି

।।

ବିଷ୍ଣୁଙ୍କୁ ଭଜନ କରିବା

ତେଣୁ ତୋ କର୍ଣ୍ଣେ ମନ୍ତ୍ର ଦେବା

।।

ନୋହିଲେ ହୋଇବ କେମନ୍ତେ

ଜଗତେ କି ବୋଲିବେ ମୋତେ

।।

ତା ଶୁଣି ବୋଲଇ ଗୋପାଳ

ମୁଁ ଯେ ନ ଜାଣେ ଏ ଜଞ୍ଜାଳ

।।

କେବଳ ଏହି ସ୍ଥାନେ ଥିବ

ମନ୍ତ୍ର ଦେଇଣ ମୋତେ ଯିବ

।।

ନୋହିଲେ ଭଲ ନାହିଁ ତୋର

ମୁହିଁ ମରିବି ତୋ ଆଗର

।।

ମାରିବି ମରିବି ଦ୍ୱିକଥା

କେବେ ହେଁ ନୋହିବ ଅନ୍ୟଥା

।।

ଶୁଣି ଅତିଥି ଭୟ କଲେ

ଆପଣା ମନେ ବିଚାରିଲେ

।।

ବୋଇଲେ ଏ ବଡ଼ ମୂରୁଖ

ନିଶ୍ଚୟ ଦେବ ମୋତେ ଦୁଃଖ

।।

ଏହାକୁ ମନ୍ତ୍ର ମୁଁ ନ ଦେଲେ

ଏ ତ ନ ଛାଡ଼େ ମୋତେ ଭଲେ

।।

କରେ ଘେନିଣ ଠେଙ୍ଗା ଗୋଟି

ମୋତେ ତ ପକାଇବ ପିଟି

।।

ଏମନ୍ତ ଭାବେ ଅତି ଧୀର

କହିଲେ ଗଉଡ଼ ଆଗରେ

।।

ବୋଇଲେ ଶୁଣରେ କୁମର

ଏ ନିରାଧାର ବାକ୍ୟ ମୋର

।।

ଆମ୍ଭେ ଯଦ୍ୟପି ଗୁରୁ ହେବୁ

ଆମ୍ଭର ଆଜ୍ଞା ମାନିଥିବୁ

।।

ତୋତେ ଯା ଦେବୁ ଉପଦେଶ

ତୁହି ତା କରିବୁ ଅବଶ୍ୟ

।।

ଏକଥା କହ ସତ୍ୟ ମୋତେ

ଶୁଣି ଗଉଡ଼ ଶ୍ରଦ୍ଧାଚିତ୍ତେ

।।

ବୋଇଲା ଯେ ଆଜ୍ଞା ତୋହର

ସେହି ସେ ପାଷାଣର ଗାର

।।

ତା ଶୁଣି ବୈଷ୍ଣବ ଆନନ୍ଦ

ଚିନ୍ତଇ ଗୋବିନ୍ଦ ଗୋବିନ୍ଦ

।।

ଆନନ୍ଦେ ବସିଲେ ସୁମରି

ଯେ ଅଙ୍ଗନ୍ୟାସ ଆଦି କରି

।।

ବୋଇଲେ ବସରେ ଗୋପାଳ

ଚିନ୍ତିଣ ପ୍ରଭୁ ଆଦିମୂଳ

।।

ଶୁଣି ଗୋପାଳ ଦଣ୍ଡବତ

କରିଣ ବସିଲା ଅଗ୍ରତ

।।

ଅତିଥି ବିଷ୍ଣୁ ବିଷ୍ଣୁ କରି

ତା ଅଙ୍ଗେ ସିଞ୍ଚିଲେକ ବାରି

।।

ମସ୍ତକେ ଶ୍ରୀହରି ମନ୍ଦିର

ତିଳକ ଦେଲେ ଶୋଭାକର

।।

ବାହୁଯୁଗଳ ହୃଦଗତେ

ତିଳକ ଦେଲେ ବିଧିମତେ

।।

ମୁଖେ ନିର୍ମାଲ୍ୟ ଦେଲେ ତାର

ବସାଇ ତୃଣର ଉପର

।।

କର୍ଣ୍ଣେ କହିଲେ ମହାମନ୍ତ୍ର

ବୋଇଲେ ହେଲୁ ତୁ ପବିତ୍ର

।।

ଯାହା ଭୁଞ୍ଜିବୁ ଇଚ୍ଛା ତୋର

ଦେବୁ ତୁ ଶ୍ରୀକୃଷ୍ଣ ଛାମୁର

।।

ଆଗ ଗୋବିନ୍ଦେ ଭୋଗ ଦେବୁ

ପଛେ ତୁ ଶେଷ ହିଁ ଭୁଞ୍ଜିବୁ

।।

ଶୁଣି ଗଉଡ଼ ବୋଲେ ଥାଇ

କହ ସେ କୃଷ୍ଣ ଅଛି କାହିଁ

।।

କେମନ୍ତେ ସ୍ୱରୂପ ତାହାର

କହିଣ ଥାଅ ମୋ ଆଗର

।।

ଶୁଣି କହନ୍ତି ଗୁରୁ ତାକୁ

ତୁ ମନ ଦିଅ ଏ କଥାକୁ

।।

ସକଳ ଘଟେ ବାସ ତାର

ପୂରିଛି ସଂସାର ଯାକର

।।

ଯହିଁ ଖୋଜିଲେ ତହିଁ ଅଛି

ଅପୂର୍ବ ରୂପ ସେ ଶ୍ରୀବତ୍ସ

।।

ନୀଳଜୀମୂତ କଳେବର

ରାଜୀବଲୋଚନ ସୁନ୍ଦର

ପୂର୍ଣ୍ଣଚନ୍ଦ୍ରମା ପ୍ରାୟ ମୁଖ

ଦେଖିଲେ ଛାଡ଼ିଯିବ ଦୁଃଖ

।।

ବିମ୍ୱ ବିଦ୍ରୁମ ରଙ୍ଗାଧର

ପୀତବସନ ବେଣୁଧର

।।

ହେମ କିଙ୍କିଣୀ କଟୀ ମାଝେ

ଚରଣେ ନୁପୂର ବିରାଜେ

।।

ଏମନ୍ତ ରୂପ କରି ଧ୍ୟାନ

ନିତ୍ୟେ ତୁ ଦେଇଥିବୁ ଅନ୍ନ

।।

ଏମନ୍ତ ବୋଲିଣ କହିଲେ

ସେ କ୍ଷୀର ଘେନି ଚଳିଗଲେ

।।

ଗଉଡ଼ ଦଣ୍ଡବତ କରି

ରହିଲା ଗୋଧନ ଆବୋରି

।।

ଶୁଣ ହେ ସୁମନ ସୁଚିତ୍ତେ

ଏଥି ଉତ୍ତାରୁ କଥା ଯେତେ

।।

ସେ କଥା କହୁଅଛି ଏବେ

କେବଳ ଶୁଣ ଶ୍ରଦ୍ଧାଭାବେ

।।

ପତ୍ନୀ ତା ସ୍ୱାମୀର ନିମନ୍ତେ

ଅନ୍ନ ବ୍ୟଞ୍ଜନ ଧରି ହସ୍ତେ

।।

ଆଣି ତା ପତି ହସ୍ତେ ଦେଲା

ନିଜପୁରକୁ ଚଳିଗଲା

।।

ଗୋପାଳ ଅନ୍ନ ଧରି କରେ

ପଶିଲା ବନସ୍ତ ଭିତରେ

।।

ଉତ୍ତମ ସ୍ଥାନ ଗୋଟି ଜାଣି

ନିର୍ମଳ କଲା ସିଞ୍ଚି ପାଣି

।।

ଗୋମୟେ ପରିଷ୍କାର କଲା

ସେ ଅନ୍ନ ସେ ସ୍ଥାନେ ରଖିଲା

।।

ତୁଳସୀ ଦଳ ତହିଁ ଭରି

ମନରେ କୃଷ୍ଣଙ୍କୁ ସୁମରି

।।

ବୋଇଲା ଆସ ଗୋପୀନାଥ

ବସି ଭୁଞ୍ଜିବ ପରା ଭାତ

।।

ଶ୍ରୀଗୁରୁ କହିଗଲେ ମୋତେ

ତୁମ୍ଭଙ୍କୁ ଦେବାର ନିମନ୍ତେ

।।

ତୁମ୍ଭର ଯେଉଁ ଭାତ ଶେଷ

ତାହା ମୁଁ ଭୁଞ୍ଜିବି ଅବଶ୍ୟ

।।

ନୋହିଲେ ନ ଭକ୍ଷଇ ଜଳ

ସ୍ୱରୂପ କହିଲି କେବଳ

।।

ଏମନ୍ତ ବୋଲି ନାନାମତେ

ବୁଲି ସେ ଡାକିଲା ବନସ୍ତେ

।।

ଯହୁଁ ସେ କୃଷ୍ଣଙ୍କୁ ନ ଦେଖି

ଅନ୍ନ ବ୍ୟଞ୍ଜନ ଦେଲା ରଖି

।।

ଭୁଞ୍ଜିଲା ନାହିଁ କଦାଚିତ୍ତେ

ସେ କ୍ଷୀର ନୀର ହିଁ ସହିତେ

।।

ରହିଲା ଉପବାସୀ ହୋଇ

ଗୋବିନ୍ଦଠାରେ ଭାର ଦେଇ

।।

ପ୍ରତିଦିନ ହିଁ ଏହିମତେ

ଅନ୍ନବ୍ୟଞ୍ଜନ ଆଣିଦ୍ୟନ୍ତେ

।।

ଥୋଇ ସେ ବନସ୍ତ ଭିତର

ଡାକଇ ଅନେକ ପ୍ରକାର

।।

କାହିଁ ଅଛ ହେ ପୀତବାସ

ମଣୋହି କରିବାକୁ ଆସ

।।

ଏମନ୍ତେ ଡାକନ୍ତେ କେବଳ

ପ୍ରବେଶ ହେଲା ସନ୍ଧ୍ୟାକାଳ

।।

ଲେଉଟି ନ ଦେଖି ନିରାଶେ

ଅନ୍ନ ପକାଇ ଦେଲା ରୋଷେ

।।

ଆପଣେ ଉପବାସେ ରହି

ଜଳ ସ୍ପରଶ ନ କରଇ

।।

ଏମନ୍ତେ ଅଷ୍ଟାଦଶ ଦିନ

ଗଲା ସେ ନ କଲା ଭୋଜନ

।।

ପେଟ ଲାଗିଲା ପୃଷ୍ଠ ଦେଶେ

ରହିଲା ଅସ୍ଥି ଚର୍ମ ଶେଷେ

।।

ଆଉ ଉଠିବା ଶକ୍ତି ନାହିଁ

ବଚନ ନ ପାରଇ କହି

।।

ଚାହିଁଲେ ନିର୍ମଳ ନ ଦିଶି

ଦେହେ ଜନ୍ମିଲା ଭ୍ରମ ଆସି

।।

ଏମନ୍ତ ହେଲା ସେ କେବଳ

କଲା ସେ ଏହି କଥା ମୂଳ

।।

ବୋଇଲା ପ୍ରାଣ ପଛେ ଯାଉ

ଲଙ୍ଘିବି ଗୁରୁ ଆଜ୍ଞା କାହୁଁ

।।

ଏ ଦେହ ବହିଲେ ନିୟତ

ମରଣ କଥା ସିନା ସତ୍ୟ

।।

ଯଦ୍ୟପି ଗୁରୁ ଆଜ୍ଞା ସତ

ମୋ ପ୍ରାଣ ଯେବେ ହେବ ହତ

।।

ବସିବି ବଇକୁଣ୍ଠେ ଯାଇ

ଏଥେ ମୋ ଶୋଚନା ନ ଥାଇ

।।

ଏମନ୍ତ ବୋଲି ସେ ଗଉଡ଼

ହୃଦ ପଦ୍ମରେ କଲା ଦୃଢ

।।

ସପତବିଂଶ ଦିନ ହେଲା

ତା ପତ୍ନୀ ଅନ୍ନ ନେଇ ଦେଲା

।।

ତା ଘେନି ଚଳିଲା ଗୋପାଳ

ଚିନ୍ତିଣ ପ୍ରଭୁ ଆଦିମୂଳ

।।

ଥୋଇଣ ବସିଲା ଆସନେ

ଧ୍ୟାନ କରିଣ ତାର ମନେ

।।

ଶ୍ରୀଗୁରୁ ତାଙ୍କୁ ଶିକ୍ଷା ଦେଇ

ଯେଉଁ ସ୍ୱରୂପେ ଥିଲେ କହି

।।

ସେହି ସ୍ୱରୂପ କରି ଧ୍ୟାନ

ବୁଜିଲା ତା ବେନି ନୟନ

।।

ବୋଲଇ ଶ୍ରୀଗୁରୁ ବଚନ

ସତ୍ୟ ଯଦ୍ୟପି ଦେବା ଜ୍ଞାନ

।।

ସତ୍ୟ ଯଦ୍ୟପି ଥିଲେ ହରି

ସକଳ ଘଟେ ବାସ କରି

।।

ସତ୍ୟ ଯଦ୍ୟପି ଏ ଜଗତେ

ବିଷ୍ଣୁ ବିଜୟ ପଞ୍ଚଭୂତେ

।।

ସେ ଅନ୍ତର୍ଯ୍ୟମୀ ଯେବେ ସତ୍ୟ

ଯେବେ ସେ ଜଗତର ନାଥ

।।

ଗୁରୁ ମୋ କହିଗଲେ ଯାହା

ସତ୍ୟ ବଚନ ଯେବେ ତାହା

।।

ତେବେ ବହନ ଆସ ହରି

ଏଥି ଭୋଜନ ଯାଅ କରି

।।

ନୋହିଲେ ମରିବି ଅବଶ୍ୟ

ଲାଗୁ ତୋତେ ଏ ହତ୍ୟା ଦୋଷ

।।

ଏମନ୍ତ ବିଚାରି ସେ ମନେ

ରହିଲା ଚାହିଁ ଏକଧ୍ୟାନେ

।।

ବ୍ରହ୍ମାଦି ଦେବଙ୍କୁ ଦୁର୍ଲ୍ଲଭ

ମୁନିମାନଙ୍କ ଯେ ଅଲଭ୍ୟ

।।

ତାହା ପାଇଲା ସେ ଗଉଡ଼

ଫିଟିଲା ପାଦପଦ୍ମ ତଳ

।।

ଉଠିଲା ଶିରେ କରଦେଇ

ବୋଇଲା ନିସ୍ତରିଲି ମୁହିଁ

।।

ଏମନ୍ତ ପ୍ରଭୁ ସେବା ତେଜି

ଅନ୍ୟ ଦେବଙ୍କୁ ଯେହୁ ଭଜି

।।

ଧିକ ସେ ପ୍ରାଣୀଙ୍କ ଜୀବନ

ପଶୁ ପତଙ୍ଗର ସମାନ

।।

ମୁଁ ଯାହା ଦେଖିଲି ସାକ୍ଷାତେ

ତୋ ପରା ପ୍ରଭୁ ଏ ଜଗତେ

।।

ଲୋଡ଼ିଲି ଜଣେ ମାତ୍ର ନାହିଁ

ଶୁଣି ହସିଲେ ଭାବଗ୍ରାହୀ

।।

ବେଶଇଲେ ଶୁଣରେ ଦିନ ନିଅ

ମଲେ ବୈକୁଣ୍ଠେ ଠାବ ପାଅ

।।

ଏମନ୍ତ କହି ଭଗବାନ

ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ

।।

ଗୋପାଳ ନିଜ ପୁର ଗଲା

ପ୍ରାଣାନ୍ତେ ବିଷ୍ଣୁଙ୍କୁ ଲଭିଲା

।।

ଯେ ପ୍ରାଣୀ ପଢନ୍ତି ଶୁଣନ୍ତି

ଯମ ଦଣ୍ଡକୁ ନାହିଁ ଭ୍ରାନ୍ତି

।।

ଭଣଇ ବିପ୍ର ରାମଦାସ

ମୂଳଟି ଅଟଇ ବିଶ୍ୱାସ

।।

ଶ୍ରୀକୃଷ୍ଣ ପାଦପଦ୍ମ ଧୂଳି

ମଣ୍ଡନ ହେଉ ମୋ ମଉଳି

।।

ହେ ପ୍ରଭୁ ଏତେ ମାତ୍ର କର

ଶରଣ ଜନ୍ମେ ଜନ୍ମେ ତୋର

।।

କର ନ କର ତୁମ୍ଭ ଇଚ୍ଛା

କେବଳ ଏହି ମୋର ବାଞ୍ଛା

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନଚୈତନ୍ୟ ସମ୍ୱାଦେ

ମଙ୍ଗଳ ଗଉଡ଼ ଦାର୍ଢ୍ୟଭାବ ବର୍ଣ୍ଣନେ ନାମ ସପ୍ତତ୍ରିଂଶୋ ଧ୍ୟୟଃ

•••

 

Unknown

ଅଷ୍ଟତ୍ରିଂଶ ଅଧ୍ୟାୟ

ବାଳକ ରାମଦାସ ସମ୍ୱାଦ

 

ନମୋ କୋଦଣ୍ଡ ମହାବାହୁ

ବାଞ୍ଛା ସମ୍ପୂର୍ଣ୍ଣ ମୋର ହେଉ

।।

କହେ ଚୈତନ୍ୟ ମହାଜ୍ଞାତା

ଶୁଣ ସୁମନ ଏହୁ କଥା

।।

ବଡ଼ ଦୁର୍ଲ୍ଲଭ ଏ ଚରିତ

କେବଳ ଶ୍ରବଣ ଅମୃତ

।।

ଶୁଦ୍ଧ ପଶ୍ଚିମ ଯେ ଲାହୋର

ଦେଶରେ ଅଟେ ତାର ଘର

।।

ଜାତିରେ ଅଟେ ଦ୍ୱିଜବର

ନାମ ବାଳକ ଦାସ ତାର

।।

ମାତା ପିଅର ପାଞ୍ଚଭାଇ

ତହିଁର ମଧ୍ୟେ ଗୋଟି ସେହି

।।

ବିଷୟା କର୍ମ ଆଦି ଯେତେ

କରଇ ନାହିଁ କଦାଚିତ୍ତେ

।।

ନ କରେ ମାତା ପିତା ବୋଲ

ଭ୍ରାତାଙ୍କ କଥା ମଣେ ଶଲ

।।

ଫୁଲ ଚନ୍ଦନ ମାଳା ଯେତେ

ମଣ୍ଡନ ହେଉଥାଇ ନିତ୍ୟେ

।।

ପିନ୍ଧି ଉତ୍ତମ ଝୀନବାସ

ବୁଲୁ ଯେ ଥାଇ ଦେଶ ଦେଶ

।।

ଭୁଞ୍ଜିବା ମୂଳ ଅଟେ ତାର

ଭୋଜନ ବେଳେ ଆଗୁଁ ସାର

।।

ଉଦାସୀ ଜନ ପ୍ରାୟ ହୋଇ

କିଛି ହିଁ କର୍ମ ନ କରଇ

।।

ଏମନ୍ତେ କେତେଦିନ ଠାରେ

ତା ପିତା ଅତି କ୍ରୋଧଭରେ

।।

ବୋଇଲା ଶୁଣରେ ପାମର

ବୋଲତ ନକଲୁ କାହାର

।।

ଗୃହ ଜଞ୍ଜାଳ ଯେ ହୋଇଛି

ତୋତେ ତ ନ ଲାଗିଛି କିଛି

।।

କୃଷି ବାଣିଜ୍ୟ ଆଦି ଯେତେ

ନ କଲୁ ତାହା କଦାଚିତ୍ତେ

।।

କେମନ୍ତେ ସରିବ ତୋ ଦିନ

ଦୁଃଖ ପାଇବୁରେ ଅଜ୍ଞାନ

।।

ମାତା ବୋଇଲା ଏହି ମତେ

ଘରୁ ଘଉଡ଼ି ଦେଲେ ଭ୍ରାତେ

।।

ବୋଇଲେ ନ ଥା ଆମ୍ଭ ଘରେ

ଥିଲେ ମାରିବୁ ନିରନ୍ତରେ

।।

ସବୁରି ମୁଖରୁ ନିରାଶ

ଶୁଣି ବାଳକ ରାମଦାସ

।।

ମନେ ବିଚାର କଲା ତାର

ଧିକ ଏ ଜୀବନ ମୋହର

।।

ମାତା ପିତାଙ୍କର ନିରାଶ

ଏ ଦେହେଁ ପ୍ରୟୋଜକ କିସ

।।

ଏଥେ ମୁଁ କି କରିବି ଆଉ

ଏ ଜୀବ ଥାଉ ଅବା ଯାଉ

।।

ଅରଣ୍ୟେ ପଶିବି ମୁଁ ଯାଇ

କେବଳ ରାମନାମ ଧ୍ୟାୟି

।।

ଦଇବେ ବାଳକ ବୟସ

ଛାଡ଼ି ସଂସାର ମୋହ ଆସ

।।

ବନେ ଉତ୍ତମ ସ୍ଥାନ ଖୋଜି

ତହିଁ ବସିଳା ଚକ୍ଷୁ ବୁଜି

।।

ଏ ମନ ବୁଦ୍ଧି ଅଳଙ୍କାର

ମହାମାତ୍ସର୍ଯ୍ୟ ଯେ ବିକାର

।।

କାମ କଳ୍ପନା ଆଦି ଯେତେ

ତାହାର ସମତା ସହିତେ

।।

ସବୁ ପକାଇ ଦେଲା ଦୂରେ

ଝାଳୁଆ ଧୂଳିଆ ପ୍ରକାରେ

।।

କେବଳ ଦୃଢମନେ ବସି

ମୁଖେ ଶ୍ରୀହରି ନାମ ଘୋଷି

।।

ବୋଇଲା ଆହେ ନାରାୟଣ

ଜଗତ ତୁମ୍ଭର ଭିଆଣ

।।

ଚର ଅଚର ଆଦି କରି

ସକଳ ଘଟେ ଅଛ ପୂରି

।।

ଶ୍ରୀହସ୍ତେ ଶଙ୍ଖ ଚକ୍ର ଧରି

ଜନନୀ ଜଠରେ ବି ହରି

।।

ଅଗାଧ ଜଳୁ ମୂର୍ତ୍ତିମନ୍ତ

କରି ଭିଆଅ ଏ ଜଗତ

।।

ପ୍ରାଣୀଙ୍କ କର୍ମରଜ୍ଜୁ ଧରି

ସଂସାର ଆତଜାତ କରି

।।

ପ୍ରାଣୀଙ୍କି ପଡ଼ିଲେ ବିପତ୍ତି

ତୋ ବିନାନାହିଁ ଅନ୍ୟ ଗତି

।।

ଏ ଯେବେ ସକଳ ପ୍ରମାଣ

ମୋତେ ଉଦ୍ଧାର ନାରାୟଣ

।।

କିଣିଲା ଦାସ ମୁଁ ତୁମ୍ଭର

ତୋ ଇଚ୍ଛା ଯାହା ତାହା କର

।।

ରଖ ନ ରଖ ମହାବାହୁ

ମୋର ଭରସା ନାହିଁ ଆଉ

।।

ଏମନ୍ତ ବୋଲି ମନେ ତାର

ଶ୍ରୀଗୁରୁ ମନ୍ତ୍ର ଦେବା ସାର

।।

ସେ ନାରାୟଣ ନାମ ଗୋଟି

ହୃଦପଦ୍ମରେ କଲା ଗଣ୍ଠି

।।

ଚଞ୍ଚଳ ଇନ୍ଦ୍ରିୟ ନିବାରି

ବସି ଏକାନ୍ତେ ଜପ କରି

।।

ଅନ୍ନ ଭୋଜନ ବୋଲି ଯାହା

ମନରୁ ଦୂର କଲା ତାହା

।।

ସେ ଫଳମୂଳ ପତ୍ରମାନ

ଜଳ ହିଁ ନ କଲା ସେ ପାନ

।।

କେବଳ ହରି ନାମାମୃତ

ଭୋଜନେ ସ୍ଥିର କଲା ଚିତ୍ତ

।।

କେବଳ ପ୍ରଭୁଙ୍କୁ ଦେଖିବି

ନୋହିଲେ ପ୍ରାଣ ଉପେକ୍ଷିବି

।।

ଏମନ୍ତ ଦୃଢ କରି ମନେ

ବସି ଜପିଲା ଘୋର ବନେ

।।

ବହିଣ ଗଲା ଦିନ ସାତ

ଶୁଣ ହୋ ମନ ନୃପନାଥ

।।

ଦଇବ ମାୟାରେ କେବଳ

ଆସି ମିଳିଲେ ବ୍ୟାଘ୍ର ପଲ

।।

ଘୋର ଗର୍ଜ୍ଜନ ଦାନ କରି

ଭକ୍ଷିବା ପ୍ରାୟେ ତାକୁ ଧରି

।।

ପାଶେ ପ୍ରବେଶ ହେଲେ ଯାଇ

ନୟନେ ତାହାକୁ ଦେଖଇ

।।

ଦେଖି ମନରେ ନାହିଁ ଭୀତି

ବୋଲେ ଯା କରିବେ ଶ୍ରୀପତି

।।

ସେକଥା ହେବ ତ ଅବଶ୍ୟ

ମୋହର ବଳେ ହେବ କିସ

।।

ରଖିଲେ ରଖୁ ନେଲେ ନେଉ

ଏଥକୁ ଭୟ ନାହିଁ ଆଉ

।।

ଏମନ୍ତ ଭାବି ଚକ୍ଷୁ ବୁଜି

ରହିଲା ହରିଧ୍ୟାନେ ମଜ୍ଜି

।।

ଶୁଣ ହୋ ମନ ନୃପରାଣ

ତାହା ଜାଣିଲେ ନାରାୟଣ

।।

ତକ୍ଷଣେ ଶବର ରୂପରେ

କାଣ୍ଡ କୋଦଣ୍ଡ ଧରି କରେ

।।

ଧାଇଁଲେ ଅତି ବେଗ ହୋଇ

ମିଳିଲା ଭୃତ୍ୟ ପାଶେ ପାଇ

।।

ଦେଖିଣ ବ୍ୟାଘ୍ର ପଳାଇଲେ

ଭକତ ଅନାଇଣ ଦେଲେ

।।

ଶବର ବୋଲେ ହେ ବ୍ରାହ୍ମଣ

ବନେ ବସିଛ କି କାରଣ

।।

କି ତୋର ମନେ ଭୟ ନାହିଁ

ବ୍ୟାଘ୍ର ଭଲ୍ଲୁ କ ସ୍ଥାନ ଏହି

।।

ଭକ୍ଷଣ କଲେ ନାଶ ଯିବୁ

ବହନ ଉଠିଯାଅ ବାବୁ

।।

ତା ଶୁରି ବୋଲଇ ବ୍ରାହ୍ମଣ

ଶବର ଧର୍ମପିତା ଶୁଣ

।।

ପିତା ଜନନୀ ଭ୍ରାତା ମୋର

ମାରି ନବରୁ କଲେ ଦୂର

।।

ନାହିଁ ମୋହର ଗୃହ ବାସ

ଛାଡ଼ିଲି ସଂସାରର ଆଶ

।।

କେବଳ ପ୍ରଭୁ ନାରାୟଣ

ଅଶେଷ ଜୀବର କାରଣ

।।

ତାଙ୍କ ଦର୍ଶନ ଇଚ୍ଛା ମୋର

ତେଣୁ ପଶିଲି ବନ ଘୋର

।।

ଶୁଣି ଶବର ଅଳ୍ପ ହସି

ବୋଇଲେ ଶୁଣ ବାଳଶିଷି

।।

ତୁ ଯାହା ବୋଇଲୁ ବଚନ

କେମନ୍ତେ ପ୍ରତେ ଯିବ ମନ

।।

ଯାହାକୁ ଭାବୁଛନ୍ତି ଭବ

ବ୍ରହ୍ମାଦି ଦେବଙ୍କୁ ଦୁର୍ଲ୍ଲଭ

।।

ମୁନିଏ ଯୋଗମାର୍ଗେ ଚିନ୍ତି

ଯା ବର୍ଣ୍ଣ ଚିହ୍ନି ନ ପାରନ୍ତି

।।

ସେ କାହିଁ ଦେଖାଦେବ ତୋତେ

ଏହା ବିଚାରୁ କିନା ଚିତ୍ତେ

।।

ଉଚିତ ନୋହେ ଏ ତୋହର

ଯାଅ ତୁ ଆପଣା ମନ୍ଦିର

।।

ତା ଶୁଣି ବୋଲଇ ବ୍ରାହ୍ମଣ

ହେ ଧର୍ମପିତା ମୋର ଶୁଣ

।।

ସେ ମହାମୁନିଙ୍କ ବାକ୍ୟରେ

ଲେଖି ଅଛନ୍ତି ପୁରାଣରେ

।।

ସବୁରି ତାତ ମାତ ସେହି

ତା ବିନା ଅନ୍ୟ କେହି ନାହିଁ

।।

ଜଗତଯାକ ଖେଳଘର

ସବୁ ଏ ଆୟତ୍ତ ତାହାର

।।

ଯାହାକୁ ଯେଉଁ ମାର୍ଗେ ପେଶି

ତାହାକୁ ସେହି ପଥ ଦିଶି

।।

ଏ କଥା ଅଟଇ ପ୍ରମାଣ

ବୋଲି କହନ୍ତି ମୁନିଗଣ

।।

ତେଣୁ ଭରସା ମୋର ମନ

ଅବଶ୍ୟ ପାଇବି ଦର୍ଶନ

।।

ଦୁଇରୁ ଏକ ମୁଁ କରିବି

ନୋହିଲେ ଜୀବନ ହାରିବି

।।

ଏ ଦୃଢ ବାଞ୍ଛା ଅଛି ମୋର

ବିଜୟ କର ହୋ ଶବର

।।

ତୁମ୍ଭର ମୁଁ ଧର୍ମ ବାଳକ

ମୋଠାରେ ଦୟାମାତ୍ର ରଖ

।।

ଏମନ୍ତ ବୋଲି ନାରାୟଣ

ନାମ ରଟିଲା ପୁଣ ପୁଣ

।।

ତାହା ଜାଣିଲେ ବାସୁଦେବ

ବୋଇଲେ ଧନ୍ୟ ଏହା ଜୀବ

।।

ମୁଁ ଯେବେ କରିବି ନିରାଶ

ଏ ବିପ୍ର ମରିବ ଅବଶ୍ୟ

।।

ଏମନ୍ତ ଭାବି ଦୟାମଣି

ନିଷ୍କାମ ଭାବ ତାର ଜାଣି

।।

ବୋଇଲେ ଶୁଣରେ କୁମର

ଦେଖାଅ ନିଜ ରୂପ ତୋର

।।

ଦେଖିଲେ ଚର୍ମନେତ୍ର ପଥେ

ତେବେ ମୁଁ ଯିବଇଁ ପରତେ

।।

ତା ଶୁଣି ପ୍ରଭୁ ଭଗବାନ

ବୋଇଲେ ବୁଜ ତୁ ନୟନ

।।

ତାହାଙ୍କ କଥାରେ ତୁରିତେ

ନୟନ ବୁଜି ଅନ୍ତର୍ଗତେ

।।

ଶ୍ରୀହରି ରୂପ ଧ୍ୟାନ କରି

ତାହା ଜାଣିଲେ ନରହରି

।।

ନିଜ ସ୍ୱରୂପେ ହେଲେ ଉଭା

କୋଟିଏ କନ୍ଦର୍ପ କି ଶୋଭା

।।

ନୀଳ ଜୀମୁତ ଅପଘନ

ଅମଳ କମଳ ନୟନ

।।

ଗୋଟିଏ ଚନ୍ଦ୍ର ଜିଣି ମୁଖ

ଦର୍ଶନେ ଖଣ୍ଡେ ଭବଦୁଃଖ

।।

ସୁନ୍ଦର ସୁରଙ୍ଗ ଅଧର

କଣ୍ଠେ କୌସ୍ତୁଭମଣିହାର

।।

ହୃଦେ ଶ୍ରୀବତ୍ସ ପାଦଚିହ୍ନ

ଫୁଟି ଦିଶଇ ଶୋଭାବନ

।।

ଶଙ୍ଖ କମଳ ଗଦା ସାର

ରଥାଙ୍ଗ ଆଦି ଚାରି କର

।।

ପୀତବସନ କଟୀମାଝେ

ଚରଣେ ନୂପୁର ବିରାଜେ

।।

ଏମନ୍ତ ରୂପ ଭଗବାନ

ଦେଖି ଆନନ୍ଦ ଭୃତ୍ୟମାନ

।।

ସାଷ୍ଟାଙ୍ଗେ ପାଦପଦ୍ମେ ପଡ଼ି

ଉଠି କପାଳେ କର ଯୋଡ଼ି

।।

ବୋଇଲେ ନମୋ ନାରାୟଣ

ଅଶେଷ ବ୍ରହ୍ମାଣ୍ଡ କାରଣ

।।

କାମୀ କାମନା କାମଧେନୁ

ମାହା ମହିମା ରତ୍ନଭାନୁ

।।

ସକଳ ଜୀବ ଜ୍ଞାନଗୁରୁ

ଭକତ ବାଞ୍ଛା କଳ୍ପତରୁ

।।

ମୁଁ ଛାର ପତିତ ଅଜ୍ଞାନ

ପାଇଲି ତୁମ୍ଭ ଦରଶନ

।।

ଅଶେଷ ଜନ୍ମ ପାପ ମୋର

ଛାଡ଼ି ସକଳ ହେଲା ଦୂର

।।

ଛାଡ଼ିଲା କାମବନ୍ଧ ଫାଶ

ପୁଣି ବୋଲନ୍ତି ପୀତବାସ

।।

ଭୃତ୍ୟ ବତ୍ସଳ ଯାର ବାନା

ନ ସହେ ସେବକ ବେଦନା

।।

ତୋ ମନୁ ସଂଶୟ ବିନାଶି

ତେଣୁଟି ବିଜେ କଲୁ ଆସି

।।

ଏବେ ତୁ ମାଗି ଘେନ ବର

ଯେ ମନୋବାଞ୍ଛା ଅଛି ତୋର

।।

ତା ଶୁଣି ବୋଲଇ ନନ୍ଦନ

ନମସ୍ତେ ଜଗତ ଜୀବନ

।।

ଯେବେ ତୁ ବର ଦେବୁ ମୋତେ

ଜନ୍ମ ନୋହିବ କଦାଚିତେ

।।

ଛୁଇଁଲେ ପଥର ସୁବର୍ଣ୍ଣ

ହୋଇବ ଦେବ ଭଗବାନ

।।

ଆବର ତୋତେ ଧ୍ୟାନ କରି

ଇଚ୍ଛା ମରଣେ ଯିବି ମରି

।।

ଜୀବନ୍ତେ ସୁଖେ ଦିନ ଯିବ

ମଲେ ବୈକୁଣ୍ଠେ ସ୍ଥାନ ହେବ

।।

ଅସ୍ତୁ ବୋଇଲେ ଭଗବାନ

ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ

।।

ଏ ବର ପାଇ ବିପ୍ରବର

ଆନନ୍ଦ କେ କହୁ ତାହାର

।।

ଗୁପତେ ଆଣିଲା ପଥର

ଛୁଇଁଲା ଆପଣା ହସ୍ତର

।।

ତକ୍ଷଣେ ହୋଇଲା ସୁବର୍ଣ୍ଣ

ଦେଖି ହରଷ ହେଲା ମନ

।।

ଲୋକଙ୍କୁ ବୋଇଲା ହକାରି

ଏ ସୁନା ନିଅ ବେଗ କରି

।।

ବିକି ଯେ ଆଣ ହୋ ତତ୍ପର

ମଠ ବାନ୍ଧିବା ଏହିଠାର

।।

ଥୋକେ ମଣୋହି ସଞ୍ଚା ଘେନ

ତରିବା ରନ୍ଧନ ଭୋଜନ

।।

ଆଜ୍ଞା ପ୍ରମାଣେ ତାହା କଲେ

ଭୁଞ୍ଜି ସମସ୍ତେ ସୁସ୍ଥ ହେଲେ

।।

ଏଥି ଉତ୍ତାରୁ ଦିବ୍ୟସ୍ଥାନ

ଦେଖି ମନ୍ଦିର ନିର୍ମାଣିଣ

।।

ଶତେକ ବଖରା ଚଉଁରୀ

ତୋଳାଇ ଅତି ଯତ୍ନକରି

।।

ବୈଷ୍ଣବ ରଖାଇ ବହୁତ

ଆପଣେ ହୋଇଲେ ମହନ୍ତ

।।

ଖଞ୍ଜିଲେ ସଦା ବର୍ତ୍ତମାନ

ଦୁଃଖୀ ଦରିଦ୍ର ଯେତେ ଧନ

।।

ସେ ଦେଶେ ଥିଲା ଯେତେ ମଠ

ସବୁହୁଁ ହେଲା ଅତି ଶ୍ରେଷ୍ଠ

।।

ଜୟ ପତାକା ଉଡ଼ାଇଲେ

ଜଗତେ ଧନ୍ୟ ବୋଲାଇଲେ

।।

ବଢିଲା ଧନ ଅପ୍ରମିତ

ଚାରି ଦିଗରେ ଯେ ସମସ୍ତ

।।

କି ଅବା କୁବରେ ସମ୍ପତ୍ତି

ଅଚଳାଚଳ ତା ବିଭୂତି

।।

ଗଜ ତୁରଙ୍ଗ ଭଷ୍ଟ୍ର ଆଦି

ଅନେକ ରଖିଲେ ସମ୍ପାଦି

।।

ଟମକ ବାଜେ ମଠଦ୍ୱାରେ

ଚମକ ପଡ଼ଇ ନଗରେ

।।

ସମସ୍ତେ ହେବେ ବଶବର୍ତ୍ତୀ

କହୁ ନ ସରେ ତାଙ୍କ କୀର୍ତ୍ତି

।।

ଅନେକ ବିଧି ଭୋଗ ହେଲା

ଏମନ୍ତେ କେତେଦିନ ଗଲା

।।

ବିଚାର କଲେ ତାଙ୍କ ମନ

ଏଥିରେ କିସ ପ୍ରୟୋଜନ

।।

ସକଳ ଭୋଗ ହେଲା ଶେଷ

କରିବା କ୍ଷେତ୍ରବରେ ବାସ

।।

ଯେ ପ୍ରଭୁ କମଳା ରମଣ

ସେ ମୋର ଜୀବର କାରଣ

।।

ବିଜୟ ନୀଳ ପରବତେ

ଅଶେଷ ପ୍ରାଣୀଙ୍କର ହିତେ

।।

ତାହାଙ୍କୁ ଦର୍ଶନ କରିବି

ମୋର ଏ ଜୀବ ଉଦ୍ଧାରିବି

।।

ଏ କଥା ଅଟେ ମୋର ମୂଳ

ବୋଲି ସେ କଲେ ଅନୁକୂଳ

।।

ଅନେକ ବୈଷ୍ଣବ ସଙ୍ଗତେ

ଘେନିଣ ଚଳିଲେ ତୁରିତେ

।।

ବଜାଇ ମଙ୍ଗଳ ମହୁରୀ

ବାଙ୍କ କାହାଳୀ ଶଙ୍ଖ ଭେରୀ

।।

ଆବର ଟମକ ନିଶାଣ

ଦମାଲୁ ନାଦ ଘୋର ଟାଣ

।।

ତା ପଛେ ସାଜି ବାଜୀବୃନ୍ଦ

ଗମିଲେ ହୋଇଣ ଆନନ୍ଦ

।।

ଯେବଣ ପଥେ ଯାନ୍ତି ଚଳି

ପୃଥିବୀ ପଡ଼ନ୍ତି ଉଚ୍ଛୁଳି

।।

ଏମନ୍ତେ କେତେବାଟ ଗଲେ

ଦିଲ୍ଲୀ ସହର ପାଶେ ହେଲେ

।।

ବାଦ୍ୟ ଶବଦ ଘୋର ତାନେ

କମ୍ପିଲା ଦିଲ୍ଲୀ କୋପମନେ

।।

ତାହା ଶୁଣିଣ ଦିଲ୍ଲୀଶ୍ୱର

ପୁଚ୍ଛିଲେ ଦୂତଙ୍କ ଆଗରେ

।।

କି ବାଦ୍ୟ ବାଜଇ କାହାର

ଚମକି ପଡ଼ଇ ଶରୀର

।।

ଲୋକେ କହିଲେ ସନମତେ

ସେ ଦିଲ୍ଲାଶ୍ୱରଙ୍କ ଅଗ୍ରତେ

।।

ଏକ ଫକୀର ଆସିଛନ୍ତି

ବଳ ତା କହି ନୋହେ କିଛି

।।

ତାହାର ବାଦ୍ୟ ଶବଦର

କମ୍ପି ଉଠଇ ଏ ନଗର

।।

ତା ଶୁଣି ବୋଲେ ଦିଲ୍ଲୀଶ୍ୱର

ବହନ ଯାଇ ମନା କର

।।

ଆଜ୍ଞା ପ୍ରମାଣେ ଦୂତ ଗଲେ

ବୈଷ୍ଣବ ଆଗରେ କହିଲେ

।।

ଏଠାରେ ନ ବଜାଅ ବାଜା

ଦିଲ୍ଲୀ ଈଶ୍ୱର ମହାତେଜା

।।

ଶୁଣି ବାଳକ ରାମଦାସ

ଅଳପ ହେଲେ ହସ ହସ

।।

ବୋଇଲେ ଏ ଦିଲ୍ଲୀ ନୌବତ

ନ ବାଜୁ ଯେବେ ଆଜ୍ଞା ସତ୍ୟ

।।

ଏମନ୍ତ କହନ୍ତେ ବଚନ

ବାଜିଲା ନାହିଁ ବାଦ୍ୟମାନ

।।

ଦେଖ ସେ ଆଜ୍ଞା ସତ ହେଲା

ଦିଲ୍ଲୀ ନୌବାତ ନ ବାଜିଲା

।।

ତା ଦେଖି ବାଦ୍ୟକାରମାନେ

ଜଣାଇ ବାଦସା ସନ୍ନିଧାନେ

।।

କିମ୍ପା ନୌବତ ନ ବାଜିଲା

ଏ ବଡ଼ ସଂଶୟ ଲାଗିଲା

।।

ଯେତେ ପିଟିଲେ ବାଦ୍ୟମାନ

କେବେହେଁ ନା ବାଜିଲା ଜାଣ

।।

ଏକଥା ବୁଝି ଆଜ୍ଞା ହେଉ

ଆମ୍ଭର ଦୋଷ ନାହିଁ ଆଉ

।।

ତା ଶୁଣି ବାଦସା ଆଚମ୍ୱିତ

ବୋଲଇ ଏ ତ ବିପରୀତ

।।

ଦୂତେ କହିଲେ ବାଦସା ଆଗେ

ଫକୀର ଆଜ୍ଞା ଦେଲା ରାଗେ

।।

ଦିଲ୍ଲୀରେ ନ ବାଜୁ ନୌବତ

ତା କଥା ହେଲା ଏବେ ସତ

।।

ଏମନ୍ତ ଶୁଣି ଦିଲ୍ଲୀଶ୍ୱର

ଆଜ୍ଞା ସେ ଦେଲା କ୍ରୋଧଭର

।।

ବୋଇଲା ଯାଅ ସୈନ୍ୟ ମୋର

ବଇଷ୍ଣବକୁ ବନ୍ଦୀ କର

।।

ଦେଖିବା ତାର କରାମତ

ତା ଶୁଣି ଚଳିଗଲେ ଦୂତ

।।

ଅନେକ ସୈନ୍ୟ ଚଳିଗଲେ

ଆସି ବୈଷ୍ଣବେ ବନ୍ଦୀ କଲେ

।।

ଘୋଡ଼ଞ୍ଚି ଉପରେ ବସାଇ

ବେଢିଲେ ଶତେ ପୁର ହୋଇ

।।

କରିଣ ଅତ୍ୟନ୍ତ ଆକଟ

ମାଛି ଯିବାକୁ ନାହିଁ ବାଟ

।।

ଏମନ୍ତ ତିନିଦିନ ଗଲା

ଅନ୍ନ ଯେ ଭୋଜନ ନୋହିଲା

।।

ପୁଣି କହନ୍ତି ସେ ଫକୀର

ହେ ଦୂତେ ଆମ୍ଭ ବୋଲ କର

।।

କହରେ ବାଦଶା ଆଗେ ଯାଇ

କେବଣ ଦୋଷ କଲି ମୁହିଁ

।।

କିମ୍ପା ସେ ମୋତେ ବନ୍ଦୀ କଲା

ତାକୁ କି ଦଇବ ଛାଡ଼ିଲା

।।

ଏ ଦିଲ୍ଲୀ ସହର ସହିତେ

ଅଛଇ ତାର ଗ୍ରାମ ଯେତେ

।।

ସମସ୍ତ ଜଳରେ ଭସାଇ

ସମୁଦ୍ରେ ପକାଇବି ନେଇ

।।

ନୋହିଲେ ବେଗେ ଛାଡ଼ି ଦେଉ

ଅଧିକ କି କହିବି ଆଉ

।।

ତା ଶୁଣି ଦୂତ ବେଗେ ଗଲେ

ସମସ୍ତ ବୁଝାଇ କହିଲେ

।।

ବାଦଶା ବୋଇଲା ହେଉ ହେଉ

ଦେଖିବା ସମୁଦ୍ରେ ପକାଉ

।।

ନୋହିଲେ ବନ୍ଦୀ ହୋଇଥିବ

ତାକୁ କେ ଏଥୁ ଉଦ୍ଧାରିବ

।।

ତା ଶୁଣି ଦୂତେ ବେଗେ ଗଲେ

ବୈଷ୍ଣବ ଆଗରେ କହିଲେ

।।

ବୋଇଲେ ଶୁଣ ଯତିବର

କୋପେ ବୋଇଲେ ଦିଲ୍ଲୀଶ୍ୱର

।।

ଦେଖାଇ ଦେଲେ କରାମତ

ବନ୍ଦୀରୁ ହୋଇବ ମୁକତ

।।

ନୋହିଲେ ଥାଅ ବନ୍ଦୀଘରେ

ଶୁଣି ବୈଷ୍ଣବ କ୍ରୋଧଭରେ

।।

ଲେଙ୍ଗୁଟି ଫିଟାଇଣ ଦେଲେ

ସର୍ବ ସାକ୍ଷାତେ ମୂତ୍ର କଲେ

।।

ବୋଇଲେ ରାମଜୀ କୃପାରୁ

ଏ ଦିଲ୍ଲୀଶ୍ୱର ସର୍ବ ସରୁ

।।

କେବଳ ଜଳମୟ ହେଉ

ଏ ପୁରଗୋଟି ଭାସିଯାଉ

।।

ଏମନ୍ତ ବୋଲନ୍ତେ କେବଳ

ପୁରେ ପୂରିଲା ମୂତ୍ରଜଳ

।।

ବେନି ପ୍ରହର ମଧ୍ୟେ ପାଣି

ଦିଲ୍ଲୀ ହୋଇଲା ଆଣ୍ଠୁ ଆଣି

।।

ଦେଖି ଆକୁଳ ପୁରଜନ

କହିଲେ ବାଦଶା ସନ୍ନିଧାନ

।।

ବୋଇଲେ ଏ କି ଚମତ୍କାର

ଗ୍ରୀଷ୍ମକାଳେ ଏତେ ନୀର

।।

ଫକୀର ଶତ୍ରୁତା ହେଲେତ

ହେଳେ ମରିବା କଥା ସତ୍ୟ

।।

ତା ଶୁଣି ଦିଲ୍ଲୀ ନରପତି

ହୃଦପଦ୍ମରେ କଲା ଭୀତି

।।

ବୋଇଲେ ଚାଲ ସର୍ବେ ଯିବା

ଅତିଥେ ଶରଣ ପଶିବା

।।

ବିନୟ କରି ତାଙ୍କ ପାଦେ

କ୍ଷମା କରଇ ଅପରାଧେ

।।

ଅନେକ ଧନ ତାଙ୍କୁ ଦେବା

ପ୍ରବୋଧି ତାହାଙ୍କୁ କହିବା

।।

କରି ଅନେକ ରୂପେ ଦେବା

ତେବେ ସେ ସଙ୍କଟୁ ତରିବା

।।

ଏମନ୍ତ ବୋଲି ଦିଲ୍ଲୀଶ୍ୱର

ଅନେକ ପ୍ରଜା ସଙ୍ଗତର

।।

ଧନ ବସନ ଆଦି କରି

ମଣୋହି ସଞ୍ଚାମାନ ଧରି

।।

ବୈଷ୍ଣବ ପାଶେ ଯାଇ ମିଳି

ସମସ୍ତ ସୈନ୍ୟ ହୋଇ ମେଳି

।।

ତାହାଙ୍କୁ ଦଣ୍ଡବତ କଲେ

ଉଠି କପାଳେ କରଦେଲେ

।।

ବୋଇଲେ ଦୋଷ କ୍ଷମାକର

ମହିମା ବୁଝିଲି ତୁମ୍ଭର

।।

ମୋ ଅପରାଧମାନ ଯେତେ

ମନେ ନ ଧରି କଦାଚିତ୍ତେ

।।

ମୁଁ ତୁମ୍ଭ ଧର୍ମର କୁମର

ଏକଥା ଘେନିମା ମୋହର

।।

ଆଜି ଦିନରୁଟି ଅବଶ୍ୟ

ଦିଲ୍ଲୀ ବାଳକ ରାମଦାସ

।।

ନାମ ବହିବ ଏ ଜଗତେ

ମୋହର ମାଗୁଣିଟି ଏତେ

।।

ଏମନ୍ତ ବୋଲି ଧନ ଯେତେ

ଥୋଇଲେ ଅତିଥି ଅଗ୍ରତେ

।।

ଅନେକ ବିନୟୀ କହିଲେ

ଯେ ଯାହାପୁରେ ଚଳିଗଲେ

।।

ଦେଖିଲେ ଜଳ କିଛି ନାହିଁ

ଧନ୍ୟ ରାମଦାସ ବୋଲାଇ

।।

ଶୁଣ ହୋ ମନୁ ନୃପନାଥ

ସାଧୁଙ୍କ ମହିମା ଏମନ୍ତ

।।

ଶୁଣ ହୋ ମନ ମହାବଳୀ

ହରି ଭକତ ଏଡ଼େ ଭଳି

।।

ଭକତ ଭଗବାନ ଦୁଇ

ଏକ ଆତ୍ମା ଯେ ଭିନ୍ନ ନୋହି

।।

ଏକଥା ଅଟଇ ପ୍ରମାଣ

ସୁଜନ ଜନେ ଏହା ଶୁଣ

।।

ଏ ଦାର୍ଢ୍ୟଭକ୍ତି ରସ ବାଣୀ

କେବଳ ଭକ୍ତ ତରଙ୍ଗିଣୀ

।।

ତରିବା ନୌକା ଏ କେବଳ

ପ୍ରାଣୀ ବିଶ୍ୱାସ ଏକା ମୂଳ

।।

ଭଣଇ ବିପ୍ର ରାମଦାସ

ମୋ ପ୍ରଭୁ କମଳା ବିଳାସ

।।

ସାଧୁଜନଙ୍କ ପଦାଗ୍ରତେ

ମନ ମୋ ରହୁ ଅବିରତେ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ୱାଦେ

ବାଳକ ରାମଦାସ ମହିମା ନାମ ବର୍ଣ୍ଣନେ ଅଷ୍ଟତ୍ରିଂଶୋ ଧ୍ୟାୟଃ ।

•••

 

ଊନଚତ୍ୱାରିଂଶ ଅଧ୍ୟାୟ

ବାଳକ ରାମଦାସ ସମ୍ୱାଦ

ମନ ଉବାଚ

 

ମନ ବୋଲଇ ଚଇତନ

କହିଲ ଅପୂର୍ବ ବିଧାନ

।।

ସେ ଯେ ବାଳକ ରାମଦାସ

ଦିଲ୍ଲୀରେ କରି ଏତେ ଯଶ

।।

କହ ଯେ ପୁଣ କାହିଁ ଗଲେ

କି ଅବା ଦିଲ୍ଲୀରେ ରହିଲେ

।।

ଏ କଥା ଫେଡ଼ି ମୋତେ କହ

ମନରୁ ଫିଟାଅ ସନ୍ଦେହ

।।

ଶୁଣି ଚୈତନ୍ୟ କହେ ହସି

ଶୁଣ ହୋ ମନ ଘଟବାସୀ

।।

ସେ ଯେ ବାଳକ ରାମଦାସ

କଥା କହିଲେ ନୋହେ ଶେଷ

।।

କେବଳ ଅଳ୍ପ ଅଳ୍ପ କରି

ଶୁଣ କହିବା କଥା ଚାରି

।।

ଦିଲ୍ଲୀରେ ପ୍ରତିଜ୍ଞା ଦେଖାଇ

ତହୁଁ ଚଳିଲେ ବେଗ ହୋଇ

।।

ସକଳ ସୈନ୍ୟ ସମତୁଲେ

ଅନେକ ତୀର୍ଥ ବୁଲିଗଲେ

।।

ଗୋପ ମଥୁରା ବୃନ୍ଦାବନ

କାଳିନ୍ଦୀ ଗିରି ଗୋବର୍ଦ୍ଧନ

।।

ଅଯୋଧ୍ୟା ଚିତ୍ରକୂଟ କାଶୀ

କାଞ୍ଚିକାବେରୀ ବାରାଣାସୀ

।।

ଦ୍ୱାରକା ଧାମ ରଙ୍ଗନାଥ

ଶ୍ରୀ ରାମେଶ୍ୱର ପୁଣ୍ୟତୀର୍ଥ

।।

ଶ୍ରୀ ଲଛମନ କ୍ଷେତ୍ରବର

ଦ୍ୱିତୀ ବୈକୁଣ୍ଠ ପୁଣ୍ୟ ତାର

।।

ସେ ପଞ୍ଚବଟୀ ଗୋଦାବରୀ

ପ୍ରାଣ ନୃସିଂହ ନରହରି

।।

ବରାହନାଥ ସୀମାଚଳ

ଶ୍ରୀ ଆଦି କର୍ମ ପୁଣ୍ୟସ୍ଥଳ

।।

ବୁଲି ଦେଖିଲେ ତୀର୍ଥମାନ

କରିଣ ପୁଣ୍ୟତୀର୍ଥେ ସ୍ନାନ

।।

ଭ୍ରମନ୍ତି ହରିଧ୍ୱନି କରି

ଯିବା ପଥରେ ପଡ଼େ ହୁରି

।।

କେ କହୁ ତାହାଙ୍କ ଆନନ୍ଦ

ସବୁ ମକୁଟ ବନ୍ଧା ବୃନ୍ଦ

।।

ରବି କିରଣ ସମସରି

ଝଲକେ ଶସ୍ତ୍ରମାନ ଧରି

।।

ଗଜ ତୁରଙ୍ଗ ଧାଡ଼ି ଧାଡ଼ି

ଗମନ୍ତି ରାଜପଥ ମାଡ଼ି

।।

କେବଳ ଧ୍ୟାନ ହୃଦଗତେ

କ୍ଷେତ୍ରକୁ ଯିବାର ନିମନ୍ତେ

।।

ଶ୍ରୀ ନୀଳାଚଳ ଭଗବାନ

କେବଳ କରିବା ଦର୍ଶନ

।।

ଏମନ୍ତ କରିଣ ବିଚାର

ପ୍ରବେଶ ହେଲେ କ୍ଷେତ୍ରବର

।।

ତହିଁ ସନ୍ନ୍ୟାସୀ ଜଣେ ଥାନ୍ତି

ତା ନାମ ମଦନ ଭାରତୀ

।।

ତା ସଙ୍ଗେ ଅନେକ ସନ୍ନ୍ୟାସୀ

ସମସ୍ତେ ଶାକ୍ତ ଉପବାସୀ

।।

ମେଷ ମହିଷୀ ଆଦି କରି

ଚଣ୍ଡୀ ପୂଜନ୍ତି ନିତ୍ୟେ ମାରି

।।

କରନ୍ତି ମାଂସ ସୁରାପାନ

ସବୁଙ୍କୁ ଦେଇ ମହାଜ୍ଞାନ

।।

ସେ ଦେଶେ ଯେତେ ଲୋକଛନ୍ତ

ଏହି କର୍ମରେ ମାତିଥାନ୍ତି

।।

ହରିଭକତ ବୋଲି ଯାହା

ସେ ପୁରେ ନ ଜାଣନ୍ତି ତାହା

।।

ଏମନ୍ତ ସେ ଦେଶେ ପ୍ରବେଶ

ହେଲେ ବାଳକ ରାମଦାସ

।।

ବୁଝିଲେ ସକଳ ଚରିତ

ବୋଇଲେ ଏ କି ବିପରୀତ

।।

ଶ୍ରୀରାମ ଭକ୍ତପଥ ଛାଡ଼ି

କିମ୍ପା ଅମାର୍ଗେ ଅଛ ବୁଡ଼ି

।।

ଜୀବ ସାକ୍ଷାତେ ନାରାୟଣ

ଏହା ନ ଜାଣି ମୂଢମନ

।।

କରଇ ଜୀବହତ୍ୟା ମାନ

ଏ ପାପ ଛାଡ଼ିବ କେସନ

।।

କାହାର ବୋଲେ ଏହା କଲ

ବିଅର୍ଥେ ଗଞ୍ଜିହୋଇ ମଲ

।।

ଜୀବନେ ନାହିଁ ସୁଖ ଲେଖ

ମଲେ ନରକେ ପରବେଶ

।।

ପାରିଲେ ଏବେ ବୁଦ୍ଧି କର

ଯେବେ ହୋଇବ ଭବୁ ପାର

।।

ଶ୍ରୀହରି ଭକ୍ତି ଭାବେ ରହ

ସକଳ ଜୀବେ ଦୟା ବହ

।।

ସେବ ଯା ସାଧୁଙ୍କ ଚରଣ

ଦରିଦ୍ର ଜନେ ଦିଅ ଦାନ

।।

ଲଲାଟେ ଶ୍ରୀଊର୍ଦ୍ଧ୍ୱ ପୁଣ୍ଡର

କଣ୍ଠେ ତୁଳସୀମାଳ ଭର

।।

ନିତ୍ୟେ ନିର୍ମାଲ୍ୟ ସେବା କର

ମୁଖେ ଶ୍ରୀରାମ ନାମ ଧର

।।

ତେବେ ତରିବ ଭବୁଁ ଜାଣ

ନୋହିଲେ ହେବ ଅକାରଣ

।।

ଏମନ୍ତ ଦୀକ୍ଷା ତାଙ୍କୁ ଦେଲେ

ସଜ୍ଞାନ ପଥ ଦେଖାଇଲେ

।।

ତାହା ଶୁଣିଣ ଲୋକେ ଯାଇଁ

ମଦନ ସନ୍ନ୍ୟାସୀକି କହି

।।

କାହୁଁ ବୈଷ୍ଣବ ଜଣେ ଆସି

ସମସ୍ତ ଲୋକଙ୍କୁ ଝିଙ୍ଗାସି

।।

ସନ୍ନ୍ୟାସୀ ଦୀକ୍ଷା ଛଡ଼ାଇଲେ

ବୈଷ୍ଣବ ଦୀକ୍ଷାମାନ ଦେଲେ

।।

ତୁମ୍ଭର ମହତ ସରିଲା

ଶୁଣି ସନ୍ନ୍ୟାସୀ କ୍ରୋଧ କଲା

।।

ବୋଇଲେ ବୁଝିବା ତଦନ୍ତ

କେ ଅବା କେତେ ବଳବନ୍ତ

।।

ଏମନ୍ତ ବୋଲି ଚଳିଗଲେ

ଅନେକ ସନ୍ନ୍ୟାସୀଙ୍କ ତୁଲେ

।।

ବଜାଇ ସିଙ୍ଘା ବେଣୁ ଘଣ୍ଟ

ଦୁଇକୁଳରୁ ହେଲା ଭେଟ

।।

ବୈଷ୍ଣବ ବଳେ ବଳୀୟାର

ଶସ୍ତ୍ର ଶାସ୍ତ୍ରରେ ଯେ ଚତୁର

।।

ସଂଗ୍ରାମେ ଜିଣି ନ ପାରିବା

ସମସ୍ତେ ଜୀବନ ହାରିବା

।।

ବୋଲି ମନରେ କଲେ ଭୟ

ଏଥକୁ କରିବା ଉପାୟ

।।

ବରଗି ଦେବା ଦୂତ ଯାଉ

ବୈଷ୍ଣବ ଆଗେ ଯାଇଁ କହୁଁ

।।

ମନୁଷ୍ୟ ଜଣେ ନେବା ଧରି

ହାଣିବା ବେନି ଖଣ୍ଡ କରି

।।

ତାକୁ ଯେ ଜୀବଦାନ ଦେବ

ତାହାର କଥା ମୂଳ ହେବ

।।

ଏହି ବିଚାର ସର୍ବେ କଲେ

ବୈଷ୍ଣବ ଛାମୁରେ ମିଳିଲେ

।।

ତୁମ୍ଭେ ପ୍ରଦେଶୀମାନେ ଆସି

ଆମ୍ଭର ରାଜ୍ୟେ କିମ୍ପା ପଶି

।।

ସନ୍ନ୍ୟାସୀ ଧର୍ମ କଲ ନାଶ

ଦିଅ କେବଣ ଉପଦେଶ

।।

ଏ ତୁମ୍ଭ କେଉଁ ବଡ଼ପଣ

କହ କି ବିଦ୍ୟା ତୁମ୍ଭେ ଜାଣ

।।

ପରୀକ୍ଷା କରିବା ଏଠାରେ

ସମସ୍ତେ ଦେଖନ୍ତୁ ନେତ୍ରରେ

।।

ମୃତ ମଣିଷକୁ ଆଣିବ

ତାହାକୁ ଯେବେ ବଞ୍ଚାଇବ

।।

ତେବେ ତୋ ଆଜ୍ଞାକୁ ଜାଣିବା

ତୋତେ କରିବୁ ସର୍ବେ ସେବା

।।

ଏମନ୍ତ ଶୁଣି ଦାସେ ହସି

ବୋଇଲେ ଶୁଣରେ ସନ୍ନ୍ୟାସୀ

।।

କହିବା ଶୁଣରେ ଦୁର୍ମତି

ଏ କୁମ୍ଭକାର କୀଟ ରୀତି

।।

ଝିଣ୍ଟିକା ଆଦି କୀଟ ମାରି

ଆଣି ତା ମନ୍ଦିରେ ଭରି

।।

ଆନାଦି ମନ୍ତ୍ରେ ଜୀବ ଦେଇ

ଆପଣା ସ୍ୱରୂପ କରଇ

।।

ସେ କାହିଁ ହେଲା ବଡ଼ପଣ

ସେବିଲା ତହୁଁ ତା ଚରଣ

।।

ଏହୁ କପଟ ବିଦ୍ୟା କରି

ପ୍ରାଣୀମାନଙ୍କ ଚିତ୍ତ ହରି

।।

ଦିଅ ଅଜ୍ଞାନ ଦୀକ୍ଷାମାନ

ଯିବ ଅବଶ୍ୟ ନର୍କସ୍ଥାନ

।।

ଏକଥାମାନ ଦୂର କର

ଭଜ କେବଳ ରଘୁବର

।।

ନୋହିଲେ ସର୍ବେ ଯିବେ ନାଶ

ମହାନରକେ ହେବ ବାସ

।।

ଯେବେ ଆମ୍ଭର କରାମତ

ଦେଖିବା ପାଇଁ ଅଛି ଚିତ୍ତ

।।

ଖୋଜିଣ ମୃତ ଶବ ଆଣ

ତାକୁ ଜୀଆଇ ଦେବା ପୁଣ

।।

ତେବେ ଜାଣିବା କରାମତେ

ସଂଶୟ ହେବ ଦୂରଗତ

।।

ତା ଶୁଣି ବୋଇଲେ ସନ୍ନ୍ୟାସ

ବୁଲିଣ ଗଲେ ଦେଶ ଦେଶ

।।

ଦେଖିଲେ ମୃତ ଶବ ଗୋଟି

ଦୁର୍ଗନ୍ଧ ପଡୁଛି ଚହଟି

।।

କୀଟ ହିଁ ହୋଇଛି ଅପାର

ପାଶେ ପଶିବା ଶକ୍ତି କା’ର

।।

ଏମନ୍ତ ଶବ ଘେନି ଆସି

ପକାଇ ବୋଇଲେ ସନ୍ନ୍ୟାସୀ

।।

ଏହାକୁ ଯେବେ ଦେବ ପ୍ରାଣ

ଜାଣିବା ତୁମ୍ଭ ସାଧୁପଣ

।।

ନୋହିଲେ ଛାଡ଼ିଯାଅ ଦେଶ

ଥିଲେ ଯେ ମାନିବୁ ଅବଶ୍ୟ

।।

ତା ଶୁଣି ଶ୍ରୀରାମର ଦାସ

ବୋଇଲେ ଶୁଣ ହେ ସନ୍ନ୍ୟାସ

।।

ଧର୍ମ କହିଲେ ଛଳ କରି

ବସିଛି ବିବାଦ ଆବୋରି

।।

ତୁମ୍ଭର ନ ଜାଣିବା ପଣ

ସବୁରି ପ୍ରଭୁ ନାରାୟଣ

।।

ସର୍ବ ଜୀବନ ଅଧିକାରୀ

ସକଳ ଘଟେ ଛନ୍ତି ପୁରି

।।

ଜଗତ ହାନି ଲାଭ ଯେତେ

ସେ ସିନା ବୁଝୁଥାନ୍ତି ନିତ୍ୟେ

।।

ମୋହର ବୋଲେ କିସ ହେବ

ସେ ସିନା ଦେଲେ ଏ ଜୀଇଁବ

।।

ଏମନ୍ତ ବୋଲି ଶବ ଧରି

ବସିଲେ ପ୍ରଭୁ ଧ୍ୟାନ କରି

।।

ବୋଇଲେ ନମୋ ଭଗବାନ

ତୁହି ଯେ ଆଦି ଅବସାନ

।।

ଅଶେଷ ବ୍ରହ୍ମାଣ୍ଡ ଠାକୁର

ସଂସାର ତୋର ଖେଳଘର

।।

ତେଣୁ ଶରଣ ରାମଦାସ

ତୋ ପଦେ ମୋହର ବିଶ୍ୱାସ

।।

ଏ ମୃତ ଶବର ଜୀବନ

ଦେଇଣ ରଖ ଭଗବାନ

।।

ଏବନ୍ତ ବୋଲି ଶବ ଘେନି

ଧରିଣ ତାର କର୍ଣ୍ଣ ବେନି

।।

ଶ୍ରୀରାମ ତାରକ କହିଲେ

ଉଠ ହେ ମୃତ ଜୀବ ଭଲେ

।।

ଏମନ୍ତ ବୋଲନ୍ତେ ତକ୍ଷଣ

ପାଇଲା ଶବ ନିଜ ପ୍ରାଣ

।।

ସମସ୍ତେ ଦେଖୁଁ ଦେଖୁଁ ତହିଁ

ଉଠିଲା ସେ ଶବ ବୋବାଇ

।।

ତା ଦେଖି ଲୋକେ ଆଚମ୍ୱିତ

ରହିଲେ ହୋଇ ସ୍ତମ୍ଭୀଭୂତ

।।

ବୋଇଲେ ଏ କି ଚମତ୍କାର

ଧନ୍ୟ ମହିମା ଏହାଙ୍କର

।।

ଏମନ୍ତ ବୋଲି ପାଦେ ପଡ଼ି

ସର୍ବେ ରହିଲେ କରଯୋଡ଼ି

।।

ସେ ରାଜା ପ୍ରଜା ଆଦି ଯେତେ

ଚରଣେ ସେବିଲେ ସମସ୍ତେ

।।

ବୋଇଲେ ପଶିଲୁ ଶରଣ

ଆଜହୁଁ ଆଜ୍ଞା ପରମାଣ

।।

ତୋ ଇଚ୍ଛା ଯାହା ତାହା କର

ସମସ୍ତେ ଶିଷ୍ୟ ହେଲୁ ତୋର

।।

ତା ଶୁଣି ଶ୍ରୀରାମଙ୍କ ଦାସ

ମନେର ହେଲେ ହସ ହସ

।।

ନୃପତି ଆଦି ଯେତେ ଥିଲେ

ତାଙ୍କ ଶ୍ରବଣେ ମନ୍ତ୍ର ଦେଲେ

।।

ତାହାଙ୍କୁ ଜ୍ଞାନବାଟ କହି

ବୈଷ୍ଣବ ଧର୍ମକୁ ଦେଖାଇ

।।

ଜଗତେ ହୋଇଲେ ପ୍ରକାଶ

ସନ୍ନ୍ୟାସୀ ଛାଡ଼ିଗଲେ ଦେଶ

।।

ଶୁଣ ହେ ମନ ନୃପବର

ବାଳକ ରାମଦାସଙ୍କର

।।

ମହିମା ଅଟଇ ଏମନ୍ତ

କେ କରୁ ତାହାଙ୍କର ଅନ୍ତ

।।

ତହିଁ ମଠେକ ତୋଳାଇଲେ

ଥୋକେ ବୈଷ୍ଣବ ରଖାଇଲେ

।।

ଧର୍ମଶାଳାହିଁ ତହିଁ କରି

ସେ ଦେଶ ରାଜାକୁ ହକାରି

।।

ବୋଇଲେ ଏହି ଧର୍ମେ ଥିବୁ

ସାଧୁଙ୍କ ଚରଣ ସେବିବୁ

।।

ଦୁଃଖୀ ଦରିଦ୍ରେ ଦେବୁ ଦାନ

ରାମ ଭଜନେ ନେବୁ ଦିନ

।।

ଶ୍ରୀରାମାନନ୍ଦ ସମ୍ପ୍ରଦାରେ

ମନ୍ତ୍ର ଘେନିବୁ କର୍ଣ୍ଣଦ୍ୱାରେ

।।

ରଖିବୁ ତୋର ବଂଶାବଳି

ଏ ଆମ୍ଭ ଆଜ୍ଞା ପ୍ରତିପାଳି

।।

ଏମନ୍ତ କହି ତାଙ୍କୁ ଭଲେ

ଆନନ୍ଦେ ତହୁଁ ଚଳିଗଲେ

।।

ଅନେକ ଉତ୍ସବ ଆନନ୍ଦେ

ବିଜୟ କଲେ ସାଧୁ ବୃନ୍ଦେ

।।

ଟମକ ଆନନ୍ଦ କାହାଳୀ

ଶବଦେ କମ୍ପେ ମହୀଆଳି

।।

ଗଜ ତୁରଙ୍ଗ ବଳ ସଙ୍ଗେ

ବେନି ଚଳିଲେ ନାନାରଙ୍ଗେ

।।

ସର୍ବ ଅଟନ୍ତି ବୀରମୟ

ମନେ ତାହାଙ୍କ ନାହିଁ ଭୟ

।।

କେବଳ ନାମ ଧ୍ୱନି କରି

ପଥେ ଗମନ୍ତେ ପଡ଼େ ହୁରି

।।

ଏମନ୍ତେ କେତେ ଦିନଠାରେ

ଯାଇଁ ମିଳିଲେ କ୍ଷେତ୍ରବରେ

।।

ତାହାଙ୍କ ପ୍ରତାପ ଶ୍ରବଣେ

ପାଲଟି ଧାଇଁଲେ ବ୍ରାହ୍ମଣେ

।।

ଅନେକ ଧନ ବସ୍ତ୍ର ପାଇ

ଉଠି କପାଳେ କରଦେଇ

।।

ବୋଇଲେ ନିସ୍ତରିଲି ଆଜ

ଦେଖିଲି ଶଙ୍ଖ ଚକ୍ର ଭୁଜ

।।

ଏମନ୍ତ କହି ତହୁଁ ଗଲେ

ସମସ୍ତ ବୈଷ୍ଣବଙ୍କ ତୁଲେ

।।

ଦେଖିଲେ କାଶୀ ବିଶ୍ୱନାଥ

ବାଟ ମଙ୍ଗଳା ଗୋପୀନାଥ

।।

ଗଣେଶ ଅନନ୍ତ ଶୟନ

ମୁକ୍ତି ମଣ୍ଡପେ ମୁକ୍ତିସ୍ଥାନ

।।

ରୋହିଣୀ କୁଣ୍ଡ କ୍ଷେତ୍ରପାଳ

ବିମଳା ଦେବୀଙ୍କର ଆଳ

।।

ଭଣ୍ଡ ଗଣେଶ ସରସ୍ୱତୀ

ଶ୍ରୀ ମହାଲକ୍ଷ୍ମୀଙ୍କର ସ୍ଥିତି

।।

ବିରଞ୍ଚିଦେବ ରାମ ହରି

ତ୍ରିବାର ପ୍ରଦକ୍ଷିଣ କରି

।।

ଦର୍ଶନ ବିଧିମତେ କଲେ

ଗରୁଡ଼ ପଛେ ଧାଇଁ ହେଲେ

।।

ଯହିଁ ବିଜୟ ହେଲ ଜୀବ

ଆଉ ନ ଦେଖେ ପୁଣ ଭାବ

।।

ଶ୍ରୀ ଜଗମୋହନକୁ ଦେଖି

ସଫଳ କଲେ ଚର୍ମ ଆଖି

।।

ତହୁଁ ଚଳିଲେ ଧୀରେ ଧୀରେ

ଚନ୍ଦନ ଅର୍ଗଳିର ଠାରେ

।।

ଦେଖିଲେ ରତ୍ନ ସିଂହାସନ

ଯହିଁ ବିଜୟ ଭଗବାନ

।।

ଶ୍ରୀ ବଳଦେବ ଦେବୀ ତୁଲେ

ଦର୍ଶନେ ପବିତ୍ର ହୋଇଲେ

।।

ସେ ଯେ ବାଳକ ରାମଦାସ

ଧ୍ୟାନେ ଚିନ୍ତିଲେ ପୀତବାସ

।।

ବୋଇଲେ ଆହେ ମହାବାହୁ

ଶରଣ ପଞ୍ଜର ବୋଲାଉ

।।

ମହା ମହିମା ମହାମେରୁ

ଅଶେଷ ଜୀବନଙ୍କ ଗୁରୁ

।।

ନମସ୍ତେ ଶଙ୍ଖଚକ୍ରଭୁଜ

ନମୋ ଦେବାଧି ଦେବରାଜ

।।

ନମୋ କମଳା ଦେବୀ ବର

ଶରଣ ପାଦପଦ୍ମେ ତୋର

।।

ଦେଖି ତୋହର ପଦ୍ମମୁଖ

ଛାଡ଼ିଲା କୋଟି ଜନ୍ମ ଦୁଃଖ

।।

ଏ ଜୀବ ଅଭିମାନ ଯେତେ

ସବୁ ଲାଗିଲା ପ୍ରଭୁ ତୋତେ

।।

ଏମନ୍ତ ବୋଲି ଭାବ ଭୋଳେ

ପ୍ରଣାମ କରି ପାଦତଳେ

।।

ସହସ୍ରବାର ଦଣ୍ଡବତ

କରିଣ ଉଠିଲେ ତୁରିତ

।।

ଛାମୁରୁ ମେଲାଣି ହୋଇଲେ

ବହୁ ଆନନ୍ଦେ ଚଳିଗଲେ

।।

ଗୁଣ୍ଡିଚା ନଅର ନିକଟେ

ଯେ ଇନ୍ଦ୍ରଦ୍ୟୁମନର ତଟେ

।।

ଅନେକ ଧନ ଲଗାଇଲେ

ବିଚିତ୍ର ମଠ ତୋଳାଇଲେ

।।

ବତିଶ ବଖରା ଚଉଁରି

ବେଢା ମଣ୍ଡପ ଆଦି କରି

।।

ଅମୂଲ୍ୟ ପୁର ନିର୍ମାଣିଲେ

ନିଶ୍ଚିତ ହୋଇଣ ରହିଲେ

।।

ଶ୍ରୀ ପୁରୁଷୋତ୍ତମ ଉତ୍ତମ

ଧନର ଧନପତି ସମ

।।

ଯେ ଯାହା ପ୍ରକାଶନ୍ତି ଆସି

ଦେଇ ତାହାଙ୍କ ମନ ତୋଷି

।।

ଦୁଃଖୀ ଦରିଦ୍ର ଯେ ଭିକାରୀ

ଯୋଗୀ ଜଙ୍ଗମ ବ୍ରହ୍ମଚାରୀ

।।

ଯେବା ଅତିଥି ଉପଗତ

ସବୁଙ୍କୁ ଦ୍ୟନ୍ତି ସଦାବର୍ତ୍ତ

।।

ପ୍ରଭୁ ମଣୋହି ନୀତି କରି

ମହାପ୍ରସାଦ ସେବା କରି

।।

ନିତ୍ୟେ ପ୍ରଭୁଙ୍କ ଦରଶନ

କରି ବଞ୍ଚନ୍ତି ରାତ୍ରଦିନ

।।

ନ କରି କିଛି ହିଁ ଜଞ୍ଜାଳ

ଏମନ୍ତେ ଗଲା କେତେକାଳ

।।

ଲୋକେ ବୋଇଲେ ଧନ୍ୟ ଧନ୍ୟ

ବୈଷ୍ଣବ ପଣେ ମୋକ୍ଷପାନ

।।

ଜୀବରେ ଏଡ଼େ ଦୟା ହୋଇ

କେହି ତ ଦେଖିବାରେ ନାହିଁ

।।

ଏମନ୍ତ ବୋଲିଣ ସମସ୍ତେ

ପ୍ରଶଂସା କରନ୍ତି ଜଗତେ

।।

କେତେ ହେଁ କାଳ ବହିଗଲା

ଆସିଣ ମୃତ୍ୟୁକାଳ ହେଲା

।।

ବିଚାର କଲେ ମନେ ମନ

ଆଉ ତ ନାହିଁ ପ୍ରୟୋଜନ

।।

ହେବ କହିବା କର୍ମ ଯେତେ

ଆସିଣ ମିଳିଲେ ସମସ୍ତେ

।।

ଏମନ୍ତ ପ୍ରଭୁ ବିଚାରିଣ

ଚିନ୍ତିଲେ ପ୍ରଭୁ ନାରାୟଣ

।।

ଶ୍ରୀରାମ ରୂପ ଧ୍ୟାନ କରି

ଶ୍ରୀରାମ ତାରକ ସୁମରି

।।

ଆତ୍ମାରାମକୁ ଆଗେ ଥୋଇ

ଆତ୍ମାକୁ ଆତ୍ମରେ ମିଶାଇ

।।

ଭଜି ଶ୍ରୀରାମ ନାମ ବାଣୀ

ପ୍ରାଣ ଛାଡ଼ିଲେ ତତକ୍ଷଣି

।।

ଜ୍ୟୋତିରେ ଜ୍ୟୋତି ମିଶିଗଲା

ସେ ପିଣ୍ଡ ଅଲଗେ ରହିଲା

।।

ତା ଦେଖି ଭୃତ୍ୟଜନେ ମିଳି

ଅନେକ ଛାଡ଼ିଲେ ବୋବାଳି

।।

ଗୁଣ ବାହୁନି ଯେଝାମତେ

ସନ୍ତାପ କଲେ ସେ ସମସ୍ତେ

।।

ଗୁରୁଦେବଙ୍କୁ ଘେନିଗଲେ

ସୁଗନ୍ଧ ଜଳେ ସ୍ନାନ କଲେ

।।

ଦିବ୍ୟ ସମାଧି ସ୍ଥାନ କରି

ତଥି ସୁବାସ ଦ୍ରବ୍ୟ ଭରି

।।

କର୍ପୂର ଶେଯ ଶେଯାଇଲେ

ତହିଁ ନେଇଣ ଶୁଆଇଲେ

।।

ମୁଦ କପାଇ ଘୋଡ଼ାଇଲେ

ସମାଧି କର୍ମ ବଢାଇଲେ

।।

ତହୁଁ ଚଳିଲେ ତତକ୍ଷଣ

ଏଥିଉତ୍ତାରେ ମନ ଶୁଣ

।।

ସେ ରାଜ୍ୟ ନୃପତିର ଆଗେ

ଖଚୁଆମାନେ ଯାଇ ବେଗେ

।।

କହିଲେ ଶୁଣ ମହାରାୟେ

ଅପୂର୍ବ ବୈଷ୍ଣବ ଗୋଟିଏ

।।

ନାମ ବାଳକ ରାମଦାସ

କ୍ଷେତ୍ରରେ କରିଥିଲା ଦାସ

।।

ଅନେକ କାଳ ସେ ବଞ୍ଚିଲା

ଏବେ ସେ ନିଜ ଧାମ ଗଲା

।।

ଅନେକ ଧନ ଅଛି ତାର

ଯେମନ୍ତେ କୁବେର ଭଣ୍ଡାର

।।

ଶୁଣିମା ହେଉ ମହାରାଣ

ନିଜ ଭଣ୍ଡାରେ ତାହା ଆଣ

।।

ତା ଶୁଣି ନୃପ ଶିରୋମଣି

ପେଶିଲେ ଦୂତ ସେହିକ୍ଷଣି

।।

ଅନେକ ଛଡ଼ିଦାର ଗଲେ

ମଠ ବାସନ୍ଦ କରାଇଲେ

।।

ଅନେକ ତର୍ଜନ ଗର୍ଜନ

କରିଣ ଲେଖା କଲେ ଧନ

।।

ମଣୋହି କରାଇ ନ ଦେଲେ

ଅନ୍ନ ହିଁ ସବୁ ବାସନ୍ଦିଲେ

।।

ତା ଦେଖି ଚେଲାମାନେ ଯେତେ

ରୋଦନ କରିଣ ସମସ୍ତେ

।।

ସମାଧି ପାଶେ ଚଳିଗଲେ

ବେଢି ଅନେକ ଡକାଇଲେ

।।

ବୋଇଲେ ସ୍ୱାମୀ ଗଲେ କାହିଁ

ଆମ୍ଭଙ୍କୁ ପଥରେ ବସାଇ

।।

ଏ ରାଜ୍ୟ ରାଜା ଦୂତ ପେଶି

ଆମ୍ଭଙ୍କୁ ଅନେକ ଝିଙ୍ଗାସି

।।

ତୁମ୍ଭର ଧନ ଥିଲା ଯେତେ

ନେଉଛି ନିଯୋଗ ନିମନ୍ତେ

।।

ପ୍ରଭୁ ମଣୋହି କିସ ହେବ

ଏ ମଠ କେମନ୍ତେ ଚଳିବ

।।

କି ହେବ ସଦାବର୍ତ୍ତମାନ

ପଡ଼ିଲା ଏମନ୍ତ କଷଣ

।।

କେମନ୍ତେ ଯିବ ଆମ୍ଭ ଦିନ

ସମସ୍ତେ ହରିବୁ ଜୀବନ

।।

ଏମନ୍ତ ବୋଲି ସେ ରୋଦନ୍ତେ

ଥାଇ ସମାଧି ମଧ୍ୟ ଗତେ

।।

ବୋଇଲେ ଫିଟାଅରେ ମୋତେ

ବୁଝିବା କଥା ମାନ କେତେ

।।

ଆଜ୍ଞା ପ୍ରମାଣେ ଲୋକ ଗଲେ

ସମାଧି ମୁଦ ଫିଟାଇଲେ

।।

ଉଠି ବାଳକ ରାମଦାସ

ଲେଉଟି ମଠରେ ପ୍ରବେଶ

।।

ଚିନ୍ତିଣ ପ୍ରଭୁ ଚକ୍ରପାଣି

ବସିଲେ ମତ୍ତସିଂହ ଜିଣି

।।

ସେବକମାନଙ୍କୁ ପୁଚ୍ଛିଲେ

ସମସ୍ତ ବିଷୟ ବୁଝିଲେ

।।

ଅଳପ ହୋଇ ହସ ହସ

ବୋଲେ ବାଳକ ରାମଦାସ

।।

ଶୁଣ ହେ ଦୂତମାନେ

କହ ନୃପତି ସନ୍ନିଧାନେ

।।

ଏତେକ ରାଜ୍ୟ ନ ଅଣ୍ଟିଲା

ବୈଷ୍ଣବ ଧନ ଆଶ୍ରେ କଲା

।।

ଆମ୍ଭର ମଲେ ସିନା ନେବ

ନୋହିଲେ କି କରି ପାରିବ

।।

ଆମ୍ଭେ ରହିବୁ କିଛି ଦିନ

ଆଗହୁ ମରୁ ସେ ରାଜନ

।।

ତହିଁ ଉତ୍ତାରେ ଆମ୍ଭେ ଯିବା

ଏ କୀର୍ତ୍ତି ଜଗତେ ରଖିବା

।।

ତା ଶୁଣି ରାଜଦୂତମାନେ

ପଳାଇଗଲେ ଭୟ ମନେ

।।

ରାଜାଙ୍କୁ କହିଲେ ସମସ୍ତେ

ଶୁଣି ନୃପତି ଆଚମ୍ୱିତେ

।।

ବୋଇଲେ କି କରିବା କହ

ଶୁଣି କମ୍ପଇ ଆମ୍ଭ ଦେହ

।।

ବେଗେଣ ଯାଅ ଜଣ ଦଶ

ତାହାକୁ ଧରି ଘେନିଆସ

।।

ଶିର ତା ଛେଦନ କରିବା

ଅଗ୍ନି ଲଗାଇ ପୋଡ଼ିଦେବା

।।

ତା ଶୁଣି ପାତ୍ର ମନ୍ତ୍ରୀମାନେ

କହିଲେ ରାଜା ସନ୍ନିଧ୍ୟାନେ

।।

ଏକଥା ନୁହଇ ଉଚିତ

ସେ ବଇଷ୍ଣବ ପ୍ରଜ୍ଞାବନ୍ତ

।।

କର୍ଣ୍ଣେ ଶୁଣିଲା ନାହିଁ ଯାହା

ସାକ୍ଷାତେ ଦେଖିଲୁଟି ତାହା

।।

ତିନିଦିନର ମୃତ ଶବ

ପୁଣି ଆସିଲା ପାଇ ଜୀବ

।।

ଜୀଇ ମରିବା ଇଚ୍ଛା ତାର

ସେ ନୋହେ ମନୁଷ୍ୟ ଶରୀର

।।

ସେ ଯେବେ ହେବେ ଅସନ୍ତୋଷ

ତୋ ରାଜବଂଶ ଯିବ ନାଶ

।।

ଗୋଟିଏ ନ ରହିବେ ଆଉ

ଏହା ବିଚାରି ଆଜ୍ଞା ହେଉ

।।

ଶୁଣି ନୃପତି ତୋଷ ହେଲା

ଆସିଣ କାଳ ଆକର୍ଷିଲା

।।

ଏମନ୍ତେ ଗଲା ଦଶଦିନ

ପ୍ରାଣ ହାରିଲା ସେ ରାଜନ

।।

ଶୁଣି ବାଳକ ରାମଦାସ

ଚିନ୍ତିଲେ କମଳା ବିଳାସ

।।

ଭଜିଲେ ଶ୍ରୀରାମ ଶ୍ରୀରାମ

ପୁଣି ଗମିଲେ ନିଜ ଧାମ

।।

ଶୁଣ ହୋ ମନ ଜ୍ଞନମୟେ

ସାଧୁଙ୍କ ବଳେ ଏହା ହୁଏ

।।

ଏ କଳିଯୁଗେ ଏ ଚରିତ

କହି ଶୁଣିବା ଆଚମ୍ୱିତ

।।

ଏ ଦାର୍ଢ୍ୟଭକ୍ତି ରସବାଣୀ

ବିଶ୍ୱାସ କର ଯେବେ ଶୁଣି

।।

କିବା ନିର୍ମଳ କରି ମନ

ବଚନେ ଯେ କରଇ ପାନ

।।

ତାର ବିପଦ ଥିବ ଯେତେ

ରହିବ ନାହିଁ କଦାଚିତ୍ତେ

।।

ବିଶ୍ୱାସ ବିନା କର୍ମ ଯେତେ

ରହିବ ନାହିଁ କଦାଚିତ୍ତେ

।।

ଚାଲୁଣି ମଧ୍ୟେ ଯେହ୍ନେ ପାଣି

ଯେତେ ହେଁ ଭରୁଥିଲେ ଆଣି

।।

କେବେହେଁ ନ ରହେଟି ଶେଷ

ଏମନ୍ତେ ସେ ହୋଏ ନିରାଶ

।।

କହଇ ରାମଦାସ ଦ୍ୱିଜ

ମୋ ପ୍ରଭୁ ଶଙ୍ଖ ଚକ୍ର ଭୁଜ

।।

ସାଧୁଜନଙ୍କ ପଦାଗ୍ରତେ

ମୋ ଚିତ୍ତ ରହୁ ଅନୁବ୍ରତେ

।।

କର ନ କର ଇଚ୍ଛା ତୋର

ଅନ୍ୟ ଶରଣ ନାହିଁ ମୋର

।।

 

 

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ଦିଲ୍ଲୀ ବାଳକ ରାମ ଦାସ

ଦାର୍ଢ୍ୟତାଭାବ ବର୍ଣ୍ଣନେ ନାମ ଊନଚତ୍ୱାରିଂଶୋ ଧ୍ୟାୟଃ ।

•••

 

Unknown

ଚତ୍ୱାରିଂଶ ଅଧ୍ୟାୟ

କୃପାସିନ୍ଧୁ ଦାସ ସମ୍ୱାଦ

ମନ ଉବାଚ

 

ନମସ୍ତେ ପ୍ରଭୁ ବିଘ୍ନରାଜ

ସୁଫଳ କର ମୋର କାର୍ଯ୍ୟ

।।

କହେ ଚୈତନ୍ୟ ମୁନିବର

ସୁମନ ନୃପତି ଆଗର

।।

ଶୁଣିବା ହେଉ ଶୁଦ୍ଧ ଭାବେ

ମୁଁ ଯାହା କହୁଅଛି ଏବେ

।।

ଏ ବଡ଼ ଦୁର୍ଲ୍ଲଭ ଚରିତ

କେବଳ ଶ୍ରବଣେ ଅମୃତ

।।

ଶୁଦ୍ଧ ପଶ୍ଚିମ ଦେହ ଯେହି

ସ୍ୱର୍ଗକୁ ଯିବା ମାର୍ଗ ସେହି

।।

ସେ ଦେଶେ ଏକଇ ସହର

ନାମ ତା ଲୀଳାବତୀ ପୁର

।।

ସେହି ଗ୍ରାମରେ ତାର ବାସ

ନାମ ତା କୃପାସିନ୍ଧୁ ଦାସ

।।

ଜାତିରେ ଅଟଇ ବ୍ରାହ୍ମଣ

ନିରତେ ବିଷ୍ଣୁ ପରାୟଣ

।।

ଧନ ସମ୍ପଦ ଅପ୍ରମିତ

ବେନି ଦୁହିତା ତିନିସୁତ

।।

ତାର ଭାରିଯା ରୂପବତୀ

ନାମ ତାହାର ଶ୍ରଦ୍ଧାବତୀ

।।

ସ୍ୱାମୀ ସେବାରେ ଦୃଢମତି

କେବଳ ଜାଣେ ବିଷ୍ଣୁଭକ୍ତି

।।

ନ ଜାଣେ ଅନ୍ୟ ଦେବମାନ

ଜାଇଣ ସ୍ୱାମୀ ଭଗବାନ

।।

ସ୍ୱାମୀ ଅଜ୍ଞାରେ ଥାଇ ନିତି

ଶ୍ରଦ୍ଧା ନ ଭାଙ୍ଗେ ଶ୍ରଦ୍ଧାବତୀ

।।

ଏମନ୍ତ ପତ୍ନୀ ସଙ୍ଗେ ଘେନି

ବଞ୍ଚଇ ଦିବସ ରଜନୀ

।।

ପୁରାଣ ଶୁଣୁଥାଇ ନିତି

ସାଧୁଙ୍କ ଚରଣେ ଭକତି

।।

ସକଳ ଜୀବେ ଦୟାବାନ

କହେ ସେ ମଧୁର ବଚନ

।।

ପାଷାଣ୍ଡ ଜନଙ୍କ ସହିତେ

ବସଇ ନାହିଁ କଦାଚିତ୍ତେ

।।

ମିଥ୍ୟା ବୋଇଲେ ମୃତ୍ୟୁ ତାର

ଜାଣଇ ସତ୍ୟ ଏକ ସାର

।।

ଦେବ ବ୍ରାହ୍ମଣେ ମହାଭୟେ

ନିରତେ ସଦାନନ୍ଦ ରାୟେ

।।

ବୈଷ୍ଣବ ବ୍ରାହ୍ମଣ ଭିକାରୀ

ଯୋଗ ସଙ୍ଗମ ବ୍ରହ୍ମଚାରୀ

।।

ଦୁଃଖୀ ଦରିଦ୍ର ଯେଉଁ ନରେ

ସେ ଆସି ପ୍ରବେଶିଲେ ଦ୍ୱାରେ

।।

ଯାଅ ବୋଲିବା ପଦ ନାହିଁ

ଯେ ଯାହା ମାଗିଲେ ଦିଅଇ

।।

ବସ୍ତ୍ର ଭୋଜନ ଆଦି ଯେତେ

ରତନ କାଞ୍ଚନ ସହିତେ

।।

ଦେଇ ତୋଷଇ ତାର ମନ

ଲୋକେ ବୋଲନ୍ତି ଧନ୍ୟ ଧନ୍ୟ

।।

ଏମନ୍ତେ କେତେଦିନ ଗଲା

ତା ଯଶ ଜଗତେ ପୂରିଲା

।।

ଶୁଣ ହୋ ମନ ଶୁଦ୍ଧ ଚିତ୍ତେ

ଏଥି ଉତ୍ତାରେ କଥା ଯେତେ

।।

ଦଇବ ଘଟସୂତ୍ର ମାନ

କେ ତାହା କରିପାରେ ଆନ

।।

ପୁତ୍ର ଦୁହିତା ତାର ମଲେ

ଗୋଟିଏ କେହି ନ ରହିଲେ

।।

ଏକା ରହିଲେ ତାର ମାତ

ତାର ସମ୍ପଦ ଦେଲା ଚ୍ୟୁତ

।।

ଖାତକେ ନେଲେ ଧନ ବାଡ଼ି

ଅନଳେ ଗଲା କିଛି ପୋଡ଼ି

।।

ଖଣ୍ଟ ଚଉର୍ଯ୍ୟ ଆଦି ଯେତେ

ଏମାନେ ନେଲେ ଧନ କେତେ

।।

ଏମନ୍ତେ ସର୍ବକ୍ଷୟ ଗଲା

ମହା ଦରିଦ୍ର ଦୁଃଖୀ ହେଲା

।।

ଏଥକୁ ଶୋଚନା ନ କରି

ବୋଲେ ଯା କରିବେ ଶ୍ରୀହରି

।।

ସଂସାର ଯାର ଖେଳଘର

ଏ ସର୍ବ ଆୟତ୍ତ ଯାହାର

।।

କୀଟରୁ ବ୍ରହ୍ମ ଆଦିକରି

ଯେତେ ଅଛନ୍ତି ଦେହ ଧରି

।।

ଏମନ୍ତ ବୋଲିଣ ସୁଚିତ୍ତେ

ହସି ଭଜନ କରି ନିତ୍ୟେ

।।

ବଞ୍ଚଇ ରଜନୀ ଦିବସ

ମନେ ତା କ୍ଷୋଭ ନାହିଁ ଲେଶ

।।

କେବଳ ଚିନ୍ତା ତାର ଏତେ

ଦ୍ୱାରକୁ ଆସିବେ ଅତିଥେ

।।

ଆସିଲେ ଲେଉଟି ସେ ଯିବେ

ଏଥକୁ କି କରିବା ଏବେ

।।

ଏହି ଚିନ୍ତାହିଁ ମନେ ତାର

କେ କହେ କାହାରି ଆଗର

।।

ଏମନ୍ତେ କେତେଦିନ ଠାରେ

ତା ପତ୍ନୀ ସ୍ୱାମୀର ଆଗରେ

।।

ଅତୀ ମଧୁର ଧୀର ବାଣୀ

ବିନୟେ କହିଲା ସେ ପୁଣି

।।

ବୋଇଲା ଶୁଣ ମୋ ବଚନ

ଆଉ ତ ନାହିଁ କିଛି ଧନ

।।

ଘରେ ପିତ୍ତଳ ସଜ ଯେତେ

ଯେ ତମ୍ୱା କଂସାହିଁ ସହିତେ

।।

ବଡ଼ ସାନ ହିଁ ଯେତେ ଥିଲା

ସମସ୍ତ ବିକାରେ ଯେ ଗଲା

।।

ତୋରାଣି ପିଇବା କାହିଁରେ

ଖଣ୍ଡିଏ ପାତ୍ର ନାହିଁ ଘରେ

।।

ଯେ ପୁରାତନ ବସ୍ତ୍ର ଥିଲା

ତାହା ତ ସବୁ ବିକାଗଲା

।।

ସର୍ବ ହୋଇଲା ଆସି ଶେଷ

ଏବେ ରହିଲୁ ଉପବାସ

।।

କଷ୍ଟ ପଡ଼ିବା କର୍ମ ଯେତେ

ତାହା ତ ନୋହେ ତୁମ୍ଭ ଚିତ୍ତେ

।।

ମୂଲ ତ ଲାଗି ନ ପାରିବ

ଭିକ୍ଷା ତ ମାଗି ନ ଜାଣିବ

।।

ଏଥକୁ କିଛି ବୁଦ୍ଧି କରିବା

ନିଶ୍ଚୟ ଜୀବନ ହାରିବା

।।

ତା ଶୁଣି ବୋଲେ ନିଜ ପତି

ମୋ ବାଣୀ ଶୁଣରେ ଯୁବତୀ

।।

ଆମ୍ଭ ଅଦୃଷ୍ଟେ ଅଛି ଯାହା

ଅବଶ୍ୟ ଭୁଞ୍ଜିବାନା ତାହା

।।

ଏଥକୁ କିଛି ହିଁ ନ ଭାଳ

ଯାହା କରିବେ ଆଦିମୂଳ

।।

ତା ଶୁଣି ପତ୍ନୀ ବୋଲେ ଶୁଣ

ତୁମ୍ଭେ ଯା କହିଲ ପ୍ରମାଣ

।।

ସଂସାରେ ଦେହଧାରୀ ଯେତେ

ଅନ୍ନରେ ବଞ୍ଚନ୍ତି ସମସ୍ତେ

।।

ଅନ୍ନ ନ ପାଇ କେତେଦିନ

ରହିବ ଏ ପାପ ଜୀବନ

।।

ଆଜି କି କରିବା ବିଚାର

ଏ କଥା ଗୋଟି ମୂଳକର

।।

ତା ଶୁଣି ବୋଲେ ସ୍ୱାମୀ ଥାଇ

ଶୁଣ ମୋହର ପ୍ରାଣ ସହି

।।

ଏ କଥା ମାତ୍ରକୁ ତୁ କର

ଯାଅ ତୁ ମିତ୍ରଙ୍କର ଘର

।।

ମାଣ୍ଡିଆ ଚୂନା ଦଶମାଣ

ଉଧାର କରି ମାଗିଆଣ

।।

କରିବା ଦଶ ଗୋଟି ରୁଟି

ତହୁଁ ମୁଁ ଧରି ପାଞ୍ଚଗୋଟି

।।

ଯିବି ନୀଳାଦ୍ରି ପୁରଯାଏ

ସେ ଗ୍ରାମେ ଖାତକ ଗୋଟିଏ

।।

ହୋଇ ଅଛନ୍ତି ଭାଗ୍ୟବନ୍ତ

ତା’ଠାରେ ଅଛି ଦମ୍ଭ ବିତ୍ତ

।।

ସେ କିଛି ଦେଲେ ତାହା ଆଣି

ଖାଇ ବଞ୍ଚିବା ବେନି ପ୍ରାଣୀ

।।

ଯାଇ ଆସିବା ପାଞ୍ଚଦିନ

ଲାଗିବ ଯୁବତୀ ରତନ

।।

ଏଥକୁ ଚିନ୍ତା ନ କରିବୁ

ଆନନ୍ଦ ହୋଇ ଘରେ ଥିବୁ

।।

ଶୁଣି ଯୁବତୀ ଶିରୋମଣି

ମନେ ଚିନ୍ତଇ ଚକ୍ରପାଣି

।।

ସ୍ୱାମୀର ଆଜ୍ଞା ଘେନି ଶିରେ

ଚଳିଲା ମଇତ୍ରଙ୍କ ଘରେ

।।

ସେ ମିତ୍ର ପତ୍ନୀର ଅଗ୍ରତେ

କହିଲା ଦୁଃଖ ସୁଖ ଯେତେ

।।

ବୋଇଲା ସଙ୍ଗାତ ଗୋ ଶୁଣ

ମାଣ୍ଡିଆ ଚୂନା ଦଶମାଣ

।।

ଦେଇଥାଅ ଗୋ ତୁ ଉଧାର

ଅନେକ ହେବ ଉପକାର

।।

ମିତ୍ର ତୁମ୍ଭର ତାହାଧରି

ଯିବାକୁ ଛନ୍ତି ମନେ କରି

।।

ନୀଳାଦ୍ରିପୁର ପରିଯନ୍ତେ

ତହିଁ ଖାତକ ଜଣ କେତେ

।।

ଅଛନ୍ତି କୁଶଳ ହୋଇଣ

ସାଧି ଆଣିବେ କିଛି ଋଣ

।।

ଯାହା ସେ ଦେବେ ଭଗବାନ

ଖାଇ ବଞ୍ଚିବୁ କିଛିଦିନ

।।

ତା ଶୁଣି ମିତ୍ରପତ୍ନୀ ଯାଇ

ସ୍ୱାମୀ ଆଗରେ ତାହା କହି

।।

ମାଣ୍ଡିଆ ଚୂନା ମାଣ ଦଶ

ଆଣି ସେ ଦେଲା ତାର ପାଶ

।।

ତାହା ଧରିଣ ବେଗେ ଚଳି

ନିଜ ମନ୍ଦିରେ ଯାଇ ମିଳି

।।

ସ୍ୱାମୀର ଆଗେ ନେଇ ଦେଲା

ଏହା କି କରିବି ବୋଇଲା

।।

ସ୍ୱାମୀ ବୋଲଇ କର ରୋଟି

ଗଣନ୍ତେ ହେବ ଦଶଗୋଟି

।।

ତହୁଁ ମୁଁ ପାଞ୍ଚଗୋଟି ଘେନି

ପ୍ରଭାତୁ ଯିବିରେ କାମିନୀ

।।

ତୁମ୍ଭର ପାଞ୍ଚଗୋଟି ଥିବ

ମୋର ଆସିବାଯାଏ ହେବ

।।

ଦୁହେଁ ଜୀବନ ରକ୍ଷା କରି

ପଛେ ଯା କରିଲେ ଶ୍ରୀହରି

।।

ସେ କଥା ହେବ ତ ଅବଶ୍ୟ

ଏବେ ତୁ ରୋଟି କର ଦଶ

।।

ତା ଶୁଣି ବୋଲେ ପ୍ରିୟାବତୀ

ତୁମ୍ଭେ ମୋହର ପ୍ରାଣପତି

।।

ବୃକ୍ଷ ଛାଇର ପ୍ରାୟ ହୋଇ

କେବେ ଅନ୍ତର ହୁଅ ନାହିଁ

।।

ଏବେ ଛାଡ଼ିଣ ମୋତେ ଯିବ

ଏହା ଯେ ଲେଖିଲା ଦଇବ

।।

ତୁମ୍ଭ ଅଇଲା ପରିଯନ୍ତେ

ମୋ ଦିନ ସରିବ କେମନ୍ତେ

।।

ଏମନ୍ତ କହି ଥନ ଥନ

କରିଣ ତା ବେନି ନୟନ

।।

ଉଠିଲା କରିଣ କାରୁଣ୍ୟ

ସ୍ୱାମୀ ବୋଲଇ ସଖୀ ଶୁଣ

।।

କିମ୍ପା ତୁ ହେଉଛୁ ବିକଳ

ସବୁରି ପ୍ରଭୁ ଆଦି ମୂଳ

।।

ସମସ୍ତ ଜୀବର କାରେଣି

ଅଶେଷ ଜନ ଚିନ୍ତାମଣି

।।

ସବୁରି ଦୁଃଖ ସୁଖ ଯେତେ

ସେ ସିନା ବୁଝିଥାନ୍ତି ନିତ୍ୟେ

।।

ସକଳେ ଘଟେ ଛନ୍ତି ପୂରି

ସବୁରି କର୍ମରଜ୍ଜୁ ଧରି

।।

ସଂସାର କରେ ଆତଯାତ

ସବୁ ଏ ତାହାଙ୍କ ଆୟତ

।।

ସେ ପ୍ରଭୁ ଅଛନ୍ତି ଆମ୍ଭର

ମନରେ ସଂଶୟ ନ କର

।।

ବେଗେ କର ତୁ ଯାଇଁ ରୋଟି

ଶୁଣି ସୁନ୍ଦରୀ ଗଲା ଉଠି

।।

ତକ୍ଷଣେ ଶୁଚିମନ୍ତ ହୋଇ

ଶ୍ରୀୟା ଦେବୀଙ୍କି ମନେ ଧ୍ୟାୟୀ

।।

ଚୂଲିରେ ଅଗ୍ନି ଯୋଗକରି

ମାଣ୍ଡିଆ ଚୂନା ଗୋଳିକରି

।।

ତହିଁ ଲବଣ କିଛି ଭରି

ରୋଟି ସେ ଦଶଗୋଟି କରି

।।

ଅନଳ ତପ୍ତେ ସିଝାଇଲା

ଯତନ କରିଣ ଥୋଇଲା

।।

ଏମନ୍ତବେଳେ ଦେବହରି

ଭାବେ ବୈଷ୍ଣବ ରୂପ ଧରି

।।

ମସ୍ତକେ ଶୋହେ ଜଟାଭାର

ବିଭୁତି ଭୂଷଣ ଶରୀର

।।

ଭାଳେ ତିଳକ ଶୋଭାକର

କଣ୍ଠେ ତୁଳସୀମାଳ ହାର

।।

ଶ୍ରବଣେ କୁଣ୍ଡଳ ବିରାଜେ

ଡୋର କୌପୁନୀ କଟିମାଝେ

।।

ଘେନି ଶ୍ରୀକରେ ତମ୍ୱା ଯଷ୍ଠି

କି ଅବା ବିଜୟ ଧୂର୍ଜ୍ଜୁଟୀ

।।

ଅତି ଦୁର୍ବଳ ବୃଦ୍ଧ ତନୁ

କ୍ଷୀଣ ଦିଶୁଛି ବପୁ ବିନୁ

।।

ପେଟ ଲାଗୁଛି ପୃଷ୍ଠ ଦେଶେ

ପଞ୍ଜରା ଗୋଟି ଗୋଟି ଦିଶେ

।।

ବସିଲେ ନ ପାରନ୍ତି ଉଠି

ଚାଲନ୍ତେ ପଡୁଛନ୍ତି ଝୁଣ୍ଟି

।।

କହିବା ହୋଇଲେ ବଚନ

ଛାଡ଼ିଯାଏ କି ଦେହୁ ଜ୍ଞାନ

।।

ଅତି ଦୁର୍ବଳ ତାଙ୍କ କାୟେ

କେବଳ ଦିଶେ ଜ୍ୟୋତିର୍ମୟେ

।।

ଏମନ୍ତ ରୂପେ ବ୍ରହ୍ମରାଶି

ବିଜୟ କଲେ ଦ୍ୱାରେ ଆସି

।।

ଡାକିଲେ ଦାଶଙ୍କର ଘରେ

କେ ଅଛ ଆସ କିନା ଥରେ

।।

ଦ୍ୱାରେ ଅତିଥି ଉପଗତ

ଏକଥା ବୁଝ ହେ ତୁରିତ

।।

ତା ଶୁଣି କୃପାସିନ୍ଧୁ ଦାସ

ମନରେ ହୋଇଣ ହରଷ

।।

ବେଗେ ମିଳିଲେ ଦ୍ୱାରେ ଆସି

ଦର୍ଶନ କଲେ ବ୍ରହ୍ମରାଶି

।।

ମସ୍ତକେ ବେିନକର ଦେଇ

ବୋଲେ ବିନୟ ଭାବ ହୋଇ

।।

କି ଆଜ୍ଞା ହେଉଅଛି ମୋତେ

କହିବା ହେଉ ଶୁଦ୍ଧଚିତ୍ତେ

।।

ତା ଶୁଣି ପ୍ରଭୁ ଚକ୍ରପାଣି

ବୋଇଲେ ଶୁଣ ମୋର ବାଣୀ

।।

ଏ ତୋର ଯଶ କୀର୍ତ୍ତି ଯେତେ

ଆମ୍ଭେ ଶୁଣିଲୁ ନାନାମତେ

।।

ତେଣୁ ଅଇଲୁ ତୋର ପାଶେ

ତିନିଦିନରେ ଉପବାସେ

।।

କହିବା ଶକ୍ତି ମୋର ନାହିଁ

ଭୋଜନ ପାରିବୁ କି ଦେଇ

।।

ବିଳମ୍ୱ କାର୍ଯ୍ୟ ନାହିଁ ଆଉ

ନାହିଁ ବୋଇଲେ ଚଳିଯାଉ

।।

ତା ଶୁଣି କୃପାସିନ୍ଧୁ ଦାଶ

କହିଲେ ଅତିଥିଙ୍କ ପାଶ

।।

ତୁମ୍ଭଙ୍କୁ ଦେବାକୁ ଭୋଜନ

ମୁଁ ଛାର ନୁହଇ ଭାଜନ

।।

ଯାହା ସେ ଦେଇଥିବେ ହରି

ତାହା ଭୋଜନ ଯିବ କରି

।।

ଦଣ୍ଡେକ ମାତ୍ର ଏଥି ବସ

ବୋଲି ସେ ମନ୍ଦିରେ ପ୍ରବେଶ

।।

କହିଲା ପତ୍ନୀ ସନ୍ନିଧାନ

ଅତିଥି ମାଗନ୍ତି ଭୋଜନ

।।

ଅତି ଦୁର୍ବଳ ବୃଦ୍ଧଦେହୀ

ଚାଲିବା ଶକ୍ତି ତାଙ୍କ ନାହିଁ

।।

ଏଥକୁ କହ କି ବିଚାର

କି ବୁଦ୍ଧି କରିବା ଏଥର

।।

ପତ୍ନୀ ବୋଇଲା ଏ କି କଥା

ମନେ ନ କର କିଛି ଚିନ୍ତା

।।

ତୁମ୍ଭ ଭାଗକୁ ତୁମ୍ଭେ ନିଅ

ମୋ ଭାଗ ଅତିଥିଙ୍କି ଦିଅ

।।

ବଳିଲେ କରିବି ଭୋଜନ

ନୋହିଲେ ହେବ ଜଳପାନ

।।

ତୁମ୍ଭ ଅଇଲା ପରିଯନ୍ତେ

ପ୍ରାଣତ ଥିବ ପଣ୍ଡଗତେ

।।

ଏଥକୁ ଅଛି କି ବିଚାର

ଆଗେ ଅତିଥି ସେବା କର

।।

ତା ଶୁଣି ସ୍ୱାମୀ ବୋଲେ ଚାହିଁ

ଧନ୍ୟ ତୋ ଜୀବନ ଅଟଇ

।।

ମୋ ଜୀବ ଉଦ୍ଧାର ନିମନ୍ତେ

ବିହି ଖଞ୍ଜିଛି ତୋତେ ମୋତେ

।।

ଏମନ୍ତ ବୋଲିଣ ହରଷେ

ମିଳିଲା ଅତିଥିଙ୍କ ପାଶେ

।।

ବୋଇଲା ସ୍ୱାମୀ ବିଜେକର

ଶୁଣି ଉଠିଲେ ଚକ୍ରଧର

।।

ସଙ୍ଗତେ ଘେନି ଚଳିଗଲେ

ମନ୍ଦିରେ ବିଜେ କରାଇଲେ

।।

ଆନନ୍ଦେ ପାଦପଦ୍ମ ଧୋଇ

ପିଇଲେ ପତି ପତ୍ନୀ ଦୁଇ

।।

ଆପଣା ମସ୍ତକେ ସିଞ୍ଚିଲେ

ଗୃହରେ ପଣନ୍ତେ ବିଞ୍ଚିଲେ

।।

ଦେଖ ହୋ ଭାଗ୍ୟ ତାହାଙ୍କର

ଯାହା ନ ପାନ୍ତି ବ୍ରହ୍ମା ହର

।।

ସୁର ମୁନିଙ୍କୁ ଯେ ଦୁର୍ଲ୍ଲଭ

ଯାହା ବହନ୍ତି ସଦାଶିବ

।।

ସେ ଜଳ ଭକ୍ତିଭାବେ କରି

ଦେଖି ପିଇଲେ ନରନାରୀ

।।

ଅତି ଆନନ୍ଦମନ ହୋଇ

ବୃଦ୍ଧଙ୍କୁ ଆସନେ ବସାଇ

।।

ଆଣି ସେ ଦେଲେ ବେନି ରୋଟି

ଭୁଞ୍ଜିଣ ଗୋବିନ୍ଦ ନ ଉଠି

।।

ତାହା ଦେଖିଣ ନରନାରୀ

ଦୁହେଁ ହୋଇଲେ ଠରାଠରି

।।

ତୁରିତେ ଗଲା ବିମ୍ୱଓଷ୍ଠୀ

ପୁଣି ଆଣିଲା ବେନି ରୋଟି

।।

ଶ୍ରୀହରି ପତ୍ରେ ନେଇ ଦେଲେ

ତାହା ଯେ ଗୋବିନ୍ଦ ଭୁଞ୍ଜିଲେ

।।

ତା ଦେଖି ପତି ପତ୍ନୀ ହୃଷ୍ଟ

ଜାଣିଲେ ପୂରି ନାହିଁ ପେଟ

।।

ପୁଣି ଦେଲେକ ବେନି ରୋଟି

ପ୍ରଭୁ ତା ଭୁଞ୍ଜିସାରି ଉଠି

।।

ରହିଲା ଚାରିଗୋଟି ଶେଷ

ତାହା ଜାଣନ୍ତି ପୀତବାସ

।।

ବିଚାର କଲେ ପ୍ରଭୁ ମନେ

ଆଜ ରହିବା ଏହି ସ୍ଥାନେ

।।

ବାକୀ ଯେତେକ ରୋଟି ଅଛି

ତାହା ମୁଁ ଯିବି ରାତ୍ରେ ଭକ୍ଷି

।।

ସବୁ ଭୁଞ୍ଜିଲେ ବର୍ତ୍ତମାନେ

କି ଘେନି ଯିବଇଁ ପ୍ରସ୍ଥାନେ

।।

ଏଣୁ ଏତିକି ଏବେ ହେଉ

ଏହା ବିଚାରି ମହାବାହୁ

।।

ଶ୍ରୀହସ୍ତେ ମୁଖ ପଖାଳିଣ

ହସି ବୋଇଲେ ନାରାୟଣ

।।

ଦୁର୍ଲ୍ଲଭ ଭୋଜନ ପାଇଲୁ

ଭୁଞ୍ଜି ଉଦର ସୁସ୍ଥ କଲୁ

।।

ଆଜକ ତୋ ପୁରେ ରହିବୁ

ପ୍ରଭାତୁ ଉଠି ଆମ୍ଭେ ଯିବୁଁ

।।

ତା ଦେଖି ପତି ପତ୍ନୀ ଦୁଇ

ଆନନ୍ଦ କେ ପାରବ କହି

।।

ସମ୍ମତ କରିଣ ରଖିଲେ

ଏକାନ୍ତେ ବସି ବିଚାରିଲେ

।।

ଅତିଥି ଅତ୍ୟନ୍ତ ଦୁର୍ବଳ

ଚାଲି ଯିବାକୁ ନାହିଁ ବଳ

।।

ଦୁଇ ଚାରିଦିନ ରହନ୍ତେ

ଈଶ୍ୱର କରି ନାହିଁ ମୋତେ

।।

ଏବେ ତୁ ଶୁଣ ଗୋ ବିମ୍ବୋଷ୍ଠି

ବାକି ଯେ ଅଛି ଚାରିଗୋଟି

।।

ଏ ଓଳି ଅତିଥିଙ୍କି ଦେବା

ଆମ୍ଭେ ପଛକେ ଭୋକେ ଥିବା

।।

ତାହା ଶୁଣିଣ ଶ୍ରଦ୍ଧାବତୀ

ବୋଇଲେ ଶୁଣ ପ୍ରାଣପତି

।।

ଏ ବଡ଼ ଭାଗ୍ୟ କଥା ହେଉ

ଅତିଥି ଅସନ୍ତୋଷ ନୋହୁ

।।

ମାତ୍ରକ ପାହିଲେ ରଜନୀ

ଅତିଥି ଯିବେ ହୋଇ ତୁନି

।।

ଏମନ୍ତ କହୁଁ ଦିନ ଶେଷ

ରଜନୀ ହୋଇଲା ପ୍ରବେଶ

।।

ଅତିଥି ବିଜେ କରାଇଲେ

ସେ ଚାରିଗୋଟି ରୋଟି ଦେଲେ

।।

ସବୁ ଭୁଞ୍ଜିଲେ ନାରାୟଣ

ବିଡ଼ିବା ପାଇଁ ଏ କଷଣ

।।

ଦିଅନ୍ତି ଅବଶ୍ୟ ଶ୍ରୀହରି

ସୁଜନେ ଥାଅ ହେତୁ କରି

।।

ଭୁଞ୍ଜି ଉଠିଲେ ଭାବଗ୍ରାହୀ

ଶ୍ରୀମୁଖ ପଦ୍ମ ହସ୍ତେ ଧୋଇ

।।

ଶୟନ କଲେ ତୃଣାସନେ

ଭାବି ଭକତଭାବ ମନେ

।।

ଧନ୍ୟ ସେ ଦୁହିଁଙ୍କ ଜୀବନ

ଭକତ ମଧ୍ୟେ ମୋକ୍ଷପାନ

।।

ଆପଣେ ରହି ଉପବାସେ

କେ ଦେବ ଅତିଥିଙ୍କ ପାଶେ

।।

ଏମନ୍ତ ଭାବି ଭଗବାନ

ଭାବ ସମୁଦ୍ରେ ହେଲେ ମଗ୍ନ

।।

ତେଣେ ସେ ପତିପତ୍ନୀ ଦୁଇ

ଶୟନ କଲେ ଗୃହେ ଯାଇ

।।

ପ୍ରଭୁ ମହିମା ମନେ ଗୁଣି

ନମୋ ନମସ୍ତେ ଚକ୍ରପାଣି

।।

ତୁ ଦୀନବାନ୍ଧବ ବୋଲାଉ

ଆତଙ୍କି ଆତଙ୍କ ନ ସହୁ

।।

ମୋ ଅର୍ତ୍ତ ଖଣ୍ଡ ଦେବରାଜ

ମହିମା ଦେଖାଅ ତୋ ଆଜ

।।

ଅତିଥି ନିମନ୍ତେ ଭୋଜନ

କାହୁଁ ଖଞ୍ଜିବି ଭଗବାନ

।।

ଆମ୍ଭେ ପଛକେ ଉପବାସେ

ରହିବୁଁ ରଜନୀ ଦିବସେ

।।

ଏମନ୍ତ ଭାବୁ ବେନି ପ୍ରାଣୀ

ତାହା ଜାଣିଲେ ଚକ୍ରପାଣି

।।

ତା ଦୁଃଖ ନ ପାରିଲେ ସହି

ବେଗେ ଉଠିଲେ ଭାବଗ୍ରାହୀ

।।

ଆଜ୍ଞା ଯେ ଦେଲେ ଭଗବାନ

ତୋ ଘରେ ପୂରିଥାଉ ଧନ

।।

ବସ୍ତ୍ରାଦି ଅଳଙ୍କାର ଯେତେ

ଭୋଜନ ଦ୍ରବ୍ୟାଦି ସହିତେ

।।

ଜୀବନ୍ତେ ପୂରିଥାଉ ତୋର

ବଞ୍ଚିଣ ସୁଖ ଭୋଗ କର

।।

ମଲେ ବୈକୁଣ୍ଠେ ଠାବ ପାଅ

ଭକତ ମଧ୍ୟେ ଗଣ୍ୟ ହୁଅ

।।

ଏମନ୍ତେ ଆଜ୍ଞା ତାକୁ ଦେଲେ

ତକ୍ଷଣେ ଅନ୍ତର୍ଦ୍ଧାନ ହେଲେ

।।

ଏମନ୍ତ ପାହିଲା ରଜନୀ

ଉଦୟ ହେଲେ ଦିନମଣି

।।

ପତ୍ନୀ ତା ବେଗ ହୋଇ ଉଠି

ନିଜ ଘରକୁ ଦେଲା ଦୃଷ୍ଟି

।।

ଦେଖିଲା ଧନ ରତ୍ନମାନ

ପୂରି ଯେ ଅଛଇ ଭବନ

।।

ବସ୍ତ୍ର ଭୂଷଣ ଅଳଙ୍କାର

ଅଛଇ ଅନେକ ପ୍ରକାର

।।

ଭୋଜନ ଦ୍ରବ୍ୟଆଦି ଯେତେ

ମାଣ୍ଡିଆ ମସୁର ସହିତେ

।।

ଯେ ଦିବ୍ୟ ମୁଗାଦି ହରଡ଼

ଧାନ ଚାଉଳ କୁଢ କୁଢ

।।

ଇତ୍ୟାଦି ଦ୍ରବ୍ୟ ଅଛି ଯେତେ

କହି ନୁହଇ ଏତେ ତେତେ

।।

ଦେଖିତା ହେଲେ ଆଚମ୍ୱିତ

ସ୍ୱାମୀକି ଉଠାଇ ତୁରିତ

।।

ବୋଇଲେ ଆସ ବେଗ ହୋଇ

ସେ ମହାଯୋଗୀ ଗଲେ କାହିଁ

।।

ସମ୍ପଦେ ପୂରିଅଛି ଘର

ଏତେ ବଡ଼ଇ ଚମତ୍କାର

।।

ତା ଦେଖି ଦୁହେଁ ବେଗେ ଆସି

ଦେଖିଲେ ନାହାନ୍ତି ସନ୍ନ୍ୟାସୀ

।।

ମନ୍ଦିରେ ଦେଖିଣ ସମ୍ପଦ

ବିଚାର କଲେ ମନମଧ୍ୟ

।।

ନିଶ୍ଚେ ସେ ପ୍ରଭୁ ଚଉବାହା

ଆନର ବେଳେ ନୁହେଁ ଏହା

।।

ପତ୍ନୀକି ପତି ବୋଲେ ଶୁଣ

ସେ ମାୟାଧର ନାରାୟଣ

।।

ଆମ୍ଭଙ୍କୁ ମାୟାରେ ପକାଇ

ଅନ୍ତର ହେଲେ ଭାବଗ୍ରାହୀ

।।

ମନୁଷ୍ୟ ପ୍ରାୟ ତାଙ୍କୁ ମଣି

ସେବା ଯେ କଲୁ ବେନି ପ୍ରାଣୀ

।।

ଯା ମାୟା ଦେବେ ଅଗୋଚର

ଆମ୍ଭେ ବା କେତେକ ମାତର

।।

କାହୁଁ ଜାଣିବା ତାଙ୍କ ଭାବ

ବ୍ରହ୍ମାଦି ଦେବଙ୍କୁ ଦୁର୍ଲ୍ଲଭ

।।

ମହା ମହିମା ମହାମେରୁ

ତାହାର ଇଚ୍ଛା ଯାହା କରୁ

।।

ଏମନ୍ତ ବୋଲି ବେନିପ୍ରାଣୀ

ସେ ଧନେ ହେଲେ ସେ କାରେଣୀ

।।

ଅନେକ କାଳ ପୁଣ୍ୟ କଲେ

କୀର୍ତ୍ତି ଉତ୍ସବ କରାଇଲେ

।।

ଲୋକେ ବୋଇଲେ ଧନ୍ୟ ଧନ୍ୟ

ଜୀବନ୍ତେ ସୁଖେ ନେଲେ ଦିନ

।।

ପୁତ୍ର ଦୁହିତା ଜାତ କରି

ତା ଭାଗ୍ୟ କହିଲେ ନ ସରି

।।

ଏମନ୍ତ କେତେକାଳ ଯାନ୍ତେ

ବିଷ୍ଣୁଙ୍କୁ ପାଇଲେ ଦେହାନ୍ତେ

।।

ଶୁଣ ହୋ ମନ ନୃପରାଣ

ଦାର୍ଢ୍ୟତାଭକ୍ତିର ଲକ୍ଷଣ

।।

କହଇ ବିପ୍ର ରାମ ଗୀତେ

ଅଶେଷ ପ୍ରାଣୀଙ୍କର ହିତେ

।।

ସୁଜନେ କର ଏଣେ ଲୟ

ଆଉ ନ ଥାଉ ଯମ ଭୟ

।।

ମୁଁ ଛାର କହିବଇଁ କିସ

ତୁମ୍ଭେ ତ ଶ୍ରୀହରିର ଦାସ

।।

ସେ ହରି ପାଦପଦ୍ମ ତଳେ

ମୋତେ ଭେଟାଇ ଦିଅ ବେଳେ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତ ମନଚୈତନ୍ୟ ସମ୍ୱାଦେ କୃ ପାସିନ୍ଧୁ

ଦାଶ ପତିପତ୍ନୀ ଦାର୍ଢ୍ୟତାଭାବ ବର୍ଣ୍ଣନେ ନାମ ଚତ୍ୱାରିଂଶୋ ଧ୍ୟାୟଃ ।

•••

 

ଏକଚତ୍ୱାରିଂଶ ଅଧ୍ୟାୟ

ନନ୍ଦ ମହାନ୍ତି ସମ୍ୱାଦ

 

ନମସ୍ତେ ନୀଳାଦ୍ରି କେଶରୀ

ତବ ମହିମାକୁ କେ ସରି

।।

ତୁମ୍ଭ ମହିମା ଅକୁପାର

କର ଏ ଭବକୂପୁ ପାର

।।

ହେ ନୀଳଘନ ଅପଘନ

ଏହି ବିନତି ପ୍ରଭୁ ଘେନ

।।

ହସି ଚୈତନ୍ୟ ଦେବ କହେ

ଶୁଣ ହେ ମନ ନୃପରାୟେ

।।

ମୁଁ ଯାହା କହୁଅଛି ଏବେ

କେବଳ ଶୁଣ ଶ୍ରଦ୍ଧାଭାବେ

।।

ଅଶେଷ ବ୍ରାହ୍ମାଣ୍ଡର ଶ୍ରେଷ୍ଠ

ଏ ମଞ୍ଚ ଭୁବନ ବୈକୁଣ୍ଠ

।।

ନାମ ଯା ଶ୍ରୀ ପୁରୁଷୋତ୍ତମ

ଯେ ପୁରେ ନ ପଶଇ ଯମ

।।

ପତିତ ଚାଣ୍ଡାଳହିଁ ଥିଲେ

ଦଣ୍ଡି ସେ ନ ପାରଇ ଭଲେ

।।

ଏମନ୍ତ କ୍ଷେତ୍ରେ ବାସ ଜାଣ

ଜାତିରେ ଅଟଇ କରଣ

।।

ଷୋଳ ପଞ୍ଜିଆରେ ଉତ୍ତମ

ନନ୍ଦ ପଟ୍ଟନାୟକ ନାମ

।।

ପ୍ରତାପରୁଦ୍ର ସମୟରେ

ପାଞ୍ଜିଆ ବୃତ୍ତି ସେହୁ କରେ

।।

ଜାଣଇ ଜୀବ ନାରାୟଣ

ସଂସାର ଯାହାର ଭିଆଣ

।।

କୀଟରୁ ବ୍ରହ୍ମଯାଏ ଯେତେ

ହରି ସବୁରି ହୃଦଗତେ

।।

ପିଣ୍ଡ ମାତ୍ରକ ଭିନ୍ନ ଭିନ୍ନ

ସର୍ବତ୍ର ଏକଇ ସମାନ

।।

ଯେ ପ୍ରାଣୀ ଜୀବେ ଦ୍ରୋହ କରି

ସେ ନିଶ୍ଚେ ଶ୍ରୀହରି ବଇରୀ

।।

ଏମନ୍ତ ଜାଣି ତା ମନରେ

ସକଳ ଜୀବେ ଦୟା କରେ

।।

ଦଇବ ଯୋଗେ ରାଜପଥ

ଲୌକିକେ କରୁଥାଇ ମାତ୍ର ।।

 

ପୁତ୍ର ଦୁହିତା ବନ୍ଧୁ ଭାଇ

ଅନେକ ପୂରିଣ ଅଛଇ

।।

ପତ୍ନୀ ତାହାର ଗୁଣବତୀ

ମିଳଇ ଅନେକ ପୂରିଣ ଅଛଇ

।।

ପତ୍ନୀ ତାହାର ଗୁଣବତୀ

ମିଳଇ ଅନେକ ସମ୍ପତ୍ତି

।।

କାହିଁ ତା ନ ପଶଇ ମନ

ଏକା ତା ଗୋବିନ୍ଦ ଭଜନ

।।

ହୃଦେ ବିଚାରୁ ଥାଇ ତାର

କେମନ୍ତ ହେବି ଭବୁଁ ପାର

।।

ଏମନ୍ତେ କେତେଦିନ ଅନ୍ତେ

ଶୁଣ ସୁମନ ଶୁଦ୍ଧଚିତ୍ତେ

।।

ଦିନେ ପ୍ରତାପୀ ଦଣ୍ଡଧାରୀ

ପରଜାମାନଙ୍କୁ ହକାରୀ

।।

ଦୋଷ ନ ପାଇ ଦଣ୍ଡ ଦେଲେ

ପ୍ରଜାଏ ଡକା ପକାଇଲେ

।।

ନନ୍ଦ ମହାନ୍ତି ତାହା ଦେଖି

ବିକଳେ ଥନ ଥନ ଆକ୍ଷି

।।

କରି କହଇ କ୍ରୋଧଭରେ

ପ୍ରତାପରୁଦ୍ରଙ୍କ ଛାମୁରେ

।।

ବୋଇଲେ ଶୁଣ ନୃପରାଣ

ଜୀବ ଅଟଇ ନାରାୟଣ

।।

ତାହାଙ୍କୁ ଦଣ୍ଡମାନ ଦେଲେ

ଲାଗଇ ନିଜ ଅଙ୍ଗେ ଭଲେ

।।

ତୁମ୍ଭେ ସୁବୁଦ୍ଧି ନରବର

ଏ କଥା କିମ୍ପା ନ ବିଚାର

।।

ଏଠାରେ ସିନା ବଡ଼ ସାନ

ସେଠାରେ ସମସ୍ତ ସମାନ

।।

ଏଠାରେ ସାମନ୍ତ ସେବକ

ସେଠାରେ ଜାଣ ସର୍ବ ଏକ

।।

ଏଠାରେ ଉଚ୍ଚ ନୀଚ ଅଛି

ସେଠାରେ ଏହା ନାହିଁ କିଛି

।।

ପ୍ରବେଶ ହେଲେ ସେହି ସ୍ଥାନ

ଏକଥା ସତ୍ୟ କରି ଘେନ

।।

ସମସ୍ତ ସମାନ ଅଟଇ

ଏଠାରେ ଭିନ୍ନ ଭିନ୍ନ ହୋଇ

।।

ଜୀବ ଏ ଆତ୍ମା ଆଦିକର୍ତ୍ତା

ହେ ରାଜା ନ କରୁଛ ଆସ୍ଥା

।।

ଯେ ପ୍ରାଣୀ ଜୀବଦ୍ରୋହ କରି

ସେ ନିଶ୍ଚେ ବିଷ୍ଣୁଙ୍କ ବଇରୀ

।।

ହେ ରାଜା ତୁମ୍ଭେ କି ନ ଜାଣ

ମୋର କହିବା ଅକାରଣ

।।

ତାହା ଶୁଣିଣ ନୃପବର

ବୋଇଲେ ଶୁଣରେ ପାମର

।।

ତୁ ଯେଉଁ କଥାମାନ କହୁ

ନୃପତି ହୋଇ କେବା ସହୁ

।।

ଆଜ ଜାଣିବା ତୋର ମନ

ତୁ ଅବା ଜାଣୁ କେତେ ଜ୍ଞାନ

।।

ଦେଖାଇ ଦେବୁ ଆଜ ତୁହି

ସେ ଆତ୍ମାରାମ ଛନ୍ତି କାହିଁ

।।

ନୋହିଲେ ମରିବୁ ଅବଶ୍ୟ

ଛାଡ଼ ତୋ ଜୀବନର ଆଶ

।।

ଏମନ୍ତ କହି କ୍ରୋଧଭରେ

ରଖାଇ ଦେଲେ ବନ୍ଦୀଘରେ

।।

ବୋଇଲେ ଶୁଣ ଆରେ ଦୂତେ

ଏହାକୁ ରଖରେ ଜାଗ୍ରତେ

।।

ଅନ୍ନ ଭୋଜନହିଁ ନ ଦେବ

ଯେମନ୍ତେ ଶୁଖି ଏ ମରିବ

।।

ନୋହିଲେ ଆତ୍ମାରାମ ମୋତେ

ଦେଖାଇ ଦେଉ ସେ ସାକ୍ଷାତେ

।।

ତେବେ ଜୀବନ ଥିବ ଭଲେ

ବୋଲି ନୃପତି ଚଳିଗଲେ

।।

ଏଣେ ଯେ ଦୂତ ବେଗ କରି

ସେ ନନ୍ଦ ମହାନ୍ତିକି ଧରି

।।

ବନ୍ଦୀ ମନ୍ଦିରେ ବନ୍ଦୀ କଲେ

ନିବିଡ଼େ ବାନ୍ଧି ସେ ରଖିଲେ

।।

ବନ୍ଦୀରେ ଥାଇ ହରିଭକ୍ତ

ଭୟ କିଞ୍ଚିତେ ନାହିଁ ଚିତ୍ତ

।।

ଚିନ୍ତିଣ ପ୍ରଭୁ ବ୍ରହ୍ମରାଶି

ଯୋଗ ଆସନ କରି ବସି

।।

ସକଳ ଇନ୍ଦ୍ରିୟ ନିବାରି

ରହିଲେ ସ୍ତମ୍ଭୀଭୂତ କରି

।।

ନାଭିକମଳୁ ବାୟୁ ତୋଳି

ମୃଣାଳ ସୂତ୍ର ମଧ୍ୟେ ଗଳି

।।

ମନକୁ ଜ୍ଞାନମାର୍ଗେ ଥୋଇ

ସୁବୁଦ୍ଧି ସଙ୍ଗତେ ରୁହାଇ

।।

ସମସ୍ତ ଟେକିଲେ ଉଜାଣି

ତ୍ରିକୂଟ ଠଣା ଗଲେ ଜିଣି

।।

ଅଗମ୍ୟମାର୍ଗେ ପଶିଗଲେ

ଅମନ ମନ୍ଦିରେ ମିଳିଲେ

।।

ଦେଖିଲେ ଅମଳ କମଳ

ଫୁଟି ରହିଛି ବେନି ଦଳ

।।

ତହିଁ ବିଜୟ ଆତ୍ମାରାମ

ଯୋଗମାୟା ସଙ୍ଗରେ ପ୍ରେମ

।।

ତାଙ୍କ ଛାମୁରେ ଯାଇ ଭେଟି

ସଂସାର ବନ୍ଧୁ ଗଲା ଫିଟି

।।

ଦେଖିଲା ବାହାର ଭିତରେ

ଅଶେଷ ବ୍ରହ୍ମାଣ୍ଡ ଯାକରେ

।।

ଏକରୁ ଦୁଇ ନାହିଁ ଆନ

ସର୍ବତ୍ର ଜୀବେ ଭଗବାନ

।।

ଯାହାଙ୍କ ଦର୍ଶନେ ସେକ୍ଷଣି

ବ୍ରହ୍ମାଣ୍ଡ ତୁଚ୍ଛ ପ୍ରାୟ ମଣି

।।

ସକଳ ଭୟ କଲା ଦୂର

କେ କହୁ ଆନନ୍ଦ ତାହାର

।।

ବୋଇଲା ତୋତେ ଦେଖି ମୁହିଁ

ଭୟ ପଳାଇ ଗଲା କାହିଁ

।।

ସମସ୍ତ ଏକଇ ଜୀବନ

ପିଣ୍ଡମାତ୍ରକେ ଭିନ୍ନ ଭିନ୍ନ

।।

ମୋର ଅଜ୍ଞାନ ସିନା ମୋତେ

ଭୟ ଦେଖାଉଥିଲା ଚିତ୍ତେ

।।

ଏବେ ଫିଟିଲା କର୍ମଫାଶ

କିସ କରିବ ସେ ନରେଶ

।।

ଏମନ୍ତ କହି ବେଗେ ଉଠି

ଭଜିଣ ରାମନାମ ଗୋଟି

।।

ଶ୍ରୀ ନୀଳକନ୍ଦର ସୁନ୍ଦର

ନିନ୍ଦିତ ତନୁ ଜଳଧର

।।

କିରୀଟ ତୁଣ୍ଡଳ ପ୍ରକାଶ

ତଥି ଶୋଭିତ ପୀତବାସ

।।

ଶଙ୍ଖ କମଳ ଗଦା ଚାରି

ସର୍ବଦା ଚତୁର୍ଭୁଜେ ଧରି

।।

ମଞ୍ଜୁଳ ଅଷ୍ଟାଦଶ ଚିହ୍ନି

ସୁନ୍ଦର ଯୁଗଳ ଚରଣ

।।

ଭକତଜନ ବଜ୍ର ସେନା

ଭାବରେ ବଶ ନନ୍ଦକହ୍ନା

।।

ନନ୍ଦ ମହାନ୍ତି ତାଙ୍କୁ ଚିହ୍ନି

ହୃଦରେ ଜାତ ହେଲା ଭକ୍ତି

।।

ବନ୍ଦୀରୁ ବାହାର ହୋଇଲା

ଦାଣ୍ଡକୁ ଅନାଇଣ ଦେଲା

।।

ଦେଖିଣ ଚଣ୍ଡାଳର ନାରୀ

ଅନ୍ନ ମାଗିଣ କରେ ଧରି

।।

ତୁରିତ ହୋଇ ଚଳିଗଲା

ତା ଅନ୍ନ ଛଡ଼ାଇ ଘେନିଲା

।।

ଦେଖି ଅଛନ୍ତି ଲୋକବୃନ୍ଦେ

ସେ ଅନ୍ନ ଭୁଞ୍ଜିଲା ଆନନ୍ଦେ

।।

ଲୋକେ ବୋଇଲେ ତହିଁ ଥାଇ

ନନ୍ଦ ମହାନ୍ତି ହେଲା ବାଇ

।।

ଦେଖାଇ ଥିଲା ବଡ଼ପଣ

ଦଇବ ଦେଲା ଏ କଷଣ

।।

ନୃପତି ଦଣ୍ଡକୁ ଡରିଲା

କୁଟୁମ୍ୱ ଏତେଦୂର କଲା

।।

ଛାଡ଼ିଲା କ୍ରିୟାକର୍ମ ଦୁଇ

ନିଶ୍ଚେ ହୋଇଲା ଏହୁ ବାଇ

।।

ତା ଦେଖି ଦୂତମାନେ ଗଲେ

ନୃପତି ଛାମୁରେ କହିଲେ

।।

ସେ ନନ୍ଦ ମହାନ୍ତିର କଥା

ଶୁଣିବା ହେଉ ମହାରଥା

।।

ତୁମ୍ଭ ଦଣ୍ଡକୁ ଭୟ କରି

ବାତୁଳ ହେଲା ଜ୍ଞାନହାରି

।।

ଛାଡ଼ିଲା ଜାତି କୁଳମାନ

ଚଣ୍ଡାଳ ହସ୍ତୁଁ ନେଲା ଅନ୍ନ

।।

ଛାମୁରେ ଜଣାଇଲ ସତ୍ୟ

ଶୁଣି ନୃପତି ଆଚମ୍ୱିତ

।।

ବୋଇଲେ କେଡ଼େ କର୍ମ କଲା

ତା ପରା ଲୋକ ନାଶ ଗଲା

।।

ଏକଥା ଦଇବ ଲେଖନ

କାହାର ବଳେ କରେ ଆନ

।।

ଏମନ୍ତ ବୋଲି ତୁନି ହେଲେ

ସମସ୍ତ ହାହାକାର କଲେ

।।

ଶୁଣ ହେ ମନ ନୃପ ନାହା

ଏଥି ଉତ୍ତାରେ କଥା ଯାହା

।।

ସେ ନନ୍ଦ ମହାନ୍ତି ଚରିତ

ଚଣ୍ଡାଳ ହସ୍ତୁ ଖାଇ ଭାତ

।।

ତହୁଁ ଚଳିଲା ବେଗ ହୋଇ

ଆନନ୍ଦେ ପ୍ରଭୁ ଗୁଣ ଗାଇ

।।

ବନସ୍ତେ ଯାଇଁ କଲା ବାସ

ଜଳ ପବନ କରି ଗ୍ରାସ

।।

କାହିଁ ବା ଫଳ ମୂଳ ଖାଇ

ପଶୁଙ୍କ ସଙ୍ଗେ ସଙ୍ଗ ହୋଇ

।।

ସମସ୍ତ ଦେଖିଲା ସମାନ

ନାହିଁ ତାଙ୍କର ବଡ଼ ସାନ

।।

ଯେଣେ ଚାହିଁଲେ ତେଣେ ହରି

ଦିଶନ୍ତି ଶଙ୍ଖ ଚକ୍ରଧାରୀ

।।

ଏମନ୍ତ ଜାଣି ତାର ଚିତ୍ତେ

ଭ୍ରମଣ କରଇ ଜଗତେ

।।

କେତେ ହେଁ ଦିନର ଉତ୍ତାରେ

ପ୍ରବେଶ ହେଲା ରଥି ପୁରେ

।।

ସେ ଗ୍ରାମ ବାହାରେ ସ୍ଥାବର

ସଂହାରିଓସ୍ତ ନାମ ତାର

।।

ସେ ରାଜ୍ୟେ ଯେତେ ଦଣ୍ଡମାନ

ଯାହାକୁ ଦିଅନ୍ତି ରାଜନ

।।

କେବଳ ସେହି ବୃକ୍ଷ ମୂଳେ

ରଖନ୍ତି ନେଇ ରଖ ଆଳେ

।।

ଚେଙ୍ଗ ଚାବୁକ ଚାଟ ପିଟି

ବାନ୍ଧିଣ ନାକ କାନ କାଟି

।।

ରଖନ୍ତି ସେହି ବୃକ୍ଷଠାରେ

ପ୍ରମାଣ ଅଛଇ ତହିଁରେ

।।

ସେ ବୃକ୍ଷମୂଳେ କଲା ବାସ

ଶେଯାଇ ଗୋମୟ ପାଉଁଶ

।।

କେବଳ ନାମ ଭଜନରେ

ଶୟନ କଲା ସେହିଠାରେ

।।

ଏମନ୍ତ ଗଲା କେତେଦିନ

ଦିନେକ ସେ ରାଜ୍ୟ ରାଜନ

।।

ଏକ ପରଜା ଦୋଷ ଜାଣି

ଦୂତ ପେଷିଣ ତାକୁ ଆଣି

।।

ବୋଲଇ ଏହାକୁରେ ନେବ

ପଚିଶ କୋରଡ଼ା ପିଟିବ

।।

ଆଜ୍ଞା ପ୍ରମାଣେ ଦୂତେ ନେଲେ

ସଂହାରି ଓସ୍ତମୂଳେ କଲେ

।।

ଆଣ୍ଟେ ଧରିଣ ତାକୁ ଲୋକ

ଦଣ୍ଡ ହିଁ ଦେଲେ ଯେ ଅନେକ

।।

ଛାଡ଼ି ସେ ଦେଲେକ ତୁରିତେ

ଚଳିଣ ଗଲେ ଯେଝାମତେ

।।

ନନ୍ଦ ମହାନ୍ତି ପାଶେ ଥାଇ

ଦେଖୁ ଯେ ଥିଲା ସବୁ ରହି

।।

ଯେତେକ ବାଡ଼ି ତାକୁ ପିଟି

ନନ୍ଦମହାନ୍ତି ଦେହ ଫାଟି

।।

ରୁଧିରମାନ ବୋହିଗଲା

ତା ଅଙ୍ଗ ରଙ୍ଗୁଆ ଦିଶିଲା

।।

ତାହା ଦେଖିଣ ଲୋକମାନେ

ବିଚାର କଲେ ମନେ ମନେ

।।

ଏକ ବିଚିତ୍ର କଥା ଗୋଟି

ଏହାକୁ କେବା ଗଲା ପିଟି

।।

ସର୍ବାଙ୍ଗ ଖଣ୍ଡ ଖଣ୍ଡ ହୋଇ

ରୁଧିର ଯାଉଅଛି ବହି

।।

ଏମନ୍ତ ଦେଖି ଧାଇଁଗଲେ

ସେ ଦେଶ ରାଜାଙ୍କୁ କହିଲେ

।।

ବୋଇଲେ ଶୁଣ ନୃପରାଣ

ଛାମୁରେ କରୁଛୁଁ ଜଣାଣ

।।

ସେ ନନ୍ଦ ମହାନ୍ତିକି ଧରି

ମାଇଲେ ଓପ୍ରୋଧ ନ କରି

।।

ଚର୍ମ ତା ଯାଇଛି ନିକିଳି

ରୁଧିର ଯାଉଅଛି ଗଳି

।।

ଦେଖି ଅଇଲୁ ଆମ୍ଭେ ତହୁଁ

ଏହା ବୁଝିଣ ଆଜ୍ଞା ହେଉ

।।

ଶୁଣି ନୃପତି କ୍ରୋଧଭରେ

ବୋଲନ୍ତି ଯାଅ ହୁଡ଼ି ଦ୍ୱାରେ

।।

ନନ୍ଦକୁ ଡାକି ଘେନି ଆସ

ବୁଝିବା ଏଥର ସନ୍ଦେଶ

।।

ଯେ ତାକୁ ମାରିଥିବ ଅବା

ରାଜ୍ୟୁ ବାହାର କରିଦେବା

।।

ଶୁଣି ଚଳିଲେ ଦୂତମାନେ

ନନ୍ଦ ମହାନ୍ତି ସନ୍ନିଧାନେ

।।

ପାଶ୍ୱରେ ହୋଇଲେ ପ୍ରବେଶ

ବୋଇଲେ ରାଜା ଆଜ୍ଞା ଆସ

।।

ଶୁଣି ସନ୍ତୋଷ ନନ୍ଦ ଦାସ

ମନରେ ହୋଇଣ ହରଷ

।।

ଦୂତଙ୍କ ସଙ୍ଗେ ଚଳିଗଲେ

ନୃପତି ଛାମୁରେ ମିଳିଲେ

।।

ଦେଖି ନୃପତି ଦୁଃଖ ତାର

ବ୍ୟାକୁଳ ହୋଇଲେ ଅପାର

।।

ବୋଇଲେ ଆରେ ଆରେ ନନ୍ଦ

ତୋତେ ମାଇଲା କେଉଁ ମନ୍ଦ

।।

ବହନ ଫେଡ଼ି ମୋତେ କହ

ଦେଖି ମୋ ସହୁ ନାହିଁ ଦେହ

।।

ଶୁଣି ସେ ନନ୍ଦ ବ୍ରହ୍ମ ଏତେ

ବୋଇଲା କି ପଚାର ମୋତେ

।।

ମୋତେ ଯେ ତୁହି ତ ମାଇଲୁ

ଏବେ ଏମନ୍ତ କିମ୍ପା ବୋଲୁ

।।

ଶୁଣି ହସିଲେ ନରସାଇଁ

ବୋଇଲେ ଛାଡ଼ି ନାହିଁ ବାଇ

।।

ତା ଶୁଣି ଶ୍ରୀହରି ଭକତ

ବୋଇଲେ ଶୁଣ ନରନାଥ

।।

ମୋତେ ଲାଗିଛି ଯେଉଁ ବାଇ

ତହିଁକି ଅଉଷଧି ନାହିଁ

।।

କେମନ୍ତେ ହେବ ସେହୁ ଭଲ

ଏହା ତ ବିଚାର ନ କଲ

।।

ଶୁଣି ବୋଲନ୍ତି ନୃପରାହୁ

କିରେ ନନ୍ଦିଆ କିସ କହୁ

।।

ଦଇବ ଛାଡ଼ିଲା କି ତୋତେ

ପୁଣି ତ ଚଳାଉଛୁ ମୋତେ

।।

କି ଜ୍ଞାନ ଥିଲା ତୋର ଚିତ୍ତେ

ଏବେ ତା କହୁକିନା ମୋତେ

।।

ତା ଶୁରି ବୋଲେ ନନ୍ଦବାଇ

ଦେଖିବା ହେଉ ନରସାଇଁ

।।

ପାଚିଲା କଦଳି ପଣସ

ଛେନା ନଡ଼ିଆ ଘେନି ଆସ

।।

ଏଠା ଲୋକଙ୍କୁ ଖୁଆଇବା

ପ୍ରଭୁ ମହିମା ଦେଖାଇବା

।।

ତା ଶୁରି ନୃପ ଆଜ୍ଞାଦେଲେ

ଆଣରେ ଦେଖିବା ବୋଇଲେ

।।

ଆଜ୍ଞା ପ୍ରମାଣେ ଲୋକ ଗଲେ

ସେହି ପ୍ରକାରେ ଆଣିଦେଲେ

।।

ଛାମୁରେ କଲେ ସର୍ବ ନେଇ

ଦେଖି ବୋଇଲା ନନ୍ଦ ବାଇ

।।

ମଣିମା ଏବେ ଆଜ୍ଞା ହେଉ

କେ ଛେନା କେ କଦଳୀ ଖାଉ

।।

ତାର ଉଦର ଦ୍ରବ୍ୟ ଯେତେ

ଆସି ହେବ ମୋ ଗର୍ଭଗତେ

।।

ପ୍ରତ୍ୟକ୍ଷେ ଅଭିନ୍ନ ଆତ୍ମାର

ଦେଖିବା ହେଉ ନୃପେଶ୍ୱର

।।

ସେ ଅଙ୍ଗେ ଦୁଃଖ ସୁଖ ଯେହି

ଏ ଅଙ୍ଗେ ଲାଗିଣ ଅଛଇ

।।

ଯାହାକୁ ତୋର ଦୂତ ନେଲେ

ସଂହାରି ଓସ୍ତମୂଳେ କଲେ

।।

ତାକୁ ପିଟିଲେ ଯେତେ ବାଡ଼ି

ଏ ଦେହୁଁ ତେତେ ଛାଲ ଛାଡ଼ି

।।

ଏ କଥା ଅଟଇ ପ୍ରମାଣ

ସକଳ ଦେହେଁ ନାରାୟଣ

।।

ସମ୍ପୂର୍ଣ୍ଣ ଘଟେ ଘଟେ ପୂରି

ଅଛନ୍ତି ଶଙ୍ଖଚକ୍ର ଧାରୀ

।।

ହେ ରାଜା ସ୍ୱରୂପ କହୁଛି

ଏଥେ ସଂଶୟ ନାହିଁ କିଛି

।।

ଏମନ୍ତ ଶୁଣି ମହାରଥା

ବୋଇଲେ ବୁଝିବା ଏ କଥା

।।

ଏ ଚାରି ଦ୍ରବ୍ୟ ଚାରିଜଣ

ଭୁଞ୍ଜିଲେ ବୁଝିବା ପ୍ରମାଣ

।।

ତାହା ଶୁଣିଣ ଲୋକେ ଧରି

ଭୁଞ୍ଜିଲେ ଭିନ୍ନ ଭିନ୍ନ କରି

।।

ତା ଦେଖି ସେ ନନ୍ଦ ମହାନ୍ତି

ସମସ୍ତ କରିଦେଲା ବାନ୍ତି

।।

ସେ କ୍ଷଣେ ଭିନ୍ନ ଭିନ୍ନ କରି

ବୋଲେ ଦେଖ ହୋ ଦଣ୍ଡଧାରୀ

।।

ତାହା ଦେଖିଣ ନୃପବର

ବୋଲନ୍ତି ଏ କି ଚମତ୍କାର

।।

ଆହୁରି ବୁଝିବା କଥା ଏ

ଫିଟିବ ମନର ସଂଶୟେ

।।

ବୋଲି ଶ୍ରୀହସ୍ତେ ବେତଗୋଟି

ଧରି ଜଣକୁ ଦେଲେ ପିଟି

।।

ତାହାର କିଛି ହିଁ ନୋହିଲା

ସେ ନନ୍ଦ ଚମକି ପଡ଼ିଲା

।।

ଅଙ୍ଗରୁ କର୍ମ ଛାଡ଼ିଗଲା

ଫାଟିଣ ରୁଧିର ବହିଲା

।।

ତାହା ଦେଖିଣ ନରପତି

ମନରେ କଲେ ଅତି ଭୀତି

।।

ମନରେ କରି ଦଣ୍ଡବତ

ବିନୟେ କହିଲେ ବହୁତ

।।

ଅନେକ ଅଳଙ୍କାର ଧରି

ବସ୍ତ୍ର ସହିତେ ପୂଜା କରି

।।

ବୋଲେ ମୋ ଅପରାଧ ଯେତେ

ଚିତ୍ତେ ନ ଧର କଦାଚିତ୍ତେ

।।

ତାହା ଶୁଣିର ନନ୍ଦ ବାଇ

ଅଳପ ହସିଣ କହଇ

।।

ବୋଇଲେ ଶୁଣ ନୃପରାଣ

କି ହେବ ଏ ବସ୍ତ୍ର ଭୂଷଣ

।।

ଏଥି ମୋ କିସ ପ୍ରୟୋଜନ

ତୋ କୃପା ଥାଉ ହେ ରାଜନ

।।

ତୁମ୍ଭେ ଏଣିକି ଚେତା ହୁଅ

ଚିର ନୁହଟି ନରଦେହ

।।

ଚାଲୁଣି ମଧ୍ୟେ ଯେହ୍ନେ ପାଣି

ରଖିଲେ ନ ରହେ ତା ଜାଣି

।।

ସେହି ପ୍ରକାରେ ଏହି ଜୀବ

କେବଳ ଚାହୁଁ ଚାହୁଁ ଯିବ

।।

ଏଥକୁ ଯିବେ ଦୟା କରି

ଜାଗ୍ରତ ହୁଅ ଦଣ୍ଡଧାରୀ

।।

ଏମନ୍ତ ଜ୍ଞାନ ତାକୁ ଦେଇ

ସେ ବସ୍ତ୍ର ଭୂଷଣ ନ ନେଇ

।।

ହେ ରାଜା ଗଲିଟି ବୋଇଲେ

ତହୁ ତକ୍ଷଣେ ଚଳିଗଲେ

।।

ଯାଉ ପ୍ରବେଶ ଖଣ୍ଡଗିରି

ରହିଲେ ସିଦ୍ଧ ତନୁ ପରି

।।

ତା ଭକ୍ତି ମୁକ୍ତି କଥାମାନ

ଜାଣନ୍ତି ପ୍ରଭୁ ଭଗବାନ

।।

ଶୁଣ ହେ ମନ ମହାରଥା

ଏ ଦାର୍ଢ୍ୟଭକ୍ତି ରସ କଥା

।।

କହଇ ବିପ୍ର ରାମ ଗୀତେ

ଅଶେଷ ପ୍ରାଣୀଙ୍କର ହିତେ

।।

 

ଇତି ଶ୍ରୀ ଦାର୍ଢ୍ୟଭକ୍ତ ରସାମୃତେ ମନ ଚୈତନ୍ୟ ସମ୍ୱାଦେ

ନନ୍ଦମହାନ୍ତି ଦାର୍ଢ୍ୟତାଭାବ ବର୍ଣ୍ଣନେ ନାମ

 

ଦ୍ୱିଚତ୍ୱାରିଂଶ ଅଧ୍ୟାୟ

ମୋଚିରାମ ସମ୍ୱାଦ

 

ଶ୍ରୀରାମ ପଦ୍ମପାଦ ଚିନ୍ତି

କହେ ଚୈତନ୍ୟ ମହାମତି

।।

ଶୁଣ ସୁମନ ଶ୍ରଦ୍ଧାଭାବେ

ମୁଁ ଯାହା କହୁଅଛି ଏବେ

।।

ହରି ଭକତି କଥାରସ

କେବଳ କର୍ଣ୍ଣକୁ ପୀୟୁଷ

।।

ଯେ ପୁଣ୍ୟ ଗୋଦାବରୀ ପାଶେ

ଅଳକା ପଲ୍ଲୀ ନାମ ଦେଶେ

।।

ସେ ଦେଶେ ଏକଇ ନଗର

ନାମ କନକାବତୀ ପୁର

।।

ସେହୁ ନଗ୍ରରେ ତାର ସ୍ଥିତି

ଜାତିରେ ଅଟେ ମୋଚି ଜାତି

।।

ରାମ ବେହେରା ନାମ ତାର

ଚର୍ମ ପାଦୁକା ଯା ବେପାର

।।

ଭାରିଯା ନାମ ତାର ମୂଳୀ

ପତିର ଆଜ୍ଞା ଥାଇ ପାଳି

।।

ତାହାର ଏକଇ କୁମର

ପିତା ବଚନ ମୂଳ ତାର

।।

ଏମନ୍ତେ ତିନି ପ୍ରାଣୀ ଥାନ୍ତି

ଚର୍ମ ଚିପୁଲି ସିଇଁ ନିତି

।।

ତିନିହେଁ ତାହା ବିକି ଆଣି

ସୁଖେ ବଞ୍ଚନ୍ତି ତିନି ପ୍ରାଣୀ

।।

ନୀଚ ହୋଇଲେ କିସ ହେବ

କେବଳ ଥାଏ ହରିଭାବ

।।

ଜୀବନେ ତାର ଦୟା ମନ

ଶକ୍ତ୍ୟାନୁରୂପେ ଦିଏ ଦାନ

।।

ଶ୍ରୀ ଗୀତଗୋବିନ୍ଦରୁ ପଦେ

ସମ୍ପୂର୍ଣ୍ଣ ନୋହେ ତହୁଁ ଅଧେ

।।

ଶିଖିଣ ଘୋଷୁଥାଇ ନିତି

କରୁଣ ଥାଇ ନିଜ ବୃତ୍ତି

।।

ସଧୀରେ ସଧୀରେ ସମୀର

ବହଇ ଯମୁନାର ତୀର

।।

ଶ୍ରୀ ବୃନ୍ଦାବନ ବାଲିକୁଦ

ଯଦି ଜନ୍ମିତ ପ୍ରେମାନନ୍ଦ

।।

ବସତି ବନେ ବନମାଳୀ

ଚିନ୍ତି ଶ୍ରୀ ରାଧାକୃଷ୍ଣ କେଳି

।।

ଏତେକ ଘୋଷୁଥାଇ ମାତ୍ର

ପ୍ରମାଣ କରି ଅହୋରାତ୍ର

।।

ଭୋଜନ ଶୟନର ବେଳେ

ତା ନିଜ ବିଷୟର କାଳେ

।।

ଆଣ୍ଟେ ତା ଗଣ୍ଠି କରି ହୃଦ

ଘୋଷୁଶ ଥାଇ ଏହୁ ପଦ

।।

ଏମନ୍ତ କେତେଦିନ ଠାରେ

ସେ ରାଜ୍ୟେ ଭାଗବତ ଘରେ

।।

ଚୋରେ ଯେ ପଶି ଚୋରି କରି

ଅନେକ ଧନରତ୍ନ ହରି

।।

ଦେଖିଲେ ଦେବତା ଖଟୁଲି

ବୋହି ଆଣିଲେ କିସ ବୋଲି

।।

ସବୁ ହିଁ ଶାଳଗ୍ରାମ ଶିଳା

ନବୀନ ଘନ ଜିଣି କଳା

।।

ବ୍ରହ୍ମ ମୁନିଙ୍କି ଯେ ଦୁର୍ଲ୍ଲଭ

ଦର୍ଶନେ ଭକ୍ତି ମୁକ୍ତି ହେବ

।।

ତାହାକୁ ବୋଲେ ସେ ପଥର

ତେଣୁ ସେ ନ କରି ଆଦର

।।

କିସ ଏ କରିବା ବୋଇଲେ

ବାହାରେ ପକାଇଣ ଦେଲେ

।।

ତହିଁରେ ଏକ ଜଣ ଥିଲା

ମୂର୍ତ୍ତି ଏ ବାଛିଣ ଘେନିଲା

।।

ଅତି ପୃଥକ ମନୋହର

ଲାବଣ୍ୟ ଶିଳା ଦାମୋଦର

।।

ଅଞ୍ଜନ କଳାରୁ ଚିକ୍ କଣ

ଝଳିଲେ ଅମୂଲ୍ୟ ଦର୍ପଣ

।।

ତମାଳ ଦଳ ନବଘନ

କାଳିନ୍ଦୀ ଜଳର ସମାନ

।।

ଧିକ କରଇ ଭୃଙ୍ଗ ଶ୍ରେଣୀ

ଜ୍ୟୋତି ନିନ୍ଦଇ ନୀଳମଣି

।।

କସ୍ତୁରୀ କଳା ଧିକ୍ କାରଇ

ସମାନ ଏ ସଂସାରେ ନାହିଁ

।।

ଶରଧା କରି ତାହା ଧରି

ବୋଲେ କରିବା ଘୋରା ଘୋରି

।।

ନୋହିଲେ କି ମାଗିଲେ ଦେବି

ଭଲା ମୁଁ ଏହା ଧରିଥିବି

ଏମନ୍ତେ ବୋଲି ଘେନିଗଲା

ତା ନିଜ ମନ୍ଦିରେ ରଖିଲା

।।

କେତେ ହେଁ ଦିନ ଘରେ ଥୋଇ

ମୋଚିର ଘରେ ଦେଲା ନେଇ

।।

ବୋଇଲା ଏ ପଥର ରଖି

ତୋର ସଜକୁ ଘସ ଦେଖି

।।

କେମନ୍ତ ଦାଢ ଏଥି ହେବ

ବୁଝି ଚିପୁଲି ଯୋଡ଼େ ଦେବ

।।

ତା ଶୁଣି ସେ ରାମ ବେହେରା

ଆନନ୍ଦମନେ ହୋଇ ତୋରା

।।

ବୋଇଲା ଦେଖି ସେ ପଥର

ଘଷି ଜାଣିବି କାତି ମୋର

।।

ଏମନ୍ତ ଶୁଣି ସେ ଚାଣ୍ଡାଳ

ଦେଲା ସେ ଶାଳଗ୍ରାମ ଶିଳ

।।

ମର୍କତ ମଣିର ସଦୃଶ

ତା ଦେଖି ମୋଚି ମନ ତୋଷ

।।

ହୋଇଛି ଅତ୍ୟନ୍ତ ବର୍ତ୍ତୁଳ

ଲାବଣ୍ୟ ମନୋହର ଶିଳ

।।

ଦେଖି ମୁଁ ରଖିବି ବୋଇଲା

ତାକୁ ଚିପୁଲିଯୋଡ଼େ ଦେଲା

।।

ସେହି ଦିନରୁ ନିତି ନିତି

ପାଦେ ମାଡ଼ିଣ ଘଷେ କାତି

।।

ତେଣେ କଟାଇ ଚର୍ମ ଖଣ୍ଡେ

ଘସଇ ଶାଳଗ୍ରାମ ମୁଣ୍ଡେ

।।

ମନରେ ହୋଇଣ ସାନନ୍ଦ

ପଡ଼ଇ ଶ୍ରୀ ଗୀତଗୋବିନ୍ଦ

।।

ପଦକ ଗାଉଥାଇ ନିତି

କରି ତାହାର ନିଜ ବୃତ୍ତି

।।

ନ ଜାଣେ ଅନ୍ୟ କଥାମାନ

ସେହି ପଦକ ଗଣ୍ଠିଧନ

।।

କରି ଗାୟନ କରୁଥାଇ

ମନେ କଳ୍ପନା ତାର ନାହିଁ

।।

ଏମନ୍ତ ଗଲା କେତେ ଦିନ

ଏଥିଉତ୍ତାରେ ଶୁଣ ମନ

।।

ଦିନକ ଏକଇ ବ୍ରାହ୍ମଣ

ସକଳ ଗୁଣେ ବିଚକ୍ଷଣ

।।

ସକଳ ଶାସ୍ତ୍ରରେ ପଣ୍ଡିତ

ଶୁଚି ପବିତ୍ର ଦୃଢବ୍ରତ

।।

ଜାଣଇ ପାପପୁଣ୍ୟ ଯେବା

ନିରତେ କରେ ବିଷ୍ଣୁ ସେବା

।।

ଏମନ୍ତ ବିପ୍ର ସେହି ପଥେ

ଗମଇଁ ସ୍ନାନର ନିମନ୍ତେ

।।

ଦେଖିଲା ଶାଳଗ୍ରାମ ଶିଳା

କାଳିନ୍ଦୀ ଜଳ ପରି କଳା

।।

ସକଳ ଶାସ୍ତ୍ରରେ ପଣ୍ଡିତ

ସେ ଦେଖି ହେଲା ଆଚମ୍ୱିତ

।।

ସେ ଶାଳଗ୍ରାମ ଶିଳା ଦେଖି

ପିଛଡ଼ା ନ ପଡ଼ଇ ଆଖି

।।

ଚରଣେ ମୋଚି ଧାଡ଼ି ଧରି

କାତି ଘସଇ ଜଳ ଭରି

।।

ଦେଖି ହୃଦୟ ଗଲା ଫାଟି

ନେତ୍ର ଲୋତକ ହେଲା ବୃଷ୍ଟି

।।

ବୋଲଇ ଶୁଣ ହେ ବେହେରା

କଥାଏ କହିବି ମୁଁ ପରା

।।

ଘେନ ତୁ ମୋହର ବଚନ

ଅନେକ ହେବ ତୋର ପୁଣ୍ୟ

।।

ଏ ଶିଳା ଗୋଟି ଦେବୁ ମୋତେ

ତୋ ଯଶ ରହିବ ଜଗତେ

।।

ତା ଶୁଣି ବୋଇଲା ସେ ମୋଚି

ଧନ ଦେଇଣ ମୁଁ କିଣିଛି

।।

ଦେଖ ମୋ କାର୍ଯ୍ୟକୁ ଆସଇ

ନିତି ମୁଁ ଶସ୍ତ୍ର ଯେ ଘଷଇ

।।

ତୋତେ ଯଦ୍ୟପି ଏହା ଦେବି

ମୁଁ ପୁଣ କେମନ୍ତ କରିବି

।।

ତା ଶୁଣି ବିପ୍ର ବୋଲେ ହଟି

ନିଅ ତୁ ଟଙ୍କା ପାଞ୍ଚଗୋଟି

।।

ଏ ଶିଳା ଗୋଟି ମୋତେ ଦେଇ

ଆନ ପଥରେ ଘଷ ତୁହି

।।

ତା ଶୁଣି ମୋଚି ତୋଷ ହେଲା

ଧନ ନେଇଣ ଶିଳା ଦେଲା

।।

ବ୍ରାହ୍ମଣ ପାଇଣ ଉଷତ

ସେ ଶିଳା କରି ଶିର ସ୍ଥିତି

।।

ଆନନ୍ଦେ ଘେନି ଚଳିଗଲା

ଆପଣା ମନ୍ଦିରେ ମିଳିଲା

।।

ସ୍ନାନ ଶଉଚବନ୍ତ ହୋଇ

ପ୍ରମୋଦ କେ ପାରିବ କହି

।।

କରାଇ ପଞ୍ଚାମୃତେ ସ୍ନାନ

ବିଜେ କରାଇ ସିଂହାସନ

।।

ଗନ୍ଧ ଚନ୍ଦନ ମାଲ୍ୟ ଯେତେ

ତୁଳସୀ ଦଳ ହିଁ ସହିତେ

।।

ପୂଜି ଷୋଡ଼ଶ ଉପଚାରେ

ପ୍ରମାଣ କଲାକ ଛାମୁରେ

ଅନେକ ପୁଜା ଦ୍ରବ୍ୟମାନ

ଘେନିଣ କରି ନିବେଦନ

।।

ଧୂପ ଦୀପାଦି ଦ୍ରବ୍ୟ ଯେତେ

ଦେଇ ପୂଜିଲା ଶ୍ରଦ୍ଧାଚିତ୍ତେ

।।

ଏହି ପ୍ରକାରେ ପ୍ରତିଦିନ

କରି ସନ୍ତୋଷ ତାଙ୍କ ମନ

।।

ବିଚାର କଲଶ ତା ହୃଦର

ଦାରିଦ୍ର୍ୟ ଛାଡ଼ିଲା ମୋହର

।।

ଏ ମହାପ୍ରଭୁଙ୍କ ପ୍ରସାଦେ

ଧନ ଭୁଞ୍ଜିବି ଅପ୍ରମାଦେ

।।

ଏମନ୍ତେ ବିଚାରନ୍ତେ ମନ

ତାହା ଜାଣିଲେ ଶାଳଗ୍ରାମ

।।

ଶୁଣ ସୁମନେ ଦେଇ ଚିତ୍ତ

ସେ ହରି ମହିମା ଏମନ୍ତ

।।

ଭବର ବନ୍ଧୁ ସେ ଗୋସାଇଁ

ଅଭାବ ଜନେ ଭେଟ ନାହିଁ

।।

କାମ କଳ୍ପନା ଯେତେ ଥିବ

ସେ କାହିଁ ତାହାଙ୍କୁ ପାଇବ

।।

ସେହି ଦିନରେ ରାତ୍ରକାଳେ

ସେ ବିପ୍ର ଶୟନର ବେଳେ

।।

ସ୍ୱପନେ ଆଜ୍ଞା ତାଙ୍କୁ ଦେଲେ

ଶୁଣ ହେ ବ୍ରାହ୍ମଣ ତୁ ଭଲେ

।।

ପ୍ରଭାତୁ ଉଠି ମୋତେ ନେବୁ

ମୋଚିକି ଲେଉଟାଇ ଦେବୁ

।।

ସେ ମୋଚି ରାମଦାସ ଭାବ

ମୋତେ ସେ ଦୁର୍ଲ୍ଲଭୁଁ ଦୁର୍ଲ୍ଲଭ

।।

ଗୀତ ଗୋବିନ୍ଦ ରସ ଯେତେ

ଶୁଣାଉଥିଲା ନିତି ମୋତେ

।।

ତହିଁ ମୋ ଯେତେ ସୁଖଭାର

ତାହା ଜାଣଇ ମନ ମୋର

।।

ଏ ପୂଜା ମୋର କିସ ହେବ

ମୂଳ ମୋ ଭକତର ଭାବ

।।

ଏବେ ବହନ ନେଇ ଦେବୁ

ନ ଦେଲେ ନିଶ୍ଚେ ନାଶ ଯିବୁ

।।

ସ୍ୱପ୍ନେ ଏମନ୍ତ ଆଜ୍ଞାଦେଇ

ଅନ୍ତର ହେଲେ ଭାବଗ୍ରାହୀ

।।

ତାହା ଜାଣି ସେ ଦ୍ୱିଜବର

କମ୍ପି ଉଠିଲା କଳେବର

।।

ପ୍ରଭାତୁ ଉଠି ବେଗେ ଗଲା

ସ୍ନାନ ସଉଚ ଆଦି କଲା

।।

ଉତ୍ତମ ପାଟବସ୍ତ୍ରେ ଧରି

ଚଳି ସେ ଗଲା ବେଗ କରି

।।

ମୋଚି ପାରୁଶେ ହେଲା ଯାଇଁ

ଶ୍ରୀ ଶାଳଗ୍ରାମ ଅଗେ ଥୋଇ

।।

ବୋଇଲା ନିଅ ତୋର ଧନ

ଜାଣିଲି ଧନ୍ୟ ତୋ ଜୀବନ

।।

ଏ ସେ ଅନାଦି ନରହରି

ସକଳ ଘଟେ ଛନ୍ତି ପୂରି

।।

ଏହି ସେ ଜୀବନ କରତା

ଏହି ସେ ଗତିମୁକ୍ତି ଦାତା

।।

ଏହାଙ୍କ ପାଦେ ଆଶ୍ରା କଲେ

ଜୀବ ନିସ୍ତାର ହେବ ଭଲେ

।।

ଏହାଙ୍କୁ ନ ମଣ ପଥର

କେବଳ ବିଷ୍ଣୁ ଭକ୍ତି କର

।।

ତୋ ଜୀବ ହୋଇଲା ପବିତ୍ର

ସ୍ୱପନ ହେଲା ମୋତେ ସତ୍ୟ

।।

ବହନ ମୋତେ ଘେନିଯିବୁ

ମୋ ଭକ୍ତ ପାଶେ ନେଇ ଦେବୁ

।।

ସେ ଗୀତଗୋବିନ୍ଦରୁ ପାଦେ

ଶୁଣାଯାଉଥିଲା ମହାନନ୍ଦେ

।।

ଏମନ୍ତ ଆଜ୍ଞା ଦେଲା ଯେଣୁ

ପ୍ରଭୁଙ୍କୁ ଆଣିଦେଲି ତେଣୁ

।।

ଛାଡି ପଥର ବୁଦ୍ଧି ତୋର

ଏବେ ତୁ ସୁଖେ ପୂଜା କର

।।

ଏ ଭବ ସାଗରୁ ତରିଲୁ

ଭକତ ଭାବେ ଗଣାହେଲୁ

।।

ଏହା ଶୁଣିଲା ଯହୁଁ କର୍ଣ୍ଣ

ତକ୍ଷଣେ ହେଲା ଦିବ୍ୟଜ୍ଞାନ

।।

ଉଠି କପାଳେ କର ଦେଲା

ବ୍ରାହ୍ମଣ ଚରଣେ ନମିଲା

।।

ସେ ଶାଳଗ୍ରାମ ପୂଜିକରି

ତକ୍ଷଣେ ଗଲା ନିଜ ପୁରୀ

।।

ଦିବ୍ୟ ଆସନେ ବସାଇଲା

ଅନେକ ଦଣ୍ଡବତ କଲା

।।

ତୁଳସୀ ଦଳ ଚନ୍ଦନରେ

ପୂଜିଲା ଅତି ଆନନ୍ଦରେ

।।

ଶ୍ରୀ ଗୀତଗୋବିନ୍ଦ ସେ ଗାନ

କଲା ପ୍ରଭୁଙ୍କ ସନ୍ନିଧାନ

।।

ବୋଇଲା ଆହେ ଭଗବାନ

ମୁଁ ଅତି ପତିତ ଦୁର୍ଜ୍ଜନ

।।

ଅଜ୍ଞାନହୀନ ଜାତି ଅଟେ

ନିଶି ଦିବସ ଚର୍ମ କାଟେ

।।

ଅନେକ ହୀନ କର୍ମ କରି

ଅଚ୍ଛବ ଜାତି ସମ ସରି

।।

ଧିକ ହେଉ ଏ ମୋ ଜୀବନ

ନାହିଁ ମୋହର ବୁଦ୍ଧି ଜ୍ଞାନ

।।

ନିରତେ ଦୁର୍ଗନ୍ଧ ଆବୋରି

ବଞ୍ଚଇ ସୁରାପାନ କରି

।।

ନୋଂହେ ମୁଁ କେବେ ଶୁଚିବନ୍ତ

ନ ଜାଣେ ଆଚାର କେମନ୍ତ

।।

ଏମନ୍ତ ପ୍ରାଣୀକି କେମନ୍ତେ

କୃପା ଯେ କଲ କହ ମୋତେ

।।

ଏଣୁ ଜାଣିଲି ନିଷ୍ଠା କରି

ପରମ ଦୟାଳୁ ଶ୍ରୀହରି

।।

ଅଧମ ଉଦ୍ଧାରଣ ବାନା

ଅରକ୍ଷଜନ ବଜ୍ରସେହ୍ନା

।।

ଏମନ୍ତ ବୋଲିଣ ତୁରିତେ

ଛାଡ଼ିଲା ନିତ୍ୟକର୍ମ ଯେତେ

।।

ଡୋର କୌପୁନୀ ଆଶ୍ରେ କଲା

ବୈଷ୍ଣବ ଭେକ ଆବେରିଲା

।।

କରେ କଙ୍କଣ ଭୁଜମୂଳେ

ତୁଳସୀ କାଷ୍ଠମାଳ ଗଳେ

।।

ଆନନ୍ଦ ହୋଇ ଗଳେ ଭରି

ହୃଦୟ ସ୍ଥଳଯାକ ପୂରି

।।

ଚରଣେ ବାନ୍ଧିଲା ଘାଗୁଡ଼ି

ଚାଲନ୍ତେ କରେ ଘୋର ରଡ଼ି

।।

କରେ ଧରିଣ କରତାଳ

ବଜାଏ ନିତ୍ୟ ହୋଇ ଭୋଳ

।।

ଶ୍ରୀ ଗୀତଗୋବିନ୍ଦରୁ ପଦେ

ଗାନ କରଇ ଘୋର ନାଦେ

।।

ଶ୍ରୀକୃଷ୍ଣ ମନେ ମନେ ଧ୍ୟାୟୀ

ଭାବରେ ଗଦ ଗଦ ହୋଇ

।।

ଅଙ୍ଗ ପୁଲକ ରୋମାବଳୀ

ନେତ୍ରୁ ଲୋତକ ଧାରା ଗଳି

।।

ଛାଡ଼ିଣ ଦେହ ବୁଦ୍ଧି ତାର

ବୋଇଲେ ନମୋ ବେଣୁଧର

।।

ଯା ମାୟା ଦେବଙ୍କ ଦୁର୍ଲ୍ଲଭ

ଯହିଁ ମୋହିତ ସଦାଶିବ

।।

ମୁନିମାନଙ୍କୁ ଅଗୋଚର

କାହୁଁ ଜାଣିବି ମୁହିଁ ଛାର

।।

ଯେବେ ତୁ ଦେବ ଚିନ୍ତାମଣି

ସକଳ ଜୀବର କାରେଣୀ

।।

ଦେଖିବି ନିଜ ରୂପ ତୋର

ତେବେ ମୋ ମନ ହେବ ସ୍ଥିର

।।

ନୋହିଲେ ମରିବି ଅବଶ୍ୟ

ସତ୍ୟ କହିଲି ପୀତବାସ

।।

ରଖ ନ ରଖ ତୁମ୍ଭ ଇଚ୍ଛା

ମୁଁ ଏବେ ଘେନିଲି ଏ ଦୀକ୍ଷା

।।

ଏମନ୍ତ ବୋଲି ନିଷ୍ଠା କରି

କେବଳ ଭଜୁଥାଇ ହରି

।।

ଅନ୍ନ ଭୋଜନେ ନାହିଁ ଆଶ

କେବେ ଦେଖିବି ପୀତବାସ

।।

ଏମନ୍ତେ ଦିବସ ସର୍ବରୀ

ପ୍ରଭୁ ଛାମୁରେ ନୃତ୍ୟ କରି

।।

ବଞ୍ଚିଲା କରି ହରତ ଧ୍ୟାନ

ତାହା ଜାଣିଲେ ଭଗବାନ

।।

ଯେ ପ୍ରଭୁ ଭକତ ବତ୍ସଳ

ଭକତ ଭାବ ତାର ମୂଳ

।।

ନ ଘେନେ କ୍ରିୟା ଅଭିମାନ

ନ କରେ ଯଜ୍ଞ ତପବାନ

।।

ତୀର୍ଥ ବ୍ରତରେ ନୋହେ ବଶ

କେବଳ ମୂଳଟି ବିଶ୍ୱାସ

।।

ନିଷ୍କାମ ଶୁଦ୍ଧ ବୁଦ୍ଧି ଯାର

ସେ ଅଟେ ବାନ୍ଧବ ତାହାର

।।

ନିଷ୍ଠା ଅନିଷ୍ଠା ତାର ନାହିଁ

ଜାତି ଅଜାତି ଭିନ୍ନ କାହିଁ

।।

କେବଳ ଶୁଦ୍ଧ ପ୍ରେମଭାବ

ଜାଣି ତାହାର ପଦ୍ମନାଭ

।।

ଭାବେ ବ୍ରାହ୍ମଣ ରୂପ ହୋଇ

ବିଜୟ କଲେ ଭାବଗ୍ରାହୀ

।।

ସେ ମୋଚିରାମ ଦାସ ପାଶ

ଯାଇଣ ହୋଇଲେ ପ୍ରବେଶ

।।

ଦେଖିଲେ କରୁଅଛି ନୃତ୍ୟ

ମୁଣ୍ଡ ହଲାଇ ଯୋଡ଼ି ହସ୍ତ

।।

ତ୍ରିରଙ୍ଗା କରି ଦେଇ ପାଦ

ଶ୍ରୀ ଗୀତଗୋବିନ୍ଦର ପଦ

।।

ଭାବରେ ଗାନ କରୁଛଇ

ନାଚଇ ଗେହ୍ଲାଇ ଗେହ୍ଲାଇ

।।

ଦଣ୍ଡ ଦଣ୍ଡକେ ଭାବଭୋଳେ

ଶ୍ରୀ ଶାଳଗ୍ରାମ ପାଶେ ମିଳେ

।।

ଯେସନେ ମହାମତ୍ତ ବାଇ

କିସ ବୋଇଲେ କିସ ହୋଇ

।।

ତାହା ଦେଖିଣ ବ୍ରହ୍ମରାଶି

ଅଳପ ମନ୍ଦ ମନ୍ଦ ହସି

।।

ବୋଇଲେ ଶୁଣ ଆରେ ଦାସ

ସ୍ୱରୂପ କହ ଆମ୍ଭ ପାଶ

।।

କିମ୍ପାଇଁ ଏତେ ନୃତ୍ୟ କରୁ

ରାତ୍ର ଦିବସ ଗାଇ ମରୁ

।।

କିସ ହୋଇବ ଏହା କଲେ

ତା ମୋତେ କହ କିନା ଭଲେ ।

 

ତା ଶୁଣି ମୋଚି ରାମ ଦାସ

ପ୍ରଣାମ କରି ବିପ୍ରପାଶ

।।

ବୋଇଲେ ଶୁଣ ହେ ଗୋସାଇଁ

ସ୍ୱରୂପ କହୁଅଛି ମୁହିଁ

।।

ଦିନେକ ଏକଇ ବ୍ରାହ୍ମଣ

ଏ ନୀଳ ମଣିକି ଦେଖିଣ

।।

ମୋ ତହୁଁ ମାଗି ଘେନିଗଲା

କେ ଜାଣେ କିସ ସେବା କଲା

।।

ସେ ପୁଣି ଚାରିଦିନ ଅନ୍ତେ

ଫେରାଇ ଆଣିଦେଲା ମୋତେ

।।

ବୋଇଲା ଏ ଟିୁ ନାରାୟଣ

ସେବ ତୁ ଏହାଙ୍କ ଚରଣ

।।

ସାକ୍ଷାତେ ନୟନେ ଦେଖିବୁ

ସୁଖେ ମୁକତି ଗତି ହେବୁ

।।

ତୁମ୍ଭେ କି ଆଜ୍ଞା ଦେଉଅଛ

ତା ଶୁଣି ବୋଲନ୍ତି ଶ୍ରୀବତ୍ସ

।।

ଗୁଣରେ ମୋଚିରାମ ଦାସ

ସେ ହରି ମହିମା ଅଶେଷ

।।

ଯୋଗୀନ୍ଦ୍ର ଯୋଗମାର୍ଗେ ଧ୍ୟାନେ

ନ ଦେଖି ନ ପାରନ୍ତି ଦିନେ

।।

ତୁ ପୁଣି ଦେଖିବୁ କେମନ୍ତେ

ଏହା ବିଚାରୁ ଅଛୁ ଚିତ୍ତେ

।।

ଏ କଥା ନୁହଇ ଉଚିତ

ତା ଶୁଣି ବୋଲେ ହରି ଭକ୍ତ

।।

ଶୁଣ ହେ ବ୍ରାହ୍ମଣ ଗୋସାଇଁ

କଥାଏ କହିବଇଁ ମୁହିଁ

।।

ସ୍ୱାମୀର ସ୍ନେହ ଯେବେ ହେବ

ତା ପତ୍ନୀ ଅସୁନ୍ଦରୀ ଥିବ

।।

କାଣୀ କୁବୁଜୀ ଛୋଟୀ କେମ୍ପୀ

ହୋଇଣ ଥିବ ସେ ଯଦ୍ୟପି

।।

କିଛି ହିଁ ଗୁଣ ତା ନ ଥିବ

ସ୍ୱାମୀର ଦୟା ଏକ ହେବ

।।

ବେଳେ ସେ କାଳେ ନେଇ ଧରି

ସୌଭାଗୀ ବୋଲାଏ ସେ ନାରୀ

।।

ଯେଡ଼େ ସେ ହେଉ ରୂପବତୀ

ଶ୍ରଦ୍ଧା ନ କରେ ଯେବେ ପତି

।।

କି ହେବ ଯେତେ ଗୁଣ ଥିଲେ

ଏହା ବିଚାର କର ଭଲେ

।।

ଯେ ଗୁଣଗ୍ରାହୀ ଭଗବାନ

ଅବଶ୍ୟ ଦେବେ ଦରଶନ

।।

ନୋହିଲେ ମୋର ପ୍ରାଣ ଯିବ

ହତ୍ୟା ତାହାର ପରେ ହେବ

।।

ଏମନ୍ତ ଶୁଣି ଚକ୍ରପାଣି

ଭଜନ ପ୍ରେମ ମନେ ଗୁଣି

।।

ବୋଇଲେ ଧନ୍ୟ ତୋ ଜୀବନ

ବେଗେ ତୁ ବୁଜରେ ନୟନ

।।

ଆମ୍ଭେଟି ବରଦାତା ତୋର

ଦେଖିବୁ ସ୍ୱରୂପ ଆମ୍ଭର

।।

ତା ଶୁରି ମୋଚି ରାମଦାସ

ଆନନ୍ଦ ସାଗରେ ପ୍ରବେଶ

।।

ସେକ୍ଷଣି ବୁଜିଲା ନୟନ

ଦେଖିଲା ମଦନ ମୋହନ

।।

ଅନ୍ତରେ ଦରଶନ କଲା

ନୟନ ଫେଡ଼ି ଚାହିଁଦେଲା

।।

ସାକ୍ଷାତେ କଲା ଦରଶନ

ପ୍ରଭୁ ହୋଇଲେ ଅନ୍ତର୍ଦ୍ଧାନ

।।

କହୁ କେ ତାହାର ଆନନ୍ଦ

ଭଜନ ଗୋପାଳ ଗୋବିନ୍ଦ

।।

ଜୀବନ୍ତେ ସୁଖେ ଦିନ ନେଲା

ଅନ୍ତେ ସେ ବିଷ୍ଣୁଲୋକ ଗଲା

।।

ଶୁଣ ହେ ମନ ନୃପନାଥ

ଏ ଦାର୍ଢ୍ୟ ଭକ୍ତି ରସାମୃତ

।।

ଏଥେ ନିର୍ମଳ ଚିତ୍ତ ଯାର

ସେ ହରି ମହିମା ସାଗର

।।

ସକଳ ଜୀବର ଠାକୁର

ଭକତ ଭାବ ମୂଳ ତାର

।।

ଏଣୁ ଭକତ ରାମ ଦାସ

କଲା ସାଧୁଙ୍କ ପାଶେ ଆଶ

।।

କୃପା କରିବେ ସେହୁ ମୋରେ

ଭଜଇ ଦେବ ଶ୍ରୀପୟରେ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ୱାଦେ

ମୋଚିରାମ ଦାସ ଦାର୍ଢ୍ୟଭାବ ବର୍ଣ୍ଣନେ ନାମ ଦ୍ୱିଚତ୍ୱାରିଂଶୋ ଧ୍ୟାୟଃ ।

•••

 

Unknown

ତ୍ରିଚତ୍ୱାରିଂଶ ଅଧ୍ୟାୟ

ବିଜ୍ଞାନନ୍ଦ ଦାସ ସମ୍ୱାଦ

 

ନମସ୍ତେ ଚଉଦ ଭୁବନ

ନମସ୍ତେ ଶ୍ରୀ ପଦ୍ମଲୋଚନ

।।

ବୌଦ୍ଧ କଳକୀ ଦଶବିଧ

ବାଞ୍ଛା କରିବେ ମୋର ସିଦ୍ଧ

।।

ଏ ଯେ ପ୍ରବନ୍ଧ ସମ୍ପୂର୍ଣ୍ଣରେ

କଥାଏ ଆଜ୍ଞା ହେଉ ମୋରେ

।।

ତୋ ବିନା ଆଜ୍ଞାରେ କେ ନର

କହିବା ଶକ୍ତି ହେବ କାର

।।

ଏଣୁ ଶରଣ ରାମ ଦାସ

ପୁରାଅ ମୋର ମନ ଆଶ

।।

ମନ ବୋଲଇ ଚଇତନ୍ୟ

ଦୁର୍ଲ୍ଲଭ ଏ ତୋର ବଚନ

।।

ଦୁର୍ଲ୍ଲଭ ସାଧୁଙ୍କ ଚରିତ

ଦୁର୍ଲ୍ଲଭ ହରି କଥା ମୃତ

।।

ଶୁଣି ଶରଧା ହେବ ଯାର

ଯମ କି କରିବ ତାହାର

।।

ଏଣୁ ସାଧୁଙ୍କ କଥା ଯେତେ

କେବଳ କହୁଥାଅ ମୋତେ

।।

ପୁଣି କହଇ ଚଇତନ୍ୟ

ଶୁଣ ଅରୂପାନନ୍ଦ ମନ

।।

ସାଧୁଙ୍କ ମହିମା ଅଶେଷ

ତାହା ମୁଁ କହିବଇଁ କିସ

।।

କେବଳ ତୁମ୍ଭ ଶ୍ରଦ୍ଧାଭାବେ

ଯାହା କହୁଛି ଶୁଣ ଏବେ

।।

ଯେ ଗୋପପୁର ବୃନ୍ଦାବନ

ଜଗତ ମଧ୍ୟେ ମୋକ୍ଷସ୍ଥାନ

।।

ସକଳ ଦେବଙ୍କର ସାର

କେବଳ ଗତି ମୁକ୍ତିଦ୍ୱାର

।।

ତହିଁ ପ୍ରବେଶ ହେଲେ ଜୀବ

ଆଉ ନ ଦେଖେ ପୁଣି ଭବ

।।

ସେ ଗ୍ରାମେ ଏକଇ ବ୍ରାହ୍ମଣୀ

ବିଧବା ଅଟେ ସେ ତରୁଣୀ

।।

କେତୁକା ନାମ ଅଟେ ତାର

ନାହିଁ ତା ଦୁହିତା କୁମର

।।

କେବଳ ଏକାକିଣ ଥାଇ

କଷ୍ଟ ପାଇଣ ସେ ଜିଅଇ

।।

ବୈଷ୍ଣବ ମଠମାନଙ୍କର

କୁଟେ ତଣ୍ଡୁଳ ନିରନ୍ତରେ

।।

ଗହମ ମାଣ୍ଡିଆ ମସୁର

ଚୁନା ସେ ଘୋରଇ ଅପାର

।।

ପରିବା ବାଇଗଣ ଦେଇ

ତହୁଁ ଯା ବର୍ତ୍ତନ ମିଳଇ

।।

ଖାଇ ସେ ବଞ୍ଚୁଥାଇ ଦିନ

ଏ ରୂପେ ପୋଷଇ ଜୀବନ

।।

କଠୋର କାଳ ଆସି ହେଲା

ଉଦର ପୋଷି ନ ପାରିଲା

।।

ସାଧୁଙ୍କ ଅବଶେଷମାନ

ଲୁଚାଇ କଲାକ ଭୋଜନ

।।

ଉତ୍ତମ ରୁଟି ଅନ୍ନ ଖାଇ

ତନୁ ବଢିଲା ମୋଟ ହୋଇ

।।

ଭାବେ ବୟସ ଅବଯୁବା

ଦେହ ତାହାର ଦିବ୍ୟ ଶୋଭା

।।

ଏମନ୍ତ ଦେଖିଣ ବୈଷ୍ଣବ

ତାଠାରେ କରି କାମ ଲୋଭ

।।

ନାନା ପ୍ରକାର ଚାଟୁ କହି

ଅନେକ ଭକ୍ଷ୍ୟ ଦ୍ରବ୍ୟ ଦେଇ

।।

ସେ ଯେତେ ରୂପେ ନାହିଁ କରେ

ତା ମନ ମୋହିଲେ ଧନରେ

।।

ଦଇବେ ସ୍ତିରୀ ଜନ୍ମ ସିନା

ନ ସହି କାମର ବେଦନା

।।

କିଞ୍ଚିତେ କଲା ସନମତ

ବୈଷ୍ଣବ ସଙ୍ଗେ ହେଲା ରତ

।।

ଏମନ୍ତ କେତେଦିନ ଗଲା

ଦଇବେ ଗର୍ଭ ଉପୁଜିଲା

।।

ମନେ ଅନେକ ଚିନ୍ତା କରି

ନିଶି ଦିବସେ ଝୁରି ଝୁରି

।।

ବୋଇଲା କି ବୁଦ୍ଧି କରିବି

କାହାର ବଦନ ଚାହିଁବି

।।

ଲୋକେ ହୋଇବି ହୀନିମାନ

ବୋଲି ବିଚାରୁ ଥାଏ ମନ

।।

ଏମନ୍ତେ ଦଶମାସ ହେଲା

ପୁତ୍ର ଗୋଟିଏ ପ୍ରସବିଲା

।।

ତାହା ଦେଖିଲା ସେ ଯୁବତୀ

ମନେ ଚିନ୍ତଇ ଦାଶରଥି

।।

ବୋଲଇ ଆହେ ପଦ୍ମମୁଖ

ବାଳକୁମାର ପ୍ରାଣ ରଖ

।।

ପ୍ରାକର୍ମ ସରିଲା ମୋହର

ତୁ ପ୍ରଭୁ ଯାହା ତାହା କର

।।

ଏମନ୍ତ ବୋଲି ରାତ୍ରିକାଳେ

ବାଳ ତନୟ ଧରି କୋଳେ

।।

ଗୃହରୁ ଚଳିଲା ବହନ

ଯାଇ ମିଳିଲା ବୃନ୍ଦାବନ

।।

ବୈଷ୍ଣବ ବୃନ୍ଦ ମଧ୍ୟେ ଶ୍ରେଷ୍ଠ

ଯେ ପ୍ରେମାନନ୍ଦଙ୍କର ମଠ

।।

ତାହାଙ୍କ ପ୍ରାଙ୍ଗଣ ମଧ୍ୟରେ

ଯେ ପେଜ ନଳାର ପାଶରେ

।।

ବାଳକ ଗୋଟିକି ଶୁଆଇ

ବୋଇଲା ନମୋ ଭାବଗ୍ରାହୀ

।।

ଅଶେଷ ବ୍ରହ୍ମାଣ୍ଡ କରତା

ସକଳ ଜୀବ ପଡ଼ିଦାତା

।।

ଏ ଯେଉଁ ବାଳକର ଚିନ୍ତା

ଭୋ ପ୍ରଭୁ ତୋତେ ଲାଗଇ ତା

।।

ଯେ ଜନ ବିନ୍ଦୁ ରୂପ କଲା

ଏ ପିଣ୍ଡେ ଜୀବଦାନ ଦେଲା

।।

ରଖୁ ନ ରଖୁ ସେ ଜଣାଇ

ଏ ହତ୍ୟା ଦୋଷ ମୋତେ ନାହିଁ

।।

ଏମନ୍ତ ମନ୍ଦ ବୁଦ୍ଧି ମୋତେ

ଯେ ଦେଲା ମୋର ହୃଦଗତେ

।।

ସେହି ଜାଣଇ ପାପ ପୁଣ୍ୟ

ଏବେ ମୁଁ ହାରିବି ଜୀବନ

।।

ଜଗତେ ଅକୀର୍ତ୍ତି ଯେ ହେବ

ତାହା ଜାଣନ୍ତି ପଦ୍ମନାଭ

।।

ଏମନ୍ତ ବୋଲି ଚଳିଗଲା

ଯମୁନା ଜଳେ ବୁଡ଼ିମଲା

।।

ଏବେ ତୁ ଶୁଣ ହୋ ସୁମନ

ଯେ ଯେଉଁ ଅନାଥ ନନ୍ଦନ

।।

ମାତା ଗର୍ଭରେ ରହିଥାଇ

ସାଧୁ ପ୍ରସାଦ ଥିଲା ଖାଇ

।।

ତେଣୁ ନିରୋଗୀ ତାର ଦେହୀ

ତାକୁ ବିପଦ ଆଉ ନାହିଁ

।।

ଏକାକୀ ପଡ଼ିଛି ନନ୍ଦନ

ଜାଣିଲେ ପ୍ରଭୁ ଭଗବାନ

।।

ଯେ ପ୍ରଭୁ ଜୀବନ କାରେଣୀ

ଅଶେଷ ଜନ ଚିନ୍ତାମଣି

।।

ଅଶେଷ ବ୍ରହ୍ମାଣ୍ଡ ବିଧାତା

ଲାଗିଲା ସେ ବାଳକ ଚିନ୍ତା

।।

ତକ୍ଷଣେ ନିଜେ ପୀତବାସ

ଅନାଥ ବାଳକର ପାଶ

।।

ପତ୍ର ଗୋଟିଏ ଦନା କରି

ପେଜ ନଳାରୁ ପେଜ ଭରି

।।

ଆପଣେ ଧରିଣ ଶ୍ରୀହସ୍ତେ

ଦେଲେ ବାଳକ ମୁଖାଗ୍ରତେ

।।

ଅତ୍ୟନ୍ତ ଆହଲ୍ଲାଦ କରି

ତା ମୁଖେ ଅଳ୍ପ ଅଳ୍ପ ଭରି

।।

ପୁତ୍ରକୁ ଧରି ଦେବରାୟେ

କୋଳରେ ମାତା ପିତା ପ୍ରାୟେ

।।

ତା ଅଙ୍ଗେ ଶ୍ରୀହସ୍ତେ ଆଶ୍ୱସ୍ତି

ବୋଇଲେ ଶୁଣ ବାଳଶିଷି

।।

ଅକ୍ଷୟ ହେଉ ତୋ ଶରୀର

ସର୍ବଜ୍ଞ ହୁଅରେ କୁମର

।।

ଏ ମୋ ବଚନ ସିଦ୍ଧ ହେଉ

ଅକାଳ ମୃତ୍ୟୁ ତୋତେ ନୋହୁ

।।

ଏମନ୍ତ ଆଜ୍ଞା ତାକୁ ଦେଲେ

ତକ୍ଷଣେ ଅନ୍ତର୍ଦ୍ଧାନ ହେଲେ

।।

ଶୁଣ ହେ ମନୁ ନୃପନାହା

ଆତଙ୍ଗବାଳେ ଏଡ଼େ ସାହା

।।

ହୁଅନ୍ତି ପ୍ରଭୁ ଦଇତ୍ୟାରି

ଏ କଥା ରଖ ଗଣ୍ଠି କରି

।।

ବ୍ରହ୍ମାଣ୍ଡ ମଧ୍ୟେ ପ୍ରଭୁ ପଣେ

ନ ଥିବେ ଏମନ୍ତେ କେ ଜଣେ

।।

ଏବେ ତୁ ଶୁଣ ନରନାଥ

କହିବା ବାଳକ ଚରିତ

।।

ପ୍ରଭୁଙ୍କ ଆହାଲ୍ଲାଦ ପାଇ

ଅତ୍ୟନ୍ତ ତେଜୋବନ୍ତ ହୋଇ

।।

ଆଣ୍ଟେ ସେ କଲାକ ରୋଦନ

ତା କଣ୍ଠ କୋକିଳ ସମାନ

।।

ତହିଁ ମିଶିଛି ନାମାବଳି

ରାମ ଗୋବିନ୍ଦ ବନମାଳୀ

।।

ସେ ଧ୍ୱନି ଶୁଣି ମଠଜନେ

ସର୍ବେ ବିଚାର କଲେ ମନେ

।।

ଏତ ବଡ଼ଇ ଆଚମ୍ୱିତ

ପଡ଼ି କାନ୍ଦଇ କା ବାଳୁତ

।।

ଏମନ୍ତ ବୋଲି ଧାଇଁଗଲେ

ମହନ୍ତ ପ୍ରେମାନନ୍ଦ ତୁଲେ

।।

ବାଳତନୟ ପାଶେ ମିଳି

ଦେଖିଲେ ଛାଡ଼ୁଛି ବୋବାଳି

।।

ଏକେ ସୁନ୍ଦର ବାଳଶିଷି

ଝଟକ ବିଦ୍ୟୁ ପ୍ରାୟ ଦିଶି

।।

ଚନ୍ଦ୍ରମା ପରାୟେ ବଦନ

ରୂପ କି ମଦନ ମୋହନ

।।

ନାସା ଶ୍ରବଣ ନେତ୍ରଧାର

କହି ନୁହଇ ତା ସୁନ୍ଦର

।।

କଣ୍ଠ କପୋଳ କର ପାଦ

ଦେଖି କେ ନୋହିବ ପ୍ରମୋଦ

।।

କର ଚରଣକୁ ହଲାଇ

କାନ୍ଦୁଛି ଗେହ୍ଲାଇ ଗେହ୍ଲାଇ

।।

ରୋଦନ ସଙ୍ଗେ ନାମ ତାର

ଶୁଣି ହୋଇଲେ ଚମତ୍କାର

।।

ବୋଇଲେ ଧନ୍ୟ ୟା ଜୀବନ

ଜନ୍ମରୁ ଚିନ୍ତେ ଭଗବାନ

।।

ଅନ୍ୟାୟ ସୁତ ପଛେ ହେଉ

କିବା ଅଜାତି ହୋଇଥାଉ

।।

ଏଥେଁ ବିଚାର ନାହିଁ ବାବା

ଧର ମଠକୁ ଘେନିଯିବା

।।

ଏମନ୍ତ ବୋଲି ସେ ନନ୍ଦନ

ଘୋଡ଼ାଇ ଚଳିଲେ ବହନ

।।

ମଠରେ ପ୍ରବେଶ ହୋଇଲେ

ଏକ ସ୍ତିରୀକି ଡକାଇଲେ

।।

ଖଞ୍ଜିଲେ ଖଞ୍ଜା ବରତନ

ବୋଇଲେ ପାଳ ଏ ନନ୍ଦନ

।।

ପୁଣି ସେ ନାରୀ ଶୁଦ୍ଧଚିତ୍ତେ

ପୁତ୍ର ପାଳିଲା ବିଧିମତେ

।।

ତଇଳ କୁଙ୍କୁମ ଲଗାଇ

ଅନଳ ତପତି ଦେଖାଇ

।।

ଅନେକ ଗାବ କ୍ଷୀର ପାନେ

ପୁତ୍ର ବଢାଇ ଦିନୁ ଦିନେ

।।

ଚନ୍ଦ୍ରର କଳା ବୃଦ୍ଧିପ୍ରାୟେ

ବଢିଲା ସେ ବାଳ ତନୟେ

।।

ଦେଖିଣ ପୁତ୍ରର ଆନନ୍ଦ

ନାମ ତା ଦେଲେ ବିଜ୍ଞାନନ୍ଦ

।।

ଏମନ୍ତେ କେତେଦିନ ଗଲା

ଯହୁଁ ବରଷ ପାଞ୍ଚ ହେଲା

।।

କହିଲା ଅମୂଲ୍ୟ ବଚନ

କେବଳ ଭକ୍ତି ତତ୍ତ୍ୱଜ୍ଞାନ

।।

ଦଶ ବରଷେ ବିଦ୍ୟା ଯେତେ

ସବୁ ରଖିଲା କଣ୍ଠାଗ୍ରତେ

।।

କେବଳ ହରିକଥା ବିନେ

ଅନ୍ୟ ନ ପଶେ ତାର ମନେ

।।

ଜଗତ ଦେଖେ ବିଷ୍ଣୁମୟ

ତେଣୁ ନ ଥାଇ କିଛି ଭୟ

।।

ଏମନ୍ତ ଗଲା କେତେଦିନ

ଶୁଣ ହେ ସୁମନ ରାଜନ

।।

ଦିନେକ ସେ ମଠ ମହନ୍ତ

ପ୍ରେମୀମାନଙ୍କ ତପୋବନ୍ତ

।।

ଅଦ୍ଭୁତେ ଶୂଳରୋଗ ମାରି

ପଡ଼ିଲେ ନିଜ ପ୍ରାଣ ହାରୀ

।।

ତାହା ଦେଖି ସେ ମଠ ଲୋକେ

ଧାଇଁ ପଡ଼ିଲେ ସେ ଉତ୍ସୁକେ

।।

ସମସ୍ତେ ବୋବାଳି ଛାଡ଼ିଲେ

ଶୁରି ସକଳେ ରୁଣ୍ଡ ହେଲେ

।।

ମହନ୍ତ ପଡ଼ିବା ଦେଖିଲେ

ହା ହା ଶବଦେ ଡକାଦେଲେ

।।

ବେଢିଲେ ଶତେପୁର କରି

ଜାଣିଲେ ନିଶ୍ଚେ ଗଲା ମରି

।।

ଏମନ୍ତ ବେଳେ ବିଜ୍ଞାନନ୍ଦ

ବୋଇଲେ ସର୍ବେ କିମ୍ପା କାନ୍ଦ

।।

ଅତିଥି ବୋଇଲେରେ ଶୁଣ

ମହନ୍ତ ହାରିଲେ ପରାଣ

।।

ନିଜ ଧାମକୁ ଗଲେ ସେହି

ଆମ୍ଭଙ୍କୁ ପଥରେ ବସାଇ

।।

ତା ଶୁଣି ବିଜ୍ଞାନନ୍ଦ ଗଲେ

ମୃତ ଶବର ପାଶେ ହେଲେ

।।

ଚିତ୍ତେ ଚିନ୍ତିଲେ ଆଦିକନ୍ଦ

ଗୋପାଳ ଗୋବିନ୍ଦ ମୁକୁନ୍ଦ

।।

ବୋଇଲେ ସମସ୍ତେ ଅଜ୍ଞାନ

ଏ କିମ୍ପା ହାରିବେ ଜୀବନ

।।

ନିଦ୍ରାରେ ଅଚେତନ ହୋଇ

ସ୍ୱାମୀ ଆମ୍ଭର ଛନ୍ତି ଶୋଇ

।।

ଏମନ୍ତ କହି ଭୁଜ ଧରି

ତୋଳିଲେ ଗୋବିନ୍ଦ ସୁମରି

।।

ବୋଇଲା ସ୍ୱାମୀ ଉଠ ଏବେ

କେତେ ଶୋଇଛି ନିଦ୍ରାଭାବେ

।।

ବିଳମ୍ୱ ହେଲା ଆଜ ବେଳ

ମଣୋହି ହେବ କେତେବେଳ

।।

ଏମନ୍ତ ବୋଲନ୍ତେ ନନ୍ଦନ

ତକ୍ଷଣେ ପାଇଲେ ଜୀବନ

।।

ନିଦୁ ଉଠିଲା ପ୍ରାୟ ହୋଇ

ଚକ୍ଷୁ ମଳିଣ ଦେଲେ ଚାହିଁ

।।

ଉଠିଣ ବସିଲେ ତ୍ୱରିତେ

ତା ଦେଖିଥିଲେ ଯେ ସମସ୍ତେ

।।

ବୋଇଲେ ଏ କି ଆଚମ୍ୱିତ

ଶୁଣିଲା ନାହିଁ କର୍ଣ୍ଣପଥ

।।

ମରିବା ପ୍ରାଣୀ ପ୍ରାଣ ପାଇ

ଚକ୍ଷୁ ମଳିଣ ଦେଲେ ଚାହିଁ

।।

ଏବେ ତ ଦେଖିଲୁ ସାକ୍ଷାତ

ଧନ୍ୟ ଏ କାହାର ବାଳୁତ

।।

ଏହା ବଚନେ ଏହା ହେଲା

ମଲାରୁ ଲେଉଟି ଅଇଲା

।।

ଏମନ୍ତ କହି ଯେଝାମତେ

ଲେଉଟି ଗଲେ ଯେ ସମସ୍ତେ

।।

ଶୁଣ ହେ ନୃପରାଣ

ମହନ୍ତ ପାଇ ନିଜ ପ୍ରାଣ

।।

ଉଠି ବସିଲେ ଯେତେବେଳେ

ଜନ ସମୂହ ଦେଖି ଡୋଳେ

।।

ବୋଇଲେ ଏ କି ବିପରୀତ

ତା ଜାଣି ବୋଇଲେ ସମସ୍ତ

।।

ଏ ଅଲୋକିକ ନୋହେ କହି

ବୋଇଲେ ଶୁଣିମା ଗୋସାଇଁ

।।

ତୁମ୍ଭେ ଯେ ନିଜ ପ୍ରାଣହାରି

ବିଜୟ କଲ ନିଜପୁରୀ

।।

ପିଣ୍ଡ ଯେ ପଡ଼ିଥିଲା ଢଳି

ତା ଦେଖି ଛାଡ଼ିଲୁ ବୋବାଳି

।।

ଆମ୍ଭର ଦେଖିଣ ରୋଦନ

ଧାଇଁ ଅଇଲେ ଏ ନନ୍ଦନ

।।

ବୋଇଲେ କାନ୍ଦ କାହିଁ ପାଇଁ

ଶୋଇ ଅଛନ୍ତି ସେ ଗୋସାଇଁ

।।

ଏମନ୍ତ କହି ଭୁଜ ଧରି

ଉଠାଇ ଦେଲେ ବେଗ କରି

।।

ତକ୍ଷଣେ ପାଇ ନିଜ ପ୍ରାଣ

ଉଠି ବସିଲେ ଯେ ଅପାର

।।

ଏମନ୍ତ ଶୁଣି ପ୍ରେମାନନ୍ଦ

କେ କହେ ମନର ଆନନ୍ଦ

।।

ବୋଇଲେ ଧନ୍ୟରେ ନନ୍ଦନ

ତୁ ମୋତେ ଦେଲୁ ଜୀବଦାନ

।।

ତୋ ଋଣ ସୁଝି ମୁଁ ନ ପାରି

ଆଜୁଁ ତୁ ମଠେ ଅଧିକାରୀ

।।

ମୁହିଁ ହୋଇଲି ତୋ ଅଧୀନ

ଏ କଥା ସତ୍ୟ କରି ଘେନ

।।

ତୋ ଇଚ୍ଛା ଏବେ ଯାହା କର

ଏ ସର୍ବେ ତୋର ପରିବାର

।।

ଏମନ୍ତ ବୋଲି କୋଳେ ଧରି

ହୃଦେ ଲଗାଇ ମୋଦ ଭରି

।।

ପାଶେ ବସାଇ ଶୁଚିମନ୍ତେ

ତିଳକ ଦେଲେ ବିଧିମତେ

।।

ପିଣ୍ଡ ପ୍ରତିଷ୍ଠା ବିଧି କଲେ

ଶ୍ରବଣେ ମହାମନ୍ତ୍ର ଦେଲେ

।।

ସେବକ ହୋଇ ବିଜ୍ଞାନନ୍ଦ

ମନରେ ହୋଇଲେ ଆନନ୍ଦ

।।

ସାଷ୍ଟାଙ୍ଗେ କରି ଦଣ୍ଡବତ

ଉଠି ଯୋଡ଼ିଣ ବେନି ହସ୍ତ

।।

ବୋଇଲେ ପ୍ରଭୁ ନମୋନମଃ

ନମସ୍ତେ ଗୁରୁ ପରଂବ୍ରହ୍ମ

।।

ପବିତ୍ର କର ମୋ ଶରୀର

ତୁମ୍ଭେ ମୋ ଜୀବନ ଠାକୁର

।।

ଦଇବେ ଅଟେ ମୁଁ ଅନାଥ

ନ ଜାଣେ କେବା ତାତ ମାତ

।।

ଅନାଥ ବାଳକକୁ ଆଣି

ପୋଷିଲେ ଦେଇ ଅନ୍ନପାଣି

।।

ଏଣୁ ମୋ ଧର୍ମର ପିଅର

ସାକ୍ଷାତେ ଶ୍ରୀଗୁରୁ ଈଶ୍ୱର

।।

ଏଣୁ ମାଗୁଣି ଏତେ ମୋର

ଏ ମାୟା ଜଞ୍ଜାଳେ ନ ଭର

।।

ଧନ ରତନ ଆଦି ଯେତେ

ମୃତ୍ତିକା ପ୍ରାୟେ ଦିଶେ ମୋତେ

।।

ମୋ ମୁଣ୍ଡେ ନ ଲଦ ପର୍ବତ

ସମ୍ପଦେ ନ ରସେ ମୋ ଚିତ୍ତ

।।

ତାହା ଶୁଣିଣ ଗୁରୁଦେବ

ବୋଇଲେ ଧନ୍ୟ ତୋର ଭାବ

।।

ତୁ ଯେ ଏ ମଠରେ କାରେଣୀ

ପ୍ରଭୁ ଭେଟାଇଛନ୍ତି ପୁଣି

।।

ତୋ ଇଚ୍ଛା ଯାହା ତାହା କର

ଏ ସର୍ବ ସମ୍ପଦ ତୋହର

।।

ଏମନ୍ତ ବୋଲି ଶ୍ରଦ୍ଧାଚିତ୍ତେ

ପାଟ ବାନ୍ଧିଲେ ତାର ମାଥେ

।।

ମଠେ ମହନ୍ତ ତାକୁ କଲେ

ସମସ୍ତେ ବଶବର୍ତ୍ତୀ ହେଲେ

।।

ଏଥି ଉତ୍ତାରୁ ଯେତେ କଥା

ଶୁଣ ହେ ମନ ମହାରଥା

।।

ସେ ମଠେ ପାଇ ଅଧିକାର

ଚିତ୍ତ ସନ୍ତୋଷ ନୋହେ ତାର

।।

କେବଳ ଶ୍ରୀଗୁରୁ ଆଜ୍ଞାରେ

ମହନ୍ତ ହେଲେ ସେ ମଠରେ

।।

କାହିଁ ନ ମିଶେ ତାର କାୟେ

କାଷ୍ଠେ ଅନଳ ଥିଲା ପ୍ରାୟେ

।।

ବୃଥା ମଣଇ ସର୍ବକଥା

କେବଳ ସତ୍ୟ ହରିକଥା

।।

ଜପଇ ହରିରୂପ ଧ୍ୟାନ

ହରି ଜଭନେ ଦେଇ ମନ

।।

ହରି ପ୍ରସଙ୍ଗେ କର୍ଣ୍ଣ ଡେରି

ନିରତେ ଚିନ୍ତୁଥାଇ ହରି

।।

ହରି ସେ ସବୁରି କରତା

ଏଣୁ ନ ଜାଣେ ଅନ୍ୟ କଥା

।।

କରନ୍ତି ଯାକୁ ହରି ଦୟା

ତାକୁ ଲାଗଇ କିମ୍ପା ମାୟା

।।

ବଚନ ବୋଲଇ ସେ ଯାହା

କେବେ ଅନ୍ୟଥା ନୋହେ ତାହା

।।

ଏମନ୍ତ ଯେତେଦିନ ଗଲା

ଶୁଣ ସୁମନ ଯାହା ହେଲା

।।

ମଠରେ ଥିଲା ଯେତେ ଧନ

ହୀରା ନୀଳାଦି ମୋତିମାନ

।।

ସୁବର୍ଣ୍ଣ ରତନ ସହିତେ

ସମୟ ଠୁଳକଲା ଯେତେ

।।

ସିନ୍ଦୁକ ଗୋଟି କରେ ଭରି

ମୁଦ ପକାଇ ଯତ୍ନ କରି

।।

ବହନ କରି ଘେନିଗଲା

ଯମୁନା ଜଳେ ଫିଙ୍ଗିଦେଲା

।।

ବୋଇଲା ଏହି ସିନା ମାୟା

ମଠେ କିମ୍ପାଇ ଥିବ ଏହା

।।

ଏମନ୍ତ ବୋଲି ଫେରି ଆସି

ମଠେ ଆନନ୍ଦ ହୋଇ ବସି

।।

ତାହା ଦେଖିଣ ସର୍ବେ ରୋଷେ

କହିଲେ ପ୍ରେମାନନ୍ଦ ପାଶେ

।।

ବୋଇଲେ ଏ କି ବିପରୀତ

ମଠରେ ଥିଲା ଯେତେ ବିତ୍ତ

।।

ଏ ନୂଆ ମହନ୍ତ ତୁମ୍ଭର

ସମସ୍ତ କଲା ନାରଖାର

।।

ସିନ୍ଦୁକେ ଭରି ଘେନିଗଲା

ଯମୁନା ଜଳେ ପକାଇଲା

।।

ଆଜି ସରିଲା ଧନ ଯେତେ

ଏ ମଠ ଚଳିବ କେମନ୍ତେ

।।

ତା ଶୁଣି ପ୍ରେମାନନ୍ଦ ଦାସ

ମନରେ ହୋଇଣ ବିରସ

।।

ବିଜ୍ଞାନନ୍ଦକୁ ଡକାଇଲେ

କି କର୍ମ କଲରେ ବୋଇଲେ

।।

ସଂସାରେ ଧନୀ ଯେଉଁ ପ୍ରାଣୀ

ସେ ଯେ ସବୁରି ଶିରୋମଣି

।।

ନୀଚ ଲୋକେ ଥିଲେ ଧନ

ଉଚ୍ଚେ ହୁଅନ୍ତି ତା ଅଧୀନ

।।

ଏଣୁ ସଂସାରେ ଧନ ସାର

ତାହାକୁ କରି ନାରଖାର

।।

ଏହା ତୁ କଲୁ ଆରେ ମନ୍ଦ

ତା ଶୁଣି ବୋଲେ ବିଜ୍ଞାନନ୍ଦ

।।

ଶୁଣଇବା ହେଉ ଗୁରୁଦେବ

ମୁଁ ଯାହା କହୁଛି ପ୍ରସ୍ତାବ

।।

ଧନଟି ସବୁରି ବଇରୀ

ପ୍ରାଣୀ ଆୟୁଷ ନିତ୍ୟ ହରି

।।

ଯେ ଲୋଭ ମୋହ କାମ କ୍ରୋଧ

ବିରୋଧ କନ୍ଦଳ ବିଷାଦ

।।

ସବୁ କରିବା କର୍ତ୍ତା ସେହି

ଭକତି ପଥକୁ ଛଡ଼ାଇ

।।

ଧନ ଏ ନର୍କ ଯିବା ବାଟ

ଏଣୁ ନ ଧନ ବଡ଼ କଷ୍ଟ

।।

ତାକୁ ନ କର ସ୍ୱାମୀ ଚିନ୍ତା

କେବଳ ଚିନ୍ତା ହରିକଥା

।।

ତା ଶୁଣି ଗୁରୁ କୋପଭର

ବୋଇଲେ ଶୁଣରେ ପାମର

।।

ତୁହି ଯେ ଜାଣୁ ସର୍ବଜ୍ଞାନ

ଆମ୍ଭେ ତ ସମସ୍ତେ ଅଜ୍ଞାନ

।।

ଏବେ ମୋ ଧନ ଆଣିଦେବୁ

ନୋହିଲେ ଏ ମଠେ ନ ଥିବୁ

।।

ତାହା ଶୁଣିଣ ବିଜ୍ଞାନନ୍ଦ

କେ କହୁ ମନର ଆନନ୍ଦ

।।

ଧନରେ ହୋଇଅଛି ମୋହି

ନ ଜାଣେ ଭକ୍ତକଥା କେହି

।।

ମଠୁଁ ବାହାର ହୋଇଗଲେ

ବୋଇଲେ ଆସ ମୋହତୁଲେ

।।

ଧନ ମୁଁ ନାଶ କଲି ଯାହା

ନିଶ୍ଚେ ଗୋବିନ୍ଦ ଦେବ ତାହା

।।

ଏମନ୍ତ ବୋଲି ଗଲେ ଚଳି

ଯମୁନା କୂଳେ ଯାଇ ମିଳି

।।

ସଙ୍ଗେ ବୈଷ୍ଣବ ଛନ୍ତି ଲାଗି

ବୋଲନ୍ତି ଧନ ଦିଅ ବେଗି

।।

ଦେଖଣାହାରୀ ଲୋକ ଯେତେ

ଗୋଡ଼ାଇଛନ୍ତି ଅପ୍ରମିତେ

।।

ଏମନ୍ତ ବେଳେ ବିଜ୍ଞାନନ୍ଦ

ବୋଇଲେ ନମୋ ଆଦିକନ୍ଦ

।।

ନମସ୍ତେ ପ୍ରଭୁ ଚକ୍ରପାଣି

ଚିନ୍ତାର୍ଥୀ ଜନ ଚିନ୍ତାମଣି

।।

ମନୋ ମୁରଲୀ ଦୀକ୍ଷା ଗୁରୁ

ଭକତ ବାଞ୍ଛା କଳ୍ପତରୁ

।।

ରାଧା ନାଗରୀ ପ୍ରାଣେଶ୍ୱର

ଦେଖାଅ ମହିମା ତୁମ୍ଭର

।।

ମୁଁ ବଡ଼ ପତିତ ପିରେଖ

ତୁମ୍ଭ ମହିମା ତୁମ୍ଭେ ରଖ

।।

ତାହାଙ୍କ ଧନ ଆଜ୍ଞା ହେଉ

ମହିମା ଜଗତରେ ଥାଉ

।।

ଏମନ୍ତ ବୋଲି ପ୍ରଣମିତ

ତାହା ଜାଣିଲେ ପଦ୍ମନେତ୍ର

।।

ଯା ମାୟା ଦେବଙ୍କୁ ଦୁର୍ଲ୍ଲଭ

ସୁକୃତ ଜନଙ୍କୁ ସୁଲଭ

।।

କି ମାୟା କଳେ ବ୍ରହ୍ମରାଶି

ରତ୍ନ ସିନ୍ଦୁକମାନ ଆସି

।।

ସହସ୍ର ସସ୍ର ସଂଖ୍ୟା ହୋଇ

ଲାଗିବ ନଦୀ କୂଳେ ଯାଇ

।।

ବୋଇଲେ ବିଜ୍ଞାନନ୍ଦ ଜ୍ଞାନୀ

ନିଅ ତୁମ୍ଭର ଧନ ଚିହ୍ନି

।।

ତା ଦେଖି ବୈଷ୍ଣବ ଯେ ଗଲେ

ସେ ନିଜେ ସିନ୍ଦୁକ ଧରିଲେ

।।

ଆଉ ଅଧିକ ଲୋଭ କରି

ସିନ୍ଧୁ ନ ମାନି ଯାନ୍ତେ ଧରି

।।

ସମସ୍ତ ହୋଇଲା ଅଦୃଶ୍ୟ

ଶୁଣ ହୋ ମନ ବିଶ୍ୱବାସ

।।

ବୈଷ୍ଣବ ନେଲେ ନିଜ ବିତ୍ତ

ତା ଦେଖି ଲୋକେ ଆଚମ୍ୱିତ

।।

ବୋଇଲେ ଧନ୍ୟ ବିଜ୍ଞାନନ୍ଦ

ଏହାଙ୍କ ଆୟତ୍ତ ଗୋବିନ୍ଦ

।।

ତୁମ୍ଭେ ଯେ ଭକତ ଶେଖର

ବୋଲି ନମିଲେ ତା ପୟର

।।

ଅନେକ ପ୍ରଣମିତ କରି

ଚଳିଣ ଗଲେ ଯେଝା ପୁରୀ

।।

ସେ ବିଜ୍ଞାନନ୍ଦ ତହୁଁ ଗଲେ

ଅଗମ୍ୟ ବନସ୍ତେ ପଶିଲେ

।।

ଶ୍ରୀ ବୃନ୍ଦାବନ ଚନ୍ଦ୍ର ଧ୍ୟାୟୀ

ରହିଲେ ଅଜାମର ହୋଇ

।।

କୀଟରୁ ବ୍ରହ୍ମଲୋକ ଯାଏ

ସର୍ବ ଦେଖିଲେ ହରିମୟେ

।।

କରିଣ ଶ୍ରୀହରି ଭଜନ

ସେହି ଧ୍ୟାନରେ ସାରି ଦିନ

।।

କେତେ ଦିନରେ ସେ ଦେହାନ୍ତେ

ପଶିଲେ ହରି ପାଦଗତେ

।।

ଶୁଣ ଅଜୟ ମନରାଣ

ସେ ହରିଭକତ ଲକ୍ଷଣ

।।

ଏଥେ ନିର୍ମଳ ଚିତ୍ତ ଯାର

ସେ ନିଶ୍ଚେ ଭବୁ ହେବ ପାର

।।

କହଇ ବିପ୍ର ରାମଦାସ

ମୋ ପ୍ରଭୁ କମଳାବିଳାସ

।।

ସାଧୁଜନଙ୍କ ଶ୍ରୀଚରଣେ

ମୋ ଚିତ୍ତ ରହୁ ଅନୁକ୍ଷଣେ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମଅତେ ମନ ଚୈତନ୍ୟ ସମ୍ୱାଦେ

ବିଜ୍ଞନନ୍ଦ ଦାସ ଦାର୍ଢ୍ୟଭାବ ବର୍ଣ୍ଣନେ ନାମ ତ୍ରୟଶ୍ଚତ୍ୱାରିଂଶୋ ଧ୍ୟାୟଃ ।

•••

 

ଚତୁଶ୍ଚତ୍ୱାରିଂଶ ଅଧ୍ୟାୟ

ରଘୁ ଦାସ ସମ୍ୱାଦ

 

ନମୋ ଗୋବିନ୍ଦ କୃଷ୍ଣ ହରି

ନମୋ ଗୋବିନ୍ଦ ଦଇତାରି

।।

ନମୋ କୋଦଣ୍ଡ କାଣ୍ଡପାର

ଅଶେଷ ଜନ ଚିନ୍ତାମଣି

।।

ଯେ ତୁମ୍ଭ ଭକତଙ୍କ ଯଶ

ତୁମ୍ଭେ ତା କରିବ ପ୍ରକାଶ

।।

ଶୁଣି ଚୈତନ୍ୟ ଅନୁରାଗେ

କହଇ ମନ ରାଜା ଆଗେ

।।

ଶ୍ରବଣ କର ଶ୍ରଦ୍ଧା ଭାବେ

ମୁଁ ଯାହା କହୁଅଛି ଏବେ

।।

ଏ ବଡ଼ ଦୁର୍ଲ୍ଲଭ ଚରିତ

ଭକତ ମଧ୍ୟେ ସାରସ୍ୱତ

।।

ପଶ୍ଚିମ ଦେଶେ ତାର ଘର

ଜାତିରେ ଅଟେ ଦ୍ୱିଜବର

।।

ନାମ ତାହାର ରଘୁ ଦାସ

ସମ୍ପୂର୍ଣ୍ଣ ବୟସ ପଞ୍ଚାଶ

।।

ପ୍ରଭୁ କୃପାରୁ ଦିବ୍ୟଜ୍ଞାନ

ଉଦୟ ହେଲେ ତାର ମନ

।।

ବିଚାର କଲା ତାର ଚିତ୍ତେ

ବନ୍ଧୁ କୁଟୁମ୍ୱ ଆଦି ଯେତେ

।।

କେହି ତ ନୁହଇ କାହାର

ଏ ସର୍ବ ମାୟାର ସଂସାର

।।

ଧନ ସମ୍ପଦ ଆଦି ଯେତେ

ମିଥ୍ୟା କେବଳ ଏ ସମସ୍ତେ

।।

ନ ଜାଣି ପ୍ରାଣୀ ଏଥେ ପଡ଼ି

ନିଜ ନିସ୍ତାର ପଥ ହୁଡ଼ି

।।

ନ ଭଜି ପ୍ରଭୁ ଜଗନ୍ନାଥ

କେବଳ ହୋନ୍ତି ମୋହେ ରତ

।।

ଏବେ ମୁଁ ଏମନ୍ତ କରିବି

ଅବଶ୍ୟ କ୍ଷେତ୍ରବରେ ଯିବି

।।

ଭଜିଣ ପ୍ରଭୁ ଭଗବାନ

ସେ କ୍ଷେତ୍ରେ ହାରିବି ଜୀବନ

।।

ସେ ପ୍ରଭୁ ପଛେ ଯାହା କରୁ

ସେ ମୋର ବାଞ୍ଛା କଳ୍ପତରୁ

।।

ଏମନ୍ତ ଭାବି ସର୍ବ କର୍ମ

ଛାଡ଼ିଲା ତାର ମନ ଭ୍ରମ

।।

ଯେ ତାର ଜନନୀ ପିଅର

ଭାଇ ବାନ୍ଧବ ସହୋଦର

।।

ଏ ସର୍ବ ଦେଲା ତ୍ୟାଗକରି

ଉଚ୍ଚିଷ୍ଟ ପାତ୍ର ପ୍ରାୟେ କରି

।।

ଚିନ୍ତି ଦେବାଧି ଦେବରାଜ

ବେଗେ କ୍ଷେତ୍ରକୁ ହେଲା ସଜ

।।

ଶ୍ରୀରାମଚନ୍ଦ୍ର ସମ୍ପ୍ରଦାରେ

ମୁଣ୍ଡ ମୁଣ୍ଡାଇଲା ସତ୍ୱରେ

।।

ଡୋର କୌପୁନୀ ଆଶ୍ରେ କରି

ବୈଷ୍ଣବ ଧର୍ମକୁ ଆଚରି

।।

ସମସ୍ତ କର୍ମ କରି ଦୂର

ତକ୍ଷଣେ ହୋଇଲା ବାହାର

।।

କେବଳ ନିଷ୍କାମିକା ହୋଇ

ଶରୀର ମାତ୍ରକେ ଅଛଇ

।।

ବଳିଲା ଅତି ଭାବହୃଦେ

ଚିତ୍ତ ନିବେଶି ପଦ୍ମପାଦେ

।।

ଶ୍ରୀଜଗନ୍ନାଥ ଧ୍ୟାନ ବିନେ

ଅନ୍ୟ ନ ପଶେ ତାର ମନେ

।।

ଏମନ୍ତେ ଗଲା ପଥ ବାହି

ଯହିଁ ବା ଯେମନ୍ତେ ମିଳଇ

।।

କାହିଁ ଉତ୍ତମ ଦ୍ରବ୍ୟଖାଇ

କାହିଁ ଫଳମୂଳ ଭକ୍ଷଇ

।।

କାହିଁ ବଞ୍ଚଇ ଜଳଗ୍ରାସେ

କାହିଁ ବା ରହେ ଉପବାସେ

।।

ତହିଁକି ଶୋଚନା ନ କରି

କେବେ ଦେଖିବି ଦାରୁହରି

।।

କରିବି ତାହାକୁ ଦର୍ଶନ

ଏମନ୍ତ ବିଚାରି ତା ମନ

।।

ଚଳଇ ଅତି ସ୍ନେହ ଭରେ

ଯାଇ ମିଳିଲା କ୍ଷେତ୍ରବରେ

।।

ଧୁଳିଆ ପହଣ୍ଡେ ଦର୍ଶନ

କଲା ସେ ପ୍ରଭୁ ଭଗବାନ

।।

ଦେଖିଣ ସେ କଲା ଶ୍ରୀମୁଖ

ଛଡ଼ିଲା ମନୁ ସର୍ବ ଦୁଃଖ

।।

ସାଷ୍ଟାଙ୍ଗେ କରି ଦଣ୍ଡବତ

ଉଠି କପାଳେ ଦେଇ ହାତ

।।

ବୋଇଲେ ନମୋ ନାରାୟଣ

ଅଶେଷ ଜୀବର କାରଣ

।।

ଅଶେଷ ବ୍ରହ୍ମାଣ୍ଡର ନାଥ

ନମୋ କମଳ ଶଙ୍ଖହସ୍ତ

।।

ନମସ୍ତେ କମଳାରମଣ

ଆଜି ମୁଁ ପଶିଲି ଶରଣ

।।

ତୁ ନାଥ ଯାହା ତାହା କର

ଅନ୍ୟ ଶରଣ ନାହିଁ ମୋର

।।

ଏମନ୍ତ ବୋଲି ସ୍ତୁତି କଲା

ତହୁଁ ମେଲାଣି ହୋଇଗଲା

।।

ସେ କ୍ଷେତ୍ର ମଧ୍ୟେ ଅତି ଶ୍ରେଷ୍ଠ

ସେ ବଡ଼ ସନ୍ଥଙ୍କର ମଠ

।।

ତହିଁ ପ୍ରବେଶ ଯାଇଁ ହେଲା

ମହନ୍ତ ଛାମୁରେ ଭେଟିଲା

।।

ତାହାଙ୍କୁ ଦୁଃଖ ସୁଖ କହି

ତହୁଁ ରହିଲା ମାସ ଦୁଇ

।।

ପ୍ରଭାତୁ ଉଠି ସ୍ନାନ ସାରି

ତିଳକ ଦାମକୁ ସୁମରି

।।

ନିତ୍ୟେ ଚଳଇ ଦରଶନେ

ପଶଇ ଶ୍ରୀ ଜଗମୋହନ

।।

ଅନେକ ଦଣ୍ଡବତ କରି

ଛାମୁରେ ରହଇ ଉଭାରି

।।

ବୋଇଲେ ଆହେ ମହାବାହୁ

ଶରଣ ପଞ୍ଜର ବୋଲାଉ

।।

ଏ ଜୀବ ହାନିଲାଭ ଯେତେ

ସବୁ ଲଗାଇ ପ୍ରଭୁ ତୋତେ

।।

ତୋ ଅବଶେଷେ କବଳରେ

କାଳ ବଞ୍ଚିବି କ୍ଷେତ୍ରବରେ

।।

ତୋ ରୂପ କରିବି ଦର୍ଶନ

ତୋ ନାମ କରିବି ଗାୟନ

।।

ତୋ ଭକ୍ତ ସଙ୍ଗେ ସଙ୍ଗ ହୋଇ

ସଦା ତୋହର ରୂପ ଧ୍ୟାୟୀ

।।

ତୋ ନାମ ଭଜି ଦିନ ଯିବ

ଭୋନାଥ ଏହି ଆଜ୍ଞା ହେବ

।।

ଆନେ ମୋ ପ୍ରୟୋଜନ ନାହିଁ

ତୁ ଅନ୍ତର୍ଯ୍ୟାମୀ ଭାବଗ୍ରାହୀ

।।

ଏମନ୍ତ ବୋଲି ନିତି ନିତି

ପ୍ରଭୁଙ୍କୁ କରୁଥାଇ ସ୍ତୁତି

।।

ତହୁଁ ଚଳଇ ସେତେବେଳେ

ଦିନ ବଞ୍ଚାଇ ସାଧୁମେଳେ

।।

କେବଳ ହରିକଥା ରସେ

ଭୁଞ୍ଜିବାବେଳେ ମଠେ ଆସ

।।

ତାଙ୍କୁ ଦେଖିଣ ମଠଜନେ

ବୋଲନ୍ତି ଇଙ୍ଗିତ ବଚନେ

।।

ଏ ତୁମ୍ଭ କେମନ୍ତ ବିଚାର

ପଙ୍ଗତ ବେଳେ ଆଗୁଁସାର

।।

ବିଷୟା ବେଳକୁ ନ ଥିବ

ଏହିଟି ପାଠ ଅଙ୍କ ଭାବ

।।

ସମସ୍ତେ ଜାଣିଲେ ତୁମ୍ଭର

ବେଗେ ମଠରୁ ବିଜେ କର

।।

ଏମନ୍ତ ଶୁଣି ରଘୁଦାସ

ମନେ ଚିନ୍ତଇ ପୀତବାସ

।।

ତୁରିତେ ତହୁଁ ଗଲା ଚଳି

ଯେ ଶ୍ୱେତଗଙ୍ଗା ପାଶେ ମିଳି

।।

ଶ୍ରୀଜଗନ୍ନାଥଙ୍କୁ ସୁମରି

ବସିଲା ଦୃଢାସନ କରି

।।

ଇନ୍ଦ୍ରିୟଗଣ ହୃଦେ ଧରି

ମନ ଚୈତନ୍ୟ ସ୍ଥିର କରି

।।

ଏକାଙ୍ଗ କରିଣ ସୁମନ

ଜପିଲା ତ୍ରିକୁଟ ଭୁବନ

।।

ଏମନ୍ତ କାମନା ପକାଇ

ରହିଲା ନିଷ୍କାମନା ହୋଇ

।।

କେବଳ ପ୍ରଭୁ ଦୀନବନ୍ଧୁ

ମହା ମହିମା କୃପାସିନ୍ଧୁ

।।

ଗୋବିନ୍ଦ ରୂପ ହୃତଗତେ

ବିଜେ କରାଇ ଶୁଦ୍ଧଚିତ୍ତେ

।।

ଛାଡ଼ିଣ ଦେହ ବୁଦ୍ଧିଜ୍ଞାନ

ନୟନ ବୁଜି କରେ ଧ୍ୟାନ

।।

କେବଳ ରାମ ନାମ ଗୋଟି

ଭଜନ କରେ ନିଜ ଗଣ୍ଠି

।।

ଛାଡ଼ିଲେ କ୍ଷୁଧା ତୃଷା ଆଶ

ପିଇଣ ନାମାମୃତ ରସ

।।

ଯାଉ ବା ଥାଉ ଏ ଶରୀର

ପ୍ରାଣ ଯିବାକୁ ନାହିଁ ଡର

।।

ଏମନ୍ତ ବୋଲି ଦୃଢ କରି

ବସିଲେ ଗୋବିନ୍ଦ ସୁମରି

।।

ଏକେତ ନିଦାଘର କାଳ

ରବି କିରଣେ ବହେ ଝାଳ

।।

ଅନଳ ପ୍ରାୟେ ରେଣୁରାଜି

ତପତେ ହୋଉଥାଏ ଭାଜି

।।

ତହିଁ ବସିଣ ଦୃଢାସନେ

କିଛି ହିଁ ଭୟ ନାହିଁ ମନେ

।।

ଏମନ୍ତେ ଗଲା କେତେ ଦିନ

ପଥେ ଯେ ଆତଯାତ ଜନ

।।

ଦେଖି ସେ ପାଇଲେ ବିକଳ

ବୋଲନ୍ତି ଧନ୍ୟ ତପଶୀଳ

।।

ଏମନ୍ତ କହି ତାଙ୍କ ପାଶେ

ଛତ୍ର ପୋତିଲେ ଛାଇ ଆଶେ

।।

ତାହା ଜାଣିଲେ ସନ୍ଥଦାସ

ବିଜୟ କଲେ ତାଙ୍କ ପାଶ

।।

ଦେଖିଲେ ଦେହେ ନାହିଁ ଜ୍ଞାନ

ଲାଗିଛି ହରିଧ୍ୟାନେ ମନ

।।

କେତେ ହେଁ ରୂପେ ଡାକ ଦେଲେ

ସେ ରଘୁ ଦାସ ନ ଶୁଣିଲେ

।।

ଜାଣିଲେ ନିଶ୍ଚେ ଏ ଅତିଥ

ତପେ ହରିବ ହରିଚିତ୍ତ

।।

ଏମନ୍ତ ବୋଲି ଚଳିଗଲେ

ନିଜ ମନ୍ଦିରେ ଯାଇ ହେଲେ

।।

ମହାପ୍ରସାଦ ଦିବ୍ୟ ଅନ୍ନ

ନାନାଦି ପ୍ରକାରେ ବ୍ୟଞ୍ଜନ

।।

ପେଶିବେ ସୁଆରଙ୍କ ହସ୍ତେ

ସେ ଘେନି ଚଳିଲେ ତ୍ୱରିତେ

।।

ରଘୁ ଦାସଙ୍କ ପାଶେ ଦେଲେ

ଯେ ଯାହା ମଠେ ଚଳିଗଲେ

।।

କେତେ ହେଁ ବେଳ ଗଲା ତହିଁ

ଚେତନା ପାଇ ଦେଲେ ଚାହିଁ

।।

ଦେଖିଲେ ଶ୍ରୀ ମହାପ୍ରସାଦ

ଅନେକ ହୋଇଲେ ପ୍ରମୋଦ

।।

କେବଳ ମାତ୍ର ସେବା କଲେ

ପୁଣି ସେ ଧ୍ୟାନରେ ଲାଗିଲେ

।।

ମାତ୍ରକ ପ୍ରଭୁ ଜଗନ୍ନାଥ

ସ୍ୱରୂପେ ରଖି ଦୃଷ୍ଟି ପଥ

।।

ସେହି ରୂପରେ କରି ଧ୍ୟାନ

ନ ଜାଣେ ଅନ୍ୟ କଥାମାନ

।।

ନିଦ୍ରା ଅଳସ କ୍ଷୁଧା ତୃଷା

ଛାଡ଼ିଲେ ସର୍ବକର୍ମ ଆଶା

।।

ଏମନ୍ତେ ଚଉଦ ଦିବସ

ତପେ ସିଝିଲା ଦେହ ମାଂସ

।।

କେବଳ ଭକ୍ତି ଆଶ୍ରେ କରି

ରହିଲେ ରାମ ନାମ ଧରି

।।

ତାହା ଜାଣିଲେ ଆଦିମୂଳ

ଯେ ପ୍ରଭୁ ପରମ ମଙ୍ଗଳ

।।

ନ ସହେ ସେବକ ବେଦନା

ଏହି ନିମନ୍ତେ ଚକ୍ରେ ବାନା

।।

ଉଡ଼ୁ ଅଛଇ ଫରଫର

ନାହିଁ ଯେ ଭକତକୁ ଡର

।।

ଏମନ୍ତ ପ୍ରଭୁ ବେଦରାଜ

ତୋଳିଣ ଶଙ୍ଖ ଚକ୍ର ଭୁଜ

।।

ଶରଣ ଯାଚୁଛନ୍ତି ଦଳେ

ଯେବା ପଶିବି ଏତେବେଳେ

।।

ମହା ପତିତ ପଛେ ହେଉ

ତାହାର ଭୟ ନାହିଁ ଆଉ

।।

ଏ କଥା ଅଟଇ ପ୍ରମାଣ

ଶୁଣ ହେ ମନ ନୃପରାଣ

।।

ରଘୁ ଦାସଙ୍କ ଭାବ ଜାଣି

ସହି ନ ପାରି ଚକ୍ରପାଣି

।।

ବିଜୟ କଲେ ଭଗବାନ

ସେ ରାଜ୍ୟ ରାଜା ସନ୍ନିଧାନ

।।

ଘୋର ନିଦ୍ରାରେ ଅଛି ଶୋଇ

ସ୍ୱପନ ମାର୍ଗେ ଆଜ୍ଞା ଦେଇ

।।

ବୋଇଲେ ଶୁଣରେ ରାଉତ

ପଶ୍ଚିମ ଦେଶ ମୋ ଭକତ

।।

ଆସିର ଶ୍ୱାତ ଗଙ୍ଗାଠାରେ

ମୋର ଦକ୍ଷିଣ ପାରୁଶରେ

।।

ଘୋର ତପସ୍ୟା କରେ ବସି

ମୋ ନାମ ଜପି ଅହର୍ନିଶି

।।

ଅନ୍ନ ଭୋଜନ ନାହିଁ ତାର

ମୋ ପାଦେ ଦେଇ ଭାରାବର

।।

ହେଲାଣି ଚଉଦ ଦିବସ

ତେଣୁ ଅଇଲି ତୋର ପାଶ

।।

ସେ ମୋର କୁଟୁମ୍ୱରୁ ଜଣେ

ଏହା ହିଁ ବୁଝ ହେ ଆପଣେ

।।

ଦେଖି ତା ତପସ୍ୟା କଠୋର

ଅନ୍ନ ଭୋଜନ ନାହିଁ ମୋର

।।

ସେ ମୋ ବାଳୁତ ପତ୍ର ପ୍ରାୟେ

ତାର ବ୍ୟାକୁଳ ସହିନୋହେ

।।

ଏଣୁ ମୁଁ କହିଗଲି ତୋତେ

ହେ ରାଜା ଭଲେ ରଖ ଚିତ୍ତେ

।।

ରଜନୀ ପ୍ରଭାତରୁ ଯିବୁ

ମୋ ଭକ୍ତ ପାଶରେ ମିଳିବୁ

।।

ଅନେକ ଗଉରବ କରି

ଘେନାଇ ଯିବୁ ଦଣ୍ଡଧାରୀ

।।

ଏ ମୋର ଦକ୍ଷିଣ ପାରୁଶ

ବିସ୍ତାରି କରିଣ ନିବାସ

।।

ତୋଳାଇ ଦେବୁ ହେ ରାଜନ

ଖଞ୍ଜିବୁ ଖଞ୍ଜା ବରତନ

।।

ଯାବତ ଚନ୍ଦ୍ର ସୂର୍ଯ୍ୟ ଥିବ

ସେ ମୋର କୋଠାରେ ରହିବ

।।

ଅନେକ ବୈଷ୍ଣବ ରହିବେ

ମୋ ଭକ୍ତ ସେବା କରୁଥିବେ

।।

ନିଶ୍ଚିନ୍ତେ ଅନ୍ନ ବସ୍ତ୍ର ପାଇ

ମୋର ସେବାରେ ଥିବେରହି

।।

ଏକଥା ନ କଲେ ଅବଶ୍ୟ

ଛାଡ଼ ତୋ ଜୀବନର ଆଶ

।।

ଏମନ୍ତ ଆଜ୍ଞା ତାକୁ ଦେଇ

ଅନ୍ତର ହୋଇଲେ ଗୋସାଇଁ

।।

ରାଜା ଚେତନା ପାଇ ଉଠି

ଚାରିଦିଗକୁ ଦେଲେ ଦୃଷ୍ଟି

।।

ଦେଖଇଲେ ପାଶେ କେହି ନାହିଁ

ଜାଣିଲେ ନିଶ୍ଚେ ଭାବଗ୍ରାହୀ

।।

ଆଜ୍ଞା ଯେ ଦେଇଗଲେ ମୋତେ

ଯେ ମୋର ଭକତଙ୍କ ହିତେ

।।

ଏକଥା ନ କଲେ ଅବଶ୍ୟ

ମୋ ରାଜପଦେ ନାହିଁ ପାଶ

।।

କୋମଳବାକ୍ୟେ ଚାଟୁ କହି

ବୋଇଲେ ଉଠ ହେ ଗୋସାଇଁ

।।

ତୁମ୍ଭ ତପସ୍ୟା ହେଲା ସିଦ୍ଧ

କରୁଣା କଲେ ଚକ୍ରାୟୁଧ

।।

ଧନ୍ୟ ଅତିଥି ତୋ ଜୀବନ

ବଶ ତୁ କଲୁ ଭଗବାନ

।।

ଆମ୍ଭର ଭାଗ୍ୟ ଥିଲେ କେତେ

ନୟନେ ଦେଖିଲୁ ଯା ତୋତେ

।।

ଏମନ୍ତ ବୋଲି ଭୁଜ ଧରି

ଉଠାଇ ଦେଲେ ଦଣ୍ଡଧାରୀ

।।

ପ୍ରଭୁ ଛାମୁକୁ ଘେନିଗଲେ

ମସ୍ତକେ ପତନୀ ବାନ୍ଧିଲେ

।।

ସହସ୍ରେ ବୈଷ୍ଣବକୁ ନିତ୍ୟେ

ଲାଗିବ ଅନ୍ନ ବସ୍ତ୍ର ଯେତେ

।।

ଆପଣେ ଶ୍ରୀହସ୍ତେ ରାଜନ

ଲେଖିଣ ଦେଲେ ଗ୍ରାମଦାନ

।।

ଯାବତ ଉଦେ ରବି ଶଶୀ

ତାବତ କର ଭୋଗ ବସି

।।

ଏମନ୍ତ ଆଜ୍ଞା ତାଙ୍କୁ ଦେଲେ

ଦକ୍ଷିଣ ପାରୁଶକୁ ଗଲେ

।।

ବତିଶ ବଖରା ଚଉଁରୀ

ମଠ ତୋଳାଇ ଯତ୍ନ କରି

।।

କିସ ଉପମା ତାକୁ ଦେବା

ଦ୍ୱିତୀୟ ସ୍ୱର୍ଗ ପ୍ରାୟ ଶୋଭା

।।

ତହିଁ ରଖାଇ ରଘୁଦାସ

ବୋଇଲେ ଭଜ ପୀତବାସ

।।

ଅଦ୍ଧକୋଶକ ଆୟତନ

ଅଛି ସେ ତୁମ୍ଭ ଭୂମିଦାନ

।।

ତୋ ମନ ଯାହା ତାହା କର

ଏଥେ ମୋ ନାହିଁ ଅଧିକାର

।।

ଏମନ୍ତ ଆଜ୍ଞା ତାକୁ ଦେଲେ

ରାଜା ବିଜୟ କରି ଗଲେ

।।

ଶୁଣ ସୁମନ ଶୁଦ୍ଧଚିତ୍ତେ

ଏଥି ଉତ୍ତାରେ କଥା ଯେତେ

।।

ସେ ଦାରୁବ୍ରହ୍ମ ଅଙ୍ଗୀକାରେ

ଯଶ ତା ପୂରିଲା ସଂସାରେ

।।

କାହୁଁ ଅଇଲା କେତେ ଧନ

କେ ତାହା କରିବ ଲେଖନ

।।

ଅନେକ ବୈଷ୍ଣବ ପ୍ରବେଶି

କାହୁଁ ମିଳିଲେ ମଠେ ଆସି

।।

ସେ ରଘୁଦାସଙ୍କ ସଙ୍ଗତି

ହୋଇ ରହିଲେ ଆଜ୍ଞାବର୍ତ୍ତୀ

।।

ରଘୁଦାସଙ୍କୁ କାଷ୍ଠା ବ୍ରତ

କରିଅଛନ୍ତି ଦୃଢଚିତ୍ତ

।।

ଶ୍ରୀ ମହାପ୍ରସାଦ କେବଳ

ଖାଇ ବଞ୍ଚିବା ଆମ୍ଭେ କାଳ

।।

ପ୍ରଭୁ ମଣୋହି ବିନା ଯେତେ

ଛୁଇଁବା ନାହିଁ କଦାଚିତେ

।।

ଏ କଥା ଯେହୁ ସେ ପାଳିବ

ସେହି ଏ ମଠରେ ରହିବ

।।

ଶୁଣି ସମସ୍ତେ ସତ୍ୟ କଲେ

ନିଶ୍ଚିନ୍ତ ହୋଇଣ ରହିଲେ

।।

ସେହି ଦିନରୁ ମଠେ ରୋଷ

କେବେ ହେଁ ନୋହିଲା ଅବଶ୍ୟ

।।

ଚନ୍ଦନ ଫୁଲମାଳ ଯେତେ

ବସ୍ତ୍ର ଭୂଷଣାଦି ସହିତେ

।।

ମୁଖ ପ୍ରକ୍ଷାଳେ ଜଳ ଘଟି

ଦନ୍ତଧାବନେ ଦାନ୍ତ କାଠି

।।

ମଣୋହି ନ କଳେ କେବଳ

ଛୁଇଁବା ନାହିଁ କେହି ଜଳ

।।

ଆମ୍ବ ପରସ ନାରୀକେଳ

ଟଭା କମଳା କନ୍ଦମୂଳ

।।

ଦଧି ଘୃତାଦି କ୍ଷୀର ଯେତେ

ଖଣ୍ଡ ଶାକରାଦି ସହିତେ

।।

ମଣୋହିବିନା କିଛି ଦ୍ରବ୍ୟ

ଛୁଇଁଲେ ନାହିଁ ସାଧୁ ସର୍ବ

।।

ପ୍ରଭଙ୍କୁ ମଣୋହି ନିମନ୍ତେ

ଯେ ପାରୁ ଭୋଗ କରୁ ଯେତେ

।।

ତୋତେ ଦେବାର ପରିମାଣ

ଏ କଥା ସତ୍ୟ ବୋଲି ଜାଣ

।।

ଯେବେ ଅତିଥି ଅଭ୍ୟାଗତ

ଆସିଣ ହୋନ୍ତି ଉପଗତ

।।

ଦିଅନ୍ତି ସଦାବର୍ତ୍ତ ମାନ

ଶ୍ରୀମହାପ୍ରସାଦ ଭୋଜନ

।।

ମଣୋହି ନୋହିଥିବା ଦ୍ରବ୍ୟ

ମୁଠିଏ ତଣ୍ଡୁଳ କେ ଦେବ

।।

ଦୁଃଖୀ ଦରିଦ୍ର ଯେ ଭିକାରୀ

ନ ପଶଇ ପଛେ ଯାନ୍ତୁ ଫେରି

।।

ମଣୋହି ବିନା ଦ୍ରବ୍ୟ ଯେତେ

ଦିଅନ୍ତି ନାହିଁ କଦାଚିତ୍ତେ

।।

ଆହୁରି କଲେ ଏ ବିଧାନ

ମଠେ ଅସୁସ୍ଥ ଯେଉଁ ଜନ

।।

ସେ କାଳେ ତାକୁ ବୈଦ୍ୟଗଣ

କହନ୍ତି ଯେଉଁ ଦ୍ରବ୍ୟମାନ

।।

ସେ ଦ୍ରବ୍ୟ ଅଣାଇ ତୁରିତେ

ଦିଅନ୍ତି ସୁଆରଙ୍କ ହସ୍ତେ

।।

ସେ ରୋଷଶାଳରେ ସିଝାଇ

ପ୍ରମୁଙ୍କ ଛାମୁରେ ଦେଖାଇ

।।

ତାହା ଘେନାଇ ଅଣିରି ଚାଣ୍ଡେ

ତେବେ ଦିଅନ୍ତୁ ମଳୁ ତୁଣ୍ଡେ

।।

ନୋହିଲେ ଯିବ ପଛେ ଧରି

କେ ଦେବ ଲାଗି ବିନା ବାରି

।।

ଏମନ୍ତ କାଷ୍ଠାରେ ଅବଶ୍ୟ

ମଠ ଚଳାନ୍ତି ରଘୁବାସ

।।

ଏହି ବିଚାର ତାଙ୍କ ଚିତ୍ତେ

ମଠରେ ଅଛି ଧନ ଯେତେ

।।

ଏ ଧନ ଜଗନ୍ନାଥଙ୍କର

ମୁହିଁ ଜଗୁଆଳି ମାତର

।।

ଏଥେ ମୋ ନାହିଁ ଅଧିକାର

ସବୁ ଆୟତ୍ତ ଗୋବିନ୍ଦର

।।

ଏମନ୍ତ ବୋଲି ନିତି ନିତି

ପ୍ରଭୁ ଚରଣେ ଦେଇମତି

।।

କେବଳ କରିଥାନ୍ତି ଧ୍ୟାନ

ନ ଜାଣି ଅନ୍ୟ କଥାମାନ

।।

ଶୁଣ ହୋ ମନ ମହାରଥା

ସେ ରଘୁଦାସଙ୍କର କଥା

।।

ନିଷ୍କାମ ଭକ୍ତି ତାହାଙ୍କର

ଦିନକୁ ଦିନ ବଳିୟାର

।।

ବଢିଲା ଚନ୍ଦ୍ରକଳା ପ୍ରାୟ

ତାହା ଜାଣିଲେ ଦେବରାୟ

।।

ଏମନ୍ତ ଜାଣିଦେବ ସ୍ୱାମୀ

ଯେ ପ୍ରଭୁ ସର୍ବ ଅନ୍ତର୍ଯ୍ୟାମୀ

।।

ଭକତଭାବେ ଭୋଳ ହୋଇ

ସ୍ୱପନ ମାର୍ଗେ ଆଜ୍ଞା ଦେଇ

।।

ବୋଇଲେ ଶୁଣ ରଘୁଦାସ

ତୋ ଦେବା ଅନ୍ନେ ମୋର ଆଶ

।।

ମୋର ଯଶୋଦା ମାତା ମୋତେ

ଯେହ୍ନେ ଭୁଞ୍ଜାଉଥାଇ ନିତ୍ୟେ

।।

ସେ ଅନ୍ନ ଯେତେ ସୁଖ ମୋର

ତାହା ଜଣାଇ ମନ ମୋର

।।

ତହୁଁ ଅଧିକ ତୋର ଅନ୍ନ

ଆନନ୍ଦେ କରେ ମୁଁ ଭୋଜନ

।।

ଏଣୁଟି କହିଗଲି ତୋତେ

ଛାଡ଼ି ତୁ ନ ଭୁଞ୍ଜିବୁ ମୋତେ

।।

ଏ ଆଜ୍ଞା ନେଇ ଯିବାବେଳେ

ସେ ରଘୁଦାସ ଚାହିଁଦେଲେ

।।

ଦେଖିଲେ ପ୍ରଭୁ ଭଗବାନ

ତକ୍ଷଣେ ହେଲେ ଅର୍ନ୍ତଦ୍ଧାନ

।।

ହେ ମନ ହେତୁମତି କର

କି ଆଜ୍ଞା ବୋଲିବା ତାହାର

।।

ଯାହାକୁ ଭାବୁଛନ୍ତି ଶିବ

ବ୍ରହ୍ମାଦି ଦେବଙ୍କୁ ଦୁର୍ଲ୍ଲଭ

।।

ଚର୍ମ ନୟନେ ତାଙ୍କୁ ଦେଖି

ଏ ଭାଗ୍ୟ କେ ପାରିବ ଲେଖି

।।

ଦିନକୁଦିନ କୀର୍ତ୍ତି ଚର

ବଢଳା ଅପାରୁଁ ଅପାର

।।

ଚାରି ମହଲ ତୋଳାଇଲେ

ଚାରି ଭାଇଙ୍କ ନାମ ଦେଲେ

।।

ରାମ ଲକ୍ଷ୍ମଣ ଯେ ଶତ୍ରୁଘ୍ନ

ଭ୍ରତ ମହଲ ଭିନ୍ନ ଭିନ୍ନ

।।

ସହସ୍ରେବୈଷ୍ଣବ ରଖିଲେ

ଦ୍ୱିତୀ ନଅପତି ଭୋଗ କଲେ

।।

କେବଳ ପ୍ରଭୁ ନିଷ୍ଠା ଚିତ୍ତେ

ଦତ୍ତ ଭଗତେ ଅପ୍ରମିତେ

।।

କରିଣ ବଞ୍ଚାଇଲେ ଦିନ

ଭଜିଣ ଶ୍ରୀ ରଘୁନନ୍ଦନ

।।

ଦେହାନ୍ତେ ଶ୍ରୀହରି ନିବାସେ

ବସିଲେ ଯାଇ ରଘୁଦାସେ

।।

ଶୁଣ ହେ ମନ ମହାରଥା

ଏ ଦାର୍ଢ୍ୟଭକ୍ତି ରସକଥା

।।

ସେ ହରି ଭକତେ ଦୟାଳ

ଭକତ ଭାବ ତାଙ୍କ ମୂଳ

।।

ଯେ ଭଜେ ଦୃଢକରି ମନ

ସେ ନର ଲଭେ ଭଗବାନ

।।

କହଇ ବିପ୍ର ରାମଦାସ

ସେ ପ୍ରଭୁ କମଳା ବିଳାସ

।।

ସେ ଭକ୍ତ ଭଗବାନ ପାଦେ

ମନ ମୋ ରହୁ ଅପ୍ରମାଦେ

।।

ସାଧୁଙ୍କ ଚରଣକୁ ମୋର

କୋଟିଏ ବାର ନମସ୍କାର

।।

ସଂସାର ମଧ୍ୟରେ ଲବଣୀ

ଅତି କୋମଳ ବୋଲି ଜାଣି

।।

ହେଲେ ଅନଳ ତାପ ପାଇ

ତେବେ ସେ ସିନା ତରଳଇ

।।

ସାଧୁଙ୍କ ଚରଣକୁ ମୋର

କୋଟିଏ ବାର ନମସ୍କାର

।।

ସଂସାର ମଧ୍ୟରେ ଲବଣୀ

ଅତି କୋମଳ ବୋଲି ଜାଣି

।।

ହେଲେ ଅନଳ ତାପ ପାଇ

ତେବେ ସେ ସିନା ତରଳାଇ

।।

ସାଧୁଙ୍କ ପରତାପ ଦେଖି

ଧଇର୍ଯ୍ୟ ନ ପାରିଲେ ରଖି

।।

ତକ୍ଷଣେ ହୋଇ ଦ୍ରବୀଭୂତ

ଏଣୁଟି ଧନ୍ୟ ତାଙ୍କ ଚିତ୍ତ

।।

ଏ ଘେନି ତାଙ୍କ ପାଦେ ଆଶ

କଲା ଏ ବିପ୍ର ରାମଦାସ

।।

ଏ ଘୋର ଦୁର୍ଗତିରୁ ମୋତେ

ଉଦ୍ଧାରି ନେବେ ସେ ସାକ୍ଷାତେ

।।

ଶ୍ରୀଜଗନ୍ନାଥ ପାଦତଳେ

ଭେଟାଇ ଦେବେ ଏକାବେଳେ

।।

ଏମନ୍ତେ ବୋଲୁଅଛି ମତି

ତାହା ଜାଣନ୍ତି ଗଣ ଜ୍ୟୋତି

।।

 

ଇତିଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ୱାଦେ

ରଘୁଦାସ ଦାର୍ଢ୍ୟତାଭକ୍ତି ବର୍ଣ୍ଣନେ ନାମ ଚତୁଶ୍ଚତ୍ୱାରିଂଶୋ ଧ୍ୟାୟଃ

•••

 

Unknown

ପଞ୍ଚଚତ୍ୱାରିଂଶ ଅଧ୍ୟାୟ

ପିପା ଦାସ ସମ୍ୱାଦ

 

ନମସ୍ତେ ପ୍ରଭୁ ନାରାୟଣ

ଅଶେଷ ଜୀବର କାରଣ

।।

ସକଳ ଜୀବଗଣ ଗୁରୁ

ଭକତ ବାଞ୍ଛା କଳ୍ପତରୁ

।।

ତେଣୁ ଶରଣ ରାମଦାସ

ପୂରାଅ ମୋର ମନ ଆଶ

।।

କହେ ଚୈତନ୍ୟ ଧୀରବାଣୀ

ଶୁଣ ଇନ୍ଦ୍ରିୟ ଚୂଡ଼ାମଣି

।।

ଏ ବଡ଼ ଦୁର୍ଲ୍ଲଭ ଚରିତ

ଭକତ ମଧ୍ୟେ ସାରସ୍ୱତ

।।

ଦ୍ରାବିଡ଼ ଦେଶେ ତାର ଘର

ଜାତିରେ ଅଟେ ଦ୍ୱିଜବର

।।

ଶ୍ରୀ ରଘୁପୁରେ ତାର ବାସ

ନାମ ତାହାର ପିପା ଦାସ

।।

ପତ୍ନୀର ନାମ ତାର ସୀତା

ଅତି ସୁନ୍ଦରୀ ପତିବ୍ରତା

।।

ଜାଣଇ ପାପପୁଣ୍ୟ ଯେତେ

ଜୀବର ଦୟା ହୃଦଗତେ

।।

ସ୍ୱାମୀ ସେବାରେ ଥାଇ ନିତି

ସଦା ଆନନ୍ଦ ତାର ମତି

।।

ପୁତ୍ର ଦୁହିତା ତାର ନାହିଁ

କେବଳ ପତି ପତ୍ନୀ ଦୁଇ

।।

ଏକଇ ପ୍ରାଣ ବେନି ଜନ

ପିଣ୍ଡ ମାତ୍ରକ ଭିନ୍ନାଭିନ୍ନ

।।

ଏମନ୍ତ ବେନି ପ୍ରାଣୀ ଥାନ୍ତି

ହରି ଭଜନ କରି ନିତି

।।

ସାଧୁଙ୍କ ସେବା ତାଙ୍କ ମୂଳ

ଦେବା ଦୟାରେ ସେ କୁଶଳ

।।

ବିପ୍ର ବୈଷ୍ଣବ ସାଧୁଜନ

ସେବାରେ ଥାନ୍ତି ପ୍ରତିଦିନ

।।

ଅନ୍ନ ଭୋଜନ ତାଙ୍କୁ ଦେଇ

ବଚନ କହନ୍ତି ବିନୟୀ

।।

ଯେବେ ଦେଖନ୍ତି ଦୁଃଖୀଜନ

ଅତି ବ୍ୟାକୁଳ ତାଙ୍କ ମନ

।।

ବାନ୍ଧବ ପ୍ରାୟେ ତାଙ୍କୁ ଆଣି

ତୋଷନ୍ତି ଦେଇ ଅନ୍ନ ପାଣି

।।

ସକଳ ଜୀବେ ଦୟା କରି

ନ ହରେ ପର ଦ୍ରବ୍ୟ ନାରୀ

।।

ସାଧୁ ନନ୍ଦନେ ଅତି ଭୟ

ଯେଣୁ ସେ ସୁଜ୍ଞାନ ଉଦୟ

।।

ନ ଜାଣେ ଅନ୍ୟ କଥାମାନ

ମଣଇ ନାମ ଗଣ୍ଠିଧନ

।।

ଏମନ୍ତେ ବଞ୍ଚଇ ଆନନ୍ଦେ

ଭଜି ଗୋବିନ୍ଦ ପଦ୍ମପାଦେ

।।

ଭାବରେ ଫୁଲୁଥାଇ ଦେହ

ଧରଣୀ ପ୍ରାୟେ ସର୍ବସହ

।।

କୁସଙ୍ଗ ନ କରେ ସର୍ବଥା

ନ ଚିନ୍ତେ ପର ନାଶ କଥା

।।

କେବଳ ଦେବା କଥା ମୂଳ

ଏମନ୍ତେ ଗଲା କେତେ କାଳ

।।

ଘରେ ତା ଯେତେ ଧନ ଥିଲା

ଦାନେ ସକଳ ନଷ୍ଟ ଗଲା

।।

ତିଳେ ଶୋଚନା ନାହିଁ ମନ

ସଦା ଆନନ୍ଦେ ପରିପୂର୍ଣ୍ଣ

।।

ସଦା ସାଧୁଙ୍କ ସଙ୍ଗମରେ

ନାମ ଗାୟନମାନ କରେ

।।

ବଞ୍ଚଇ ଦିବସ ଶର୍ବରୀ

ଦଣ୍ଡ ନିମିଷ ପ୍ରାୟ କରି

।।

ଏମନ୍ତ ଗଲା କେତେଦିନ

ଦିନେ ବିଚାର କଲା ମନ

।।

ଧନ ତ ହେଲା ସର୍ବ ଶେଷ

ଛାଡ଼ିଣ ଗୃହ ବାସ ଆଶ

।।

ଆଉ କିମ୍ପାଇଁ ଏଥେ ଥିବା

ନୋହିବ ସାଧୁଙ୍କର ସେବା

।।

କେମନ୍ତେ ପୋଷିବା ଜୀବନ

ହୋଇଲି ସିନା ହିନୀମାନ

।।

ଭିକ୍ଷା ମାଗିଲେ ସ୍ୱଦେଶରେ

ଲଜ୍ଜା ଉପୁଜିବ ମନରେ

।।

ଏଣୁ ବିଦେଶ କରିବାର

ଦୁର୍ଲ୍ଲଭ ଅଟଇ ଆମ୍ଭର

।।

ବୁଲି ଅନେକ ତୀର୍ଥମାନ

କରିବା ପୁଣ୍ୟଜଳେ ସ୍ନାନ

।।

ଅନେକ ତୀର୍ଥମାନ ଦେଖି

ସୁଫଳ ହେବ ଚର୍ମ ଆଖି

।।

ଦର୍ଶନ କୃଷ୍ଣ ରୂପମାନ

ପବିତ୍ର କରିବା ଲୋଚନ

।।

କରିଣ ସାଧୁଙ୍କର ସେବା

କାହିଁ ବା କି ରୂପେ ବଞ୍ଚିବା

।।

ଏ କଥା ଉଚିତ ଆମ୍ଭର

ଶୁଣି ହସିଲେ ନାରୀବର

।।

ହେଉ ବୋଲିଣ ଶୁଦ୍ଧ ମନେ

ସମ୍ମତ କଲେ ବେନି ଜନେ

।।

ଦରିଦ୍ର ବିପ୍ରକୁ ରାଇଲେ

ନିଜ ମନ୍ଦିରେ ଦାନ କଲେ

।।

ମନ୍ଦିରୁ ହୋଇଲେ ବାହାର

ଚଳିଣ ଗଲେ ଦେଶାନ୍ତର

।।

ଲଜ୍ଜା ବେଭାରେ ଦୁଇ ଛାଡ଼ି

ଭିକ୍ଷୁକ ପଥେ ଗଲେ ମାଡ଼ି

।।

କାହିଁ ବା ସୁପକ୍ୱ ଆହାର

କାହିଁ ବା କଲେ ନିରାହାର

।।

କାହିଁବା ଞ୍ଚଳ ମୂଳ ଖାଇ

କାହିଁ ବା ଉପବାସ ରହି

।।

ଏଥକୁ ଶୋଚନା ନ କରି

ଚଳିଣ ଗଲେ ତୀର୍ଥ ଫେରି

।।

ଅନେକ ସାଧୁବୃନ୍ଦ ତୁଲେ

ଅନେକ ତୀର୍ଥ ବ୍ରତ କଲେ

।।

ଏଥି ଉତ୍ତାରେ କଥା ଯେତେ

ଶୁଣ ସୁଜନେ ଶ୍ରଦ୍ଧାଚିତ୍ତେ

।।

ଦଇବେ ଏକା ଗ୍ରାମଗତେ

ବୁଲିଣ ଗଲେ ଭିକ୍ଷାଅର୍ଥେ

।।

ସେ ଗ୍ରାମେ ଏକଇ ବ୍ରାହ୍ମଣ

ଅତ୍ୟନ୍ତ ଦରିଦ୍ର ହୋଇଣ

।।

ଅଛନ୍ତି ପତି ପତ୍ନୀ ଦୁଇ

ପୁତ୍ର ଦୁହିତା ତାଙ୍କ ନାହିଁ

।।

ସେ ଭିକ୍ଷଶ ମାଗିଣ ଜୀଅନ୍ତି

ଅତିଥି ଦେଖିଲେ ପୂଜନ୍ତି

।।

ଦୁଃଖୀ ଦରିଦ୍ର ଯେତେ ଦେଖି

ଭୋଜନେ ତାଙ୍କୁ କରି ସୁଖୀ

।।

ଥାଏ ଯା ନେଇ ତାଙ୍କ ପାଶେ

ଆପେ ରହନ୍ତି ଉପବାସେ

।।

ଏମନ୍ତ ତାଙ୍କ କଥା ଶୁଣି

ତହିଁ ମିଳିଲେ ବେନି ପ୍ରାଣୀ

।।

ଦଇବ ଯୋଗେ ସେହିଦିନ

ଘର ହୋଇଛି ତାଙ୍କ ଶୂନ୍ୟ

।।

ଆପେ ଅଛନ୍ତି ଉପବାସେ

ଏମନ୍ତ ବେଳେ ପିପା ଦାସେ

।।

ପତ୍ନୀକି ସଙ୍ଗତେ ଚଳାଇ

ଭୋଜନ ପ୍ରକାଶିଲେ ଯାଇ

।।

ତା ଶୁଣି ବ୍ରାହ୍ମଣ ବ୍ରାହ୍ମଣୀ

ବୋଇଲେ ବସ ବେନି ପ୍ରାଣୀ

।।

କି ଭାଗ୍ୟ ଥିଲା ଆଜ ଦିନ

ପାଇଲୁଁ ତୁମ୍ଭ ଦରଶନ

।।

ଯାହା ଗୋବିନ୍ଦ ଦେବେ ଅବା

ଘେନି କରିବୁ ତୁମ୍ଭ ସେବା

।।

ଏମନ୍ତ କହି ଗଲେ ଚଳି

ପତ୍ନିକୀ ବସାଇଣ ଭାଳି

।।

ବୋଇଲେ କି ବୁଦ୍ଧି କରିବା

କି ରୂପେ ଅତିଥିଙ୍କ ସେବା

।।

ଘରେ ତ ନାହିଁ କିଛି ଅନ୍ନ

ଶୁଣ ଗୋ ଯୁବତୀ ରତନ

।।

ତାହା ଶୁଣିଣ ନାରୀବର

ବୋଇଲା ଚିନ୍ତା କିମ୍ପା କର

।।

ଏ ମୋ ପିନ୍ଧିବା ବସ୍ତ୍ର ଧରି

ଚିର ହୋ ବେନିଖଣ୍ଡ କରି

।।

ବହନ କର ବିକିଆଣ

ଯାହା ସେ ଦେବେ ନାରାୟଣ

।।

ତହୁଁ କରିବା ସାଧୁ ସେବା

ଆମ୍ଭେ ପଛକେ ଭୋକେ ଥିବା

।।

ତାହା ଶୁଣିଣ ନିଜ ପତି

ବୋଲଇ ଶୁଣ ଗୋ ଯୁବତୀ

।।

ମଳିନ ବସ୍ତ୍ର ଖଣ୍ଡେ ଦେଲା

ଡୋର କୌପୀନ ଆଶ୍ରେ କଲା

।।

ବୋଇଲା ନିଅ ପ୍ରାଣନାଥ

ଯାହା ସେ ଦେବ ଜଗନ୍ନାଥ

।।

ଅଳପ ବହୁତ ହୋଇଲେ

ବିଚାର ନ କରିବ ତିଳେ

।।

ବହନ ବିକି କରି ଆଣ

ସେବିବା ଅତିଥ ଚରଣ

।।

ବିଳମ୍ୱେ କାର୍ଯ୍ୟ ନାହିଁ ଆଉ

ବହନ ହୋଇ ଆଜ୍ଞା ହେଉ

।।

ତାହା ଶୁଣିଣ ନିଜ ପତି

ବୋଇଲେ ଧନ୍ୟରେ ଯୁବତୀ

।।

ତୋ ଗୁଣ ସୁଝିବି କେମନ୍ତେ

ଜୀବନେ ଥିବା ପରିଯନ୍ତେ

।।

ଏମନ୍ତ ବୋଲି ବସ୍ତ୍ର ଧରି

ଚଳି ସେ ଗଲେ ବେଗ କରି

।।

ସେ ଗ୍ରାମଯାକ ବୁଲାଇଲା

କେହି ତା ମୁଲାଇ ନ ନେଲା

।।

ଦେଖିଣ ପୁରାତନ ବାସ

ସମସ୍ତ ଜନ କଲେ ହାସ୍ୟ

।।

ନିରାଶ ହୋଇ ତହୁଁ ଫେରି

ଆସନ୍ତେ ବସ୍ତ୍ର ଗୋଟି ଧରି

।।

ଏମନ୍ତ ବେଳେ ଏକଜଣ

ମୂଲ୍ୟ ସେ କଲା ଆଠପଣ

।।

ସମ୍ମତ କରି ତାକୁ ଦେଲେ

କଉଡ଼ି ଘେନି ଚଳିଗଲେ

।।

ସରୁ ଚାଉଳ ମୁଗଜାଇ

ଘୃତ ନବାତ ଦୁଧ ଦହି

।।

ଘେନିଣ ନିଜପୁରେ ଗଲେ

ନିଜ ପତ୍ନୀର ହସ୍ତେ ଦେଲେ

।।

ଦେଖି ଆନନ୍ଦ ନିଜ ନାରୀ

ରନ୍ଧନ କଲେ ବେଗ କରି

।।

ଅତିଥି ଶୁଚିମନ୍ତେ ଆସି

ବିପ୍ର ମନ୍ଦିରେ ଛନ୍ତି ବସି

।।

ତାହାଙ୍କୁ ସମାଦର କଲେ

ନେଇ ଆସନେ ବସାଇଲେ

।।

ରମ୍ଭା ପତ୍ରରେ ଦିବ୍ୟ ଅନ୍ନ

ଦଧି ଘୃତାଦି ଯେ ବ୍ୟଞ୍ଜନ

।।

ବିପ୍ର ଆନନ୍ଦ ମନ ହୋଇ

ଦୁହିଁଙ୍କୁ ପତ୍ରେ ଦେଲେ ନେଇ

।।

ବୋଇଲେ ଭୁଞ୍ଜ ବେଗକରି

ଯାହା ସେ ଦେଇଛନ୍ତି ହରି

।।

ତା ଶୁଣି ବୋଇଲେ ଅତିଥ

ଏକଥା ନୁହଇ ଉଚିତ

।।

ଗୃହରେ ଅଛୁ ଯେତେ ଜନ

ସମସ୍ତେ କରିବା ଭୋଜନ

।।

ଏ ସିନା ଧର୍ମର ବିଧାନ

ନୋହିଲେ ରଖ କୁମ୍ଭ ଅନ୍ନ

।।

ତା ଶୁଣି ବିପ୍ର ଗଲେ ବେଗେ

କହିଲ ନିଜ ପତ୍ନୀ ଆଗେ

।।

ବୋଇଲେ ଶୁଣରେ ସଙ୍ଗାତ

ଯେ ଆଜ୍ଞା ଦେଲେ ସେ ଅତିଥ

।।

ଗୃହରେ ଅଛୁ ଯେତେ ଜନ

ସମସ୍ତେ କରିବା ଭୋଜନ

।।

ନୋହିଲେ ତୁମ୍ଭ ଅନ୍ନ ରହୁ

ମେଲାଣି ଦିଅ ଆମ୍ଭେ ଯାଉ

।।

ଏଥକୁ କର ତୁ ବିଚାର

ତା ଶୁଣି ବୋଲେ ନାରୀବର

।।

ସେ ଆହା ଆଜ୍ଞା ଦେଲେ ସତ୍ୟ

ମୋର ଅବସ୍ଥା ଦେଖୁଛତ

।।

ଆନନ୍ଦ ହୋଇ ତୁମ୍ଭେ ବସ

କର ଅତିଥି ସଙ୍ଗେ ଗ୍ରାସ

।।

ମୁଁ ପାପୀ ଏକାକିନୀ ଥିବି

ସଙ୍ଗ ନୋହିଲେ ନ ଭୁଞ୍ଜିବି

।।

ଏ ନୁହେଁ ଧର୍ମଶାସ୍ତ୍ର ମତ

ପୁରୁଷ ସଙ୍ଗେ ଭୁଞ୍ଜିବାତ

।।

ତୁମ୍ଭେ ଯାଇଣ ଭୁଞ୍ଜିବସ

ଅତିଥି ନୁହଇ ନିରାଶ

।।

ତା ଶଉରି ନିଜପତି ଗଲେ

ଆଉ ପତ୍ରକେ ପକାଇଲେ

।।

ଅନ୍ନ ବ୍ୟଞ୍ଜନ ତହିଁ ବାଢି

ବିପ୍ର କହଇ କରଯୋଡ଼ି

।।

ଏବେ ହୋ କରିବା ଭୋଜନ

ଏ ମୋର ଅପ୍ରାଧ ନ ଘେନ

।।

ତା ଶୁରି କହନ୍ତି ଅତିଥି

ଏ ନୁହେଁ ବିଧାନ ଉଚିତ

।।

ଡାକ ତୋ ପତ୍ନୀ ଅଛି କାହିଁ

ଭୋଜନ କରୁ ସଙ୍ଗ ହୋଇ

।।

ନୋହିଲେ ଉଠିଗଲୁ ଆମ୍ଭେ

ଅନ୍ନ ଭୋଜନ କର ତୁମ୍ଭେ

।।

ତା ଶୁଣି ବୋଲନ୍ତି ବ୍ରାହ୍ମଣ

ଭୋ ପ୍ରଭୁ ମୋ କହିବା ଶୁଣ

।।

ରୋଷ ସେ ନିର୍ଭା କରିଦେଲେ

କି ଅବା ବିଷୟାରେ ଗଲେ

।।

ଅଇଲେ କରିବେ ଭୋଜନ

ଏଥକୁ କର କିମ୍ପା ମାନ

।।

ବିପ୍ର ବଚନେ ଏହା ଶୁଣି

ବୋଲେ ସେ ଥିଲେ ଏହିକ୍ଷଣି

।।

କେବେ ନ ଯାଇଛନ୍ତି ଘର

କିମ୍ପା କପଟ ଏତେ କର

।।

ବିପ୍ର କହିଲେ ଯେତେ ମତେ

କେବେହେଁ ନଗଲେ ପରତେ

।।

ବେଗେ ଆପଣେ ଉଠିଗଲେ

ରୋଷଶାଳାକୁ ଚାହିଁ ଦେଲେ

।।

ତା ଦେଖି ବ୍ରାହ୍ମଣର ନାରୀ

ଳଜ୍ଜାରେ ମୃତ ଶବ ପରି

।।

ରହିଲା କୁକ୍‌କୁଟ କୁଣ୍ଡଳୀ

ମସ୍ତକେ ଦେଇ କରାଞ୍ଜଳି

।।

ଅଳପ ମନ୍ଦ ମନ୍ଦ ହସି

ତଳକୁ କରି ମୁଖ ଶଶୀ

।।

ତା ଦେଖି ପିପା ଦାସ ପ୍ରିୟା

ସତୀ ସାଧକୀ ଦ୍ୱିତୀ ଶ୍ରୀୟା

।।

ଧାଇଁ ଧଇଲେ ଭୁଜ ଦୁଇ

କୋଳେ ବସାଇ ଚୁମ୍ୱଦେଇ

।।

ବୋଇଲେ କହ ମୋତେ ସତ୍ୟ

କପଟ ନ ରଖି ମୋ ଚିତ୍ତ

।।

ଆମ୍ଭ ଅଇଲା ବେଳେ ଥିଲା

କହ ତୋ ବସ୍ତ୍ର କେଣେ ଗଲା

।।

ଏମନ୍ତ ଶୁଣି ସେ ବ୍ରାହ୍ମଣୀ

କହେ ମଧୁର ଧୀର ବାଣୀ

।।

ଶ୍ରୀହରି କୃପାରୁ ଗୋମାତ

ଗୃହେ ମୋ ଅତିଥି ଆଗତ

।।

ଘରେ ନଥିଲା କିଛି ଧନ

ସ୍ୱାମୀ ମୋ ହୋଇଲେ ଅଜ୍ଞାନ

।।

ତେଣୁ ମୋ ବସ୍ତ୍ର ତେଣେ ଗଲା

ଅଶେଷ ଭାଗ୍ୟରେ ଲାଗିଲା

।।

ଏମନ୍ତ ଶୁଣି ପିପା ନାରୀ

ବେନି ନୟନ ବହେ ବାରି

।।

କଣ୍ଠହିଁ ଗଦଗଦ ହୋଇ

ବଦନୁ, ବାକ୍ୟ ନ ସ୍ଫରଇ

।।

ବୋଇଲେ ଧନ୍ୟ ତୋ ଜୀବନ

ତୋତେ ଦେଖିଲି ମୁହିଁ ଧନ୍ୟ

।।

ଧନ୍ୟ ତୁ ପତି ଅଛୁ ପାଇ

ତୋ ଭାଗ୍ୟ କହି ନ ସରଇ

।।

ଏମନ୍ତ କହି ବେଗ କରି

ପିନ୍ଧିବା ବସ୍ତ୍ର ଖଣ୍ଡେ ଚିରି

।।

ବିପ୍ର ନାରୀକି ପିନ୍ଧାଇଲେ

ହସ୍ତ ଧରିଣ ଘେନିଗଲେ

।।

ଆବର ପତ୍ରେକ ପକାଇ

ଅନ୍ନ ବାଢିଲେ ବେଗେ ନେଇ

।।

ବେଢି ବସିଲେ ଭୋଜନ

ସ୍ୱର୍ଗେ ଯେସନେ ସୁଧାପାନ

।।

କରନ୍ତି ଦେବ ଅପସରି

ଏଥକୁ ସେ ନୁହନ୍ତି ସରି

।।

ଭୋଜନ ସାରି ମୁଖ ଧୋଇ

ବସିଲେ କଷାଫଳ ଖାଇ

।।

ଏଥିଉତ୍ତାରୁ ବିପ୍ରବାଳୀ

ଗୃହ କର୍ମକୁ ଗଲେ ଚଳି

।।

ବିପ୍ରହିଁ ଅତିଥି ରଖାଇ

କହିଲେ ପତ୍ନୀ ଆଗେ ଯାଇ

।।

ମୁଁ ଯାଉଅଛି ଭିକ୍ଷାଅର୍ଥେ

ଯାହାସେ ଦେବେ ଜଗନ୍ନାଥେ

।।

ଆଣିଲେ ଅତିଥି ସେବିବା

ଆମ୍ଭ ପଛକେ ଭୋକେ ଥିବା

।।

ଶୁଣି ଆନନ୍ଦ ହେଲା ବାଳୀ

ସେକ୍ଷଣି ବିପ୍ର ଗଲା ଚଳି

।।

ଏତେ ସେ ପିପା ଦାସ ନାରୀ

ନିଜ ପତିଙ୍କ ପାଦ ଧରି

।।

ବୋଇଲେ ଶୁଣିମା ଗୋସାଇଁ

ଏହାଙ୍କ ଭାଇ ନୋହେ କହି

।।

ଆମ୍ଭଙ୍କୁ ଦେଖିବାରୁ ଡୋଳେ

ବୁଡ଼ିଲେ ଘୋର ଚିନ୍ତାଜଳେ

।।

ଘରେ ନ ଥିଲା କିଛି ଧନ

ବିକିଲେ ପିନ୍ଧିବା ବସନ

।।

ତହୁଁ ଯା ମିଳିଲା ଅବଶ୍ୟ

ଆଣି ଆମ୍ଭଙ୍କୁ ଦେଲେ ଗ୍ରାସ

।।

ପତ୍ନୀ ରନ୍ଧନଶାଳେ ଥିଲେ

ଉଲଗ୍ନ ହୋଇ ବସିଥିଲେ

।।

ମୁଁ ତାହା ଦେଖିଲି ନୟନେ

ଧଇର୍ଯ୍ୟ ନ ରହିଲା ମନେ

।।

ମୋ ପିନ୍ଧା ବାସୁଁ ଅଧେ ଚିରି

ପିନ୍ଧାଇ ଦେଲି ବଳେ ଧରି

।।

ଆସିଣ କଲେକ ଭୋଜନ

କେ ହେବ ଏହାଙ୍କ ସମାନ

।।

ତାହା ଶୁଣିଣ ପିପା ଦାସ

ହୃଦରୁ ଉଡ଼ିଲା ସାହସ

।।

ବୋଇଲେ ଧନ୍ୟ ଏହୁ ବେନି

ଧନ୍ୟ ୟା ଜନକ ଜନନୀ

।।

ଏଥକୁ ଯେବେ ଜଗନ୍ନାଥେ

କୃପା କରନ୍ତେ କିଛି ମୋତେ

।।

କିଛି ମିଳନ୍ତା ଯେବେ ଧନ

ଦେଇ ତୋଷନ୍ତି ତାଙ୍କ ମନ

।।

ଏମନ୍ତ କହି ଭାବ ଭୋଳେ

ନେତ୍ରୁ ଲୋତକଧାରା ଗଳେ

।।

ବୋଇଲେ ଶୁଣସି ଗୋ ନାରୀ

କଥାଏ ପାରିବୁ କି କରି

।।

ଗଣିକା ସ୍ୱରୂପ ତୁ ଧର

ମୁଁ ଖୋଜି ଆଣିବି ନାଗର

।।

ତା ସଙ୍ଗେ କର କ୍ରୀଡ଼ାରସ

ସେ ଅବା ମିଳିବ ଅବଶ୍ୟ

।।

ସେ ଧନ କରିବ ପ୍ରଦାନ

ତା ଶୁଣି ଯୁବତୀ ରତନ

।।

ବୋଇଲେ ମୋତେ କିସ କହ

ତୁମ୍ଭର ସିନା ଏହୁ ଦେହ

।।

ପତ୍ନୀର ହାନି ଲାଭ ଯାହା

ସ୍ୱାମୀର ସିନା ସବୁ ତାହା

।।

ଯହିଁ ବିକିଲେ ତହିଁ ଅଛି

ମୋର ଆୟତ୍ତ ନୋହେ କିଛି

।।

ତାହା ଶୁଣିଣ ପିପା ଦାସ

ମନେ ଚିନ୍ତିଲେ ପୀତବାସ

।।

ବୋଇଲେ ନମୋ ଚକ୍ରପାଣି

କମଳା ଯାର ପାଟରାଣୀ

।।

ଯାହାର ପାଦପଦ୍ମ ବାରି

ଶବ ମସ୍ତକେ ଛନ୍ତି ଧରି

।।

ବ୍ରହ୍ମା ଯାହାର ଆଜ୍ଞା ଶିରେ

ଧରି ଜଗତ ଜାତ କରେ

।।

ଇନ୍ଦ୍ର ଗୋବିନ୍ଦ ମୁନିଗଣ

ନିତ୍ୟେ ଚିନ୍ତନ୍ତି ଯା ଚରଣ

।।

ଶାରଦା ଯାର ଆଜ୍ଞାକାରୀ

ଧ୍ୟାନ କରନ୍ତି ବ୍ରହ୍ମଚାରୀ

।।

ଅଶେଷ ବ୍ରହ୍ମାଣ୍ଡ ଠାକୁର

ସମସ୍ତ ଯାର ଖେଳଘର

।।

ପ୍ରାଣୀ ସାରଣୀ ସୂତା ପରି

ଖେଳାଇ କର୍ମରଜ୍ଜୁ ଧରି

।।

ତେଣୁ ତୋହର ପଦପାଦେ

ଶରଣ ଗଲି ଅପ୍ରମାଦେ

।।

ଏ ମୋର ବାଞ୍ଛା ପୂର୍ଣ୍ଣକର

ଭେଟାଅ ଉତ୍ତମ ନାଗର

।।

ସୁନ୍ଦର ରୂପ ଯେ ହୋଇବ

ବାଞ୍ଛା ସମ୍ପୂର୍ଣ୍ଣ ଧନ ଦେବ

।।

କାମିନୀ ବର ହେବ ରୁଚି

ହେ ପ୍ରଭୁ ଏ ବର ମାଗୁଛି

।।

ଏ ଇଚ୍ଛା ମହତ ତୋହର

ହେ ପ୍ରଭୁ ଯାହା ତାହା କର

।।

ଆୟତ୍ତ ନାହିଁ ଆଉ କିଛି

ପତ୍ନୀ ବିକ୍ରୟ ମନେ ଅଛି

।।

ଏମନ୍ତ ବୋଲି ଚଳିଯାଇ

ଲଜ୍ଜା ମହତ ଦୂରେ ଥୋଇ

।।

ବୈଷ୍ଣବ ରୂପ ଦୂର କରି

ନୋହେ ନପୁଂସ ନୋହେ ସ୍ତିରୀ

।।

ଏମନ୍ତ ରୂପେ ଗ୍ରାମ ଫେରି

କନ୍ଦି ବିକନ୍ଦି ଆଦି କରି

।।

ଏକେ ହୋଇଛି ରାତ୍ରକାଳ

ମନରେ ଅତ୍ୟନ୍ତ ଚଞ୍ଚଳ

।।

ଯୁବା ପୁରୁଷ ଦେଖେ ଯହିଁ

ତହିଁ ପ୍ରବେଶ ହୋଏ ଯାଇଁ

।।

ଦେଖି ତା ନ ରସଇ ମନ

ତହୁଁ ଚଳଇ ଅନ୍ୟସ୍ଥାନ

।।

ଅତି ଚଞ୍ଚଳ ହୋଇ ମତି

ମନେ ଚିନ୍ତଇ ଜଗଜ୍ଜ୍ୟୋତି

।।

ନ ଦେଖି ଉତ୍ତମ ପୁରୁଷ

ବୋଲଇ ମରିବି ଅବଶ୍ୟ

।।

ତାହା ଜାଣିଲେ ଆଦିମୂଳ

ଯେ ପ୍ରଭୁ ଭକତ ବତ୍ସଳ

।।

ମନ ମୋହନ ଯୁବା ବେଶ

କୋଟିଏ କନ୍ଦର୍ପ ସଦୃଶ

।।

ସୁଝୀନ ପାଗ ଶୋହେ ଶିରେ

ସୁନ୍ଦର ଫେର ତଥିପରେ

।।

ସୁବର୍ଣ୍ଣ ଦୁବ ତହିଁ ଖୋଷି

ଚାଲିଲେ ଝଲମଲ ଦିଶି

।।

ସୁରତ୍ନ ମଣି କର୍ଣ୍ଣାଞ୍ଚଳ

ଜ୍ୟୋତି ବିଦୀନେ ଗଣ୍ଡସ୍ଥଳ

।।

କଣ୍ଠେ ଶୋଭିତ ରତ୍ନମାଳ

ରତ୍ନ ପଦକ ହୃଦସ୍ଥଳ

।।

ମଣି କଙ୍କଣ ବେନିଭୁଜେ

ହେମ ମେଖଳା କଟୀ ମାଝେ

।।

ଚାରୁ ଚରଣ ଯେ ନୁପୂର

କଣ୍ଠେ ଶୋଭିତ ରତ୍ନହାର

।।

ସେ ପାଦ ମହିଁମା ଅପାର

ଦରିଦ୍ର ଜନ ଦୁଃଖ ହର

।।

ତହିଁ ବିଶ୍ୱାସ ଥିବ ଯାର

ସଂସାରେ ଭୟ ନାହିଁ ତାର

।।

ଜଗମୋହନ ରୂପ ହୋଇ

ବିଜୟ କଲେ ଭାବଗ୍ରାହୀ

।।

ଭେଟ ପଡ଼ିଲେ ପିପା ଦାସ

ଛାଡ଼ିଲେ ଜନ୍ମ ବନ୍ଧ ପାଶ

।।

ଦାସେ ପୁଚ୍ଛିଲେ ଧୀରବାଣୀ

କାହୁଁ ଅଇଲ ବୀରମଣି

।।

ଏକାକୀ ସଙ୍ଗେ କେହି ନାହିଁ

ନିଶାରେ ବୁଲୁଛ କିମ୍ପାଇଁ

।।

ଦିଶୁଛ ରାଜପୁତ୍ର ପ୍ରାୟେ

ବିଜେ କରିବ କେଉଁଯାଏ

।।

ତା ଶୁଣି ବୋଇଲେ ଅଚ୍ୟୁତ

ଉଲା ଚିହ୍ନିଲୁ ମୋତେ ତୁ ତ

।।

ମୁଁ ବ୍ରଜ ରାଜାଙ୍କ କୁମର

ଅନେକ ସଙ୍ଗ ଅଛି ମୋର

।।

ନିରତେ ବନ ମଧ୍ୟ ଥାଇ

ଗୋପରେ ଗୋପାଳ ବୋଲାଇ

।।

ଚଞ୍ଚଳ ହୃଦ ଦେଖେ ଯାର

ମୋ ମନ ନ ରସେ ସେଠାର

।।

ଯେ ପ୍ରାଣୀ ପର ଉପକାରେ

ଅବିଦ୍ୟା ସୁବିଦ୍ୟା ବା କରେ

।।

ନିରତେ ହରି ନାମ ଘୋଷେ

ମୋ ମନ ତାହାଠାରେ ରସେ

।।

ନିଷ୍କାମୀ ମୋହଠାରୁ ସାର

ମୁଁ ବଡ଼ କାମୀ ଏ ସଂସାର

।।

ଏଣୁ କନ୍ଦର୍ପ ପୀଡ଼ା ମୋତେ

ରଖି ନ ଦେଲା ବନମତେ

।।

ତେଣୁ ସମସ୍ତ କାମ ଲେଚ୍ଛି

କାମିନୀ ଅଙ୍ଗ ସଙ୍ଗ ଇଚ୍ଛି

।।

ଅଇଲି ଅତି ତୋରା ହୋଇ

ସତ୍ୟ କହିଲି ତୋତେ ମୁହିଁ

।।

ଯେବେ ମିଳିବ ଏକ ନାରୀ

କେବଳ ପର ଉପକାରୀ

।।

ସ୍ୱାମୀର ଭକ୍ତା ହୋଇଥିବ

ତାହାର ସଙ୍ଗ ଯେ ଦୁର୍ଲ୍ଲଭ

।।

ଯାହା ମାଗିବ ତାହା ଦେବି

ରାତ୍ରକ ରହି ଚଳିଯିବ

।।

ତାହା ଶୁଣିଣ ପିପା ଦାସ

କେବଳ ମନରେ ହରଷ

।।

ବୋଇଲେ ଆଣିଲି ନାଗର

ମନ ସନ୍ତୋଷେ ଭୋଗ କର

।।

ସମ୍ପୂର୍ଣ୍ଣ କରି ଧନ ରଖ

ଯେମନ୍ତେ ଛାଡ଼େ ଭବ ଦୁଃଖ

।।

ଏହା ଶୁଣିଣ ନାରୀବର

ମନୁଷ୍ୟ ପ୍ରାୟେ ପ୍ରତେ ତାର

।।

ଅତି ଆଦର କରିନେଲା

ମନ୍ଦିରେ ବିପ୍ର ବସାଇଲା

।।

ଅନ୍ତର ହେଲେ ପିପା ଦାସ

ଶୁଣ ସୁଜନ ଏବେ ରସ

।।

ବିପ୍ର ଯେ ଭିକ୍ଷା ମାଗିଗଲା

କେତେ ବା ଗ୍ରାମ ସେ ବୁଲିଲା

।।

କିଛି ନ ପାଇ ଫେରି ଆସି

ପତ୍ନୀ ସଙ୍ଗତେ ଅଛି ବସି

।।

ସେ ପିପା ଦାସ ପ୍ରାୟ ଚିତ୍ତେ

ଆନନ୍ଦ କେ କହୁ ତା ଯେତେ

।।

କନା କନ୍ଥଡ଼ା ଯେତେ ଥିଲା

ଯେତନେ ଶେଯ ଶେଯାଇଲା

।।

ଶୀତଳ ଜଳେ ପାଦଧୋଇ

ମସ୍ତକେ ସିଞ୍ଚି ମୁଖେ ପିଇ

।।

ବୋଇଲା ଏଥେଁ ବିଜେ କର

ମୁଁ ହୀନ ଯୁବତୀ ସୁନ୍ଦର

।।

ମୁଁ ଛାର ତୁମ୍ଭ ସେବା ଭଳି

ନୁହଇ ହୀନା ଦୁଃଖୀ ବାଳୀ

।।

ମାତ୍ରକ ଭୋଗ କର ବେଳେ

ଗୋବିନ୍ଦ ମୋତେ ଭେଟାଇଲେ

।।

ମନ ସନ୍ତୋଷେ ଧନ ଦେବ

ଏ ବିପ୍ର ଦୁଃଖ ତଡ଼ାଇବ

।।

ଅଧିକ ଲୋଡ଼ା ନାହିଁ ମୋର

ମୋ ସେବା ତୁମ୍ଭ ଶ୍ରୀପୟର

।।

ଏମନ୍ତ ବୋଲି ପିପା ନାରୀ

ହରିଙ୍କି ନେଲା କୋଳ ଧରି

।।

ଲେଙ୍କଡ଼ା ଶେଯେ ପହୁଡ଼ାଇ

ଲଜ୍ଜାକୁ ଦେଲା ଘଉଡ଼ାଇ

।।

ଚରଣ ଚାପୁଅଛି ବସି

ମନେ ବିଚାରେ ଶୁଭ୍ରକେଶୀ

।।

ଏ ଯେଉଁ ପୁରୁଷ ରତନ

ମୁଁ ନୁହେଁ ଏହାଙ୍କ ଭାଜନ

।।

ଗୁଞ୍ଜ ମାଣିକ୍ୟ ଏକ କଲେ

ଯେସନେ ଶୋଭା ନୋହେ ଭଲେ

।।

ଏମନ୍ତ ବିଚାରନ୍ତେ ମନ

ତାହା ଜାଣିଲେ ଭଗବାନ

।।

ସେ ଅନ୍ତର୍ଯ୍ୟାମୀ ଆଦିମୂଳ

ଭକତ ଭାବେ ହେଲେ ଭୋଳ

।।

ଅଳପ ମନ୍ଦ ମନ୍ଦ ହସି

ନାରୀକି କୋଳେ ଘେନି ବସି

।।

ଚିବୁକ ଧଇଲେ ଶ୍ରୀକରେ

ତା ଭାଗ୍ୟ କହିଲେ ନ ସରେ

।।

ପିପା ଦାସ ଏ ସମୟରେ

ଲୁଚି ଅନାଇ ଦେଲା ଥରେ

।।

ଦେଖିଲା ପ୍ରଭୁ ଭଗବାନ

ବିରାଜେ ଶଙ୍ଖ ଚକ୍ର ଚିହ୍ନ

।।

କୋଟି କନ୍ଦର୍ପ ମୁଖ କାନ୍ତି

ପରମ ଶୁଚି ଦିବ୍ୟ ଜ୍ୟୋତି

।।

ପତ୍ନୀକି ବୋଇଲା ଲୋ ଉଠ

ଶ୍ରୀପଦ୍ମ ପାଦତଳେ ଲୋଟ

।।

ସେ ଯେ ଅନାଦି ନାରାୟଣ

ମନୁଷ୍ୟ ପ୍ରାୟ ତୁ ନମଣ

।।

ଏମନ୍ତ ଶୁଣି ସତୀ ଧୀରେ

ଚାହିଁଲା ପଦ୍ମ ନୟନରେ

।।

ଦେଖିଲା ପ୍ରଭୁ ଜଗଜ୍ଜ୍ୟୋତି

ଚରଣେ ପଡ଼ିଲା ଯୁବତୀ

।।

ପିପାହିଁ ହା ହା କୃଷ୍ଣ

ପାଦେ ପଡ଼ିଲା ଗଡ଼ଘାଲି

।।

ଦୁହେଁ ଉଠିଣ ଚାହିଁ ଦେଲେ

ସେ ହରି ଅନ୍ତର୍ଦ୍ଧାନ ହେଲେ

।।

ପୂରେ ପୂରିଛି ନାନା ଧନ

ଶୁଣ ହେ ସୁମନ ଗଜନ

।।

ଏମନ୍ତେ ପାହିଲା ରଜନୀ

ଡାକଇ ବ୍ରାହ୍ମଣ ବ୍ରାହ୍ମଣୀ

।।

ବୋଇଲେ ରଖ ଧନ ତୋର

ନିଶ୍ଚିନ୍ତେ ବସି ଭୋଗ କର

।।

ତା ଦେଖି ବିପ୍ର ନାରୀବର

ବୋଇଲେ ଏ କି ଚମତ୍କାର

।।

କାହୁଁ ଆଣିଲା ଏତେ ଧନ

ତୁମ୍ଭେ କି ଦ୍ୱିତୀ ଭଗବାନ

।।

ଏମନ୍ତ କହି ପାଦତଳେ

ଦୁହେଁ ଶୋଇଲେ ଭାବଭୋଳେ

।।

ଦାସେ ଉଠାଇ କୋଳ କଲେ

ସମସ୍ତ ଫିଟାଇ କହିଲେ

।।

ତହୁଁ ଚଳିଲେ ବେନି ପ୍ରାଣୀ

ଶ୍ରୀହରି ଭାବ ମନେ ଗୁଣି

।।

କାହିଁ ବା କେତେ କର୍ମ କଲେ

ଅନ୍ତେ ସେ ବିଷ୍ଣୁଲୋକେ ଗଲେ

।।

ସେ ଦ୍ୱିଜ ପତି ପତ୍ନୀ ଦୁଇ

ଭାଗ୍ୟ କହିଲେ ନ ସରଇ

।।

ଜୀବନ୍ତେ ସୁଖେ ଦିନ ନେଲେ

ଅନ୍ତେ ବୈକୁଣ୍ଠପୁରେ ଗଲେ

।।

ଶୁଣ ସୁଜନେ ଏକ ଚିତ୍ତେ

ଏ ଦୃଢ ଭକତି କେମନ୍ତେ

।।

ସେ ହରି ହରିଭକ୍ତ ଦୁଇ

ଏକଇ ପ୍ରାଣ ପିଣ୍ଡ ଦୁଇ

।।

କେବ ହେଁ ନୋହେ ଭିନ୍ନା ଭିନ୍ନ

ଏକଥା ଅଟଇ ବିଶ୍ୱାସ

।।

ସେ ହରିଭକ୍ତଙ୍କର ପାଦେ

ମୋ ଚିତ୍ତ ରହୁ ଅପ୍ରମାଦେ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ୱାଦେ

ପିପା ଦାସ ଦାର୍ଢ୍ୟଭାବ ବର୍ଣ୍ଣନେ ନାମ ପଞ୍ଚ ଚତ୍ୱାରିଂଶୋ ଧ୍ୟାୟ

•••

 

ଷଟଚତ୍ୱାରିଂଶ ଅଧ୍ୟାୟ

ବିଷ୍ଣୁପ୍ରିୟା ସମ୍ୱାଦ

 

ନମସ୍ତେ ପ୍ରଭୁ ହଳହସ୍ତ

ନମସ୍ତେ ପ୍ରଭୁ ଜଗନ୍ନାଥ

।।

ସୁଦରଶନ ଆଦି କରି

ଚତୁର୍ଦ୍ଧାରୂପ ଅଛ ଧରି

।।

ବିଜୟ ଶ୍ରୀନୀଳକନ୍ଦରେ

ବିରାଜ ବିଜେ ଶ୍ରୀଛାମୁରେ

।।

ଜଗତ ପାଳିବାର ଅର୍ଥେ

କମ୍ୱୁ ରଥାଙ୍କ ଶୋହେ ହସ୍ତେ

।।

ପତିତ ଉଦ୍ଧାର ନିମିତ୍ତ

ଶ୍ରୀ ନୀଳଚକ୍ରେ ଉଡ଼େ ନେତ

।।

ତେଣୁ ଶରଣ ରାମଦାସ

ନ ନାଶ ମୋର ପ୍ରତିଆଶ

।।

ପୁଣି ଚୈତନ୍ୟ କହେ ଧୀରେ

ସୁମନ ନୃପତି ଆଗରେ

।।

ଏ ବଡ଼ ଅପୂର୍ବ ଚରିତ

ଶୁଣ ନିର୍ମଳ କରି ଚିତ୍ତ

।।

ଶ୍ରୀବୃନ୍ଦାବନ ପଶ୍ଚିମରେ

ଦିଲ୍ଲୀ ସହର ପାରୁଶରେ

।।

ଜୟନଗର ତାଙ୍କ ଘର

ସେ ରାଜବଂଶେ ଅବତର

।।

ଶୁଭଇ ଜୟସିଂହ ନାମ

କେ କହୁତାଙ୍କ ଗୁଣ ଗ୍ରାମ

।।

ଧନେ ସେ କୁବେର ସମାନ

ଦାନୀ ପଣରେ ଦ୍ୱିତୀକର୍ଣ୍ଣ

।।

ବୀରଙ୍କ ମଧ୍ୟେ ସେ ଅଗ୍ରଣୀ

ଧିରପଣରେ ସେ ଧରଣୀ

।।

ଅଶେଷ ବିଦ୍ୟାରେ ସେ ରଥୀ

ପଣ୍ଡିତପଣେ ବୃହସ୍ପତି

।।

ଲକ୍ଷେକ ଅଶ୍ୱ ନିରନ୍ତରେ

ବନ୍ଧା ଅଛଇ ତାର ଦ୍ୱାରେ

।।

ପଦାତିବଳ ଅପ୍ରମିତେ

କହି ନୁହଇ ଏତେ ତୋତେ

।।

ଦୁଃଖୀ ଦରିଦ୍ର ଜନଙ୍କର

କେବଳ ଅଟଇ ପିଅର

।।

ତୋଷଇ ଅନ୍ନ ବସ୍ତ୍ର ଦାନେ

କୋମଳ ମଧୁର ବଚନେ

।।

ହରି ଭଜନେ ଅତି ତୋଷ

ହରଇ ରଜନୀ ଦିଶେ

।।

ସତ୍ୟ ବଚନେ ଦୃଢ ଅତି

ପତ୍ନୀର ନାମ ଚନ୍ଦାବତୀ

।।

ଚତୁରୀ ବିବେକୀ ସୁନ୍ଦରୀ

ଯେସନେ ସ୍ୱର୍ଗ ଅପସରୀ

।।

ସ୍ୱାମୀ ସେବାରେ ଅତି ଦକ୍ଷ

ଅନ୍ୟ ନୋହିବେ କେହି ଲକ୍ଷ୍ୟ

।।

ତାହାର ଏକଇ ତନୟେ

ରୂପେ କନ୍ଦର୍ପ ଶୋଭା ପ୍ରାୟେ

।।

ଏକ ଦୁହିତା ଶୋଭାବନୀ

ହେମାଙ୍ଗୀ ଚନ୍ଦ୍ରମାବଦନୀ

।।

ମାତା ପିତାର ଅତି ସ୍ନେହା

ନାମ ତାହାର ବିଷ୍ଣୁପ୍ରିୟା

।।

କୋମଳଅଙ୍ଗୀ ସୁକୁମାରୀ

କହିଲେ ଶୋଭା ତା ନ ସରି

।।

କଳା କୁଞ୍ଚିତ ଘନକେଶୀ

ଖଞ୍ଜନା ଗଞ୍ଜ ମୁଗଦୃଶ୍ୟ

।।

ଶ୍ରବଣ ଯୁଗ ସ୍ମରପାଶ

ନାଶା ତା ତିଳ ସୁମନସ

।।

ଅଧର ସୁରଙ୍ଗ ସୁଷମ

ନବ ପଲ୍ଲବ ନୋହେ ସମ

।।

ମୁକୁତା ଦାନ୍ତ ହୀରାପନ୍ତି

ଡାଳିମ୍ୱ ବୀଜ ପ୍ରାୟ ଜ୍ୟୋତି

।।

ଭ୍ରୁଲତା କନ୍ଦର୍ପ କୋଦଣ୍ଡ

ଖଣ୍ଡ ଚନ୍ଦ୍ରମା ବେନି ଗଣ୍ଡ

।।

ମୁଖ ସୁନ୍ଦର ନୋହେ କହି

ମୁନି ଦେଖିଲେ ହେବେ ମୋହି

।।

ସୁକଣ୍ଠ ସୁବାହୁ ଯୁଗଳ

ଅତି ବିସ୍ତାରି ବକ୍ଷସ୍ଥଳ

।।

ସୁନ୍ଦର ପଣେ ଜଗଜ୍ଜିତା

ଶ୍ରବଣେ ଶୁଣେ ହରିକଥା

।।

ଶ୍ରୀହରି ଜନ୍ମ ରସଗୁଣ

ନିରତେ ପଠନ ଶ୍ରବଣ

।।

ସାଧୁ ବୈଷ୍ଣବ ସେବା ଅର୍ଥେ

ଧନ ସେ ପେଶଇ ଗୁପତେ

।।

ନିରତେ ହୋଇ ଶୁଚିମନ୍ତ

ବ୍ରତ କରଣେ ଦୃଢ ଚିତ୍ତ

।।

ଶ୍ରୀଜଗନ୍ନାଥଙ୍କ ଚରିତ

ବାର ମାସରେ ତେରଯାତ

।।

ଯେତେବେଳେରେ ଯେଉଁ ଶୋଭା

ବେଶ ବସନ ଆଦି ସେବା

।।

ଶ୍ରୀ ମହାପ୍ରସାଦ ମହିମା

ଯେ ପାଞ୍ଚକୋଶ ପରିକ୍ରମା

।।

ଶ୍ରୀ ଜଗମୋହନ ରଚିତ

ଯେବେ ଶୁଣଇ ଶ୍ରୁତିପଥ

।।

ମନେ ଆନନ୍ଦ ହୁଏ ଯେତେ

ତାହା କେ କହିବ ଯୁକତେ

।।

ହୃଦୟ ହୁଏ ଦ୍ରବୀଭୂତ

ଧ୍ୟାନେ ଚିନ୍ତଇ ଜଗନ୍ନାଥ

।।

ବିଚାର କରୁଥାଏ ମନ

କେବେ ଦେଖିବି ଭଗବାନ

।।

ଦର୍ଶନେ ପୂର୍ବ ପାପ ତୁଟି

ଜୀବ ବନ୍ଧନ ଯିବ ଫିଟି

।।

ପୁଣି ବୋଲଇ ସ୍ତିରୀ ଛାର

ସୁଭାଗ୍ୟ ହେବ ନାହିଁ ମୋର

।।

ସ୍ୱପନେ ହେଲେ ଏକଦିନେ

ଦେଖିବି ମୋ ଚର୍ମ ନୟନେ

।।

ଏ କୃପା କରିବେକି ହରି

ବୋଲି ନୟନୁ ବହେ ବାରି

।।

ଏମନ୍ତ ବେଳେ ଶୁଣ ମନ

ପ୍ରଭୁଙ୍କ ଘଟ ସୂତ୍ରମାନ

।।

ସେବକମାନେ ଛନ୍ତି ଯେତେ

ପ୍ରଭୁଙ୍କ ପାରିଷଦ ମତେ

।।

ସବୁ ସେବକ ମଧ୍ୟେ ସାର

ତିଳଚ୍ଛ ମହାପାତ୍ର ଘର

।।

ତାଙ୍କ ଉପର ବଂଶେ ଜାତ

ତା ନାମ ବନ୍ଧୁ ମହାପାତ୍ର

।।

ମନରେ ଧନ ଇଚ୍ଛା କଲା

ପ୍ରଭୁ ଛାମୁରେ ଜଣାଇଲା

।।

ମେଲାଣି ମାଗି ତହୁଁ ଚଳି

ଧନଟି ଅଟେ ଏତେ ଭଳି

।।

ଶ୍ରୀହରି ସେବାରୁ ଅନ୍ତର

ହୋଇ ଚଳିଲେ ଦେଶାନ୍ତର

।।

ପଥରେ ରହି କେତେମାସ

ଜୟ ନଗରେ ପରବେଶ

।।

ତହିଁ ରହିଲେ ବାସ କରି

ଉତ୍ତମ ଲୋକେ ଅନୁସରି

।।

ମହାପ୍ରସାଦ ମାନ ଦେଲେ

ଅନେକ ଧନ ସମ୍ପାଦିଲେ

।।

ତହିଁ ଶୁଣିଲେ ଧନ୍ୟ ଧନ୍ୟ

ହୋଇଲେ ସର୍ବଲୋକେ ମାନ୍ୟ

।।

ଜୟ ସିଂହର ଯେ ଦୁହିତା

ପୂର୍ବେ କହିଛୁ ତାର କଥା

।।

ସେ ବିଷ୍ଣୁ ପ୍ରିୟାର ଚରିତ

ସଂସାରେ ଅତି ଆଲୋକିତ

।।

ନିରତେ କୃଷ୍ଣକଥା ମାନ

କରଇ ଶ୍ରବଣ ପଠନ

।।

ଦୁଃଖୀ ଦରିଦ୍ର ଜନଠାରେ

ଦୟା ତାହାଙ୍କଠାରୁ ସରେ

।।

ଯେ ଯାହା ମାଗେ ତାହା ଦେଇ

କହଇ ବଚନ ବିନୟୀ

।।

ଅତି ବିଶ୍ୱାସ କରି ବୁଦ୍ଧି

ସାଧୁଙ୍କ ସେବା ନିରବଧି

।।

କରିର ବଞ୍ଚୁଥାଇ ଦିନ

ଧନ୍ୟ ସେ ଯୁବତୀ ରତନ

।।

ଏମନ୍ତ ପ୍ରଂଶସା ବହୁତ

ଶୁଣି ସେ ମହାପାତ୍ର ଚିତ୍ତ

।।

ବିଚାର କଲେ ଅତିତୋଷେ

କିଛି ହିଁ ପ୍ରକାଶିବା ଆଶେ

।।

ପତ୍ର ଖଣ୍ଡିଏ ଯତ୍ନ କରି

ଲେଖିଲେ ପ୍ରଭୁ ନାମ ଧରି

।।

ଶ୍ରୀ ଜଗନ୍ନାଥଙ୍କ ନିମନ୍ତେ

ଯେ ଶ୍ରଦ୍ଧା ହେଉ ତୁମ୍ଭ ଚିତ୍ତେ

।।

ଦେଲେ ତା ଆମ୍ଭେ ଘେନିଯିବୁ

ପ୍ରଭୁ ଛାମୁରେ ନେଇ ଦେବୁ

।।

ଆମ୍ଭେ ଯେ ପାରିଷଦ ଲୋକ

ଏମନ୍ତ ଲେଖିଦେଲେ ଲେଖ

।।

ସେ ଲେଖା ପାଇ ସେ ସୁନ୍ଦରୀ

ହୃଦେ ଲଗାଇ ହାତେ ଧରି

।।

ଚିଟାଉ ମୁଖେ ଚୁମ୍ୱ ଦେଲା

ମୁଦ ଫିଟାଇ ପାଠ କଲା

।।

ଆପଣେ ପଢୁ ପଢୁ ବାଳୀ

ନେତ୍ରୁ ଲୋତକ ଧାରା ଗଳି

।।

ଶ୍ରୀହସ୍ତ ହେଲା ଥର ଥର

କମ୍ପିଲା ସୁରଙ୍ଗ ଅଧର

।।

କଣ୍ଠ ହୋଇଲା ଗଦ ଗଦ

ଅଙ୍ଗେ ଜନମ ହେଲା ସ୍ୱେଦ

।।

ପୁଲକ ହେଲା ରୋମାବଳୀ

ବଚନ କହେ ସେ ବାଳୀ

।।

ଦେହରୁ ବୁଦ୍ଧି ଜ୍ଞାନ ଛାଡ଼ି

ଭାବ ସମୁଦ୍ରେ ଗଲା ବୁଡ଼ି

।।

ନୟନ ବୁଜି କଲା ଧ୍ୟାନ

ଦେଖିଲା ପ୍ରଭୁ ଭଗବାନ

।।

ଯେଣେ ଚାହିଁଲେ ତେଣେ ହରି

ଦିଶିଲେ ଶଙ୍ଖ ଚକ୍ରଧାରୀ

।।

ଫିଟିଲା ଜନ୍ମ ବନ୍ଧ ତାର

ମନରେ କଲାକ ବିଚାର

।।

କି ବୁଦ୍ଧି ଏବେ କରିବଇଁ

ବିଷମ ଦୁଃଖେ ପଡ଼ିଲଇଁ

।।

କି ଦ୍ରବ୍ୟ ଦେବି ତାଙ୍କ ପାଶ

ତାଙ୍କୁ ଅପୂର୍ବ ଅବା କିସ

।।

ପରମ ଲକ୍ଷ୍ମୀ ଯା ଘରଣୀ

ନପାଶେ ବସନ୍ତି ଅନୁକ୍ଷଣୀ

।।

ଯା ପରିବାରୀ ଅଷ୍ଟନିଧି

ଯାହାର ଆଜ୍ଞାକାରୀ ବିଧି

।।

ସମସ୍ତ ରତ୍ନର ଆକାର

ଯାହାର ନାମ ରତ୍ନାକର

।।

ତାଙ୍କୁ କି ରତ୍ନ ଦେବା ଅବା

ଏ କଥା ନ ଦିଶିବ ଶୋଭା

।।

ଯା ତହୁଁ ସଂସାରେ ସଞ୍ଚାର

ହେତୁ ବୋଲାଏ ବିଶ୍ୱମ୍ୱର

।।

ତାହାଙ୍କୁ ଦେବି ଅବା କିସ

ଏଣୁ ହୋଇବ ବଡ଼ ହାସ

।।

କୌସ୍ତୁବମଣି ଯାର ହାର

ଇତର ମଣି କେଉଁ ଛାର

।।

ଅମୂଲ୍ୟ ଅଗୁର ଚନ୍ଦନ

ଯାହାର ପୂଜାକୁ ଇନ୍ଧନ

।।

ଯାର ବାହାନ ଖଗରାଜ

ଆନ ଯାନରେ କିସ କାର୍ଯ୍ୟ

।।

ଯାର ଶୟନେ ନାମରାୟେ

ସହସ୍ର ଫଣା ମଣି ଶୋହେ

।।

ଫଣାକେ ଜ୍ୟୋତି ଯେ ବିରାଜେ

କି କାର୍ଯ୍ୟ ତାର ଆନ ଶେଯେ

।।

ପାରିଜାତକ ଫୁଲମାଳା

ନିରତେ ଶୋହେ ଯାର ଗଳା

।।

ଗଣା ହୋଇଲେ ଯୁଗ ଶତ

ମଳିନ ନୋହେ ଯାର ଗଳା

।।

ବ୍ରହ୍ମାଣ୍ଡ ମୋହେ ଯାର ବାସ

ଅନ୍ୟ ଫୁଲେ ତା କାର୍ଯ୍ୟ କିସ

।।

ଯାର ନିବାସ ନୀଳାଚଳ

ଅମୂଲ୍ୟ ପରମ ମଙ୍ଗଳ

।।

ଜଗତ ଶତବାର ନଷ୍ଟ

ହେଳେ ନ ଚଳେ ଯାର ବାସ

।।

ଦର୍ଶନେ ପ୍ରାଣୀ ପାପ ହରେ

ଅନ୍ୟ କି ପୀଠ ଦେବି ତାରେ

।।

ଯାହାର ଶାସ୍ତ୍ର ସୁଦର୍ଶନ

କୋଟି ସୁର୍ଯ୍ୟର ତେଜ ସମ

।।

ଅଶେଷ ଯୁଗ ଗଲେ ବହି

ଅଭୟ ପୁରାତନ ନୋହି

।।

ଆର୍ତ୍ତିର ଆର୍ତ୍ତ ଖଣ୍ଡିବାରେ

ସଂସାରେ ତାହାଠାରୁ ସରେ

।।

ଦର୍ଶନ ମାତ୍ରେ କୋଟି ସୁଖ

ଅନ୍ୟ ଶାସ୍ତ୍ର କି ତାକୁ ଲକ୍ଷ

।।

ଗଙ୍ଗା ଯା ଚରଣ ଉଦକ

ଯହିଁ ଶରଣ ତିନିଲୋକ

।।

ତାକୁ ଅପୂର୍ବ ଅବା କିସ

ନାହିଁ ନୋହିବେ ଚତୁର୍ଦ୍ଦଶ

।।

ହେ ପ୍ରଭୁ ଶଙ୍ଖଚକ୍ର ବାହୁ

ହୃଦେ ବିଚାରି ଆଜ୍ଞା ହେଉ

।।

ଆଉ କି ଦ୍ରବ୍ୟ ଦେବି ତୋତେ

କିଛି ତ ଦିଶୁ ନାହିଁ ମୋତେ

।।

କେବଳ କଥାଏ ତୁମ୍ଭର

ହେଜି ପାଇଛି ଦାମୋଦର

।।

ଆବର କୁଳ କନ୍ୟାଗଣ

ନାଗରୀ ଚତୁରୀ ସିହାଣ

।।

ତୁମ୍ଭର ମନ ନେଲେ ହରି

ରଖିଲେ ଅତି ଗୋପ୍ୟ କରି

।।

ଯେତେ ମାଗିଲେ ମହାବାହୁ

ନେଉଟି ନ ନେଲେ ସେ ଆଉ

।।

କ୍ଷୀର ନୀରର ପ୍ରାୟେ ହେଲା

ମନରେ ମତ ମିଶିଗଲା

।।

ଖୋଜି ନ ପାଇ ବହୁ ଚିହ୍ନ

କେବଳ ହେଲା ମହାଶୂନ୍ୟ

।।

ଆଉ ସକଳ ଦ୍ରବ୍ୟ ଅଛି

ତୋତେ ଅପୂର୍ବ ନାହିଁ କିଛି

।।

ମନ ମାତ୍ରକ ଦ୍ରବ୍ୟ ଅଛି

ତୋତେ ଅପୂର୍ବ ନାହିଁ କିଛି

।।

ମନ ମାତ୍ରକ ଲବ ଲେଶେ

ନାହିଁ ତୁମ୍ଭର ହୃଦଦେଶେ

।।

ଏହା ମୁଁ ଭଲେ ଅଛି ଜାଣି

ସକଳ ଶାସ୍ତ୍ରମାନ ଶୁଣି

।।

ଏଣୁ ମୁଁ କଲି ମନ ଦତ୍ତ

ଆଜୁଁ ମୁଁ ହେଲି ତୁମ୍ଭ ଭୃତ୍ୟ

।।

ପିଣ୍ଡ ମାତ୍ରକ ଏଥି ଥାଉ

ମନ ମୋ ରଖି ଆଜ୍ଞା ହେଉ

।।

କିସ ବହିବି ଏ ଉତ୍ତାରୁ

ତୁମ୍ଭ ମୋ ବାଞ୍ଛା କଳ୍ପତରୁ

।।

ସକଳ ଜାଣ ଦେବସ୍ୱାମୀ

ଏଣୁ ବୋଲାଅ ଅନ୍ତର୍ଯ୍ୟାମୀ

।।

ଏମନ୍ତ ବୋଲି ସେ ତ୍ୱରିତ

ପତ୍ରେ ପେଶିଲେ ମନମତ୍ତ

।।

ଶୋକେଣ ପତ୍ର ଦେଖି ବାଳୀ

ମନେ ଚିନ୍ତିଲେ ବନମାଳୀ

।।

ଏତେକ ମୃଗମଦ କାଳି

ଝଲକୁ ଅଛି ବର୍ଣ୍ଣାବଳୀ

।।

ପ୍ରେମ ଆନନ୍ଦ ତଥିଭରି

ମୁଦ ମୁଦିଲେ ଯତ୍ନ କରି

।।

ବୋଇଲା ଶୁଣ ଆରେ ମନ

ତୁ ତ ଦୁର୍ଜ୍ଜୟ ମହାଶୂନ୍ୟ

।।

ନିଶ୍ଚଳ ନନୋହୁ କଦାଚିତ୍ତେ

ତେଣୁ ମାଗୁଛି ମୁହିଁ ଏତେ

।।

ଗୋବିନ୍ଦ ଚରଣେ ରହିବୁ

ନିଶ୍ଚଳ ହୋଇ ଏକା ଥିବୁ

।।

ତେତେ ଗୋଟିଏ ନମସ୍କାର

ପୁଣି ମୋ ମହତ ନ ସାର

।।

ଏହି ସୁଦୟା ମୋରେ ହେଉ

ଲେଉଟି ନ ଆସିବି ଆଉ

ଏମନ୍ତ ବୋଲି ପତ୍ର ଧରି

ଆନନ୍ଦେ ସଖୀକି ହକାରି

।।

ପତ୍ର ତାହାର ହସ୍ତେ ଦେଲେ

ତୁରିତେ ଯାଅ ତୁ ବୋଇଲେ

।।

ଶ୍ରୀହରି ସେବକର ହସ୍ତେ

ଏ ମୁଦ ଦେବୁ ତୁ ତୁରିତେ

।।

ବୋଲିବୁ ଏ ମୁଦ ନେଇଣ

ଯେ ପ୍ରଭୁ ବ୍ରହ୍ମାଣ୍ଡ କାରଣ

।।

ନୀଳାଦ୍ରିନାଥ ପୀତବାସ

ଛାମୁରେ ଦେବେଟି ଅବଶ୍ୟ

।।

ଏମନ୍ତ କହି ତାଙ୍କ ପାଶ

ସୁନିଆ ଦେଲା ଗୋଟି ଦଶ

।।

ଲେଉଟି ଆସିଲା ତୁରିତେ

ସେ ବିଷ୍ଣୁ ପ୍ରିୟାର ଅଗ୍ରତେ

।।

କହିଲା ସକଳ ଚରିତ

ଶୁଣ ହେ ମନ ନୃପନାଥ

।।

ଏଥି ଉତ୍ତାରେ କଥା ଯେତେ

ଶୁଣ କହିବା ବିଧିମତେ

।।

ଅଳପ ଦେଖିବାରୁ ଧନ

ସେ ମହାପାତ୍ରଙ୍କର ମନ

ସନ୍ତୋଷ ନ ପାଇଲା ଚିତ୍ତେ

ଆଉ ସମ୍ପାଦି ଥିଲେ ଯେତେ

।।

ସକଳ ଧନ ଠୁଳ କରି

ସେ ପତ୍ର ମୁଦ ହସ୍ତେ ଧରି

।।

ଚଳି ସେ ଗଲେକ ତୁରିତେ

ବିଚାର କରୁ‌ଥାନ୍ତି ଚିତ୍ତେ

ସେ ଜୟସିଂର ନନ୍ଦନୀ

ସର୍ବେ କହନ୍ତି ବଡ଼ ଦାନୀ

।।

ମୋତେ ସେ ନ କଲା ସନ୍ତୋଷ

ସୁନିଆଁ ଦେଲା ଗୋଟି ଦଶ

।।

କାମନା ପତ୍ର ମୁଦ ଫେଇ

ଭାବିଲେ କି ଦେଇଛି ସେହି

।।

ଏମନ୍ତ ବୋଲି ମୁଦ ଫେଇ

ଦେଖିଲେ କିଛି ଧନ ନାହିଁ

।।

ଶ୍ଲୋକ ଗୋଟିକି ପାଠ କଲେ

ଧରି ଦୂରକୁ ଫିଙ୍ଗି ଦେଲେ

।।

ତା ଭାବ ନ ଘେନିଲେ ମନେ

କେବଳ ଲୋଭ କରି ମନେ

।।

ତହୁଁ ଚଳିଲେ ନିଜ ଦେଶେ

କେତେକ ଦିନ କେତେ ମାସେ

।।

କ୍ଷେତ୍ରରେ ହୋଇଲେ ପ୍ରବେଶ

ଦର୍ଶନ କଲେ ଜଗଦୀଶ

।।

ଛାମୁରେ ଦୁଃଖ ସୁଖ ଭାଳି

ନିଜ ଭବନେ ଗଲେ ଚଳି

।।

ଶୁର ସୁଜନ ସେହି ଭାବ

ସେ ଅନ୍ତର୍ଯ୍ୟାମୀ ପଦ୍ମାନଭ

।।

ବିଷ୍ଣୁପ୍ରିୟାର ମନଦତ୍ତ

ଭାବେ ବୁଡ଼ାଉ ଥିଲେ ଚିତ୍ତ

।।

ଯେତେବେଳେ ସେ ପତ୍ର ଦୂରେ

ଫିଙ୍ଗିଣ ଦେଲ ବିପ୍ରବରେ

।।

ତାହା ଜାଣିଲେ ଜଗନ୍ନାଥେ

ଶ୍ରୀହସ୍ତ ବଢାଇ ତୁରିତେ

।।

ଭକତ ବନ୍ଧୁ ଭାବଗ୍ରାହୀ

ମଣୋହି କେ ପାରିବ କହି

।।

ଅଶେଷ ବ୍ରହ୍ମାଣ୍ଡ ଯାହାର

ଆନନ୍ଦ ଲୀଳା ଖେଳଘର

।।

ଏ ସର୍ବ ତୁଚ୍ଛ ପ୍ରାୟ ମଣି

ତା ଭାବ ଭାବି ଚକ୍ରପାଣି

।।

ଯେସନେ ଅତି ହୀନଜନ

ପାଇଲେ ଅମୂଲ୍ୟ ରତନ

।।

ଯେତେ ଆନନ୍ଦ ମନ ତାର

ତହୁଁ ଅଧିକ ଦାମୋଦର

।।

ଜନ୍ମରୁ ଅନ୍ଧ ହୋଇଥାଇ

ସେ ଯେହ୍ନେ ଦିବ୍ୟ ଚକ୍ଷୁ ପାଇ

।।

କି ଅବା ଶତଜନ୍ମ ଯାଏ

ଯେବେ ଅପୂର୍ବ ହେଇଥାଏ

।।

ପାଇଲେ ଉତ୍ତମ ନନ୍ଦନ

ଯେମନ୍ତେ ହୋଏ ତାର ମନ

।।

ତହୁଁ ଆନନ୍ଦ ଗଲା ବଳି

ତେସନେ ହେଲେ ବନମାଳୀ

।।

ଭକତଜନେ ଏଡ଼େ ଦୟା

ଏକଇ ଆତ୍ମ ଭିନ୍ନ କାୟା

।।

ସେ ବିଷ୍ଣୁପ୍ରିୟା ମନମତ୍ତ

ପତ୍ର ଘେନିଣ ଜଗନ୍ନାଥ

।।

ଶ୍ରୀହସ୍ତେ ପାଟସୂତ୍ର ଧରି

ପୁଚ୍ଛିଲେ ଅତି ଯତ୍ନ କରି

।।

ପ୍ରେମରେ ଗଦ ଗଦ ହୋଇ

କଣ୍ଠେ ଭରିଲେ ଭାବଗ୍ରାହୀ

।।

କୌସ୍ତୁଭମଣିର ସଙ୍ଗରେ

ରଖିଲେ ହୃଦୟ ମଧ୍ୟରେ

।।

ଦେଖ ସୌଭାଗ୍ୟ ସେ ଯୁବତୀ

ହରିଲା ଗୋବିନ୍ଦର ମତି

।।

ଭୃତ୍ୟ ସାମନ୍ତ ଏହିପରି

ନାହିଁ ନା ଚତୁର୍ଦ୍ଦଶ ପୁରୀ

।।

ସେହି ରାତ୍ରରେ ବିଶ୍ୱମ୍ୱର

ବିଜୟ ମହାପାତ୍ର ଘର

।।

ସ୍ୱପନ ମାଗେ ଆଜ୍ଞା ଦେଲେ

ରେ ବିପ୍ର ଶୁଣ ତୁ ବୋଇଲେ

।।

ତୁ ଗଲୁ ସେ ଜୟ ନଗର

ଧନ ଅର୍ଜନେ ଆଶା ତୋର

।।

ତୋତେ ଯା ମିଳିଲା ତୁ ନେଲୁ

ମୋ ଧନ ମୋତେ ତ ନ ଦେଲୁ

।।

ସେ ବିଷ୍ଣୁପ୍ରିୟା ଦେବା ଧନ

ସେ ମୋର ଅମୂଲ୍ୟ ରତନ

।।

ଇତର ପ୍ରାୟେ ତାହା ଧରି

ଫିଙ୍ଗି ଯେ ଦେଲୁ ଦୂର କରି

।।

ସେ ନୋହେ କାଗଜ ପତର

କେବଳ ଗଣ୍ଠିଧନ ତାର

।।

ତୁ ସିନା ଦେଲୁଟି ପକାଇ

ମୁଁ ତାହା ଛାଡ଼ିବି କିମ୍ପାଇ

।।

ଘେନାଇଁ ଅଇଁଲୁ ସେ ଲେଖ

ଗଳାରେ ବାନ୍ଧିଅଛୁ ଦେଖ

।।

ଏବେ ତୁ ଏମନ୍ତ କରିବୁ

ସୁନାପଦକ ଭିଆଇବୁ

।।

ସେ ଲେଖା ତଥ୍ୟ ମଧ୍ୟେ ଦେଇ

ସୁବର୍ଣ୍ଣ ଶିକୁଳି ଲଗାଇ

।।

ମୋ କଣ୍ଠେ ଲମ୍ୱାଇବୁ ଯେବେ

ତେବେ ତୁ ଥିବୁ ସର୍ବଶୁଭେ

।।

ନୋହିଲେ ଭଲ ନାହିଁ ତୋର

କହି ଚଳିଲେ ଦାମୋଦର

।।

ବିପ୍ର ଏମନ୍ତ ସ୍ୱପ୍ନ ପାଇ

ଉଠି ପ୍ରଭାତୁ ବେଗ ହୋଇ

।।

ସ୍ନାନ ଶଉଚ ଆଦି ହେଲେ

ପ୍ରଭୁଙ୍କ ଦର୍ଶନକୁ ଗଲେ

।।

ଚାହିଁଲେ ଧୀର କରି ଦୃଷ୍ଟି

ହୃଦେ ପଡ଼ିଛି ଲେଖା ଗୋଟି

।।

ଦେଖି ହୋଇଲେ ଚମତ୍କାର

ବୋଇଲେ ନମୋ ଚକ୍ରଧର

।।

ଭୃତ୍ୟକୁ ଏଡ଼େ ସାହା ବୋଲି

ମୁଁ ମୂଢ ଜାଣି ତ ନ ଥିଲି

।।

ଏ ଅପରାଧ କ୍ଷମା କର

ତୁମ୍ଭେ ଯେ କରୁଣା ସାଗର

।।

ସ୍ୱପ୍ନରେ ଆଜ୍ଞା ଦେଲେ ଯାହା

ଅବଶ୍ୟ କରିବି ମୁଁ ତାହା

।।

ଏମନ୍ତ ବୋଲି ଲେଖା ନେଲେ

ସୁନା ପଦକ ଗଢାଇଲେ

।।

ସୁବର୍ଣ୍ଣ ଶିକୁଳି ଲଗାଇ

ଶ୍ରୀକଣ୍ଠେ ଲଗାଇଲେ ନେଇ

।।

ହୃଦପଦ୍ମରେ ପ୍ରଭୁ ରଖି

ଭକତ ଭାବେ ହେଲେ ଦୁଖୀ

।।

ଶୁଣ ସୁମନ ହେତୁ କରି

ପ୍ରଭୁ ମହିମା ଏତେ ସରି

।।

ଭକତ ମହିମା ଏମନ୍ତ

କେ ହକି ପାରିବ ତା ଅନ୍ତ

।।

ଏଣୁ ଭକତ ଭଗବତ

ଅଭିନ୍ନ ଏକ ଆତ୍ମାସତ

।।

ଯେ ତାଙ୍କୁ ଭିନ୍ନ ଭିନ୍ନ କରେ

ସେ ବଡ଼ ପାପୀ ଏ ସଂସାରେ

।।

କହିଲେ ଭଲେ ଥାଅ ଜାଣି

ହେ ମନ ସତ୍ୟ ଏହୁ ବାଣୀ

।।

ଏମନ୍ତ ପ୍ରଭୁ ସେବା ତେଜି

ଲୋଭେ ଯେ ଆନ ଦେବ ଭଜି

।।

ସ୍ୱକାମେ ନାନା ଇଚ୍ଛା କରେ

ସେ କାହିଁ ତରିବ ସଂସାରେ

।।

ଭଣଇ ବିପ୍ର ରାମଦାସ

ମୋ ପ୍ରଭୁ କମଳା ବିଳାସ

।।

ସାଧୁଜନଙ୍କ ଶ୍ରୀପୟରେ

ମୋ ମନ ରହୁ ନିରନ୍ତରେ

।।

ଦେଖନ୍ତି ବୋଲନ୍ତି ଜଗତ

ବଡ଼ କୋମଳ ନବନୀତ

।।

ତା ଅଙ୍ଗେ ଅଗ୍ନି ତାପପାଇ

ତେବେ ସେ ତରଳି ବହଇ

।।

ସାଧୁ ଯେ ପରଦୁଃଖେ ଦୁଃଖୀ

ହୃଦୟ ନ ପାରନ୍ତି ରଖି

।।

ଆପଣେ ହୁଅନ୍ତି ଅନ୍ତର

ହୃଦକୁ ଏମନ୍ତ କୋମଳ

।।

ସୁଜନେ ଏହି ରସେ ରସ

ଏ ଭବ ସମୁଦ୍ରେ ନ ଭାସ

।।

ଏ ଦାର୍ଢ୍ୟଭକ୍ତ ରସାମୃତ

ଭକତ ଜନଙ୍କ ଏ ହିତ

।।

ଶୁଣନ୍ତେ ସର୍ବ ପାପ ହରେ

କୀର୍ତ୍ତନ କରିଲେ ନ ସରେ

।।

କହଈ ରାମ ଦାସ ଦ୍ୱିଜ

ଶ୍ରୀ ସୀତାରାମ ପଦାମ୍ୱୁଜ

।।

ବିଶ୍ୱାସ ଅଟେ ମୂଳ ବୀଜ

ଦୀନ ରାମକୁ ଘେନି ଭଜ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନଚୈତନ୍ୟ ସମ୍ୱାଦେ

ବିଷ୍ଣୁପ୍ରିୟା ଭକ୍ତଭାବ ମନଦତ୍ତେ ନାମ ଷଟତ୍ୱାରିଂଶୋ ଧ୍ୟାୟଃ ।

•••

 

Unknown

ସପ୍ତ ଚତ୍ୱାରିଂଶ ଅଧ୍ୟାୟ

ମିରାବାଈ ସମ୍ବାଦ

 

ନମସ୍ତେ ଶ୍ରୀ ନନ୍ଦନନ୍ଦନ

ରାଧା ବଲ୍ଲଭ ପ୍ରାଣଧନ

।।

ପୁଣି ଚୈତନ୍ୟ ବୀରମଣି

କହଇ ସୁଧାସମ ବାଣୀ

।।

ଶୁଣ ହୋ ମନ ମହାରଥା

ଏ ବଡ଼ ଅଲୌକିକ କଥା

।।

ଏ କଳିଯୁଗର ଚରିତ

କହିବା ଶୁଣ ଆଚମ୍ୱିତ

।।

ସେ ଜୟ ନଗର ନୃପତି

କହି ନୁହଇ ତାର କୀର୍ତ୍ତି

।।

ସୁବାହୁ ଜୟସିଂହ ତହିଁ

ମଞ୍ଚରେ ଦ୍ୱିତୀଇନ୍ଦ୍ର ସେହି

।।

ତାର ଭଗିନୀ ପୁଣ୍ୟକଥା

କହି ବସିଲେ ହେବ ପୋଥ

।।

ହେ ମନ ହୋଇ ଶୁଦ୍ଧମନା

ତା ଭଗ୍ନୀକଥା ଶୁଣ କିନା

।।

ତାହାର ନାମ ମିରାବାଈ

ତା କଥା କଥନୀୟ ନୋହି

।।

ଅବଳାକୁଳ ଶିରୋମଣି

ସୁନ୍ଦରୀପଣେ ତାକୁ ଗଣି

।।

ଧନ୍ୟ ସେ ଯୁବତୀ ରତନ

କାମିନରକୁଳେ ମୋକ୍ଷବାନ

।।

ସାହିତ୍ୟ ସଙ୍ଗୀତ ସଙ୍ଗିନୀ

ଶ୍ରୀକୃଷ୍ଣ ରସେ ରସକିନୀ

।।

ସକଳ ଶାସ୍ତ୍ରେ ସେ ପଣ୍ଡିତା

ଜାଣଇ ପାପ ପୁଣ୍ୟ କଥା

।।

ଦାନୀ ପଣରେ ସେହୁ ଜଣେ

ସେବାଇ ସାଧୁଙ୍କ ଚରଣେ

।।

ବୟସ ଦ୍ୱାଦଶ କିଶୋରୀ

ସକଳ ଜନ ମନୋହାରୀ

।।

ଏମନ୍ତେ ସେ ବାଳିକା କଥା

ଶୁଣ ହେ ମନ ମହାରଥା

।।

ଦିନେକ ଏକ ଚିତ୍ରକର

ଚିତ୍ରପଟକେ ଧରି କର

।।

ଗୋବିନ୍ଦ ରୂପ ବର୍ଣ୍ଣ ଚିହ୍ନ

କରିଣ ଅତ୍ୟନ୍ତ ଳାବଣ୍ୟ

।।

ସେ ଚିତ୍ର ନ ଥିବ ସଂସାରରେ

ଦେଖିଲେ ମନ ନେତ୍ର ହରେ

।।

କୋଟି କନ୍ଦର୍ପ ଶୋଭା ଢାଳେ

ଲକ୍ଷ୍ୟ ନୋହିବ ପାଦତଳେ

।।

ନୀଳଜୀମୂତ କଳେବର

ରାଜୀବ ଲୋଚନ ସୁନ୍ଦର

।।

ବଙ୍କିମା ଚାହିଁଣୀ ସୁନ୍ଦର

ଭଙ୍ଗିମା ରଙ୍ଗିମା ଅଧର

।।

ତ୍ରିଭଙ୍ଗ ଛନ୍ଦେ ଉଭା ହୋଇ

ବ୍ରାହ୍ମଣ ଶୋଭାରେ ଲୁଚଇ

।।

ମୁରଲୀ ଧରିବା ଚାତୁରୀ

ଯୁବା ପୁରୁଷ ଧୈର୍ଯ୍ୟ ହରି

।।

କିସ ଉପମା ଦେବା ତହିଁ

ଦର୍ଶନେ ଶିବ ହେବେ ମୋହି

।।

ଏମନ୍ତ ଚିତ୍ରପଟ ଗୋଟି

ମିରାବାଈଙ୍କକି କରି ଭେଟି

।।

ଦେଖି ଯୁବତୀ ହେଲା ମୋହି

ରଖିଲା ଉନମତ୍ତା ହୋଇ

।।

ମନ ନୟନ ହେଲା ବନ୍ଦି

ହୃଦୟେ ପଞ୍ଛଶର ବିନ୍ଧି

।।

ବଦନୁ ନଇଲା ଉତ୍ତର

କମ୍ପିଲଶ ସୁରଙ୍ଗ ଅଧର

।।

କାମ ନବମ ଦଶା ଆସି

କାମିନୀ ହୃଦରେ ପ୍ରକାଶି

।।

ଶ୍ରୀକରେ ଚିତ୍ରପଟ ଧରି

ଦାସୀକୁ ପାଶକୁ ହକାରି

।।

ଦକ୍ଷିଣା ଦିଅ ବୋଲି ତାର

କହି ଚଳିଲା ଅନଃପୁର

।।

ଏକାନ୍ତ ସ୍ଥାନେ ଯାଇଁ ବସି

ଆଗେ ରଖିଣ ରୂପରାଶି

।।

ମନରେ କଲାକ ବିଚାର

ଏ ଯେ ସ୍ୱରୂପ ମନୋହର

।।

ମୋତେ ମିଳିବ ଏହିପରି

ଏହାକି କରିବେ ଶ୍ରୀହରି

।।

ଏମନ୍ତ ବୋଲି ଚିତ୍ରମୁଖେ

ଚୁମ୍ୱନ ଦେଲା ଲକ୍ଷେ ଲକ୍ଷେ

।।

ହୃଦେ ଲଗାଇ ପ୍ରେମଭରେ

ବୁଡ଼ିଲା ଆନନ୍ଦ ସାଗରେ

।।

ଅନ୍ନ ଭୋଜନ ହେଲା ବିଷ

ଶୂନ୍ୟ ହୋଇଲା ଦଶଦିଗ

।।

ଯେଣେ ଚାହିଁଲେ ତେଣେ ହରି

ଦିଶନ୍ତି ଚଉଦିଗେ ପୁରି

।।

କାମିନୀ ସେହି ଭାବ ଚିନ୍ତି

ନ ଜାଣେ ପ୍ରେମେ ଦିବାରାତ୍ରି

।।

ତାହା ଜାଣିଲେ ଦେବ ସ୍ୱାମୀ

ଯେ ପ୍ରଭୁ ସର୍ବ ଅନ୍ତର୍ଯ୍ୟାମୀ

।।

ମନମୋହନ ବେଣୁଧର

ଯେ ପ୍ରଭୁ ହଟିଆ ନାଗର

।।

ମାୟା ଗୋପାଳ ରୂପ ହୋଇ

ଭକତ ଭାବେ ଭାବଗ୍ରାହୀ

।।

ବିଜୟ କଲେ ତା ଭୁବନେ

ସେ ନାରୀ ଦେଖିଲା ନୟନେ

।।

ଅତି ବାଳକ ରୂପ ଗୋଟି

ଶୋଭାରେ ମୋହେ ନବସୃଷ୍ଟି

।।

ନବୀନ ନୀଳଘନ କାନ୍ତି

କୋଟିଏ ଚନ୍ଦ୍ର ଜିଣି ଜ୍ୟୋତି

।।

ରଙ୍ଗ ଅଧରେ ମନ୍ଦେ ହସି

ଅଶେଷ ପୀୟୁଷ ପ୍ରକାଶି

।।

ଚରଣେ ବାଜେଣୀ ନୂପୁର

କଟି ମେଖଳା ମନୋହର

।।

କରେ ମୁରଲୀଗୋଟି ଶୋଭା

ତ୍ରିଭଙ୍ଗୀ ଛନ୍ଦେ ହେଲେ ଉଭା

।।

ତାହା ଦେଖିଣ ସେ ସୁନ୍ଦରୀ

ହସ୍ତ ବଢାଇ ଗଲା ଧରି

।।

ଯେ ହରି ସର୍ବ ଶୂନ୍ୟମୟେ

ତାଙ୍କୁ କେ ଧରିବ ଉପାୟେ

।।

ନିଷ୍କାମ ପ୍ରେମ ଯାର ଥିବ

ସେ ସିନା ତାହାଙ୍କୁ ପାଇବ

।।

ଧାଇଁ ଧରନ୍ତେ ଶୁଭ୍ରକେଶୀ

ଶୂନ୍ୟରେ ଶୂନ୍ୟ ପ୍ରାୟେ ମିଶି

।।

ନିଷ୍କାମ ଧର୍ମେ ମନ ପଶି

ଆପଣ ବସିଲାକ ରୁଷି

।।

ଦେହ ସଂସାର ପାଶୋରିଲା

ମରଣ ପଥ ଆବୋରିଲା

।।

ଏ ଦେହ ଥାଉ ଅବା ଯାଉ

କି ପ୍ରୟୋଜନ ଅଛି ଆଉ

।।

ଏମନ୍ତ ବୋଲି ସେ ତରୁଣୀ

କରରେ ଚିରଇ ଧରଣୀ

।।

ନୟନ ଜଳେ କଲା ସ୍ନାନ

ବୋଇଲା ଯାଉ ତା ଜୀବନ

।।

ଏ ଦେହ ସର୍ବସ୍ୱ ତାହାର

ମୋର ତ ନାହିଁ ଅଧିକାର

।।

ଏମନ୍ତ ବୋଲି ସେ ତରୁଣୀ

କରରେ ଚିରଇ ଧରଣୀ

।।

ନୟନ ଜଳେ କଲା ସ୍ନାନ

ବୋଇଲା ଯାଉ ତୋ ଜୀବନ

।।

ଏ ଦେହ ସର୍ବସ୍ୱ ତାହାର

ମୋର ତ ନାହିଁ ଅଧିକାର

।।

ଏମନ୍ତ ବୋଲି ଦେହ ଗୋଟି

କମ୍ପି ଉଠିଲା ଦନ୍ତପାଟି

।।

ତା ହୃଦ ଜାଣିଲେ ଗୋବିନ୍ଦ

କାମିନୀ ଭାବେ ହେଲେ ଅନ୍ଧ

।।

ତକ୍ଷଣ କୋଳେ ଧରି ବସି

ତା ଅଙ୍ଗେ ଦେଲେକ ଆଉଁସି

।।

ବୋଇଲେ ତୁ ମୋର ଜୀବନ

କିମ୍ପାଇଁ କରୁଅଛୁ ମାନ

।।

ଏବେ ମୂଁ ଆୟତ ତୋହର

ତୋ ମନ ଯାହା ତାହା କର

।।

ଏମନ୍ତ ବୋଲି ଭଗବାନ

ତା ଗଣ୍ଡେ ଦେଲେ ଚୁମ୍ୱଦାନ

।।

ଚିବୁକ ଧରିଣ ଶ୍ରୀକର

ବୋଇଲେ ମାଗି ଘେନିବର

।।

ଆମ୍ଭେଟି ବୃନ୍ଦାବନେଶ୍ୱର

ଭକତ ଜନଙ୍କ ଘେନବର

।।

ଆମ୍ଭେଟି ବୃନ୍ଦାବନେଶ୍ୱର

ଭକତ ଜନଙ୍କ ସୋଦର

।।

ତୋ ପ୍ରେମଭାବେ ହେଲୁ ବଶ

ଯେ ଇଚ୍ଛା ମାଗତୁ ଅବଶ୍ୟ

।।

ତା ଶୁରି ଯୁବତୀ ରତନ

ତକ୍ଷଣେ ଛାଡ଼ି ମନୁ ମାନ

।।

ମସ୍ତକେ କରାଞ୍ଜଳି ଦେଇ

ଅନେକ ହୋଇଲା ବିନୟୀ

।।

ତୁ ଯେବେ ବରଦାତା ଅଟୁ

ଭକତି ଭାବେ ଯେତେ ଖଟୁ

।।

ଏ ବାକ୍ୟ ଯେତେ ସତ୍ୟ ତୋର

ତୁହି ହୋଇବୁ ମୋର ବର

।।

ତା ଶୁଣି ବୋଇଲେ ଗୋବିନ୍ଦ

ମୁଁ ଯେ ଅନାଦି ଆଦିକନ୍ଦ

।।

ସଂସାର ମୋର ଖେଳଘର

ମୁଁ ନୋହେ କେଉଁଠାରେ ସ୍ଥିର

।।

ମୋତେ ତୁ ପତି କରି ପାଇ

କି ସୁଖ ପାଇବୁରେ ସହୀ

।।

ଏମନ୍ତ କହି ମନ୍ଦେ ହସି

ତାହା ଜାଣିଲା ଶୁଭ୍ରକେଶୀ

।।

ଶ୍ରୀ ପାଦପଦ୍ମେ ଦେଇ ହସ୍ତ

ବୋଇଲା ଶୁଣ ପ୍ରାଣନାଥ

।।

ଆଜୁଁ ମୁଁ କିଣାଦାସୀ ତୋର

ତୋ ଇଚ୍ଛା ତାହା ତାହା କର

।।

ନିଶ୍ଚେ ନିର୍ଦ୍ଦୟ ହେଲେ ମୋତେ

ଜୀବନ ହାରିବି ସାକ୍ଷାତେ

।।

ଦୟା ତୋହର ହେଲେ ହେଉ

ଏଥେ ସଂଶୟ ନାହିଁ ଆଉ

।।

ସିଂହ ଘରଣୀ ଆନ ଛାର

ଭୋଗ କରିବ ଏ ବିଚାର

।।

ଏମନ୍ତେ କରି ଆଲିଙ୍ଗଡ଼

ମୁଖରେ ଦେଲାକ ଚୁମ୍ୱନ

।।

ଦେଖି କାମିନୀ ଭାଗ୍ୟବଳ

ହରି ତା ଭାବେ ହେଲେ ଭୋଳ

।।

ଅନେକ କରି କ୍ରୀଡ଼ାରସ

ଅନ୍ତର ହେଲେ ପୀତବାସ

।।

ମନ ତାହାର ପାଶେ ଥୋଇ

ମିଳିଲେ ବୃନ୍ଦାବନ ଯାଇ

।।

ଦେଖ ସୁମନ ଭାଗ୍ୟ ତାର

ନାହିଁ ନଥିବ ଏ ସଂସାର

।।

ଗୋବିନ୍ଦ ଅଙ୍ଗ ସଙ୍ଗ ଭାବ

କୋଟିଏ ଜନ୍ମ କେ ପାଇବ

।।

ସେ ସଙ୍ଗ ପାଇ ମିରାବାଈ

ଆନନ୍ଦେ କେ ପାରିବ କହି

।।

ଶୁଣ ସୁମନ ଏବେ ରସ

ଏମନ୍ତେ ନିଶି ହେଲା ଶେଷ

।।

ଗୋବିନ୍ଦ ଭାବ ମନେ ଗୁଣି

ପ୍ରଭାତୁଁ ଉଠିଲା ତରୁଣୀ

।।

ନମ୍ର ସୁରତି ଶ୍ରମଭରେ

ବିଜୟ କଲା ପ୍ରାଙ୍ଗଣରେ

।।

ଏମନ୍ତ ବେଳେ ମହାଦେଈ

ଆସି ପ୍ରବେଶ ହେଲା ତହିଁ

।।

ଶ୍ରୀଅଙ୍ଗୁ କଲା ଅନୁମାନ

ଦେଖିଲା ରତି ଚିହ୍ନମାନ

।।

ମନରେ କଲାକ ବିଚାର

ମହତ ସରିଲା ଆମ୍ଭର

।।

କେଉଁ ପୁରୁଷ ସଙ୍ଗ ପାଇ

ବସିଛି ଅସକତ ହୋଇ

।।

କେଶ ବସନ ଅସମ୍ଭାଳ

ପାଟଳ ଦିଶେ ଗଣ୍ଡସ୍ଥଳ

।।

ସିନ୍ଦୂର ଚିତା କପାଳର

ଏ ତ ଦିଶୁଛି ନାରଖାର

।।

ଅଞ୍ଜନ ରଷଖା ନୟନର

କିମ୍ପାଇଁ ଲାଗିଛି ଅଧର

।।

ଚିବୁକେ ଯୁଣି ଦନ୍ତାଘାତ

ସର୍ବାଙ୍ଗେ ଜର ଜର କ୍ଷତ

।।

ସନ୍ତଯୁଗଳେ ପତ୍ରାବଳି

ନାହିଁ ଯେ ମୃଗମଦ କାଳି

।।

କେଉଁ ପୁରୁଷ ଏହା କଲା

ଜଳନ୍ତା ଅନଳେ ଝାସିଲା

।।

କି କର୍ମ କଲା ଏହୁ ବାଳୀ

ବଂଶରେ ଲଗାଇଲା କାଳି

।।

ଏମନ୍ତ କହି ଚଳିଗଲା

ସ୍ୱାମୀ ଛାମୁରେ ଜଣାଇଲା

।।

ଭଗ୍ନୀ ତୋ ହୋଇଲା ଦୁଷିତ

ଏ କଥା ବୁଝ ନରନାଥ

।।

ଦେଖି ଅଇଲି କର୍ମ ଯେତେ

ଭଲ ତ ଦିଶୁନାହିଁ ମୋତେ

।।

ଏହା ଶୁରି ସେ ନରନାଥ

ଶିରେ କି ପଡ଼ିଲା ପର୍ବତ

।।

ତନୁ କମ୍ପିଲା ଥରହର

କମ୍ପିଲା ସୁରଙ୍ଗ ଅଧର

।।

ଉର୍ଦ୍ଧ୍ୱ ନିଶ୍ୱାସ କରି ଜାତ

ପତ୍ନୀକି ବୋଲେ ନୁହେଁ ସତ୍ୟ

।।

ତା ଶୁଣି କହଇ ସୁନ୍ଦରୀ

ମୁଁ ତ ନୁହଇ ଅନ୍ୟାଚାରି

କହିବି ମିଛ ସତ କରି

ଏହା ନ ବୁଝ ଦଣ୍ଡଧାରୀ

।।

ସାକ୍ଷାତେ ରତିରସ ଚିହ୍ନ

ଦେଖି ମୁଁ ଅଇଳି ନୟନ

।।

ତା ଶୁଣି ବୋଲେ ନୃପବର

ଗରଳ ଦେଇ ତାକୁ ମାର

।।

ନ ହେଉ କୁଳକୁ କଳଙ୍କ

ଲଜ୍ଜା ସମୁଦ୍ରୁ ମୋତେ ରଖ

।।

ଏମନ୍ତ ବୋଲି ବେଗ କରି

ବିଶ୍ୱାସୀ ଦାସୀଙ୍କୁ ହକାରି

।।

କାଳ ଗରଳ ଅଣାଇଲେ

ବ୍ରାହ୍ମଣୀ ହସ୍ତେ ନେଇ ଦେଲେ

।।

ବୋଇଲେ ନୃପତି ଆଦେଶ

ମିରାବାଈକି ଏହି ବିଷ

।।

ଭୋଜନ ସଙ୍ଗତରେ ଦେବ

ଅତ୍ୟନ୍ତ ଗୁପତ ରଖିବ

।।

ଏକଥା ହୋଇଲେ ପ୍ରକାଶ

ସମସ୍ତେ ପ୍ରାଣେ ହେବେ ନାଶ

।।

ଏମନ୍ତ କହି ଗଲେ ଚଳି

ବ୍ରାହ୍ମଣୀ ମନେ ମନେ ଭାଳି

।।

ସ୍ତିରୀ ହତ୍ୟା ଯେ ବଡ଼ ଦୋଷ

କେମନ୍ତେ ଦେବି ତାକୁ ବିଷ

।।

ନ ଦେଲେ ନୃପତି ମାରିବ

ଏହା ସେ ବିହିଲେ ଦଇବ

।।

ଏଣୁ ନ ଦେଲେ ତାକୁ ବିଷ

ତେଣେ ହୋଇବ ପ୍ରାଣ ନାଶ

।।

ଏମନ୍ତ ପାଞ୍ଚି ବିଷ ଚୁରି

ରାଜା ରାଣୀକି ଉଭା କରି

।।

ଭୋଜନ ଦ୍ରବ୍ୟ ମାନଙ୍କରେ

ଭରିଲା ନାନାଦି ପ୍ରକାରେ

।।

ଗୋଦନ୍ତା ଦାରୁମକ୍ଷ ଚୁରି

ମହୁରା ବତ୍ସନାଭ ଭରି

।।

କଞ୍ଚା ହେଙ୍ଗୁଳ ହରତାଳ

ସେ ବିଷ୍ୟ ଦ୍ରବ୍ୟରେ ପ୍ରବଳ

।।

ସମସ୍ତ ବାଟି ଏକ କରି

ରୋଟି ମିଠାଇ ସଙ୍ଗେ ଭରି

।।

ଯତନ କରି ତା ଥୋଇଲେ

ମିରାବାଈକି ଡକାଇଲେ

।।

ବେଗେ ମଣୋହି ବସି କର

ବେଳ ଯେ ହେଉଛି ଉଛୁର

।।

ଶଉରି ଆନନ୍ଦ ମିରାବାଈ

ସ୍ନାଦାନ ଶୁଚିମନ୍ତ ହୋଇ

।।

ଭୋଜନ ମନ୍ଦିରକୁ ଗଲା

ଏକାନ୍ତ ସ୍ଥାନରେ ବସିଲା

।।

ଭୋଜନ ପରଷନ୍ତେ ଆଣି

ଦେଖି ଚଳିଲେ ରାଜାରାଣୀ

।।

ସୁନ୍ଦରୀ ବସି ଦୃଢାସନେ

ସ୍ୱାମୀ ସ୍ୱରୂପ ଚିନ୍ତି ମନେ

।।

ସେ ଦ୍ରବ୍ୟ କଲା ନିବେଦନ

ଆନନ୍ଦେ କଲାକ ଭୋଜନ

।।

ଗୋବିନ୍ଦ କୃପାରୁ ସମସ୍ତ

ଦ୍ରବ୍ୟ ଯେ ହୋଇଲା ଅମୃତ

।।

କିଛି ହିଁ ନୋହିଲା ତାହାର

ଶୁଣ ହେ ମନ ନୃପବର

।।

ଏଥିଉତ୍ତାରୁ ଦିନ ଶେଷ

ରଜନୀ ହୋଇଲା ପ୍ରବେଶ

।।

ବ୍ରାହ୍ମଣୀ ଚଳିଗଲା ଖରେ

କହିଳା ନୃପତି ଛାମୁରେ

।।

କେତେକ ବିଷ ଦେଖି ଖାଇ

କିଛି ନୋହିଲା ମିରାବାଈ

।।

ତା ଶୁଣି ରାଜା ଆଚମ୍ୱିତ

କ୍ରୋଧ ହିଁ ବଢିଲା ବହୁତ

।।

ଦାସୀ କି ହକାରିଲେ ପାଶ

କହିଲେ ଗୁପତ ବିଶ୍ୱାସ

।।

ରୁଣ୍ଡ ହୋଇଣ ଦଶଜଣ

ସହିତେ ପଥର ଘେନିଣ

।।

ଗୁପତ ହୋଇ ରାତ୍ରେ ଯିବ

ସେ ମିରାବାଈ ଶୋଇଥିବ

।।

ତା ପରେ ଛେଚିବ ପଥର

ଯେମନ୍ତେ ଯିବ ପ୍ରାଣ ତାର

।।

ଏମନ୍ତ ନ କଲେ ଅବଶ୍ୟ

ପ୍ରାଣେ ସକଳେ ଯିବ ନାଶ

।।

ରାଜା ଏମନ୍ତ ଆଜ୍ଞା ଦେଇ

ବୋଇଲେ ଯାଅ ବେଗ ହୋଇ

।।

ତା ଶଉରି ଦାସୀଗଣ ଗଲେ

ଅଚଳ ଶିଳା ବହିନେଲେ

।।

ଯହିଁ ନିଦ୍ରିତା ମିରାବାଈ

ତହିଁ ପ୍ରବେଶ ହେଲେ ଯାଇଁ

।।

ଗୋବିନ୍ଦ ପାଦ୍ମପାଦେ ଚିତ୍ତ

ଦେଇ ସେ ନିଦ୍ରାରେ ମୋହିତ

।।

ଏମନ୍ତ ବେଳେ ସେ ପଥରେ

ନିର୍ଘାତ ଛେଚିଲେ ପଥରେ

।।

ସେ ନାରୀଅଙ୍ଗେ ତେଡ଼େ ଶିଳ

ପଡ଼ିଲା ପରି ଫୁଲମାଳ

।।

ତୁଳାରୁ ଉଶ୍ୱାସ ହୋଇଲା

ଉପରେ ପାଷାଣ ପଡ଼ିଲା

।।

ପଳାଇଗଲେ ଦାସୀମାନେ

କହିଲେ ରାଜା ସନ୍ନିଧ୍ୟାନେ

।।

ଅଚଳ ଶିଳା ଘେନିଗଲୁଁ

ମସ୍ତକ ଉପରେ ଛେଚିଲୁ

।।

ପ୍ରାଣ ହାରିଲା ସେ ସୁନ୍ଦରୀ

ଅଇଲୁଁ ସ୍ତିରୀହତ୍ୟା କରି

।।

ତା ଶଉରି ନୃପତି ଆନନ୍ଦ

ଏମନ୍ତବେଳେ ସେ ଗୋବିନ୍ଦ

।।

ବିଜୟ ମିରାବାଈ ପାଶ

ସେ ଅନ୍ତର୍ଯ୍ୟାମୀ ପୀତବାସ

।।

ଶ୍ରୀହସ୍ତ ବଢାଇଣ ଦେଲେ

ପଥର କାଢି ପକାଇଲେ

।।

ଶ୍ରୀଭୁଜ ଆହାଲାଦ ପାଇ

ଉଠି ବସିଲା ମିରାବାଈ

।।

ପାଶେ ଦେଖିଲା ପ୍ରାଣନାଥ

ସାଷ୍ଟାଙ୍ଗେ କଲା ଦଣ୍ଡବତ

।।

ଉଠି ଯୋଡ଼ନ୍ତେ ବେନି କର

ପାଶରେ ଦେଖିଲା ପଥର

।।

ବୋଇଲା ଏ କି ଚମତ୍କାର

ସ୍ୱରୂପ କହ ପ୍ରାଣେଶ୍ୱର

।।

ମୁଁ ଯେବେ ଅପରାଧି ତୋର

ମୋ ମୁଣ୍ଡେ ଛେଚ ଏ ପଥର

।।

ଶୁଣି ଗୋବିନ୍ଦ ମନେ ହସି

ପ୍ରିୟାକୁ କୋଳେ ଧରି ବସି

।।

ସକଳ ବୁଝାଇ କହିଲେ

ସେଠାରେ ନିଶି ଶେଷ କଲେ

।।

ଉଠିଣ ଯିବାବେଳେ ହରି

ସେ ନାରୀ ପାଦପଦ୍ମ ଧରି

।।

କହିଲା ବିନୟ କରିଣ

ବୋଇଲା ପ୍ରାଣଧନ ଶୁଣ

।।

ମୋ ସଙ୍ଗେ କଲ ଚୋରି ରତି

ଲୋକେ ହୋଇଲା ଅପକୀର୍ତ୍ତି

।।

ତୁମ୍ଭେ ଯେ କଲ ଏତେ ସରି

କେମନ୍ତେ ଥିବ ଦେହ ଧରି

।।

ତୋ ପରା ପ୍ରଭୁ ପତି ପାଇ

କାହିଁରେ ନୋହିଲି ତ ମୁହିଁ

।।

ଅବଶ୍ୟ ହାରିବି ଜୀବନ

ମୋତେ ପାଶୋର ଜନାର୍ଦ୍ଦନ

।।

ଏମନ୍ତ ଶୁଣି ଦେବହରି

ପ୍ରିୟାକୁ କୋଳାଗତ କରି

।।

ଶ୍ରୀମୁଖେ ଦେଲେକ ଚୁମ୍ୱନ

ବୋଇଲେ ଶୁଣ ପ୍ରାଣଧନ

।।

ମୋ ପରା ସାହା ଥାଉଁ ଥାଉଁ

ତୋର କାହାକୁ ଭୟ ଆଉ

।।

କିଛି ତୁ ନ ବିଚାର ଚିତ୍ତେ

କାହିଁ ତୁ ବୁଝିବୁ ସାକ୍ଷାତେ

।।

ଏମନ୍ତ କହି ଭଗବାନ

ତତ୍‌କ୍ଷଣେ ହେଲେ ଅନ୍ତର୍ଦ୍ଧାନ

।।

ସୁବା ହିଁ ଜୟସିଂହ ପାଶେ

ରାତ୍ରେ ମିଳିଲେ ନିଦ୍ରାବଶେ

।।

ବୋଇଲେ ଶୁଣରେ ନରେନ୍ଦ୍ର

ଆମ୍ଭେଟି ବୃନ୍ଦାବନ ଚନ୍ଦ୍ର

।।

ସେ ମୋର ମିରାବାଈ ପ୍ରିୟା

ତାର ମୋହର ଏକକାୟା

।।

ତୁ ପୁଣି ଗର୍ବ କରି ମନେ

ତାହାକୁ ଦଣ୍ଡୁଛୁ ସଦନେ

।।

ଆମ୍ଭେ ଯାହାକୁ ସାହା ଥିବୁ

ତୁ ତାକୁ କି କରି ପାରିବୁ

।।

ଆପଣେ ସିନା ଯିବୁ ନାଶ

ସ୍ୱରୂପ କହିଲୁ ତୋ ପାଶ

।।

ଯେବେ ଜୀବନେ ଆଶା ତୋର

ତା ପାଦପଦ୍ମେ ସେବା କର

।।

ତାକୁ ଖଟାଅ ଆମ୍ଭ ପାଶ

କହି ଚଳିଲେ ପୀତବାସ

।।

ରାଜା ଏମନ୍ତ ଆଜ୍ଞା ପାଇ

ଚମକି ଚକିତେ ଭାଳଇ

।।

ପ୍ରଭାତୁ ଉଠିଣ ତ୍ୱରିତେ

ପତ୍ନୀକି ଘେନିଣ ସଙ୍ଗତେ

।।

ସେ ମିରାବାଈ ପାଶେ ଗଲେ

ଭଗ୍ନୀକି ଅନାଇଣ ଦେଲେ

।।

ଦେଖିଲେ ନବଘନ ମୂର୍ତ୍ତି

ପୁର ତା ମଣ୍ଡୁଅଛି ଜ୍ୟୋତି

।।

ମନମୋହନ ବେଣୁଧର

କୋଟି କନ୍ଦର୍ପ ଗୁଣ ଯାର

।।

ବିଜୟ ପ୍ରଭୁ ଭାବଗ୍ରାହୀ

କୋଳେ ବସିଛି ମିରାବାଈ

।।

ନୃପତି ଦେଖିଲେ ନୟନ

ହରି ହୋଇଲେ ଅନ୍ତର୍ଦ୍ଧାନ

।।

ତା ଦେଖି ରାଜରାଣୀ ଭୋଳେ

ପଡ଼ିଲେ ଭଗ୍ନା ପାଦତଳେ

।।

ଉଠି କାକୁସ୍ତତର ହୋଇ

ଅନେକ ହୋଇଲେ ବିନୟୀ

।।

ବୋଇଲେ ଦୋଷ କ୍ଷମାକର

ଆମ୍ଭେ ତୋ ଚରଣେ କିଙ୍କର

।।

ତୁ ଏଡ଼େ ପୁଣ୍ୟସ୍ତିରୀ ବୋଲି

ମୁଁ ମୁଢ ଜାଣି ତ ନ ଥିଲି

।।

ଯେ ଅପରାଧ କଲି ତୋତେ

ସେ ସବୁ କ୍ଷମା କର ମୋତେ

।।

ତା ଶୁଣି ବୋଲେ ମିରାବାଈ

ସ୍ୱାମୀକି ଆଣ ମୋର ଯାଇ

।।

ତା ପାଦପଦ୍ମେ ସେବା କର

ଯଶ ଲଭିବ ଏ ସଂସାର

।।

ତାହା ଶୁଣିଣ ନୃପରାଣ

ବିଜୟ କଲେ ତତକ୍ଷଣ

।।

ଅନେକ ସଜ କରି ସୈନ୍ୟ

ଯହିଁ ବିଜୟ ଭଗବାନ

।।

ଦନ୍ତେ ତିରଣମାନ ଧରି

ଗଲେ ପଟାଳ ଆଦି ଭରି

।।

ମସ୍ତକେ କର ଅଛି ଯୋଡ଼ି

ଗୋବିନ୍ଦ ପାଦପଦ୍ମେ ପଡ଼ି

।।

ଅନେକ ସ୍ତୁତି ବାକ୍ୟ କହି

ଉଠି ଛାମୁରେ ଉଭା ହୋଇ

।।

ମଣ୍ଡିଣ ଦିବ୍ୟ ସୁଖାସନ

ବିଜେ କରାଇ ଭଗବାନ

।।

ଅନେକ ଉତ୍ସବାଦି କରି

ଚଳିଣ ଗଲେ ଦଣ୍ଡଧାରୀ

।।

ଆପଣା ଅନ୍ତଃପୁର ଠାର

ତୋଳାଇ ଉତ୍ତମ ମନ୍ଦିର

।।

ଅମୂଲ୍ୟ ଦେଉଳ ଶୋଭନ

ଅଷ୍ଟ ରତନେ ସିଂହାସନ

।।

କେ କହୁ ସେ ପୁର ଚାତୁରୀ

ଦ୍ୱିତୀ ସ୍ୱର୍ଗର ପ୍ରାୟ କରି

।।

ଅନେକ ସାଧୁବୃନ୍ଦ ରାଇ

ପ୍ରତିଷ୍ଠା ବିଧାନ କରାଇ

।।

ହୋଇଲେ ପରମ ଆନନ୍ଦ

ବିଜେ କରାଇଲେ ଗୋବିନ୍ଦ

।।

ଅନେକ ଆକଟ କରାଇ

ତହିଁ ଖଟାଇ ମିରାବାଈ

।।

ଦେହ ଅନ୍ତରେ ସେହି ବାମା

ଏବେ ସେ ହୋଇଛି ପ୍ରତିମା

।।

ପ୍ରଭୁ ସଙ୍ଗତେ ପୂଜା ପାଇ

ତା ଭାଗ୍ୟ କେ ପାରିବ କହି

।।

ଧନ୍ୟ ତା ବଂଶଲୋକ ଯେତେ

ହେବ କା ଭାଗ୍ୟ ଏ ଜଗତେ

।।

ଶୁଣ ହେ ମନ ନୃପନାଥ

ଏ କଳିଯୁଗର ଚରିତ

।।

ଦେଖ ସେ ପ୍ରଭୁଙ୍କ ମହିମା

ଦେଖ ସେ ଭକତ ଗାରିମା

।।

ଏଣୁ ଭକତ ଭଗବାନ

କେବେ ନୁହନ୍ତି ଭିନ୍ନା ଭିନ୍ନ

।।

ଭଣଇ ବିପ୍ର ରାମଦାସ

ମୋ ପ୍ରଭୁ କମଳା ବିଳାସ

।।

ସାଧୁଜନଙ୍କ ଶ୍ରୀଚରଣେ

ମୋ ଚିତ୍ତ ରହୁ ଅନୁକ୍ଷଣେ

।।

ଏତେକ ଆଜ୍ଞା ହେଉ ମୋରେ

ମୁଁ ମହାପାପୀ ଏ ସଂସାରେ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନଚୈତନ୍ୟ ସମ୍ୱାଦେ

ମିରାବାଈ ଦାର୍ଢ୍ୟଭାବ ବର୍ଣ୍ଣନେ ନାମ ସପ୍ତଚତ୍ୱାରିଂଶୋ ଧ୍ୟାୟଃ ।

•••

 

ଅଷ୍ଟଚତ୍ୱାରିଂଶ ଅଧ୍ୟାୟ

ଜ୍ଞାନାନନ୍ଦ ଦାସ ସମ୍ବାଦ

 

ନମଇଁ ପ୍ରଭୁ ଆଦିକନ୍ଦ

ନମୋ ନମସ୍ତେ ସାଧୁବୃନ୍ଦ

।।

ଏ ତୁମ୍ଭ ମହିମା ଅଶେଷ

ଏଣୁ ଶରଣ ମରାଦାସ

।।

ଏ ଦାର୍ଢ୍ୟତାଭକତି ଯେହୁ

ସମ୍ପୂର୍ଣ୍ଣ କରି ଆଜ୍ଞା ହେଉ

।।

କୋଟିଏ କୀଟରୁ ଅନ୍ତର

ମୋ ଛାର କେତେକ ମାତର

।।

ଯା ତୁମ୍ଭେ କହିବ ପ୍ରମାଣେ

ଲେଖିବା କଥା ମୁହିଁ ଜାଣେ

।।

ଶୁଣି ଚୈତନ୍ୟ ମହାବୀର

କହଇ ବଚନ ଗଭୀର

।।

ଶୁଣି ସୁମନ ମହାଜ୍ଞାତା

ଏ ଦାର୍ଢ୍ୟଭକ୍ତି ରସକଥା

।।

ଦକ୍ଷିଣ ଦେଶ ମଧ୍ୟେ ସାର

ଯେ ଗୋଦାବରୀ ନଦୀତୀର

।।

ଗ୍ରାମମାନଙ୍କ ମୋକ୍ଷସ୍ଥାନ

ନାମ ଯେ ସୁବାହୁ ଶାସନ

।।

ଘର ତାହାର ସେ ଗ୍ରାମରେ

ସାର ଶ୍ରୀ ବୈଷ୍ଣବ ଜାତିରେ।।

 

ନାମ ତା ସୁଜ୍ଞାନୀ ଆଚାର୍ଯ୍ୟ

ଅତି ସୁନ୍ଦର ମହାତେଜ

।।

ଜାଣଇ ସର୍ବ ଶାସ୍ତ୍ରମାନ

କହଇ ମଧୁର ବଚନ

।।

ସକଳ ଜୀବେ ଦୟା ତାର

ଜାଇଣ ଅନିତ୍ୟ ସଂସାର

।।

ଯେତେକ ପୁତ୍ର ଦାରା ଧନ

ଏ ସର୍ବ ମାୟାର ବନ୍ଧନ

।।

କେହି କାହାର ନୋହେ ସଙ୍ଗ

ଯେସନ ଜଳଧି ତରଙ୍ଗ

।।

କେବଳ ଯେତେଦିନ ଯାଏ

ଦେହେ ସମର୍ଥପଣ ଥାଏ

।।

ଅରଜି ପାରୁଥାଏ ଚିତ୍ତ

ସବୁରି ଉପରେ ସାମନ୍ତ

।।

ଯେବେ ହୁଅଇ ବଳ ହାନି

ତେବେ ସେ ନ ପାରଇ ଚିହ୍ନି

।।

ଧନ ହିଁ ଅରଜି ନ ପାରି

ସମସ୍ତେ ହୁଅନ୍ତି ବଇରୀ

।।

କେବଳ ମିଥ୍ୟା ଲାଳସାରେ

ଜୀବନ ବନ୍ଦୀ ଏ ସଂସାରେ

।।

ଏମନ୍ତ ବୋଲି ତାର ଚିତ୍ତେ

ଶ୍ରୀରାମ ଭଜୁଥାଇ ନିତ୍ୟେ

।।

ଜୀବଆତ୍ମାର ମୋକ୍ଷଦ୍ୱାର

ଜାଣଇ ନାମ ଏକାକ୍ଷର

।।

ଆଉ ଯେତେକ ଧର୍ମ କର୍ମ

ଜୀବ ଆତ୍ମାର ସିନା ବ୍ରହ୍ମ

।।

ଯନ୍ତ୍ରଣା ପଥ ନୋହେ ଦୂର

କର୍ମ ଭୁଞ୍ଜିବା ମୂଳ ତାର

।।

କେବଳ ରାମଦାସ ଗୋଟି

କର୍ମ ବନ୍ଧନ ପାରେ କାଟି

।।

ସାଧୁ ସଙ୍ଗେ ଯେ କରେ ଭାବ

ସେ ଯେ ନ ଦେଖେ ପୁଣ ଭବ

।।

ଅନ୍ୟାନ୍ୟ ଯେତେ କର୍ମମାନ

କେବଳ କର୍ମର ବନ୍ଧନ

।।

ଏମନ୍ତ ଜାଣି ତାର ମନେ

ନାମ ଭଜଇ ପ୍ରତିଦିନେ

।।

ଗୃହେ ଗୃହୀତ ହୋଇଥାଇ

ଗୃହେ ତା ମନ ନ ପଶଇ

।।

ପତ୍ନୀ ତା ଅତ୍ୟନ୍ତ ସୁନ୍ଦରୀ

ରମ୍ଭା ମେନକା ନୋହେ ସରି

।।

ନାମ ତାହାର ଚମ୍ପାବତୀ

ସ୍ୱାମୀ ସେବାରେ ଥାଏ ମତି

।।

ବେନି କୁମର ଏକ ସୁତା

ଆବର ଛନ୍ତି ପିତାମାତା

।।

ବନ୍ଧୁ ବାନ୍ଧବ ସହୋଦର

ଧନ ହିଁ ଅଛଇ ଅପାର

।।

ଏଥକୁ ନ କରିଣ ଆଶ

ଛାଡ଼ିଲା ଯେହ୍ନେ ଛଡ଼ା ପୁଷ୍ପ

।।

ଉଚ୍ଛିଷ୍ଟ ପତ୍ର ପ୍ରାୟ କରି

ସର୍ବ ବିଷୟ ପରିହରି

।।

ନିର୍ମୋହ ନିଷ୍କାମ ଯେ ଧର୍ମ

ବାଞ୍ଛିତ କଲା ଯଥା କର୍ମ

।।

ଗୋଧଡ଼ି ଧର୍ମ ଆଶ୍ରେ କରି

ଜ୍ଞାନ ଗୋଧଡ଼ି ଝୁଲା ଧରି

।।

ଅଶେଷ ତୀର୍ଥମାନ ଫେରି

ଅନେକ ସାଧୁ ସଙ୍ଗ କରି

।।

ଅନେକ ପ୍ରଭୁ ରୂପମାନ

ବୁଲି ସେ କଲା ଦରଶନ

।।

କେବଳ ଆଚାରରେ ଥାଇ

ଯହିଁ ଯା ମିଳେ ତାହା ଖାଇ

।।

କାହିଁ କରଇ ଉପବାସ

କାହିଁ ବା ଫଳ ମୂଳ ଗ୍ରାସ

।।

ଏଥକୁ ଶୋଚନା ନ କରି

କେବଳ ଭଜୁଥାଇ ହରି

।।

ଏମନ୍ତ କଲା କେତେଦିନ

ବୁଲି ସକଳ ତୀର୍ଥମାନ

।।

ଅତି ଆନନ୍ଦ ହୋଇ ମନେ

ପ୍ରବେଶ ହେଲା ବୃନ୍ଦାବନେ

।।

ଯହିଁ ବା ପୁଣ୍ୟ ସ୍ଥାନ ଯେତେ

ବୁଲି ଦେଖିଲା ବିଧିମତେ

।।

ଯମୁନା ନଦୀ ବଂଶୀବଟ

କଦମ୍ୱ କାଳିନ୍ଦୀର ତଟ

।।

ଶ୍ରୀ ରାଧାକୁଣ୍ଡ ଶ୍ୟାମାକୁଣ୍ଡ

ବୁଡ଼ାଇ ସ୍ଥାନେ ସ୍ଥାନେ ମୁଣ୍ଡ

।।

କେଳି କଦମ୍ୱ କୁଞ୍ଜଲତା

ଯହିଁ ସେବନ୍ତି ଊର୍ଦ୍ଧ୍ୱରେତା

।।

ରାସସ୍ଥଳୀ ଯେ ଆଦି କରି

ଲୋକେ ଯାଚନ୍ତି ମଧୁକେରୀ

।।

ଦ୍ୱାଦଶ ବୃନ୍ଦାବନେ ସୀମା

ସମସ୍ତ କରି ପରିକ୍ରମା

।।

ବୈଷ୍ଣବ ମଠ ଆଦି ଯେତେ

ବୁଲି ଦେଖିଲା ବିଧିମତେ

।।

ଲେଉଟି ଯାଇ ବଂଶୀଧର

ଯେ ପ୍ରଭୁ ତ୍ରୈଲୋକ୍ୟ ଈଶ୍ୱର

।।

ମଦନ ମୋହନ ମୁରାରି

ଶ୍ୟାମସୁନ୍ଦର ଦଇତ୍ୟାରି

।।

ଜଗଜ୍ଜୀବନ ଦାଶରଥି

ରାଧା ନାଗରୀ ପ୍ରାଣପତି

।।

ମହାମହିମା ମହାମେରୁ

ଭକତ ବାଞ୍ଛା କଳ୍ପତରୁ

।।

ତାହାଙ୍କୁ ଦରଶନ କଲେ

ଭିକ୍ଷାରେ ଅର୍ଥେ ଚଳିଗଲେ

।।

ମାଗିଲେ ଭିକ୍ଷାପାତ୍ର ଧରି

ଲୋକେ ଯାଚନ୍ତି ମଧୁକେରୀ

।।

ଭକ୍ଷଣକରୁ କରୁ ତୁଣ୍ଡେ

ତୁଣ୍ଡୁ କାଢିଣ ଦ୍ୟନ୍ତି ଖଣ୍ଡେ

।।

ତା ଦେଖି ସେ ଜ୍ଞାନଗୋଧଡ଼

ମନେ ପାଇଲେ ଲଜ୍ଜା ବଡ଼

।।

ବୋଇଲେ ଆରେ ଅଷ୍ଟମାନେ

ଉଚ୍ଛିଷ୍ଟ ଯାବୁଛ କେସନେ

।।

ଆମ୍ଭେ ଆଚାରି ଶୁଦ୍ଧଜନ

ନ ଛୁଉଁ ପରହସ୍ତୁଁ ଅନ୍ନ

।।

ଉଚ୍ଚିଷ୍ଟ ଭକ୍ଷିବୁଁ କେମନ୍ତେ

ଏହା ତ ଯାଚୁ ଅଛ ମୋତେ

।।

ନିଶ୍ଚେ ଜାଣିଲି ଏ ଭୁବନ

ମଧ୍ୟରେ ଅଛ ଯେତେ ଜନ

।।

ସର୍ବେ ଅଜ୍ଞାନୀ ଦୂରାଚାର

ସୁଦୟା ନାହିଁ ନା ତୁମ୍ଭର

।।

ତା ଶୁଣି ବ୍ରଜବାସୀମାନେ

ଚାହିଁଲେ କର୍କଶ ନୟନେ

।।

ବୋଇଲେ ଶୁଣ ହେ ଗୋଧଡ଼

ଆମ୍ଭହୁଁ ଆଚାରି ତୁ ବଡ଼

।।

ଏ ବ୍ରଜ ଭୂମିର ମାହାତ୍ମ୍ୟ

ତୁ କି ଜାଣିମା ହେବୁ କ୍ଷମ

।।

ଯେ ତୋର ଜନ୍ମଦାତା ଗୁରୁ

ଆମ୍ଭର ଜନ୍ମ ଯାହାଠାରୁ

।।

ସେ ପୁଣି ଦେହଧାରୀ ହେବ

ଏ ବ୍ରଜ ଭୂମିକୁ ଆସିବ

।।

କପାଳେ କରପତ୍ର ଯୋଡ଼ି

ନିଶ୍ଚେ ଚରଣ ତଳେ ପଡ଼ି

।।

ମାଗିଲେ ଭିକ୍ଷାପାତ୍ର ଧରି

କାହୁଁ ପାଇଲେ ମଧୁକେରି

।।

ତୁ ପୁଣି ଆସି ଏ ଭୁବନ

କହୁଛୁ ଆଚାର ବିଧାନ

।।

ଜାଣିଲୁ ତୁ ଆଚାରି ପୁଅ

ଏ ବ୍ରଜ ଭୂମି ଛାଡ଼ିଯାଅ

।।

ଏଥୁ ତୁ ଥିଲେ ହେବୁ ନାଶ

କ୍ଷୁଧାରେ ମରିବୁ ଅବଶ୍ୟ

।।

ତା ଶୁଣି ସେ ଜ୍ଞାନଗୋଧଡ଼ି

ଶିରେ କି ଆସି ବଜ୍ର ପଡ଼ି

।।

ମନେ ପାଇଲା ବଡ଼ ତାପ

ହୃଦରେ ଉଠଇ ସନ୍ତାପ

।।

ବୋଇଲେ ମରିବି ଅବଶ୍ୟ

ଏ ଭିକ୍ଷାପାତ୍ରେ କାର୍ଯ୍ୟ କିସ

।।

ଏମନ୍ତ ବୋଲି ଗଲେ ଉଠି

ପ୍ରଭୁ ଛାମୁରେ ଯାଇ ଭେଟି

।।

ସାଷ୍ଟାଙ୍ଗେ ଦଣ୍ଡବତ ହୋଇ

ଉଠି କପାଳେ କର ଦେଇ

।।

ବୋଇଲେ ନମୋ ବଂଶୀପାଣି

ଅଶେଷ ବ୍ରହ୍ମାଣ୍ଡ କାରେଣୀ

।।

ଅଶେଷ ଜୀବନ କରତା

ପ୍ରାଣୀଙ୍କ ଗତି ମୁକ୍ତି ଦାତା

।।

ସକଳ ଭୁତେ ବାସ ତୋର

ଜଗତ ତୋହର ଉଦର

।।

ସର୍ବ ବ୍ୟାପକ ଭଗବାନ

କେ ଜାଣେ ତୋର ବର୍ଣ୍ଣ ଚିହ୍ନ

।।

କେବଳ ଏ ତୋର ସଂସାର

ପାଳିବା ଅର୍ଥେ ବିଶ୍ୱମ୍ୱର

।।

ଅନେକ ଅବତାର ହୋଇ

ଜଗତ ରଖୁ ଭାବଗ୍ରାହୀ

।।

ମତ୍ସ୍ୟ କଚ୍ଛପ ଆଦି କରି

ବରାହ ଯେ ନରକେଶରୀ

।।

ବାମନ ପର୍ଶୁ ରାମ ରୂପ

ଶ୍ରୀହରି ଶ୍ରୀକୃଷ୍ଣ ସ୍ୱରୂପ

।।

ବୌଦ୍ଧକଳକି ରୂପ ଧରି

ଜଗତେ ନାନା କ୍ରୀଡ଼ା କରି

।।

ଦୁଷ୍ଟ ନିବାରି ଶିଷ୍ଟପାଳୁ

ତୁ ନାଥ ପରମ ଦୟାଳୁ

।।

ତୋର ମହିମା ଗୁଣ ଯେତେ

କେ ଜାଣି ପାରିବ ଜଗତେ

।।

ବ୍ରହ୍ମା ଶଙ୍କର ପୁରନ୍ଦର

ନାଗେନ୍ଦ୍ର ଚନ୍ଦ୍ର ଦିବାକର

।।

ଶେଷ ଶାରଦା ଆଦି କରି

ଅନେକ ଯୁଗ ପଥ ହେରି

।।

ତେ ମାୟା ନ ଜାଣି କିୟ୍ଚିତେ

ଭ୍ରମୁ ଅଛନ୍ତି ଏ ଜଗତେ

।।

ମୁଁ ପୁଣ କେତେ ହେଁ ମାତର

ଜାଣିବି ମହିମା ତୁମ୍ଭର

।।

ନ ଜାଣି ଜଗତେ ଭ୍ରମୁଛି

ଏଣୁ ଅଜ୍ଞାନ ମୁହିଁ ପୁଚ୍ଛି

।।

ତୁମ୍ଭେ ସଂସାର ଅଛ କରି

ବ୍ରହ୍ମ କ୍ଷତ୍ରୀୟ ଆଦି ଚାରି

।।

ଅପେରା ଯେତେ ଜାତି ଛନ୍ତି

ଯେ ଯାହା କୁଳାଚାରେ ଥାନ୍ତି

।।

ମୁହିଁ କି ଏଥିରୁ ବାହାର

ଏକଥା ବୁଝ ବେଣୁଧର

।।

ଆଚାରି କୁଳେ ଜନ୍ମ ଦେଲୁ

ଏବେ ଉଚ୍ଛିଷ୍ଟ ଭକ୍ଷ ବୋଲୁ

।।

ଏକଥା ଅଟଇ କେମନ୍ତ

ସଂଶୟ ଛେଦ ଗୋପୀନାଥ

।।

ନୋହିଲେ ମରିବି ଅବଶ୍ୟ

ଲାଗୁ ଏ ଜୀବହତ୍ୟା ଦୋଷ

।।

ଏମନ୍ତ କାଷ୍ଠା କରି ମନେ

ଶୋଭିଲା ବିଭୁତି ଆସନେ

।।

ଚିନ୍ତିଣ ଗୋବିନ୍ଦ ପୟର

ଅନ୍ନ ଭୋଜନ କଲା ଦୂର

।।

କେଣିକି ପାଦ ନ ଚଳିଲା

ମରଣ ପଥ ଆବୋରିଲା

।।

ତାହା ଜାଣିଲେ ଦେବ ସ୍ୱାମୀ

ଯେ ପ୍ରଭୁ ସର୍ବ ଅନ୍ତର୍ଯ୍ୟାମୀ

।।

ଭକତ ଆତଙ୍କ କିଞ୍ଚିତେ

ସହି ନ ପାରି କଦାଚିତେ

।।

ରଜନୀ ଅଛି ଅର୍ଦ୍ଧ ହୋଇ

ସେହି ସମୟେ ଭାବଗ୍ରାହୀ

।।

ଶ୍ରୀ ବଇଷ୍ଣବ ରୂପ ଧରି

କେ କହୁ ଶୋଭଇ ମାଧୁରୀ

।।

ଉର୍ଦ୍ଧ୍ୱ ପୁଣ୍ଡ୍ରକ ଭାଲପଟ

ଶୁଭ୍ର ଦିଶଇ ଝଟ ଝଟ

।।

ମଧ୍ୟେ ହରିଦ୍ରା ଶିରୀ ଶୋଭା

ଦିଶଇ ଯେହ୍ନେ ସୋମପ୍ରଭା

।।

ଶ୍ରୀଭୁଜେ ଶଙ୍ଖ ଚକ୍ର ଚିହ୍ନ

ଫୁଟି ଦିଶଇ ଭିନ୍ନ ଭିନ୍ନ

।।

ଗଳେ ପୁଷ୍ପର ଜ୍ୟୋତି ମାଳି

ହୃଦପଦ୍ମର ମଧ୍ୟେ ଲୁଳି

।।

କଟୀରେ ଶୋହେ ପୀତାମ୍ୱର

ବେଢାଇ ଦେଇ ଦାମୋଦର

।।

ପାଦରେ ସୁବର୍ଣ୍ଣ କଠାଉ

ଚାଲନ୍ତେ ଦିଶେ ଦାଉ ଦାଉ

।।

ମଉଳି ପଛେ ଚୁଟି କେରି

ପବନେ ଉଡ଼େ କେରି କେରି

।।

ମହା ତପସ୍ୱୀ ଜନ ପ୍ରାୟ

ଅଙ୍ଗ ଦିଶଇ ଜ୍ୟୋତିର୍ମୟ

।।

ଏମନ୍ତ ବେଶେ ବନମାଳୀ

ଶ୍ରୀହସ୍ତେ ସୁବର୍ଣ୍ଣର ଥାଳି

।।

ତହିଁ ଗରମ ରୋଟି ଭରି

ଘୃତ ନବାତ ଅଛି ପୂରି

।।

ମୁଗ ତିଉଣ ସଙ୍ଗେ ଦଧି

ଧରି ପ୍ରବେଶ ଦୟାନିଧି

।।

ସେ ଜ୍ଞାନାନନ୍ଦ ଦାସେ ଶୋଇ

ଅଛନ୍ତି କିଛି ଚିନ୍ତା ନାହିଁ

।।

ଏମନ୍ତ ବଳେ ଦେବ ହରି

ଡାକିଲେ ଡାକ ଗୋଟାଚାରି

।।

ଉଠ ଯେ ଜ୍ଞାନାନନ୍ଦ ଦାସେ

କିମ୍ପା ଶୋଇଛ ଉପବାସେ

।।

ଆମ୍ଭେ ତୋହର କୁଳ ଇଷ୍ଟ

ଡାକୁଛୁ ବେଗ ହୋଇ ଉଠ

।।

ତା ଶୁଣି ଜ୍ଞାନାନନ୍ଦ ଦାସେ

ଉଠି ଚାହିଁଲେ ଚଉପାଶେ

।।

ଦେଖିଲେ ବଇଷ୍ଣବ ମୂର୍ତ୍ତି

ଉଠି ପ୍ରଣାମ କଲା ଧ୍ୟାତି

।।

କାକୁସ୍ଥ ହୋଇ ପଚାରନ୍ତି

କିମ୍ପା ବିଜୟ ଅର୍ଦ୍ଧରାତ୍ରି

।।

ଶୁଣି ବୋଇଲେ ପୀତବାସ

ଏ ବୃନ୍ଦାବନେ ଆମ୍ଭ ବାସ

।।

ଶୁଣିଲୁ ଜ୍ଞାନାନନ୍ଦ ଦାସେ

ଚାରିଦିନର ଉପବାସେ

।।

ଶୟନ କରିଣ ଅଛନ୍ତି

ଏଣୁ ବ୍ୟାକୁଳ ଆମ୍ଭ ମତି

।।

ଅଇଲୁ ଭକ୍ଷ ଜଳ ଧରି

ବସିଣ ଭୁଞ୍ଜ ବେଗ କରି

।।

ତୋ ମନେ ସଂଶୟ ନ କର

ଆମ୍ଭେ ଯେ କୁଳଗୁରୁ ତୋର

।।

ଏମନ୍ତ ବୋଲି ରୋଟିଥାଳୀ

ଥୋଇ ଜାଳିଲେ ଦୀପାବଳି

।।

ତା ଦେଖି ଜ୍ଞାନାନନ୍ଦ ଦାସ

ମନରେ ହୋଇଣ ହରଷ

।।

ଚିନ୍ତିଲେ ଶ୍ରୀକୃଷ୍ଣଙ୍କ ଚିହ୍ନ

ଆନନ୍ଦେ କଲେକ ଭୋଜନ

।।

ଉଠିଣ ମୁଖ ହସ୍ତ ଧୋଇ

ବୋଇଲେ ଶୁଣିମା ଗୋସାଇଁ

।।

ଏ ପୁରେ ଉଚ୍ଛିଷ୍ଟ ଭୋଜନ

କରନ୍ତି ସର୍ବ ଲୋକମାନ

।।

ଏ କଥା ଅଟଇ କେମନ୍ତ

ଏଣେ ସନ୍ଦେହ ମୋର ଚିତ୍ତ

।।

ତାହା ଶୁଣିଣ ଆଦିକନ୍ଦ

ବୋଇଲେ ଶୁଣ ଜ୍ଞାନାନନ୍ଦ

।।

ଏ କ୍ଷେତ୍ର ମହାତମ ଯାହା

ଜାଣନ୍ତି ପାର୍ବତୀଙ୍କ ନାହା

।।

ଧାତାକୁ ନୁହଇ ଗୋଚର

ଅନ୍ୟ କହିବା ଶକ୍ତି କାର

।।

କାଲି ମୌଛବ ବେଳେ ଆସ

ଫିଟିବ ଏଥିର ସନ୍ଦେଶ

।।

ଏମନ୍ତ ବୋଲି ବନମାଳୀ

ସୁବର୍ଣ୍ଣ ଥାଳୀ ଧରି ଚଳି

।।

ତହୁଁ ବୋଇଲେ ଅନ୍ତର୍ଦ୍ଧାନ

ଶୁଣ ହେ ସୁମନ ରାଜନ

।।

ସେ ଯେ ଗୋଧଡ଼ି ମହାଜ୍ଞାନୀ

ପ୍ରଭୁଙ୍କୁ ନ ପାରିଲା ଚିହ୍ନି

।।

ଯା ମାୟା ଦେବେ ଅଗୋଚର

କାହୁଁ ଜାଣିବ ନର ଛାର

।।

ମନୁଷ୍ୟ ପ୍ରାୟ ତାଙ୍କୁ ମଣି

ଶୟନ କଲେକ ରଜନୀ

।।

ଭଜିଣ ରାମ କୃଷ୍ଣ ହରି

ପ୍ରଭାତୁଁ ସ୍ନାନ ବେଗେ ସାରି

।।

ମାଳା ତିଳକ ଆଦି ଯେତେ

ମଣ୍ଡି ହେଲେ ସେ ବିଧିମତେ

।।

ଶିରେ ଡୋରିଆ ଶୋଭା ଜାଣ

ଅଙ୍ଗେ ଗୋଧଡ଼ି ଆଭରଣ

।।

ହସ୍ତରେ ଦଣ୍ଡ କମଣ୍ଡଳ

ପ୍ରବେଶ ଗୋବିନ୍ଦଙ୍କ ଆଳ

।।

ତହିଁ ହେଉଛି ମଉଚ୍ଛବ

କେ ତାହା ବଚନେ କହିବ

।।

ଅନେକ ସାଧୁ ବୃନ୍ଦ ଦାସ

ବିପ୍ର ବୈଷ୍ଣବ ଯେ ସନ୍ୟାସ

।।

ଯୋଗୀ ଜଙ୍ଗମ ବ୍ରହ୍ମଚାରୀ

ଯେ ଦୁଃଖୀ ଦରିଦ୍ର ଭିକାରୀ

।।

ଅପରେ ଯେତେ ଜାତିମାନ

ସମସ୍ତ କରନ୍ତି ଭୋଜନ

।।

ପ୍ରସାଦ ପରଶନ୍ତି ଆଣି

ଭୁଞ୍ଜନ୍ତି ପୁରୁଷ ତରୁଣୀ

।।

ଶ୍ରୀହସ୍ତେ ବେଣୁ ଗୋଟି ଧରି

ମଧ୍ୟେ ବିଜୟ ନରହରି

।।

ହୋଇ ଗୋପାଳ ବାଳମୂର୍ତ୍ତି

ସବୁ ଚରଚା କରୁଛନ୍ତି

।।

କେ କହୁ କଠୋର ମନନ୍ଦ

ତହିଁ ପ୍ରବେଶ ଜ୍ଞାନାନନ୍ଦ

।।

ସଭାକୁ ଅନାଇଣ ଦେଲେ

ଗୋବିନ୍ଦ ମାୟା ଭିଆଇଲେ

।।

ସର୍ବେ ଦିଶନ୍ତି ଚତୁର୍ଭୁଜ

ଶ୍ରୀକରେ ଶଙ୍ଖଚକ୍ର ତେଜ

।।

ନର ସ୍ୱରୂପ କେହି ନୋହେ

ସର୍ବେ ଦିଶନ୍ତି ବିଷ୍ଣୁ ପ୍ରାୟେ

।।

ଭୋଜନ କରୁଚନ୍ତି ବସି

ଏକୁ ଆରେକ ମିଶାମିଶି

।।

କେ କାହା କରୁ ରୋଟି ଧରି

ଦେଉ ଅଛଇ ମୁଖେ ଭରି

।।

କାହାକୁ କେହୁ ହସ୍ତ ପାତି

କେ କାହା ମୁଖରୁ ଛଡ଼ାନ୍ତି

।।

କେ କାହା ମୁଖେ ହସ୍ତ ଧରି

କହନ୍ତି ଦିଅ ମଧୁକେରୀ

।।

କେ ବୋଲେ ମୋରେ ଦୟାବହ

ଅଧରାମୃତ କିଛି ଦିଅ

।।

କେ ବୋଲେ ନୁହସି ଦାରୁଣ

ମୋହର ଭାଗ୍ୟ କାହିଁ ପୁଣ

।।

ଏମନ୍ତ ଭାବ ଲାଗିଅଛି

ତାହା ଦେଖନ୍ତି ଶିରୀବତ୍ସି

।।

ଶ୍ରୀହସ୍ତ ପ୍ରସାରି ବହନ

ବୁଲି ମାଗନ୍ତି ସ୍ଥାନ ସ୍ଥାନ

।।

ତାହା ଦେଖିଣ ସଭାଜନ

କହନ୍ତି ନିରାଶ ବଚନ

।।

ତୁଣ୍ଡରୁ କାଢିଣ କିଞ୍ଚିତେ

ଦିଅନ୍ତି ଗୋବିନ୍ଦଙ୍କ ହସ୍ତେ

।।

ତାହା ପାଇଣ ଭାବଗ୍ରାହୀ

ଆନନ୍ଦେ କେ ପାରିବ କହି

।।

ଦେଖିଣ ସେ ଜ୍ଞାନ ଗୋଧଡ଼ି

କର ଯୁଗଳ ଶିରେ ଯୋଡ଼ି

।।

ବିଚାର କଲା ମନେ ତାର

ବୋଇଲା ଏକି ଚମତ୍କାର

।।

ସର୍ବେ ଦିଶନ୍ତି ଚତୁର୍ଭୁଜ

କେବଳ ବିଷ୍ଣୁମୟ ତେଜ

।।

ମଧ୍ୟେ ବିଜୟ ବେଣୁଧର

ଦିଶନ୍ତି ମନୁଷ୍ୟ ଆକାର

।।

ଏ ନିଶ୍ଚେ ପ୍ରଭୁ ଗୋପୀନାଥ

ଆମର ନୋହେ ଏ ଚରିତ

।।

ମୋ ଗର୍ବ ଗଞ୍ଜନ ନିମନ୍ତେ

ଏ ଲୀଳା ଦେଖାଇଲେ ମୋତେ

।।

ମୁଁ ମୂଢ ମନ୍ଦକୃତ୍ୟ କଲି

ପ୍ରଭୁ ମହିମା ନ ଜାଣିଲି

।।

ଗର୍ବ ଯେ କଲି ମୋର ମନେ

କେ ମୋତେ ରଖୁ ତ୍ରିଭୁବନେ

।।

ଏମନ୍ତ କହି ସ୍ତୁତି ଭଣି

ବୋଇଲେ ନମୋ ଚକ୍ରପାଣି

।।

ସକଳ ଜୀବ ପଡ଼ିଦାତା

ଏଣୁ ତୁ ସର୍ବଜନ ପିତା

।।

ଏଥୁ ମୁଁ ନୁହଇ ଅନ୍ତର

ମୋ ଅପରାଧ କ୍ଷମା କର

।।

ଏମନ୍ତ ବୋଲି ପାଦେ ପଡ଼ି

ଉଠି କପାଳେ କରଯୋଡ଼ି

।।

ବୋଇଲେ ଦିଅ ମଧୁକେରୀ

ସବୁ ଜାଣିଲେ ଦେବ ହରି

।।

ଏ ବୃନ୍ଦାବନ ମଧ୍ୟଗତେ

ଅଛନ୍ତି ଦେହଧାରୀ ଯେତେ

।।

ମନୁଷ୍ୟର ଆଦି ପଶୁଗଣେ

କୀଟ ପତଙ୍ଗ ତରୁଗଣେ

।।

ଏ ସର୍ବ ତୋହର ଶରୀର

ତୁ ଅଟୁ ଅନ୍ତର ବାହାର

।।

ଏଥେ ସନ୍ଦେହ କିଛି ନାହିଁ

ଏବେ ଜାଣିଲି ଭାବଗ୍ରାହୀ

।।

ଏମନ୍ତ ବୋଲି ଭାବଭରେ

ବେନି ନୟନୁ ନୀର ଝରେ

।।

ରୋମ ପୁଲକ ହେଲା କାୟେ

କଦମ୍ୱ କୋରକ ପରାୟେ

।।

କଣ୍ଠ ହୋଇଲା ଗଦ ଗଦ

କହୁଁ ସ୍ଫୁରିଲା କେତେ ପଦ

।।

ଆନନ୍ଦେ କୃତ କୃତ୍ୟ କରି

ମାଗିଲେ ଦିଅ ମଧୁକେରୀ

।।

ଅନାଇ ଦେଲେ ଆଦିକନ୍ଦ

ଭାବେ ବୁଡ଼ିଲେ ଜ୍ଞାନାନନ୍ଦ

।।

ବୋଇଲେ ନିସ୍ତରିଲି ମୁହିଁ

ଶୁଣ ହେ ମନ ନୃପସାଇଁ

।।

ସେଦିନୁ ସେ ଜ୍ଞାନ ଗୋଧଡ଼ି

ନ ଗଲେ ବୃନ୍ଦାବନ ଛାଡ଼ି

।।

ମନ ବଚନ କର୍ତ୍ତବ୍ୟରେ

ପୂଜିଣ ଗୋବିନ୍ଦ ପୟରେ

।।

ତହିଁ ରହିଲେ କୁଟୀ କରି

ଭଜନ ଗୋଟି ମୂଳ କରି

।।

ଦେହାନ୍ତେ ପାଇଲେକ ଗତି

ତାହା ଜାଣିଲେ ରାଧାପତି

।।

ମୁଁ ତାହା ନ ପାରଇ ଜାଣି

ଶୁଣ ଇନ୍ଦ୍ରିୟ ଚୂଡ଼ାମଣି

।।

ଏ ଦାର୍ଢ୍ୟଭକ୍ତି ରସାମୃତ

କେବଳ ଶ୍ରବଣେ ଅମୃତ

।।

ଶରଣ ବିପ୍ର ରାମଦାସ

ହେ ପ୍ରଭୁ କମଳା ବିଳାସ

।।

ଯେ ବୃନ୍ଦାବନ ଭକ୍ତବୃନ୍ଦ

ତାଙ୍କ ଚରଣ ଅରବିନ୍ଦ

।।

ମଧୁ ରସକୁ କରି ଆଶ

ମୋ ନମଭୃଙ୍ଗ କରୁ ଗ୍ରାସ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନଚୈତନ୍ୟ ସମ୍ୱାଦେ ଜ୍ଞାନାନନ୍ଦ

ଦାସ ଦାର୍ଢ୍ୟଭାବ ବର୍ଣ୍ଣନେ ନାମ ଅଷ୍ଟଚତ୍ୱାରିଂଶୋ ଅଧ୍ୟାୟଃ ।

•••

 

ଊନପଞ୍ଚାଶତ ଅଧ୍ୟାୟ

ଆନନ୍ଦ-ଶବର ସମ୍ୱାଦ

 

ନମସ୍ତେ ପ୍ରଭୁ ରଘୁନାଥ

କାଣ୍ଡ କୋଦଣ୍ଡ ବେନିହସ୍ତ

।।

କୌଶଲ୍ୟା ଦେବୀଙ୍କ ନନ୍ଦନ

ଅଶେଷ ମୁନିଙ୍କ ବନ୍ଦନ

।।

ତେଣୁ ଶରଣ ବିପ୍ର ରାମ

ପୂରାଅ ମୋର ମନସ୍କାମ

।।

ପୁଣି ଚୈତନ୍ୟ ମହାଜ୍ଞାତା

କହଇ ବିଷ୍ଣୁ ଭକ୍ତ କଥା

।।

ଶୁଣ ସୁମନ ଶୁଦ୍ଧଭାବେ

ମୁଁ ଯାହା କହୁଅଛି ଏବେ

।।

ଶ୍ରୀହରି ଭକ୍ତମାନଙ୍କର

ମହିମା ଅପାରୁ ଅପାର

।।

ଯେ ନର ଶ୍ରଦ୍ଧଭାବେ ଶୁଣି

ସେ ତରେ ଭବ ତରଙ୍ଗିଣୀ

।।

ଦେଖ ସେ ଜାତିରେ ଶବର

ତଳ ମାଳାରେ ତାର ଘର

।।

ନାମ ଆନନ୍ଦେ କଉତୁକୀ

ନିରତେ ପତଙ୍ଗ ପାତକୀ

।।

ପୁତ୍ର ଦୁହିତା ତାର ନାହିଁ

ଏକା ସେ ପତି ପତ୍ନୀ ଦୁଇ

।।

କେବଳ ପକ୍ଷୀ ବେଣ୍ଟ କରେ

ସେ ଅଠାକଣ୍ଡିଆ ନଳରେ

।।

ଜାଲ ପକାଇ ଫାଶ ପାତି

ପକ୍ଷୀଙ୍କି ମାରୁଥାଇ ନିତି

।।

ସେ ପକ୍ଷୀ ମାଂସ ବିକି ଆଣି

ପ୍ରାଣ ପୋଷନ୍ତି ବେନିପ୍ରାଣୀ

।।

ଏମନ୍ତେ ବେନିଜଣ ଥାନ୍ତି

ପାତକ ବୋଲି ନାହିଁ ଭୀତି

।।

ସେ ନିତ୍ୟ ଜୀବହତ୍ୟା କରେ

ଅନ୍ୟ ପାପକୁ ସେ କି ଡରେ

।।

ନ ଜାଣେ ଅନ୍ୟ କଥାମାନ

ଯେ ତୀର୍ଥବ୍ରତ ଦାନ ପୁଣ୍ୟ

।।

ଶ୍ରୀରାମ କୃଷ୍ଣ କଥାମାନ

ଦିନେ ଶୁଣିଲା ନାହିଁ କର୍ଣ୍ଣ

।।

ସାଧୁଙ୍କ ସଙ୍ଗ କରିବାର

ତିଳେ ହେଁ ମନ ନାହିଁ ତାର

।।

କେବଳ ଜୀବହତ୍ୟା କରେ

ବଞ୍ଚଇ କାଳ କ୍ଷେପଣରେ

।।

ଉତ୍ତର ଦେଶରେ ଭକତ

ବିଚାର କଲେ ତାଙ୍କ ଚିତ୍ତ

।।

ବାରେ ମୁଁ କ୍ଷେତ୍ରବରେ ଯିବି

ପ୍ରଭୁଙ୍କୁ ଦର୍ଶନ କରିବି

।।

ଏମନ୍ତ ବିଚାରିଣ ଚିତ୍ତେ

ଗମିଲେ କ୍ଷେତ୍ରର ନିମନ୍ତେ

।।

ଗ୍ରାମ ଗ୍ରାମକେ ରହି ରହି

ମିଳିଲେ ସେ ଗ୍ରାମରେ ଯାଇ

।।

ଆସି ପ୍ରବେଶ ହେଲେ ତହିଁ

ଶବର ଦ୍ୱାରେ ଉଭା ହୋଇ

।।

ବିଚାର କଲେ ହୃଦୟରେ

ରାତ୍ରକ ବଞ୍ଚିବା ଏଠାରେ

।।

ଏମନ୍ତ ଭାବି ତହିଁ ବସି

ଆନନ୍ଦେ ରାମନାମ ଘୋଷି

।।

ତାହା ଶୁଣିଣ ସେ ଶବର

ମନ୍ଦିରୁ ହୋଇଲା ବାହାର

।।

ପାଶେ ପ୍ରବେଶ ହେଲା ଆସି

ପୁଚ୍ଛଇ ମନ୍ଦ ମନ୍ଦ ହସି

।।

କହେ ବୈଷ୍ଣବ କୋଉଁଠାରେ

କିମ୍ପା ଅଇଲ ଏହୁ ପୁରେ

।।

କାହୁଁ ଅଇଲେ ଯିବ କାହିଁ

ସ୍ୱରୂପ କହ ହେ ଗୋସାଇଁ

।।

ତା ଶୁଣି ବୋଇଲେ ଅତିଥି

ଶୁଣ ଶବର କହୁଁ ସତ

।।

ଆମ୍ଭେ ଯେ ସଦା ତୀର୍ଥବାସୀ

ଯୋଗେ ମିଳିଲୁ ଏଥେ ଆସି

।।

ଦକ୍ଷିଣ ଦେଶକୁ ଗମନ

କରିବୁ ବିଚାରୁଛୁ ମନ

।।

ଶ୍ରୀରାମ ଧାମ ଯାଏ ଯିବୁ

ପ୍ରଭୁଙ୍କୁ ଦର୍ଶନ କରିବୁଁ

।।

ତହିଁ ଉତ୍ତାରେ ରଘୁବର

ଯେଣେ ନେବେ ଇଚ୍ଛା ତାଙ୍କର

।।

ମୋହର ନୁହଇ ଆୟତ୍ତ

ଶବର କହିଁଲୁଟି ସତ୍ୟ

।।

ତୋହର ନାମ ଗୋଟି କିସ

କେବଣ ଗୁରୁତ ତୁ ଶିଷ୍ୟ

।।

ଜୀବିକା ଅଟେ କିସ ତୋର

କହ ତୋ ସ୍ୱରୂପ ଆଚାର

।।

ତା ଶୁଣି ଶବର କହଇ

ଶୁଣ ହେ ବୈଷ୍ଣବ ଗୋସାଇଁ

।।

ନାମ ମୋ ପଚାରିଲା ଯାହା

କହୁଅଛି ମୁଁ ଶୁଣ ତାହା

।।

ଆନନ୍ଦ ନାମ ଗୋଟି ମୋର

ଦେଇ ଯେ ଅଛନ୍ତି ପିଅର

।।

ଜାତି ମୋ ଅଟଇ ଶବର

କେଜାଣେ ଗୁରୁ ବୋଲି ମୋର

।।

କିସ ହୁଅଇ ଗୁରୁ କଲେ

ଏହା ମୁଁ ନ ଜାଣଇ ଭଲେ

।।

ଏବେ ଗୋସାଇଁ ତା କହିବ

ଶୁଣିବ ଗୁରୁ ଶିଷ୍ୟ ଭାବ

।।

ଶୁଣି ଅତିଥ କହେ ଧୀର

ଶୁଣରେ ଆନନ୍ଦା ଶବର

।।

ଯେବେ ତୁ କରିନାହୁଁ ଗୁରୁ

କି ରୂପ ତରିବୁ ସଂସାରୁ

।।

ଶ୍ରୀରାମ କୃଷ୍ଣ ମନ୍ତ୍ର ବାଣୀ

ଯେବେ ଶ୍ରବଣେ ନାହୁଁ ଶୁଣି

।।

ନିଶ୍ଚେ ନରକେ ଗତି ତୋର

ମୂଳ ହୋଇଲା ମନେ କର

।।

ତୋ ସଙ୍ଗେ ପ୍ରସଙ୍ଗ ହେବାର

ଉଚିତ ନୁହଇ ଆମ୍ଭର

।।

ଏମନ୍ତ କହି ପୋତି ମଥା

ରହିଲେ ନ କହିଣ କଥା

।।

ତା ଶୁଣି ବୋଲଇ ଶବର

ଶୁଣ ଗୋସାଇଁ ମୋ ଉତ୍ତର

।।

ମୁଁ ଯେବେ ଏଡ଼େ ପାପୀ ଜନ

ପବିତ୍ର କର ମୋ ଜୀବନ

।।

ଶ୍ରୀରାମ ନାମ ମନ୍ତ୍ର ସାର

ଶ୍ରବଣେ ଦିଅ କିନା ମୋର

।।

ପାଇ ଶ୍ରୀଗୁରୁ ଉପଦେଶ

ପାତକ ମୋର ହୋଉ ନାଶ

।।

ତୁମ୍ଭେ ଚରଣେ ଶରଣ

କର ମୋ ଜୀବ ପରିତ୍ରାଣ

।।

ଏମନ୍ତ ବୋଲି ପାଦେ ପଡ଼ି

ଉଠି ମସ୍ତକେ କର ଯୋଡ଼ି

।।

ବିନୟେ କହିଲା ବହୁତ

ଶୁଣ ସନ୍ତୋଷ ସେ ଅତିଥ

।।

ଶୁଣ ହେ ମନ ମହୀପାଳ

ସାଧୁଙ୍କ ସେବା ଏତେ ଫଳ

।।

ଉଦେ ହଇଲେ ଦିନକର

ଯେସନେ ନାଶେ ତମଘୋର

।।

ଶରଦ ହୋଇଲେ ପ୍ରବେଶ

ଜଳୁଁ କଳୁଷ ଯେହ୍ନେ ନାଶ

।।

ଲାଗିଲେ ପରଶ ପଥର

ସୁବର୍ଣ୍ଣ ହୁଏ ଲୁହା ଛାର

।।

ବସନ୍ତ କାଳ ଆଗମନେ

କାଷ୍ଠ ଚନ୍ଦନ ହୁଏ ଯେହ୍ନେ

।।

ଯେସନେ ଦେଖ ନଦୀଜଳ

ଗଙ୍ଗା ସଙ୍ଗତେ ହେଲେ ମେଳ

।।

ତେସନେ ଗଙ୍ଗା ହୁଏ ସେହି

ଭେଦ କରନ୍ତା କେହି ନାହିଁ

।।

ଏଣୁ ସୁସଙ୍ଗ ଫଳ ଯେତେ

କେ କହି ପାରିବ ସାକ୍ଷାତେ

।।

ତହୁଁ ଶବର ଗଲା ଚଳି

ନିଜ ମନ୍ଦିରେ ଯାଇ ମିଳି

।।

କହିଲା ନିଜ ପତ୍ନୀ ପାଶ

ଘେନିବି ମନ୍ତ୍ର ଉପଦେଶ

।।

ବୈଷ୍ଣବ ଜଣେ ଛନ୍ତି ବସି

ଉତ୍ତମ ସାଧୁ ତୀର୍ଥବାସୀ

।।

ତାହାଙ୍କଠାରୁ ମନ୍ତ୍ର ସାର

ଘେନିବି ମନ ହେଲା ମୋର

।।

ଏମନ୍ତ କହି ନିଜପୁର

ଗୋମୟ କରିଣ ସଂସ୍କାର

।।

ନାନା ବର୍ଣ୍ଣରେ ଦେଇ ଝୋଟି

ପକାଇ ମୃଗଛାଲ ଗୋଟି

।।

ସୁସ୍ୱାଦୁ ଫଳମୂଳ ମାନ

ଯତନେ ଥୋଇଲା ସେ ସ୍ଥାନ

।।

ଅତିଥି ବିଜେ କରାଇଲା

ନେଇ ଆସନେ ବସାଇଲା

।।

କହିଲା ବିନୟ ବଚନ

ପବିତ୍ର କର ମୋ ଜୀବନ

।।

ତା ଶୁଣି କହନ୍ତି ଅତିଥି

ଶୁର ଶବର କହୁ ସତ୍ୟ

।।

ଆମ୍ଭେ ଯଦ୍ୟପି ନାମ ତୋତେ

ଦେବୁ ସ୍ୱରୂପ କହ ମୋତେ

।।

ଆମ୍ଭର ଆଜ୍ଞା ପାଳୁଥିବୁ

କେବେ ଅନ୍ୟଥା ନ କରିବୁ

।।

ଏକଥା ସତ୍ୟ କରୁ ଯେବେ

ତୋ କର୍ଣ୍ଣେ ମନ୍ତ୍ର ଦେବୁ ତେବେ

।।

ତା ଶୁଣି ବୋଲଇ ଶବର

ଶଉର ଗୋସାଇଁ ସତ୍ୟ ମୋର

।।

ଯେ ଆମ୍ଭ କୁଳାଚାର କଥା

ଆମ୍ଭେ ତା ନ ଛାଡ଼ିବୁ ସର୍ବଥା

।।

ଏଥିଉତ୍ତାରେ କଥା ଯେହୁ

ବହନ କରି ଆଜ୍ଞା ହେଉ

।।

ପାଳିବି ସତ୍ୟ ସତ୍ୟ ମୋର

କହୁଛି ତୁମ୍ଭର ଛାମୁର

।।

ତା ଶୁଣି ଅତିଥି ବୋଇଲେ

ମୁଁ ଯାହା କହୁଅଛି ଭଲେ

।।

ଯେବେ ତୁ ଦେଖିବୁ ଅତିଥି

ଆଗେ କରିବୁ ଦଣ୍ଡବତ

।।

କ୍ଷମତା ଥିଲେ କିଛି ଦେବୁ

ନ ଦେଲେ ବିନୟେ କହିବୁ

।।

ଯେ ନାମ କରିବ ଗାୟନ

ଶୁଣିବୁ ଶ୍ରଦ୍ଧା କରି ମନ

।।

ଯେବା ଭୋଜନ ତହିଁ କରି

ଭୁଞ୍ଜିବୁ କୃଷ୍ଣ ନାମ ଧରି

।।

ଏ କଥାଟିକି ସତ୍ୟ କର

ସତ୍ୟ ବୋଇଲା ସେ ଶବର

।।

ତା ଶୁଣି ସେ ଶବର ଆଣି

ସିଞ୍ଚିଲେ ମୁଣ୍ଡେ କୁଶପାଣି

।।

ବସାଇ ଆପଣା ନିକଟେ

ତିଳକ ଦେଲେ ଭାଲପଟେ

।।

ରାମ ତାରକ ମନ୍ତ୍ର ସାର

କହିଲେ କର୍ଣ୍ଣରେ ତାହାର

।।

ବୋଇଲେ ଶୁଣରେ ଶବର

ଯାହା କହିଲୁ କର୍ଣ୍ଣେ ତୋର

।।

କେବଳ ଇଷ୍ଟକର ତୋର

କେବେ ହେଁ ମନୁ ନ ପାସୋର

।।

ଏ ଯେଉଁ ମହାମନ୍ତ୍ର ଗୋଟି

ଭବବନ୍ଧନ ପାରେ କାଟି

।।

ଏଥିରେ ହେବ ଯା ବିଶ୍ୱାସ

ତାକୁ ପାତକ ଛାର କିସ

।।

ଏ ଯେଉଁ ଭବସିନ୍ଧୁ ବାରି

ନାମ ନାବରେ ହେବ ପାରି

।।

ନାମ ଅନଳ କିଞ୍ଚିତରେ

ପାତକ ତୁଳା ପର୍ବତରେ

।।

ଛୁଇଁବା ମାତ୍ରେ ଭସ୍ମ ହେବ

କେବଳ ବିଶ୍ୱାସ ଯା ଥିବ

।।

ଏମନ୍ତ କୁରୁ ଆଜ୍ଞା କହି

ଉଠିଲେ ବୈଷ୍ଣବ ଗୋସାଇଁ

।।

ସେ ଫଳମୂଳ ସେବା କଲେ

ଉଠି ପ୍ରଭାତୁଁ ଚଳିଗଲେ

।।

ଶବର ଖଣ୍ଡେ ଦୂର ଗଲା

ପ୍ରଣାମ କରିଣ କହିଲା

।।

କଥାଏ ମାତ୍ର ପୁଚ୍ଛିବଇଁ

କହ ମୋ ସନ୍ଦେହ ଫିଟାଇ

।।

ଏ ରାମ ନାମଗୋଟି ଯାର

କେମନ୍ତ ସ୍ୱରୂପ ତାଙ୍କର

।।

ଏତେକ ମାତ୍ର କହିଯିବ

ଶୁଣି କହନ୍ତି ଗୁରୁଦେବ

।।

ଯାହା ତୁ ପଚାରିଲୁ ମୋତେ

କହିବା ଶୁଣ ଶୁଦ୍ଧଚିତ୍ତେ

।।

ନବୀନ ନୀଳଘନ କାନ୍ତି

ପ୍ରାୟ ସେ ଶ୍ରୀରାମଙ୍କ ଜ୍ୟୋତି

।।

କେ କହୁ ଶ୍ରୀରାମଙ୍କ ଶୋଭା

କୋଟିଏ ଚନ୍ଦ୍ର ଜିଣି ପ୍ରଭା

।।

ରତ୍ନ କିରୀଟି ଶିରେ ଶୋହେ

ଯୋଗୀନ୍ଦ୍ର ଜନ ମନ ମୋହେ

।।

ରୁଚିର ଶ୍ରବଣେ ଯୁଗଳେ

ରତ୍ନ କୁଣ୍ଡଳ ବେନି ଲୁଳେ

।।

ଅମଳ କମଳ ନୟନ

ଚାହିଁଲେ ହରେ ପ୍ରାଣୀ ମନ

।।

ନାସିକା ଅତିହିଁ ରୁଚିର

ଧନ୍ୟ ସେ ସୁରଙ୍ଗ ଅଧର

।।

କଣ୍ଠେ କୌସ୍ତୁଭମଣି ସାଜେ

କାଣ୍ଡ କୋଦଣ୍ଡ ବେନିଭୂଜେ

।।

ହେମ କିଙ୍କିଣୀ କଟୀମାଝେ

ଚରଣେ ନୂପୁର ବିରାଜେ

।।

ରତ୍ନ କଠାଉ ଶ୍ରୀପୟରେ

ଯହିଁ ଶରଣ ସୁର ନରେ

।।

ଏମନ୍ତ ସ୍ୱରୂପ ସେ ରାମ

ଲକ୍ଷ୍ୟ ନୁହଇ କୋଟି କାମ

।।

ତୁ ଏହି ରୂପ ଧ୍ୟାନ କରି

ଭଜିବୁ ରାମନାମ ଧରି

।।

ଏମନ୍ତ କହି ଗୁରୁ ଗଲେ

ଶବର ଲେଉଟି ଅଇଲେ

।।

ଏ କଥା କରି ଗଣ୍ଠିଧନ

ପ୍ରବେଶ ତା ନିଜ ଭବନ

।।

ସ୍ନାନ ଶଉଚ ଆଦି ହୋଇ

ଭୋଜନ କରିବାକୁ ଯାଇ

।।

ବସି ସେ ରୂପ ଧ୍ୟାନ କରି

ଭୁଞ୍ଜିଲା ରାମନାମ ଧରି

।।

ଏହି ପ୍ରକାରେ ପ୍ରତିଦିନ

କରି ସେ ବଞ୍ଚୁଥାଇ ଦିନ

।।

ନ କରି ରାମରୂପ ଧ୍ୟାନ

ରାମ ନ ବୋଲି ଏକଦିନ

।।

ତୁଣ୍ଡେ ତା ନ ଦିଅଇ ବାରି

ଏହା ସେ ଅଛି ମୂଳ କରି

।।

ଆମିଷ ଆଦି ଦ୍ରବ୍ୟମାନ

ଯାହା ସେ କରଇ ଭୋଜନ

।।

ଶ୍ରୀରାମ ନ ବୋଲି କେବଳ

ନ ଭୁଞ୍ଜେ କେଭେଁ ସେ ଶବର

।।

ଏମନ୍ତ ଗଲା କେତେଦିନ

ଶୁଣ ହୋ ସୁମନ ରାଜନ

।।

ଦିନେକ ମୃଗଗୋଟି ମାରି

ତାହାର ମାଂସ ଆଣି କରି

।।

ଯତନେ କଲାକ ରନ୍ଧନ

ନାନାଦି ପ୍ରକାରେ ବ୍ୟଞ୍ଜନ

।।

ଭଜା ଶାକରାଦି ମହୁର

ଆମ୍ବିଳ ପାଚୁଡ଼ି ବେଶ୍ୱର

।।

ଏମନ୍ତ ନାନାବିଧ କରି

ସ୍ନାନାଦି କର୍ମମାନ ସାରି

।।

ଭୁଞ୍ଜିବା ନିମନ୍ତେ ଶବର

ବସିଲେ ଆସନେ ତାହାର

।।

ପତ୍ନୀ ତା ପରଶିଲା ଆଣି

ବୋଇଲା ଶୁଣ ପ୍ରାଣମଣି

।।

ଯେବେ ଏତେକ ଖାଇଦେବ

ବଳିଷ୍ଠ ବୋଲି ଜଣାଯିବ

।।

ଶୁଣି ଶବର ତୋଷ ହୋଇ

ପ୍ରିୟାକୁ ଆଗରେ ବସାଇ

।।

ଅନେକ ପରିହାସ କଲା

ଗୁରୁଙ୍କ ଆଜ୍ଞା ପାସୋରିଲା

।।

ମାଂସ ଖଣ୍ଡକ ହସ୍ତେ ଧରି

ନାମ ନ ବୋଲି ତୁଣ୍ଡେ ଭରି

।।

ଗିଳିଲାବେଳେ ମନେ ତାର

ପଡ଼ିଲା ଗୁରୁ କହିବାର

।।

ବୋଇଲା ଧିକ ମୋ ଜୀବନ

ଛାଡ଼ିଲି ଗୁରୁଦେବା ଜ୍ଞାନ

।।

ଏ ଦେହେଁ ପ୍ରୟୋଜନ କିସ

ହୁଡ଼ିଲି ଜୀବନର ଆଶ

।।

ଏମନ୍ତ ବୋଲି ଦୁଃଖାନ୍ତରେ

ତଣ୍ଟି ଧଇଲା ବାମ କରେ

।।

ଗର୍ଭକୁ ଯିବ ବୋଲି କରି

ଭିଡ଼ି ଧଇଲା ଆଣ୍ଟ କରି

।।

ଭାର୍ଯ୍ୟାକୁ ବୋଇଲା ଲୋ ଶୁଣ

ଦାଢୁଆ କାଣ୍ଡ ପଟେ ଆଣ

।।

ଖଣ୍ଡା ବା କଟୁରୀ କୁରାଢୀ

ଯେ ତୋର ହସ୍ତେ ଯିବ ପଡ଼ି

।।

ବହନ ଘେନି କରି ଆସ

ବିଳମ୍ୱେ ନାହିଁ ଆଉ ଯଶ

।।

ମୁଁ ମୂଢ ମନ୍ଦକୃତ୍ୟ କଲି

ଶ୍ରୀରାମ ନ ବୋଲି ଭୁଞ୍ଜିଲି

।।

ଆଣ୍ଟେ ମୁଁ ଧରିଅଛି ତଣ୍ଟି

କଣ୍ଠ ତଳରୁ ଦେବି କାଟି

।।

ସେ ମାଂସ କାଢି ପକାଇବି

ମୁଖ ଧୋଇଣ ଶୁଚି ହେବି

।।

ଚିନ୍ତି ଶ୍ରୀଗୁରୁ ଦେବା ଜ୍ଞାନ

ପୁଣି ମୁଁ କରିବି ଭୋଜନ

।।

ଶୁଣି ଯୁବତୀ ବୋଲେ ଥାଇ

ତୋତେ କିଏ ସେ କଲା ବାଇ

।।

ତଣ୍ଟି କାଟିଲେ ତୁ ମରିବୁ

ଏକ୍ଷଣି ଜୀବନ ହାରିବୁ

।।

ଏ ବୁଦ୍ଧି କେହି ଦେଲା ତୋତେ

ଅନାଥ କରିବୁ କି ମୋତେ

।।

ଛାଡ଼ ତୁ ଏମନ୍ତ ସାହସ

ତୁଣ୍ଡୁ ପକାଇ ଦିଅ ମାଂସ

।।

ତା ଶୁଣି ବୋଲଇ ଶବର

ସେ ପୁଣି ନୁହଇ ବାହାର

।।

ମୀନର କଣ୍ଟା ପ୍ରାୟ ହୋଇ

ସେ ଗଳେ ଲାଗିଣ ଅଛଇ

।।

ତଣ୍ଟିରୁ କାଢିଦେଲେ ହସ୍ତ

ଗର୍ଭକୁ ଯିବଟି ତ୍ୱରିତ

।।

ଶୁଣି ଯୁବତୀ ଡକା ପାଡ଼ି

ବୋଲଇ ହସ୍ତେ ଦିଅ କାଢି

।।

ଗର୍ଭକୁ ପଛେ ଯାଉ ମାଂସ

ନୋହିଲେ ମରିବୁ ଅବଶ୍ୟ

।।

ତୋ ପିଣ୍ଡୁ ଛାଡ଼ିଗଲେ ପ୍ରାଣ

ମୁଁ ବିଷ ଖାଇବି ପ୍ରମାଣ

।।

ଲାଗିବ ସ୍ତିରୀହତ୍ୟା ତୋତେ

ବୋଲି ଧଇଲା ବବିଷ ହସ୍ତେ

।।

ତା ଦେଖି ବୋଲଇ ଶବର

ତୁ ପଛେ ନିଶ୍ଚେ ମଲେ ମର

।।

ଯାବତ ସୃଷ୍ଟି ପ୍ରଳେ ହେଲେ

ସତ୍ୟ ମୁଁ ନ ଲଙ୍ଘିବି ତିଳେ

।।

ନିଶାରେ ଉଦେ ଦିନକର

ଶୀତଳ ହେବ ବୈଶ୍ୱାନର

।।

ବୃକ୍ଷ ପର୍ବତ ଗତାଗତ

ସାଗର ଲଙ୍ଘିବ ଜଗତ

।।

କଳଙ୍କ ତେଜି ନିଶାକର

ମୁନିଏ ହେବେ ଅନ୍ୟାଚାର

।।

ସତୀଏ ନିଜ ପତି ଛାଡ଼ି

ଅନ୍ୟ ପୁରୁଷ ସଙ୍ଗେ ପଡ଼ି

।।

ଏ ଉତପାତମାନ ହେଲେ

ସତ୍ୟ ମୁଁ ନ ଲଙ୍ଘିବି ଭଲେ

।।

କରିବି ଗୁରୁଙ୍କ ବଚନ

ଯାଉ ବା ଥାଉ ଏ ଜୀବନ

।।

ଏଥେ ବିଚାର ନାହିଁ ମୋର

ତାହା ଜାଣନ୍ତି ରଘୁବୀର

।।

ଏମନ୍ତ ବୋଲି ଉଠିଗଲା

ପ୍ରଚଣ୍ଡ କାଣ୍ଡେକ ଆଣିଲା

।।

କ୍ଷୁରଧାରହୁଁ ଅତି ଗାଢ

କାଟନ୍ତେ ଛିଡ଼ିଯିବ ହାଡ଼

।।

କଣ୍ଠରେ ବସାଇଲା ନେଇ

ତାହା ଜାଣିଲେ ଭାବଗ୍ରାହୀ

।।

ଯେ ପ୍ରଭୁ ଭକତ ବତ୍ସଳ

ଭକତଭାବ ଯାର ମୂଳ

।।

ନାହିଁ ତ ଉଚ୍ଚ ନୀଚ୍ଚ ଜାତି

ନ ଥାଇ ଧର୍ମାଧର୍ମ କୀର୍ତ୍ତି

।।

ନିଷ୍କାମ ଶକ୍ତି ଏକା ଥିବ

ସତ୍ୟରେ ଯାର ଦୃଢ ହେବ

।।

ସେ ତାର ମିତ୍ର ସମ ପରି

ତାହାକୁ ଜଗିଥାନ୍ତି ହରି

।।

ଏ କଥା ଅଟଇ ପ୍ରମାଣ

ସକଳ ଶାସ୍ତ୍ରେ ଏ ବଖାଣ

।।

ମାୟାରେ ବିପ୍ରରୂପ ହୋଇ

ବିଜୟ କଲେ ଭାବଗ୍ରାହୀ

।।

ଝଟକ ବିଦ୍ୟୁପ୍ରାୟ ଦିଶି

ଆକାଶୁ ପଡ଼ିଲେକି ଖସି

।।

ଶବର ଆଗେ ହେଲେ ଉଭା

କେ କହୁ ତାହାଙ୍କର ଶୋଭା

।।

ଅଳପ ମୃଦୁ ମୃଦ୍ୟୁ ହସି

କହନ୍ତି ପ୍ରଭୁ ବ୍ରହ୍ମରାଶି

।।

ଶୁଣରେ ଆନନ୍ଦା ଶବର

କିମ୍ପା କାନ୍ଦୁଛି ପତ୍ନୀ ତୋର

।।

ତୁ ହସ୍ତେ କାଣ୍ଡପଟେ ଧରି

କିମ୍ପା ତଣ୍ଟିରେ ଅଛୁ ଭରି

।।

ରୁଧିର ଗଳେ କି ନିମନ୍ତେ

ଫେଡ଼ିଣ କହ ତୁହି ମୋତେ

।।

ତା ଶୁଣି ଶବରର ନାରୀ

କାନ୍ଦଇ ବିପ୍ର ପାଦ ଧରି

।।

କାହୁଁ ବିଜୟ କଲ କିନା

ଜୀବନ ରଖ ବାରେ ସିନା

।।

ପତି ମୋ କାଟୁଅଛି ତଣ୍ଟି

ଛଡ଼ାଇ ନିଅ କାଣ୍ଡଗୋଟି

।।

ତା ଶୁଣି କହଇ ଶବର

କାଣ୍ଡ କେ ଛଡ଼ାଇବ ମୋର

।।

ମୋ ସତ୍ୟବ୍ରତ କଲେ ନାଶ

ଅଧର୍ମ ପାଇବ ଅବଶ୍ୟ

।।

ଗୁରୁ ମୋଦେବା ତତ୍ୱଜ୍ଞାନ

ଶ୍ରୀରାମ ସୁମରି ଭୋଜନ

।।

କରିବୁ ବୋଲି ଆଜ୍ଞା ଦେଲେ

ତାହା ମୁଁ ପାସୋରିଲି ଭୋଳେ

।।

ଦେଖ ମୋହର ମନ୍ଦକର୍ମ

ବିଧାତା ମୋତେ କଲା ଭ୍ରମ

।।

ଏଣୁ ମୁଁ ମରିବି ଅବଶ୍ୟ

ଏ ଦେହେ ପ୍ରୟୋଜନ କିସ

।।

ତା ଶୁଣି ବୋଲନ୍ତି ଶ୍ରୀହରି

ମଲେ ଅର୍ଜିବୁ କେଉଁ ଶିରୀ

।।

ଛାଡ଼ ଆଜକ ଯାଉ କିନା

କାଲି ଭଜନ କରୁ ସିନା

।।

ତା ଶୁଣି ବୋଲଇ ଶବର

ଭଲା କହିଲୁ ବିପ୍ରବର

।।

ଶ୍ରୀଗୁରୁ ଆଜ୍ଞା ଲଙ୍ଘି ମୁହିଁ

କେତେ କାଳ ହିଁ ବଞ୍ଚିବଇଁ

।।

ଅବଶ୍ୟ ଥରେ ତ ମରିବି

କିମ୍ପା ନରକେ ସଞ୍ଚରିବି

।।

ଏଣୁ ନ ବୋଲେ କାଣ୍ଡ ଧରି

ତଣ୍ଟି କାଟନ୍ତେ ଆଣ୍ଟ କରି

।।

ତା ଦେଖି ପ୍ରଭୁ ରଘୁନାଥ

ବେଗେ ଧଇଲେ ତାର ହସ୍ତ

।।

ବୋଇଲେ ତୁରେ ଭକ୍ତମଣି

ଆମ୍ଭେ କୋଦଣ୍ଡ୍ୟ ଚକ୍ରପାଣି

।।

ଆମ୍ଭେଟି ଜଗତ ଈଶ୍ୱର

ତୁ ମନେ ସନ୍ଦେହ ନ କର

।।

ତା ଦେଖି ବୋଲଇ ଶବର

ଦେଖାଅ ନିଜ ରୂପ ତୋର

।।

ଗୁରୁ କହିଲେ ଯେଉଁ ରୂପ

ଦେଖିଲେ ସେ ରାମ ସ୍ୱରୂପ

।।

ତେବେ ମୁଁ ପରତେ କରିବି

ନୋହିଲେ ଜୀବନ ହାରିବି

।।

ଶୁଣି ବୋଲନ୍ତି ଦେବରାଜ

ତୋହର ବେନି ଚକ୍ଷୁ ବୁଜ

।।

ଶୁଣି ଶବର ତୋଷମନ

ତକ୍ଷଣେ ବୁଜିଲା ନୟନ

।।

ଭକତଭାବେ ଦେବ ହରି

ତକ୍ଷଣେ ନିଜରୂପ ଧରି

।।

ଭକତ ମଭେ ହେଲେ ଉଭା

କୋଟି କନ୍ଦର୍ପ ରୂପ ଶୋଭା

।।

କୋଟିଏ ଇନ୍ଦ୍ର ନୀଳମଣି

କାନ୍ତିକି ଯିବେ ନିଜ ଛାଣି

।।

ସେ ଦୁର୍ବାଦଳ ନବଘନ

ଜିଣଶି ସୁନ୍ଦର ସୁବଦନ

।।

ଚନ୍ଦ୍ର ବଦନ ବିମ୍ୱାଧର

ରାଜୀବ ଲୋଚନ ସୁନ୍ଦର

।।

ଅତି ବିସ୍ତାର ବକ୍ଷସ୍ଥଳ

ବଳିଣ ସୁବାହୁ ଯୁଗଳ

।।

କାଣ୍ଡ କୋଦଣ୍ଡ ବେନି ଭୁଜେ

ଅଶେଷ ଦୁଷ୍ଟ ଦର୍ପ ଗଞ୍ଜେ

।।

କଣ୍ଠେ କୌସ୍ତୁଭମଣି ଲୁଳେ

ଶ୍ରୀବତ୍ସ ଚିହ୍ନ ହୃଦସ୍ଥଳେ

।।

ହେମକଙ୍କଣ ବେନି କର

କଟୀରେ ଶୋହେ ପୀତାମ୍ୱର

।।

ହେମ ମେଖଳା ତଥି ସାଜେ

କୋଟିଏ ରବିତେଜ ଗଞ୍ଜେ

।।

ଚରଣେ ସୁରାତ୍ନ କଠାଉ

ତେଜେ ବିରାଜେ ଦାଉ ଦାଉ

।।

ସେ ପାଦପଦ୍ମେ ଶୋଭାବନ

ଦିଶଇ ଅଷ୍ଟାଦଶ ଚିହ୍ନ

।।

ଅରୁଣ କୋକନବ ଛବି

ଭକତ ସୁଖ ଯାହା ଭାବି

।।

ଏମନ୍ତ ସ୍ୱରୂପ ଦର୍ଶନ

କରି ଶବର ତୋଷମନ

।।

ସର୍ବ ସଂଶୟ ଗଲା ଫିଟି

ଶବର ତାଙ୍କ ପାଦେ ଲୋଟି

।।

ଶ୍ରୀରାମ ବୋଲନ୍ତି ଶବର

ଉଠି ତୁ ମାଗି ଘେନ ବର

।।

ତା ଶୁଣି ଶବର ଆନନ୍ଦ

ବୋଲଇ ନମୋ ଆଦିକନ୍ଦ

।।

କି ବର ମାଗିବି ଗୋସାଇଁ

ପ୍ରଭୁ ପଣକୁ ଲୁଚିଯାଇ

।।

ସବୁ ମିଳିଲା ପ୍ରଭୁ ମୋତେ

କେବଳ କୃପା ରଖ ଚିତ୍ତେ

।।

ତା ଶୁଣି ପ୍ରଭୁ ରଘୁନାଥ

ବୋଇଲେ ଶୁଣ ସିରେ ଭକ୍ତ

।।

ଜୀବନେ ସର୍ବସୁଖେ ଥାଅ

ମଲେ ବୈକୁଣ୍ଠେ ଠାବ ପାଅ

।।

ଏମନ୍ତ ଆଜ୍ଞା ତାକୁ ଦେଇ

ଅନ୍ତର ହେଲେ ଭାବଗ୍ରାହୀ

।।

ଶୁଣ ସୁମନ ଏ ଚରିତ

ପ୍ରଭୁଙ୍କ ମହିମା ଏମନ୍ତ

।।

ନିଷ୍କାମ ଭକ୍ତି ଦୃଢ ଯାର

ତା ଭାବେ ବଶ ଦାମୋଦର

।।

କହଇ ବିପ୍ର ରାମଦାସ

ମୋ ପ୍ରଭୁ କମଳା ବିଳାସ

।।

ସେ ପାଦପଦ୍ମ ହୃଦେ ଭାବି

କୋଟିଏ ବାର ଲୁଚିଯିବି

।।

ସୁଜନେ ଏଡି ରସେ ରସ

ଏବ ସମୁଦ୍ରେ ନ ଭାସ

।।

କିସ କହିବି ମୁହିଁ ଛାର

ସେ ସାଧୁଜନଙ୍କୁ ଗୋଚର

।।

ହରି ଭକତଜନ କଥା

ତାହାକୁ ସତ୍ୟ ଏହୁ କଥା

।।

ଏଣୁ ଅଧମ ରାମଦାସ

ସାଧୁଚରଣେ କଲା ଆଶ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନଚୈତନ୍ୟ ସମ୍ୱାଦେ

ଆନନ୍ଦା ଶବର ଦାର୍ଢ୍ୟତାଭାବ ବର୍ଣ୍ଣନେ ନାମ ଊନପଞ୍ଚାଶୋ ଧ୍ୟାୟଃ ।

•••

 

Unknown

ପଞ୍ଚାଶ ଅଧ୍ୟାୟ

ଅଜାମିଳ ପଣ୍ଡା ସମ୍ୱାଦ

 

ନମସ୍ତେ ପ୍ରଭୁ ରାମଚନ୍ଦ୍ର

ଶ୍ରୀ ସୂର୍ଯ୍ୟବଂଶର ନରେନ୍ଦ୍ର

।।

ରଘୁବଂଶର ଚୂଡ଼ାମଣି

ଧରଣୀସୂତା ପ୍ରାଣମଣି

।।

କୌଶଲ୍ୟା ଗର୍ଭୁ ଅବତାର

ମହିଁମା ଦେବେ ଅଗୋଚର

।।

ଏଣୁ ଶରଣ ରାମଦାସ

ତୋର ମହିଁମା ତୁ ପ୍ରକାଶ

।।

ଏଥି ଉତ୍ତାରେ ମନରାଜା

ଚୈତନ୍ୟ ପାଦେ କରି ପୂଜା

।।

ବୋଇଲା ଶୁଣ ଶୁଦ୍ଧଚେତା

କହିଲ ଭକ୍ତବୃନ୍ଦ କଥା

।।

କୋଟିଏ ଜନ୍ମର କଳ୍ମଷ

ଶ୍ରବଣମାତ୍ରେ ଗଲା ନାଶ

।।

ଭକତଠାରେ ସେ ଶ୍ରୀବତ୍ସ

ହୁଅନ୍ତି ଏଡ଼େ ସାହାପକ୍ଷ

।।

ତା ଶୁଣି ମୋ ମନ ଆନନ୍ଦ

ହୋଇ ଛାଡ଼ିଲେ ଭବବନ୍ଧ

।।

ଏମନ୍ତ ଦୃଢଭକ୍ତି କରି

ଭକତ ବୃନ୍ଦ ଗଲେ ତରି

।।

ଯେ ଦୃଢ ନ କରିପାରିବ

କହ ସେ କି ରୂପେ ତରବ

।।

କେମନ୍ତେ ଭବୁଁ ହେବ ପାର

ନ ଯିବ ଜନନୀ ଜଠର

।।

ତାହା ଜାଣିଣ ଥିଲେ କହ

ଫିଟୁ ମୋ ମନର ସନ୍ଦେହ

।।

ଏମନ୍ତ ଶୁଣି ଚଇତନ

କହଇ ମଧୁର ବଚନ

।।

ଶୁଣ ସୁମନ ତତ୍ତ୍ୱଗାଥା

ତୁ ଯେ ପୁଚ୍ଛିଲୁ ଯେଉଁ କଥା

।।

ଏ ବିଷ୍ଣୁ ମାୟାରେ ଜଗତେ

ପ୍ରାଣୀ ଅଛନ୍ତି ଯହିଁ ଯେତେ

।।

ବିଷୟା ଅର୍ଥେ ଚିତ୍ତ ଜଡ଼ି

ଲଗାଇ କଳ୍ପନା ଦଉଡ଼ି

।।

କରନ୍ତି ଯେତେ ଯେତେ କର୍ମ

ଏସବୁ ମନର ଭରମ

।।

ଅତି ଆନନ୍ଦମନେ ଭାଳି

ଏହିଟି ରଜନୀ ଦିବସେ

।।

ଅତି ଆନନ୍ଦ ମନେ ଭାଳି

ଏହିଟି ଜୀବର ଶାଙ୍କୋଳି

।।

ଆପଣା ସୁଖେ ଯତ୍ନ କରି

କର ଚରଣ ବାନ୍ଧି ଧରି

।।

ନିଜ ନିସ୍ତାର ପଥ ହୁଡ଼ି

ମରନ୍ତି ଭବଜଳେ ବୁଡ଼ି

।।

ପ୍ରପଞ୍ଚଯାକ ଏହି ମତେ

ଭ୍ରମୁ ଅଛନ୍ତି ଏ ଜଗତେ

।।

କେମନ୍ତେ ହେବ ପରିତ୍ରାଣ

ନାହିଁ ଏ ଜୀବନ କାରଣ

।।

କେବଳ କଥା ଏକ ଅଛି

ଯେ ସାଧୁ ସଙ୍ଗେ ଦିନ ବଞ୍ଚି

।।

ତାହାଙ୍କ ମୁଖୁଁ ଶୁଣି ଜ୍ଞାନ

ଯେ ନାମ କରିବ ଭଜନ

।।

ଛାଡ଼ିବ ଭବବନ୍ଧ ତାର

ନ ଦେଖେ ଜନନୀ ଜଠର

।।

ଆଉ ନ ପିଏ ମାତୃ ସ୍ତନ

ହେ ମନ ହେତୁ କରି ଘେନ

।।

ଏ ଜୀବ ହେବାକୁ ଉଦ୍ଧାର

କେବଳ ନାମ ମାତ୍ର ସାର

।।

ତା ଶୁଣି ମନ ନୃପବର

ବୋଲେ କହିଲ ଚମତ୍କାର

।।

ନିରତେ ହୋଇଣ ଅଜ୍ଞାନ

ବିଷୟା ଜଡ଼େ ହୋଇ ଛିନ୍ନ

।।

ନିଶି ଦିବସେ ଧନ ବାଞ୍ଛି

ନକରି ପୁଣ୍ୟକର୍ମ କିଛି

।।

କାମିନୀ ସଙ୍ଗେ ହୋଇ ରତ

ନ ଥିବ ଦୟା ଧର୍ମେ ଚିତ୍ତ

।।

କେବଳ ନାମମାତ୍ର ଧରି

ସଂସାରୁ ଯିବୁଟିକି ତରି

।।

ତା ଶୁଣି କହେ ଚଇତନ

ହେ ମନ ଶୁଣ ମୋ ବଚନ

।।

ନାମର ମହିମା ଏତେ ତେତେ

ବୋଲି କେ କହିବ ଜଗତେ

।।

ମୋ ଛାର କେତେକ ଗାରିମା

କହିବ ନାମର ମହିମା

।।

ଅସ୍କନ୍ଧ ପୁରାଣ ମଧ୍ୟରେ

ଯାହା ଶୁଣିଣ ଶ୍ରବଣରେ

।।

ତାହା କହୁଛି ଏବେ ଶୁଣ

ଥିଲା ଯେ ଏକଇ ବ୍ରାହ୍ମଣ

।।

ହେ ମନ ହେତୁ କି ବୁଝ

ନାମ ତା ଅଜାମିକ ଦ୍ୱିଜ

।।

ଯହୁଁ ହୋଇଲା ଯୁବାକାଳ

ଛାଡ଼ିଲା ଗୃହ ସଙ୍ଗ ମେଳ

।।

ବ୍ରାହ୍ମଣ କର୍ମ ଧର୍ମ ଛାଡ଼ି

ଅଧର୍ମମାର୍ଗ ଯାଇ ପଡ଼ି

।।

ଶବରୀ ନାରୀ ଗୋଟି ଧରି

ବନେ ରହିଲା ଗୃହ କରି

।।

ଅତି ଆନନ୍ଦ ହୋଇ ଚିତ୍ତେ

ରହିଲା ସେ ନାରୀ ସଙ୍ଗତେ

।।

ଯାହା ବୋଲଇ ସେହି ନାରୀ

ସେ ଆଜ୍ଞା ଶିରୋଗତ କରି

।।

ସେ ଯାହା ମାଗେ ଯେତେବେଳେ

ଆଣି ଖଟାଏ ପାଦତଳେ

।।

ଗୋମାଂସ କୁକ୍‌କୁଟ ଘୁଷୁରୀ

ଭକ୍ଷଇ ସୁରା ସଙ୍ଗେ ଭରି

।।

ବାଟ ଜଗିଣ ଖଣ୍ଟ ପିଟି

ଆଣଇ ପରଧନ ଲୁଟି

।।

ଯୋଗୀ ଜଙ୍ଗମ ବ୍ରହ୍ମଚାରୀ

ଏହାଙ୍କୁ ଦେଖିଲେ ସଂହାରି

।।

ରାତ୍ରେ ପଶଇ ପରଘରେ

ଚୋରୀ କରଇ ନିରନ୍ତରେ

।।

ପଥେ ପକାଏ ବୃକ୍ଷକାଟି

କୂପ ଦେଖିଲେ ଭରେ ମାଟି

।।

ଦେଖିଲେ ଧର୍ମଶାଳାମାନ

ଅନେକ କରଇ ଦହନ

।।

ଶିବ ଲିଙ୍ଗକୁ ଦିଏ ଭାଙ୍ଗି

ବିଷ୍ଣୁ ପ୍ରତିମା ଦେଖି ଗଞ୍ଜି

ଏକାନ୍ତେ ଦେଖି ପରନାରୀ

ବଳେ ରମଇ ତାକୁ ଧରି

।।

ନ ଜାଣେ ଏ ଜାତି ସେ ଜାତି

ପାତକ ବୋଲି ନାହିଁ ଭୀତି

।।

ଇତ୍ୟାଦି ଆଉ ପାପ ଯେତେ

କିମ୍ପା ଡରିବ ତାକୁ ଚିତ୍ତେ

।।

ଏମନ୍ତେ ସେ ବ୍ରହ୍ମଚଣ୍ଡାଳ

ପାପ ଆଚାରେ ଗଲା କାଳ

।।

ଜାଣଇ ଏକା ପରନାଶ

ସାଧୁଙ୍କ ଗୋଷ୍ଠୀ ତାକୁ ବିଷ

।।

ଦିନେ ସେ ରାମକୃଷ୍ଣ ହରି

ବୋଲି ବଦନେ ତା ନ ଧରି

।।

ଏମନ୍ତେ ଗଲା କେତେ କାଳ

ଶୁଣ ହୋ ମନ ମହୀପାଳ

।।

ଚଣ୍ଡାଳୀ ସଙ୍ଗେ ହୋଇ ରତ

ତା ଗର୍ଭୁ ପାଞ୍ଚ ପୁତ୍ର ଜାତ

।।

ତାହାଙ୍କ ନାମ ଦେଲା ଶୁଣ

ରାମ ଗୋବିନ୍ଦ ନାରାୟଣ

।।

କୃଷ୍ଣ କେଶବ ପାଞ୍ଚ ଭାଇ

ବୋଲି ସେ ନାମମାନ ଦେଇ

।।

ତାହାଙ୍କୁ ଦେଖି ଆନନ୍ଦରେ

ବଞ୍ଚଇ ରଜନୀ ବାସରେ

।।

ଏମନ୍ତ କେତେଦିନ ଗଲା

ଆସିଣ ମୃତ୍ୟୁକାଳ ହେଲା

।।

ତା ମୃତ୍ୟୁ ଦେଖିଣି ସାକ୍ଷାତେ

ଆସି ଭେଟିଲେ ଯମଦୂତେ

।।

ସମସ୍ତେ ଶସ୍ତ୍ର ଛନ୍ତି ଧରି

ଯେ କାଳଫାଶ ଆଦି କରି

।।

ବେଢିଣ କରନ୍ତି ଗର୍ଜ୍ଜନ

ଦେଖାଇ ମହାଭୟମାନ

।।

ଫାଶ ଲଗାନ୍ତେ ତାର ଗଳେ

ଡାକିଲା ପ୍ରାଣର ବିକଳେ

।।

ହେ ଜ୍ୟେଷ୍ଠପୁତ୍ର ନାରାୟଣ

ବେଗେ ତୁ ଆସରେ ଧାଇଁଣ

।।

ଏ ଦୁଷ୍ଟମାନେ କାହୁଁ ଆସି

ମୋ ଗଳେ ଲଗାଇଣ ଫାଶି

।।

ବାନ୍ଧିଣ ନେଉଛନ୍ତି ଧରି

ବେଗେ ଆସରେ ରାମ ହରି

।।

ତା ଶୁଣି ଯମଦୂତେ ତ୍ରାସି

ମିଳିଲେ ବିଷ୍ଣୁ ଦୂତେ ଆସି

।।

ସଙ୍ଗତେ ଦେବରଥ ଘେନି

ବଜାଇ ଜୟ ଶଙ୍ଖ ଧ୍ୱନି

।।

ଜୟ ଶବଦ ତୁଣ୍ଡେ କରି

ସେ ଅଜାମିକ ଭୁଜ ଧରି

।।

ଆନନ୍ଦେ ହରିବୋଲ ଦେଇ

ରଥରେ ବସାଇଲେ ନେଇ

।।

ଯମଦୂତଙ୍କୁ ବିଷ୍ଣୁ ଦୂତେ

ଭର୍ତ୍ସନା କଲେ ନାନାମତେ

।।

ବୋଇଲେ ଶୁଣ ଆରେ ଦୂତ

ସମୂଳେ ମରିବ ସମସ୍ତେ

।।

ବିଷ୍ଣୁ ଭକତ ଗଳେ ଫାଶ

ଲଗାଅ ଏଡ଼େକ ସାହସ

।।

ଏମନ୍ତ ବୋଲି ତାଙ୍କୁ ଧରି

ବିବିଧ ମତେ ମାଡ଼ ମାରି

।।

ବୋଇଲେ ପଳାଅରେ ବେଗେ

କହ ତୁମ୍ଭର ରାଜା ଆଗେ

।।

ସେଠାରୁ ଯମଦୂତେ ଡରି

ପଳାଇଗଲେ ବେଗ କରି

।।

ଏଣେ ଯେ ବିଷ୍ଣୁ ଦୂତମାନେ

ବସାଇ ତାହାଙ୍କୁ ବିମାନେ

।।

ମୁଖରେ ଜୟ ଜୟ କରି

ଘେନିଣ ଗଲେ ବିଷ୍ଣୁ ପୁରୀ

।।

ବିଷ୍ଣୁ ଲୋକରେ ଗଣାହୋଇ

ବସିଲା ବିଷ୍ଣୁପରେ ଯାଇ

।।

ଏମନ୍ତ ପାପୀକି ଏ ଗତି

ଦେଲେ ସେ ପ୍ରଭୁ ଦାଶରଥି

।।

ଶୁଣ ସୁମନ ଏକଚିତ୍ତେ

ନାମର ମହିମା ଏମନ୍ତେ

।।

ନାମଟି ସର୍ବ ସୁଖମୟ

ନାମରୁ ଜଗତ ଉଦୟ

।।

ନାମ ସକଳ ଘଟେ ବସେ

ଥାଇ ସେ କାହିଁରେ ନ ମିଶେ

।।

ନାମର ରୂପରେଖ ମାନ

ବେଦ ନ କରେ ଅନୁମାନ

।।

ସିଦ୍ଧ ଯୋଗୀନ୍ଦ୍ର ମୁନି ଯେତେ

ନାମକୁ ଭଜନ୍ତି ଜଗତେ

।।

ନାମର ମହିମା ଅଶେଷ

ଶେଷ ନ ଜାଣନ୍ତି ତା ଲେଶ

।।

ବିବୁଧ ଆଦି ଆଖଣ୍ଡଳେ

ଆବର ଦାଶ ଦିଗପାଳେ

।।

ରବି ଶଶାଙ୍କ ଆଦି ଯେତେ

ନାମର ମହିଁମା କିଞ୍ଚିତେ

।।

କାହୁଁ ଜାଣିବେ ସେହିମାନେ

ଅଦ୍ୟାପି ଭାବୁଛନ୍ତି ମନେ

।।

ଦେଖ ଏ ଜଗତର ପିତା

ପୁଣି ସେ ସୃଷ୍ଟିର କରତା

।।

ନାମ ତାଙ୍କର ବ୍ରହ୍ମା

ନ ଜାଣେ ସେ ନାମ ହମିଁମା

।।

ଅଦ୍ୟାପି ଭ୍ରମନ୍ତି ସଂସାରେ

ଜନ୍ମ ମରଣ ଲଭିବାରେ

।।

ନାମରୁ ଅର୍ଦ୍ଧେକ ଭୂଷଣ୍ଡ

ଭଜି ଅମର କଲା ପିଣ୍ଡ

।।

କେବଳ ନାମରେ ବିଶ୍ୱାସ

କରନ୍ତି ଏକା ଦିଗବାସ

।।

ସେ ନାମାମୃତ ରସ ପିଇ

ରହିଲେ ମୃତ୍ୟୁଞ୍ଜୟ ହୋଇ

।।

ଜଗତେ ବୋଲାନ୍ତି ଈଶ୍ୱର

ଏଣୁ ଜାଣନ୍ତି କିଛି ହର

।।

ଆଉ ଇତର ଜନ ଯେତେ

ସେ କାହିଁ ଜାଣିବେ କିଞ୍ଚିତେ

।।

ସେ ରାମ ନାମାକ୍ଷର ଦୂର

ମହିମା ଅନ୍ତ ଯାର ନାହିଁ

।।

ଆକାଶେ ବୋଲାଏ ଅନନ୍ତ

ତାକୁ ବା କେ କରିଛି ଅନ୍ତ

।।

ଗଣା ହୋଇବ ସ୍ୱର୍ଗତାରା

ଆବର ବରଷାର ଧାରା

।।

ପୃଥ୍ୱୀରେ ରେଣୁ ଅଛି ଯେତେ

ସମୁଦ୍ର ଲହରୀ ସହିତେ

।।

ଏ ସର୍ବ ଅବା ଗଣା ହେବ

ନାମ ମହିମା କେ କହିବ

।।

ଏଣୁ ଏ ନାମ ଭଜନରେ

ଯେ ଜନ ଥିବ ଏ ସଂସାରେ

।।

ସେ ପ୍ରାଣୀ ତରିବେ ଅବଶ୍ୟ

ତାଙ୍କୁ ପାତକ ଛାର କିସ

।।

ନ ଥାଉ ତାର ଦାନ ପୁଣ୍ୟ

ନ କରୁ ତୀର୍ଥଜଳେ ସ୍ନାନ

।।

କରି ନ ଥାଉ ଯଶକୀର୍ତ୍ତି

ବିଷୟା ରସେ ଥାଉ ମତି

।।

ନ କରୁ ହୋମ ଯଜ୍ଞମାନ

ନିରତେ ହେବ କ୍ରିୟାହୀନ

।।

ଯହିଁ ବୋଲଇ ତହିଁ ଥାଉ

ଯେଣିକି ଇଚ୍ଛା ତେଣେ ଯାଉ

।।

କେବଳ ନାମରେ ବିଶ୍ୱାସ

ଥିଲଏେ ସେ ତରିବ ଅବଶ୍ୟ

।।

ଏଥି ସଂଶୟ ନାହିଁ ଜାଣ

ସକଳ ଶାସ୍ତ୍ର ମୁଖେ ଶୁଣ

।।

ନାମଟି ଏଡ଼େ ତେଜୋମୟ

ତୁଳା ପର୍ବତେ ଅଗ୍ନି ପ୍ରାୟ

।।

କ୍ଷଣକେ କରେ ଭସ୍ମରାଶି

ଯେସନେ ପାପକୁଳ ଧ୍ୱଂସି

।।

ଉଦୟ ହେଲେ ଦିବାକର

ଯେହ୍ନେ ନାଶଇ ତମ ଘୋର

।।

ଯେସନେ ନାମ ଉଚ୍ଚାରଣେ

ପାପ ପଳାନ୍ତି ଏଣେ ତେଣେ

।।

ନିର୍ମଳ ହୁଏ ତାର ଅଙ୍ଗ

ସେହୁ ଏ ବିଷ୍ଣୁଲୋକ ସଙ୍ଗ

।।

ଏଣୁ ଏ ରାମନାମ ବାଣୀ

ସେପର୍ବ ପରେ ଶିଖାମଣି

।।

କୋଟିଏ ଯଜ୍ଞ ଯେବେ କରି

ନାମ ଗୋଟିକୁ ନୁହେ ସରି

।।

ମେରୁ ସମାନ ରତ୍ନମାନ

ବ୍ରାହ୍ମଣ ହସ୍ତେ ଦେବ ଦାନ

।।

ବସାଇ ଅନେକ ଶାସନ

ଭୂମି ମଣ୍ଡଳ ଦେବ ଦାନ

।।

ବସାଇ ଅନେକ ଶାସନ

ଭୂମି ମଣ୍ଡଳ ଦେବ ଦାନ

।।

ଗୋ ଗୋଷ୍ଠ ଲକ୍ଷ ଲକ୍ଷ କରି

ସୁବର୍ଣ୍ଣ ଅଳଙ୍କାର ଭରି

।।

ଆବର ସବତ୍ସା ସହିତେ

ଦାନ ହିଁ ଦେବ ଅପ୍ରମିତେ

।।

ଗଜ ତୁରଙ୍ଗ ଆଦି ଯେତେ

ବିପୁଳ ମନ୍ଦିର ସହିତେ

।।

ଦରିଦ୍ରେ ଦେବ ମିଷ୍ଟ ଅନ୍ନ

କୋଟି ସଂଖ୍ୟାରେ ଦେବଦାନ

।।

ଗ୍ରୀଷମ କାଳେ ଜଳଛତ୍ର

ଚର୍ମ ପାଦୁକା ଅପ୍ରମିତ

।।

ଅନେକ ବ୍ୟାଧିବନ୍ତ ନର

ତାହାଙ୍କ କରି ଉପକାର

।।

ଅଣାଇ ବୈଦ୍ୟ ମହୌଷଧି

ଭଲ କରାଉଥିବ ବ୍ୟାଧି

।।

ଏ ସର୍ବ ପୁଣ୍ୟ ଠୁଳ କରି

ନାମ ଭଜନେ ନୋହେ ସରି

।।

ତରାଜୁ ଧରି ତୁଳ କରି

ପଢିବ ରାମ ନାମାବଳୀ

।।

ଏମନ୍ତ ଶ୍ରୀରାମ ମହିଁମା

କେ ମୁଖେ କହିବ ଗାରିମା

।।

ଧନ୍ୟ ସେ ରାମନାମ ଗୋଟି

ଭବ ବନ୍ଧନ ପାରେ କାଟି

।।

ପ୍ରାଣୀଙ୍କ ଲଲାଟ ଲିଖନ

ଦଣ୍ଡକେ କରିପାରେ ଆନ

।।

ଯାହା ନୋହିବ ଏ ଜଗତେ

ସେ କରିପାରିବ ସାକ୍ଷାତେ

।।

ଦେଖେ ଏ ନିବିଡ଼ ପାଷାଣ

ଲାଗିବା ମାତ୍ରେ ଶ୍ରୀଚରଣ

।।

ତକ୍ଷଣେ ହୋଇଲା ସୁନ୍ଦରୀ

ଆନେ କେ ପାରେ ଏହା କରି

।।

ଦେଖେ ସେ ଆଜ୍ଞା ଅଲୌକିତ

ନାହିଁ ନୋହିବ ଏ ଜଗତ

।।

ପର୍ବତ କୋଟିଏ ସଂଖ୍ୟାରେ

ନେଇ ପକାନ୍ତେ ରତ୍ନାକରେ

।।

ଭାସିଲାସୋଲଭେଳା ଯଥା

ଆଜକୁ ରହିଛି ସେ କଥା

।।

ଦେଖ ବିଧାତାଠାରୁ ବର

ପାଇ ଅମର ଦଶଶିର

।।

ବଧିଲେ ତାହାର ଜୀବନ

ଧାତା ଲେଖନ କରି ଆନ

।।

କାଳେ ସେ ଲଭିଲା ମରଣ

ଅମର କଲେ ବିଭୀଷଣ

।।

ମାଙ୍କଡ଼େ ବ୍ରହ୍ମପଦ ଦେଲେ

ବେଶ୍ୟା ନାରୀକି ସ୍ୱର୍ଗେ ନେଲେ

।।

ମନୁଷ୍ୟେ ଦେଲେ ଧାତା ପଦ

ସ୍ୱର୍ଗରେ ଇନ୍ଦ୍ର ପ୍ରହଲାଦ

।।

ସାଧବୀ କାରୀକି ଦୋଚାରୀ

କଲେ ସେ ଜଳନ୍ଧର ନାରୀ

।।

ସପତ ସମୁଦ୍ରର ଜଳ

ନାରାଚ ଅଗ୍ରେ କଲେ ଠୁଳ

।।

ଏମନ୍ତ ଯେହୁ କରିପାରେ

କିସ ଉପମା ଦେବି ତାରେ

।।

ସବୁରି ଆତ୍ମା ଆତ୍ମାରାମ

ଆଉ କେ ଅଛି ତାକୁ ସମ

।।

ଏଣୁ ସେ ନାମେ ଆଶ୍ରା ଯାର

ସଂସାରେ ଭୟ ନାହିଁ ତାର

।।

ନିଶ୍ଚେ ସେ ହେଲା ପରିତ୍ରାଣ

ହେ ମନ ସତ୍ୟ ବୋଲି ଜାଣ

।।

ଏଣୁ ସେ ନାମ ରତ୍ନ ଗୋଟି

ମନ ବସନେ ବାନ୍ଧି ଗଣ୍ଠି

।।

ହୃଦସମ୍ପଦ ମଧ୍ୟେ ଭର

ଦୃଢ ଢାଙ୍କୁଣୀ ତହିଁ କର

।।

ଜାଗ୍ରତେ ଜାଗ ସର୍ବକାଳ

ପାସୋରି ନ ଦିଅ ତୁ ଢାଳେ

।।

ହେଜି ଜୀବକୁ କର ଦକା

ନିତି ହିଁ ଦେଖୁଥିବ ଏକା

।।

ସୁଚେତା ରଖ ଜଗୁଆଳ

କିସ କରିବ ମୃତ୍ୟୁକାଳ

।।

ଏହି ସେ ସର୍ବ ଧର୍ମସାର

ହେ ମନ ସନ୍ଦେହ ନ କର

।।

ସକଳ ବେଦଶାସ୍ତ୍ରେ ଶୁଣ

ଈଶ୍ୱର ବାକ୍ୟ ଏ ପ୍ରମାଣ

।।

ନାରଦ ଆଦି ମୁନି ଯେତେ

ଯେ ବ୍ରହ୍ମଜ୍ଞାନୀଙ୍କ ସହିତେ

।।

ତାଙ୍କ ବଚନ ଏହୁ ସତ୍ୟ

ଶୁଣ ହେ ମନ ମହାତତ୍ତ୍ୱ

।।

କେବଳ ତୋର କୃପା ଥାଉ

କିଛି ହିଁ ଭୟ ନାହିଁ ଆଉ

।।

ହେ ମନ ଶୁଣ ଶୁଦ୍ଧଚିତ୍ତେ

ନାମର ମହିଁମା ଏମନ୍ତେ

।।

ସେ ରାମ ନାମଗୋଟି ମୋର

ନିରତେ ରହୁ କଣ୍ଠଦ୍ୱାର

।।

ସୁଜନେ ଏହି ରସେ ରସ

ନିରତେ ରାମ ନାମ ଘୋଷ

।।

ଏ ଭବ ବ୍ୟାଧିକି ରସ

ଜାଣ କେବଳ ଦୟାନିଧି

।।

ମୁକୁନ୍ଦ ମାଧବ ମୁରାରି

କୃଷ୍ଣ କେଶବ ଦଇତ୍ୟାରି

।।

ପରମାନ୍ଦ ବସୁଦେବ

ହରି ଗୋବିନ୍ଦ ପଦ୍ମଲାଭ

।।

ଶ୍ରୀ ନାରାୟଣ ଚକ୍ରପାଣି

ଦାସବତ୍ସଳ ଦୀନମଣି

।।

ଶ୍ରୀ ଜଗନ୍ନାଥ କୃପାସିନ୍ଧୁ

ଦାସବତ୍ସଳ ଦୀନବନ୍ଧୁ

।।

ବ୍ରଜମୋହନ ହୃଷୀକେଶ

ପୁରୁଷୋତ୍ତମ ପୀତବାସ

।।

ଅନନ୍ତ ଅତ୍ୟୁତ ଶ୍ରୀଧର

ପଦ୍ମ ନୟନ ଗଦାଧର

।।

ନବୀନ ଦୁର୍ବାଦଳ ମୂର୍ତ୍ତି

ଶ୍ୟାମସୁନ୍ଦର ଦାଶରଥି

।।

ନନ୍ଦ ନନ୍ଦନ ବଂଶୀଧର

ରାଧା ବଲ୍ଲଭ ପ୍ରାଣେଶ୍ୱର

।।

ଏ ଆଦି ନାମାବଳୀ ଯେତେ

ସୁଜନେ ଚିନ୍ତ ହୃଦଗତେ

।।

ସବୁରି ପ୍ରଭୁ ସେ ଶ୍ରୀହରି

ସକଳ ଘଟେ ଚନ୍ତି ପୂରି

।।

ସକଳ ଜୀବର କରତା

ସବୁରି ଗତି ମୁକ୍ତିଦାତା

।।

ସେ ଶୁଭାଶୁଭ କର୍ମମାନ

କରତା ପ୍ରଭୁ ଭଗବାନ

।।

ତା ବିନୁ ମନ ନାହିଁ ଜଣେ

ଶରଣ ପଶ ସେ ଚରଣେ

।।

ଭାବର ବନ୍ଧୁ ସେ ଗୋସାଇଁ

ଅଭାବ ଜନେ ଭେଟ କାହିଁ

।।

କହଇ ବିପ୍ର ରାମଦାସ

କେବଳ ମୁଳଟି ବିଶ୍ୱାସ

।।

ବିଶ୍ୱାସ ବିନା ଯେତେ କର୍ମ

ଜାଣ କେବଳ ବୃଥା ଶ୍ରମ

।।

କିସ କହିବି ମୂର୍ଖ ଛାର

ସାଧୁଙ୍କୁ ସମସ୍ତ ଗୋଚର

।।

ମୂର୍ଖ ଜନଙ୍କୁ ଏକାଭୀତି

ନ ଛାଡ଼େ ଜନ୍ତୁଙ୍କ ପ୍ରକୃତି

।।

ଛାଡ଼ି ଦୁର୍ଲ୍ଲଭ ସ୍ଥାନମାନ

ଯହିଁ ଦେଖନ୍ତି ବିଷ୍ଣୁ ଚିହ୍ନ

।।

ତହିଁ ଜପନ୍ତି ମୁନିବର

ଯେଣୁ ମୂର୍ଖଙ୍କୁ ଏକା ଡର

।।

ଦେଖ ମକ୍ଷିକା ମନ୍ଦହୀନ

ତେଜିଲା କର୍ପୂର ଚନ୍ଦନ

।।

ଦୁର୍ଗନ୍ଧ ଦେଖିଲେ ତା ପାଶେ

ଅତି ଆନନ୍ଦେ ତହିଁ ବସେ

।।

ଏମନ୍ତ ମୂର୍ଖଙ୍କର ଭାବ

କେ ତାହା ଅନ୍ୟଥା କରିବ

।।

ସାଧୁଙ୍କ ହୃଦକୁ ମୋହର

କୋଟିଏ ବାର ନମସ୍କାର

।।

ନିରତେ ପର ଉପକାର

ଏଣୁ ମୋ ଦୋଷ କ୍ଷମା କର

।।

କହଇ ବିପ୍ର ରାମଦାସ

ଏ ଦାର୍ଢ୍ୟଭକ୍ତି କଥା ରସ

।।

ଭାବାବ୍‌ଧି ତରିବାର କାଳେ

ମୋତେ ଉଦ୍ଧରି ନିଅ କୂଳେ

।।

ମୁଁ ମୂଢ ପତିତ ପାମର

ଦୁଷ୍ଟ ଦୁର୍ମତି ପୂରାଚାର

।।

ଦାମ୍ଭିକ ନାସ୍ତିକ କପଟୀ

ନିରତେ ବଷୟା ଲମ୍ପଟୀ

।।

ନ ଜାଣେ ପାଠ ଶାସ୍ତ୍ର ରୀତି

ହରି ଭଜନେ ନାହିଁ ମତି

।।

ନିଶି ଦିବସ ଶୟନରେ

ନିରତେ ଧନ ଇଚ୍ଛା କରେ

।।

କାମିନୀ ସଙ୍ଗେ ଚିତ୍ତ ଜଡ଼ି

ତିଳେହେଁ ନ ପାରଇ ଛାଡ଼ି

।।

ସାଧୁଙ୍କ ସଙ୍ଗେ ନାହିଁ ମେଳ

ଏମନ୍ତେ ବଞ୍ଚାଇବା କାଳ

।।

ଆସି ଘୋଟିଲା ଏବେ କାଳ

ଏଥୁ ଉଦ୍ଧର ରଘୁକାଳ

।।

ତୁମ୍ଭେ ଯେ ପତିତପାବନ

ମୁଁ ଯେ ଅଟଇ ପାପୀଜନ

।।

ଏଣୁ ଭରସା ମୋର ଅଛି

ସଂସାରେ ଭୟ ନାହିଁ କିଛି

।।

ଶ୍ରୀଧର ମୃଦୁ ପଦ୍ମପାଦ

ତହୁଁ ମୋ ମନ ଷଟପଦ

।।

ନିରତେ କରୁ ମଧୁପାନ

ଏ ଆଜ୍ଞା କର ଜନାର୍ଦ୍ଦନ

।।

ମୋ ଅପରାଧ କ୍ଷମା କର

ଚରଣେ ଶରଣ ତୁମ୍ଭର

।।

ଭଣଇ ବିପ୍ର ରାମଦାସ

ମୋହର ପ୍ରଭୁ ପୀତବାସ

।।

ସେ ପୀତବାଦଙ୍କର ଗୁଣ

ଜାଣନ୍ତି ଏକା ସାଧୁଗଣ

।।

ସେ ସାଧୁଗଣ ପାଦଧୂଳି

ମଣ୍ଡନ ହେଉ ମୋ ମଉଳି

।।

ଏ ଦାର୍ଢ୍ୟଭକ୍ତି ରସାମୃତ

କେବଳ ଶ୍ରବଣେ ଅମୃତ

।।

ଶ୍ରୀ ଦିବ୍ୟସିଂହ ଦେବଙ୍କର

ସମ୍ପୂର୍ଣ୍ଣ ତେଇଶି ଅଙ୍କର

।।

ଆଷାଢ ଶୁକ୍ଳ ହରିବାସେ

ଶ୍ରୀ ମୁକ୍ତେଶ୍ୱରଙ୍କର ପାଶେ

।।

ସଦା ସମ୍ପୂର୍ଣ୍ଣ ଜୟ କରି

ରାମ ଚିନ୍ତଇ ରାମହରି

।।

ମହୁରି ରାଜ୍ୟେ ମୋର ଗ୍ରାମ

ସେ ଗ୍ରାମେ ମୋହର ଆଶ୍ରମ

।।

ଶ୍ରୀଗୁରୁ ଗଦାଧର ଦାସ

ମୁହିଁ ଅଟଇ ତାଙ୍କ ଶିକ୍ଷ୍ୟ

।।

ନାହିଁ ମୋହର ବାନିବୃତ୍ତି

ଭରସା ଲକ୍ଷ୍ମୀଦେବୀ ପତି

।।

ଆବର ସାଧୁଙ୍କ ଚରଣ

ସେ ମୋର ପରମ କାରଣ

।।

ଏ ଦୁଇ କୃପାରୁଟି ସତ୍ୟ

ହେଲା ଏ ଦାର୍ଢ୍ୟରସାମୃତ

।।

ପ୍ରଥମ ପ୍ରବନ୍ଧ ପଚିଶ

ଅଧ୍ୟାରେ ହୋଇଥିଲା ଶେଷ

।।

ତହୁଁ ବତିଶ ସମ୍ୱତ୍ସର

ଉତ୍ତାରୁ ସାଧୁମାନଙ୍କର

।।

କଅପାରୁ ପୁଣି ପଞ୍ଚବିଂଶ

ଅଧ୍ୟାୟ ଦାର୍ଢ୍ୟଭକ୍ତି ରସେ

।।

ଦୁଇ ପ୍ରବନ୍ଧ ମିଶିବାରେ

ସମ୍ପୂର୍ଣ୍ଣ ପଞ୍ଚାଶ ଅଧ୍ୟାରେ

।।

ପଦ ପଦକେ ସୁଧାରସ

ସୁଜନେ ନିରନ୍ତର ଘୋଷ

।।

ଏଥେଁ ନିର୍ମଳ ଚିତ୍ତ ଯାର

ନିଶ୍ଚେ ସେ ଭବୁଁ ହେବ ପାର

।।

କହଇ ବିପ୍ର ରାମ ଦାସ

ମୋତେ ଉଦ୍ଧାର ପୀତବାସ

।।

ଉଦ୍ଧର କିବା ନ ଉଦ୍ଧର

ଭରସା ଅଛଇ ମୋହର

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତ ମନଚୈତନ୍ୟ ସମ୍ୱାଦେ

ଅଜାମିଳ ପଣ୍ଡା ସ୍ୱର୍ଗଗମନେ ନାମପଞ୍ଚଶୋ ଧ୍ୟାୟଃ ।

•••

 

ଏକପଞ୍ଚାଶତ ଅଧ୍ୟାୟ

ଗରିବ ଦାସ ସମ୍ୱାଦ

 

ନମଇ ପ୍ରଭୁ ଗଣପତି

ଫେଡ଼ ହେ ମୋହର ଦୁର୍ଗତି

।।

ମୁଁ ତୁମ୍ଭ ଚରଣେ ଶରଣ

ମୋ ବିଘ୍ନ କର ବିମୋଚନ

।।

ଶ୍ରୀଗୁରୁ ପାଦେ ନମସ୍କାର

ଦୟା କରିବ ଚକ୍ରଧର

।।

ଶ୍ରୀ ନିଳଗିରି ଜଗନ୍ନାଥ

ତୋ ପାଦେ ଲାଗୁ ମୋର ମାଥ

।।

ହେ ସାଧୁଜନେ କୃପାକର

ତୁମ ଦୟାରୁ ହେବି ପାର

।।

କୃପାକର ହେ ନରହରି

ଘଟ ଘଟକେ ଅଛ ପୁରି

।।

କହ ହେ ମନ ଚଇତନ୍ୟ

କହ ହେ ଭକ୍ତ କଥାମାନ

।।

ଭକ୍ତମାନଙ୍କ କଥା ସାର

କହି ପବିତ୍ର ମୋତେ କର

।।

କର୍ଣ୍ଣ ମୋ ନୁହଇ ତୃପତ

କହିବି ଭକ୍ତଙ୍କ ଚରିତ

।।

ଚୈତନ କହେ ଶୁଣ ମନ

ଉତ୍ତରଖଣ୍ଡେ ପୁଣ୍ୟସ୍ଥାନ

।।

ଜୟ ନଗର ବୋଲି ନାମ

ସେ ଦେଶେ ଅଟେ ତାରଧାମ

।।

ରଘୁବର ପାଣ୍ଡେ ତା ନାମ

ପଣ୍ଡିତ ପଣରେ ଉତ୍ତମ

।।

ସେ ବଡ଼ ଧନାଢ୍ୟ ଅଟଇ

ବହୁ କୁଟୁମ୍ୱ ତାର ଥାଇ

।।

ପୁତ୍ରେକ ନାମ ତା ଗରିବ

ଶାନ୍ତ ସୁଶୀଳ ତାର ଭାବ

।।

ଦୟା ତା ଥାଇ ଜୀବଠାର

କ୍ରୋଧ ହିଁ ନ ଥାଇ ହୃଦର

।।

ହରି ବସଇ ସର୍ବ ଦେହେ

ସଦା ସେ ଦିନ କାଟି ନିଏ

।।

ନାମରେ ଅନୁକ୍ଷଣେ ରତ

ମନେ ଚିନ୍ତଇ ରଘୁନାଥ

।।

ବିଷୟାରସେ ରତ ଥାଇ

ହୃଦରେ ନାମକୁ ଚିନ୍ତଇ

।।

ଦିନେ ବୈରାଗ୍ୟ ହେଲା ଜାତ

ଘରୁ ବାହାର ସେ ତୁରିତ

।।

ବୈଷ୍ଣବ ଭେକ ଆଚରିଲେ

କର୍ଣ୍ଣକଣ୍ଠେ ମାଳା ଭରିଲେ

।।

ତିଳକ କରି ଲଲାଟରେ

ଶଙ୍ଖ ଚକ୍ରାଦି ହୃଦୟରେ

।।

ରାମ ଭଜନ ଅନୁକ୍ଷଣେ

ପ୍ରବେଶ ହୋଇଲେ କାନନେ

।।

ଏକ ବୃକ୍ଷର ତଳେ ରହି

ଶ୍ରୀରାମ ଭଜିଣ ନାଚଇ

।।

ବୋଲନ୍ତି ନମୋ ରଘୁବୀର

ମହିମା ଅପାରୁ ଅପାର

।।

ମୁଁ ତ ଅଟଇ କର୍ମହୀନ

କି ରୂପେ କରିବି ପୂଜନ

।।

ମାନସ ପୂଜାର ବିଧାନେ

ବେଶ କରଇ ମନେ ମନେ

।।

ନୀଳଜୀମୂତ ରୂପ ସାର

କନ୍ଦର୍ପ ଜିଣି ସେ ସୁନ୍ଦର

।।

କରେ କୋଦଣ୍ଡକାଣ୍ଡ ଶୋହେ

ଶିରେ ମୁକୁଟ ଶୋଭା ପାଏ

।।

ପୟରେ ରତନ କଠାଉ

ହୀରା ପଦକ ଦାଉ ଦାଉ

।।

ବସାଇ ତାଙ୍କୁ ବୀରବେଶେ

ଜାନକୀ ରଖାଇ ପାରୁଶେ

।।

ଲକ୍ଷ୍ମଣ ବୀର ଛତ୍ର ଧରି

ବାଙ୍କରେ ଟେକିଣ ଉଭାରି

।।

ଚାମର ଢାଳନ୍ତି ଭରତ

ଶତ୍ରୁଘ୍ନ ଆଲଟରେ ରତ

।।

ପାଦେ ସେବଇ ହନୁମନ୍ତ

ଚତୁର୍ଦ୍ଧା ମୂର୍ତ୍ତି ସୀତାକାନ୍ତ

।।

ପୀତବସନ ଆଭରଣ

ଶ୍ରୀକରେ ରତନ କଙ୍କଣ

।।

ଆଙ୍ଗୁଳିମାନଙ୍କେ ମୁଦ୍ରିକା

ନବରତ୍ନରେ ସେ ଝଳିକା

।।

ହୃଦରେ ରତନ ଭୂଷଣ

ଏମନ୍ତ ରୂପ କରି ଧ୍ୟାନ

।।

ନୃତ୍ୟ କରନ୍ତି ସମ୍ମୁଖରେ

ଆନନ୍ଦ ହୋଇଣ ମନରେ

।।

ହେ ପ୍ରଭୁ ମୋତେ କୃପାକର

ଏ ଭବସାଗରୁ ଉଦ୍ଧାର

।।

ଦୟସାଗର ରଘୁବୀର

ହୃଦେ ଦର୍ଶନ ହେଲେ ତାର

।।

କୋଟି କନ୍ଦର୍ପରୂପ ଦେଖି

ପିଛାଡ଼ି ନ ପାରଇ ଆଖି

।।

କୋଟିଏ ସୂର୍ଯ୍ୟ କି ଉଦୟେ

ଦେଖି ନୟନୁ ଲୁହ ବହେ

।।

ନୟନ ଲୁହ ହୃଦଯାକ

ଭୂମିରେ ପଡ଼ଇ ଅନେକ

।।

ଆନନ୍ଦ ସାଗରେ ବୁଡ଼ିଲା

ଦେହରୁ ପ୍ରାଣ କି ଛାଡ଼ିଲା

।।

ଥୟ ନୁହଇଁ ତାର ଚିତ୍ତ

ପିଣ୍ଡ ହୋଇଲା ମୃତବତ

।।

ଏମନ୍ତ ଦେଖି ରଘୁନାଥ

କୋଳରେ ଧଇଲେ ତୁରିତ

।।

ପଦ୍ମକରରେ ଛାଡ଼ିଦେଲେ

ହେ ଭକ୍ତ ବର ମାଗ ବୋଲେ

।।

ତୁ ଅଟୁ ଭକତଶେଖର

ମନ ଇଚ୍ଛାରେ ମାଗ ବର

।।

ଗରିବ କହେ କାର୍ପୂଣ୍ୟରେ

ହେ ପ୍ରଭୁ କୃପା କର ମୋରେ

।।

ଚିନ୍ତା ମୁଁ କଲେ ମୋ ହୃଦୟରେ

ଦର୍ଶନ ଦେଉଥିବ ବାରେ

।।

ଭୂତ ଭବିଷ୍ୟ ବର୍ତ୍ତମାନ

ଚିନ୍ତିଲେ ଜାଣବି ମୁଁ ଶୁଣ

।।

ଇଚ୍ଛାରେ ମୃତ୍ୟୁ ହେବ ମୋର

ନାମ ଖ୍ୟାତ ହେବ ଅପାର

।।

ଯହିଁକି ମୁଁ ମନ କରିବି

ତକ୍ଷଣେ ସେଠାରେ ମିଳିବି

।।

ଏ ବର ଦିଅ ରଘୁବୀର

ତୋ ପାଦପଦ୍ମେ ଚିତ୍ତ ସ୍ଥିର

।।

ଶ୍ରୀମୁଖେ ଅସ୍ତୁ ଅସ୍ତୁ ବାଣୀ

ଆନନ୍ଦ ହୋଇ ପ୍ରଭୁ ଭଣି

।।

ଏମନ୍ତ ଶୁଣି ସେ ଭକତ

ସାଷ୍ଟାଙ୍ଗେ କଲା ଦଣ୍ଡବତ

।।

ପ୍ରଣାମ କଲା ବାରମ୍ୱାର

ଅଦୃଶ୍ୟ ହେଲେ ରଘୁବୀର

।।

ତହୁଁ ଭକତ ତତକାଳେ

ଶ୍ରୀ ବୃନ୍ଦାବନ ଚଳିଗଲେ

।।

କୃଷ୍ଣଚନ୍ଦ୍ରଙ୍କୁ ଦେଖି ରଙ୍ଗେ

ଦ୍ୱାରକା ଗଲେ ସାଧୁ ସଙ୍ଗେ

।।

ଛାପାଧାରୀ ହୋଇ ଆବର

ମହିମା ଦେଖାଇ ସେଠାର

।।

ଅନେକ ସାଧୁବୃନ୍ଦ ସଙ୍ଗେ

ପ୍ରୟାଗ କାଶୀ ଗଲେ ରଙ୍ଗେ

।।

ସାଗର ସଙ୍ଗମରେ ହୋଇ

କୀର୍ତ୍ତି ରଖାଇ ତହୁଁ ଯାଇ

।।

ରାମନାଥ ଦର୍ଶନ କଲେ

ନୀଳାଦ୍ରି ପ୍ରବେଶ ହୋଇଲେ

।।

କ୍ଷେତ୍ରରେ ପରିକ୍ରମା କଲେ

ନାଳାଦି ନାଥଙ୍କୁ ଦେଖିଲେ

।।

ନିତି ଦେଖିଣ ଜଗଦୀଶ

ବେଶ ଦେଖିଣ ହେଲେ ତୋଷ

।।

ଆନନ୍ଦେ ବିଦା ହୋଇଗଲେ

କାଠଯୋଡ଼ି କୂଳେ ମିଳିଲେ

।।

ସ୍ୱଭାବେ ଭାଦ୍ରବର ମାସ

ନଦୀ ପୂରିଛି ବେନି ପାଶ

।।

ପକାଇ ମୃଗଛାଲ ଜଳେ

ବସିଣ ନଦୀପାର ହେଲେ

।।

କଟକେ ପ୍ରବେଶ ହୋଇଲେ

ସାଧୁ ବୃନ୍ଦଙ୍କୁ ସଙ୍ଗ କଲେ

।।

ମହାନଦୀର କୂଳେ ରହି

ବାରବାଟି ନିକଟ ଯହିଁ

।।

ସେ ବାରବାଟି ପଶ୍ଚିମରେ

ଦେଉଳ ତିଆରି ସେ କଲେ

।।

ଚତୁର୍ଦ୍ଧାମୂର୍ତ୍ତି ସ୍ଥାପି ତହିଁ

ଦେଉଳ ପ୍ରତିଷ୍ଠା କରାଇ

।।

ଶ୍ରୀ ନୀଳଗିରି କୀର୍ତ୍ତିମାନ

ତହିଁ ଖଞ୍ଜିଲେ ପ୍ରତିଦିନ

।।

ଅବକାଶ ଯେ ଧୂପ ଆଦି

ଛପନ ଭୋଗ ଯେ ପ୍ରସିଦ୍ଧି

କ୍ଷଣ କ୍ଷଣକେ ବେଶ କଲେ

ପ୍ରସାଦେ ସଦାବର୍ତ୍ତ ଦେଲେ

।।

ଛତିଶ ନିଯୋଗମାନଙ୍କୁ

ଆକଟ କରିଦେଲେ ତାଙ୍କୁ

।।

ବାର ମାସରେ ତେର ଯାତ

ନିୟମେ କରନ୍ତି ସମସ୍ତ

।।

ନୌବତ ବଜାଇ ଗହଳେ

ବାଦ୍ୟ ବଜାଇ କୁତୁହଳେ

।।

ଦେଉଳ ଶିଖେ ଉଡ଼େ ନେତ

ଭକ୍ତକୁ ଦେଖିବା ନିମିତ୍ତ

।।

କଂସାର କବାଟ ବନାଇ

ଖଞ୍ଜିଲେ ଚାରିଦିଗେ ନେଇ

।।

ଘଣ୍ଟ ଯେ କରତାଳମାନ

ଶିଙ୍ଗା ବଜାଇ ଘନ ଘନ

।।

ସାୟଂ କାଳରେ ଶଙ୍ଖବାଦ୍ୟ

କେ କହୁ ସାଧୁଙ୍କ ଆନନ୍ଦ

।।

ଧର୍ମ ଶାଳାରେ ରହିଥାନ୍ତି

ହରି ଶବ୍ଦରେ ଦିନ ନ୍ୟନ୍ତି

।।

ଅନେକ ସାଧୁ ବୃନ୍ଦ ନିତି

ସାଧୁଙ୍କ ଚରଚା କରନ୍ତି

।।

ପ୍ରେମ ଆନନ୍ଦେ ହୋଇ ଭୋଳା

ଏମନ୍ତେ କେତେଦିନ ଗଲା

।।

ଶୁଣ ହେ ସୁମନ ରାଜନ

ଅପୂର୍ବ ଅଟେ ଏ ଆଖ୍ୟାନ

।।

ବାରବାଟି ବୋଲିଟି ଯେହୁ

ବତ୍ସାକଟକ ଅଟେ ସେହୁ

।।

ତହିଁରେ ଅଧିକ ଯବନ

ବଡ଼ ପ୍ରତାପୀ ଦୁଷ୍ଟଜନ

।।

ତାହାର ସୈନ୍ୟର ପ୍ରତାପେ

ଡରେ ଖଟନ୍ତି ପ୍ରଜାଲୋକେ

।।

ଭୟେ ଅନେକ ଲୋକ ଆସି

ଖଟିଣ ଥାନ୍ତି ଦିବା ନିଶି

।।

ବଡ଼ ପ୍ରତାପୀ ସେ ଯବାନ

ପ୍ରଜାଙ୍କୁ ଯେହ୍ନେ ଦ୍ୱିତୀଯମ

।।

ଅନ୍ୟାୟ ଦେଖିଲେ ଦଣ୍ଡଇ

ପୁତ୍ର ପ୍ରାୟ ଜନ ପାଳଇ

।।

ଏଇ ଡଗର ତହୁଁ ପୁଣ

ନବାବେ ଦେଲାକ ସନ୍ଧାନ

।।

ଏଠାରେ ବଇଷ୍ଣବ ଜଣେ

ନାଗରା ଦିଏ ଉଚ୍ଚସ୍ଥାନେ

।।

ବହୁତ ନାଗାଙ୍କୁ ରଖିଣ

ଯୁଝିବ ତୁମ୍ଭରି ସଙ୍ଗେଣ

।।

ବଡ଼ ଦେଉଳ କରି ଆର

ପାଚେରୀ କରି ଉଚ୍ଚ ସାର

।।

କଂସା କବାଟ ଦ୍ୱାରେ କରି

ଧ୍ୱଜା ଉଡ଼ାଏ ସେ ନ ଡରି

।।

ଡଗର ବଚନ ଶୁଣିଣ

ଯବନ କ୍ରୋଧ କଲା ମନ

।।

ଆପଣା ଭକ୍ଷଦ୍ରବ୍ୟ ଆଣି

ପେଟରା ମଧ୍ୟେ ଭରି ପୁଣି

।।

ଯତନ କରି ସ୍ଥାନମାନ

ତହିଁରେ ମୁଦ ଦେଇ ପୁଣି

।।

ଡଗର କରେ ପେଶି ଦେଲା

ବୈଷ୍ଣବ ଭୁଞ୍ଜିବ ବୋଇଲା

।।

ଆମ୍ଭର ସମାନ ସେ ଯେବେ

ଖାଉ ଆମ୍ଭର ଦ୍ରବ୍ୟ ତେବେ

।।

ଡଗର ଶୁଣି ଘେନିଗଲା

ମହନ୍ତ ଦ୍ୱାରେ ଯାଇ ହେଲା

।।

ଆଗମ ଜାଣି ସେ ମହନ୍ତ

ଦ୍ୱାରେ ହୋଇଲା ଉପଗତ

।।

ପାଦେ କଠାଉ ବେତ ଧରି

ସେ ଦ୍ରବ୍ୟ ପରିକ୍ରମା କରି

।।

ବେତ ଲଗାଇ ତିନିବାର

ବୋଇଲେ ଶୁଣରେ ଡଗର

।।

ନବାବ ଯାହା ସେ ଦେଇଛି

ଭକ୍ଷଣ କରବା କହୁଛି

।।

ଏବେ ତୁ ବାହୁଡ଼ାଇ ନିଅ

ଆମ୍ଭେ ଭକ୍ଷିଲୁ ବୋଲି କହ

।।

ଆମ୍ଭର ଅବଶେଷ ପାଉ

ଆମ୍ଭଠାରେ ଅପ୍ରାଧୀ ନୋହୁ

।।

ନଗର ତହୁଁ ବେଗେ ଗଲା

ନବାବେ ସମସ୍ତ କହିଲା

।।

ପୁଣି ଯବନ କ୍ରୋଧଭରେ

ଫିଟାଇ ଦେଖିଲା ତହିଁରେ

।।

ସେ ଦ୍ରବ୍ୟମାନ ନାହିଁ କିଛି

ମିଷ୍ଟାନ୍ନ ପୂରି ଗଜା ଅଛି

।।

ମନ ମଧ୍ୟରେ ଭୟ କଲା

ଆମ୍ଭେ ଦେଖିଯିବୁଁ ବୋଇଲା

।।

ସେ ଯେ ଗରିବ ଦାସେ ତହିଁ

ମନେ ଚିନ୍ତଇ ଭାବଗ୍ରାହୀ

।।

ବୋଲେ ଏ ଦେହ ନ ରଖିବା

ସତ୍ତ୍ୱରେ ସମାଧି ଘେନିବା

।।

ଦ୍ୱାର ସମ୍ମୁଖେ ଗାତ ଖୋଳେ

ସମାଧି ଘେନିବା ନିରୋଳେ

।।

ବହୁତ ସାଧୁଜନ ମିଳି

ହରି ଶବଦେ କରତାଳି

।।

ଦେଇଣ ବିଦା ହୋଇଗଲେ

ସମସ୍ତେ ହାହାକାର କଲେ

।।

ନବାବ ମନେ ମନେ ଡରି

ଦେଖିବା ଅର୍ଥେ ବିଜେ କରି

।।

ଦେଖିଲା ସମାଧି ନୟନେ

କ୍ରୋଧେ ସେ କମ୍ପଇ ସଘନେ

।।

ବୋଇଲେ କିମ୍ପା ଏହା କଲା

ତା ଦ୍ରବ୍ୟ ଲୁଟି କରାଇଲା

।।

ଦେଉଳ ମଧ୍ୟେ କାଷ୍ଠ ଭରି

ପୋଡ଼ାଇ ଖଣ୍ଡ ଖଣ୍ଡ କରି

।।

ମନ୍ଦିର ତହୁଁ ଭାଙ୍ଗଦେଲା

ମସଜିଦ୍‌ ସେ ସ୍ଥାନେ କଲା

।।

ପୁଣି ଦୂତକୁ ଆଜ୍ଞାଦେଲା

ଗରିବ ଗଡ଼ ଲୁଟି କଲା

।।

ଆଉ ଅସାଧ୍ୟ ନାହିଁ ଗଡ଼

ସାଧ୍ୟ ହୋଇଲେ ସାନ ବଡ଼

।।

ଦେଖି ଗରିବ ଦାସ ରୋଷେ

ସମାଧି ତେଜି ଅବଶେଷେ

।।

ନିଶାରେ ବାଦସା ମନ୍ଦିରେ

ପ୍ରବେଶ ହେଲେ ଧୀରେ ଧୀରେ

।।

ବାଦସା ନିଦେ ଥିଲା ଶୋଇ

ବସିଲେ ଛାତି ପରେ ଯାଇଁ

।।

ବୋଇଲେ ଆରେ ଦୂରାଚାର

ଜୀବନ ଘେନିବି ତୋହର

।।

ମୋର ସୁଯଶ କଲୁ ନାଶ

ଦେଉଳ କରାଇଲୁ ଧ୍ୱଂସ

।।

ଏବେ ତହିଁର ପ୍ରତିଫଳ

ସମ୍ଭାଳ ପାଷାଣ୍ଡ ସମ୍ଭାଳ

।।

କ୍ଷଣକେ ବିନାଶନ୍ତି ତୋତେ

ଦୟା ଉପୁଜେ ମୋର ଚିତ୍ତେ

।।

ଯେବେ ଜୀବନେ ଅଛି ଆଶା

ଘେନ ତୁ ମୋର ଏହି ଭାଷା

।।

ଏଠାରେ ଦେଉଳ ମୋହର

କରିବି ଏ ନିଶ୍ଚୟ ଗିର

।।

ଦିଅ ତୁ ମୋତେ କିଛି ସ୍ଥାନ

ବୋଲି ହୋଇଲେ ଅନ୍ତର୍ଦ୍ଧାନ

।।

ବାଦସା ହୋଇ ଭୀତତ୍ରସ୍ତ

ଶେଯରୁ ଉଠିଲା ତ୍ୱରିତ

।।

ତମ୍ୱାରେ ସନନ୍ଦ ଲେଖାଇ

ସାଧୁ ଶିଷ୍ୟଙ୍କୁ ଦେଲା ନେଇ

।।

ସେ ଲେଖା ପାଇ ଶିଷ୍ୟଗଣ

ମଠ ନିର୍ମାଣିଲେ ଆପଣ

।।

ଧ୍ୱଜା ବାନ୍ଧିଲେ ଉଚ୍ଚସାର

ସଦାବର୍ତ୍ତ ଖଞ୍ଜି ଆବର

।।

ରଘୁନାଥଙ୍କ ସେବା ପୁଷ୍ପ

ସ୍ୱାମୀରେ ଖଞ୍ଜିଲେ ବିଶେଷ

।।

କିଛି ଦିନରେ ତହିଁ ପୁଣ

ଏକ ସ୍ତିରୀଏ ଚକ୍ଷୁହୀନ

।।

ବିଶ୍ୱାସେ ଅଧିଆ ପଡ଼ିଲା

ସେଠାରେ ଚକ୍ଷୁ ସେ ପାଇଲା

।।

ତହୁଁ ସେ ହୋଇଲା ବିଖ୍ୟାତ

ସେ ନଗ୍ରଲୋକ ଦେଖି ତତ୍ତ୍ୱ

।।

ଅପୁତ୍ରୀ କୁଷ୍ଠି ଲୋକମାନେ

ସେବା କରନ୍ତି ପ୍ରତିଦିନେ

।।

ତାଙ୍କର ଗତି ମୁକ୍ତି ଆଉ

ଦେହଧାରୀ ଜାଣିବ କାହୁଁ

।।

ବ୍ରାହ୍ମଣ ଶୁଦ୍ରଜନ ଆର

ବିଶ୍ୱାସ ମୂଳ ସ୍ୱାମୀପର

।।

ଶୁଣିବା ହେଉ ସାଧୁଜନ

ତତ୍ତ୍ୱରେ କର ହେ ଭଜନ

।।

ଗଜ ଯେ ତତ୍ତ୍ୱରେ ଭଜିଲା

ଗ୍ରାହ ମୁଖରୁ ଉଦ୍ଧରିଲା

।।

ହରିଙ୍କି ଦେଖିଲା ନୟନ

ଖଣ୍ଡିଲା ପୂର୍ବ ପାପମାନ

।।

ଭଣଇ ବିପ୍ର ରାମଦାସ

ମୋ ପ୍ରଭୁ କମଳାବିଳାସ

।।

ସାଧୁଜନଙ୍କ ପାଦଧୂଳି

ମଣ୍ଡନ ହେଉ ମୋ ମଉଳି

।।

ଭଗମାର୍ଗେ ମୋ ଜନ୍ମଯୋହୂ

ଏ କୃପାକର ମହାବାହୁ

।।

ଏ ଦାର୍ଢ୍ୟଗୀତ ଭକ୍ତିରସ

ପଦ ପଦକେ ସୁଧାରସ

।।

 

ଇତି ଶ୍ରୀ ଦାର୍ଢ୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ୱାଦେ

ଗରିବ ଦାସ ସ୍ୱାମୀ ଦାର୍ଢ୍ୟତାଭାବ ବର୍ଣ୍ଣନେ ନାମ ଏକପଞ୍ଚାଶୋ ଅଧ୍ୟାୟଃ ।

•••

 

ଦ୍ୱିପଞ୍ଚାଶ ଅଧ୍ୟାୟ

ଚନ୍ଦ୍ରଧ୍ୱଜ ସମ୍ବାଦ

 

କହଇ ସେ ମନୁ ରାଜନ

ଚୈତନ୍ୟ କହ ଭକ୍ତଗୁଣ

।।

ମୋ କର୍ଣ୍ଣ ହୋଇବ ପବିତ୍ର

ଦୁର୍ବୁଦ୍ଧି ଛାଡ଼ିବ ତ୍ୱରିତ

।।

ଭକତ କଥାମୃତ ପାନ

କରି ପବିତ୍ର ହେଉ ମନ

।।

ଚୈତନ୍ୟ କହେ ମନ ଶୁଣ

ଚନ୍ଦ୍ରଧ୍ୱଜ ନାମେ ରାଜନ

।।

ନିଶା ଶାରଙ୍ଗ ଗଡ଼ର

ଷୋଳ ଯୋଜନ ରାଜ୍ୟ ତାର

।।

ରାଣୀ ନାମ କୁନ୍ଦନ ଦେଈ

ବିଦ୍ୟାଧର ପୁତ୍ର ଅଟଇ

।।

ରାଜା ଯେ ବିବେକ ସୁଶୀଳ

ଦୟାଭାବରେ ଅତି ଭୋଳ

।।

ଦେବା ପଦରେ ସେହୁ ଜଣେ

ହରି ଭଜଇ ଅନୁକ୍ଷଣେ

।।

ହରି ଯେ ପରଜାଙ୍କ ଚିତ୍ତ

ଭକ୍ତି ଭାବରେ ଅଛି ପୁତ୍ର

।।

ଜାଣିଲେ ବ୍ରହ୍ମାଣ୍ଡ ଗୋସାଇଁ

କରୁଣା କଲେ ତାଙ୍କଠାଇଁ

।।

ସେ ରାଜାପୁତ୍ର ବିଦ୍ୟାଧର

ପାରିଧି କରେ ବନସ୍ତର

।।

ଦିନେ ଅନେକ ମୃଗ ମାରି

ଗୃହକୁ ଅଇଲା ସେ ଫେରି

।।

ତା ପିତା ଚନ୍ଦ୍ରଧ୍ୱଜ ଦେଖି

ପୁତ୍ରକୁ କହେ ହୋଇ ଦୁଃଖୀ

।।

ଦୁର୍ବୁଦ୍ଧି କଲୁରେ କୁମର

ଦ୍ରୋହୀ ହୋଇଲୁ ହରିଠାର

।।

ଜୀବରେ ତୋର ଦୟା ନାହିଁ

ବୃଥା ହେଉଛୁ ପାପେ ଗ୍ରାହି

।।

ଶୁଣ ନନ୍ଦନ ମୋ ବଚନ

ନ ଚିହ୍ନୁ ନର ନାରାୟଣ

।।

ମୁକ୍ତାକୁ ଛାଡ଼ିଲୁରେ ପୁଣ

ଗରଗଡ଼ କଲୁ ଭୂଷଣ

।।

ତୁଳସୀଗଛ ତୁ ଛାଡ଼ିଲୁ

ଗଞ୍ଜାଇ ଗଛକୁ ପାଳିଲୁ

।।

ଚମ୍ପା ଫୁଲମାଳ ଛାଡ଼ିଲୁ

ଶିମୁଳି ଫୁଲ ମଣ୍ଡିହେଲୁ

।।

ଗଙ୍ଗଜଳକୁ ତୁହି ଛାଡ଼ୁ

କୂପଜଳରେ କିମ୍ପା ବୁଡ଼ୁ

।।

ହରିଠାରେ ଦ୍ରୋହ କରିଣ

ତା ପାଦେ ନ ପଶୁ ଶରଣ

।।

ଗ୍ରାମ ଦେବତା ପୂଜା କରି

ବ୍ୟର୍ଥରେ ଦିନମାନ ହାରି

।।

କୁଳେ କଳଙ୍କ ଯେ ଦେଉ

ଏହା ତୁ ନ କରିବୁ ଆଉ

।।

ଶ୍ରୀକୃଷ୍ଣଠାରେ ଭକ୍ତିକଲେ

ଯଶ ରହିବ ମହୀତଳ

।।

ତୋ ଜନ୍ମ ହୋଇବ ସଫଳ

ବଞ୍ଚିବୁ ତୁ ଯେ ଚିରକାଳ

।।

ଜୀବଠାରେ ତୁ ଦୟାକର

କୃପା କରିବେ ଚକ୍ରଧର

।।

ହରି ଭକତି କର ତୁହି

ସୁଭଗା ନାରୀ ପ୍ରାୟ ହୋଇ

।।

କାନ୍ତ ଚରଣେ ମନ ଥୋଇ

ଦିବସ ରଜନୀ ବଞ୍ଚଇ

।।

ହରି ଭଜନ କରି ବାବୁ

ସଂସାର ଚେଷ୍ଟା ଛାଡ଼ି ସବୁ

।।

ମିଥ୍ୟା ଅଟଇ ଏ ଶରୀର

ହରି ନାମଟି ଏକା ସାର

।।

ଏମନ୍ତ ବୋଧିଣ ରାଜନ

ଗଲେ ରାଣୀ ସଙ୍ଗେ ଘେନିଣ

।।

ଯାଇଣ ପ୍ରବେଶ ନଗର

ହରି ଜାଣିଲେ ମନ ତାର

।।

ମୟାରେ ବିଶ୍ୱରୂପ ଧରି

ଏକଇ ଶିଷ୍ୟ ସଙ୍ଗେ ଧରି

।।

ରାତ୍ରେ ଭ୍ରମନ୍ତି ନରହରି

ଶୁଣିଲେ ଏକ ଗୃହକାରୀ

।।

ସମ୍ଭୋଗ କାଳେ ନାରୀପ୍ରତି

କୌତୁକେ କହଇ ଭାରତୀ

।।

ଶ୍ରଦ୍ଧାରେ ତୋ ମୁଖ ଦେଖିଲି

କୃଷ୍ଣ ଦର୍ଶନ କିବା କଲି

।।

ରମଣେ ସନ୍ତୋଷ ମୋ ମନ

ଦେଖିଲେ ଚକ୍ଷୁ କୃଷ୍ଣବର୍ଣ୍ଣ

।।

ଯାରେ ସୁମରି ଯୋଗୀଗଣ

ମୁକତୀ ହେଲେ ଦେହାନ୍ତେଣ

।।

ତୁମ୍ଭର ଗତି ସେହିରୂପେ

ସ୍ୱାମୀ କହେ ନାରୀ ସମୀପେ

।।

ରାତ୍ରେ ବୁଲିଣ ମହାବାହୁ

ଏ ସର୍ବ କଥା ଶୁଣି ତହୁଁ

।।

ବୋଇଲେ ନଗ୍ର ଲୋକେ ଧନ୍ୟ

ଜାଣିବି ରାଜାର କି ପୁଣ୍ୟ

।।

ବୃଦ୍ଧ ବ୍ରାହ୍ମଣ ରୂପ ହୋଇ

ଗମନ କଲେ ଭାବଗ୍ରାହୀ

।।

ସଭାରେ ଅଛି ରାଜା ବସି

ପ୍ରବେଶ ହେଲେ ବ୍ରହ୍ମରାଶି

।।

ରାଜାକୁ କଲେ ସେ କଲ୍ୟାଣ

କୃଷ୍ଣ ଭକ୍ତିରେ ଯାଉ ଦିନ

।।

ଚମକି ରାଜନ ଉଠିଲା

ବିନୟେ ଦଣ୍ଡବତ କଲା

।।

ସଧୀରେ ବୋଇଲା ବଚନ

ନମସ୍କାର ନୋହୁ କଲ୍ୟାଣ

।।

ଆଜ ସୁଭାଗ୍ୟ ବଡ଼ ମୋର

ପୟରେ ପଡ଼ିଲା ମୋ ପୁର

।।

ଏତେକ କହି ଶୁଦ୍ଧନୀରେ

ପାଦ ଧୋଇଲେ ଭକ୍ତି ଭରେ

।।

ସେ ପାଦ ଉଦକକୁ ନେଇ

ଅଙ୍ଗେ ବୋଳିଲା ତୋଷହୋଇ

।।

ପୁଣି କେତେକ ପାନ କଲା

ଦିବ୍ୟ ଆସନେ ବସାଇଲା

।।

ବହୁତ କଲା ପୂଜ୍ୟମାନ୍ୟ

ସନ୍ତୋଷ ହେଲେ ନାରାୟଣ

।।

କ୍ଷଣେ ବିଶ୍ରାମ କଲେ ତହିଁ

ବିଦାୟ ହୋଇଲା ଗୋସାଇଁ

।।

ସେ ରାଜା ରାଜ୍ୟରେ ମିଳିଲେ

ବେଦ ଗାୟନ ଆରମ୍ଭିଲେ

।।

ରାଜା ତା ଶ୍ରବଣେ ଶୁଣିଣ

ବୋଇଲେ ଶୁଣ ହେ ବ୍ରାହ୍ମଣ

।।

କାହୁଁ ଅଇଲ ଶିଷ୍ୟ ସଙ୍ଗେ

ମୋ ଯଜ୍ଞ ଫଳ ହେଲା ଏବେ

।।

ତୁମ୍ଭର ଶୁଣିଲି ମୁଁ ବେଦ

ମୋ ମନ ହୋଇଲା ପ୍ରମୋଦ

।।

ମାୟା ନ କରି କହ ସତ୍ୟ

କେବଣ କାରଣେ ଆଗତ

।।

ଯାହା ମାଗିବ ତା ଦେବଇଁ

ବେଗେଣ କହିବା ଗୋସାଇଁ

।।

ସତ୍ୟ ସତ୍ୟ ମୋର ବଚନ

ଏହୁ ସମ୍ପଦେ କି କାରଣ

।।

ରାଜ୍ୟ ଭଣ୍ଡାର ପୁର ନାରୀ

ଶିର କମଳ ଆଦି କରି

।।

ତା ଶୁଣି କହିଲେ ବ୍ରାହ୍ମଣ

ଶୁଣ ହୋ ନୃପତି ତୁ ପୁଣ

।।

ଧର୍ମ ନଗରେ ମୋର ଘର

ଏକଇ ପୁତ୍ର ଥିଲା ମୋର

।।

ତୋ ରାଜ୍ୟେ ଅଛି ବିଷ୍ଣୁକର

ଏକ ଦୁହିତା ଅଛି ତାର

।।

ତାହାର ବିଭା ଅର୍ଥେ ଜାଣ

ମୋର ପୁତ୍ରକୁ ଆଣନ୍ତେଣ

।।

ଆସନ୍ତେ ଅଗମ୍ୟ ବନସ୍ତେ

ବ୍ୟାଘ୍ରେକ ମିଳିଲା ତୁରିତେ

।।

ସେ ଦୁଷ୍ଟ ବଳେ ଝାମ୍ପିଆସି

ମୋ ପୁତ୍ରେ ନେଲା ସେ ଆକର୍ଷି

।।

ତହୁଁ ମୋ ପୁତ୍ର କଲା ରଡ଼ି

ବୋଇଲା ମତେ ଗଲ ଛାଡ଼ି

।।

ଏହୁ କଷଣୁ ରକ୍ଷା କର

ଦେଖି ରହିଲି ମୁଁ ଏଠାର

।।

ତା ଦେଖି ବୁଡ଼ିଲା ମୋ ଜ୍ଞାନ

କ୍ଷଣେ ମୁଁ ହୋଇଲି ମଉନ

।।

ଡକା ବୋବାଳି ପୁଣି କଲି

ନୃସିଂହ ରକ୍ଷା କର ବୋଲି

।।

ବ୍ୟାଘ୍ରର ମୂର୍ତ୍ତି ଭୟଙ୍କର

ଦେଖି ନୋହିଲା ଭୟ ମୋର

।।

ତୁଣ୍ଡେ ମୁଁ ନାରାୟଣ ବୋଲି

ଜୀବନ ଆଶାକୁ ଛାଡ଼ିଲି

।।

ମିଳିଲେ ସେ ବ୍ୟାଘ୍ର ପାଶରେ

ମୁଣ୍ଡ କଚାଡ଼ିଲି ଭୂମିରେ

।।

ତା ପାଦତଳେ ମୁଁ ପଡ଼ିଲି

ମୋତେ ପୁତ୍ର ଦିଅ ତୁ ବୋଲି

।।

ମନୁଷ୍ୟ ବଚନ ପ୍ରକାର

ମୋତେ ସେ କହିଲା ଉତ୍ତର

।।

ଶୁଣ ବ୍ରାହ୍ମଣ ମୋ ବଚନ

ତୋ ପୁତ୍ର ଅଟେ ମୋ ଭୋଜନ

।।

ରୋଗ ଯେ ବ୍ୟାଘ୍ର ସର୍ପଘାତ

ଯମର ଅଟନ୍ତି ଏ ଦୂତ

।।

ଯାହାର ମୃତ୍ୟୁ ଯେଉଁଠାରେ

ବିଧାତା ଘଟାଏ ସଂସାରେ

।।

ଘୋଟଇ ଯେତେବେଳେ କାଳ

ଦାନ ପୁଣ୍ୟ କଲେ ନିଷ୍ଫଳ

।।

ଅବଶ୍ୟ ସେ ପ୍ରାଣୀ ମରଇ

ଧର୍ମ ଶାସ୍ତ୍ରରେ ଅଛି କହି

।।

ଶୁଣି ମୁଁ ଅନେକ କାନ୍ଦିଲି

ବହୁତ ବିନୟେ କହିଲି

।।

ଶୁଣ ତୁ ବ୍ୟାଘ୍ର ମୋ ଉତ୍ତର

କପଟ ନ ରଖି ମୋହର

।।

କେମନ୍ତେ ପୁତ୍ର ମୋ ବଞ୍ଚଇ

ତାହା ତୁ କହ ହୋ ବୁଝାଇ

।।

ଯାହା ମୋତେ ସେହି ବୋଇଲା

କହିବା ନୁହଇ ସେ ଭଲା

।।

ଅତି କଠିନ କଥା ସେହି

ରାଜନ କେହ୍ନେ କହିବେଇଁ

।।

ବୋଲେ ନୃପତି ତତପର

ହେ ବିପ୍ର ବିଳମ୍ୱ ନ କର

।।

ଅବଶ୍ୟ ସେ କଥା କରିବି

ତୋ ଲାଗି ଅଗ୍ନିରେ ଝାସିବି

।।

ବ୍ରାହ୍ମଣ ବୋଲି ରାଜନ

ସେ ଦୁଷ୍ଟ ଯା ବୋଇଲା ଶୁଣ

।।

ପୁତ୍ର ପାଲଟେ ସେହୁ ପୁଣ

ଦକ୍ଷିଣା ମାଗୁଅଛି ଜାଣ

।।

ପୁତ୍ର ନାରୀ କରତେ ଚିରି

ସର୍ବାଙ୍ଗ ବେନି ଫାଳ କରି

।।

ମନରେ ବିକଳ ନ ଥିବ

ଏମନ୍ତେ ଦକ୍ଷିଣାଙ୍ଗ ଦେବ

।।

ଏମନ୍ତ ମାଂସ ଆଣିଦେବୁ

ତେବେ ତୋ ପୁତ୍ରକୁ ତୁ ନେବୁ

।।

ବ୍ରାହ୍ମଣ ବୋଇଲେ ବଚନ

ପୂର୍ବର କଥା ଶୁଣ ପୁଣ

।।

କର୍ଣ୍ଣ ବୋଲିଣ ଦାନୀ ଥିଲା

ପୁତ୍ର ମାରି ଭୋଜନ ଦେଲା

।।

ବଳି ରାଜାର ଦାନୀପଣ

ତ୍ରିପାଦ ଭୂମି ଦେଲା ଦାନ

।।

ପୁରୁ ବୋଲିଣ ମହାରାୟେ

ମାଉଁସ କାଟି ଦାନ ଦିଏ

।।

କପୋତ ପକ୍ଷୀକି ରଖିଲା

ପୁରାଣେ ତା କଥା ରହିଲା

।।

ଦାନୀ ମାନଙ୍କର ପ୍ରସ୍ତାବ

ନିଜ ଶରୀରେ ନାହିଁ ଭାବ

।।

ପର ପାଇଁ ସେ ଦ୍ୟନ୍ତି ପ୍ରାଣ

ଶୁଣିମା ହେଉ ହେ ରାଜନ

।।

ପୂର୍ବରେ ଥିଲେ ରାମଚନ୍ଦ୍ର

ଅଯୋଧ୍ୟା ଦେଶର ନରେନ୍ଦ୍ର

।।

ବିପ୍ର ମଲାପୁତ୍ର ଆଣିଲେ

ସତ୍ୟବନ୍ତ ଧର୍ମ ରଖିଲେ

।।

ଶ୍ରୀରାମ ପ୍ରାୟେ ତୋତେ ଜାଣି

ତୁମୋ ପୁତ୍ରକୁ ଦିଅ ଆଣି

।।

ରାଜନ ଶୁଣି ଏ ବଚନ

ବୋଇଲେ ଶୁଣ ହେ ବ୍ରାହ୍ମଣ

।।

ଚିନ୍ତା ତୋ ମନରୁ ଉପେକ୍ଷ

ତୋ ପୁତ୍ର ଆଣିଦେବି ଦେଖ

।।

ମୋହର ଅର୍ଦ୍ଧଅଙ୍ଗ ଦେଲେ

ତୋ ପୁତ୍ର ବ୍ୟାଘ୍ର ଦେବ ଭଲେ

।।

ଏହା କହିଣ ସେ ରାଜନ

ପୁତ୍ର ପ୍ରଜାଙ୍କୁ ଡକାଇଣ

।।

ପୁତ୍ରକୁ ଅଭିଷେକ କଲେ

ଛତ୍ର ଧରାଇ ଖଣ୍ଡା ଦେଲେ

।।

ସୁଚିତ୍ତେ ବସିଲେ ରାଜନ

ମାଳା ତିଳକ ଆଭରଣ

।।

ବ୍ରାହ୍ମଣମାନଙ୍କୁ ଡାକିଲେ

ମୋ ସତ୍ୟ ରହୁହେ ବୋଇଲେ

।।

ବଢାଇ ଡାକିଲେ ବହୁତ

କହିଲେ ଯାବତ ବୃତାନ୍ତ

।।

ବଢାଇ କରତ ଘେନିଣ

ଉଭା ହୋଇଲେ ପାଶେ ପୁଣ

।।

ନାରୀ ପୁତ୍ରକୁ ଡକାଇଲେ

କଲ୍ୟାଣ କରିବ ବୋଇଲେ

।।

ମୋହର ଅଙ୍ଗ କରତିବ

ଦକ୍ଷିଣଅଙ୍ଗ ବିପ୍ରେ ଦେବ

।।

ମୋ ମନମଧ୍ୟେ ଦୁଃଖ ନାହିଁ

ଯେମନ୍ତ ବିପ୍ର ପୁତ୍ର ପାଇ

ମୋ ସତ୍ୟ ଯେମନ୍ତେ ରହିବ

ତେମନ୍ତ ତୁମ୍ଭେ ବିଚାରିବ

।।

ସେହୁ ବ୍ରାହ୍ମଣ ପାଦଧୋଇ

ଆସନେ ବସାଇଲେ ନେଇ

।।

ଦୁଇ ଖମ୍ୱ ଆଣ୍ଟେ ବନ୍ଧାଇ

ମାଳଙ୍କୁ ଡାକି ସର୍ବ କହି

।।

ବୋଇଲେ ତୁମ୍ଭେ ବଳବନ୍ତ

ଆଣ୍ଟେ ଧରିବ ମୋର ଗାତ୍ର

।।

ପୁତ୍ର ନାରୀ ଯେ ମୋତେ ଚିରି

ଦକ୍ଷିଣ ଅଙ୍ଗ ତୋଳି ଧରି

।।

ସେହି ବ୍ରାହ୍ମଣେ ଦେବେ ଦାନ

ତେବେ ମୋ ସୁଫଳ ଜୀବନ

।।

ରାଣୀ ବୋଇଲେ ହେ ରାଜନ

ତୁମ୍ଭର ଦେହ ନୋହୁ ଖୁଣ

।।

ମୋତେ ସେ ଦିଅ ତୁମ୍ଭ ଦାନ

ତୁମ୍ଭର ଥାଉ ଏ ଜୀବନ

।।

ବ୍ରାହ୍ମଣ ମୋ ଶରୀର ନେଉ

ବ୍ୟାଘ୍ରକୁ ଶୀଘ୍ର ଯାଇଁ ଦେଉ

।।

ଯେ ନାରୀ ମରେ ସ୍ୱାମୀ ଆଗେ

ପାପ ବିନାଶି ବସେ ସ୍ୱର୍ଗେ

।।

ଏହା ଶୁଣିଣ ସେ ବ୍ରାହ୍ମଣ

ବୋଲଇ ଆଗୋ ତୁମ୍ଭେ ଶୁଣ

।।

ଏ ମାଂସ ବ୍ୟାଘ୍ର ନ ଭକ୍ଷିବ

ମୋ ପୁତ୍ର କେବେ ହେଁ ନ ଦେବ

।।

ଏ ରାଜା ଅତ୍ୟଭଙ୍ଗ ହେବ

ହସିବେ ପ୍ରଜାଲୋକ ସର୍ବ

।।

ତା ଶୁଣି ପୁତ୍ର କହେ ତହୁଁ

ଦିଅହେ ମୋତେ ବ୍ୟାଘ୍ର ଖାଉ

।।

ପିତା ପୁତ୍ରରେ ନାହିଁ ଭେଦ

ଜାତ ହୋଇଛି ତାଙ୍କ ସ୍ୱେଦ

।।

ଶ୍ରୀରାମ ଥିଲେ ଯେ ପୂର୍ବେଣ

ପିତା ସତ୍ୟରେ ଗଲେ ବନ

।।

ପର୍ଶୁ ଜନ୍ମିଲେ ଋଷିଘର

ପିତାର ସତ କଲେ ସାର

।।

ଶୁଣିମା ହେଉ ହେ ବ୍ରାହ୍ମଣ

ପିତା ନିମନ୍ତେ ଯାଉ ପ୍ରାଣ

।।

ସଂସାରେ ରହୁ କୀର୍ତ୍ତି ମୋର

ପାଦେ ପଡ଼ୁଛି ମୁଁ ତୁମ୍ଭର

।।

ଏହା ଶୁଣିଣ ସେ ବ୍ରାହ୍ମଣ

ବୋଲଇ ରାଜପୁତ୍ର ଶୁଣ

।।

ମାତା ସୁତ ଯେ କରିତେଣ

କରତ ରାଜା ଅଙ୍ଗ ପୁଣ

।।

ଦକ୍ଷିଣ ଅଙ୍ଗ ଯେବେ ଦେବ

ତେବେ ସେ ବ୍ୟାଘ୍ର ତା ଭକ୍ଷିବ

।।

ତେବେ ପୁତ୍ରକୁ ଦେବ ସେହି

ତୋ ହସ୍ତେ କରିତିକୁ ଦେହୀ

।।

ଏମନ୍ତ ରାଜପୁତ୍ର ଶୁଣି

ଆପଣା ମନ ମଧ୍ୟେ ଗୁଣି

।।

ବୋଲେ ଏ ନିଶ୍ଚେ ନାରାୟଣ

ନୋହିଲେ ଦ୍ୟନ୍ତେ କି କଷଣ

।।

ଚନ୍ଦ୍ରଧ୍ୱଜ ଆନନ୍ଦ ହୋଇ

କରତ ପୁତ୍ର ହସ୍ତେ ଦେଇ

।।

ପରମ ଆନନ୍ଦରେ ବୁଡ଼ି

ନାରୀଙ୍କି ବୋଲେ ତଡ଼ବଡ଼ି

।।

ବିଳମ୍ୱ ନ କର ଗୋ ପୁଣ

ହୋଇବ ସତ୍ୟଭଗ୍ନ ଜାଣ

।।

ଏକେ ତ ସେ ରାଜା କହିଲା

ଗୁରୁ ନାମ ଉଚ୍ଚେ ରଟିଲା

।।

ରାମ ଗୋବିନ୍ଦ କୃଷ୍ଣ ହରି

ଅତ୍ୟୁତ ଅନନ୍ତ ମୁରାରି

।।

ଶ୍ରୀମଧୁସୂଦନ ମୁକୁନ୍ଦ

ଆରତ ଖଣ୍ଡ ହେ ଗୋବିନ୍ଦ

।।

ଏହା ଶୁରିଣ ଦେବ ଲୋକେ

ଆକାଶେ ଦେଖନ୍ତି ଉତ୍ସୂକେ

।।

ପ୍ରଜାଲୋକେ ଯେ ଯାହା କଲେ

ବ୍ରାହ୍ମଣେ ହରି ଉଚ୍ଚାରିଲେ

।।

ମାତା ପୁତ୍ରଙ୍କର ଆନନ୍ଦ

ଭଜନ୍ତି ଶ୍ରୀରାମ ଗୋବିନ୍ଦ

।।

ରାଣୀ ବୋଇଲେ ବିନୟରେ

ଶୁଣ ମୋ ବାଣୀ ବିପ୍ରବରେ

।।

ଭେଦ କରାଉଚ କାନ୍ତେଣ

ନୃସିଂହ ପରି ବିଦାରିଣ

।।

ନୃସିଂହ ପରି ମୁଁ ଦାରୁଣ

ମୁଁ ଜାଣେ ତୁମ୍ଭେ ନାରାୟଣ

।।

ତା ଶୁଣି ନୃପତି ବୋଲଇ

ରାଣୀ ତୋ ଗୁଣ ଶୁଝି ନୋହି

।।

ଯେସନେ ରମଣର କାଳେ

ନଖ ଦନ୍ତଘାତେ ବିହ୍ୱଳେ

।।

ସେ କାଳେ ଦୁଃଖ ନ ଲାଗଇ

ତେହ୍ନେ ନିର୍ଭୟ ହେଲେ ତହିଁ

।।

ଶୁଣିମା ହେଉ ମହାଦେଈ

ବେଗେ କରତ ମୋ ଦେହି

।।

ଚକ୍ରଧର କରିବେ ପାରି

ହରିଣୀ ବିପତ୍ତି ଉଦ୍ଧାରି

।।

ଦ୍ରୌପଦୀ ଲଜ୍ଜା ନିବାରିଲେ

ଗଜକୁ ଆତଙ୍କୁ ରଖିଲେ

।।

କୁମ୍ଭୀର ନାଶନ ଯେ ହରି

ସେ ହରି ମୋତେ ଯେ ଉଦ୍ଧାରି

।।

ଏହା କହନ୍ତେ ସେ ମନର

ତାହା ଜାଣିଲେ ଚକ୍ରଧର

।।

ଏସନ ସମୟରେ ତହିଁ

ବେଗେ କରତି ହେଲା ଦେହୀ

।।

ବାମ ଚକ୍ଷୁରୁ ଲୁହ ଝରି

ତେ ଦେଖି ସ୍ତମ୍ଭୀଭୂତ ହରି

।।

ରାଜା ଯେ ସତ୍ୟ ନ ରଖିଲା

ଶରୀର ୟାର ଭ୍ରମ ହେଲା

।।

ନିସତ ହୋଇଲା ରାଜନ

ଦାନକୁ ଯୋଗ୍ୟ ନୋହେ ପୁଣ

।।

ଆଗମ ନିଗମ ଅଛଇ

କଳ୍ପନା ଦାନଯୋଗ୍ୟ ନୋହି

।।

ଏଦାନ ମୁହିଁ ନ ଘେନିବି

ଅପୁତ୍ରୀ ଦୋଷକୁ ଲଭିବି

।।

ଏତେ କହିଣ ଉଭାହେଲେ

ମନ୍ଦେ ମନ୍ଦେ ଗମନ କଲେ

।।

ତହୁଁ ସେ ରାଣୀର ଉଦ୍‌ବେଗ

କନ୍ଧେ ଘେନିଣ ଦକ୍ଷ ଅଙ୍ଗ

।।

ଆଗରେ ଓଗାଳିଲେ ଯାଇ

ଋଷି ତୁ ନ ଯାଅ ଗୋସାଇଁ

।।

ରାଜା ସତ୍ୟ କୀର୍ତ୍ତି ନାଶିଣ

କିମ୍ପା କରୁଛ ବିଡ଼ମ୍ୱନ

।।

ବ୍ରାହ୍ମଣ ବୋଲଇ ସେ ଭାବି

କଳ୍ପନା ଦାନ ନ ଘେନିବି

।।

ଆଗୋ ରାଣୀ ଶୁଣ ବଚନ

ରାଜା ଯେ କଲେକ ରୋଦନ

।।

ରାଣୀ ବୋଲେ ଶୁଣିମା ହେଉ

ତାହା ଚରିତ୍ର ଏବେ କହୁ

।।

ବାମ ଅଙ୍ଗ ମନେ ଭାବିଲା

ଦକ୍ଷିଣ ଅଙ୍ଗ ପୁଣ୍ୟ କଲା

।।

ବିପ୍ରର ଉପକାରୀ ଯେଣୁ

ପୁତ୍ର ପାଇବ ସେହୁ ତେଣୁ

।।

ବାମ ଅଙ୍ଗ ଛାର ମୁଁ ହେଲି

କାହିଁରେ ଯୋଗ୍ୟ ତ ନୋହିଲି

।।

ଏମନ୍ତେ ପ୍ରକାରେ ବାମଅଙ୍ଗ

କାନ୍ଦିଲା ତ ଦେଖି ବିଭଙ୍ଗ

।।

ଏହା ଶୁଣି ହୃଷ୍ଟ ଶ୍ରୀହରି

ଧନ୍ୟ ଗୋ ରାଣୀ ତୁ ଚତୁରୀ

।।

ଏକତ୍ରେ ବେନିଅଙ୍ଗ କରି

ଫୁଙ୍କିଲେ ସମୁନ୍ତ୍ର ଉଚ୍ଚାରି

।।

ଜୀବ ପାଇଣ ସେ ରାଜନ

ପ୍ରଣାମ କରେ ପୁଣ ପୁଣ

।।

ନିଜ ରୂପ ଧରି ଶ୍ରୀହରି

ଚାରି ଭୁଜରେ କୋଳ କରି

।।

ପୁତ୍ରକୁ ଯେହ୍ନେ ପିତା କୋଳ

ଆନନ୍ଦେ ହୋଇଲେ ବିହ୍ୱଳ

।।

ରାଜନ ଲୋଟଇ ଚରଣ

ବୋଲେ ମୋତେ କର କାରଣ

।।

ମୁହିଁ ସେ ସଂସାରେ ପତିତ

ମୋତେ ଉଦ୍ଧାର ଲକ୍ଷ୍ମୀକାନ୍ତ

।।

ତୁମ୍ଭେ ନିର୍ଦ୍ଧନଙ୍କର ଧନ

ପତିତ ଜନ ଉଦ୍ଧାରଣ

।।

କୋଟି ବ୍ରହ୍ମାଣ୍ଡକୁ ଉଦ୍ଧାର

ଘଟେ ଘଟେ କର ବିହାର

।।

ସଂସାର ଖେଳଘର ପରି

ଏ ଘୋର ସଂସାରୁ ଉଦ୍ଧରି

।।

ତୁମ୍ଭେ ଯେ ଅଟ ଜ୍ଞାନ ଦାତା

ତୁମ୍ଭେ ଯେ ଦୁଃଖ ସୁଖ ଦାତା

।।

ମାତା ପିତା ଯେ ତୁମ୍ଭ ଅଟ

ତେଣୁ ମୋ ମନ ମଧ୍ୟେ ଖଟ

।।

ଆଦି ଯେ ଅନ୍ତ ତୁମ୍ଭେ ଜାଣ

ତେଣୁ ସେ ଗରୁଡ଼ ବାହନ

।।

ଯେଣୁ ସେ ଅନନ୍ତ ମୂରତି

ନାରକ ନାଶନ ଶ୍ରୀପତି

।।

ମୋର କୋଟିଏ ନମସ୍କାର

ଏ ଘୋର ସଂସାରୁ ଉଦ୍ଧାର

।।

ଏଣୁ ଶରଣ ଶ୍ରୀପୟରେ

ଜନମ ନୋହିବ ସଂସାରେ

।।

ହସି ନାରାୟଣ ପ୍ରସନ୍ନ

ସଧୀରେ କହନ୍ତି ବଚନ

।।

ଧନ୍ୟ ରାଜନ ସତ୍ୟବାଦୀ

ମୁକତି ତୋହର ପ୍ରସିଦ୍ଧି

।।

ପରୀକ୍ଷା କଲି ବହୁତରେ

ସତ୍ୟଭଗ୍ନ ହୋନିଲା ତୋରେ

।।

ସ୍ୱଦେହେ ଦୁଃଖ ତୋର ନୋହୁ

ଅନ୍ତେ ବୈକୁଣ୍ଠ ପ୍ରାପ୍ତ ହେଉ

।।

ଏତେ କହିଣ ଅନ୍ତର୍ଦ୍ଧାନ

ହେଲେ ସେ ପ୍ରଭୁ ଭଗବାନ

।।

ଅନ୍ତେଣ ବୈକୁଣ୍ଠ ପ୍ରାପତି

ଶୁଣ ସୁଜନେ ହୃଷ୍ଟମତି

।।

ଏ ଦାର୍ଢ୍ୟ ଗୀତ ଯେ ଶୁଣନ୍ତି

ଅନ୍ତେ ଲଭନ୍ତି ମୋକ୍ଷଗତି

।।

ଗ୍ରହ ପୀଡ଼ାଦି ନ ବାଧଇ

ନିର୍ଦ୍ଧନ ଲୋକ ଧନ ପାଇ

।।

ଅପୁତ୍ରି ଜନ ପାଏ ପୁତ୍ର

କାଷ୍ଠେ କାମଦେବ ପ୍ରପାତ

।।

ତତ୍ତ୍ୱରେ ଯେ ଜନ ଶ୍ରବଣ

ଯେ ଅବା କରନ୍ତି ଗାୟନ

।।

ବିଶ୍ୱାସ ମୂଳ ସାଧୁସେବା

ଧର୍ମର ମୂଳ ଦୟାଥିବା

।।

ସେ ପ୍ରଭୁ କଦମ୍ୱ ମୂଳିଆ

ସେ ପ୍ରଭୁ ମୟୂର ଚୂଳିଆ

।।

ଗୁଞ୍ଜାମାଳିରେ ସେ ମଣ୍ଡିତ

ଅଧରେ ମୁରଲୀ ଶୋଭିତ

।।

ଭଣେ ବିପ୍ର ସେ ରାମପାଦେ

ମନ ମୋ ରହୁ ଅପ୍ରମାଦେ

।।

କୃପାକର ହେ ସାଧୁସନ୍ଥ

ଅନୁବ୍ରତେ ରହୁ ମୋ ଚିତ୍ତ

।।

ଅସାର ଅଟେ ଏ ସଂସାର

ଏଥେ ହରି ଭଜନ ସାର

।।

ନୀଳାଚଳରେ ଯେହୁ ସ୍ଥିତ

ତାଠାରେ ମୋ ମନ ଅର୍ପିତ

।।

ପଦ ପଦକେ ସୁଧାରସ

ସୁଜନେ ନିନ୍ତରେ ଘୋଷ

।।

ଏଥେ ନିର୍ମଳ ଚିତ୍ତ ଯାର

ନିଶ୍ଚେ ସେ ଭବୁ ହୁଏ ପାର

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ୱାଦେ

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ବର୍ଣ୍ଣନେ ନାମ ଦ୍ୱିପଞ୍ଚାଶୋ ଧ୍ୟାୟଃ ।

•••

 

ତ୍ରି ପଞ୍ଚାଶତ ଅଧ୍ୟାୟ

ବଡ଼ ବିପ୍ର ଓ ଛୋଟ ବିପ୍ର ସମ୍ୱାଦ

 

ପୁଣି କହଇ ଚଇତନ

ଶୁଣ ହୋ ସୁମନ ରାଜନ

।।

ମିଥ୍ୟା ଅଟଇ ଧନଜନ

ସତ୍ୟ କେବଳ ଅଟେ ନାମ

।।

ଦୁର୍ଲ୍ଲଭ ଅଟେ ନରଦେହ

ଭକ୍ତିରେ ତୁଟେ ମାୟା ମୋହ

।।

ସଂସାରେ ହରିନାମ ସାର

ଭଜିଲେ ଦୁସ୍ତରୁ ନିସ୍ତାର

।।

ତେଣୁ ବିଶ୍ୱାସ ଅଟେ ମୂଳ

ଯହିଁ ପାପତ ମଦିମୂଳ

।।

ପରମାନନ୍ଦ ପୀତବାସ

ଭକ୍ତି ହୃଦୟେ କର ବାସ

।।

ସେ ପ୍ରଭୁ ସୁରଙ୍ଗ ପୟରେ

ଭକତ ହିତେ ଦେହ ଧରି

।।

ଅଶେଷ ପ୍ରଭୁର ମହିମା

କେ କହିପାରେ ଗୁଣସୀମା

।।

ବିଦ୍ୟାନଗର ନାମ ଗ୍ରାମେ

ଏଥି ଯେ ଦୁଇ ଦ୍ୱିଜୋତମେ

।।

ଛୋଟ ଯେ ବଡ଼ ବିପ୍ର ବୋଲି

କହନ୍ତି ଜନେ ଭାବେ ଭୁଲି

।।

ବେନିଏ ଅତି ଶାନ୍ତ ଧୀର

କୃଷ୍ଣ ଭକତ ସଦାଚାର

।।

ଏକଇ ଆତ୍ମା ବେନିଜନ

କ୍ଷଣେ ନୁହନ୍ତି ଭିନ୍ନ ଭିନ୍ନ

।।

ଛୋଟ ବିପ୍ରର ନାହିଁ କେହି

ଆବର ଦରିଦ୍ର ଅଟଇ

।।

ଲଗାଇ ଶରୀର ଜୀବିତ

ସାଧଇ ପରସେବା ବ୍ରତ

।।

ବଡ଼ ବିପ୍ର ଯେ ସୁକୁଳୀନ

ବହୁ କୁଟୁମ୍ୱ ଧନବାନ

।।

ଅନେକ ଦାନ ପୁଣ୍ୟ କରେ

ଦୁଃଖୀର ଦୁଃଖ ସେବା ହରେ

।।

ଦୁହେଁ ବିଚାର ଦିନେ କଲେ

ତୀର୍ଥ ଭ୍ରମଣ ବାହାରିଲେ

।।

ହୋଇଣ ଆନନ୍ଦିତ ମନ

ଭ୍ରମିଲେ ନାନା ତୀର୍ଥମାନ

।।

ଛାଇର ପ୍ରାୟ ଅନୁସରି

ଛୋଟ ବିପ୍ର ଯେ ସେବା କରି

।।

ତାହାର ଭକ୍ତି ସେବା ପାଇ

ବଡ଼ ବିପ୍ର ଯେ ହେଲା ମୋହି

।।

ଏମନ୍ତେ ଭ୍ରମି ବେନିଜନେ

ପ୍ରବେଶ ହେଲେ ବୃନ୍ଦାବନେ

।।

ଯହିଁ ଶ୍ରୀକୃଷ୍ଣ ବନମାଳୀ

କରିଣ ଥିଲେ ନାନାକେଳି

।।

ସେ କ୍ଷେତ୍ରେ ରଜ ଦେହେ ବୋଳି

ଆନନ୍ଦେ ହେଲେ କୋଳା କୋଳି

।।

କରି ଶ୍ରୀ ଗୋପାଳ ଦର୍ଶନ

ପବିତ୍ର କଲେ ନେତ୍ରମନ

।।

ଭକ୍ତିରେ ହୋଇ ଗଦ ଗଦ

ସେବିଲେ ପ୍ରଭୁ ଛଦ୍ମପାଦ

।।

ଭକ୍ଷିଣ ପ୍ରସାଦ ଆଦର

ପବିତ୍ର କଲେ କଳେବର

।।

ଏମନ୍ତ ତହିଁ କିଛି ଦିନ

ରହିଲେ ବିପ୍ର ବେନିଜନ

।।

ବଡ଼ ବିପ୍ର ଯେ ତୋଷମନେ

ଛୋଟ ବିପ୍ରକୁ ଏକଦିନେ

।।

କହଇ ଆହେ ବିପ୍ରବର

ତୁମ୍ଭେ ଅଶେଷ ଗୁଣାଧାର

।।

ଜାଗ୍ରତ ରହି ରାତ୍ରଦିନ

ସେବୁଛ ଦେଇ ପ୍ରାଣମନ

।।

ରଖିଛ ଋଣୀ କରି ମୋତେ

ଏ କ୍ଷଣୁ ତରିବି କେମନ୍ତେ

।।

ଏ ଋଣ ଯେବେ ନ ଶୁଝିବି

କୃତଘ୍ନ ସିନା ହୋଇଯିବି

।।

ଏଥିକି ମୋର ଏହି ମନ

କରିବି କନ୍ୟାରତ୍ନ ଦାନ

।।

ରୂପବତୀ ସେ ଗୁଣବତୀ

ସାକ୍ଷାତେ ଲକ୍ଷ୍ମୀ ସରସ୍ୱତୀ

।।

ସେ ସବୁ ତୁମ୍ଭର ଚରଣ

ତେବେ ଶୁଝିବ ମୋର ଋଣ

।।

ଏ କଥା ଛୋଟ ବିପ୍ର ଶୁଣି

ରହିଲା ହୋଇ ଦଣ୍ଡେ ତୁନି

।।

ଧୀରେ କହିଲା ଏ ବଚନ

ତୁମ୍ଭେ କୁଳୀନ ଧନବାନ

।।

ଦରିଦ୍ର ବିପ୍ର ମୁଁ ଅଟଇ

ମୋର ତ ପୁଣ କେହି ନାହିଁ

।।

ମୋତେ କି କନ୍ୟା ବିଭା ଦେବ

କାହିଁକି କହ ଅସମ୍ଭବ

।।

କହଇ ବଡ଼ବିପ୍ର ପୁଣ

କୁଳେ ମୋ ନାହିଁ ପ୍ରୟୋଜନ

।।

ଧନ ସହିତେ କନ୍ୟାଦେବି

ଧର୍ମ ହିଁ ରକ୍ଷା ମୁଁ କରିବି

।।

ତହୁଁ ସେ ଛୋଟ ବିପ୍ର ବୋଲେ

ପରତେ ଯିବି ସତ୍ୟ କଲେ

।।

ଏହି ଗୋପାଳ ସାକ୍ଷାତରେ

ଶୁଣିଣ ବଡ଼ବିପ୍ର ଧୀରେ

।।

ବୋଲେ ମୋ ସତ୍ୟ ତିନିବାର

ସାକ୍ଷୀ ଏ ଗୋପାଳ ଠାକୁର

।।

ଏମନ୍ତେ ସତ୍ୟ ଦୁହେଁ କଲେ

ଶୁଭେଣ ଘରକୁ ଫେରିଲେ

।।

ଗତ ହୋଇଲା ଦିନଚାରି

କନିଷ୍ଠ ବିପ୍ର ଯେ ପଚାରି

।।

କନ୍ୟା ଦେବାକୁ କଲ ପଣ

କିମ୍ପା ତା ମନକୁ ନ ଆଣ

।।

ବଡ଼ ବିପ୍ର ଯେ ହସି ମନ୍ଦ

ବୋଲଇ ନାହିଁ ମୋର ଛନ୍ଦ

।।

ପୁତ୍ର ଭାରିଯା ବନ୍ଧୁଜନ

ଡାକି କହିବି ମୋର ପଣ

।।

ବାଦ କରିବେ ସେ ଜାଣଇ

ତହିଁକି ଡର ମୋର ନାହିଁ

।।

ଯାଅ ନିଶ୍ଚିତେ ଘରେ ଥାଅ

ବିବାହ ଦେବି ନିଶ୍ଚେ ଝିଅ

।।

ଦିବସ ଶେଷେ ରବି ଅସ୍ତ୍ର

ସନ୍ଧ୍ୟା ହୋଇଲା ଉପଗତ

।।

ଶୁଭିଲା ଦେଉଳେ କାହାଳୀ

ଶଙ୍ଖ ମର୍ଦ୍ଦଳ କରତାଳି

।।

ଘଣ୍ଟ ଭକତ ଗୀତନାଦ

ପବିତ୍ର ହେଲା କର୍ଣ୍ଣ ହୃଦ

।।

ଏ ଅନ୍ତେ ଏକେ ଏକେ ଆସି

ବଡ଼ବିପ୍ରର ପାଶେ ବସି

।।

ପୁତ୍ର ଭାରିଯା ସକୁଟୁମ୍ୱ

ଶୁଣନ୍ତି ଭ୍ରମଣ ପ୍ରସ୍ତାବ

।।

କହଇ ବିପ୍ର ମନ ତୋଷେ

ଏହି ପ୍ରସଙ୍ଗ ଅବଶେଷେ

।।

ଛୋଟ ବିପ୍ରର ସାଧୂପଣ

ସେବି ତୋଷିବା ଆଦିଗୁଣ

।।

କହିଲା ଧନ୍ୟ ଧନ୍ୟ ବାଣୀ

ସକଳେ ଶୁଣି ମୁଖେ ଭଣି

।।

ଏକାଳେ ବିପ୍ର ଭଲ ବୁଝି

କହିଲା ଜଣାଇ ମରଜି

।।

ସତ୍ୟେ ମୁଁ ହୋଇଛି ବନ୍ଧନ

କରିବି ତାକୁ କନ୍ୟାଦାନ

।।

ଶୁଣିବା ମାତ୍ରେ ଏହି କଥା

ସତେ କି କାଳସର୍ପ ମଥା

।।

ପାଦେ କେ ଅବା ଦେଲେ ବଳି

ତେମନ୍ତ ଆରମ୍ଭିଲେ କଳି

।।

ସେଇଟା କୂଳଗୋତ୍ର ହୀନ

ଆବର ଅତି ଅକିଞ୍ଚନ

।।

ଆମ୍ଭେ କୁଳିନ ବଂଶଧର

ଅପାତ୍ରେ ବନ୍ଧୁତ୍ୱ ବେଭାର

।।

କେ ବୋଲେ ନୀଚଜାତି ଅଂଶେ

କେହି ନାହାନ୍ତ ତାର ବଂଶେ

।।

ଲୋକରେ ନିନ୍ଦା ପ୍ରକାଶିବ

ଆପଣା କୂଳ ଧ୍ୱଂସ ଯିବ

।।

ବିପ୍ର ବୋଇଲେ ତେବେ ମୁହିଁ

ସତ୍ୟ କେମନ୍ତେ ଲଂଘିବଇଁ

।।

ନରକେ ହେବ ମୋର ବାସ

ନିସ୍ତାର ପଥ ଆଉ କିସ

।।

ଭାରିଯା କହେ କାନ୍ଦି ତାକୁ

ଭସାଇ ଦେବି ମୋ ଝିଅକୁ

।।

ପୁତ୍ର ପ୍ରକାଶି ଗୁରୁ ରୋଷ

ବୋଲଇ ଖାଇବି ମୁଁ ବିଷ

।।

ମରିବ ଗଳେ ଛୁରୀମାରି

ତାହାକୁ ଦିଅନାହିଁ ବରି

।।

ବିପ୍ର ଦେଖି ଏ ଉତପାତ

ହୋଇଲା ତାର ବୁଦ୍ଧି ହତ

।।

ଏକାଳେ ଛୋଟ ବିପ୍ର ଆସି

ଘର ମଧ୍ୟକୁ ଗଲା ପଶି

।।

ବଡ଼ ବିପ୍ରକୁ ପଚାରିଲା

ବିବାହ ଦିନ କେବେ ହେଲା

।।

ତାହାକୁ ଦେଖି ବିପ୍ରସୂତ

ଝିଙ୍ଘାସି କହିଲା ବହୁତ

।।

ବୋଇଲା ଦେଖ ଦୁଷ୍ଟ ପଣ

ପିତାଙ୍କୁ ଭାଙ୍ଗ ଖୁଆଇଣ

।।

ଧନ ବସନ ହରିନେଲା

ପରାଣେ ମାରି ବସିଥିଲା

।।

ଭୟରେ ସତ୍ୟ କଲେ ପିତା

ଦେବାକୁ ଆପଣା ଦୁହିତା

।।

ଏ ସତ୍ୟ ନିକି ପରମାଣ

ଆତଙ୍ଗ କାଳ ବାକ୍ୟ ଜାଣ

।।

ସାହସ ବଡ଼ ଏଇଟାର

ହେବ ଏ ମୋର ଭଗ୍ନିବର

।।

ଧାଇଁ ଆସିଛି କଥା ଶୁଣି

ଏହାର ମୁଣ୍ଡ ଦେବି ହାଣି

।।

ଏ ଗୋଳ ଶୁଣି ପାଞ୍ଚସାତ

ହୋଇଲେ ଆସି ଉପଗତ

।।

ସର୍ବେ ବୋଇଲେ ରହ ରହ

ବୁଝିବା ଫେଡ଼ିଣ ସନ୍ଦେହ

।।

ପୁଚ୍ଛିଲେ ଛୋଟ ବିପ୍ର ସତ୍ୟ

କହ ଗୋ ସାକ୍ଷୀ ଏଥିକିତ

।।

କହଇ ଛୋଟ ବିପ୍ର ଧୀରେ

ସାକ୍ଷୀ ମୋ ଅଛି ବ୍ରଜପୁରେ

।।

ଶ୍ରୀ ବୃନ୍ଦାବନ ପୀଠନାଥ

ଗୋପାଳ ଜାଣଇ ସମସ୍ତ

।।

ନିୟମ କହିକହ ସର୍ବେ

ଅନ୍ୟାୟ ନ କରିବ ଯେବେ

।।

ତେବେ ପଞ୍ଚର ମତ ଘେନି

ଯିବି ସେ ଦେବତାଙ୍କୁ ଆଣି

।।

ସକଳେ ଶୁରି ପାଞ୍ଚି ମନେ

ପ୍ରତିମା ଆସିବ କେସନେ

।।

ଯେବେ ତା କନ୍ଧେ ମୁଣ୍ଡ ବହି

ଆଣିବ ଗୋପାଳକୁ ଏହି

।।

ସେ କି ମନୁଷ୍ୟ ପରି ଭାବ

କଥା କହିବ ଅସମ୍ଭବ

।।

ଏମନ୍ତେ ମନେ ବିଚାରିଲେ

ଆଣ ବୋଲିଣ ଆଜ୍ଞା ଦେଲେ

।।

ଭଲ ଲୋକଙ୍କ ଆଜ୍ଞା ପାଳି

ଛୋଟ ବିପ୍ର ଯେ ଗଲା ଚଳି

।।

ପ୍ରବେଶ ହେଲା ବୃନ୍ଦାବନେ

ଗୋପାଳ ଦେବ ସନ୍ନିଧାନେ

।।

ପ୍ରତିମା ଜ୍ଞାନ ତାର ନାହିଁ

ଜାଣେ ସାକ୍ଷାତେ ଭାବଗ୍ରାହୀ

।।

ସାକ୍ଷୀ ହୋଇଛି ବେନିଙ୍କର

ଅବଶ୍ୟ ଯିବ ଆମ୍ଭ ଘର

।।

ଏତେ ଆଗ୍ରହ ବିଭା ଲାଗି

ନୁହଇ ଅଧମର ଭାଗି

।।

ହୋଇଣ ବଡ଼ ବିପ୍ର ମୋର

ଏଥିକି ବଡ଼ ଭୟ ତାର

।।

ସାଧୁର ହୃଦୟ ଏଭଳି

ଅନ୍ୟ ଦୁଃଖେ ସେ ଯାଏ ଢଳି

।।

ଏତେ ଉତ୍କଣ୍ଠା ସେ କାରଣେ

ସାଧୁର ମନ ସାଧୁ ଜାଣେ

।।

ବଡ଼ ବିପ୍ର ଯେ ଘରେ ଥିଲା

ଗୋପାଳେ ସ୍ତୁତି ଆରମ୍ଭିଲା

।।

ଭୋ ପ୍ରଭୁ ମୁଁ ତୁମ୍ଭ କିଙ୍କର

ସଙ୍କଟୁ ମୋତେ ରକ୍ଷା କର

।।

ବଞ୍ଚନ୍ତୁ ମୋର ପରିବାର

ସତ୍ୟୁ ଲଭଇ ମୁଁ ଉଦ୍ଧାର

।।

ଦୟା ସାଗର ନରହରି

ସକଳ ତୁମ୍ଭେ ପାପ ହରି

।।

ତେଣେ ଗୋପାଳେ ପାଦେ ପଡ଼ି

ଛୋଟ ବିପ୍ର ଯେ କରଯୋଡ଼ି

।।

ବୋଇଲା ବିନୟ ବଚନ

ଭୋ ପ୍ରଭୁ ବିପଦ ଭଞ୍ଜନ

।।

ସର୍ବସ୍ୱ ଅନ୍ତର୍ଯ୍ୟାମୀ ତୁହି

କିସ କହିବି ଅବା ମୁହିଁ

।।

ତୁ ସାକ୍ଷୀ ଥାଇ ଦେବ ଦେବ

ବ୍ରାହ୍ମଣ ସତ୍ୟ ଭ୍ରଷ୍ଟ ହେବ

।।

କାହାକୁ ହେବ ଅପଯଶ

ଝଟତି ଯିବା ପ୍ରଭୁ ଆସ

।।

ଶୁଣିଣ ବ୍ରାହ୍ମଣ କଟାଳ

ପସନ୍ନେ ମଦନ ଗୋପାଳ

।।

ସୁରଙ୍ଗ ଅଧରେ ପ୍ରକାଶ

କରିଣ ମନ୍ଦ ମନ୍ଦ ହାସ

।।

ହୋଇଲେ ବଚନ ଗଭୀର

କି କଥା କହ ବିପ୍ର ମୋରେ

।।

ଶିଳା ପ୍ରତିମା ହୋଇ ମୁହିଁ

କେମନ୍ତେ ପଥ ଚାଲିବଇଁ

।।

ବିପ୍ର ବୋଇଲା ମାୟାଧର

ମୋଠାରେ କପଟ ନ କର

।।

ପ୍ରତିମା ହୋଇ କି ପ୍ରକାର

ବଚନ ଭାଷେ ସୁଗଭୀର

।।

ହରି ଭାଷିଲେ ଶ୍ରୀ ଗୋପାଳ

ସାକ୍ଷୀ ହୋଇବୁ ଯିବା ଚାଲ

।।

ଆହାରେ ହାଣ୍ଡି ଏକ ଅନ୍ନ

ଭୋଗ କରିବୁ ପ୍ରତିଦିନ

।।

ଆମ୍ଭେ ତୋ ପଛେ ପଛେ ଯିବୁ

ତୁ ଫେରି ପଛେ ନ ଚାହିଁବୁ

।।

ପଛେ ଚାହିଁବୁ ଯଦି ତୁହି

ଆମ୍ଭେ ରହିବୁ ନିଶ୍ଚେ ତହିଁ

।।

ନୂପୁର ଶବଦ ଆମ୍ଭର

ଶ୍ରବଣେ ଜାଣିବୁ ଯିବାର

।।

ବିପ୍ର ଏମନ୍ତ ବାଣୀ ଶୁଣି

ଉଠିଲା ହେଉ ପ୍ରଭୁ ଭଣି

।।

ଚାଲିଲା ବେଗ ବେଗ ଆଗେ

ଗୋପାଳ ଚାଲେ ପଛଭାଗେ

।।

ଏମନ୍ତ ପଥ ଗଲେ ବାହି

ଗ୍ରାମ ନିକଟେ ହେଲେ ଯାଇ

।।

ନୂପୁରର ରନ୍ଧ୍ରେ ଗଳି ଗଳି

ଭରତି ହୋଇ ପଥ ଧୂଳି

।।

ଶବଦ ନ କଲା ନୂପୁର

ବିପ୍ର ସନ୍ଦେହ ଗୁରୁତର

।।

ପ୍ରଭୁ କି ଠକି ଗଲେ ମୋତେ

ଲେଉଟି ଚାହିଁଲା ପାଶ୍ଚାତେ

।।

ହସିଣ ଗୋପାଳ ଯେ ତହିଁ

ନିଶ୍ଚଳ ହୋଇଗଲେ ରହି

।।

ଗ୍ରାମକୁ ଛୋଟ ବିପ୍ର ଗଲା

ସକଳ ସନ୍ଦେହ କହିଲା

।।

ହୋଇଲେ ଲୋକ ଆଚମ୍ୱିତ

ଧାଇଁଲେ ଦର୍ଶନେ ତୁରିତ

।।

ତାହାଙ୍କ ଭିତରେ ମହତ

ଯେ ଯେତେ ଥିଲେ ଉପସ୍ଥିତ

।।

ତାଙ୍କ ଆଗରେ ସାକ୍ଷୀ ମତେ

କହିଲେ ଗୋପାଳ ସାକ୍ଷାତେ

।।

ଶୁଣ ସକଳ ସାଧୁ ନରେ

ସତ୍ୟ କରିଛି ପ୍ରକୃତରେ

।।

ବଡ଼ ବିପ୍ର ଯେ ଶୁଦ୍ଧମନେ

ଛୋଟ ବିପ୍ରକୁ କନ୍ୟାଦାନେ

।।

ଏଥିରେ ସନ୍ଦେହ ନ କର

ବିପ୍ର ବିହିତେ କନ୍ୟାବର

।।

ଯେମନ୍ତେ ଅନ୍ତରୀକ୍ଷ ବାଣୀ

ତେମନ୍ତେ ଶୁଭିଲଶ କାହାଣୀ

।।

ସକଳେ ଶୁଣିଲେ ଚକିତେ

ବୋଇଲେ ଧନ୍ୟ ଏ ଭକତେ

।।

ବଡ଼ବିପ୍ରର କି ଆନନ୍ଦ

ମୁଖ କି ପୂର୍ଣ୍ଣିମାର ଚାନ୍ଦ

।।

ବିବାହ ସମ୍ଭାର ଭିଆଇ

ଛୋଟ ବିପ୍ରକୁ କନ୍ୟା ଦେଇ

।।

ମହାଉତ୍ସବେ ହେଲା ଭୋଳ

ପୂଜିଲା ଠାକୁର ଗୋପାଳ

।।

ବିଦ୍ୟାନଗର କାଞ୍ଚିପୁର

ରାଜା ପାଇ ଏ ସମାଚାର

।।

ତୋଳାଇ ଦେଲା ଯେ ଦେଉଳ

ତହିଁରେ ରହିଲେ ଗୋପାଳ

।।

ସାକ୍ଷୀଗୋପାଳ ନାମ ବହି

ପବିତ୍ର କଲେ କାଞ୍ଚି ଭୂଇଁ

।।

ଏମନ୍ତେ ଓଡ଼ିଶା ରାଜନ

ପୁରୁଷୋତ୍ତମ ଦେବ ଜାଣ

।।

ତା ସଙ୍ଗେ କାଞ୍ଚି ରାଜାଙ୍କର

ବିବାହ ହେଲା ଘୋରତର

।।

ଅତି ସୁନ୍ଦର ଗୁଣବତୀ

ରାଜାର କନ୍ୟା ପଦ୍ମାବତୀ

।।

ପୁରୀ ରାଜାଙ୍କୁ ବିଭା ଦେଇ

ପୂର୍ବୁ ଯେ କଥା ଥିଲା ହୋଇ

।।

ରଥ ସମୟେ କାଞ୍ଚିରାୟେ

ଶ୍ରୀକ୍ଷେତ୍ରେ କଲେକ ବିଜୟେ

।।

ଦେଖିଲେ ପୁରୀ ନରରାଣ

କରେ ଚାଣ୍ଡାଳ ଆଚରଣ

।।

ସୁନା ପହଁରା ଧରି କରେ

ଝାଡ଼ଇ ରଥ ଭକ୍ତିଭରେ

।।

ଏମନ୍ଦ ଦେଖି କାଞ୍ଚିରାଜା

ତାହାଙ୍କ ଆପଣା ତାନୁଜା

।।

ବିଭା ଦେବାକୁ ନାହିଁ କଲା

ଚାଣ୍ଡାଳ ବୋଲି ଗାଳିଦେଲା

।।

ଏଥିରେ ଓଡ଼ିଶା ରାଜନ

କୋପରେ ଅନଳ ସମାନ

।।

ପ୍ରତିଜ୍ଞା କଲେ ଗୁରୁତର

ବଳେ ଆଣିବେ କନ୍ୟା ତାର

।।

ଚଣ୍ଡାଳେ କରିବେ ପ୍ରଦାନ

ତେବେ ଯିବ ଏ ଅପମାନ

।।

ରାଜାର ଆଜ୍ଞା ଶିରେ ଘେନି

ଧାଇଁଲେ ଓଡ଼ିଶା ସଇନୀ

।।

ଲାଗିଲା ମହାରଣ ଗୋଳ

କାଞ୍ଚି ହୋଇଲା ଟଳମଳ

।।

ଜିଣିଲେ ଓଡ଼ିଶାର ପତି

ବଳେ ଘେନିଲେ ପଦ୍ମାବତୀ

।।

ଆବର ଇଷ୍ଟ ଗଣନାଥେ

ଗୋପାଳେ ଆଣିଲେକ ସାଥେ

।।

ଭଣ୍ଡ ଗଣେଶ ନାମ ଗ୍ରାମେ

ଶ୍ରୀକ୍ଷେତ୍ର ମନ୍ଦିର ସୁଷମେ

।।

ହେଲା ସେ ମଦନ ଗୋପାଳ

ଦେବଙ୍କ ଅଧିଷ୍ଠାନ ସ୍ଥଳ

।।

ସାକ୍ଷୀଗୋପାଳ ଗୋପୀନାଥ

ନାମଟି ଜଗତେ ବିଖ୍ୟାତ

।।

ପରମ ସୁନ୍ଦର ସ୍ୱରୂପ

ତ୍ରୈଲୋକ୍ୟନାଥ ଦିଶେ ରୂପ

।।

ଭକତ ନୟନ ଚକୋର

ନିର୍ମଳ ପୂର୍ଣ୍ଣ ସୁଧାକର

।।

ଆଶାୟୀ ଚାତକ ନୀରଦ

ଆରତ ଭଞ୍ଜନ ଗୋବିନ୍ଦ

।।

ସ୍ୱୟଂ ମହିମା ମହାମେରୁ

ଭକତ ବାଞ୍ଛା କଳ୍ପତରୁ

।।

ଦର୍ଶନମାତ୍ରକେ ମୁକତି

ଯାଚି ଦିଅନ୍ତି ବିଶ୍ୱପତି

।।

ଧନ୍ୟ ହେ ବେନି ବିପ୍ରବର

ତାରିଲ ତାରିଲ ସଂସାର

।।

ବାନ୍ଧିଣ ଦୃଢଭକ୍ତି ଡୋରେ

ଟାଣି ଆଣିଲ ବିଶ୍ୱମ୍ୱରେ

।।

ଭକ୍ତ ବତ୍ସଳ ପ୍ରଭୁବାନା

ଉଡ଼ାଇ ଦେଲେ ଭବେ ସିନା

।।

କହଇ ବଳରାମ ଛାର

ତୁମ୍ଭ ପାଦେ ମୋ ନମସ୍କାର

।।

ତୁମ୍ଭେ ହୋଇ ମୋ ଶିକ୍ଷାଗୁରୁ

ତାର ଏ ଭବ ଜଳଧିରୁ

।।

 

 

Unknown

ଶ୍ରୀକ୍ଷେତ୍ରବାସୀ ରାଣୀ

 

ଆବର ଚଇତନ କହେ

ଶୁଣିମା ହେଉ ମୁନିରାୟେ

।।

ଶ୍ରୀକ୍ଷେତ୍ରେ ରାଜା ରାଣୀ ଦିନେ

ଗଲେ ଗୋପାଳ ଦରଶନେ

।।

ଦେଖି ଶ୍ରୀଗୋପାଳ ମୁରତି

ଲାବଣ୍ୟସିନ୍ଧୁ ତନୁ ଜ୍ୟୋତି

।।

ହୃଦରେ ଆନନ୍ଦ ତରଙ୍ଗ

ପୁଲକେ ପୂରିଲା ସର୍ବାଙ୍ଗ

।।

ସର୍ବାଙ୍ଗେ ମହାପ୍ରଭୁଙ୍କରୀ

ଅଛଇ ନାନା ଅଳଙ୍କାର

।।

ନାସାରେ ନାହିଁ ଏହି ମୋତି

ଥିଲେ ସେ ଚୁମ୍ବି ଓଷ୍ଠଜ୍ୟୋତି

।।

ତ୍ରିଲୋକପାବନ ହୁନ୍ଦର

ପରାୟେ ଦିଶନ୍ତା ସୁନ୍ଦର

।।

ଥିଲା ଯେ ନାକେ ଆପଣାର

ବୃହତ ଜଫ ମୋତିବର

।।

ତାକୁ ଦେବାକୁ କଲା ଚିନ୍ତା

ନାସାରେ ଛିଦ୍ର ଯେବେ ଥାନ୍ତା

।।

ପିନ୍ଧାଇ ଦିଅନ୍ତି ଏକ୍ଷଣି

ଏମନ୍ତ ଭାଳିଲାକ ରାଣୀ

।।

ନିଶିରେ ଦେଖିଲା ସ୍ୱପନ

ସାକ୍ଷାତ ପରାୟେ ବିଧାନ

।।

କହିଲେ ପ୍ରଭୁ ରଙ୍ଗାଧର

ଶିଶୁକାଳରେ ମାତା ମୋର

।।

ମୁଁ ଅପତ୍ୟାଣି ବୋଲି ଜାଣ

ବିନ୍ଧାଇ ମୋର ନାକ କାନ

।।

ପିନ୍ଧାଇ ଥିଲେ ମୋତି ନାକେ

ହଜିଲଶ ଯମୁନାର ପଙ୍କେ

।।

ଏବେ ତ ବଡ଼ ବାଞ୍ଛା ମୋର

ପିନ୍ଧିବିତୁମ୍ଭ ମୋତି ବର

।।

ଦେବାକୁ ଏମନ୍ତ ମୁକୁତା

ମନେ ନ ପାଅ ଯେବେ ବ୍ୟଥା

।।

ସକାଳୁ ଉଠି କି ସ୍ୱପନେ

ଦେଖିଲି ରାଣୀ ଭାବି ମନେ

।।

କେମନ୍ତେ ମନ କଥା ମୋର

ଜାଣିଲି ଗୋପାଳ ଠାକୁର

।।

ମୁକ୍ତା ପିନ୍ଧାଇବାକୁ ଅଳି

କରି ମନରେ ଗଲା ଚଳି

।।

ପ୍ରବେଶ ଗୋପଳାଳ ଛାମୁରେ

କହିଲା କାନ୍ଦ କାନ୍ଦ ସ୍ୱରେ

।।

ବିନ୍ଧାଇ ତାର ନାକ ମାତା

ପିନ୍ଧାଇଥିଲେ ସେ ମୁକୁତା

।।

ସେ ବିନ୍ଧ ଆଜିଯାଏ ଅଛି

ମୋତି ତ ହଜିଣ ଯାଇଛି

।।

ଏଡ଼େ ରଙ୍କୁଣୀ ତୋର ମାୟେ

ନ ଦେଲେ ଆଉ ମୋତିଟିଏ

।।

ଆହା ମୋହର ଦୁଃଖୀଧନ

ମୋ ମୋତି ପିନ୍ଧି ବାବୁ ମନ

।।

ଭାଳୁକି ଅମୂଲ୍ୟ ମୁକୁତା

ଦେଲେ ହେବ ମୋ ମନବ୍ୟଥା

।।

ମୁକୁତା ଅବା କିବା ଧନ

ହେଇ ପାରଇ ମୋ ଜୀବନ

।।

ସର୍ବ ସମ୍ପଦ କରି ଠୁଳ

ସମର୍ପି ଦେବିରେ ଗୋପାଳ

।।

ପତିତ ପାବନ ତୋ ବାନା

ମୋଠାରେ ଦୟା କଲୁ ସିନା

।।

ପିନ୍ଧାଇ ଦେବି ଟେକ ମୁଖ

ଯାଉ ମୋ ନାରୀ ଜନ୍ମ ଦୁଃଖ

।।

ବୋଲିଣ ଧଇଲା ମସ୍ତକ

ବଙ୍କାଇ ଦେଇ ପ୍ରଭୁ ବେକ

।।

ଉର୍ଦ୍ଧ୍ୱକୁ ରହୁ ମୁଖ ଗୋଟି

ପିନ୍ଧାଇ ଦେଲେ ଶୋଭା ସୃଷ୍ଟି

।।

ଚାହିଁ ସେ ବଦନର ଗତି

ପିନ୍ଧାଇ ଦେଲେ ରାଣଈ ମୋତି

।।

ଦେଖି ପ୍ରଭୁର ପଦ୍ମମୁଖ

ହରିଲଶ ସର୍ବପାପ ଦୁଃଖୀ

।।

ମା ପାଶେ ଯେସନେ ବାଳକ

ତଥା ସଳଖ ପ୍ରଭୁ ବେକ

।।

ହସି ଆନନ୍ଦେ ହେଲେ ଉଭା

ଆହା ଦିଶିଲା କେଡ଼େ ଶୋଭା

।।

କୃତାର୍ଥ ହୋଇଗଲେ ରାଣୀ

ଚକ୍ଷରୁ ବହିଗଲା ପାଣି

।।

ଉତ୍ସବ କଲଶ ସେ ଭୁବନେ

ପ୍ରସାଦେ ତୋଷି ସର୍ବ ଜନେ

।।

ଅଦ୍ୟାପି ରହିଛି ସେ ମୋତି

ଠାକୁରେ ଉତ୍ସବେ ପିନ୍ଧନ୍ତି

।।

ଲୀଳାମୟ ସେ ଗୋପୀନାଥ

କରନ୍ତି ଲୀଳା ଅପ୍ରମିତ

।।

ଜାଣି ରାଣୀର ଶୁଦ୍ଧମନ

କଲେ ତା ବାଞ୍ଛା ପରିପୂର୍ଣ୍ଣ

।।

ବାତ୍ସଲ୍ୟ ପ୍ରେମେ ହୋଇ ଭୋଳ

ମାଗି ପିନ୍ଧିଲେ ମୁକ୍ତାଫଳ

।।

ଯା ପାଦେ ଲକ୍ଷ୍ମୀ ଠାକୁରାଣୀ

ସେବେ ତାକୁ କି ଊଣା ପୁଣି

।।

ପ୍ରେମ ଅଧୀନ ଦଇତ୍ୟାରି

ପ୍ରେମରୁ ନ ପାରେ ଉବୁରି

।।

ଧନ୍ୟ ତୁ ରାଣୀ ଜଗନ୍ନାଥ

ତୋ ପାଦ ଧୂଳି ମୋର ମାଥ

।।

ପବିତ୍ର ହେଉ ରାମଦାସ

କରୁଣା କର ପୀତବାସ

।।

ସଂସାର ମାୟାରେ ମୁଁ ଜଡ଼ି

ପବିତ୍ର ମୁକ୍ତିପଥ ହୁଡ଼ି

।।

ଅନ୍ଧାରେ ହେଉଛି ଅଣ୍ଡାଳି

ପଥ ଦେଖାଅ ବନମାଳୀ

।।

ରଖାଅ ତୁମ୍ଭ ପାଦେ ମନ

ନିସ୍ତାର ଅକିଞ୍ଚନ ଜନ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନଚୈତନ୍ୟ ସମ୍ବାଦେ

ଛୋଟ ବିପ୍ର ବଡ଼ ବିପ୍ର କ୍ଷେତ୍ରବାସୀରାଣୀ ଦାର୍ଢ୍ୟତାଭକ୍ତି

ବର୍ଣ୍ଣନେ ନାମ ତ୍ରିପଞ୍ଚାଂଶୋ ଧ୍ୟାୟଃ ।

•••

 

ଚତୁଃପଞ୍ଚାଶତ୍‌ ଅଧ୍ୟାୟ

ବିଲ୍ୱମଙ୍ଗଳ ସମ୍ୱାଦ

 

କହଇ ଚଇତନ ବାଣୀ

ଶୁଣ ସୁମନ ଦଣ୍ଡପାଣି

।।

ହରିର ଅନୁଗ୍ରହ ହେଲେ

ନିସ୍ତରେ ମହାପାପୀ ଭଲେ

।।

ଯେ ଯେତେ ପାପୀ ଥାଏ ଜାଣ

ସେ ହୁଏ ତେଡ଼େ ପୁଣ୍ୟବାନ

।।

ରୋଗୀର ବ୍ୟାଧି ହେଲେ ହତ

ଯେମନ୍ତ ହୁଏ ବଳବନ୍ତ

।।

ଅପଥ ପାଶକୁ ନ ଯାଏ

ଚିର ଜୀବନ ସୁଖେ ରହେ

।।

କହିବା ଏକ ସାଧୁକଥା

ଅତି ପବିତ୍ର ଗୁଣ ଗାଥା

।।

ଦକ୍ଷିଣେ ଏକ ବିପ୍ର ରହେ

ବିଲ୍ୱମଙ୍ଗଳ ନାମ ବହେ

।।

ଅଟଇ ଧର୍ମ ବିବର୍ଜିତ

ଅତି ଲମ୍ପଟ ବୈଶ୍ୟାରତ

।।

ନଦୀ ଏ ଘର ପାଶେ ତାର

ତା ଆରପାରେ ବେଶ୍ୟା ଘର

।।

ନାମ ତାହାର ଚିନ୍ତାମଣି

ସୁନ୍ଦରୀ ସୃଷ୍ଟି ମଥାମଣି

।।

ଳମ୍ପଟ ମନ ବନ୍ଦୀବାସ

ଷୋଳ କି ସତର ବୟସ

।।

ସେହିଟି ବିଲ୍ୱ ମଙ୍ଗଳର

ଅମୂଲ୍ୟ କଣ୍ଠ ସୁନାହାର

।।

ତା ଘରେ ରଜନୀ ଦିବସ

ପଡ଼ି ଭୋଗଇ ରତିରସ

।।

ଦିନେ ତା ପିତୃଶ୍ରାଦ୍ଧ ଦିନ

ପଡ଼ିଲା ସକାଳୁ ବହନ

।।

ବେଶ୍ୟା ବୋଇଲା ଯାଅ ଘର

ପିତାଙ୍କ ଶ୍ରାଦ୍ଧ କାର୍ଯ୍ୟ କର

।।

ବଢି ସେ ବରଷା ପବନ

ଘରେ ରହିବ ଆଜଦିନ

।।

ଏମନ୍ତ କହି ବିଦା କଲା

ବ୍ରାହ୍ମଣ ଘରକୁ ଅଇଲା

।।

ସାରିଲା ଶ୍ରାଦ୍ଧକର୍ମ ବିଧି

ବନ୍ଧୁ ବୁଟୁମ୍ୱ ଚରଚାଦି

।।

ଆସି ହୋଇଲା ସନ୍ଧ୍ୟା କାଳ

ହେଲା ଅନ୍ଧାର ବେଳୁବେଳ

।।

ଯେମନ୍ତ ବଢିଲା ଅନ୍ଧାର

ତେମନ୍ତ ମଦନ ବିକାର

।।

ବିପ୍ର ହୃଦୟେ ଗଲା ଘୋଟି

କେ କହୁ ତାର ଛଟପଟି

।।

ଘନେ ବିଜୁଳି ଲୀଳାପରି

ମନରେ ବେଶ୍ୟା ଖେଳା କରି

।।

ଯେମନ୍ତେ ନାଚେ ବାଏ ଗାଏ

ହସି ନୟନ କୋଣେ ଚାହେଁ

।।

ରସାଇ ରସାଇ ମିଶଇ

ମନ ପରାଣ ସନ୍ତୋଷଇ

।।

ଦିଶିଲା ତାହା ହିଁ କେବଳ

ତନ୍ମୟଭାବେ ବିପ୍ର ଭୋଳ

।।

ରଜନୀ ଅର୍ଦ୍ଧ ଅଛି ହୋଇ

ଅନ୍ଧାରେ ପତ ନ ଦିଶଇ

।।

ଝଞ୍ଜା ପବନ ପରବଳ

ଝମକି ବରଷଇ ଜଳ

।।

ବାଳୁତ ପ୍ରାୟେ ବିପ୍ର ହୋଇ

ବାହାର ହେଲ୍ୟା ବେଶ୍ୟା ତହିଁ

।।

ନଦୀର ସ୍ରୋତ ପ୍ରଖରର

ହୋଇଛି ବଢି ଭୟଙ୍କର

।।

ବିପ୍ରର ବାହ୍ୟଜ୍ଞାନ ନାହିଁ

ନଈକି ପଡ଼ିଲା ସେ ଡେଇଁ

।।

ବୁଡ଼ିଣ ଭାସିବା ବେଳର

ହାତେ ବାଜିଲା ମୁରୁଦାର

।।

ସେ ସଢି ଫୁଲି ସୋହ୍ଲ ପରି

ଭାସି ଯାଉଛି ଗନ୍ଧ ଭାରି

।।

ଧଇଲା ତାହାକୁ କୁଣ୍ଢାଇ

ନଦୀକି ଗଲା ପାର ହୋଇ

।।

ନଦୀର ଆରପାରରେ ଉଠି

ଧାଇଁଲା କାଦୁଅ ଚକଟି

।।

ବୁଲିଲା ଦୁଆର ଉଦ୍ଦେଶ୍ୟେ

ବେଶ୍ୟାର ଘର ଚାରିପାଶେ

।।

ପାଚେରୀ କାନ୍ଥତାକୁ ଦେହେ

ମୂଷାର ଗର୍ତ୍ତ ଏକ ରହେ

।।

ତହିଁରେ ମୁଖକୁ ପୁରାଇ

ସର୍ପେ ଓହଳି ଥିଲା ରହି

।।

ତାହାରି ପୁଚ୍ଛ ଆଶ୍ରୟରେ

ଉହୁଁକି ପାଚେରୀ ଉପରେ

।।

ଯେମନ୍ତ ବସିଲାକ ଚଢି

ତେମନ୍ତେ ପଡ଼ିଲା ସେ ଗଡ଼ି

।।

ପୃଥୁଳ ବିପ୍ର କଳେବର

ଶବଦ ହେଲା ଭୟଙ୍କର

।।

ଉଠିଲା ବେଶ୍ୟା ଭୟ ପାଇ

ଦେଖିଲା ଆଲୁଅ ଲଗାଇ

।।

ବିପ୍ର ପଡ଼ିଛି ଅସ୍ତ ବ୍ୟସ୍ତେ

ନାହିଁ ତ ଜ୍ଞାନ ଯେ କିଞ୍ଚିତେ

।।

ତାହାକୁ ଧରାଧରି କରି

ଘରକୁ ନେଲେ ଜଣ ଚାରି

।।

ଦୁର୍ଗନ୍ଧେ ଫାଟିଯାଏ ନାକ

କାଦୁଅ ପୂଜା ଦେହଯାକ

।।

ଧୋଇ ପୋଛିଲେ ଯତ୍ନ କରି

ଆଉଁସି ଚେତନା ସଞ୍ଚାରି

।।

ଭର୍ତ୍ସନା କରି ଚିନ୍ତାମଣି

କହଇ ମର୍ମଭେଦୀ ବାଣୀ

।।

ଧିକ ତୁମ୍ଭର ବ୍ୟବହାର

ଅଧିକ ସେ ବୁଦ୍ଧି ହିଁ ବିଚାର

।।

ଯାହାର କରମ ଯେମନ୍ତ

ସେ ଫଳ ଲଭଇ ତେମନ୍ତ

।।

ଏଡ଼ିକି ମଦନ ବିକାର

ଦୁର୍ଗମେ ନଦୀ ହେଲ ପାର

।।

ମଳ କି ମୂତ୍ର ସଙ୍ଗେ ଜଡ଼ି

ଧାଇଁ ଆସିଲ ଉଠିପଡ଼ି

।।

ଦୁର୍ଗନ୍ଧେ ଭୂତ ହେବ ବଣା

ତୁମ୍ଭଙ୍କୁ ନ ଗଲା ତା ଜଣା

।।

ନ ହେଜି କାଳସର୍ପ ଧରି

ଡ଼େଇଁଲ ଅଲଙ୍ଘ୍ୟ ପାଚେରୀ

।।

ଚାଳୁ ପଡ଼ିଲା ତଳେ ଗଡ଼ି

ଜୀବନ ଯାଇଥାନ୍ତା ଛାଡ଼ି

।।

ମୁଁ ବେଶ୍ୟା ହୀନ ପାପକୀଟ

ମହତ୍ତ୍ୱ ବିକି ପୋଷେ ପେଟ

।।

ମୋତେ ଛୁଇଁଲେ ପାପ ହୁଏ

ଛାଇ ନ ମାଡ଼ନ୍ତି ସାଧୁଏ

।।

ମୋଠାରେ ଏଡ଼େ ଅନୁରାଗୀ

ହୋଇ ହେଉଛ ପାପେ ଭାଗୀ

।।

ଏ ସେହି ଶତ ଅଂଶୁ ଅଂଶେ

ଯେବେ କରନ୍ତ ପୀତବାସେ

।।

ଚତୁବର୍ଗ ଯା ଚରଣରେ

ଲୁଟଇ ଧୂଳି ପରକାରେ

।।

ପବିତ୍ର ହୁଅନ୍ତା ଜୀବନ

ଚେଦିଣ ସଂସାର ବନ୍ଧନ

।।

ତରନ୍ତି ଇହ ପରକାଳେ

ପରମ ଗତିକି ନିଶ୍ଚଳେ

।।

ଚିନ୍ତାମଣିର ଚିନ୍ତାମଣି

ବାକ୍ୟକୁ ବିପ୍ର ଗୁଣ ଗୁଣି

।।

ନିଜ କୁକର୍ମ ଅତିଶୟ

ଘୃଣାର ହୋଇଲା ଉଦୟ

।।

ଦଗଧ ହେଲା ଅନୁତାପେ

ମନେ ପକାଇ କୃତ ପାପେ

।।

ନରକଭୋଗୁ ସେ ଯନ୍ତ୍ରଣା

ବଳଇ ନାହିଁ ସେ ତୁଳନା

।।

ଯେମନ୍ତେ ଘୋର ଦାବାନଳେ

କି ଅବା ମହାସିନ୍ଧୁ ଜଳେ

।।

ପୋଡ଼ତ କି ବୁଡ଼ି ମଲାବେଳେ

ଆଶ୍ରୟ ଲୋଡ଼ନ୍ତି ବିକଳେ

।।

ତେମନ୍ତ ହୋଇ ଛଟପଟ

ବୋଇଲା ରଖ ବଇକୁଣ୍ଠ

।।

ପତିତପାବନ ଶ୍ରୀହରି

ପତିତେ ନାହିଁ ସେ ତୁଳନା

।।

ତାରିଛ ଯେବେ ପାପୀଜନେ

ସବୁହୁଁ ବଳି ମୁହିଁ ଜଣେ

।।

ଏମନ୍ତ ଶ୍ରୀହରି ଚିନ୍ତନେ

ବୈରାଗ୍ୟ ଉପୁଜିଲା ମନେ

।।

ରଜନୀ ହୋଇଲା ପ୍ରଭାତ

ଉଠିଲା ନବୀନ ଭକତ

।।

ଗୃହ ଭାରିଯା ପୁତ୍ର ମାତା

ପାସୋରି ସମସ୍ତଙ୍କ କଥା

।।

ଦୃଢ ବୈରାଗ୍ୟ ହୃଦେ ଧରି

ଚଳିଲା ଶ୍ରୀହରି ସୁମରି

।।

ଚାଲଇ ଅତି ବେଗେ ବେଗେ

ଦେଖିଲା ସାଧୁ ଏକ ଆଗେ

।।

ଭକ୍ତିରେ ତାକୁ ଗୁରୁ କଲା

ଶ୍ରୀକୃଷ୍ଣ ମନ୍ତ୍ର ଦୀକ୍ଷା ନେଲା

।।

ଲଗାଇ ମନ ଦେହ ପ୍ରାଣ

ସେବିଲା ଗୁରୁଙ୍କ ଚରଣ

।।

ଲଭିଲା ହରି ପ୍ରେମାମୃତ

ପାନେ ହୋଇଲା ଉନମତ୍ତ

।।

ଯେହ୍ନେ ମଦ୍ୟପି ମଦ୍ୟ ପିଇ

ହସଇ କାନ୍ଦଇ ନାଚଇ

।।

କୃଷ୍ଣ ଦର୍ଶନେ ଉତ୍କଣ୍ଠିତେ

ଚଳିଲା ବୃନ୍ଦାବନ ପଥେ

।।

ଦିଗ ବିଦିଗ ନାହିଁ ଜ୍ଞାନ

କେବଳ କୃଷ୍ଣପାଦେ ଧ୍ୟାନ

।।

ପ୍ରବେଶ ଏକ ଗ୍ରାମାନ୍ତରେ

ବସିଲା ସରୋବର ତୀରେ

।।

ଏମନ୍ତେ ପ୍ରେମେ ମତ୍ତ ହୋଇ

ରହିଲା ଦିନ ଚାରି ତହିଁ

।।

ତାହାକୁ ଦେଖି ସାଧୁଭକ୍ତ

ପ୍ରେମରେ ହେଲେ ବିଚଳିତ

।।

ସ୍ନାନ ସେ ସରୋବର ନୀରେ

ଅନେକ ନରନାରୀ କରେ

।।

ଏକ ଯେ ବଣିକର ନାରୀ

ଯୁବତୀ ପରମା ସୁନ୍ଦରୀ

।।

ସ୍ନାନ ସେ ସାରି ଯାଏ ଘରେ

ଦୃଷ୍ଟି ପଡ଼ିଲା ତା ଉପରେ

।।

ଏକେ ତ ସୁନ୍ଦରୀ ବିଶେଷ

ଦୁଜେ ପିନ୍ଧିଛି ଓଦାବାସ

।।

ଜଡ଼ି ଯାଇଛି ଶାଢୀ ଗୋଟି

ଦିଶଇ ଦେହ ଶୋଭା ଫୁଟି

।।

ବିଲ୍ୱମଙ୍ଗଳ ଶୁଦ୍ଧଚିତ୍ତ

କିଞ୍ଚିତେ ହେଲା ବିଚଳିତ

।।

ଜାଣି ମନର ଏ ପ୍ରକାର

ଜନ୍ମିଲା ବୋଲି ଯେ ବିକାର

।।

ବିକାର ପ୍ରତିକାର ପାଇ

ସେ ବଧୂ ପଛେ ପଛେ ଯାଇ

।।

ବଧୂ ପ୍ରବେଶଅନ୍ତଃପୁରେ

ସାଧୁ ବସିଲା ଅଗଣାରେ

।।

ଏକାଳେ ସେହି ନାରୀ ପ୍ରତି

ଶୁଦ୍ଧଚରିତ ଶାନ୍ତିମତି

।।

ସାଧୁର ପାଶେ ଉପସ୍ଥିତ

ହୋଇ ହୋଇଲା ଆଚମ୍ବିତ

।।

ବହୁତ ସ୍ତବ ସ୍ତୁତି କଲା

କି ଆଜ୍ଞା ହେଉଛି ବୋଇଲା

।।

ସାଧୁ ବୋଇଲା ମୋର କଥା

ରଖିଲେ କର ଏ ବ୍ୟବସ୍ଥା

।।

ତୋର ସୁନ୍ଦରୀ ଯୁବତୀକି

ଝଟତି ଆର ମୋ କତିକି

।।

ବଣିକ ଚରିତ୍ର ବିଚିତ୍ର

ଅତ୍ୟନ୍ତ ବଇଷ୍ଣବ ଭକ୍ତ

।।

ବଇଷ୍ଣବର ପ୍ରୀତି ପାଇଁ

ସକଳ କରି ସେ ପାରଇ

।।

ଅନ୍ତଃପୁରକୁ ଚଳିଗଲା

ସ୍ତିରୀକି ବିଭୁଷଣ କଲା

।।

ନିଜ ନାରୀକତ ଆଣି ତୋଷେ

ସମର୍ପି ଦେଲା ସାଧୁ ପାଶେ

।।

ପାଦରୁ ଶିରଯାଏ ତାର

ଦେଖିଲେ ସାଧୁ ବାର ବାର

।।

ଚକ୍ଷୁକୁ ସମ୍ୱୋଧିଣ କହି

ଆପଣା ମନକୁ ବୁଝାଇ

।।

ରେ ମୂଢଚକ୍ଷୁ କିସ ଚାହିଁ

ତୁ ପାଣି ହେଲୁ କାମେ ମୋହି

।।

ରକତ ମାଂସ କ୍ଳେଦ ମଳ

ମୂଦ୍ର ଦୁର୍ଗନ୍ଧମୟ ସ୍ଥଳ

।।

ଅଟଇ ସିନା ଦେହ ଗୋଟି

ଢାଙ୍କି ରହିଛି ଚର୍ମପଟି

।।

ଯେମନ୍ତ ଫଳ ମହାକାଳ

ଉପରେ କେବଳ ସୁଢଳ

।।

ଆରେ ନିର୍ଲ୍ଲଜ ତୋର ଏଡ଼େ

ଏଥି ପାଇଁକି ଲୋଭ ବଢେ

।।

କରଣେ ଅସ୍ପଶୃ ସ୍ପରଶ

କୁତ୍ସିତ ଅଭୟ ଗରାସ

।।

ଧିକ ଧିକରେ ତୋତେ ଦୁଷ୍ଟ

ଅସତ୍ୟ ଇନ୍ଦ୍ରିୟ ପାପିଷ୍ଠ

।।

ଯା ଫଳ ଦୁଃଖ ପରିଣାମେ

ପକାଇ ଇଚ୍ଛ ସେହିକାମେ

।।

ଏତେ ଝିଙ୍ଘେସି ଅନ୍ତେ ପୁଣି

ବୋଇଲା ଶୁଣରେ ରମଣୀ

।।

ଧଓଟି ଅତି ତୀକ୍ଷ୍ଣଣ ମୁନ

ଛୁଞ୍ଚି ମୋ ନିକଟକୁ ଆଣ

।।

ଆଣଲୋ ବେଗେ ନାରୀଈଶ

ଦେଖିଣ ସାଧୁ ହେଲା ତୋଷ

।।

ବୋଇଲା ଏ ପାପ ନୟନେ

ଫୋଡ଼ି ଦିଏ ଏ ଛୁଞ୍ଚିମୁନେ

।।

ଶୁଣି ସୁନ୍ଦରୀ ସ୍ତମ୍ଭୀଭୂତ

କଟାଳି ବୋଇଲା ସାଧୁତ

।।

ଆଜ୍ଞା ଲଙ୍ଘନେ ଭୟ କରି

ନୟନେ ଦେଲା ଛୁଞ୍ଚି ମାରି

।।

ରକତ ଝର ଝର ବହେ

ଆନନ୍ଦେ ସାଧୁ ନାଚି କହେ

।।

ବିଧି ବିଧାନେ ଏହି ମୂଳ

ମିଳେ କରମ ମୋତେ ଫଳ

।।

ବଣିକ ଆସି ଏହା ଦେଖି

ହୋଇଲା ଅତିଶୟ ଦୁଃଖୀ

।।

ସାଧୁର ଆଜ୍ଞା ଅନୁସାରେ

ନେଲା ସେ ସରୋବର ତୀରେ

।।

ଧୀରେ ଧୀରେ ହେ ହସ୍ତଧରି

ଦେଖିଣ ଜନେ ଖେଦକରି

।।

କୃଷ୍ଣ ଦର୍ଶନ ବାଧା ଏଡ଼ି

ଯେ ଦୃମବତ ଚକ୍ଷୁ ଫୋଡ଼ି

।।

ସେ ଅନ୍ଧ ସାଧୁ ବୃନ୍ଦାବନେ

ଗମିଲା କୃଷ୍ଣ ଦରଶନେ

।।

ଯାର ପ୍ରବଳ ପ୍ରେମଦୃଷ୍ଟି

ତାର କି ଚର୍ମ ଚକ୍ଷୁ ଫୁଟି

।।

ଶ୍ରୀରାଧା କୃଷ୍ଣ ଲୀଳା ରୂପ

ଚିତ୍ତେ ଚିନ୍ତିଣ ସାଧ ଭୂପ

।।

କ୍ଷଣେ ହସଇ କ୍ଷଣେ କାନ୍ଦେ

ଗାଇ ନାଚଇ ନାନା ଛନ୍ଦେ

।।

କ୍ଷଣକେ ପୁଣି ତଳେ ପଡ଼େ

ହା ରାଧାକଷ୍ଣ ବୋଲି ଗଡ଼େ

।।

ମାଦକୀ ପ୍ରାୟା ପଥେ ଚଳେ

ମଧୁରେ ଗାଏ ଅଶୁଗଳେ

।।

ଶୁଣି ସେ ନାମାମୃତ ଗାନ

ଉଲ୍ଲସି ଉଠଇ ଭୁବନ

।।

ଏମନ୍ତେ ଯାଇଁ ବୃନ୍ଦାବନେ

ବ୍ରହ୍ମକୁଣ୍ଡର ସନ୍ନିଧାନେ

।।

ବସି ଶ୍ରୀକୃଷ୍ଣ ପ୍ରାପ୍ତି ଆଶେ

ଅଟଳ ଭକତି ବିଶ୍ୱାସେ

।।

କରଇ ଧ୍ୟାନ ସଂକୀର୍ତ୍ତନ

ଆବର ବିରହେ ରୋଦନ

।।

ଭକ୍ତ ବତ୍ସଳ ଭାବଗ୍ରାହୀ

ଭକତ ଆକୁଳ ନ ସହି

।।

ସମ୍ମୁଖେ ହୋଇ ଉପସ୍ଥିତ

ବୋଇଲେ ମଧୁରେ ଏମନ୍ତ

।।

ଖରାରେ ବସି କାହିଁପାଇଁ

କ୍ଷୁଧାରେ ବିପ୍ର ହୁଅ ଦହି

।।

ଆସ ଏ ଛାଇତଳେ ବସ

ଅନ୍ନ ବ୍ୟଞ୍ଜନ କର ଗ୍ରାସ

।।

ବିଲ୍ୱମଙ୍ଗଳ କହେ ମୁହିଁ

ଅନ୍ଧ କିଛି ହିଁ ନ ଦେଖଇ

।।

କେ ତୁମ୍ଭେ ସତ କରି ଭାଷ

ତେବେ ମୁଁ ଯିବି ତୁମ୍ଭ ପାଶ

।।

ଗୋପଶିଶୁ ମୁଁ କୃଷ୍ଣ କହେ

ସେ ବୋଲେ ଅନ୍ନ ଦେଲା କିଏ

।।

ପ୍ରତି ଉତ୍ତରେ ଗୋପୀନାଥ

ଦେଇଛି ଅନ୍ନ ବ୍ୟଞ୍ଜନ ତ

।।

ଅଙ୍ଗ ସୁବାସ ମନୋହର

ବଚନ କୋମଳ ମଧୁର

।।

ସାଧୁ ଜାଣିଲା ଅନୁଭବେ

ନିଶ୍ଚେ ଏ କୃଷ୍ଣ ବାସୁଦେବେ

।।

ଆନନ୍ଦେ ଉତ୍କଷ୍ଠିତ ହୋଇ

ଭାଳଇ ଧରିବି କୁଣ୍ଢାଇ

।।

ବୋଲେ ଖାଇବି ଅନ୍ନ ଦିଅ

ଛାଇକି ହାତ ଧରିନିଅ

।।

ଧର ବୋଲିଣ ବାମହସ୍ତ

ତର୍ଜନୀ ବଢାଇ ଅଚ୍ୟୁତ

।।

ହସିବା ଆହା କି ସୁନ୍ଦର

ତୁଳାକୁ ତୁଚ୍ଛ ସୁଧାକର

।।

ପୁଣି ବଢାଇ କୃଷ୍ଣ ହସ୍ତ

ଜାପଟି ଧଇଲା ସାଧୁ ତ

।।

ଯେମନ୍ତେ ବୁଡ଼ିମଲା ଲୋକେ

କୁଣ୍ଢାଇ ଧରନ୍ତି ଆରକେ

।।

ମହା କ୍ଷୁଧାର୍ତ୍ତୀ ସୁଧାପତ୍ରେ

ଲଭି କି ଛାଡ଼େ କଦାଚିତ୍ତେ

।।

କୃଷ୍ଣ ବୋଇଲେ ଏକି ଭାଇ

ଛାଡ଼ ଘରକୁ ଯିବି ମୁହିଁ

।।

ସେ ବୋଲେ କେଭେ ନ ଛାଡ଼ିବି

ହୃଦୟ ମଧ୍ୟରେ ରଖିବି

।।

ବହୁ କଷ୍ଟେ ଲଭି ଧନ

ଛାଡ଼େ କି ଦରିଦ୍ର ପ୍ରଧାନ

।।

ପର କି ଦୁଃଖର ଯାତନା

ବୁଝେ ତେମନ୍ତ ତୁମ୍ଭେ ସିନା

।।

ଯହିଁରେ ପର ଦୁଃଖ ଯିବ

ନିଜର ହାନି ତୋ ନୋହିବ

।।

ଏମନ୍ତ ଦର୍ଶନ ମାତର

ଦେବାକୁ ଏତେ ଛନ୍ଦ ଧର

।।

ନ ଶୁଣ ସାଧୁ ନୀତିବାଣୀ

କୃଷ୍ଣ କରନ୍ତି ଟଣାଟଣି

।।

ଚୋର ଯେମନ୍ତେ ଧର୍ମ ଗୀର

ନ ଶୁଣେ କିଞ୍ଚିତ ମାତର

।।

ସାଧୁ ଭକତି କୋପେ ଥରି

ଆଣ୍ଟରେ ଧଇଲା ଆହୁରି

।।

କୃଷ୍ଣ ବୋଇଲେ ଛାଡ଼ ଛାଡ଼

ଭାଙ୍ଗିଗଲା ମୋ ହାତ ଗୋଡ଼

।।

ଶୁଣିଣ ସାଧୁ ଚମକିଲା

ମୁଠା ହୁଗୁଳା କରିଦେଲା

।।

ହାତରୁ ଉଛୁଡ଼ି ପଳାଇ

ହସିଲେ କପଟୀ କହ୍ନାଇ

।।

ଭକୁଆ ହୋଇ ସାଧୁ ଭାଷି

ହସ୍ତରୁ ସିନା ଗଲ ଖସି

।।

ସେ ପୁଣି ବଳେ ନୁହେଁ ଛଳେ

ପୌରୁଷ ନାହିଁ ଏଥେ ତିଳେ

।।

ଦେଖିବା ଦେଖି ହୃଦ ମୋର

ପଳାଅ ଭଲା ମାୟାଧର

।।

ଯା’ଠାରେ ଯେତେ କରେ ଦୟା

ତା ଠାରେ ତେଡ଼େ କୃଷ୍ଣମାୟା

।।

ଯେ ଯେତେ ଧରିବାକୁ ଯାଏ

ସେ ସେତେ ଦୂରକୁ ପଳାଏ

।।

ଚାଲି ନ ଜାଣିଲା ପିଲାକୁ

ମାତା ଦେଖାଇ ଅଙ୍ଗୁଳିକୁ

।।

ଘୁଞ୍ଚି ବୋଲଇ ଧର ଧର

ଚାଲ ଚାଳକ ଥର ଥର

।।

ତହିଁରେ ହୋଇଣ ସ୍ନେହବଶ

ବୋଇଲେ ସଙ୍ଗେ ସଙ୍ଗେ ଆସ

।।

ଚାଲନ୍ତି କୃଷ୍ଣ ଦୂରେ ଦୂରେ

ଅନ୍ଧ ଧାମଇ ଧରିବାରେ

।।

ଚୁମ୍ୱକ ଆକର୍ଷଣ ବଳେ

ଯେମନ୍ତ ଲୌହ ଖଣ୍ଡ ଚଳେ

।।

କରାଇ ତରୁତଳେ ସ୍ଥିତ

ଦେଲେ ବ୍ୟଞ୍ଜନ ଦୁଧ ଭାତ

।।

କୃଷ୍ଣ ବୋଇଲେ ଗୋପସୁତେ

ଦେଖି ନାହଁ କି କେବେ ନେତ୍ରେ

।।

ଦେଖି ହୋଇବ କିବା ଫଳ

ତହିଁକି କରୁଛ କଟାଳ

।।

ଅନ୍ଧ ବୋଇଲା ଗୁରୁତର

ସମ୍ୱନ୍ଧ ତାଙ୍କ ନାହିଁ ମୋର

।।

ହସି ନିକଟେ ଯାଉଁ ଧାଇଁ

ପଛକୁ କୃଷ୍ଣ ଘୁଞ୍ଚି ଯାଇଁ

।।

ଭକତ ସଙ୍ଗେ କଉତୁକ

କରନ୍ତି ପ୍ରଭୁ ପଦ୍ମମୁଖ

।।

ଅନ୍ଧ ହୃଦୟ ଯାଏ ଫାଟି

ହାତରୁ ନିଧି ହରାଇଟି

।।

କହଇ କାନ୍ଦ କାନ୍ଦ ହୋଇ

ଦୁଷ୍ଟ ନିଷ୍ଠୁର ଅଟୁ ତୁହି

।।

ଦର୍ଶନ ଦେଲେ କିବା ସରି

ଯିବଟି କ୍ଷତି କି ତୋହରି

।।

କାହିଁକି ମୋତେ ଏତେ କଷ୍ଟ

ଦେଇ କରୁଛ ଛଟପଟ

।।

ଭୋ ମହାବାହୁ କୃଷ୍ଣ ହରି

ତୋ ପାଦପଦ୍ମ ଆଶ୍ରା କରି

।।

ପାଇଲି ଅଶେଷ କଷଣ

ଦୟା ନ କଲୁ ଭଗବାନ

।।

ପତିତପାବନ ତୋ ନାମ

ପତିତ ତାରଣ ତୋ କାମ

।।

ଗଜ ଡାକିଲା ଅତି ଦୂରେ

ତାକୁ ତାରିଲୁ ଧାତିକାରେ

।।

ପାଶରେ ଥାଇ ଏତେ ସରି

ହେଉଛି ନ ଶୁଣ ଗୁହାରି

।।

ବ୍ୟାଧଭାଲରେ ଗର୍ଭାଏଣୀ

ଡାକିଲା ତାରିଲୁ ସେକ୍ଷଣି

।।

ମୁଁ ମାୟା ମୋହଜାଲେ ପଡ଼ି

ନ ଶୁଣ ଡାକି ମଲେ ଗଡ଼ି

।।

ଦେଉଛ ଅନ୍ଧକୁ ନୟନ

ମୁଁ ଅନ୍ଧ ହେଲି ହୀନମାନ

।।

ପୁତ୍ରକୁ ନାରାୟଣ ତାକୁ

ତାରିଲୁ ଅଜାମଳଟାକୁ

।।

ମୁଁ ମନ ଚଇତନ ଦେଇ

ଡାକି ମରେ ନ ଶୁଣୁ ତୁହି

।।

ପ୍ରହ୍ଲାଦ ଧ୍ରୁବ ଆଦି କରି

ତରିଲେ ତୋର ନାମ ଧରି

।।

କି ଘେନି କହ ମୋହପ୍ରତି

ଏଡ଼େ ତୋ ପକ୍ଷପାତ ରୀତି

।।

ନ ସହିବି ଏ ଅପମାନ

ମରିବି କରି ଅନଶନ

।।

ହେଲେ ଏ ପାପ ଦେହ ନାଶ

ଘୋଷିତ ତୋର ଅପଯଶ

।।

ଏମନ୍ତ ଶୁଣି ମୃଦୁହସି

କୃଷ୍ଣ କୌତୁକେ ପୁଣି ଭାଷି

।।

ଅତି କଳା ମୋ ଦେହ ମୁଖ

ଦେଖି ତୋ ହେବ କିବା ସୁଖ

।।

ମାଗ ଐଶ୍ୱର୍ଯ୍ୟ ଆଦି ବର

ଅଥବା ସ୍ୱର୍ଗ ଅଧିକାର

।।

ବିଲ୍ୱମଙ୍ଗଳ କହେ ଏତେ

ଭୁଲାଇ ଲୋଡ଼ୁ ପ୍ରଭୁ କେତେ

।।

ତୋ ପାଦ ଧୂଳିଟି ସମ୍ପଦ

କି ଅବା ଇନ୍ଦ୍ର ବ୍ରହ୍ମାପଦ

।।

ଭକ୍ତି ମୁକ୍ତି ତୋ ସେବା ଦାସୀ

ତୁ ପ୍ରଭୁ ବଇକୁଣ୍ଠ ବାସୀ

।।

ମାଗୁଛି ଏତେ ମାତ୍ର ବର

ପବିତ୍ର ଚକ୍ଷୁଦାନ କର

।।

ମୋ ଆଗେ ବିରାଜ ଶ୍ରୀହରି

ତ୍ରିଭଙ୍ଗି ରୂପେ ବଂଶୀ ଧରି

।।

ଦେଖଇ ପୁରାଇ ନୟନ

ଆବର ହୃଦରେ ତେସନ

।।

ଏମନ୍ତ ଶୁଣି ଭାବଗ୍ରାହୀ

ଅମୃତ ପାଦପଦ୍ମ ନେଇ

।।

ଭକ୍ତ ନୟନେ ବୁଲାଇଲେ

ଲଭି ସେ ଦିବ୍ୟ ଚକ୍ଷୁଭଲେ

।।

ଯେମନ୍ତେ ଆଗେ ଦେଲା ଚାହିଁ

ଦେଖିଲା ଗୋପାଳ କହ୍ନାଇ

।।

ଆହା କି ଶୋଭା ରୂପ ରାଶି

ନିନ୍ଦେ ଅସଂଖ୍ୟ ପୂର୍ଣ୍ଣ ଶଶୀ

।।

ସୌନ୍ଦର୍ଯ୍ୟ ସାର ମହାମେରୁ

କୃପାଜଳଧି କଳ୍ପତରୁ

।।

ଜ୍ଞାନ ହାରିଲା ଦେଖି ଡୋଳେ

ଅଷ୍ଟସାତ୍ତ୍ୱିକ ଦେହେ ଖେଳେ

।।

ସ୍ତମ୍ଭ ପରାୟ ଉଭା ହେଲା

ଦେହରୁ ଝାଳ ବୋହିଗଲା

।।

ରୋମାଞ୍ଚହେଲା ପରିପୂର୍ଣ୍ଣ

ସର୍ବାଙ୍ଗ ଦିଶିଲା ବିବର୍ଣ୍ଣ

।।

କମ୍ପିଲା ହୋଇ ଥରଥର

ନେତ୍ରୁ ଗଳିଲା ଅଶ୍ରୁଧାର

।।

ସ୍ତୁତି ଆରମ୍ଭି ରୁଦ୍ଧଗଳେ

ମୂର୍ଚ୍ଛିତେ ପଡ଼ିଗଲା ତଳେ

।।

ଦେଖି ଏ ଦଶା ଭକତର

ସାଉଁଟି ଧଇଲେ ଶ୍ରୀଧର

।।

ପ୍ରଭୁଙ୍କ ଅଙ୍ଗ ସଙ୍ଗ ପାଇ

ଚେତନା ଲଭିଦେଲା ଚାହିଁ

।।

କୁଣ୍ଢାଇ ଧରି ଭକ୍ତିଭରେ

ରୋଦନ କଲା ଉଚ୍ଚସ୍ୱରେ

।।

ସାନ୍ତ୍ୱନା କରି ଶିରୀକାନ୍ତ

ଭୁଞ୍ଜାଇ ଦେଲେ ଦୁଧ ଭାତ

।।

ଭକ୍ତରେ ବାନ୍ଦିଣ ଗୋବିନ୍ଦେ

ଦିନ ବଞ୍ଚିଲା ମହାନନ୍ଦେ

।।

ଲଭି ଶ୍ରୀହରି କୃପା ପୁଣି

ଏକାଳେ ବେଶ୍ୟା ଚିନ୍ତାମଣୀ

।।

ପରମ ବୈରାଗ୍ୟ ଉଦୟେ

ତେଜିଲା ସକଳ ବିଷୟେ

।।

ସେଠାରେ ହେଲା ଉପସ୍ଥିତ

ବିଲ୍ୱମଙ୍ଗଳ ଆଚମ୍ୱିତ

।।

ପଥଦରଶୀ ଗୁରୁ ମଣି

ପ୍ରଣାମ କଲା ଯୋଡ଼ି ପାଣି

।।

ଶ୍ରୀହରି ଦତ୍ତ ଅନ୍ନଦାନା

ମିଷ୍ଟାନ୍ନ ପକ୍ୱାନ୍ନ ଯେ ନାନା

।।

ବଢାଇ ଦେଲା ଖାଇବାକୁ

ଚିନ୍ତାମଣି ଯେ କହେ ତାକୁ

।।

ଭୋଜନ ଅର୍ଥେ ଆସି ନାହିଁ

କି ଅବା ଅଛି ଧନ ପାଇଁ

।।

ଲଭିଣ କୃପା ଶ୍ରୀହରିର

ଭବ ସାଗରୁ ହେବି ପାର

।।

ଶରଣ ଏଥିକି ତୁମ୍ଭର

ଲଭିଲି ଦେଖାଅ ଶ୍ରୀଧର

।।

ଏତିକି ପ୍ରେମବଶେ ଭଣି

ଢଳି ପଡ଼ିଲା ଚିନ୍ତାମଣି

।।

ବିଲ୍ୱମଙ୍ଗଳ ପ୍ରେମ ତାର

ଦେଖିଣ ଆନନ୍ଦ ଅପାର

।।

ଆଶ୍ୱାସି ତାକୁ କହେ ବାଣୀ

ଦୟା କରିବେ ଚକ୍ରପାଣି

।।

ଅବଶ୍ୟ ଦେବେ ଦରଶନ

ଚଞ୍ଚଳ ନ କର ତୁ ମନ

।।

ଏତେକ କହି ହରି ପାଶେ

ଚଞ୍ଚଳ ନ କର ତୁ ମନ

।।

ଏତେକ କହି ହରି ପାଶେ

ତୁରିତେ ଗଲା ପ୍ରେମବେଶେ

।।

ଧରିଣ ଶ୍ରୀହରି ଚରଣ

କଟାଳି କଲା ନିବେଦନ

।।

ହସିଣ ପୁରୁଷ ଉତ୍ତମ

ପୂର୍ଣ୍ଣ କଲେ ତା ମନସ୍କାମ

।।

ଧନ୍ୟ ତୁମ୍ଭର ଅନୁରାଗ

ଧନ୍ୟ ନିର୍ମଳ ଭକ୍ତିଯୋଗ

।।

ଧନ୍ୟ ଜଗତେ ଦୁଇ ପ୍ରାଣୀ

ବିଲ୍ୱମଙ୍ଗଳ ଚିନ୍ତାମଣି

।।

ଦୁହେଁ ତ ମହାପାପୀ ଥିଲେ

ଦୁହେଁ ହିଁ ମହାସାଧୁ ହେଲେ

।।

ତରି ତରାଇ ପରସ୍ପରେ

ଯଶ ରଖିଲେ ମହୀପରେ

।।

ଯୁଗଳ ପାଦେ ନମସ୍କାର

ରାମଦାସକୁ କୃପା କର

।।

ଭୋ ପ୍ରଭୁ ତୁ ଯାକୁ ସଦୟ

ଜ୍ଞାନ ତା ହୃଦରୁ ଉଦୟ

।।

ଛିଣ୍ଡାଇ ମୋହମାୟା ଫାଶ

କର ଶ୍ରୀପଦେ ସେବା ଦାସ

।।

 

ଇତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନଚୈତନ୍ୟ ସମ୍ୱାଦେ

ବିଲ୍ୱମଙ୍ଗଳ ଚିନ୍ତାମଣି ଦାର୍ଢ୍ୟଭାବ ବର୍ଣ୍ଣନେ ନାମ ଚତୁଃପଞ୍ଚାଶତ୍‌ ଧ୍ୟାୟଃ ।

•••

 

ପଞ୍ଚପଞ୍ଚାଶତ ଅଧ୍ୟାୟ

ଜୟଦେବ ସମ୍ୱାଦ

 

କହଇ ଚୈତନ୍ୟ ଆବର

ଶୁଣ ଇନ୍ଦ୍ରିୟ ଗଣେଶ୍ୱର

।।

ଅଟଇ ପରମ ପବିତ୍ର

ଶ୍ରୀକୃଷ୍ଣ ଭକତ ଚରିତ

।।

ଶ୍ରବଣେ ନାନା ପାପ ଧ୍ୱଂସେ

ବିଷ୍ଣୁ ଭକତି ପରକାଶେ

।।

ଜନମ କେନ୍ଦୁବିଲ୍ୱ ଗ୍ରାମେ

ବ୍ରାହ୍ମଣ ଜୟଦେବ ନାମେ

।।

ମହା ପଣ୍ଡିତ ବିଷ୍ଣୁ ଭକ୍ତ

ଜିତଇନ୍ଦ୍ରିୟ ସୁବିନୀତ

।।

ବିରକ୍ତ ନିଃସଙ୍ଗ ଉଦାସୀ

ଶ୍ରୀକ୍ଷେତ୍ରେ ପରବେଶ ଆସି

।।

ଏକ ବୃକ୍ଷର ତଳେ ଥାଇ

ଶ୍ରୀ ଜଗନ୍ନାଥଙ୍କୁ ସେବଇ

।।

ପୂର୍ବ ଯେ ଏକଇ ବ୍ରାହ୍ମଣ

ଥିଲା ସେ ଅପତ୍ୟ ବିହୀନ

।।

ଶ୍ରୀ ଜଗନ୍ନାଥ ସେବା କଲା

ମନେ ଏମନ୍ତ ମନାସିଲା

।।

ପୁତ୍ର ବା କନ୍ୟା ହେଲେ ମୋର

ଦାସ ବା ଦାସୀର ପ୍ରକାର

।।

ସେବିବ ପ୍ରଭୁର ଚରଣ

ଏମନ୍ତେ ଗଲା କିଛିଦିନ

।।

ଭାଗ୍ୟରେ କନ୍ୟାଏ ଜନ୍ମିଲା

ତା ଯୁବାକାଳ ଯହୁଁ ହେଲା

।।

ପ୍ରଭୁଙ୍କୁ କଲା ସମର୍ପଣ

ଆଜ୍ଞା ଦେଲେ ସେ ନାରାୟଣ

।।

ଦାସୀ ଏ ମୋର ଅଙ୍ଗୀକାର

ମାତ୍ର ଏମନ୍ତ ବିପ୍ର କର

।।

ମୋ ଦାସ ଏକ ଯେ ଉଦାସୀ

ବୃକ୍ଷର ତଳେ ଅଛି ବସି

।।

ଜୟଦେବଟି ନାମ ତାର

ତାକୁ ଏ କନ୍ୟା ଦାନ କର

।।

ଏ ଆଜ୍ଞା ମତେ ବିପ୍ର ତୋଷେ

ଗଲା ଯେ ଜୟଦେବ ପାଶେ

।।

ପ୍ରଭୁର ଆଜ୍ଞା ଜଣାଇଲା

ଶୁଣି ସେ ସାଧୁ ଚମକିଲା

।।

ବୋଇଲା ଏମନ୍ତ ଆଜ୍ଞାକୁ

ବଳ ମୋ ନାହିଁ ପାଳିବାକୁ

।।

ବିପ୍ର କହଇ ପ୍ରଭୁ ଆଜ୍ଞା

କାହିଁକି କରୁଛ ଅବଜ୍ଞା

।।

ସାଧୁ ବୋଲଇ ଅକାରଣ

କଟାଳ କରୁଛ ବ୍ରାହ୍ମଣ

।।

ତା କ୍ଷେତ୍ର ଛାଡ଼ି ପଛେ ଯିବି

ତା ଆଜ୍ଞା ପାଳି ନ ପାରିବି

।।

ତହୁଁ ବ୍ରାହ୍ମଣ ଚିଡ଼ି କରି

କନ୍ୟାକୁ କହଇ ତିଆରି

।।

ଏହି ତୋ ସ୍ୱାମୀଟି ନିଶ୍ଚୟ

ଏହାକୁ ଆଦରିଣ ରହ

।।

ଏମନ୍ତ କହି ବିପ୍ର ଗଲା

କନ୍ୟା ଯେ ବସିଣ ରହିଲା

।।

ସାଧୁ ବୋଇଲା ଯାଅ ତୁହି

ମୋ ତହିଁ କିଛି କାର୍ଯ୍ୟ ନାହିଁ

।।

ସେ ନକ୍ୟା ନାମ ପଦ୍ମାବତୀ

ପଦ୍ମିନୀ ଗୁଣ ବତୀ ସତୀ

।।

କାନ୍ଦି କହିଲା ଜଗନ୍ନାଥ

ଆଜ୍ଞାରେ ସମର୍ପିଲେ ତାତ

।।

ତୁମ୍ଭେ ତ ବଲ୍ଲଭ ମୋହରି

ଏ ଦେହ ପ୍ରାଣ ଅଧିକାରୀ

।।

ପକାଇ ଦେଲେ ପଦେ ଠେଲି

ପଶିବି ଶିର ଦେଇ ପେଲି

।।

ଲଗାଇ ଦେଇ ମନ ପ୍ରାଣ

ସେବିବି ତୁମ୍ଭରି ଚରଣ

।।

ଶୁଣିଣ ସାଧୁ ବିଚାରଇ

ପ୍ରଭୁର ଆଜ୍ଞା ନ ଚଳଇ

।।

ସଙ୍ଗିନୀ ରୂପେ ଏ ରୂପସୀ

ହେଲା ଗଳାକୁ ମୋହଫାଶୀ

।।

ଯେ ଇଚ୍ଛା ଜଗନ୍ନାଥଙ୍କର

ତହିଁକି କି ଆଉ କି ବିଚାର

।।

ଗୋଟିଏ କୁଟୀର ନିର୍ମାଣି

ତହିଁ ରହିଲା ଭାର୍ଯ୍ୟା ଘେନି

।।

ଶ୍ରୀରାଧା ମାଧବ ଠାକୁରେ

ଆଣି ସ୍ଥାପିଲା ସେହିଠାରେ

।।

ଶ୍ରୀପଦ ସେବିବା କାରଣ

ପଦ୍ମାକୁ କଲା ସମର୍ପଣ

।।

ପଦ୍ମା ଯେ ପଣ୍ଡିତା ସାଧବୀ

ଯେମନ୍ତ ଦେବ ତେହ୍ନେ ଦେବୀ

।।

ଶ୍ରୀରାଧା ମାଧବ ଦର୍ଶନେ

ଉତ୍କଣ୍ଠା ଜନ୍ମିଲା ରଚନେ

।।

ରଚିଲା ଅପୂର୍ବ ପ୍ରବନ୍ଧ

ନାମ ଯା ଶ୍ରୀ ଗୀତଗୋବିନ୍ଦ

।।

ଶୁଣନ୍ତି ଆଜିଯାଏ ନିତ୍ୟ

ତ୍ରିକାଳେ ଯାହା ଜଗନ୍ନାଥ

।।

ଦିନେ ସେ ଗ୍ରନ୍ଥର ରଚନା

ସମୟେ ଏମନ୍ତ ଘଟଣା

।।

ଖଣ୍ଡିତା ରସ ବର୍ଣ୍ଣନରେ

ଶ୍ରୀକୃଷ୍ଣ ରାଧିକା ପୟରେ

।।

ପଡ଼ିଣ ଥିଲେ କାମଭୋଳେ

ଏ କଥା ଜାଣନ୍ତି ସକଳେ

।।

ମାତ୍ର ଭକତ ଜୟଦେବ

ମନେ ଜନ୍ମିଲା ଶଙ୍କାଭାବ

।।

ହେଲେ ହେଁ ରାଧା ଜଗନ୍ମାତ

ଜଗତ ପ୍ରଭୁ ଜଗନ୍ନାଥ

।।

ଅଧୀର ଲମ୍ପଟ ପରାୟେ

ପଡ଼ିଲେ ରମଣୀର ପାୟେ

।।

କେମନ୍ତେ ଲେଖିବି ଏ କଥା

ହୃଦକୁ ଲାଗଇ ମୋ ବ୍ୟଥା

।।

ପୋଥି ଲେଖନ ଥୋଇ ଭାଳି

ସ୍ନାନକୁ ଗଲେ କବି ଚଳି

।।

ଏକାଳେ ପ୍ରଭୁ ବିଶ୍ୱରୂପ

ଧରିଣ ଜୟଦେବ ରୂପ

।।

ମନ୍ଦିରେ ପ୍ରବେଶ ହୋଇଲେ

ଦେଖିର ତାଙ୍କୁ ପଦ୍ମା ଭଣେ

।।

ସ୍ନାନକୁ ଯାଇ କିମ୍ପା ପୁଣି

ଫେରିଲେ ପ୍ରଭୁ ହସି ଭଣି

।।

ପଡ଼ିଲା ଗୀତ ପଦେ ମନେ

ଫେରିଲି ଲେଖିବା କାରଣେ

।।

ଧରିଣ ଲେଖନ ଯେ ପୋଥି

ଲେଖିଲେ ତରତରେ ଅତି

।।

ଯେ ସ୍ମର ଗରଳ ଖଣ୍ଡନ

ଯେ ମମ ଶିରସି ମଣ୍ଡନ

।।

ସେ ପଦ ପଲ୍ଲବ ଉଦାର

ଦେହି ଏମନ୍ତ ପଦସାର

।।

ଲେଖି ଗମିଲେ ଦେବ ଦେବ

ପ୍ରବେଶ ଆସ ଜୟଦେବ

।।

ଚକିତେ ପଦ୍ମାବତୀ ଭାଷ

ସ୍ନାନକୁ ଯାଇ ଫେରିଆସି

।।

ଲେଖି ଏକ୍ଷଣି ପୁଣି ଗଲ

ଏତେ ଚଞ୍ଚଳ ଲେଉଟିଲ

।।

ଏଥେ ସନ୍ଦେହ ଗୁରୁତର

ନ ଜାଣେ ସ୍ୱାମୀ କେବାମୋର

।।

ସୁବୁଦ୍ଧି ଜୟଦେବ ଶୁଣି

ପ୍ରଭୁର ମାୟା ବୋଲି ଜାଣି

।।

ଫୁଟାଇ ଦେଖିଲେ ସେ ପୋଥି

ଝଟକ ନବ ଲେଖା ଜ୍ୟୋତି

।।

ହୃଦୟେ ଥୋଇ ସେହି ଗ୍ରନ୍ଥ

ନାଚିଲେ ହୋଇ ଉନମତ୍ତ

।।

ବୋଲି ନପାରେ ଗଦଗଦେ

ଦେହି ପଦ ସେ କଣ୍ଠରୋଧେ

।।

ପୁଲକେ କମ୍ପେ ଘନ ଘନ

ଲୋତକେ ପୂରିତ ନୟନ

।।

ତନ୍ମୟଭାବେ ହୋଇ ଭୋଳ

ପଦ୍ମାର ଚରଣ କମଳ

।।

ଧରି ବୋଇଲେ ତୁହି ଧନ୍ୟ

ସୁଫଳ ତୋହର ଜୀବନ

।।

ଦର୍ଶନ ନ ମିଳିଲା ମୋତେ

ପ୍ରଭୁତ ଦେଖାଦେଲେ ତୋତେ

।।

ଏମନ୍ତ ଗ୍ରନ୍ଥ ସମାପନ

କଲେ ବ୍ୟାପିଲା ସେ ଭୁବନ

।।

ଶ୍ରବଣେ କ୍ଷେତ୍ରରାଜବାସୀ

ହୃଦୟେ ଛଳ ପରକାଶି

।।

ଗୀତ ଗୋବିନ୍ଦ ନାମେ ପୁଣି

ଗ୍ରନ୍ଥେକ ରଚି ନୃପମଣି

।।

ସଭା ପଣ୍ଡିତଗଣେ ଦେଲା

ବିଚାର କର ହେ ବୋଇଲା

।।

ପଣ୍ଡିତେ ଦେଖି କହେ ହସି

ରାଜାର ଗ୍ରନ୍ଥକୁ ପ୍ରଶଂସି

।।

ଜୟଦେବର ବରାନନେ

ମିଷ୍ଟତା ନାହିଁ ବହୁ ସ୍ଥାନେ

।।

ତଥାପି ତାହା ପ୍ରଭୁଙ୍କର

ଅଟଇ ବଡ଼ ପ୍ରିୟତର

।।

ରାଜନ ଶୁଣି ଗ୍ରନ୍ଥ ଦୁଇ

ପ୍ରଭୁ ଛାମୁରେ ଦେଲା ନେଇ

।।

ସାଧୁର ଗ୍ରନ୍ଥ ତତନାଳେ

ଧଇଲେ ପ୍ରଭୁ ହୃଦସ୍ଥଳେ

।।

ରାଜାର ଗ୍ରନ୍ଥ ପଦକ୍ଷେପି

ଦେଖି ନୃପତି ହେଲା ତାପି

।।

ଚଳିଲା ଅଭିମାନ ଭୋଳେ

ଜୀବନ ହାରି ସିନ୍ଧୁଜଳେ

।।

ଜାଣିଲେ ପ୍ରଭୁ ଦୁଃଖ ଘେନା

ଭକତ ହୃଦୟ ବେଦନା

।।

ଶୁଭିଲା ଆକାଶ ବଚନ

ତୋ ଗ୍ରନ୍ଥ କଲି ମୁଁ ଗ୍ରହଣ

।।

ଦ୍ୱାଦଶ ସର୍ଗ ପରିମାଣ

ଜୟଦେବର ଗ୍ରନ୍ଥ ଜାଣ

।।

ବାରସର୍ଗର ଆଦ୍ୟେ ତାର

ରହିବ ବାର ଶ୍ଲୋକ ତୋର

।।

ରାଜା ହୋଇଣ ଏଥେ ତୋଷ

ଗମିଲା ଆପଣା ଉଆସ

।।

ଦିନେ କପଟେ ଜୟଦେବ

ରୂପ ଧରିଣ ବାସୁଦେବ

।।

ପଦ୍ମାର ହସ୍ତ ପାକ ଅନ୍ନ

ଖାଇ ସନ୍ତୋଷ କଲେ ମନ

।।

ସେ ସାଧୁ ସାଧ୍ୱୀ ସଙ୍ଗତରେ

ନାନା କୌତୁକ ପ୍ରଭୁ କରେ

।।

ପ୍ରଭୁର ସେବା ପାଇଁ ଧନ

ସାଧୁର ଏକା ପ୍ରୟୋଜନ

।।

ସାଧୁ ଯେ ଧନ ଘେନି ଦିନେ

ବିଦେଶୁଁ ଆସ ତୋଷମନେ

।।

ପଥରେ ଭେଟି ଦସ୍ୟୁ ଦଳ

ଛଡ଼ାଇ ଘେନିଲେ ସକଳ

।।

ବସୁଁ ଜୀବନେ ମାରିବାକୁ

ବିନୟେ ସାଧୁ କହେ ତାଙ୍କୁ

।।

ସବୁ ତ ଧନ ମୋର ନେଲ

ଜୀବନେ ମାରି କିବା ଫଳ

।।

ଦସ୍ୟୁ ବୋଲନ୍ତି ଗ୍ରାମେ ଯାଇ

ଆମ୍ଭଙ୍କୁ ଦେବୁ ତୁ ଧରାଇ

।।

କେ ବୋଲେ ଜୀବନେ ନ ମାରି

ୟା ହସ୍ତ ପାଦ କାଟି କରି

।।

କୂପରେ ଦେବା ଯେ ପକାଇ

ତକ୍ଷଣେ ଦୁଷ୍ଟେ କଲେ ତାହିଁ

।।

ପକାଇ ଗଲେ ସାଧୁ ବନେ

କ୍ଷୋଭ ନୋହିଲା ଏ କଷଣେ

।।

ପଡ଼ି ସେ ବନ ମଧ୍ୟ କୂପେ

ମୁଖରେ କୃଷ୍ଣ କୃଷ୍ଣ ଜପେ

।।

ମୃଗୟା ଅର୍ଥେ ଏକ ନୃପ

ଯାଇ ଦେଖିଲା ସେହି କୂପ

।।

କୂପେ ବିରାଜେ ସାଧୁବର

ସୂର୍ଯ୍ୟ ସମାନ ତେଜଷ୍କର

।।

ମୁଖେ ରଟଇ ଅବିରାମ

କେବଳ କୃଷ୍ଣ କୃଷ୍ଣ ନାମ

।।

ସାଧୁଙ୍କୁ କୂପରୁ ଉଠାଇ

ଦେଖିଲା ହସ୍ତ ପାଦ ନାହିଁ

।।

ପୁଣି ବୋଇଲା ସାଧୁ ଧୀରେ

ଏ ଦଶା କୃଷ୍ଣର ଇଚ୍ଛାରେ

।।

ପ୍ରଣମି ରାଜା ତୋଷମନେ

ବସାଇ ନେଇ ସୁଖାସନେ

।।

ଉତ୍ତମ ସ୍ଥାନେ ନିଜ ପୁରେ

ସାଧୁଙ୍କୁ ରଖିଲା ଆଦରେ

।।

ବୋଇଲା କିବା ବାଞ୍ଛାତବ

କହ ହେ ପରମ ବୈଷ୍ଣବ

।।

କାହାନ୍ତି ବୈଷ୍ଣବ ପ୍ରଧାନ

ବୈଷ୍ଣବ ସେବାରେ ମୋ ମନ

।।

ଏମନ୍ତ ସାଧୁର ବଚନେ

ରାଜା ଲାଗିଲା ଆୟୋଜନେ

।।

ଚବ୍ୟଚୋଷ୍ୟ ଯେ ଲେହ୍ୟ ପେୟ

ଜନ ହେଲା ଅହରହ

।।

ଆସିଲେ ବୈଷ୍ଣବ ଅଶେଷ

ଭୋଜନେ ହେଲେ ଅତିତୋଷ

।।

ବୈଷ୍ଣବ ଦର୍ଶନ ଲାଳସେ

ସେହି ଦସ୍ୟୁଏ ଛଦ୍ମ ବେଶେ

।।

ଆସିଲେ ବଇଷ୍ଣବ ପରି

ରାଜାକୁ ପ୍ରବଞ୍ଚନା କରି

।।

ଚିହ୍ନିଣ ସାଧୁ ତାଙ୍କୁ ଚାହିଁ

ଏମନ୍ତ ରୂପେ ଦେଲା କହି

।।

ସେହି ବଇଷ୍ଣବ ଦଳେ

ଚର୍ଚ୍ଚିବ ୟାଙ୍କୁ ଅନୁଭଲେ

।।

ଏମନ୍ତ ସାଧୁ ପରସ୍ତାବେ

ରାଜା ସେବିଲା ଭକ୍ତିଭାବେ

।।

ଦେଖି ସାଧୁର ଆଚରଣ

ଭୟେ କମ୍ପିଲେ ଦସ୍ୟୁଗଣ

।।

ଯା ହସ୍ତ ପଦ କାଟି ଦେଇ

କୃପରେ ଥିଲେକ ପକାଇ

।।

ସେ ରାଜା ଗୃହେ ଅଧିକାରୀ

ଏଡ଼େ ଆଦର କିମ୍ପା କରି

।।

ରହିଛି କରି କି କପଟ

କରିବେ ଦିନେ ମୁଣ୍ଡ କାଟ

।।

ଉଦୟ ଦେଲା ସ୍ନେହ ସେବା

ଖାଇବା ପିଇବା ଶୋଇବା

।।

ଯିବୁ କହିଲେ ରାଜା ବୋଲେ

ଯିବ ବାବାଜୀ ଆଜ୍ଞା କରେ

।।

କମ୍ପଇ ଶୁଣି କଳେବର

ବାବାଜୀ ନାମ ଚୋରଙ୍କର

।।

ଏ ଯାଏ ସାଧୁ ପାଶେ ହରେ

ପଳାଇ ଯିବେ ନିଜ ବାସେ

।।

ରାଜା କହିଲେ ସାଧୁ ପାଶେ

ବୈଷ୍ଣବ ଯିବେ ନିଜ ବାସେ

।।

ବାବାଜୀ ବୋଇଲେ ରାଜାଙ୍କୁ

ବହୁତ ଧନ ଦିଅ ତାଙ୍କୁ

।।

ସଙ୍ଗରେ ଦିଅ ଲୋକ ଗାଡ଼ି

ତାଙ୍କୁ ଆସନ୍ତୁ ଗୃହେ ଛାଡ଼ି

।।

ବାବାଜୀ ଆଜ୍ଞା ଶିରେ ଧରି

ବିଦାୟ ତାଙ୍କୁ ରାଜା କରି

।।

ଏମନ୍ତେ ଗଲେ ଦସ୍ୟୁମାନେ

ପଥେ କହିଲେ ଭୃତ୍ୟଗଣେ

।।

ଏଠାରୁ ଫେରି ତୁମ୍ଭେ ଯାଅ

ଆମ୍ଭଙ୍କୁ ଆମ୍ଭ ଧନ ଦିଅ

।।

ରାଜାଜ୍ଞ ଛାଡ଼ି ଯିବୁଁ ଘରେ

ପଥୁଁ ଫେରିବୁଁ କି ପ୍ରକାରେ

।।

ଦସ୍ୟୁ ବୋଇଲେ ଏଥୁଁ ଯାଅ

ଘରେ ଛାଡ଼ିଲୁଁ ବୋଲି କହ

।।

ଭୃତ୍ୟ ବୋଇଲେ ହେଉ ଯିବୁ

କହ କଥାଏ ପଚାରିବୁ

।।

ଆସନ୍ତି ବୈଷ୍ଣବ ଅପାର

ନ ପାନ୍ତି ଏତେକ ଆଦର

।।

କି ଘେନି ଏ ମାନ୍ୟ ତୁମ୍ଭର

ଛଳି ବୋଲଇ ଜଣେ ଚୋର

।।

ତୁମ୍ଭ ରାଜାର ପାଶେ ଯେହି

ଥୁଣ୍ଟା ବାବାଜୀ ଅଛି ରହି

।।

ସେ କାଳେ ରାଜାର ଚାକର

ଥିଲା ମୁଁ ଥିଲି ଜମାଦାର

।।

ଏକ ଦୋଷରେ ରାଜା ତାଙ୍କୁ

କହିଲେ ପ୍ରାଣେ ମାରିବାକୁ

।।

ମୁଁ ଛେଦି ପଦ ହସ୍ତ ତାର

ଦୟାରେ କରିଦେଲି ଦୂର

।।

ସେଠାରୁ ଅଇଲା ପଳାଇ

ତୁମ୍ଭ ରାଜାକୁ ମିଛ କହି

।।

ହୋଇଲା ରାଜାର ମହନ୍ତ

ମତେ ଦେଖି ସେ ହେଲା ଭୀତ

।।

ନ ପକାଇବି ସେ ପ୍ରସ୍ତାବ

ତହିଁକି ଏତେ ଭକ୍ତିଭାବ

।।

ଆବର ପ୍ରାଣ ପାଇଥିଲା

ସେ ଉପକାର ଧନ ଦେଲା

।।

ଏମନ୍ତ ବଚନ ଶ୍ରବଣେ

ପ୍ରତେ ନ ଗଲେ ଭୃତ୍ୟଗଣେ

।।

ଫାଟିଲା ଧରଣୀ ଏକାଳେ

ଦସ୍ୟୁ ଯେ ପଡ଼ି ତହିଁ ମଲେ

।।

ଚକିତ ହେଲେ ଭୃତ୍ୟ ଚାହିଁ

ଭାବିଲେ ସାଧୁ ଦ୍ରୋହୀ ଏହି

।।

ଏ ଗୁରୁପାପେ ଥିଲେ ଜଡ଼ି

ଦଇବ ଦଣ୍ଡ ଗଲା ପଡ଼ି

।।

ଘେନିଣ ଧନ ସେ ସମ୍ଭାର

ଚଞ୍ଚଳେ ଗଲେ ପରିଚାର

।।

ରାଜାର ଛାମୁରେ ଜଣାଣ

କଲେ ସକଳ ବିବରଣ

।।

ଆଶ୍ଚର୍ଯ୍ୟ ରାଜା ଶୁଣି ହୋଇ

ପୁଚ୍ଛିଲା ବାବାଜୀକି ଯାଇ

।।

ଯା କହିଥିଲେ ଦସ୍ୟୁଦଳ

ବାବାଜୀ କହିଲେ ସକଳ

।।

ଆବର ପୁଚ୍ଛିଲେ ରାଜନ

ଶତ୍ରୁଠାରେ ଏ ସଉଜନ୍ୟ

।।

କହ କାହିଁକି ପ୍ରକାଶିଲ

ପୁଣି ବହୁତ ଧନ ଦେଲ

।।

ବାବାଜୀ ବୋଇଲେ ରାଜନ

ନ କରି ପରାପର ଜ୍ଞାନ

।।

ସନ୍ତୋଷ କଲେ ଲୋକ ମନ

ତହିଁ ସନ୍ତୋଷ ଭଗବାନ

।।

ଆଉ ଯେ ଦୁଷ୍ଟ ଅପକାରୀ

ତାକୁ ବିନୟ ଭକ୍ତି କରି

।।

ଯେବା କଲେ ତା ଉପକାର

ଲଜ୍ଜା ପାଏ ସେ ଗୁରୁତର

।।

ବଦଳି ଯାଏ ତା ସ୍ୱଭାବ

ଛାଡ଼େ ସେ ତାର ହିଂସାଭାବ

।।

ଏଥେଁ ଯା ଚିତ୍ତ ଦ୍ରବ୍ୟ ନୁହେଁ

ତାକୁ ବିଧାତା ଦଣ୍ଡ ଦିଏ

।।

ଏମନ୍ତେ କହୁ ଗଦ ଗଦେ

କଅଁଳି ଗଲେ ହସ୍ତ ପାଦେ

।।

ସକଳେ ଆଚମ୍ୱିତ ଅତି

ଅସାଧୁ ସାଧୁର ଏ ଗତି

।।

ସାଧୁ ଘରଣୀ ପଦ୍ମାବତୀ

ଶୁଣିଣ ରାଜନ ଝଟତି

।।

ଆଣିଲା ତାଙ୍କୁ ନିଜ ପୁରେ

ରଖିଲା ରାଣୀ ସଙ୍ଗତରେ

।।

ଏକାଳେ ଆସିଲା ଖବର

ମରିଛି ଭାଇ ସେ ରାଣୀର

।।

ଭାଉଜ ଭାଇ ଚିତାନଳେ

ଜୀବନ ହାରିଛି ବିକଳେ

।।

ଶୁଣିଣ ରାଣୀ ମୁଣ୍ଡକୋଡ଼ି

କାନ୍ଦଇ ଧରଣୀରେ ପଡ଼ି

।।

ଲାଗିଛି ଜନମ ମରଣ

ଲୀଳା କରଇ ଭଗବାନ

।।

କି ହେବ ଯେତେ ଶୋକ କରି

ଶୋକେ କେହି କି ଆସେ ଫେରି

।।

ଉଠିଲା ରାଣୀ ଶୋକ ତେଜି

ଭାଉଜ ଗୁଣ ହେଲା ଭଜି

।।

ପତିଭକତା ସତୀ ବୋଲି

ତୁ ସ୍ୱାମୀ ସଙ୍ଗେ ଗଲୁ ଚାଲି

।।

କହଇ ପଦ୍ମବତୀ ଶୁଣି

ସ୍ୱାମୀ ଭାରିଯା ଏକ ପ୍ରାଣୀ

।।

ଦେହ ଦୁଇଟା ସିନା ବହେ

ଏକ ପରାଣ ବେନି ଦେହେଁ

।।

ପୁରୁଷ ଗଣ୍ଡି ମୁଣ୍ଡ ସରି

ନାରୀ ତା ପାଦ ଆଦି ପରି

।।

ନାରୀ ବିଯୋଗ ଅଧା ପ୍ରାଣେ

ପୁରୁଷ ରହଇ ଜୀବନେ

।।

ପୁରୁଷ ବିଯୋଗରେ ନାରୀ

କ୍ଷଣେ କି ରହେ ପ୍ରାଣ ଧରି

।।

ପତିର ପ୍ରାଣ ଯିବା ସଙ୍ଗେ

ଭାର୍ଯ୍ୟା ପ୍ରାଣ କି ରହେ ଅଙ୍ଗେ

।।

ପତିଅନ୍ତେ ଯେ ଜୀବ ରହି

ଚିତାନଳରେ ପ୍ରାଣ ଦେଇ

।।

ତହିଁ ନାହିଁ ତା ସତୀପଣ

ସେ ଲୋକ ଦେଖା ଆଚରଣ

।।

ଏକଥା ଶୁଣି ରାଣୀମାନେ

ବିଡ଼ିବା ଇଚ୍ଛା କଲେ ଦିନେ

।।

ରାଜା ବାବାଜୀ ବେନି ଯାଇ

ଉପବନରେ ଥିଲେ ରହି

।।

ଘରକୁ ଆସନ୍ତେ ରାଜନ

ରାଣୀ କଲେକ ନିବେଦନ

।।

ପଦ୍ମାର ପତିଭକ୍ତି କଥା

ବିଡ଼ିବା ଇଚ୍ଛା କଲେ ଦିନେ

।।

ରାଜା ବାବାଜୀ ବେନି ଯାଇ

ଉପବନରେ ଥିଲେ ରହି

।।

ଘରକୁ ଆସନ୍ତେ ରାଜନ

ରାଣୀ କଲେକ ନିବେଦନ

।।

ପଦ୍ମାର ପତିଭକ୍ତି କଥା

ବିଡ଼ିବା ପାଇଁ ବ୍ୟବସ୍ଥା

।।

ମିଛରେ ଆଜି ଗୋସାଇଁର

ପଠାଇ ମୃତ୍ୟୁ ସମାଚାର

।।

ଦେଖିବା ପଦ୍ମାର କି ହୁଏ

ଅନୁଚିତ ଏ ରାଜା କହେ

।।

ନ ମାନି ରାଣୀ ମରଣର

ପଠାଏ ମିଥ୍ୟା ସମାଚାର

।।

ଶୁଣିବା ମାତ୍ରେ ପଦ୍ମାବତୀ

ନିର୍ଜୀବ ହୋଇ ଭଜେ କ୍ଷିତି

।।

ହୋଇଲେ ରାଜାରାଣୀ ଛନ୍ନ

ଝିଙ୍ଗାସେ ବହୁତ ରାଜନ

।।

ଯାଇଁ ଗୋସାଇଁ ପାଦେ ପଡ଼ି

ଉଠି କହିଲେ କରଯାଡ଼ି

।।

ଜଣାଇ ସର୍ବ ସମାଚାର

ବୋଇଲେ ଏ ପାପୁଁ ଉଦ୍ଧାର

।।

ଶୁଣି ଗୋସାଇଁ ହସି କହେ

ଚିନ୍ତା ନ କର ନରରାୟେ

।।

ଅଟେ ଯେ ମୃତ୍ୟୁ ସଞ୍ଜୀବନୀ

ସେ କୃଷ୍ଣନାମ ମନ୍ତ୍ର ଶୁଣି

।।

ହୋଇବ ପରାଣ ସଞ୍ଚାର

ଏଥି ସନ୍ଦେହ ତୁ ନ କର

।।

ଏମନ୍ତ କହିଣ ଗୋସାଇଁ

ପ୍ରବେଶ ପଦ୍ମାପାଶେ ଯାଇଁ

।।

ଶୁଣାଉଁ ନାମ ମନ୍ତ୍ରଗୋଟି

ପଦ୍ମା ଯେ ଚମକିଣ ଉଠି

।।

ପତିକି ଚାହେଁ ବୋଲେ ଦେବ

ପ୍ରାଣ ଥାଉଁ କି ପିଣ୍ଡ ଯିବ

।।

ଯାବତ ରହିଥାଏ ଦେହୀ

ତାବ ତ ଛାଡ଼ଇ ଛାଇ

।।

ଦେଖି ସମସ୍ତ ଚମତ୍କାର

ଭାବେ ଧନ୍ୟ ଏ ନାରୀବର

।।

ସାମାନ୍ୟ ରମଣୀ ଯେମନ୍ତ

ସାମାନ୍ୟ ପୁରୁଷେ ଆଶକ୍ତ

।।

ଏମନ୍ତେ କିଛିଦିନଠାରେ

ଜଣାଇ ରାଜାର ଗୋଚରେ

।।

ପଦ୍ମାବତୀ ଯେ ଜୟଦେବ

ଶ୍ରୀକ୍ଷେତ୍ରେ ଯାଇଁ କଲେ ଠାବ

।।

ତାହାଙ୍କ ଗୀତ ଗୋବିନ୍ଦର

ମହିମା ଜଗତେ ପ୍ରଚାର

।।

ଶ୍ରୀ ଗୀତଗୋବିନ୍ଦ ଶ୍ରବଣ

କରିଣ ଦେବ ନାରାୟଣ

।।

ହେଲେ ବିଶେଷ ପୁଲକିତ

ଦ୍ରବିଲା ନରନାରୀ ଚିତ୍ତ

।।

ପାଷାଣ୍ଡ ବିଷୟୀ ପାମର

ଶୁଣି ଦ୍ରବିଲେ ଚରାଚର

।।

ଏକ ଯେ ମାଳିର ଦୁହିତା

ଗାଇ ସେ ହୋଇ ପୁଲକିତା

।।

ତୋଳଇ କ୍ଷେତୁଁ ବାଇଗଣ

ସେ ଗୀତ ଶୁଣି ନାରାୟଣ

।।

ସେ କନ୍ୟା ପଛେ ପଛେ ଚଳେ

ଶିଳା କଣ୍ଟକ ପଦେ ଗଳେ

।।

ଆବର କଣ୍ଟା ଲାଗି କରି

ବସ୍ତ୍ର ଓଢଣୀ ଯାଏ ଚିରି

।।

କଣ୍ଟା ସହିତେ ବାଇଗଣ

ପତ୍ର ବସନେ ପଣ ପଣ

।।

ହୋଇଛି ଛିନ୍ନ ଛିନ୍ନ ବେଶ

ପ୍ରଭୁ ମନ୍ଦିରେ ପରେବଶ

।।

ଦେଖି ଚକିତ ପଣ୍ଡାଗଣ

ରାଜାରେ କଲେକ ଜଣାଣ

।।

ଆସିଣ ରାଜା ସ୍ତୁତି କରି

ଯାଇଣ ଥିଲେ କାହିଁ ହରି

।।

ତେଜି ଏ ବଇକୁଣ୍ଠ ପୁର

କି ଲାଗି ବନରେ ବିହର

।।

ଆହା ଲଭିଲ କି ବେଦନା

ଦେଲା କେ ଏଡ଼େ କଦର୍ଥନା

।।

ଏ ଭୃତ୍ୟ ଥାଉଁ ଥାଉଁ ରହି

ଅଜ୍ଞାନ ହେଲେ କାହିଁ ପାଇଁ

।।

ଆଜ୍ଞା ପାଇଲେ ଚନ୍ଦ୍ର ରବି

ଆଣି ଚରଣତଳେ ଦେବି

।।

ବ୍ରହ୍ମାଦି ଦେବେ ଶେଷଦେବେ

ଧରି ଆଣିବି ଦେବଦେବେ

।।

ଶ୍ରୀପାଦ ପଦ୍ମ ପରସାଦେ

କାହାକୁ ନ ଡରେ ମୁଁ ବାଦେ

।।

ତବ ଆଜ୍ଞାରେ ଧରାସ୍ଥଳୀ

ମେରୁ ସହିତେ କରି ଧୂଳି

।।

ଉଡ଼ାଇ ଦେବି ଫୁଙ୍କ କରି

ସିନ୍ଧୁକୁ ସୁନା କୁମ୍ଭେ ଭରି

।।

ସୁରଙ୍ଗ କୋମଳ ଚରଣ

ଧୋଇବି ଦେଇ ମନ ପ୍ରାଣ

।।

ଆହା ମରଣ କାହିଁ ପାଇଁ

ଚାଲି ପାଦରେ ଥିଲ ଯାଇ

।।

ନୃପତି ଭାସି ଅଶ୍ରୁ ଜଳେ

କହିଲା ଏମନ୍ତ ବିକଳେ

।।

ଆଦେଶ ଦେଲେ ଜଗନ୍ନାଥେ

ମାଳିନୀ ବାଇଗଣ କ୍ଷେତେ

।।

ଶ୍ରୀ ଗୀତଗୋବିନ୍ଦ ପଢଇ

ଗଲି ମୁଁ ଶୁଣିବାକୁ ତହିଁ

।।

ଯାଇଁ ଲଭିଲି ଏ ଦଶାକୁ

ଯାଇଁଣ ଘେନି ଆସ ତାକୁ

।।

ଏମନ୍ତ ଆଜ୍ଞା ରାଜା ପାଇ

ଶିବିକା ଦେଲେ ପଠିଆଇ

।।

ଆଣିଲେ ମାଳିନୀ କନ୍ୟାକୁ

କହିଲେ ତାକୁ ପଢିବାକୁ

।।

ପଢିଲା ସେ ଗୀତ ଗୋବିନ୍ଦ

ଶୁଣିଣ ପ୍ରଭୁ ମହାନନ୍ଦ

।।

ରହିଲା ଖଞ୍ଜା ଭୂମି ଖାଇ

ପଢିଲା ନିତି ନିତି ଯାଇ

।।

ଅଦ୍ୟାପି ତାର ବଂଶଧରେ

ଗୀତ ଗୋବିନ୍ଦ ପାଠ କରେ

।।

ସେ ଦିନ ନଗରେ ଘୋଷଣା

ଦେଇ ରାଜନ କଲା ଜଣା

।।

କୁତ୍ସିତ ସ୍ଥାନେ ବା ଗମନ

ପଢିବେ ନାହିଁ କେହି ଜନ

।।

ଏମନ୍ତେ ଏକ ଯେ ଯବନ

ଏ କଥା କରିଣ ଶ୍ରବଣ

।।

ଗଲା ସେ ଘୋଡ଼ା ପରେ ଚଢି

ଗୀତଗୋବିନ୍ଦ ପଢି ପଢି

।।

ଶୁଣିବା ଆଶେ ପ୍ରଭୁ ରାୟେ

ତା ଘୋଡ଼ା ପଛେ ପଛେ ଯାଏ

।।

ଯବନ କରେ ବୃଷ୍ଟିପାତ

କହିଁ ହିନ୍ଦୁର ଜଗନ୍ନାଥ

।।

ନ ଦେଖି ହୃଦେ ବିଚାରିଲା

ଯବନ ବୋଲି ନ ଆସିଲା

।।

ଏମନ୍ତ କାଳେ ଭାବଗ୍ରାହୀ

ସମ୍ମୁଖେ ଠିଆ ହେଲେ ଯାଇ

।।

ଶ୍ୟାମଳ ସୁନ୍ଦର ମୂରତି

ଆହା କି ଅପରୂପ ଜ୍ୟୋତି

।।

ଚାହିଁବା ମାତ୍ରେ ବେନିଡୋଳେ

ଅଶ୍ରୁ ପଡ଼ିଲା ଗଡ଼ି ତଳେ

।।

ହରିର ନାହିଁ ପରାପର

ଯବନ ଚାଣ୍ଡାଳ ବିଚାର

।।

ଯେ ତାକୁ ଭଜେ ସେହି ପାଏ

ଭକ୍ତବତ୍ସଳ ଦେବରାୟେ

।।

ଜୟଦେବକୁ ଏକଦିନେ

ଆଦେଶ ଦେଲେ ନାରାୟଣେ

।।

ଘେନିଣ ତୋର ଠାକୁରକୁ

ଯାଅ ତୁ ବୃନ୍ଦାବନ ଠାକୁ

।।

ଶୁଣି ସେ ମନେ ଚିନ୍ତା କରି

ଠାକୁରେ ଅତି ସ୍ଥୂଳି ଭାରି

।।

କେମନ୍ତେ ଅବା ନେବି ମୁହିଁ

ରାଧାମାଧବ ଜାଣି କହି

।।

ମୁହିଁ ବହିବି ସୂକ୍ଷ୍ମ ଦେହ

ଝୁଲିଲେ ପୂରାଇ ତୋ ନିଅ

।।

ଏମନ୍ତ ଶୁଣି କବିବର

ଝୁଲିରେ ପୂରାଇ ଠାକୁର

।।

ଯାଇଁ ଦେଖିଲା ବୃନ୍ଦାବନ

ପୁଲକି ଉଠେ ଘନ ଘନ

।।

କେଶୀ ଘାଟର ସନ୍ନିଧାନେ

ରହିଲା ପ୍ରେମାନନ୍ଦ ମନେ

।।

ରାଧାମାଧବ ରୂପ ଚାହିଁ

ସେ ଧନୀ ଦ୍ରବୀଭୂତ ହୋଇ

।।

ତୋଳାଇ ଦେଲାକ ମନ୍ଦିର

ତହିଁରେ ରହିଲେ ଠାକୁର

।।

ହୁଅନ୍ତେ କବି ଅପ୍ରକଟ

ଠାକୁରେ ଜୟପୁର ରାଟ

।।

ଘେନାଇ ଗଲା ନିଜରାଜ୍ୟେ

ଅଦ୍ୟାପି ସେଠାରେ ବିରାଜେ

।।

ରାଧାମାଧବ ମନୋହର

ସ୍ୱରୂପ ତ୍ରୈଲୋକ୍ୟ ଠାକୁର

।।

ଶ୍ରୀମୁଖ ଚନ୍ଦ୍ରରୁ ଅଧିକ

ଶ୍ରୀଅଙ୍ଗେ ବିଜୁଳି ଝଟକ

।।

ଶ୍ରୀ ଜୟଦେବ କବିବର

ଭକତ କୀର୍ତ୍ତି ପୁଣ୍ୟଧର

।।

ଯା ଅନୁରୋଧେ ଗଙ୍ଗା ଆସି

ସ୍ୱଗ୍ରାମ ମଧ୍ୟରେ ବିଳସି

।।

କେନ୍ଦୁ ବିଲ୍ୱର ଯେ ଅଠର

କୋଶ ଦୂରରେ ଥିଲା ଧାର

।।

ତହିଁରେ ନିତି ସ୍ନାନ କରି

ଆସନ୍ତି ଜୟଦେବ ଫେରି

।।

ଦିନେକ କାର୍ଯ୍ୟାଦି ବଶରେ

ଯାଇ ନ ପାରି ଖେଦ କରେ

।।

ସାଧୁର ମନ ଗଙ୍ଗା ଜାଣି

ଆସିଲେ ତରଙ୍ଗାଇ ପାଣି

।।

ସାଧୁର ପାଶେ ପରବେଶି

ବୋଇଲେ ସ୍ନାନ କର ଆସି

।।

ତୁମ୍ଭ ପରଶ ଲଭିବାକୁ

ଅଇଲି ଧାଇଁ ମୁଁ ଏଠାକୁ

।।

ଯେ ଗଙ୍ଗା ତ୍ରିଲୋକ ପାବନ

ଶିରରେ ବହେ ତ୍ରିଲୋଚନ

।।

ସେହି ଗଙ୍ଗାର ହରିଦାସ

ଶ୍ରୀଅଙ୍ଗ ଛୁଇଁବାକୁ ଆଶ

।।

ଧନ୍ୟରେ କବି କୁଳେଶ୍ୱର

ଧନ୍ୟ ହେ ଭକତ ଶେଖର

।।

ତୁମ୍ଭ ଚରଣେ କରେ ଆଶ

ଏ ହୀନ ବିପ୍ର ରାମଦାସ

।।

 

ଈତି ଶ୍ରୀ ଦାର୍ଢ୍ୟତାଭକ୍ତି ରସାମୃତେ ମନଚୈତନ୍ୟ ସମ୍ୱାଦେ

ଶ୍ରୀ ଜୟଦେବ ଗୋସ୍ୱାମୀ ଦାର୍ଢ୍ୟଭାବ ବର୍ଣ୍ଣନେ ନାମ ପଞ୍ଚଶତ୍‌ ଅଧ୍ୟାୟଃ ।

Image